Sunday, October 7, 2018

ପୂର୍ଣ୍ଣଚନ୍ଦ୍ର ଭାଷାକୋଷର କଥା

ଵର୍ତ୍ତମାନକାଳରେ ମହାନକାର୍ଯ୍ୟର, ମହାନଵ୍ୟକ୍ତିର ତତ୍କାଳିନ ସମ୍ମାନ ହୁଏନାହିଁ
କିନ୍ତୁ ସମୟ ଗଡ଼ିଯିବା ସହ ସମାଜ ଉପଲବ୍ଧି କରେ ସେହି ମହାନାତ୍ମା ଓ ତାଙ୍କର କୃତିର ଉପାଦେୟତା....

ସାତଖଣ୍ଡିଆ ଵିଶାଳ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ଯେତେବେଳେ ଲେଖାହୋଇ ଛପାଗଲା ସେହି
ଦାମିକା ଗ୍ରନ୍ଥର ଓଡ଼ିଶାରେ ହାତଗଣତି କେତେ ଜଣ ଲୋକ ମାତ୍ର ଗ୍ରାହକ ଥିଲେ ।
ତେବେ ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂକଳନ କରି ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ମହାଶୟ ଯେତିକି ପ୍ରଶଂସା ପାଇଛନ୍ତି ତତୋଧିକ ସମାଲୋଚନା ଓ ନିନ୍ଦା ରୂପକ ଵିଷପାନ ମଧ୍ଯ କରିଅଛନ୍ତି ।

ତତ୍କାଳୀନ ତଥାକଥିତ ଓଡ଼ିଆ ଵର୍ଣ୍ଣଵିଲୋପକାରୀ ଦଳ ତାଙ୍କ ଵିରୋଧରେ ନାନାଦି ସମାଲୋଚନା ମାନ ଲେଖି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଅଛନ୍ତି । ବଡ଼ ଦୁଃଖର ସହିତ କହିବାକୁ ପଡୁ଼ଛି ଯେ ତନ୍ମଧ୍ୟରୁ ଜଣେ ହେଉଛନ୍ତି “ଗୋଦାବରୀଶ ମହାପାତ୍ର” !

ଏ ବାବୁ ଥରେ ସହକାର କିମ୍ଵା ନଵଭାରତ ପତ୍ରିକାରେ ଆପଣାର ମୂର୍ଖତାର ପରିଚୟ ଦେବାକୁ ଯାଇ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପାଳକୋଷ ଆଖ୍ୟା ଦେଇଥିଲେ ।
ସମାଲୋଚନା ଦ୍ଵାରା ପ୍ରହରାଜଙ୍କୁ ତାଙ୍କର ପ୍ରଧାନ ପ୍ରଶ୍ନ ଥିଲା ଯେ ଗୋଟିଏ ଭାଷାକୋଷରେ ଏକ ମାନକ ଶବ୍ଦର ଅନେକ ଆଞ୍ଚଳିକ ରୂପକୁ କାହିଁକି ସ୍ଥାନିତ କରି ଅଯଥା ତାହାର କଳେଵର ବୃଦ୍ଧି କରାଯାଇଛି ?
ଉଦାହରଣ ସ୍ୱରୂପ ଏଇକ୍ଷଣି,ଏକ୍ଷଣି,ଏଖୁଣିକା,ଅଇଛୁଣି ଓ ଅଇଛୁଣିକା
ତଥା
କଣ୍,କିୟଣ,କିସ,କିରା,କି,କେନ୍ତା,କେମ୍ତା,କେନେ ଇତ୍ୟାଦି........

ବାବୁ କେଵଳ ଵୈଚାରିକ ଭିନ୍ନତାରୁ ସୃଷ୍ଟ ପାରସ୍ପରିକ ଘୃଣା,ଦ୍ଵେଷ ଯୋଗୁଁ ଏତେ ମାତ୍ରାରେ
ଅନ୍ଧ ହୋଇଯାଇଥିଲେ ଯେ ତାଙ୍କ ମୁଣ୍ଡରେ ଏତିକି ମାତ୍ର କଥା ପଶିପାରିନଥିଲା କି
ଏ ସମସ୍ତ ଶବ୍ଦ ଗୋଟିଏ ଭାଷାର ଅଵିଛେଦ୍ୟ ଅଙ୍ଗ ଅଟନ୍ତି । ଆଞ୍ଚଳିକ ଶବ୍ଦ ଗୁଡ଼ିକ ବିନା ଓଡ଼ିଆ ଭାଷା ଅପୂର୍ଣ୍ଣ ଓ ସୌନ୍ଦର୍ଯ୍ୟହୀନ । ଗୋଟିଏ ଉପଵନରେ ଯେମନ୍ତ ଏକପ୍ରକାର ର ପୁଷ୍ପବୃକ୍ଷ ରଖିଲେ ତାହା ମନୋହର ଲାଗେ ନାହିଁ ଠିକ୍ ସେଇମିତି ଆଞ୍ଚଳିକ ଶବ୍ଦଭଣ୍ଡାର ବିନା କୌଣସି ଭାଷା ମଧ୍ଯ ସୌନ୍ଦର୍ଯ୍ୟଶାଳୀ ହୋଇନପାରେ ।

ତାଛଡା ଯୋଉ ମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପାଳକୋଷ କହୁଛନ୍ତି ସେମାନେ କେବେ ଉପଲବ୍ଧି କରିଛନ୍ତି ଯେ
ଵିଭିନ୍ନ ଅଞ୍ଚଳରେ ପ୍ରଚଳିତ ଓଡ଼ିଆ ଭାଷାର ଵିଶାଳ ଶବ୍ଦଭଣ୍ଡାରକୁ ଏକାଠି କରି ତାକୁ ଗୋଟାଏ ଗ୍ରନ୍ଥ ଆକାର ଦେବା କେତେ ବଡ଼ କାର୍ଯ୍ୟ ଅଟେ ?

ଯେଉଁ ପଣ୍ଡିତ ମାନେ ଏବେ ବି ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପାଳକୋଷ ମାନୁଅଛନ୍ତି ସେମାନେ ସେହି ମୌଳିଵାଦୀ ଲୋକ ଯାହାଙ୍କ ମନରେ ଜ୍ଞାନର ଅହଂକାର ମାତ୍ରାଧିକ ବଢିଯାଇଛି । ସେମାନେ ନିଜେ ତ କେବେ ଏଡେ଼ ବଡ଼ ଗ୍ରନ୍ଥ ସଂକଳନ କରିପାରିବେ ନାହିଁ କିନ୍ତୁ ଏହି ଭାଷାକୋଷ କୁ ଯେତେବେଳେ ଯୋଉଠି ଚାହିଁଲେ ହୀନ ପ୍ରମାଣ କରିବାକୁ ଆଦୌ ପଛେଇବେ ନାହିଁ ।

ତେବେ ଓଡ଼ିଆ ଭାଷାର କୋଣାର୍କ ସଦୃଶ ଏହି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଅତୀତ ବର୍ତ୍ତମାନ ଓ ଭଵିଷ୍ୟତ ବଡ଼ ସଂଘର୍ଷମୟ କହିଲେ ଅତ୍ୟୁକ୍ତି ହେବନାହିଁ ।

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ବହୁଵର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ଯେତେବେଳେ ୧୯୩୧ ରୁ ୧୯୪୦ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶିତ ହେଲା ତାହା ଅଳ୍ପ ଦିନ ମଧ୍ୟରେ ଵିଜ୍ଞଜନଙ୍କ ଦ୍ଵାରା ଆଦୃତ ହୋଇଯାଇଥିଲା ବେଳେ ଜ୍ଞାନ ଅପେକ୍ଷା ମାନ,ଧନ ଓ ସାଂସାରିକ ସୁଖ ସୁଵିଧା ପାଇଁ ଲାଳାୟିତ ସାଧାରଣ ଜନଙ୍କ ପାଇଁ ତଥାପି ଦୃଷ୍ପ୍ରାପ୍ୟ ହୋଇ ରହିଲା ।

ସାଧାରଣ ଲୋକେ ସେମିତି ବି ବଡ଼ ବଡ଼ ଗ୍ରନ୍ଥ ଦେଖିଲେ ହତୋତ୍ସାହିତ ହୋଇ ତାକୁ ପାଠ କରିବାଟା ଦୁଷ୍କର ଓ ସମୟସାପେକ୍ଷ କହି ପେଡି଼ରେ ସାଇତି ରଖିଦିଅନ୍ତି ।

