Tuesday, March 31, 2026

କଳିଙ୍ଗ ଓ ଇମ୍‌ଜିନ୍ ଯୁଦ୍ଧ: ଓଡ଼ିଆ ଓ କୋରିଆନ୍ ଜାତୀୟ ଗୌରଵର ସମାନ୍ତରାଳ କାହାଣୀ”

ଓଡ଼ିଆ ଜାତି ପାଇଁ କଳିଙ୍ଗ ଯୁଦ୍ଧ(୨୬୧, ଖ୍ରୀଷ୍ଟପୂର୍ଵ)ର ଇତିହାସ ଯେମିତି ଗୁରୁତ୍ୱପୂର୍ଣ୍ଣ ଠିକ୍ ସେହିପରି କୋରିଆନ୍ ଜାତି ପାଇଁ ଇମ୍‌ଜିନ୍ ଯୁଦ୍ଧ (୧୫୯୨–୧୫୯୮) ଗୁରୁତ୍ୱପୂର୍ଣ୍ଣ ।‌

ଜାପାନ ଦ୍ୱାରା କୋରିଆ ଉପରେ ୧୫୯୨ରେ ଆକ୍ରମଣ Toyotomi Hideyoshi ଆରମ୍ଭ କରିଥିଲେ। ଏହାକୁ ଇମ୍‌ଜିନ୍ ଯୁଦ୍ଧ କୁହାଯାଏ । 
“Imjin” ନାମଟି ଏକ ସ୍ଥାନ ନୁହେଁ ଵରଂ ପୂର୍ଵ ଏସିଆର ଷାଠିଏ ଵର୍ଷ ଵ୍ୟାପୀ Sexagenary cycleରେ ଥିଵା ଏକ ଵର୍ଷର ନାମ ଅଟେ।
Imjin ଯୁଦ୍ଧ ୧୫୯୨ ମସିହାରେ ଆରମ୍ଭ ହୋଇଥିଲା, ଯାହାକୁ ସେତେବେଳେ “Imjin year” କୁହାଯାଉଥିଲା। ସେଥିପାଇଁ ଏହାର ନାମ ହେଲା “Imjin ଯୁଦ୍ଧ ଅର୍ଥାତ୍ Imjin ଵର୍ଷର ଯୁଦ୍ଧ।

ଜାତୀୟ ସ୍ମୃତିରେ ଗୁରୁତ୍ୱ ଦୃଷ୍ଟିରୁ କଳିଙ୍ଗ ଯୁଦ୍ଧ ଓ ଇମ୍‌ଜିନ୍ ଯୁଦ୍ଧ ମଧ୍ୟରେ କେତେକ ସମାନତା ରହିଛି । 
କଳିଙ୍ଗ ଯୁଦ୍ଧ ଓଡ଼ିଆ ଇତିହାସରେ ଏକ ବଡ଼ ଘଟଣା।
ସେହିପରି ଇମଜିନ୍ ଯୁଦ୍ଧ କୋରିଆରେ ଜାତୀୟ ସଂଘର୍ଷ ଓ ଗୌରଵର ପ୍ରତୀକ। ଉଭୟ ଯୁଦ୍ଧରେ ବହୁତ ଜନହାନି ଓ ଧ୍ୱଂସ ହୋଇଥିଲା। ଉଭୟ ଯୁଦ୍ଧ କଳିଙ୍ଗ ତଥା କୋରିଆ ଦେଶର ଇତିହାସକୁ ଗଭୀର ଭାବେ ପ୍ରଭାଵିତ କରିଛି।

ମଗଧ ଓ କଳିଙ୍ଗ ମଧ୍ୟରେ ନନ୍ଦରାଜାଙ୍କାଠାରୁ ଶତୃଭଞ୍ଜଙ୍କ ପର୍ଯ୍ୟନ୍ତ ବହୁ ଶତ ଵର୍ଷ ଧରି ଵିଵାଦ ଓ ଯୁଦ୍ଧ ଲାଗି ରହିଥିଲା । ଜାପାନ ଓ କୋରିଆ ମଧ୍ୟରେ ବି ବହୁ ଵର୍ଷ ଧରି ଯୁଦ୍ଧ ଓ ସଂଘର୍ଷ ହୋଇଥିଲା । 

