Saturday, February 1, 2020

ରାଜଧାନିଆ ଷଣ୍ଢ

ଷଣ୍ଢ ଏକ ସ୍ଵାଭିମାନୀ ଜୀଵ । ତା ସମ୍ପୂର୍ଣ୍ଣ ଜୀଵନ ନାଚି ଖେଳି ଶିଙ୍ଘ ମରାମରିରେ କଟେ । ରାଜଧାନୀ ଭୂଵନେଶ୍ଵର ଅନାଦିକାଳରୁ ଷଣ୍ଢମାନଙ୍କର ଚରାଭୂଇଁ, ଲୀଳାଭୂଇଁ ରହିଆସିଛି । ଭାରତରେ ଭୂଵନେଶ୍ୱର ଵ୍ଯତୀତ ଅନ୍ୟ କୌଣସି ରାଜଧାନୀ ନାହିଁ ଯେଉଁଠି ଷଣ୍ଢମାନେ ସ୍ଵାଧୀନ ଵିଚରଣ କରିଥାଆନ୍ତି । ନିଶ୍ଚିତ ଭାଵେ ଏହା ସମଗ୍ର ଓଡ଼ିଶା ପାଇଁ ଗର୍ଵ ଓ ଗୌରଵର ଵିଷୟ ।

ତେଵେ ଓଡ଼ିଆ ଲୋକେ ନିଜର ସ୍ଵାଭିମାନକୁ ସର୍ଵଦା ହେୟ ଦୃଷ୍ଟିରେ ଦେଖନ୍ତି । ସେଇଥିପାଇଁ ତ ଏଠାକାର ନୃସଂଶ ପ୍ରଶାସନ ଷଣ୍ଢ ଭଳି ଏକ ସ୍ବାଭିମାନୀ ପ୍ରାଚୀନ ପ୍ରାଣୀକୁ ରାଜଧାନୀରୁ ତଡି଼ପାର କରିବାଦେଵାକୁ ଯୋଜନା କରିଛନ୍ତି । ତାହେଲେ ଏ ଵିଚରା ଷଣ୍ଢମାନେ କୁଆଡ଼େ ଯିଵେ ? କ'ଣ କଂସେଇ ହାତକୁ ଟେକିଦେବେନି ତ ସରକାର ?

ସରକାରଙ୍କୁ ଏ ସଂକ୍ରାନ୍ତରେ ପଚାରିଲେ କହୁଛନ୍ତି ଏ ଜୀଵଗୁଡା଼ ଆମର ଅନେକ କ୍ଷତି କଲେଣି । ବାଟରେ ଘାଟରେ ଗୁଣ୍ଡା ଭଳି ବୁଲୁଛନ୍ତି,ଯାହାକୁ ମନ ତାକୁ ଶିଙ୍ଘେଇ ଦେଉଛନ୍ତି ।  ଆଇନ୍ କାନୁନ୍ କ'ଣ ସେମାନେ କିଛି ବୁଝୁନାହାନ୍ତି  । ଗାଈମାନଙ୍କୁ ଲାଇନ୍ ମାରିଵା ହେଉ କି ଅଯଥା ବାଟ ଓଗାଳି ଯାନଵାହନ ଚଳାଚଳରେ ଵ୍ଯାଘାତ ଉତ୍ପନ୍ନ କରିଵା ହେଉ ସବୁଥିରେ ଏଇ ଷଣ୍ଢମାନଙ୍କୁ ଦୋଷ ଦିଅନ୍ତି ଗଡି଼ଆଲୋକେ । ଏଣେ ଷଣ୍ଢମାନଙ୍କର ଏଭଳି ପ୍ରକୃତିର ଅନୁକରଣ କରୁଛନ୍ତି ଆଜିର ରାଜଧାନିଆ ଯୁଵଗୋଷ୍ଠୀ ।

ଆଗେ ଆମ ରାଜଧାନୀର ଲୋକେ ବହୁତ ସରଳ ସୁନ୍ଦର ଥିଲେ ତାଙ୍କର କୋଉଠେ ବି ଗୋଟାଏ ‛କେଁ’ ନଥିଲା କିନ୍ତୁ ଯୋଉଦିନଠୁ ଏ ଗଡି଼ଆ ଷଣ୍ଢମାନେ ଉଦୁରୁମତା ହେଲେଣି ସେବେଠାରୁ ତାଙ୍କ ଦେଖାଦେଖି ଏଠାକାର ସ୍ଥାନୀୟ ଅଧିଵାସୀ ବି ସରକାରଙ୍କୁ ଶିଙ୍ଘେଇଵା ଶିଖିଗଲେଣି ।

ସେମାନେ ଶିଙ୍ଘେଇଵା ଦିନଠୁ ସରକାର ଆଉ ଅଣ୍ଟା ସଳଖି ଚାଲିପାରୁନାହାନ୍ତି । ତେଣୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି ।

ତେଵେ ଗାଈଙ୍କର ପ୍ରିୟତମମାନେ  କେଉଁ ଦେଶକୁ ଯିଵେ ?