ଭାଷାକୋଷ ପ୍ରକାଶନର କିଛି ଵର୍ଷ ପରେ ୧୯୪୫ରେ ପ୍ରହରାଜଙ୍କ ମୃତ୍ୟୁ/ହତ୍ୟାହେଲାରୁ କେହି ଏ ଗ୍ରନ୍ଥର ତତ୍ତ୍ୱ ନେଲେ ନାହିଁ ଏବଂ ଏହା ପୁସ୍ତକାଗାରରେ ସହଜରେ ମିଳୁନଥିଲା । ଉତ୍କଳ ସାହିତ୍ୟ ପ୍ରେସ୍ ରେ ଭାଷାକୋଷର ଛପା ଫର୍ମା ପଡି଼ରହିଥିଲା ଓ କେହି କେହି ଏହି ଅବନ୍ଧା କାଗଜକୁ ନେଇ ଠୁଙ୍ଗା କରୁଥିଲେ କିମ୍ଵା ବନ୍ଧାଇବା ଉଦ୍ଦେଶ୍ୟରେ ଵିକ୍ରି କରୁଥିଲେ ।
ବହୁତ ଅଳ୍ପ ଲୋକ ଜାଣିଥିବେ
ଷାଠିଏ ଦଶକରେ ଉତ୍କଳ ସାହିତ୍ୟ ପ୍ରେସ୍ ର ତତ୍କାଳୀନ ସତ୍ତ୍ଵାଧିକାରୀ ଶ୍ରୀଵିଶ୍ଵନାଥ କରଙ୍କ ପୌତ୍ର ସୁନନ୍ଦ କର ଘର ଘର ବୁଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସେହି ଅବନ୍ଧା ଅଵୟଵକୁ ଵିକ୍ରି କରିବାକୁ ଚେଷ୍ଟା କରିଥିଲେ ।

ତଥାପି ଭାଷାକୋଷ ବହୁଦିନ ଯାଏଁ ଓଡ଼ିଶାର ଗୌରବ କଳାର କୋଣାର୍କ ପରି ପଡି଼ରହିଥିଲା ।

ଶେଷରେ ଲାର୍କ ବୁକ୍ସ ଟ୍ରଷ୍ଟ ଦ୍ଵାରା ଏହାକୁ ଗ୍ରନ୍ଥାକାରରେ ଏବଂ ଇ-ସଂସ୍କରଣ ଆକାରରେ ସୃଜନିକା ସଂଗଠନ ଦ୍ଵାରା ଛପାଗଲା । ଫଳରେ ମୁର୍ମୂଷୁ ପ୍ରାୟ ପଡିରହିଥିବା ଧୂଳିଧୂସରିତ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପୁର୍ନଃଜୀଵନ ଲାଭ କଲା ।

ଓଡ଼ିଆ ଭାଷାର ଏହି ଅମୂଲ୍ୟ ଗ୍ରନ୍ଥଟିକୁ ଏବଂ ଏହିଭଳି ଅନେକ ପ୍ରାଚୀନ ପୁସ୍ତକ ଗୁଡି଼କୁ ଉଦ୍ଧାର କରିଥିବା ହେତୁରୁ ଏ ଅକିଞ୍ଚନ ଅନୁଷ୍ଠାନର ଶ୍ରୀ ମହେନ୍ଦ୍ର ମିଶ୍ର,ଶ୍ରୀ ନିଖିଳ ମୋହନ ପଟ୍ଟନାୟକ ତଥା ତାଙ୍କର ଅନ୍ୟ ସହଯୋଗୀ ମାନଙ୍କୁ ସସମ୍ମାନ ଧନ୍ୟଵାଦ ଜ୍ଞାପନ କରୁଅଛି ।

Friday, October 5, 2018

ହାର୍ଵେ

ଉଇଲିୟମ୍ ହାର୍ବେ ଜଣେ ଜଣାଶୁଣା ଡ଼ାକ୍ତର ଥିଲେ ଏବଂ  ଶରୀର ବିଜ୍ଞାନ ତାଙ୍କର ପ୍ରିୟ ବିଷୟ ଥିଲା ।  ଆମ ଶରୀର ରେ ରକ୍ତପ୍ରବାହ ହୁଏ ବୋଲି ପ୍ରଥମେ ସେ ମତଦେଇଥିଲେ ଏବଂ ଏ ବାବଦ ରେ ଗବେଷଣା ମଧ୍ୟ କରିଥିଲେ । ତାଙ୍କର ଗବେଷଣା କୁ ସେ ସମୟର ରୁଢ଼ିବାଦୀ ସମାଜ ସହଜରେ ଗ୍ରହଣ କରିପାରିନଥିଲା । ତାଙ୍କୁ ପାଗଳ,ନାସ୍ତିକ ଏବଂ ମୂର୍ଖ ଡ଼ାକ୍ତର କହି ପ୍ରଚାର କରାଯାଉଥିଲା । ଖ୍ରୀସ୍ଟିଅନ ଧର୍ମ ସମର୍ଥକ ତାଙ୍କ ବିରୋଧୀ ହୋଯାଇଥିଲେ  କିନ୍ତୁ ହାର୍ବେ ଥିଲେ ସ୍ଥିତପ୍ରଜ୍ଞ । ଶେଷରେ ତାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଇଁଲଣ୍ଡ ରେ ଏକ ଡ଼ାକ୍ତରଖାନା ନିର୍ମାଣ ହୋଇଥିଲା ଏବଂ 4 ବର୍ଷପରେ ତାଙ୍କ ଥିଓରୀ କୁ ରୁଢ଼ିବାଦୀ ସମାଜ ଦ୍ବାରା ଗ୍ରହଣ କରାଯାଇଥିଲା । 

ଘୃଣା ଓ ତତ୍ ସମ୍ଵନ୍ଧୀୟ କିଛି ଵୈଜ୍ଞାନିକ ଶବ୍ଦ

ଵିଭିନ୍ନ ମାନଵଜାତି ମଧ୍ୟରେ କେତେ ଯେ ପାରସ୍ପରିକ ଘୃଣା ଦ୍ଵେଷ ହିଂସାର କାହାଣୀ ଭରି ରହିଛି ତାହା ଲେଖିବାକୁ ବସିଲେ ଗଦା ଗଦା ପୋଥି ହେବ । ଵିଭିନ୍ନ ଜାତିମାନଙ୍କ ମଧ୍ୟରେ ଘୃଣା ଓ ଦ୍ଵେଷ ର ମୂଳ କାରଣ ପାରସ୍ପରିକ ଅବୁଝାମଣା ଏବଂ ଭୟ ବୋଲି ଅଧିକାଂଶ ମନୋଵିଜ୍ଞାନୀ ମତ ଦିଅନ୍ତି । ମାନଵସମାଜରେ ସାଧାରଣତଃ ଭାଷା,ଜାତି,ସମ୍ପ୍ରଦାୟ ଓ ଆଞ୍ଚଳିକତା ଆଦି ପାରସ୍ପରିକ ଭିନ୍ନତା ପ୍ରମାଣକାରୀ ତତ୍ତ୍ୱ ଗୁଡି଼କ ଯୋଗୁଁ ଘୃଣା ଓ ଦ୍ଵେଷ ବୃଦ୍ଧି ପାଉଥିବା ଦୃଷ୍ଟିଗୋଚର ହୋଇଥାଏ । ତେବେ ଵିଭିନ୍ନ ମାନଵଜାତି ମାନଙ୍କ ମଧ୍ୟରେ ଥିବା ଏହି ପାରସ୍ପରିକ ଘୃଣା ଓ ଦ୍ଵେଷ ଆଦୌ ଅପ୍ରାକୃତିକ କି ଆଧୁନିକ ନୁହେଁ । ବୋଧହୁଏ ପୃଥିବୀରେ ଜୀଵନ ସୃଷ୍ଟି ସମୟରୁ ହିଁ ଏହି ଜାତିଗତ ଘୃଣା ଓ ଦ୍ଵେଷ ବଢି ବଢି ସର୍ଵଶେଷ-ସର୍ଵଶ୍ରେଷ୍ଠ ମାନଵଜାତି ଯାଏଁ ପହଞ୍ଚିଲାଵେଳକୁ ଉତ୍କଟ ଅଵସ୍ଥା ଲାଭ କରିଛି । କିଛି ପଦାର୍ଥଵିଜ୍ଞାନୀ ତ ପରମାଣୁରେ ପ୍ରୋଟୋନ(ଧନାତ୍ମକ) ଓ ଇଲୋକଟ୍ରୋନ(ଋଣାତ୍ମକ) ଵିଦ୍ୟୁତକଣିକା ମଧ୍ୟରେ ସର୍ଵକାଳିକ ଟଣାଓଟରା ଠାରୁ ଏହି ଘୃଣା-ଦ୍ଵେଷର କାହାଣୀ ଆରମ୍ଭ ହୋଇଥିବା କହିଥାନ୍ତି ।