କଳିଙ୍ଗ ଯୁଦ୍ଧର ପ୍ରତିଶୋଧ ଖାରବେଳ ଓ ଶତ୍ରୁଭଞ୍ଜଙ୍କ ପରି କଳିଙ୍ଗୀ ଓ ଉତ୍କଳୀ ଵୀର ସମ୍ରାଟମାନେ ମଗଧକୁ ପରାଧୀନ କରି ନେଇଥିଲେ । ଖାରବେଳ ତ ମଗଧକୁ ପରାଧୀନ କରି ରାଜଗୃହର ରାଣୀ ଅନ୍ତଃପୁରକୁ ଚାଲିଯାଇଥିଵାର କିମ୍ବଦନ୍ତୀ ଶୁଣାଯାଏ । 
 ଏପଟେ ଏହାର ହଜାର ଵର୍ଷ ପରେ କୋରିଆରେ ହୋଇଥିଵା ଇମ୍‌ଜିନ୍ ଯୁଦ୍ଧ ଆରମ୍ଭରେ ଜାପାନୀ ସେନା, Toyotomi Hideyoshiଙ୍କ ନେତୃତ୍ୱରେ, ବହୁତ ଦୃତଗତିରେ କୋରିଆର ଭିତରକୁ ପ୍ରଵେଶ କରିଥିଲେ। କୋରିଆର ରାଜଧାନୀ ହାନସିଓଙ୍ଗ (ଵର୍ତ୍ତମାନର ସିଓଲ୍) ପର୍ଯ୍ୟନ୍ତ ଦ୍ରୁତ ଭାବେ ଦଖଲ ହୋଇଯାଇଥିଲା। କାରଣ ଆରମ୍ଭରେ କୋରିଆ ଦୁର୍ଵଳ ଅଵସ୍ଥାରେ ଥିଲା। କିନ୍ତୁ ପରିସ୍ଥିତି ଶୀଘ୍ର ବଦଳିଗଲା। ଏଠାରେ ସବୁଠାରୁ ବଡ଼ ଭୂମିକା ନେଲେ କୋରିଆର ନୌସେନା ନାୟକ Yi Sun-sin। ସେ ତାଙ୍କ ନୌସେନାକୁ ନେଇ ଜାପାନୀ ସମୁଦ୍ର ଯୋଗାଣ ପଥକୁ ଆକ୍ରମଣ କରିଦେଲେ। “Turtle Ship” ବୋଲି ପରିଚିତ ଲୁହା ଆଵୃତ ଯୁଦ୍ଧଜାହାଜ ଵ୍ୟଵହାର କରି ସେ ଜାପାନୀ ନୌସେନାକୁ ପୁନଃପୁନି ପରାଜିତ କଲେ। ଏହାର ଫଳରେ ଜାପାନୀ ସେନା ଖାଦ୍ୟ ଓ ଅସ୍ତ୍ରର ଯୋଗାଣରୁ ବଞ୍ଚିତ ହେଲା।

ଏପଟେସଭୂମିଭାଗରେ ସାଧାରଣ ଲୋକମାନେ “Righteous Armies” ଵା ସ୍ୱେଚ୍ଛାସେନା ଗଠନ କରି ଜାପାନୀ ସେନାଙ୍କ ଵିରୋଧରେ ଗରିଲ୍ଲା ଯୁଦ୍ଧ କରିଥିଲେ। ସେମାନେ ଛୋଟ ଛୋଟ ଦଳରେ ଆକ୍ରମଣ କରି ଶତ୍ରୁଙ୍କୁ ଅସ୍ଥିର କରିଦେଉଥିଲେ। ଏହା ଜାପାନୀ ସେନାଙ୍କୁ ଅତ୍ୟଧିକ ଚାପରେ ପକାଇଦେଲା।

ଶେଷରେ କୋରିଆକୁ Ming Chinaରୁ ସାମରିକ ସହଯୋଗ ମିଳିଲା। ଚୀନ୍ ସେନା ଯୋଗ ଦେଵା ପରେ ଯୁଦ୍ଧର ପରିସ୍ଥିତି କୋରିଆ ପକ୍ଷକୁ ଚାଲିଗଲା । ଏହା ଜାପାନୀ ସେନା ପାଇଁ ଏକ ଦୁଇମୁଖୀ ଚାପ ସୃଷ୍ଟି କଲା। ଯେହେତୁ ଜାପାନୀ ସେନା ଦୂର ଦେଶରେ ଯୁଦ୍ଧ କରୁଥିଲା ତେଣୁ ସେମାନଙ୍କ ପାଇଁ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲାଇଵା କଷ୍ଟକର ହେଉଥିଲା। ଯୋଗାଣ ଓ ସମର୍ଥନ ନଥିଵାରୁ ସେମାନେ ଦୁର୍ଵଳ ହେଉଥିଲେ।ଷଶେଷରେ, ୧୫୯୮ ମସିହାରେ Toyotomi Hideyoshiଙ୍କ ମୃତ୍ୟୁ ହେଵା ପରେ ଜାପାନ ନିଜ ସେନାକୁ ପଛକୁ ହଟିଵାକୁ ଆଦେଶ ଦେଲା । ଏହା ସହିତ ଯୁଦ୍ଧର ଶେଷ ହେଲା ଏଵଂ କୋରିଆ ନିଜ ସ୍ୱାଧୀନତାକୁ ରକ୍ଷା କରିପାରିଲା।

