Tuesday, November 19, 2019

ରିମି,ମିରି ଓ ରିମି ରିମି

ଓଡ଼ିଶାରେ ଅନେକ ଵନ ଓ ଵନ୍ଯଜନ୍ତୁ ସମ୍ବନ୍ଧୀୟ ଶବ୍ଦ ହଜିଵାକୁ ବସିଲାଣି । ଵନନାଶ ଯୋଗୁଁ ଵନ୍ଯଜୀଵ ବି ନାଶ ହେଵାକୁ ଲାଗିଲେ ଫଳରେ ସମୟ ସହ ଵନ୍ଯ ସମ୍ବନ୍ଧୀୟ ଓଡ଼ିଆ ଶବ୍ଦ ବି ଲୋପ ପାଇଵାକୁ ଲାଗିଲା । ଆଜି ଆଗଭଳି ଏତେ ବଣ ନାହିଁ କି ଜୀଵଜନ୍ତୁ ନାହାଁନ୍ତି ତେଣୁ ହଜିଗଲାଣି ଅନେକ ନିଆରା ଓଡ଼ିଆ ଶବ୍ଦ ।

ସେଇଭଳି ଏକ ଶବ୍ଦ ହେଉଛି #ରିମି ।  ଏ ଶବ୍ଦଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୭୧୩୦ତମ ପୃଷ୍ଠାରେ ରହିଛି । ସେଠାରେ ଉଲ୍ଲେଖ କରାଯାଇଛି ଯେ ଏହା ଏକ ଗଡ଼ଜାତିଆ ଶବ୍ଦ ଏଵଂ ଏହାର ଅର୍ଥ “ଵ୍ଯାଘ୍ରାଦି ଵନ୍ଯ ଜନ୍ତୁଦ୍ବାରା ହତ ମୃଗାଦି ପଶୁ”

ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷରେ  ରିମି ଶବ୍ଦକୁ ଏକ ଵିଶେଷ୍ଯ ଶବ୍ଦ ଉଲ୍ଲେଖ କରାଯିଵା ସହ ଏହାର ଅର୍ଥ କୁହାଯାଇଛି

“(ଵିଶେଷ୍ଯ)ଵନ୍ୟଜନ୍ତୁ ଦ୍ୱାରା ଆକ୍ରମିତ ଛେଳି, ମେଣ୍ଢା ଆଦିର ଭୁକ୍ତାଵଶେଷ”

କଥିତ ଓଡ଼ିଆ ଶବ୍ଦକୋଷରେ ରିମି ଶବ୍ଦର ଅର୍ଥ ଉଲ୍ଲେଖ କରାଯାଇଛି
“ମୃତ ଗୋରୁର ଶଵ”

ଏ ଶବ୍ଦ ଵିଷୟରେ ଅନ୍ୟ କୌଣସି ପ୍ରମାଣ ମିଳିପାରୁନାହିଁ । ଏହାର ସଂସ୍କୃତ ଭାଷା ମୂଳ ସମ୍ବନ୍ଧୀୟ ତଥ୍ୟ ନମିଳୁଥିଵା ଯୋଗୁଁ ଏହାକୁ ଏକ ଦେଶଜ ଶବ୍ଦ ମଧ୍ୟରେ ଗଣନା କରାଯାଇଥାଏ ।

ଇଂରାଜୀ ଭାଷାରେ ମଧ୍ୟ ଏଇଭଳି ଏକ ଶବ୍ଦ ରହିଛି ଯାହା ମୃତ ପଶୁଙ୍କ ଶଵ ଅର୍ଥରେ ପ୍ରୟୋଗ ହୋଇଥାଏ । ଇଂରାଜୀରେ ମୃତଜୀଵଙ୍କ ଶଵକୁ carcass କୁହାଯାଏ ଏଵଂ ଏହା ଫ୍ରେଞ୍ଚ୍  carcois,charcois,carcasse ଆଦି ଶବ୍ଦ ସହିତ ସମଦ୍ଧୃତ । ଲାଟିନ୍ ଭାଷାରେ ମଧ୍ୟ ମୃତଦେହ ଅର୍ଥରେ carcosium ଶବ୍ଦ ଚଳୁଥିଲା ।ଇଟାଲିଆନ୍ ଭାଷାରେ ବି ଏହି ଅର୍ଥରେ carcassa ଶବ୍ଦ ଥିଵା ଜଣାଯାଏ । କିନ୍ତୁ ଏ ସମସ୍ତ ଵୈଦେଶିକ ଭାରୋପୀୟ ଶବ୍ଦଗୁଡି଼କର ମୂଳ ମଧ୍ୟ ପାଶ୍ଚାତ୍ୟ ଭାଷାଵିଦ୍ ମାନଙ୍କ ଦ୍ଵାରା ଆଜିଯାଏଁ ସିଦ୍ଧାନ୍ତ ହୋଇପାରିନାହିଁ ।

ତେଵେ ମଜାକଥା ହେଲା ଯଦି  ରିମି ଶବ୍ଦକୁ ଓଲଟାଯାଏ ତେଵେ ଯେଉଁ ‛ମିରି’ ଶବ୍ଦ ସୃଷ୍ଟି ହେଵ ତାହାର ଅର୍ଥ ଵସ୍ତର ଵିଚ୍ଛିନ୍ନାଞ୍ଚଳର ଓଡ଼ିଆ ଭାଷା ଭତ୍ରୀରେ ଲଙ୍କାମରିଚ ଏଵଂ ଏ ଶବ୍ଦ ଏଇ ଅର୍ଥରେ କୋରାପୁଟ ଓ କନ୍ଧମାଳ ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟ ଚଳୁଥିଵା କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ । ଦେଓଗଡ଼ର ଏକ ଜନଜାତୀୟ ସମ୍ପ୍ରଦାୟର ନାମ ମଧ୍ୟ ମିରି ଅଟେ । ସେଇଭଳି ଯଦି ରିମି ଶବ୍ଦକୁ ଭୁଲ୍'ରେ ଲାଗି ଲାଗି ଦୁଇଥର ଲେଖିଦିଅନ୍ତି ଯେଉଁ ରିମି ରିମି ଶବ୍ଦ ସୃଷ୍ଟି ହେଵ ତାହାର ଅର୍ଥ “ଝିପି ଝିପି ଵର୍ଷା” ଅଟେ ।

Monday, November 11, 2019

ସମ୍ବଲପୁରର ସଂକ୍ଷିପ୍ତ ଇତିହାସ

ଏକଦା ସମ୍ୱଲପୁର  ଗଡ଼ଜାତ ରାଜ୍ୟ "ହୀରାଖଣ୍ଡ  ସାମ୍ରାଜ୍ୟ" ନାମରେ  ପରିଚିତ  ଥିଲା । ଏଠାରୁ  ପ୍ରାପ୍ତ  "ହୀରା”ରୁ  "ହୀରାଖଣ୍ଡ  ସାମ୍ରାଜ୍ୟ''ର  ସୃଷ୍ଟି ବୋଲି ଅନେକ ମତ ଦିଅନ୍ତି  । ଏକ କିମ୍ବଦନ୍ତୀ କଥାନୁସାରେ ଵିଶ୍ଵଵିଖ୍ଯାତ କୋହିନୂର ହୀରା ଏହିଠାରୁ ପ୍ରାପ୍ତ ହୋଇଥିଵାରୁ ଯେତେଵେଳେ ତାହା
ରାଜା ରଣଜିତ ସିଂହଙ୍କ ପାଖରେ ଥିଲା ସେ ତାହା ତାଙ୍କ ମୃତ୍ୟୁ ଉତ୍ତାରୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିଵା ହେତୁ ସତ୍ତ୍ଵପତ୍ରଟିଏ କରିଥିଲେ ।

ପ୍ରାଗ୍‍-ଐତିହାସିକ ଯୁଗରେ  ସମ୍ୱଲପୁର  ହୀରା ଉତ୍ପାଦନଲାଗି ପ୍ରସିଦ୍ଧି ଲାଭ  କରିଥିଲା ଏବଂ ଏହି ହୀରା ଭାରତର ସର୍ବୋତ୍କୃଷ୍ଟ  ବୋଲି  ଵିଵେଚିତ ହେଉଥିଲା । ଇଂରେଜ ଯୁଗରେ ସୁଦ୍ଧା ଏଠାରେ ହୀରା ଉଦ୍ଯୋଗ କହିଥିଵା ତଥା ବହୁ ବଙ୍ଗାଳୀ କାରିଗର ସେହି ଉଦ୍ଯୋଗରେ କାର୍ଯ୍ୟରତ ଥିଵାର ପ୍ରମାଣ ମିଳେ । ଅଵଶ୍ଯ ପରେ ଏହି ଉଦ୍ଯୋଗ ପଶ୍ଚିମ ଭାରତରେ ଅଧିକ ବଢ଼ିବାରୁ ଅନେକ ବଙ୍ଗାଳୀ ହୀରା କାରିଗର ସେ ଅଞ୍ଚଳକୁ ଚାଲିଯାଇଥିଲେ ଏଵଂ ସମ୍ବଲପୁରରେ ହୀରା ଉଦ୍ଯୋଗ ପ୍ରାୟତଃ ବନ୍ଦ ହୋଇଯାଇଥିଲା ।

