Tuesday, August 16, 2022

•ଇଂରେଜମାନଙ୍କ ଦ୍ଵାରା ଓଡ଼ିଆ ଲୋକଙ୍କ ଶୋଷଣର କାହାଣୀ•


ଇତିହାସରୁ ଜଣାଯାଏ ଯେ ପୃଥିଵୀର ଅଳ୍ପ କେତୋଟି ଜାତିର ଲୋକେ ଵିଶ୍ଵର ଵିଭିନ୍ନ ଦେଶ ଵା ଭୂଭାଗରେ ଶାସନ କରିଥିଲେ ଵା ଉପନିଵେଶ ସ୍ଥାପନ କରିଥିଲେ । ରୋମାନ,ଆରବୀ,ଚୀନା ଓ ଭାରତୀୟ ତଥା ଭାରତୀୟ ତନ୍ମଧ୍ୟରେ ଅନ୍ୟତମ । ଭାରତୀୟ ଜାତିମାନଙ୍କ ମଧ୍ୟରେ ଆଷ୍ଟ୍ରୋଏସୀୟମାନେ ପ୍ରଥମେ ଆଜକୁ ତିରିଶରୁ ଚାଳିଶ ହଜାର ଵର୍ଷ ତଳେ ଭିଏତନାମଠାରୁ ଆରମ୍ଭ କରି ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜ ଯାଏଁ ଵ୍ୟାପି ଯାଇ ସେସବୁ ଅଞ୍ଚଳରେ ସ୍ଥାୟୀ ଅଧିଵାସୀ ହୋଇଥିଲେ । ସେମାନେ କଳିଙ୍ଗ ଦେଶର ଆଦିମ ଅଧିଵାସୀ ମୁଣ୍ଡା ଶଵରମାନଙ୍କ ଜାତିଭାଇ । ହଜାର ହଜାର ଵର୍ଷ ପରେ ସେହି କଳିଙ୍ଗର ଲୋକେ ଵର୍ମା, ଶ୍ରୀଲଙ୍କା,ମାଳୟ, ଇଣ୍ଡୋନେସିଆ, ଫିଲିପାଇନ୍ସ ଆଦି ଦେଶମାନଙ୍କରେ ଉପନିଵେଶ ସ୍ଥାପନ କରିଥିଲେ । 

ପୁଣି ଏକ ଯୁଗ ଆସିଲା ୟୁରୋପରୁ ଦଳ ଦଳ ହୋଇ ଵିଦେଶୀ ଆସି ସେହି ଭାରତରେ ଉପନିଵେଶ ସ୍ଥାପନ କରିଲେ । ସେସବୁ ମାନଵ ଜାତିଙ୍କ ମଧ୍ୟରେ ଶକ୍ତିଶାଳୀ ହୋଇ ଉଠିଲା ଇଂରେଜ ଜାତି । ଭାରତର ଵିଭିନ୍ନ ମାନଵଜାତି ଇଂରେଜ, ଫ୍ରେଞ୍ଚ୍ ଓ ଅନ୍ୟାନ୍ୟ ୟୁରୋପୀୟ ଜାତିମାନଙ୍କ ଵିପକ୍ଷରେ ଆନ୍ଦୋଳନ କରିଥିଲେ କିନ୍ତୁ ଗୋଟିଏ ଭାରତୀୟ ଜାତି ସର୍ଵାଧିକ ୧୦୦ରୁ ଉର୍ଦ୍ଧ୍ବ ଵର୍ଷ ଧରି ଇଂରେଜମାନଙ୍କ ଵିପକ୍ଷରେ ସଶସ୍ତ୍ର ଆନ୍ଦୋଳନ କରିଥିଲା ସେହି ଜାତି ଥିଲା ଭାରତର ସବୁଠାରୁ ଶକ୍ତିଶାଳୀ ଜାତି କଳିଙ୍ଗୀ ଉତ୍କଳୀ ଵା ଓଡ଼ିଆ ଜାତି । 

ଵିଶେଷତଃ ଓଡ଼ିଶାର ଓଡ଼ିଆ ଜାତିର ଵୀରପୁରୁଷମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧାରଣ କରି ଆଜକୁ ୨୫୦ ଵର୍ଷ ତଳେ ସର୍ଵପ୍ରଥମେ ଘୁମୁସର ରାଜ୍ୟରେ ୧୭୫୬-୫୭ରେ ଆନ୍ଦୋଳନ କରିଥିଲେ । 

ଉଭୟ ଇଂରେଜ ଓ ଓଡ଼ିଆ ଜାତି ମଧ୍ଯରେ କେତେକ ସମାନତା ଓ ଅନେକ ଅସମାନତା ଅଛି ! ସମାନତା ଗୁଡ଼ିକ ଯଥା-  

(କ) ଉଭୟ ଜାତିର ନାମ ସ୍ବରଵର୍ଣ୍ଣରୁ ଆରମ୍ଭ ହୁଏ ଏଵଂ ଦୁଇଟିଯାକ ନାମ ତିନିଅକ୍ଷର ଵିଶିଷ୍ଟ !

 (ଖ) ଉଭୟ ଜାତିର ଲୋକ ଅତୀତରେ ଉପନିଵେଶ ସ୍ଥାପନ କରିସାରିଛନ୍ତି !

 (ଗ) ଇଂରେଜ ଜାତିର କିମ୍ବଦନ୍ତୀ ପାଖରେ କିଙ୍ଗ୍ ଆର୍ଥର ଥିଲାବେଳେ ଓଡ଼ିଆ ଜାତି ପାଖରେ ରାଜା ଇନ୍ଦ୍ରଦ୍ଯୁମ୍ନ ଅଛନ୍ତି ଏଵଂ ଉଭୟ ଦେଶର ଏହି ମହାନାୟକଙ୍କୁ ଵୈଦେଶିକ ଅଭିହିତ କରାଯାଇଛି ଅର୍ଥାତ୍ କିଙ୍ଗ୍ ଆର୍ଥର ରୋମାନ୍ ଓ ରାଜା ଇନ୍ଦ୍ରଦ୍ଯୁମ୍ନ ମାଳଵ ଦେଶର ବୋଲି ଲୋକଵିଶ୍ବାସ ଚଳେ ! 

(ଘ) ଉଭୟ ଦେଶରେ ରାଣୀ ଶାସିକା ହୋଇଛନ୍ତି ! 

(ଙ)ଉଭୟ ଦେଶରେ ତିନୋଟି ଲେଖାଏଁ ଦେଶର ସମନ୍ବୟ ଦେଖାଯାଏ !

 (ଚ) ଉଭୟ ଦେଶର ଭାଷା ଉପରେ ପଡ଼ୋଶୀ ଭାଷାଭାଷୀଙ୍କ ଆକ୍ରମଣ ହୋଇଛି ! ଇଂରାଜୀକୁ ମାରିଦେଵାକୁ ଫ୍ରେଞ୍ଚମାନେ ଚେଷ୍ଟା କରିଥିଲେ ସେହିପରି ଓଡ଼ିଆ ମାରଣ ପାଇଁ ହିନ୍ଦିଆ ବଙ୍ଗାଳୀ ତେଲେଙ୍ଗା ଆଦି ପୂର୍ଵେ ଓଡ଼ିଆ ଭାଷା ମାରି ଦେଵାକୁ ଅଣ୍ଟା ଭିଡ଼ିଥିଲେ ଆଜି ବି ଚେଷ୍ଟା କରୁଛନ୍ତି !

 (ଛ)ଉଭୟ ଜାତି ସମୁଦ୍ର ଯାତ୍ରାରେ ପ୍ରଵୀଣ ଥିଲେ ! 

 କେତୋଟି ମୁଖ୍ୟ ମୁଖ୍ୟ ସମାନତା ଛଡ଼ା ଅସାମନତା ଅନେକ । ଯଥା ଇଂରେଜମାନେ ଓଡ଼ିଆ ଲୋକଙ୍କର କଳା ଭାସ୍କର୍ଯ୍ୟ ସାହିତ୍ୟ ସଂସ୍କୃତି ସଭ୍ୟତା ଭାଷା ସଂଗୀତ ଏମନ୍ତକି ପ୍ରାଚୀନ ଗୌରଵମୟ ଅତୀତ ଦୃଷ୍ଟିରୁ ନିକୃଷ୍ଟ ଥିଲେ ।

ତେବେ ଓଡ଼ିଆ ଭଳି ଏକ ଶ୍ରେଷ୍ଠ ଜାତି ରାଜନୈତିକ ଆର୍ଥିକ ଦୃଷ୍ଟିରୁ ଦୁର୍ଵଳ ଥିଲାବେଳେ ଇଂରେଜମାନେ ଓଡ଼ିଶା ଆକ୍ରମଣ କରିଥିଲେ । 

ସେତେବେଳେ ସାରା ଭାରତରେ ଓଡ଼ିଆ ଏକମାତ୍ର ଜାତି ଥିଲା ଯେଉଁ ଜାତିର ଲୋକେ ୧୭୫୭ରୁ ୧୮୬୬ଯାଏଁ ଦୀର୍ଘ ୧୦୦ ଵର୍ଷ ଧରି ଇଂରେଜମାନଙ୍କ ଵିପକ୍ଷରେ ସଶସ୍ତ୍ର ସ୍ଵାଧୀନତା ସଂଗ୍ରାମ ଚଳାଇଥିଲେ ଏଵଂ ପରେ ଅସହଯୋଗ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ ସହସ୍ରାଧିକ ଓଡ଼ିଆ ଲୋକେ । 

ଅଵଶ୍ୟ ଓଡ଼ିଶାରେ ଇଂରେଜ ସରକାର ଵିପକ୍ଷରେ ଶହେ ଵର୍ଷର ସଶସ୍ତ୍ର ସ୍ଵାଧୀନତା ସଂଗ୍ରାମ ମଧ୍ୟରେ ଓଡ଼ିଆ ଜାତି ଶ୍ରୀହୀନ ହୋଇଯାଇଥିଲା । କିନ୍ତୁ ଓଡ଼ିଆ ଜାତିଠାରୁ ପ୍ରତିଶୋଧ ନେଵା ପାଇଁ ସେତେବେଳେ ଇଂରେଜମାନେ ଅନେକ ଅନୈତିକ କାର୍ଯ୍ୟକଳାପ କରିଥିଲେ । 

ପ୍ରଥମତଃ ସୂର୍ଯ୍ୟାସ୍ତ ଆଇନ ବଳରେ ବଙ୍ଗାଳୀଙ୍କୁ ଓଡ଼ିଶାର ଜମିଦାରୀ ଦେଲେ । ଏହି ବଙ୍ଗାଳୀ ଜମିଦାରମାନେ ଅଣଓଡ଼ିଆ ହୋଇଥିଵାରୁ ଓଡ଼ିଆ ଲୋକଙ୍କ ପ୍ରତି ତାଙ୍କର କୌଣସି ଅନୁକୁମ୍ପା କି ଆଦର ନଥିଲା । ସେମାନେ ଦୁଇଗୁଣ ଚାରିଗୁଣ କର ଆଦାୟ କରି ଓଡ଼ିଶାର ଲୋକମାନଙ୍କୁ ଶୋଷଣ କରି ଚାଲିଲେ । ଓଡ଼ିଶାର ଲୋକଙ୍କୁ ଆହୁରି ଦରିଦ୍ର କରି ଦେଵା ପାଇଁ ୧୮୧୦ରେ କଉଡ଼ିର ମୂଲ୍ୟ ହ୍ରାସ କଲେ ଆଉ ସମ୍ପୂର୍ଣ୍ଣ ପ୍ରଚଳନ ହଟାଇ ଦେଲେ । ୧୨୧୦ କଉଡି଼କୁ ଏକ ରୌପ୍ୟ ମୁଦ୍ରା ମୂଲ୍ୟ ନିର୍ଦ୍ଧାରଣ କରି ଏଣେ ଅଣଓଡ଼ିଆ ଲୋକ ଲଗାଇ ୧୦୦୦୦ ,୨୦୦୦୦ କଉଡ଼ିକୁ ଏକ ରୌପ୍ୟ ମୁଦ୍ରା ପ୍ରଦାନ କରାଇଲେ । ଫଳରେ କାଲିର କୋଟିପତି ଓଡ଼ିଆ ରାତି ପାହିଲା କ୍ଷଣି ଦାଣ୍ଡର ଫକୀର ହୋଇଗଲା ।
ମରାଠା ଶାସନ ସମୟରେ ଓଡ଼ିଆ ଅଞ୍ଚଳ ତଥାପି କେତେକାଂଶରେ ଏକ ଥିଲା ଅଭିନ୍ନ ଥିଲା କିନ୍ତୁ ଇଂରେଜମାନେ ଓଡ଼ିଶାକୁ ଗୋଟିଏ ଦେଶ ନକରି ତିନି ଭାଗରେ ବାଣ୍ଟି ଦେଲେ ଏଵଂ ତିନୋଟି ଅଞ୍ଚଳରେ ମିଶେଇ ଦେଲେ । ନଵତାଳ ପ୍ରାସାଦ ଓ ବାରବାଟି ଦୁର୍ଗ ଭଳି ଅନେକ ପ୍ରାଚୀନ କଳିଙ୍ଗଦେଶୀୟ ଭାସ୍କର୍ଯ୍ୟ ଭାଙ୍ଗି ଦେଇ ତହିଁର ପଥର ନେଇ ବାଟଘାଟ ଗଢ଼ିଲେ । ରାସ୍ତା କରିଵା ବାହାନା ଥିଲା , ଓଡ଼ିଶାର ଲୋକମାନଙ୍କର ଜାତୀୟତାବୋଧ କ୍ଷୁଣ୍ଣ କରିଵା ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ଥିଲା । ଆଇନ ବଳରେ ଓଡ଼ିଆ ଜାତିର ଲୋକଙ୍କ ହାତରୁ ଅସ୍ତ୍ର ଛଡ଼ାଇ ନେଇଥିଲେ ପୁଣି କାଳେ ଓଡ଼ିଆ ଜାତିର କେହି ଵୀର ଜାତ ନହେଉ ଏଵଂ ଓଡ଼ିଆ ଗୋଟିଏ ଦୁର୍ଵଳ ଜାତି ବୋଲି ଭାରତରେ ପରିଚିତ ହେଉ ତେଣୁ ଭାରତୀୟ ବ୍ରିଟିଶ ସେନାରେ କଳିଙ୍ଗ ରେଜିମେଣ୍ଟ କି ବାଟାଲିୟନ କଲେ ନାହିଁ । କାଳେ ଭଵିଷ୍ୟତରେ ଓଡ଼ିଶାର ଲୋକେ ଓଡ଼ିଶାର ପ୍ରାଚୀନ ଗୌରଵପୂର୍ଣ୍ଣ ଇତିହାସ ପଢି଼ ସ୍ଵାଭିମାନୀ ହୋଇଯିବେ ସେଥିପାଇଁ ଓଡ଼ିଶାର ଇତିହାସକୁ ଭୁଲ୍ ଭାବରେ ଲେଖାଇଲେ । 

ଇଂରେଜ ଶାସନ କାଳରେ ଓଡ଼ିଆ ଲୋକଙ୍କୁ ବହୁ ମାତ୍ରାରେ ଦରିଦ୍ର ନିଃସ୍ଵ କଲାପରେ ସେମାନଙ୍କ ମଧ୍ୟରୁ ଖଟିଖିଆଙ୍କୁ ନେଇ ଓଡ଼ଶା ବାହାରେ ଦାଦନ/ଗିରମାଟିଆ ଶ୍ରମିକ କରେଇ ଖଟାଇଲେ । ଲକ୍ଷ ଲକ୍ଷ ଓଡ଼ିଆ ବର୍ମା, ଦକ୍ଷିଣ ଆଫ୍ରିକା ଓ ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜକୁ ଦାଦନ ଶ୍ରମିକ ଭାବେ ଚାଲାଣ ହେଲେ ।  

ଇଂରେଜ ଶାସନ କାଳରେ ଓଡ଼ିଶା ହୋଇଯାଇଥିଲା ଉପନିଵେଶର ଉପନିଵେଶ ଏଵଂ ଶୋଷକଗୋଷ୍ଠୀଙ୍କର ସ୍ଵର୍ଗ । ୧୮୧୪ରୁ ଭାରତରେ ରେଳପଥ ନିର୍ମାଣ ଆରମ୍ଭ ହେଲା ସତ କିନ୍ତୁ ତତ୍ପରେ ଶହେ ଵର୍ଷ ପର୍ଯ୍ୟନ୍ତ ଭାରତର ଅନ୍ୟାନ୍ୟ ଭୂଭାଗରେ ରେଳପଥ ବିଛାଇଲେ ସତ ଓଡ଼ିଶାରେ ରେଳର ଵିକାଶ କଲେନି । ୧୭୮୦ରୁ ୧୮୪୦ ଯାଏଁ ଲକ୍ଷ ଲକ୍ଷ ଜନଜାତୀୟ କଳିଙ୍ଗୀମାନେ ସଶସ୍ତ୍ର ସଂଗ୍ରାମ କରିଥିଵାରୁ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କଲେ । ଶହେ ଵର୍ଷ ଧରି ଓଡ଼ିଶାର ଶୋଷଣ କଲେ ସିନା ଭଲ କାମ କିଛି କଲେ ନାହିଁ । ଭାରତର ଅନ୍ୟାନ୍ୟ ଭୂଭାଗରେ ଵିଦ୍ୟାଳୟ ଖୋଲିଲେ ଓଡ଼ିଶାର ଲୋକଙ୍କୁ ଅର୍ଦ୍ଧ ଶତାବ୍ଦୀ ଧରି ଅପାଠୁଆ କରି ରଖିଲେ । ଏସବୁ ଥିଲା ଯୋଜନାବଦ୍ଧ କାରଣ ଓଡ଼ିଆମାନେ ଅଶିକ୍ଷିତ ରହିଲେ ବାହାର ଅଞ୍ଚଳରୁ ଲୋକ ଅଣେଇ ରାଜକର୍ମଚାରୀ କରି ଓଡ଼ିଆଙ୍କର ଶୋଷଣ କରି ଅତ୍ୟାଚାରିତ କରିଵା ଥିଲା ଇଂରେଜମାନଙ୍କର ମୂଳ ଲକ୍ଷ୍ୟ । ସେଥିପାଇଁ ୰ଶ୍ରୀରାଜୀଵ ଦିକ୍ଷୀତ ଥରେ କହିଥିଲେ ଇଂରେଜମାନେ ଯାହା କରୁଥିଲେ ତହିଁର ଯୋଜନା ପଚାଶ ଵର୍ଷ ଆଗରୁ ରହୁଥିଲା । ତେଣୁ ଓଡ଼ିଶାରେ ବଙ୍ଗାଳୀ ବିହାରୀ ରାଜକର୍ମଚାରୀଙ୍କର ଏକ ନଵ୍ୟଗୋଷ୍ଠୀ ଆସିଲା ଏଵଂ ସେମାନେ ଓଡ଼ିଶାର ଓଡ଼ିଆ ଜାତିର ଭାଷା ସଂସ୍କୃତିକୁ ଲୁପ୍ତ କରି ଦେଵାକୁ ଆପ୍ରାଣ ଉଦ୍ୟମ ଚଳାଇଲେ । 

ଅନେକ ଅକଥନୀୟ ଅତ୍ୟାଚାର କଲାପରେ ବି ଓଡ଼ିଆ ଲୋକଙ୍କ ପ୍ରତି ଇଂରେଜମାନଙ୍କ ରାଗ କମିଲା ନାହିଁ । କୃତ୍ରିମ ଖାଦ୍ୟାଭାଵ ଘଟାଇ ନ ଅଙ୍କ ଦୁର୍ଭିକ୍ଷ ସୃଷ୍ଟି କରାଇଥିଲେ । ମୂଳ ଉଦ୍ଦେଶ୍ୟ ଥିଲା ଓଡ଼ିଆ ଲୋକଙ୍କୁ ଭୋକ ଉପାସରେ ମାରି ଵର୍ତ୍ତିଯାଇଥିଵା ଲୋକଙ୍କୁ ଖାଦ୍ୟ ଦେଇ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ କରିଵା ଏଵଂ କିଛି ଲୋକ ଏହି ଚକ୍ରାନ୍ତରେ ଫସି ଛତରଖିଆ ହେଵାକୁ ଵାଧ୍ୟ ହେଲେ । 

କିନ୍ତୁ ଓଡ଼ିଆ ଜାତି ସହଜେ ନୋଇଁ ନଥାଏ ବୋଲି ଇଂରେଜମାନେ ଜାଣିନଥିଲେ । ଓଡ଼ିଶାର ଲୋକେ ଗାତ ଖୋଳି ତହିଁ ମଧ୍ୟରେ କଦଳୀ ପତ୍ର ପୁରାଇ ପଖାଳ ଭାତ ଖାଇ ରହିଗଲେ ପଛେ ଧର୍ମାନ୍ତରୀକରଣର ଶିକାର ହେଲେ ନାହିଁ । ଇଂରେଜମାନେ ବୁଝିଲେ ଓଡ଼ିଆଙ୍କ ଆତ୍ମା ଜଗନ୍ନାଥଙ୍କ ପାଖରେ ଅଛି । ଜଗନ୍ନାଥ ମନ୍ଦିରକୁ ଚର୍ଚ୍ଚ କରିଦେଲେ ସବୁ ଓଡ଼ିଆମାନେ ଆପେ ଖ୍ରୀଷ୍ଟିଆନ ହୋଇଯିବେ । 
ଜଗନ୍ନାଥ ମନ୍ଦିରକୁ ଅକ୍ତିଆର କରିଵା ପାଇଁ ତତ୍କାଳୀନ ଓଡ଼ିଶା ରାଜାଙ୍କୁ ମିଛ କେଶରେ ଜେଲ୍ ପଠାଇ ଦେଲେ ଏଵଂ ଶ୍ରୀମନ୍ଦିର ଭିତରେ ମୁସଲମାନ ସୈନ୍ୟ ମୁତୟନ କରିଦେଲେ । ସେତେବେଳେ ମଧୁବାବୁଙ୍କ ପ୍ରଚେଷ୍ଟା ଯୋଗୁଁ ଆଇନ ବଳରେ ଶ୍ରୀମନ୍ଦିର ରକ୍ଷା ପାଇଥିଲା । କଳିଙ୍ଗ ସାଗର ଵା ମହୋଦଧିକୁ ବଙ୍ଗୋପସାଗର ନାମ ଦେଇ ଓଡ଼ିଆ ଜାତିର ନୌଵାଣିଜ୍ୟ ପରମ୍ପରାର ଉପହାସ କଲେ । ଓଡ଼ିଶାର ବାଲେଶ୍ବରର ପିପିଲି ଭଳି ଏକାଧିକ ବନ୍ଦର ସୁନାମୀ ଯୋଗୁଁ ୧୮୦୩ରେ ଭାଙ୍ଗିଗଲା ସିନା ଇଂରେଜମାନେ କଳିଙ୍ଗ ଦେଶର ଉପକୂଳଵର୍ତ୍ତୀ ବନ୍ଦରଗୁଡି଼କର ଵିକାଶ ଓ ଉନ୍ନତି ପ୍ରତି ଆଦୌ ଧ୍ୟାନ ଦେଲେ ନାହିଁ। 

ଓଡ଼ିଶାରେ ଲୁଣମାରିଵା ୧୮୮୮ରେ ବନ୍ଦ କରି ଦେଇ ବାଲେଶ୍ବର ଭଦ୍ରକର ଲକ୍ଷ ଲକ୍ଷ ଲୋକଙ୍କୁ କର୍ମହୀନ କରିଦେଲେ ।  

ଇଂରେଜମାନଙ୍କର ଏହି ସବୁ କୁକୃତ୍ୟ ଯୋଗୁଁ ବଙ୍ଗାଳୀମାନେ ଶକ୍ତିଶାଳୀ ହୋଇ ଓଡ଼ିଆ ଭାଷା ମାରିଵା ପାଇଁ ଚକ୍ରାନ୍ତ ଆରମ୍ଭ କରିଦେଲେ ‌ । 

ଭାରତରେ ଇଂରେଜମାନଙ୍କ ଦ୍ଵାରା ସବୁଠାରୁ ଅଧିକ ଶୋଷଣର ଶିକାର ହୋଇଥିଵା ଓଡ଼ିଆ ଜାତିର ଅଭିଶାପ ମଧ୍ୟ ଫଳିଲା । ସୂର୍ଯ୍ୟ ଅସ୍ତ ହେଉନଥିଵା ପାପ ସାମ୍ରାଜ୍ୟ ଭାଙ୍ଗିଗଲା ଆଉ ଆଜି United Kingdom ନାଆଁରେ ନାମକୁ ମାତ୍ର ଗୋଟିଏ ଦେଶ ବୋଲାଉଥିଵା ବ୍ରିଟେନ ରାଷ୍ଟ୍ର ଵିଭାଜନର ଭୟରେ ସଂକ୍ରମିତ । ଯେଉଁ ଭାରତୀୟମାନଙ୍କ ଉପରେ ଏକଦା ଇଂରେଜମାନେ ଅତ୍ୟାଚାର କରୁଥିଲେ ଆଜି ସେହି ଭାରତୀୟମାନଙ୍କ ଵର୍ତ୍ତମାନ ବଂଶଜ ବ୍ରିଟେନର ବଡ଼ ବଡ଼ ପଦରେ ରହି ସେ ଦେଶକୁ ଚଳାଉଛନ୍ତି ।

Sunday, August 14, 2022

ଢେଙ୍କାନାଳର କଥା — ଭାଗ ୨ (ବଣିଆପଡ଼ାର ଧୀର ସାମନ୍ତ)

    

ଢେଙ୍କାନାଳରେ କରମୂଳ ଅଞ୍ଚଳରେ “ଦା” ଯୁକ୍ତ ଛଅଗୋଟି ଗାଆଁ ରହିଛି । ସେଗୁଡି଼କ ହେଲା — ଏଣଦା , କୁଶିଦା , ବରଦା , ଝାରଦା , ଆଙ୍କୁର୍ଦା ଓ କୋକୀଦା ।


ଢେଙ୍କାନାଳ ନିଵାସୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କ "ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି" ପୁସ୍ତକରେ ଏହି ନାମକରଣ ପଛର ଐତିହାସିକ କାରଣ ଲିପିବଦ୍ଧ କରିଛନ୍ତି ।‌ 


ଶ୍ରୀଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଏହି ପୁସ୍ତକ ଅନୁସାରେ ପୂର୍ଵେ କରମୂଳ ନଗରୀର ଦକ୍ଷିଣ ପାର୍ଶ୍ଵସ୍ଥିତ ଭୂଖଣ୍ଡ କରମୂଳ ରାଜ୍ୟଭୁକ୍ତ ଥିଲା କିନ୍ତୁ ବଣିଆପଡ଼ାର ଧୀର ସାମନ୍ତମାନେ ଏହି ଭୂଖଣ୍ଡର ଭୂମ୍ୟାଧିକାରୀ ବୋଲାଇ ଆପଣାକୁ ସ୍ଵାଧୀନ ଘୋଷଣା କରିଥିଲେ । ଡମରାଜା କଟକରେ ରାଜତ୍ଵ କରୁଥିଵା ନାଗ ବଂଶୀୟ ରାଜାମାନଙ୍କୁ ପରାସ୍ତ କରି ଧୀର କ୍ଷତ୍ରିୟଵୃନ୍ଦ ଏହି ରାଜ୍ୟ ଅଧିକାର କରିଥିଲେ ହେଁ କରମୂଳ ଅଧିପତିଙ୍କର ସାମନ୍ତ ଭୂମ୍ୟାଧ୍ୟାକାରୀ ରୂପେ ପରିଗଣିତ ହେଉଥିଲେ । କିନ୍ତୁ ପରେ ବଣିଆପଡ଼ାର ଧୀର କ୍ଷତ୍ରିୟ ବଂଶଜ ରାଜାମାନେ କରମୂଳ ରାଜାଙ୍କ ଦୁର୍ଵଳତାର ସୁଯୋଗ ନେଇ ଆପଣା ଅଞ୍ଚଳକୁ ସ୍ଵାଧୀନ ଘୋଷଣା କରିଦେଲେ ।

ଧୀର ରାଜବଂଶର ରାଜନ୍ୟଵୃନ୍ଦ ଶୈଵ ଧର୍ମାବଲମ୍ବୀ ଥିଲେ ବୋଲି ଜଣାଯାଏ । ବଣିଆପଡ଼ାରେ ସ୍ଥିତ ଶୈଵପୀଠ ସ୍ଵପ୍ନେଶ୍ଵର ମନ୍ଦିର ଏହି ବଂଶର କୀର୍ତ୍ତି । ଗଙ୍ଗାଧର ଧୀର ନାମରେ ଏହି ରାଜବଂଶର ଜଣେ ରାଜା ପଞ୍ଚରଥ ଶୈଳୀରେ ବଣିଆପଡ଼ାରେ ସପ୍ନେଶ୍ବର ମନ୍ଦିର ନିର୍ମାଣ କରିଵା ସହିତ ନୀତିନିଯୋଗ ଓ ଯାନିଯାତ୍ରା ନିମିତ୍ତ ଭୂସମ୍ପତ୍ତି ଖଞ୍ଜା କରିଥିଲେ ବୋଲି ମନ୍ଦିର ଗାତ୍ରରେ ଥିଵା ଉଲ୍ଲେଖରୁ ଜଣାଯାଏ । କିନ୍ତୁ ବଣିଆପଡ଼ା ଅଞ୍ଚଳରେ ସପ୍ନେଶ୍ବର ମନ୍ଦିର ଛଡ଼ା ଧୀରବଂଶର ଅନ୍ୟ କୌଣସି କୀର୍ତ୍ତି ଆଵିଷ୍କୃତ ହୋଇନାହିଁ । 


ହରିସିଂହ ବିଦ୍ୟାଧର ବଣିଆପଡ଼ାର ଏହି ଧୀର ସାମନ୍ତମାନଙ୍କୁ କର ଦେବାକୁ ସନ୍ଦେଶ ପଠାଇବାରୁ ଧୀର ସମାନ୍ତ ଚିଟାଉରେ ଲେଖି ପଠାଇଲେ ଯେ "ଵିନା ଯୁଦ୍ଧରେ ଆମ୍ଭେ ଛଦାମ ଦେବୁ ନାହିଁ ।" 

