Friday, February 18, 2022

ଲାଵଣ୍ୟଵତୀ କାଵ୍ୟରେ ଦେଶଵର୍ଣ୍ଣନା

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ
ଲାଵଣ୍ୟଵତୀ କାଵ୍ୟରେ ଭାରତ ଵର୍ଷର ଵିଭିନ୍ନ ଦେଶର ଵର୍ଣ୍ଣନା କରିଛନ୍ତି।
ଲାଵଣ୍ୟଵତୀର ପ୍ରଥମ ଭାଗ ଅଷ୍ଟମ ଛାନ୍ଦରେ କେମିତି
ସିଂହଳଦେଶର ରାଜା ନିଜ ଵିଵାହଯୋଗ୍ୟା କନ୍ୟା ଲାବଣ୍ୟଵତୀର ଚିତ୍ରପଟଟିଏ ପ୍ରସ୍ତୁତ କରାଇ ଜ୍ଞାନାନନ୍ଦ ନାମକ ସନ୍ୟାସୀ ହସ୍ତରେ
ଦେଶରୁ ଦେଶ ବୁଲାଇ ପ୍ରଦର୍ଶିତ କରାଇଲେ ତାହା ଏହିପରି ଵର୍ଣ୍ଣନା କରାଯାଇଛି...

“କୁନ୍ତଳ କୁନ୍ତଳଵର୍ଣ୍ଣେ ସାରିଲେ ଦିନ ।
ମତ୍ସ୍ୟଜନ ମତ୍ସ୍ୟପୁରି ନିମିଷ ହୀନ ॥
ନିଷେଧେ ନିଷେଧି ଆନ ଲୋକନ କଲେ ।
ମାଳଵରେ ମାଳା କରି ତାହା ଜପିଲେ ॥
ମଘରେ ମଘଵାପଦ ପାଇଲା ପରି  ।
ଵିଦେହ ଵିଦେହଶରେ ହୋଇଲେ ଘାରି ॥
କନାଉଜ କନ୍ୟା ଉଜ ଶୁଭିଲା ବାଣୀ ।
ମରୁ ଦେଶ ମରୁ ରମ୍ଭା ଏମନ୍ତେ ଭଣି ॥
ଅଙ୍ଗରେ ଅଙ୍ଗନା ଅଙ୍ଗ ପ୍ରଶଂସା କଲେ ।
ଏହି ରମ୍ଭା ବୋଲି କଳି କଳିଙ୍ଗେ ହେଲେ ॥
ଧାତା ହଟ ଏହି ମରହଟ୍ଟ ଵିଚାର ।
ସଉରାଷ୍ଟ୍ରେ ଭାଷି ସଉଦାମିନୀ ସ୍ଥିର ॥
ଚୋଳେ ନିଚୋଳ ଘୋଡାଇ ରଖିଵା ଚିନ୍ତା ।
ଦ୍ରାଵିଡ଼େ ନିଵିଡ଼େ ଆଲିଙ୍ଗନେ ମମତା ॥
ଗୁଜୁରାତି ରାତିଦିନେ ଦେଖିଵା ଇଛା ।
ଵିଦର୍ଭରେ ଦରହାସୀ ଦର୍ଶନ ଵାଞ୍ଚା ॥
ଉତ୍କଳେ ଉତ୍କଳ ହୋଇ ଵିରହ ଭାରୀ ।
ଗଉରିଏ ଗଉରଵ ଗଉଡ଼େ କରି ॥
ନେପାଳେ କପାଳେ ଥିଲେ ପାଇଵା ଭାବି ।
ମାଗଧେ ମାଗଧମୁଖେ ଵର୍ଣ୍ଣାଇ ଛବି ॥
କୁଞ୍ଜ ଗଳେ ଗଳେ ବାନ୍ଧି ବୁଲିକା ସ୍ନେହୀ ।
ବଙ୍ଗାଳୀ ଗାଳି ଉପମାବଳୀକି ଦେଇ ॥
ଲୋମଶ ଲୋମହର୍ଷିତ ଦେଖି ତ୍ଵରିତ ।
କଳେଵରେ କଳେଵରେ ଆନନ୍ଦ ଜାତ ॥
କେରଳେ କେରଳମାୟା ହୋଇବ ।
ଯମନ ମନରୁ ଭିନ୍ନ ନୋହେ ଏ ଭାବ ॥
ସିନ୍ଧୁ ରେ ଭାଷିଲେ ସିନ୍ଧୁରେ ଯେ ଝାସିବ ।
ସିନ୍ଧୁରଗମନା ପ୍ରତି ଅଙ୍ଗେ  ମିଶିବ  ॥”

ପ୍ରୋକ୍ତ ପଦଗୁଡି଼କରେ ଅଖଣ୍ଡଭାରତର କେଉଁ କେଉଁ ରାଜ୍ୟର ନାମ ରହିଛି...

•କୁନ୍ତଳ = ଭାରତରେ ଦୁଇଟି କୁନ୍ତଳ ଦେଶ ଥିଲା । ଗୋଟିଏ କୁନ୍ତଳ ଦେଶ ଉତ୍ତରରେ କାଶୀ ଓ ଚୁନାର୍ ନିକଟରେ ଥିଲାବେଳେ ଅନ୍ୟଟି କୃଷ୍ଣାନଦୀ କୂଳରେ ଦକ୍ଷିଣ ଭାରତରେ ଅଵସ୍ଥିତ ଥିଲା । କର୍ଣ୍ଣାଟକର ପୂର୍ଵନାମ କୁନ୍ତଳ ବୋଲି ଅନେକେ ଵିଶ୍ଵାସ କରନ୍ତି ।‌

•ମତ୍ସ୍ୟପୁରୀ ଵା ମତ୍ସ୍ୟଦେଶ = କେହି କେହି ଓଡ଼ିଶାରେ ମତ୍ସ୍ୟଦେଶ ଥିଵା ଅନୁମାନ କରନ୍ତି ତେବେ ମତ୍ସ୍ୟଦେଶ ରାଜସ୍ଥାନର ଅଲଵର ଅଞ୍ଚଳରେ ଥିଵା ଅନେକ ଗଵେଷକ ମତ ଦିଅନ୍ତି ।

•ନିଷେଧ = ଗ୍ଵାଲିୟର ନିକଟସ୍ଥ ନଳଵର ଅଞ୍ଚଳକୁ ପୂର୍ଵେ ନିଷେଧ ଦେଶ କୁହାଯାଉଥିଲା ବୋଲି ଗଵେଷକମାନେ କୁହନ୍ତି

•ମାଳଵ = ମଧ୍ୟପ୍ରଦେଶର ମାଳଵାଞ୍ଚଳକୁ ଆଗେ ମାଳଵ ଦେଶ କୁହାଯାଉଥିଲା ।

•ମଘ = ପୌରାଣିକ ଭୂଗୋଳ ଅନୁସାରେ ମ୍ଳେଚ୍ଛାଧିଷ୍ଠିତ ଦ୍ବୀପଵିଶେଷ ଓ ତଦ୍ଦେଶବାସୀ ଵ୍ୟକ୍ତିଗଣକୁ ମଘ କୁହାଯାଉଥିଲା । ବ୍ରହ୍ମଦେଶ ଵା ବର୍ମାର ଆରାକାନ ପ୍ରଦେଶ ଓ ଦଦ୍ଦେଶବାସୀ ଵ୍ୟକ୍ତିଗଣଙ୍କୁ ମଧ୍ୟ ମଘ କୁହାଯାଉଥିଲା । କଵି ଏଠାରେ ବ୍ରହ୍ମଦେଶକୁ ମଘ ଭାବରେ ଉଲ୍ଲେଖ କରିଛନ୍ତି ।
•ଵିଦେହ = ଆଧୁନିକ ବିହାର ପ୍ରଦେଶ ତଥା ନେପାଳର କେତେକ ଅଂଶକୁ ନେଇ ଆଗେ ଵିଦେହ ଦେଶ ଗଢ଼ା ହୋଇଥିଲା । ଏହାର ରାଜଧାନୀ ମିଥିଳା ଓ ଭାଷା ମୈଥିଳୀ ଥିଵା ଜଣାଯାଏ ‌।

•କୌନ୍ନଜ = ଉତ୍ତର ପ୍ରଦେଶର ଆଧୁନିକ କୌନ୍ନଜ ଜିଲ୍ଲା ଏଵଂ ଏହାର ପ୍ରାଚୀନ ନାମ ଥିଲା କାନ୍ୟକୁବ୍ଜ ।

•ମରୁଦେଶ = ରାଜପୁତନା ଅନ୍ତର୍ଗତ ମରୁମୟ ମାରବାର୍ ପ୍ରଦେଶକୁ ଆଗେ ମରୁଦେଶ କୁହାଯାଉଥିଲା

•ଅଙ୍ଗ = ଵର୍ତ୍ତମାନ ବିହାରର ଭାଗଲପୁର ଓ ମୁଙ୍ଗେର୍ ଜିଲ୍ଲା ସମଵର୍ତ୍ତୀ ଅଞ୍ଚଳରେ ଆଗେ ଅଙ୍ଗ ଦେଶ ଅଵସ୍ଥିତ ଥିଲା

•କଳିଙ୍ଗ = ଆଧୁନିକ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ଓଡ଼ିଆ ଵିଚ୍ଛିନ୍ନାଞ୍ଚଳ ଗଞ୍ଜାମ,ଗଜପତି,ପୁରୀ, ରାୟଗଡ଼ା, କନ୍ଧମାଳ,ଅଵିଭକ୍ତ କୋରାପୁଟ, କନ୍ଧମାଳ ଆଦି ଅଞ୍ଚଳକୁ ନେଇ ପ୍ରାଚୀନ କଳିଙ୍ଗ ଦେଶ ଗଠିତ ହୋଇଥିଲା । କଳିଙ୍ଗ ଦେଶର ସୀମା ପୌରାଣିକ ଯୁଗରେ ଆଗଙ୍ଗା ଗୋଦାଵରୀ ଥିଵା ଵର୍ଣିତ ହୋଇଛି । ଉତ୍କଳ ଓ ଉଡ୍ରଦେଶ ଏହାର ଅଂଶ ହୋଇ ଵିଶାଳ କଳିଙ୍ଗ ସାମ୍ରାଜ୍ୟ ମଧ୍ୟ ଗଠିତ ହୋଇଛି ।

