Wednesday, July 1, 2020

ତ୍ରୀଖଣ୍ଡି ମଜୁରା ଓ ଢେଙ୍କାନାଳ ଗଡ଼ଜାତର କଥା

ଢେଙ୍କାନାଳ ଗଡ଼ଜାତରେ ରାଜାଙ୍କୁ ସମ୍ମାନ ଦେଵାର ଏକ ଵିଚିତ୍ର ଵ୍ଯଵସ୍ଥା ବିଂଶ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧିଯାଏ ଚଳୁଥିଵାର ଜଣାଯାଏ । ଏହି ସମ୍ମାନ ପ୍ରଦର୍ଶନ ପରମ୍ପରାକୁ ସେ ସମୟରେ ତ୍ରୀଖଣ୍ଡି ମଜୁରା କୁହାଯାଉଥିଲା ।

ଢେଙ୍କାନାଳ ରାଜା ସୁରପ୍ରତାପ ମହେନ୍ଦ୍ର ବାହଦୁର ଜଣେ ପ୍ରଜାଵତ୍ସଳ ରାଜପୁରୁଷ ଥିଲେ ଓ ପୁରୀ ଗଜପତି ମହାରାଜାଙ୍କ ପରେ ତାଙ୍କୁ ଦ୍ଵିତୀୟ ମଉଡ଼ମଣି ଭାବେ ଗଣାଯାଉଥିଲା । ଏହାଙ୍କର ଉଚ୍ଚଗୁଣର ଵର୍ଣ୍ଣନା ଚୈତନ୍ଯ ଚରିତାମୃତରେ ଭକ୍ତ ସନ୍ଯାସୀ ପଦ୍ମଚରଣ ଦାସ କରିଯାଇଛନ୍ତି ।

ସୁରପ୍ରତାପଙ୍କୁ ତାଙ୍କ ପ୍ରଜା ସ୍ଵତଃ ଭକ୍ତି କରୁଥିଲେ ତେବେ ତାଙ୍କ ପରଵର୍ତ୍ତୀ ରାଜା ଶଙ୍କର ପ୍ରତାପଙ୍କ ସମୟରେ ଏହି ଭକ୍ତି ବାଧ୍ଯତାମୂଳକ ହୋଇଗଲା । ଏଇ ସମୟର ରାଜଭକ୍ତି ସମ୍ବନ୍ଧୀୟ ଵିଚିତ୍ର ପରମ୍ପରା ତ୍ରୀଖଣ୍ଡି ମଜୁରା ଢେଙ୍କାନାଳ ଗଡ଼ଜାତରେ ପ୍ରଚଳିତ ଥିଲା ।

ତ୍ରୀଖଣ୍ଡି ମଜୁରା ଶବ୍ଦ ଓ ଏହାର ଵିଧି―

ତ୍ରୀଖଣ୍ଡି ମଜୁରା ତିନିଗୋଟି ଚରଣରେ ହେଉଥଲା । ତେଣୁ ଏହାର ଏଭଳି ନାମକରଣ ହୋଇଛି । ଏ ଶବ୍ଦ କ୍ଷେତ୍ରରେ

●ତ୍ରୀ ଶବ୍ଦର ଅର୍ଥ ତିନି ସଂଖ୍ୟକ
●ଖଣ୍ଡ ଶବ୍ଦର ଆମ ଭାଷାରେ ଵିଭିନ୍ନ ଅର୍ଥ ରହିଛି । ତନ୍ମଧ୍ୟରୁ  ଏଠାରେ ଖଣ୍ଡ,ଅଂଶ,ଵିଭକ୍ତ,ଆଚରଣ,
ଧରଣ,ପ୍ରଣାଳୀ ଵା ଵ୍ଯଵହାର ଅର୍ଥରେ ଖଣ୍ଡ ଶବ୍ଦ ପ୍ରୟୋଗ ହୋଇଥାଇପାରେ ।
●ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଜୁରାର ଦୁଇଗୋଟି ଅର୍ଥ ଉଲ୍ଲେଖ କରାଯାଇଛି ।

କ)ପୂର୍ଵରୁ ଦିଆଯାଇଥିଵା ଧନକୁ ପରେ ହିସାବ ସମୟରେ କାଟିଵା ଵା ଭରଣା ଦେଵା

ଖ)ଗଡ଼ଜାତରେ ରାଜାଙ୍କୁ କରାଯିଵା ପ୍ରଣାମ ଵା ଅଭିଵାଦନ
ଢେଙ୍କାନାଳର କଵି ବ୍ରଜନାଥ ବଡ଼ଜେନା ଏଇ ଅର୍ଥରେ ସମରତରଙ୍ଗ ଐତିହାସିକ କାଵ୍ଯରେ ଲେଖିଅଛନ୍ତି

"ମଜୁରକା କରି ହୁକୁମ ପାଇଯାନ୍ତି ସତ୍ବର। "

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମଜୁରା ଶବ୍ଦ ମୂଳତଃ ଆରବୀ ଶବ୍ଦ ଅଟେ ।

ବ୍ରଜକିଶୋର ଧଳ ତାଙ୍କ "ଭୂଲିବୁ ନାହିଁ" ପୁସ୍ତକରେ ତ୍ରୀଖଣ୍ଡି ମଜୁରାର ନିମ୍ନୋକ୍ତ ଵିଧି ଉଲ୍ଲେଖ କରିଅଛନ୍ତି ...

୧)ପ୍ରଜାଜଣକ ରାଜାଙ୍କୁ ପ୍ରଥମେ ହାତଯୋଡି ନତମସ୍ତକ ହେଉଥିଲା ଓ ମୁଣ୍ଡରେ ଦୁଇ ହାତ ଲଗାଉଥିଲା ।

୨)ଦ୍ଵିତୀୟରେ ଦୁଇହାତକୁ ଭୂଇଁରେ ଛୁଉଁଥିଲା ।

୩)ତୃତୀୟରେ ହାତ ଯୋଡି଼ ଛାତିକୁ ଛୁଉଁଥିଲା ।

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗଡ଼ଜାତିଆ ମଜୁରା ଵିଷୟରେ ସାମାନ୍ୟ ଭିନ୍ନ ଭାବରେ ଵର୍ଣ୍ଣନା ହୋଇଅଛି ।
ଯଥା–

୧)ମଜୁରା କରିଵା ଲୋକ ରାଜାଙ୍କୁ ଆଗ କରି ମୁଣ୍ଡକୁ ତଳେ ଲଗାଉଥିଲା ।
୨)ପରେ ଆପଣା ହାତକୁ ମୁଣ୍ଡରେ, ବେକରେ ଓ ଶେଷରେ ପେଟରେ ଛୁଆଁଉଥିଲା । ଏଥିର ଅର୍ଥ ଏହିକି ମୁଣ୍ଡ ଛାମୁଙ୍କର ଏ ବେକ ଛାମୁଙ୍କର ଅଟେ ଓ ଏ ପେଟ ଛାମୁଙ୍କ ଅନ୍ନରେ ପାଳିତ ହେଉଅଛି ।

ତେବେ ବ୍ରଜକିଶୋର ଧଳ ମହାଶୟଙ୍କ ଅନୁସାରେ ତ୍ରୀଖଣ୍ଡି ମଜୁରା କରିଵାର ଭାଵାର୍ଥ – ଏ ଦେହ,ଏ ମୁଣ୍ଡ,ଏ ମାଟି ସବୁ ଶ୍ରୀଛାମୁଙ୍କର ମୁଁ ନିମିତ୍ତ ମାତ୍ର ।

ଉଭୟଙ୍କ ଵର୍ଣ୍ଣନା ମଧ୍ୟରେ କେଉଁଟି ଠିକ୍ କେଉଁଟି ଭୁଲ୍ ତାହା ଗବେଷଣା ସାପେକ୍ଷ ତେବେ ରାଜାଙ୍କୁ ମଜୁରା କରିଵା ଵିଧି ନଜାଣି ତାହା ନକଲେ ପ୍ରଜାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉଥିଵା ଶ୍ରୀ ବ୍ରଜକିଶୋର ଧଳ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

ଶ୍ରୀ ବ୍ରଜକିଶୋର ଧଳଙ୍କ ଅନୁସାରେ ଢେଙ୍କାନାଳର ପ୍ରଜା ଏଇ ଭଳି ପ୍ରଥାକୁ ନେଇ ଅତ୍ଯନ୍ତ ଭୟଭୀତ ହେଇ ରହୁଥିଲେ । ବାଟରେ ଗାଡ଼ି ମଟର ଆସୁଥିଵାର ଶବ୍ଦ ଶୁଣିଲାମାତ୍ରେ ଘରେ ପସିଯାଉଥିଲେ କିଂଵା ରାସ୍ତା ଛାଡ଼ି ପଳାଉଥିଲେ । ଶଙ୍କର ପ୍ରତାପଙ୍କ ରାଜଶାସନ କାଳରେ ଢେଙ୍କାନାଳର ପ୍ରଜା ଭଲ ଘରଖଣ୍ଡେ କରିଵାକୁ ସୁଦ୍ଧା ଡରୁଥିଲେ । ଅନ୍ଯାୟ ଅର୍ଥ ସଂଗ୍ରହ ଓ ବେଠୀରେ ଵ୍ଯତିଵ୍ଯସ୍ତ ହୋଇ ଅନେକ ପ୍ରଜା ଅନ୍ଯତ୍ର ଯାଇ କୁଲିଗିରି କରି ଚଳୁଥିଲେ । ସେତେବେଳେ ଓଡ଼ିଶାର ଅନ୍ୟ ଅଞ୍ଚଳରେ ଢେଙ୍କାନାଳକୁ ନେଇ ଯେଉଁ କେତୋଟି ପ୍ରଵାଦ ଚଳୁଥିଲା ତାହା ସେଇ କଥାକୁ ଆହୁରି ସ୍ପଷ୍ଟ ପ୍ରମାଣିତ କରେ

ଯଥା–
୧)"ଢେଙ୍କାନାଳିଆ ଶାସନ"
ଅତ୍ଯନ୍ତ ପ୍ରଜାପୀଡ଼କ ଶାସନ ଅର୍ଥରେ ଏ ପ୍ରଵାଦ ଵ୍ଯଵହୃତ ହେଉଥିଲା ।
"ସ୍ଵାମୀକୁ ସ୍ତ୍ରୀ କହୁଥିଲା―ତମ ଢେଙ୍କାନାଳିଆ ଶାସନ ଆଉ ସହିବି ନାଇଁ ମୁଁ ବାପ ଘର ଯାଉଚି"

ଢେଙ୍କାନାଳରେ ଶାସନ ଵ୍ଯଵସ୍ଥା କେତେ ନିମ୍ନମାନର ଓ ପ୍ରଜାପୀଡ଼କ ଥିଲା ତାହା ଏହି ଲୋକଵାଣୀରୁ ସ୍ପଷ୍ଟ ହୁଏ ।