ଏଠାରେ ଛଦାମ ଶବ୍ଦ ସମ୍ବନ୍ଧରେ ସାମାନ୍ୟ ଆଲୋଚନା କରିଦେଲେ ଉଚିତ୍ ହେଵ । 
ଓଡ଼ିଆ ଭାଷାରେ ଏହି ଛଦାମ ଶବ୍ଦଟି ଅନେକ ଅର୍ଥରେ ପ୍ରୟୋଗ କରାଯାଏ । ପୂର୍ଵେ ଏକ ପଇସାର ଚାରିଭାଗରୁ ଏକଭାଗକୁ ଛଦାମ କୁହାଯାଉଥିଲା । ପରେ ଏକ ପଇସି ଦୁଇପଇସି ଇତ୍ୟାଦିର ପ୍ରଚଳନ ବନ୍ଦ ହୋଇଗଲା । ତହୁଁ କେତେକ ଅଞ୍ଚଳରେ ଚାରଣିକୁ ମଧ୍ୟ ଏକଟଙ୍କାର ଚାରିଭାଗରୁ ଭାଗେ ଅଂଶ ହୋଇ ଥିଵାରୁ ଛଦାମ କୁହାଯାଉଥିଲା । ପଇସାର ଚାରିଭାଗର ଭାଗେ ହୋଇଥିଵାରୁ ଛଦାମ ଅତି ଅଳ୍ପ ଅର୍ଥ ପରିମାଣକୁ ବୁଝାଇଥାଏ । ଫଳତଃ ଏହି ଛଦାମ ଶବ୍ଦଟି ଓଡ଼ିଆ ଭାଷାରେ ଅଳ୍ପ ଅର୍ଥରେ ପ୍ରୟୋଗ କରାଯାଏ ପୁଣି ଆଜି ବି ଯାଜପୁର ଜିଲ୍ଲାର କେତେକ ଗ୍ରାମାଞ୍ଚଳରେ "ସାମାନ୍ୟ ଟିକିଏ ମଧ୍ୟ" ଅର୍ଥରେ "ଛଦାମେ" ଶବ୍ଦ ଵ୍ୟଵହୃତ ହୋଇଥାଏ । ସମ୍ଭଵତଃ କ୍ଷୁଦ୍ରମ୍ ଶବ୍ଦ ସହିତ ଏହାର ସମ୍ପର୍କ ଥାଇପାରେ କାରଣ ଏହା ଏକଦା ଭାରତୀୟ ମୂଦ୍ରାର ସର୍ଵନିମ୍ନ ମୂଲ୍ୟ ଥିଲା । କଥିତ ଓଡ଼ିଆ ଶବ୍ଦକୋଷରୁ ଜଣାଯାଏ ଯେ ଛଦାମ ଶବ୍ଦଟି "ଟଙ୍କାପଇସା" ଅର୍ଥରେ ମଧ୍ୟ ପ୍ରୟୋଗ କରାଯାଏ । 

କିନ୍ତୁ ଏଠାରେ ଯୁଦ୍ଧ ଵିନା ଛଦାମ ଦେବୁ ନାହିଁ ଅର୍ଥ ସମ୍ଭଵତଃ ଵିନା ଯୁଦ୍ଧରେ କର ଵା ଧନ ଦେବୁ ନାହିଁ ହୋଇଥାଇପାରେ । ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କ ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି ପୁସ୍ତକରେ ଛଦାମ ଶବ୍ଦର ଅର୍ଥ ସ୍ପଷ୍ଟ କରିନାହାନ୍ତି । ସେ ଯାହା ହେଉ ବଣିଆପଡ଼ାର ଧୀର ସାମନ୍ତମାନଙ୍କଠାରୁ ଏଭଳି ପ୍ରତ୍ୟୁତ୍ତର ପାଇଵାରୁ କ୍ରୁଦ୍ଧ ହୋଇ ହରିସିଂହ ବଣିଆପଡ଼ା ଧୀର ସାମନ୍ତଙ୍କ ଵିପକ୍ଷରେ ଯୁଦ୍ଧ ଘୋଷଣା କରିଦେଲେ । କିଛି ଦିନ ଉତ୍ତାରୁ ଆଜିର ଗଁଦିଆ ନିକଟରେ ଦୀର୍ଘ ଦଶଦିନ ଧରି ଦୁଇପକ୍ଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଥିଲା । 

ଏହି ଯୁଦ୍ଧରେ ଧୀର ସାମନ୍ତ ପରାଜିତ ହୋଇ ପଳାୟନ କଲେ ଏଵଂ ପରଵର୍ତ୍ତୀ କାଳରେ ବ୍ରାହ୍ମଣୀ ଉତ୍ତର ତୀରସ୍ଥ ବଳରାମପୁରଠାରେ ଗଡ଼ ନିର୍ମାଣପୂର୍ଵକ ଏକ କ୍ଷୁଦ୍ର ରାଜ୍ୟ ଗଠନ କଲେ । ଏପଟେ 
ହରି ଵିଦ୍ୟାଧରଙ୍କ ବଣିଆ ପଡ଼ା ଅଞ୍ଚଳ ଵିଜୟ ପରେ କରମୂଳ ନଗରୀଠାରୁ କପିଳାସ ପୀଠ ପର୍ଯ୍ୟନ୍ତ ସମଗ୍ର ଭୂଖଣ୍ଡ କରମୂଳ ରାଜ୍ୟଧୀନ ହୋଇଥିଲା ।ଏହାଦ୍ଵାରା କରମୂଳ ରାଜ୍ୟ ତାହାର ପୂର୍ଵ ଗୌରଵ ଫେରି ପାଇଥିଲା । 

ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ମହାଶୟ ଏହାପରେ ତାଙ୍କର ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି ପୁସ୍ତକରେ ଢେଙ୍କାନାଳରେ ଗଁଦିଆ ନିକଟରେ ଥିଵା ଛଅଗୋଟି ଗ୍ରାମ ଯଥା: ପଦ ଏଣଦା , କୁଶିଦା , ବରଦା , ଝାରଦା , ଆଙ୍କୁର୍ଦା ଓ କୋକୀଦାରେ "ଦା' କାହିଁକି ଲାଗିଛି ତାହା ଉଲ୍ଲେଖ କରିଅଛନ୍ତି । 

ଶ୍ରୀମିଶ୍ରଙ୍କ ଅନୁସାରେ ଧୀର ସାମନ୍ତ ଵିନାଯୁଦ୍ଧରେ ଛଦାମ ଦେଵାକୁ ମନା କରିଥିଵାରୁ କରମୂଳ ରାଜା ହରିଵିଦ୍ୟାଧର ଵିଜିତ ଅଞ୍ଚଳରେ ଛଅ ଗୋଟି ‘ ଦା ’ ଯୁକ୍ତ ଗ୍ରାମ ସ୍ଥାପନ କରାଇଥିଲେ । ସେହି ଗ୍ରାମଗୁଡ଼ିକ ଅଦ୍ୟାଵଧି ମଧ୍ୟ ଵିଦ୍ୟମାନ । ଏ ଅଞ୍ଚଳରେ କିମ୍ବଦନ୍ତୀ ରହିଛି ଯେ ହରିଵିଦ୍ୟାଧର କପିଳାସ ଠାକୁରଙ୍କ କୃପାରୁ ଏହି ଅଞ୍ଚଳ ଜୟଲାଭ କରିଥିଲେ ତେଣୁ ସେ ରାଜା ସେହି ଗ୍ରାମଗୁଡ଼ିକ ଶିଖରେଶ୍ଵରଙ୍କ ସେଵା ପୂଜା ନିମିତ୍ତ ଦାନ କରିଥିଲେ । ଵର୍ତ୍ତମାନ ମଧ୍ୟ ସେହି ଗ୍ରାମମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଦେବୋତ୍ତର ଜମି ରହିଅଛି ବୋଲି ଶ୍ରୀଅନ୍ତର୍ଯ୍ୟାମୀ ମିଶ୍ର ମହାଶୟ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । 

କିନ୍ତୁ ଏଣଦା , କୁଶିଦା , ବରଦା , ଝାରଦା , ଆଙ୍କୁର୍ଦା ଓ କୋକୀଦା ଆଦି ଗ୍ରାମ ଛଡ଼ା ନିକଟସ୍ଥ ଯୋରନ୍ଦା ଓ ବାଲି ଯୋରନ୍ଦା ଗ୍ରାମର ନାମ ଶେଷରେ ମଧ୍ୟ ଦା ଵର୍ଣ୍ଣ ଥିଵା ଦୃଷ୍ଟିଗୋଚର ହୋଇଥାଏ । ସେହିପରି ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଆମର୍ଦା ବୋଲି ଏକ ଅଞ୍ଚଳ ରହିଛି ଏଵଂ ଓଡ଼ିଶାରେ ଏହି ଭଳି 'ଦା' ପଦଯୁକ୍ତ ଆହୁରି ଗ୍ରାମ ଥାଇପାରେ । 

ଆମର ଗାଆଁ ନାମ ସହିତ ପୁର,ପାଳ, ପାଲି,ପଡ଼ା,ସାହି,ସିଙ୍ଗା,ତୈଳା,ବେରଣା ଓ ପଦର ଆଦି ଯେତେ ଶବ୍ଦ ଯୁକ୍ତ ହୋଇଥାଏ ସେସବୁ ଏକ ଵିଶିଷ୍ଟ ସ୍ଥାନକୁ ଦର୍ଶାଇଥାଏ । ସମ୍ଭଵତଃ ଏହି "ଦା" ପଦଟି ସେହି ଧରଣର ଏକ ଶବ୍ଦ ହୋଇଥାଇପାରେ । 

••••••••••••••••••••••••••
ତଥ୍ୟ ଉତ୍ସ—
•ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
•ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି(ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର)
••••••••••••••••••••••••••
  

Thursday, August 11, 2022

ଗହ୍ମା ପୂର୍ଣ୍ଣିମାରେ ବଳଦେଵଙ୍କ ଜନ୍ମ ଉତ୍ସଵ ଓ ରକ୍ଷା ବନ୍ଧନ ପରମ୍ପରା

ଓଡିଶା ସମେତ ପୂର୍ଵଭାରତର ଵିଭିନ୍ନ ସ୍ଥାନରେ ଶ୍ରାଵଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାଵଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି ପୁରାଣରେ କଥିତ ଅଛି । ବଳରାମ ମଧ୍ୟ ବଳଦେବ, ବଳଭଦ୍ର, ଓ ହଳଧର ଆଦି ଵିଭିନ୍ନ ନାମରେ ପୂଜା ପାଆନ୍ତି । 


ଆଗେ କଳିଙ୍ଗୋଡ୍ରୋତ୍କଳରେ ଗହ୍ମାପୂର୍ଣିମା ଦିନ ବଳଦେଵ ଜୀଉଙ୍କ ଵିଶେଷ ପୂଜାର୍ଚ୍ଚନା ହେଉଥିଲା । ପରମ୍ପରା ଅନୁଯାୟୀ ପ୍ରତି ଶ୍ରାଵଣ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିର ଓ କେନ୍ଦ୍ରାପଡ଼ାର ବଳଦେଵ ଜୀଉ ଦେଉଳରେ ବଳଦେଵଙ୍କ ଜନ୍ମନୀତି ମହା ସମାରୋହରେ ପାଳିତ ହୋଇଥାଏ ।ଏହି ଦିନ ଗାଈ ଓ ବଳଦମାନଙ୍କୁ ପ୍ରଭୁ ବଳରାମଙ୍କ ପ୍ରତୀକ ଭାବେ ପୂଜା କରାଯାଇଥାଏ ।

ଗହ୍ମା ଶବ୍ଦ ଗୋମାତା ଶବ୍ଦରୁ ଆସିଛି ବୋଲି ଏକ ଲୋକପ୍ରିୟ ମତ ପ୍ରଚଳିତ । ଗାଈକୁ ହିନ୍ଦୁ ଶାସ୍ତ୍ରରେ ଗୋମାତା ବୋଲି କୁହାଯାଇଛି । ସମ୍ଭଵତଃ ଗୋମତା ଶବ୍ଦ କ୍ରମଶଃ ଗୋମା ଏଵଂ ପରେ ଗହ୍ମା ହୋଇଥାଇପାରେ । ଗାଭୀ ପୂଜନର ପର୍ଵ ହୋଇଥିଵାରୁ ଏମନ୍ତ ହୋଇଥିଵା ଅସମ୍ଭଵ ନୁହେଁ ।

ମତାନ୍ତରେ ଓଡ଼ିଆ ଗମାଇଵା କ୍ରିୟା ସହିତ ଗହ୍ମା ଶବ୍ଦ ସମୋଦ୍ଧୃତ ହୋଇଥାଇପାରେ । ଗମିଵା କ୍ରିୟାର ଅର୍ଥ ଗମନ କରିଵା ଵା ଯିଵା ଏଵଂ ଏହାର ଜିଣନ୍ତ ଧାତୁରୂପ ଗମାଇଵା ଅଟଇ । ଗମାଇଵା କ୍ରିୟାଟି ଅନ୍ୟଦ୍ଵାରା ଯିଵା,ଗତି କରାଇଵା, କାଟିଵା ଵା ଗତ କରିଵା,ପାରକରିଵା, ଅତିଵାହିତ କରିଵା, କଟାଇଵା,ହଜାଇଵା(ଗୁପ୍ତ ଧାତୁ),ଗମର କରିଵା ଵା ସଢ଼ାଇଵା ଅର୍ଥରେ ଆମ ଭାଷାରେ ପ୍ରୟୋଗ କରାଯାଏ । ଗହ୍ମାଡିଆଁ ସମୟରେ ପ୍ରଥମେ ଗୋଟିଏ ଅଣ୍ଡିରା ବାଛୁରିକୁ ନେଇ ଗମ୍ହାଵେଦୀକୁ ଡିଆଁଇ ଦେଵାର ଵିଧି ପ୍ରଚଳିତ ଏଵଂ ତତ୍ପରେ ମାନଵମାନେ ଵିଶେଷତଃ କିଶୋର/ଯୁଵକମାନେ ଗହ୍ମାଡିଆଁ କରିଥାନ୍ତି । ତେଣୁ ପ୍ରଥମେ ଲୋକେ ଅଣ୍ଡିରା ବାଛୁରୀକୁ ଗହ୍ମାଵେଦୀ ଡିଆଁଉଥିଵାରୁ ଗମାଇଵା କ୍ରିୟାର "ଅନ୍ୟଦ୍ଵାରା ଡିଆଁଇ ଗତି କରାଇଵା" ଅର୍ଥ ଘେନି ଗମା ଓ ପରେ ଗହ୍ମା ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵପର ହୃଦବୋଧ ହୁଏ । 


ଅନ୍ୟ ଏକ ମତ ଅନୁସାରେ ଗମା ଶବ୍ଦଟି ଆଗେ ମାଟିଗଦା ଵା ଉଚ୍ଚସ୍ଥାନ ଅର୍ଥରେ ପ୍ରୟୋଗ କରାଯାଉଥିଲା । ଏହାର ପ୍ରମାଣ ସ୍ବରୂପ ଆଜି ବି ଓଡ଼ିଶାରେ ବଡ଼ମୁଣ୍ଡିଆକୁ ଗହ୍ଭାମୁଣ୍ଡିଆ କୁହାଯାଏ ଏଵଂ ମାଟିଗଦା ତଥା ଉଚ୍ଚାସ୍ଥାନକୁ ଆଜି ମଧ୍ୟ ଗଡ଼ଜାତରେ ଗୁମା କୁହାଯାଏ ।‌ ଗହ୍ମାଡିଆଁ ସମୟରେ ଗହ୍ମାଵେଦୀ ମଧ୍ୟ ମାଟିଗଦାକୁ ନେଇ ଗଢ଼ାଯାଏ ତେଣୁ ହୁଏତ ଗହ୍ଭା,ଗୁମାର ମାଟିଗଦା ଵା ଉଚ୍ଚସ୍ଥାନ ଅର୍ଥ ଘେନି ଗହ୍ମାପୂର୍ଣ୍ଣିମା ଓ ଗହ୍ମାଡିଆଁର ନାମକରଣ କରାଯାଇଛି ।‌

ସେ ଯାହା ହେଉ ଆଗେ ନିଜ ନିଜ ଗୃହରେ ସମସ୍ତ ଉତ୍କଳୀୟ ପ୍ରଜା ଏହିଦିନ ଗାଈ ବଳଦମାନଙ୍କୁ ପୂଜା କରି ସେମାନଙ୍କୁ ପିଠା, ମିଷ୍ଟାନ୍ନ ଖୁଆଇଵା ସହ ସନ୍ଧ୍ୟାରେ ଗୃହ ସମ୍ମୁଖରେ ଘାସ ରଖୁଥିଲେ । ଚରିଵାକୁ ଯାଇଥିଵା ଗାଈ ଅପରାହ୍ନ ସମୟରେ ଫେରିଵା ବେଳେ ଲୋକେ ତାଙ୍କ ଦାଣ୍ଡଗୁଡି଼କରେ ରଖିଥିଵା ଘାସ ଖାଉଥିଲେ । ଆଜି ମଧ୍ୟ ଓଡି଼ଶାର କେତେକ ଅଞ୍ଚଳରେ ଏହି ପରମ୍ପରା ବଞ୍ଚିରହିଛି । 

ଗହ୍ମାପୂର୍ଣ୍ଣିମା ଦିନ ଗୋ (ଗାଭି)ଙ୍କ ପ୍ରତି ସାମାନ୍ୟତମ ଅନାଦର କରିବାକୁ ମଧ୍ଯ ସମସ୍ତଙ୍କୁ ବାରଣ କରାଯାଇଥାଏ । 


ଦକ୍ଷିଣ ଓଡ଼ିଶାର ଗ୍ରାମାଞ୍ଚଳରେ ଆଜି ବି ଗହ୍ମା ପୂର୍ଣ୍ଣିମାରେ ଗ୍ରାମ ପ୍ରାନ୍ତରରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇଵା ଆକାରର ମୃତ୍ତିକା ସ୍ତୁପ ନିର୍ମାଣ କରାଯାଏ । ସେହି ଵଳୀଵୃର୍ଦ୍ଧାକୃତି ମୃତ୍ତିକା ସ୍ତୁପକୁ ହିଁ ଗହ୍ମାଵେଦୀ କହିଥାନ୍ତି । 
 

 ଗହ୍ମାଵେଦୀ ନିକଟରେ ଗ୍ରାମର ସାଧାରଣ ବଳଦେବ ପୂଜା ଓ ଭୋଗ ହୁଏ ତଥା ଶେଷରେ ଗୋଟିଏ ଅଣ୍ଡିରା ବାଛୁରୀକୁ ଏ ସ୍ତୁପକୁ ଆଡ଼ବାଗରେ ଡିଆଁନ୍ତି । ଅଣ୍ଡିରା ବାଛୁରୀକୁ ଗହ୍ମାଵେଦୀ ଡିଆଁଇଵା ପରେ କିଶୋର ଯୁଵକମାନେ ଗହ୍ମାଵେଦୀ ଉପରୁ ଲମ୍ଫ ପ୍ରଦାନ କରନ୍ତି । ଏହିପରି ଭାବେ ଗହ୍ମାପୂର୍ଣ୍ଣିମା ପର୍ଵ ସହ ମନୋରଞ୍ଜନ ଧର୍ମୀ କ୍ରୀଡ଼ା ଗହ୍ମା ଡିଆଁ ପରମ୍ପରା ଯୋଡ଼ି ହୋଇଛି । ଗହ୍ମାଡିଆଁ ପରେ ସେଠାରେ ହୋଇଥିବା ଭୋଗକୁ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଏ । 


ଆଗେ ପୁରୀଜିଲ୍ଲାର ଶାସନମାନଙ୍କରେ ଗହ୍ମାପୂର୍ଣ୍ଣମୀ ଦିନ ଗହ୍ମାଵେଦୀଠାରେ ହୋଇଥିଵା ଭୋଗରୁ ପ୍ରତ୍ଯେକ ମହାଜନଙ୍କ ଭାଗ ଅନୁସାରେ ମହାଜନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଭାଗ ଅନୁସାରେ ବଣ୍ଟାଯାଉଥିଲା ଏଵଂ ଏହାକୁ ଗହ୍ମା ହକରା କୁହାଯାଉଥିଲା ।‌ ଗହ୍ମାପୂର୍ଣ୍ଣିମୀଦିନ ଗହ୍ମାଵେଦୀଠାରେ ବଳଦେଵଙ୍କୁ ଭୋଗ ହୋଇଥିଵା ହକରା ନେବାକୁ ଉପସ୍ଥିତ ହେଵାପାଇଁ ବ୍ରାହ୍ମଣଶାସନ ଗ୍ରାମଵାସୀ ମହାଜନମାନଙ୍କୁ ନାମସୂଚୀ ଅନୁସାରେ ଜଣ ଜଣ କରି ଆହ୍ବାନ କରାଯାଉଥିଲା । ଏହି ଵିଧିକୁ ଲୋକେ ଗହ୍ମା ଡାକରା କହୁଥିଲେ । ଉଲ୍ଲେଖଯୋଗ୍ୟ ଯେ ଵିଵାହର ପ୍ରଥମ ଵର୍ଷମଧ୍ୟରେ କୁମାର ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମା ଛଡ଼ା ଗହ୍ମାପୂର୍ଣ୍ଣିମୀଦିନ ଶଶୁରଘରକୁ ଯିଵାପାଇଁ ଜ୍ବାଇଁକୁ ନିମନ୍ତ୍ରଣ କରାଯିଵାର ପରମ୍ପରା ଓଡ଼ିଶାରେ ପ୍ରଚଳିତ ଥିଲା ଏଵଂ ତାକୁ ମଧ୍ୟ ଗହ୍ମାଡାକରା କୁହାଯାଉଥିଲା । 

ଗହ୍ମା ଶବ୍ଦଯୁକ୍ତ କେତେକ ଗଡ଼ଜାତିଆ ଶବ୍ଦ ରହିଛି ଯାହା ପ୍ରମାଣ କରେ ଯେ ଏକଦା ଗଡ଼ଜାତରେ ମଧ୍ୟ ଗହ୍ମା ପୂର୍ଣ୍ଣିମାରେ ଗୋପୂଜା ପରମ୍ପରା ବହୁପରିମାଣରେ ପ୍ରଚଳିତ ଥିଲା । 

ସମ୍ବଲପୁରରେ ତେଲୁଣି ଵା ତେଲଗୁଣି ପୋକକୁ ଗମାକୀଡ଼ା, ଗମିକୀଡ଼ା,ଗମ୍‌କିରା,ଗମ୍‌ପୋକ୍ ,କନ୍ଧମାଳରେ ଗମାପୁକ୍ ତଥା ଢେଙ୍କାନାଳ ଓ ଅନୁଗୋଳରେ ଗମିପୋକ କୁହାଯାଏ । ଏହି ତେଲୁଣି ପୋକ ସାଧାରଣତଃ ଶ୍ରାଵଣ ମାସରେ ବହୁପରିମାଣରେ ଦୃଶ୍ୟ ହୋଇଥାନ୍ତି । ସୂଚନାଯୋଗ୍ୟ ଯେ ଗଡ଼ଜାତରେ ଧାନରେ ଲାଗୁଥିଵା ଏକପ୍ରକାରର ଧଳାପୋକକୁ ଗହ‌୍‌ମା ପୋକ୍ କୁହାଯାଏ କାରଣ ଏହା ଗମୁଆ ଗମୁଆ ଗନ୍ଧଯୁକ୍ତ ହୋଇଥାଏ । ବହୁତ ସମ୍ଭଵ ଗହ୍ଭାପୂର୍ଣ୍ଣିମାର ଗହ୍ମା ଶବ୍ଦ ଆଧାରରେ ତେଲୁଣି ପୋକର ଗମ୍‌କିରା ଓ ଗମିପୋଟ ନାମ ରଖାଯାଇଥିଲା । ଏହାର ପ୍ରମାଣ ସ୍ବରୂପ ଆଉ ଏକ ଶବ୍ଦ ଆମ ଭାଷାରେ ରହିଛି । ଓଡ଼ିଶାରେ ଗହ୍ମାପୂର୍ଣ୍ଣିମୀ ସମୟକୁ ଗଛରେ ପାଚି ଯାଇଥିଵା ଛୋଟ ନଡି଼ଆକୁ
ଗହ୍ମାକଠା କୁହାଯାଏ । ନଡ଼ିଆ କଷି ହେଵାଠାରୁ ପାଚିଵା ପର୍ଯ୍ୟନ୍ତ ୧୦ ମାସ ସମୟ ଲାଗେ । ମାର୍ଗଶିର ମାସରେ ଯେଉଁ ନଡି଼ଆ କଷି ଧରି ଥାଏ ତାହା ସାଧାରଣତଃ ଛୋଟ ଓ ଅପୁଷ୍ଟ ହୋଇଥାଏ ଏଵଂ ତାହା ଗହ୍ମାପୂର୍ଣ୍ଣିମୀକୁ ତୋଳା ହେଵା ସମୟରେ ସାଧାରଣ ନଡ଼ିଆ ଅପେକ୍ଷା ଛୋଟ (କଠା) ଥିବା ଦେଖାଯାଏ ଫଳତଃ ଏ ଜାତୀୟ ନଡି଼ଆକୁ ଗହ୍ମାକଠା କୁହାଯାଏ । 

ତେବେ ଆଜି ଗହ୍ମାପୂର୍ଣ୍ଣିମା ସହିତ ଯୋଡ଼ି ହେଲାଣି ରକ୍ଷା ବନ୍ଧନ ପରମ୍ପରା । ଭାଇ ଭଉଣୀଙ୍କ ପଵିତ୍ର ସମ୍ପର୍କକୁ ନେଇ ରକ୍ଷାବନ୍ଧନର ପରିକଳ୍ପନା । ଵୈଦିକକାଳରେ ଗୁରୁଶିଷ୍ୟ ପରମ୍ପରାରେ ଗୁରୁଙ୍କ ଦ୍ଵାରା ଶିଷ୍ୟକୁ ସୂତ୍ର ବନ୍ଧନର ପରମ୍ପରା ପ୍ରଚଳିତ ଥିଲା । କେତେକ ଗବେଷକଙ୍କ ମତରେ କ୍ରମଶଃ ସେହି ପରମ୍ପରା ପରିଵର୍ତ୍ତିତ ହୋଇ ରକ୍ଷାବନ୍ଧନର ରୂପ ନେଇଅଛି । ସେହିପରି ଯୁଦ୍ଧକ୍ଷେତ୍ରକୁ ଯାଉଥିଵା ଵୀର ହସ୍ତରେ ଭାରତୀୟ ସଧଵାମାନେ ରକ୍ଷାସୂତ୍ର ବାନ୍ଧୁଥିଲେ । ଯୁଦ୍ଧକୁ ଯାଉଥିଵା ଵୀରଙ୍କ ହସ୍ତରେ ଏହି ରକ୍ଷା ସୂତା ବାନ୍ଧି ତାଙ୍କ ମଙ୍ଗଳ ତଥା ବିଜୟ କାମନା କରାଯାଉଥିଲା । ଏହି ପରମ୍ପରା ଆଧାରରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାର ପରମ୍ପରା ପ୍ରଚଳିତ ହୋଇଥିଵା ଅନୁମାନ କରାଯାଏ । ଆମ ତଥାକଥିତ ସମାଜରେ ନାରୀ ସର୍ଵଦା ଅବଳା ଓ ଦୁର୍ଵଳା ଭାବେ ଵିଵେଚିତ ହୋଇ ଆସିଛି ତେଣୁ ତା’ର ସୁରକ୍ଷା ନିତାନ୍ତ ଆଵଶ୍ୟକ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଦେଇ ତା’ର ସୁରକ୍ଷା କାମନା କରିଥାଏ । ମତାନ୍ତରରେ ଭାଇର ସୁରକ୍ଷା ପାଇଁ ଭଉଣୀ ଭାଇର ହାତରେ ରକ୍ଷାସୂତ୍ର ବାନ୍ଧି ଦିଏ । ଭାଇ ଭଉଣୀର ଏହି ଅନାଵିଳ ପ୍ରେମରୁ ରକ୍ଷା ବନ୍ଧନର ସୃଷ୍ଟି । ଏ ରକ୍ଷା ସୂତ୍ର ସମ୍ପର୍କର, କର୍ତ୍ତଵ୍ୟବଦ୍ଧତାର, ସ୍ନେହ ପ୍ରେମର, ସୁରକ୍ଷାର ଓ ଭରସାର ସେତୁ ଅଟଇ ।

କିନ୍ତୁ ଓଡ଼ିଶାରେ ଆଜକୁ ପ୍ରାୟ ୬୦-୭୦ ଵର୍ଷ ତଳେ ରକ୍ଷାବନ୍ଧନ ଏତେ ଲୋକପ୍ରିୟ ହୋଇନଥିଲା । ଭାଇମାନଙ୍କ ପାଇଁ ତାଙ୍କ ଭଉଣୀମାନେ କାର୍ତ୍ତିକ ଶୁକ୍ଳ ଦ୍ଵିତୀୟା ଦିନ ଯମ ଦ୍ଵିତୀୟା ଓଷା ଵା ଭାତୃଦ୍ବିତୀୟା ବ୍ରତ ରଖୁଥିଲେ । ଏହା ହିନ୍ଦୀ ଭାଷୀ ଅଞ୍ଚଳର ଭାଇଦୁଜ ବ୍ରତ ଭଳି ଏକ ପ୍ରକାରର ବ୍ରତ ଥିଲା । କେତେକ ଗଵେଷକଙ୍କ ମତରେ ପଶ୍ଚିମଭାରତର ଗାଣପତ୍ୟ ପନ୍ଥରୁ ଅନୁପ୍ରାଣିତ ହୋଇ ପ୍ରଥମେ ଉତ୍ତରଭାରତ ତଥା ବଙ୍ଗରେ ରକ୍ଷାବନ୍ଧନ ଆରମ୍ଭ ହୋଇଥିଲା କିନ୍ତୁ ଆଉ କେତେକ ଗଵେଷକ ଏହି ମତକୁ ଖଣ୍ଡନ କରନ୍ତି । କୁହାଯାଏ ପଶ୍ଚିମ ଭାରତରୁ ଲୋକପ୍ରିୟ ହୋଇ ଉତ୍ତରଭାରତରେ ପ୍ରଚଳିତ ହୋଇ ବଙ୍ଗ ଦେଇ ଓଡ଼ିଶାକୁ ଆସିଲା ରକ୍ଷାସୂତ୍ର ବନ୍ଧନର ନଵ୍ୟ ପରମ୍ପରା । ବୋଧହୁଏ ଓଡିଶାରେ ଵୈଷ୍ଣଵ ସମ୍ପ୍ରଦାୟର ପ୍ରଭାଵରେ ପରେ ଶ୍ରୀଜଗନ୍ନାଥ ମନ୍ଦିରରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯାଉଅଛି । ଆଜକୁ ଚାଳିଶ ପଚାଶ ଵର୍ଷ ତଳେ କେଵଳ ଓଡ଼ିଶାର ନଗରଵାସୀ ଧନୀକ ଧାର୍ମିକ ବୁଦ୍ଧିଜୀଵୀମାନଙ୍କ ମଧ୍ୟରେ ହିଁ ରକ୍ଷାବନ୍ଧନ ସୀମିତ ଥିଲା । ଓଡ଼ିଶାରେ ପ୍ରଥମେ ପ୍ରଥମେ ଯେତେବେଳେ ରକ୍ଷାବନ୍ଧନ ଆସିଲା ଓଡ଼ିଆ ଲୋକେ ତାହା ସମ୍ପୂର୍ଣ୍ଣ ଵୈଦିକ ରୀତିନୀତିରେ ପାଳନ କରୁଥିଲେ । 

ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ ସୂତାକୁ ଶୁଦ୍ଧ ହଳଦୀଜଳରେ ବୁଡ଼ାଇ ଭଉଣୀମାନେ ତାଙ୍କ ଭାଇଙ୍କ ହାତରେ ରକ୍ଷାସୂତ୍ର ବାନ୍ଧୁଥିଲେ ।
ସେ ଦିନିଆ ରେଶମ ଡୋରିର ଵ୍ୟଵହାର ରକ୍ଷାବନ୍ଧନପାଇଁ ହେଉନଥିଲା କାରଣ ଲୋକ ଭାବୁଥିଲେ ଗୋଟାଏ ଜୀଵକୁ ମାରି ତା’ର ମୃତ ଶରୀରରୁ ଉତ୍ପାଦିତ ସୂତା ଭଲା କାହାର କିପରି ରକ୍ଷା କରି ପାରିଵ ! 