ତେଵେ ପାଶ୍ଚାତ୍ୟ ଐତିହାସିକ ଟୋଲେମୀ କଥିତ ମାନ୍ଦଲାଇ ଅଞ୍ଚଳର  ସମ୍ୱଳକ ସହରକୁ ସମ୍ୱଲପୁର  ସହର  ବୋଲି  ଚିହ୍ନିତ କରାଯାଇଥାଏ । ଏହି ମାନ୍ଦଲାଇ ଅଞ୍ଚଳକୁୁ ପ୍ଲିନି "ମାଲ୍ଲି" ବୋଲି  କହିଛନ୍ତି  ଏବଂ ଅାଧୁନିକ ମୁଣ୍ଡା ଜାତି ଏହାର  ପୂର୍ଵ ଅଧିବାସୀଙ୍କ ବଂଶଧର  ବୋଲି କଥିତ ଅଛି ।

ଜେନେରାଲ  କନିଂହାମ୍‍ଙ୍କ ଅନୁସାରେ  ପ୍ଲିନିଙ୍କ ସୁରାଇ ଶବ୍ଦକୁ ଜନଜାତୀୟ "ଶବର" ଜାତିର ନାମ ସହିତ ଚିହ୍ନିତ କରାଯାଇପାରେ । ଗିବନ ଓ ଟୋଭେନିୟର  ମଧ୍ୟ ସମ୍ୱଲପୁରର  ହୀରା ଖଣି କଥା କହିଛନ୍ତି । ଏ ସବୁ ତଥ୍ୟ ସମ୍ୱଲପୁରର  ପ୍ରାଚୀନତା ତଥା ଅସ୍ତିତ୍ୱ ସମ୍ୱନ୍ଧରେ  ସୂଚନା ଦିଏ ।

ରାଜା ଇନ୍ଦ୍ରଭୂତି ଓ ତାଙ୍କ ଭଗିନୀ ଲକ୍ଷ୍ମୀକରା ସହ ବଜ୍ରଯାନ ବୌଦ୍ଧଧର୍ମ ଓ ସହଜଯାନ ବୌଦ୍ଧଧର୍ମ ତଥା ଇନ୍ଦ୍ରଭୂତିଙ୍କ ପାଳିତ ପୁତ୍ର ମହାପଦ୍ମସମ୍ଭଵ ତିବ୍ବତରେ  ଲାମା ପନ୍ଥର  ପ୍ରତିଷ୍ଠା ନେଇ ସମ୍ୱଳକ ତଥା ସମ୍ୱଲପୁରର  ପ୍ରାଚୀନତାର  ସୂଚନା ମିଳେ । ଏହି ରାଜା ଇନ୍ଦ୍ରଭୂତି ସମ୍ବଳକ ଦେଶରେ ଉଡ୍ଡିୟାନ୍ ରାଜ୍ୟ ପ୍ରତିଷ୍ଠା କରିଥିଲେ ଯାହା ଆଧୁନିକ ଓଡ଼ିଶା ନାମ ପାଇଁ ପ୍ରେରଣା ଯୋଗାଇ ଥିଵା କେତେକ ଐତିହାସିକ ମତ ଦିଅନ୍ତି ।

ପ୍ରାଚୀନ ଐତିହ୍ୟସଂପନ୍ନ ସମ୍ବଳକ ଅଞ୍ଚଳରେ  ପୂର୍ଵେ ଵିଭିନ୍ନ ବଂଶର ରାଜାମାନେ ରାଜତ୍ୱ କରୁଥିଲେ । ଵିଶେଷତଃ ଶରଭପୁର,  ଶ୍ରୀପୁର,  ରତନପୁର,  ଵିନିକା (ଵିନୀତପୁର),  ସୋନପୁର  (ସ୍ୱର୍ଣ୍ଣପୁରୀ ଵା ସୁବର୍ଣ୍ଣପୁର),  ପାଟଣାଗଡ଼ (ପତ୍ତନଗଡ଼) ଟିଟିଲାଗଡ଼ (ତ୍ରିତଳ ଗଡ଼) ପ୍ରଭୃତି ତତ୍‍କାଳୀନ ପ୍ରାଚୀନ ରାଜାମାନଙ୍କର  ରାଜଧାନୀ ଥିଲା ।

ସମ୍ଭଵତଃ ଖ୍ରୀ.ପୂ. ୫୪ରେ  ସୂର୍ଯ୍ୟବଂଶୀୟ  ରାଜା ମାଧବ ଚନ୍ଦ୍ର "ପତ୍ତନ'' ରାଜ୍ୟ ପ୍ରତିଷ୍ଠା କରିଥିଲେ ଏଵଂ  ସମୟକ୍ରମେ ତାହା ପାଟଣା ରାଜ୍ୟରେ  ପରିଣତ ହୋଇଥିଵା ଅନୁମାନ କରାଯାଉଛି । ସେଇଭଳି ଏହି ନଗରର ଅଧିଷ୍ଠାତ୍ରୀ ଦେଵୀଙ୍କ ନାମ ମଧ୍ୟ "ପତ୍ତନେଶ୍ୱରୀ''ରୁ "ପାଟଣେଶ୍ୱରୀ" ନାମ ହୋଇଥାଇପାରେ  ।

ପରବର୍ତ୍ତୀ ସମୟରେ  ପାଟଣାର  ସାମନ୍ତ  ରାଜା କୃତ୍ତିଵାସ ଦେଓ ୧୧୩୨ ଖ୍ରୀ.ଅ.ରେ  ଅପୁତ୍ରିକ ଭାବରେ  ମୃତ୍ୟୁଵରଣ କଲେ  ଏବଂ ତାଙ୍କ ପରେ ତାଙ୍କ ରାଣୀ ହେମନ୍ତ  କୁମାରୀ ଅାଠଜଣ ମନ୍ତ୍ରୀ  (ଅଷ୍ଟମଲ୍ଲିକ)ଙ୍କ ସହାୟତାରେ ଶାସନ ଚଳାଇଲେ । ପରବର୍ତ୍ତୀ ସମୟରେ  ଏହାର  ସୁଯୋଗ ନେଇ "ମୁଣ୍ଡୋ" ମଲ୍ଲିକ ବା ମୁଖ୍ୟ ଥିବା ଚକ୍ରଧର ପାଣିଗ୍ରାହୀଙ୍କ ଅାଶ୍ରିତ ତଥା ପାଳିତ ପୁତ୍ର ରମାଇ ଦେବ ଅଷ୍ଟମଲ୍ଲିକଙ୍କ ମଧ୍ୟରୁ  ସାତ ଜଣଙ୍କୁ ହତ୍ୟାକରି  ଓ ତାଙ୍କ ଅାଶ୍ରିତ ପିତା ଚକ୍ରଧର  ପାଣିଗ୍ରାହୀଙ୍କୁ କରାୟତ୍ତ  କରି  ପାଟଣାଗଡ଼ ରାଜସିଂହାସନରେ  ଖ୍ରୀ. ୧୧୫୯ରେ  ଉପଵିଷ୍ଟ  ହେଲେ  ତଥା ଚୌହାଣ ରାଜତ୍ୱ ପ୍ରତିଷ୍ଠା କଲେ ।

କିମ୍ବଦନ୍ତୀ କୁହେ ସେ ଥିଲେ  ଦିଲ୍ଲୀ ସମ୍ରାଟ ପୃଥ୍ୱୀରାଜଙ୍କ ବଂଶଧର  ତଥା ତତ୍‍କାଳୀନ ସମୃଦ୍ଧଶାଳୀ "ଗଡ଼ସମ୍ୱର'' ରାଜ୍ୟର  ରାଜା ଵିଶାଳ ଦେବଙ୍କ କନିଷ୍ଠା ରାଣୀ ଅାଶାବତୀଙ୍କ ଗର୍ଭରୁ  ଜନ୍ମିତ ଏକମାତ୍ର ପୁତ୍ର ।  କଥିତ ଅଛି ଯେ, ଏକଦା ସମୃଦ୍ଧିଶାଳୀ ଥିଵା "ଗଡ଼ସମ୍ୱର"  ରାଜ୍ୟରେ ଚୌହାଣବଂଶୀୟ  ରାଜା ବିଶାଳ ଦେଵ ରାଜତ୍ୱ କରୁଥିଲେ ।