୨)"ଢେଙ୍କାନାଳ ! ନିଜ କୀଳା(ଗାଣ_) ନିଜେ ସମ୍ଭାଳ"
ଲୋକେ ଆଜି ବି ଏହି ପ୍ରଵାଦକୁ ଭିନ୍ନଭିନ୍ନ ଭାବେ ଵ୍ଯଵହାର କରୁଅଛନ୍ତି । ଗଞ୍ଜାମରେ ତ ଏଇ ପ୍ରଵାଦକୁ ସବୁଠାରୁ ସୁନ୍ଦର ଭାବେ କୁହନ୍ତି "ଗେଇ ଦେ(ପଳାରେ) କାଳିଆ ଢେଙ୍କାନାଳିଆ" । ଓଡ଼ିଶାର ଆନ ଅଞ୍ଚଳର ଲୋକେ ସତେ ଯେମିତି ଏଇ ପ୍ରଵାଦ ଦ୍ଵାରା ଢେଙ୍କାନାଳିଆଙ୍କୁ କହିଦେଇଥିଲେ ଯେ "ହେ ଢେଙ୍କାନାଳିଆମାନେ ଆମେ ତମକୁ ସାହାଯ୍ୟ କରିନପାରୁ କାରଣ ଆମର ନିଜର ଅଵସ୍ଥା ଦି ଗଣ୍ଡା ବାର ବିଶ୍ଵା ପ୍ରାୟ ଵରଂ ତମେ ତୁମ ଅସୁଵିଧା ଓ କଷ୍ଟ ନିଜେ ସମ୍ଭାଳ ।

୩)"ଯେବେ ଢେଙ୍କାନାଳେ କରିବୁ ଘର,ଦାଣ୍ଡ ଘର ଖଣ୍ଡି ଅଛୁଆଁ କର ।" ଗଡ଼ଜାତରେ ଵିଶେଷତଃ ଢେଙ୍କାନାଳରେ କେମିତି ଅନ୍ଯାୟ ଉପାୟରେ ଲୋକଙ୍କୁ ଲୁଟାଯାଉଥିଲା ତାହା ଏଇ ପ୍ରଵାଦରେ କୁହାଯାଇଛି । ଦାଣ୍ଡଘର ଖଣ୍ଡକ ଅଛୁଆଁ ଅର୍ଥାତ୍ ଛାଆଣି ନକରିଵାକୁ କୁହାଯାଇଛି । ଅର୍ଥାତ୍ ଗଡ଼ଜାତିଆ ଲୋକେ ନିଜକୁ ଦୀନ ଦରିଦ୍ର ଦେଖାଇଵାକୁ ତତ୍କାଳୀନ ସମାଜରେ ବାଧ୍ଯ ହୋଇଥିଲେ ।

୪)"ଢେଙ୍କାନାଳିଆ ଓଲୁ(ଭାଲୁ)"
ଢେଙ୍କାନାଳର ଓ ଗଡ଼ଜାତର ଲୋକଙ୍କ ପ୍ରତି ଘୃଣାଭାଵ ବୃଦ୍ଧି ସମୟରେ ଗଡ଼ଜାତିଆମାନଙ୍କ ଅପାରଗତାକୁ ବଖାଣିଵା ପାଇଁ ଉପକୂଳାଞ୍ଚଳରେ ଗୋଟାଏ କାହାଣୀ ପ୍ରଚଳିତ ହୋଇଥିଲା ।

କାହାଣୀଟି ଏଇଭଳି...

ଦୁଇଜଣ ଗଡ଼ଜାତିଆ ଲୋକ ଲୁଗା ବିକିଵାକୁ ଉପକୂଳକୁ ଆସିଥିଲେ କିନ୍ତୁ ଏଠାକାର ଲୋକଙ୍କ ଚାଲାକୀର ଶିକାର ହୋଇ ମାଗଣାରେ ସେସବୁ ବାଣ୍ଟି ଦେଇଥିଲେ । ରାତିରେ ସେମାନେ କଟକ ନଗର ଦେଇ ଯାଉଥିଵା ଵେଳେ ମଦ ନିଶାରେ ଗୋଟାଏ କୋଠାକୁ ପେଲି ପେଲି ଆପଣା ରାଜ୍ଯକୁ ନେଵାକୁ ଚେଷ୍ଟା କରୁଥିଲେ ଇତ୍ୟାଦି ଇତ୍ୟାଦି...

ତେବେ ସେ ଯାହା ହେଉ ନା କାହିଁକି ତ୍ରୀଖଣ୍ଡି ମଜୁରାରେ କୌଣସି ଵ୍ଯତିକ୍ରମ ହେଲେ ମାଡ଼ଠାରୁ ପ୍ରାଣହାନୀ ଯାଏଁ ଦଣ୍ଡଵିଧାନ ଥିଵାରୁ ଗଡ଼ଜାତର ଲୋକେ ରାଜପୁରୁଷଙ୍କୁ ବାଟରେ ଘାଟରେ ଆସୁଥିଵାର ଜାଣିଲେ ଭୟରେ ପଳାୟନ କରୁଥିଵା ଶ୍ରୀବ୍ରଜକିଶୋର ଧଳ ଉଲ୍ଲେଖ କରିଛନ୍ତି ।

କୁହାଯାଏ ଢେଙ୍କାନାଳ ରାଜା କିଂଵା ତାଙ୍କ ପୁତ୍ର ଭ୍ରାତାଦି ଉଆସରୁ ଢେଙ୍କାନାଳ ବଜାର ଦେଇ ଯାଉଥିଲା ବେଳେ ଲୋକେ ଦରଜା କବାଟ କିଳି ଦେଉଥିଲେ । ଯେଉଁମାନେ ଦୈଵାତ୍ ମୁହାଁମୁହିଁ ହେଉଥିଲେ ସେମାନେ ପ୍ରାଣଭୟରେ ତ୍ରୀଖଣ୍ଡି ମଜୁରା କରିଵାକୁ ବାଧ୍ୟ ହେଉଥିଲେ ।

ଏଭଳି ଅତ୍ଯାଚାର ଯୋଗୁଁ ଢେଙ୍କାନାଳ ଗଡ଼ଜାତକୁ ତତ୍କାଳୀନ ଓଡ଼ିଆ ସମାଜର ମାନ୍ଯଗଣ୍ଯ ଵ୍ଯକ୍ତିଵିଶେଷମାନେ ଆସିଵାକୁ କୁଣ୍ଠାବୋଧ କରୁଥିଲେ ଏମିତିକି ଗଡ଼ଜାତିଆ ପ୍ରଜାଙ୍କର ମୋଗଲବନ୍ଦୀ ଅଞ୍ଚଳରେ ଵାସକରୁଥିଵା ବନ୍ଧୁବାନ୍ଧବମାନେ ବି ସେମାନଙ୍କଠାରୁ ସମ୍ପର୍କ ଛିନ୍ନ କରି ଦେଇଥିଲେ  । କୁହାଯାଏ ଶଙ୍କର ପ୍ରତାପଙ୍କ ଶାସନକାଳରେ ଢେଙ୍କାନାଳ ଉଆସରେ ଏକ ଷୋଡଶୀ କନ୍ଯାର ବଳାତ୍କାର ଉତ୍ତାରୁ ଗଡ଼ଜାତର ଲୋକଙ୍କ ପ୍ରତି ଵିଶେଷତଃ ଢେଙ୍କାନାଳର ଲୋକଙ୍କ ପ୍ରତି ରାଜ୍ୟରେ ଘୃଣାଭାଵ ବୃଦ୍ଧି ପାଇଥିଲା । ଯେଉଁ ରାଜ୍ୟରେ ଝିଅଵୋହୂଙ୍କ ମାନ ସମ୍ମାନକୁ ସ୍ଵୟଂ ରାଜଦରବାରରେ ନିଲାମ କରାଗଲା ସେ ରାଜ୍ୟରେ କିଏ ବା ନିଜର ଝିଅ ଦେଵାକୁ ଚାହିଁଵ ?

ଏଇ ବଳାତ୍କାର ସେ ସମୟରେ ସାରା ଭାରତରେ ଚର୍ଚ୍ଚାର ଵିଷୟ ପାଲଟିଥିଲା । ଏମନ୍ତକି ତତ୍କାଳୀନ ବ୍ରିଟିଶ୍ ପାର୍ଲିଆମେଣ୍ଟର ନାରୀ ସଭ୍ଯା Miss Agatha Harrison ଏ ପାଶଵିକ ଅତ୍ଯାଚାର ସମ୍ବନ୍ଧରେ ପ୍ରମାଣ ସହ ଅଭିଯୋଗ କରିଥିଲେ ହେଁ "ବଡ଼ବଡି଼ଆଙ୍କୁ ଉତ୍ତର ନାହିଁ" ନ୍ଯାୟରେ ଅପରାଧୀମାନେ ଦଣ୍ଡିତ ହୋଇନଥିଲେ ।

ଏହି ନାରୀ ଅତ୍ଯାଚାରର ପ୍ରାରମ୍ଭିକ ଦଣ୍ଡ ଭୋଗିଲା କିଏ ?
ଢେଙ୍କାନାଳ ଓ ଅନ୍ୟ ଗଡ଼ଜାତର ସାଧାରଣ ଲୋକ ଏହାର ଦଣ୍ଡ ଅନେକ ଦିନ ଯାଏଁ ଭୋଗକରିଵାକୁ ବାଧ୍ୟ ହେଲେ ।  ଢେଙ୍କାନାଳ ଓ ଏଠାକାର ପ୍ରଜା ଏଵଂ ସାରା ଗଡ଼ଜାତର ଲୋକ ଅନେକ ଦିନ ଯାଏଁ ଅପମାନର ଶିକାର ହୋଇଥିଲେ ଏଵଂ ଊଣା ଅଧିକେ ଆଜି ବି ହେଉ ଅଛନ୍ତି ।

ଆଜି କାଳଗର୍ଭରେ ରାଜଶାସନ ଧୂଳିସାତ୍ ହୋଇଅଛି କିନ୍ତୁ ରହିଯାଇଛି ସେଇ ଅଯାଗା ଘାଆ ଯାହା ସମସ୍ତଙ୍କୁ ଦେଖେଇ ହୁଏନାହିଁ ସବୁଠି କହି ହୁଏ ନାହିଁ କିନ୍ତୁ ପ୍ରଜାମେଳୀ ଦ୍ଵାରା ତତ୍କାଳୀନ ପ୍ରଜା ସେହି ଅହଂକାରୀ ବଡ଼ବଡି଼ଆଙ୍କର ପରେ ଅଵଶ୍ୟ ଗର୍ଵ ଚୂର୍ଣ୍ଣ କରିଅଛନ୍ତି ।