•ମରହଟ୍ଟ =ଆଧୁନିକ ମହାରାଷ୍ଟ୍ର
•ସୌରାଷ୍ଟ୍ର = ଆଧୁନିକ ସୌରାଷ୍ଟ୍ର ଅଞ୍ଚଳ ଏଵଂ ଏହା ଵର୍ତ୍ତମାନ ଗୁଜରାଟର ଦକ୍ଷିଣ ଭାଗ ।  ସୁରଟ ନଗର ଏହି ଅଞ୍ଚଳର ମୁଖ୍ୟ ନଗରୀ ଅଟେ ।‌

•ଚୋଳ = ଆଧୁନିକ ତାମିଲନାଡୁର ଦକ୍ଷିଣ ଭାଗରେ ପ୍ରଥମେ ସ୍ଥାପିତ ରାଜ୍ୟ

•ଦ୍ରାଵିଡ଼ = ତାମିଲନାଡୁର କେତେକ ଅଞ୍ଚଳ

•ଗୁଜରାଟ = ଆଧୁନିକ ଗୁଜରାଟ ଓ ରାଜସ୍ଥାନର କେତେକ ଅଞ୍ଚଳକୁ ନେଇ ଗୁଜ୍ଜରମାନଙ୍କ ପ୍ରଦେଶ ଗଠିତ ହୋଇଥିଲା । ଆଧୁନିକ ଗୁଜରାଟ ରାଜ୍ୟର ନାମ ଏହି ପ୍ରାଚୀନ ପ୍ରଦେଶ ନାମରେ ନାମିତ କରାଯାଇଛି ।

•ଵିଦର୍ଭ = ଆଧୁନିକ ମହାରାଷ୍ଟ୍ରର ପୂର୍ଵଭାଗକୁ ଆଗେ ଵିଦର୍ଭ ଦେଶ କୁହାଯାଉଥିଲା । ଏହା ମହାରାଷ୍ଟ୍ରର ଏକ ଉପକ୍ଷେତ୍ର ଏଵଂ ଏଥିରେ ୧୨ଟି ଜିଲ୍ଲା ରହିଛି ‌ ।

•ଉତ୍କଳ = ପଶ୍ଚିମ ଓଡ଼ିଆ ଵିଚ୍ଛିନ୍ନାଞ୍ଚଳ(ଆଧୁନିକ ଛତିଶଗଡ଼), ଆଧୁନିକ ଓଡ଼ିଶାର ପଶ୍ଚିମ, ମଧ୍ୟ ଓ ଉତ୍ତରାଞ୍ଚଳର କେତେକ ଅଂଶକୁ ପ୍ରଥମେ ଉତ୍କଳ ଦେଶ ଭାବେ ନାମିତ କରାଯାଇଥିଲା । ଉତ୍ତର ଭାରତରୁ ଆସି ଓଡ଼ିଶାର ପଶ୍ଚିମ ଵିଚ୍ଛିନ୍ନାଞ୍ଚଳ(ଆଧୁନିକ ଛତିଶଗଡ଼)ରେ ଶାସନ କରୁଥିଵା ନନ୍ଦବଂଶୀରାଜାମାନେ ସେଠାରେ ସତୁରୀ ଵର୍ଷ ଶାସନ କଲାପରେ ପଶ୍ଚିମ ଓଡ଼ିଶା ତଥା ମଧ୍ୟ ଓଡ଼ିଶାର କେତେକ ଅଞ୍ଚଳ ଜୟକରି ନିଜ ରାଜ୍ୟର ନାମ ଉତ୍କଳ ତଥା ନିଜକୁ ସୋମବଂଶୀ ଘୋଷଣା କରିଥିଲେ । ସୋମବଂଶୀ ରାଜାମାନେ ପରେ ନିଜ ଉତ୍କଳ ଦେଶର ରାଜଧାନୀ ଯାଜପୁରକୁ କରିଥିଲେ ଏଵଂ ଏହି ବଂଶର ଯଯାତି କେଶରୀ ଵିଖ୍ୟାତ ହୋଇଥିଲେ ।‌
କଳିଙ୍ଗ ଦେଶ ପରି ଉତ୍କଳ ଦେଶର ସୀମା ସମୟେ ସମୟେ ଛୋଟ ବଡ଼ ହେଉଥିଲା ।

•ଗୌଡ଼ଦେଶ = ଆଧୁନିକ ପଶ୍ଚିମବଙ୍ଗ ଓ ବଙ୍ଗଦେଶର ମଝାମଝି ଉତ୍ତର ଭାଗରେ ଏ ଦେଶ ଅଵସ୍ଥିତ ଥିଲା ।

•ନେପାଳ = ଆଧୁନିକ ନେପାଳ ଦେଶର ଅଧିକାଂଶ ଅଞ୍ଚଳ

•ମଗଧ = ଆଧୁନିକ ବିହାରର ପ୍ରାଚୀନ ନାମ ଥିଲା ମଗଧ । କଳିଙ୍ଗ ଦେଶ ପରି ମଗଧର ଆକାର ଵା ଆୟତନ ସମୟ ସମୟରେ ଛୋଟ ବଡ଼ ହେଉଥିଲା ।

•ବଙ୍ଗ = ଆଧୁନିକ ବଙ୍ଗଳାଦେଶକୁ ଆଗେ ବଙ୍ଗ କୁହାଯାଉଥିଲା ଏଵଂ ଏହାର ପଶ୍ଚିମକୁ ଆଧୁନିକ ପଶ୍ଚିମବଙ୍ଗର ସମୁଦ୍ରକୂଳସ୍ଥ ଭୂଭାଗକୁ ରାଢ଼ ଦେଶ କୁହାଯାଉଥିଲା ।

•କେରଳ = ଆଧୁନିକ କେରଳ ରାଜ୍ୟର କେତେକ ଅଂଶକୁ ନେଇ କେରଳ ରାଜ୍ୟର ଗଠନ କରାଯାଇଥିଲା ।
•ଯମନ ଵା ଯବନ ଦେଶ = ଆଫଗାନିସ୍ତାନ ଓ ପାକିସ୍ତାନର କେତେକ ଅଞ୍ଚଳକୁ ଆଗେ ଯବନ ଦେଶ କୁହାଯାଉଥିଲା । ଏଠାରେ ଵିଭିନ୍ନ ସମୟରେ ଭାରତ ଆକ୍ରମଣ କରୁଥିଵା ଵୈଦେଶିକ ଜାତିମାନେ ଵାସ କରୁଥିଲେ ।

•ସିନ୍ଧୁ ଦେଶ = ବଲୁଚିସ୍ଥାନର ପୂର୍ଵରେ ଗୁଜରାଟର ଉତ୍ତରରେ ଵର୍ତ୍ତମାନର ସିନ୍ଧୁପ୍ରଦେଶ ଆଗେ ସିନ୍ଧୁଦେଶ ଭାବରେ ଜଣାଯାଉଥିଲା । ବଲୁଚିସ୍ଥାନ ପରି ପାକିସ୍ତାନରୁ ସିନ୍ଧୁଦେଶକୁ ଏକ ସ୍ଵତନ୍ତ୍ର ଦେଶ ଭାବେ ଭିନ୍ନ କରିଵାକୁ ପାକିସ୍ତାନରେ ସମୟ ସମୟରେ ଆନ୍ଦୋଳନ ହେଉଅଛି ।

                   -:ଶବ୍ଦାର୍ଥ:-
   

*ମଘଵାପଦ = ଇନ୍ଦ୍ରପଦ(ମଘଵା= ଇନ୍ଦ୍ର)
*କୁନ୍ତଳବର୍ଣ୍ଣ =କେଶର ରଙ୍ଗ ପରି କଳା
*ନିଷେଧେ = ନୈଷେଧ ଦେଶରେ
*ନିଷେଧି = ମନା କରି
*ବିଦେହଶର =କନ୍ଦର୍ପ ଵାଣ
*ଉଜ = ଶ୍ରେଷ୍ଠ
*ଅଙ୍ଗନା ଅଙ୍ଗ = (ଲାବଣ୍ୟଵତୀର) ଶରୀର
*ହଟ = କୌତୁକ
*ନିଚୋଳେ = କାଞ୍ଚଲାରେ
*ମମତା = (ଏଠାରେ)ଇଛା
*ଦରହାସୀ = ମୃଦୁହାସୀ
*ଉତ୍କଳ = ଉତ୍କଣ୍ଠିତ
*ଗଉରୀ = ଗୌରଵର୍ଣ୍ଣର ସ୍ତ୍ରୀ
*ମାଗଧମୁଖେ = ଭାଟମାନଙ୍କର ମୁଖରେ
*କେରଳମାୟା = କେଳାର କୁହୁକ
*ଯମନ = ଯବନ

Friday, February 11, 2022

ଘଇତାବୁକୁଠାରୁ Promise ଯାଏଁ

ଓଡ଼ିଆରେ ଢଗ ଅଛି...

“ଯେବେ ପାଇଥାଏ ଘଇତାବୁକୁ
ସଜ ହେଉଥାଏ ବାପ ଘରକୁ।”

ଘଇତାବୁକୁ ମାନେ କ'ଣ ?

