Thursday, December 31, 2020

ଓଡ଼ିଆ ଭାଷା ଵିଷୟରେ ଡକ୍ଟର ଧନେଶ୍ୱର ମହାପାତ୍ରଙ୍କ ଉକ୍ତି

ଡକ୍ଟର ଧନେଶ୍ୱର ମହାପାତ୍ର ତାଙ୍କ "କଟକ ଜିଲ୍ଲାର ଭାଷା" ପ୍ରବନ୍ଧରେ ଓଡ଼ିଆ ଭାଷା ଵିଷୟରେ ନିମ୍ନୋକ୍ତ କଥାମାନ ଲେଖିଅଛନ୍ତି ...

(୧)ଵର୍ତ୍ତମାନ ଭାରତରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ମରାଠୀ,ଗୁଜରାଟୀ ପ୍ରଭୃତି ଯେତେ ଆଧୁନିକ ଆର୍ଯ୍ୟ ଭାଷା ପ୍ରଚଳିତ ଅଛି, ସେଗୁଡ଼ିକ ମଧ୍ୟରେ ଓଡ଼ିଆ ଭାଷା ସର୍ଵାଧିକ ପ୍ରାଚୀନ । କାରଣ (ସଂସ୍କୃତ ଭିନ୍ନ) ଅନ୍ୟ ଅର୍ଯ୍ୟଭାଷାରେ ପ୍ରାଚୀନତମ ନମୁନା ଖ୍ରୀ. ଦ୍ଵାଦଶ ଶତାବ୍ଦୀ ପୂର୍ଵରୁ ମିଳୁନଥିଵାବେଳେ  ଓଡ଼ିଆ ଭାଷାର ପ୍ରାଚୀନତମ ନମୁନା ଖ୍ରୀଷ୍ଟାବ୍ଦ ଦଶମ ଶତାବ୍ଦୀରୁ ମିଳୁଛି ।

(୨) ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାର ଯେତେ ବିପୁଳ ଵିଶାଳ, ଅନ୍ୟ କୌଣସି ଆର୍ଯ୍ଯଭାଷାର ଶବ୍ଦ ଭଣ୍ଡାର ସେତେ ଵିଶାଳ ଵିପୁଳ ନୁହେଁ । ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ତାହାର ପ୍ରମାଣ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ ଅନେକ ଓଡ଼ିଆ ଶବ୍ଦ ସନ୍ନିଵେଶିତ ହୋଇନାହିଁ ।

(୩)ସମସ୍ତେ ଜାଣନ୍ତି , ସଂସ୍କୃତ ଭାଷାର ଅଭିଵ୍ଯକ୍ତି ଶୈଳୀ ଅନନ୍ୟ ସାଧାରଣ । ଓଡ଼ିଆ ଭାଷା ଏପର୍ଯ୍ୟନ୍ତ ସଂସ୍କୃତର ଯେତିକି ନିକଟଵର୍ତ୍ତୀ ହୋଇ ରହିଛି , ଅନ୍ୟ କୌଣସି ଭାରତୀୟ ଭାଷା ଏତେ ନିକଟଵର୍ତ୍ତୀ ହୋଇ ରହିନାହିଁ ।

(୪) ସଂସ୍କୃତର ନିକଟଵର୍ତ୍ତୀ ଏଵଂ ଵିପୁଳ ଶବ୍ଦ ଭଣ୍ଡାରଶାଳୀ ହୋଇଥିଵାରୁ ଓଡ଼ିଆ ଭାଷାର ଭାଷା ପ୍ରକାଶନୀ ଶକ୍ତି ଅସୀମ । ଏପରି କୌଣସି ଭାଵ,ଜ୍ଞାନ ଵା ଚିନ୍ତା ନାହିଁ ,ଯାହାକି ଓଡ଼ିଆ ଭାଷାରେ ପ୍ରକାଶ କରିହେଵ ନାହିଁ ‌।

(୫) ପ୍ରତ୍ୟେକ ଭାଷାର ଵିଭିନ୍ନ ଆଞ୍ଚଳିକ ସ୍ଵରୂପ ରହିଛି । ଓଡ଼ିଶାର ଦକ୍ଷିଣ, ଉତ୍ତର ଓ ପଶ୍ଚିମରେ ଓଡ଼ିଆ ଭାଷାର ସ୍ଵରୂପ ଵିଭିନ୍ନ ।  କିନ୍ତୁ ସେ ସମସ୍ତଙ୍କୁ ଓଡ଼ିଆ ଭାଷା କୁହାଯାଏ ଯେପରି ବଙ୍ଗଦେଶରେ ପ୍ରଚଳିତ ବଙ୍ଗଳା ଭାଷାର ସମସ୍ତ କଥିତ ସ୍ଵରୂପକୁ ବଙ୍ଗଳା କୁହାଯାଏ, ହିନ୍ଦୀ ଭାଷାର ସମସ୍ତ ଆଞ୍ଚଳିକ ସ୍ଵରୂପକୁ ହିନ୍ଦୀ ହିଁ କୁହାଯାଏ ଇତ୍ୟାଦି...

Monday, November 9, 2020

ଓଡି଼ଆ ଭାଗବତର କଥା ୧

ଭାଗବତର ଏକାଦଶ ସ୍କନ୍ଧର ପ୍ରଥମ ଅଧ୍ଯାୟରେ ଜାତୀୟକବି ଶ୍ରୀଜଗନ୍ନାଥ ଦାସ ପଦେ ରଚିଲେ "ସେ କଥା ପ୍ରାକୃତେ ପ୍ରକାଶ,ଆରମ୍ଭେ ଜଗନ୍ନାଥ ଦାସ !!" ଏଠାରେ ବ୍ଯବହୃତ ପ୍ରାକୃତେ ଶବ୍ଦଟି କେଉଁ ଅର୍ଥରେ ପ୍ରୟୋଗ ହୋଇଅଛି ? ଶ୍ରୀଜଗନ୍ନାଥ ଦାସ କେଉଁ ଭାଷାରେ ଭାଗବତ ରଚିଥିଲେ ? ପ୍ରାକୃତ ଶବ୍ଦର ଅର୍ଥ କଣ ? ଆମ ଭାଷାରେ ପ୍ରାକୃତ ଶବ୍ଦର ନିମ୍ନୋକ୍ତ ଅର୍ଥ ରହିଛି -- (ସକାରାତ୍ମକ ଅର୍ଥ)- ଅକୃତ୍ରିମ,ପ୍ରାକୃତିକ,ସହଜ,ସ୍ବାଭାବିକ,ପ୍ରଜାସମ୍ବନ୍ଧୀୟ,ସାଧାରଣ                            (ନକାରାତ୍ମକ ଅର୍ଥ)- ଇତର,ଅଶିଷ୍କ,ଅଶିକ୍ଷିତ,ଭୌତିକ,ମାୟାମୟ ଓ ହେୟ ଇତ୍ଯାଦି ! ଭାଷା କ୍ଷେତ୍ରରେ ପ୍ରୟୋଗ ସମୟରେ 'ପ୍ରକୃତ ଭାଷା' ଶବ୍ଦଟି ମାଗଧୀ ଭାଷା,ପ୍ରଚଳିତଭାଷା,ପାଲୀ ଭାଷା,ଅସଂସ୍କୃତ ଭାଷା,ସାଧାରଣଜନଙ୍କ ଭାଷା,ସହଜ ଭାଷା,ପ୍ରାଦେଶିକ ଭାଷା ଓ ଲୌକିକ ଭାଷା ଅର୍ଥରେ ପ୍ରୟୋଗ ହୋଇଥାଏ ! ସଂସ୍କୃତ ଈଶ୍ବରଙ୍କ ଭାଷା ଏବଂ ପ୍ରାକୃତ ଲୌକିକ ଭାଷା ସେତେବେଳେ ଏଭଳି ବିଚାର ପ୍ରଚଳିତ ଥିଲା ! 

ପ୍ରାକୃତ ଭାଷା ବା ଲୌକିକ ଭାଷାକୁ ହୀନ ମନେ କରାଯାଉଥିଲା କିନ୍ତୁ ଆଜି ଆମେ ଜାଣିଛୁ ଯେ ଆମ ପ୍ରାକୃତ ଓଡ଼ିଆ ଭାଷା ଅନେକ କ୍ଷେତ୍ରରେ ଆଧୁନିକ ସଂସ୍କୃତଠାରୁ ଶ୍ରେଷ୍ଠ ! ବୈଦିକ ସଂସ୍କୃତ ଓ ପ୍ରାଚୀନ ଆର୍ଯ୍ଯଭାଷାର ଅନେକ ଗୁଣ ଓଡ଼ିଆ ଭାଷାରେ ଏବେ ମଧ୍ଯ ଦୃଶ୍ଯ ହୋଇଥାଏ ! 

