ପ୍ରାୟତଃ ମୁଁ ପଙ୍କର ଚିନ୍ତନରେ ବୁଡି ରହେ ।
ଏଥିରେ ମୋତେ ବହୁତ ଆନନ୍ଦ ମିଳିଥାଏ ।
ତୁମେ କହିପାର ଏହା ମୋର ଏକ ଥେରାପୀ ।
ଯେବେ ମୁଁ ପଙ୍କ ଚିନ୍ତନରେ ନିମଜ୍ଜିତ ହୁଏ
ସେବେ ମୋ ଆଖି ଆଗରେ କେବଳ ତିନୋଟି ଜୀବିତ ପଦାର୍ଥ ଦିଶନ୍ତି ଆଉ ବାକି ସବୁ ମୋ ପାଇଁ ଗୌଣ ହୋଇଯାନ୍ତି । ସେହି ତିନୋଟି ବିଶିଷ୍ଟ ପଦାର୍ଥ ହେଲେ
ଘୁଷୁରୀ ଵା ଶୁକର, ମଇଁଷୀ ଓ କମଳ....
ଆମ ଘରର ଠିକ ସାମ୍ନାରେ ଏକ ନାଳୀ ବହିଯାଇଛି ଯାହାକୁ କି ଏବେ କର୍ଦ୍ଦମ କୁଣ୍ଡ କହିଲେ ବରଂ ଅଧିକ ଯୁକିଯୁକ୍ତ ମନେହେବ ।
ସେ ନାଳୀକୁ ଆଦୁଅକୁଣ୍ଡ କରିବାରେ କାଳିଆ ଭାଇ ର ମହିଷ ତଥା ଗଣମାନ୍ୟ ଶୁକର ମାନଙ୍କର ବିଶେଷ ଯୋଗଦାନ ରହିଛି । “କାଳିଆ ଭାଇର ମଇଁଷୀ”କୁ ସେ କୁଣ୍ଡରେ ପସିଗଲା ମାତ୍ରେ କାଳେ ପରମଶାନ୍ତି ପ୍ରାପ୍ତ ହୁଏ ବୋଲି “କାଳୁ ଭାଇ” ହସି ହସି କହିଥାନ୍ତି । ଆଉ ପାଖ ସାଇର ଶୁକର ମାନଙ୍କ ପାଇଁ ତ ଏ କୁଣ୍ଡ ,ସ୍ଵର୍ଗ ସମାନ । ସେମାନେ କୁଟୁମ୍ଵାଦି ସହିତ ଆସି ଏଠାରେ ଅନେକ କାଳଯାଏଁ ବିଶ୍ରାମ କରି ଯାଅନ୍ତି ।
ପ୍ରାୟ ଦେଖାଯାଏ ଶୁକର ମାନଙ୍କ ବିଷୟରେ
ମନୁଷ୍ୟ ମାନଙ୍କର ବିଚାର ନିମ୍ନକୋଟିର କିନ୍ତୁ ଏହି ଚତୁଷ୍ପଦର ଏମିତି ଅନେକାନେକ ଗୁଣ ଅଛି ଯାହା ଦୁଇପଦ ବିଶିଷ୍ଟ ପ୍ରାଣୀଙ୍କ ମଧ୍ୟରେ ମିଳିବା ମଧ୍ଯ ଦୂର୍ଲଭ କହିଲେ ଅତ୍ୟୁକ୍ତି ହେବନାହିଁ ......