ଅାଫଗାନମାନଙ୍କ ସହ ପରାସ୍ତ ହୋଇ ରାଜା ନିହତ ହେଵା ପରେ  ତାଙ୍କର  ପାଞ୍ଚରାଣୀ ସ୍ୱାମୀଙ୍କ ଚିତାରେ  ଝାସ ଦେଲେ  କିନ୍ତୁ କନିଷ୍ଠାରାଣୀ ଅାଶାଦେଵୀ ଅନ୍ତଃସତ୍ତ୍ୱା ଥିଵାରୁ ସ୍ୱାମୀଙ୍କ ସହଗାମିନୀ ନ ହୋଇ ଦୁଇଜଣ ବିଶ୍ୱସ୍ତ ଭୃତ୍ୟ  ସହ ହସ୍ତୀରେ  ବସି ପଳାୟନ କରିଥିଲେ । କିନ୍ତୁ  ସେହି ଭୃତ୍ୟ ଦ୍ୱୟ   ଘନ ଜଙ୍ଗଲ  ମଧ୍ୟରେ ରାଣୀଙ୍କୁ ଏକାକିନୀ ଛାଡ଼ି ପଳାୟନ କରିଵାରୁ  ରାଣୀଙ୍କୁ ଜଣେ ସ୍ଥାନୀୟ ଅଧିଵାସୀ ରାମୋଡ଼ ବରିହା ଓ ତାଙ୍କ ସ୍ତ୍ରୀ  ସହାୟତା କରିଥିଲେ । ସେଠାରେ  ତାଙ୍କର  ଏକମାତ୍ର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ସେ ହେଉଛନ୍ତି ପାଟଣା ରାଜ୍ୟରେ  ଚୌହାଣ ରାଜତ୍ୱର  ପ୍ରତିଷ୍ଠାତା ରମାଇ ଦେବ । ଚୌହାଣ ରାଜତ୍ୱରେ  ପାଟଣା ରାଜ୍ୟର  ପ୍ରତିପତ୍ତି  ପ୍ରତିଷ୍ଠିତ ହୋଇଥିଲା । ରାଜ୍ୟର  ପରିସୀମା ପୂର୍ବରେ  ବୌଦରାଜ୍ୟ, ପଶ୍ଚିମରେ  ବିନ୍ଦ୍ରା-ନୂଅାଁଗଡ଼, ଦକ୍ଷିଣରେ  ତେଲନଦୀ ଓ ଉତ୍ତରରେ  ମହାନଦୀ ପର୍ଯ୍ୟନ୍ତ  ବିସ୍ତୃତ ଥିଲା । ପ୍ରୋକ୍ତ କିମ୍ବଦନ୍ତୀକଥାରେ କେତେ ସତ୍ଯତା ରହିଛି ତାହା ଐତିହାସିକ ମହଲରେ ଏଵେ ବି ଚର୍ଚ୍ଚାର ଵିଷୟ ଅଟଇ ।

ରମାଇଦେଵଙ୍କ ପରେ  ତାଙ୍କ ବଂଶଧରମାନେ ପାଟଣା ରାଜ୍ୟର  ଶ୍ରୀବୃଦ୍ଧି ସାଧନ କରିଥିଲେ । ଏହି ବଂଶର  ଦ୍ୱାଦଶ ରାଜା ହୀରା ବଜ୍ରଦେଵ ୧୫୧୯ରୁ  ୧୫୪୯ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତାଙ୍କ ପରେ  ତାଙ୍କର  ଜ୍ୟେଷ୍ଠପୁତ୍ର ନରସିଂହଦେଵ ୧୫୪୯ରୁ  ୧୫୫୭ ପର୍ଯ୍ୟନ୍ତ  ରାଜା ହୋଇଥିଲେ । ରାଜା ନରସିିଂହଦେଵ ରାଜ୍ୟ ଶାସନ ତଥା ରାଜ୍ୟର  ସୁରକ୍ଷା ନେଇ ତାଙ୍କ  ସାନଭାଇ ବଳରାମ ଦେଵଙ୍କ ଉପରେ  ନିର୍ଭର  କରୁଥିଲେ । ବଳରାମ ଦେଵ ମଧ୍ୟ ସାହସୀ ଓ ବଡ଼ଭାଇଙ୍କ ପରି ଯୁଦ୍ଧବିଦ୍ୟାରେ ପାରଙ୍ଗମ ଥିଲେ ଓ ତାଙ୍କ ସହାୟତାରେ ସେ ପାଟଣା ରାଜ୍ୟର ସ୍ୱାଧୀନତା ଘୋଷଣା କରି  ଵସ୍ତର  ରାଜାଙ୍କ ସହ ଯୁଦ୍ଧ କଲେ ।

ତତ୍କାଳୀନ ପ୍ରଭାଵଶାଳୀ ଵିଜୟନଗରମ୍‍ ରାଜ୍ୟର  ରାଜା ଵସ୍ତର ରାଜାଙ୍କୁ ସହାୟତା ଯୋଗାଇ ଥିଲେ  ମଧ୍ୟ ଵସ୍ତର  ରାଜା ଯୁଦ୍ଧରେ  ପରାଜୟ  ବରଣ କଲେ । ଏହି ଯୁୁଦ୍ଧରେ  ଵିଜୟ  ଲାଭ  ପରେ  ପାଟଣା ରାଜ୍ୟରେ  ସାର୍ଵଭୌମତ୍ୱ ପ୍ରତିଷ୍ଠା ହେଲା ।

କଥିତ ଅଛି ଯେ, ପାଟଣା ରାଜ୍ୟ ମହାରାଣୀ ଗର୍ଭକଷ୍ଟ  ଭୋଗୁଥିଵା ଜାଣି ବଳରାମ ଦେଵ ପୂର୍ଣ୍ଣଗର୍ଭା “ମାୟାଵତୀ ନଦୀ” ପାରହୋଇ ଅାରପଟରେ  ଥିଵା ବରପଦର  ଗ୍ରାମରୁ  ରାତ୍ରୀକାଳରେ ଧାତ୍ରୀଙ୍କୁ ଅାଣି ମହାରାଣୀଙ୍କ ପ୍ରସଵ କାର୍ଯ୍ୟ ସଂପନ୍ନ କରାଇଥିଲେ । ଏଥିରେ  ରାଜା ନରସିଂହ
ଦେଵ ସନ୍ତୁଷ୍ଟ  ହୋଇ ପାଟଣା ରାଜ୍ୟର ପୂର୍ଵ-ଉତ୍ତର ଅଂଶ ବଳରାମ ଦେଵଙ୍କୁ ପ୍ରଦାନ କରିଥିଲେ ।

ସେହି ଅଂଶର  କେନ୍ଦ୍ରସ୍ଥଳରେ  ସେ ବଳରାମଗଡ଼ ପ୍ରତିଷ୍ଠା କରି  ନିଜର କ୍ଷମତା ବିସ୍ତାର  କରିଥିଲେ । ଆଜି ଉକ୍ତ ନଗର ବଲାଙ୍ଗୀର ନାମରେ ଖ୍ଯାତ ହୋଇଅଛି ।

ବଳରାମ ଦେଵ ପ୍ରଥମେ ଖ୍ରୀଷ୍ଟାବ୍ଦ ୧୫୫୨ରେ  ପାଟଣା ରାଜ୍ୟର ଏକ ସାମନ୍ତ  ରାଜା ଭାଵରେ  ସ୍ୱୀକୃତ ହୋଇଥିଲେ । ଏହା ପରେ  ସେ ଶବର  (ସହଁରା,ସଉରା) ସର୍ଦ୍ଦାର ଵର୍ଣ୍ଣ ଓ ଉଜାର  ଭାଇ ଦ୍ୱୟଙ୍କୁ ତଡ଼ି ବରଗଡ଼ ଦଖଲ  କରିଥିଲେ ।