ଗୋଟିଏ ଲୌକିକ ଭାଷା ବି ସଂସ୍କୃତକୁ ନିଜ ମଧ୍ଯରେ ସମାହିତ କରିନେଇ ଶାସ୍ତ୍ରୀୟ ବିବେଚିତ ହୋଇପାରେ ବୋଧହୁଏ ଏକଥା ତତ୍କାଳୀନ ଯୁଗର ଅହଂକାରୀ ପଣ୍ଡିତ ସ୍ବପ୍ନରେ ସୁଦ୍ଧା ଭାବିନଥିବେ ! ଯେଉଁ ଭାଷାର ଭାଗବତକୁ ଏକଦା ତେଲୀ ଭାଗବତ କହି ଅପମାନ କରାଯାଉଥିଲା ସେ ପ୍ରାକୃତ ଭାଷା ଆଜି ଭାରତର ଏକ ବଡ଼ଭାଷା ପୁଣି ଶାସ୍ତ୍ରୀୟ ବିଦିତ ହେଉଅଛି ! ଏହା ସାମାନ୍ଯ କଥା ନୁହେଁ ଏହା ଓଡ଼ିଆ ପ୍ରାକୃତର ଜୟଯାତ୍ରାର ଅବିସ୍ମରଣୀୟ କାହାଣୀ ! ଏ ଜାତି, ଓଡ଼ିଆ ଭାଗବତ ଓ ଭାଗବତଟୁଙ୍ଗିରୁ ଆରମ୍ଭ ହୋଇଥିବା ଭାଷା ଆନ୍ଦୋଳନରୁ ଶିକ୍ଷା ନେବା ଉଚିତ୍ ! 

ଭାଷା ଆନ୍ଦୋଳନ ଆଜି ବି ବଳବତ୍ତର ରହିଛି ! ଓଡ଼ିଆ ପ୍ରାକୃତକୁ ସମ୍ପୂର୍ଣ୍ଣ ପ୍ରଶାସନିକ ମାନ୍ଯତା ,କେନ୍ଦ୍ରରେ ଏକ ଜାତୀୟ ଭାଷାର ମାନ୍ଯତା ଆଜିର ଭାଷା ଆନ୍ଦୋଳନର ଆଭିମୁଖ୍ଯ ହେବା କଥା ! 

ସବୁବେଳେ ମନେ ରଖିବା ଉଚିତ୍ ଯେ ଓଡ଼ିଆ ଭାଷା ଆନ୍ଦୋଳନ ଆଜିର ନୁହେଁ ସାରଳା ମହାଭାରତ ଓ ଭାଗବତ ରଚନା ଆରମ୍ଭ କାଳରୁ ଏହା ହୋଇ ଆସିଛି ଏବଂ ଯେତେ ଦିନ ଯାଏଁ ଏ ମହାନ ଦେଶର ମହାନ ଭାଷାକୁ ତାହାର ସମ୍ମାନ ମିଳିନାହିଁ ତାହା ଏମିତି ଚାଲିଥିବ ! ଜୟ ଓଡ଼ିଆ ,ଜୟ ଓଡ଼ିଶା , ଜୟ ଜଗନ୍ନାଥ !!!

ବଡ଼ଜାତିଆ ଝିଅ

ଝିଅଟି ଜାତିରେ ଗୁଡ଼ିଆ କିନ୍ତୁ ରାଜଜେମା ପରିକା ସୁନ୍ଦର ! କାର୍ଯ୍ଯାଳୟରେ କାର୍ଯ୍ଯ କରୁଥିଲେ ହେଁ ବାପଛେଉଣ୍ଡ ଝିଅଟି ମାଆର ଦୃଢ଼ ଆକଟରେ ବଡ଼ ହୋଇଛି ! ବିଧବା ମାଆ ସହିତ ରହି ଝିଅଟି ଟୋକାଙ୍କଠୁ ବର୍ତ୍ତିବାକୁ ନାନା ଉପାୟ ଶିଖିଯାଇଛି ! କାର୍ଯ୍ଯାଳୟରେ ବିଭିନ୍ନ ଜାତିର ଯୁବକ କାମ କରୁଛନ୍ତି ତେବେ ସେହି କାର୍ଯ୍ଯାଳୟରେ ପ୍ରିୟବ୍ରତ ପଣ୍ଡା ବ୍ଯତିତ ଅନ୍ଯ ସମସ୍ତ ବ୍ରାହ୍ମଣ ଜାତିର ବ୍ଯକ୍ତିମାନଙ୍କର ବିବାହ ହୋଇ ସାରିଛି ! 

ଓଡ଼ିଶାରେ ଜାତି ନଦେଖି ବି ପ୍ରେମ ହୁଏ କିନ୍ତୁ ବିବାହ ବେଳେ ଜାତି ପ୍ରସଙ୍ଗ ନିଶ୍ଚୟ ଉଠି ହିଁ ଥାଏ !  ସାଧାରଣତଃ ଏଇଥିପାଇଁ ଆମ ରାଜ୍ଯର ଅନେକ ଯୁବକ ଯୁବତୀ ନିଜ ଜାତିମଧ୍ଯରେ ମନ ଦିଆ ନିଆକୁ ଅଧିକ ସୁଖ ମଣନ୍ତି ! ଝିଅଟି ଓଡ଼ିଆଙ୍କର ଏହି ଜାତୀୟ ଗୁଣକୁ ଠିକ୍ ଠାଉରେଇ ପାରିଥିଲା ତେଣୁ ସେ କାର୍ଯ୍ଯାଳୟରେ ଯୋଗ ଦେବା ଦିନ ହିଁ ନିଜକୁ ବ୍ରାହ୍ମଣ ଜାତିର ବୋଲି କିଛି ଲୋକଙ୍କୁ ପରିଚୟ ଦେଇଦେଲା ! 

ଫଳତଃ ଅଧିକାଂଶ ନିମ୍ନ ଜାତିର ଯୁବକ ତା'କୁ ପଟେଇବାର ଚେଷ୍ଟାରୁ ବିରତ ତହିଲେ ! ଏଣେ ପ୍ରିୟ ପଣ୍ଡାବାବୁ ଯେମିତି ବି ହେଉ ଏହି ନବାଗତା କନ୍ଯାକୁ ପ୍ରେମ ଫାସରେ ଫସେଇବାର ନାନାଦି ଉପାୟମାନ ଅବଲମ୍ବନ କଲେ !  ଜଣେ ଗଡ଼ଜାତିଆ ପିଲାକୁ କିନ୍ତୁ ଝିଅ ଉପରେ କାହିଁକି କେଜାଣି ଭାରି ସନ୍ଦେହ ହେଲା ! ଝିଅର ଉପନାମ ଯଦି "ସାହୁ"  ସେ ପୁଣି ବ୍ରାହ୍ମଣ କେମିତି ହେବ ତେବେ ଅନୁସନ୍ଧାନ କରି ଜାଣିଲା ଯେ କେତେକ ସାହୁ ଉପନାମଧାରୀ ବ୍ରାହ୍ମଣ ବି ଅଛନ୍ତି ! 

ଗୋଟାଏ ପଟେ ବ୍ରାହ୍ମଣ ଟୋକା ଝିଅକୁ ପଟେଇବାର ଚେଷ୍ଟାରେ ଲାଗିଥିବା ବେଳେ ଏପଟେ ଗଡ଼ଜାତିକା ଟୋକାଟା ଝିଅର ସତ କାଢ଼ିବାକୁ ଲାଗିପଡ଼ିଲା ! ପ୍ରାୟ ତିନିମାସ ପରେ ଝିଅର ବାହାଘର ଠିକ୍ ହେଲା ! ପଣ୍ଡାବାବୁ ମନ ଦୁଃଖରେ କେବଳ  ଭୋଜିଟା ପାଇଁ ଝିଅର ବାହାଘର ଦିନ ତା' ଗାଆଁକୁ ଯାଇଥିଲେ ! ଭୋଜି ଖାଇ ପଣ୍ଡେ ଘରକୁ ବାହୁଡ଼ୁଥାନ୍ତି ଜଣେ ଗାଆଁଲୋକ କହୁଥିବାର ଶୁଣିଲେ "ଜାଣିଲ ! ବଡ଼ ଘରେ ବାହାଘର ହୋଇଛି କି ସୌଭାଗ୍ଯ ଦେଖ ! ପିଲାଟା ଜାତିରେ ଗୁଡ଼ିଆ ସିନା କିନ୍ତୁ ସରକାରଙ୍କ ପାଖ ଲୋକ ! କୋଟି କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି ! ଆମ ଗୁଡ଼ିଆ ଜାତିରେ ଏମିତି ବରଟେ ଯୁଟିବା ଏତେ ସହଜ କି ନା ?" 

