Wednesday, October 30, 2019

ଧୃଷ୍ଟ ଶବ୍ଦରୁ ଝିଟ ଯାଏଁ

ଓଡ଼ିଆ ଦେଶଜ ଶବ୍ଦ ଝିଟ, ଶାସ୍ତ୍ରୀୟ ସଂସ୍କୃତଭାଷାର ଶବ୍ଦ ‛ଧୃଷ୍ଟ’ ସହିତ ସମଦ୍ଧୃତ ଅଟେ । ଏ ଶବ୍ଦଟି ସାଧାରଣତଃ ଚେମରଚଟୁ,ଧିଟ,ଧୃଷ୍ଟ,ଜିଗରିଆ,
ବେହିଆ, ନିର୍ଲଜ୍ଜ,ନଗଣ୍ଯ ଓ ଅଶ୍ଳୀଳ ଆଦି ଅର୍ଥରେ ଏ ଶବ୍ଦ ପ୍ରୟୋଗ ହୋଇଥାଏ ।

ହିନ୍ଦୀରେ ଏହା ସହିତ ସମଦ୍ଧୃତ ଶବ୍ଦ ‛ଢୀଠ୍’ ଚଳୁଅଛି । ହିନ୍ଦୀ ଶବ୍ଦ ସାଗର ଅନୁସାରେ ପ୍ରାକୃତ ଭାଷାରେ ଢୀଟ'ଠ୍ ଶବ୍ଦ  ମଧ୍ୟ  ରହିଛି ଯାହା ସମାର୍ଥକ ଅଟଇ । 

ହିନ୍ଦୀଭାଷୀ ଢୀଠ୍  ଶବ୍ଦର ପ୍ରୟୋଗ ବଡ଼ ଲୋକଙ୍କ କଥା ମାନୁଥିଵା ଅମାନୁଆ ଲୋକଙ୍କ ପାଇଁ ଵ୍ୟଵହାର କରନ୍ତି । ତୁଳସୀଦାସ ଏହି ଅର୍ଥରେ ଏ ଶବ୍ଦର ପ୍ରୟୋଗ କରି ଅଵଧି ଭାଷାରେ ଲେଖିଛନ୍ତି

“ବିନୁ ପୂଛେ କଛୁ କହଉଁ ଗୋସାଈ ।
ସେଵକ ସମୟ ନ ଢୀଠ ଢିଠାଈ ।”

ତେଵେ ସୁରଦାସ ଏ ଶବ୍ଦର ପ୍ରୟୋଗ ବ୍ରଜଭାଷାରେ #ଅନୁଚିତ_ସାହାସୀ ଅର୍ଥରେ କରିଛନ୍ତି
ଯଥା―

“ଐସେ ଢୀଠ୍ ଭଏ ହୈଂ କାହ୍ନା
ଦଘି ଗିରାୟ ମଟକୀ ସବ୍  ଫୋରୀ ।”

ସାଧାରଣତଃ ଯେଉଁମାନେ ଅଲଜ୍ଯା,ଲଜ୍ୟାହୀନ,ଅଶ୍ଳୀଳ ଓ ଜିଗରିଆ-ଜିଦିଆ ସେମାନେ ନିଜର କାମନା ଵାସନା ହେଉ କି କ୍ରୋଧରେ କଵଳିତ ହୋଇ କିଛି ବି ଦୁଃସାହସିକ କାର୍ଯ୍ୟ କରିପାରନ୍ତି । ତେଣୁ ଓଡ଼ିଆ ଭାଷାରେ ଧୃଷ୍ଟ ଶବ୍ଦ ସହିତ ସମଦ୍ଧୃତ ଝିଟ ଶବ୍ଦର ପ୍ରୟୋଗ ଭିନ୍ନ ଦିଗରେ ହୋଇଅଛି ।

ପ୍ରକୃତରେ ଆମ ଓଡ଼ିଆ ଭାଷାରେ ପ୍ରଚଳିତ ଥିଵା ଝିଟ ଶବ୍ଦଟି ସଂସ୍କୃତ ଧୃଷ୍ଟ ଶବ୍ଦର ମୂଳ ଅର୍ଥକୁ ଅନୁସରଣ କରୁଅଛି  କିନ୍ତୁ ହିନ୍ଦୀ ଶବ୍ଦ ଢୀଠ୍ ସେଇ ମୂଳ ଅର୍ଥକୁ ଛାଡି଼ ଗୌଣ ଅର୍ଥରେ ଵ୍ଯଵହାର ହେଉଛି ।

ଧୃଷ୍ଟ ଏକ ଵିଶେଷଣ ଶବ୍ଦ ଏଵଂ ଏହାର ନିମ୍ନଲିଖିତ ଅର୍ଥ ରହିଛି
ଯଥା―
୧)ନିର୍ଲ୍ଲଜ୍ଜ; ଧୀଟ
୨)ଅବାଧ୍ଯ; ଉଦ୍ଧତ
୩)ପ୍ରଗଲ୍ଭ
୪)ଲମ୍ପଟ
୫)ଯେ ଅନୁଚିତ କାର୍ଯ୍ୟ କରି ସୁଦ୍ଧା ଦାମ୍ଭିକତା ବା ମୁହଁଭୁରୁଡ଼ୁ ବାହାର କରେ

ତେଵେ କଥିତ ଓଡ଼ିଆ ଭାଷାରେ ଏହି ଓଡ଼ିଆ ଦେଶଜ ଶବ୍ଦର ପ୍ରୟୋଗ ଆଜି ଏକ ସୀମିତ ଅଞ୍ଚଳ ମଧ୍ୟରେ ରହିଯାଇଛି । ସାଧାରଣତଃ ଜଗତସିଂହପୁର ଓ ଭଦ୍ରକ ଅଞ୍ଚଳରେ କେତେକ ଗ୍ରାମାଞ୍ଚଳର କଥିତ ଭାଷାରେ  ହିଁ ଏ ଶବ୍ଦ ବଞ୍ଚି ରହିଥିଵା ଜଣାଯାଏ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଆଜି ଏ ଶବ୍ଦ ସେତେ ଵ୍ଯଵହୃତ ହେଉଥିଵା ଦେଖାଯାଏ ନାହିଁ ଯଦିଵା କେହି କଵି-ଲେଖକ ଏ ଶବ୍ଦର ଅଦ୍ଯାପି ପ୍ରୟୋଗ କରୁଥିଵେ ତାହା ଲୋକପ୍ରିୟ ହୋଇପାରିନାହିଁ । ସମ୍ଭଵତଃ ଏ ଶବ୍ଦ ବାଲେଶ୍ବର ଅଞ୍ଚଳରେ ମଧ୍ୟ ଚଳୁଥିଲା ତେଣୁ ଵ୍ଯାସକଵି ଫକୀରମୋହନ ତାଙ୍କର ଏକ ଗଳ୍ପରେ ଏ ଶବ୍ଦର ପ୍ରୟୋଗ କରିଛନ୍ତି ...

ଯଥା―

“ମାଇକିନିଆଙ୍କ ସାଙ୍ଗରେ ସବୁବେଳେ ରଜଘଷ ହେବାରୁ ସେ ଭାରି ଝିଟ ହୋଇଯାଇଛି।”

ଆପଣଙ୍କ ଅଞ୍ଚଳରେ ଏହି ଝିଟ ଶବ୍ଦ ଏଵେ ବି ଚଳୁଅଛି କି ?
ଝିଟ ଭଳି କିଂଵା ସମାର୍ଥକ କୌଣସି ଶବ୍ଦ ଆପଣଙ୍କ ଅଞ୍ଚଳରେ ଚଳୁଥିଲେ ତାହା ଉଲ୍ଲେଖ କରିଵାକୁ ଅନୁରୋଧ ରହିଲା ।

Sunday, October 27, 2019

ଦୀପାଵଳି ନା ଦୀପାବଳୀ କେଉଁ ଶବ୍ଦଟି ଠିକ୍ ?

ଦୀପାଵଳି ଆସିଲେ ଗୋଟିଏ ପ୍ରଶ୍ନ ବହୁତ ଲୋକ ପଚାରନ୍ତି ଯେ ଦୀପାଵଳିର ଠିକ୍ ବନାନଟି କ'ଣ !