କ୍ରମେ ବଲିଉଡ ତଥା ଓଲିଉଡ ଚଳଚ୍ଚିତ୍ରରେ ରକ୍ଷାବନ୍ଧନ ପରମ୍ପରାର ପ୍ରଚାର ପ୍ରସାର ଯୋଗୁଁ ଆଜି ଓଡ଼ିଶାର ଘରେ ଘରେ ଲୋକେ ତହିଁରୁ ପ୍ରଭାଵିତ ହୋଇ ରାକ୍ଷୀ ବାନ୍ଧିଵା ଆରମ୍ଭ କରିଛନ୍ତି । 

ମାତ୍ର ସ୍ବାଧୀନତା ପରେ ପରେ ଦୂରଦର୍ଶନ, ଅଲ୍ ଇଣ୍ଡିଆ ରେଡିଓ, ସମ୍ବାଦପତ୍ର, ସାହିତ୍ୟ କୃତି, ଚଳଚ୍ଚିତ୍ର ଆଦି ଗଣମାଧ୍ୟମରେ ପ୍ରଚାର ଯୋଗୁଁ ଓଡ଼ିଆଙ୍କ ପାଇଁ ଆଜି ଗହ୍ମାପୂର୍ଣିମାଟା ରାକ୍ଷୀପୂର୍ଣ୍ଣିମା ହୋଇଯାଇଛି । ଆଜି ପରିସ୍ଥିତି ଏଭଳି ହୋଇଛି ଗହ୍ମା କହିଲେ କେତେକ ଲୋକ ରାକ୍ଷୀ ବୋଲି କହୁଛନ୍ତି କିନ୍ତୁ ପ୍ରକୃତରେ ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ରାକ୍ଷୀ ସହିତ ଗହ୍ମାର କୌଣସି ସମ୍ପର୍କ ନାହିଁ ଅଧିକନ୍ତୁ ଗହ୍ମା ପୂର୍ଣ୍ଣିମା ଓଡ଼ିଶାର ନିଜସ୍ଵ ପାରମ୍ପରିକ ପର୍ଵ ଯାହା ଭାରତରେ ଅନ୍ୟତ୍ର ଦେଖିଵାକୁ ମିଳେନାହିଁ ।

•••••••••••••••••••••••••
ଶିଶିର ସାହୁ ମନୋଜ
କାମାକ୍ଷାନଗର, ଢେଙ୍କାନାଳ 
••••••••••••••••••••••••

Tuesday, August 9, 2022

ଢେଙ୍କାନାଳର କଥା — ଭାଗ ୧




ଢେଙ୍କାନାଳର "ଢେଙ୍କାନାଳ ସଦର" ବ୍ଲକରେ କେତେକ ପ୍ରାଚୀନ ଗ୍ରାମ ରହିଛି ତନ୍ମଧ୍ୟରୁ ନାଗେନା ଗ୍ରାମ ଅନ୍ୟତମ । ଆଜି ନାଗେନା ନାମଯୁକ୍ତ ଚାରୋଟି ଗ୍ରାମ ଢେଙ୍କାନାଳ ସଦରରେ ଥିଵା ଦେଖାଯାଏ । ଯଥା—
ବଡ଼ ନାଗେନା,ସାନ ନାଗେନା,ନାଗେନା ରୟତି ଓ ନାଗେନାଵସ୍ତି । ଆତିଣ୍ଡାର ପଶ୍ଚିମ ପାର୍ଶ୍ଵସ୍ଥ ଭୂଖଣ୍ଡରେ ଏହି ପ୍ରାଚୀନ ନାଗନା ନଗରୀ ଅଵସ୍ଥିତ । ଏକଦା ଏଠାରେ ନାଗ ବଂଶୀୟ ରାଜାମାନଙ୍କର ରାଜଧାନୀ ଥିଲା । ସମ୍ରାଟ ଶତ୍ରୁଭଞ୍ଜଙ୍କ ସମୟରେ ଏ ଅଞ୍ଚଳ ଓଡି଼ଶାର ଏକ ସମୃଦ୍ଧ ଓ ମହତ୍ତ୍ଵପୂର୍ଣ୍ଣ ଅଞ୍ଚଳ ପରିଗଣିତ ହେଉଥିଲା ‌।  

 ଗଙ୍ଗ ବଂଶୀ ଶାସକ ଅନଙ୍ଗଭୀମ ଦେଵଙ୍କ ରାଜତ୍ଵ ସମୟରେ ନାଗନାର ଶିଵ ମନ୍ଦିର ନିର୍ମାଣ ହୋଇଥିଲା ।  

କିମ୍ବଦନ୍ତୀ କହେ ଅନଙ୍ଗଭୀମ ଦେଵ ନାଗେନା ଗ୍ରାମ ନିକଟରେ ନିଜ ନାମରେ ଭୀମପୁର ବୋଲି ଏକ ଗ୍ରାମ ସ୍ଥାପନ କରାଇଥିଲେ ଯାହା ଆଜି ଭୂଇଁପୁର ଵା ଭୀଁପୁର ଗ୍ରାମ ନାମରେ ଜଣାଶୁଣା । କେହି କେହି କୁହନ୍ତି ଏହି ଗାଆଁରେ ଅନଙ୍ଗଭୀମ ଦେଵଙ୍କ ଜନ୍ମ ହୋଇଥିଲା । 

ସେହିପରି ଅନଙ୍ଗଭୀମ ଦେଵଙ୍କ ପୁତ୍ର ଲାଙ୍ଗୁଳା ନରସିଂହଦେଵ କପିଳାସ ମନ୍ଦିର ନିର୍ମାଣ କରି ସେଵାପୂଜା ନିମିତ୍ତ ନାଗେନା ଓ ଭୀମପୁର ଵା ଭୀଁପୁର ଜନପଦ ଦାନ କରିଥିଲେ । 

ସେହିଦିନ ଠାରୁ ଏହି ଅଞ୍ଚଳ ଗଜପତିଙ୍କ ପ୍ରତ୍ୟକ୍ଷ ଶାସନାଧୀନରେ ଅନେକ କାଳ ଯାଏଁ ଥିଲା । 

ତେବେ କାଳକ୍ରମେ କରମୂଳ ରାଜଗାଦୀରେ ଅରାଜକତାର ସୁଯୋଗ ଉଣ୍ଡି ପ୍ରାଚୀନ ନାଗବଂଶର ଜନୈକ ରାଜା ନାଗନା ସନ୍ନିକଟ ରୂପାବଳିଆ ପର୍ବତରେ ଏକ ଗିରିଦୁର୍ଗ ନିର୍ମାଣ କରି ଏହି ଅଞ୍ଚଳରେ କେତେକ ଵର୍ଷ ଶାସନ କଲେ ।

କରମୂଳ ରାଜ୍ୟର ରାଜା ହରିସିଂହ ଵିଦ୍ୟାଧର ସେହି ରୂପାବଳିଆ ପାର୍ବତ୍ୟ ଦୁର୍ଗସ୍ଥିତ ନାଗରାଜାଙ୍କୁ ଅଧୀନତା ସ୍ବୀକାର କରିଵାକୁ ବାର୍ତ୍ତା ପଠାଇଲେ । 

ନାଗରାଜା ଏହାର ପ୍ରତ୍ୟୁତ୍ତରରେ ଲେଖି ପଠେଇଲେ

  ‘ ‘ ହରିସିଂହ ବଣରେ ନୂଆ ରାଜା ହୋଇ ସିଂହ ପଣିଆ ଦେଖାଉଛନ୍ତି । ’ ’ 

ସେଇଠୁ ହରିସିଂହ ରାଗି ପାଚି ଅଵିଳମ୍ବେ ରୂପାବଳିଆ ପର୍ଵତ ଘେରାଉକଲେ । 

୧୫୩୯ ଖ୍ରୀଷ୍ଟାବ୍ଦରେ ବଣସିଂହ ଗ୍ରାମ ନିକଟ ରଣ ପ୍ରାଙ୍ଗଣରେ ଦୀର୍ଘ ଛଅଦିନ କାଳ ଯୁଦ୍ଧ ଲାଗିଲା । ଫଳସ୍ଵରୂପ ଏହି ଯୁଦ୍ଧରେ ରୂପାବଳିଆର ନାଗ ରାଜା ପରାସ୍ତ ଓ ନିହତ ହେଲେ । ତହୁଁ ପ୍ରାଚୀନ ନାଗନା ଅଞ୍ଚଳ କରମୂଳ ସାମ୍ରାଜ୍ୟ ଭୁକ୍ତ ହେଲା । 

ଏହି ପ୍ରାଚୀନ ଓ ସମୃଦ୍ଧ ଅଞ୍ଚଳ ରାଜ୍ୟର "ଅପର ଅଙ୍ଗ" ହୋଇଥିଵାରୁ ହରି ଵିଦ୍ୟାଧର ଏ ଭୂଖଣ୍ଡଟିର ନାମ "ଅପଙ୍ଗା" ରଖିଲେ । 

ରୂପାବଳିଆ ନାଗରାଜା ହରିସିଂହଙ୍କୁ ବଣରେ ନୂଆ ରାଜା ହୋଇ ସିଂହ ପଣିଆ ଦେଖାଉଛନ୍ତି ବୋଲି କହିଥିବାରୁ କରମୂଳ ଅଧିପତି ଯୁଦ୍ଧ କ୍ଷେତ୍ରରେ ବଣସିଂହ ଓ ନୂଆପଡ଼ା ନାମରେ ଦୁଇଟି ନୂତନ ଗ୍ରାମ ସ୍ଥାପନ କରିଥିଲେ ଏଵଂ ଏହି ଦୁଇଟି ଗ୍ରାମ ଭୂଇଁପୁର ଵା ଭୀଁପୁର ଗ୍ରାମ ନିକଟରେ ଅଵସ୍ଥିତ ।

Monday, August 8, 2022

ଥେବ୍ସ୍ ନଗର ପ୍ରତିଷ୍ଠାର କାହାଣୀ

ପ୍ରାଚୀନ Phoenicia ନଗରରେ Cadmus ନାମରେ ଜଣେ ରାଜକୁମାର ଥିଲେ ( ଏହି Phoenicia ନଗରକୁ ଲେବାନନ ଦେଶରେ ଚିହ୍ନଟ କରାଯାଇଛି) । 

ତାଙ୍କର ଭଉଣୀ Europaଙ୍କୁ Zeus ଅପହରଣ କରିଵାରୁ ସେ ନିଜର ଭଉଣୀକୁ ଫେରାଇ ଆଣିଵାକୁ ବାହାରି ପଡି଼ଲେ । ବହୁ କଷ୍ଟ ସ୍ବୀକାର ପୂର୍ଵକ ନାନା ଦୁଃଖ କଷ୍ଟ ସହି ସେ ଆଗକୁ ଆହୁରି ଆଗକୁ ବଢ଼ିଚାଲିଲେ । 

ବାଟରେ ଭଵିଷ୍ୟତଵାଣୀ ହେଲା 
ହେ Cadmus ! ତୁମେ ଏହି ଵିପଦପୂର୍ଣ୍ଣ ପଥ ମଧ୍ୟରେ ଯଦି କୌଣସି ଵିଚିତ୍ର ଚିହ୍ନ ଯୁକ୍ତ ଗାଭୀ ଦେଖ ତେବେ ସେହି ଗାଈ ଯେଉଁ ସ୍ଥାନରେ ଶୋଇଵା ଦେଖିଵ ସେଠାରେ ନିଶ୍ଚୟ ଗୋଟିଏ ନଗର ପ୍ରତିଷ୍ଠା କରିଵ । 

ରାଜକୁମାର Cadmus ଲେବାନନର Phoeniciaରୁ ଗ୍ରୀସ୍ ଦେଶର ଏକ ଜନଶୂନ୍ୟ ଅଞ୍ଚଳରେ ଆସି ପହଞ୍ଚିଲେ । 

ଗ୍ରୀସ ଦେଶ ଦେଇ ଯାଉଥିଵା ବେଳେ ସେ ଏକ ସ୍ଥାନରେ ଏକ ଵିଚିତ୍ର ଵର୍ଣ୍ଣା ଓ ଚିହ୍ନଯୁକ୍ତ ଗାଭୀ ଦେଖିଲେ । 

ତାଙ୍କର ଆକାଶଵାଣୀ କଥା ମନେ ପଡ଼ିଲା । ତେଣୁ Cadmus ସେ ଗାଈଟି ପଛରେ ଚାଲିଲେ । କିଛି ଦୂର ଯାଇ ଗାଈଟି ଏକ ସ୍ଥାନରେ ଶୋଇପଡି଼ଲା । Cadmus ସେ ସ୍ଥାନକୁ ଚିହ୍ନଟ କରି ସେଠାରେ ନଗର ପ୍ରତିଷ୍ଠା କରିଵାକୁ ମନେ ମନେ ସ୍ଥିର କଲେ । ସେ ନିଜର ଅନୁଚରମାନଙ୍କୁ ସେ ସ୍ଥାନରେ ଜଳ ଓ ଖାଦ୍ୟ ତଥା ସୁଵିଧା ଅସୁଵିଧା ଜାଣିଵାପାଇଁ ନିର୍ଦ୍ଦେଶ ଦେଲେ ।

 Cadmusଙ୍କ ଅନୁଚରମାନଙ୍କ ମଧ୍ୟରେ କେତେକ ନିକଟସ୍ଥ ଗୁମ୍ଫାରେ ଏକ ଡ୍ରାଗନ ହସ୍ତରେ ନିହତ ହେଲେ । ସେମାନଙ୍କ ଆର୍ତ୍ତଚିତ୍କାର Cadmus ଶୁଣିପାରିଲେ । ସେ ଦେଵୀ ଏଥିନାଙ୍କୁ ପ୍ରାର୍ଥନା କରି ସେହି ଦେଵୀଙ୍କ ସାହାଯ୍ୟ ତଥା ପରାମର୍ଶ ବଳରେ ନିଜର ଅସ୍ତ୍ରଶସ୍ତ୍ର ଧରି ଡ୍ରାଗନ୍ ସହିତ ଯୁଦ୍ଧ କରି ତାକୁ ମାରିଦେଲେ । ଡ୍ରାଗନ ମରି ଯିଵାରୁ ତାହାର ଦାନ୍ତଗୁଡ଼ିକୁ ଗୋଟିଏ ସ୍ଥାନରେ ପୋତି ଦିଆଗଲା । ଫଳରେ ଦାନ୍ତ ପୋତା ଯାଇଥିଵା ସ୍ଥାନରୁ ଅନେକ ଶକ୍ତିଶାଳୀ ପୁରୁଷ ଜାତ ହେଲେ ।

 ସେମାନେ ହାଵଭାଵରୁ ହିଂସ୍ର ଜଣାପଡ଼ୁଥିଲେ । ରାଜକୁମାର Cadmus ଏକାବେଳକେ ଏତେ ସଂଖ୍ୟକ ଵୀରମାନଙ୍କୁ ଦେଖି ସାଵଧାନତାର ଏକ ସ୍ଥାନରେ ଲୁଚିଗଲେ ଏଵଂ ମନରେ କିସ ଗୋଟେ ଵିଚାର କରି ସେମାନଙ୍କ ଉପରକୁ ପଥରଟିଏ ମାରିଦେଲେ । 

 
ଡ୍ରାଗନ ଦାନ୍ତରୁ ଜାତ ଶକ୍ତିଶାଳୀ ପୁରୁଷମାନେ ପଥର ମାଡ଼ ପାଇଁ ନିଜ ନିଜ ଭିତରେ ବାଡ଼ାବାଡି଼ ହୋଇଗଲେ ଏଵଂ ସେମାନଙ୍କ ଭୀଷଣ ରଣସଂଗ୍ରାମ ଯୋଗୁଁ ଚତୁର୍ଦିଗ ପ୍ରକମ୍ପିତ ହେଵାକୁ ଲାଗିଲା। ଶେଷରେ ସେମାନଙ୍କ ମଧ୍ୟରୁ ମାତ୍ର ପାଞ୍ଚଜଣ ଜୀଵିତ ବଞ୍ଚିଲେ ଏଵଂ ସେମାନଙ୍କୁ Cadmus ସହଜରେ ହରାଇ ଦେଲେ ।

 ତହୁଁ ପୂର୍ଵୋକ୍ତ ଗାଈଟି ଯେଉଁ ସ୍ଥାନରେ ଆସି ଶୋଇପଡି଼ଥିଲା ସେଠାରେ 
ରାଜକୁମାର Cadmus ଗୋଟିଏ ନଗର ସ୍ଥାପନ କଲେ ଏଵଂ ତାହାର ନାମ Thebes ରଖିଲେ । ଏହି Thebes ନଗର ଆଜିକାଲି ଗ୍ରୀସ୍ ଦେଶରେ Thiva ନଗର ଭାବେ ଵିଦ୍ୟମାନ । 


(ଆମ ଦେଶରେ ଵିଶେଷତଃ ଓଡ଼ିଶାରେ ତାଳଚେର,ବୋଡ଼ାସମ୍ବର ଭଳି କେତେକ ନଗର ପ୍ରତିଷ୍ଠାର କାହାଣୀ ଏହି ଧରଣର ହୋଇଥିଵା ଦେଖାଯାଏ । ୧୯୯୦ ଜାନୁଆରୀ ମାସରେ ପ୍ରକାଶିତ ଜହ୍ନମାମୁଁ ପତ୍ରିକା(ହିନ୍ଦୀ)ରେ Cadmusଙ୍କ ଵିଷୟରେ ଏହିପରି ଏକ କାହାଣୀ ପ୍ରକାଶିତ ହୋଇଥିଲା )

Friday, August 5, 2022

ସୁନାଵୋହୂ(ଫକୀରମୋହନ ସେନାପତି)


ରାମହରି ପଟ୍ଟନାୟକେ ଥିଲେ ପୋଲିସ୍‌ର ଦାରୋଗା । ସାଲେପୁର୍ ପ୍ରଗନା ଗୋପୀନାଥପୁର ଗାଁରେ ଜଣେ ଜଣାଶୁଣା ଲୋକ । ଭଲମନ୍ଦ କଥା ପଡ଼ିଲେ ଆଖପାଖ ଦଶଖଣ୍ଡ ଗାଁ ଲୋକ ପରାମର୍ଶ ଲୋଡ଼ିବାକୁ ତାଙ୍କ ପାଖକୁ ଧାଇଁ ଆସନ୍ତି । ପଞ୍ଚାୟତ ଲୋକେ ଚାହିଁ ବସିଥାନ୍ତି, ରାମହରି ବାବୁ ଆସିବେ, ତେବେ କଥା ପଡ଼ିବ । ବାବୁ ପେନ୍‌ସନ୍ ପାଇ ପାଞ୍ଚ ବର୍ଷଯାଏ ଘରେ ବସିଥିଲେ । ତାଙ୍କ ବିଯୋଗ ବେଳକୁ ପୁତ୍ର ଶିବସୁନ୍ଦରର ବୟସ ଦଶ । କନ୍ୟା ଚମ୍ପା ଦେଇକୁ ପାଞ୍ଚ ବର୍ଷ ପଶିଥିଲା । ବିଧବା ବିମଳା ଦେଈ ବଡ଼ ଦୟାବତୀ, ବଡ଼ ହେଙ୍ଗ୍ଲୀ, ବଡ଼ ସରଳା ଥିଲେ । ଏବେ ବଡ଼ ଦୁଃଖରେ ପଡ଼ି ବଡ଼ ଘରଣୀ ହଇ ପଡ଼ିଲେଣି । ପିଲା ଦିଓଟି ଆଉ ଘରକରଣା ସମ୍ଭାଳି ସମ୍ଭୁଳି ରଖିଥିଲେ । ରାମହରି ବାବୁଙ୍କର ଦରମା ଉପୁରି ସୁପୁରି ମିଶାଇ ବେଶ ଦଶଟଙ୍କା ରୋଜଗାର ଥିଲା । ହେଲେ କ’ଣ ହେଲା, ମଣିଷଟା ଥିଲେ ବଡ଼ ସାହାଖର୍ଚ୍ଚୀ, ତୁଚ୍ଛା ହାତରେ ମରିଛନ୍ତି । ବିମଳା ଦେଇ ଲୁଚାଛପା କରି ହାତରେ ଯେ ଦଶଟଙ୍କା ରଖିଥିଲେ, ଆଉ ଦେହର ଗହଣାଗାଣ୍ଠି ଦି’ଖଣ୍ଡ ବିକାବିକି କରି ଆଜିଯାଏଁ ଘର ଚଳାଇ ନେଲେ । ଆଉ ଆଉ ଖରଚ ଟାଣୁଟୁଣ କରି ପୁଅଟିର ପାଠ ପଢ଼ାରେ ସବୁ ସାରିଛନ୍ତି । ସବୁବେଳେ ବୋଲୁଥାନ୍ତି, ଶିବୁ ଦି’ଅକ୍ଷର ପଢୁ, ଦେହରେ ଗୁଣ ଥିଲେ କାଲି ସକାଳେ ଘରକରଣା କରି ବସିବ ଯେ ।

ଝିଅ ଚମ୍ପାଟି ଦେଖିବାକୁ ବେଶ ଡୌଲଡ଼ାଉଲ । ନାକଟି ଖଣ୍ଡଧାର ପରି ସିଧା । କଳା କଳା ବଡ଼ ବଡ଼ ଆଖି ଯୋଡ଼ିକ ଢଳ ଢଳ ଦିଶୁଥାଏ । ମୁଣ୍ଡର ଅଳକା ଆଉ ଦାନ୍ତଗୁଡ଼ିକ ସୁନ୍ଦର, ମୁହଁଟିକୁ ସୁନ୍ଦରମାନେ । କୁଙ୍କୁମ ବୋଳି ହେଲା ପରି ଦେହଟିର ରଙ୍ଗ । ଯିମିତି ରୂପ, ସିମିତି ଗୁଣ । ମା’ପାଖରୁ ବେଶ ରନ୍ଧାବଢ଼ା ଶିଖିଛି । ଆଉ ଗୁଣରେ ତାକୁ କେହି ବାରି ପାରିବ ନାହିଁ । ଶିବୁଭାଇ ଶ୍ରଦ୍ଧା କରି କିଛି ପାଠ ପଢ଼ାଇ ଦେଇଛନ୍ତି । ହାତରେ କାମ ପାଇଟି ନ ଥିଲେ ସଞ୍ଜବେଳେ ମା’ପାଖରେ ବସି “କୃପାସିନ୍ଧୁ ଭଜନ” ଆଉ “ଛାନ୍ଦମାଳା”ରୁ କେତେ ଗୀତ ବୋଲେ ।

ଶିବୁବାବୁ କଚେରିରେ କିରାଣୀଗିରି କାମ କରନ୍ତି । ଚାକିରି ଖଣ୍ଡିକ ପାଇଲା ଦିନରୁ ତାଙ୍କର ଇଚ୍ଛା, ଅଳ୍ପସଳ୍ପ ଦରମା ଦେଇ ପିଲାଭଳିଆ ଗୋଟିଏ ରୋଷେୟା ରଖିଲେ ମା’ ଟିକିଏ ଆରାମରେ ରହିବେ । ବିମଳା ଦେଈ ଶୁଣି ନିହାତି ନାରାଜ । ଚାଉଳ ଅଧସେରେ ଫୁଟାଇ ଦେଲେ ପାଇଟି ଛିଡ଼ିଲା, ପିଲାଟା କେତେ ଦରମା ପାଏ ଯେ ଖର୍ଚ୍ଚଟାଏ ବଢ଼ାଇ ବସିବ ।

ଦିନ ପାଣି ପରି ବହି ଯାଉଛି । ଆସନ୍ତା ବିଛା ଛ’ଦିନକୁ ଚମ୍ପାର ବାର ପୂରି ଯାଇ ତେର ବର୍ଷ ପଶିବ । ତେଣିକି ଚଉଦ ଯୋଡ଼ା ବୟସ ପଶିଲେ ବାହା ମନା । ଏହି ବର୍ଷ ବିଭା ନ ହେଲେ ନୁହେଁ । କରଣ ଘର ବୋଲି ଝିଅଟାକୁ ଥୁବୁଡ଼ୀ କରି ଘରେ ରଖିବା, ସେହିଟା ନିହାତି ନିଲଜପଣିଆ କଥା । ଘର ଭଲ, କନ୍ୟାଟି ସୁଲକ୍ଷଣୀ, ଭଲ ଭଲ ଜାଗାରୁ ଜବାବ୍ ଆସିଲାଣି । ବିମଳା ଦେଈଙ୍କର ତୁରନ୍ତ ଜବାବ୍, ନା । ଯେ ଯେତେ ବୁଝାଉ, ଏକା ରା-ନା ।

ଦିନେ ସଞ୍ଜବେଳେ ବିମଳା ଦେଈ ଅନୀ ପିଉସୀ ଆଉ ଶିବୁବାବୁଙ୍କୁ ପାଖରେ ବସାଇ ଆପଣା ମନ କଥା ଫିଟାଇ କହିଲେ, “ଦେଖ ପିଉସୀ, ଝିଅକୁ ଜୁଆଇଁ ନେଲେ ଗଲା, ଯମ ନେଲେ ମଲା । ବଡ଼ ଲୋକ ଦେଖି ଦୂରଦୂରାନ୍ତରକୁ ଝିଅଟାକୁ ପେଲି ଦେବି, ଆଉ ତ ଆଖିସୁଲଭ ଦେଖି ପାରିବି ନାହିଁ । କରଣକୁଳ, ଯେ ଗଲା, ଏକମୁହଁ । ସେହି ଗଲା । ମୋର ଦି’ଓଟି ଆଖି, ଗୋଟିଏ ଗଲେ କାଣୀ ହୋଇ ମରିଯିବି ଯେ । ଇମିତି ଆଖ ପାଖରେ ଦେବି ଯେ ଯିମିତି ଡାକି ଦେଲେ ଓ କରୁଥିବ । ଏ ତ ଗଲା ଗୋଟାଏ ବାଡ଼ । ଅସଲ କଥା ମୁଁ ସତ୍ୟ ଲଙ୍ଘିବି ନାହିଁ । ବାବୁମାନେ ଆଉ ବଉଳ ଚାଲି ଯାଇ ସ୍ୱର୍ଗରେ ଅଛନ୍ତି, ମୁଁ ନରକରେ ଘାଣ୍ଟି ହେଉଛି । ସତ୍ୟ ଲଙ୍ଘିଲେ ମୋତେ ନରକରେ ବି ଠାବ ହେବ ନାହିଁ ।

ରାମହରିବାବୁଙ୍କ ଚାରି ଘର ଛଡ଼ା ପଡ଼ୋଶୀ ନବଘନ ଦାସେ ପୋଲିସର ଜମାଦାର ଥିଲେ । ଗୋଟିଏ ଥାନ୍ତାରେ ଏକ ସଙ୍ଗରେ ଚାକିରୀରେ ତେରଦିନ ବିତି ଯାଇଥିଲା । ନବଘନବାବୁଙ୍କ କୁଟୁମ୍ୱ ମଧ୍ୟରେ ଭାର୍ଯ୍ୟା କମଳା ଦେଈ ଆଉ ଗୋଟିଏ ପୁଅ ଦିବାକର । ଦୁଇବାବୁଙ୍କ ମଧ୍ୟରେ ଯିମିତି ମନ ମିଳେ, ଖୁବ୍ ଭାବ, ଏଣେ ଘରଆଡ଼େ ବିମଳା ଦେଈ ଆଉ କମଳା ଦେଈଙ୍କ ମଧ୍ୟରେ ସିମିତି ମିଳାପ, ସିମିତି ଏକ ମନ । ଦୁଇଜଣ୍ ଯେତେବେଳେ ଭୁଆସୁଣୀ ଥିଲେ, ରୋଜ ସକାଳେ ବାଡ଼ି ଆଡ଼େ ପୋଖରୀ ତୁଠରେ ଘଡ଼ିଏ ଯାଏ ବସି ଦାନ୍ତ ଘଷନ୍ତି, ଆଉ ଦୁଃଖ ସୁଖ କଥା, ହସି ଖୁସି କଥା, ରନ୍ଧବଢ଼ା କଥା, ଘରକରଣା କଥା ହୁଅନ୍ତି । ଦୋଳପୂର୍ଣ୍ଣମୀ ଦିନ ଦୁଇ ଜଣ ଆମ୍ୱ ବଉଳ ବସିଲେ । ଚମ୍ପା ଯେତେବେଳେ ପେଟରେ ଥାଏ, କମଳା ଦେଈ କହିଲେ, “ବଉଳ, ତମର ଯେବେ ଗୋଟିଏ ଝିଅ ହେବ, ମୋ ଦିବୁକୁ ଦେବ ।” ବିମଳା ଦେଈ କହିଲେ, “ହଁ ବଉଳ, ଦେବି । କମଳା ଦେଈ, ସତ୍ୟ । ବିମଳା, ସତ୍ୟ । କମଳା, ସତ୍ୟ । ବିମଳା, ସତ୍ୟ । କମଳା, ସତ୍ୟ । ବିମଳା, ସତ୍ୟ ।” ତିନି ସତ୍ୟ ଉତ୍ତାରେ ଆଉ କ’ଣ କଥା ଥାଏ । ନବଘନ ବାବୁ, କମଳା ଦେଈ ଚାଲି ଯାଇଛନ୍ତି । ପୁଅ ଦିବାକର ଘରକୁ ଏକୁଟିଆ, ପିଲାଟା ଯୋଗ୍ୟ, ଇଂରାଜୀ ବି ଦି’ଅକ୍ଷର ଜାଣେ, ଯୁବା ବୟସ, ଦେଖିବାକୁ ସୁନ୍ଦର, କାକଟପୁର ଜମିଦାର ସିରସ୍ତାର ନାଏବ । ବିମଳା ଦେଈ ସେ ସତ୍ୟକୁ ହୃଦରେ ଲେଖି ରଖିଛନ୍ତି । କହିଲେ ମୁଁ ସତ୍ୟ ଲଙ୍ଘିବି ନାହିଁ, ଛେଉଣ୍ଡ ପିଲାଟିକି ଥାଏ କରିବି । ବିଭା ହୋଇଗଲା । ଦିବାକର ଚମ୍ପା ମାଣିକଯୋଡ଼ା ପରି ପରମ ସୁଖରେ ଘରେ ଥାନ୍ତି । ଦୁଇ ଜଣଙ୍କର ଏକ ମନ, ଏକ କଥା, ଏକ ଇଚ୍ଛା । ପୃଥିବୀରେ ସ୍ୱର୍ଗୀୟ ସୁଖ ଯଦି କିଛି ଥାଏ, ସେହିଟା ହେଲା ଦାମ୍ପତ୍ୟପ୍ରେମ ।