ମାନଵଜାତି ମଧ୍ୟରେ ପାରସ୍ପରିକ ଇର୍ଷା, ଦ୍ଵେଷ ଓ ଘୃଣା ଯୋଗୁଁ ସହସ୍ରାଧିକ ଯୁଦ୍ଧ ହୋଇଛି । ଅଗଣିତ ମାନଵ ଏହି ଗୋଷ୍ଠୀ ସଂଘର୍ଷ ଗୁଡିକରେ ବଳି ପଡି଼ଛନ୍ତି । ଧନ,ସମ୍ପତ୍ତି, ଭୂଭାଗ ଓ ନାରୀ ପାଇଁ ମଣିଷମାନଙ୍କ ମଧ୍ୟରେ ସଦାସର୍ବଦା ଏମନ୍ତ କି ଏବେ ବି କଳିଝଗଡା଼ ଲାଗିରହିଛି । ଏହି ପରିପ୍ରେକ୍ଷୀରେ “ଵସୁଧୈଵ କୁଟୁମ୍ବ”ର ଵୈଶ୍ଵିକ ଆହ୍ଵାନ ଦେଇସାରିଥିଵା ମହାଭାରତୀୟ ଜାତିର ଵିଭିନ୍ନ ଶାଖା ଜାତିମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ଇର୍ଷା, ଦ୍ଵେଷ ଓ ଘୃଣା ଦେଖିଲେ ଯେ କେହି ଵୈଦେଶିକ ଆଗନ୍ତୁକ ଵିସ୍ମିତ ହେବ ହିଁ ହେବ ।
ତେବେ ଵିଶ୍ଵରେ ଵିଶେଷତଃ ଭାରତରେ ସବୁଠାରୁ ଅଧିକ ଘୃଣା ଓ ଦ୍ଵେଷ
ଇଂରେଜ ଜାତି ଓ ତାହାର ଭାଷାକୁ କରାଯାଇଥାଏ । ଇଂରେଜ ଜାତିର ପୂର୍ଵକାଳିକ ଦମନୀୟ ନୀତି ଯୋଗୁଁ ସେହି ଜାତିଦ୍ଵାରା ପରାଧୀନ ଥିବା ଦେଶର ଲୋକଙ୍କ ସମେତ ଓ୍ଵେଲ୍ସ,ଆଇରିସ୍ ସ୍କଟିସ୍ ଓ ଫ୍ରେଞ୍ଚ ଆଦି ଇଉରୋପୀୟ ଜାତିମାନେ ସୁଦ୍ଧା ଏ ଜାତିର ଲୋକଙ୍କୁ, ସେମାନଙ୍କ ସଂସ୍କୃତି ଓ ଭାଷାକୁ ମାତ୍ରାଧିକ ଘୃଣା ଦ୍ଵେଷ କରିଥାନ୍ତି ।
ଇଂରାଜୀ ଜାତି ଓ ଭାଷାକୁ ଆନ ଜାତି ଦ୍ଵାରା ଏହି ଘୃଣା କରିବା ପ୍ରବୃତ୍ତିକୁ  ମନୋଵିଜ୍ଞାନ ଭାଷାରେ Anglophobia କୁହାଯାଏ ।
ଦୁଇଟି ଲାଟିନ ଶବ୍ଦ Anglo+Phobia ମିଶେଇ ଏହି ଵୈଜ୍ଞାନିକ ଶବ୍ଦ କୁ ସୃଷ୍ଟି କରାଯାଇଛି ।
Phobia ଶବ୍ଦର ମୂଳରେ ଅଛି ଏକ ଲାଟିନ ଶବ୍ଦ
φόβος ଯାହାର ଅର୍ଥ ହେଉଛି ଭୟକରିବା ଏବଂ ଏ ଶବ୍ଦରେ “-ia” suffix ଲଗେଇ Phobia ଶବ୍ଦ ହୋଇଅଛି । ସେହିପରି ଅନେକ ଇରୋପୀୟ ଜାତି ପ୍ରାନ୍ସ ଦେଶର ଲୋକଙ୍କୁ ମଧ୍ଯ ଘୃଣା କରନ୍ତି ଵିଶେଷତଃ ବ୍ରିଟେନ୍ ରେ ଏହି ଘୃଣାର ମାତ୍ରା ଅଧିକ ଅଟେ । ପୂର୍ବକାଳରେ ଫ୍ରାନ୍ସ ଓ ବ୍ରିଟେନ୍ ମଧ୍ୟରେ ବହୁବାର ଯୁଦ୍ଧ ହୋଇଯାଇଛି । ଚଉଦଶହ ଶତାବ୍ଦୀରେ ସଂଗଠିତ ୧୦୦ ଵର୍ଷୀୟ ଯୁଦ୍ଧ ତନ୍ମଧ୍ୟରୁ ଅନ୍ୟତମ । ଫ୍ରାନ୍ସର ରାଜସତ୍ତା ଦ୍ଵାରା ୧୨ଶହ ମସିହାରେ ଇଂରାଜୀ ଭାଷା ଲୋପ ଉଦ୍ୟମ ଯୋଗୁଁ ବ୍ରିଟେନ୍ ରେ ବୋଧହୁଏ ଵିଶ୍ଵର ପ୍ରଥମ ଭାଷାଭିତ୍ତିକ ଆନ୍ଦୋଳନ ତେଜି ଉଠିଥିଲା । ଏହାର ଶେଷ ପରିଣତି ଥିଲା ଏହି ଭୟଙ୍କର ଯୁଦ୍ଧ.....
ଫ୍ରାନ୍ସର ଲୋକଙ୍କ ପ୍ରତି ଘୃଣାଭାଵ ପୋଷଣକୁ Francophobia କୁହାଯାଏ । ଏହିଭଳି ଵିଶ୍ଵର ପ୍ରତ୍ୟେକ ଦେଶ ଓ ଜାତିର ନାମ ପଛରେ Phobia ଶବ୍ଦ ଯୋଡ଼ି ଶବ୍ଦ ସୃଷ୍ଟି କରାଯାଇପାରେ । ଭାରତ ତାହାର ସଂସ୍କୃତି ଓ ଭାରତୀୟ ଲୋକଙ୍କୁ ପାକିସ୍ତାନରେ ବହୁତ ଘୃଣା କରାଯାଏ । ଭାରତୀୟଙ୍କ ପ୍ରତି ଏହି ଘୃଣାଭାଵକୁ Indophobia ଵା Anti-Indian sentiment କୁହାଯାଇଥାଏ । ସେହିପରି ଓଡ଼ିଆଙ୍କ ପ୍ରତି ଆନଜାତୀୟ ଲୋକଙ୍କ ଘୃଣାଭାଵ ପୋଷଣକୁ
Odraphobia କୁହାଯାଇପାରିବ ।

କେଵଳ Phobia ନୁହେଁ Miso ଶବ୍ଦ ଯୋଡ଼ି ମଧ୍ଯ ଅନେକ ଜାତୀୟ ଘୃଣାକାରୀଙ୍କୁ ଵୈଜ୍ଞାନିକ ନାମ ପ୍ରଦାନ କରାଯାଇଛି ।
ଉଦାହରଣ ସ୍ୱରୂପ―

●→ପିଆନୋ ଓ ତହିଁର ଶବ୍ଦକୁ ଘୃଣାକରୁଥିବା ଲୋକଙ୍କୁ Misodoctakleidist
କୁହାଯାଏ
●→ଜୀଵନହରଣକାରୀ ସବୁପ୍ରକାରର ଧୂମ୍ରପାନକୁ ଘୃଣାକରୁଥିବା ଲୋକେ Misocapnist ବୋଲାଅନ୍ତି ।
●→ନଵୀନତା,ନୂଆ ଚଳଣି, ନଵ ଆବିଷ୍କାର ଓ ନଵୋନ୍ମେଷକୁ ଘୃଣା ତଥା ପସନ୍ଦ କରୁନଥିବା ଲୋକଙ୍କୁ Misoneist(ମୌଳିଵାଦୀ) କୁହାଯାଏ ! ଓଡ଼ିଆ ଭାଷାରେ ଆମେ ଏମାନଙ୍କୁ ମରହଟିଆ ଲୋକ କହିପାରନ୍ତି ।
●→ପାଉଁରୁଟି ଵା bread ଜାତୀୟ ପଦାର୍ଥ ପ୍ରତି ଅନାଶକ୍ତି ଓ ଘୃଣାଭାଵ ପୋଷଣକୁ Misopogonist କୁହାଯାଏ ।
●→ନଵୀନତାଵାଦୀ George Meredithଙ୍କ ମତରେ Misogelast ସେଇମାନେ ଯେଉଁ
ମାନେ ହାସ୍ୟରୋଳ କୁ ଘୃଣା କରନ୍ତି । ଏଭଳି ଲୋକେ ଯେଉଁ ମାନେ ହସକୁରା ଓ ହାସ୍ୟରସପ୍ରେମୀ ଲୋକଙ୍କୁ ଛୋଟଜାତୀୟ ହୀନମାନସିକତାସମ୍ପନ୍ନ ଵ୍ୟକ୍ତି ମନେକରନ୍ତି ସେମାନେ ମଧ୍ଯ Misogelast ବୋଲଅନ୍ତି ।
●→Misogynists ସେଇମାନେ ଯୋଉମାନେ ସ୍ତ୍ରୀ ଲୋକଙ୍କୁ ଘୃଣାକରନ୍ତି  ।
●→ ପୁରୁଷଙ୍କୁ ଘୃଣା କରୁଥିବା ଲୋକେ Misandrists ଅଟନ୍ତି ।
●→ଵିଵାହପ୍ରଥା ତଥା ଵିଵାହ ପରଵର୍ତ୍ତୀ ଵୈଵାହିକ ସମ୍ବନ୍ଧ ସଂକ୍ରାନ୍ତୀୟ ଚଳଣିକୁ ଘୃଣା କରୁଥିବା ଲୋକଙ୍କୁ misogamists କୁହାଯାଇଥାଏ ।
●→ଵିଶେଷଧରଣର ନାମ ଓ ଘୋଷପଦ ଵା ସ୍ଲୋଗାନକୁ ଘୃଣାକରୁଥିବା ଲୋକଙ୍କୁ Nomomisist କୁହାଯାଏ । ଉଦାହରଣ ସ୍ୱରୂପ:- କିଛି ଲୋକ ଯେମିତି “ଅଛେଦିନ” ଆଉ ମୋଦି ନାମକୁ ଘୃଣା କରନ୍ତି ସେମାନେ ସହଜରେ Nomomisist ବୋଲାଇପାରିବେ 😂😂
●→ଯୁଦ୍ଧ ଓ କଳିଝଗଡା଼ କୁ ଘୃଣା କରୁଥିବା ଲୋକଙ୍କୁ Misopolemist କୁହାଯାଏ । ପ୍ରକୃତରେ ଆମେ ସମସ୍ତେ ବି ଏ ଉଭୟ ତତ୍ତ୍ୱକୁ ଘୃଣା କରିବା କଥା ।
●→Misologist ସେଇମାନେ ଯୋଉମାନେ
ଯୁକ୍ତି ତର୍କ ଓ ଯେକୌଣସି ଚର୍ଚ୍ଚା କୁ ଘୃଣା ଦୃଷ୍ଟିରେ ଦେଖିଥାନ୍ତି ।
●→କାହା ଆଗରେ ଏମିତିକି ନିଜର ପ୍ରିୟପାତ୍ର ଆଗରେ ମଧ୍ଯ ନିଃଵସ୍ତ୍ର ହେବାକୁ ନାପସନ୍ଦ କରୁଥିବା ଲୋକ Misapodysist ଅଟନ୍ତି ।
●→ଧ୍ଵନି ସମ୍ବନ୍ଧିତ ଭୀଷଣରୁ ସାଧାରଣ କୋଳାହଳ ଯେମିତିକି ମାଇକ ବାଜିବା,ଟେବୁଲୁ ରେ ନଖ ଟିପଟାପ୍ କରିବା,ଚୁଇଙ୍ଗମ୍ ଚୋବେଇବା ଏମନ୍ତ କି ଚୁଁ ଚାଁ ଶବ୍ଦ ମଧ୍ଯ ଯେଉଁ ଲୋକଙ୍କୁ ଵିରକ୍ତ କରେ ସେମାନେ  Misophonist ବୋଲାଅନ୍ତି ।

