Thursday, December 14, 2017

କଦଳୀ ଓ ଏହାର ଅନ୍ୟ ପର୍ଯ୍ୟାୟଵାଚକ ଶବ୍ଦ

କଦଳୀ ଓଡ଼ିଆ ଭାଷାରେ ବହୁଳ ବ୍ୟବହୃତ ଶବ୍ଦଟିଏ । ମାନକ ଓଡ଼ିଆରେ ପ୍ରଚଳିତ କଦଳୀ ଶବ୍ଦ ପୂର୍ଵ ଓ ଦକ୍ଷିଣ ଓଡ଼ିଶାର ଗ୍ରାମାଞ୍ଚଳର କଦିଳ ,କଦରି ଓ କଦିର ଆଦି ରୂପ ହୋଇଥିବା ବେଳେ ପଶ୍ଚିମ, ଦକ୍ଷିଣ ପଶ୍ଚିମ ମଥା ଉତ୍ତର ପୂର୍ଵ ଓଡ଼ିଶାରେ କଦ୍’ଲ,କଦେଲ୍,କଦିଲ୍ ଓ କନ୍ଧେଲ୍ ଆଦି ହୋଇଥାଏ । ତେବେ ଉତ୍ତର ଭାରତୀୟ ମାନେ ‛କଦଳୀ’ କୁ କେଲା,କେରା,କଲା,କଲ ଆଦି କହିଥାନ୍ତି ।

ଆଧୁନିକ ଉଦ୍ଭିଦ ଵିଜ୍ଞାନ ତଥା କୃଷିଶାସ୍ତ୍ରରେ parthenocarpy(ପା’ର୍ଥନୋକାର଼୍’ପି) ସେହି ପାଦପ ଗୁଡି଼କୁ କୁହାଯାଏ ଯହିଁରେ ଵୀଜ ନଥାଏ । ଚାଷ ହେଉଥିବା ସଙ୍କର କିସମର କଦଳୀ ଏହି ଜାତୀୟ ପାଦପ ଅଟେ । Musa acuminata ଏଵଂ Musa balbisiana ନାମ୍ନୀ ଦୁଇଟି ଵୀଜଯୁକ୍ତ ଜଙ୍ଗଲୀ କଦଳୀ ଜାତୀୟ ପାଦପରୁ ସଙ୍କର କରି ଵିଭିନ୍ନ ପ୍ରକାରର ଚାଷକଦଳୀ ଉତ୍ପନ କରାଯାଇଛି । ଆଧୁନିକ ଉଦ୍ଭିଦ ଵିଜ୍ଞାନରେ କଦଳୀଗଛ ପରି ଦେଖାଯାଉଥିବା ସମସ୍ତ ପାଦପ ଗୁଡି଼କୁ Musaceae
ପରିଵାରରେ ରଖାଯାଇଛି । ଏହି ପରିଵାରରେ ଦୁଇଟି ଜାତି ଵା Genera
ରହିଛି
→Ensete
→Musa

ଆଜକୁ ପ୍ରାୟ ୧୦୦୦୦ ଵର୍ଷ ତଳେ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜଗୁଡି଼କରେ ଏହି ପାଦପର ଚାଷ ଫଳ ପାଇଁ ହେବା ଆରମ୍ଭ ହୋଇ ପରବର୍ତ୍ତୀ କାଳରେ ଭାରତ ଉପମହାଦେଶ ରେ ଲୋକପ୍ରିୟ ହୋଇଥିଲା ।