ସ୍ବାମୀଠାରୁ ଉତ୍ସାହ ଵା ଅଙ୍ଗୀକାର ଵଚନକୁ ଘଇତାବୁକୁ କୁହାଯାଏ । ଘଇତା ଓ ବୁକୁ ଶବ୍ଦର ଏହା ଲକ୍ଷଣାର୍ଥ ପ୍ରୟୋଗ ।

ଯାହାକୁ ଆଜିକାଲିର ଓଡ଼ିଆ promise ବୋଲି ଜାଣନ୍ତି ଆଗେ ଓଡ଼ିଶାରେ ତାକୁ କଥା ଦେଵା,ଅଙ୍ଗୀକାର, ପ୍ରତିଶ୍ରୁତି,ଅଚକାର,ଦମ୍ଭ ଦେଵା,ହଁ କରିଵା,ଉଁ କରିଵା,ଵଚନ ଦେଵା, ପ୍ରତିଜ୍ଞା କରିଵା,ସତ୍ୟ କରିଵା,ବୋଲ,ଭରସା ଦେଵା,ରାଣ ଖାଇଵା,ସାହସ ଦେବା ଇତ୍ୟାଦି ଇତ୍ୟାଦି କୁହାଯାଉଥିଲା ।‌

ସେହିପରି ସ୍ଵାମୀ ତା ସ୍ତ୍ରୀକୁ ଦେଉଥିଵା ଦୃଢ଼ ପ୍ରତିଶ୍ରୁତିକୁ ଘଇତାବୁକୁ କୁହାଯାଉଥିଲା । କିନ୍ତୁ କେଉଁ ଆଧାରରେ ଘଇତା ଶବ୍ଦ ସହ ବୁକୁ ଶବ୍ଦ ଲାଗି ଘଇତାବୁକୁର ଏଭଳି ଲକ୍ଷଣାର୍ଥକ ପ୍ରୟୋଗ ହୋଇପାରେ ?

ଆମେ ଜାଣନ୍ତି ଭର୍ତ୍ତା,ପତି ଵା ସ୍ଵାମୀକୁ ଓଡ଼ିଆ ଭାଷାରେ ଘଇତା କୁହନ୍ତି ଯାହା ଗ୍ରହୀତା ଶବ୍ଦ ସହିତ ସମୋଦ୍ଧୃତ । ସେହିପରି ବୁକୁ ଶବ୍ଦଟି ଆମ ଭାଷାରେ ଛାତି,ଵକ୍ଷସ୍ଥଳ,ହୃଦୟ,ଦମ୍ଭ, ଧୈର୍ଯ୍ୟ ଓ ସାହସ ଆଦି ଅର୍ଥରେ ଵ୍ୟଵହାର ହୋଇଥାଏ ।
ଯାଆ ଛାତି ଟାଣୁଆ ,ଯାଆ ହୃଦୟ ଭୟଭୀତ ହେଲେ ଥରେ ନାହିଁ ସେ ସାହସୀ ଓ ଧୈର୍ଯ୍ୟଵାନ ଅଭିହିତ ହୋଇଥାଏ ।

ତେଣୁ ବୁକୁ ଶବ୍ଦର ଏହି ଅର୍ଥ ଘେନି ସ୍ତ୍ରୀକୁ ସ୍ଵାମୀର ପ୍ରତିଶ୍ରୁତି ଵାକ୍ୟକୁ ଦମ୍ଭ ଦେଵା, ଧୈର୍ଯ୍ୟ ଦେଵା ଓ ସାହସ ଦେଵା ଅର୍ଥରେ ଲକ୍ଷଣାର୍ଥ ଘଇତାବୁକୁ ଶବ୍ଦ ପ୍ରୟୋଗ କରାଯାଇଥିଲା ।

କଥିତ ଓଡ଼ିଆ ଭାଷାରେ କଥା ଦେଵା ଭଳି ଶବ୍ଦ ଆଜି ବି ପ୍ରୟୋଗ କରାଯାଏ ସେହିପରି ଓଡ଼ିଆରେ ପ୍ରତିଶ୍ରୁତି, ଅଙ୍ଗୀକାର ଭଳି ଶବ୍ଦ ମଧ୍ୟ ଵ୍ୟଵହାର କରାଯାଉଥିଲା ।

ତାପରେ ଧସେଇ ପଶି ଆସିଲା ଵୈଦେଶିକ ଆରବୀ ମୂଳର ଶବ୍ଦଟିଏ “ଜବାବ୍”  ! ଏହି ଶବ୍ଦଟି ଏତେ ଲୋକପ୍ରିୟ ହୋଇଗଲା ଯେ ଅନେକ ଓଡ଼ିଆ ଶବ୍ଦ ବଳି ପଡି଼ଗଲେ !

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଇଂରାଜୀ ଭାଷା ସହିତ ମଧ୍ୟ ସମାନ କଥା ଘଟିଥିଲା ।

promise ପ୍ରକୃତରେ ଏକ ମୂଳ ଇଂରାଜୀ ଶବ୍ଦ ନୁହେଁ । ଫ୍ରେଞ୍ଚ୍ ଭାଷାର promesse ଶବ୍ଦ ଇଂରାଜୀ ଭାଷାରେ ଆସି promis ଓ  promisse ହୋଇ ଶେଷରେ promise ରୂପେ ଚଳୁଅଛି ।

ପ୍ରାଚୀନ ଇଂରାଜୀରେ promise ବୋଲି କୌଣସି ଶବ୍ଦ ଚଳୁନଥିଲା  ଵରଂ
ସାକ୍ସନ୍ ଶବ୍ଦ gihêtan, ପ୍ରାଚୀନ ଜର୍ମାନ୍ giheizan ଓ ଗୋଥିକ୍ 𐌲𐌰𐌷𐌰𐌹𐍄𐌰𐌽 (gahaitan) ସହିତ ସମୋଦ୍ଧୃତ ପୁରୁଣା ଇଂରାଜୀ ଶବ୍ଦ
ġehātan (“ପ୍ରତିଶ୍ରୁତି ଦେଵା”) ଓ ġehāt (“ପ୍ରତିଶ୍ରୁତି”) ଶବ୍ଦଦ୍ଵୟ କଥା ଦେଵା ଓ ଅଙ୍ଗୀକାର ଅର୍ଥରେ ପ୍ରୟୋଗ ହେଉଥିଲା ।

ଫ୍ରେଞ୍ଚ ଲୋକଙ୍କ ଦ୍ଵାରା ଅନେକ ଵର୍ଷ ଧରି ପରାଧୀନ ହେଵାରୁ ଲାଟିନ୍ ଭାଷା ମୂଳର ଶତ ଶତଭାରୋପୀୟ ଶବ୍ଦ ଜର୍ମାନ୍ ଭାଷା ଶାଖାର ଇଂରାଜୀ ଭାଷାରେ ଚଳିଵାକୁ ଲାଗିଲା । ଏହିଧରଣର ଗୋଟିଏ ଶବ୍ଦ ହେଉଛି ଏହି Promise ଶବ୍ଦ ଏଵଂ ଲାଟିନ୍ ଭାଷାର prōmissa ଓ  prōmissum ଓ  prōmittō ଆଦି ସହିତ ଏହାର ସଗୋତ୍ରୀୟ ସମ୍ପର୍କ ରହିଛି । ପରେ ଇଂରାଜୀରେ prōmittō ଶବ୍ଦର ମୂଳରୁ  admit, commit ଓ permit ଆଦି ଶବ୍ଦ ମଧ୍ୟ ଆସି ଚଳିଛି ।
ଗୋଥିକ୍ ମୂଳର ପ୍ରାଚୀନ ଇଂରାଜୀ ଶବ୍ଦ ġehāt ଓ ଫ୍ରେଞ୍ଚ ଭାଷା ମୂଳର ଆଧୁନିକ ଇଂରାଜୀ ଶବ୍ଦ promise ଶବ୍ଦର କାହାଣୀରୁ ଆମେ କ'ଣ ଜାଣିଲେ ?

ଯେତେବେଳେ ଗୋଟିଏ ଭାଷା ଅନ୍ୟ ଏକ ଭାଷାରୁ ଆପଣା ପାଖରେ ଶବ୍ଦ ଥାଇ ମଧ୍ୟ ଶବ୍ଦଗ୍ରହଣ କରେ ସେ ତାହାର ନିଜସ୍ଵ ଶବ୍ଦଟିକୁ ହରାଇଥାଏ ।‌

Thursday, February 10, 2022

ଓଡ଼ିଶା ଓ ଅଥର୍ଵଵେଦ

   

ଆଗେ ତିନୋଟି ଵେଦ(ଋକ,ସାମ,ଯର୍ଦୁ)ହିଁ ମିଳିଥିଲା ! ଵିଶ୍ବ ଅଥର୍ଵଵେଦର ନାମ ସୁଦ୍ଧା ଜାଣିନଥିଲା ! ଜଣେ ସଂସ୍କୃତପ୍ରେମୀ ୟୁରୋପୀୟଙ୍କ ଠାରୁ ଵିଶ୍ବ ପ୍ରଥମେ ଏ ଵେଦର ପରିଚୟ ପାଇଥିଲା ଏଵଂ ଜଣେ ଭାରତୀୟ ଗଵେଷକ ତହିଁର ଶୁଦ୍ଧପାଠ ଓଡ଼ିଶାରୁ ଆଵିଷ୍କାର କରି କଳିଙ୍ଗଦେଶକୁ ଗୌରଵାନ୍ବିତ କରିଥିଲେ !

ସଂକ୍ଷେପରେ ଅଥର୍ଵଵେଦର କାହାଣୀ ଏହିପରି...

୧୮୫୪ରେ ବର୍ଲିନ୍‌ଠାରେ ୟୁରୋପର ସଂସ୍କୃତ ଵିଦ୍ୱାନ ରୁଡଲଫ୍ ରୋଥ ପ୍ରଥମେ ଅଥର୍ଵଵେଦର ଶୌନକ ସଂହିତା ପାଇ ଜଣାଇଥିଲେ !

ତେବେ ଉକ୍ତ ପାଠଟି ଅତ୍ଯନ୍ତ ଭ୍ରମାତ୍ମକ ପ୍ରମାଦପୂର୍ଣ୍ଣ ଥିଲା ଏଣୁ ରୋଥ ପ୍ରାମାଣିକ ପାଠ ଉଣ୍ଡିଵାରେ ଵ୍ରତୀ ହେଇ ଇଂରେଜ ଶାସକଙ୍କୁ ଭାରତଵର୍ଷରେ ଏହା ଡଗରେଇଵାକୁ ପ୍ରଵର୍ତ୍ତାଇଲେ ! 

