(ରାଗ ଶଙ୍କରାଭରଣ)
ପ୍ରକୃତି ର ଶୋଭା ଯାର
ଜଗତେ ଅତୁଳ
ସ୍ଵର୍ଗସୁଖୁଁ ବନ୍ଦି ସୂଖ ଦିଏ ଯାହା କୋଳ
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣି ଗୌରବର ଘର ।1।
ରତ୍ନାକର ପଦ ଯାର
ଧୁଏ ଅବିରତ
ହିମାଳୟ ମୁକୁଟେ
ଯା ଶିର ସୁଶୋଭିତ
ସେ ତ ସ୍ଵଦେଶ ମୋହର
ଧରଣୀ ର ମଥାମଣି ଗୌରବ ର ଘର ।2।
କ୍ଷୀର ସମ ନୀର ବହି ନଦୀରେ ଯେ ଭୂଇଁ
ଜନନୀ ସମାନ ସୁତ ସୁତାଙ୍କୁ ପାଳଇ
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣି ଗୌରବର ଘର ।3।
ସୁମଧୁର ଫଳ ଧରି ଯାର
ତରୁଗଣ
ପୋଷୁଛନ୍ତି ଚିରକାଳ
ଜୀବ ଅଗଣନ
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣି ଗୌରବର ଘର ।4।
ସୁଗନ୍ଧ ପୁଷ୍ପମାନ ଯାର ଫୁଟି ଦିବା ରାତି
ଭୂତଳରେ ତାରାମାଳ
ପରାଏ ଶୋହନ୍ତି
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣି ଗୌରବ ର ଘର ।5।
ବିଲ ,ବନ ,ଗିରି ଯାର
ଶ୍ୟାମଳ ସୁନ୍ଦର
ମହୁ ଖାଇ ଫୁଲେ ଯାର
ଘୁମାଏ ଭ୍ରମର
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣି ଗୌରବର ଘର ।6।
ବସୁଧାର ଗନ୍ତାଘର ଯାହା ଧନେ ଧନୀ
ଧର୍ମ ର ଆଲୁଅ ଦେଲେ
ଜଗତେ ଯା ଜ୍ଞାନୀ
ସେ ତ ସ୍ଵଦେଶ ମୋହର
ଧରଣୀର ମଥାମଣୀ ଗୌରବର ଘର ।7।
No comments:
Post a Comment