କେହି କେହି ଭାଵିପାରନ୍ତି ଯେ
ସଂସ୍କୃତ ଭାଷାର ଵାରଣା ଶବ୍ଦରୁ ଇଂରାଜୀ Banana ହୋଇଥିବ କିନ୍ତୁ ଆଧୁନିକ ଭାଷାଵିଦଙ୍କ ମତରେ ଏକ ନିଗର―କଙ୍ଗୋ ଭାଷା Wolof(ଓଲଫ୍,ଵୋଲଫ୍)ର ଏକ ଶବ୍ଦ
banaana ରୁ ସ୍ପାନିଶ କିମ୍ବା ପର୍ତ୍ତୁଗୀଜ ଭାଷା ଦେଇ ଇଂରାଜୀ ଭାଷାକୁ ଏହି ଶବ୍ଦ ଟି ଆସିଅଛି । ପୁଣି ଵୋଲଫ୍ ଭାଷାର banaana ଶବ୍ଦର ମୂଳ ଏକ ଆରବୀ ଶବ୍ଦ banān ବୋଲି ମାନାଯାଏ ଯାହାର ଅର୍ଥ “fingertip” ଅଟେ ।
ହେଲେ ଏହି ପାଦପଟିର ଵୈଜ୍ଞାନିକ ଜାତି ନାମ musa ଟି ମୂଳତଃ ଏକ ଲାଟିନ ଶବ୍ଦ ଯାହା ଆରବୀ ଭାଷାର
mawza( مَوْزَة ) ଶବ୍ଦ ରୁ ଆସିଅଛି । 

ତେବେ
ଯେହେତୁ ଭାରତୀୟ ଭାଷା ଗୁଡି଼କରେ ଏ ଉଭୟ ଶବ୍ଦ ସହ ସାମଜସ୍ୟ ଥିବା ଶବ୍ଦ ରହିଛି ପୁଣି ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜ ପରେ ଭାରତ ଉପମହାଦେଶ ହେଉଛି କଦଳୀ ଗଛର ଦ୍ଵିତୀୟ ଚାଷୋପକେନ୍ଦ୍ର ତେଣୁ ଭାରତରୁ ଆରବକୁ ଯାଇ ଏ ଶବ୍ଦ ଦ୍ଵୟ ଚଳିଥିବା ଅସମ୍ଭବ ନୁହେଁ କିନ୍ତୁ ଏହା ପ୍ରମାଣ କରିବା ପାଇଁ ଆହୁରି ଅଧିକ ଅନ୍ଵେଷଣ ଅଧ୍ୟୟନର ଆଵଶ୍ୟକତା ରହିଛି ।

କଦଳୀ ଶବ୍ଦର ଅନେକ ପର୍ଯ୍ୟାୟଵାଚକ ପ୍ରତିଶବ୍ଦ ରହିଛି
ସେଗୁଡ଼ିକ ଵିଷୟରେ ନିମ୍ନରେ ସାମାନ୍ୟ ସୂଚନା ପ୍ରଦାନ କରାଗଲା
........

●→କଦଳୀ

କ+ଦଳ୍ ଧାତୁ+ଅ+ସ୍ତ୍ରୀ+ଈ
~କ=ବାୟୁ,
ଦଳ୍ ଧାତୁ=ଦଳିତ କରିବା
ଅର୍ଥାତ୍
ପବନ  ଯେଉଁ ଗଛକୁ ସହଜରେ ଦଳିତ କରିପାରେ,ଦଳନ କରିପାରେ,ଦଳି ଦେଇ ପାରେ!
ସେ କଦଳୀ ଅଟେ ।
ଏହି କଦଳୀ ଶବ୍ଦ ଆରବ ଦେଶକୁ ଯାଇ କଲ ହୋଇଛି(ଆରବୀରେ କୌଣସି ଭାରତୀୟ ଶବ୍ଦଗଲେ ତହିଁର ମାତ୍ରା,କାର,ଫଳା ଆଦି ଅଵ୍ୟୟଵ ଛେଦନ ହୋଇଯାଇଥାଏ । ପାର୍ସୀ ଭାଷାରେ କଦଳୀକୁ ମୋଝ ଓ ମାଵଜ କୁହାଯାଏ ।