ମୁଁ ତ ଶୁକର ମାନଙ୍କ ନିସ୍ଵାର୍ଥ ସେବା ଆଗରେ
ସଦା ନତମସ୍ତକ ରହିବି । ଶୁକର, ବର୍ତ୍ତମାନ ପ୍ରଧାନସେବକ ନରେନ୍ଦ୍ର ମୋଦିଙ୍କ ଭଳି ଅଳିଆ ଆଵର୍ଜନାର ପରମଶତୃ । ତ୍ଵରିତ ମାନଵ ମଳ
ସଫା କରିବାରେ ତାଙ୍କ ସମକକ୍ଷ କେହି ନାହିଁ । ଏମାନେ ନଗରର ଅବୈତନିକ ସ୍ଵଚ୍ଛକ(ସଫାଇକର୍ମୀ-Cleaner) ଯିଏ ତତ୍ପରତାର ସହ “ଆଵର୍ଜନା ହଟାଅ”
ଅଭିଯାନରେ ବିନା ନିଶା-ନୋଟରେ ଵି ପୂର୍ଣ୍ଣ ସେଵାଭାବରେ ଲାଗିପଡି଼ଥାନ୍ତି । କୃତଜ୍ଞ ନଗରଵାସୀ ମଧ୍ଯ ଶୁକର ମାନଙ୍କର ଏହି ଵିଶେଷ ସେବାଗୁଡି଼କର ସମ୍ମାନ କରିଥାନ୍ତି । ସେମାନେ ଶୁକର ମାନଙ୍କୁ ନଗରପଶୁ ଘୋଷିତ କରିଅଛନ୍ତି ।
ସେ ନଗର ନିଶ୍ଚିତ ଭାବେ ଭାଗ୍ୟହୀନ ଯେଉଁଠି କାଦୁଅ ସ୍ନାନ ପୂର୍ଵକ ଶୁକର ଵିଚରଣ କରୁନଥିବେ। ଆମ ନଗରର ଶୁକର ସିଂହ ଠାରୁ କମ୍ ନୁହନ୍ତି । ସିଂହ ଵି ଘାସ ଖାଏନି ଆମ ଶୁକର ମାନେ
ମଧ୍ଯ ଘାସକୁ ଖାଇବା ତ ଦୂରର କଥା ତହିଁ ଆଡେ଼ ନିଘା ସୁଦ୍ଧା ଦିଅନ୍ତି ନାହିଁ । ତାଙ୍କୁ ତ ନିଜର ପ୍ରିୟ ଭୋଜ୍ୟ ପଦାର୍ଥରେ ସୁଖ ମିଳିଥାଏ । ଯେତେବେଳେ କୌଣସି ଶୁକର କାଦୁଅ ସ୍ନାନ କରିଣ ବାଟରେ ଯାଉଥାଏ ତାକୁ ବଡ଼ ବଡ଼ ମାନଵସିଂହ ମାନେ ଵି ସସମ୍ମାନ ରାସ୍ତା ଛାଡ଼ି ଦେଇଥାନ୍ତି । ସତେ ଅବା ଲାଲବତୀଗାଡି଼ଟେ ବାଟରେ ଯାଉଅଛି । ମଦାନ୍ଧ ଶୁକର ଯେବେ କ୍ରୋଧିତ ହୁଅନ୍ତି ତାଙ୍କୁ ଦେଖି ଭୁକା-କୁକୁର ଯାକ ମଧ୍ଯ ଲାଙ୍ଗଳ ଯାକି ପଳାଇଯାନ୍ତି ।
ଶୁକର ମାନଙ୍କର ସାହିତ୍ୟ ସହିତ ମଧ୍ଯ ଗଭୀର ସମ୍ପର୍କ ରହିଛି । ଏମାନେ ବିଭତ୍ସ ରସର ମୋବାଇଲ ସ୍ରୋତ । ଏମାନଙ୍କୁ ଦେଖିବା ମାତ୍ରେ ହିଁ ବିଭତ୍ସ ରସର ଉତ୍ପତ୍ତି ହୋଇଯାଏ ।
ଏମାନଙ୍କୁ ଦେଖି ଯେଉଁ ବନ୍ଧୁ ମାନଙ୍କ ହୃଦୟରେ ଵିଭତ୍ସ ରସ ସଂଚାର ହୁଏ ନାହିଁ ସେମାନଙ୍କୁ ପାଷାଣ-ହୃଦୟ ବୁଝିବାକୁ ହେବ । ମନ ଯାର ପଥର ତାକୁ ରସିକ ତ କେବେବି ମାନାଯାଇପାରିବ ନାହିଁ ।
ମନୁଷ୍ୟ ଶୁକର ମାନଙ୍କ ଠାରୁ ବହୁତ ଭଲ ଭଲ କଥାସବୁ ଶିଖିପାରିବେ । ଶୁକର ମାନଙ୍କର ମାନଵ ଭଳି ଅନ୍ୟ ପରେ କାଦୁଅ ଫିଙ୍ଗା ପ୍ରବୃତ୍ତି ନାହିଁ । ଶୁକର ତ ସ୍ଵୟଂ କାଦୁଅ ମଧ୍ୟେଁ ସମାହିତ ହୋଇ ତା’ର ଵରଣ କରିବାରେ ସୁଖକର ବୋଧ କରନ୍ତି । ହୋଲି ଖେଳିବାକୁ ଶୁକର ଙ୍କୁ ମନୁଷ୍ଯ ପରି ଫାଲ୍ଗୁନ ମାସ ଯାଏଁ ଅପେକ୍ଷା କରିବାକୁ ପଡେ଼ ନାହିଁ । ସେମାନେ ତ କାଦୁଅ ଭିତରେ ଏମିତି ଖେଳୁଥାନ୍ତି,ତାଙ୍କର ଉତ୍ସଵଧର୍ମ୍ମିତା ହୋଲି କିମ୍ବା ଦୀପାବଳି ମଧ୍ୟରେ ସୀମାବଦ୍ଧ ନୁହେଁ। ଶୁକର ଯଥାର୍ଥରେ ସନ୍ଥ !