ପଣ୍ଡାବାବୁ ଏସବୁ ଦେଖି ଶୁଣି ହତବାକ୍ ହୋଇଗଲେ ! ସେ ରାଗିବେ ନା ହସିବେ କିଛି ବୁଝିପାରିଲେ ନାହିଁ ! ଏତିକି ବେଳେ କାର୍ଯ୍ଯାଳୟର ସେହି ଗଡ଼ଜାତିଆ ଟୋକାଟା ସହ ପଣ୍ଡାବାବୁଙ୍କର ଦେଖା ହେଲା ! ପଣ୍ଡେ ଝିଅ କଥା କହିଲାରୁ ଇଏ କହିଲା କିହୋ ଗୋସେଇଁ ସେକଥା ମୁଇଁ ଆଘରୁ ଜାଣିଥିଲି ହୋ ହେଲେ ତମେ ତ ପ୍ରେମରେ ଭୋଳ ଥିଲ ମୋ କଥାକୁ ଆରମିନ୍ତି ଭାବିଥାନ୍ତ ନା ଆଉ ! ହଉ ମ ଯାହା ହେଲା ଅଏନ୍ ହେଲା ବୋ ମିଛେଇ ଝିଅକୁ ବାହା ହେଇନ ଭଲ କରିଛ ଯେ ! "  
(ଏହା ସତ୍ଯ ଘଟଣା ସହ କଳ୍ପନାର ସମ୍ମିଶ୍ରଣ ମାତ୍ର,)

ପ୍ରେମ ଓ ଘୃଣା


*ସ୍ତ୍ରୀଟେ ଜଣେ ପୁରୁଷକୁ କହିଲା "ମୁଁ ତମକୁ  ଭଲ ପାଏ"
*ପୁରୁଷଟି ଉତ୍ତର ଦେଲା "ତୁମେ ମୋତେ ପ୍ରେମ କରିବାଟା ମୋର ବହୁତ ବଡ଼ ସୌଭାଗ୍ଯ
*ସ୍ତ୍ରୀଟି ପୁଣି କହିଲା- "ମୋତେ ବି ତମେ ପସନ୍ଦ କର କି ?"
*ପୁରୁଷଟି ସ୍ତ୍ରୀ ଆଡ଼କୁ ଗମ୍ଭୀର ହୋଇ ଘଡ଼ିଏ ଚାହିଁଲା କିନ୍ତୁ କିଛି କହିଲା ନାହିଁ !
*ନିଜ ପ୍ରଶ୍ନର କୌଣସି ଉତ୍ତର ନପାଇଲାରୁ ସ୍ତ୍ରୀଟି ରାଗି ଯାଇ ବଡ଼ପାଟିରେ କହିଲା - "ଯଦି ତୁମେ ମୋତେ ସୁଖ ପାଉନ ତାହେଲେ ମୁଁ ବି ଆଜିଠୁ ତୁମକୁ ଘୃଣା କରିବି !"
*ତାକଥା ଶୁଣି ପୁରୁଷଟି କହିଲା- " ତୁମଠାରୁ ଘୃଣାପାଇବା ବି ମୋ ପାଇଁ ବଡ଼ ସୌଭାଗ୍ଯର କଥା ଯେ...
(ଖଲୀଲ ଜୀବ୍ରାନଙ୍କର ଏକ ଲେଖାର ଓଡ଼ିଆ ଭାବାନୁବାଦ)

=>ମୁଁ ତୁମକୁ ଭଲ ପାଏ
=>ମୁଁ ତୁମକୁ ପ୍ରେମ କରୁଛି
=>ମୁଁ ତୁମକୁ ପସନ୍ଦ କରେ
=>ମୁଁ ତୁମକୁ ସୁଖପାଏ  
=>ତୁମ ପ୍ରତି ମୋର ଅନୁରାଗ ଜନ୍ମିଛି
=>ତୁମ ପିରତୀରେ ମୁହିଁ ବନ୍ଧା ପଡ଼ିଛି
=>ତୁମେ ହିଁ ମୋ ମନର ମଣିଷ
=>ତୁମ ପ୍ରେମରେ ମୁଁ ଉବୁଡୁବୁ ହେଉଛି 
ଇତ୍ଯାଦି ଇତ୍ଯାଦି-

ହେ ତଥାକଥିତ ଆଧୁନିକ ଓଡ଼ିଆମାନେ ତମେ ପ୍ରେମ କଲେ ବିଦେଶୀ ଭାଷାରେ "ଆଇ ଲଭ ୟୁ" କି ହିନ୍ଦୀରେ "ମୁଝେ ତୁମସେ ପ୍ଯାର୍ ହୈ" କହିବା ଆଗରୁ ନିଜର ଏହି ପଦକ କଥାକୁ ବାକ୍ଯଗଠନ କରି ଦେଖ--- ଏମିତି ସହସ୍ରାଧିକ ପଦ ମୋ ଭାଷାରେ , ତୁମ ଭାଷାରେ ସୃଷ୍ଟି ହୋଇପାରେ ...
ଯଦି ପ୍ରେମିକ ପ୍ରେମିକା ଉଭୟ ଓଡ଼ିଆ ତେମେ  ପ୍ରେମ ପ୍ରକାଶ ପାଇଁ ଆନ ଭାଷାର ପଦ କାହିଁକି ବ୍ଯବହାର କରୁଛ ?