ପ୍ରଵଳ ଉଦ୍ଯମ ଫଳରେ ୧୮୭୫ରେ ରୁଡଲଫ୍ ରୋଥଙ୍କୁ କାଶ୍ମୀରରୁ ଅଥର୍ଵଵେଦର ପୈପ୍ପଳାଦ ସଂହିତା ଲାଭ ହୋଇଥିଲା ।

କାଶ୍ମୀରରୁ ମିଳିଥିଵା ଏହି ଵେଦ ପାଠ ବି ପ୍ରାମାଣିକ ନଥିଲା ଏଵଂ ଏହା ଅତ୍ଯନ୍ତ ଦୟନୀୟ ଅବସ୍ଥାରେ ପ୍ରାପ୍ତ ହୋଇଥିଲା ! ଫଳରେ ଗଵେଷକଙ୍କୁ ସେତେବେଳେ ଵୈଶ୍ବିକ ପଣ୍ଡିତଵର୍ଗଙ୍କ ଵ୍ୟଙ୍ଗର ଶିକାର ହେଵାକୁ ପଡ଼ିଥିଲା ।

କାଶ୍ମୀରରୁ ଅଥର୍ଵଵେଦର ଲୁପ୍ତ ଅଂଶ ଉଦ୍ଧାର ହେଲାରୁ ଲୋକ ତତ୍ ଆଧାରରେ କାଶ୍ମୀରକୁ ଭାରତୀୟ ସଂସ୍କୃତର ମୂଳ କେନ୍ଦ୍ର ଓ ଉତ୍ତର ପଶ୍ଚିମ ଭାରତକୁ ଵୈଦିକ ସଂସ୍କୃତିର ଆଦିଭୂମି ମନେକରିଥିଲେ କିନ୍ତୁ ପରେ ଗଵେଷଣାରୁ ଜଣାଗଲା ଯେ ଦକ୍ଷିଣଭାରତ ଆଡ଼ୁ ଉକ୍ତ ଵେଦ ପାଠ ଜଣେ ପଣ୍ଡିତଙ୍କ ଦ୍ବାରା କାଶ୍ମୀର ଯାଇଥିଲା ! ଏକଥା ଜଣାପଡ଼ିଲାରୁ ଦାକ୍ଷିଣାତ୍ଯର ପଣ୍ଡିତଵର୍ଗ ଆପଣା ଭୂଖଣ୍ଡକୁ ହିଁ ସଂସ୍କୃତର ମୂଳଭୂମି ଏଵଂ ସଂସ୍କୃତର ସବୁ ଶବ୍ଦ ତାମିଳରୁ ନିଆଯାଇଥିଵା ମତ ଦେଵାକୁ ଲାଗିଲେ ।

ସ୍ବାଧିନତାପରେ ୧୯୫୪ରେ ସଂସ୍କୃତ କମିସନ୍ ଗଠନ ହେଲା ଏଵଂ ସାରା ଭାରତରେ ଏମନ୍ତକି ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଅଥର୍ଵଵେଦକୁ ଅନ୍ବେଷଣ କରାଗଲା ।

୧୯୬୩ ଖ୍ରୀଷ୍ଟାବ୍ଦରେ କଲିକତା ସଂସ୍କୃତଵେଦାଧ୍ଯାପକ ପଣ୍ଡିତ ଦୁର୍ଗାମୋହନ ଭଟ୍ଟାଚାର୍ଯ୍ଯଙ୍କୁ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ଓ ବଙ୍ଗ ଅନ୍ତର୍ଭୁକ୍ତ ଓଡ଼ିଆ ଅଞ୍ଚଳରୁ ଅଥର୍ଵବେଦର ଅଧିକାଂଶ ସଂହିତାର ପ୍ରାମାଣିକ ପାଠ ମିଳିପାରିଥିଲା ।

ଓଡ଼ିଶାର ପଣ୍ଡିତ ଵଳଦେଵ ଵିଦ୍ଯାଭୂଷଣଙ୍କ(୧୭ଶ) ଗୋପାଳ ତାପନୀ ଉପନିଷଦ ଭାଷ୍ଯରୁ ଭଟ୍ଟାଚାର୍ଯ୍ଯ ଜାଣିପାରିଥିଲେ ଯେ ଓଡ଼ିଶାର ଏହି ପନ୍ଥୀମାନେ ଅଥର୍ଵଵୈଦର ପୈପ୍ପଳାଦ ସଂପ୍ରଦାୟ ଭୁକ୍ତ ଅଟନ୍ତି ।

ପଣ୍ଡିତ ଭଟ୍ଟାଚାର୍ଯ୍ଯ ତେଣୁ ମୟୁରଭଞ୍ଜ ଓ ଏହାର ଉପାନ୍ତ ଅଞ୍ଚଳରେ ବହୁ ପୈପ୍ପଳାଦୀମାନଙ୍କୁ ଭେଟି ତାଙ୍କଠାରୁ ଓଡ଼ିଆଲିପିରେ ଅଥର୍ଵଵେଦର ଅଧିକାଂଶ ସଂହିତାର ଶୁଦ୍ଧ ଓ ପ୍ରାମାଣିକ ପାଠ ପାଇଥିଲେ ।

ଆଜିଯାଏଁ ଅଥର୍ବବେଦର ନଅଟି ଶାଖା ମିଳିଛି ଯଥା-ଗୌଡ଼,ମୌଡ଼,ଜାଳଜ,ଜଳଦ,ବ୍ରହ୍ମଵାଦ,ଚରଣବୈଦ୍ଯ,ପୈପ୍ପଳାଦ ଓ ଶୌନକ ।

ତେବେ ଭାରତୀୟ ପଣ୍ଡିତଙ୍କ ଅନୁସାରେ ଅଥର୍ଵଵେଦର ସଂଖ୍ଯା ଏହାର ପାଞ୍ଚ ଵା ଦଶଗୁଣ ଅଧିକ ଅଟେ ! କାରଣ ସ୍କନ୍ଦପୁରାଣରେ(ନାଗର ଖଣ୍ଡ,୧୭୪ତମ ଅଧ୍ଯାୟ)ରେ ଅଥର୍ଵଵେଦର ଶହେଟି ଶାଖା ଥିଵା ଉଲ୍ଲେଖ ଥିଲା ବେଳେ ମୁକ୍ତି କୋପନିଷଦର ୧୧୩ତମ ଅଧ୍ଯାୟରେ ଏହାର ମୁଖ୍ଯ ସଂଖ୍ଯା ପଚାଶ ବୋଲି କୁହାଯାଇଛି ।

(ସଚ୍ଚି ରାଉତରାୟଙ୍କ “ଓଡ଼ିଶାରେ ଅଥର୍ଵଵେଦ” ପ୍ରବନ୍ଧରୁ ପ୍ରୋକ୍ତ ତଥ୍ଯ ସଂଗୃହୀତ)

Wednesday, February 9, 2022

ଚକୋଲେଟ୍‌ର କାହାଣୀ

ଇଂରାଜୀ ଭାଷାରୁ Chocolate ଶବ୍ଦ ଓଡ଼ିଆ ଭାଷାରେ ଚକଲେଟେ,ଚକଲଟି,ଚକେଲେଟି ଆଦି ରୂପରେ ଚଳୁଅଛି । ଆଗେ ଓଡ଼ିଆ ଭାଷୀ ଶୁଷ୍କ ଚକୋଲେଟ୍'କୁ ଖଜା ଓ ବିଲାତିଖଜା କହୁଥିଲେ ।
ଓଡ଼ିଶାର ଖରିଆ ଭାଷୀ ଚକୋଲେଟକୁ ଲେମ୍‌ଚୁସ୍‌ କହୁଥିଵାବେଳେ କୁଈଭାଷୀ ସକ୍‍ଲେଟ କହିଥାନ୍ତି ।

ତେବେ Chocolate ଶବ୍ଦ ମୂଳତଃ ଏକ ଇଂରାଜୀ ଶବ୍ଦ ନୁହେଁ ଵରଂ ପ୍ରକୃତରେ ଏହା ମୂଳ ଆମେରକୀୟ ଭାଷା Nahuatlରୁ ନିଆଯାଇଛି ।

ପ୍ରଥମେ ସ୍ପେନଵାସୀମାନେ Nahuatl ଭାଷାର ଶବ୍ଦ chocolātl(xocolatl) କୁ ନେଇ chocolate ରୂପେ ପରିଵର୍ତ୍ତିତ କରି ଵ୍ୟଵହାର କଲେ ଏଵଂ ପରେ ଏହା ଲୋକପ୍ରିୟ ହେଵାରୁ ଇଂରାଜୀ ଭାଷାରେ ସ୍ଥାନ ପାଇଥିଲା । ସୂଚନା ଯୋଗ୍ୟ ଯେ Nahuatl ଭାଷାରେ  chocolātl(xocolatl) ଶବ୍ଦ
ʃoˈkolaːtɬ ପରି ଉଚ୍ଚାରିତ ହୋଇଥାଏ ।

କେତେକ ଗଵେଷକଙ୍କ ମତରେ
xocolatl ଶବ୍ଦ chocolātl ଏଵଂ ପରେ
Chocolate ହୋଇଅଛି । xocolatl ଶବ୍ଦରେ
"xococ"ର ଅର୍ଥ ଖଟା ଵା କଡ଼ା ଏଵଂ  "atl"ର ଅର୍ଥ ପାଣି,ଜଳ ଵା ପାନୀୟ ।

ହେଲେ William Bright  "chocolatl" ଶବ୍ଦ ଵିଷୟରେ ଲେଖିଛନ୍ତି ଯେ ଏହି ଶବ୍ଦର ପ୍ରାରମ୍ଭିକ ମଧ୍ୟ ମେକ୍ସିକୀୟୋ ଭାଷା ଓ ସଂସ୍କୃତି ସହିତ କୌଣସି ସମ୍ପର୍କ ନଥିଵାରୁ ଏହା ଏକ ଅସମ୍ଭାଵିତ ଵ୍ୟୁତ୍ପତ୍ତି ବୋଧ ହୋଇଥାଏ ।