୧)ଦୀପାବଳୀ
୨)ଦୀପାବଳି
୩)ଦିପାବଳୀ
୪)ଦିପାବଳି
୫)ଦୀପାୱଳୀ
୬)ଦୀପାୱଳି

ପ୍ରଥମତଃ ଏଠାରେ ଯେତେ ଶବ୍ଦ ଲେଖା ହୋଇଛି ସେ ସମସ୍ତ ଶତକଡ଼ା ଶହେ ଠିକ୍ ନୁହେଁ । କାରଣ ଦୀପାଵଳି ଏକ ଶାସ୍ତ୍ରୀୟ ସଂସ୍କୃତ ଶବ୍ଦ ଏଵଂ ଏ ଭାଷାରେ ଅଵର୍ଗ୍ଯ 'ଵ' ର ଵ୍ଯଵହାର ନିତାନ୍ତ ଆଵଶ୍ୟକ ହୋଇଥାଏ । ଏଣୁ ଯେହେତୁ ଦୀପାଵଳି ଏକ ଶାସ୍ତ୍ରୀୟ ଶବ୍ଦ ତହିଁରେ ଅଵର୍ଗ୍ଯ 'ଵ' ଵ୍ଯଵହାର ହେଵା କଥା । ସେହିପରି ୱ ଏକ ଦ୍ଵିସ୍ଵର(ଦୁଇଟି ସ୍ଵର ଯୁକ୍ତ ହୋଇ ଗଠିତ= ଉ+ଅ =ୱ) ଏଵଂ ଏହା ତାୱା ,ହାୱା ଓ ୱାଟର୍ ଆଦି ଵୈଦେଶିକ ଶବ୍ଦ ଲେଖିଵା ପାଇଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅଭିଧାନକାର ଶ୍ରୀପ୍ରହରାଜ ଆଵିଷ୍କାର କରିଥିଲେ । ଆଗେ ଆମ ଭାଷାରେ  ଵର୍ଗ୍ଯ ‛ବ’ ଓ ଅଵର୍ଗ୍ଯ ଵ ପାଇଁ ଦୁଇଗୋଟି ସ୍ଵତନ୍ତ୍ର ଅକ୍ଷର ରହିଥିଲା । ତେଵେ ଦୀର୍ଘଦିନ ଧରି ଵୈଦେଶିକ ଵିଶେଷତଃ ବଙ୍ଗାଳୀ ଶାସକଙ୍କ ଶାସନାଧୀନ ରହିଵା ଯୋଗୁଁ ଆମଭାଷାରେ ଏ ଉଭୟ ଵର୍ଣ୍ଣରେ ଥିଵା ଭିନ୍ନତା ଅନେକାଂଶରେ  ଲୁପ୍ତ ହୋଇସାରିଥିଲା । ଆମେ ଆଜି ଯେଉଁ ଵର୍ଗ୍ଯ ‛ବ’ ଵ୍ଯଵହାର କରନ୍ତି ତାହା ଏକଦା ଅଵର୍ଗ୍ଯ 'ଵ' ଵର୍ଣ୍ଣ ପାଇଁ ଵ୍ଯଵହାର ହେଉଥିଲା । ଆଜି ଆମଭାଷାର ଲିପିରେ ଅଵର୍ଗ୍ଯ ‛ଵ’ ପାଇଁ ନୂଆ ଅକ୍ଷରଟିଏ ସୃଷ୍ଟି କରାଯାଇଛି । ଵର୍ଗ୍ଯ ବ ଓ ଅଵର୍ଗ୍ଯ ବ ର ପ୍ରାଚୀନ ସ୍ଵରୂପ ଜାଣିଵାକୁ ଚାହୁଁଥିଲେ ଭୂଵନେଶ୍ଵରର ରାଜ୍ଯ ସଂଗ୍ରହାଳୟ ପରିଦର୍ଶନ କରିପାରନ୍ତି ।

ସେଇଭଳି କେହି କେହି ଦୀପାଵଳି ଶବ୍ଦକୁ ଦୀପାଵଳୀ ଲେଖନ୍ତି । ଅଵଶ୍ଯ ଆଵଳି ଶବ୍ଦର ଅନ୍ୟ ରୂପ ଆଵଳୀ ହୋଇଥିଵା ହେତୁ ଏ ଶବ୍ଦ ମଧ୍ୟ ଠିକ୍ ଅଟେ । ଆଙ୍(ଆ)+ବଳ୍+ଇନ୍(ଇ) = ଆଵଳି ବୋଲି ଅମରକୋଷରେ ଏହାର ନିରୁକ୍ତି ଉଲ୍ଲେଖ କରାଯାଇଛି । ଇନ୍ ପ୍ରତ୍ଯୟ ଲାଗି ଵେଳେ ଵେଳେ ଦୀର୍ଘ 'ଈ' ରୂପ ହେଉଥିଵା ହେତୁରୁ ଏହି ଶବ୍ଦ ମଧ୍ୟ ଗ୍ରହଣୀୟ ।

ଏହି ଆଵଳି ଶବ୍ଦର ଅନେକ ଅର୍ଥ ରହିଛି । ଯଥା―
୧)ଶ୍ରେଣୀ; ପଂକ୍ତି; ଧାଡି
୨)ସମୂହ
୩)ବଂଶ
୪)ଏକସାଜ

ଦୀପାଵଳି କ୍ଷେତ୍ରରେ ଆଵଳି ଶବ୍ଦର ଵ୍ଯଵହାର ଦୀପଗୁଡି଼କର ପଂକ୍ତି ଅର୍ଥରେ ଵ୍ୟଵହାର ହୋଇଛି ।

ତେଵେ ସେ ଯାହା ହେଉ ଆମଭାଷାରେ କିନ୍ତୁ ଦୀପାଵଳି ଶବ୍ଦ ଛଡ଼ା #ଦିପାଳୀ,#ଦେଆଲୀ,#ଦେଵାଲୀ ଓ #ଦିଆଲି ଆଦି ଦେଶଜ  ଶବ୍ଦର ଵ୍ଯଵହାର ଅଧିକ ହେଉଥିଵାର ପ୍ରମାଣ ଆମେ କଥିତ ଭାଷାରେ ଚଳୁଥିଵା ଲୋକକଥା ଓ ଲୋକଵାଣୀରୁ ପାଇଥାନ୍ତି ।

ପଶ୍ଚିମ ଓଡ଼ିଶାରେ ଆଜି ଦୀପାଵଳିକୁ ଦିଆଲି କୁହନ୍ତି କିନ୍ତୁ ପୂର୍ଵେ କଟକାଞ୍ଚଳର କଥିତ ଭାଷାରେ ମଧ୍ୟ ଦୀପାଵଳିକୁ ଦିଆଲି କୁହାଯାଉଥିଲା ...

ଉଦାହରଣ ସ୍ୱରୂପ ନିମ୍ନୋକ୍ତ ଲୋକଵାଣୀଟି କଟକାଞ୍ଚଳର ହୋଇଥିଲେ ହେଁ ଏଥିରେ ଦିଆଲି ଶବ୍ଦର ଵ୍ଯଵହାର ହୋଇଥିଵା ଦେଖାଯାଏ

“ଆରେ ଛତରା ! 
      ଦଶରା ଗଲା; ଦିଆଲି ଗଲା
                       ବାକି ରହିଗଲା ବାଲିଯାତରା”

କାର୍ତ୍ତିକ କୃଷ୍ଣ ଅମାଵାସ୍ଯାର ଆମ ଦେଶରେ ଵିଭିନ୍ନ ନାମ ରହିଛି ।

■ଦୀପଦାନ ଯୋଗୁଁ ଏହାର ଦୀପାଵଳି ନାମ ସର୍ଵତ୍ର ଲୋକପ୍ରିୟ ହୋଇଥିଵାଵେଳେ ଏଇ ଧାରାରେ କାର୍ତ୍ତିକ କୃଷ୍ଣ ଅମାଵାସ୍ଯା ଅନ୍ୟ ଏକ ନାମ ହେଉଛି ଦୀପାନ୍ଵିତା ।

■ପୟା/ପିମ୍ପେଇ ଅମାଵାସ୍ଯା
ଆମ କଳିଙ୍ଗ ଦେଶରେ ଏଇ ଦିନ ନିଜ ଵୀରଗତି ପ୍ରାପ୍ତ ହୁତାତ୍ମା ପୂର୍ଵଜଙ୍କ ସଦଗତି ହେତୁ ଶ୍ରାଦ୍ଧର ନିୟମ ରହିଛି ପୁଣି ଏକମାସ ଧରି ଯେଉଁ ପୂର୍ଵଜମାନେ ଆମ ସହିତ ରହିଲେ ସେମାନଙ୍କୁ ଵିଦାୟ ଦେଵାର ପରମ୍ପରା ଆମ୍ଭ ଦେଶର ନିଆରା ପରମ୍ପରା ଅଟେ ।

■ଫଟାକି ଉଆଁସ
ଆଧୁନିକ ଯୁଗରେ ବାଣଫୁଟା ଵିଶେଷତଃ ତାଳଫୋଟକା ଵାଣ ଫୁଟେଇଵା ଆରମ୍ଭ ହେଵାରୁ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ କାର୍ତ୍ତିକ କୃଷ୍ଣ ଅମାଵାସ୍ଯାର ଏ ନାମଟି ଚଳିଵା ଆରମ୍ଭ ହୋଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ ।

(ଦୀପାଵଳି ଵିଷୟରେ ଆପଣଙ୍କ ପାଖରେ ଏଇଭଳି କିଛି ରୋଚକ ତଥ୍ୟ ଥିଲେ ଆପଣ ମଧ୍ୟ ସମସ୍ତଙ୍କ ସହ ବାଣ୍ଟନ୍ତୁ ...
ସମସ୍ତଙ୍କୁ ଦୀପାଵଳିର ଅନେକାନେକ ଶୁଭକାମନା)

Saturday, October 26, 2019

ଢଗଢମାଳି ସଂଗ୍ରହ― ୪

ଯାହାକୁ ନ ଖାଏ ଝିଅ
ତାକୁ ଜୋଇଁ ପତରରେ ଦିଅ ।

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ଖୁବ୍‌ ଚର୍ଚ୍ଚା କରାଯାଇଥାଏ । ତାଙ୍କ ଖାଇଵା ପିଇଵାରଜ ଯେମିତି କିଛି ଊଣା ରହି ନ ଯାଏ ସେ ନେଇ ଵିଶେଷ ଦୃଷ୍ଟି ଦିଅାଯାଇଥାଏ। ତେଵେ ଝିଅକୁ ଯାହା ତାହା କରି ଖାଇଵାକୁ ଦେଲେ ବି ଚଳିଯାଏ । ଯେହେତୁ ଘରକଥା, ଝିଅ ଚଳେଇ ଦେଇଥାଏ । ଅନ୍ୟ ଅର୍ଥରେ ଯେଉଁ ଖାଦ୍ୟ ଜିନିଷ ଖରାପ ଲାଗୁଥିଵା କାରଣରୁ ଝିଅକୁ ଦେଵାକୁ ଇଚ୍ଛା ହେଉ ନ ଥାଏ ତାକୁ ଜ୍ୱାଇଁଙ୍କୁ ଦେଵା ଲାଗି କଥା ହେଉଥିବା ଅର୍ଥରେ ଏଭଳି ଉକ୍ତିର ଉଲ୍ଲେଖ କରାଯାଇଛି ।

ଯେଡ଼ିକି ଦିଅଁକୁ ତେଡ଼ିକି ପୂଜା,
ବାଲି ଗରଡ଼ାକୁ ଚାଉଳ ଭଜା ।

ମଣିଷର ଗୁଣ ଏବଂ ଵ୍ଯଵହାର ହିଁ ତା’ର ଅସଲ ପରିଚୟ ଓ ଯୋଗ୍ୟତା ହୋଇଥାଏ। ଯେଉଁମାନେ ଅନ୍ୟ ପ୍ରତି ଭଦ୍ରୋଚିତ ଵ୍ଯଵହାର ଦେଖାନ୍ତି, ତାଙ୍କ ପ୍ରତି ଅନ୍ୟମାନେ ମଧ୍ୟ ସେଭଳି ଵ୍ଯଵହାର ଦେଖାଇଥାନ୍ତି। ଯିଏ ଯେମିତି ଵ୍ଯଵହାର ପାଇଵା ଯୋଗ୍ୟ ତାକୁ ସେମିତି ଵ୍ଯଵହାର ମିଳିଵା ଅର୍ଥରେ ଏଭଳି ଉକ୍ତି ପ୍ରକାଶ କରାଯାଇଛି ।