ଏହି ଭଳି ଆହୁରି ଅନେକ ଶବ୍ଦ ଲୋକଙ୍କ ଘୃଣାପ୍ରବୃତ୍ତି ଆଧାରରେ ସୃଷ୍ଟି କରାଯାଇଛି ।
miso-, mis-, -misia ଆଦି ଶବ୍ଦ ଯୋଡ଼ି ଘୃଣାଭାବକୁ ବୁଝାଉଥିବା ଏହିସବୁ ଶବ୍ଦ ଗୁଡ଼ିକୁ ସୃଷ୍ଟି କରାଯାଇଛି ଏବଂ ଏହାର ଅର୍ଥ ଘୃଣା ଅଟେ ।
ତେବେ କୌଣସି ପ୍ରକାର ଘୃଣାଭାଵର ମାତ୍ରାଧିକ ପୋଷଣ ଆଦୌ ହିତକର ନୁହେଁ । ସଂସାର ଘୃଣା ନୁହେଁ ପ୍ରେମ ସ୍ନେହ ଓ ପାରସ୍ପରିକ ଵିଶ୍ଵାସ ବଳରେ ଚାଲିଥାଏ । ଘୃଣା ମନୁଷ୍ୟକୁ କିଛି ସମୟ ପାଇଁ ପାଶଵିକ ଶକ୍ତି ପ୍ରଦାନ କରେ ସତ କିନ୍ତୁ ପରଵର୍ତ୍ତୀକାଳରେ ସେହି ଲୋକ ଏଥିରେ ଆଶକ୍ତ ହୋଇ ହୋଇ ଶେଷକୁ ନିଃସଙ୍ଗ ହୋଇଯାଏ ।

ତେଣୁ ଆସନ୍ତୁ ସମସ୍ତଙ୍କୁ ଭଲ ପାଇବା ଶିଖିବା ଏମନ୍ତକି ଯେ ଆମକୁ ଘୃଣା କରୁଛି ତାକୁ ବି ଭଲ ପାଇବା ଓ ଭଲ ପାଇବା ଶିଖେଇବା ତାହେଲେ ସିନା ସୁନ୍ଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ପୃଥିବୀଟିଏ ଗଠିତ ହୋଇପାରିବ ।

“ଆନକୁ ଗାଳି କରିବାର ପ୍ରବୃତ୍ତି
ଥିବ ଯଦି ନମିଳିବ ସମ୍ମାନ ତିଳେ

ଯେ ଆନେ ସମ୍ମାନ ଦେଇ ଜାଣେ
ସମାଜରେ ତାକେ ହିଁ ସମ୍ମାନ ମିଳେ

ଛାଡ଼ ପର ନିନ୍ଦା ଦ୍ଵେଷ ଈର୍ଷା ଯେତେ
କର କାର୍ଯ୍ୟ ଜାତି ହିତେ ସଦାବେଳେ

କି ଲାଭ  ଆନର ଦୋଷ ଧରି ଧରି
ଲାଭ ସିନା ଜାତିର ହିତ କିଛି କରି

ଜଗତ ଏ ପ୍ରେମ ଯୋଗୁଁ ହିଁ ଚଳେ
ଜିତି ଯା ଵିଶ୍ଵ ତୁ ପ୍ରେମ ସ୍ନେହ ବଳେ”

Wednesday, October 3, 2018

ଆପଲ୍ ଵା ସେଓ

ଇଂରାଜୀ ଭାଷାର ନିୟମାନୁସାରେ
“Any kind of fruit, fruit in general, apple of the eye, ball, anything round, bolus, pill, that's  called apple”
ଅର୍ଥାତ୍ ଆପଲ୍ ଵା ଆତ ଭଳି ଦେଖାଯାଉଥିବା ସମସ୍ତ ଗୋଲ୍ ଗୋଲ୍ ଫଳ ଯାହାର ଉପରକୁ ଠିକ୍ ଆପଲ୍ ପରି ଡେମ୍ଫ ଥିବ ତାହା ଇଂରାଜୀରେ ଆପଲ୍ ପରିଗଣିତ ହେବ । (ଏ ହିସାବରେ ଆମ୍ଵଜାତୀୟ କେତେକ ଫଳକୁ ମଧ୍ଯ ଆପଲ୍ ଶବ୍ଦ ଯୁକ୍ତ କରାଯାଇଛି-ଉଦାହରଣ ସ୍ୱରୂପ mango apple କିନ୍ତୁ ଏ ନିୟମର ଅନେକ ଵ୍ୟତିକ୍ରମ ମଧ୍ଯ ରହିଛି ଯେମିତିକି କଲରା ଅର୍ଥାତ୍ Momordica charantia କୁ ଇଂରାଜୀରେ bitter apple କହିଦିଆଯାଏ କିନ୍ତୁ ତାହା ଗୋଲ ନୁହେଁ ଵରଂ ଲମ୍ଵାଳିଆ  (କଲରାକୁ ସାଧାରଣ ଇଂରାଜୀରେ-bitter gourd,bitter squash;balsam-pear ମଧ୍ଯ କୁହାଯାଏ) ଅଟେ । କିଛି ଲୋକ ଇଂରାଜୀରେ ସମସ୍ତ ଗୋଲ ଗୋଲ ଫଳଗୁଡି଼କୁ ଅଵୈଜ୍ଞାନିକ କହିପାରନ୍ତି ତେବେ ଊଣା ଅଧିକେ ସବୁ ଭାଷାରେ ଏମନ୍ତ ସାଧାରଣ ଲୌକିକ ପ୍ରୟୋଗ
ରହିଛି ଉଦାହରଣ ସ୍ୱରୂପ ଓଡ଼ିଆ ଭାଷାରେ ଛୋଟ ଆକାରର ଗୋଲ ଫଳକୁ କୋଳି କୁହାଯାଏ । ଏମନ୍ତ କୁହାଯିବାଟା ଉକ୍ତ ଭାଷାର ଏକ ମୌଳିକତା ଯାହା ଅନ୍ୟ ଭାଷାରେ ଥାଇପାରେ ନଥାଇବି ପାରେ । 

■■■Apple ଶବ୍ଦ ଓ ଏହାର ମୂଳ■■■

●→ଏ ଆପଲ୍ ଶବ୍ଦର ମୂଳକୁ ନେଇ ପଣ୍ଡିତଗଣଙ୍କ ମଧ୍ୟରେ ବହୁଵର୍ଷ ହେବ ଟଣା ଓଟରା ଲାଗିରହିଥିଲାବେଳେ ସମଧୃତ P.I.E. root
ନିରୁକ୍ତି ନିର୍ଣ୍ଣୟ ନିୟମାନୁସାରେ ଏହାର ମୂଳ ଏକ ପ୍ରୋଟୋ ଇଣ୍ଡୋ ଇରୋପୀୟ ଶବ୍ଦ
*h₂ébōl ଵା *h₂ébl̥ ବୋଲି ଵିଶ୍ଵାସ କରାଯାଏ । ଏ ଶବ୍ଦଟି ଇଉରୋପ ଓ ଆରବ ଦେଶରେ ବହୁ ପ୍ରାଚୀନ କାଳରୁ ଚଳିଆସୁଅଛି ।