ବିଦେଶୀ ବିଲୁଆ,ବନ୍ଯଶ୍ବାନ ଓ କୁକୁରଙ୍କର ଇତିହାସ କଥା


ଲକ୍ଷ ଲକ୍ଷ ବର୍ଷ ତଳେ ହିମାଳୟର ପାଦଦେଶରେ ବନ୍ଯଶ୍ବାନ ଓ ଶ୍ବାନ ଏକାଠି ରହୁଥିଲେ ! ସେତେବେଳେ ଉଭୟଙ୍କ ମଧ୍ଯରେ ସେତେ ଭେଦାଭେଦ ନଥିଲା ! ଶ୍ବାନଙ୍କ ପୂର୍ବଜମାନେ କୌଶଳୀ ଥିଲେ ତେଣୁ ହିମାଳୟର ଗୁମ୍ଫାରେ ବାସ କରୁଥିବା ଆମ ପୂର୍ବଜଙ୍କ ଖାଦ୍ଯ ମଧ୍ଯ ଚୋରୀ କରିନେଉଥିଲେ ! ଏଣେ ବନ୍ଯଶ୍ବାନମାନେ ଏମନ୍ତ କରିବାକୁ ପସନ୍ଦ କରୁନଥିଲେ ! ସେମାନେ ଜଙ୍ଗଲ ମଧ୍ଯରେ ଶିକାର କରି ହିଁ ବଞ୍ଚିରହୁଥିଲେ  ! କ୍ରମେ ବିଶ୍ବରେ ଭୀଷଣ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଶେଷ ଶୀତ ଯୁଗର ଆରମ୍ଭ ହେଲା ! ଆମେରିକାର ବୃହତ୍ତ ହ୍ରଦ ଅଞ୍ଚଳର ଥଣ୍ଡା ଜଳ ଆଟଲାଣ୍ଟିକ ମହାସାଗରରେ ମିଶିବାରୁ ଏହି ମହାସମୁଦ୍ରର ମଧ୍ଯଭାଗରୁ ୟୁରୋପ ଯାଏଁ ପ୍ରବାହିତ ହେଉଥିବା ଏକ ଉଷ୍ମ ସାଗରସ୍ରୋତ ଶୀତଳ ହୋଇଗଲା ! ଫଳତଃ ୟୁରୋପର ଅନେକ ଜୀବଙ୍କ ଭଳି ବିଭିନ୍ନ ଜାତୀୟ ୟୁରୋପୀୟ ବିଲୁଆ ବି ଏସିଆ ମହାଦେଶକୁ ପଳାଇ ଆସିଲେ ! କିଛି ବୈଦେଶିକ ବିଲୁଆ ହିନ୍ଦକୁଶ୍ ପର୍ବତ ପାର ହୋଇ ଭାରତକୁ ପଶି ଆସିଲେ ! ସେମାନେ ଏଠାରେ କେତେକ ଦିନ ରହି ଦେଶୀୟ ବନ୍ଯଶ୍ବାନଙ୍କୁ ଘୃଣା କଲେ ! ସେତେବେଳକୁ ବନ୍ଯଶ୍ବାନମାନେ ବିଲୁଆଙ୍କଠାରୁ କେତେକାଂଶରେ ଭିନ୍ନ ଦେଖାଯାଉଥାନ୍ତି ! ବିଲୁଆଙ୍କ ଲାଞ୍ଜ ରୋମମୟ କିନ୍ତୁ ବନ୍ଯଶ୍ବାନଙ୍କର ଲାଞ୍ଜ ଅପେକ୍ଷାକୃତ ଛୋଟ ଥିଲା ! ତେବେ ଶ୍ବାନଙ୍କ ଲାଞ୍ଜରେ ଲୋମ ନଥିବାରୁ ସେମାନେ ଆହୁରି ଆକର୍ଷଣୀୟ ଥିଲେ ! ଶ୍ବାନମାନେ ବିଦେଶୀ ବିଲୁଆ ଓ ବନ୍ଯଶ୍ବାନଙ୍କ ଅପେକ୍ଷା ଅଳ୍ପ ହିଂସ୍ର ଥିଲେ ଏବଂ ଏହା ତାଙ୍କୁ ଭବିଷ୍ଯତରେ ମନୁଷ୍ଯର ପ୍ରଥମ ବନ୍ଧୁ କରିପାରିଥିଲା ! ତେବେ ବିଦେଶୀ ବିଲୁଆ ଶହ ଶହ ବର୍ଷ ଭାରତରେ ରହି କ୍ରମେ ନିଜକୁ ଦେଶୀୟ ବନ୍ଯଶ୍ବାନ ବୋଲି ବିଚାର କରିବା ଆରମ୍ଭ କରିଦେଇଥାନ୍ତି ! ସେମାନଙ୍କ ମଧ୍ଯରେ ସାମାଜିକ ପାରିବାରିକ ସମ୍ପର୍କ ସ୍ଥାପନ ହେବା ଆରମ୍ଭ ହେଲା ! ଏହା ଭିତରେ କିଛି ବିଦେଶୀ ବିଲୁଆଙ୍କ ବଂଶଜ ଦେଖିଲେ ବନ୍ଯଶ୍ବାନ ଓ ଶ୍ବାନ ଭିନ୍ନ ଦେଖାଯାଉଛନ୍ତି ! ଏହି ଲୋମହୀନ ଶ୍ବାନମାନେ ଇତିମଧ୍ଯରେ ଅବାନ୍ତର ଓ ଶାନ୍ତିପ୍ରିୟ ହରଣ କୌଶଳ ବି ଶିଖିଗଲେଣି ! ଏଇଭଳି କେତେ ଅଞ୍ଚଳରେ ବିଦେଶୀ ବିଲୁଆଙ୍କ ବଂଶଜ ବନ୍ଯଶ୍ବାନଙ୍କ ଦଳର ମୁଖିଆ ହେଲେ ! ସେମାନେ କୁକୁରଙ୍କ ପ୍ରତି ବଣୁଆ କୁକୁରଙ୍କ ମନରେ ବିଷ ମଞ୍ଜି ପୋତିବା ଆରମ୍ଭ କରିଦେଲେ ! ଏହି ଘୃଣାରୂପି ବିଷ କ୍ରମେ ଏକ ଛୋଟିଆ ଅଞ୍ଚଳରୁ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ବନ୍ଯଶ୍ବାନ ଜାତିରେ ବସା ବାନ୍ଧି ରହିଗଲା ! ବନ୍ଯଶ୍ବାନମାନେ ୟୁରୋପୀୟ ବିଲୁଆଙ୍କ ସ୍ଥାନୀୟ ନାମ କୁହ୍ଲିଆକୁ ଗ୍ରହଣ କରିନେଇ ଆପଣା ଜାତିର ନୂଆ ନାମକରଣ କଲେ ! ସେମାନେ ଶ୍ବାନମାନଙ୍କୁ ଭୀଷଣ ଅପମାନ ଓ ନିର୍ଯାତନା ଦେଲେ ତଥାପି ଶ୍ବାନମାନେ ବନ୍ଯଶ୍ବାନଙ୍କୁ ଆପଣ ଭାଇ ବୋଲି ଜାଣିଥିବାରୁ ସେମାନଙ୍କ ସହିତ ମିଳିମିଶି ରହୁଥାନ୍ତି ! ବିଦେଶୀ ବିଲୁଆ ଯେଉଁମାନେ ଶ୍ବାନ ଓ ବନ୍ଯଶ୍ବାନଙ୍କ ଦଳର ମୁଖିଆ ଥିଲେ ସେମାନେ ଏ ଉଭୟ ଜାତିକୁ ଭିନ୍ନେ କରିବା ପାଇଁ ପାରୁ ପର୍ଯ୍ଯନ୍ତ ଚେଷ୍ଟାକଲେ ! ଫଳରେ ଉକ୍ତ ଶ୍ବାନଦେଶରେ ଭୀଷଣ ଗୃହଯୁଦ୍ଧ ହେଲା ଓ ବିଦେଶୀମାନେ ଶ୍ବାନଜାତିକୁ ବାଣ୍ଟିବାରେ ସଫଳ ହେଲେ ! ବିଲୁଆ ଓ ବନ୍ଯଶ୍ବାନ ଏବେ ନିଜ ଜାତିକୁ କୁହ୍ଲିଆ ପରିଚୟ ଦେଉଥାନ୍ତି ଏବଂ ଜଙ୍ଗଲରେ ତାଙ୍କର ସମ୍ପୂର୍ଣ୍ଣ ଶାସନ ହୋଇଗଲା ! ଏପଟେ ସାଧାରଣ ଶ୍ବାନମାନେ ନିଜ ଆତ୍ମୀୟଙ୍କ ବର୍ବରତାକୁ ଅଙ୍ଗେ ନିଭେଇ ମନୁଷ୍ଯ ରହୁଥିବା ନିମ୍ନ ପାହାଡ଼ିଆ ଅଞ୍ଚଳରେ ରହିବାକୁ ଲାଗିଲେ ! ଧୀରେ ଧୀରେ ମନୁଷ୍ଯମାନେ ଏହି ସାଧାରଣ ଶ୍ବାନଙ୍କୁ ପାଳି ପୃଥ୍ବୀ ଜୟୀ ହୋଇପାରିଛନ୍ତି ! କିନ୍ତୁ ବନ୍ଯଶ୍ବାନ ? ହାୟ ! ସେମାନେ ଅଧୁନା ବିଦେଶୀ ବିଲୁଆଙ୍କ ଶିକାର ହେଉଛନ୍ତି ଏବଂ ଜଙ୍ଗଲରେ ଏହି ବିଦେଶୀ ବିଲୁଆମାନେ ଏମାନଙ୍କୁ ଡରେଇ ରଖିଛନ୍ତି ! ଶ୍ବାନମାନେ କିନ୍ତୁ ବିଲୁଆ ତଥା ବନ୍ଯଶ୍ବାନଙ୍କ ଦଗା ଓ ସେ ଭୀଷଣ ଗୃହଯୁଦ୍ଧର କାହାଣୀ ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ଶୁଣେଇ ଆସିଛନ୍ତି ! ସେଇଥିପାଇଁ ତ କୁହ୍ଲିଆଟିଏ କି କୋକିଟିଏ ଗାଁରେ ପଶିଗଲେ ପଞ୍ଝାଏ କୁକୁର ତାକୁ ମାରିଦେବାକୁ ଚେଷ୍ଟା କରନ୍ତି ! ଯୁଗ ବଦଳିଛି କିନ୍ତୁ ବିଲୁଆ ଓ ବନ୍ଯଶ୍ବାନ ନିଜକୁ କୁହ୍ଲିଆ ବୋଲି ଭିନ୍ନ ପରିଚୟ ଦେଉଥିଲେ ହେଁ ମନୁଷ୍ଯମାନେ ସେ ସମସ୍ତଙ୍କୁ dog family ବା ଶ୍ବାନ ପରିବାରରେ ରଖିଛନ୍ତି ! ବିଲୁଆମାନେ ଶତଚେଷ୍ଟା କରି ମଧ୍ଯ ଏ ମହାନ ଶ୍ବାନପରିବାରକୁ ମନୁଷ୍ଯର ବୈଜ୍ଞାନିକ ଦୃଷ୍ଟିରେ ବାଣ୍ଟିପାରିନାହାନ୍ତି କାରଣ

 "ସତକୁ ଲୁଚାଯାଇପାରେ,ଅର୍ଦ୍ଧସତ୍ଯ କରାଯାଇପାରେ କିନ୍ତୁ ନଷ୍ଟ କରାଯାଇପାରେନା"
©ଶିଶିର ସାହୁ ମନୋଜ

ରାଜଦଣ୍ଡ



ଜଣେ ରାଜା କୌଣସି କଥାରେ ଚିଡିଯାଇ ତାଙ୍କ ପତ୍ନୀକୁ କହୁଥାନ୍ତି 
"ପ୍ରକୃତରେ ତମେ ରାଣୀ ହେବାର ଯୋଗ୍ଯ ନୁହେଁ ! ତମେ ଜଣେ ଅସୁନ୍ଦରୀ କଳିହୁଡ଼ି ମାଇକିନା ! ତୁମକୁ ନିଜର ରାଣୀ କହିବାକୁ ମୋତେ ଲାଜ ଲାଗେ"

ରାଣୀ ବି ଛାଡ଼ିବା ଯନ୍ତୁ ନୁହନ୍ତି ସେ କହିଲେ
 "ତୁମେ ନିଜକୁ ରାଜା କହୁଛ କିନ୍ତୁ ତୁମେ ଜଣେ ବଡ଼ ବଡ଼ କଥା କହୁଥିବା କୁହାମୁଣ୍ଡା କପିଳା ଛଡ଼ା କିଛି ବି ନୁହେଁ"

ଏହା ଶୁଣି ରାଜା ଭୀଷଣ ରାଗିଯାଇ ରକ୍ତ ଚାଉଳ ଚୋବେଇଲେ ! ରାଗରେ ସେ ନିଜର ସ୍ବର୍ଣ୍ଣ ଶାସନ ଦଣ୍ଡରେ ରାଣୀଙ୍କ ମୁଣ୍ଡକୁ ପାହାରେ ପିଟିଦେଲେ !  

ସେହିକ୍ଷଣି ରାଜ୍ଯର ନ୍ଯାୟମନ୍ତ୍ରୀ ସେଠାରେ ପହଞ୍ଚି ରାଜାଙ୍କୁ ଅଭିବାଦନ ପୂର୍ବକ କହିଲେ

 " ଅତି ଉତ୍ତମ ଛାମୁ ! ଏହି ରାଜଦଣ୍ଡକୁ ରାଜ୍ଯର ସବୁଠୁଁ ବଡ଼ କାରିଗର ଗଢ଼ିଥିଲେ ! ଏହା କଟୁସତ୍ଯ ଯେ ଦିନେ ରାଣୀ ଓ ଆପଣଙ୍କୁ ଲୋକେ ଭୁଲିଯିବେ କିନ୍ତୁ ଏହି ରାଜଦଣ୍ଡ ସୌନ୍ଦର୍ଯ୍ଯର ପ୍ରତୀକ ଭାବେ ପିଢ଼ି ପିଢ଼ି ଧରି ସାଇତା ହୋଇ ରଖାଯିବ ! ମଣିମା ! ଏବେ ତ ଏହି ରାଜଦଣ୍ଡ ଆହୁରି ମହତ୍ତ୍ବପୂର୍ଣ୍ଣ ଏବଂ ରାଜ୍ଯର ଅମୂଲ୍ଯ ସମ୍ପଦ ବିବେଚିତ ହେବ କାରଣ ଆପଣ ରାଣୀଙ୍କ ମସ୍ତକର ରକ୍ତରେ ଏହାର ଅଭିଷେକ  କରିଦେଲେଣି ..."