ମା’ ବିମଳା ଦେଈ ଏଣିକି ଅଡ଼ି ବସିଲେଣି, ଘରକୁ ବୋହୂଟିଏ ଆଣିବାକୁ ହେବ । ଦିନେ ରବିବାର, କଚେରି ବନ୍ଦ, ପୁଅ ଘରେ ଅଛି । ଶିବୁବାବୁ ବସି ଖଣ୍ଡିଏ ପୋଥି ପଢୁଥିଲେ । ବୁଢ଼ୀ ଧୀରେ ଧୀରେ ଯାଇ ପାଖରେ ବସିଲେ । କଅଁଳେଇ କଅଁଳେଇ କହିଲେ, “ଆରେ ବାପା ଶିବୁ । ଆଜିକି ପାଞ୍ଚ ବର୍ଷ ହେଲା ତୋ ସାଙ୍ଗରେ ଲାଗିଛି, କେତେ ଥର କହିଲି, ଶୁଣିଲୁ ନାହିଁ । ପହିଲୁ ପହିଲୁ କହିଲୁ, ପାଠ ପଢ଼ି ସାରିଲେ ବାହା ହେବୁ । ପଢ଼ା ସରିଲା । 

ଫେର୍ ଧରିଲୁ, ଚାକିରୀ କଲେ ବାହାଘର ହେବ । ଚାକିରୀ ବି ହେଲା । କାହିଁ, ବାହାଘରର ନା ଚର୍ଚ୍ଚା ବି ନାହିଁ । ମୋର କ’ଣ ଆଉ ବଳ ବୟସ ଆସୁଛିରେ । ମୁଁ କ’ଣ ଆଉ କାମ ପାଇଟିକି ପାରିବିକିରେ । ବିଦ୍ୟା ମା’ ସିନା ବାହାରଘର କାମ ପାଇଟି କରି ଦେଇଗଲା, ଭିତର ପାଇଟି ରନ୍ଧାବଢ଼ା କରୁଛି କିଏ ? ଏଣିକି ସଞ୍ଜ ହେଲା ତ ଆଖିକି କିଛି ଦିଶିବ ନାହିଁ, ପାଞ୍ଚ ଜାଗା ହାବୁଡ଼ି ପଡ଼ିବି, କାମ ପାଇଟି ହାତକୁ ଲାଗିବ ନାହିଁ । ଦିନେ ଦିନେ ଦିହପା’କୁ ଲାଗିଲେ ଚମ୍ପା ଆସି ଦି’ଟା ସିଝାସିଝି କରି ଦେଇଯାଏ, ସେ କ’ଣ ସବୁଦିନେ ଆସୁଥିବ ? ଯେତେ ହେଲେ ସେ ହେଲା ପରଘରୀ, ତା’ର ଫେର ଘରକରଣା ଅଛି ନା ! ପୁଣି ଘରକୁ ଏକୁଟିଆ, ଶାଶୁ ନଣନ୍ଦ କେହି ନାହିଁ ବୋଲି ସିନା ଯେତେବେଳେ ପାରେ ଧାଇଁ ଆସେ, ନୋହିଲେ କ’ଣ ଆସି ପାରନ୍ତା ? ଆଉ ଦେଖ, ତିନି ପ୍ରସ୍ତ ଘର, ମୁଁ ଗୋଟାଏ କଣରେ କେଉଁଠି ପଡ଼ି ରହିଥାଏ, ତୁ କଚେରିକୁ ବାହାରିଗଲେ ଘରଗୁଡ଼ାକ କିମିତିକା ଖାଁ ଖାଁ ଗୋଡ଼ାଏ । ଏଇ ଘର କ’ଣ ଥିଲା, କ’ଣ ହେଲା ! ହାଇରେ- ହା ! ମୁଁ ଆଉ କେତେ କାଳ ବଞ୍ଚି ରହିବି ରେ ? ମତେ ଟିକିଏ ଅନାରେ ଭଲା । ସେ ନାହାନ୍ତି ବୋଲି ସିନା, ତୁ କ’ଣ ଆଜିଯାଏ ଅଭିଆଡ଼ା ବସିଥାନ୍ତୁ ?” ବୁଢ଼ୀ ଆଉ କିଛି କହି ପାରିଲେ ନାହିଁ, ଧକେଇ ଧକେଇ କାନ୍ଦି ବସିଲେ, ସୁଁ ସୁଁ କରି ନାକ ପୋଛି ପକାଉଥାନ୍ତି ।

ମା’ଙ୍କ ଦୁଃଖ ଦେଖି ଶିବୁବାବୁଙ୍କ ମନରେ ଭାରି ଦୁଃଖ ହେଲା, ପୋଥି ଖଣ୍ଡିକ ମେଜ ଉପରେ ଥୋଇ ଦେଇ ଅନୀ ଆଈ ଦୁଆରକୁ ଚାଲିଗଲେ । ଅନୀ ଆଈ ଲେଖାଯୋଖାରେ ବିମଳା ଦେଈଙ୍କ ପିଉସୀ, ଶିବୁ ଆଉ ଚମ୍ପାକୁ କୋଳରେ କାଖରେ କରି ବଢ଼ାଇଛି । ବିମଳା ଦେଈ ତାକୁ ମା’ ପରି ମାନନ୍ତି, ଅନୀ ବି ବିମଳା ଦେଈଙ୍କୁ ଝିଅ ପରି ମଣେ, ଭଲ ପାଏ, ସବୁ କଥାରେ ସାହା ହୁଏ । ଅନୀ ଘର ଆଉ ବିମଳା ଦେଈଙ୍କର ପାଚିରୀ ଲଗାଲଗି, ଦୁଆର ଅଲଗା ଅଲଗା । ଅନୀ ଆଈ ବଂଶଲତା ଆମ୍ଭେମାନେ ପାଇ ନାହୁଁ, ଏଥକୁ ଉପର ପୁରୁଷର କାହାରି ପରିଚୟ ଦେବାକୁ ଅକ୍ଷମ । ବିଭାପ୍ରସଙ୍ଗରେ ଆଈ ନାତି ମଧ୍ୟରେ ଢେର କଥାଭାଷା ହେଲା । ଆଈ କହିଲେ, “ଆଚ୍ଛା ଶିବୁ, ତତେ ଗୋଟିଏ ଭଲ ସୁନ୍ଦରୀ ବୋହୂ ଆଣି ଦେବି, ମାଣିଆବନ୍ଧି ଲୁଗାଟିଏ ପିନ୍ଧାଇବୁ ଏକା ।”

ବୟସ ଥିବାବେଳେ ଅନୀ ଆଈ ବଡ଼ କଳିହୁଡ଼ି ଥିଲା । ପର ଉପକାର କରିବାକୁ, ଭାବ କରିବାକୁ ବି ଆଗ । ବୁଦ୍ଧିମତୀ, ଦରକାର ପଡ଼ିଲେ ଗୋଟାଏ ଠିକ୍ ବୁଦ୍ଧି ଫାନ୍ଦି ଦେବାକୁ ବି ଖୁବ୍ ପାରେ । ରାଣ୍ଡ ମାଇ-କନିଆଟିଏ ହେଲେ କ’ଣ ହେଲା, ଭୁଲ ଭଟକାରେ ଗାଁ ଲୋକେ ତାକୁ ପରାମର୍ଶ ପଚାରନ୍ତି ଉଛୁଣି ଆଈ ବଡ଼ ବୁଢ଼ୀ ହୋଇଗଲାଣି । ବାଡ଼ି ଖଣ୍ଡିଏ ଧରି ଠୁକୁର ଠୁକୁର କରି ବାହାରିଲା । ଦାଣ୍ଡ ଦୁଆରୁ “ରେ ବିମଳା ! ରେ ମା’ ବିମଳା !” ଡାକି ଡାକି ଯାଇ ଝିଆରୀ ପାଖରେ ବସିଲା । ଏ କଥା, ସେ କଥା, ଦୁଇଟା କଥା ବାଦେ କହିଲା, “ଆରେ ମା’ ! ଶିବୁ କହିଛି, ବାହା ହେବ । ହଁ, ଭଲଲୋକ ଘର ଝିଅଟିଏ ହୋଇଥିବ, ଦି’ଅକ୍ଷର ପଢ଼ିଥିବ, ଇମିତିକା କନ୍ୟାଟିଏ ପାଇଲେ ବାହା ହେବ ।” ଶିବୁ ବାବୁଙ୍କର ଆଉ ଗୋଟିଏ କଥା, କନ୍ୟାଟି ସୁନ୍ଦରୀ ହୋଇଥିବ, ଆଈ କିନ୍ତୁ ଏ କଥାଟା ଝିଆରୀକୁ କହିଲେ ନାହିଁ । ଏକା ଶିବୁ କିଆଁ, ସୁନ୍ଦରୀ କନ୍ୟା ବିଭା ହେବାକୁ କାହାର ଇଚ୍ଛା ନ ବଳେ । ପାଠକ ପାଠିକା ବୋଲନ୍ତୁ ଭଲା, କଥାଟା କ’ଣ ମିଛ ? ବିମଳା ଦେଈ ଆନନ୍ଦରେ ପିଉସୀକୁ କୁଣ୍ଢାଇ ପକାଇ କହିଲେ, “ପିଉସି, ତୁ ଟିକିଏ ଲାଗି ଯା’, ମୋର ଆଉ କିଏ ଅଛି ? ବାପଛେଉଣ୍ଡଟି ଲାଗି କିଏ ଧାଇଁବ ? ଯାହା କରିବେ ଜୁଆଇଁ ବାବୁ । ମୁଁ ତ କହିବି ନାହିଁ, ତୁ ଯା’ ତାଙ୍କୁ କହିବୁ, ସେ ଖୋଜା ଲୋଡ଼ା କରି ଘଟଣା କରି ଦିଅନ୍ତୁ । ଚମ୍ପାକୁ କହିବି, ସେ ବି ଜୁଆଇଁ ବାବୁଙ୍କୁ କହିବ । ଯେତେ ହେଲେ ସେଇଟା ହେଲା ପିଲାଲୋକ । କହି ଜାଣିବ ନାହିଁ, ତୁ ଯା’, ତାଙ୍କୁ ବୁଝେଇ ବନେଇ ବନେଇ କହିବୁ ।”

ଶିବୁବାବୁ ବର୍ତ୍ତମାନ ମହା ହଇରାଣରେ ପଡ଼ିଲେଣି । ଉଠୁଣୁ ବସୁଣୁ ଚମ୍ପା ତାଙ୍କ ସଙ୍ଗରେ ଲାଗିଛି ମୋ ଭାଇ ପାଇଁ ଗୋଟିଏ କନ୍ୟା ଠିକଣା କରି ଦିଅ । ଦିବୁବାବୁ ବାହାରୁ କୁଆଡୁ ବୁଲି ଆସି ଘରେ ଗୋଡ଼ ଦେଇଥିବେ କି ନାହିଁ, ଚମ୍ପା ଧାଇଁ ଆସି ପଚାରିବ “କ’ଣ, କନ୍ୟା ଠିକଣା ହେଲା ?” ମଲା ଯା’ । କନ୍ୟାଟାଏ କ’ଣ ପଡ଼ିଆରେ ପଡ଼ିଛି ଯେ ଧାଇଁ ଯାଇ ଗୋଟାଇ ଆଣିଲେ ହେଲା । ଚମ୍ପାଟା ଯୋକ ପରି ଲାଗି ରହିଛି ।

ଦିବୁବାବୁ ଜମିଦାର ନାଏବ । ମଫସଲର ଖବର ଜଣା । ପାଞ୍ଚ ଜାଗାକୁ ଖବର ପଠାଇଲେ । ଦୁଇପକ୍ଷରୁ ଲୋକ ଯା’ ଆସ କଲେ । କଥା ପଟିଲା ନାହିଁ, ଭାଙ୍ଗିଗଲା । ଶେଷରେ ପ୍ରସଙ୍ଗ ଚଳିଲା । ଦୁମଦୁମପୁରରେ କନ୍ୟାଟି ଘରଯୋଗା ହେଲାଣି । ବୟସ ସତର ବରଷ ଚାଲିଛି । ବିଧବାର ଝିଅ, ବଡ଼ଭାଇ ବଳରାମ ଦାସେ ଗାଁର ଅବଧାନ ।

ସବୁ ପ୍ରସଙ୍ଗ ଶିବୁବାବୁ ଟିକିଏ ମୋଡ଼ ମାଡ଼ ହେଉଥିଲେ । କନ୍ୟାଟି ବଡ଼ ଲୋକର ଝିଅ, ଆଉ ସୁନ୍ଦରୀ ହୋଇଥିବ, ଏଇଟା କିଏ ନ ଲୋଡ଼େ ? ହେଲେ, ସେଇଟା କ’ଣ ସମସ୍ତଙ୍କ କପାଳକୁ ଘଟିଥାଏ ? ବିଭା କଥାଟା ଜାଣ ପ୍ରଜାପତି ଘଟସୂତ୍ର କଥା, ତାଙ୍କ ନିର୍ବନ୍ଧକୁ କିଏ ମେଣ୍ଟିବ, କନ୍ୟା ଯେ ଈଶାଣରେ ଚାଉଳ ଦେଇଛି, ଧରି ବାନ୍ଧି ସେଇଠି କି ଯିବ । ଶିବୁବାବୁ ଆଖି ଫେରାଇ ଦେଖିଲେ, ଆଉ କେଉଁଠି ଠିକଣା ନାହିଁ । ଏଣେ ମା’ ହେଲେଣି ଅଥୟ । କ’ଣ କରିବେ, ରାଜି ହୋଇଗଲେ । ବିମଳା ଦେଈଙ୍କ ଆନନ୍ଦ ଦେଖେ କିଏ, ଭୋକିଲା ଲୋକକୁ ପେଜ ମନ୍ଦାକ ବି ଅମୃତ । ବୋହୂ ବୋହୂ ଭଜି ହେଉଥିଲେ, ବୋହୂ ଠିକଣା ହେଲା, ଆଉ କ’ଣ ? ଚମ୍ପା ମନରେ କଲା, ପାରିଲା ବୋହୂ ଆସିବ, ଏକାବେଳକେ ହାଣ୍ଡିଶାଳରେ ପଶିଯିବ, ମା’ ଖଲାସ ପାଇଲେ, ଭଲ ହେଲା ।

ଦିବୁବାବୁ ଖବର ଆଣିଲେ, କନ୍ୟା ଦେହ ବର୍ଣ୍ଣ ଟିକିଏ କଳା, ନାମ- ନିମା ! ନାମଟା ବିଚିକିଟିଆ କିଆଁ, ସେଥିର ମଧ୍ୟ ଖବର ଆସିଲା । କନ୍ୟାର ଉପର ଦୁଇ ଭାଇ ଲାଗ ଲାଗ ବାହୁଡ଼ିବା ବାଦେ କନ୍ୟାଟି ଜନ୍ମ ହେଲା । ମା’ ଦେଖିଲେ, କନ୍ୟାଟି ବଡ଼ ସୁନ୍ଦର, ଚମକି ପଡ଼ିଲେ, ଉପର ଦିଓଟି ସୁନ୍ଦର ପୁଅଙ୍କୁ ଯମ ନେଇ ଯାଇଛି, ଏ କନ୍ୟାଟିକୁ କାଳେ ଘେନିଯିବ, ନାମ ଦେଲେ ନିମ । ଅର୍ଥାତ୍ ନିମ ଭାରି ପିତା, ଯମକୁ ରୁଚିବ ନାହିଁ ।

ସେସବୁ କଥା ଯାଉ, ନିମା ସଙ୍ଗରେ ଶିବୁର ବିଭା ହୋଇଗଲା । ବଡ଼ ପ୍ରେମରେ, ବଡ଼ ଆନନ୍ଦରେ ଶାଶୁ ବୋହୂଟିକୁ ଘରକୁ ନେଲେ ।

ନୂଆବୋହୂଟି ଘରେ ପଶିଛି, ତାକୁ ହଠାତ୍ କିମିତି କିଏ କହିବ, ତୁ ଏ କାମ କର, ସେ କାମ କର । ବୋହୂଟି ଢାଙ୍କିଢୁଙ୍କି ହୋଇ ଘରେ ପଶିଥାଏ । ଚମ୍ପା ଆପଣା ଘର ବାସିପାଇଟି ସାରି ଆସି ବୋହୂକୁ ଉଠାଏ । ସାଙ୍ଗରେ ଘେନି ଯାଇ ଗାଧୁଆପାଧୁଆ କରାଇ ଆଣେ । ବିମଳା ଦେଈ ରନ୍ଧାବଢ଼ା କରି ଭାତ ପରଷି ଦିଅନ୍ତି, ବୋହୂ ଖାଇ ହାତ ଧୋଇ ଶୋଇପଡ଼େ । ବିଦାମା ଆସି ସଙ୍ଖୁଡ଼ି ବାସନ ଖଣ୍ଡ ଧୋଇ ପକାଏ ।

ପନ୍ଦର ଦିନ ଗଲା, ମାସେ ଗଲା, ଦି’ମାସ ବି ଗଲାଣି । କାହିଁ, ବୋହୂ ତ ଗମ୍ଭୀରାରୁ ବାହାରୁ ନାହିଁ । କାମ ପାଇଟି କିଛି କରୁ ନାହିଁ । ଚମ୍ପା ଦି’ଥର, ଚାରିଥର କହିଲାଣି, “ବୋହୂ ଉଠ, କାମ ପାଇଟିରେ ଲାଗ, ରନ୍ଧାବଢ଼ା କର, ତୁଚ୍ଛାଟା ବିଛଣାରେ ପଡ଼ିଛୁ କିଆଁ !” ବୋହୂ ଘାଲେଇ ଦିଏ, ଶୁଣି ନ ଶୁଣିଲା ପରି କିଛି କଥା କହେ ନାହିଁ । ମନରେ କଲା, କ’ଣ ? ମା’ କହିଛି, ମୋ ଗେରସ୍ତ ରୋଜଗାରିଆ, ମୁଁ ଏ ଘରେ ସାନ୍ତାଣୀ ! ଏ ଗୁଡ଼ାକ ମୋ ଘରେ ଖାଇବେ, କାମ ପାଇଟି କରିବେ ସିନା, ମୁଁ କିଆଁ ଗତର ଖଟାଇବି । ମା’ ଯେତିକି ଉପଦେଶ ଦେଇଥିଲା, ବୋହୂ ଭଲ କରି ମନରେ ରଖିଛି । ମା’ କହିଛି, ଶାଶୁକୁ ଅନାଇ କଥା କହିବୁ ନାହିଁ, ଠାରି ଠାରି ଦେବୁ । ବୋହୂ ଖାଇ ବସିଥାଏ, ଭାତ ତିଅଣ ଲୋଡ଼ା ହେଲେ କଂସା କି ଗିନାଟା ମାଟିରେ ଠୁକ୍ ଠୁକ୍ ମାରି ଠାରି ଦିଏ । ବୋହୂଟି ଟିକିଏ ଭୋକ କାଉଳି, ଭାତ ରନ୍ଧାରେ ଶାଶୁ ଟିକିଏ ଡେରି କଲେ ବୋହୂ ରୋଷେଇ ଘରକୁ ଯାଇ ହୁଁ ହୁଁ କରି ପେଟରେ ହାତ ହୁଲାଇ ଠାରି ଦିଏ । ବିମଳା ଦେଈ ବି ବୁଝିପାରନ୍ତି ବୋହୂଟିକୁ ଭୋକ ଲାଗିଲାଣି ।

ଚମ୍ପା ଆଉ ସହି ପାରିଲା ନାହିଁ । ବୋହୂକୁ ବକାବକି କଲାଣି । ବୋହୂ ବି କେତେ ସହିବ । କିଆଁ ସହିବ । ସେ ଯେ ଘରର ସାନ୍ତାଣୀ । ପହିଲୁ ପହିଲୁ ରାଗରେ ଗୁଇଁ ଗାଇଁ ହେଉଥିଲା, ଏଣିକି ସାଫ ଜବାବ୍ ଦେଲାଣି । ଦିନେ ଚମ୍ପା ଭାରି ରାଗି ଯାଇ ବୋହୂକୁ ଗାଳିଦେଲା । ବୋହୂ ବି ଗାଳି ଆରମ୍ଭ କଲା । ବିମଳା ଦେଈ ଧାଇଁ ଆସି କହିଲେ, “ନା ରେ ମା’ ଚମ୍ପା ! ଛୁଆଟା ମା’କୁ ଛାଡ଼ି ଆସି ମନ ଦୁଃଖରେ ଅଛି, ସବୁ କାମ ପାଇଟି ପଛେ କରିବ ଯେ । ଢୋଲ କାନ୍ଧରେ ପଡ଼ିଲେ ଆପେ ବଜାଇବ ।” ଚମ୍ପା କହିଲା, “ନାହିଁ ମା’ ! ଯେ ବୋହୂ ଦେଖୁଛି, ଢୋଲ ତ ଢୋଲ, ଢେଙ୍କି କାନ୍ଧରେ ପଡ଼ିଲେ ବି ହଲଚଲ ହେବାର ନୁହଁ ।”

ଦିନେ ଅନୀ ଆଈ ନାତୁଣୀକୁ ପଚାରିଲା, “କି ଲୋ ଚମ୍ପି । ତୁ ତ ବୋହୂକୁ ଏତେ ବୁଝାଉଛୁ, ଏଣିକି ଉଠି କାମ ପାଇଟି କଲାଣି ନା ।”

ଚମ୍ପା କହିଲା, “ନାହିଁ ଲୋ ଆଈ, ତୁ ଯେତେ ମାଠିବୁ ମାଠ, ସେ ତ ସେଇ ଦରପୋଡ଼ା କାଠ ।”

ରନ୍ଧା ବଢ଼ାରେ ଟିକିଏ ଉଛୁର ହେଲେ ବା ଆଉ କିଛି କଥାରେ ବୋହୂଟା ଶାଶୁ ସଙ୍ଗରେ ଭଟ୍ ଭଟ୍ ଲଗାଇଲାଣି । ହେଲେ, ବୋହୂ ତା’ ମା’ କଥା ଭୁଲି ନାହିଁ । ଶାଶୁ ମୁହଁକୁ ଚାହିଁ ଗାଳି ଦିଏ ନାହିଁ, ଓଢ଼ଣା ପଡ଼ିଥାଏ । ପଛ କରି ବରବର କରି ବକିଯାଏ ।

ବୋହୂର ଯେ ଏତେ ଗୁଣ, ଶିବୁବାବୁ ସବୁ ଜାଣନ୍ତି ନାହିଁ । ମା’ ତ କିଛି କହିବେ ନାହିଁ, ଚମ୍ପା ବି କିଛି କହେ ନାହିଁ । ହେଲେ ଘର କଥା ବାବୁ କ’ଣ ବୁଝି ପାରିବେ ନାହିଁ । ସବୁ ନ ଶୁଣନ୍ତୁ, କେତେ କେତେ କଥା ବୁଝିଲେଣି । ଏଣିକି ଚମ୍ପାକୁ ବଳେଇଲାଣି । ଭାଇଙ୍କୁ ସବୁ କଥା ନ କହିଲେ ନୁହେଁ । ଘରେ ଯେବେ କହେ, ମା’ ଧାଇଁ ଆସି ପାଟି ବନ୍ଦ କରାଇବ, ସବୁ କଥା କୁହାଇ ଦେବ ନାହିଁ ।

ଦିନେ ସଞ୍ଜବେଳେ ଅନୀ ଆଈ ଦୁଆରେ ନାତି ନାତୁଣୀ ଆଈ ତିନିହେଁ ବସି ଢେର ବେଳଯାଏ କ’ଣ ପରାମର୍ଶ କଲେ । ଅର୍ଥାତ୍ ସାଧୁଭାଷାରେ ଲେଖାଯିବ, କମିଟି ବସିଲା । ଏତେ ତୁନି ତୁନି କଥା ହେଲେ ଯେ, କେହି କିଛି ଜାଣିପାରିଲେ ନାହିଁ । ଶେଷରେ ଶିବୁ ବାବୁ କହିଲେ, ଅର୍ଥାତ୍ ରିଜଲ୍ୟୁଶନ୍ ପାସ୍ ହେଲା- ଦେଖ ଚମ୍ପା । ଆସନ୍ତା ଶୁକ୍ରବାର କତିରୁ ସୋମବାର ଯାଏ ଗୁଡ଼ଫ୍ରାଇଡ଼େ, ଚାରିଦିନ କଚେରି ବନ୍ଦ ହେବ, ସେହି ସମୟରେ ସବୁ କଥା ଠିକ୍ ଠିକଣା କରିବା ।

ଆଜି ଶୁକ୍ରବାର । ଜୁଆଇଁ ଦିବୁବାବୁ ସକାଳୁ ଉଠି କାକଟପୁର ଜମିଦାର ଘରକୁ ଗଲେଣି, ଦୁଇ ଦିନ ଆସିବେ ନାହିଁ । ଚମ୍ପା ଦୁଆରେ କଞ୍ଚି ଲଗାଇ ଦେଇ ମା’ ଘରକୁ ଅଇଲା । ଭାଇ ପିଣ୍ଡାରେ ବସିଥିଲେ, ଚମ୍ପାକୁ ଦେଖି ଟିକିଏ ହସି ଦେଇ ଦାଣ୍ଡପଟକୁ ଚାଲିଗଲେ । ଚମ୍ପା ଏକାବେଳକେ ବୋହୂ ବିଛଣା ପାଖକୁ ଚାଲିଗଲା । ବୋହୂର ନିଦ ଭାଙ୍ଗିଲାଣି, ତୁଚ୍ଛାଟାରେ ବିଛଣାରେ ପଡ଼ି ଏକଡ଼ ସେକଡ଼ ଗଡ଼େଇ ପଡ଼େଇ ହେଉଛି । ଚମ୍ପା ଭାରି ଖପା ହେଲାପରି ଗର୍ଜନ କରି କହିଲା, “କି ଲୋ ବୋହୂ । କିମ୍ଭୀରଟା ପରି ପେଟେ ଖାଇ ବିଛଣାରେ ପଡ଼ି ଗଡ଼େଇ ହେଉଛୁ, ଘରେ ପାଇଟି କରିବ କିଏ ଲୋ ? ତୁ ସାଙ୍ଗରେ କ’ଣ ଗୋଟାଏ ପୋଇଲୀ ଆଣିଛୁ କି ଲୋ ?” ଆଉ କ’ଣ ସମ୍ଭଳା ଯାଏ । ବୋହୂଟା ତ ସହଜରେ ଥିଲା ବଦ୍‌ରାଗୀ, ପୁଣି ତା’ର ବିଶ୍ୱାସ, ସେ ହେଲା ଘରେ ସାନ୍ତାଣୀ, ଏମାନେ କେହି ନୁହଁନ୍ତି । ଏଇଟା ପୁଣି ଆସି ଗାଳି ଦବ । କୋପରେ ଧଡ଼ପଡ଼ ହୋଇ ଉଠିଲା, ଲୁଗାଖଣ୍ଡ ସଜାଡ଼ି ପିନ୍ଧିବାକୁ ବେଳ ନାହିଁ, ମୁଣ୍ଡ ମୁକୁଳା, ଗର୍ଜନ କରି ଏକାବେଳକେ ଆରମ୍ଭ କରିଦେଲା, “ପୋଇଲି ! ନିଆଁ ଲଗି, ଦୂର ହୋ ! ମୋ ଘରୁ ଦୂର ହୋ ! ମୁଁ ତ ସାନ୍ତାଣୀ, ତୁ କିଏ ଲୋ ?” ଗାଳି ଦେଉଛି ତ ଦେଉଛି, ସେଇ କଥା ସେଇ କଥା ବାରବାର କହୁଛି । ଏଣେ ଚମ୍ପା ହସି ହସି ଯାଇ ମା’ ହାତରୁ ଛାଞ୍ଚୁଣିଟା ଛଡ଼ାଇ ନେଇ ଘର ପହଁରି ବସିଲା ।

ବିମଳା ଦେଈଙ୍କୁ କିଛି ଜଣାନାହିଁ । କଳି ଶୁଣି ଅଥୟ ହେଲେ । କଳିକୁ ସେ ବଡ଼ ଡରନ୍ତି, କଳି ଜାଗାରୁ ପଳାନ୍ତି । ଦାଣ୍ଡରେ କେହି କଳି କଲେ କବାଟ କିଳି ପକାନ୍ତି । ବୋହୂକୁ ତୁନି କରାଇବାକୁ ଆସୁଥିଲେ, ଚମ୍ପା ହାତ ଧରି ଭିଡ଼ି ଘେନିଗଲା ।

ବୋହୂଟା ଗର୍ଜି ଗର୍ଜି ଥକି ଯାଇ ଦୁଲକରି ବିଛଣାରେ ପଡ଼ିଗଲା । ତେତିକି ବେଳେ ଚମ୍ପା ପାଇଟି ଛାଡ଼ି ହସି ହସି ଆସି ଖୁବ୍ ଗୋଟାଏ କ୍ରୋଧ କଲା ପରି କହିଲା, “କାହିଁ ଗଲା ସେ ପୋଇଲୀ ନିଆଁଲଗୀ । ଛାଞ୍ଚୁଣିରେ ତା’ ମୁଣ୍ଡରେ ଦଶପାହାର ପିଟିବି । ଅଳପାଇସିଆଁ ନିଆଁ ଲଗା ତା’ ଭାଇକୁ ଧରି ଆଣି ଗୋଟି ଗୋଟି ଗଣି ଗଣି ତା’ ମୁଣ୍ଡରେ ବୋଡ଼ିଏ ଛାଞ୍ଚୁଣି ପିଟିବି ।” ପୁଣି ବୋହୂ ରାଗି ଉଠିଲା, ଚମ୍ପାକୁ ଗାଳି ଦେବାକୁ ଲାଗିଲା । ବିମଳା ଦେଈ ଧାଇଁ ଆସି କହିଲେ, “ନାହିଁରେ ମା’, ନାହିଁରେ, ତାକୁ ଗାଳି ଦେ ନାରେ ମା’, ତା’ ମା’ କତିରେ ନାହିଁରେ, ଶୁଣିଲେ କାନ୍ଦିବରେ ।” ଚମ୍ପା କହିଲା, “ତା’ ମା’ କାନ୍ଦୁ, ଏ ନିଆଁ ଝିଅକୁ କିଆଁ ମାରି ନ ପକାଇ ଏଠିକି ପଠାଇଛି । ଏଇ ଛାଞ୍ଚୁଣିରେ ଏ ପୋଇଲୀଟାକୁ ମାରି ପକାଇବି । ଗୋଟିଏ ବଡ଼ ସୁନ୍ଦର ବୋହୂ ଠିକ୍ ହେଲାଣି, ଆଜି ବାହାଘରର ସବୁ ଠିକ୍ ହୋଇଯିବ ।”