ପୁଣି Karttunenଙ୍କ ଅନୁସାରେ
୧୮ଶହ ଶତାବ୍ଦୀ ପୂର୍ବରୁ Nahuatlରେ chocolātl ବୋଲି କୌଣସି ଶବ୍ଦ ନଥିଲା ।

ଭାଷାଵିଦ William Bright କୁହନ୍ତି
Chocolateଶବ୍ଦର ମୂଳ ଶବ୍ଦ ଉତ୍ସ cacaua atl ହୋଇଥାଇପାରେ ଯାହାର ଆକ୍ଷରୀକ ଅର୍ଥ "cacaoର ପାନୀୟ "। ସେ ଆହୁରି ଲେଖିଥିଲେ ଯେ xocolatl ଶବ୍ଦରୁ chocolate ଶବ୍ଦ ସୃଷ୍ଟି ହୋଇଥିଵା ପ୍ରାମାଣିକ ନୁହେଁ କାରଣ Nahuatlରେ xocoatl ଶବ୍ଦର ଅର୍ଥ maize ଵା ମକାରେ ତିଆରି ପାନୀୟ ଅଟଇ ।

“DE FRANCISCO JAVIER SANTAMARÍA” (1889-1963) ତାଙ୍କର
“EL DICCIONARIO DE MEJICANISMOS” (1959) ନାମକ ଅଭିଧାନରେ  Yucatec Maya ଭାଷାର chokol(ତପ୍ତ,ଉଷୁମ,ଗରମ) ଓ  Nahuatl ଶବ୍ଦ atl(ଜଳ,ଝୋଳ,ପାନୀୟ) ଯୁକ୍ତ ହୋଇ chocolate ଶବ୍ଦ ସୃଷ୍ଟି ହୋଇଅଛି ବୋଲି ମତ ଦେଇଛନ୍ତି ।

ଭାଷାଵିଦ୍  Dakin ଓ Wichmann କୁହନ୍ତି ମୂଳ ଶବ୍ଦଟି chicolātl ଥିଲା ଯାହା ପରିଵର୍ତ୍ତିତ ହୋଇ Nahuatlରେ ଅଠରଶହ ଶତାବ୍ଦୀ ବେଳକୁ chocolātl ହୋଇଯାଇଥିଲା । କିନ୍ତୁ
Dakin ଓ Wichmannଙ୍କ ଅନୁସାରେ chicolātl ଶବ୍ଦରେ ଥିଵା chicol ଶବ୍ଦର ଉତ୍ତପ୍ତ ଅର୍ଥରେ ଵ୍ୟଵହୃତ chocol ସହିତ କୌଣସି ସମ୍ପର୍କ ନାହିଁ ଵରଂ chicol ଏକ ଵିଶେଷ ପ୍ରକାରର କାଠିକୁ କୁହାଯାଉଥିଲା ।
Dakin ଓ Wichmannଙ୍କ ମତରେ chicol ଶବ୍ଦର ଅର୍ଥ ଫେଣ,ଫେଣିଵା ପାଇଁ ଵ୍ୟଵହୃତ କାଠି ଏଵଂ ଚକୋଲେଟ୍ ପାନୀୟରେ କାଠିଟିଏ ପୁରାଇ ତାକୁ ଫେଣା ଯାଉଥିଵାରୁ ଏଭଳି ନାମକରଣ ହୋଇଅଛି ।

ଭାଷାଵିଦ Kaufman ଓ Justeson ପ୍ରୋକ୍ତ ସମସ୍ତ ନିରୁକ୍ତିକୁ କପୋଳକଳ୍ପିତ ବୋଲି ମତ ଦେଇଛନ୍ତି ଏଵଂ chocolate ଶବ୍ଦର ମୂଳ ଅଜ୍ଞାତ କିନ୍ତୁ chicolatl ଶବ୍ଦରୂପ ଏହାର ପ୍ରାରମ୍ଭିକ ଶବ୍ଦରୂପ ବୋଲି ମତ ଦେଇଛନ୍ତି ।
ତେବେ ଅଧିକାଂଶ ଭାଷାଵିଦ ମାନନ୍ତି ଯେ chocolate ଶବ୍ଦଟି Nahuatl ଭାଷା ମୂଳର ଶବ୍ଦ ଅଟଇ ।

ଆଗେ ମୂଳ ଆମେରିକୀୟ ରେଡ୍ ଇଣ୍ଡିୟନମାନେ ୟୁରୋପୀୟମାନଙ୍କର ଆମେରିକାରେ ପଦାର୍ପଣ ପୂର୍ଵରୁ hot chocolate ପ୍ରସ୍ତୁତ କରି ପାନ କରୁଥିଲେ । Olmec ସଭ୍ୟତା,maya ସଭ୍ୟତା  ଓ Aztec ସଭ୍ୟତାର ଲୋକେ cocoa ମଞ୍ଜିରୁ ପାନୀୟ ପ୍ରସ୍ତୁତ କରି ପାନ କରୁଥିଲେ ।

ଷୋହଳଶହ ଶତାବ୍ଦୀ ପୂର୍ଵରୁ ୟୁରୋପୀୟମାନେ
cocoa, chocolate drink ଵିଷୟରେ କିଛି ବି ଜାଣିନଥିଲେ । କଲମ୍ବସ୍ ଆମେରିକାରେ ତାଙ୍କର ଚତୁର୍ଥ ଅଭିଯାନ ସମୟରେ ଖ୍ରୀଷ୍ଟାବ୍ଦ ୧୫୦୨ ଅଗଷ୍ଟ ୧୫ ତାରିଖରେ ପ୍ରଥମେ ଏ ଫଳ ଓ ଏହାର ମଞ୍ଜି ଵିଷୟରେ ଶୁଣିଵାକୁ ପାଇଥିଲେ ଓ ଏ ଵିଷୟରେ ଲେଖିଥିଲେ ।

Spanish ଅନ୍ଵେଷକ Hernán Cortés ପ୍ରଥମେ ଚକୋଲେଟ୍'କୁ ଆଜଟେକ୍ ସମ୍ରାଟ୍ Moctezuma Xocoyotzinଙ୍କ ଦରବାରରେ ୧୫୧୯ରେ ଦେଖିଵାକୁ ପାଇଥିଲେ । ୧୫୬୮ରେ ଆଜଟେକ୍ ସାମ୍ରାଜ୍ୟକୁ ସ୍ପେନଵାସୀଙ୍କ ଦ୍ଵାରା ଲୁଣ୍ଠନ ଓ ଧ୍ଵଂସ କରିଵା ପରେ ଜଣେ ସ୍ପେନଵାସୀ Bernal Díaz ତରଳ ଚକୋଲେଟ୍ ଦ୍ରଵଣ ପାନ କରିଥିଵା ଏହିପରି ଲେଖିଥିଲେ ...

“From time to time they served him [Montezuma] in cups of pure gold a certain drink made from cacao. It was said that it gave one power over women, but this I never saw. I did see them bring in more than fifty large pitchers of cacao with froth in it, and he drank some of it, the women serving with great reverence.”

ୟୁରୋପୀୟମାନଙ୍କର ଆମେରିକାରେ ପଦାର୍ପଣ ପୂର୍ଵରୁ cocoa ମଞ୍ଜି ଆଜଟେକ୍ ସଭ୍ୟତାରେ ଟଙ୍କା ଭଳି ଵ୍ୟଵହାର ହେଉଥିଲା । ସ୍ପେନଵାସୀଙ୍କ ଦ୍ଵାରା ମୂଳ ଆମେରିକୀୟମାନଙ୍କର ସମ୍ପତ୍ତି ଲୁଣ୍ଠନ ଏଵଂ ଗଣହତ୍ୟା ତଥା ସେମାନଙ୍କର ସଭ୍ୟତାକୁ ଧ୍ଵଂସକଲାପରେ ୟୁରୋପରେ ସେହି cocoa ଓ ଚକୋଲେଟ୍ ପାନୀୟ ଆସି ପହଞ୍ଚିଲା ।

ଆଜିକାଲି valentine  ପ୍ରେମ ସପ୍ତାହ ପାଳନ କରିଵାକୁ ଯାଇ ଗୋଟିଏ ଦିନ ଅର୍ଥାତ୍ 9 ଫେବୃଆରୀରେ chocolateଦିଵସ ପାଳନ କରାଯାଉଛି ।

Saint valentineଙ୍କ ସ୍ମୃତିରେ ଯେଉଁ ତଥାକଥିତ valentine day ପାଳିତ ହେଉଛି ସେଥିରେ chocolateକୁ ଯୋଡି଼ଵାର କୌଣସି ଐତିହାସିକ କି ଧାର୍ମିକ ଔଚିତ୍ୟ ଆଦୌ ନାହିଁ ।

Saint valentine ତୃତୀୟ ଶତାବ୍ଦୀର ଲୋକ ଏଵଂ ୟୁରୋପରେ ଚକୋଲେଟ୍ ଷୋହଳଶହ ଶତାବ୍ଦୀର ଶେଷ ଆଡ଼କୁ ଆସି ପହଞ୍ଚିଥିଲା ।

“Pope Gelasius ପ୍ରଥମ” ୪୯୬ ଖ୍ରୀଷ୍ଟାବ୍ଦରେ ପ୍ରଥମେ  Saint Valentine(ମୃତ୍ୟୁ-୨୬୯)ଙ୍କ ସ୍ମରଣାର୍ଥେ ୨୪ ଫେବୃଆରୀରେ feast ପାଳନ କରାଇଥିଲେ ।