(ଢେଙ୍କାନାଳ ଗଡ଼ଜାତର ଏଇଭଳି ଅପ୍ରିୟ ସତ୍ୟ ସବୁ ଜାଣିଵାକୁ ଚାହୁଁଥିଲେ ବ୍ରଜକିଶୋର ଧଳଙ୍କ ଭୁଲିବୁ ନାହିଁ ପୁସ୍ତକ ନିଶ୍ଚୟ ପାଠ କରନ୍ତୁ । ପ୍ରୋକ୍ତ ଆଲେଖ୍ୟଟି ଏହି ପୁସ୍ତକ ଆଧାରରେ ପ୍ରସ୍ତୁତ କରାଯାଇଅଛି । ଏ ଵିଷୟରେ ଆପଣଙ୍କ ପାଖରେ ଅଧିକ ତଥ୍ୟ ଥିଲେ ଏଠାରେ ନିଶ୍ଚୟ ଜଣାନ୍ତୁ)

Saturday, June 20, 2020

ଟ୍ରୋଜାନ୍ ଘୋଡା଼ର କଥା

ଇଲିଆଡ ନାମକ ଗ୍ରୀକ୍ ପୁରାଣଗାଥା । ଏଥିରେ ପଶ୍ଚିମ ତୁର୍କୀର ତତ୍କାଳୀନ ଟ୍ରୟନଗରୀରର ରାଜକୁମାର ପାରିସ, ସ୍ପାର୍ଟା ରାଣୀ ହେଲେନଙ୍କୁ ଭୁଲାଇ ନେଇ ଯାଇଥିଲା ।

ଯେହେତୁ ହେଲେନଙ୍କ ସ୍ଵୟଂମ୍ଵରରେ ତାହାର ରକ୍ଷା ପାଇଁ ସେଠି ଉପସ୍ଥିତ ସବୁ ଗ୍ରୀକଯୋଦ୍ଧା ସପଥ ନେଇଥିଲେ ତେଣୁ ତାପରେ ସାରା ଗ୍ରୀକ୍ ର ଯେତେ ନଗରରାଜ୍ଯ ସବୁ ଅଞ୍ଚଳର ଯୋଦ୍ଧା ଏକାଠି ହୋଇ ଟ୍ରୟ ଵିରୋଧରେ ଯୁଦ୍ଧ ଘୋଷଣା କରିଥିଲେ ।

ଯୁଦ୍ଧରେ କୌଣସି ମତେ ଟ୍ରୟକୁ ହରେଇ ନପାରିଲାରୁ  ଇଥାକା ନଗରୀରର ରାଜା ଓଡେସିଅସ୍ ନାମକ ଵୀର ଟ୍ରୋଜାନ୍ ଅଶ୍ଵ ତିଆରି କରିଵାକୁ ସମସ୍ତଙ୍କୁ କହିଲେ ।

ଗ୍ରୀକମାନେ ଗୋଟାଏ ଶକ୍ତ କାଠରେ ତିଆରି ଘୋଡା଼ କରି ଟ୍ରୟ ନଗର ଆଗରେ ଛାଡିଦେଲେ । ସେମାନେ ନିଜର ଛାଉଣୀ ଭାଙ୍ଗି ବୋଇତ ନେଇ ପାଖର ଏକ ଦ୍ଵୀପକୁ ଚାଲିଗଲେ ।

ଟ୍ରୟଵାସୀ ଗ୍ରୀକମାନଙ୍କ ଜାଲରେ ଫସିଗଲେ । ସେମାନେ ଭାବିଲେ ଗ୍ରୀକମାନେ ହାରିଯାଇ ନିଜ ଦେଶକୁ ଲେଉଟି ଯାଇଛନ୍ତି ଓ ଉପହାର ସ୍ଵରୂପ ଏଇ ଟ୍ରୋଜାନ୍ ଘୋଡା଼ ଦେଇଛନ୍ତି ।

ସେମାନେ ନଗର ଭିତରକୁ ଟ୍ରୋଜାନ୍ ଘୋଡାକୁ ନେଇ ଆସିଲେ ।

ସେଇ ଘୋଡା଼ ଭିତରେ କୌଶଳରେ ଆଠ ଦଶଜଣ ଗ୍ରୀକ୍ ଯୋଦ୍ଧା ଲୁଚିଥିଲେ ଏଵଂ ଘୋଡା଼ର କବାଟ ଏଭଳି କରାଯାଇଥିଲା ଯେ ତାହା ଭିତରୁ ଖୋଲୁଥିଲା ଓ ଟ୍ରୟଵାସୀ ତାହା ଜାଣି ବି ପାରିଲେନି

ରାତିରେ ସେହି ଯୋଦ୍ଧାମାନେ ପଦାକୁ ବାହାରି ଟ୍ରୟନଗରୀର ଉତ୍ସଵରତ ପ୍ରଜାଙ୍କ ଅଜାଣତରେ ଗଡ଼ର ବାଟ ଖୋଲିଦେଲେ ଓ ଜଗୁଆଳିଙ୍କୁ ମାରିଦେଲେ ।

ତାପରେ ଟ୍ରୟନଗରୀରେ ହତ୍ୟା ଓ ଲୁଣ୍ଠନ ଆରମ୍ଭ ହୋଇଗଲା । ଗ୍ରୀକମାନେ ହେଲେନଙ୍କୁ ଫେରେଇ ଆଣିଲେ ବି ଅନେକ ଗ୍ରୀକଯୋଦ୍ଧା ଦୁର୍ଘଟଣା ଓ ଷଡଯନ୍ତ୍ରର ଶିକାର ହୋଇ ଏହା ପରେ ମୃତ୍ୟୁମୁଖରେ ପଡି଼ଥିଲେ ।

ଓଡେସିଅସ୍ ଟ୍ରୋଜାନ୍ ଘୋଡା଼ କଥା ପାଞ୍ଚି ଥିଵାରୁ ତାଙ୍କୁ ଭୂମଧ୍ଯ ସାଗରର ଵିଭିନ୍ନ ଦ୍ଵୀପରେ ବାଟ ଭୁଲି ବୁଲିଵାକୁ ପଡି଼ଥିଲା । ସେ ପ୍ରାୟ ଦଶ ଵର୍ଷ ସମୁଦ୍ରରେ ବୁଲି ଶେଷକୁ ଘରକୁ ଲେଉଟିଥିଲେ ଓ ତାଙ୍କ କାହାଣୀକୁ ଓଡେସୀ କୁହାଯାଏ ।

ଵିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ଜଣେ ଓଡ଼ିଆ ଲେଖକ ଓଡେସିଅସ୍ ଙ୍କୁ ଓଡ଼ିଶାଵାସୀ ଵିଚାର କରି ଲେଖା ଲେଖିଥିଵା ଥରେ ମୋ ଦୃଷ୍ଟିରେ ପଡି଼ଥିଲା ।

Friday, June 19, 2020

ମାଣ୍ଡେଲା ପ୍ରଭାଵ କ'ଣ ଜାଣିଛନ୍ତି କି ?

ଲୋକେ ଵେଳେ ଵେଳେ ନୂଆ ଶବ୍ଦ ସୃଷ୍ଟି କରିଦିଅନ୍ତି ଵା ତାଙ୍କ ଦ୍ଵାରା ଆପଣାଛାଏଁ ଶବ୍ଦ ସୃଷ୍ଟି ହୋଇଯାଏ । ସାଧାରଣତଃ ସାହିତ୍ଯିକ ଓ ଵୈଜ୍ଞାନିକମାନେ ଏଭଳି କରିଥାଆନ୍ତି ଓ ତାଙ୍କ ଶବ୍ଦ ଧୀରେ ଧୀରେ ଆନ ଲୋକେ ମଧ୍ୟ ଵ୍ଯଵହାର କରିଥାଆନ୍ତି ।

ଆମେମାନେ ଅଂଶୁଘାତ,ସଙ୍ଗଣକ,ଵର୍ଣ୍ଣଫଳକ,ଭୀଡ଼ ହତ୍ଯା ଓ ସଙ୍ଗରୋଧ ଇତ୍ୟାଦି ନୂତନ ଶବ୍ଦ ସବୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ପ୍ରାଚୀନ ଶବ୍ଦକୋଷରେ  ପାଇନଥାନ୍ତି ।

ପୁଣି ଦୂରଦର୍ଶନ ଭଳି ଶବ୍ଦ ବି ରହିଛି ଯାହା ଆଜି television ଯନ୍ତ୍ର ପାଇଁ ଵ୍ଯଵହାର ହେଉଅଛି କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଅର୍ଥ ୧୦୦ ଵର୍ଷ ତଳେ ଉଲ୍ଲେଖ କରାଯାଇଥିଲା "ଦୂରଦୃଷ୍ଟି" ।

ଆଜି ସାହିତ୍ଯିକ,ବଡ଼ବଡି଼ଆ ଲୋକ,ଵୈଜ୍ଞାନିକ, ଚଳଚ୍ଚିତ୍ରଜଗତ ଓ ଗଣମାଧ୍ୟମ ନୂଆ ନୂଆ ଶବ୍ଦ ସୃଷ୍ଟି କରି ପ୍ରଚଳନ କରୁଅଛନ୍ତି କିଛି କ୍ଷେତ୍ରରେ ସିଧାସଳଖ ଵୈଦେଶିକ ଶବ୍ଦ ମଧ୍ୟ ପ୍ରୟୋଗ ହେଉଅଛି ।

ଇଂରାଜୀରେ ଏଇ ଧରଣର ଅନେକ ଶବ୍ଦ ସୃଷ୍ଟି ହୋଇଛି । ତନ୍ମଧ୍ୟରୁ ଗୋଟାଏ ହେଲା "the Mandela effect" ! ଏହାକୁ ଓଡ଼ିଆ ଲୋକେ "ମାଣ୍ଡେଲା ପ୍ରଭାଵ" କହିପାରନ୍ତି ।

ଯେଉଁମାନେ ୨୦୧୯ରେ ଏଇନାମର ହଲିଓଡ଼ ଚଳଚ୍ଚିତ୍ର ଦେଖିସାରିଛନ୍ତି କିଂଵା ୟୁଟ୍ୟବ୍'ରେ "ମାଣ୍ଡେଲା ପ୍ରଭାଵ" ଵିଷୟକ ଵିଡି଼ଓ ଦେଖିଥିଵେ ତାଙ୍କୁ ଏ ଵିଷୟରେ ନିଶ୍ଚୟ ଅଳ୍ପବହୁତେ ଜଣାଥିଵ ।

୨୦୦୯ରେ ସର୍ଵପ୍ରଥମେ ଆମେରିକୀୟ ଲେଖିକା Fiona Broome ଏ ଶବ୍ଦର ପ୍ରୟୋଗ କରିଥିଲେ । ଏକ ସ୍ଥାନରେ ସେ ଦକ୍ଷିଣ ଆଫ୍ରିକାର ଗାନ୍ଧୀ ଭାବେ ଖ୍ଯାତ ନେଲସନ୍ ନିଜର ଏକ ମିଥ୍ଯାନୁସ୍ମରଣ(false memory) ଵିଷୟରେ ଉଲ୍ଲେଖ କରିଥିଲେ । ସେ ଏହାକୁ  "the Mandela effect" କହିଥିଲେ ।