“ସଦା ଦୀପାଳି ସନ୍ଥ ର ବାରମାସ ବସନ୍ତ”
ଶୁକର ମନୁଷ୍ୟ ମାନଙ୍କ ପରି ସ୍ଵାର୍ଥୀ ନୁହନ୍ତି । ସେମାନେ କେଵଳ ଆପଣା ପେଟ ଭରନ୍ତି ନାହିଁ ଵରଂ ନିଜ ମାଂସ ଦେଇ ଅନେକ ଅଣଭାରତୀୟ ମଣିଷଙ୍କ ପେଟ ମଧ୍ୟ ଭରିଥାନ୍ତି । ଏତେ ସବୁ ଗୁଣ ଥାଇ ସୁଦ୍ଧା ମନୁଷ୍ୟ ସମାଜରେ ଶୁକର ମାନଙ୍କ ପ୍ରତି ସମ୍ମାନ ଭାଵନା ନାହିଁ କହିଲେ ଚଳେ ।
ଦୁଃଖର ଵିଷୟ ଏଠି କିଛି ଲୋକ ଗାଭୀରକ୍ଷା ପାଇଁ ତ ଅତ୍ୟଧିକ ସଚେତନ କିନ୍ତୁ ଶୁକର ରକ୍ଷା ହେତୁ ଆଜିଯାଏଁ କେହି ସେତେ ଆଖିଦୃଶିଆ କାମ କରିନାହାନ୍ତି ।
କାଦୁଅ ଅନେକ ଗୁଣର ଖଣି । ଶୁକର ମାନଙ୍କ ପାଇଁ ତ ଏହା ଔଷଧ ଠାରୁ କମ୍ ନୁହେଁ । ଶୁକରଙ୍କ ଶରୀରରେ ଯେତେ ଗହୀର ଖଣ୍ଡିଆ ହୋଇଥାଉ କାଦୁଅ ତାକୁ ଭରିଦେଇଥାଏ ।
ପ୍ରଜାତନ୍ତ୍ରରେ ରାଜନୀତି ର କାଦୁଅ ମନୁଷ୍ୟ ପାଇବା ସର୍ବୋତ୍କୃଷ୍ଟ । ଏହି କାଦୁଅ ରେ ନିତ୍ୟ ଅଵଗାହନ କରୁଥିବା ଵ୍ୟକ୍ତିମାନେ ସ୍ଵତଃ ଦିଵ୍ୟଗୁଣ ସମ୍ପନ୍ନ ହୋଇଯାନ୍ତି ।
ଏହି ପଵିତ୍ର କାଦୁଅରେ ସ୍ନାନ କରି ମନୁଷ୍ୟ ର ସମସ୍ତ ପାପ ଧୋଇ ହୋଇ ଯାଇଥାଏ ।
ସେ ଯେତିକି ଯେତିକି ଏହି କାଦୁଅ ମଧ୍ୟରେ ବୁଡି ବୁଡି ଯାଏ ତେତିକି ତେତିକି ଶୁଭ୍ର-ଉଜ୍ଜ୍ୱଳ ହୋଇ ହୋଇ ଯାଏ । ତା ମଧ୍ୟରେ ସୁଖଦାୟିନୀ ସିଂହାସନ ର ଶୋଭା ବୃଦ୍ଧି ର ପାତ୍ରତା ଆସିଯାଇଥାଏ । ତା' ଉପରେ
ଦୋଷାରୋପ ରୂପି ଜଳ ଲାଗେନାହିଁ ।
ସେ ହତ୍ୟା କରି ମଧ୍ଯ ସଂସାର ଆଗରେ ଅଭିଯୁକ୍ତ ସାବ୍ୟସ୍ତ ହୁଏ ନି କି କେହି ତାକୁ ହତ୍ୟାକାରୀ କୁହେ ନାହିଁ । ଵ୍ୟଭିଚାରୀ ହୋଇ ମଧ୍ଯ ସଦାଚାରୀ ପରି ସମ୍ମାନ ପାଇଥାଏ ।