ବରଗଡ଼ ଦଖଲ  ପରେ କ୍ଷମତା ବିସ୍ତାର  ନେଇ ଉଭୟ  ଭାଇଙ୍କ ମଧ୍ୟରେ  କଳହର  ସୂତ୍ରପାତ ହୋଇଥିଲା । ରାଜମାତା ଏଥିରେ  ହସ୍ତକ୍ଷେପ କରି  "ସୁରଙ୍ଗୀ ନଦୀ"କୁ ଉଭୟ  ଭାଇଙ୍କ ରାଜ୍ୟସୀମା ଭାବରେ  ନିର୍ଣ୍ଣୟ  କରି ଶପଥ କରାଇଥିଲେ । ଏଣୁ ଏହି ଦିନଠାରୁ  ସୁରଙ୍ଗୀ ନଦୀର  ନାମ ପରିବର୍ତ୍ତିତ ହୋଇ "ଅଙ୍ଗନଦୀ"  ହୋଇଛି । ଅଙ୍ଗ ଓ ମହାନଦୀର  ମଧ୍ୟବର୍ତ୍ତୀ ଅଞ୍ଚଳ ଭାଗ ପାଇଲା ପରେ ବଳରାମ ଦେଵଙ୍କୁ ତାଙ୍କ ପୂର୍ବ ରାଜଧାନୀ ବଳରାମଗଡ଼ ଵା ଆଧୁନିକ ବଲାଙ୍ଗୀର   ହରାଇଵାକୁ ପଡ଼ିଲା ଓ ସେ ଏକ ନୂତନ ରାଜଧାନୀ ନିର୍ମାଣପାଇଁ ଲାଗି ପଡ଼ିଲେ ।

ରାଜା ବଳରାମ ଦେଵ ୧୫୫୨-୫୩ରେ  ଭାଇଭାଗ ସୂତ୍ରରେ  ବରଗଡ଼ ଅଞ୍ଚଳ ପାଇଵା ପରେ  ବରଗଡ଼ରେ  ନିଜର  ଅସ୍ଥାୟୀ  ରାଜଧାନୀ ପ୍ରତିଷ୍ଠା କରି  ଶାସନ କାର୍ଯ୍ୟ ଅାରମ୍ଭ କଲେ । ବରଗଡ଼ର  ଉତ୍ତର-ପଶ୍ଚିମ ଦିଗରେ  ଅର୍ଦ୍ଧବୃତ୍ତାକାର  ଭାବରେ  ବାରପାହାଡ଼ ପର୍ବତମାଳା ଘେରି ରହିଥିବା ଏକ ସୁରକ୍ଷିତ ସ୍ଥାନ ନିରୂପଣ କରି  ତାଙ୍କର  ରାଜଧାନୀ ନୂତନଗଡ଼ ପ୍ରତିଷ୍ଠା କଲେ । ତାହା ଆଜି ନୂଅାଁଗଡ଼ ନାଁରେ  ପରିଚିତ ହେଉଅଛି  । ଗିରିସୁଲ  ଓ ଜିରାନଦୀ ଅଵଵାହିକାରେ  ଅଧୁନା ବରଗଡ଼ ଜିଲ୍ଲାର  ଭଟଲି  ଥାନାରେ  ଏହି ନୂଅାଗଡ଼ ଅବସ୍ଥିତ । ଏଠାରେ  ଏହି ପ୍ରାଚୀନ ଗଡ଼ର  ଭଗ୍ନାବଶେଷ ରହିଛି । ସମ୍ଭଵତଃ ୧୫୫୩-୫୪ରେ ନୂଅାଁଗଡ଼ଠାରେ  ରାଜଧାନୀ ପ୍ରତିଷ୍ଠା ହୋଇଥିଵା ଜଣାଯାଏ ।

ସମ୍ୱଲପୁରର  ପ୍ରାଚୀନତା ନେଇ ଵିଭିନ୍ନ ଐତିହାସିକ ସୂଚନା ଥିଲେ  ହେଁ,  ସମ୍ୱଲପୁର  ରାଜ୍ୟ ପ୍ରତିଷ୍ଠାତା ତଥା ଏହାର ପ୍ରଥମ ରାଜା ବଳରାମ ଦେବ ଏଠାରେ  ରାଜଧାନୀ ଓ ସମଲେଶ୍ୱରୀ ଦେଵୀଙ୍କ ସ୍ଥାପନା ପରେ  ହିଁ ସମ୍ୱଲପୁରର  ଗୁରୁତ୍ୱ ପ୍ରତିପାଦିତ ହୋଇଥିଲା । ଏଠାରେ  ରାଜଧାନୀ ପ୍ରତିଷ୍ଠା ନେଇ ଏକ ସୁନ୍ଦର  କିମ୍ୱଦନ୍ତୀ  ରହିଛି ।

କିମ୍ବଦନ୍ତୀଟି ଏଇଭଳି ― ଦିନେ ରାଜା ବଳରାମ ଦେବ ମୃଗୟା କରିଵାକୁ ଯାଇ ମହାନଦୀର  ଦକ୍ଷିଣ ତୀରରେ  ଅଧୁନା ଚାଉଁରପୁର ନିକଟରେ  ଶିବିର  ପକାଇଥିଲେ । ସେଠାରେ ତାଙ୍କ ଶିବିରରେ  ରୋଷେଇପାଇଁ ଚାଉଳ ସଂଗ୍ରହ କରାଯାଇଥିଵାରୁ  ରାଜା ସେହି ସ୍ଥାନର  ନାମ "ଚାଉଳପୁର" ଦେଇଥିଲେ । ପରେ  ତାହା ଅପଭ୍ରଂଶ ହୋଇ “ଚାଉଁରପୁର”  ହୋଇଛି । ଅପରପାର୍ଶ୍ୱ ତଥା ମହାନଦୀର  ଉତ୍ତର  ତୀର  ସେତେବେଳେ ଘଞ୍ଚ ଅରଣ୍ୟରେ  ପରିପୂର୍ଣ୍ଣ ଥିଲା । ସେଠାକୁ ମୃଗୟା କରିଵାକୁ ଯାଇଥିଵା ସମୟରେ  ଗୋଟିଏ ଠେକୁଅାକୁ ଦେଖି ତାଙ୍କ କୁକୁରକୁ ଠେକୁଅାଟିକୁ ଧରିଵାପାଇଁ ଇଙ୍ଗିତ କଲେ । କୁକୁର  କିଛି ବାଟ ଯିଵା ପରେ  ଓଲଟା ଠେକୁଆଟା କୁକୁରକୁ ମାରିଵାକୁ ଗୋଡ଼ାଇଲା ଓ କୁକୁର  ପଛକୁ ହଟି ଅାସିଲା । ଏହିପରି  କିଛି ଥର  ଘଟିଵା ପରେ  ସେ ଠେକୁଆ କାହିଁ ଅଦୃଶ୍ୟ ହୋଇଗଲା । ରାଜା ଏହା ଦେଖି ଏହି ସ୍ଥାନ ଏକ ବୀରଭୂମି ବୋଲି  ଭାଵିଲେ । ରାତିରେ  ତାଙ୍କୁ ସ୍ୱପ୍ନାଦିଷ୍ଟ ହେଲା ଓ ସେଠାରେ  ସେ ଦେଵୀଙ୍କୁ ପ୍ରତିଷ୍ଠା କରି  ଗଡ଼ ସ୍ଥାପନ କଲେ । ଦେବୀଙ୍କୁ ଶିମୂଳୀ ଗଛ ମୂଳରେ  ସ୍ଥାପନା କରାଯାଇଥିବାରୁ  ଦେବୀଙ୍କ ନାମ "ଶାଳ୍ମଳୟୀ ଦେବୀ ବା ସୋମଲାଇ ଦେବୀ" ତଥା ଗଡ଼ର  ନାମ "ସୋମଲାଇ ଗଡ଼"ରୁ  "ସୋମଲାଇପୁର"  ଓ ପରେ "ସମ୍ୱଲପୁର" ହୋଇଥିବା ଜଣାଯାଏ ।

ଅନ୍ୟ ଏକ ମତ ଅନୁସାରେ,  "ଗଡ଼ସମ୍ୱର" ଚୌହାଣମାନଙ୍କ ଅାରାଧ୍ୟ ଦେଵୀ "ସମରେଶ୍ୱରୀ" । ବଳରାମ ଦେଵ ଗଡ଼ସମ୍ୱରୀ  ଚୌହାଣମାନଙ୍କ ବଂଶଧର । ଏଣୁ ସମରେଶ୍ୱରୀରୁ  ସମ୍ୱଲେଶ୍ୱରୀ  ଵା ସମଲେଶ୍ୱରୀ  ନାମ ପରିଵର୍ତ୍ତିତ ହୋଇଛି । ଏ ସମ୍ୱନ୍ଧରେ  ଥିଵା ଐତିହାସିକ ତଥ୍ୟାଵଳୀଗୁଡ଼ିକୁ ଅନୁଧ୍ୟାନ କଲେ  ଜଣାଯାଏ ଯେ, ବଳରାମ ଦେଵ ଖ୍ରୀ: ୧୫୫୪ ପରେ  ଓ ୧୫୫୭ ପୂର୍ଵରୁ  ତଥା ପାଟଣା  ରାଜ୍ୟର  ରାଜା ତଥା ତାଙ୍କ ବଡ଼ଭାଇ ନରସିଂହ ଦେବ
ଵଙ୍କ ମୃତ୍ୟୁ ପୂର୍ଵରୁ  ହିଁ ସମ୍ୱଲପୁରଠାରେ  ରାଜଧାନୀ ପ୍ରତିଷ୍ଠା କରିଥିଲେ ।