Fiona Broomeଙ୍କୁ ଲାଗୁଥିଲା ଯେ ସେ ୧୯୮୦ରେ ନେଲସନ୍ ମାଣ୍ଡେଲାଙ୍କର ଶଵଯାତ୍ରା ଟିଭିରେ ଦେଖିସାରିଛନ୍ତି । ତାଙ୍କ କଥା ପଢି଼ ଆହୁରି ଅନେକ ଲୋକ ବି ସମାନ ମତ ରଖିଵା ଆରମ୍ଭ କରିଦେଇଥିଲେ । ପ୍ରକୃତରେ ନେଲସନ୍ ମାଣ୍ଡେଲା ୧୯୧୮ରେ ଜନ୍ମଗ୍ରହଣକରିଥିଲେ ଏଵଂ  ୧୦୧୩ମସିହାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା ।

Fiona Broome ଓ ତାଙ୍କ ଭଳି ଅନେକ ଲୋକଙ୍କ ଦ୍ଵାରା ୧୯୮୦ ମସିହାରେ ନେଲସନ୍ ମାଣ୍ଡେଲାଙ୍କ ଶଵଯାତ୍ରା ଦେଖିଥିଵା କଥା ପ୍ରଚାରିତ ହେଵାପରେ ବୁଦ୍ଧିଜୀଵୀ ଓ ଗଵେଷକ ମହଲରେ ଦୁଇଟି ଘଟଣା ଘଟିତ ହୋଇଥିଲା ଏଵଂ ମୁଖ୍ୟତଃ ଦୁଇଗୋଟି ଭିନ୍ନ ଭିନ୍ନ ମତ ପ୍ରକାଶ ହେଵାକୁ ଲାଗିଲା ।

୧)କିଛି ଲୋକ କହିଲେ ଏହା ସମୟଯାତ୍ରା ଵା time travel କିଂଵା
parallel universe ଵା ସମାନାନ୍ତର ବ୍ରହ୍ମାଣ୍ଡରେ କେତେକ ନିର୍ଦ୍ଦିଷ୍ଟ ପରିଵର୍ତ୍ତନ ଯୋଗୁଁ ଘଟିତ ହୋଇଥିଵା ଘଟଣା ହୋଇଥାଇପାରେ । ଏ ମତଵାଦର ସମର୍ଥକ ମତ ଦିଅନ୍ତି ଯେ ନିଶ୍ଚୟ କେହି ଅତୀତରେ ଯାଇ ୧୯୮୦ ମସିହାରେ ଜେଲରେ ମରିଯାଇଥିଵା ନେଲସନ୍ ମାଣ୍ଡେଲାଙ୍କୁ ବଞ୍ଚାଇ ଦେଇଥାଇପାରେ ।

୨)ଆଉ କେତେକଙ୍କ ମତରେ  false memory phenomena" ଵା "ମିଥ୍ୟା ସ୍ମୃତି ପ୍ରତିଭାସ" ଯୋଗୁଁ ଏଭଳି ଅନୁଭଵ ହୋଇଥାଏ । ଏହା 
"false memory syndrome" ଵା "ମିଥ୍ଯାନୁସ୍ମରଣ ସଂଲକ୍ଷଣ"ର ଏକ ଅଂଶଵିଶେଷ ଅଟଇ । ଏ କ୍ଷେତ୍ରରେ କିଛି ଗଵେଷକ ଅନେକ ଲୋକଙ୍କ ସହ ପରୀକ୍ଷା କରି ପ୍ରମାଣିତ କରିଥିଲେ ଯେ ମନୁଷ୍ୟମାନେ ଅନେକ ଘଟଣାର ସମାନତା ଯୋଗୁଁ ଵେଳେଵେଳେ  ଏକ ଘଟଣା ସହ ଅନ୍ୟ ଘଟଣାକୁ ମନେ ରଖିନିଅନ୍ତି ଓ ଧୀରେ ଧୀରେ ସେମାନେ ସେ ଉଭୟ ଘଟଣାକୁ ଏକ କରିଦିଅନ୍ତି ।

ଉଦାହରଣ ସ୍ୱରୂପ ...
ମହାତ୍ମା ଗାନ୍ଧୀ,ମାର୍ଟିନ୍ ଲୁଥର କିଙ୍ଗ୍  ଓ ନେଲସନ୍ ମାଣ୍ଡେଲାଙ୍କ ମଧ୍ୟରେ ସମାନତା ଉପରେ ଦୃଷ୍ଟି ଦିଆଯାଉ

୧)ସେ ତିନିହେଁ ଗୋରାଲୋକଙ୍କ ଦୃଷ୍ଟିରେ କଳାଲୋକ ଥିଲେ ।
୨)ତିନି ଜଣ ଯାକ ଅହିଂସା ଆନ୍ଦୋଳନ କରିଥିଲେ ।
୩)ମାର୍ଟିନ୍ ଲୁଥର କିଙ୍ଗ୍ ରଙ୍ଗଭେଦ କରୁଥିଵା ଗୋରା ସରକାର ସହିତ ଆନ୍ଦୋଳନ କରିଥିଲାଵେଳେ ମହାତ୍ମାଗାନ୍ଧୀ ଓ ନେଲସନ୍ ମାଣ୍ଡେଲା ଇଂରେଜମାନଙ୍କ ଵିରୋଧରେ ଆନ୍ଦୋଳନ କରିଥିଲେ ।

ଫଳତଃ ଅନେକ ଗୋରାଲୋକଙ୍କ ମନରେ ଏ ତିନି ଲୋକ ଏକ ବୋଲି ଧାରଣା ଜନ୍ମିଥିଵ । ୧୯୮୦ ମସିହା ଵେଳକୁ ସାରା ଵିଶ୍ଵରେ ଦୂରଦର୍ଶନ କ୍ରାନ୍ତି ଆରମ୍ଭ ହୋଇଥିଲା । ୧୯୮୦ରେ ଯେତେବେଳେ ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ କରି ନେଲସନ୍ ମାଣ୍ଡେଲା ଜେଲ୍ ଗଲେ ତାଙ୍କର "ମହାତ୍ମା ଗାନ୍ଧୀ" ଓ ଆମେରିକୀୟ ସାମାଜିକ କାର୍ଯ୍ୟକର୍ତ୍ତା  "ମାର୍ଟିନ୍ ଲୁଥର କିଙ୍ଗ୍"ଙ୍କ ସହିତ ତୁଳନା ହେଵାକୁ ଲାଗିଲା ।

ସେତେଵେଳେ ଗାନ୍ଧୀ ଓ ୧୯୬୮ରେ ଦେହାନ୍ତ ହୋଇଥିଵା ମାର୍ଟିନ୍ ଲୁଥର କିଙ୍ଗ୍'ଙ୍କ ଵିଷୟରେ ଆଉଥରେ ଆଲୋଚନା ହେଵା ଆରମ୍ଭ ହୋଇଥିଲା । ଏଇ ଚର୍ଚ୍ଚା ସମୟରେ ଯେଉଁମାନେ ଗାନ୍ଧୀ,କିଙ୍ଗ୍ ଓ ତାଙ୍କ ଶଵଯାତ୍ରା ଦେଖିଥିଵେ  ସେମାନେ ତାହା "ନେଲସନ୍ ମାଣ୍ଡେଲା"ଙ୍କ ଜେଲ୍ ଯିଵା ଓ ମୃତ୍ୟୁ ହେଵା ଘଟଣା ସହ ମିଶାଇ ଆପଣା ମନରେ ଏକ ଵିଚାର କରି ଭ୍ରମ ଧାରଣା ପାଳିନେଇଥିଵା ଅଧିକ ସମ୍ଭଵ ଅଟେ ।

ତେଵେ ସେ ଯାହା ହେଉ ଆଜି ଇଂରାଜୀରେ ଦୁଇଟି ଘଟଣାକୁ ଏକ ଵିଚାର କରି ବହୁତ ଲୋକେ ତାଙ୍କ ମନରେ ଯେଉଁ ମିଥ୍ୟାନୁସ୍ମରଣର  ଭ୍ରମଧାରଣା ପାଳିଥାଆନ୍ତି ତାକୁ the Mandela effect କୁହାଯାଉଅଛି ।

©ଶିଶିର ସାହୁ ମନୋଜ

Thursday, June 18, 2020

ଓଡ଼ିଶା ଓ ଭାରତରେ ତେଲୁଣି ପୋକ

ଓଡ଼ିଶାରେ julus ଜାତୀୟ ପାଞ୍ଚ ଛଅପ୍ରକାର ପୋକ ଦେଖାଯାଆନ୍ତି ସେମାନଙ୍କୁ ସାମୁହିକଭାଵେ ତେଲୁଣି ପୋକ କୁହାଯାଏ । ତୈଳିନୀ ଶବ୍ଦର ଓଡ଼ିଆ ସମଦ୍ଧୃତ ରୂପ ତେଲୁଣି କିନ୍ତୁ ତେଲୁଣୀ ଲେଖାଗଲେ ଏ ଶବ୍ଦର ଅର୍ଥ ଆମ ଭାଷାରେ ତେଲିର ସ୍ତ୍ରୀଵାଚକ ହୁଏ । ସିଧା ଝାଙ୍କାଳିଆ ବୁଦା ଓ ପଲମକୁ ବି ଆମ ଭାଷାରେ ତେଲୁଣୀ କୁହାଯାଏ ।

ତେଲୁଣି ପୋକଙ୍କର ଦୁଇଟି ନିଶ ଥାଏ । ଏମାନଙ୍କର ଚୁଙ୍ଗଡ଼ି ମାଛର ଖୋଳପା ପରି ପଟି ପଟି କାତି ଥାଏ । ଏମାନେ ନାଲି, କୋଳଥିଆ ଓ ନାଲି ଉପରେ କଳା ଲମ୍ବା ଡ଼ୋରିଆ ପଡ଼ିଥିବା ରଙ୍ଗ ଦେଖାର ଦେଖଆନ୍ତି । କେତେକ ଜାତୀୟ ତେଲୁଣି ପୋକ କଳା ଓ ମାଟିଆ ରଙ୍ଗର ହେଉଥିଵା ଦେଖାଯାଏ ।

ଏମାନଙ୍କ ଉପରେ ଆଘାତ ଲାଗିଲେ ଏମାନେ କୁଣ୍ଡଳାକୃତି ହୋଇ ୟାଆନ୍ତି। ଏମାନଙ୍କର ଥରକେ ସହସ୍ର ସହସ୍ର ଛୁଆ ହୁଅନ୍ତି। ଏମାନେ ସାଧାରଣତଃ ନଡି଼ଆ ପାଣି ପାନାର୍ଥେ ଵ୍ଯଵହୃତ ନଳାକାର ମୋଟ ଓ ଚାରି ଆଙ୍ଗୁଳ ଲମ୍ବ ହୁଅନ୍ତି। କିନ୍ତୁ ପାର୍ଵତ୍ଯ ଦେଶରେ ଏମାନେ ଅଧ ଇଞ୍ଜ ଵ୍ଯାସଵିଶିଷ୍ଟ ଓ ୧୨ ଆଙ୍ଗୁଳ ଲମ୍ବ ପର୍ଯ୍ୟନ୍ତ ବଢ଼ିପାରନ୍ତି ।