ଇମ୍‌ଜିନ୍ ଯୁଦ୍ଧ ପରେ ପ୍ରାୟ ୩୦୦ ଵର୍ଷ ଧରି ଆଉ ଜାପାନ୍ ଭୟରେ କୋରିଆ ଉପରେ ଆକ୍ରମଣ କରିନଥିଲା । କିନ୍ତୁ ପ୍ରଥମ ଓ ଦ୍ଵିତୀୟ ଵିଶ୍ଵଯୁଦ୍ଧ ସମୟରେ ଜାପାନ ପୁଣି ଶକ୍ତିଶାଳୀ ହେଲା ଏଵଂ ସମଗ୍ର ଏସିଆରେ ସାମ୍ରାଜ୍ୟ ଵିସ୍ତାର ଲକ୍ଷ୍ୟ ତଥା ଇମ୍‌ଜିନ୍ ଯୁଦ୍ଧର ପ୍ରତିଶୋଧ ଲକ୍ଷ୍ୟ ନେଇ କୋରିଆ ଉପରେ ଆକ୍ରମଣ କରାଗଲା । 

Japan–Korea Annexation (1910)ରୁ ଦ୍ଵିତୀୟ ଵିଶ୍ଵଯୁଦ୍ଧର ଅନ୍ତ(1945) ପର୍ଯ୍ୟନ୍ତ ପ୍ରାୟ ୩୫ ଵର୍ଷ ଧରି କୋରିଆ ଦେଶ ଜାପାନ ଦ୍ଵାରା ପରାଧୀନ ହେଲା।

ଏପଟେ ଇଂରେଜ ଶାସନ ସମୟରେ ବିହାରୀ ଓ ବଙ୍ଗାଳୀମାନଙ୍କର ଶକ୍ତି ବୃଦ୍ଧି ପାଇଲା । ଭାରତ ସ୍ଵାଧୀନ ହେଵା ପରେ ବିହାରୀ ରାଷ୍ଟ୍ରପତିର ଶକ୍ତି ବଳରେ ବିହାରୀମାନେ ଓଡ଼ିଆଙ୍କ ଷଡ଼ୈକଳା ଖରସୁଆଁ ଓ ସିଂହଭୂମି ଅଞ୍ଚଳକୁ ଓଡ଼ିଶାରୁ ଛଡେ଼ଇ ନେଲେ ଏଵଂ ସେବେଠାରୁ ଏହି ଓଡ଼ିଆ ଅଞ୍ଚଳ ବିହାରୀଙ୍କ ଦ୍ଵାରା ପରାଧୀନ ରହିଛି ।

ଆଜି ମଧ୍ୟ କୋରିଆ ଓ ଜାପାନୀ ଲୋକଙ୍କ ମଧ୍ୟରେ ଇମ୍‌ଜିନ୍ ଯୁଦ୍ଧ ଓ ୩୫ ଵର୍ଷର ପରାଧୀନତାକୁ ନେଇ ତିକ୍ତତା ରହିଛି । ସେହିପରି ବିହାରୀଙ୍କ ଓଡ଼ିଆ ଦ୍ୱେଷ ତଥା ହାମବଡ଼ା ସ୍ଵଭାଵ ଯୋଗୁଁ ଓଡ଼ିଆ - ବିହାରୀଙ୍କ ମଧ୍ୟରେ ତିକ୍ତତା ଦେଖାଯାଏ । ନିକଟରେ ବିହାରୀ ନିଶିକାନ୍ତ ଦୁବେ ଯେଉଁ ବିଜୁ ପଟ୍ଟନାୟକଙ୍କୁ CİA ଏଜେଣ୍ଟ ପ୍ରତିପାଦିତ କରିଵାକୁ ସଂସଦ ଭଵନରେ କୁଚେଷ୍ଟା କରିଥିଲା ଏହା ଶତାବ୍ଦୀ ଧରି ବିହାରୀଙ୍କ ମନରେ ଥିଵା ଓଡ଼ିଆଙ୍କ ପ୍ରତି ଘୃଣା ଦ୍ଵେଷର ପ୍ରତିଫଳନ ଅଟେ । 