ସେହି ସମୟରେ ମହାନଦୀର ଉତ୍ତରପାର୍ଶ୍ୱ ସୁରଗୁଜା ରାଜ୍ୟର ଅନ୍ତର୍ଗତ ଥିଲା ଓ ଏହା ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଥିଲା । ବଳରାମ ଦେବ ସୁରଗୁଜା ରାଜ୍ୟ ସୀମା ମଧ୍ୟରେ  ରାଜଧାନୀ ପ୍ରତିଷ୍ଠା କରିଥିଵାରୁ ସୁରଗୁଜା ରାଜାଙ୍କ ସହିତ ଯୁଦ୍ଧ ହୋଇଥିଲା । ସେହି ଯୁଦ୍ଧରେ  ସୁରଗୁଜା ରାଜା ପରାସ୍ତ  ହୋଇଥିଲେ । ପରେ  ବଳରାମ ଦେଵ ଗାଙ୍ଗପୁର,  ବାମଣ୍ଡା, ବଣାଇ ଇତ୍ୟାଦି ରାଜ୍ୟ ଜୟ  କରିଥିଲେ । ଏଣୁ ପ୍ରୋକ୍ତ ଘଟଣା ପ୍ରଵାହ ଓ ତଥ୍ୟାବଳୀରୁ  ସମ୍ୱଲପୁର  ରାଜଧାନୀ ପ୍ରତିଷ୍ଠା ଓ ସମ୍ୱଲପୁର  ରାଜ୍ୟ ପ୍ରତିଷ୍ଠା ସମୟ  ଖ୍ରୀଷ୍ଟାବ୍ଦ ୧୫୫୫-୧୫୫୬ ବୋଲି  ଜଣାଯାଏ ।

ସମ୍ୱଲପୁରଠାରେ  ରାଜଧାନୀ ସ୍ଥାପନ ପରେ  ହିଁ ସମ୍ୱଲପୁର  ରାଜ୍ୟ ତଥା ହୀରାଖଣ୍ଡ  ସାମ୍ରାଜ୍ୟର ଅଭିବୃଦ୍ଧି ଘଟି ଏହା ଏକ ସ୍ୱାଧୀନ ରାଜ୍ୟରେ  ପରିଣତ ହେଲା । ରାଜା ନରସିଂହ ଦେଵଙ୍କ ମୃତ୍ୟୁ ପରେ  ପାଟଣା ରାଜ୍ୟପୁଞ୍ଜ ଉପରେ  ମଧ୍ୟ ସମ୍ୱଲପୁରର  କର୍ତ୍ତୃତ୍ୱ ବୃଦ୍ଧି ପାଇଥିଲା । ଏଣୁ ଅତି ଅଳ୍ପ ଦିନ ମଧ୍ୟରେ  ବଳରାମ ଦେଵ ପାଟଣା ଓ ସମ୍ୱଲପୁର  ରାଜ୍ୟପୁଞ୍ଜର  ପନ୍ଦରଗୋଟି କରଦ ରାଜ୍ୟର  ଅଧୀଶ୍ୱର  ହୋଇ ପାରିଥିଲେ । ରାଜା ବଳରାମ ଦେଵଙ୍କ ଦ୍ୱାରା ସ୍ଥାପିତ ଗଡ଼ର  ପରିସୀମା ପୂର୍ଵ ଦିଗରେ  ମୁହାଣ ଦର୍ଜା (ସାମିୟା ମନ୍ଦିର),  ପଶ୍ଚିମରେ  ସମଲାଇ ଦର୍ଜା, ଉତ୍ତର  ଦିଗରେ  ଛତ୍ର ସାଗର  ଓ ଦକ୍ଷିଣ ଦିଗରେ ମହାନଦୀ ପର୍ଯ୍ୟନ୍ତ  ଵିସ୍ତୃତ ଥିଲା । ଦକ୍ଷିଣ ଦିଗରେ  ପ୍ରଵାହିତ ମହାନଦୀ ପ୍ରାକୃତିକ ଖାଇ ଭାବରେ ରହିଥିବା ହେତୁ ଅନ୍ୟ ତିନି ଦିଗରେ  ଖାଇ ଖନନ କରାଯାଇଥିଲା ଓ ପାଚେରି ନିର୍ମାଣ କରାଯାଇ ଗଡ଼କୁ ସୁରକ୍ଷିତ କରାଯାଇଥିଲା ।

ବଳରାମ ଦେବ ରାମଜୀଗୁଡ଼ି ଓ ପାଟଣେଶ୍ୱରୀ  ମନ୍ଦିର  ମଧ୍ୟରେ ରାଜପ୍ରାସାଦ ନିର୍ମାଣ କରିଥିଲେ । ଏହାର  ଭଗ୍ନାଵଶେଷ ବର୍ତ୍ତମାନ ସୁଦ୍ଧା ପରିତ୍ୟକ୍ତ  ଅଵସ୍ଥାରେ ରହିଛି । ସମ୍ୱଲପୁର  ଐତିହାସିକ ରାଜବାଟୀର  ରାଣୀମହଲର  କିଛି ଅଂଶ ଏବେ ମଧ୍ୟ ଗୁଳ୍ମ ଵୃକ୍ଷାଦିମଣ୍ଡିତ ହୋଇ ଵିପର୍ଯ୍ୟସ୍ତ  ଅଵସ୍ଥାରେ  ପାଟଣେଶ୍ୱରୀ  ମନ୍ଦିରର  ଠିକ୍‍ ପୂର୍ଵ ଦିଗରେ  ରହିଛି । ଦୀର୍ଘ ୩୨ ଵର୍ଷ ରାଜ୍ୟ ଶାସନ କରିଵା ପରେ  ୧୫୮୪ରେ  ବଳରାମ ଦେଵଙ୍କର  ଦେହାନ୍ତ ହୋଇଥିଲା  ଓ ତାଙ୍କ ପରେ  ତାଙ୍କ ପୁତ୍ର ହ୍ରିଦେ ନାରାୟଣ ଦେଵ ରାଜତ୍ୱ କରିଥିଲେ । ପରେ  ବଳଭଦ୍ର ସାଏ, ମଧୁକର  ସାଏ, ବଳୀୟାର  ସିଂହ, ରତ୍ନ ସିଂହ, ଛତ୍ର ସାଏ, ଅଜିତ ସିଂହ, ବଳଭଦ୍ର ସାଏ (ଦ୍ୱିତୀୟ),  ଅଭୟ  ସିଂହ, ଜୟନ୍ତ  ସିଂହ ପ୍ରମୁଖ ଚୌହାଣ ରାଜାମାନେ ୨୦୦ ବର୍ଷ ଧରି  ସମ୍ୱଲପୁର  ରାଜ୍ୟ ଶାସନ କରିଥିଲେ ।

ସମ୍ୱଲପୁର  ଚୌହାଣ ବଂଶର  ଚତୁର୍ଥ ରାଜା ମଧୁକର  ସାଏଙ୍କ ପାଞ୍ଚ ପୁତ୍ର ଥିଲେ । ସେମାନଙ୍କ ମଧ୍ୟରେ  ଜ୍ୟେଷ୍ଠପୁତ୍ର ବଳୀୟାର  ସିଂହ ରାଜା ଭାଵରେ  ବିଶେଷ ପରାକ୍ରମଶାଳୀ ଥିଲେ । ସେ ରାଜ୍ୟ ଵିସ୍ତାର  କରି  ଅଠରଗଡ଼ ମଉଡ଼ମଣି ଭାବରେ  ଖ୍ୟାତ ଥିଲେ । ଦ୍ୱିତୀୟ  ପୁତ୍ର ଅନିରୁଦ୍ଧ ସାଏ ଖିଣ୍ଡା ଓ ରାଜପୁର  ଜମିଦାରୀ  ଓ ତୃତୀୟ  ପୁତ୍ର ମଦନଗୋପାଳ ସୋନପୁର  ରାଜ୍ୟ ପାଇଥିଲେ । ଚତୁର୍ଥ ପୁତ୍ର ବଂଶୀଗୋପାଳ ସନ୍ନ୍ୟାସୀ ହୋଇ ଗୋପାଳଜୀ ମଠ ସ୍ଥାପନ କରିଥିଲେ । ଅନିରୁଦ୍ଧ ସାଏଙ୍କ  ପୁତ୍ର ମାଧୋ ସିଂହ ଖିଣ୍ଡା ଓ ଅନ୍ୟ ପୁତ୍ର ଜଗନ୍ନାଥ ସିଂହଙ୍କ ବଂଶଧର  ରାଜ ସିଂହ ରାଜପୁର ଭରଣପୋଷଣପାଇଁ ପାଇଥିଲେ ।