ଏମାନଙ୍କ ଦେହରେ ଏକ ପ୍ରକାର ବିଷାକ୍ତ ପଦାର୍ଥ ଅଛି। ପିଲାମାନେ ଭୁଲରେ ଏହି ପୋକକୁ ପାଟିରେ ପୁରାଇ ଦେଲେ ପାଟି ନାଲ ହୋଇ ଘା ହେଇଯାଏ । ତେଲୁଣି ପୋକ ଭୁଲରେ ମଣିଷର କାନ ମଧ୍ୟରେ ପଶିଗଲେ କାନ ପଚିଯିଵା ମଧ୍ୟ ଶୁଣାଯାଏ । 

ଓଡ଼ିଶାରେ ସାଧାରଣତଃ ଚାରି ପାଞ୍ଚ ପ୍ରକାରର ତେଲୁଣି ପୋକ ଦେଖାଯାଆନ୍ତି ଏଵଂ ଏକ ଫୁଟ ପର୍ଯ୍ୟନ୍ତ ବଢନ୍ତି ।ବ୍ଯାସ ଅଧ ଇଞ୍ଚ ହୋଇଥାଏ । ସାଧାରଣ ତେଲୁଣି ପୋକର ଵର୍ଣ୍ଣ କଳା ଓ ନାଲିଆ ମିଶା। ଅନ୍ୟ ଏକ ଜାତୀୟ ତେଲୁଣି ପୋକ କେଵଳ ନାଲି ହୋଇଥାଏ । ଏକ ଜାତୀୟ ତେଲୁଣି ପୋକ ସମ୍ପୂର୍ଣ୍ଣ କଳା ରଙ୍ଗର ହୋଇଥାଏ(ଗଉଡୁଣୀ ପୋକ ନୁହେଁ) । ଏକ ଜାତୀୟ ତେଲୁଣି ପୋକ କଳା ଓ ନାଲି ଡୋରିଆ ଯୁକ୍ତ ହେଲାଵେଳେ ଆଉ ଏକ ଜାତୀୟ ତେଲୁଣି ପୋକ ରିବିରିବିଆ କଳା ଓ ନାଲିଆ ଦାଗ ହୋଇଥାଆନ୍ତି ।

ଏ ପୋକକୁ ଇଂରାଜୀରେ galley worm ଓ Millipedes କୁହାଯାଏ । ଏମାନଙ୍କର ୧୨୦୦ରୁ ଅଧିକ ପ୍ରଜାତି ସାରା ଵିଶ୍ଵରେ ରହିଅଛି। କିଛି ତେଲୁଣି ପୋକ ହୋଇଥିଵାଵେଳେ ଆଉ କେତେକ ମାଂସାସୀ ହୋଇଥାଆନ୍ତି । ମୃତ ଜୀଵଙ୍କୁ ଖାଉଥିଵା ତେଲୁଣି ପୋକ ପ୍ରଜାତି ବି ରହିଛି । ମଣିଷ ଦେହରେ ଭୁଲଵଶତଃ ତେଲୁଣି ପୋକ ପସିଗଲେ ଏଇଭଳି ଭାବେ ଭୀଷଣ କ୍ଷତି ଘଟାନ୍ତି । ଆଗକାଳରେ ତେଲୁଣି ପୋକ ପସି ଲୋକେ ମରିଯାଉଥିଵାର ମଧ୍ୟ ଶୁଣାଯାଏ । ଏମାନଙ୍କ ଶରୀର ଅନେକ ଖଣ୍ଡକୁ ନେଇ ଗଠିତ ହୋଇଥାଏ ଓ ପ୍ରତ୍ଯେକ ଖଣ୍ଡରେ ଏକ ଯୋଡା଼ ପାଦ ଥାଏ ଓ ଏହି ଖଣ୍ଡର ସଂଖ୍ୟା ୧୦୦ରୁ ଅଧିକ ମଧ୍ୟ ହୋଇପାରେ ! 

ପ୍ରାୟ ଅନେକ ପଦଯୁକ୍ତ ହୁଅନ୍ତି ବୋଲି ଏମାନଙ୍କୁ ଶତପଦୀ ମଧ୍ୟ କୁହାଯାଏ । ତେଲୁଣି ପୋକ ନିଜ ରକ୍ଷା ହେତୁ ଏକ ପ୍ରକାରର ଗନ୍ଧଯୁକ୍ତ ରସାୟନ ଛାଡ଼ନ୍ତି ଯାହା ଅମ୍ଳୀୟ ପ୍ରକୃତିର ହୋଇଥାଏ । ଏହି ରସାୟନ ଯୋଗୁଁ ଶିକାରୀଙ୍କ ଉପରେ ତାହାର ହାନିକାରକ ପ୍ରଭାଵ ପଡି଼ଥାଏ । ତେଲୁଣି ପୋକ କେଞ୍ଚୁଅ ଵା ଜିଆଙ୍କ ପରି ମାଟି ଉର୍ଵର କରିଵାରେ ସାହାଯ୍ୟ କରିଥାନ୍ତି । କ୍ଷାରୀୟ ମାଟିକୁ ଚାଷୋପଯୋଗୀ କରିଵାରେ ଏମାନଙ୍କର ବଡ଼ ଯୋଗଦାନ ରହିଛି ତେଣୁ ଏମାନଙ୍କୁ କେଞ୍ଚୁଅଙ୍କ ପରି  ଧରିତ୍ରୀମିତ୍ର ଅଭିହିତ କରାଯାଏ । ତେଵେ କେତେକ ଜାତୀୟ ତେଲୁଣି ପୋକ ପର୍ଣ୍ଣଭୋଜୀ ହୋଇଥିଵା ହେତୁ ଶସ୍ଯକ୍ଷେତ୍ରରେ ହାନୀ ବି ଘଟାଇ ଥାଆନ୍ତି ।

ତେଲୁଣି ଵା ତୈଳିନୀ ପୋକକୁ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଵିଭିନ୍ନ ନାମରେ ଜଣାଯାଏ ।

ଯଥା–
୧)କେଞ୍ଚିଡୀ଼ ପୋକ(ଦେଓଗଡ଼)

କେଞ୍ଚୁଅ ପୋକ ଆକାର ଓ ପରି ହୋଇଥିଵା ହେତୁ ଏ ପୋକକୁ କେଞ୍ଚିଡୀ ପୋକ କୁହାଯାଏ

୨)ମଳା କେଚେଣ୍ଡି/କେଚେଣ୍ଡି ପୋକ(ବାଲେଶ୍ଵର)

କେଞ୍ଚୁଅ ଓ କେଞ୍ଚିଡୀ ଶବ୍ଦର ଅନ୍ୟ ଏକ ରୂପ କେଚେଣ୍ଡି ଅଟେ ।

୩)ଗମ୍ ପୋକ,ଗହ୍ମା ପୋକ,ଗହମ୍ ପୋକ(ଗଡ଼ଜାତ),ଗମା ପୋକ(ଢେଙ୍କାନାଳ)

ଗହ୍ମା ମାସ ଅର୍ଥାତ୍ ଶ୍ରାଵଣ ମାସରେ ସାଧାରଣତଃ ଏ ପୋକର ପ୍ରାଦୁର୍ଭାଵ ଅଧିକ ହେଉଥିଵା ହେତୁ ଏ ପୋକକୁ ଗହ୍ମା,ଗମ୍ ଓ ଗମା ପୋକ ଆଦି କୁହାଯାଇଥାଏ ।

୪)ଗୋମ୍ କୀଡା଼(ଭତ୍ରୀ ଓଡ଼ିଆ,ଵସ୍ତର)

ଓଡ଼ିଶାର ଶେଷ ସୀମାରେ ମଧ୍ୟ ଉତ୍କଳୀୟ ସଂସ୍କୃତିର ନିଦର୍ଶନ ସ୍ଵରୂପ ସେଇ ଗହ୍ମା ମାସର ନାମାନୁସାରେ ନାମିତ ଗହ୍ମାପୋକର ପରିଵର୍ତ୍ତିତ ନାମ ଗୋମ୍ କୀଡା଼ ଆଜି ବି ଭତ୍ରୀ ଭାଷାରେ ଚଳୁଅଛି ।

୫)ଚାରଣୀ ପୋକ(ଢେଙ୍କାନାଳ,କଟକ)

ଢେଙ୍କାନାଳ ଓ କଟକରେ ତେଲୁଣି ପୋକକୁ ଚାରଣୀ ପୋକ କହିଥାଆନ୍ତି । ସାଧାରଣତଃ ଲମ୍ବ ହୋଇ ଚାଲୁଥିଵା ଏ ଶତପଦୀ ଜୀଵ ଦେହରେ ହାତ ବଜେଇ ଦେଲେ ତାହା ହଟାତ୍ ପ୍ରତିକ୍ରିୟାଶୀଳ ହୋଇ ମୁଣ୍ଡଳାକାର ହୋଇ ରକ୍ଷାତ୍ମକ ହୁଏ । ସେତେଵେଳେ ଏହା ଠିକ୍ ଚାରଣୀ ପଇସା ଆକାରର ହେଉଥିଵା ହେତୁ ଏହାର ଏକ ନାମ ଚାରଣୀ ପୋକ ହୋଇଅଛି ।

୬)ନଳା ପୋକ(ଗଞ୍ଜାମ)
ଗଞ୍ଜାମରେ ତେଲୁଣି ପୋକକୁ ନଳାପୋକ କୁହାଯାଏ । ଏ ପୋକ ନଳ ଆକାରର ଏଵଂ ଶତପଦରେ ଚାଲିଲାଵେଳେ ନଳ ଭଳି ଦୃଶ୍ୟ ହୁଏ ବୋଲି ସମ୍ଭଵତଃ ଏଭଳି ନାମକରଣ ହୋଇଛି ।

୭)ଗେଣ୍ଡୁମଳା(ଦକ୍ଷିଣୀ ଓଡ଼ିଆ)
ମୁଣ୍ଡୁଳା ମାରିଵାକୁ ଓଡ଼ିଆ ଭାଷାରେ ମଳା କୁହାଯାଏ । ଓଡ଼ିଆଭାଷାରେ ଗଣ୍ଡୁପଦ,ଗଣ୍ଡୁପଦୀ ଓ ଗଡୁ଼ ଶବ୍ଦର ଅର୍ଥ ଜିଆ ଅଟେ ।  ସମ୍ଭଵତଃ ଏ ଶବ୍ଦ ଦକ୍ଷିଣ ଓଡ଼ିଶାରେ ଗେଣ୍ଡୁ ହୋଇଅଛି ଏଵଂ ଜିଆ ଆକାର ପ୍ରକାରର ଯୋଉ ଶତପଦୀ ଜୀଵ ଆଘାତ ପାଇଲେ ମଳା, ମନ୍ଦା ଵା ମୁଣ୍ଡଳା ମାରିଦିଏ ତାକୁ ଗେଣ୍ଡୁମାଳ କୁହାଯାଉଛି ।