ତେବେ କୋରିଆ ଦେଶର ଲୋକମାନେ ଇମ୍‌ଜୀନ୍ ଯୁଦ୍ଧରେ ଜାପାନୀ ସେନାକୁ ପରାସ୍ତ କରିଥିଵାରୁ ନିଜର ଏହି ଗୌରଵମୟ ଇତିହାସକୁ ନେଇ ସବୁବେଳେ ଗର୍ଵିତ ଅନୁଭଵ କରନ୍ତି । ମାତ୍ର ଓଡ଼ିଆମାନେ ଖାରବେଳ ଓ ଶତ୍ରୁଭଞ୍ଜଙ୍କ ପ୍ରତିଶୋଧର ଇତିହାସକୁ ଜାତୀୟ ସ୍ତରରେ ମୁଖର ଭାବରେ ପ୍ରଚାର କରିଵାରେ ଵିଫଳ ହୋଇଛନ୍ତି । 

ଆଜି କୋରିଆର ଅନେକ ଚଳଚ୍ଚିତ୍ର ଓ ଟିଵି ଧାରାଵାହିକରେ ଇମ୍‌ଜୀନ୍ କାଳର ଇତିହାସକୁ ଦେଖେଇ ସ୍ଥାନୀୟ ଲୋକମାନଙ୍କୁ ସେମାନଙ୍କ ଇତିହାସ ସହିତ ପରିଚିତ କରାଯାଉଛି । ହେଲେ ଓଡ଼ିଶାରେ ଏହାର ଭୀଷଣ ଅଭାଵ ପରିଲକ୍ଷିତ ହେଉଛି । ଓଡ଼ିଆ ଲୋକମାନେ ଯଦି ଖାରବେଳଙ୍କ ମଗଧ ଵିଜୟ ଏଵଂ ଶତ୍ରୁଭଞ୍ଜଙ୍କର ମଥୁରା ପର୍ଯ୍ୟନ୍ତ ଵିଜୟର ଇତିହାସକୁ ବଡ଼ ଓ ଛୋଟ ପରଦାରେ ଦେଖାଇ ଲୋକମାନଙ୍କୁ ଦେଖାଇଥାନ୍ତେ ତେବେ ନିଶିକାନ୍ତ ଦୁବେ ଭଳି ବିହାରୀ ଲୋକ ସଂସଦ ଭଵନଠାରୁ ଚାଆଦୋକାନ ଯାଏଁ ଓଡ଼ିଆ ଜାତି ପ୍ରତି ଅପମାନ କରିଵା ପୂର୍ଵରୁ ଶହେ ଥର ଭାବୁଥାନ୍ତେ । 

କୋରିଆର ଲୋକମାନେ ଏହି ଇତିହାସକୁ କେବଳ ପୁସ୍ତକରେ ସୀମିତ ରଖି ନାହାନ୍ତି ଵରଂ ସେମାନେ ଏହାକୁ ଜୀଵନ୍ତ କରିଛନ୍ତି। ସିଓଲ୍‌ର ରାସ୍ତାରେ "ଇ ସନ୍-ସିନ୍‌"ଙ୍କ ମୂର୍ତ୍ତି, ସ୍କୁଲ୍ ପାଠ୍ୟକ୍ରମରେ ଇମ୍‌ଜିନ୍ ଯୁଦ୍ଧର ଵିସ୍ତୃତ ଆଲୋଚନା, ଆଉ ହଲିଉଡ୍ ସ୍ତରର ଫିଲ୍ମ ‘The Admiral: Roaring Currents’ ଭଳି ଚଳଚ୍ଚିତ୍ର ଓ ଧାରାଵାହିକ ଦେଖାଇ ଯୁଵପିଢ଼ିକୁ ପ୍ରେରଣା ଦେଉଛନ୍ତି। ଏହା ଫଳରେ କୋରିଆର ଜାତୀୟ ଐକ୍ୟ ମଜବୁତ ହୋଇଛି। ଓଡ଼ିଆ ଜାତି ଯଦି ଏହି ମାନଦଣ୍ଡ ଗ୍ରହଣ କରେ ତେବେ ଖାରବେଳଙ୍କ ଜୀଵନୀ ଓ ରାଜଗୃହ ଅଭିଯାନ, ଶତ୍ରୁଭଞ୍ଜଙ୍କ ମଗଧ-ମଥୁରା ବିଜୟ,କଳିଙ୍ଗର ଵୀରତ୍ୱ ତଥା ଷଡ଼ୈକଳା ଖରସୁଆଁ ଓ ସିଂହଭୂମି ଅଞ୍ଚଳର ଅପହରଣକୁ ନେଇ ବଡ଼ ପରଦାରେ ଫିଲ୍ମ, ଧାରାଵାହିକ, ଡକ୍ୟୁମେଣ୍ଟରୀ ଓ ନାଟକ ନିର୍ମାଣ କରିପାରିଵ। ଏହା ଦ୍ୱାରା ଓଡ଼ିଆ ବାଳୁତ କିଶୋର କିଶୋରୀ, ଯୁଵକ-ଯୁଵତୀମାନେ ନିଜର ଐତିହ୍ୟ ସହିତ ଗଭୀର ଭାବେ ପରିଚିତ ହୋଇ ଵାହ୍ୟ ଅପମାନ ଓ ଷଡ଼ଯନ୍ତ୍ରର ସାମ୍ନା କରିଵାର ଶକ୍ତି ଲାଭ କରିପାରିବେ।