ଯାହାର କାନ ଅଛି, 
ତାହାର ସୁନା ନାହିଁ; 
ଯାହାର ସୁନା ଅଛି, 
ତାହାର କାନ ନାହିଁ ।

ସମସ୍ତଙ୍କର ସବୁଜିନିଷ ପରିପୂର୍ଣ୍ଣ ହୋଇ ନ ଥାଏ।
କାହାର ବହୁକୁଟୁମ୍ବୀ ପରଵାର କିନ୍ତୁ ଧନ ଅଭାଵରୁ ପିଲାମାନଙ୍କ ପେଟକୁ ଗଣ୍ଡେ ଖାଇଵାକୁ ଦେଵା କଷ୍ଟକର ତ କାହାର ଅଚଳାଚଳ ସମ୍ପତ୍ତି ଅଛି କିନ୍ତୁ ନିଃସନ୍ତାନ, ଅର୍ଥାତ୍ ଭୋଗ କରିଵାକୁ ଲୋକ ନାହାନ୍ତି । ପୁଣି କାହାର ଲୋକ ଥିଲେ ବି ରହିଵାକୁ ଘର ନାହିଁ। ଈଶ୍ୱରଙ୍କ ସୃଷ୍ଟିରେ ରହିଥିଵା ଏପ୍ରକାର ପ୍ରଭେଦକୁ ଲକ୍ଷ୍ୟରେ ରଖି ଏପରି ଉକ୍ତିର ଵର୍ଣ୍ଣନା କରାଯାଇଛି।

ଯାହା ନାହିଁ ଭାରତେ
ତାହା ନାହିଁ ଭାରତେ ।

ମହାଭାରତ ଗ୍ରନ୍ଥରେ ଭାରତର ସଭ୍ୟତା, ସଂସ୍କୃତି ଓ ରୀତିନୀତି ଵର୍ଣ୍ଣିତ । ମହାଭାରତରେ ସମଗ୍ର ଭାରତବର୍ଷର ପ୍ରତିଫଳନ ଦେଖିଵାକୁ ମିଳିଥାଏ । ମହାଭାରତରେ ଯାହା ବଵର୍ଣ୍ଣନା କରା ନ ଯାଇଛି ତାହା ଭାରତଵର୍ଷରେ  ନ ଥିଵା ଅର୍ଥରେ ଏଭଳି ଉକ୍ତି ପ୍ରକାଶ କରାଯାଇଛି ।

ଯିଏ ଖୁଅାଇଛି ମାଣ୍ଡିଅା  ଜାଉ,
ହାତ  ଧରି ସିଏ ହଗେଇ ନେଉ ।

ମାଣ୍ଡଅା  ଜାଉ  ଟିକେ  ଅଧିକ  ପରିମାଣର  ଖାଇଦେଲେ  କେତେକଙ୍କ  ପେଟ  ଖରାପ ହୋଇଯାଇଥାଏ ।  ଅନ୍ୟ  ଅର୍ଥରେ  ଯାହା  ପାଇଁ  ଵା ଯାହା  ଯୋଗୁଁ  ଅନ୍ୟ  ଜଣେ ଅସୁବିଧାରେ  ପଡ଼େ  ତଥା  କଷ୍ଟ  ଭୋଗ  କରେ  ତା’ର  ସୁଖ  ସୁବିଧା  ପ୍ରତି  ଦୃଷ୍ଟିଦେଵା ଉକ୍ତ  ଵ୍ଯକ୍ତି  ପକ୍ଷେ  ଅତି ଆଵଶ୍ଯକ ହୋଇଯାଏ।  ଏପରିକି  ଵିପଦ  ଅାପଦରେ  ତା’ପାଖେ ପାଖେ  ରହିଵା  ନେଇ  ସେ  ଏକ ପ୍ରକାରେ  ବାଧ୍ୟ  ହେଉଥିବା  ଅର୍ଥରେ  ଏଭଳି  ଉକ୍ତିର ଉଲ୍ଲେଖ  କରାଯାଇଛି ।

ଯିଏ କହୁଛି ଏତେ ବଡ଼ କଥା
ସିଏ କୋଉ  ପୁରୁଷରେ ଲେଖା ?

କିଛି ବ୍ୟକ୍ତି ଅନେକ  ବଡ଼  ବଡ଼  କଥା  କହି ଅନ୍ୟମାନଙ୍କର  ଦୃଷ୍ଟି ଅାକର୍ଷଣ କରଥାନ୍ତି । ନିଜେ  ଯେତେ  ନୁହେଁ କି ଯାହା  ନୁହେଁ ତା’ଠୁ ଅଧିକ ଦେଖେଇ  ହୋଇଥାନ୍ତି । ତେବେ ମଣିଷ  କେତେ  ଦକ୍ଷ ଵା  ଯୋଗ୍ୟ  ତାହା  ତାଙ୍କ  କାର୍ଯ୍ୟଶେଳୀରୁ ହିଁ  ଜଣାପଡ଼ିଥାଏ ।  ଦକ୍ଷତା  ନ  ଥିଵା  ଵ୍ଯକ୍ତି  ଅନ୍ୟ  ଅାଗରେ  ନିଜର  ଅାତ୍ମବଡ଼ମା  ଦେଖାଇଵା  ଦ୍ୱାରା ପରହାସର  ପାତ୍ର  ହେଉଥିଵା  ସ୍ଥଳେ  ମଣିଷର  ଯୋଗ୍ୟତା  ଆକଳନ  କରାଯିଵା ଅର୍ଥରେ  ଏଭଳି ତାତ୍ସଲ୍ୟଭରା  ଉକ୍ତି ପ୍ରକାଶ  କରାଯାଇଛି ।

ସେଦିନ ସେକାଳ  ଗଲା
ଝାଡ଼ବନସ୍ତରେ କୋଇଲି କାନ୍ଦିଲା
                           ଝୁରିଝୁରି ଦିନ ଗଲା ।

ଦେଖା ସାକ୍ଷାତର ଭାଵ ପ୍ରୀତି, ମନ ଦିଅାନିଅା ପରେ ଦେଖା ନ ହେବାରୁ ମନ ଊଣା । ପ୍ରତୀକ୍ଷା  ସାଧାରଣତଃ  ଯନ୍ତ୍ରଣାଦାୟକ  ହୋଇଥାଏ ।   ମନର  ମଣିଷକୁ ଅାପଣାର କରିଵା ପାଇଁ ଦୀର୍ଘ  ପ୍ରତୀକ୍ଷାରତ  ରମଣୀ  ଵିରହଜନିତ  ଦୁଃଖରେ  ଭାଙ୍ଗିପଡ଼ିଵା ସ୍ୱାଭାଵିକ  ହୋଇଥଵା ସ୍ଥଳେ  ତା’ର  ହତାଶ  ତଥା  ଵ୍ଯଥିତ  ମନୋଭାଵକୁ  ଦୃଷ୍ଟିରେ ରଖି ଏଭଳି ଉକ୍ତି ଉଲ୍ଲେଖ କରାଯାଇଛି ।

ସବୁ ପିଠାପଣା  ଭାତର  ତଳ
ସବୁ ବାପଭାଇ  କାଚର  ତଳ ।

ପିଠାପଣା  ସାମୟିକ ଭଲ  ଲାଗେ,  କିନ୍ତୁ ତାହା  କେଵେ ଭାତ  ସମକକ୍ଷ  ହୋଇ  ପାରି ନ ଥାଏ। ଝିଅ ଵାହାହେଵା ପର୍ଯ୍ୟନ୍ତ ବାପା ଭାଇ ତା’ର ସମସ୍ତ ଦାୟିତ୍ୱ ତୁଲାଇଥାନ୍ତି। କିନ୍ତୁ ଵାହାହୋଇ  ଶାଶଘରକୁ  ଚାଲିଗଲେ  ବାପାଭାଇଙ୍କର  ଚିନ୍ତା  ସରିଯାଇଥାଏ।   ଯାହାକୁ  ସେ  ବିଭା  ହୋଇଥାଏ  ସେହି ସ୍ୱାମୀ  ଜୀବନର  ସୁଖଦଃଖରେ ସବୁଵେଳେ  ସାଥୀ  ହୋଇ  ରହିଥାଏ।  ଝିଅ ପାଇଁ ବାପାଭାଇ  ଅପେକ୍ଷା  ସ୍ୱାମୀ  ଶ୍ରେଷ୍ଠ ହେଉଥିଵା  ଅର୍ଥରେ  ଏଭଳି ଉକ୍ତ ପ୍ରକାଶ  କରାଯାଇଛି ।

ସାନ ମୁହଁରୁ ବଡ଼ କଥା,
ଶୁଣିଲେ ମନେ ଲାଗେ ବ୍ୟଥା।

ବଡ଼ଙ୍କ ଯଥୋଚିତ ସମ୍ମାନ ନ ଦେଖାଇଲେ ସାନ ସମସ୍ତଙ୍କ ଅାଖିରେ ଅାହୁରି ଛୋଟ ହୋଇଯାଏ । ଛୋଟ ମୁହଁରେ ବଡ଼କଥା ଶୋଭା ପାଇ ନ ଥାଏ। ଵୟସର ସ୍ତରକୁ ଭୁଲି ବେଖାତିର କରି ବସିଲେ ଵା ବଡ଼ ବଡ଼ କରି କଥା କହିଲେ ଶୁଣିଵା ଲୋକ ମନରେ  ଅାଘାତ ସୃଷ୍ଟି ହେଵା ସ୍ୱାଭାଵିକ ଅର୍ଥରେ ଏଭଳି ଉକ୍ତ ପ୍ରକାଶ କରାଯାଇଛି।

ସେଇ ନାନମାନ ସେଇ କାକରା
ସେଇଥିପାଇଁ କି ଗାଆଁ ଡାକରା।

ଜୋଇଁ ଡାକରାରେ ନିମନ୍ତ୍ରିତ ହୋଇ ଅାସୁଥିଵା ଜ୍ୱାଇଁଙ୍କୁ ଖୁବ୍‌ ଚର୍ଚ୍ଚା କରାଯାଇଥାଏ । ରହଣି କାଳରେ ତାଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଅାଯିଵା ସହ ରୁଚିକର ଖାଦ୍ୟ ପରଷା ଯାଇ ମନ ଖୁସି କରିଵାକୁ ଚେଷ୍ଟା କରାଯାଇଥାଏ। ତେଵେ ଚର୍ଚ୍ଚା କରିଵାରେ ଯଦି ସେଭଳି ଵିଶେଷ ଅାୟୋଜନ କରାଯାଇ ନ ଥାଏ, ତା’ହେଲେ ଏପରି ଜୋଇଁ ଡାକରାର ମୂଲ୍ୟ କ’ଣ ବୋଲି ମନରେ ପ୍ରଶ୍ନ ଉଠିଵା ସ୍ୱାଭାଵିକ ଅର୍ଥରେ ଏଭଳି ଉକ୍ତ ଉଲ୍ଲେଖ କରାଯାଇଛି ।

(ଓଡ଼ିଆ ଢଗଢ଼ମାଳି ଓ ରୂଢ଼ି ପ୍ରୟୋଗ-
ଏ.କେ. ମିଶ୍ର ପବ୍ଲିଶର୍ସ ପ୍ରା.ଲି.)