★→ମୋଚା
ଏ ଫଳ ଆନନ୍ଦିତ କରେ(ମୁଚ୍ ଧାତୁ-ଆନନ୍ଦିତ କରିବା, ଦାନ କରିବା),ଏ ଗଛର ଫଳକୁ ଦେବତାଙ୍କୁ ପ୍ରଦାନ କରାଯାଏ ଓ ତାହା ପ୍ରାପ୍ତ କରି ସେ ଆନନ୍ଦିତ ହୁଅନ୍ତି(ହେବେ ବୋଲି ଲୋକଵିଶ୍ଵାସ ଥାଏ) ବୋଲି କିମ୍ବା ଏ ଫଳ ଖାଇ ଆତ୍ମସନ୍ତୋଷ ଲାଭ ହୁଏ ବୋଲି ଏଭଳି ନୈରୁକ୍ତି ପ୍ରୟୋଗ କରାଯାଇଥାଇପାରେ
ପାର୍ସୀର ମୋଝ ଓ ମାଵଜ ଶବ୍ଦ ଏ ଶବ୍ଦ  ସହିତ ସମ୍ବନ୍ଧିତ ହୋଇଥାଇ ପାରେ  ।

★→ଅମ୍ଵୁସାରୀ
ଅମ୍ବୁ ଅର୍ଥାତ୍ ଜଳ ଓ ସାରୀ ମାନେ ଅନୁସରଣକାରୀ,ପଶ୍ଚାଦ୍ଗମନକାରୀ
ଏହାର ଭାଵଗତ ଅର୍ଥ ସମ୍ଭଵତଃ
ଯେଉଁ ପାଦପ ଅମ୍ବୁ ଵା ଜଳର ଅନୁସରଣକାରୀ ଏବଂ ଜଳବହୁଳ ସ୍ଥାନରେ ଵେଶୀ ହୋଇଥାଏ ସେ....

★→ଅଂଶୁମତ୍ ଫଳା
ଅଂଶୁ+ଅଛି ଅର୍ଥରେ ମତ୍=ଅଂଶୁମତ୍(ବହୁବ୍ରୀହି ସମାସ)
ଅଂଶୁର ଅନେକ ଅର୍ଥ ମଧ୍ୟରେ ଦୀପ୍ତି ଗୋଟିଏ
ଅନ୍ୟ ଅର୍ଥ ମଧ୍ୟରେ ସୂର୍ଯ୍ୟ ଓ ଵସ୍ତ୍ର ମଧ୍ଯ ରହିଛି  । ଯେଉଁ ଫଳ ସୂର୍ଯ୍ୟ ପରି ଦୀପ୍ତିମାନ୍(ସୂର୍ଯ୍ୟ ରଙ୍ଗର ଫଳ ହୋଇଥିଏ ତେଣୁ?)ପୁଣି ଏହାର ପତ୍ର ଆତ୍ୟାଵଶ୍ୟକ ହେଲେ ଵସ୍ତ୍ର ପରି ଵ୍ୟଵହୃତ ହୋଇପାରେ(ଦୁର୍ଯ୍ୟୋଧନ କଦଳୀ ପତ୍ର ପିନ୍ଧି ତା ମାତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଥିବା ମହାଭାରତ ରେ ଉଲ୍ଲେଖ ଅଛି)ତାହା ଅଂଶୁମତ୍ ଫଳା ଅଟେ ।

★→ଦୀର୍ଘପତ୍ର
ଦୀର୍ଘ+ପତ୍ରଃ>ବହୁବ୍ରୀହି ସମାସ
ଅନେକ ପ୍ରକାରର ବୃକ୍ଷ ଓ ପାଦପ କୁ ଦୀର୍ଘପତ୍ର ଓ ଦୀର୍ଘପତ୍ରା କୁହାଯାଏ ତନ୍ମଧ୍ୟରୁ କଦଳୀ ଗଛ ମଧ୍ଯ ଗୋଟିଏ । କଦଳୀ ଗଛ ର ପତ୍ର ପ୍ରକୃତରେ ଦୀର୍ଘ ଅର୍ଥାତ୍ ଲମ୍ବା ଅଟେ ।