(ଲେବାନନ୍ ର ପ୍ରଶିଦ୍ଧ ଲେଖକ ଖଲୀଲ୍ ଜୀବ୍ରାନଙ୍କ ଏକ ଗଳ୍ପର ଓଡ଼ିଆ ଭାବାନୁବାଦ)

ଭ୍ରମ



ପର୍ବତର ଶିଖରରେ "ଭଲ" ଓ "ମନ୍ଦ" ପରସ୍ପରକୁ ଭେଟିଲେ ! "ଭଲ" କହିଲା - "ଭାଇ ଆଜିର ଦିନଟି ତୁମପାଇଁ ଶୁଭଙ୍କର ହେଉ" !

"ମନ୍ଦ" କିଛି ବି କହିଲା ନାହିଁ !

ତହୁଁ "ଭଲ" ପଚାରିଲା - କଣ୍ ହେଇଛି କି ଭାଇ ଆଜି କିଛି ବି ଉତ୍ତର ଦେଉନା କଣ୍ ମନ ଭଲ ନାହିଁ ?"

ମନ୍ଦ ମୁହଁ ବିଷ କରି କହିଲା - ଠିକ୍ କହିଲୁରେ ଆଜିକାଲି ଲୋକେ ଭ୍ରମରେ ମୋତେ "ତୁ" ବୋଲି ଭାବୁ ଅଛନ୍ତି ! ମୋତେ ତୋ ନାଁ ଧରି ଡାକୁଛନ୍ତି ଆଉ ଏମିତି ବ୍ଯବହାର କରୁଛନ୍ତି ଯେମିତି ମୁଁ ମୁଁ ନୁହେଁ ତୁ ଅଟେ ! ଏସବୁ ମୋତେ ଆଦୌ ସୁଖ ଲାଗୁନି"

ସେଇଠୁ ଭଲ କହିଲା - "ମୋ ସହିତ ବି ଆଜିକାଲି ସେଇଆ ହେଉଛି ! ସେମାନେ ମୋତେ ତୁମ ନାମ ନେଇ ଡାକୁଛନ୍ତି"

ଏହା ଶୁଣି "ମନ୍ଦ" ବିଚରାଟା ଲୋକଙ୍କ ମୂର୍ଖତାକୁ ବୁଝି ବହେ ଶୋଦି ସେଠାରୁ ଚାଲିଗଲା ...

(ଲେବାନନ୍ ର ଲୋକପ୍ରିୟ ଲେଖକ ଖଲୀଲ୍ ଜୀବ୍ରାନଙ୍କର ଏକ କ୍ଷୁଦ୍ରଗଳ୍ପର ଓଡ଼ିଆ ଭାବାନୁବାଦ)

କାବ୍ଯ ଓ କବିତା



ଏଥେନ୍ସ(ଗ୍ରୀସ୍) ର ରାଜମାର୍ଗରେ ଦିଜଣ କବିଙ୍କର ଆକସ୍ମିକ ଭେଟ ହୋଇଗଲା ! ପରସ୍ପରକୁ ଭେଟି ଉଭୟ ବହୁତ ଖୁସି ହେଲେ ! 

ଜଣେ କବି ଆର ଜଣକୁ ପଚାରିଲା
 "ଆଉ ଆଜିକାଲି କିୟଣ ଚାଲିଛି କିହେ କବିବର !"

ଦ୍ବିତୀୟ କବି ଜଣକ ବଡ଼ ଗର୍ବରେ କହିଲା "ମୁଁ ଏଇ ନିକଟ ଅତୀତରେ ଏମିତି ଏକ କାବ୍ଯ ସମ୍ପୂର୍ଣ୍ଣ କରିଛି ଯାହା ମୋର ସବୁ କାବ୍ଯ ମଧ୍ଯରେ ଶ୍ରେଷ୍ଠ ଅଟେ ! ମୋ ମତରେ ଏହା ଗ୍ରୀକ୍ ଭାଷାରେ ଲେଖା ଯାଇଥିବା ସବୁ କାବ୍ଯ କବିତା ମଧ୍ଯରେ ଶ୍ରେଷ୍ଠତର ! ଏହି କାବ୍ଯଟି ମୋ ଗୁରୁଙ୍କ ସ୍ମୃତିରେ ଲେଖା ଯାଇଛି"

ସେଇଠୁ ସେ ନିଜ ଅଙ୍ଗି ଭିତରୁ ଏକ ପୋଥି କାଢ଼ି ଦେଖେଇ କହିଲା "ଆହେ ଦେଖ ତ ଏଇ କାବ୍ଯଟି ତ ମୋ ପାଖରେ ହିଁ ଅଛି ! ଏହା ପଢ଼ିଲେ ତୁମକୁ ବଡ଼ ପ୍ରସନ୍ନତା ହେବ ! ଚାଲ ସେହି ଗଛ ଛାଇ ତଳେ ବସିବା !"
କବି ନିଜ ରଚନା ପାଠ କରିବା ଆରମ୍ଭ କଲା ଯାହା ବହୁତ ଦୀର୍ଘ ଥିଲା !

ଦ୍ବିତୀୟ କବି ଜଣକ ନର୍ମତାପୂର୍ବକ ପ୍ରତିକ୍ରିରା ଦେଲା 
"ବାଃ ଏହା ତ ଏକ ମହାନ ରଚନା,କାଳଜୟୀ ରଚନା ଅଟେ" !!!

ତହୁଁ ପ୍ରଥମ କବି ଜଣକ ଟିକିଏ ପ୍ରଫୁଲ୍ଲିତ କଣ୍ଠରେ ବୋଇଲେ " ଆଜିକାଲି ତେମେ କିସ ଲେଖୁଛ ନା ନାଇଁ ମ ?"

ଦ୍ବିତୀୟ କବି ଜଣକ କହିଲା -
"ଛୋଟିଆ କବିତାଟିଏ ଲେଖିଛି ,ଏଇ କବିତାଟି ମାତ୍ର ଆଠଧାଡ଼ିର କବିତାଟିଏ ! ବଗିଚାରେ ଖେଳୁଥିବା ପିଲାଙ୍କୁ ଦେଖି ଏହି କବିତାଟି ରଚିଥିଲି !" ସେ ମଧ୍ଯ ନିଜ ରଚନା ଶୁଣେଇଲେ !

ଉକ୍ତ ଆଠ ଧାଡ଼ିଆ କବିତାଟି ଶୁଣି ପ୍ରଥମ କବି ଜଣକ କହିଲା "ଠିକ୍ ଠାକ୍ ଅଛି ,ସୃତିକଟୁ ହୋଇନି ଏଇଟା ବଡ଼କଥା ବା" !

ଆଜି ଦୁଇ ହଜାର ବର୍ଷ ବିତିଗଲା ପରେ ବି ସେହି କବିର ଆଠପଂକ୍ତି ବିଶିଷ୍ଟ କବିତାଟି ଅନେକ ଭାଷାରେ ଅନୁବାଦ ହୋଇ ଆଦରପୂର୍ବକ ପାଠ କରାଯାଉଛି ! ଆର କବି ଜଣକର ବିଶାଳ କାବ୍ଯଟି ଶତାବ୍ଦୀ ଶତାବ୍ଦୀ ଧରି ପୁସ୍ତକାଳୟ ଓ ବିଦ୍ବାନଙ୍କ ଆଲଣା - ଆଲମାରିରେ ସୁରକ୍ଷିତ ଅବଶ୍ଯ ରହିଛି ମାତ୍ର ତାକୁ କେହି ପଢ଼ୁନାହାନ୍ତି !!!