ମଧୁଯାମିନୀ ନାଚେ ତାଳେ ତାଳେ

●●●●●●●
●●●●●●●●●
●●●●●●●●●●●
●●●●●●●●●●●●

ମଧୁ ଯାମିନୀ ନାଚେ ତାଳେ ତାଳେ(୨)
ମଳୟ ଛୁଏଁ ଚନ୍ଦ୍ରମା କୋଳୋ(୨)
ମୂରଲୀ ଡାକେ ତାରାଦୀପ ମେଳେ
ନୁପୂର ବାଜେ ...

ନୁପୂର ବାଜେ ଅନ୍ତର ତଳେ

ମଧୁଯାମିନୀ ନାଚେ ତାଳେ ତାଳେ
ମଧୁଯାମିନୀ...
ମଧୁଯାମିନୀ...
ମଧୁଯାମିନୀ...

ଜୀଵନର ଉପଵନେ ଯୌଵନ ଜୁଆର(୨)
ଖେଳି ବୁଲେ ଫୁଲେ ଫୁଲେ ପୁଲକିତ ଭ୍ରମର(୨)

ରୁମ୍ ଝୁମ୍ ରୁମ୍ ଝୁମ୍ ମନ ମୋ ନାଚିଯାଏ(୨)

ମଧୁଯାମିନୀ ନାଚେ ତାଳେ ତାଳେ
ମଧୁଯାମିନୀ...
ମଧୁଯାମିନୀ...
ମଧୁଯାମିନୀ...

ବହି ପ୍ରୀତିର  ରୂପେଲି ଝରଣା
ମନେ ପ୍ରିୟର ମିଳନ ଵାସନା
ଦୂରେ ବହୁ ଦୂରେ କିଏ ଡାକେ
ମଧୁର ଏ ରାତିରେ ସପନ ଅଭିସାରେ(୨)

ବହି ପ୍ରୀତିର  ରୂପେଲି ଝରଣା
ମନେ ପ୍ରିୟର ମିଳନ ଵାସନା
ଦୂରେ ବହୁ ଦୂରେ କିଏ ଡାକେ
ମଧୁର ଏ ରାତିରେ ସପନ ଅଭିସାରେ(୨)

●●●●●●●●●●●●●
●●●●●●●●●●●
●●●●●●●●●
●●●●●●●

●●●●●●●●●●●●●●●●●●●●●●●
କଣ୍ଠ― ସୁଶ୍ରୀ ସଂଗୀତା ମହାପାତ୍ର ଓ ଭୂଵନେଶ୍ଵରୀ ମିଶ୍ର
ଗୀତ―ରମାକାନ୍ତ ମହାପାତ୍ର
ସଂଗୀତ― ଶ୍ରୀଵତ୍ସ ପଟ୍ଟନାୟକ
ଚଳଚ୍ଚିତ୍ର―ସୂଵର୍ଣ୍ଣ ସୀତା
●●●●●●●●●●●●●●●●●●●●●●●

Selfieର ଭାରତୀୟ ପ୍ରତିଶବ୍ଦ କ'ଣ ଜାଣିଛନ୍ତି କି ?


ଦିନ ତଳେ ଅମିତାଭ ବଚ୍ଚନ ସେଲ୍ଫିର ଉପଯୁକ୍ତ ହିନ୍ଦୀ ଶବ୍ଦଟିଏ ଦେଵାକୁ ଯାଇ ଟ୍ଵିଟର୍'ରେ ଏକ ଲମ୍ଵା ହିନ୍ଦୀ ପ୍ରତିଶବ୍ଦ ପ୍ରଦାନ କରିଥିଲେ ଯାହା ହାସ୍ୟୋଦ୍ଦିପକ ଥିଲା ।

ସେ ସଂସ୍କୃତ ଶବ୍ଦ ମିଶା ହିନ୍ଦୀରେ ଲେଖିଥିଲେ

“वदय सह उसच :'

. . . . .

व्यतिगत दूरभाषित यंत्र से हस्त उत्पादित स्व चित्र”

ତେଵେ ସେହି ଟ୍ଵିଟ୍ କୁ ଅନେକ ଲୋକ ରିଟ୍ଵିଟ୍ କରିଵା ସହ ନାନା ମତ ରଖିଥିଲେ ।

ସେମାନେ ହିନ୍ଦୀରେ selfieର ପ୍ରତିଶବ୍ଦ ଭାଵେ ଅନେକ ଶବ୍ଦର ଉଦାହରଣ ଦେଇଥିଲେ ତନ୍ମଧ୍ୟରୁ ସ୍ଵଚିତ୍ର ଶବ୍ଦଟି
ଅନେକ ଲୋକଙ୍କ ଦ୍ଵାରା ପ୍ରଦତ୍ତ ହୋଇଥିଲା ।

ସେଠାରେ selfieର ପ୍ରତିଶବ୍ଦ ଭାଵେ ଯେଉଁ କେତେକ ଶବ୍ଦ ମତ ସ୍ଵରୂପ ପ୍ରଦତ୍ତ ହୋଇଥିଲା ତହିଁର ସୂଚୀ ନିମ୍ନରେ ପ୍ରଦାନ କରାଗଲା...

■ସ୍ଵପ୍ରତିମା

■ସ୍ଵହସ୍ତଚିତ୍ର

■ସ୍ଵାତ୍ତଚିତ୍ର(ସ୍ଵ=self + ଆତ୍ତ=taken + ଚିତ୍ର)

■ସ୍ଵକରଚିତ୍ର

■ସ୍ଵହସ୍ତଯନ୍ତ୍ରଚିତ୍ର

■ସ୍ଵରୂପଛଵି

■ହମ୍ଫି 🤣🤣(ହମ୍+ଫି)
(ହିନ୍ଦୀରେ ହମ୍ = ଆମେ)

■ସ୍ଵଚି
(ମାନେ ସ୍ଵଚିତ୍ରକୁ ବି ଆହୁରି ଛୋଟ କରାଯାଇଛି 😂😂)

■ସ୍ଵବିମ୍ବ

■ସ୍ଵଚିତୃ

■ସ୍ଵଚିତ୍ରଣ

■ଖୁଦ୍-ଖେଁଚୁ
(ଅର୍ଥାତ୍ ଓଡ଼ିଆରେ ଆମେ ବି କହିଵା ନିଜଉଠା 😂)

■ଚତୁରଭାଷିୟ ସ୍ଵଚିତ୍ର
(ଜଣେ ହିନ୍ଦୀଭାଷୀ smartphoneର ଅନୁଵାଦ କରିଛନ୍ତି ଚତୁର-ଭାଷ 😂)

■ସ୍ଵୟଂଛଵି

■ଅଧବୁଧ(🤔🤔🤔)

■ଆତ୍ମପ୍ରତିବିମ୍ବ

■ଵ୍ଯକ୍ତିଗତ

■ସ୍ଵୀୟମୂର୍ତ୍ତି(😂😂😂)

■ଛାୟାସ୍ଵ(🤔)

ସେଇଭଳି କିଛି ତାମିଲ୍ ଲୋକେ  ଏକଥାର ମଜାନେଵାକୁ ଯାଇ ଇଣ୍ଟରନେଟର ଅନ୍ୟ ଏକ ଜାଲସ୍ଥଳରେ
ଏକ ତାମିଳ ଶବ୍ଦର ଉଲ୍ଲେଖ କରିଛନ୍ତି ତାହା ହେଲା
💠சுயபடம்(cuyapaṭam)
🔸cuya=ନିଜ
🔸paṭam= ଫୋଟୋ

ତେଵେ ପ୍ରୋକ୍ତ ସମସ୍ତ ଶବ୍ଦ ମଧ୍ୟରେ selfieର ଉପଯୁକ୍ତ ପ୍ରତିଶବ୍ଦ କେଉଁଟି ?
ଆପଣଙ୍କ ପାଖରେ ବି selfie ପାଇଁ କୌଣସି ଉପଯୁକ୍ତ ଭାରତୀୟ ପ୍ରତିଶବ୍ଦ ରହିଛି କି ?

ଆପଣଙ୍କ ପାଖରେ ଏଇଭଳି କୌଣସି ଶବ୍ଦ ଥିଲେ ନିଶ୍ଚୟ ଜଣାନ୍ତୁ !!!