ଶିବୁବାବୁ ଦାଣ୍ଡପଟରେ ଥିଲେ, ଧାଇଁ ଆସି ଚମ୍ପା ହାତ ଧରି ଭିଡ଼ି ଭିଡ଼ି ନେଇ ଚାଲିଗଲେ, ଆ’, ଚମ୍ପା ଆ’, ମା’ ତାଙ୍କ ସୁନାବୋହୂକୁ ନେଇ ଘରେ ଥା’ନ୍ତୁ, ଆମେ ଦୁଇଜଣ ଘରୁ ବାହାରିଯିବା । ଦୁଇଜଣ ମୁହଁରେ ଲୁଗା ଦେଇ ଟିକିଏ ହସି ହସି ଦାଣ୍ଡକୁ ଚାଲି ଅଇଲେ । ବୁଢ଼ୀ ନସରପସର ହୋଇ ପଛରେ ଧାଇଁଛନ୍ତି, “ଆରେ ତୁମ୍ଭେମାନେ ଯାଅ ନାହିଁରେ, ଆରେ ଶିବୁ, ଢେର ବେଳ ହେଲାଣିରେ, ଚମ୍ପା ଭାତ ବସାଇଛି, ଦି’ଟା ମୁହଁରେ ଦେଇ ଯା’ରେ ।”

ଶିବୁ- “ଆଚ୍ଛା, ତୁ ଏଇ ଝିଅ ରାଣ ପକା, କିଛି କହିବୁ ନାହିଁ । ନୋହିଲେ, ଆମେ ଦୁହେଁ ଖାଇବା ପିଇବା ନାହିଁ, ଘରୁ ବାହାରିଯିବା ।”

ବିମଳା ଦେଈ- “ମୋ ମା’ ରାଣ ପକାଉଛି, ଆଖି ଛୁଉଁଛି, କିଛି କହିବି ନାହିଁ ।”

ଏଣିକି ପୁଅ ଝିଅ ଡରରେ ବିମଳା ଦେଈ କିଛି କହି ପାରୁନାହାନ୍ତି, ଖାଲି ବାଡ଼ିଘର ହେଉଛନ୍ତି । ପୁଅ ଝିଅ ନ ଥିବାବେଳେ ଟିକିଏ ବୋହୂ ଦୁଆରକୁ ଚାହିଁ ଦେଉଛନ୍ତି ।

ଚମ୍ପା ଭାତ ଗାଳି ପକାଇ ଫେର ବୋହୂ ଦୁଆରକୁ ଗଲା । ପୁଣି ଗାଳି ଆରମ୍ଭ କଲା । ଦେଖିଲା, ବୋହୂର ଆଉ ଉଠିବାର ଶକ୍ତି ନାହିଁ । ବାଛୁରୀ ତତଲା ଲୁହା ଦାଗ ଦେବାବେଳେ ଯିମିତି ଗଁ, ଗଁ ଗର୍ଜେ ସେହିପରି ଗର୍ଜୁଛି ।

ବୋହୂ ବିଛଣାରେ ପଡ଼ି ପଡ଼ି ମନରେ କଲାଣି, ମୁଁ ଆଉ କ’ଣ ସାନ୍ତାଣୀ ? ନଣନ୍ଦଟା ଏତେ ଗାଳି ଦେଉଛି, ମୋ ଲାଗି କେହି ପଦେ କହୁ ନାହିଁ । ପୁଣି ଭାଇ ଭଉଣୀ ମିଳି ଗଲେଣି । କ’ଣ, ସେ ପୁଣି ଆଉ ଗୋଟାଏ ବିଭା ହେବେ ? ମୋ ଦଶା କ’ଣ ହେବ ? ଶାଶୁ ତ ପାଖ ପଶୁ ନାହାନ୍ତି । ମୁଁ କ’ଣ କରିବି ? ତୁନି ହୋଇ ବିଛଣାରେ ପଡ଼ିଥାଏ, ବାହାରେ କ’ଣ କଥା ହେଉଛି, କାନ ଡେରି ଶୁଣୁଥାଏ ।

ତେତିକିବେଳେ ଚମ୍ପା ଭୋଁ, ଭୋଁ କରି ଶଙ୍ଖଟାଏ ବଜାଇ ଦେଲା । ଆଲୋ ବାରିକାଣି । ଯା’, ଦୁବ ବରକୋଳିପତ୍ର ଚନ୍ଦନ ସିନ୍ଦୂର ଆଉ ଆଉ ଚିଜ ସବୁ ସଜିଲ କରି ରଖିଦେ । ଏ ବାରିକପୁଅ, ବଡ଼ ଘର ଝାଡ଼ିଝୁଡ଼ି ଆସନ ପକାଇ ରଖ, ପାଣିପଣା ସବୁ ଠିକ୍ କର, ଆଉ କ’ଣ ବେଳ ଆସୁଛି । ସେତେବେଳକୁ ସାନ୍ତମାନେ ଆସିଗଲେ କ’ଣ କରିବୁ ? (ଭୋଁ, ଭୋଁ, ଭୋଁ ଶଙ୍ଖ ବାଜିଲା) ଆରେ ଶାମା । ମିଠାଇ ଥାଳିଟା ଭିତରେ ରଖିଦେ । କ’ଣ କହିଲୁ ରାଧିକା ? ଦହି ସର ବିଲେଇ ଖାଇଗଲା । ମଲା ଯା’ । ସାନ୍ତମାନେ ଜଳଖିଆ କରିବେ କ’ଣ ?

ଚମ୍ପା ରନ୍ଧା ବଢ଼ା କରି ଭାଇଙ୍କୁ ମା’ଙ୍କୁ ଖୁଆଇଲା । ମା’ କହିଲେ, “ତୁ ଦି’ଟା ଖା’, ଆଉ ବୋହୂ- ପୁଅ ଉପରେ ନଜର ପଡ଼ିଗଲା- ଡରି ଯାଇ କହିଲେ, ନାହିଁ, ନାହିଁ ମୁଁ କହୁଛି, ଚମ୍ପୀ ଏକା ଖାଇବ ।” ଶିବୁବାବୁ କହିଲେ, “ହଁ ଖବରଦାର, ବୋହୂ ନାମ ଧର ନା ।” ମା’ ବାଡ଼ି ଦୁଆରକୁ ପଳାଇଲେ ।

ବେଳ ବୁଡ଼ ବୁଡ଼ ହେଲାଣି । ଅନୀ ଆଈ ବାଡ଼ି ଖଣ୍ଡିଏ ଧରି ଅଇଲେ । ବୋହୂକୁ ଶୁଣାଇ ଶୁଣାଇ କହିଲେ, “କିଲୋ ଚମ୍ପି ! କ’ଣ ହେଉଛି ? ଏ ଫୁଲମାଳ ଚନ୍ଦନ ସିନ୍ଦୂର ସବୁ କ’ଣ ହେବ ?”

ଚମ୍ପା- ଏଇ ଦେଖୁନାହୁଁ, ଭାଇ ସାନ୍ତ ଆଉ ଗୋଟିଏ ବିଭା ହେବେ ପରା । ଆଜି ମହାପ୍ରସାଦ ଉଠା ପରା । ତୁ ଯା’, ସେଇ ଘରେ ମିଠାଇ ଦହି ଅଛି, ଆଣ, ଖା’ ଯା’, ତତେ ବାଢ଼ି ଦେବାକୁ ମୋର ବେଳ ନାହିଁ ।

ଭୋଁ-ଭୋଁ-ଭୋଁ ଶଙ୍ଖ ବାଜିଲା । ସାଙ୍ଗେ ସାଙ୍ଗେ ହୁଳହୁଳି ।

ଆଈ- ଆଚ୍ଛା, ନୂଆବୋହୂ ଆସିବ, ଏ ବୋହୂଟା କ’ଣ କରିବ ?

ଚମ୍ପା- ମଲା ଯା’ । ଏଇଟା କି ବୋହୂ ମ ! ଘର ଦୂଆର ପାଇଟି କରିବ, ରନ୍ଧାବଢ଼ା କରିବ, ଏଇଥିଲାଗି ସିନା ଭାଇ ଏଟାକୁ ଆଣିଥିଲେ- ଏଟା ତ କିଛି କଲା ନାହିଁ, ବୋହୂ କ’ଣ ?

ଆଈ- ଆଚ୍ଛା ଏ ବୋହୂଟା ଖାଇବ କ’ଣ ?

ଚମ୍ପା- କ’ଣ ଖାଇବ ? ସେ ବୋହୂ ଖାଇଲେ ଯାହା ଛାଡ଼ିଯିବ, ଏଟା ତା’ ଅଇଁଠା ଖାଇ ବାସନ ମାଜି ପକାଇବ ।

ଆଈ- ଆଚ୍ଛା, ମୁଁ ଟିକିଏ ବୋହୂଟାକୁ ଦେଖି ଆସେ ।

ଚମ୍ପା- ନା ଲୋ ଆଈ, ନା- ନା, ତା’ ପାଖକୁ ଯା’ ନା । ସେଟା ସିମିତି ପଡ଼ି ପଡ଼ି ଉପାସରେ ମରି ଯାଉ ।

ଚମ୍ପା ମୁରୁକି ମୁରୁକି ହସି କ’ଣ ଠାରି ଦେଲା । ଆଚ୍ଛା ଆଚ୍ଛା ଥରେ ଦେଖେ, କହି ଅନୀ ଆଈ ଯିମିତି ପାଖକୁ ଯାଇଛି, ବୋହୂ ଉଠିପଡ଼ି ବୁଢ଼ୀର ଦୁଇ ଗୋଡ଼ ଜାବୁଡ଼ି ଧରିଲା । କଥା କହିପାରୁ ନାହିଁ, ଗୋଡ଼ ଯୋଡ଼ାକ ଧରି ଧକେଇ ଦେଉଛି । ବହୁତ କଷ୍ଟରେ କହିଲା, “ଆଈ- ତା-ଙ୍କୁ-କ-ଅ-ବା-ଏ-ବେ-ନା-ଇଁ ।”

ଅନୀ ଆଈ- ମୋ କଥା କ’ଣ ସେ ଶୁଣିବ ? ତୁ ତ ଘରେ କିଛି କାମ ପାଇଟି କରିବୁ ନାହିଁ, ଭାତ ରାନ୍ଧିବୁ ନାହିଁ, ସବୁ କଥାରେ କଳି କରିବୁ, ସେଥିଲାଗି ଆଉ ଗୋଟାଏ ବୋହୂ ଆସୁଛି ।

ବୋହୂ- ମୁଁ-ସ-ବୁ-କ-ରି-ବି ।

ଅନୀ ଆଈ- ଆଚ୍ଛା, ତୁ ଶିବୁକୁ କହ । ଆରେ ଶିବୁ, ଏଠିକି ଆ’ ତ, ବୋହୂ କ’ଣ କହୁଛି, ଶୁଣ ।

ଶିବୁ ନା, ନା, ମୁଁ ଯାଇ ପାରିବି ନାହିଁ ।

ଏଣେ ବୋହୂର ଯେତେ ବଳ ଅନୀ ଆଈର ଗୋଡ଼ ଜାବୁଡ଼ି ଧରିଛି । କେଜାଣି ଗୋଡ଼ ଯୋଡ଼ାକ ଭାଙ୍ଗି ପକାଇବ । ସେହି ଆଈ ପଦ୍ମପାଦ ଛଡ଼ା ଯେ ବର୍ତ୍ତମାନ ନିମା ଦେଈଙ୍କର ସଂସାରରେ ଆଉ ଭରସା ନାହିଁ । ଅନୀ ଆଈ ପାଟି କରି ଡାକିଲେ, “ଆରେ ଶିବୁ, ଆ’, ମୋ ଗୋଡ଼କୁ ବଡ଼ କାଟିଲାଣିରେ ।”

ଶିବୁ ବାବୁ ଯିମିତି ପାଖକୁ ଆସିଛନ୍ତି, ଅନୀ ଆଈ ତ ତାଙ୍କ ଗୋଡ଼ ଯୋଡ଼ିକ ବୋହୂ ଜିମା କରିଦେଇ ଅଲଗା ହୋଇଗଲେ । ବୋହୂ ଭଲ କରି ସ୍ୱାମୀର ଗୋଡ଼ ଜାବୁଡ଼ି ଧଇଲା । ଗୋଡ଼ ଛାଡ଼ିଲେ ସିନା କୁଆଡ଼େ ଯିବେ । ସଂସାରଯାକ ସବୁ ଅନ୍ଧାର- ପଦ୍ମପାଦ ଯୋଡ଼ିକ ଭରସା । ଅନୀ ଆଈ ବୋହୂ ଲାଗି ସୁପାରିସ କରି କହିଲା, “ଆରେ ଶିବୁ ! ବୋହୂ ଏଣିକି ଘର କାମ ପାଇଟି ସବୁ କରିବ, ତୁ ବାହା ହୋ ନା ।” ଶିବୁ ବାବୁ କହିଲେ, “କାହିଁ ସେ ତ ଆପେ କହୁ ନାହିଁ । ଏହି କଥା ପଦକ ଶୁଣି ବୋହୂର ବଡ଼ ଭରସା ହୋଇଗଲାଣି । ଚଞ୍ଚଳ କହି ପକାଇଲା, ହୁଁ-ହୁଁ-ଉଁ-ଉଁ ।”

ଶିଶୁବାବୁ କହିଲେ, “ମୁଁ ହୁଁ-ହୁଁ-ଉଁ-ଉଁ ବୁଝେ ନାହିଁ । ସଫା କରି ଗୋଟି ଗୋଟି କଥା କହୁ ।” ଶିବୁବାବୁ ଯେମିତି କହିଲେ, ବୋହୂ ଠିକ୍ ସିମିତି ଗୋଟି ଗୋଟି କରି ସବୁ କଥା ଜବାବ୍ କଲା ।

ଶିବୁ ବାବୁ ତାହା ବାଦେ କହିଲେ, “ଆଚ୍ଛା ଆଈ, ସେ କିଆଁ ଚମ୍ପା ସାଙ୍ଗରେ କଳି ଲଗାଇଲା । ଘଷୁ ଭୂଇଁରେ ନାକ । କିଛି ଓଜର ନାହିଁ”- ବୋହୂ ଭୂଇଁରେ ନାକ ଘଷିଲା । ଚମ୍ପା ଠିଆ ହୋଇ ହସୁଥିଲା, ବୋହୂ ନାକଘଷା ବେଳେ ପଳାଇଲା । ବୋହୂ ଆଈ ପାଖରେ ବି ନାକ ଘଷିଲା- ଶିବୁ କହିଲେ- “ଆଚ୍ଛା ଆଈ, ମା’ଙ୍କ ପାଖରେ ଏହିପରି କହୁ ।” ଗଲେ ସମସ୍ତେ ମା’ଙ୍କ ପାଖକୁ, ବୋହୂ ଗୋଟି ଗୋଟି କରି ସବୁ କଥା କହିଲା । ମାଟିରେ ନାକ ଘଷିବାବେଳେ ମା’ ଟିକିଏ ଦୁଃଖ କରି କହିଲେ, “ହଁ’ରେ ହେଲାଣିରେ, ବୋହୂ ସବୁ କରିବରେ । ଶିବୁବାବୁ କଟମଟ କରି ଚାହିଁବାରୁ ନା’ରେ-ନା’ରେ, କହି ବିମଳା ଦେଈ ବାଡ଼ିଆଡ଼କୁ ପଳାଇଲେ ।”

ଶିବୁ ବାବୁ କହିଲେ, “ଆଚ୍ଛା, ଏଥର ଚମ୍ପା ଗୋଡ଼ ଧର ।” ଚମ୍ପା ଧାଇଁ ଆସି ବୋହୂକୁ କୁଣ୍ଢାଇ ପକାଇଲା । ନା ନା, ଯେତେହେଲେ ମୋ ବଡ଼ ଭାଉଜ, ମା’ ପରି, ମୁଁ ସିନା ତା’ ଗୋଡ଼ ତଳେ ପଡ଼ିବି । ଚମ୍ପା ବୋହୂକୁ ଜୁହାରଟିଏ କରି କୁଣ୍ଢେଇ ପକେଇଲା । ନଣନ୍ଦ ଭାଉଜ ଦୁହେଁ ଟିକିଏ କନ୍ଦାକନ୍ଦି ହେଲେ । ଚମ୍ପା କିଆଁ କାନ୍ଦିଲା । ମାତ୍ର ସେ କାନ୍ଦିଛି । ଚମ୍ପା ବୋହୂକୁ ବାଡ଼ିଆଡ଼କୁ ଭିଡ଼ି ନେଇଗଲା । ଅଧଗିନାଏ ମାଲପା ଲଗାଇ ଦେଇ ଗାଧୋଇ ଆଣିଲା । ଚମ୍ପା ରନ୍ଧାବଢ଼ା କରି ମା’ ଭାଇଙ୍କୁ ଖୁଆଇଲା । ବୋହୂଟା ଉପାସ ଅଛି, ନିଜେ କିମିତି ଖା’ନ୍ତା । ନଣନ୍ଦ ଭାଉଜ ଏକ ସାଙ୍ଗରେ ବସି ଖାଇଲେ । ବୋହୂ ଟୁକୁଣାଏ ପାଣି ପିଇ ଲଥକରି ଭୂଇଁରେ ପଡ଼ିଗଲା ।

ତହିଁ ଆରଦିନ କାଉ କା’ କରିବାବେଳକୁ ବୋହୂ ବାସି ପାଇଟି ସାରି ବସିଛି । ଟିକିଏ ଖରା ଉଠିଲା ବେଳକୁ ଚମ୍ପା ଆସି ଦେଖିଲା, ସବୁ ବାସି ପାଇଟି ସରିଲାଣି । ମନ ମଧ୍ୟରେ ଟିକିଏ ଖୁସି ହେଲା । ନଣନ୍ଦ ଭାଉଜ ଦୁହେଁ ସାଙ୍ଗସୁଙ୍ଗା ହୋଇ ଗାଧୋଇ ଗଲେ । ପ୍ରଥମ ପ୍ରଥମ ବୋହୂ ରାନ୍ଧି ଜାଣୁ ନଥିଲା, ଚମ୍ପା ଶିଖାଇ ଦେବାରୁ ଏବେ ବେଶ୍ ରାନ୍ଧେ । ଶାଶୁ କିଛି ପାଇଟି କରିବାକୁ ଗଲେ ବୋହୂ ହାତରୁ ଛଡ଼ାଇ ନିଏ । ପୁଅ ଝିଅ ଡରରେ ବି ବୁଢ଼ୀ କିଛି ପାଇଟିରେ ହାତ ଦିଅନ୍ତି ନାହିଁ । ଏକ ଜାଗାରେ ବସି ବୋହୂକୁ କହି ଦେଉଥାନ୍ତି ।

ବିମଳା ଦେଈ ଏକ ଜାଗାରେ ବସି ଦିନରାତି ମାଳାଟିଏ ଗଡ଼ାଉଥାନ୍ତି । କେହି ଲୋକ ଗାଁରୁ ଆସିଲେ ତା’ ପାଖରେ ଖାଲି ବୋହୂର ପ୍ରଶଂସା । ଦିନକୁ କୋଡ଼ିଏ ଥର ଯାହା ତାହା ପାଖରେ ଖାଲି ବୋହୂର ପ୍ରଶଂସା । ଦିନକୁ କୋଡ଼ିଏ ଥର ଯାହା ତାହା ପାଖରେ କହନ୍ତି “ମୋର ତ ସୁନା ବୋହୂ”।

© ଫକୀର ମୋହନ ସେନାପତି 

Monday, August 1, 2022

ପଶ୍ଚିମ ଓଡ଼ିଶାର ଵିସ୍ମୃତ ଓଡ଼ିଆ କଵି ରତ୍ନା ଦାସ ଵା ରତ୍ନାକର ଦାସ

ଆମ ଓଡ଼ିଶାରେ ଅଧିକାଂଶ ପ୍ରାଚୀନ କଵି ପୁରୀ ଓ ଗଞ୍ଜାମ ଏହି ଦୁଇଟି ଜିଲ୍ଲାରୁ ହିଁ ଆସିଛନ୍ତି । କାରଣ ପୁରୀ ହେଉଛି ଯୁଗ ଯୁଗ ଧରି ଓଡ଼ିଆ ଜାତିର ଓଡ଼ିଶା ମାଟିର ସାଂସ୍କୃତିକ ରାଜଧାନୀ । ପୁରୀରେ ଵିରାଜିତ ଶ୍ରୀଜଗନ୍ନାଥଙ୍କୁ ଘେନି ଓଡ଼ିଆ ଭାଷା ସଂସ୍କୃତି ଓ ସମାଜ ପୃଷ୍ଟ । ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଶାର ତଥା ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର । ପୂର୍ଵେ ପ୍ରାୟତଃ ଆଧ୍ୟାତ୍ମିକ ସାହିତ୍ୟ ସର୍ଜନା କରାଯାଉଥିଲା ଏଵଂ ଜଗନ୍ନାଥ ପୁରୀ ଅନେକ କାଳରୁ ଯେହେତୁ ସନାତନ ଧର୍ମ ସଂସ୍କୃତିର ଏକ ପ୍ରମୁଖ କେନ୍ଦ୍ର ଥିଲା ତେଣୁ ଏ ଅଞ୍ଚଳରେ ସାହିତ୍ୟ କ୍ଷେତ୍ରରେ ଵିକାଶ ସର୍ଵାଧିକ ହୋଇଥିଲା । 


ତେବେ ପ୍ରାଚୀନ କାଳରୁ ପଶ୍ଚିମ ଓଡ଼ିଶାରେ ମଧ୍ୟ ଶହ ଶହ କଵି ହୋଇଛନ୍ତି କିନ୍ତୁ ଆମ ଦେଶରେ ଅନେକ କଵି ନିଜ ଜନ୍ମସ୍ଥାନ ନିଜ ସାହିତ୍ୟ କୃତିରେ ଲେଖିନଥିଵାରୁ ସେମାନଙ୍କ ଜନ୍ମସ୍ଥାନ ଵିଷୟରେ ସ୍ପଷ୍ଟ ଭାବରେ ଜଣାଯାଇପାରେ ନାହିଁ । ପଶ୍ଚିମ ଓଡ଼ିଶାର ପ୍ରାଚୀନ ଓଡ଼ିଆ କଵିମାନଙ୍କ ମଧ୍ୟରେ ଜଣେ ହେଲେ ରତ୍ନାକର ଦାସ ଵା ରତ୍ନାଦାସ । ତାଙ୍କର ସମୟକାଳ ଆନୁମାନିକ ଅଷ୍ଟାଦଶ ଶତାବ୍ଦୀ ହୋଇଥିଵା ସମ୍ଭଵ । ଏହାଙ୍କର ପିତାଙ୍କର ନାମ ଶ୍ୟାମସୁନ୍ଦର ଦାସ ବୋଲି ଜଣାଯାଏ। କଵି ରତ୍ନାକର ଦାସ ସୋନପୁର ଅଞ୍ଚଳର ଅଧିଵାସୀ ଥିଲେ । ସେ ଜାତିରେ ଲୁଗା ବୁଣାଳୀ ଭୁଲିଆ ଜାତିର
ଲୋକ ଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୬୯୮୦ତମ ପୃଷ୍ଠାରେ ରତ୍ନାକର ଶବ୍ଦ ତଳେ ଏହି କଵିଙ୍କ ନାମୋଲ୍ଲେଖ କରାଯାଇଛି । ରତ୍ନାକର ଦାସ ଜଣେ ପ୍ରାଚୀନ ଓଡ଼ିଆ କଵି ତଥା ସେ ମହିମାଧର୍ମ ଗ୍ରହଣ କରିଥିଲେ ବୋଲି ମଧ୍ୟ କୁହାଯାଇଛି ‌। ଉଲ୍ଲେଖଯୋଗ୍ୟ ଯେ ମହାକଵି ବାଲ୍ମିକୀଙ୍କର ପୂର୍ଵନାମ ମଧ୍ୟ ରତ୍ନାକର ଥିଲା । 

ସମ୍ବଲପୁରର ଏହି ପ୍ରାଚୀନ ଓଡ଼ିଆ କଵି ରତ୍ନାକର ଦାସ "ସାରସ୍ବତ ଗୀତା"ର ପ୍ରଣେତା ରୂପେ ପ୍ରଖ୍ୟାତ । 

ଏହି ସାରସ୍ବତ ଗୀତାରେ ସେ ଯୋଗଶାସ୍ତ୍ର ଓ ଧର୍ମତତ୍ତ୍ଵ ସମ୍ବନ୍ଧୀୟ ନିଗୂଢ଼ ଵିଷୟ ଅତି ସରଳ ନଵାକ୍ଷରୀ ଵୃତ୍ତରେ ବୁଝାଇ ଅଛନ୍ତି । 

ଓଡ଼ିଆ ସାହିତ୍ୟରେ ବହୁ "କୃଷ୍ଣ ଦାସ"ଙ୍କ ମଧ୍ୟରୁ ଜଣେ କୃଷ୍ଣ ଦାସ ଏହାଙ୍କର ଶିଷ୍ୟ ଥିଵାର ଜଣାଯାଏ । 

କଵି ରତ୍ନାକର ଦାସ ତାଙ୍କ ସାରସ୍ଵତ ଗୀତାର ପ୍ରଥମ ଅଧ୍ୟାୟରେ ପ୍ରଭୁଙ୍କୁ ବନ୍ଦନା କରି ଲେଖିଛନ୍ତି

"ତୁମ୍ଭେ ସବୁର ଅଂଶ ବଂଶ
ସବୁରି ସତ୍ତାନ ପୁରୁଷ
ତିନି ଭୁଵନେ ଯେତେ ଛନ୍ତି
ସମସ୍ତେ ତୁମ୍ଭର ସମ୍ପତ୍ତି ।
କୀଟରୁ ବ୍ରହ୍ମଲୋକ ଯାଏ
ତୁମ୍ଭର ସମ୍ପତ୍ତି ସବିହେଁ ।
ସତ୍ତାନପୁରୁଷଟି ତୁହି
ଅଜପା ପିତୃଟି ଗୋସାଇଁ। 
ବ୍ରହ୍ମ କ୍ଷତ୍ରିୟ ଶୂଦ୍ର ବୈଶ୍ୟ
ତୁ ପ୍ରଭୁ ସବୁଙ୍କର ଅଂଶ । 
ତୁମ୍ଭେ ଯାହାକୁ ଦୟା କର 
ସମ୍ପତ୍ତି ହୋଇଵ ତାହାର ।
କେ ଅବା ନୀଚ ଉଚ୍ଚ ହେଉ 
ତୁମ୍ଭ ଦୟାରେ ଵକ୍ତା ସେହୁ ।
ତେଣୁ ମୋ ହୋଇଲା ଭରସା 
ପାଦପଦ୍ମକୁ କଲି ଆଶା ।”

ଯେକେହି ଵ୍ୟକ୍ତି ପ୍ରଭୁଙ୍କର କୃପା ଲାଭ କରି ତାଙ୍କର ବନ୍ଦନା କରିପାରିଵ ଜଣେ ଵକ୍ତା ଵା କଵି ହୋଇ ଆଧ୍ୟାତ୍ମିକ ରଚନା ଲେଖିପାରିଵ ବୋଲି କଵି ଏଠାରେ ଯୁଧିଷ୍ଠିରଙ୍କ ମୁଖରେ କୁହାଇଛନ୍ତି । 

ଓଡ଼ିଶାରେ ଭୀମା ଧୀଵର,ସଦାଶିଵ ଵୈଶ୍ୟ,ଲିମ୍ବ ମାଝି,ହରିକୃଷ୍ଣ ମହାରଣା,ଲୋହି ନାଥ, ହରି ଵୈଶ୍ୟ,ହାଡି଼ବନ୍ଧୁ ଦାସ(କମାର),ଲୋକନାଥ ଧୀଵର ଓ ସାଲବେଗଙ୍କ ଭଳି ଅନେକ କଵି ହୋଇଛନ୍ତି ଯେଉଁମାନେ ଭଗଵାନଙ୍କ ଗୁଣ କୀର୍ତ୍ତନ କରିଛନ୍ତି, ଆଧ୍ୟାତ୍ମିକ ସାହିତ୍ୟ ରଚନା କରିଛନ୍ତି । ଓଡ଼ିଶାରେ ସାହିତ୍ୟ ସର୍ଜନା କ୍ଷେତ୍ରରେ ଥିଵା ଏଭଳି ଉଦାରତା ଭାରତରେ ତତ୍କାଳୀନ ସମାଜରେ ଅନ୍ୟତ୍ର ଅଳ୍ପ ଦେଖାଯାଏ । ଏଥିରୁ ଏହା ମଧ୍ୟ ଜଣାଯାଏ ଯେ ଏ ଓଡ଼ିଶାରେ କଵିର ଗୁଣ ଓ କର୍ମ ଦେଖାଯାଉଥିଲା ଏଵଂ ଯେକୌଣସି ଜାତିର ଵ୍ୟକ୍ତି ଆଧ୍ୟାତ୍ମିକ ସାହିତ୍ୟ ସର୍ଜନା କରିପାରୁଥିଲେ । 

ସାରସ୍ବତ ଗୀତାର ଆଧାର ମହାଭାରତ କଥାକୁ ନେଇ ଗଢ଼ିଉଠିଛି । ଧର୍ମଙ୍କ ଦ୍ଵାରା ପାଣ୍ଡଵ ଵିଶେଷତଃ ଯୁଧିଷ୍ଠିରଙ୍କର ପରୀକ୍ଷା ନେଵା ଵିଷୟକ କଥା ମହାଭାରତରେ କଥିତ ଅଛି । ସେହି କଥା ଅନୁସାରେ ଧର୍ମଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଵାରୁ ଧର୍ମ ନିଜ ପୁତ୍ର ଯୁଧିଷ୍ଠିରଙ୍କୁ ଧର୍ମୋପଦେଶ ଦେଇଥିଲେ । ସାରସ୍ବତ ଗୀତାରେ ମଧ୍ୟ ଧର୍ମ ନିଜ ପୁତ୍ର ଯୁଧିଷ୍ଠିରଙ୍କୁ ଧର୍ମୋପଦେଶ ଦେଉଅଛନ୍ତି । 

 କଵି ରତ୍ନାକର ଦାସ ଵା ରତ୍ନାଦାସ ସାରସ୍ବତ ଗୀତାର ପଞ୍ଚବିଂଶତମ ଅଧ୍ୟାୟରେ ନିଜର ତଥା ଶ୍ରୀଜଗନ୍ନାଥଙ୍କ ନାମୋଲ୍ଲେଖ ସହିତ ଏହିକଥାକୁ ଏପରି ଲେଖିଅଛନ୍ତି

“ସେ ପ୍ରଭୁ ଜାଣନ୍ତି ମୋ ଜନ୍ମ
କହଇ ରତ୍ନଦାସ ହୀନ ।
ତେଣୁ କହନ୍ତି ଯୋଗଜ୍ଞାନ
ଶ୍ରୀଜଗନ୍ନାଥଙ୍କ ପ୍ରସନ୍ନ ॥
ସେ ପ୍ରଭୁ ମୋର ହୃଦେ ଥାଇ
ଗୀତା କହନ୍ତି ଦୟା ବହି ।
ଏ ସାରସ୍ବତ ଗୀତା ଗ୍ରନ୍ଥ
ଧର୍ମ୍ମ କହନ୍ତି ଶୁଣ ପୁତ୍ର‌ ॥”

ସାରସ୍ବତ ଗୀତାର ରଚୟିତା କଵି ରତ୍ନାକର ଦାସ ଆଜି ଓଡ଼ିଆ ସମାଜରୁ ଵିସ୍ମୃତ ହୋଇଯାଇଛନ୍ତି । ପଶ୍ଚିମ ଓଡ଼ିଶା ଏମନ୍ତକି ସୋନପୁରର ଅନେକ ଲୋକେ ମଧ୍ୟ ଏହାଙ୍କ ଵିଷୟରେ ସେତେ ଜାଣିନାହାନ୍ତି । 

ଗଙ୍ଗାଧର ମେହେରଙ୍କ ଜନ୍ମ ହେଵା ପୂର୍ଵରୁ ତାଙ୍କରି ଭୁଲିଆ ଜାତିରେ ଜନ୍ମ ଲଭିଥିଵା ଜଣେ କଵି ସାରସ୍ବତ ଗୀତା ଲେଖି ଯାଇଛନ୍ତି କିନ୍ତୁ ଆଜି ସେ ଓଡ଼ିଆ ସମାଜରୁ ଵିସ୍ମୃତ କାହିଁକି ?