ଚତୁର୍ଦ୍ଦଶ ଓ ପଞ୍ଚଦଶ ଶତାବ୍ଦୀରେ ୟୁରୋପର ପ୍ରେମୀ ଯୁଗଳ ଵସନ୍ତ ଋତୁର ଆଗମନ କାଳ ହୋଇଥିଵାରୁ ଏହି ଋତୁରେ ଏହି ଦିନଟିକୁ ପ୍ରେମ ଦିଵସ ପାଇଁ ଏକ ଉତ୍କୃଷ୍ଟ ଦିଵସ ବୋଲି ମନେ କରି ପାଳିଵାକୁ ଲାଗିଲେ । କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ଫୁଲ ଦିଆ, ଚକୋଲେଟ୍ ଦିଆ, କୁଣ୍ଢାକୁଣ୍ଢି ଆଦି ସବୁ ନଥିଲା । ଅଠରଶହ ଶତାବ୍ଦୀ ବେଳକୁ ୟୁରୋପରେ valentine ଦିଵସରେ ଫୁଲ ଓ ଗ୍ରୀଟିଙ୍ଗ୍ସ୍ କାର୍ଡ଼୍ ଦିଆନିଆ ହେଵାକୁ ଲାଗିଲା ଏଵଂ ଧୀରେ ଧୀରେ ଗୋଲାପ, ଚକୋଲେଟ୍,ଚୁମ୍ବନ, ଆଲିଙ୍ଗନ ଆଦି ସବୁ ତତ୍ତ୍ବ ଯୋଡ଼ି ହୋଇ ହୋଇ ଆଧୁନିକ valentine ଦିଵସ ଆଜି ନିଜର ଵର୍ତ୍ତମାନ ସ୍ଵରୂପରେ ପହଞ୍ଚି ଅଛି ।

୧୮୪୭ରେ ପ୍ରଥମେ ଶୁଖିଲା ଚକୋଲେଟ୍ ତିଆରି ହୋଇଥିଲା ଏଵଂ ୧୮୯୪ରେ Hershey factory ଖୋଲିଵା ପରଠୁ ପୃଥିଵୀରେ ଆଧୁନିକ ଚକୋଲେଟ୍' ଯୁଗର ଅୟମାରମ୍ଭ ହୋଇଯାଇଥିଲା ‌ ।



Tuesday, February 8, 2022

ଦେଶ ଓ ରାଷ୍ଟ୍ର କାହାକୁ କୁହାଯାଏ ?

ଦେଶ କାହାକୁ କୁହାଯାଏ ଜାଣିଵାକୁ ହେଲେ ପ୍ରଥମେ ଦେଶ ଶବ୍ଦକୁ ଜାଣିଵାକୁ ହେଵ ।
କଳ୍ପଦ୍ରୁମ ସଂସ୍କୃତ ଅଭିଧାନ ଅନୁସାରେ...

“ଦିଶ୍ଯତେ ନିର୍ଦ୍ଦିଶ୍ଯତେ ଇତି ।
ଦିଶ ନିର୍ଦ୍ଦେଶେ + କର୍ମ୍ମଣି ଘଞ୍ = ଦେଶ”

ଦେଶ ଶବ୍ଦକୁ ଦିଶ୍ ଧାତୁରୁ ନିଷ୍ପନ୍ନ କରାଯାଇଛି ।ଦିଶ୍ ଧାତୁରୁ  ଦାନ କରିବା,ଦେଵା,ଦେଖାଇଵା,ପ୍ରଦର୍ଶନ କରିଵା,କହିଵା,ବୁଝେଇଵା, ବୋଧଗମ୍ୟ କରାଇଵା,ପଠାଇଵା,ନିର୍ଦ୍ଦେଶ ଦେଵା ଓ ଆଜ୍ଞା କରିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।

ମନୁଷ୍ୟମାନେ ଜାତି,ଭାଷା ,ଧର୍ମ ଓ ସଂସ୍କୃତି ଆଧାରରେ ଅଧୁନା ପୃଥିଵୀରେ ୧୯୫ଟି ଦେଶ ଗଢ଼ିଛନ୍ତି ଵା କଳ୍ପନା କରିଛନ୍ତି ।‌

ଦିଶ୍ ଧାତୁର ନାନା ଅର୍ଥ ଘେନି ଦେଶ ଶବ୍ଦକୁ ଵିଚାର କରାଯାଇପାରେ । ପ୍ରାଚୀନ କାଳରେ ରାଜାମାନେ ଦେଶମାନଙ୍କରେ ଶାସନ କରୁଥିଲେ ଏଵଂ ସେମାନେ କୃଷି ଆଦି ସାମାଜିକକାର୍ଯ୍ୟ ହେତୁକ ପ୍ରଜାମାନଙ୍କୁ ଭୂମିଦାନ କରୁଥିଲେ । ଏକ ଅଞ୍ଚଳର ପ୍ରଜା ଓ ରାଜା ନିଜ ଭୂମିକୁ ଅନ୍ୟ ମାନଵଜାତିଠାରୁ  ରକ୍ଷା କରିଵା ପାଇଁ  ନିଜର ପରାକ୍ରମ ପ୍ରଦର୍ଶନ କରୁଥିଲେ । ନିଜ ଦେଶ ଅନ୍ୟ ଦେଶଠାରୁ କେଉଁ କେଉଁ କଥାରେ ଭିନ୍ନ ଓ ସ୍ଵତନ୍ତ୍ର ତାହା ସାହିତ୍ୟ,ଵୀରତ୍ଵ ଆଦି ଦ୍ଵାରା ପ୍ରମାଣିତ କରି ଦେଖାଇଵାକୁ ହୋଇଥାଏ । ସେହିପରି ଆଗେ ଗୋଟିଏ ଦେଶ ଏକ ଏକ ରାଜାଙ୍କ ଆଜ୍ଞା ଵା ନିର୍ଦ୍ଦେଶରେ ପରିଚାଳିତ ହୋଇଥିଲା ଏଵଂ ଏବେ ସମ୍ବିଧାନର ଆଇନର ଆଦେଶ ବଳରେ ପରିଚାଳିତ ହେଉଅଛି । ଆଗେ ଏକ ଜାତୀୟ ଵା ଏକଭାଷା ଵ୍ୟଵହାରକାରୀ ଵ୍ୟକ୍ତିମାନଙ୍କର ନିର୍ଦ୍ଦିଷ୍ଟ ବାସସ୍ଥାନକୁ  ଦେଶ ଅଭିହିତ କରାଯାଉଥିଲା । ସେହି ହେତୁରୁ ଉଡ୍ରଦେଶ ଓ କଳିଙ୍ଗ ଦେଶ ଆଦି ଶବ୍ଦର ଵ୍ୟଵହାର ରହିଛି ।
ଭାରତରେ ପୂର୍ଵେ ମଧ୍ୟ ନାନାଜାତୀୟ ପ୍ରାକୃତ ଓ ଜନଜାତୀୟ ଭାଷାର ପ୍ରଚଳନ ଥିଲା କିନ୍ତୁ ସେସବୁ ଭାଷାଗୁଡି଼କର ପ୍ରତିନିଧିତ୍ଵ ପୃଥିଵୀର ଶେଷ୍ଠ ଭାଷା ସଂସ୍କୃତ କରୁଥିଲା । ସଂସ୍କୃତ ଥିଲା ଭାରତର ରାଷ୍ଟ୍ରଭାଷା ଓ ରାଜଭାଷା ଏଵଂ ଏବେ ମଧ୍ୟ ଭାରତର ପ୍ରାୟ ସବୁ ଭାଷାରେ ସଂସ୍କୃତ ଭାଷାର ଶବ୍ଦ ରହିଛି । ଭାରତର ସବୁ ସନାତନୀ ସଂସ୍କୃତ ଭାଷାର ଶବ୍ଦଦ୍ଵାରା ନିଜର ନାମ ରଖିଥାନ୍ତି। ଉଦାହରଣ ସ୍ୱରୂପ ଵିନୋଦ,ମନୋଜ,ଶିଶିର,ଦେଵାଶିଷ ଇତ୍ୟାଦି । ଏ ଦୃଷ୍ଟିରୁ ସଂସ୍କୃତକୁ ଭାରତର ସ୍ଵାଭାଵିକ ରାଷ୍ଟ୍ରଭାଷା ଅଭିହିତ କରାଯାଇପାରେ । ପୁନଶ୍ଚ ଭାରତର ମୂଳ ସଂସ୍କୃତି ସନାତନ ସଂସ୍କୃତି ତଥା ମୂଳ ଧର୍ମ ସନାତନ ଧର୍ମ ଅଟଇ ‌। ଭାରତର ସବୁ ଅଧିଵାସୀ ଏକଜାତି ବୋଲି ମଧ୍ୟ ନିକଟରେ ଏକ ଅନୁସନ୍ଧାନରୁ ଜଣାପଡି଼ଛି ଏଵଂ ଶେଷଥର ଭାରତୀୟଙ୍କ ଡିଏନଏ ପ୍ରାୟ ୫୦୦୦୦ରୁ ୬୦୦୦୦ ଵର୍ଷ ତଳେ ପରିଵର୍ତ୍ତିତ ହୋଇଥିଵା ଜଣାଯାଇଛି । ତେଣୁ ସନାତନ ସଂସ୍କୃତି,ସନାତନ ଧର୍ମ ତଥା ସଂସ୍କୃତ ଭାଷାର ପ୍ରାଚୀନ ରାଷ୍ଟ୍ରଭାଷା ରୂପେ ପ୍ରଚଳନ ଇତ୍ୟାଦିକୁ ଦୃଷ୍ଟିରେ ରଖି ସ୍ପଷ୍ଟ ଭାବରେ କୁହାଯାଇପାରେ ଯେ ଭାରତ ଏକ ଦେଶ ଥିଲା ଓ ଏବେ ମଧ୍ୟ ଅଛି ।