(ଲେବାନନ୍ ର ଜଣାଶୁଣା ଲେଖକ ଖଲୀଲ୍ ଜୀବ୍ରାନଙ୍କ ଏକ ଗଳ୍ପର ଓଡ଼ିଆ ଭାବାନୁବାଦ)

Friday, August 21, 2020

ଗୋଟିଏ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଯେଉଁଥିରେ ଏକ ସମ୍ପୂର୍ଣ୍ଣ ହିନ୍ଦୀ ଗୀତ ରହିଥିଲା

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ୧୯୫୧ ମସିହାରେ ଗୋଟିଏ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରର ନାମ "Rools—2-8" ।  ଏହି ଚଳଚ୍ଚିତ୍ରଟି ସୀତା ଵିଵାହ, ଶ୍ରୀଜଗନ୍ନାଥ ଓ ଲଳିତା ଭଳି ପୌରାଣିକ କାହାଣୀକୁ ନେଇ ନିର୍ମିତ ଚଳଚ୍ଚିତ୍ରଠାରୁ ଭିନ୍ନ ସାମାଜିକ କଥାଵସ୍ତୁ ଉପରେ ଆଧାରିତ ଓଡ଼ିଆ ଭାଷାର ପ୍ରଥମ ଚଳଚ୍ଚିତ୍ର ବୋଲି ମଧ୍ୟ ଅଭିହିତ କରାଯାଏ ।

ଏହି ଚଳଚ୍ଚିତ୍ରରେ ଗୋଟିଏ ଗୀତ ସମ୍ପୂର୍ଣ୍ଣ ହିନ୍ଦୀରେ ଥିଵା ମଧ୍ୟ ଜଣାଯାଏ । ଚଳଚ୍ଚିତ୍ରର ଅଧିକାଂଶ କାର୍ଯ୍ୟ କଲିକତା ଷ୍ଟୁଡିଓରେ ସମ୍ପୂର୍ଣ୍ଣ ହୋଇଥିଲା । ଏ ଚଳଚ୍ଚିତ୍ର ପ୍ରଥମେ କଟକର "ପ୍ରଭାତ ସିନେମା"ରେ ମୁକ୍ତିଲାଭ କରିଥିଲେ ହେଁ ଆଶାନୁରୂପ ସଫଳତା ମିଳିନଥିଲା ତେବେ ଏହି ଚଳଚ୍ଚିତ୍ରକୁ ଓଡ଼ିଆ ଚଳଚ୍ଚିତ୍ର ଜଗତ ଇତିହାସର ଏକ ପ୍ରମୁଖ ଉପାଦାନ ଭାବେ ସବୁବେଳେ ମନାରଖାଯିଵ ।

ସବୁଠାରୁ ବଡ଼ କଥା ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଯେଉଁଥିରେ ଏକ ହିନ୍ଦୀ ଗୀତ ରହିଛି ଏଵଂ ଉକ୍ତ ଗୀତ "ନା ଜାନା ଇଂଲଣ୍ଡ ଓ' ଡିଅର୍ ଛୋଡ୍ କେ ଭାରତ ପ୍ୟାରା ଭାରତ ପ୍ୟାରା" ସମ୍ଭଵତଃ ଓଡ଼ିଆ ଚଳଚିତ୍ରରେ ପ୍ରଥମ ଦେଶାତ୍ମବୋଧକ ଗୀତ ହୋଇଥିଵା ସମ୍ଭଵ ।

"Rools—2-8" ଚଳଚ୍ଚିତ୍ରର ଆଉ କେତେକ ଗୀତ ହେଉଛି
ଯଥା—

୧)ଵସନ୍ତରେ ଵସନ୍ତରେ ଵସନ୍ତରେ ସରସ ପରସେ ଚାନ୍ଦ ବଉଳ ତଳେ ଆନନ୍ଦ(କମଳା ଦେଵୀ)

୨)ମହୁଆ ଫୁଟିଲା ବନେ ମନ କଥା ମନେ ଲୋ ମନେ(ରାଧାରମଣ ରାୟ,କମଳା ଦେଵୀ)

୩)ରାଜାର କୁମର ମୋର କେଉଁ ଦେଶେ ତୁମ ଘର(ଦୁଃଖ;ପ୍ରଫୁଲ୍ଲ ସିଂହଦେଓ,କମଳାଦେଵୀ)

୪)ନା ଜାନା ଇଂଲଣ୍ଡ ଓ' ଡିଅର୍
ଛୋଡ୍ କେ ଭାରତ ପ୍ୟାରା ଭାରତ ପ୍ୟାରା ।
ଇଣ୍ଡିଆନ କେ ସଙ୍ଗ୍ ... ଇଣ୍ଡିଆ ଦେଶ୍ ତୁହ୍ମାରା
(ପ୍ରଫୁଲ୍ଲ ସିଂହଦେଓ,କମଳାଦେଵୀ)

୫)ବନ ଫୁଲ ବନେ ଝାଉଁଳିଲା (ପ୍ରଫୁଲ୍ଲ ସିଂହଦେଓ,କମଳାଦେଵୀ)

୬)ମନ ମୋର ସପନର ପକ୍ଷୀରାଜେ...

ନିମ୍ନରେ "ମନ ମୋର ସପନର ପକ୍ଷୀରାଜେ" ଗୀତର lyrics ପ୍ରଦାନ କରାଗଲା । ଏହି ଗୀତର ଗାୟକ ଶ୍ରୀପ୍ରଫୁଲ୍ଲ କୁମାର ସିଂହଦେଓ ଓ ଶ୍ରୀମତି କମଳା ଦେଵୀ । ଗୀତ ରଚନା କରିଥିଲେ ବ୍ରଜେନ୍ଦ୍ର କୁମାର ସିଂହଦେଓ ଏଵଂ ସଂଗୀତ ଦେଇଥିଲେ  ଗୌର ଗୋସ୍ଵାମୀ ତଥା ସୁରେନ୍ଦ୍ର ପାଳ ।

🚩
🚩🚩
🚩🚩🚩
🚩🚩🚩🚩
🚩🚩🚩🚩🚩
🚩🚩🚩🚩🚩🚩
🚩🚩🚩🚩🚩🚩🚩
🚩🚩🚩🚩🚩🚩🚩🚩
ପ୍ରଫୁଲ୍ଲ ସିଂହଦେଓ —
ମନ ମୋର ସପନର ପକ୍ଷୀରାଜେ ସପ୍ତ ସାଗର ହୋଇ ପାର ।
ମନ ମୋର ସପନର ପକ୍ଷୀରାଜେ ସପ୍ତ ସାଗର ହୋଇ ପାର ।
ଦିଲିହୀ ନଅରରେ ତୁମ ଆଗୋ ରାଜକୁମାରୀ ,
ଜୀଵନର ନିଅ ତୁମେ ଭାର,ସପ୍ତ ସାଗର ହୋଇ ପାର ।

କମଳା ଦେଵୀ—
ଏଇ ଚନ୍ଦ୍ରମା ଚର୍ଚ୍ଚିତ ଆକାଶେ ଏହି ସୌରଭ ସର୍ଜିତ ବତାଶେ,
ଏଇ ଚନ୍ଦ୍ରମା ଚର୍ଚ୍ଚିତ ଆକାଶେ ଏହି ସୌରଭ ସର୍ଜିତ ବତାଶେ ।

ପ୍ରଫୁଲ୍ଲ ସିଂହଦେଓ—
ଆସିଛି ଉଆସେ ତୁମ ମୁଁ ଯେ ଦୂର ଵିଦେଶୀ
ରୂପ କାହାଣୀର ମାଳାକର ,ସପ୍ତ ସାଗର ହୋଇ ପାର ।

କମଳା ଦେଵୀ—
ରାଜାର କୁମାର ମୋର କେଉଁ ଦେଶେ ତୁମ ଘର ?
ରାଜାର କୁମାର ମୋର କେଉଁ ଦେଶେ ତୁମ ଘର ?
କିପରି ଏ ମାୟାପୁରେ ଆସିଲ, କିପରି ଏ ମାୟାପୁରେ ଆସିଲ ?

ପ୍ରଫୁଲ୍ଲ ସିଂହଦେଓ—
ନୂଆ ମାଳ ଗୁନ୍ଥା ଶିଖି ,
ନୂଆ ମାଳ ଗୁନ୍ଥା ଶିଖି
ଆସିଥିଲି ଫୁଲ ବିକି ଇ...,
ନୂଆ ମାଳ ଗୁନ୍ଥା ଶିଖି
ତୁମେ ମୋତେ ନିଜ ପୁରେ ଡାକିଲ,
ତୁମେ ମୋତେ ନିଜ ପୁରେ ଡାକିଲ ।

ପ୍ରଫୁଲ୍ଲ ସିଂହଦେଓ ଓ କମଳା ଦେଵୀ—
ଏ ମଧୁ ମାଧଵୀ ରାତେ(୪)
ଦୁଇଟି ହୃଦୟ ମିଶି ଗମି ରମି ହେଉ ଏକାକାର
ଗମି ରମି ହେଉ ଏକାକାର...

🚩🚩🚩🚩🚩🚩🚩🚩
🚩🚩🚩🚩🚩🚩🚩
🚩🚩🚩🚩🚩🚩
🚩🚩🚩🚩🚩
🚩🚩🚩🚩
🚩🚩🚩
🚩🚩
🚩

Thursday, August 20, 2020

ଠକ ଓ ଓଲା

ଗୋଟିଏ ପ୍ରାଚୀନ ନଗରରେ ଜଣେ ଲୋକ ଥିଲା ଯିଏ ଅନ୍ଯକୁ ନାନା ଉପାୟରେ ଠକି ଅର୍ଥ ଲାଭ କରିଜାଣିଥିଲା । ଦିନେ ସେ ଜଙ୍ଗଲରେ ଯାଉଥିଲାବେଳେ ଗୋଟିଏ ବଡ଼ ସିନ୍ଧୁକ ପାଇଲା ।  ସେ ସିନ୍ଧୁକ ଉପରେ ଲେଖାଥିଲା

"ତମେ ଚାହିଁଲେ ଏ ସିନ୍ଧୁକ ଖୋଲିପାର
ମାତ୍ର ଯଦି ଖୋଲ ମରିଵା ହେଵ ସାର"

ଠକଲୋକଟି ଭାବିଲା ମୁଁ ଏ ସିନ୍ଧୁକ ନ ଖୋଲି ଅଉ ଜଣକ ହାତରେ ଖୋଲିବି , ମୁଁ ଖାଲିଟାରେ ଏଟାକୁ ଖୋଲି କାହିଁକି ମରିବି ?