ସରକାର କୁହନ୍ତି ଏଥିପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ ହେଲା ଢେଙ୍କାନାଳ । ଢେଙ୍କାନାଳଟା ଏମିତି ଯାଗା ଯେ ସେଠାକୁ ଷଣ୍ଢମାନଙ୍କୁ ଛଡା଼ଗଲେ ସରକାରଙ୍କର କେହି ଵିରୋଧ କରିଵେ ନାହିଁ । ଢେଙ୍କାନାଳରେ ହାତୀ, ପାତିମାଙ୍କଡ଼ ଓ ହନୁମାଙ୍କଡ଼ ବହେ ଅଛନ୍ତି ଏଵଂ ସ୍ଥାନୀୟ ଲୋକେ ତାଙ୍କୁ ଆପଣେଇଲେଣି  ତେଣୁ ଆନ ଜୀଵ ଭଳି ଷଣ୍ଢମାନେ ବି ଏଠାରେ କଷ୍ଟେମଷ୍ଟେ ଚଳିଯିଵେ ।

ଢେଙ୍କାନାଳ ହିଁ କାହିଁକି ଓଡ଼ିଶାରେ ଆହୁରି କେତେ ଜିଲ୍ଲା ଅଛି , ଯେଉଁଠି ଇଛା ସେଇଠି ଛାଡି଼ପାରନ୍ତେ ?

ଢେଙ୍କାନାଳ ଭଳି ଅନ୍ୟ କୌଣସି ଜିଲ୍ଲା ଷଣ୍ଢମାନଙ୍କ ପାଇଁ ଉପଯୁକ୍ତ ନୁହେଁ । ଉତ୍ତର ଓଡ଼ିଶାରେ ଷଣ୍ଢମାନଙ୍କୁ ଛାଡି଼ଵା ନିରାପଦ ନୁହେଁ ।  ଯଦି ସେଠାକୁ ସେମାନେ ଯାଆନ୍ତି ତେଵେ ତାଙ୍କର ମାଉଁସମୁଢି଼ ଖାଇଵା ବଦଭ୍ଯାସ ହୋଇଯିଵ । ଗୋଟିଏ ନିରାମିଷାସି ଜୀଵକୁ ଆମେ କାହିଁକି ଆମିଷାସି କରିଵାକୁ ଯିଵା ? ପୁଣି ଉତ୍ତର ଓଡ଼ିଶା ଗଲେ କଦାଚ ସେମାନେ ସାହିତ୍ଯିକ କି ବୁଦ୍ଧିଜୀଵୀ ହୋଇଗଲେ ତ ରାଜଧାନୀକୁ ଆସି ଉଠେଇ ପକେଇ ଦେଵେ । ଏମିତି ଏମିତି ସାହିତ୍ୟ ଲେଖିଵେ ଯେ ସବୁ ଗାଈ ଗୋରୁ ଶିକ୍ଷିତ ହୋଇ ସରକାରଙ୍କର ଦୁର୍ଦ୍ଦଶା କରିପକେଇଵେ ।

ପଶ୍ଚିମ ଓଡ଼ିଶାରେ ନିର୍ଵାସିତ ଷଣ୍ଢମାନଙ୍କୁ ଛାଡି଼ଵା ପରମ ମୂର୍ଖତା ହେଵ । ପୂର୍ଵରୁ ଏ ଅଞ୍ଚଳରେ ଅନେକ ଵିଚ୍ଛିନ୍ନତାଵାଦୀ ଅଛନ୍ତି । ନିର୍ଵାସିତ ଷଣ୍ଢମାନେ ସେଠାକୁ ଗଲେ ତାଙ୍କ ସହିତ ମିଶି ସରକାରଙ୍କୁ ନଚେଇ ନଚେଇ ପ୍ରାଣ ନେଵେ । ନା ନା ଷଣ୍ଢମାନଙ୍କୁ ସେଭଳି କୌଣସି ମଉକା ଦେଵା ଅର୍ଥ ଆପଣା ହସ୍ତେ ଜିହ୍ଵା ଛେଦି କା ସଙ୍ଗେ ହେଵା ପ୍ରତିଵାଦୀ ଭଳି କଥା ହୋଇଯିଵ । 

ଆଉ ଦକ୍ଷିଣ ଓଡ଼ିଶାରେ ଷଣ୍ଢମାନଙ୍କୁ ଛାଡି଼ଦେଲେ କିୟଣ ଅସୁଵିଧା ହଵ କି ?