Friday, July 22, 2022

କଵି/ଲେଖକ ଅଚ୍ୟୁତାନନ୍ଦ ପତି ଓ ଅଶୁଭ ପୁତ୍ରର କାହାଣୀ

କଵି ଓ ଲେଖକ ଶ୍ରୀଅଚ୍ୟୁତାନନ୍ଦ ପ‌ତି ୨୬ ଜୁନ ୧୯୨୭ରେ
ଯାଜପୁର ଜିଲ୍ଲାର ନରହରିପୁର ଅଞ୍ଚଳରେ ଅଵସ୍ଥିତ କୋଦଣ୍ଡପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।


 ସେ  
"କାହାଣୀ ନୁହେଁ" (୧୯୫୧),"ଅଶୁଭ ପୁତ୍ରର କାହାଣୀ" (୧୯୭୩),"ଉଗ୍ରସେନ ଉବାଚ" (୧୯୭୬)
,"ସ୍ନାୟୁ ଓ ସନ୍ୟାସୀ" (୧୯୮୧),"ଚାରି ସଙ୍ଗାତ କଥା" (୧୯୮୩),'ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ" (୨୦୦୮) ଓ "ସିକ୍ତ ସୈକତ" ଆଦି କଵିତା ଓ ଗଳ୍ପ ସଂକଳନ ରଚନା କରିଛନ୍ତି । 

ତନ୍ମଧ୍ୟରେ ତାଙ୍କର ଗଳ୍ପପୁସ୍ତକ ସିକ୍ତ ସୈକତ, ଅଶୁଭ ପୁତ୍ରର କାହାଣୀ ଓ କାହାଣୀ ନୁହେଁ କାଵ୍ୟ ଆଦି ଓଡ଼ିଶାରେ ଜନପ୍ରିୟ ହୋଇଅଛି ।

 ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ନିମନ୍ତେ ସେ ଅନେକ ପୁରସ୍କାରରେ ଭୂଷିତ । ୨୦୦୮ରେ ତାଙ୍କ ରଚିତ 'ଚା'ରୁ ଚୈତନ୍ୟ (ଗଳ୍ପ)ନିମନ୍ତେ ତାଙ୍କୁ ୨୦୧୩ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଛି । ଏତଦଵ୍ୟତୀତ ସେ ୨୦୦୨ରେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ,୧୯୮୩ରେ
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ରେ ଝଙ୍କାର ପୁରସ୍କାର,୨୦୧୭ରେ 
ଯଦୁନାଥ ଦାସ ମହାପାତ୍ର ସାରସ୍ୱତ ସମ୍ମାନ, ୧୯୯୮ରେ ସାରଳା ସମ୍ମାନ,୨୦୧୯ରେ
ଶିଖର ସମ୍ମାନ ତଥା ଗୋକର୍ଣ୍ଣିକା ପୁରସ୍କାର ପ୍ରାପ୍ତ ହୋଇଛନ୍ତି । 

ସେ ଥରେ ଏକ ସାକ୍ଷାତକାରରେ ପରପିଢି଼କୁ ଅଦବୋଧନ ଦେଵାକୁ ଯାଇ କହିଥିଲେ

“କିଛି ବି ଲେଖିବି ଯେ କ’ଣ ଲେଖିବି ? ମୁଁ ତ ଲେଖା ଛାଡ଼ିଲିଣି । ମୋ ପିଲାମାନଙ୍କୁ କହୁଛି , ଏହା ମୋର ସ୍ନେହ ମଧ୍ୟ । ବାଧ୍ୟ କରୁଛି , ସେମାନେ ଲେଖି ଚାଲନ୍ତୁ । କଲମକୁ ଏତେ ଜୋରଦାର କରନ୍ତୁ ଯେ, ତାଙ୍କ କଲମର କାରସାଦିରେ ମୋ ହାତରୁ କଲମ ଖସିପଡ଼ୁ । ସେଥିରେ ହିଁ ମୋର ଆତ୍ମତୃପ୍ତି । “

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମୁଖବନ୍ଧ ସହ ୧୯୫୧ ରେ ତାଙ୍କର ପ୍ରଥମ କବିତା ସଙ୍କଳନ “କାହାଣୀ ନୁହେଁ ”ପ୍ରକାଶିତ ହୋଇଥିଲା । ତାପରେ ସେହି ସାହିତ୍ୟର କାଳଜୟୀ ଯାତ୍ରା ଏଯାଵତ୍ ଅଵିଶ୍ରାନ୍ତ ଚାଲିଛି ‌ । 

'ସମ୍ବାଦ' ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କୁ ଦେଇଥିଵା ଏକ ସାକ୍ଷାତକାରରେ ଲେଖକ ଅଚ୍ୟୁତାନନ୍ଦ ପତି ତାଙ୍କର "ସାହିତ୍ୟ ଜୀବନ କିପରି ଆରମ୍ଭ ହୋଇଥିଲା" ତାହା ଏମନ୍ତ ଉଲ୍ଲେଖ କରିଛନ୍ତି...

"ମୁଁ ମାମୁଁଘରେ ରହି ପାଠ ପଢିଵା ଆରମ୍ଭ କରିଥିଲି । ମୋ ମାମୁଁ ଉପେନ୍ଦ୍ର ପଣ୍ଡା ମହତାବଙ୍କ ସହ କଲେଜରେ ଥିଲେ । ଯେତେବେଳେ ପ୍ରଜାତନ୍ତ୍ର ସାପ୍ତାହିକୀ ବାଲେଶ୍ୱରରୁ ପ୍ରକାଶିତ ହେଲା । ମୋ ମାମୁଁ ତା’ର ପ୍ରଥମ ସମ୍ପାଦକ ଥିଲେ । ଆମ ସ୍କୁଲରେ ହେଉଥିଵା ସବୁ ଉତ୍ସଵରେ ମାମୁଁ ଗୀତ ଲେଖି ଶିଖାଉଥିଲେ । ନାଚ ମଧ୍ୟ ଶିଖାଉଥିଲେ । ସେସବୁ ଦେଖି ମୁଁ ଲେଖିଵା ପାଇଁ ଆଗ୍ରହୀ ହେଲି । ପଞ୍ଚମ ଶ୍ରେଣୀରେ ପଢ଼ୁଥିଵା ବେଳେ ପ୍ରଥମ କଵିତା ଲେଖିଥିଲି । ଅଷ୍ଟମ ଶ୍ରେଣୀରେ ଯାଜପୁରରେ ପଢିଲା ବେଳେ ‘ବିରଜା ପ୍ରଦୀପ’ରେ ମୋର ପ୍ରଥମ କଵିତା ପ୍ରକାଶ ପାଇଥିଲା । ଯାହାର ପ୍ରଥମ ପଦ ଥିଲା :

ନୂଆ ସୁଆଗ ବଢାଏ ଝୁଙ୍କ
ସଭିଙ୍କି ଦିଏ ମୋହି,
ଅଢେଇ ଦିନିଆ ପୀରତି ପାଇଁ
ବାଟ ଅବାଟ ନାହିଁ ।

ସେତିକି ବେଳେ ବମ୍ବେରୁ ହାତଲେଖା ପତ୍ରିକା ‘କୁଙ୍କୁମ’ ପ୍ରକାଶିତ ହେଉଥିଲା । ଦେଵ ମହାପାତ୍ର ତା’ର ସମ୍ପାଦକ ଥିଲେ । ତାଙ୍କ ସ୍ତ୍ରୀ ନିଲୁ ମହାପାତ୍ର ସେଥିରେ ଚିତ୍ର କରୁଥିଲେ । ମହାପାତ୍ର ନୀଳମଣି ସାହୁ ମୋର ସାଙ୍ଗ ଥିଲେ । ଆମେ ଏକାଵର୍ଷରେ ମାଟ୍ରିକ ପାସ କରିଥିଲୁ । କୁଙ୍କୁମ ପତ୍ରିକାରେ ଏକାସାଙ୍ଗରେ ଆମର କବିତା ପ୍ରକାଶ ପାଇଥିଲା । ସେହି ଦିନଠାରୁ ମୋର ସାହିତ୍ୟ ଜୀବନ ଆରମ୍ଭ ହୋଇଥିଲା ।”

ସେ ନିୟମିତ ଭାବରେ କବିତା ଲେଖୁଥିଲେ । ପ୍ରଜାତନ୍ତ୍ର ସାପ୍ତାହିକୀ ଓ ଝଙ୍କାରରେ ତାଙ୍କର ସେ କଵିତା ସବୁ ପ୍ରକାଶ ପାଉଥିଲା । ୧୯୫୧ରେ ତାଙ୍କର ପ୍ରଥମ କଵିତା ସଙ୍କଳନ ‘ କାହାଣୀ ନୁହେଁ ‘ ପ୍ରକାଶ ପାଇଥିଲା । ଯାହାର ମୁଖବନ୍ଧ କାନ୍ତକଵି ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଥିଲେ । କଵି ଵିନୋଦ ଚନ୍ଦ୍ର ନାୟକ ହଠାତ୍ ଦିନେ ତାଙ୍କୁ କହିଲେ “କଵିତା ବହୁତ ଲେଖାହେଲା ଏବେ ଗପ ଲେଖିଵା ଆରମ୍ଭ ହେଉ । ”

ପରେ ପରେ ତାଙ୍କୁ ହରେକୃଷ୍ଣ ମହତାବ ମଧ୍ୟ ଝଙ୍କାର ପତ୍ରିକା ପାଇଁ ଗପ ଲେଖିଵାକୁ କହିଲେ । ସେମାନଙ୍କର ପ୍ରେରଣାରେ ଅଚ୍ୟୁତାନନ୍ଦ ପତି ଗପ ଲେଖିଵା ଆରମ୍ଭ କଲେ । 

ଜଣେ ଗଣିତ ଶିକ୍ଷକର ଜୀଵନକୁ ନେଇ ସେ ତାଙ୍କର ପ୍ରଥମ ଗପ ‘ପ୍ଲସ ମାଇନସ’ ଲେଖିଥିଲେ । ଛାତ୍ରଛାତ୍ରୀଙ୍କୁ ସରଳ ଓ ସୁନ୍ଦର ଭାବରେ ଗଣିତ ପଢ଼େଇ ପାରୁଥିଵା ଜଣେ ଶିକ୍ଷକ କେମିତି ନିଜର ଵ୍ୟକ୍ତିଗତ ଜୀଵନର ସୂତ୍ର ସମାଧାନରେ ହାରି ଯାଉଛି, ତାହା ହିଁ ଗପଟିର ବିଷୟବସ୍ତୁ ଥିଲା । ତାଙ୍କର ଏ ଗପଟି ମହତାବଙ୍କୁ ବହୁତ ଭଲ ଲାଗିଥିଲା ।

ଗଳ୍ପର ସଂଜ୍ଞା ଵିଷୟରେ ଅଚ୍ୟୁତାନନ୍ଦ ପତି କୁହନ୍ତି

"ମୁଁ ଗଳ୍ପର ଵ୍ୟାକରଣକାର ନୁହେଁ କି ଗଳ୍ପମୁଣ୍ଡି ନୁହେଁ । ଆଜି ପର୍ଯ୍ୟନ୍ତ ଯାହା ଗପ ଲେଖାଯାଇଛି ସେଥିରେ ଗଳ୍ପର ସମ୍ପୂର୍ଣ୍ଣ ସଂଜ୍ଞା ନିରୂପିତ ହୋଇପାରିଵ ବୋଲି ମୁଁ ଭାବୁନାହିଁ । ପ୍ରକୃତରେ କୌଣସି ଏକ ଵିଶେଷ ସଂଜ୍ଞାକୁ ନେଇ ଗପ ଲେଖା ଯାଇପାରେ ନାହିଁ । ଭିନ୍ନ ଭିନ୍ନ ସମୟର ଭିନ୍ନ ଭିନ୍ନ ପୃଷ୍ଠଭୂମି ଉପରେ ଗଳ୍ପର ସଂଜ୍ଞା ନିର୍ଭର କରେ । ନାରୀ ଜାଗରଣକୁ ନେଇ ଗପ ଲେଖାହେଲା କି ନକ୍ସଲପ୍ରଵଣ ଅଞ୍ଚଳ ଵିଷୟ ଉପରେ ଗପ ଲେଖା ହେଲା ପୁଣି ଶ୍ରୀମନ୍ଦିରକୁ ନେଇ ଗପ ଲେଖାହେଲା । ସବୁ ଗଳ୍ପର ପୃଷ୍ଠଭୂମି ସ୍ୱତନ୍ତ୍ର, ତେବେ ତାର କିଛି ସଂଜ୍ଞା ନାହିଁ । ସାମ୍ପ୍ରତିକ ପରିସ୍ଥିତି ଗଳ୍ପର ସଂଜ୍ଞାକୁ ବାରମ୍ବାର ବଦଳାଉଥାଏ ।”

ଲେଖକ ଅଚ୍ୟୁତାନନ୍ଦ ପତି ଓଡ଼ିଆ ସାହିତ୍ୟର ଉନ୍ନତି ସମ୍ବନ୍ଧରେ ଏକ ସାକ୍ଷାତକାରରେ କହିଥିଲେ

“ଆମ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ଏକ ଗୌରଵର ବିଷୟ । ତଥାପି କହିବି ପ୍ରାଚୀନ ଶବ୍ଦମାନଙ୍କୁ ନେଇ ସାହିତ୍ୟ ସୃଷ୍ଟି ହେଉ । ଗାଁର ଭାଷାକୁ ନେଇ ଗପ ଲେଖାଯାଉ । ଅନେକ ଶବ୍ଦ ଏବେ ଲୋପ ପାଇଗଲାଣି । ଓଡ଼ିଆ ସାହିତ୍ୟରେ ଇଂରାଜୀ ଶବ୍ଦର ଵ୍ୟଵହାର କମ୍ କରାଯାଉ । ଲେଖକ କି କଵି ହେଵା ସହଜ ନୁହେଁ । ଶବ୍ଦ ଓ ରକ୍ତ ମିଶିଲେ ଯାଇ ସାହିତ୍ୟ ହୁଏ । ସେକଥା ପିଲାମାନେ ବୁଝନ୍ତୁ । ବହିଥାକ ପାଖରେ ଛିଡ଼ାହୋଇ ଫଟୋ ଉଠେଇ କି ପୁରସ୍କାରର ଲମ୍ବା ତାଲିକା ନେଇ କେହି ସାହିତ୍ୟିକ ହେବେ ନାହିଁ । ବହି ପଢନ୍ତୁ । ପୁରାଣ ଶାସ୍ତ୍ର ବି ପଢ଼ନ୍ତୁ । ସେ ଵିଷୟରେ ବୌଦ୍ଧିକ ଚର୍ଚ୍ଚା ହେଉ । ସାହିତ୍ୟର ସ୍ରୋତ ତ ଆମ ପୁରାଣରୁ ଆରମ୍ଭ । ଵୃତ୍ତିଗତ ପଦ ମର୍ଯ୍ୟାଦା , ପ୍ରକାଶିତ ପୁସ୍ତକର ସଂଖ୍ୟା ଵା ଵୟସ ନଦେଖି ସୃଷ୍ଟିର ଗଭୀରତାକୁ ମପାଯାଉ। ସାହିତ୍ୟ ଆପେ ଆପେ ଉନ୍ନତ ହୋଇଯିଵ । ଲେଖକ ବୋଲି ପରିଚିତ ହେଵାପାଇଁ ନୁହେଁ, ହୃଦୟର ଅତଳ ଗର୍ଭରେ ଉଠୁଥିଵା ଉତ୍ତାଳ ଢ଼େଉକୁ ଅନୁଭୂତି ଓ ଅଭିଜ୍ଞତାର ସ୍ପର୍ଶ ଦେଇ ସାହିତ୍ୟ ରଚିତ ହେଉ” । 

ଅଚ୍ୟୁତାନନ୍ଦ ପତିଙ୍କ ଗଳ୍ପ ‘ଅଶୁଭ ପୁତ୍ରର କାହାଣୀ’ ଓଡ଼ିଆ ଗଳ୍ପ ପରମ୍ପରାରେ ଏକ ମାଇଲଖୁଣ୍ଟ । 'ଅଶୁଭପୁତ୍ରର କାହାଣୀ' ଗଳ୍ପଟି ଗାଳ୍ପିକ ପତିଙ୍କ ଏକ ସଫଳ କ୍ଷୁଦ୍ରଗଳ୍ପ । ଏ ଗଳ୍ପଟି ୧୯୫୬ ମସିହା 'ଡଗର' ପତ୍ରିକାର ବିଂଶବର୍ଷ ପଞ୍ଚମ ସଂଖ୍ୟାରେ ପ୍ରକାଶ ପାଇଥିଲା । ୧୯୭୩ ମସିହାରେ ଅଚ୍ୟୁତାନନ୍ଦ ପତିଙ୍କ ପ୍ରଥମ ଗଳ୍ପ ସଂକଳନ ପ୍ରକାଶ ପାଇଲା, ସେ ସଂକଳନର ନାମ 'ଅଶୁଭପୁତ୍ରର କାହାଣୀ' ଶିରୋନାମରେ ରହିଥିଲା ।

ମାନବେତର ପେଚାକୁ ନେଇ 'ଅଶୁଭପୁତ୍ରର କାହାଣୀ' ଗଳ୍ପଟି ରଚିତ । ଅନ୍ଧାରରୁ ଆଲୁଅକୁ ଆସିଵାର ଇଚ୍ଛା ଓ ନିଜକୁ ଅମଙ୍ଗଳର କୁତ୍ସିତ ପ୍ରତୀକରୁ ମୁକୁଳାଇବାର ପ୍ରଵଣତା ପେଚାକୁ ଏକ ଵିପ୍ଲଵୀ ରୂପରେ ଠିଆ କରାଯାଇଛି ଯାହାର ପରିଣତି ଖୁବ୍ ଦାରୁଣ । 

ଆଖି ଫିଟାଇଲା ପରେ ପ୍ରଥମେ ଅନ୍ଧାର ଦେଖିଥିଵା ପେଚାକୁ ତା ମାଆ ଵାହ୍ଯ ଜଗତର ଯେଉଁ ତୋଫା ତୋଫା ଜହ୍ନ ଆଲୁଅ ଦେଖାଇଥିଲା ସେତକକୁ ସେ ଅହୋଭାଗ୍ୟ ମଣି ଜୀଵନର ଇପ୍ସିତ ସୌନ୍ଦର୍ଯ୍ୟକୁ ଅଣଦେଖା କରିପାରି ନଥିଲା । 

"ଆମେ ଅନ୍ଧାରର ବାସିନ୍ଦା । ଆମେ ଅଶୁଭର ସମ୍ପ୍ରଦାୟ । ଆମେ ଦୁନିଆର ଅଭିଶାପ । ଆମେ ଆଲୁଅ ଖୋଜିଲେ ମରିଵା ।"

 ଅନାଦିକାଳରୁ ଉଚ୍ଚାରିତ ଏହି ପଦକୁ ଘୋଷା ନଧରି ନିଜ ଅଧିକାରକୁ ଜୋର୍ ଜବରଦସ୍ତି ଆଲୁଅ ରାଇଜରେ ରାଜୁତି କରୁଥିଵା ଆଲୁଅ ପୁଅଙ୍କଠୁ ଛଡାଇ ଆଣିଵାର ଦାମ୍ଭିକପଣରେ ସେ କହିଲା

 "ମାଆ ତୁ ଟିକେ ଥୟ ଧର । ମୁଁ ବଡ ହୁଏ ଆଲୁଅ ରାଜ୍ୟକୁ ତୋତେ ଆଲବତ୍ ନେଇଯିବି, ମୁଁ ସବୁ ଶତ୍ରୁକୁ ମା ନିପାତ କରିଦେବି ।" 

ପେଚା ବଡ ହେଲା ଆଲୋକ ରାଇଜକୁ ଜୟ କରିଵାକୁ ବାହାରିଲା । ସେ ଏକା ହିଁ ତା ପକ୍ଷର ବାକି ସବୁତକ ଵିପକ୍ଷର ।

 ଆଲୁଅକୁ ଅକ୍ତିଆର କରି ରଖିଥିଵା ଦଳଦଳ କୁଆଙ୍କର ଆକ୍ରମଣରେ ସେ ଧୀରୁମଲ୍ଲର କୋଠାରେ ଆଶ୍ରୟ ନେଲା । ଜୀଵନଯାକ ପାପପଙ୍କରେ ଲିପ୍ତ ଧୀରୁମଲ୍ଲ ପେଚାକୁ ଅଶୁଭ ଲକ୍ଷଣ କହି ତଡିଦେଲା । 

ଅଧିକାର ଛଡାଇ ନେଇଥିଵା କୁଆ ଓ ଭାଗ୍ୟରେ କଳଙ୍କ ବୋଲିଥିଵା ମଣିଷ ଧୀରୁମଲ୍ଲର ଆକ୍ରମଣରେ ରକ୍ତଜୁଡୁବୁଡୁ ହୋଇ ପେଚା ଆଖି ବୁଜିଲା । ମରିଵା ପୂର୍ବରୁ ସେ ତା ମାଆକୁ କହିଗଲା

 "ମାଆ, ତୁ କାନ୍ଦନା । ମୋର ଆଉ ଭାଇ ହେଲେ ତାଙ୍କୁ କହିବୁ, ତାଙ୍କ ଭାଇ ଆଲୋକ ରାଜ୍ୟ ଜୟ କରିଵାକୁ ଯାଇ ବୀର ପରି ମରିଛି ।"

 ପୂର୍ଵେ ଏହି "ଅଶୁଭ ପୁତ୍ରର କାହାଣୀ" ଗଳ୍ପଟି ଵିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନିତ ହୋଇଥିଲା । ସେହି ଗପଟି ଏଠାରେ ପୁସ୍ତକ ପୃଷ୍ଠାଚିତ୍ର ଭାବେ ପ୍ରକାଶିତ ହେଲା...

Tuesday, July 19, 2022

ପଦ୍ମପୁରର ବୋଡ଼ାସମ୍ବର

ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳର ଏକ ଗ୍ରାମର ନାମ ହେଉଛି ବୋଡ଼ାସମ୍ବର କିନ୍ତୁ
ପୂର୍ଵେ ବୋଡ଼ାସମ୍ବର ଏକ ଐତିହ୍ୟପୂର୍ଣ୍ଣ ଜମିଦାରୀ ଅଞ୍ଚଳ ଥିଲା ।


 ଏହା ୮୪୧ ଵର୍ଗମାଇଲ ତଥା ୪୭୬ଟି ଗ୍ରାମ ମଧ୍ଯରେ ଵ୍ୟାପ୍ତ ଥିଲା । ବୋଡ଼ାସମ୍ବରର ଦକ୍ଷିଣରେ ୧୦୪୪.୦୮ ମିଟର ଉଚ୍ଚତା ବିଶିଷ୍ଟ ଗନ୍ଧମାର୍ଦ୍ଦନ ପର୍ଵତମାଳା ଅଵସ୍ଥିତ, ପୂର୍ଵ ସୀମାରେ ବଲାଙ୍ଗୀର ଜିଲ୍ଲାର ଆଗଲପୁର, ପଶ୍ଚିମ ଦିଗରେ ନୂଆପଡ଼ା ଜିଲ୍ଲା, ଉତ୍ତର ଦିଗରେ ଛତିଶଗଡ଼ ରାଜ୍ୟର ଫୁଲଝର ଅଞ୍ଚଳ ଅଵସ୍ଥିତ । ଅଧୁନା ଏ ଅଞ୍ଚଳ ସୀମିତ ହୋଇ ବରଗଡ଼ ଜିଲ୍ଲାର ପଦ୍ମପୁର ନଗରଠାରୁ ୧୮ କି.ମି ଦୂରରେ ବୋଡ଼ାସମ୍ବର ଗ୍ରାମ ଭାବେ ଵିଦ୍ୟମାନ । ଇଂରାଜୀରେ ଏ ଅଞ୍ଚଳର ନାମ Borasambar ଲେଖାଯାଉଛି ଏଵଂ ଏଠିକାର ପିନ୍ କୋଡ଼ ହେଲା ୭୬୮୦୩୯ । ଏହି ଅଞ୍ଚଳଟି ରାଜଧାନୀ ଭୁବନେଶ୍ଵରଠାରୁ ପ୍ରାୟ ୩୫୦ କି.ମି ଦୂରରେ ଅଵସ୍ଥିତ। 

କିମ୍ବଦନ୍ତୀ ଅନୁସାରେ ପ୍ରାଚୀନ କାଳରେ ଵୀର ବାରଭାଇ ବେଣ୍ଟକାର ଅରଣ୍ୟ ଭିତରେ ପରିଭ୍ରମଣ କରୁକରୁ ଏହି ଜମିଦାରୀ ଅଞ୍ଚଳ ପ୍ରତିଷ୍ଠା କରିଥିଲେ ।

ବୋଡ଼ାସମ୍ବର , ପଦ୍ମପୁର ଉପଖଣ୍ଡର ଐତିହ୍ୟପୂର୍ଣ୍ଣ ଅଞ୍ଚଳ ଵିଵେଚିତ ହୋଇଥାଏ । ଅରଣ୍ୟ ଦ୍ୱାରା ଆଚ୍ଛାଦିତ ଏହି ଗ୍ରାମ ବୋଡ଼ାସମ୍ବର ଗଡ଼ଜାତର କେନ୍ଦ୍ରସ୍ଥଳୀ ଥିଲା ।

କୁହାଯାଏ ବୋଡ଼ାସମ୍ବରରେ ବିଞ୍ଜାଲ,କନ୍ଧ,ଶବର ତଥା ଗଣ୍ଡ ଜାତିର ମୁଖିଆମାନେ ଅନେକ ସଂଖ୍ୟାରେ କ୍ଷୁଦ୍ରକ୍ଷୁଦ୍ର ରାଜ୍ୟଗୁଡ଼ିଏ ପ୍ରତିଷ୍ଠା କରିଥିଲେ । 

ବିଂଝାଲମାନଙ୍କ ଦ୍ଵାରା କଥିତ କିମ୍ବଦନ୍ତୀ ଅନୁସାରେ ଏମାନଙ୍କ ପୂର୍ଵପୁରୁଷ ବାରଭାଇ ବେଣ୍ଟକାର । ପ୍ରତ୍ୟେକ ଭ୍ରାତା କେତେଗୁଡ଼ିଏ ଗ୍ରାମକୁ ନେଇ ପ୍ରଶାସନିକ ଖଣ୍ଡର ଶାସନ ଭାର ଗ୍ରହଣ କରିଥିଲେ ।

ବାରଭାଇଙ୍କ ମଧ୍ୟରେ ସୂର୍ଯ୍ୟ ବରିହା ଥିଲେ ଜ୍ୟେଷ୍ଠ ଭ୍ରାତା । ‘ଶ୍ରୀ ନୃସିଂହ ମାହାତ୍ମ୍ୟ’ ଅନୁଯାୟୀ ସୂର୍ଯ୍ୟ ବରିହା ହେଉଛନ୍ତି ବୋଡ଼ାସମ୍ବର ଗଡ଼ଜାତର ପ୍ରଥମ ରାଜା ।

 ୧୮୯୯ ମସିହାରେ ଲାଲ ରାଜେନ୍ଦ୍ର ସିଂହ ବରିହା ରାଜ୍ୟର ଶାସନ ଭାର ବହନ କରିଥିଲେ । ଶାସନର ଗୁରୁତ୍ଵକୁ ଉପଲବ୍ଧି କରି ସେ ପଦ୍ମପୁରକୁ ରାଜଧାନୀ ରୂପେ ବାଛିଥିଲେ । ବୋଡ଼ାସମ୍ବର ଏକ ଶୃଙ୍ଖଳିତ, ଐତିହ୍ୟ ସମ୍ପନ୍ନ,ଶକ୍ତିଶାଳୀ ତଥା କ୍ଷମତାପୂର୍ଣ୍ଣ ଗଡ଼ଜାତ ଅଞ୍ଚଳ ରୂପେ ସୁଖ୍ୟାତି ବହନ କରିଥିଲା । 
 

ବୋଡ଼ାସମ୍ବର ନାମକରଣ ପଛରେ କିମ୍ବଦନ୍ତୀମୂଳକ ଆଖ୍ୟାନ ରହିଛି । ବାରଭାଇ ବେଣ୍ଟକାର ଶିକାର ଉଦ୍ଦେଶ୍ୟରେ ନିଘଞ୍ଚ ଅରଣ୍ୟ ଭିତରେ ବୁଲୁଥିଲା ବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖି ଚମକି ପଡ଼ିଲେ । 

ଶ୍ଵେତ ଵରାହ ଓ ଶ୍ଵେତ ଶଶା ଭିତରେ ମରଣାନ୍ତକ ଲଢ଼େଇ ଚାଲିଥିଲା । ଜ୍ୟେଷ୍ଠ ଭ୍ରାତା ପ୍ରଵଳ ସିଂ ଶର ନିକ୍ଷେପ କଲେ । ତାହା ଲକ୍ଷ୍ୟଭ୍ରଷ୍ଟ ହୋଇ ଵରାହ ଶଶକ ସହ ପୂର୍ଵ ଦିଗକୁ ଗଲା । ଶୁଣାଯାଏ ସ୍ଵୟଂ ଜଗନ୍ନାଥ ଵରାହ ରୂପ ଧାରଣ କରିଥିଲେ । 