Friday, October 18, 2019

ମୁଣ୍ଡିଆଳ ― କଟକିଆ ଶବ୍ଦ ଯାହା ମାନକ ଓଡ଼ିଆ ଭାଷାରେ ସ୍ଥାନ ପାଇପାରିନି

ମୁଣ୍ଡିଆଳ ଶବ୍ଦଟି ପୂର୍ଵ ଓଡ଼ିଶାରେ ଵିଶେଷତଃ ଅଵିଭକ୍ତ କଟକାଞ୍ଚଳରେ ଵ୍ଯଵହୃତ ହୋଇଥାଏ । ସମାଜରେ ଯିଏ ନେତୃସ୍ଥାନୀୟ ଲୋକ ଏଵଂ ଯାହାଙ୍କୁ ସମାଜ ମଧ୍ୟରେ ଶ୍ରେଷ୍ଠ ଵିଚାର କରାଯାଏ ତାଙ୍କୁ ମୁଣ୍ଡିଆଳ କୁହାଯାଏ ।

ଆଗେ ଗାଆଁର ମୁଖିଆମାନେ ଶ୍ରେଷ୍ଠ ଵିଵେଚିତ ହୋଇଥିଲେ ହିଁ ଗ୍ରାମର ନେତୃତ୍ୱ ନେଇପାରୁଥିଲେ ତେଣୁ ମୁଖିଆମାନେ ବି ମୁଣ୍ଡିଆଳ ଵିଦିତ ହେଵାକୁ ଲାଗିଲେ ।  କଥିତ ଓଡ଼ିଆ ଶବ୍ଦକୋଷରେ ‛ମୁଣ୍ଡି’ ଓ ‛ମୁଣ୍ଡିଆମାଳ’ ଶବ୍ଦ ମଧ୍ୟ ମୁଖିଆ ଅର୍ଥରେ ଵ୍ଯଵହୃତ ହେଉଥିଵାର ଉଲ୍ଲେଖ ରହିଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମୁଣ୍ଡିଆଳ ଶବ୍ଦ ରହିଛି ଏଵଂ ଏହାର ତିନିଗୋଟି ଅର୍ଥ  ଲେଖା ହୋଇଛି
ଯଥା―
୧―ଗାଆଁ ସର୍ଦ୍ଦାର
୨―ଶ୍ରେଷ୍ଠ ଵ୍ଯକ୍ତି
୩―ନେତା

ଗଡ଼ଜାତରେ ଅଵଶ୍ଯ ମୁଣ୍ଡି,ମୁଣ୍ଡିଆମାଳ କି ମୁଣ୍ଡିଆଳ ଶବ୍ଦ ନାହିଁ କିନ୍ତୁ ଏହା ସହିତ ସମ୍ବନ୍ଧିତ ଅନେକ ଶବ୍ଦ ଚଳୁଅଛି ।
ଯେଉଁମାନେ ସମ୍ମାନନୀୟ ସେମାନଙ୍କୁ ପ୍ରଣିପାତ କରାଯାଏ ଏଵଂ ଏହି ପ୍ରଣିପାତକୁ ଗଡ଼ଜାତରେ କୁହନ୍ତି ମୁଣ୍ଡିଆ ମାରିଵା ।

ମୁଣ୍ଡେଇଵା ଶବ୍ଦର ସାଧାରଣ ଅର୍ଥ ରହିଛି ଯେ କୌଣସି ଵସ୍ତୁକୁ ମୁଣ୍ଡରେ ବୋହିଵା କିନ୍ତୁ ଗଡ଼ଜାତରେ ଏହି ଶବ୍ଦର  ଭାଵାର୍ଥେ ଵ୍ଯଵହାର ହେଵା ମଧ୍ୟ ଦୃଶ୍ଯ ହୁଏ । ନିମ୍ନରେ ସେଇଭଳି କିଛି ଶବ୍ଦର ଉଲ୍ଲେଖ କରାଗଲା ...

୧)ମୁଢା଼ଵା― ଦାୟିତ୍ୱ ନେଵା
୨)ମେଢେଇଵା ―ମନଦେଇ କାମ କରିଵା,କାମ ନିଜ ମୁଣ୍ଡ ଉପରକୁ ନେଵା

ତେଵେ ଵିଚ୍ଛିନ୍ନାଞ୍ଚଳ ସିଂହଭୂମିରେ
ଗ୍ରାମର ପ୍ରଧାନ ପୁରୁଷ ତଥା କୋହ୍ଲମାନଙ୍କ ସର୍ଦ୍ଦାରଙ୍କୁ ମୁଣ୍ଡା କୁହାଯାଉଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।
ସମ୍ଭଵତଃ ଏ ଶବ୍ଦ ମଧ୍ୟ ମୁଣ୍ଡି,ମୁଣ୍ଡିଆମାଳ ଓ ମୁଣ୍ଡିଆଳ ସହିତ ସମଦ୍ଧୃତ ହୋଇଥିଵ ।

ଆମେ ଓଡ଼ିଶାରେ ଗ୍ରାମ ମୁଖିଆ ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି ,କେତେ ଵ୍ଯଵହାର ହେଉଛି ତ ଆଉ କେତେ।ଲୋପ ପାଇଗଲାଣି
ତଳେ ସେଇଭଳି କିଛି ଶବ୍ଦଳ ଉଦାହରଣ ଦିଆଗଲା...

୧)ପଧାନ,(ପ୍ରଧାନ)
୨)ମୁଖିଅ,ମୁଖିଆ
୩)ମିରଧାନୀ
୪)ଅଗୁଆ(ଅଗ୍ର)
୫)ଆଗବୋଲା
୬)ନାଏକ

ଆପଣଙ୍କ ଅଞ୍ଚଳରେ ଗ୍ରାମ ପ୍ରଧାନଙ୍କୁ କଣ୍ କୁହାଯାଏ ? ଆପଣଙ୍କ ଅଞ୍ଚଳରେ ଏଇଭଳି କୌଣସି ଶବ୍ଦ ଚଳୁଥିଲେ ନିଶ୍ଚୟ ଜଣାନ୍ତୁ ।

ପୁରିଲା ଆଶା ମୋର...

ପୁରିଲା ଆଶା ମୋର
                 ଭରିଲା ମନ ମୋର
ରୂପ ରାଇଜ ରାଜକୁମାର ହେଲା ମୋ ମନ ଚୋର

ଶରମି ଲତା ମୋର ...
                     ତୁ ମୋର ମୁଁ ତୋର
ମନେ ଝରିଲା ସୁଖ ଝରଣା
                          ପିରତୀ ଝର ଝର

ଆମେ ଗୋ ହେଵା ଫୁଲ ମହକ ଝାଇ ଆଲୁଅ ହୋଇ
ଯାହା ମୁଁ ଥିଲି ଯାହା ମୁଁ ହେଲି
                             ସବୁ ତୋହରି ପାଇଁ

ପାରେନା କହି ରହିଛି ଯେତେ ମରମେ କଥା ମୋର
ଏ ଦୁଇ ଆଖି କହୁଛି ଖୋଲି
                               ଗୁମର କଥା ତୋର

ରୂପ ରାଇଜ ରାଜକୁମାର ହେଲା ମୋ ମନ ଚୋର

ଶରମି ଲତା ମୋର ...

ଆ ଆ ଆ ଆଆଆ

ତୋ ମୁହଁ ଚାହିଁ କଟିଵ ଦିନ ରାତି ମୋ ଉଜାଗରେ
ମନାସେ ହେବୁ ତୁ ମୋର ସାଥି ଜନମ ଜନମରେ

ମୋରି ମନ ଦରପଣରେ ଦେଖିବି ରୂପ ତୋର
ଲୁଚାଇ ଦେବି ପଣତ ତଳେ ନଜର ହେଵ କାର ?

ମନେ ଝରିଲା ସୁଖ ଝରଣା ପିରତୀ ଝର ଝର
ରୂପ ରାଇଜ ରାଜକୁମାର ହେଲା ମୋ ମନ ଚୋର

ଶରମି ଲତା ମୋର ...
ପୁରିଲା ଆଶା ମୋର
ଶରମି ଲତା ମୋର ...
ଭରିଲା ମନ ମୋର ...

କଣ୍ଠଦାନ — ପ୍ରଣଵ ପଟ୍ଟନାୟକ ଓ ଏସ୍. ଜାନକୀ
ଗୀତ —ନାରାୟଣ ପ୍ରସାଦ ସିଂହ
ସଂଗୀତ— ଉପେନ୍ଦ୍ର କୁମାର
ଚଳଚ୍ଚିତ୍ର — ପରିଵାର(୧୯୭୮)

Thursday, October 17, 2019

କାଛି — ଏକ ଲୁପ୍ତ ଶବ୍ଦର କାହାଣୀ

ଭାଷାର ନିଜସ୍ଵ ଅଵ୍ଯୟ,ପ୍ରତ୍ୟୟ, ସର୍ଵନାମ, କ୍ରିୟା ଓ କ୍ରିୟା ଵିଶେଷଣ ଆଦି ଯଦି ଅନ୍ଯ ଭାଷା ଦ୍ଵାରା ପ୍ରଭାଵିତ ହୋଇ ମରିଵାକୁ ଲାଗେ  ତେଵେ ବୁଝିଯିଵାକୁ ହେଵ ଯେ ଉକ୍ତ ଭାଷାର ଦୁର୍ଦ୍ଦିନ ଆସିଗଲାଣି ।

ତେଵେ ଓଡ଼ିଆ ଭାଷାରେ ମଧ୍ୟ ଏହି ଶ୍ରେଣୀୟ ଶବ୍ଦ ଅଵ୍ଯଵହୃତ ହୋଇଯାଇଛି କି ?