●→ପ୍ରୋଟୋ ଇଣ୍ଟୋ ଆର୍ଯ୍ୟାନ୍ *abalikā- ତଥା
ପ୍ରୋଟୋ ଇରାନୀୟ *amarnaka-ଵା *amarnā- ଶବ୍ଦ ସହିତ apple ଶବ୍ଦର ସଗୋତ୍ରୀୟ ସମ୍ଵନ୍ଧ ଥିବା ଅନୁମାନ କରାଯାଏ ।
ତେବେ apple ଓ ତତସମ୍ଵନ୍ଧୀୟ ଏହି ଶବ୍ଦମାନ କେଵଳ ପଶ୍ଚିମ ପ୍ରୋଟୋ ଇଣ୍ଟୋ ଇରୋପୀୟ ଭାଷାଗୁଡିକରେ ହିଁ ସୀମିତ ଥିବାରୁ ଭାଷା ଵିଦ୍ଵାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖିବାକୁ ମିଳିଥାଏ ।
●→କିଛି ଭାଷାଵିଦ ଆରବୀ “ʾubulla” ଶବ୍ଦ ରୁ apple ଶବ୍ଦ ହୋଇଥିବା ମତ ଦିଅନ୍ତି ।
●→ଆଉ କିଛିଙ୍କ ମତରେ Tigre ଭାଷାର ዖበል(ʿobäl) ଶବ୍ଦରୁ apple ଶବ୍ଦ ସୃଷ୍ଟି ହୋଇଥାଇପାରେ ।
●→ଭାଷାଵିଦ Gamkrelidze ଓ Ivanov ଙ୍କ ମତରେ apple ଶବ୍ଦର ପ୍ରାଚୀନ Hittite  ଭାଷୀଙ୍କ šam(a)lu- ଶବ୍ଦ ସହ ସମଧୃତ ଓ ଏ ଭୟ ଶବ୍ଦ ମଧ୍ୟରେ ସମ୍ବନ୍ଧ ଥାଇପାରେ ଯେହେତୁ ଏହାର ଶାବ୍ଦିକ ଅର୍ଥ ସେଓ ଥିଲା ।

Hittite ଏକ ଇଣ୍ଡୋ ଇରୋପୀୟ ଭାଷା
ହୋଇଥିବା ହେତୁରୁ ଏହାର šam(a)lu ର
ପ୍ରୋଟୋ ଜର୍ମାନିକ୍ aplaz ଓ ମୂଳ P.I.E  ଧାତୁଜ ଶବ୍ଦ *h₂ébōl ଵା *h₂ébl̥  ସମଧୃତ ହେବା ଅସମ୍ଭବ ମଧ୍ଯ ନୁହେଁ ।

●→କିଛି ଭାଷାଵିଦ ଆପଲ୍ ଶବ୍ଦର ପ୍ରାଚୀନ ଗ୍ରୀକ୍ ରୂପ ἄμπελος(ámpelos,“vine”))ବୋଲି ଅନୁମାନ କରିଅଛନ୍ତି ।

★★★ଵିଭିନ୍ନ ଭାଷାରେ apple ଶବ୍ଦର ସମଧୃତ ପ୍ରତିଶବ୍ଦ★★★★

●Proto Germanic→aplaz(“apple”)
●Scots→aipple
●West Frisian→apel
●Dutch→appel
●German→Apfel
●Danish→æble
●Belarusian→я́блыкm(jáblyk)
●Proto-Brythonic→aβal
●Proto-Celtic→abalom
●Proto-Slavic→ablъko
●Czech→jablko
●Dhivehi→‎āfalu(އާފަލު)
●Elfdalian→eppel
●Old Irish→uball
●Irish→úll
●Old English→æppel
●Gaulish→abalo-
●Old Norse→epli
●Limburgish→appel
●Lithuanian→obuolys
●Luxembourgish→Apel
●Macedonian→јаболкоn(jabolko)
●Polish→jabłko
●Russian→я́блоко(ru)(jábloko)
●Scots→aipple,aiple
●Roman→jabuka
●Slovak→jablko
●Slovene→jabolko
●Swedish→äpple
●Welsh→afal
●WestFrisian→apel
●Xhosa→iapile
●Yakut→яблоко(yablok)
●Yiddish→:עפּל‎‎ (epl)

■■■Apple ଶବ୍ଦ ପରି Malus pumila ଜାତୀୟ ଫଳ ପାଇଁ ଵିଶ୍ଵର ଅନ୍ୟ ଭାଷାରେ ପ୍ରଚଳିତ କିଛି ଲୋକପ୍ରିୟ ପ୍ରତିଶବ୍ଦ■■■■

◆–୧–◆
ଓଡ଼ିଆ, ହିନ୍ଦୀ ତଥା ପାର୍ସୀ ଆଦି ଇଣ୍ଡୋ ଇରୋପୀୟ ଓ ଦ୍ରାବିଡ଼ ଭାଷାଗୁଡି଼କରେ apple ପାଇଁ ପ୍ରଚଳିତ ସେଓ,ହିନ୍ଦୀ-सेब्,سیب‎(ପାର୍ସୀ-sib),ಸೇಬು(କନ୍ନଡ-sēbu),स्याऊ(ନେପାଳୀ-syāū),ସେବ,ସେଉ,ସିଓ,ସେବତିକା,ସିଂଚିତିକା ଆଦି ନାମ ପ୍ରସିଦ୍ଧ ହୋଇଅଛି ।
◆–୨–◆
ପ୍ରାଚୀନ ଗ୍ରୀକ୍ μῆλον (ମେଲନ୍-“ଫଳ”)ଶବ୍ଦରୁ ଵିଭିନ୍ନ ଵୈଦେଶିକ ଭାଷାରେ ସେଓ ଫଳର ପ୍ରତିଶବ୍ଦ ମାନ ସୃଷ୍ଟି ହୋଇଛି ।
ଉଦାହରଣ;
●Albanian→mollë
●Italian→mela
●Latin→Mālum.

◆–୩–◆
ଏକ ମୂଳ ଆରବୀୟ ଶବ୍ଦ سَفَرْجَل
(Safarjal) କୁ ଗ୍ରହଣ କରିନେଇ
ଗୁଜରାଟୀରେ ସେଓ ପାଇଁ ସଫରଜନ ଶବ୍ଦ ଵ୍ୟଵହାର ହେଉଥିବା ବେଳେ ମରାଠୀରେ ସଫରଚଂଦ୍ ଶବ୍ଦ ଚଳୁଅଛି ।

◆–୪–◆
ହଙ୍ଗେରୀୟ ଭାଷାରେ ସେଓ କୁ ଆଲ୍’ମା(alma) କୁହାଯାଏ  । ଏହାର ମୂଳ ତୁର୍କ ଭାଷାର Elma ଶବ୍ଦ ଯାହା ସେଓ ର ପ୍ରତିଶବ୍ଦ ଭାବରେ ତୁର୍କୀରେ  ପ୍ରଚଳିତ ।
ଅନେକ ତୁର୍କ ଭାଷାରେ ଏହାର ସମଧୃତ
ଶବ୍ଦ ଚଳୁଅଛି
ଉଦାହରଣ;
Azerbaijani ରେ alma,.Kazakh,Kumyk ଓ Kyrgyz ଭାଷାରେ алма(alma),
Mongolian ଭାଷାରେ алим(alim)
Uyghurରେ :ئالما‎‎(alma)
ଏଵଂ Uzbek ରେ olma ଇତ୍ୟାଦି ଇତ୍ୟାଦି....

◆–୫–◆
ଲାଟିନ poma ଶବ୍ଦର ସମଧୃତ କେତେଗୁଡି଼ଏ ଶବ୍ଦ ଅନେକ ଭାଷାରେ ଭିନ୍ନ ଭିନ୍ନ ରୂପରେ ଚଳୁଅଛି । ଲାଟିନରେ ଏହି  poma ଶବ୍ଦର ଅର୍ଥ ହେଉଛି ଫଳ ।
ସେଗୁଡ଼ିକ ଯଥା;
●→Amharic―ፖም(pom)
●→Catalan―poma
●→Emilian―(Modena)pàm,(Piacenza)pùm
●→Esperanto―pomo
●→French―pomme
●→Haitian Creole―pòm
●→Khmer―ប៉ុម(pom)
●→Novial―pome
●→Occitan―poma
●→Sicilian―pumu,puma
●→Spanish―poma
●→Venetian―pom
●→Walloon―peme
●→Wolof―pom

◆–୬–◆
ଆରବିକର  تُفَّاحَة‎‎f(tuffāḥa) ଵା تُفَّاح‎‎m(tuffāḥ) ଶବ୍ଦ ରୁ ଅନେକ ଭାଷାରେ ସେଓର ପ୍ରତିଶବ୍ଦ ସୃଷ୍ଟି କରାଯାଇଛି
ଉଦାହରଣ ସ୍ୱରୂପ;
Malay→tufah
Maltese→tuffieħa
Somali→tufaax
Swahili→tofaa

ଏସବୁ ଵ୍ୟତୀତ ପୃଥିଵୀର ଵିଭିନ୍ନ ଭାଷାରେ ସେଓ ଶବ୍ଦର ଭିନ୍ନ ଭିନ୍ନ ପ୍ରତିଶବ୍ଦ ପ୍ରଚଳିତ । କେତେକ ଭାଷାରେ ସେଓ ପାଇଁ ସ୍ଵତନ୍ତ୍ର ମୌଳିକ ଶବ୍ଦ ଥିଲାବେଳେ ଆଉ କେତେକ ଭାଷାରେ ଅନ୍ୟ ଭାଷାର ଶବ୍ଦ ସହ ସମଧୃତ ସଗୋତ୍ରୀୟ ସମ୍ବନ୍ଧ ଥିବା ଶବ୍ଦ ପ୍ରଚଳିତ ରହିଛି...