ଏହାର ଉତ୍ତରରେ ସରକାର କହିଲେ
ଆମେ ସେମିତି ଭୁଲ୍ କସ୍ମିନକାଳେ କରିବୁ ନାହିଁ । ଏ ନିର୍ଵାସିତ ଷଣ୍ଢମାନେ ଯଦି ଦକ୍ଷିଣ ଓଡ଼ିଶା ଚାଲିଯାଆନ୍ତି ତେଵେ ରାଜ୍ଯରେ ଗୋଟାଏ ଭୀଷଣ “ଷଣ୍ଢ ମହାଭାରତ” ସଂଘଟିତ ହୋଇଯିଵାର ସମ୍ଭାଵନା ରହିଛି । ଦକ୍ଷିଣ ଓଡ଼ିଶାର ଷଣ୍ଢମାନେ ଏଇ ରାଜଧାନିଆ ଷଣ୍ଢମାନଙ୍କଠାରୁ ଯହଗୁଣ ହୁରୁମା । ସେମାନେ ଏମାନଙ୍କ ସହ ମଲାଯାଏଁ ଶିଙ୍ଘ ଲଢେ଼ଇ କରିଵେ । ସେତେଵେଳେ ସରକାରଙ୍କୁ ସେମାନଙ୍କ ଝଗଡା଼ ରୋକିଵା ହେତୁ କର୍ଫ୍ୟୁ ଲଗେଇଵାକୁ ପଡି଼ପାରେ ।

ଢେଙ୍କାନାଳରେ ଏମନ୍ତ କିଛି ଅସଵିଧା ହେଲା ଭଳି ଅନୁଭୂତ ହେଉନାହିଁ । ଵିଗତ ଦୁଇ କି ତିନିଶତ ଵର୍ଷ ହେଵ ଢେଙ୍କାନାଳିଆମାନେ “ଢେଙ୍କାନାଳ ନିଜ କୀଳା ନିଜେ ସମ୍ଭାଳ” ନ୍ଯାୟରେ ସବୁ ସହିପାରିଵାର ଅପୂର୍ଵ କଳା ଵିକଶିତ କରିନେଇଛନ୍ତି ।

ଆମେ ଆଶାକରୁଛୁ ଯେ ସେଠାକାର ସରଳିଆ ଜନତାଙ୍କ ଭଳି ସ୍ଥାନୀୟ ଷଣ୍ଢମାନେ ବି ନୀରିହ ହୋଇଥିଵେ । ସେମାନେ ନିଶ୍ଚୟ ନିର୍ଵାସିତ ଷଣ୍ଢମାନଙ୍କୁ ଭାଇ ବନ୍ଧୁ ଭାଵି କୋଳେଇ ନେଵେ ଆଉ ନିଜ ଶିଙ୍ଘ ବଜେଇ ସେମାନଙ୍କର ଭଵ୍ଯ ସ୍ଵାଗତ କରିଵେ । 

ଦେଖନ୍ତୁ ଆମ ସରକାର ସାରା ଭାରତରେ ଏକମାତ୍ର ଏଵଂ କେଵଳ ଜନ ନୁହେଁ ଵରଂ ସର୍ଵଜୀଵ ହିତକାରୀ ସରକାରଟିଏ ।  ରାଜଧାନିଆ ଷଣ୍ଢମାନଙ୍କର ଓ ରାଜ୍ୟ ଜନତାଙ୍କ ମଙ୍ଗଳ ଚିନ୍ତାକରି ହିଁ ସେମାନଙ୍କୁ ଢେଙ୍କାନାଳରେ ଛଡା଼ଯାଉଛି ।

ତେଵେ ଆମ ୧ ନଂ ସରକାର ଯାହା କରନ୍ତୁ ନକରନ୍ତୁ ପଛେ କିନ୍ତୁ ଷଣ୍ଢମାନଙ୍କ ପାଇଁ ଏକଦା ଲୋକପ୍ରିୟ ଥିଵା ରାଜଧାନୀ ଭୂଵନେଶ୍ଵର ଵୃଷଭ ଵିହୀନ ହେଲେ ପୂର୍ଵେ ମୁକ୍ତିଲାଭ କରିଥିଵା ଗୋଟିଏ ଓଡ଼ିଆ ଡହରା ଗୀତ
“ଏଠି ଗାଈ ମାଳ ମାଳ ଷଣ୍ଢ ଦୁର୍ଵଳ” ମାଳିକା ଵଚନ ଭଳି ପ୍ରାମାଣିକ ଵାକ୍ଯ ହୋଇଯିଵ ନିଃସନ୍ଦେହ !!!

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...