ହଁ ଏଭଳି ଅନେକ ଉଦାହରଣ ରହିଛି !!!
ଏକଦା ଆମ୍ଭନ୍ତ ତୁମ୍ଭନ୍ତ ଲେଖୁଥିଵା ଓଡ଼ିଆମାନେ ଆଜି ସେ ଶୈଳୀ ସଂପୂର୍ଣ୍ଣ ଛାଡ଼ି ସାରିଛନ୍ତି ଏଵଂ ତତ୍ ପରିଵର୍ତ୍ତେ ଆମ୍ଭଙ୍କୁ ତୁମ୍ଭଙ୍କୁ ଲେଖିଥାନ୍ତି । 

ସେଇଭଳି ଆଉ ଗୋଟିଏ ଦେଶଜ ଓଡ଼ିଆ ଅଵ୍ୟୟ ହେଉଛି

“କାଛି”

ଏହି ଅଵ୍ଯୟଟି  “ଲାଗିଯାଇ”  ଵା “ଦେହକୁ ଦେହ ଲାଗି”
ଆଦି ଅର୍ଥରେ ଵ୍ଯଵହୃତ ହେଉଥିଲା  । ଏହା ସଂସ୍କୃତ ଶବ୍ଦ କକ୍ଷ ସହିତ ସମଦ୍ଧୃତ ହୋଇଥାଇପାରେ କାରଣ କକ୍ଷ ଶବ୍ଦର ଏକ ଅର୍ଥ ପାର୍ଶ୍ଵରେ; କଡ଼ରେ ଵା ପାଖରେ ଅଟେ ।

କଵି କୃଷ୍ଣ ସିଂହ କୃତ ମହାଭାରତରେ ଆମେ ଏହି ଅଵ୍ଯୟ ଵ୍ଯଵହାର ହୋଇଥିଵାର ଦେଖିଵାକୁ ପାଇଥାନ୍ତି ।

ଯଥା—

“ତୁମ୍ଭ ଲୋକମାନେ କର୍ଣ୍ଣଙ୍କୁ ଆଗକରି,
ଯୁଦ୍ଧ କରିଲେ କାଛି ଶସ୍ତ୍ରକୁ ପ୍ରହାରି।”
(କର୍ମପର୍ଵ, କୃଷ୍ଣ ମହାଭାରତ)






ସେଇଭଳି “କାଛେ କାଛେ” କ୍ରିୟା ଵିଶେଷଣ ଶବ୍ଦ ବି ଚଳୁଥିଲା ଆମ ଭାଷାରେ ...

ଏହା ଅତି ନିକଟରେ ଵା ପାଖେ ପାଖେ ଅର୍ଥରେ ଵ୍ଯଵହାର ହେଉଥିଲା ।

ଜଗନ୍ନାଥ ଦାସ କୃତ ଭାଗଵତରେ ଆମେ ଏ ଶବ୍ଦର ଵ୍ଯଵହାର ହୋଇଥିଵା ଦେଖିଥାନ୍ତି
ଯଥା—

“ଗୋରୁଙ୍କ ଶିଙ୍ଗ ଧରି ନାଚେ
ବୁଲନ୍ତି ଅଗ୍ନି କାଛେ କାଛେ।”

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏ ଶବ୍ଦ ମେଦିନୀପୁରୀ ଓଡ଼ିଆ ଭାଷାରେ “କାଛା କାଛି” ହୋଇ ଏକ ଵିଶେଷଣ ଭାଵେ ଵ୍ଯଵହୃତ ହେଉଥିଲା ।

ମେଦିନୀପୁରିଆ ଏ ଶବ୍ଦକୁ ଅତି ନିକଟବର୍ତ୍ତୀ; ସନ୍ନିକଟ; ପରସ୍ପରର ନିକଟବର୍ତ୍ତୀ ଆଦି ଅର୍ଥରେ
ଵ୍ଯଵହାର କରୁଥିଲେ ବୋଲି ଏ ଅଭିଧାନରେ ଉଲ୍ଲେଖ ରହିଛି ।

ତେଵେ ଓଡ଼ିଆ ଭାଷାରେ କାଛି ଶବ୍ଦର ଏକ ଵିଶେଷ୍ଯ ଶବ୍ଦ ଭାଵେ ମଧ୍ୟ ଵ୍ଯଵହାର ରହିଥିଲା ଏଵଂ ସମ୍ଭଵତଃ ଏହା ମଧ୍ୟ କକ୍ଷ ଶବ୍ଦ ସହ ସମଦ୍ଧୃତ ହୋଇଥିଵା ସମ୍ଭଵ କାରଣ କକ୍ଷ ଶବ୍ଦର ଆଉ ଏକ ଅର୍ଥ କଛା; ବସ୍ତ୍ରପ୍ରାନ୍ତ; ବସ୍ତ୍ରାଞ୍ଚଳ ପୁଣି ସଂସ୍କୃତରେ କଚ୍ଛ ଶବ୍ଦ ସହିତ ବି ସମଦ୍ଧୃତ ହୋଇଥିଵା ସମ୍ଭଵ ଯେହେତୁ ଏହା ମଲ୍ଲମାନଙ୍କ ଵ୍ଯଵହାର୍ଯ୍ୟ ଲେଙ୍ଗୁଟୀ; କର୍ପଟୀକୁ କଚ୍ଛ କୁହାଯାଉଥିଲା ।





କାଛି ସାଧାରଣତଃ କ୍ଷୁଦ୍ର ପତଳା ରଙ୍ଗୀନ୍ ପରିଧାନ ବସ୍ତ୍ର ଯାହାକୁ କରିଆ ମଧ୍ୟ କୁହାଯାଇଥାଏ । ଏହାକୁ ଓଡ଼ିଶାରେ କେଉଁଠି କେଉଁଠି କଚ୍ଛା ,କାଚ୍ଛ,କାଚ୍ଛଟା ଓ କାଛ ଆଦି ମଧ୍ୟ କୁହାଯାଏ ।

ଜଗନ୍ନାଥ ଦାସ ଏହି ଅର୍ଥରେ କାଛ ଶବ୍ଦର ପ୍ରୟୋଗ କରି ଲେଖିଯାଇଛନ୍ତି...

“କୁତ ପଲ୍ଲବ ଶିଖିପୁଚ୍ଛ,
କଟୀରେ ନୀଳ ପୀତ କାଛ। ”

ସେଇଭଳି ଭକ୍ତଦାସ କୃତ ମଥୁରା ମଙ୍ଗଳରେ
କାଛି ଶବ୍ଦର ଵ୍ଯଵହାର ଉଲ୍ଲେଖ ଯୋଗ୍ୟ

“କାହାକୁ ପିନ୍ଧାଇବି କାଛିରେ”

ଲୁଗାକୁ ସୁନ୍ଦରରୂପେ ଅଙ୍ଗରେ ସଜ୍ଜିତ କରି ପିନ୍ଧିଵା ଅର୍ଥରେ
କଵିସୂର୍ଯ୍ୟ ବଳଦେଵ ରଥ ଏ ଶବ୍ଦର ଵ୍ଯଵହାର  କରି ଲେଖିଛନ୍ତି—

“ବିଶଥ ହୋଇଛିରେ,
            ବାସ ପିନ୍ଧିଥାଉ ପରି କାଛି ।”





ଓଡ଼ିଆ ଭାଷାରେ କାଛି ଶବ୍ଦର ଆଧାରରେ ଦୁଇଗୋଟି କ୍ରିୟାଶବ୍ଦ ବି ଚଳୁଥିଲା
ଯଥା—
୧)କାଛିଵା— କାଛା ପିନ୍ଧିବା; କାଛା ଭିଡ଼ିବା,କ୍ଷୁଦ୍ର ଵସ୍ତ୍ର ପିନ୍ଧିଵା

୨)।କାଛି ହେବା—ଛୋଟ ଲୁଗା ବଡ଼ ଶରୀରକୁ କସାକସ୍ ହେବା, କାଛା ପିନ୍ଧିଲା ଭଳିଆ କସିକାସି ଭିଡ଼ିଭାଡ଼ି ଲୁଗାକୁ ପିନ୍ଧିବା,କଛା ମାରି ଲୁଗା ପିନ୍ଧିବା

ତେଵେ ଏଠାରେ ପ୍ରଶ୍ନ ଉଠେ ଓଡ଼ିଆ ଭାଷାରେ ପ୍ରଚଳିତ ଏ କାଛି ଶବ୍ଦ ଉଭୟ ଅଵ୍ଯୟ ଓ ଵିଶେଷ୍ଯ ଅର୍ଥରେ ଵ୍ଯଵହାର ହେଉଥିଲେ ହେଁ ଆଜି କାହିଁକି ଲୁପ୍ତ ହୋଇଯାଇଅଛି ?

Tuesday, October 15, 2019

ଓଡ଼ିଆ ଭାଷା ଓ ଭ୍ରମ

ମାନକ ଓଡ଼ିଆ ଭାଷା ଵା ଯାହାକୁ ବହିଭାଷା କୁହାଯାଏ ତା ଵିଷୟରେ ଆମ ଗଡ଼ଜାତିଆଙ୍କ ମଧ୍ୟରେ ଅନେକ ଭ୍ରମ ଧାରଣା ରହିଛି ।

ଭ୍ରମ ଧାରଣା (୧)
ବହି ଭାଷା ଵା ମାନକ ଶାସ୍ତ୍ରୀୟ ଭାଷା = କଟକୀ ଭାଷା

★ପ୍ରକୃତ ସତ୍ଯ★

ବହି ଭାଷା କଟକୀ ନୁହେଁ, ଯିଏ କଟକର ଗ୍ରାମାଞ୍ଚଳରେ ରହିଛି ସିଏ ସ୍ପଷ୍ଟ ଭାବରେ କହିପାରେ ଯେ
ନା !!!  ବହି ଭାଷା କଟକୀ ଆଦୌ ନୁହେଁ ।

ଯଥା କେତେକ ଉଦାହରଣ ଦେଖନ୍ତୁ
ମାନକ ଓଡ଼ିଆରେ #ସେବେ #ଏବେ କୁହାଯାଏ କିନ୍ତୁ କଟକୀରେ କୁହନ୍ତି #ସେଭେ , #ଏଭେ । ମାନକ ଓଡ଼ିଆରେ #ତୁମେ  କୁହାଯାଏ କଟକୀ ଶୈଳୀରେ #ତେମେ କୁହନ୍ତି । ଏଇଭଳି ଲକ୍ଷାଧିକ ଉଦାହରଣ ରହିଛି । ଅଵିଭକ୍ତ କଟକ ଜିଲ୍ଲାରେ ଲକ୍ଷାଧିକ ସ୍ଥାନୀୟ ଶବ୍ଦ ରହିଛି କିନ୍ତୁ ସେଗୁଡ଼ିକ ମାନକ ଓଡ଼ିଆରେ ସ୍ଥାନପାଇ ନାହିଁ ।