---------   ----------   ----------  ----------  -----------

Malus pumila ଵା ଆଧୁନିକ ସେଓ ଗଛର ଜଙ୍ଗଲି ପୂର୍ଵଜ ଭାବରେ Malus sieversii କୁ ଗ୍ରହଣ କରାଯାଇଛି ଯାହା ଆଜି ବି
ମଧ୍ୟ-ଏସିଆର ପର୍ଵତମାଳା ଵିଶେଷତଃ ଦକ୍ଷିଣ କାଜକସ୍ଥାନ,କିରଗିଜସ୍ଥାନ,ତାଜିକସ୍ଥାନ ଏବଂ ଜିନଜିଆଙ୍ଗ-ଚୀନ ଆଦି ଅଞ୍ଚଳର ଜଙ୍ଗଲ ମାନଙ୍କରେ ପ୍ରାପ୍ତ ହୋଇଥାଏ ।

ଏହି ଫଳର ଚାଷ ‛ତିଆନ ଶ୍ହାନ୍’ ପାର୍ଵତ୍ୟାଞ୍ଚଳରୁ ଆରମ୍ଭ ହୋଇଥିବା କେତେକ ଗଵେଷକ ମତ ଦିଅନ୍ତି ।
ଗ୍ରୀକ୍, ନୋର୍ମନ୍,ଜର୍ମାନିକ୍ ଓ ଖ୍ରୀଷ୍ଟ-ଇହୁଦୀ ସଂସ୍କୃତିରେ ସେଓ ଫଳକୁ ବହୁତ ଉଚ୍ଚ ସ୍ଥାନ ପ୍ରାପ୍ତ ହୋଇଛି । ଅନେକ ପାଶ୍ଚାତ୍ୟ ପୁରାଣ ଗୁଡି଼କରେ ସେଓର ଉଲ୍ଲେଖ ଏହାର ମଧ୍ୟ ଏସିଆ ଠାରୁ ୟୁରୋପ ପର୍ଯ୍ୟନ୍ତ ଥିବା ଲୋକପ୍ରିୟତା ସ୍ପଷ୍ଟ କରିଥାଏ ।

ସଂସାରରେ ପ୍ରାୟ ୭୫୦୦ ରୁ ଅଧିକ ପ୍ରକାରର ସେଓ ଅଛି ତା'ପରେ ବି
ଅନେକ ଫଳର ନାମ ସହ ଆପଲ୍ ଶବ୍ଦ ଯୋଡ଼ି ଶବ୍ଦ ଗଠନ କରା ହୋଇଛି । ଉଦାହରଣ ସ୍ୱରୂପ:-
―ଏକ ଜାତୀୟ ଜଙ୍ଗଲୀ କାକୁଡି଼ ଜାତୀୟ ପାଦପ Echinocystis lobataକୁ balsam apple କୁହାଯାଏ...

―ଏକ ଜାତୀୟ ଲଙ୍କାଆମ୍ଵ(Anacardium occidentale)
ଗଛକୁ cashew apple କୁହାଯାଏ ।

―ଦୁଦୁରା ଜାତୀୟ ଗଛ ଯେମିତିକି
Datura stramoniumକୁ common thorn apple କୁହାଯାଏ । Datura Discolor କୁ Desert thorn-apple ଏଵଂ ସାଧାରଣତଃ ସମସ୍ତ ଦୁଦୁରା ଜାତୀୟ ପାଦପକୁ Devil's apple କୁହନ୍ତି ।

―ଆତ ଵା Annona ଜାତୀୟ ଅଧିକାଂଶ ପାଦପଗୁଡି଼କୁ ସାଧାରଣତଃ custard apple କୁହାଯାଏ । ଆତଜାତୀୟ ଏକ ପାଦପ Annona squamosa କୁ sugar apple ବି କୁହାଯାଇଥାଏ ।

―ଅଷ୍ଟ୍ରେଲିଆରେ ବାଇଗଣ ବିଲାତି ବାଇଗଣ ଜାତୀୟ ଦୁଇଟି ପାଦପ ଜାତି
■Solanum capsicoides
■Solanum linnaeanum
କୁ ମଧ୍ଯ ଏଠାକାର ସ୍ଥାନୀୟ ଲୋକେ Devil's apple କହିଥାନ୍ତି ।

―Dillenia indica  ଵା ଓଉଫଳକୁ ଇଂରାଜୀ ଭାଷାରେ Elephant apple
ନାମ ଦିଆଯାଇଛି ।

―citrus ପରିଵାରର
Limonia acidissima[କପିତ୍ଥ]
ଓ Aegle marmelos[ବିଲ୍ଵ]କୁ ମଧ୍ଯ ଇଂରାଜୀ ଭାଷାରେ Elephant apple  କୁହାଯାଏ

― Punica granatum ଵା ଡାଳିମ୍ଵ ତଥା ଦୁଦୁରା ଜାତୀୟ Datura inoxiaକୁ Indian Apple କୁହାଯାଏ ।

―ବାଇଗଣ ଜାତୀୟ ସୋଲାନମ୍ ପରିବାରର
Solanum aviculare
କିମ୍ଵା
★Solanum vescum
କୁ kangaroo apple କୁହାଯାଏ ।

ଇଂରାଜୀ ଭାଷାରେ ଏହିଭଳି ପୃଥିବୀର ଭିନ୍ନ ଭିନ୍ନ ଦେଶରେ ଵିଭିନ୍ନ ଫଳର apple ଶବ୍ଦଯୁକ୍ତ ଅନେକ ନାମ ଦିଆଯାଇଛି ।

ସେଓ ଗଛ ଵା Malus Pamila ହେଉଛି Rosaceae ପରିଵାର ଅନ୍ତର୍ଭୁକ୍ତ ଏକ ପାଦପ ।  Rosaceae ପରିଵାର କୁ rose ଵା ଗୋଲାପ ପାଦପ ପରିଵାର ମଧ୍ଯ କୁହାଯାଇଥାଏ ।  Rosaceae ପରିଵାର ତିନିଗୋଟି ଉପପରିଵାରରେ ଵିଭକ୍ତ―
◆Amygdaloideae
◆Dryadoideae
◆Rosoideae
ଏହି ପରିଵାରର ଏଯାଵତ୍
ପ୍ରାୟ 4,828 ଜାତି ଗଛ ମିଳିସାରିଛି ଏଵଂ ସେଗୁଡ଼ିକୁ  91ଟି ଵିଭିନ୍ନ ପ୍ରଜାତି(genera)ରେ ଵିଭକ୍ତ କରାଯାଇଛି ।
ରୋସାସୀ ପରିବାରର ଅନ୍ତର୍ଗତ Rosoideae ଉପପରିଵାରର ଦୁଇଗୋଟି ପାଦପ ଆମର ନିହାତି ଜଣାଶୁଣା Rosa(ଗୋଲାପ) ଓ Duchesnea(ଷ୍ଟ୍ରୋବେରୀ)
ସେହି ଭଳି ଏହି ପରିଵାରର ଅନ୍ଯତମ ଉପପରିଵାର Amygdaloideaeରେ
Prunus ପ୍ରଜାତିର plum(आलुवुखारा), Prunus avium ଵା ଚେରୀ ,ହିମାଳୟ ଅଞ୍ଚଳରେ ଚାଷ ହେଉଥିବା Apricot ଫଳ ଓ
Prunus persica(peach) ଆଦି ଫଳଗଛ ରହିଛି । Amygdaloideae ଉପପରିଵାରର ଅନ୍ୟ ପ୍ରଜାତି ମଧ୍ୟରେ Pyrus(pear) ଵା ନାସପାତି ଫଳକୁ କିଏ ନଜାଣେ । ଏହି ଉପପରିଵାରର ଆଉ ଦୁଇଟି ଜଣାଶୁଣା ପାଦପ ପ୍ରଜାତି ହେଲା Malus ଵା ସେଓ ତଥା Prunus dulcis ଵା Almond(ବାଦାମ ଗଛ) ପାଦପ । ସେଓ(Malus),ଗୋଲାପ(Rosa)ଓ ତରଡା଼(Luffa) ଆଦି Rosids Cladeରେ ଆସୁଥିବାରୁ ଏମାନଙ୍କ ପୁଷ୍ପ ମଧ୍ୟରେ କେତେକ ସମାନତା ଦୃଷ୍ଟିଗୋଚର ହୋଇଥାଏ ।

ବାନ୍ତି

ସଂସ୍କୃତ ଵିଶେଷ୍ୟ
#ବାନ୍ତି ଶବ୍ଦଟି ଓଡ଼ିଆ ଭାଷା ଛଡ଼ା ତାମିଳ ଭାଷାରେ ମଧ୍ଯ ସମାନ ଅର୍ଥରେ ପ୍ରୟୋଗ ହୋଇଥାଏ । ଇଂରାଜୀଭାଷାରେ ଏହି ଅର୍ଥ ପ୍ରକାଶ ହେତୁରୁ ଦୁଇଗୋଟି ଶବ୍ଦ ଚଳୁଅଛି
୧–Vomit
୨–spew