୮)ପଇସା ପୋକ(ଅନୁଗୁଳ,ଗଡ଼ଜାତ)
ଏ ପୋକ ଆଘାତ ପାଇଲେ ପଇସା ଆକରର ହୋଇଯାଏ ବୋଲି ଏହାର ଏକ ନାମ ପଇସା ପୋକ ହୋଇଥିଵା ସହଜେ ଅନୁମେୟ ।

ସେଇଭଳି ଉତ୍ତର ଭାରତରେ ଏ ପୋକର ଵିଭିନ୍ନ ନାମ ପ୍ରଚଳିତ ।  ମଧ୍ଯପ୍ରଦେଶର ମାଳଵାଞ୍ଚଳରେ ଏ ପୋକ ରେଳ ଗାଡି଼ ଭଳି ଦେଖାଯାଏ ବୋଲି ଏହାକୁ ରେଲ୍ କୁହାଯାଏ । କେଉଁଠି କେଉଁଠି ରେଲ୍ ଗାଡୀ ଓ ଲୀଲୀ ଘୋଡି଼ ବି କୁହନ୍ତି ।

ତୈଳିନୀ ଓ ତେଲୁଣି ଶବ୍ଦ ସହ ସମଦ୍ଧୃତ ତେଲନ୍ ଶବ୍ଦ ଛତିଶଗଡ଼ ଅଞ୍ଚଳର ଲରିଆ ଭାଷାରେ ଚଳୁଅଛି । ନିମାଡ଼ରେ ତେଲୁଣି ପୋକକୁ ବାନିୟା କୁହାଯାଏ ।

ତେଵେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଏ ପୋକକୁ  ଗଜାଈ,ଗିଜାଈ,ଗିଝାଈ,ଗଜାଈ,ଗିଂଜାଇ, ଗୀଜ୍ ଗୀଜାଈ ଓ ଗୋଜର ଆଦି କୁହାଯାଏ। ଏ ସମସ୍ତ ଶବ୍ଦଗୁଡ଼ିକ ସମ୍ଭଵତଃ କୌଣସି ଏକ ମୂଳରୁ ଜାତ ହୋଇଥିଵେ ତେଣୁ ପାରସ୍ପରିକ ସାମ୍ଯତା ଦୃଶ୍ୟ ହୋଇଥାଏ । ସମ୍ଭଵତଃ ଏହା ଗଜରା ଶବ୍ଦ ସମଦ୍ଧୃତ ହୋଇଥିଵ କାରଣ ଏହା ଆଘାତ ପାଇଲେ ଯାକି ହୋଇଯାଏ  ଓ ସ୍ତ୍ରୀଙ୍କର ଖୋସାରେ ଗଜରା ଭଳି ଦୃଶ୍ୟ ହୁଏ ।

ତେଲୁଣି ପୋକକୁ ଉତ୍ତର ଭାରତର ଵିଭିନ୍ନ କଥିତ ଭାଷାରେ  ଧିନାଇଁ,ଗାୟ୍ ଗ୍ଵାଲନ୍,ଗ୍ଵାଲିନ୍,ଭୁଇଲୀ(ଭୋଜପୁରୀ),
ଗାଁଡଗୌଵାର(ଝାଡ଼ଖଣ୍ଡ) ଓ ଗଣଗୋଆର(ବିହାର) ଇତ୍ୟାଦି ମଧ୍ୟ କୁହାଯାଇଥାଏ ।

ଆପଣଙ୍କ ଅଞ୍ଚଳରେ ତେଲୁଣି ପୋକକୁ କ'ଣ କୁହନ୍ତି ଜାଣିଥିଲେ ଏଠାରେ ନିଶ୍ଚୟ ଜଣାନ୍ତୁ ।

ଉଦବୋଧନୀ–ଲକ୍ଷ୍ମୀକାନ୍ତ ମହାପାତ୍ର

ଉଡାଇ ନିଶାଣ ବଜାଇ ଭେରୀ ଜଗାଇ ଵିପୁଳ―ପୁଲକ―କମ୍ପ
ମନ୍ତ୍ର―ପୂତ―ଅନଳ ଭେଦି ଏ ଜାତି ଯେଦିନ ଦେଲାରେ ଲମ୍ଫ

ଉଠିଲା ଗର୍ଜି ଦୀପ୍ତ―ଅଶନି ସଘନେ ଗଗନ―ଵକ୍ଷେ
ସୌର―ଜଗତ ସ୍ତମ୍ଭିତ ହୋଇ ରହିଲା ମୁଗ୍ଧ―ଚକ୍ଷେ ।

ଚୂର୍ଣ୍ଣ କିରଣ ଶୈଳ―ଶିଖର ମନ୍ଥି କରାଳ―ଅତଳ―ସିନ୍ଧୁ
ଵିଶ୍ଵ―ଵିଜୟ କରିଲା ଯେ ଦିନ ଝଞ୍ଜା―ସମାନ ପ୍ରଵଳ ହିନ୍ଦୁ;

ଅରାତି ରକ୍ତେ ରଞ୍ଜି ଖଡଗ ସ୍ଥାପିଣ ଯେ ଦିନ ଧର୍ମ―ରାଜ୍ୟ
ବୁହାଇ ତପ୍ତ―ଶୋଣିତ―ଧାରା ଅଵନି―ଭରା ରହିଲା ଆର୍ଯ୍ୟ;

ଉଠିଲା ଗର୍ଜି ଦୀପ୍ତ―ଅଶନି ସଘନେ ଗଗନ―ଵକ୍ଷେ
ସୌର―ଜଗତ ସ୍ତମ୍ଭିତ ହୋଇ ଚାହିଁଲା ମୁଗ୍ଧ―ଚକ୍ଷେ ।

ଭୈରଵ―ରବେ ହୁଙ୍କାର ଛାଡ଼ି ଟଳାଇ ମେରୁ କିରଣ ଦମ୍ଭ
ସପ୍ତ―ସାଗର―ପ୍ରାନ୍ତେ ଏ ଜାତି ପୋତି ଯେ ଦିନ କୀରତି ସ୍ତମ୍ଭ;

ଵିରାଟ―ଧ୍ଵଂସ―ପୁଞ୍ଜ ଉପରେ ଵିରଚି ନିତ୍ଯ―ନୂତନ―ସୃଷ୍ଟି
ଯେଦିନ ଏ ଜାତି ଚରମ―ସତ୍ୟ ଦେଖିଲା ଲଗାଇ ପରମ ଦୃଷ୍ଟି;

ଉଠିଲା ଗର୍ଜି ଦୀପ୍ତ―ଅଶନି ସଘନେ ଗଗନ―ଵକ୍ଷେ
ସୌର―ଜଗତ ସ୍ତମ୍ଭିତ ହୋଇ ଚାହିଁଲା  ମୁଗ୍ଧ―ଚକ୍ଷେ ।

【ଏକ ପୁସ୍ତକରୁ ସଂଗୃହୀତ ©କଵି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ରଚିତ ଏହି ଜାତୀୟ କଵିତାର ନାମୋଲ୍ଲେଖ ସେଠାରେ ହୋଇନାହିଁ】

Monday, June 8, 2020

ଯେତେବେଳେ ଵିପତ୍ତି ଆସେ ପଙ୍ଗପାଳ ଆସନ୍ତି

ଯେତେଵେଳେ ସବୁପ୍ରକାରର ଵିପତ୍ତି ଆସେ ନଗର ଗ୍ରାମ ଉପରେ ପଙ୍ଗପାଳ ଆକ୍ରମଣ କରିଥାଆନ୍ତି । ପଙ୍ଗପାଳ ଏମିତି ଏକ ପୋକ ଯିଏ ଦଳବଦ୍ଧ ହୋଇ ଦେଶ ଉପରେ ଆକ୍ରମଣ କରନ୍ତି ।

ଏମାନଙ୍କୁ ଛଅଗୋଟି ଭିତ୍ତି ଵା ଵିପଦ ମଧ୍ୟରେ ଗୋଟିଏ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ଓଡ଼ିଆ ଭାଷାରେ ପଙ୍ଗ = ପତଙ୍ଗ,ଏଠାରେ ପତଙ୍ଗ ଶବ୍ଦରୁ 'ତ' ଵର୍ଣ୍ଣ ଲୁପ୍ତ ହୋଇଅଛି ଏଵଂ ପାଳ ଶବ୍ଦର ଅର୍ଥ ଏଠାରେ ଦଳ,ପହ୍ଲ,ସମୂହ ଓ ପଙ୍କ୍ତି ଅଟେ ।

ଏ ପତଙ୍ଗ ଦଳ ଦଳ ହୋଇ ଆସୁଥିଵାରୁ ଓଡ଼ିଶାରେ ଏମାନଙ୍କୁ ପଙ୍ଗପାଳ କୁହାଗଲା ।  ଏମାନଙ୍କୁ ଘୋଡ଼ାପୋକ, ଫଁପା,ଶୁଆ ଝିଣ୍ଟିକା ଇତ୍ୟାଦି ବି କୁହାଯାଏ ।

ପଙ୍ଗପାଳ ହେଉଛି Acrididae ପରିବାରର ଛୋଟ ଶିଙ୍ଗର ଏକ ଵିଶେଷ ପ୍ରଜାତି, ଯାହାର ଜୀବନଚକ୍ରରେ ଗୋଷ୍ଠୀ କିମ୍ବା ପଲ ପ୍ରକ୍ରିୟା ହଟାତ୍ ଉଦ୍ରେକ ହୋଇଥାଏ | ଏହି କୀଟମାନେ ସାଧାରଣତଃ ଏକାକୀ ରୁହନ୍ତି କିନ୍ତୁ ଵିଶେଷ ପରିସ୍ଥିତିରେ ସେମାନେ ଏକାଠି ହୁଅନ୍ତି | ତା’ପରେ ସେମାନଙ୍କର ଆଚରଣ ଏବଂ ଅଭ୍ୟାସ ବଦଳିଯାଏ ଏବଂ ସେମାନେ ଦୃତପ୍ରଜନନ ଓ ଦଳଗଠନ କରିଵା ଆରମ୍ଭ କରିଦିଅନ୍ତି | ଯେତେଵେଳେ ଜୀଵ ଦୃତ ପ୍ରଜନନ କରିଵା ଆରମ୍ଭ କରନ୍ତି ସେମାନେ ଅନ୍ୟ ସ୍ଥାନକୁ ଖାଦ୍ୟଦ୍ରଵ୍ଯ ପାଇଁ ଆକ୍ରମଣ କରନ୍ତି । ପଙ୍ଗପାଳଙ୍କ କ୍ଷେତ୍ରରେ ମଧ୍ୟ ଏହା ହିଁ ଘଟିଥାଏ । ମନୁଷ୍ଯାଦି ପୃଥିଵୀରେ ସବୁ ଜୀଵଙ୍କ ଉପରେ ଏଇ ନିୟମ ଲାଗୁହୁଏ ।