ଭ୍ରମ ଧାରଣା (୨)
ପୂର୍ଵାଞ୍ଚଳର କଥିତ ଓଡ଼ିଆ ଶୈଳୀ ହେଉଛି ମାନକ ଓଡ଼ିଆ କଥିତ ଶୈଳୀ

•ପ୍ରକୃତ ସତ୍ଯ

କଟକୀ ଶୈଳୀ ମାନକ ଓଡ଼ିଆ କଥିତ ଶୈଳୀ ନୁହେଁ ଵରଂ ଯେଉଁ କଥିତ ଓଡ଼ିଆ ଭାଷାରେ ଜଣେ ବ୍ରହ୍ମପୁରର ଲୋକ ସହ ଜଣେ ସମ୍ବଲପୁରଵାସୀ କଥା ହୁଏ, ଯେଉଁ କଥିତ ଶୈଳୀରେ ଜଣେ ବାଲେଶ୍ବରଵାସୀ ସହ ଆନଜଣେ  ଢେଙ୍କାନାଳିଆ କଥା ହୁଏ ସେଇ କଥିତ ଶୈଳୀକୁ ମାନକ ଓଡ଼ିଆ କଥିତ ଶୈଳୀ କୁହାଯାଏ ।

ଭ୍ରମ ଧାରଣା (୩)
କେଵଳ ବହିଭାଷା ଵା ମାନକ ଓଡ଼ିଆ ହିଁ ଶାସ୍ତ୍ରୀୟ ଓଡ଼ିଆ ଏଵଂ ଵାକି ସବୁ ତାହାର ଶୈଳୀ

★ପ୍ରକୃତ ସତ୍ୟ★
ଶାସ୍ତ୍ରୀୟ ଓଡ଼ିଆ ଵା ଯାହାର ପ୍ରାଚୀନ ନାମ ଉଡ୍ରୀ ଵିଭାଷା ଥିଲା ତାହା ମୂଳତଃ ଵସ୍ତର ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଅଞ୍ଚଳରେ ଆଜକୁ ପ୍ରାୟ ୨୪୦୦ ଵର୍ଷ ତଳେ କଥିତ ଭାଷା ରୂପେ ଚଳୁଥିଵାର ଉଲ୍ଲେଖ ଭାରତନାଟ୍ୟମ୍ ରେ ଅଛି । ଏହି ଭାଷା ଆଜି ଭାଷା କ୍ଷେତ୍ରରେ ସଂସ୍କୃତ ପରଵର୍ତ୍ତୀ ସବୁଠାରୁ ଅଧିକ ଵୈଜ୍ଞାନିକ ଭାଷା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଵେ ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ ସମଗ୍ର ଓଡ଼ିଆ ଭାଷା ମଧ୍ୟ କୁହାଯାଏ । ଏହା କୌଣସି ଗୋଟିଏ ଅଞ୍ଚଳର ନୁହେଁ ସମଗ୍ର କଳିଙ୍ଗ ଦେଶର ଭାଷା,ଏହା ସମସ୍ତଙ୍କର ଭାଷା କାରଣ ସମସ୍ତେ ଏ ଭାଷାକୁ ନିଜ ନିଜର ଶବ୍ଦ ଓ ଶୈଳୀ ଦେଇଛନ୍ତି ।
ସେଇ ଶାସ୍ତ୍ରୀୟ ଓଡ଼ିଆ ଭାଷା ଵା ସମଗ୍ର ଓଡ଼ିଆ ଭାଷା କିନ୍ତୁ
କେଵଳ ମାନକ ଭାଷା ଵା ବହିଭାଷା ନୁହେଁ ଵରଂ ବହିଭାଷା ଵା ମାନକ ଓଡ଼ିଆ ମଧ୍ୟ ଦେଶିଆ,କୁପିଆ,ରେଲୀ,ଭତ୍ରୀ ଆଦି ଭଳି ସମଗ୍ର ଓଡ଼ିଆ ଭାଷାର ଗୋଟିଏ ଶୈଳୀ  ଛଡ଼ା ଆଉ କିଛି ନୁହେଁ ।

ସମଗ୍ର ଓଡ଼ିଆ ଭାଷା ଵା ଶାସ୍ତ୍ରୀୟ ଓଡ଼ିଆ ଭାଷାର ଏକ ଶୈଳୀ ଏହି ବହିଭାଷା ଵା ମାନକ ଭାଷା ମଧ୍ୟ ଦୁଇ ପ୍ରକାରର

୧) କଥିତ ମାନକ ଭାଷା
ଯେଉଁ ମାନକ ଭାଷା ଦ୍ଵାରା ଜଣେ ସମ୍ବଲପୁରଵାସୀ ସହ କୌଣସି ଢେଙ୍କାନାଳାଞ୍ଚଳର ଲୋକ କଥାଭାଷା ହୁଏ, ଯେଉଁ କଥିତ ମାନକ ଭାଷା ଵ୍ଯଵହାର କରି ଜଣେ ଗଞ୍ଜାମଵାସୀ ଆନଜଣେ ବାଲେଶ୍ଵରିଆ ଲୋକ ସହ କଥା ହୁଏ ତାହା କଥିତ ମାନକ ଭାଷା

୨) ଲିଖିତ ମାନକ ଭାଷା
ଯେଉଁ ମାନକ ଭାଷା ଵା ବହିଭାଷାର କଳିଙ୍ଗଦେଶର ଵିଦ୍ଵାନମାନେ, ଛାତ୍ର ଓ ଶିକ୍ଷକ ଆଦି ସମସ୍ତ ବୁଦ୍ଧିଜୀଵିମାନେ ଵ୍ଯଵହାର କରନ୍ତି ତାହା ଲିଖିତ ମାନକ ଭାଷା ଅଟେ ।


ସସେମିରା କଥା...

ଦିନେ ଭୋଜରାଜଙ୍କ ପୁତ୍ର ପାରିଧୀ କରିବାକୁ ଯାଇଥିଲେ କିନ୍ତୁ ନଅରକୁ ଫେରି ନ ଆସି ରାତ୍ରହେବାରୁ ନିବିଡ଼ ଅରଣ୍ୟ ମଧ୍ୟରେ ଅଗତ୍ୟା ରହିଗଲେ ।

ରାତି ହୋଇଯିବାରୁ ଜଙ୍ଗଲର ବିଭିନ୍ନ ହିଂସ୍ରଜନ୍ତୁଙ୍କ ଠାରୁ ରକ୍ଷା ପାଇବା ହେତୁ ସେ ଏକ ଭାଲୁ ସହ ମିତ୍ରତା କଲେ । ରାଜପୁତ୍ର ଓ ଭାଲୁ ଦୁହେଁ ଗୋଟିଏ ଗଛ ଉପରେ ଚଢ଼ି ରାତ୍ରୀଯାପନ କଲେ ।

ରାତ୍ରୀର ପ୍ରଥମ ଅଂଶରେ ଭାଲୁ ତା ଗୋଡ଼କୁ ଲମ୍ଵେଇ ଗଛଡାଳରେ ବସିଲାଓ ରାଜପୁତ୍ର ଭାଲୁର କୋଳରେ ସୁଖନିଦ୍ରା ଗଲେ । ଏହି ସମୟରେ ଗଛ ତଳକୁ ବାଘ ଆସି ଭାଲୁକୁ ବିନତି କରି କହିଲା…

“ତୁ ଗୋଡ଼କୁ ଖସାଇ ଦେ;ରାଜପୁତ୍ର ତଳକୁ ପଡି଼ଗଲେ ମୁଁ ତାକୁ ଖାଇବି”

କିନ୍ତୁ ଭାଲୁ କହିଲା

“ରାଜପୁତ୍ର ମୋର ମିତ୍ର,ମୁଁ ମିତ୍ରଦ୍ରୋହ କରିବିନି”

ଏହା ଶୁଣି ବାଘ ଫେରିଗଲା ହେଲେ ଗଲାବେଳେ କହିଗଲା
“ଆରେ ଦୁଇଗୋଡି଼ଆ(ମଣିଷ)ଙ୍କୁ ଭରସା ନାହିଁ”

ରାତ୍ରୀର ଶେଷାଂଶକୁ ରାଜପୁତ୍ର ଚେଇଁବ ଓ ଭାଲୁ ଶୋଇବ,ଏହିପରି କଥା ଆଗରୁ ଠିକ୍ ହୋଇଥିବାରୁ ରାଜପୁତ୍ର ନିଦରୁ ଉଠି ଗଛ ଉପରେ ଗୋଡ଼ ଲମ୍ବାଇ ବସିଲା ଏବଂ ଭାଲୁ ତାକୋଳରେ ଶୋଇଲା ।

କିନ୍ତୁ ବାଘର ପୂର୍ବ କଥିତ ଉପଦେଶ ମନେରଖି ରାଜପୁତ୍ରର ଅଜ୍ଞାତସାରରେ ଆପଣା ନଖକୁ ଗଛ କୋରଡ଼ରେ ବିଦ୍ଧ କରିଦେଇଥାଏ । ପାହାନ୍ତା ହେଲାବେଳକୁ ବାଘ ଆସି ରାଜାପୁଅକୁ କହିଲା
“ଆରେ ଭାଲୁ ଟା ହିଂସ୍ରଜନ୍ତୁ,ସେ ତୋତେ ଖାଇଯିବ;ତୁ ଗୋଡ଼ ଛାଡି଼ ଦେ,ଭାଲୁ ଟା ଖସିପଡୁ଼,ମୁଁ ତାକୁ ଖାଇଯିବି !”