ଶେଷରେ କହିଵାକୁ ଚାହୁଁଛି, କୋରିଆ ଯେପରି ଇମ୍‌ଜିନ୍ ଯୁଦ୍ଧକୁ ନେଇ ନିଜର ଆଧୁନିକ ପରିଚୟ ଗଢ଼ିଛି, ଓଡ଼ିଆ ଜାତି ମଧ୍ୟ କଳିଙ୍ଗର ଯୁଦ୍ଧ ଓ ପ୍ରତିଶୋଧର କାହାଣୀକୁ ଆଲିଙ୍ଗନ କରି ନିଜର ଭଵିଷ୍ୟତ ଗଢ଼ିପାରିଵ। ଏହା କେଵଳ ଇତିହାସ ପୁନର୍ଜୀଵନ ନୁହେଁ ଵରଂ ଜାତୀୟ ଜାଗରଣର ଏକ ଶକ୍ତିଶାଳୀ ଆହ୍ୱାନ। ଯଦି ଓଡ଼ିଆ ସମାଜ, ସାହିତ୍ୟିକ, ଚଳଚ୍ଚିତ୍ର ନିର୍ମାତା ଓ ରାଜନୈତିକ ନେତୃତ୍ୱ ଏହି ଦିଗରେ ଏକତ୍ରିତ ହୁଅନ୍ତି, ତେବେ ନିଶିକାନ୍ତ ଦୁବେ ପରି ଵ୍ୟକ୍ତିଙ୍କ ଅପମାନଜନକ ଵାକ୍ୟ ଆଉ କେବେ ଓଡ଼ିଆ ଜାତିର ଆତ୍ମସମ୍ମାନକୁ ଆଘାତ କରିପାରିଵ ନାହିଁ। କଳିଙ୍ଗର ଵୀରତ୍ୱ ଓ ଇମ୍‌ଜିନ୍‌ର ପ୍ରତିରୋଧ — ଉଭୟ ଆମକୁ ଶିଖାଏ ଯେ, ଇତିହାସ ଭୁଲିଲେ ଭଵିଷ୍ୟତ ହାରିଯାଏ, ଆଉ ଇତିହାସକୁ ଆଲିଙ୍ଗନ କଲେ ଜାତି ଅଜେୟ ହୋଇଥାଏ।


No comments:

Post a Comment

କଳିଙ୍ଗ ଓ ଇମ୍‌ଜିନ୍ ଯୁଦ୍ଧ: ଓଡ଼ିଆ ଓ କୋରିଆନ୍ ଜାତୀୟ ଗୌରଵର ସମାନ୍ତରାଳ କାହାଣୀ”

ଓଡ଼ିଆ ଜାତି ପାଇଁ କଳିଙ୍ଗ ଯୁଦ୍ଧ(୨୬୧, ଖ୍ରୀଷ୍ଟପୂର୍ଵ)ର ଇତିହାସ ଯେମିତି ଗୁରୁତ୍ୱପୂର୍ଣ୍ଣ ଠିକ୍ ସେହିପରି କୋରିଆନ୍ ଜାତି ପାଇଁ ଇମ୍‌ଜିନ୍ ଯୁଦ୍ଧ (୧୫୯୨–୧୫୯୮) ଗୁରୁ...