ତେବେ ଦେଶର ଅର୍ଥ କେଵଳ ପୃଥିଵୀର ଏକ  ଅଞ୍ଚଳ ଵିଶେଷ ଵା ଭୂମିଖଣ୍ଡ ନୁହେଁ ଵରଂ କାଳାନ୍ତରରେ ଏ ଶବ୍ଦର ଅନ୍ୟାନ୍ୟ ଅନେକ ଅର୍ଥରେ ମଧ୍ୟ ପ୍ରୟୋଗ କରାଯାଇଛି ।

ଦେଶ ଶବ୍ଦର ସାଧାରଣ ଓ ବହୁ ପ୍ରଚଳିତ ଅର୍ଥ ହେଉଛି “ମହାଦେଶର ଅଂଶ” ତେବେ ଜନ୍ମସ୍ଥାନ ଵା ମାତୃଭୂମି,ଦିଗ(ଯଥା—ଉତ୍ତର ଦେଶ),ଅଵୟଵ(ଯଥା—ପୃଷ୍ଠଦେଶ, ଗଣ୍ଡଦେଶ),କୌଣସି ପଦାର୍ଥର ଅଂଶକୁ ମଧ୍ୟ ଦେଶ ଅଭିହିତ କରାଯାଏ ।

ଦେଶ ଶବ୍ଦର ଅନ୍ୟତମ ଶାସ୍ତ୍ରୀୟ ପ୍ରତିଶବ୍ଦ ହେଉଛି ରାଷ୍ଟ୍ର । ଏହି ରାଷ୍ଟ୍ର ଶବ୍ଦଟି ଆମ ଦେଶର ଵିଭିନ୍ନ ଭାଷାରେ ରାଜ୍ଯ, ସାମ୍ରାଜ୍ଯ, ଜନପଦ, ଦେଶଓ ପ୍ରକାଶ ଵା ପ୍ରଚାର ଅର୍ଥରେ
ପ୍ରୟୋଗ କରାଯାଏ ।

ରାଷ୍ଟ୍ର ଶବ୍ଦକୁ ରାଜ୍ ଧାତୁରୁ ନିଷ୍ପନ୍ନ କରାଯାଇଛି ଏଵଂ ରାଜ୍ ଧାତୁରୁ ଶୋଭାପାଇଵା,ଵଶ କରିବା,କାବୁ କରିଵା ଓ ସଜାଇଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।

ତାହେଲେ ରାଷ୍ଟ୍ର କାହାକୁ କୁହାଯିଵ ?

ଯେଉଁ ଦେଶରେ ରାଜା ଵା ଶାସକ ଶୋଭା ପାଆନ୍ତି ଏଵଂ ଶାସନତନ୍ତ୍ର ତଥା ଆଇନ ବଳରେ ପ୍ରଜାମାନଙ୍କୁ ଵଶ ଵା କାବୁ କରି ରଖିଥାନ୍ତି ଓ ଦେଶରେ ନାନାଵିଧ ଉନ୍ନତି ସାଧନ କରି ତାକୁ ସଜାଇଥାନ୍ତି ତାକୁ ହିଁ ରାଷ୍ଟ୍ର କୁହାଯାଏ ‌ ।

Wednesday, February 2, 2022

ପ୍ରାଚୀନ ଓଡ଼ିଆ ଶବ୍ଦ ଗହବ

ସହସ୍ର ସହସ୍ର ପ୍ରାଚୀନ ଓଡ଼ିଆ ଶବ୍ଦ କାଳ ଆଗରେ ପରାଜିତ ହୋଇ ଵିଲୁପ୍ତ ହୋଇଛି ଏଵଂ ହୋଇଛାଲିଛି । ସେହିପରି ଏକ ପ୍ରାଚୀନ ଲୁପ୍ତପ୍ରାୟ ଓଡ଼ିଆ ଶବ୍ଦ ଗହବ । ଗହବ ଶବ୍ଦ ଆଜି ଅନେକ ଓଡ଼ିଆଙ୍କ ପାଇଁ  ଅଜଣା । ହଠାତ୍ ଜଣେ ନଗରଵାସୀ ଓଡ଼ିଆକୁ ଗହବ ଅର୍ଥ କ'ଣ ବୋଲି ପଚାରିଦେଲେ ସେ ତତ୍ ସମ୍ବନ୍ଧରେ କିଛି କହି ନପାରେ କିନ୍ତୁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଗହବ ଶବ୍ଦର  ପ୍ରୟୋଗ ଥିଲା ‌ ।

କଵି ଦେଵଦୁର୍ଲଭ ଦାସ,  ଅତିବଡ଼ ଜଗନ୍ନାଥ ଦାସଙ୍କ ସମସମାୟିକ କଵି । ସେ ତାଙ୍କର
ରହସ୍ୟ ମଞ୍ଜରୀ କାଵ୍ୟର ପଞ୍ଚମ ଛାନ୍ଦରେ ଗହବ ଶବ୍ଦର ପ୍ରୟୋଗ ‘ଗହଳ ଵା ଗହଳି’ କିଂଵା ଲକ୍ଷଣାର୍ଥ ‘ସମସ୍ୟା ଅଥଵା ଜଞ୍ଜାଳ’ ଅର୍ଥରେ କରିଛନ୍ତି ।

“କଉଁ ଦଇବ ମୋତେ ଛନ୍ଦିଗଲା ।
କାହୁଁ ଆଣିରେ କାହିଁ ବନ୍ଦୀ କଲା ॥
ଯାଇ ଆସିବି ବୋଲି ମୁଁ ଅଇଲି ।
ଆସି ଗହବରେ ପଡ଼ି ରହିଲି ॥”

ସେହିପରି କଵିସୂର୍ଯ୍ୟ ଵଳଦେଵ ରଥ ତାଙ୍କର ଏକ ଗୀତିକଵିତା “ମନା ମୁଁ କରୁଥିଲି ଏହାକୁ ଗୋ”ରେ ଗହଵ ଶବ୍ଦକୁ ଘଞ୍ଚ ଵା ଘନ ଅର୍ଥରେ ଵ୍ୟଵହାର କରି ଲେଖିଛନ୍ତି

“ଗହବ ଚମ୍ପା ଧଣ୍ଡା ନିର୍ମିତ ଗଜଶୁଣ୍ଢା
ଦଣ୍ଡକୁ ନିନ୍ଦି ଚାହିଁ ଯାହାକୁ ଗୋ !
ଵିଶେଷେ ଵିସନାଳ ଦିଶିଲାଣି ପୃଥୁଳ
ଆଉ କାହିଁଛି ସେହି ବାହାକୁ ଗୋ ॥”

ଗହବ ଶବ୍ଦଟି ଓଡ଼ିଶାର ନଗରାଞ୍ଚଳରେ ପ୍ରଚଳିତ କଥିତ ଓଡ଼ିଆ ଭାଷାରୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି । ଵର୍ତ୍ତମାନର ମାନକ ଓଡ଼ିଆରେ ମଧ୍ୟ ଏହା ପରିଵର୍ତ୍ତେ ଘନ,ଘଞ୍ଜ,ଗହଳିଆ ଆଦି ଶବ୍ଦ ପ୍ରୟୋଗ ହୁଏ । ତେବେ ଓଡ଼ିଶାର ଗ୍ରାମାଞ୍ଚଳରେ ଗହବ ଓ ଗହବା ଶବ୍ଦ ପୁରୁଣାକାଳିଆ ଲୋକଙ୍କ ମୁଖରୁ ବେଳେ ବେଳେ ଶୁଣିଵାକୁ ମିଳିଥାଏ ‌ ।

ଆଜିକାଲିର କଵି ଲେଖକମାନେ ଗହବ ଓ ଗହବା ଶବ୍ଦ ସହିତ ସେତେଟା ପରିଚିତ ନୁହନ୍ତି ତେବେ ଅଳ୍ପ କେଇଜଣ ଆଧୁନିକ ସାହିତ୍ୟିକ ଗହବା ଶବ୍ଦକୁ ଘଞ୍ଚ ଅର୍ଥରେ ପ୍ରୟୋଗ କରୁଛନ୍ତି । ମୋଟ ଉପରେ କହିଵାକୁ ଗଲେ ସୀମିତ ଅଞ୍ଚଳର କଥିତ ଶୈଳୀରେ ଗହବ ଓ ଗହବା ଶବ୍ଦ ବଞ୍ଚିରହିଛି । କିନ୍ତୁ ଗହବ ଓ ଗହବା ଶବ୍ଦଦ୍ଵୟ
ଘନ,ଘଞ୍ଚ,ଗହଳିଆ,ଝାଙ୍କାଳିଆ ଆଦି ଶବ୍ଦ ପରି ଓଡ଼ିଶାର ଲୋକଙ୍କ ନିକଟରେ ସେତେ ଜଣାଶୁଣା ହୋଇପାରି ନାହିଁ ।

କେହି କେହି ଗହବ ଓ ଗହବା ଶବ୍ଦକୁ ଦେଖି ମନେ କରନ୍ତି ଯେ ଏ ଉଭୟ ଶବ୍ଦ ଆରବୀ ,ପାର୍ସୀ କି ତୁର୍କ ଭାଷା ମୂଳର ହୋଇଥିଵ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ ଗହବ ଶବ୍ଦକୁ ତତ୍ସମ ଗହନ ସହିତ ସମୋଦ୍ଧୃତ ବୋଲି ମତ ଦେଇଛନ୍ତି ।‌