ନଗରର ସବୁଠାରୁ ଓଲା ଲୋକକୁ ଧରି ଆଣି ସେ ସେହି ସିନ୍ଧୁକଟି ଖୋଲିଵାକୁ କହିଲା । ଉକ୍ତ ଲୋକଟି ଓଲା ଥିଲେ ବି ଅଶିକ୍ଷିତ ନଥିଲା । ସେ ଠକକୁ କହିଲା ଏଥିରେ ପରା ଲେଖା ହୋଇଛି ଯିଏ ଖୋଲିଵ ସିଏ ମରିଵ ମୁଁ ଏ ସିନ୍ଧୁକ ଖୋଲିଲେ ତ ମରିଯିବି ?

ଠକ ଲୋକଟି ବି କୋଉ ଛାଡୁଛି ? ସିଏ  ଓଲାକୁ କହିଲା,

"ଆରେ ୟା ଭିତରେ ଗୋଟିଏ ସୁନ୍ଦର  ରାଜକୁମାରୀ ଅଛି  , ମୁଁ ପରା ନିଜେ ତା ପାଟି ଶୁଣି ତୋ ପାଖକୁ ଦୌଡ଼ିଗଲି । ମୋର ଝିଅ କ'ଣ ହେଵ ହେଲେ ତୋର ପା' ବାହାଘର ହୋଇ ନାହିଁ । ତୁ ଏଇ ସିନ୍ଧୁକ ଖୋଲି ରାଜକୁମାରୀକୁ ରଖିବୁ ।  ମୋତେ ରାଜକୁମାରୀ ଖୁସି ହୋଇ ହାରଟେ ଦେଲେ ବି ଚଳିଯିଵ ଯେ ..."

ଓଲା ଲୋକଟି ତା କଥାରେ ପଡ଼ି ସିନ୍ଧୁକ ଖୋଲି ଦେଲା ହେଲେ ସେଥିରେ ରାଜକୁମାରୀ ନଥିଲା !!!

ଥିଲା ଗୁଡାଏ ହୀରା ନୀଳା ମୋତି ମାଣିକ ଓ ରାଜମୁକୁଟ ...

ଓଲାଟି ରାଗିକି ଠକଲୋକଟା ସହ ଝଗଡା଼ କରିଵାକୁ ବାହାରିଲାରୁ

ଓଲା ଲୋକକୁ ଠକ କହିଲା,
"ଆରେ  ଏଥିରେ ପରା କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି, ଗୋଟେ କାମ କରିଵା ତୋର ମୋର ଅଧା ଅଧା ବାଣ୍ଟିନେଵା ,ଟଙ୍କା ଥିଲେ ଗୋଟେ କ'ଣ ତିନି ତିନିଟା ଝିଅକୁ ବାହା ହେଇପାରିବୁ ଯେ । ଆଜିକାଲି ହାଣ୍ଡିକଳା ଟୋକା,ପାରୁ ବୁଢ଼ା କି ହାତଗୋଡ଼ କଟା ,ଅନ୍ଧ କଣା କେମ୍ପାଙ୍କୁ ବି ଝିଅ ମିଳିଯାଉଛି । ଧନ ଥିଲେ , ଚାକିରି କରି ଉପୁରି ରଖିପାରୁଥିଲେ କେତେ ନା କେତେ ଝିଅ ମିଳିଵେ ମ"

ଠକ କଥାରେ ଓଲା ଭାସିଗଲାରୁ ଠକ ତାକୁ ଗୋଟିଏ ଥଳୀ ଆଣିଵାକୁ ପଠେଇ ଦେଲା,ଥଳୀ ଆଣିଲେ ସେଥିରେ ସେମାନେ ଏତକ ଧନ ଭାଗବାଣ୍ଟି ନେବେ ।

ଓଲା ଥଳୀ ନେଵାକୁ ଗଲାବେଳେ ବାଟରେ ଗୋଟିଏ ଚଷାଝୁଅ ଛେଳି ଚରାଉଥିଵାର ଦେଖିଵାକୁ ପାଇଲା । ସ୍ବଭାଵତଃ ଓଲା ହୋଇଥିଵାରୁ  ସେ ତାକୁ ଗୁପ୍ତଧନ ମିଳିଵା ଓ ଧନ ଵଣ୍ଟନ ପାଇଁ ଥଳୀ ଆଵଶ୍ଯକ ଥିଵା ଇତ୍ଯାଦି ସବୁକଥା ଖୋଲିକି କହିଦେଲା । ଝିଅଟି ଓଲାକୁ ନିଜ ଲୁଗାରୁ ଖଣ୍ଡେ ଦେଇ ତା ପଛରେ ସିନ୍ଧୁକ ପାଖକୁ ଗଲା ।

ପ୍ରକୃତରେ ଠକଟା ଓଲାକୁ କୌଶଳରେ ଥଳୀ ଆଣିଵାପାଇଁ ପଠେଇ ଦେଇ ନିଜେ ସବୁ ଧନ ନେଇଯିଵାର ଯୋଜନା କରିଥିଲା । ଓଲା ଯେମିତି ଥଳୀ ଆଣିଵାକୁ ଗଲା ଠକ ସବୁ ମୂଲ୍ଯଵାନ ଵସ୍ତୁ ସେ ଲୁଚେଇଥିଵା ଗୋଟିଏ ଥଳୀରେ ପୁରେଇଵାକୁ ଲାଗିଲା ‌ । ଥଳୀରେ ପ୍ରାୟ ସବୁ ଵସ୍ତୁ ଭରିଦେଇଥାଏ । ସିନ୍ଧୁକ ଭିତରେ ଆଉ ଗୋଟିଏ ସୁନା ମୋହର ରହିଯାଇଥାଏ ‌ । ଠକଟା ବଡ଼ ଚେଣ୍ଟା ଥିଲା । ସେ ସିନ୍ଧୁକରେ ଗୋଟିଏ ବି ମୋହର ଛାଡି଼ଦେଵାକୁ ଚାହୁଁନଥିଲା । ଶେଷ ସ୍ଵର୍ଣ୍ଣ ମୋହର ଆଣିଵାକୁ ଚେଷ୍ଟା କରିଵା ଭିତରେ ଠକଟି ସିନ୍ଧୁଟ ଭିତରେ ପଡି଼ଗଲା ଆଉ ସେ ଯେମିତି ସିନ୍ଧୁକ ଭିତରେ ପଡି଼ଛି ତାହା ବନ୍ଦ ହୋଇଗଲା । ଠକ ଵିଚରା କେତେ କାନ୍ଦ ବୋବାଳି କଲେ ହେଁ ତା କଥା ସିନ୍ଧୁକ ଭିତରେ ରହିଗଲା ବାହାରକୁ ଶୁଣାଗଲା ନାହିଁ ।

କିଛି ସମୟ ପରେ ଓଲା ଓ ଚଷାଝିଅ ଉଭୟ ସେହି ସିନ୍ଧୁକ ପାଖକୁ ଆସିଲେ ଆଉ ବନ୍ଧା ହୋଇଥିଵା ମୂଲ୍ଯଵାନ ଦରଵ ଧରି ମହା ଆନନ୍ଦରେ ଘରକୁ ଫେରି ବାହା ହୋଇ ରହିଲେ ।

ଆଉ ସେ ଵିଚରା ଠକ 😀 ସେ ସିନ୍ଧୁକରେ ମଲାପର୍ଯ୍ୟନ୍ତ ଭାବୁଥିଵ ସିନ୍ଧୁକରେ ତ ଲେଖାଥିଲା ଯିଏ ଖୋଲିଵ ସେ ଅସୁଵିଧାରେ ପଡି଼ଵ ତାହେଲେ ମୁଁ କେମିତି ଏହା ଭୋଗିଲି 🤔

ନ ଯା ସଜନୀ(ଚିରସବୁଜ ଚଳଚ୍ଚିତ୍ର ଗୀତ)

ପୁଅ—ନ ଯା ସଜନୀ ପାହିନି ରଜନୀ

ଝିଅ—ଦିଅ ମେଲାଣି ଲାଜେ ମୁଁ ମଲିଣି

ପୁଅ—ନ ଯା ସଜନୀ ପାହିନି ରଜନୀ

ଝିଅ—ଦିଅ ମେଲାଣି...

ଝି—ଆ ଆ ଆ ଆ ଆ ଆ ଆ ଆ...
ପୁଅ/ଝିଅ—ଆ ଆ ଆ ଆ ଆ ଆ ଆ ଆ...

ଝିଅ—ରାତି କଳା ଅନ୍ଧାର

ପୁଅ—ଚନ୍ଦ୍ରକଳା ତୁ ମୋର

ଝିଅ—ସହିବି ସତେ ନିନ୍ଦାକୁ

ପୁଅ—କାହିଁ ଗୋ ଡରୁ ପ୍ରୀତିକୁ

ଝିଅ—ଛାଡ଼  ବାଟ ଛାଡ଼ ଛଇଳମଣୀ...