★→ରମ୍ଭା
ରନ୍ଭ ଧାତୁ+ଅ+କର୍ତ୍ତୁ .ଆ=ରମ୍ଭା
ରନ୍ଭଧାତୁର ଅର୍ଥ:-ଶବ୍ଦ କରିବା,ସ୍ଵତଃ ଉତ୍ପନ୍ନ ହେବା
ସାଧାରଣତଃ ଆପେ ଆପେ ଜନମୁଁଥିବା ପାଦପକୁ ରମ୍ଭା କୁହାଯାଏ । କଦଳୀ ମଧ୍ଯ ଵିନା ଵୀଜରୋପଣରେ ପୁଆ ଦ୍ଵାରା ଜନମିଥାଏ ।

★→ସ୍ଵାଦୁଫଳା
ଏହାର ଫଳ ସ୍ଵାଦୁ ତେଣୁ  ଏଭଳି ନାମ ମିଳିଥାଇପାରେ । ଅନେକ ଜାତିର ପାଦପଙ୍କୁ ତା’ର ସ୍ଵାଦ ହେତୁରୁ ସ୍ଵାଦୁଫଳା କୁହାଯାଏ
(ଉ-ବରକୋଳି, ଖଜୁରୀ କୋଳି,ଦ୍ରାକ୍ଷାଲତା,ମୁନ୍ନକା)
ତେବେ ପାଦପ କଦଳୀ ମଧ୍ଯ ସ୍ଵାଦରେ ସମସ୍ତ ପ୍ରକାର ପାଦପଙ୍କ ମଧ୍ୟରେ ଲୋକପ୍ରିୟ ଅଟଇ ତେଣୁ କଦଳୀ ର ଏକ ପର୍ଯ୍ୟାୟଵାଚକ ଶବ୍ଦ ସ୍ଵାଦୁଫଳା ହେଲା ।

★→ସକୃତ୍ ଫଳା;
ସକୃତ୍+ଫଳ+ଆ(ବହୁବ୍ରୀହି ସମାସ)
ସକୃତ୍=ଏକ ଵାରାର୍ଥେ.ସ{ନିପାତନ}+କୃତ୍
ଥରେ ମାତ୍ର ଯେଉଁ ପାଦପରେ ଫଳ ଫଳେ
କଦଳୀ ଗଛରେ ମଧ୍ଯ ମାତ୍ର ଥରୁଟିଏ ଫଳ ଧରିଥାଏ ଦ୍ଵିତୀୟବାର ହୁଏନି ।

★→ନିଃସାରା
ନିର୍+ସାର(ମଞ୍ଜ)+ଆ(ବହୁବ୍ରୀହି ସମାସ)
ନିର୍ ଉପସର୍ଗର ଅନେକ ଅର୍ଥ 【 ନିଶ୍ଚୟ,ନିଷେଧ,ନିକୃଷ୍ଟ,ଅଭାବ, ନିଃଶେଷ,ଅତ୍ୟନ୍ତ,ବହିଷ୍କରଣ,ପଦାକୁ ବାହାରିବା,ବହିଃ, ସମ୍ପର୍ଣ୍ଣତା】
ମଧ୍ୟରେ ନିକୃଷ୍ଟ ଅର୍ଥରେ ଏଠାରେ ନିର୍ ଉପସର୍ଗ ର ଵ୍ୟଵହାର ହୋଇଅଛି । ସାର  ଶବ୍ଦର ଏକ ଅର୍ଥ ମଞ୍ଜ ଅଟେ । କଦଳୀ ଗଛରେ ଫଳ ଧରିଲେ ଯାଇ ମଞ୍ଜ ହୁଏ । ପୁଣି ଏ ଗଛର ମଞ୍ଜ ଶାଳ ଆଦି ଶକ୍ତ କାଷ୍ଠବୃକ୍ଷାଦି ତୁଳନାରେ ନିତାନ୍ତ ନିକୃଷ୍ଟ ଧରଣରେ ବୋଲି ବୋଧହୁଏ ଏଭଳି ନାମକରଣ ହୋଇଅଛି

★→ବନଲକ୍ଷ୍ମୀ
ବନର ଲକ୍ଷ୍ମୀ ସମାନ ଏ ଗଛ ବନ୍ୟ ଜୀବଙ୍କ ପୃଷ୍ଟିବର୍ଦ୍ଧନ କରିଥାଏ । ହାତୀ ଛଡା଼ ଵାନର ଏଵଂ ଅନ୍ୟ କେତେକ ଵନ୍ୟଜୀଵଙ୍କର ଏହା ଅନ୍ୟତମ ପ୍ରିୟ ଫଳ ଅଟେ ।