ପ୍ରକୃତରେ ବାନ୍ତି ଓ Vomit ଉଭୟ ଶବ୍ଦ ସଗୋତ୍ରୀୟ ଅଟନ୍ତି ।
ଭାରତୀୟ ନିରୁକ୍ତି ଶାସ୍ତ୍ର ଅନୁସାରେ ବାନ୍ତି ଶବ୍ଦ ମୂଳ ଵୈଜ୍ଞାନିକ କ୍ଷୁଦ୍ରରୂପ ବମ୍ ଧାତୁ ନିର୍ଣ୍ଣୟ କରାଯାଇଥିଲା ବେଳେ ଆନ୍ତର୍ଜାତିକ P.I.E. root “wemh₁” ସହିତ
ସଂସ୍କୃତର ବାନ୍ତି-ବମନ-ବମତି,ଇଂରାଜୀର Vomit,ଲାଟିନର vomitāre ଏବଂ
ପୁରୁଣା ନୋର୍ମାନ୍ ଶବ୍ଦ váma ଆଦି ସମ୍ବନ୍ଧିତ ବୋଲି ଵିଶ୍ଵାସ କରାଯାଏ ।
ପାଶ୍ଚାତ୍ୟ ପଣ୍ଡିତଙ୍କ ଅନୁସାରେ ମୂଳ ପ୍ରୋଟୋ ଇଣ୍ଟୋ ଇରୋପୀୟ wemh₁ ଧାତୁରୁ ଲାଟିନ vomitāre ଶବ୍ଦ ଦେଇ ଇଂରାଜୀ vomiten ଶବ୍ଦ ପରଵର୍ତ୍ତୀକାଳରେ Vomitରେ ପରିଣତ ହୋଇଅଛି ।
ତେଣୁ wemh₁ ଏବଂ ଵମ୍ ଧାତୁ ଉଭୟ ଏକ ଅର୍ଥବୋଧକ ତଥା ସଗୋତ୍ରୀୟ ଅଟନ୍ତି ।
ବାନ୍ତି ଶବ୍ଦର ନିରୁକ୍ତି ହେଲା -
ଵମ୍ ଧାତୁ+ଭାବ. ତି=>ବାନ୍ତି

ଏହି ଵମ୍ ଧାତୁର ଦୁଇଟି ଅର୍ଥ ହେଉଛି
ବାନ୍ତି କରିବା

ଆହୁତି ଦେବା.....

ବାନ୍ତି ଶବ୍ଦର ଅନ୍ୟ ପର୍ଯ୍ୟାୟଵାଚକ ପ୍ରତିଶବ୍ଦ
ଯଥା:-
ବମନ,ଉଦ୍ଗିରଣ,ବମଥୁ,ଉକାର,ବମିତ ଇତ୍ୟାଦି.....

ଓଡ଼ିଆ ଭାଷାରେ ଵୈଦେଶିକ ପାଦପ ଗୁଡି଼କର ଦେଶଜ ନାମ

◆କେତେକ ଗଛକୁ ଵୈଦେଶିକ ପ୍ରମାଣ କରିବାକୁ ଯାଇ ଓଡ଼ିଆ ଭାଷାରେ ଲଙ୍କା ଶବ୍ଦ ର ପ୍ରୟୋଗ ହୋଇଛି

୧-ଲଙ୍କା ଆମ୍ଵ→ଆମ୍ଵଜାତୀୟ ଗଛ ଵିଦେଶରୁ(ପୂର୍ଵଭାରତୀୟ ଦ୍ଵୀପପୁଞ୍ଜ) ଆସିଛି
୨-ଲଙ୍କା ମରିଚ→ଵୈଦେଶିକ ଲାଲ୍ ମରିଚ(କାଲିଫର୍ଣ୍ଣିଆ ଅଞ୍ଚଳ) ଵିଶେଷଃ
୩-ଲଙ୍କାଗବ(ଲଙ୍କା କାଲ-ଗଞ୍ଜାମ)→ବାଇଗଵା,ରକ୍ତ ଏରଣ୍ଡ ଵା ଵିଲାତି ବାଇଗଵା ନାମରେ ଜଣାଶୁଣା ବ୍ରାଜିଲ ଦେଶୀୟ ପାଦପ
୪-ଲଙ୍କା ପଣସ(ସପୁରୀ ପଣସ)→ଵିଦେଶରୁ ଆଣାଯାଇ ଚାଷ କରାଯାଉଥିବା ଏକ ଜାତୀୟ ଫଳ ଵିଶେଷ
୫-ଲଙ୍କାଭାଲିଆ(ଲଙ୍କାପାଣ୍ଡୁ)
୬-ଲଙ୍କା ସିଝୁ-ସିଝୁ ଜାତୀୟ ଵୈଦେଶିକ ପାଦପ

◆କେତେକ ଵୈଦେଶିକ ଫଳକୁ ଵିଲାତି ଶବ୍ଦ ଲଗେଇ ଵିଦେଶରୁ ଆସିଛି ବୋଲି ଵିଶ୍ଵାସ କରାଯାଏ....

୧–ବିଲାତି ଆମ୍ଵଡା଼→ଆମ୍ଵଡା଼ ଜାତୀୟ ଵୈଦେଶିକ ଫଳ ଵିଶେଷ
୨–ବିଲାତି ଆଳୁ→ଗୋଲ୍ ଗୋଲ୍ ଵୈଦେଶିକ ମାଟି ଆଳୁ ଵିଶେଷ
୩-ବିଲାତି କୟାଁ→(କାଲିଫର୍ଣ୍ଣିଆ ଅଞ୍ଚଳର ତେନ୍ତୁଳି ଓ ସିମ୍ଵ ପରି ଦୃଶ୍ୟ ହେଉଥିବା ସିମକୟାଁ ପାଦପ)
୪–ବିଲାତି କସ→(ଵସ୍ତ୍ର ରଙ୍ଗକରିବା ହେତୁ ଵ୍ୟଵହୃତ ହେଉଥିବା ଏକ ପ୍ରକାରର ପାଦପ ଵିଶେଷ)
୫–ବିଲାତି ଚାକୁଣ୍ଡା→Dalbergia ଜାତୀୟ ଏକ ପ୍ରକାରର ପାଦପ
୬-ବିଲାତି ଝାପରା)କୁମକୁମ୍ ଗଛ
୭–ବିଲାତି ଦଳ→ଵିଦେଶରୁ ଅଣା ହୋଇଥିବା ଏକ ଜାତୀୟ ଦଳ(Pontederia cordata)
୮–ବିଲାତି କନିଅର→tecoma ଜାତୀୟ ଆଫ୍ରିକୀୟ ପୁଷ୍ପ ବୃକ୍ଷ ଵିଶେଷ
୯–ବିଲାତି ବବୁର→Acaciafornesiana
୧୦–ବିଲାତି ବାଇଗଣ–→ବାଇଗଣ ଜାତୀୟ ଵୈଦେଶିକ ପାଦପ-tomato(Solanum lycopersicum)
୧୧–ବିଲାତି ବାଇଗବା→Jatropha gossypiifolia ବାଇଗବା ଜାତୀୟ ଵୈଦେଶିକ ପାଦପ ଵିଶେଷ ।
୧୨–ବିଲାତି ବାଦାମ→ଚିନାବାଦାମ ଗଛ
Arachis hypogaea
୧୩–ବିଲାତି ମଦରଙ୍ଗା–ଵିଦେଶରୁ ଅଣା ହୋଇ ହତାର ସୌନ୍ଦର୍ଯ୍ୟ ପାଇଁ ଲଗାଯାଉଥିବା ଶାକ ବୃକ୍ଷ ଵିଶେଷ
୧୪–ବିଲାତି ହଳଦୀ→ଗୁଲଵାସୀ

କେତେକ ଵୈଦେଶିକ ବୃକ୍ଷକୁ ଚିନା ଵା ଚିନି ଶବ୍ଦ  ଯୁକ୍ତ କରି ନାମ ଦିଆଯାଇଛି

୧–ଚିନାଘାସ→Boehmeria nivea
୨–ଚିନା ବାଦାମ→ଭୂଇଁଚଣା ଗଛ
ଏହା ବ୍ରାଜିଲ ଦେଶୀୟ ଗଛ ଏବଂ ଏହାର ମିଠାଗୁଣ ଯୋଗୁଁ ସମ୍ଭଵତଃ ଚିନାବାଦାମ ନାମ ହୋଇଅଛି
୩–ଚିନିଚମ୍ପା)ଚୀନଦେଶରୁ ଅଣାଯାଇଥିବା ଚମ୍ପାଗଛ→Artabotrys odoratissimus

ଆଉ କେତେକ ଵୈଦେଶିକ ପାଦପକୁ
ଵିଭିନ୍ନ ଦେଶଜ ନାମ ଦିଆଯାଇଛି
ପିଜୁଳି ଠାରୁ ଆରମ୍ଭ କରି ଅମୃତଭଣ୍ଡା ଯାଏଁ
ଅମରି ଠାରୁ ଲଙ୍କାମରିଚ ଯାଏଁ
ଵିଭିନ୍ନ ଅଞ୍ଚଳରେ ଏଭଳି ଵୈଦେଶିକ ପାଦପ ଗୁଡି଼କର ଭିନ୍ନ ଭିନ୍ନ ଦେଶଜ ନାମ ପ୍ରଚଳନରେ ରହିଛି ।

