ଉଠହେ ପୁଲକେ ଉଠହେ ମାତି,
କେତେ ନଵ ଆଶା ନଵୀନ ସାହସ
ନଵ ଜାଗରଣେ ଜାତିର ଭଵିଷ୍ୟ
ମରମେ ମରମେ ଉଠଇ ଭାତି ।।ଘୋଷା।।
ଅତୀତ ଗରଭେ ଯେତେ ଗଉରବ
ଜ୍ଞାନ ବଇଭଵ ସମ୍ପଦଶିରୀ
ସେ ଵିଭବ ବାରେ ଚାହିଁ ଦେଖ ଭାଇ
ଘେନ ହେ ସରବେ ନିଜର କରି ।
ଏ ବଙ୍କାଡ଼ ଗଡ଼ ଵିରଜା-କାନନ
ରହିବ କି ମନୁ ଵିସୋରି ଦେଇ,
ଭୁଲି କି ପାରିବ ବିଲ ବନ ପଦା
ଯେତେ ଯହିଁ ଏଥି ଅଛଇ ରହି ।
ଶାଳିଆ ସଲିଳେ ସୁଦୂର ଅତୀତୁ
ବହି ଆସେ କିବା ସମ୍ପଦ ଧାରା,
ଦରୀରୁ ଦରୀକୁ ଉଛୁଳି ଉଠଇ
ଏ ସରଗ ଭୂଇଁ କୀରତିମାଳା ।
ଘଣ୍ଟଶିଳା ଚାରୁ ତରୁଶିଳା ମେଳେ
ପ୍ରସନ୍ନ ମାନଵ ବୁଲରେ ଯାଇ;
ଵନ ଗଛ ଲତା ମାଟି ପଥର ସେ
ସୋଦର-ଆଦରେ ଧରରେ ଭାଇ ।
ଜନନୀ ସ୍ଵରୂପ ଦେଖ ଭାଇ ବାରେ
ରଖ ସେ ମୋହନ ମୂରତି ଚିହ୍ନି,
ଜନନୀ ପୟରେ ପ୍ରଣମି ସେନେହେ
ଶୁଣ ତା’ର ସୁଖ ସୋହାଗ ଵାଣୀ ।
ଖଣ୍ଡାହଣା ଗିରି,ସୋଲେରି,ଭାଲେରି
ଶିଖରି ଶିଖରେ ଉଠିବ ଖେଳି,
ଜ୍ଞାନ ମାନ ଶିଖି ସୁଖ ସଉରଭ
ଗିରିଦରୀ ଖୋଲ କନ୍ଦର ପୂରି ।
ଚିଲିକା ସଲିଳେ ନୀଳ ଊର୍ମ୍ମିମାଳେ
ନଵ ଵଳ ତେଜ ଶକତି ଉଠି,
ପରାଣେ ପରାଣେ ତଡି଼ତ ପରାଣେ
ନଵଜ୍ୟୋତି ପୁଣି ଆସିବ ଫୁଟି ।
ଗ୍ରାମେ ଗ୍ରାମେ ପୂରି ଘରକୁ ଘରକୁ
ବାଟେ ଘାଟେ ନଈ ସରସୀ ତୀରେ,
ନଵୀନ ସାହସ ଉତ୍ସାହ ତରଙ୍ଗ
ଖେଳିଯିବ ଭୂଇଁ କାନନ ନୀରେ ।
ଶାଳିଆ ସିକିତା ତଟଵିହାରିଣୀ
ମାଆ ଭଗଵତୀ କରୁଣା ଵହି,
ପୂର୍ଣ୍ଣ କରୁଥାଅ ପରାଣ ଵାସନା
ଆଶାରେ ଶିଶୁଏ ଅଛୁଁ ଗୋ ରହି ।
କଵି:-ଗୋଦାଵରୀଶ ମିଶ୍ର........................
ଵାଣପୁର ଛାତ୍ର ସମ୍ମିଳନୀର ଵାର୍ଷିକ ଉତ୍ସଵରେ
ଉଦବୋଧନ ସଙ୍ଗୀତ ରୂପେ ଗାନ କରାଯିବା ନିମିତ୍ତ ରଚିତ ।
ରଚନାକାଳ:-ମକର ୩ ଦିନ,୧୩୨୩ ଵର୍ଷ ।
..........................................................
No comments:
Post a Comment