★→ଭାନୁଫଳା
ଭାନୁ ଶବ୍ଦର ଅନେକ ଅର୍ଥ ଯଥା:-କିରଣ,ଶିଵ,ଦୀପ୍ତି,ପ୍ରଭୁ,ସୂର୍ଯ୍ୟ ତଥା ରାଜା ମଧ୍ୟରେ ଏଠାରେ ଭାନୁ ଶବ୍ଦଟି ସମ୍ଵଵତଃ ଦୀପ୍ତି / କାନ୍ତି କିମ୍ଵା ରାଜା ଅର୍ଥରେ ଵ୍ୟଵହାର ହୋଇ ଗଠିତ ହୋଇଅଛି । ଯେଉଁ ଫଳ ସ୍ବାଦରେ ସବୁ ଫଳ ମଧ୍ୟରେ ରାଜା,ଯେଉଁ ଫଳ ଭକ୍ଷଣ ଯୋଗୁଁ ଜୀଵ ଶରୀର ପୃଷ୍ଟ ହୋଇ କାନ୍ତି ବୃଦ୍ଧି ପାଇଥାଏ ତାହା ଭାନୁଫଳା କଦଳୀ ଅଟେ ।
★→ରୋଚକ
ରୁଚ୍ ଧାତୁ ଜିଣନ୍ତ ରୋଚି ଧାତୁ+କର୍ତ୍ତୁ.ଅକ=ରୋଚକ
ଯାହା ମୁଖରୁଚିକର,ପ୍ରୀତିଜନକ,କ୍ଷୁଧାବୃଦ୍ଧିକାରୀ ତାହା ରୋଚକ ଅଟେ ।
କଦଳୀ ଛଡା଼ ଗଣ୍ଠିଅଣା ଗୁଳ୍ମ ତଥା ଉଲି ପିଆଜ କୁ ବି ରୋଚକ କୁହାଯାଇଥାଏ ।

★→ସୁଫଳା
ଯେଉଁ ଫଳ ଭକ୍ଷଣେ ଆନନ୍ଦଦାୟକ ଓ ଶରୀର ପାଇଁ ବି ପରମ ଉପକାରୀ ତାହା ସୁଫଳା ଅଟେ । କଦଳୀ ଵ୍ୟତୀତ ଇନ୍ଦ୍ରଵାରୁଣୀ,କୁଷ୍ମାଣ୍ଡୀ,ଗମ୍ଭାରୀ,କପିଳ ଦ୍ରାକ୍ଷା ପଦାପ ମଧ୍ୟ ଏହି ନାମ ରହିଛି

★→ବାରଣା
କଦଳୀକୁ ବାରଣା କୁହାଯିବାର କାରଣ ରହିଛି ।
ବାରଣର ଅର୍ଥ ହାତୀ ସମ୍ଭଵତଃ ଏହି ପାଦପର ପତ୍ର ଆକାର ଅନ୍ୟ ପାଦପ ତୁଳନାରେ ବଡ଼ ହୋଇଥିବା ହେତୁରୁ ଏହାକୁ ଏ ନାମ ମିଳିଅଛି ।

★→ବାରଣ ବୁଷା
ବାରଣ=ହାତୀ
ବୁଷା=କୁଣ୍ଡା,ଚାରା ବୋଲି
ହାତୀର ଚାରା ଵା ଖାଦ୍ୟ ଭାବରେ ଏହି ଗଛର ଫଳ ଓ ପତ୍ର ବହୁତ ଲୋକପ୍ରିୟ ....
ହାତୀ ମଧ୍ଯ ଏ ଗଛର ପତ୍ର ଫଳ ଖାଇବାକୁ ବହୁତ ଭଲ ପାଏ

(ତଥ୍ୟ; ପୂର୍ଣ୍ଣଚନ୍ଦ୍ର ଭାଷାକୋଷ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...