ମାୟାଧର ପ୍ରଭୁ ଵରାହ ରୂପୀ ଜଗନ୍ନାଥ ପୁରୀ ଶ୍ରୀମନ୍ଦିରରେ ପଶିଗଲେ ଏଵଂ ଯାଉଁଳା କବାଟଟିକୁ ବନ୍ଦ କରିଦେଲେ । ଫଳତଃ ଶ୍ରୀମନ୍ଦିରର ମୁଖ୍ୟ ଦରଜାରେ ଶରଟି ଲାଖି ରହିଲା । ସମସ୍ତ ମଲ୍ଲଯୋଦ୍ଧା ଆପ୍ରାଣ ଉଦ୍ୟମ କଲେ ସୁଦ୍ଧା ଶରଟିକୁ ବାହାର କରି ପାରିଲେନି । 

ବାରଭାଇ ବେଣ୍ଟକାର ପୁରୀରେ ପହଞ୍ଚି ନିଜର ଶରଟିକୁ ଅନାୟସରେ ଚିହ୍ନି ପାରିଲେ । ମହାରାଜାଙ୍କର ଅନୁମତିକ୍ରମେ ଶରଟିକୁ ବାହାର କରି ବଳଶାଳୀର ପରିଚୟ ଦେଇଥିଲେ । ସନ୍ତୁଷ୍ଟ ହୋଇ ମହାରାଜ କହିଲେ ‘ତୁମେ ଗନ୍ଧମାର୍ଦ୍ଦନର ପାଦଦେଶରେ ଥିବା ‘ମଣିଦାକାନନ’ ରେ ନିଜ ଗଡ଼ ସ୍ଥାପନ କର । ଏକ ଵରାହ ଵା ବାର୍ହା ପଛରେ ଧାବନ କରି କ୍ଷତ୍ରିୟ ଧର୍ମ ପାଳନ କରିଥିବାରୁ ତୁମକୁ ‘ବରିହା’ ଉପାଧି ପ୍ରଦାନ କରାଗଲା ।’ 


ଗଜପତିଙ୍କ ଠାରୁ ମେଲାଣି ନେଇ ବାଟରେ ଲୁହୁରା କନ୍ୟା ସୁଲୋଚନାକୁ ପ୍ରବଳ ସିଂ ଵିଵାହ କଲେ । ମଣିଦାକାନନରେ ରାଜ୍ୟ ପ୍ରତିଷ୍ଠା କରି ଵସଵାସ କଲେ । ଜଙ୍ଗଲରେ ଭ୍ରମଣ କରୁଥିଲାବେଳେ ବାରଭାଇ ବେଣ୍ଟକାର ଵିଚିତ୍ର ଦୃଶ୍ୟର ଅଵଲୋକନରେ ଆତ୍ମହରା ହୋଇପଡ଼ିଲେ ।

 ବୁଡ଼ା(ବୋଡ଼ା)ସାପଟିଏ ଵିରାଟ ସମ୍ବରକୁ ଆକ୍ରମଣ କରୁଥିଲାବେଳେ ଦୁହିଁଙ୍କ ଉପରକୁ ଶର ନିକ୍ଷେପ କଲେ । ସାପଟି ସମ୍ପୂର୍ଣ୍ଣ ରୂପେ ସମ୍ବରକୁ ଗିଳି ପଳାୟନ କରୁଥିଲେ ମଧ୍ୟ ସମ୍ବରର ମୁନିଆଁ ଶିଙ୍ଘରେ ଆକ୍ରାନ୍ତ ହୋଇ ସେଠି ଟଳି ପଡିଲା । ଏ ସ୍ଥାନଟି ବୀର ମାଟି । ଶତ୍ରୁ ହେଲେ ବି ପରାସ୍ତ ହୋଇପାରେ ଅନାୟସରେ । ଏମନ୍ତ ବିଚାରି ବାରଭାଇ ବେଣ୍ଟକାର ଗଡ଼ ତିଆରିଲେ । ‘ନୃସିଂହ ମାହାତ୍ମ୍ୟ’ ରେ ଲିଖୁତ ଅଛି – 
 
"ବିଂଝାଲ ରାଜାଙ୍କ ସେହି ମୁଖ୍ୟଗଡ଼ ହେଲା ରାଜବୋଡାରେ ସେ ଗଡ଼ ବିଖ୍ୟାତ ହୋଇଲା ।
 ଅରଣ୍ୟ କଟାଇ ତହିଁ ଗ୍ରାମ ବସାଇଲେ ସେଦିନୁ ସମସ୍ତେ ବୁଡ଼ା ସମ୍ବର ବୋଇଲେ ।"
 
ମଶିଦାକାନନର ନାମ ପରିବର୍ତ୍ତିତ ହୋଇ ବୁଡ଼ାସମ୍ବର/ ବୋଡ଼ାସମ୍ବର ବୋଲି ନାମିତ ହେଲା । 

ଏବେ ବି ପଦ୍ମପୁର ଉପଖଣ୍ଡକୁ ବୋଡ଼ାସମ୍ବର ବୋଲି କୁହାଯାଉଛି । 

ତେବେ ଏହା ତ ପୌରାଣିକ ଵା କିମ୍ବଦନ୍ତୀ ମୂଳକ ମତ କିନ୍ତୁ ଐତିହାସିକଙ୍କ ମତାନୁଯାୟୀ ବୁଡ଼ାସମ୍ବର ଵା ବୋଡ଼ାସମ୍ବର ଶବ୍ଦର ମୂଳ ସମ୍ଭଵତଃ ବୁଦ୍ଧ ସମ୍ବତ୍ସର । 

ବୁଦ୍ଧ ଶବ୍ଦକାଳ କ୍ରମେ ପରିଵୃତ୍ତ ହୋଇ ବୁଡା ହୋଇଛି । ସମ୍ବତ୍ସର ଶବ୍ଦରୁ ସମ୍ବଅର ଵା ସମ୍ବର ହୋଇ ବୁଡ଼ାସମ୍ବର ଵା ବୋଡ଼ାସମ୍ବରର ନାମକରଣ ହୋଇଥିବାର ପ୍ରମାଣ ମିଳେ । 

ବୋଡ଼ାସମ୍ବରରେ ମାର୍ଜାର କେଶରୀ ଵୈଷ୍ଣଵ ଧର୍ମର ଦେଵତା ପୂଜା ଦେଖିଵାକୁ ମିଳେ । ଏ ଅଞ୍ଚଳ ବୌଦ୍ଧଧର୍ମ ସାଧନାର ପୀଠ ଥିଲା । ଗନ୍ଧଗିରି/ଗନ୍ଧମାର୍ଦନ ଗିରିର ପାଦଦେଶରେ ବୁଦ୍ଧସମ୍ବତ୍ସର ଵୈଶାଖ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଥିଲା । କାଳକ୍ରମେ ଜନଵସତି ସ୍ଥାପନ ହେଵା ସହ ଏହି ସ୍ଥାନର ନାଁ ବୋଡ଼ାସମ୍ବର ହୋଇଥିଵାର ଜଣାପଡ଼େ ।


ଆଜି ବୋଡ଼ାସମ୍ବରର ନାମ ଏକ ଗ୍ରାମ ମଧ୍ୟରେ ସୀମିତ ହୋଇଯାଇଥିଲେ ବି ପଦ୍ମପୁର ନଗରର ଵିଭିନ୍ନ ସ୍ଥାନରେ ବୋଡ଼ା ଓ ସମ୍ବରର ଲଢ଼ାଇକୁ ପ୍ରତିମା ରୂପେ ସ୍ଥାପନା କରାଯାଇଛି ପୁଣି 
ପଦ୍ମପୁର ଅଞ୍ଚଳର ସ୍ଥାନୀୟ ପ୍ରତୀକ ହୋଇଯାଇଛି ବୋଡ଼ା ଓ ସମ୍ବର ଲଢ଼ାଇ । ଏହା ସୂଚାଇ ଦିଏ ଯେ ଏକଦା ଏ ପଦ୍ମପୁର ଅଞ୍ଚଳଟି ବୋଡ଼ାସମ୍ବର ନାମରେ କଥିତ ହେଉଥିଲା । 

••••••••••••••••••••••••
ଆଲେଖ୍ୟ—ଶିଶିର ସାହୁ ମନୋଜ 
କନ୍ତିଓ ପୁଟସାହି, ଢେଙ୍କାନାଳ 
•••••••••••••••••••••••••

Monday, July 18, 2022

ହଜିଯାଇଥିଵା ଏକ ପ୍ରାଚୀନ ଓଡ଼ିଆ ଶବ୍ଦ;ଦାରାକ୍ଷ

ଅଙ୍ଗୁର କୋଳିକୁ କିଏ ନ ଜାଣେ ? ସାରା ପୃଥିଵୀର ଯେକୌଣସି ହାଟବଜାରରେ ଆଉ କିଛି ମିଳୁ କି ନମିଳୁ ଅଙ୍ଗୁର କୋଳି ନିଶ୍ଚୟ ମିଳିଯାଏ । ସାଧାରଣତଃ Vitis ପ୍ରଜାତିର ୮୧ରୁ ଅଧିକ ଜାତିର ଗଛମାନଙ୍କୁ ଅଙ୍ଗୁର ଵା grapevine ଵିଦିତ କରାଯାଇଥାଏ। ତନ୍ମଧ୍ୟରେ ୬୫ଟି ଅଙ୍ଗୁର ଜାତୀୟ ପାଦପ ଏସିଆରେ,୨୫ଟି ଜାତିର ଅଙ୍ଗୁର ଗଛ ଆମେରିକା ତଥା Vitis vinifera ନାମକ ଅଙ୍ଗୁର ଜାତି ୟୁରୋପରେ ମୂଳତଃ ଉତ୍ପତ୍ତି ଲଭିଥିଵା ଜଣାଯାଇଛି । କେତେକ ଗଵେଷକ କୁହନ୍ତି ଯେ ଭାରତକୁ ଦ୍ରାକ୍ଷାଫଳ ଵା ଅଙ୍ଗୁରକୁ ପୂର୍ଵ ଏସିଆରୁ ପାରସ୍ୟର ଲୋକେ ୧୩୦୦ ଖ୍ରୀଷ୍ଟାବ୍ଦରେ ଆଣିଥିଲେ । 

କିନ୍ତୁ କେତେକ ପୁରାତନ ସଂସ୍କୃତ ଗ୍ରନ୍ଥରେ ଦ୍ରାକ୍ଷାର ଉଲ୍ଲେଖ ଏହି ମତ ପ୍ରତି ସନ୍ଦେହ ଜାତ କରାଇଥାଏ । ନିମ୍ନରେ ପ୍ରାଚୀନ ଗ୍ରନ୍ଥରେ ଦ୍ରାକ୍ଷା ଶବ୍ଦ ପ୍ରୟୋଗ ହୋଇଥିଵାର କେତେକ ଉଦାହରଣ ପ୍ରଦତ୍ତ ହେଲା...

"ଅଭୟାମଳକଂ ଦ୍ରାକ୍ଷା ପିପ୍ପଳୀ କଣ୍ଟକାରିକା । ଶୃଙ୍ଗୀ ପୁନର୍ନଵା ଶୁଣ୍ଠୀ ଜଗ୍ଧା କାସଂ ନିହନ୍ତି ଵୈ ॥"
 (୧,୧୯୩.୧୧,ଗରୁଡ଼ପୁରାଣ)

“ପୁନ୍ନାଗା ଶୋକ ବକୁଳ ଶମୀ ତିଳକ ଚମ୍ପକାନ୍। 
ଦାଡ଼ିମୀ ପିପ୍ପଳୀ ଦ୍ରାକ୍ଷା ତଥା କୁସୁମମଣ୍ଡପାନ୍ ॥” 
(ମତ୍ସ୍ୟ ପୁରାଣ,ଅଧ୍ୟାୟ ୨୫୫)
 
"କାରଵ୍ଯଜାଜୀମରିଚଂ ଦ୍ରାକ୍ଷା ଵୃକ୍ଷାମ୍ଲଦାଡ଼ିମମ୍ ।
 ସୌଵର୍ଚ୍ଚଳଂ ଗୁଡ଼ଂ କ୍ଷୌଦ୍ରଂ ସର୍ଵାରୋଚନନାଶନମ୍ ॥"
 (ଅଗ୍ନିପୁରାଣ ଅଧ୍ୟାୟ ୨୮୫)

ବହୁଭାର୍ଯ୍ୟା ନାରିକେଳା ଦ୍ରାକ୍ଷା ସର୍ଵାଙ୍ଗସୁନ୍ଦରୀ। 
ରତିପ୍ରଦା ତଥା କୋଳୀ କେତକୀ ଶତ୍ରୁନାଶିନୀ ॥”
(ପଦ୍ମପୁରାଣ, ସୃଷ୍ଟି ଖଣ୍ଡ)

"ମାଂସାକ୍ଷଂ ଦୁଵିଶାକଂ ଚ ବୁବୁଚେତା କୁରସ୍ତଥା ।
 କଫାଳକଂ କଣା ଦ୍ରାକ୍ଷା ଲକୁଚଂ ଚୋଚମେଵ ଚ ॥"
 (ବ୍ରହ୍ମାଣ୍ଡପୁରାଣ,ମଧ୍ଯଭାଗ)

“ଉଦୁମ୍ବରଂ ନାଳିକେରଂ ଦ୍ରାକ୍ଷା ଚ ବୃହତୀଦ୍ଵୟମ୍ ।
କଙ୍କାଳୀ କାକତୁଣ୍ଡୀରଂ କରୀରକୁଟଜଂ ଶମୀ ॥”
(ଭଵିଷ୍ୟପୁରାଣ,ଉତ୍ତରପର୍ଵ)

 “ଅମ୍ଲଂ ପରୂଷକଂ ଦ୍ରାକ୍ଷା ବଦରାଣ୍ଯାରୁକାଣି ଚ । 
 ପିତ୍ତଶ୍ଲେଷ୍ମପ୍ରକୋପୀଣି କର୍କନ୍ଧୁନିକୁଚାନ୍ଯପି ॥”
 
(ଚରକ ସଂହିତା - ୧,୨୭)

ତେବେ କେହି କେହି ଦ୍ରାକ୍ଷା ଶବ୍ଦର ଶାସ୍ତ୍ରରେ ପ୍ରୟୋଗକୁ ଅର୍ଵାଚୀନ କହିପାରନ୍ତି କାରଣ ପୂର୍ଵେ ପ୍ରାଚୀନ ଶାସ୍ତ୍ର ଏକ ପିଢ଼ିରୁ ଅନ୍ୟ ପିଢି଼କୁ ଜ୍ଞାନ ଆକାରରେ ପ୍ରଦାନ କରାଯାଉଥିଵାରୁ ତହିଁରେ ସମୟ ସହ ପରିଵର୍ତ୍ତନ ହୋଇଥିଵା ସମ୍ଭଵ । 

ହେଲେ ଏମନ୍ତ ହୋଇପାରେ ଯେ ଭାରତରେ ଅଙ୍ଗୁରକୋଳି ଵିଷୟରେ ବହୁତ ଆଗରୁ ଲୋକେ ଜାଣିଥିବେ ତେଣୁ ଏହାର ଅନେକ ଭାରତୀୟ ନାମ ଦିଆଯିଵା ସହ ଏଥିରୁ ଵିଭିନ୍ନ ପାନୀୟ ପ୍ରସ୍ତୁତ ହେଉଥିଲା ଫଳରେ ତହିଁର ଅନେକ ଶାସ୍ତ୍ରୀୟ ନାମ ଥିଵା ଜଣାଯାଏ । ଅଙ୍ଗୁର କୋଳିରୁ ପ୍ରସ୍ତୁତ ମଦ୍ୟକୁ ପରିସ୍ରୁତା,ମଦ୍ଧିକ,ମାଧ୍ଵୀକ,ମାର୍ଦ୍ଦିକ ଓ ସ୍ଵାଦୁରସା ଆଦି କୁହାଯାଉଥିଲା । ପୁନଶ୍ଚ ରାଗଷଡ଼ଵ ନାମରେ ଅଙ୍ଗୁର କୋଳିର ରସରୁ ଏକ ପ୍ରକାରର ଉତ୍କୃଷ୍ଟ ପାନୀୟ ମଧ୍ୟ ପ୍ରସ୍ତୁତ ହେଉଥିଲା ।‌ ଆଗେ ମୁଗର ୟୂଷରେ ଡ଼ାଳିମ୍ବର ଓ ଦ୍ରାକ୍ଷାର ରସ ମିଶ୍ରିତ କରି ଯେଉଁ ସୁଖକର ପାନୀୟ ପ୍ରସ୍ତୁତ ହେଉଥିଲା ତାକୁ ରାଗଷଡ଼ଵ କୁହାଯାଉଥିଲା । 

ଏ ଦେଶରେ "ଅଙ୍ଗୁର କୋଳି" ପ୍ରାଚୀନ କାଳରୁ ଅନ୍ତତଃ ୨୦୦୦ ଵର୍ଷ ପୂର୍ଵରୁ ଖାଦ୍ୟ ରୂପେ ଵ୍ୟଵହୃତ ଅତଃ ଏହାର ଅନେକ ଶାସ୍ତ୍ରୀୟ ନାମ ରଖାଯାଇଥିଲା ।
ଅଙ୍ଗୁର କୋଳିର 
ଦ୍ରାକ୍ଷା,ମୃଦ୍ଵୀକା,ଗୋସ୍ତନୀ,ସ୍ଵାଦ୍ଵୀ,ମଧୁରସା,
ଚାରୁଫଳ,କୃଷ୍ଣା,ପ୍ରିୟାଳା,ତାପସପ୍ରିୟା ,ଗୁଚ୍ଛଫଳା,ରସାଳା,ଯକ୍ଷ୍ମଘ୍ନୀ,ଶତଵୀର୍ଯ୍ୟା,ହରହ୍ବରା, ଅମୃତଫଳା ,ହାରଭୂରା ,କ୍ଷୌଦ୍ର ଓ ରସା ଇତ୍ୟାଦି ଅନେକ ଶାସ୍ତ୍ରୀୟ ନାମ ରହିଛି ତେବେ ଏହି ସବୁ ନାମ ମଧ୍ୟରେ ଦ୍ରାକ୍ଷା ନାମଟି ଅଧିକ ଲୋକପ୍ରିୟ ।‌

ଅଙ୍ଗୁର କୋଳିର ଶାସ୍ତ୍ରୀୟ ନାମ 'ଦ୍ରାକ୍ଷା'ର
ନିରୁକ୍ତି ଵିଷୟରେ କଳ୍ପଦ୍ରୁମ ସଂସ୍କୃତ ଅଭିଧାନରେ ଲେଖାଅଛି...

"ଦ୍ରାଙ୍କ୍ଷ୍ଯତେ କାଙ୍କ୍ଯତେ ଇତି ।
 ଦ୍ରାକ୍ଷି କାଙ୍କ୍ଷେ + ଘଞ୍ ।ଆଗମଶାସନସ୍ଯାନିତ୍ଯତ୍ଵାତ୍ ନ ଲୋପଃ ।"

କିନ୍ତୁ ଓଡ଼ିଆ ଭାଷାରେ ଦ୍ରାକ୍ଷା ଶବ୍ଦଟି ସାହିତ୍ୟରେ ହିଁ ସୀମିତ ଭାବେ ଵ୍ୟଵହୃତ ଏଵଂ କଥିତ ଓଡ଼ିଆ ଭାଷାରେ ସାଧାରଣତଃ ଅଙ୍ଗୁର ଶବ୍ଦ ହିଁ ପ୍ରଚଳିତ ଅଛି । 

କିନ୍ତୁ ଅନେକ ଓଡ଼ିଆ ଜାଣିନଥିବେ ଯେ ଏହି ଅଙ୍ଗୁର ଶବ୍ଦଟି ଏକ ଵୈଦେଶିକ ଶବ୍ଦ ଏଵଂ ଏହି ଶବ୍ଦଟି ପାର୍ସୀ ମୂଳର ଶବ୍ଦ ଅଟଇ । 

ଆଜି ଏସିଆ ମହାଦେଶର ଅନେକ ଭାଷାରେ ଅଙ୍ଗୁର ଶବ୍ଦ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ଏମନ୍ତକି ପ୍ରାଚୀନ ଗ୍ରୀକ୍ ଭାଷାରେ ମଧ୍ୟ ଅଙ୍ଗୁର ଶବ୍ଦଟି άγγουρα (ángoura) ରୂପେ ପ୍ରଚଳିତ ଥିଵା ଜଣାଯାଏ । 

'vitis' Genus ଅନ୍ତର୍ଗତ ଅନେକ speciesର ଲତିକାକୁ ଅଙ୍ଗୁର କୁହାଯାଏ । ଉତ୍ତର ଆମେରିକା, ମଧ୍ୟ ଏସିଆ,ହିମାଳୟ ପର୍ଵତମାଳା ତଥା ପୂର୍ଵ ଏସିଆରେ ଏ ଲତିକାଟି ଭିନ୍ନ ଜାତିରେ ମିଳିଥାଏ ଏଵଂ ଆଧୁନିକ ଗ୍ରାଫ୍ଟିଙ୍ଗ୍ ଯୋଗୁଁ ଆଜି ନୂଆ ନୂଆ କିସମର ଅଙ୍ଗୁର କୋଳି ଆମେ ଵିପଣିମାନଙ୍କରେ ଦେଖିଵାକୁ ପାଇଥାନ୍ତି । 

ଅଙ୍ଗୁର ଶବ୍ଦର ମୂଳ ଅସ୍ପଷ୍ଟ କିନ୍ତୁ ଏହା ପାର୍ସୀ ତଥା ଗ୍ରୀକ୍ ଭାଷାରେ ଚଳୁଥିଵା ଜଣାଯାଏ ‌ । 

ଆରବୀରେ ଅଙ୍ଗୁରକୁ عِنَب (ʿinab) କୁହାଯାଏ । ଭାଷାଵିଦମାନେ ଏହାର ମୂଳ ଆରବିକ୍ ଧାତୁରୂପ ع ن ب
 (ʿ-n-b) ନିର୍ଣ୍ଣୟ କରିଛନ୍ତି । ପ୍ରାକ୍ ସେମେଟିକରେ *ʿanbab ଶବ୍ଦ ଫଳ ଓ ପୁଷ୍ପ ଅର୍ଥରେ ପ୍ରୟୋଗ ହେଉଥିଲା । ଆରବିକ୍ عُنَّاب‎ (ʿunnāb, “jujube”), ହିବ୍ରୁ עֵנָב‎ (ʿēnāḇ, “grape”) ଓ עֲנָבָה‎ (ʿănāḇā), ଆରାମାଇକ୍ עֲנָבָא‎ (ʿănnāḇā, “stalk of grapes”) , עִנְּבָא‎ (ʿinneḇā, “cluster of grapes”), עִנְבְּתָא‎ (ʿinbəṯā, “berry”), ଶାସ୍ତ୍ରୀୟ ସିରିଆଇକ୍‌ରେ Syriac ܥܷܢܒ݂݁ܳܬܐ‎ (ʿinbəṯā, “berry”), ୟୁଗାରିଟିକ୍‌ରେ 𐎙𐎐𐎁 (ġnb, “grape(s)”), ସାବାଇଆନରେ 𐩲𐩬𐩨‎ (ʿnb, “vineyard”), ଗୀଜ୍ ଭାଷାରେ ሕንባብ (ḥənbab), ሕባብ (ḥəbab, “grape; grain”), ଓ thus حَبّ‎ (ḥabb, “seed”), ତଥା ଆକ୍କାଡି଼ଆନ୍ ଭାଷାରେ 𒄧 (inbum, “fruit”) ଇତ୍ୟାଦି ଶବ୍ଦ ଏହା ସହିତ ସମୋଦ୍ଧୃତ । 

ସେହିପରି ଇଂରାଜୀ ଭାଷାରେ ଅଙ୍ଗୁରକୁ grape କୁହାଯାଏ ଯାହା ଫ୍ରେଞ୍ଚ୍ ମୂଳର grape, grappe, crape (“ଫଳ ଵା ଫୁଲର ପେନ୍ଥା,ଅଙ୍ଗର ପେନ୍ଥା) ଶବ୍ଦରୁ ନିଆଯାଇଛି । Grape ଶବ୍ଦର ମୂଳ ଭାରୋପୀୟ ଶବ୍ଦରୂପ *ger- (“to turn, bend, twist”) ବୋଲି ପାଶ୍ଚାତ୍ୟ ଭାଷାଵିଦମାନଙ୍କ ମତ ।  

ଏହା ଜାଣି କେହି କେହି ଆପଣା ମନରେ ଭାବି ପାରନ୍ତି ଯେ ସେମେଟିକ୍ ମୂଳର ʿanbab
ଓ ଭାରୋପୀୟ ମୂଳର *ger ମୂଳ ଶବ୍ଦଦ୍ଵୟକୁ ଯୁକ୍ତ କରି ପାର୍ସୀରେ ଅଙ୍ଗୁର ଶବ୍ଦଟି ସୃଷ୍ଟି ହୋଇଥାଇପାରେ କିନ୍ତୁ ଏହା ହେଵା ସେତେଟା ସହଜ ନୁହେଁ କି ଏମିତି ଗୋଟିଏ ଶବ୍ଦ ସହଜରେ ପୁଣି ତତ୍କାଳୀନ ଵିଶ୍ଵରେ ସୃଷ୍ଟି ହୋଇନପାରେ । 

ମତାନ୍ତରେ ସଂସ୍କୃତ ଅଞ୍ଜୀର ଶବ୍ଦ ସହିତ ଅଙ୍ଗୁର ଶବ୍ଦ ସମୋଦ୍ଧୃତ ହୋଇଥିଵା ସମ୍ଭଵ । କଳ୍ପଦ୍ରୁମ ସଂସ୍କୃତ ଅଭିଧାନରେ ଅଞ୍ଜୀର ଶବ୍ଦର ନିରୁକ୍ତି ଲେଖାଅଛି

"ଅଞ୍ଜ + ଭାଵେ ଇଞ୍ ସ୍ତ୍ରିୟାଂ ଵା ଙୀପ୍ ଅଞ୍ଜୀମ୍ ଅଗ୍ନିକାରିତ୍ଵାଦି ଗୁଣଂ ରାତି ଦଦାତି ଅଞ୍ଜୀ ଆତୋଽନୁପସର୍ଗେ ଇତି କର୍ତ୍ତରି କଃ । ଅଥଵା ଅଞ୍ଜ + ଈରମ୍" 

ସାଧାରଣତଃ ଡିମ୍ବିରି ଫଳକୁ ସଂସ୍କୃତ ଭାଷାରେ ଅଞ୍ଜୀର କୁହାଯାଏ । ସମ୍ଭଵତଃ ଅଞ୍ଜୀର ଵା ଡିମ୍ବିରି ଭଳି ଦୃଶ୍ୟ ହେଉଥିଵାରୁ ଏଵଂ ଏକ ସ୍ଥାନରେ ପେନ୍ଥା ପେନ୍ଥା ହୋଇ ଫଳୁଥିଵାରୁ ସେହି ଅର୍ଥ ଘେନି ଅଙ୍ଗୁର ଫଳର ପ୍ରଥମେ ପାର୍ସୀରେ ଅଞ୍ଜୀର ନାମକରଣ ହୋଇଥିଲା ଏଵଂ ପରେ ତାହା ପରିଵର୍ତ୍ତିତ ହୋଇ ଅଙ୍ଗୁର ଶବ୍ଦ ରୂପେ ଚଳୁଅଛି । 

କିଛି ଲୋକ ସଂସ୍କୃତ ଅଙ୍ଗୁଳ ଶବ୍ଦ ସହିତ ପାର୍ସୀରେ ଅଙ୍ଗୁର୍ ଶବ୍ଦର ଵାହ୍ୟ ସାମଞ୍ଜସ୍ୟ ଦେଖି ଅନୁମାନ କରନ୍ତି ଯେ ଏ ଉଭୟ ଶବ୍ଦ ସମୋଦ୍ଧୃତ ହୋଇଥିବେ । ସେମିତି ବି ଅଙ୍ଗୁର କୋଳିର ଆକାର ଆଙ୍ଗୁଠି ପରି ହୋଇଥାଏ । କିନ୍ତୁ ପାର୍ସୀରେ 
ଆଙ୍ଗୁଠିକୁ انگشد‎(angošt) ଓ انگشت(angošd)କୁହାଯାଏ ଏଵଂ ଏହାର ମଧ୍ୟ ଯୁଗୀୟ ଶବ୍ଦରୂପ ʾngwst ଥିଲା । ସେହିପରି ଅଙ୍ଗୁର୍ ଶବ୍ଦର ମଧ୍ୟଯୁଗୀୟ ପାର୍ସୀ ରୂପ ngwl (angūr, “grape”) ଥିଲା ତଥା ଏହା ସଂସ୍କୃତ ଅଙ୍ଗୁଷ୍ଠ ସହିତ ସମୋଦ୍ଧୃତ । 

ଅନ୍ୟ ଏକ ଶବ୍ଦ ଅଛି ଯହିଁ ସହିତ ଅଙ୍ଗୁର ଶବ୍ଦର ସଗୋତ୍ରୀୟ ସମ୍ପର୍କ ଥିଵା ଅନୁମାନ କରାଯାଇପାରେ । ସେହି ଶବ୍ଦଟି ହେଉଛି ଅଙ୍କୁଡି଼ ଵା ଆଙ୍କୁଡି଼ ! କିନ୍ତୁ କେମିତି ?