କଳିଙ୍ଗ ଦେଶର ଵୀର ସ୍ଵାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏ ଚୌହାଣ ରାଜବଂଶର  ଖିଣ୍ଡା ଶାଖାରେ ଜନ୍ମଗ୍ରହଣ କରିଥିଲେ । ରାଜା ଜୟନ୍ତ  ସିଂହଙ୍କ ରାଜତ୍ୱ କାଳରେ  ଵିଭିନ୍ନ ସଙ୍କଟ ଅାରମ୍ଭ ହେଲା । ଖ୍ରୀ: ୧୭୯୯ରେ  ମରହଟ୍ଟାମାନଙ୍କ ସମ୍ୱଲପୁର  ଅାକ୍ରମଣ ପ୍ରତିହତ କରିବାକୁ ଵିଫଳ ହେଵାରୁ ରାଜା ଜୟନ୍ତ  ସିଂହ ଓ ତାଙ୍କର  ଏକମାତ୍ର ନାବାଳକ ପୁତ୍ର ମହାରାଜ ସାଏ ବନ୍ଦୀ ହୋଇ ଚାନ୍ଦା ଦୁର୍ଗକୁ ପ୍ରେରିତ ହୋଇଥିଲେ । ଏହି ଦିନଠାରୁ  ସମ୍ୱଲପୁରର  ଭାଗ୍ୟ ରବି ଅସ୍ତମିତ ହେଵାକୁ ବସିଲା । ଵର୍ଗୀ ଆକ୍ରମଣ ଓ ଲୁଣ୍ଠନ ସହ ମୋଗଲ ଆକ୍ରାନ୍ତାମାନଙ୍କ ଅତ୍ଯାଚାର ଯୋଗୁଁ ସମ୍ବଲପୁର ସମେତ ସଂପୂର୍ଣ୍ଣ କଳିଙ୍ଗ ଦେଶ ଧୀରେ ଧୀରେ ଦରିଦ୍ରତମ ଭୂଭାଗରେ ପରିଣତ ହେଲା । ଵର୍ଗୀମାନେ ଘରେ ଘରେ ପସି ଲୁଣ୍ଠନ କଲେ । ତାଙ୍କ ଭୟରେ ଲୋକେ ଘରର ଧାତଵ ବାସନକୁସନ ସୁଦ୍ଧା ପୋତି ପକାଉଥିଲେ । ସମୟକ୍ରମେ ତତ୍କାଳୀନ କଳିଙ୍ଗ ଦେଶରେ କି ନଗର ଗ୍ରାମ ସର୍ଵତ୍ର ଚାଳଘର ଦୃଶ୍ୟ ହେଵାକୁ ଲାଗିଲା । ସେ ଯୁଗରେ ସମ୍ପନ୍ନ ଲୋକେ ବି ନିଜର ସ୍ଵଚ୍ଛଳତା ଲୁଚାଇଵା ପାଇଁ ଦରିଦ୍ର ଭଳି ଜୀଵନଯାପନ କରିଵାକୁ ଲାଗିଲେ । କଳିଙ୍ଗ ଦେଶର ଯୋଦ୍ଧାଜାତିମାନଙ୍କ ମଧ୍ୟରେ ଅନେକ ନିଜର ସୈନିକ ବୃତ୍ତି ହରାଇ ଚାଷଵାସ କରିଵାକୁ ଲାଗିଲେ ଏଵଂ ଏମିତି ସମୟ ବି ଆସିଲା ଯେତେଵେଳେ ତାଙ୍କୁ ପେଟ ପାଇଁ ନିଜ ଅସ୍ତ୍ରଶସ୍ତ୍ର ସବୁ ବନ୍ଧା ପକାଇଵାକୁ ପଡି଼ଥିଲା,ବିକିଵାକୁ ପଡି଼ଥିଲା ।

କଳିଙ୍ଗ ଦେଶ ମୋଗଲ,ବଙ୍ଗାଳୀ ତୁର୍କ ଓ ମରହଟ୍ଟାଙ୍କ ଦ୍ଵାରା ପ୍ରାୟ ଦୁଇଶତାଧିକ ଵର୍ଷ ପରାଧୀନ ହେଵାପରେ ଏ ଦେଶକୁ ଆଉ ଏକ ଧନଲୋଭୀ ଵୈଦେଶିକ ଇଂରେଜ ଜାତିର ଆଗମନ ହେଲା । ସେମାନେ ମରାଠୀ ଶାସକଙ୍କୁ ସହଜରେ କଟକାଞ୍ଚଳରୁ ତଡି଼ଦେଇଥିଲେ । 

ତେଵେ ଖ୍ରୀ: ୧୮୧୭ରେ  ତୃତୀୟ  ମରହଟ୍ଟା ସମର  ଓ ନାଗପୁର  ସନ୍ଧି ପରେ  ଇଂରେଜମାନେ ବୃଦ୍ଧରାଜା ଜୟନ୍ତ  ସିଂହଙ୍କୁ ଅପ୍ରାପ୍ତଵୟସ୍କ ପୁତ୍ର ମହାରାଜା ସାଏଙ୍କ ସହିତ ମୁକ୍ତ  କରି  ଅାଣି ସମ୍ୱଲପୁର ରାଜ ସିଂହାସନରେ  ବସାଇଲେ । ଖ୍ରୀ: ୧୮୧୮ରେ  ଜୟନ୍ତ  ସିଂହଙ୍କ ମୃତ୍ୟୁ ହେଲା ଓ ମହାରାଜ ସାଏଙ୍କ ଶାସନକାର୍ଯ୍ୟ ସମ୍ଭାଳିଵାର ଵୟସ ହୋଇନଥିଵାରୁ  ଇଂରେଜମାନେ ଖ୍ରୀ: ୧୮୨୦ ପର୍ଯ୍ୟନ୍ତ  ରାଜ୍ୟଶାସନ କରି  ୧୮୨୦ ଖ୍ରୀ:ରେ  ମହାରାଜ ସାଏଙ୍କୁ ଗାଦିରେ  ବସାଇଥିଲେ  ହେଁ ପ୍ରକୃତରେ  ଇଂରେଜମାନେ ହିଁ ଶାସନ କରୁଥିଲେ ।
ସେମାନେ ରାଜାଙ୍କୁ ଵିଶେଷ କିଛି କ୍ଷମତା ଦେଇ ନଥିଲେ । ଖ୍ରୀ: ୧୮୨୭ରେ  ରାଜା ମହାରାଜ ସାଏଙ୍କ ନିଃସନ୍ତାନ ଭାଵରେ  ମୃତ୍ୟୁପରେ  ସମ୍ୱଲପୁରରେ  ଚୌହାଣ ରାଜତ୍ୱର ଯବନିକା ପଡ଼ି ଯାଇଥିଲା ।

ରାଜାଙ୍କ ମୃତ୍ୟୁ ଖବର  ଲୁକ୍କାୟିତ ରଖି ଖ୍ରୀ: ୧୮୩୩ ପର୍ଯ୍ୟନ୍ତ ଇଂରେଜମାନେ ଵିଧବା ରାଣୀ ମୋହନ କୁମାରୀଙ୍କୁ ସିଂହାସନରେ  ବସାଇ ରାଜ୍ୟ ଶାସନ କଲେ । ରାଜାଙ୍କ ମୃତ୍ୟୁ ଖବର  ପ୍ରଚାରିତ ହେଵାରୁ  ରାଜଗାଦିପାଇଁ ଦାଵିଦାରମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଅାରମ୍ଭ ହେଵାକୁ ଲାଗିଲା ଓ ରାଜ୍ୟରେ  ଅଶାନ୍ତି  ସୃଷ୍ଟି ହେଲା । ଏଣୁ ଇଂରେଜମାନେ ମୋହନ କୁମାରୀଙ୍କୁ ଗାଦିରୁ  ହଟାଇ ରାଣୀଙ୍କ ଇଚ୍ଛା ନାମରେ  ୧୮୩୩ ଅକ୍ଟୋବର  ୧୧ ତାରିଖରେ  ଜଣେ ଅନାଗତ ବୃଦ୍ଧ ନାରାୟଣ ସିଂହଙ୍କୁ ରାଜପଦରେ  ମଣ୍ଡିତ କରାଇଲେ । ବୃଦ୍ଧ ନାରାୟଣ ସିଂହ ଅନାଗତ, ଅପାରଗ ଓ ଶୁଦ୍ଧ ଚୌହାଣ ବଂଶୀୟ  ନଥିବା କାରଣରୁ ଜନସାଧାରଣଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ନ ଥିଲେ । ଏହି ରାଜା ନାରାୟଣ ସିଂହଙ୍କର  ୧୮୪୯ ସେପ୍ଟେମ୍ୱର  ୧୦ ତାରିଖରେ  ଦେହାନ୍ତ  ହେଵାପରେ  ସମ୍ୱଲପୁରର  ଐତିହ୍ୟସଂପନ୍ନ ତିନି ଶହ ବର୍ଷର  ଚୌହାଣ ରାଜତ୍ୱର  ପରିସମାପ୍ତି  ଘଟିଥିଲା । ତେଵେ କୁହାଯାଏ ଯେଉଁଠି ଗୋଟିଏ କାହାଣୀର ଅନ୍ତ ହୁଏ ସେଠାରୁ ଆଉ ଏକ କାହାଣୀର ଅୟମାରମ୍ଭ ହୋଇଥାଏ । ସମ୍ବଲପୁରର ଐତିହାସିକ ଭୂମିରେ ମଧ୍ୟ ତାହା ହିଁ ଘଟିତ ହୋଇଥିଲା । ସେହିଦିନଠାରୁ ଆରମ୍ଭ ହୋଇଥିଲା କଳିଙ୍ଗୀ ଵୀର ସୁରେନ୍ଦ୍ର ସାଏଙ୍କ ଯୁଦ୍ଧ ସଂଗ୍ରାମର ଯୁଗ !!!

