ଗୋଟିଏ ଗାଆଁରେ ଏକ ବରଗଛ ଥାଏ ଯେ
ତହିଁରେ ଗୋଟାଏ ବ୍ରହ୍ମରାକ୍ଷସ ରହୁଥିଲା ।
ସେ ବରଗଛକୁ ଲାଗି ଜଣେ ଯୋଗୀର ଘର ଥାଏ । ବ୍ରହ୍ମରାକ୍ଷସ ଟା ଯୋଗୀର ସାରା କୁଟୁମ୍ବକୁ ଖାଇଛି ହେଲେ ବିହନ ବୋଲି 
ଖାଲି ସେ ଯୋଗୀକୁ ଛାଡିଦେଇଥାଏ । 
ସେ ଯୋଗୀ ଥିଲା ଯେ ସେ ଅଭିଆଡିଆ....
ତା ଜାତି ଭାଇ ଲାଗି ଲାଗି ତା’ର ବିହା କରାଇ ଦେଲେ ।
କିନ୍ତୁ ଯୋଗୀର ସ୍ତ୍ରୀ ବଡ଼ କଳିହୁଡୀ଼....
ଯୋଗୀକୁ ନିର୍ଦ୍ଧୁମ ପିଟେ 
ଏଣେ ଯୋଗୀ ଛାଞ୍ଚୁଣୀ ମାଡ଼ ଖାଇଲା 
ବେଳକୁ ତେଣେ ବରଗଛ ଉପରେ 
ଥିବା ବ୍ରହ୍ମରାକ୍ଷସ ର ଏକ ଦୁଇ ହେଇଯାଏ ।
ଦିନେ ଯୋଗୀକୁ କିଛି ମିଳିଲାନି 
ସହଜେ ସେ ବର୍ଷ ମରୁଡ଼ି 
ଲୋକେ ଖୁଦ ମୁଠାଏ ବି ପାଉନାହାନ୍ତି 
ଆଉ ତହିଁରେ ପୁଣି ଯୋଗୀକୁ ଦାନ କ’ଣ ଦେବେ ।
ସେ ଦିନ ଯୋଗୀ ଡରିକରି ଆଉ ଘରକୁ ନଫେରି 
ସେ ବରଗଛ ମୂଳେ 
ଛକି ବସିଲା ।
ରାତି ଉଛୁର ହେଲାରୁ 
ଗଛରୁ ତଳକୁ ଓହ୍ଲାଇ ଗଛ ମୂଳରେ ଶୋଇଗଲା ।
ଯୋଗୀର ସ୍ତ୍ରୀ ପାହାନ୍ତି ପହରରେ 
ଉଠି ଯୋଗୀକୁ ବାହାରେc ଶୋଇଥିବାର 
ଦେଖି ବହେ ରାଗିଗଲା ।
ସେ କି ଆଉ ରହୁଛି......! 
ଦେଶରେ ଯେତକ ସ୍ତ୍ରୀସୁଲଭ ଗାଳୀ 
ସବୁ କବିତା ଭଳି ଗାଇଗଲା 
ହେଲେ ତା ରାଗ କଉ ଶାନ୍ତ ହେଉଛି
ଦାଣ୍ଡ ଓଳେଇବାକୁ ଆଣିଥିବା 
ଛାଞ୍ଚୁଣୀରେ ଯୋଗୀକୁ 
ବହେ ପିଟିଲା ଏତେ ପିଟିଲା ଯେ 
ଯୋଗୀ ଭାବିଲା 
ଆଜି ତା’ ଜୀବନ ଗଲା...
ଯୋଗୀ ପ୍ରାଣ ବିକଳରେ ଦୌଡ଼ି ପଳାଇଲା ପଛେ ପଛେ ତା ସ୍ତ୍ରୀ ତାକୁ ମାରିବାକୁ ଗୋଡାଇ ଥାଏ ।
ଗଛ ଉପରେ ବସି ଏସବୁ ଘଟଣା ମାନ ଦେଖି 
ବ୍ରହ୍ମ ରାକ୍ଷସ ର ଏଣେ ହଣ୍ଡଲପାଣି ....
ଯୋଗୀର ସ୍ତ୍ରୀ ଛାଞ୍ଚୁଣୀଟାକୁ ଯୋଗୀ ଆଡକୁ ମାରିଲା ବେଳକୁ 
ତାହା ଯାଇ ଗଛ ଉପରେ ବସିଥିବା 
ବ୍ରହ୍ମରାକ୍ଷସ ଉପରେ ବାଜିଲା 
ଡରରେ ସେ ଗଛ ଛାଡ଼ି ପଳାଇଲା....