ପଙ୍ଗପାଳ ଏବଂ ଝିଣ୍ଟିକା ମଧ୍ୟରେ କୌଣସି ପୃଥକ ଶ୍ରେଣୀକରଣ ନାହିଁ | ମୁଖ୍ୟ ପାର୍ଥକ୍ୟ ହେଉଛି ପଙ୍ଗପାଳମାନଙ୍କର ପ୍ରଜାତିର ସ୍ୱତନ୍ତ୍ର ପରିସ୍ଥିତିରେ ଏକାଠି ହେବାର ପ୍ରବୃତ୍ତି |

ଏହି ତୃଣଭୋଜୀମାନେ ଏକାକୀ ଥିଵାଵେଳେ କ୍ଷତିକାରକ ନୁହଁନ୍ତି, ସେମାନଙ୍କ ସଂଖ୍ୟା ବହୁତ କମ୍ ଏବଂ କୃଷି ପାଇଁ କୌଣସି ବଡ଼ ଆର୍ଥିକ କ୍ଷତି ଘଟାଏ ନଥାନ୍ତି | ତେଵେ ମରୁଡ଼ି ପରେ ଫସଲର ଦ୍ରୁତ ଅଭିବୃଦ୍ଧି ପୁଣି ସେମାନଙ୍କ ମସ୍ତିଷ୍କରେ ସେରୋଟୋନିନ୍ ନାମକ ତତ୍ଵ ଵୃଦ୍ଧି ହେତୁ ସେମାନଙ୍କ ମଧ୍ୟରେ ଆଚରଣଗତ ପରିଵର୍ତ୍ତନ ଆରମ୍ଭ ହୋଇଯାଏ  |

ଫଳସ୍ୱରୂପ, ସେମାନେ ବହୁ ସଂଖ୍ୟାରେ ଏବଂ ଶୀଘ୍ର ପ୍ରଜନନ କରିଵା ଆରମ୍ଭ କରିଦିଅନ୍ତି | ତା’ପରେ ସେମାନେ ଏକାଠି ରୁହନ୍ତି, ଯେତେବେଳେ ସେମାନଙ୍କର ସଂଖ୍ୟା ଅଧିକ ହୁଏ ସେମାନେ ଅଧିକ ଖାଦ୍ୟ ପାଇଁ  ଯାଯାବର ହେଵାକୁ ବାଧ୍ୟ  ହୁଅନ୍ତି |

ବିଂଶ ଶତାବ୍ଦୀରେ ପଙ୍ଗପାଳଙ୍କ ଗୋଷ୍ଠୀ ଗଠନ କରିଵାର ପ୍ରବୃତ୍ତି ହ୍ରାସ ପାଇଛି, କିନ୍ତୁ ଆଧୁନିକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ପଙ୍ଗପାଳ ଅନୁକୂଳ ପରିସ୍ଥିତିରେ ଯେକୌଣସି ସମୟରେ ଗୋଷ୍ଠୀ ଗଠନ କରି ଦୁର୍ଭିକ୍ଷର ସମ୍ଭାବନା ସୃଷ୍ଟି କରିପାରେ । ସମ୍ପ୍ରତି ପଙ୍ଗପାଳ ଆକ୍ରମଣ ତହିଁର ଏକ ଉଦାହରଣ ।

ପଙ୍ଗପାଳର ଆକ୍ରମଣର ଇତିହାସ ବହୁତ ପୁରୁଣା | ଏକ ଲୋକଵିଶ୍ଵାସ ଅନୁସାରେ ପ୍ରାଚୀନ ମିଶରୀୟମାନେ ସେମାନଙ୍କଠୁ ରକ୍ଷା ପାଇଵାପାଇଁ ସେମାନଙ୍କୁ କବରରେ କବର ଦେଉଥିଲେ । ଏମାନଙ୍କ ଵିଷୟରେ ଭାରତୀୟ ପୁରାଣ, ଗ୍ରୀକ ପୁରାଣ ଇଲିୟଡ୍, ବାଇବେଲ ଏବଂ କୁରାନରେ ଉଲ୍ଲେଖ କରାଯାଇଛି |

୧୯୫୮ରୁ ୬୨ ମଧ୍ୟରେ ଚୀନରେ ଚାରିକୀଟ ଅଭିଯାନ ଯୋଗୁଁ ଅନେକ ପକ୍ଷୀଙ୍କୁ ମାରିଦିଆଯାଇଥିଲା । ଚୀନର ରାଷ୍ଟ୍ରନେତା  ମାଓ ସେ ତୁଙ୍ଗ୍ ସ୍ଥାନୀୟ ଲୋକଙ୍କୁ ମୂଷା,ମାଛି,ପକ୍ଷୀ ଓ ମଶାଙ୍କୁ ମାରିଦେଵାକୁ ପଵର୍ତ୍ତାଇଲେ । ଫଳରେ ଲକ୍ଷ ଲକ୍ଷ ସଂଖ୍ୟାରେ ପକ୍ଷୀଙ୍କୁ ନିର୍ମମ ଭାଵେ ମାରିଦିଆଗଲା । ପକ୍ଷୀ ମଲାରୁ ଅନେକ ପ୍ରକାରର ପୋକଜୋକଙ୍କର ବଂଶ ବଢି଼ଗଲା । ଏପଟେ ପକ୍ଷୀଙ୍କ ସଂଖ୍ୟା କମିଵାରୁ ପଙ୍ଗପାଳମାନେ ଚୀନ ଦେଶର ଶସ୍ଯକ୍ଷେତ୍ର ଉପରେ ଏମନ୍ତ ଭୀଷଣ ଆକ୍ରମଣ କଲେ ଯେ ସେ ଦେଶରେ କୋଟି କୋଟି ଲୋକ ଖାଦ୍ଯାଭାଵ ଯୋଗୁଁ ମରିଗଲେ ।

ଏଇଭଳି ଭାବେ ଈହୁଦୀ ଧର୍ମଗ୍ରନ୍ଥର  ମୋସାଙ୍କ ଉପାଖ୍ୟାନରେ ପଙ୍ଗପାଳଙ୍କ ଆକ୍ରମଣ ଵିଷୟରେ ଉଲ୍ଲେଖ ରହିଛି । ସେହି କଥା ସଂକ୍ଷେପରେ ଉଲ୍ଲେଖ କରାଗଲା...

୧୨୦୦ରୁ ୧୭୦୦ ଶତାବ୍ଦୀ ମଧ୍ୟରେ ୟୁରୋପରେ ଈହୁଦୀମାନଙ୍କୁ ପ୍ଲେଗ ରୋଗ ବାହକ କହି ଘୃଣା କରାଯାଉଥିଲା । ବାଇବେଲର ଏଇ କାହାଣୀ ଯୋଗୁଁ ଏମନ୍ତ ଵିଚାର କରାଯାଏ ।

ଖ୍ରୀଷ୍ଟ ଜନ୍ମର ଶହ ଶହ ଵର୍ଷ ପୂର୍ଵେ  ଅଧିକାଂଶ ଈହୁଦୀ ଶ୍ରମିକ ଥିଲେ । କୁହାଯାଏ ମିଶରର ପିରାମିଡ଼ ଏଇମାନଙ୍କୁ ଗୋତି ଖଟେଇ ନିର୍ମାଣ ହୋଇଥିଲା । ଏ ଵିଷୟରେ ଗୋଟିଏ କଥା ଅଛି ଯାହା ବାଇବେଲ ଓ କୋରାନରେ ମଧ୍ୟ ରହିଛି ।

ମୋସା ଵା ମୁସା ଈହୁଦୀମାନଙ୍କର ପୈଗମ୍ବର ତେଵେ ଖ୍ରୀଷ୍ଟିଆନ ଓ ମୁସଲମାନମାନେ ବି ତାଙ୍କୁ ପୈଗମ୍ବର ଭାଵେ ଗ୍ରହଣ କରିଛନ୍ତି । ଈହୁଦୀମାନଙ୍କ ଵିଷୟରେ କାହାଣୀ ରହିଛି ସେମାନେ ଆଗେ ମିଶରରେ ରାମଶେସ ନାମକ ସମ୍ରାଟ ଅଧିନରେ ଗୋତି ଶ୍ରମିକ ଭଳି ଖଟୁଥିଲେ । ସାରା ଈହୁଦୀସମାଜ ମିଶରୀୟ ଲୋକଙ୍କ ଅଧିନରେ ରହି ପିରାମିଡ଼ ଇତ୍ୟାଦି ନିର୍ମାଣ କରୁଥିଲା ।

ମୋସା ଏକ ଈହୁଦୀ ପରିଵାରରେ ଜନ୍ମ ହୋଇଥିଲେ କିନ୍ତୁ ତାଙ୍କୁ ବଞ୍ଚେଇଵା ପାଇଁ ତା ମାଆ ନଦୀରେ ଭସେଇ ଦେଇଥିଲା ।

ନଦୀରେ ଭାସିଯାଉଥିଵାଵେଳେ ମିଶର ସମ୍ରାଟଙ୍କର ଭଗିନୀ ତାକୁ ଆଣି ପାଳିଵାକୁ ଲାଗିଲା ।

ମୋସା ଓ ରାମଶେସ୍ ଭାଇ ଭଳି ବଢି଼ଲେ ଏଵଂ ଥରେ ମୋସା ,ରାମଶେସକୁ ଯୁଦ୍ଧରେ ବଞ୍ଚାଇ ବି ଥିଲେ ।

କିନ୍ତୁ ରାମଶେସ ନିଜର ପ୍ରକୃତ ପରିଚୟ ଜାଣିପାରି ଈହୁଦୀମାନଙ୍କ ପ୍ରତି ସଦୟ ହେଵାକୁ ଲାଗିଲେ ।

ସେତେଵେଳେ ରାମଶେସ ମିଶରର ସମ୍ରାଟ ହେଲା ।

ସେ କୌଣସି ମତେ ମୋସା ଈହୁଦୀ ବୋଲି ଜାଣିପାରି ତାଙ୍କୁ ମାରିଦେଵାକୁ ଉଦ୍ଯମ କଲା ।

ଜଣେ ଘାତକ ଦ୍ଵାରା ମୋସାଙ୍କୁ
ମରୁଭୂମିରେ ମାରିଦେଵାକୁ ଚେଷ୍ଟା ହେଲା କିନ୍ତୁ ମୋସା ତାକୁ ମାରି ଦେଇ ସେଠାରୁ ପୂର୍ଵ ଦିଗକୁ ଅର୍ଥାତ୍ ଆରବ ଓ ଆଧୁନିକ ଇସ୍ରାଏଲ୍ ଆଡକୁ ଚାଲିଗଲେ ।

କୁହାଯାଏ ସେ ପ୍ରଥମ ପୈଗମ୍ବର ନୋଆଙ୍କ ପର୍ଵତ ପାଖରେ ଏକ ଆରବୀ କବିଲା ସହିତ ରହିଵାକୁ ଲାଗିଲେ ।

ସେ ଵିଵାହ କଲେ ଓ ତାଙ୍କର ଗୋଟାଏ ପୁଅ ବି ହେଲା ।

ଦିନେ ନୋଆ ପର୍ଵତକୁ ଗୋଟାଏ ମେଣ୍ଢାଛୁଆ ଚାଲିଯିଵାରୁ ସେ ସେଠାରୁ ତାକୁ ଆଣିଵାକୁ ଗଲେ ।

ସେଠି ଈଶ୍ବରଙ୍କ ସହିତ ତାଙ୍କର ଭେଟ ହେଲା ।

ଭଗଵାନ ତାଙ୍କୁ ଛୋଟ ପିଲା ରୂପରେ ଭେଟି ନିଜ ଭାଇ ଭଉଣୀଙ୍କର ରକ୍ଷା ହେତୁ ମିଶର ଫେରିଵାକୁ ନିର୍ଦ୍ଦେଶ ଦେଲେ...