ହିନ୍ଦୀଭାଷା ଭାରତର ଅନ୍ୟାନ୍ୟ ଭାଷା ଅପେକ୍ଷା ଆରବୀ, ପାର୍ସୀ ଓ ତୁର୍କ ଭାଷାର ଶବ୍ଦଦ୍ଵାରା ସର୍ଵାଧିକ କଳୁଷିତ । ମାତ୍ର ସେ ଭାଷାରେ
ସଣ୍ଡୁଆସି ଵା pincersକୁ ଗହବା କୁହାଯାଏ ଏଵଂ ହିନ୍ଦୀ କି ମରାଠୀ ଆଦି ଭାଷାରେ ଗହବ ବୋଲି କୌଣସି ଶବ୍ଦ ଘଞ୍ଚ ଵା ଗହଳିଆ ଅର୍ଥରେ ଚଳୁନାହିଁ । ସେହିପରି ହିନ୍ଦୀରେ गहवाना ଶବ୍ଦ ଧରିଵା ଅର୍ଥରେ ଉତ୍ତର ଭାରତୀୟ ଗ୍ରାମାଞ୍ଚଳରେ କଥିତ  ହୋଇଥାଏ କିନ୍ତୁ ଓଡ଼ିଆ ଭାଷାରେ ଫଶଣ୍ଡି ଯିଵା ଵା ଖୁବ୍ ହୃଷ୍ଟ ପୁଷ୍ଟ ହୋଇ ବଢ଼ିଵା ଅର୍ଥରେ ଗହବିଵା କ୍ରିୟା ଚଳୁଅଛି । ଯେତେବେଳେ କୌଣସି ଗଛ ଖୁବ୍ ହୃଷ୍ଟ ପୁଷ୍ଟ ହୋଇ ବଢ଼େ ସେ ଗଛ ଝାଙ୍କାଳିଆ ହୁଏ ଏଵଂ ଏହିପରି ଏକାଧିକ ଗଛ ଏକସ୍ଥାନରେ ଉଠିଲେ ଉକ୍ତ ସ୍ଥାନ ଘଞ୍ଚ ଓ ଗହଳ ହୋଇଥାଏ । ଏଣୁ ଗହବ,ଗହବା ଶବ୍ଦଦ୍ଵୟ ସହିତ ଓଡ଼ିଆ କ୍ରିୟା ଶବ୍ଦ ଗହବିଵାର ସମ୍ପର୍କ ରହିଛି ।

ତେବେ ଏ ତିନୋଟି ଯାକ ଶବ୍ଦର ଅନ୍ୟ କୌଣସି ଶବ୍ଦ ସହ ସମ୍ପର୍କ ଅଛି କି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଗହବ ଵା ଗହବା ଶବ୍ଦ, ତତ୍ସମ ଗହନ ସହିତ ସମୋଦ୍ଧୃତ ।‌ ଗହନ ଶବ୍ଦର ମୂଳରେ ଅଛି
ଗହ୍ ଧାତୁ ଯହିଁରୁ ନିଵିଡ଼ ହେଵା,ଗହଳ ହେଵା,ଗଭୀର ହେଵା, ବୁଝିଵାକୁ କଠିଣ ହେଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।

ମତାନ୍ତରେ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଗହବ ଶବ୍ଦ ପ୍ରୟୋଗ ହୋଇଅଛି ଗହବା ଶବ୍ଦର ଘଞ୍ଚ,ଘନ ଆଦି ଅର୍ଥରେ ଵ୍ୟଵହାର ଆଧୁନିକ। ହୁଏତ ପୂର୍ଵେ ଗହନଵନ ଶବ୍ଦଟି କ୍ରମଶଃ ପରିଵର୍ତ୍ତିତ ହୋଇ ଗହବରେ ପରିଣତ ହୋଇଥିଵ ଏଵଂ ସମୟ ସହ ଗହବ ଶବ୍ଦ ଗହବା ରୂପେ ଚଳିଵାକୁ ଲାଗିଥିଵ । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ଭାଷାରେ ଗହନ ଶବ୍ଦର ଏକ ଅର୍ଥ ଵନ ଵା ଜଙ୍ଗଲ ଅଟଇ ‌ ।

କଵିସୂର୍ଯ୍ୟ କିଶୋରୀଚନ୍ଦ୍ରାନନ୍ଦ  ଗ ଚମ୍ପୁରେ ଏହି ଵନ ଅର୍ଥରେ ଗହନ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି

“ଗିଳିଦେଲା ପୁରନ୍ଦର-ନୀଳକର-କଳିକାମୟ ତିମିର ଗହନ କି ଗୃହ ହୋଇଲା
ସନ୍ଦେହ ନିଶ୍ଚୟ ହୋଇ ଭିଦୂର ॥”

ଓଡ଼ିଆ ଭାଷାରେ ଉଭୟ ଗହନ ଓ ଵନ ଶବ୍ଦ ଏକାର୍ଥବୋଧକ ହୋଇଥିଵାରୁ ଏଵଂ ଗହନ ଶବ୍ଦର ଏକ ଅର୍ଥ ଘନ ଵା ଘଞ୍ଚ ହୋଇଥିଵାରୁ ଏ ଉଭୟ ଶବ୍ଦ “ଗହନ ଵନ” ରୂପେ ମଧ୍ୟ ପ୍ରୟୋଗ ହୋଇଥାଏ । ଉଦାହରଣ ସ୍ୱରୂପ ଅତିବଡ଼ ଜଗନ୍ନାଥ ଦାସ ଵିରଚିତ ଓଡ଼ିଆ ଭାଗଵତର ନଵମ ସ୍କନ୍ଧରେ ଗହନ ଵନ ଶବ୍ଦ ଵ୍ୟଵହୃତ ହୋଇଅଛି ।

“ଧନୁ-କମାଣ ଘେନି କରେ ।
ପଶିଲା-ଗହନ ଵନରେ ॥
ଵନେ ବୁଲନ୍ତେ ଧର୍ମ ଗୁଣି ।
ଶୁଣିଲା ଅନ୍ତରୀକ୍ଷ ଵାଣୀ ॥”

ପୁଣି ଭାଗଵତର ପ୍ରଥମ ସ୍କନ୍ଧରେ ଗହନ ଵନସ୍ତ ଶବ୍ଦ ପ୍ରୟୋଗ ହୋଇଅଛି
“ବେଗେ ପଳାଇ ଭୂମିଗତେ ।
ପଶିଲା ଗହନ ଵନସ୍ତେ ॥”

ପୁନଶ୍ଚ ଓଡ଼ିଆ ଭାଷାରେ ଗହଳ ଓ ବହଳ ଉଭୟ ଶବ୍ଦ ଏକାର୍ଥବୋଧକ ଅର୍ଥାତ୍ ଏ ଦୁଇଗୋଟି ଶବ୍ଦ ଘନ ଗଭୀର ଘଞ୍ଚ ଆଦି ଅର୍ଥରେ ପ୍ରୟୋଗ କରାଯାଏ । ତେଣୁ ଏମନ୍ତ ମଧ୍ୟ ହୋଇପାରେ ଯେ ଗହଳ ବହଳ ସହଚର ଶବ୍ଦରୂପେ ଶିଘ୍ର ଶିଘ୍ର କଥିତ ହେଵା ସମୟରେ ତହିଁରୁ ଳ ଵର୍ଣ୍ଣ ଲୁପ୍ତ ହୋଇ ଗହବହ ହୋଇଥାଇପାରେ ଏଵଂ ପରେ ତାହା ଗହବରେ ପରିଣତ ହୋଇଥିଵା ସମ୍ଭଵ ।‌

ତେବେ ଓଡ଼ିଆ ଭାଷାରେ ଗହନ ଵା dense ଅର୍ଥରେ ବହଳ,ଗହଳ,ଘନ,ଘଞ୍ଚ,ଅଚ୍ଛିଦ୍ର,ଅଝାଲ, ନିଵିଡ଼,ଅଵିରଳ,ଅଭେଦ୍ୟ,ଅସନ୍ଧି,କଳିଳ,କିଟ୍କିଟା,କୁଚାପେଲା,ଅଗମ୍ୟ,କୋଟ,ଖର,ଗଭୀର, ଗମ୍ଭୀର,ଗହଣ,ଘନ୍ଘାର, ଘମାଘୋଟ,ଘେଞ୍ଚ,ଗାଢ଼,ଗାଢା଼,ଘୋର,ଜକାଜକି, ଜାବଡ଼,ନିଃସନ୍ଧି,ନିଘଞ୍ଚ,ନଘନ,ନିଵାତ,ନିବୁଜ୍,ନୀର୍ବନ୍ଧ(ପ୍ରା), ପ୍ରଗାଢ଼,ପ୍ରମୀଢ଼,ବହୁଳ ଓ ସାନ୍ଦ୍ର ଭଳି ଶହ ଶହ ତତ୍ସମ,ତଦ୍ଭଵ ଓ ଦେଶଜ ଓଡ଼ିଆ ଶବ୍ଦ ରହିଛି ।

Dense ଵା ଗହନ ଅର୍ଥରେ‌ ଏତେ ଶବ୍ଦ ଥିଵାରୁ ଏଵଂ କଥିତ ଭାଷାରେ ଘନ, ଘଞ୍ଚ,ଗହୀର,ବହଳ ଆଦି ଶବ୍ଦର ଵ୍ୟଵହାର ଅଧିକ ହେଉଥିଵାରୁ
ପନ୍ଦରଶହ ଶତାବ୍ଦୀରେ ଓଡ଼ିଆ ସାହିତ୍ୟରେ  ପ୍ରୟୋଗ କରାଯାଇଥିଵା ଗହବ ଶବ୍ଦ ସେତେ ଲୋକପ୍ରିୟ ହୋଇନପାରି କେତେକ ଅଞ୍ଚଳର
କଥିତ ଶୈଳୀରେ ଗହବା ରୂପେ ଚଳିଵାକୁ ଲାଗିଲା । କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ ଆଜି ବି ଅନୁଗୋଳ ଓ ଏହାର ଆଖପାଖ ଅଞ୍ଚଳରେ ଗହବା ଶବ୍ଦଟି ଘନ ଓ ଘଞ୍ଚ ଅର୍ଥରେ ଵ୍ୟଵହାର ହେଉଅଛି । ଓଡ଼ିଶାର ଆଧୁନିକ ସାହିତ୍ୟକାରମାନେ ଗହବ ଶବ୍ଦକୁ ସାହିତ୍ୟରେ ଵ୍ୟଵହାର କଲେ ଏହି ସାହିତ୍ୟିକ ଶବ୍ଦଟି ଅନ୍ତତଃ ସାହିତ୍ୟ ମଧ୍ୟରେ ବଞ୍ଚି ରୁହନ୍ତା ।