ନିତି ପରସ୍ଵହରଣ କରି ଵି ଜଗତ ଜାଗରେ ଦାନୀ ଭାବେ ଲୋକପ୍ରିୟ ହେଉଥାଏ । କାରାଗୃହରେ ସୁଦ୍ଧା ସ୍ଵର୍ଗର ସୁଖ ଭୋଗ କରିଥାଏ । ଏହି ଚମତ୍କାରୀ କର୍ଦ୍ଦମ ଦ୍ଵାରା ତା’ର ମୁଖ,ନୟନ,କର,ଚରଣ ଇତ୍ୟାଦି ସମସ୍ତ ଅଙ୍ଗ ଅଵୟଵ କମଳ ହୋଇଯାଏ । ସେ ଧରାଧାମରେ ଶୁକର ଓ ମହିଷ ମାନଙ୍କ ପରି ସ୍ଵାଚ୍ଛନ୍ଦ୍ୟ ଜୀଵନ କାଟିଥାଏ ଏବଂ ଏ ଇହଲୀଳା ସମ୍ଵରଣ ପୂର୍ବରୁ ଆପଣା ସାତ ପିଢ଼ି ପାଇଁ ଧନ ଓ ସମ୍ମାନ ର ଵ୍ୟଵସ୍ଥା କରିଯାଇଥାଏ ।
କମଳ କେତେବି ଶୁଭ୍ର,ସ୍ନିଗ୍ଧ ଓ ଲୋଭନୀୟ ହୋଇଥାଉ ତାର କାହାଣୀ କାଦୁଅରୁ ହିଁ ଆରମ୍ଭ ହୋଇଥାଏ । କମଳର ଗୋଟିଏ ନାଆଁ ପଙ୍କଜ :-ପଙ୍କ ବା କାଦୁଅ ରୁ ଜାତ ତେଣୁ ପଦ୍ମର ଏଭଳି ନାମ । କମଳ କର୍ଦ୍ଦମର ହିଁ କୃପାର ଫଳ । କମଳ ଯଦି ଘରର ଛାତ ହୁଏ ତେବେ ଉକ୍ତ ଗୃହର “ନିଅଁପଥର” ହେଉଛି କର୍ଦ୍ଦମ । ଆପଣଙ୍କୁ କମଳ ଆପଣା ନୈସର୍ଗିକ ସ୍ଵୌନ୍ଦର୍ଯ୍ୟ ବଳରେ ମୋହିତ କରୁଥାଇପାରେ ମୋତେ ତ ଶୁକର ଓ ମହିଷଙ୍କ ଅତିପ୍ରିୟ କର୍ଦ୍ଦମ ହିଁ ଆକର୍ଷଣର ମୂଳ କେନ୍ଦ୍ର ପ୍ରତିଭାତ ମୋଇଥାଏ ।
ଯଦି ଵ୍ୟକ୍ତି କର୍ଦ୍ଦମ ର ସାଧନା କରିନିଏ ତେବେ ତାକୁ କମଳ ଆପଣାଛାଏଁ ମିଳିଯାଇଥାଏ । ସେଥିପାଇଁ ମୁଁ କାଦୁଅ ର ମହିମା ହିଁ ଗାନ କରିବାକୁ ପସନ୍ଦ କରିଥାଏ ।
(गोविंद सेन ଙ୍କର ଏକ ହିନ୍ଦୀ ଵ୍ୟଙ୍ଗ କିଚଡ୍ ମହିମା ନ୍ୟାରୀ ର ଓଡ଼ିଆ ଭାଵାନୁଵାଦ)
No comments:
Post a Comment