ଜୟ ମା ସମଲେଇ
ଜୟ ସମ୍ବଲପୁର

(ଦାଶରଥି ସାହୁଙ୍କ “ଆମ ସୁରେନ୍ଦ୍ର ସାଏ” ପୁସ୍ତକର
“ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା ଓ ଚୌହାଣ ରାଜତ୍ଵ” ପ୍ରବନ୍ଧର ସାମାନ୍ୟ ପରିଵର୍ତ୍ତନ ସହ ପୁନଃପ୍ରସ୍ତୁତିକରଣ)

Saturday, November 2, 2019

ଓଡ଼ିଆ ଭାଷାରେ ‛ଆଏ’ ଶବ୍ଦ

ଆଏ ଶବ୍ଦଟି ଓଡ଼ିଆ ଭାଷାର ଵିଭିନ୍ନ କଥିତ ଶୈଳୀରେ ଭିନ୍ନ ଭିନ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ । ଏକ ଦେଶଜ ଵିଶେଷ୍ଯ ଭାଵେ ଆଏ ଶବ୍ଦଟି ଆୟ,ଅର୍ଜନ ଓ ଅଳଙ୍କାର ଅର୍ଥରେ ପ୍ରୟୋଗ ହୁଏ ।

ସେଇଭଳି ଭତ୍ରୀ ଓଡ଼ିଆରେ “ଆଏ” ଶବ୍ଦଟି ଅଛି(is)  ଶବ୍ଦର ଵିଳଳ୍ପ ଭାଵେ ଵ୍ଯଵହୃତ ହୁଏ ଏଵଂ ସମ୍ଭଵତଃ ଏହା ସଂସ୍କୃତ ଅସ୍ତୁ ଶବ୍ଦ ସହିତ ସମଦ୍ଧୃତ । ଭତ୍ରୀ ହଲଵୀରେ ଏହା ନାନା ରୂପେ ଚଳୁଅଛି । ସମଗ୍ର ଭତ୍ରୀ ହଲଵୀ ଭାଷାରେ ଏଇ ଗୋଟିଏ ଶବ୍ଦ ଆୟେ,ଆଚେ ,ଆସେ ଓ ଆସୋତ୍ ଆଦି ଵିଭିନ୍ନ ରୂପ ହୋଇଅଛି ।

ତେଵେ ସମ୍ବଲପୁରୀ ଓଡ଼ିଆରେ ଆଏ ଶବ୍ଦଟି ‛ଅଟେ’ ଅର୍ଥରେ ଵ୍ଯଵହାର ହୋଇଥାଏ । ଅଟେ ଶବ୍ଦଟି ଭୂ ଧାତୁ ସହିତ ସମ୍ବନ୍ଧିତ ଓ ଏହି ଭୂ ଧାତୁର ଵର୍ତ୍ତମାନ କାଳର ଭିନ୍ନ ଭିନ୍ନ ପୁରୁଷ ଓ ବଚନରେ 'ଅଟ' ଯୁକ୍ତ ଆକାରମାନ ସମଗ୍ର ଓଡ଼ିଆ ଭାଷାରେ ଅଟେ,ଅଟନ୍ତି, ଅଟଇ,ଆଏ ଆଦି ହୋଇ ଚଳୁଅଛି । ଯଥା
ଭୂ ଧାତୁ ଲଟ୍'ଲକାର ଵା ଵର୍ତ୍ତମାନ କାଳ ପ୍ରଥମ ପୁରୁଷ ଧାତୁରୂପ ହେଲା ―
“ଭଵତି ― ଭଵତଃ ― ଭଵନ୍ତି”

ଏଠାରେ ଭୂ-ଧାତୁରୂପଗୁଡି଼କରୁ   ‛ଭ’ ଵର୍ଣ୍ଣ ଲୋପ ହୋଇଛି ଏଵଂ ଅଵର୍ଗ୍ଯ ‛ଵ’ ସ୍ଵରଵର୍ଣ୍ଣରେ ପରିଵୃତ୍ତ ହୋଇ ଓଡ଼ିଆ ଭାଷାରେ “ଅଟଇ― ଅଟ ― ଅଟନ୍ତି” ହୋଇଅଛି ।
ଅର୍ଥାତ୍ ―
✔️ଭଵତି ଶବ୍ଦ ‛ଭଅଟି’ ହୋଇ  ସେଥିରୁ ‛ଭ’ ଲୁପ୍ତ ହୋଇ ଶେଷକୁ ‛ଅଟଇ’ ହୋଇଛି
✔️ଭଵତ ଶବ୍ଦ ‛ଭଅଟ’ ହୋଇ ଶେଷରେ ‛ଭ’ ଲୁପ୍ତ ହୋଇ ‛ଅଟ’ ହୋଇଛି
✔️ଭଵନ୍ତି ଶବ୍ଦ ଅତନ୍ତି ହୋଇ ଶେଷରେ ‛ଭ’ ଅଟନ୍ତି ହୋଇଅଛି ।

ତେଵେ ସମ୍ବଲପୁରୀ ଓଡ଼ିଆ ଭାଷାରେ ‛ହାଏ’ ଵା ‛ହାଇ’ ଅଵ୍ଯୟ ସାମାନ୍ୟ ପରିଵର୍ତ୍ତିତ ହୋଇ ‛ଆଏ ଗୋ’ ହୋଇଥାଏ । ସେତେଵେଳେ ଏହା ଅସମ୍ମତି ସୂଚକ ପଦପୂରଣାର୍ଥ ଅଵ୍ଯୟ ପରି କାର୍ଯ୍ୟ କରିଥାଏ
ଯଥା―
‛ଆଏ ଗୋ ଇଟା କେନ୍ତା କଥା ?’
ଢେଙ୍କାନାଳର କଥିତ ଓଡ଼ିଆ ଶୈଳୀରେ ସମାନ ଵାକ୍ଯ
ଏଇଭଳି କୁହାଯାଏ―
“ହଇ ଗୋ/ଓ ଏଟା କିଁତିଆ କଥା (ଯେ) ?

ଢେଙ୍କାନାଳ― ଅନୁଗୋଳର କଥିତ ଶୈଳୀରେ କିନ୍ତୁ “ଆଏ” ଶବ୍ଦକୁ  “ଆସେ” ଶବ୍ଦର ଵିକଳ୍ପ ରୂପେ ପ୍ରୟୋଗ କରାଯାଏ

ଯଥା ―
ସେଠିକି ସିଏ ଆଏ କି ନାଁଇ ? ”

ଏଠାରେ ‛ଆଏ’ ଶବ୍ଦ ‛ଆସେ’ ଅର୍ଥରେ ପ୍ରୟୋଗ ହୋଇଅଛି । ତେଣୁ ଢେଙ୍କାନାଳ-ଅନୁଗୋଳ କଥିତ ଓଡ଼ିଆ ଶୈଳୀରେ
ଆସେ ଶବ୍ଦରେ ଦନ୍ତ୍ଯ ‛ସ’ ଲୁପ୍ତ ହୋଇ ତହିଁରେ ଥିଵା ଏକାରଟି ଏ ହୋଇ ‛ଆଏ’ ଶବ୍ଦ ହୋଇଅଛି ।
(ଆସେ>ଆଏ)

ପୁରୀ ଅଞ୍ଚଳରେ ‛ଆହେ’ ଶବ୍ଦରୁ  ସମାନ ଭାଵେ ‛ହ’ ଲୁପ୍ତ ହୋଇ ତାହା ‛ଆଏ’ ହୁଏ ଏଵଂ ‛ଆହେ’ ପରଵର୍ତ୍ତେ ଵ୍ଯଵହୃତ ହୋଇଥାଏ ...
ଯଥା―
“ଶୁଭ ବାବୁ ! ଆଏ ଏତା କି କଥା ହେ ?”