ମୋସା ମିଶର ଗଲେ
ସବୁ ଈହୁଦୀମାନଙ୍କୁ ଏକ କଲେ ।

ସେ ରାମଶେସଙ୍କୁ ବହୁତ ବୁଝେଇଲେ କିନ୍ତୁ ସେ ନବୁଝିଵାରୁ ତା ଵିରୋଧରେ ଵିଭିନ୍ନ ଉପାୟରେ ଆକ୍ରମଣ କଲେ ।

କିନ୍ତୁ ଏହାର ଫଳ ହେଲା ଓଲଟା ...

ଈହୁଦୀମାନେ ଆହୁରି ଅତ୍ଯାଚାରିତ ହେଲେ...

ଦିନେ ମୋସା ଭଗଵାନଙ୍କୁ ନିନ୍ଦା କରିଲାରୁ ଈଶ୍ବରଙ୍କର କ୍ରୋଧ ଜାତ ହେଲା

ସେ ମୋସାକୁ କହିଲେ ଏଵେ ତମେ କିଛି କରନାହିଁ ଯାହା କରିଵି ମୁଁ କରିଵି...

ତହିଁପରଦିନ ନୀଳନଦୀର କୁମ୍ଭୀରମାନେ ପାଗଳ ଭଳି ଜଳଜାହଜ ଉପରକୁ ଆକ୍ରମଣ କଲେ । ବହୁ ଲୋକଙ୍କୁ ମାରି ଖାଇଲେ । ସେମାନେ ଖାଦ୍ୟ ପାଇଁ ପରସ୍ପର ଉପରେ ବି ଆକ୍ରମଣ କଲେ । ଫଳରେ ନୀଳନଦୀରେ ଖାଲି ରକ୍ତ ଭାସିଲା  ।

ନୀଳନଦୀର ପାଣି ମିଶରଦେଶୀୟ ଶସ୍ଯକ୍ଷେତ୍ରରେ ସିଞ୍ଚନ ହେଉଥିଵାରୁ ରକ୍ତିମଜଳ ଯୋଗୁଁ ଶସ୍ଯାଦି ପାଦପ ପଚି ନଷ୍ଟ ହୋଇଗଲେ ।

ନୀଳନଦୀର ଜଳ ଦୂଷିତ ହେଲାରୁ ବେଙ୍ଗମାନେ ନଦୀରୁ ବାହାରି ସହର ଭିତରେ ପଶିଗଲେ । ଚାରିଆଡ଼େ ଖାଲି କୁଢ଼ କୁଢ଼ ବେଙ୍ଗ । ଏତେ ବେଙ୍ଗ ଯେ ରାମଶେସର ରାଜମହଲ ଭିତରେ ବି ବେଙ୍ଗ ପଶିଗଲେ ।

କିନ୍ତୁ ଖାଦ୍ୟ ଅଭାଵରେ ବେଙ୍ଗ ସବୁ ମରିଵାକୁ ଲାଗିଲେ । ବେଙ୍ଗ ମଲାରୁ ତାଙ୍କୁ ଖାଇଵାକୁ ଵିଶାକ୍ତ ମାଛିମାନଙ୍କର ଆଵିର୍ଭାଵ ହେଲା ...

ବେଙ୍ଗ ମାଂସ ଶେଷ ହେଲାରୁ ସେ ମାଛିମାନେ ମଣିଷ ଓ ପଶୁଧନ ଉପରେ ଆକ୍ରମଣ କରି ଭୀଷଣ ଧନଜୀଵନ କ୍ଷତି ଘଟାଇଲେ...

ମାଛିଙ୍କ ଆକ୍ରମଣ ଯୋଗୁଁ ଯେଉଁମାନେ କ୍ଷତାକ୍ତ ହେଲେ ସେମାନଙ୍କ ମଧ୍ୟରେ ମହାମାରୀ ଵ୍ଯାପିଲା । ବହୁତ ଲୋକଙ୍କ ଦେହରେ ଘାଆ ହେଇଗଲା ।

ଈଶ୍ବରଙ୍କ ରାଗ କିନ୍ତୁ ତଥାପି ଶାନ୍ତ ହୋଇନଥାଏ । ତହିଁପରେ ପଙ୍ଗପାଳ ଦଳଙ୍କର ଆଗମନ ହେଲା । ସେମାନେ ମିଶର ଦେଶର ଗଛଵୃଛରୁ ପତ୍ର ଖାଇ ଲଣ୍ଡା କରିଦେଲେ ।

ମିଶରର ଲୋକେ ଖାଇଵା ଅଭାଵରେ ଆଉଟୁପାଉଟୁ ହୋଇ ପରସ୍ପର ମଧ୍ୟରେ ଲଢେ଼ଇ କରିଵାକୁ ଲାଗିଲେ ।

ହଟାତ୍ ଫାଟୁଆ ଭଳି ଅଜଣା ରୋଗରେ ଅନେକ ଗୋରୁଗାଈଙ୍କର ମୃତ୍ୟୁହୋଇଗଲା ।

ଇତିମଧ୍ୟରେ ମୋସାଙ୍କର ଆଉଥରେ ଈଶ୍ବରଙ୍କ ସହିତ ଭେଟ ହେଲା । ଭଗଵାନଙ୍କୁ ମୋସା କହିଲେ ଆପଣ କେଵଳ ମିଶରୀୟଙ୍କୁ ହିଁ ନୁହେଁ ଆମ୍ଭମାନଙ୍କୁ ମଧ୍ୟ ଦଣ୍ଡ ଦେଉଛନ୍ତି । ତାଙ୍କ ସହିତ ଆମ୍ଭେ ବି ଅତ୍ଯାଚାରିତ ହେଉଅଛୁ ।

ତହୁଁ ଈଶ୍ୱର ମୋସାଙ୍କୁ କହିଲେ,
ମୁଁ ଯାହା କହୁଛି ଧ୍ଯାନପୂର୍ଵକ ଶୁଣ...

ମୁଁ କାଲି କିଛି ସମୟପାଇଁ ପାପଛାୟାକୁ ମୁକ୍ତ କରିବି । ସେ ପାପଛାୟା ଯୋଗୁଁ ଶିଶୁମାନଙ୍କର ମୃତ୍ୟୁ ହେଵ...

ମୋସା ଈଶ୍ବରଙ୍କ ସହ ଅସହମତ ହୋଇ ସେଠାରୁ ଚାଲିଗଲେ । ସେ ପ୍ରଥମେ ରାମଶେସକୁ ଆଗତ ଵିପଦ କଥା ଜଣାଇଵାକୁ ଚେଷ୍ଟା କରି ଵିଫଳ ହେଲାରୁ ସବୁ ଈହୁଦୀଙ୍କୁ କହିଲେ କାଲି ରାତିରେ ଭଗଵାନ ସବୁ ପିଲାଙ୍କୁ ମାରିଦେଵେ । ତୁମେମାନେ ଭଗଵାନଙ୍କ ପ୍ରିୟ ଜୀଵ ମେଣ୍ଢା(ଇସ୍ଲାମରେ ଗାଈ 😏)କୁ ମାରି ତା ରକ୍ତ ତମ ଘର ଆଗରେ ଲଗେଇ ଦିଅ । ମୁଁ ଭାବୁଛି ଏହା ଦ୍ଵାରା ଭଗଵାନଙ୍କ ଦ୍ଵାରା ପଠାଯାଇଥିଵା ପାପଛାୟା ତୁମ ଘରକୁ ପଶିଵ ନାହିଁ । ଈହୁଦୀମାନେ ସେଇଆ କଲେ ।

ରାତିରେ ରାମଶେସର ନଵଜାତ ଶିଶୁ ସହ ଅନେକ ମିଶରୀୟ ଲୋକଙ୍କ ସନ୍ତାନ ମରିଗଲେ । ଶେଷରେ ବାଧ୍ୟ ହୋଇ ରାମଶେସ୍ ଇହୁଦୀମାନଙ୍କୁ ସ୍ଵାଧୀନ କଲା । ରାମଶେସ୍ ଠାରୁ ମୁକୁଳି ସବୁ ଈହୁଦୀ ତାଙ୍କ ପୂର୍ଵଜଙ୍କ ଦେଶ ଇସ୍ରାଏଲ୍ ଆଡକୁ ଅଗ୍ରସର ହୋଇଗଲେ ଓ ଶହ ଶହ ଵର୍ଷ ସେଠାରେ ଶାସନ କରିଲା ଉତ୍ତାରୁ ଜଣେ ଈହୁଦୀ ଧର୍ମଯାଜକ ଯୀଶୁଙ୍କ ମୃତ୍ୟୁ ପରେ ରୋମ ସମ୍ରାଟଙ୍କ ଭଳି ତାଙ୍କର ଅନେକ  ଅନୁଗାମୀଙ୍କ ଦ୍ଵାରା ଈହୁଦୀଙ୍କ ସ୍ଵର୍ଣ୍ଣଯୁଗ ସାଙ୍ଗ ହୋଇଗଲା ।

ଆମେ ଜାଣିଛେ ଯେ ଏହାର ଦୁଇ ସହସ୍ର ଵର୍ଷପରେ ହିଟଲର ଯୋଗୁଁ ଈହୁଦୀମାନେ ଅତ୍ଯାଚାର ହୋଇଥିଲେ ହେଁ ପୁଣିଥରେ ନିଜର ଦେଶକୁ ଗଢ଼ପାରିଛନ୍ତି ଏଵଂ ଏକ ଶକ୍ତିଶାଳୀ ରାଷ୍ଟ୍ରର ନିର୍ମାଣରେ ସଫଳ ବି ହୋଇଛନ୍ତି ...