Tuesday, October 2, 2018

ରାୟଗଡ଼ାର ନାଆଁ କେମିତି ପଡିଲା

୧୫୧୬ରେ ନବରଙ୍ଗପୁର ରାଜ୍ୟର ରାଜଧାନୀ ଭାବେ ରାୟଗଡ଼(ରାୟଗଡ଼ା)ନଗର ସ୍ଥାପନ କରାଯାଇଥିଲା । କୁହାଯାଏ ଆଗେ ଏଠାରେ ରାୟ ଜାନି ନାମକ ଜଣେ କନ୍ଧ ଶାସକର ଶାସନ ରହିଥିଲା ।
ପରଵର୍ତ୍ତୀକାଳରେ ନନ୍ଦପୁରର ରାଜା ଏ ଅଞ୍ଚଳକୁ ଅଧିକାର କଲେ ହେଁ  “ରାୟ ଜାନି”
ଦ୍ଵାରା ବାରମ୍ବାର ଲୁଚାଛପାରେ ଆକ୍ରାନ୍ତ  ହୋଇ
ବହୁଧନ ଜୀଵନ କ୍ଷୟର ସମ୍ମୁଖୀନ ହୋଇଥିଲେ ।
ନନ୍ଦପୁରର ରାଜା ବାଧ୍ୟ ହୋଇ ଶେଷରେ ରାୟ ଜାନି ସହ ସନ୍ଧି କରିଥିଲେ । ତେଣୁ ରାଜ ଆଦେଶରେ ପରେ ଏ ଅଞ୍ଚଳର କାଗଜପତ୍ରରେ ନାମ ରାୟଗଡ଼ ରଖାହୋଇଥିଲା ଯାହା କିଛି ଲୋକଙ୍କ ଦ୍ଵାରା ବେଳେବେଳେ ରାୟଗଡ଼ା ଉଚ୍ଚାରିତ ହୋଇଥାଏ ।

ନବେ ଦଶକ ଯାଏଁ ରାୟଗଡ଼(ରାୟଗଡ଼ା) ଅଵିଭକ୍ତ କୋରାପୁଟ ଜିଲ୍ଲାର ଏକ ସବଡିଵିଜନ ଭାବରେ ଜଣାଶୁଣା ଥିଲା ।

ମାଲକାନଗିରି;ନାମ ଓ ଭେଦ

ମାଲକାନଗିରିର ନାମକରଣକୁ ନେଇ ଅନେକ ମତବାଦ ପ୍ରଚଳନରେ ଅଛି ।
ମାଲକାନଗିରିକୁ ମାଲ୍ୟଵନ୍ତଗିରି,ମଲ୍ଲିକ-ମର୍ଦ୍ଦନ ଗିରି,ମଲ୍ଲିକାର୍ଜୁନଗିରି ମଧ୍ଯ କୁହାଯାଏ । ନାମଭେଦରେ ତେଣୁ ଏଠାରେ ନାନାଦି ମତ ପ୍ରଚଳିତ ରହିଛି ।

★ମତଵାଦ ୧→ଵନଵାସ ସମୟରେ ଶ୍ରୀରାମଚନ୍ଦ୍ର ଏଠାରେ ଏକ ଶୁଭ୍ର-ଶିଵଲିଙ୍ଗ ସ୍ଥାପନ କରି ତାକୁ ମଲ୍ଲିଫୁଲ ଦ୍ଵାରା ପୂଜା କରିଥିଲେ । ସେହି ଶିଵଲିଙ୍ଗ ପରଵର୍ତ୍ତୀକାଳରେ ମଲ୍ଲିକେଶ୍ଵରଦେଵ ଭାବେ ପରିଚିତ ହୋଇଥିଲେ । କୁହାଯାଏ ସେହି ଦେବଙ୍କର ଅଧିଷ୍ଠାନ କ୍ଷେତ୍ର ପରଵର୍ତ୍ତୀକାଳରେ ମଲିକେଶ୍ଵରଗିରି ନାମରେ ପ୍ରଶିଦ୍ଧ ହୋଇ ଶେଷକୁ ମାଲକାନଗିରି ନାମଧାରଣ କରିଅଛି । ଏକଦା ମାଣିକେଶ୍ଵରୀ ଦେଵୀ ଓ ମଲ୍ଲିକେଶ୍ଵର ଦେଵଙ୍କ ପାଇଁ ମାଲକାନଗିରି ଆଖପାଖ ଅଞ୍ଚଳରେ ପ୍ରଶିଦ୍ଧି ଲାଭ କରିଥିବାର ପ୍ରମାଣ ଏ ଲୋକକଥାକୁ ଅଧିକ ସ୍ପଷ୍ଟ ବଳ ପ୍ରଦାନ କରୁଅଛି ।  ମଲ୍ଲିକେଶ୍ଵର ମହାଦେବଙ୍କର ଆସ୍ଥାନ ଏବେ ଚିତ୍ରକୋଣ୍ଡା ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ଏବଂ ଓଡ଼ିଶାର ଦ୍ଵିତୀୟ ଲିଙ୍ଗରାଜ ଭାବେ ପରିଚିତ ଅଟନ୍ତି ।

★ମତଵାଦ -୨→କେହି କେହି କୁହନ୍ତି ପ୍ରାଚୀନ ମାଲଵନ୍ତଗିରି ନାମ ହିଁ ପରଵର୍ତ୍ତିତ ହୋଇ ମାଲକାନଗିରି ହୋଇଛି । ମାଲ୍ୟଵନ୍ତଗିରି ପୁରାଣ ଵିଶେଷତଃ ରାମାୟଣର ରାମଵନଵାସ ଅଧ୍ଯାୟରେ ପ୍ରମୁଖ  ସ୍ଥାନର ଅଧିକାରୀ କହିଲେ ଅତ୍ୟୁକ୍ତି ହେବନାହିଁ । ରାମାୟଣ କୁହେ ଏଇଠି ରାମସୀତା ବନଵାସର କିଛି କାଳ କଟେଇ ଥିଲେ । ପୁଣି ଆଉ କେତେକ ପୌରାଣିକ କଥାନକ ତଥା ସ୍ଥାନୀୟ କୋୟା ପରମ୍ପରାରୁ ପାଣ୍ଡଵମାନେ ଏଠାରେ ଵନଵାସକାଳ କାଟିଥିବା ଜଣାଯାଏ । ପୁରାଣ ଯୁଗରେ  ମାଲ୍ୟଵନ୍ତଗିରି ସାଧାରଣତଃ “ମାଲ୍ୟଵାନ୍ ଗିରି” ନାମରେ ଖ୍ୟାତ ଥିଲା । ପୁରାଣରେ ଏହା ଇଳାବୃତ୍ତ ଓ କେତୁମାଳ ଵର୍ଷର ସୀମାପର୍ଵତ ତଥା ଏହାର ଵିସ୍ତୃତି ନୀଳପର୍ଵତ ଠାରୁ ନିଷଧ ପର୍ଵତ ଯାଏଁ ବୋଲି ଉଲ୍ଲେଖ କରାଯାଇଛି ।
ଓଡ଼ିଶାରେ ମାଲ୍ୟଵନ୍ତଗିରିର ପ୍ରଶିଦ୍ଧି ଓ ଶ୍ରେଷ୍ଠତା ହେତୁରୁ ରାଧାନାଥ ରାୟ ତାଙ୍କ ମହାଯାତ୍ରା କାବ୍ୟରେ ଲେଖିଲେ
“ଗରି-ମାଲ୍ୟଵନ୍ତ-
ଗିରି ମଧ୍ୟ ମଣି” । ମାଲ୍ୟଵନ୍ତଗିରି ର ପ୍ରଶିଦ୍ଧି ଯୋଗୁଁ ତେଣୁ ତାହାର ନାମ ପରିଵର୍ତ୍ତନରୁ ମାଲକାନଗିରି ଶବ୍ଦ ହୋଇଥିବା ଅନେକ ମତ ଦିଅନ୍ତି ।

★ମତଵାଦ-୩→କେତେକ ଲୋକଙ୍କ ମତରେ
ଏଠାରେ ଏକ ସମୟରେ ଶାସନ କରୁଥିବା କିରାତରାଜ ମଲ୍ଲିକାର୍ଜୁନଙ୍କର ନାମର ପରିଵର୍ତ୍ତନରୁ ମାଲକାନଗିରି ନାମ ପ୍ରଚଳିତ ହୋଇଛି । ପୁଣି ଆଉ କିଛି ଲୋକ କୁହନ୍ତି କିରାତରାଜ ମଲ୍ଲିକାର୍ଜୁନଙ୍କୁ ନନ୍ଦପୁରର ରାଜା ପରାସ୍ତ କରି ଏ ଦେଶର ନାମ ମଲ୍ଲିକ-ମର୍ଦ୍ଦନ ଗିରି ରଖିଥିଲେ ଯାହା ପରେ ବଦଳିଯାଇ ମାଲକାନଗିରି ହୋଇଅଛି ।