ଆଗେ ଆଗେ ଯୋଗୀ ଦୌଡୁଥାଏ 
ତା ପଛରେ ବ୍ରହ୍ମରାକ୍ଷସ 
ଏବଂ ତାଙ୍କ ପଛକୁ ଯୋଗୀର ସ୍ତ୍ରୀ....
ଦୁହେଁ ଗୁଡାଏ ଦୂରକୁ ପଳେଇଲେ 
ଯୋଗୀ ର ସ୍ତ୍ରୀ ପଛରେ ରହିଗଲା....
କିଛି ବାଟ ଗଲାପରେ 
ଯୋଗୀ ଓ ବ୍ରହ୍ମରାକ୍ଷସ ଦୁହେଁ 
ଏକ ସ୍ଥାନରେ ପରସ୍ପରକୁ ଦେଖି ରହିଗଲେ 
ଯୋଗୀ ତ ବ୍ରହ୍ମରାକ୍ଷସ କୁ ଦେଖି 
ଏକାବେଳକେ ବେହୋସ....
ବହୁତ ସମୟ ପରେ 
ଯୋଗୀ ର ହୋସ୍ ଫେରିଲାରୁ 
ବ୍ରହ୍ମରାକ୍ଷସ କୁ ନିଜ ପାଖରେ ଦେଖି 
ସେ ସାମାନ୍ୟ ଇତଃସ୍ତତ ହେବାକୁ ଲାଗିଲା ।
ତହୁଁ ବ୍ରହ୍ମରାକ୍ଷସ କହିଲା....
ହଇରେ ଯୋଗୀ 
ତୋ ବୋପା ଅଜା ତିନିପୁରୁଷଙ୍କୁ ମୁଁ ଖାଇ ତୋତେ ଛାଡ଼ି ଦେଇଥିଲି ଯେ ତୁଟା ଏତେ ଅଲାଜୁକିଆ ହେଲୁ 
ପୁଣି ମାଇପ ହାତରୁ ମାଡ଼ ଖାଉଛୁ ..?
ଯୋଗୀ ଟା ଦୁଃଖରେ କହିଲା 
ଆଉ ମୋତେ କାହିଁକି ଛାଡିଛ ? 
ଏଇଲେଁ ଗିଳି ଦେଉନାହଁ....? 
ମୋର ଆଉ ବଞ୍ଚିବାର ଜମାରୁ ଇଛା ନାହିଁ....
ବ୍ରହ୍ମ ରାକ୍ଷସ ତାକୁ ବୋଧ ଦେଇ କହିଲା...
“ତୋତେ ମୁଁ ଖାଇବିନି ଯେ 
ଗୋଟାଏ କଥା କରିବୁ ଯଦି ତୁ ବଡ଼ ଖୁସିରେ 
ରହିବୁ ଯେ”
ଯୋଗୀ ସେକଥା ଶୁଣିବାକୁ ଆଗ୍ରହ କଲାରୁ 
ବ୍ରହ୍ମରାକ୍ଷସ ପୁଣି କହିଲା’
ଦେଖେ, ମୁଁ ଯାଇ ମନ୍ତ୍ରୀଝିଅକୁ ଲାଗିବି 
ତୁ ଗୁଣିଆ ହୋଇ ମୋତେ ଛଡେଇବୁ 
ମନ୍ତ୍ରୀ ତୋତେ ଅନେକ ଧନସମ୍ପଦ ଦେବେ
ତୁ ସେ ଦେଶ ଛାଡି ତକ୍ଷଣ ଚାଲିଯିବୁ 
ତାପରେ ମୁଁ
ରଜାଙ୍କ ଝିଅକୁ ମୁଁ ଭଲପାଏ ତା ଠେଇ ଲାଗିବି’
ହେଲେ ହୁସିଆର ତୁ ଯେନ୍ତି ସେଠାକୁ ନଯାଉ 
ନହେଲେ ତୋତେ ସେଇଠି ଗୋଟା ଗିଳିଦେବି”
ଯୋଗୀ ରାଜି ହୁଅନ୍ତେ 
ବ୍ରହ୍ମ ରାକ୍ଷସ ଯାଇ ମନ୍ତ୍ରୀ ଝିଅଠେଇଁ ଲାଗିଲା...
ଅନେକ ଗୁଣିଆ ଆସି ମଧ୍ୟ ତାକୁ ଭଲ ନକରିପାରିବାରୁ 
ମନ୍ତ୍ରୀ ଦେଶ ଯାକରେ ନାଗରା ଦେଇଦେଲେ 
ଯେ ତାଙ୍କ କନ୍ୟାକୁ ଭଲ କରିଦେବ 
ତାକୁ ରାଜାଙ୍କ ଠାରୁ ପ୍ରାପ୍ତ ଜମିଦାରୀ ଦେବେ....
