Wednesday, September 7, 2016

ଆର୍ଯ୍ୟ ମଧୁସୂଦନ ମାୟାଧର ମାନସିଂହ

ଆର୍ଯ୍ୟ ମଧୁସୂଦନ
ମାୟାଧର ମାନସିଂହ

ଆର୍ଯ୍ୟ ହେ
ବୀର ବର୍ଯ୍ୟ ହେ
ସ୍ତବ୍ଧ କି ତବ ତୂର୍ଯ୍ୟ ହେ ?

ଗୋଟି ଗୋଟି କରି ଜଳାଇ ଯାଇଛ
କୋଟିଏ ଜାତୀୟ ସୂର୍ଯ୍ୟ ଯେ !

ମୃତ୍ୟୁଞ୍ଜୟ ମୃତ୍ୟୁ ତୁମର ନାହିଁ ଯେ ,
ମରଣ ନଇଁବ ତମର ବିଜୟ ପାଇଁ ଯେ,
ସ୍ଵଭାବ ଛାଡ଼ିବ ଦେଖି ସେ ଅମୋଘ ଶୌର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବର୍ଯ୍ୟ ହେ ।

ଭୀଷ୍ମ ହେ
ବାଛି ନେଇଥିଲ ନିଜ ଅୟନ
ରଣ-ସଙ୍କୁଳ ପଣ-ପିଚ୍ଛିଳ ଗହନ,
ପରପାଇଁ କେତେ ବରି ଅଛ ଶର-ଶୟନ
ବଜାଇ ଚାଲିଛ ଏକାଏକ ରଣ ତୂର୍ଯ୍ୟ ହେ
ଆର୍ଯ୍ୟ ହେ
ବୀର ବର୍ଯ୍ୟ ହେ
ସ୍ତବ୍ଧ କି ତବ ତୂର୍ଯ୍ୟ ହେ ?

ରୁଦ୍ର ହେ
ତବ ଡମ୍ବରୁ ଘନ ଘୋଷରେ
ସୁପ୍ତ ଏ ଜାତି ତେଜିଲା ଜଡ଼ତା ଶେଷରେ,
ଦେଲ ତୁମେ ନିଜେ ଜୈତ୍ର କୁସୁମ ଲଗାଇ
ଜନନୀ କେଶରେ
ଯଶଲାଗି ତାର ଝସାଇ ପଶିଲ ଯୁଦ୍ଧେ
ପରମ ବୀର୍ଯ୍ୟ ହେ

ଆର୍ଯ୍ୟ ହେ
ବୀର ବର୍ଯ୍ୟ ହେ
ସ୍ତବ୍ଧ କି ତବ ତୂର୍ଯ୍ୟ ହେ ?

ନରପୁଙ୍ଗବ ମରତେ ଦେଖିଲ ଯାହାକୁ
ବର ସନ୍ତାନ ପରି ଚିହ୍ନାଇଲ ମାଆକୁ
ମାଆର ବିପଦେ ଦେଖାଇଲ ନିଜ ବାହାକୁ
ଇତିହାସ ଆଜି ତୁମର ସେ ସବୁ କାର୍ଯ୍ୟ ହେ
ଆର୍ଯ୍ୟ ହେ
ବୀର ବର୍ଯ୍ୟ ହେ
ସ୍ତବ୍ଧ କି ତବ ତୂର୍ଯ୍ୟ ହେ ?

No comments:

Post a Comment

ମୂର୍ଖର ଲକ୍ଷଣ ଓ ପରିଣାମ : ଏକ ମନୋଵୈଜ୍ଞାନିକ ଵିଶ୍ଳେଷଣ

ଗୋଟିଏ ଦେଶିଆ ଢଗ ଅଛି : “ଗିଆନି କେ ଗିଆନ୍ ଗାଲା ଭେଦି ମୁରୁକ୍ କେ ଠେଙ୍ଗା ଗାଲା ଖେଦି” ଅର୍ଥାତ୍ ଜ୍ଞାନୀକୁ ଜ୍ଞାନ କଥା କହିଲେ ବୁଝିଯାଏ,ଜ୍ଞାନୀକୁ ଜ୍ଞାନ ଦ୍ଵାରା ଵଶ...