ରାଜାପୁଅ ଏକଥା ଶୁଣି ଗୋଡ଼ ଟା ଖସେଇ ଦେଲା ହେଲେ ଭାଲୁ ଆଗରୁ ଗଛ କୋରଡ଼ରେ ନଖ ବିଦ୍ଧ କରିଥିବାରୁ ତଳେ ନପଡି ଯାଇ ଅଳ୍ପକେ ବର୍ତ୍ତିଗଲା ।

ସକାଳ ହେଲାରୁ ଭାଲୁ ରାଜପୁତ୍ର କୁ କହିଲା

“ତୁ ମିତ୍ରଦ୍ରୋହୀ ହେଲୁ କିନ୍ତୁ ମୁଁ ହେବି ନାହିଁ ସେଥିପାଇଁ ତୋତେ ପ୍ରାଣଦଣ୍ଡ ନଦେଇ ଛାଡ଼ି ଦେଉଛି”

ତହିଁପରେ ଭାଲୁ ରାଜପୁତ୍ର ଜିଭରେ ଚାରୋଟି ଅକ୍ଷର ଲେଖିଦେଲା

“ସ-ସେ-ମି-ରା”…

ତହୁଁ ରାଜପୁତ୍ର ପାଗଳ ହୋଇ ବୁଲିଲା…
ସେ ଖାଲି ସସେମିରା ସସେମିରା କହୁଥାଏ ।

କେତେଦିନ ପରେ ରାଜପୁତ୍ର ର ସନ୍ଧାନ ପାଇ ଭୋଜରାଜ ତାକୁ ରାଜନବର କୁ ଅଣାଇଲେ …
ହେଲେ ରାଜପୁତ୍ର ପ୍ରଗଳ୍ଭ ହୋଇଯାଇଥାଏ । ତାକୁ ଭଲ କରିବା ପାଇଁ ବହୁଚେଷ୍ଟା କରି ବିଫଳ ହେଲାରୁ ଶେଷରେ ରାଜା ଦେଶଯାକରେ ଘୋଷଣା କଲେ ଯେ କେହି ଯଦି ତାଙ୍କ ପୁତ୍ରକୁ ଭଲ କରିଦେବ ତାକୁ ସେ ତାଙ୍କ ରାଜ୍ୟରୁ ଅର୍ଦ୍ଧେକ ଦେବେ…

ଏହାର ବହୁ ପୂର୍ବରୁ ଭୋଜରାଜ ତାଙ୍କ ସ୍ତ୍ରୀଙ୍କର ଆବୃତ୍ତ ଅଙ୍ଗରେ ତିଳଚିହ୍ନ ଥିବା ବିଷୟକ କଥା କହିଥିବାରୁ କାଳିଦାସଙ୍କୁ ଦେଶାନ୍ତର ଦଣ୍ଡ ଦେଇଥିଲେ ହେଲେ ଭୋଜରାଜଙ୍କ ମନ୍ତ୍ରୀ ଗୁପ୍ତରେ ତାଙ୍କ ଗୃହରେ ଆଶ୍ରୟ ଦେଇଥାନ୍ତି…

ରାଜାଙ୍କ ପୁତ୍ର ଅସୁସ୍ଥ ହେବା ତଥା ରାଜାଙ୍କ ଘୋଷଣା କଥା ଶୁଣି ମନ୍ତ୍ରୀଙ୍କୁ କାଳିଦାସ କହିଲେମୁଁ ନାରୀବେଶ ଧାରଣକରି ଆପଣଙ୍କ ସହିତ ନଅରକୁ ଯିବି ଆପଣ ରାଜାଙ୍କୁ କହିବେ ଏ ମୋର କନ୍ୟା ଏବଂ ଏ ଆପଣଙ୍କ ପୁତ୍ର କୁ ଠିକ୍ କରିଦେବ…

ତାହା ହିଁ ହେଲା …

ମନ୍ତ୍ରୀ ଜଣକସ୍ତ୍ରୀବେଶଧାରୀ ଅବଗୁଣ୍ଠିତ କାଳିଦାସଙ୍କୁ ନେଇନଅର ପହଞ୍ଚିଲେ …

ରାଜା ସବୁ ଶୁଣି ଆଦେଶ ଦେଲାରୁଅବଗୁଣ୍ଠିତ କାଳିଦାସ ରାଜପୁତ୍ର କାନରେ‛ସସେମିରା’ର ଆଦ୍ୟ ଅକ୍ଷର ବିଶିଷ୍ଟ ଚାରୋଟି ପୂର୍ଣ୍ଣାବୟବ ଶ୍ଳୋକ ବୋଇଲେ ...

1.ସ→

●ସଦ୍ଭାବ ପ୍ରତିପନ୍ନାନାଂ ବଞ୍ଚନେ କା ବିଦଗ୍ଧତା ।
ଅଙ୍କ ମାରୁହ୍ୟ ସୁପ୍ତାନାଂ ହନ୍ତୁଃ କିମ୍ ନାମ ପୌରୁଷମ୍ ।। ●

(ଯେଉଁ ମାନେ ଏକାନ୍ତ ବିଶ୍ଵସ୍ତ,ସେମାନଙ୍କୁ ପ୍ରତାରଣା କରିବା କି ପାଣ୍ଡିତ୍ୟ ? ଯେଉଁ ମାନେ ଅଙ୍କକୁ ଆଶ୍ରୟ କରି ଶୋଇଥାଅନ୍ତି ତାଙ୍କୁ ମାରିଦେଲେ ହତ୍ୟାକାରୀର ପୌରୁଷ ପ୍ରକାଶ ପାଏ କି ?)

2.ସେ→
●ସେତୁଂଗତ୍ଵା ସମୁଦ୍ରସ୍ୟ ଗଙ୍ଗାସାଗରସଙ୍ଗମମ୍ ।
ବ୍ରହ୍ମହା ମୁଚ୍ୟତେ ପାପାତ୍ ମିତ୍ରଦ୍ରୋହୀ ନ ମୁଚ୍ୟତେ ।।●

(ସେତୁବନ୍ଧ ରାମେଶ୍ଵର କୁ ଗଲେ କି ଗଙ୍ଗା ସାଗରରେ ସ୍ନାନ କଲେ ବ୍ରହ୍ମହତ୍ୟା ପାପି ମୁକ୍ତ ହୋଇପାରେ କିନ୍ତୁ ମିତ୍ରଦ୍ରୋହୀ ମୁକ୍ତ ହୁଏ ନାହିଁ)

3.ମି→

●ମିତ୍ରଦ୍ରୋହୀ କୃତଘ୍ନଶ୍ଚ ଯେ ଚ ବିଶ୍ଵାସଘାତକାଃ ।
ତେ ସର୍ବେ ନରକଂ ଯାନ୍ତି ଯାବଚ୍ଛନ୍ଦ୍ରଦିବାକରୌ ।।●

(ଯେଉଁ ମାନେ ମିତ୍ରଦ୍ରୋହୀ,କୃତଘ୍ନ ଓ ବିଶ୍ଵାସଘାତକସେମାନେ ସୂର୍ଯ୍ୟ ଚନ୍ଦ୍ର ଥିଲା ଯାଏଁ ନରକ ଗାମୀ ହେଥିବେ)

4.ରା→
●ରାଜଂସ୍ତ୍ଵଂ ନିଜ ପୁତ୍ରସ୍ୟ ଯଦି କଲ୍ୟାଣମିଚ୍ଛସି ।
ଦେହି ଦାନଂ ଦ୍ବିଜାତିଭ୍ୟୋ ଦେବତାରାଧନଂ କୁରୁ ।।●

(ହେ ରାଜନ୍ ଯେବେ ତୁମ୍ଭ ନିଜ ପୁତ୍ରର ମଙ୍ଗଳ ଇଛା କର ତେବେ (ମିତ୍ରଦ୍ରୋହୀ ପାପର ପ୍ରାୟଶ୍ଚିତ ସ୍ଵରୂପ)ବ୍ରାହ୍ମଣଙ୍କୁ ଦାନ ଦିଅ ଓ ଦେବ ଆରାଧନା କର)

ରାଜପୁତ୍ର ,ସ୍ତ୍ରୀ ବେଶଧାରୀ କାଳିଦାସଙ୍କ ଠାରୁଚାରୋଟି ଅକ୍ଷରର ଚାବି ସ୍ଵରୂପ ଚାରୋଟି ଶ୍ଲୋକ ଶୁଣିଲା ମାତ୍ରକେ ତାହାର ବାତୁଳପଣଛାଡି଼ଗଲା । ତତ୍ ପରେ ସେ ଉକ୍ତ ଦିନ ଘଟିଥିବା ଘଟଣାମାନ ଭୋଜରାଜଙ୍କୁ କହିବସିଲା…

ଭୋଜରାଜ ଏସବୁ ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ ସ୍ତ୍ରୀ ବେଶଧାରୀ କାଳିଦାସଙ୍କୁ ଉପଲକ୍ଷ୍ୟ କରି ବୋଇଲେ

“ଗୃହେ ବସତି କୌମାରି ! ଅଟବ୍ୟାଂ ନୈବ ଗଚ୍ଛସିଋକ୍ଷବ୍ୟାଘ୍ର ମନୁଷ୍ୟାଣାଂ କଥଂ ଜାନାସି ଭାଷିତଂ ।।
(ହେ କୁମାରୀ ! ତୁ ତ ଘରେ ରହୁ ଅଟବ୍ୟାଂ ବା ଜଙ୍ଗଲ କୁ ଯାଉନାହିଁ ତେବେ ବାଘ ଭାଲୁ ମଣିଷ ମଧ୍ୟରେ ହୋଇଥିବା କଥା ତୁ କେମନ୍ତେ ଜାଣିଲୁ?)

ଏ ଶ୍ଲୋକର ପ୍ରତ୍ୟୁତ୍ତରରେ ଅବଗୁଣ୍ଠବାନ ସ୍ତ୍ରୀ ବେଶଧାରୀ କାଳିଦାସକହିଲେ…
“ଦେବଦ୍ବିଜ ପ୍ରସାଦେନ ଜିହ୍ଵାଗ୍ରେ ମେ ସରସ୍ଵତୀତେନାହଂ ନୃପ ! ଜାନାମି,ଭାନୁମତ୍ୟାସ୍ତିଳଂ ଯଥା ।।”

ଭୋଜରାଜା ଯେତେବେଳେ ଜାଣିଲେ ଯେ ସ୍ତ୍ରୀ ବେଶଧାରୀ ବ୍ୟକ୍ତି ସ୍ବୟଂ କାଳିଦାସ ସେ ତାଙ୍କ ପ୍ରତି କରିଥିବା ନିଜ ପୂର୍ବ ଅନ୍ୟାୟ ପାଇଁ ପଶ୍ଚାତାପ କରିବା ସହ କାଳିଦାସଙ୍କୁ କୃତଜ୍ଞତା ଜଣାଇ ବହୁ ରତ୍ନ ପ୍ରଦାନପୂର୍ବକ ତାଙ୍କର ଭୁରି ଭୁରି ପ୍ରଶଂସା କରିଲେ |

©ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...