ତହୁଁ ଯୋଗୀ ଜଣେ ଗୁଣିଆ ରୂପ ଧରି 
ମନ୍ତ୍ରୀ ଘରକୁ ଗଲା 
ମନ୍ତ୍ରୀ ଝିଅ କାନରେ 
ମିଛିମିଛିକା ଇଆଡୁସିଆଡୁ 
ଗୁଡାଏ ଶବ୍ଦ କହିଲା 
ପୂର୍ବ ସର୍ତ୍ତ ଅନୁଯାୟୀ 
ବ୍ରହ୍ମ ରାକ୍ଷସ ମନ୍ତ୍ରୀ ଝିଅର ଦିହକୁ ଛାଡି଼ ଚାଲିଗଲା ।
ମନ୍ତ୍ରୀ ନିଜ ଝିଅ ଠିକ୍ ହୋଇଯିବା ଦେଖି 
ଯୋଗୀ କୁ ଅନେକ ଧନରତ୍ନ ସହ ଜମିଦାରୀ ପ୍ରଦାନ କଲେ ।
କିଛି ଦିନ ଗଲାରୁ ବ୍ରହ୍ମ ରାକ୍ଷସ ଯାଇ 
ସେ ଦେଶର ରାଜଜେମାଙ୍କ ଠେଇଁ ଲାଗିଲା ।
ରଜାଝିଅ ପାଗଳୀ ଭଳିଆ ଖାଲି ନଙ୍ଗଳା ମୁତୁରା ହୋଇ ୟାଡେ ସିଆଡେ ଦୌଡିଲା....
ରଜାଝିଅ ଅନେକ ତାନ୍ତ୍ରିକ ବୈଦ୍ୟ ଲଗେଇ
ମଧ୍ୟ ଠିକ୍ ହେଉନଥାନ୍ତି 
ମନ୍ତ୍ରୀ ଶେଷରେ ଯୋଗୀର ଠିକଣା ଦେଇ ରାଜାଙ୍କୁ କହିଲେ 
“ଏ ବ୍ୟକ୍ତି ମୋ କନ୍ୟାକୁ ବଞ୍ଚାଇ ଦେଇଥିଲା 
ତାକୁ ଡକାଇ ପଠାଇଲେ ସେ ରାଜଜେମା ଙ୍କ 
ଦିହରୁ ଭୁତ ଛଡେଇ ଦେବ....”
ଯୋଗୀ ରାଜାଙ୍କ ଡାକରା ପାଇ 
ଦ୍ବନ୍ଦରେ ପଡିଲା 
ତା ଅବସ୍ଥା ଏବେ 
ଏଣୁ ମାଇଲେ ଜୀବହତ୍ୟା 
ତେଣୁ ମରିଲେ ଆତ୍ମହତ୍ୟା ....
ଶେଷକୁ ସେ ଏକ ଉପାୟ ପାଞ୍ଚ କରି
ରାଣିଅନ୍ତପୁରକୁ ଯାଇ 
ରାଜଜେମା ଙ୍କ କାନରେ 
ବ୍ରହ୍ମ ରାକ୍ଷସ ପ୍ରତି କହିଲା 
ଆଜ୍ଞା ଆପଣ ମନାକରିଥିଲେ 
ହେଲେ ବାଧ୍ୟ ହୋଇ ଗୋଟାଏ 
ଖବର ଦେବାକୁ ଆସିଥିଲି 
ମନେ ଅଛି
ସେଇ ଯୋଉ କଳିହୁଡୀ଼ ମୋ ସ୍ତ୍ରୀ 
ସେ ପା’ ଠେଙ୍ଗାଟିଏ ଧରି 
ଏ ରାଜ୍ୟରେ ପ୍ରବେଶ କଲାଣି 
ଆଉ କି ମୁଁ ବଞ୍ଚେ....
କ’ଣ କରିବି ଶିଘ୍ର କୁହ ନହେଲେ 
ତୁମ ଦୟାରୁ ଏଯାଏଁ ଜୀବିତ ଏ ପ୍ରାଣ ଆଜି ନାଶ ଯିବ ଜାଣ....”
ରାଜଜେମା ଦେହରେ ଥାଇ ବ୍ରହ୍ମରାକ୍ଷସ ଯେମିତି ଏକଥା ଶୁଣିଛି 
ସେ କି ଆଉ ରହୁଛି
ଏକାବେଳକେ ଗୋଟାଏ ଗର୍ଜ୍ଜନକରି ସେ ଉକ୍ତ ସ୍ଥାନ ଛାଡି ଅନ୍ୟତ୍ର ପଳାଇଗଲା.....
ତହୁଁ ରାଜଜେମା ଭଲ ହୋଇଗଲାରୁ 
ରାଜା ସେ ଯୋଗୀ କୁ ଅନେକ ଧନରତ୍ନ ଦେଇ ବିଦା କଲେ
No comments:
Post a Comment