ପୁଅ—ନ ଯା ନ ଯା..
ନ ଯା ସଜନୀ ପାହିନି ରଜନୀ
ଝିଅ—ଦିଅ ମେଲାଣି
ପୁଅ—ନ ଯା ସଜନୀ

ପୁଅ—ଆହା ମୋ ହୃଦ ଚନ୍ଦନ
ଝିଅ—ଖୋଲ ଗୋ ବାହୁ ବନ୍ଧନ

ପୁଅ—ନକର ମନା ମାନିନୀ
ଝିଅ—ବଳାନା ବେଳ ଗଲାଣି
ପୁଅ—ରଖ ମାଗୁଣି ମୋ ରମଣୀମଣି

ଝିଅ—ଦିଅ ମେଲାଣି ଲାଜେ ମୁଁ ମଲିଣି
ପୁଅ—ନ ଯା ସଜନୀ
ଝିଅ—ଦିଅ ମେଲାଣି
ପୁଅ—ନ ଯା ସଜନୀ...

ସମାପ୍ତ...

Tuesday, August 18, 2020

ସର୍ଵେଷାଂ ଜନନୀ ଭାରତ

ସର୍ଵେଷାଂ ନୋ ଜନନୀ ଭାରତ
                  ଧରଣୀକଳ୍ପଲତେୟଂ ,
ଜନନୀ ଵତ୍ସଳ ତନୟଗଣୈସ୍ତତ୍
                  ସମ୍ୟକ ଶର୍ମ୍ମ ଵିଧେୟଂ ।ଧ୍ରୁବଂ।


ହିମଗିରି - ସୀମନ୍ତିତ - ମସ୍ତକମିଦ
                  ମମ୍ବୁଧିପରିଗତ ପାର୍ଶ୍ଵମ୍ ,
ଅସ୍ମଜନ୍ମଦମନ୍ନଦମନିଶଂ
                  ଶ୍ରୌତପୁରାତନମାର୍ଷମ୍ । ୨।



ଵିଜନିତହର୍ଷଂ ଭାରତବର୍ଷଂ
                    ଵିଶ୍ୟୋତ୍କର୍ଷନିଦାନମ୍ ,
ଭାରତଶର୍ମ୍ମଣି କୃତମସ୍ମାଭି
                    ର୍ନଵମିଦମୈକ୍ୟ ଵିଧାନମ୍ ।୩।



ଉତ୍କଳଗୌଡା଼ନ୍ଧ୍ରୀୟାଃ ସଂସଦି
                     ଯେ ଵୟମତ୍ର ସମେତାଃ ,
ଏତେ ଚାପରଜନପଦଜା ନନୁ
                      ଭାରତ-ଵିହିତ-ନିକେତାଃ ।୪।



ଭାରତହିତ ସମ୍ପାଦନମେଵ ହି
                       କାର୍ଯ୍ୟ ମିଷ୍ଟମଵିପାକମ୍ ,
ଭାରତଵର୍ଜ୍ଜଂ କିମପି ନ କାର୍ଯ୍ୟଂ
                       ନିଶ୍ଚିତମିତ୍ୟସ୍ମାକମ୍ ।୫।



ଭାରତପଙ୍କଜଦଳମିଦମୁତ୍କଳ
                       ମଣ୍ଡଳମିତି ଵିଦିତଂ ଯତ୍ ,
ତସ୍ୟ କୃତେ ଵୟମତ୍ର ସମେତା 
                      ଵିହିତାତ୍ରୋତ୍କଳ - ସଂସତ୍  ।୬।



ଭାରତମେକା ଗତିରସ୍ମାକଂ
                        ନାପରାସ୍ତି ଭୁଵି ନାମ ,
ସର୍ଵାଦୌ ପରିଷଦ୍ କର୍ମଣି ତତ୍
                         ଭାରତ ମେଵ ନମାମଃ ।୭। 



ଗର୍ଜିତ ଫେନିଳ-ନୀଳ-ନୀର ନିଧି
                             ସିକତା ସ୍ତୁପ ଵିଚିତ୍ରେ ,
ଇନ୍ଦ୍ରଦ୍ୟୁମ୍ନାଙ୍ଗଭୀମ ନୃପ
                             ଶାଶ୍ଵତ କୀର୍ତ୍ତି ପଵିତ୍ରେ ।୮।



ଚୈତନ୍ୟାଦିକ ଭକ୍ତଵୃନ୍ଦ ପଦ
                            ରଜସା ଚିରପରିପୂତେ ,
ପଦ୍ମନାଭ କୃତ ସଦ୍ମତୟା
                           ତୀର୍ଥାନାଂ ତୀର୍ଥୀଭୂତେ ।୯।



ନୀଳାଚଳନଗରେ ପରିଗୀତଂ
                            ଭାରତ ଭକ୍ତି ପରାଣାଂ ,
ଭାରତବନ୍ଦନ ମିଦମସ୍ମାକଂ
                        ମୁଦମାବହୁତୁ ନରାଣାଂ ।୧୦।

©କଵିଵର ରାଧାନାଥ ରାୟ

Saturday, August 15, 2020

କି ହେଵ ମୁଣ୍ଡକଟା ଦେଶକୁ ଘେନି

ଜାତୀୟ କଵି ବାଞ୍ଛାନିଧି ମହାନ୍ତି ଦେଶ ମିଶ୍ରଣ କାଳରେ ଏହି କଵିତାଟି ଲେଖିଛନ୍ତି । ଆଜି ଭାରତକୁ ସ୍ଵାଧୀନତା ମିଳିଥିଲା ସତ କିନ୍ତୁ ଭାରତର ଏକ ମହାନ ଜାତିର ଜାତୀୟତା କେତେକାଂଶରେ କ୍ଷୁଣ୍ଣ ମଧ୍ୟ ହୋଇଥିଲା ।

ଗୋଟିଏ ଜାତିର ଲୋକଙ୍କୁ ତ ନୋଟି ରାଜ୍ଯରେ ବାଣ୍ଟି ଦିଆଯାଇଛି । ଗତ ୭୪ ଵର୍ଷ ମଧ୍ୟରେ  ଲକ୍ଷ ଲକ୍ଷ ଓଡ଼ିଆ କ୍ରମଶଃ ହିନ୍ଦିଆ, ବିହାରୀ, ତେଲେଙ୍ଗା ଓ ବଙ୍ଗାଳୀ ଵିଵେଚିତ ହୋଇଯାଇଛନ୍ତି । ଭାରତୀୟ ଜାତୀୟତା ଆଜି କାଳିଙ୍ଗ୍ଯ ଜାତୀୟତାକୁ ପଦାନତ କରିଵାକୁ ବସିଛି ।

ଓଡ଼ିଶାର ଲୋକ ନିଜକୁ ଭାରତୀୟ କହି ଗର୍ଵ କରୁଛନ୍ତି ଆଉ ଓଡ଼ିଆ ବୋଲି ପରିଚୟ ଦେଵାକୁ ଲଜ୍ଜା କରୁଛନ୍ତି । ଭୁଲ ନାହିଁ  ଆମେ ପ୍ରଥମେ ଓଡ଼ିଆ ଆମେ କଳିଙ୍ଗୀ ଯେଉଁମାନଙ୍କୁ ସହସ୍ର ସହସ୍ର ଵର୍ଷ ଧରି ଏ ଦେଶରେ ଅପମାନ, ଅତ୍ୟାଚାର ସହିଵାକୁ ହୋଇଛି ।

ଭୁଲ ନାହିଁ ଆମର ଅଞ୍ଚଳ ଓ ଲୋକଙ୍କୁ ଏ ଦେଶରେ ଆମଠାରୁ ଛଡେ଼ଇ ନିଆଯାଇଛି । ଏବେ ବି ସମୟ ଅଛି ନିଜର କାଳିଙ୍ଗ୍ଯ ଜାତୀୟତାକୁ ଚିହ୍ନ ଆଉ ମହାଭାରତୀୟ ଜାତିମାନଙ୍କୁ ପଚାର ଯେ ତମେ ତ ଗୋଟେ ମୁଣ୍ଡ କଟା ଦେଶ ଆମକୁ ଦେଇଛ ହେଲେ ...

କି ହେଵ ଏ ମୁଣ୍ଡକଟା ଦେଶକୁ ଘେନି
                        ମୁଣ୍ଡକଟା, ଗୋଡ଼କଟା ପଙ୍ଗୁକୁ ଘେନି

ମୋ ଜନନୀ କି ସୁନ୍ଦର—ସିଂହଭୂମି ତାର ଶିର
                          ମେଦିନୀପୁର ମଞ୍ଜୂଷା ପୟର ବେନି ।୧।

ଟୀକାଲି ତା ଅଙ୍ଗ ଟୀକା
                        ସମ୍ବର ଚାରୁ ଛିଟିକା
ଫୁଲଝର ଫୁଲଝରା
                    ସୁଷମା ବେଣୀ ।୨।

ମୋ ଜାତି କେଡେ଼ ମହତ
                       ହୋଇଛି ଚେତନା ହତ
ତିନିଦେଶେ ବନ୍ଧା
                     ଜଳଧାରା ତ୍ରିବେଣୀ ।୩।

ମୋ ଜାତି କୃଷକ କୁଳ
                     କର ଭାରରେ ଆକୁଳ
ଦୁଃଖ ଯିଵ ପୂର୍ଣ୍ଣ ଅଙ୍ଗ
                      ହେଲେ ଜନନୀ ।୪।