ଏତଦ୍ବ୍ୟତୀତ ଓଡ଼ିଆ ଭାଷାର ଅନ୍ୟ କୌଣସି ଶୈଳୀରେ ଆଏ ଶବ୍ଦର ଅନ୍ୟ କିଛି ଅର୍ଥରେ ପ୍ରଚଳନ ଥିଲେ ଆମକୁ ନିଶ୍ଚୟ ଜଣାନ୍ତୁ !

Wednesday, October 30, 2019

ଧୃଷ୍ଟ ଶବ୍ଦରୁ ଝିଟ ଯାଏଁ

ଓଡ଼ିଆ ଦେଶଜ ଶବ୍ଦ ଝିଟ, ଶାସ୍ତ୍ରୀୟ ସଂସ୍କୃତଭାଷାର ଶବ୍ଦ ‛ଧୃଷ୍ଟ’ ସହିତ ସମଦ୍ଧୃତ ଅଟେ । ଏ ଶବ୍ଦଟି ସାଧାରଣତଃ ଚେମରଚଟୁ,ଧିଟ,ଧୃଷ୍ଟ,ଜିଗରିଆ,
ବେହିଆ, ନିର୍ଲଜ୍ଜ,ନଗଣ୍ଯ ଓ ଅଶ୍ଳୀଳ ଆଦି ଅର୍ଥରେ ଏ ଶବ୍ଦ ପ୍ରୟୋଗ ହୋଇଥାଏ ।

ହିନ୍ଦୀରେ ଏହା ସହିତ ସମଦ୍ଧୃତ ଶବ୍ଦ ‛ଢୀଠ୍’ ଚଳୁଅଛି । ହିନ୍ଦୀ ଶବ୍ଦ ସାଗର ଅନୁସାରେ ପ୍ରାକୃତ ଭାଷାରେ ଢୀଟ'ଠ୍ ଶବ୍ଦ  ମଧ୍ୟ  ରହିଛି ଯାହା ସମାର୍ଥକ ଅଟଇ । 

ହିନ୍ଦୀଭାଷୀ ଢୀଠ୍  ଶବ୍ଦର ପ୍ରୟୋଗ ବଡ଼ ଲୋକଙ୍କ କଥା ମାନୁଥିଵା ଅମାନୁଆ ଲୋକଙ୍କ ପାଇଁ ଵ୍ୟଵହାର କରନ୍ତି । ତୁଳସୀଦାସ ଏହି ଅର୍ଥରେ ଏ ଶବ୍ଦର ପ୍ରୟୋଗ କରି ଅଵଧି ଭାଷାରେ ଲେଖିଛନ୍ତି

“ବିନୁ ପୂଛେ କଛୁ କହଉଁ ଗୋସାଈ ।
ସେଵକ ସମୟ ନ ଢୀଠ ଢିଠାଈ ।”

ତେଵେ ସୁରଦାସ ଏ ଶବ୍ଦର ପ୍ରୟୋଗ ବ୍ରଜଭାଷାରେ #ଅନୁଚିତ_ସାହାସୀ ଅର୍ଥରେ କରିଛନ୍ତି
ଯଥା―

“ଐସେ ଢୀଠ୍ ଭଏ ହୈଂ କାହ୍ନା
ଦଘି ଗିରାୟ ମଟକୀ ସବ୍  ଫୋରୀ ।”

ସାଧାରଣତଃ ଯେଉଁମାନେ ଅଲଜ୍ଯା,ଲଜ୍ୟାହୀନ,ଅଶ୍ଳୀଳ ଓ ଜିଗରିଆ-ଜିଦିଆ ସେମାନେ ନିଜର କାମନା ଵାସନା ହେଉ କି କ୍ରୋଧରେ କଵଳିତ ହୋଇ କିଛି ବି ଦୁଃସାହସିକ କାର୍ଯ୍ୟ କରିପାରନ୍ତି । ତେଣୁ ଓଡ଼ିଆ ଭାଷାରେ ଧୃଷ୍ଟ ଶବ୍ଦ ସହିତ ସମଦ୍ଧୃତ ଝିଟ ଶବ୍ଦର ପ୍ରୟୋଗ ଭିନ୍ନ ଦିଗରେ ହୋଇଅଛି ।

ପ୍ରକୃତରେ ଆମ ଓଡ଼ିଆ ଭାଷାରେ ପ୍ରଚଳିତ ଥିଵା ଝିଟ ଶବ୍ଦଟି ସଂସ୍କୃତ ଧୃଷ୍ଟ ଶବ୍ଦର ମୂଳ ଅର୍ଥକୁ ଅନୁସରଣ କରୁଅଛି  କିନ୍ତୁ ହିନ୍ଦୀ ଶବ୍ଦ ଢୀଠ୍ ସେଇ ମୂଳ ଅର୍ଥକୁ ଛାଡି଼ ଗୌଣ ଅର୍ଥରେ ଵ୍ଯଵହାର ହେଉଛି ।

ଧୃଷ୍ଟ ଏକ ଵିଶେଷଣ ଶବ୍ଦ ଏଵଂ ଏହାର ନିମ୍ନଲିଖିତ ଅର୍ଥ ରହିଛି
ଯଥା―
୧)ନିର୍ଲ୍ଲଜ୍ଜ; ଧୀଟ
୨)ଅବାଧ୍ଯ; ଉଦ୍ଧତ
୩)ପ୍ରଗଲ୍ଭ
୪)ଲମ୍ପଟ
୫)ଯେ ଅନୁଚିତ କାର୍ଯ୍ୟ କରି ସୁଦ୍ଧା ଦାମ୍ଭିକତା ବା ମୁହଁଭୁରୁଡ଼ୁ ବାହାର କରେ

ତେଵେ କଥିତ ଓଡ଼ିଆ ଭାଷାରେ ଏହି ଓଡ଼ିଆ ଦେଶଜ ଶବ୍ଦର ପ୍ରୟୋଗ ଆଜି ଏକ ସୀମିତ ଅଞ୍ଚଳ ମଧ୍ୟରେ ରହିଯାଇଛି । ସାଧାରଣତଃ ଜଗତସିଂହପୁର ଓ ଭଦ୍ରକ ଅଞ୍ଚଳରେ କେତେକ ଗ୍ରାମାଞ୍ଚଳର କଥିତ ଭାଷାରେ  ହିଁ ଏ ଶବ୍ଦ ବଞ୍ଚି ରହିଥିଵା ଜଣାଯାଏ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଆଜି ଏ ଶବ୍ଦ ସେତେ ଵ୍ଯଵହୃତ ହେଉଥିଵା ଦେଖାଯାଏ ନାହିଁ ଯଦିଵା କେହି କଵି-ଲେଖକ ଏ ଶବ୍ଦର ଅଦ୍ଯାପି ପ୍ରୟୋଗ କରୁଥିଵେ ତାହା ଲୋକପ୍ରିୟ ହୋଇପାରିନାହିଁ । ସମ୍ଭଵତଃ ଏ ଶବ୍ଦ ବାଲେଶ୍ବର ଅଞ୍ଚଳରେ ମଧ୍ୟ ଚଳୁଥିଲା ତେଣୁ ଵ୍ଯାସକଵି ଫକୀରମୋହନ ତାଙ୍କର ଏକ ଗଳ୍ପରେ ଏ ଶବ୍ଦର ପ୍ରୟୋଗ କରିଛନ୍ତି ...

ଯଥା―

“ମାଇକିନିଆଙ୍କ ସାଙ୍ଗରେ ସବୁବେଳେ ରଜଘଷ ହେବାରୁ ସେ ଭାରି ଝିଟ ହୋଇଯାଇଛି।”

ଆପଣଙ୍କ ଅଞ୍ଚଳରେ ଏହି ଝିଟ ଶବ୍ଦ ଏଵେ ବି ଚଳୁଅଛି କି ?
ଝିଟ ଭଳି କିଂଵା ସମାର୍ଥକ କୌଣସି ଶବ୍ଦ ଆପଣଙ୍କ ଅଞ୍ଚଳରେ ଚଳୁଥିଲେ ତାହା ଉଲ୍ଲେଖ କରିଵାକୁ ଅନୁରୋଧ ରହିଲା ।