ଅଙ୍କୁଡି଼ ଵା ଆଙ୍କୁଡି଼ କେମିତି ଅଙ୍ଗୁର ଶବ୍ଦ ସହିତ ସମୋଦ୍ଧୃତ ହୋଇପାରେ ତାହା ଜାଣିଵା ପାଇଁ ଆମକୁ ଇଂରାଜୀ ଭାଷାରେ ପ୍ରଚଳିତ Grape ଶବ୍ଦର ନିରୁକ୍ତି ଵିଷୟରେ ଜାଣିଵାକୁ ହେଵ । 

ଆମେ ସମସ୍ତେ ଜାଣନ୍ତି ଯେ ଇଂରାଜୀ ଭାଷାରେ ଅଙ୍ଗୁରକୁ Grape କୁହାଯାଏ ଏଵଂ କେତେକ ଭାଷାଵିଦ କୁହନ୍ତି ପ୍ରାଚୀନ ଜର୍ମାନ‌ର krapfo(hook) ଶବ୍ଦଟି ହିଁ ଆଜି ପରିଵର୍ତ୍ତିତ ହୋଇ ଇଂରାଜୀ ଭାଷାରେ Grape ହୋଇଅଛି । ଅନ୍ୟ କେତେକଙ୍କ ମତରେ ଫ୍ରାଙ୍କିସ୍ ଭାଷାର krappō(Hook) ଶବ୍ଦ ପରେ Grape ହୋଇଅଛି । ତେବେ "Grape" ! ଏହି ଶବ୍ଦଟି ପ୍ରୋକ୍ତ ଦୁଇଗୋଟି ଶବ୍ଦ ମଧ୍ୟରୁ ଯେଉଁ ମୂଳରୁ ବି ଆସିଥାଉ ଏହାର ପ୍ରାଚୀନ ଶବ୍ଦରୂପର ପ୍ରାରମ୍ଭିକ ଅର୍ଥ ଥିଲା Hook ଵା ଅଙ୍କୁଶ/ଆଙ୍କୁଡି଼ । ପାର୍ସୀ ସାଧାରଣତଃ ଭାରୋଇରାନୀୟ ଭାଷାଶାଖାର ଭାଷା ହୋଇଥିଵାରୁ ସମ୍ଭଵତଃ ଅଙ୍ଗୁର ଶବ୍ଦଟି ମଧ୍ୟ ଅଙ୍କୁଶ କିମ୍ବା ଆଙ୍କୁଡି଼ ଵା ଅଙ୍କୁଡି଼ ସହିତ ସମୋଦ୍ଧୃତ କୌଣସି ଇରାନୀୟ ଶବ୍ଦରୁ ସୃଷ୍ଟି ହୋଇଥିଵା ସମ୍ଭଵ । 

ଅସ୍ତୁ ଅଙ୍ଗୁର ଶବ୍ଦ କେଉଁ ଶବ୍ଦ ମୂଳରୁ ସୃଷ୍ଟି ହୋଇଅଛି ତାହା ଏଯାଵତ୍ ଭାଷାଵିଦମାନେ ସମାଧାନ କରିପାରିନାହାନ୍ତି । ତେବେ ଏ ଦେଶକୁ ମୁସଲମାନ ଆଗମନ ପୂର୍ଵରୁ ଅଙ୍ଗୁରକୁ ଅଙ୍ଗୁର ନୁହେଁ ଵରଂ ଦ୍ରାକ୍ଷା କୁହାଯାଉଥିଲା । ଦ୍ରାକ୍ଷା ହିଁ ଅଙ୍ଗୁର ଶବ୍ଦର ମୁଖ୍ୟ ଭାରତୀୟ ପ୍ରତିଶବ୍ଦ । 

ଜଗନ୍ନାଥ ଦାସ ଓଡ଼ିଆ ଭାଗଵତରେ ଦ୍ରାକ୍ଷା ଶବ୍ଦର ପ୍ରୟୋଗ କରିଯାଇଛନ୍ତି ।

"ଦ୍ରାକ୍ଷା ଈକ୍ଷୁ ଯେ ରମ୍ଭାଵନ । 
ବଦରୀ ଅଭୟା ଯେ ଦ୍ରୁମ ॥"
(ଅଷ୍ଟମ ସ୍କନ୍ଧ,ଭାଗଵତ)

ସେହିପରି ଲାଵଣ୍ୟଵତୀ ତଥା ଵୈଦେହୀଶ ଵିଳାସ ଭଳି ଵିଶିଷ୍ଟ କାଵ୍ୟରେ କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମଧ୍ୟ ଦ୍ରାକ୍ଷା ଶବ୍ଦ ପ୍ରୟୋଗ କରିଛନ୍ତି

"ଏକମୁଖୀ ରୁଦ୍ରାକ୍ଷ ଗ୍ରହଣ ଯୋଗୀ କରେ ବାଳକେ କିଣନ୍ତି ଦ୍ରାକ୍ଷା କେଵଳ କୋଳିରେ ଯେ ।"
(ଲାଵଣ୍ୟଵତୀ,କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ)

"ବୃକଧୂପରେ ଧୂପିତ ସେ ଓକ କଲେ ନିରତ ଦ୍ରାକ୍ଷା ଅଶନରେ ହୋଇ ତୋଷ ଯେ ।"

(ଵୈଦେହୀଶ ଵିଳାସ,କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ)

ମୁସଲମାନ ଆଗମନ ପୂର୍ଵରୁ ଭାରତରେ 
ଏହି ଦ୍ରାକ୍ଷା ଶବ୍ଦ ହିଁ ଲୋକମୁଖରେ କଥିତ ହେଉଥିଲା ଏଵଂ ଏହା ସହିତ ସମୋଦ୍ଧୃତ ଅନେକ ଦେଶଜ ପ୍ରତିଶବ୍ଦ ଵିଭିନ୍ନ ଭାରତୀୟ ଭାଷାରେ ପ୍ରଚଳିତ ଥିଲା । ହିନ୍ଦୀରେ ଅଙ୍ଗୁରକୁ ଦାଖ୍,ଅହମିଆରେ ଅଙ୍ଗୁରକୁ দাক্ষা (dakha),
ବଙ୍ଗାଳୀରେ দ্রাক্ষা (drakkha) ତଥା ଓଡ଼ିଆ ଭାଷାରେ ଅଙ୍ଗୁରକୁ ଦ୍ରାକ୍ଷା ଓ ଦାରାକ୍ଷ କୁହାଯାଉଥିଲା । 

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଆମେ ଅଙ୍ଗୁର ଅର୍ଥରେ ଦ୍ରାକ୍ଷା ଓ ଵିଶେଷତଃ ଦାରାକ୍ଷ ଶବ୍ଦ ପ୍ରୟୋଗ ହୋଇଥିଵା ଦେଖିଵାକୁ ପାଆନ୍ତି । 

ସାରଳା ମହାଭାରତରେ ସାରଳା ଦାସ ଅଙ୍ଗୁର ଅର୍ଥରେ "ଦାରାକ୍ଷ" ଶବ୍ଦକୁ ଏମନ୍ତ ଭାବେ ପ୍ରୟୋଗ କରିଛନ୍ତି

"ସନ୍ୟ ସାଗର ଆଦି ଯେତେକ ରାଜାର ତୁଲେ ଥିଲେ ।
ଆମ୍ୱ ପଣସ କଦଳୀ ଦାରାକ୍ଷ ସମସ୍ତେ ଭୁଞ୍ଜିଲେ ॥"

ସେହିପରି ବଳରାମ ଦାସଙ୍କ ଜଗମୋହନ ରାମାୟରେ ମଧ୍ୟ ଦାରାକ୍ଷ ଶବ୍ଦ ଵ୍ୟଵହାର ହୋଇଅଛି 

"ବେଲ ଯେ ବକୁଳ ଆଉ ତାଳ ଯେ ତିନ୍ତୁଳି । 
ଜାଇଫଳ ଦାରାକ୍ଷ କପିଥ ଚାରକୋଳି ॥"


ଵିଚି ରାମାୟଣରେ କଵି ଵିଚିତ୍ର ଖୁଣ୍ଟିଆ ପୁଷ୍ପ ଫଳର ଵର୍ଣ୍ଣନା ମଧ୍ୟରେ ଦାରାକ୍ଷ ଫଳର ଉଲ୍ଲେଖ କରାଯାଇଛନ୍ତି

"ବଇଁଚ ଗଙ୍ଗଶିଉଳି ପିରିଖ ଯେ କସି ।
ମଞ୍ଜସାର ଶିରୀଷ ଯେ କେନ୍ଦୁ ବେଲ ମିଶି ।
ଆମ୍ବ ଦାରାକ୍ଷ ଖଜୁରୀ ପଣସ ଓଶସ୍ତ ।
ଏସନେକ ବୃକ୍ଷମାନେ ଅଛନ୍ତି ସମସ୍ତ ।"

××××××××××

"ଆମ୍ବ ଖଜୁରୀ ଦାରାକ୍ଷ ବେତ ବରକୋଳି ।
ଆଖୁ ଅଦା ନରକୋଳି କରମଙ୍ଗା ଓଉ ।
ପାଚଲା ପିଜୁଳି ଯେ ମହୁଲ ଘିଅ ମହୁ ।
କନ୍ତାରୀ ବଙ୍ଗାଳ କୁଣିଆରୀ ଯେ କଂସାରୀ ।
ପରଷନ୍ତି ସଙ୍ଗେ ସଙ୍ଗେ ଭଜା ତରକାରୀ ।
ଯେ ଯାହା ଇଚ୍ଛା କରନ୍ତି ସେ ତାହା ପାଆନ୍ତି ।
ଲୋଭୀ ପେଟୁ ଲୋକେ ଯେ ଲୋଭେଣ ଖାଇଯାନ୍ତି ।"


ତେବେ ଏହି ଦାରାକ୍ଷ ଶବ୍ଦ ଆଜି ବି ଦକ୍ଷିଣ ଓଡ଼ିଶାର କଥିତ ଭାଷାରେ ବଞ୍ଚି ରହିଛି ହେଲେ ଏ ଶବ୍ଦ ଏହି ଅଞ୍ଚଳରେ ଦୁଇଗୋଟି ଭିନ୍ନ ଅର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ।

ପ୍ରଥମତଃ କିସମିସ ଵା ଶୁଖିଲା ଅଙ୍ଗୁରକୁ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ଦାରାକ୍ଷ କୁହାଯାଏ । 

ସେହିପରି ଆଜିକାଲି ଏକ ଜାତୀୟ ଛଣା ଖାଦ୍ୟଦ୍ରଵ୍ୟକୁ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଦାରାକ୍ଷ କୁହାଯାଉଛି । 

ଏହି ଦାରାକ୍ଷ ନାମକ ଛଣା ଖାଦ୍ୟଦ୍ରଵ୍ୟଟି
ଦେଖିଵାକୁ ଅଙ୍ଗୁର ଆକାରର ହୋଇଥିଵାରୁ ଅଙ୍ଗୁରର ପୁରୁଣା ଓଡ଼ିଆ ନାମ ଆଧାରରେ ଏହାକୁ ଦାରାକ୍ଷ କୁହାଯାଉଥିଵା ସହଜେ ଅନୁମେୟ । 

ଦାରାକ୍ଷ ଛଣାଖାଦ୍ୟର ଗଢି଼ଵା ପ୍ରଣାଳୀ ନିମ୍ନରେ ସରଳ ଭାବରେ ଲିଖିତ ହେଲା । 


ମୁଗଡ଼ାଲିକୁ ବତୁରେଇ ବାଟିଵା ଉତ୍ତାରୁ ସାମାନ୍ୟ ଲୁଣ ପକାଇ ଭଲ ଭାବରେ ଫେଣ୍ଟି କିଛି ସମୟ ରଖିଲା ପରେ ତାହା ସାମାନ୍ୟ ଶୁଖିଯାଏ ।ଵିଶେଷ ପ୍ରକାରର ଛାଞ୍ଚ ଵ୍ୟଵହାର କରି ଛଣାଯାଏ ସେହି ମୁଗଡାଲି ବଟାକୁ ତେଲରେ ଛଣାଯାଏ । ଚିନି ସିରା ପ୍ରସ୍ତୁତ କରି ସେଥିରେ ବୁଡ଼ାଇ ପ୍ରସ୍ତୁତ କରାଯାଏ ଦାରାକ୍ଷ ଛଣାଖାଦ୍ୟ ।

ଓଡ଼ିଆ 'ଦାରାକ୍ଷ' ଶବ୍ଦଟି ଵୈଦେଶିକ 'ଅଙ୍ଗୁର' ଶବ୍ଦ ସହିତ ସଂଘର୍ଷ କରି ପ୍ରାୟ ଅଞ୍ଚଳରୁ ହଜିଯାଇଛି କିନ୍ତୁ ଦକ୍ଷିଣ ଓଡ଼ିଶାରେ 'ଦାରାକ୍ଷ' ଶବ୍ଦ ଲୋକମୁଖରେ ଭିନ୍ନ ଅର୍ଥରେ ହେଉ ପଛେ ବଞ୍ଚି ରହିଛି । କିନ୍ତୁ ଏଠାରେ ଵିଚାର କରିଵା କଥା ଯେ ଆମ ଓଡ଼ିଆ ଭାଷାର ଗୋଟିଏ ପ୍ରାଚୀନ ଶବ୍ଦ 'ଦାରାକ୍ଷ' ଆଜି କାହିଁକି ଅପ୍ରଚଳିତ ହୋଇଗଲା ?

 କାରଣ ଆମେ ଗୋଟିଏ ଵୈଦେଶିକ ଶବ୍ଦ 'ଅଙ୍ଗୁର'କୁ ଏତେ ମାତ୍ରାରେ ପ୍ରୟୋଗ କଲେ ଯେ ଆମ ଭାଷାରେ ପ୍ରଚଳିତ 'ଦାରାକ୍ଷ' ଶବ୍ଦଟି ମାନକ ଭାଷାରୁ ନିଜର ସ୍ଥାନ ହରାଇ ପ୍ରାଚୀନ ଓଡ଼ିଆ ସାହିତ୍ୟ ତଥା ଦକ୍ଷିଣ ଓଡ଼ିଶାର କଥିତ ଓଡ଼ିଆ ଶୈଳୀରେ ବଞ୍ଚିରହିଗଲା । 
 
(ଶିଶିର ସାହୁ ମନୋଜ)

Sunday, July 17, 2022

କାଉଙ୍କ କୌଶଳ


ଇଂରାଜୀ ଶାସନ ପୂର୍ଵର କଥା । ଥରେ ଛୁଆକାଉଟିଏ ,ପିତା କାଉକୁ ପଚାରିଲା 

ଇ ବୁଆ ! ଆମେ ତ ସବୁ ଚାରିଗୋଡି଼ଆଙ୍କ ମାଉଁସ ଖାଇସାରିଛେ ହେଲେ ଏଇ ଯୋଉ ଦିଗୋଡ଼ିଆ ମଣିଷଗୁରା କାଇଁ ତାଙ୍କ ମାଂସ ତ ଆମ୍ଭେମାନେ କେବେବି ଖାଉନାହେଁ ?
 
କଣ ଏଇ ମନୁଷ୍ୟମାନେ ଅମର ନା ଦୀର୍ଘକାଳ ପର୍ଯ୍ୟନ୍ତ ଧରାପୃଷ୍ଠରେ ବଞ୍ଚିଥାଆନ୍ତି ?

ପିତାକାଉଟି ପୁତ୍ରକାଉକୁ କହିଲା ମୁଁ ଜୀଵନ ରେ ତିନି ତିନଥର ମଣିଷମାଂସ ଖାଇଛି ଯହ ସୁଆଦ ଯେ ହଁ ହଁ 

କାଉ ଛୁଆ ଟି ଅଳି କଲା
ଉଁ ... ଉଁ ମୁଁ ବି ଖାଇବି ମକେ ଦିଅ ବୋ ... 

ପିତାକାଉ ଟିକେ ଚିନ୍ତା କରି କହିଲା 
ଠିକ ଅଛି ଖୁଏଇ ଦେବି ଯେ ହେଲେ କିଛି ଦିନ ପରେ...

ତାପରେ ପିତାକାଉଟି ନିଜ ଯୋଜନା କାର୍ଯ୍ୟକାରୀ କରିଵାପାଇଁ ନିକଟସ୍ଥ ଏକ ଝାଙ୍କାଳିଆ ବରଗଛ ଉପରକୁ ଉଡି଼ଯାଇ ନିଜ ଜାତି ଭାଇଙ୍କୁ କା କା ରାବ କରି ଡାକିଲା । 

କାଉ ଜାତିଭାଇ ଏକାଠି ହେଵାରୁ ପିତାକାଉଟି ନିଜ ଯୋଜନା ସବୁ କାଉଙ୍କୁ କହି ଶୁଣାଇଲା । ସଭାରେ ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ କେତେକ କାଉଙ୍କୁ ଛାଡ଼ି ଅଧିକାଂଶ ଯୋଜନ କାର୍ଯ୍ୟାକାରୀ କରିଵା ସପକ୍ଷରେ ମତ ଦେଲେ । 


ତିନିଦିନ ପରେ ଯୋଜନା ଅନୁସାରେ କାର୍ଯ୍ୟ ଆରମ୍ଭ ହୋଇଗଲା । କାଉମାନେ ଜାଣିଥିଲେ ଉତ୍କଳ ଦେଶରେ ପର୍ଵତ୍ୟଵାସୀ ଲୋକେ ଉପକୂଳର ଲୋକଙ୍କୁ ସେତେଟା ପସନ୍ଦ କରନ୍ତି ନାହିଁ । 

ତେଣୁ କାଉମାନେ ଏକ ନିର୍ଦ୍ଦିଷ୍ଟ ଦିନରେ ଏକକାଳୀନ ପାର୍ଵତ୍ୟଵାସୀ ଓଡ଼ିଆ ଲୋକଙ୍କ ଉପରେ ଆକ୍ରମଣ କରିଦେଲେ । 

କିଏ ଆକାଶରୁ ଛୋଟ ପଥର ପକାଇଲା ,କିଏ ମନ୍ଦିରରେ ଯାଇ ମାଂସ ଖଣ୍ଡ ପକାଇ ଦେଇ ଆସିଲା ତ କିଏ ବାହାରେ ଶୁଖୁଥିଵା ପୋଷାକ ପତ୍ର ଉଡ଼େଇ ନେଇ ଚାଲିଗଲା । 

ପାର୍ଵତ୍ୟଵାସୀ ଓଡ଼ିଆମାନେ କାଉମାନଙ୍କର ଏଭଳି ହାବଭାବ ଦେଖି କିଛି ବୁଝିପାରିଲେ ନାହିଁ କିନ୍ତୁ କିଛି ଅନିସନ୍ଧିତ୍ସୁ ଲୋକଙ୍କୁ ସନ୍ଦେହ ହେଲା । ସେମାନେ କାଉମାନଙ୍କ ପଛରେ ଗଲେ । 

କାଉମାନେ ତ ସେଇଆ ଚାହୁଁଥିଲେ, ସେମାନେ ଉପକୂଳ ଓଡ଼ିଶାରୁ ଆସିଥିଵା ସୈନ୍ୟଛାଉଣି ଆଡ଼କୁ ଉଡି଼ଆସିଲେ । ସେଇଠୁ ପାର୍ଵତ୍ୟଵାସୀ ଓଡ଼ିଆମାନେ ବୁଝିଲେ ଯେ ଏସବୁ କାମ ପଛରେ ଉପକୂଳ ଓଡ଼ିଶାରୁ ଆସି ଏଠାରେ ଛାଉଣି କରିଥିଵା ସୈନ୍ୟମାନଙ୍କ ହାତ ଅଛି । ସେଇମାନେ ପୋଷାକାଉ ପଠାଇ ଆମ ପର୍ଵତ୍ୟଵାସୀ ଭାଇ ଭଉଣୀମାନଙ୍କୁ ହନ୍ତସନ୍ତ କରୁଛନ୍ତି। କିଛି ଲୋକ ଏକଥାରେ ଏକମତ ହେଲେନି । 

ଉପକୂଳ ଓଡ଼ିଶାର ଲୋକ ଆମ ଉପରେ କାହିଁକି ଦାଉ ସାଧିବେ ? 

ଏହାର ଉତ୍ତର ବି କିଛି ବୁଦ୍ଧିଆ ଲୋକଙ୍କ ପାଖରେ ଥିଲା । ତାଙ୍କ ଅନୁସାରେ ଉପକୂଳ ଓଡ଼ିଶାର ଲୋକ ଆମ ଭିଟାମାଟି ଛଡ଼େଇ ନେଵାପାଇଁ ସଦଳବଳ ଆସି ଏଠି ସେନାଛାଉଣି କରିଛନ୍ତି ।

 ଆଜି ଉପକୂଳର ପୋଷାକାଉ ପଠେଇଥିଲେ କାଲି ଉପକୂଳିଆ ପୋଷାବାଘ ପଠେଇ ପାରନ୍ତି ତେଣୁ ବେଳହୁଁ ସାଵଧାନ ହେଇଯିଵା ଉଚିତ୍ । 

ତହୁଁ କିଛି ପାର୍ଵତ୍ଯଵାସୀ ଓଡ଼ିଆମାନେ ଖଣ୍ଡା ଠେଙ୍ଗା ଧରି ସୈନ୍ୟଛାଉଣୀ ଉପରେ ଅତର୍କିତ ଆକ୍ରମଣ କରିଦେଲେ । ହଠାତ୍ ଆକ୍ରମଣ ଯୋଗୁଁ ଅନେକ ସୈନିକ ନିଜର ରକ୍ଷା ନକରିପାରି ଅକାଳ ମୃତ୍ୟୁଵରଣ କଲେ ।

 ଯୋଉ ସୈନ୍ୟମାନେ ବଞ୍ଚିଗଲେ ସେମାନେ ଅନେକ ପାର୍ଵତ୍ୟଵାସୀ ଓଡ଼ିଆଙ୍କୁ ମାରିଦେଲେ । ଶେଷରେ ପାର୍ଵତ୍ୟଵାସୀ ଓଡ଼ିଆ ଆଉ ଉପକୂଳର ସୈନ୍ୟମାନଙ୍କ ମଧ୍ୟରେ ଭୀଷଣ ଖଣ୍ଡଯୁଦ୍ଧ ଲାଗିଗଲା ।
 
 ଏଥିରେ ଉଭୟ ପଟରୁ ପ୍ରାୟ ଅଧିକାଂଶ ଲୋକ ମରିଗଲେ । କାଉମାନେ ଗଛ ଡାଳ ଉପରେ ବସି ଏସବୁ ହଣାକଟା ଦେଖୁଥାନ୍ତି । ଶହ ଶହ ଓଡ଼ିଆ ହଣା ହୋଇ ଭୂମିରେ ପଡ଼ଥାଆନ୍ତି । 
 
ସେମାନଙ୍କ ଶଵ ଉଠାଇଵାକୁ ବି କେହି ନଥିଲେ । କାଉମାନେ ମହା ଆନନ୍ଦରେ ନିଜ ଚିଲ ଛଞ୍ଚାଣ ଭାଇମାନଙ୍କ ସହିତ ମିଶି ମୃତ ମନୁଷ୍ୟଙ୍କ ମାଂସ ଭକ୍ଷଣ କଲେ ଆଉ ଯୋଉ ପିତା କାଉଟି ନିଜ ପୁତ୍ରକାଉକୁ ମନୁଷ୍ୟ ମାଂସ ଚଖାଇଵ ବୋଲି ପ୍ରତିଶ୍ରୁତି ଦେଇଥିଲା ସେ ଖଣ୍ଡିଏ ମଣିଷ ମାଉଁସ ଖଣ୍ଡ ନେଇ ନିଜ ବସା ଆଡ଼କୁ ଉଡି଼ଗଲା...

କୁହାଯାଏ ସେହିଦିନଠାରୁ ପାର୍ଵତ୍ୟଵାସୀ ଓଡ଼ିଆମାନେ ଉପକୂଳ ଓଡ଼ିଶାର ଲୋକଙ୍କୁ ଘୃଣା ଚକ୍ଷୁରେ ଦେଖିଵାକୁ ଲାଗିଲେ କିନ୍ତୁ ଉପକୂଳ ଓଡ଼ିଶାର ଲୋକେ ଏ ଘଟଣା ଵିଷୟରେ କିଛି ଜାଣିପାରିଲେ ନାହିଁ । 

••••••••••••••••••••••••••••
କାହାଣୀଟି ସିନା କାଳ୍ପନିକ କିନ୍ତୁ ଚିନ୍ତା କରନ୍ତୁ ଓଡ଼ିଆ ଜାତି ମଧ୍ୟରେ ଆଜି ଏତେ ଵିଚ୍ଛିନ୍ନଵାଦ ସୃଷ୍ଟି କରାଇଵା ପଛରେ କାହାର ହାତ ଅଛି ? ଉତ୍ତର ଭାରତର କିଛି କାକୁବୁଦ୍ଧିଯୁକ୍ତ ଲୋକ କେଵଳ ନିଜର ସ୍ଵାର୍ଥଲାଭ ହେତୁକ ଗତ କୋଡ଼ିଏ ତିରିଶ ଵର୍ଷ ଧରି ପଶ୍ଚିମ ଓଡ଼ିଶାର ଲୋକଙ୍କ ମତିଭ୍ରମ କରିଚାଲିଛନ୍ତି । ଛତିଶଗଡ଼ ଗଠନ ସମୟରେ ପଶ୍ଚିମ ଓଡ଼ିଶାକୁ ଛତିଶଗଡ଼ ରାଜ୍ୟରେ ମିଶ୍ରଣ ପାଇଁ ହାଣ୍ଡିଆମାନେ ଦାବୀ କରିଥିଲେ ଯାହାକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଲେ ଫଳରେ କେଵଳ ମଧ୍ୟପ୍ରଦେଶର ଦକ୍ଷିଣ ଅଂଶକୁ ନେଇ ଛତିଶଗଡ଼ ଗଠନ ହେଲା । ଛତିଶଗଡ଼ର ମନୁଷ୍ୟକାକମାନେ କିନ୍ତୁ ପଶ୍ଚିମ ଓଡ଼ିଶାରୁ ନିଜର ଲୋଭ ଛାଡ଼ି ପାରିଲେ ନାହିଁ । ସେମାନେ ଠୋସଳ ଆନ୍ଦୋଳନର ସୂତ୍ରପାତ କରାଇଲେ । ପଶ୍ଚିମ ଓଡ଼ିଶାର ଲୋକଙ୍କୁ ଅର୍ଦ୍ଧସତ୍ୟ ଇତିହାସ ପଢ଼ାଇଲେ । ଏବେ ପଶ୍ଚିମ ଓଡ଼ିଶାରେ ଅଣଓଡ଼ିଆଙ୍କ ଦ୍ଵାରା ରୋପିତ ଵିଚ୍ଛିନ୍ନତାଵାଦ ରୂପ ଚାରାଟି ବଡ଼ ହେଵାକୁ ବସିଲାଣି । ସେ ଵୃକ୍ଷକୁ ନକାଟିଲେ ଆଗକୁ ସତସତିକା ରାଷ୍ଟ୍ରଵିପ୍ଳଵ ହେଵ ଆଉ ଯୋଉ ମଣିଷମାନେ ସେଥିରେ ମରିବେ ତାଙ୍କ ଶଵ ଜଳାଇଵାକୁ ବି ଲୋକ ମିଳିବେ ନାହିଁ । ସେତେବେଳେ କାକ, ଛଞ୍ଚାଣ , ଚିଲ ଓ ଗିରିଧମାନେ ଶୃଗାଳ, କୁକୁରଙ୍କ ସହିତ ମିଶି ଭୁରି ଭୋଜନ କରିବେ ଆଉ ହାଣ୍ଡିଆ ଓଡ଼ିଶାର ଏକ ବଡ଼ ଭୂଭାଗ ଲାଭ କରି ସେସବୁ ଅଞ୍ଚଳରେ ଵସଵାସ କରିବେ । ଏବେ ବି ସମୟ ଅଛି ସବୁ ଓଡ଼ିଆମାନେ ହାଣ୍ଡିଆ କାଉଙ୍କ ଚକ୍ରାନ୍ତ ବୁଝ । ହାଣ୍ଡିଆମାନେ କେବେ ଓଡ଼ିଶାର କି ଓଡ଼ିଆ ଜାତିର ଵିକାଶ ଚାହାନ୍ତି ନାହିଁ ଵରଂ ଓଡ଼ିଆ ଜାତି କେମିତି ମରି ହଜିଗଲେ ଓଡ଼ିଶା ଦଖଲ କରି ଏଠାରେ ଵସଵାସ କରି ବଂଶ ବଢ଼େଇବେ ଏହା ହିଁ ତାଙ୍କର ୨୦୦୦ ଵର୍ଷର ଅପୂର୍ଣ୍ଣ ଇଚ୍ଛା ରହି ଆସିଛି । ତଥାକଥିତ ମହାଦାନୀ କର୍ଣ୍ଣର କଳିଙ୍ଗ ଆକ୍ରମଣଠାରୁ ଆଜିଯାଏଁ ଏହା ଉତ୍ତର ଭାରତୀୟ କାକଙ୍କ ଗୁପ୍ତ ଯୋଜନା। 
••••••••••••••••••••••••••••



Thursday, July 14, 2022

“ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ଏଵଂ ଓଡ଼ିଆ ଜନସମାଜରେ ତହିଁର ପ୍ରତିଫଳନ”

ଷୋଡଶପ୍ରକାର ମାତାଙ୍କ କଥା ବ୍ରହ୍ମଵୈଵର୍ତ୍ତ ପୁରାଣର ଗଣପତିଖଣ୍ଡରେ କାର୍ତ୍ତିକେୟ ସଂଵାଦସ୍ଥ ୧୫ତମ ଅଧ୍ଯାୟରେ ଲେଖାଅଛି

  “ସ୍ତନଦାତ୍ରୀ ଗର୍ଭଧାତ୍ରୀ ଭକ୍ଷଦାତ୍ରୀ ଗୁରୁପ୍ରିୟା । 
 ଅଭୀଷ୍ଟଦେଵପତ୍ନୀ ଚ ପିତୁଃ ପତ୍ନୀ ଚ କନ୍ଯକା ॥
 ସଗର୍ଭଜା ଯା ଭଗିନୀ ପୁତ୍ତ୍ରପତ୍ନୀ ପ୍ରିୟାପ୍ରସୂଃ । 
ମାତୁର୍ମାତା ପିତୁର୍ମାତା ସୋଦରସ୍ଯ ପ୍ରିୟା ତଥା ॥
ମାତୁଃ ପିତୁଶ୍ଚ ଭଗିନୀ ମାତୁଳାନୀ ତଥୈବ ଚ ।
ଜନାନାଂ ଵେଦଵିହିତା ମାତରଃ ଷୋଡଶ ସ୍ମୃତାଃ ॥ ” 

ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ଓ ମାତୃତୁଲ୍ୟା ମହିଳା ହେଲେ

•ସ୍ତନ୍ୟପାନ କରାଇଥିଵା ମାତା
•ଗର୍ଭଧାରଣ କରିଥିଵା ମାତା
•ପାଳନ ପୋଷଣ କରିଥିଵା ମାତା
•ଗୁରୁଙ୍କ ପତ୍ନୀ
•ଅଭୀଷ୍ଟଦେଵପତ୍ନୀ
•ପିତାଙ୍କ ପତ୍ନୀ(ସାବତ ମାଆ)
•ପିତାଙ୍କ କନ୍ୟା(ସାବତ ଭଗିନୀ)
•ନିଜର ଭଗିନୀ
•ନିଜ ପୁତ୍ରର ପତ୍ନୀ
•ପ୍ରିୟାପ୍ରସୂ ଅର୍ଥାତ୍ ନିଜ ଝିଅ
•ମାତାଙ୍କ ମାଆ ଵା ଆଈ
•ପିତାଙ୍କ ମାଆ ଵା ଜେଜେମାଆ
•ଭାଇର ପତ୍ନୀ
•ମାତାଙ୍କ ଭଗିନୀ/ମାଉସୀ
•ପିତାଙ୍କ ଭଗିନୀ/ପିଉସୀ ମାଆ
•ମାତୁଳାନୀ ଵା ମାଇଁ

ଓଡ଼ିଆ ସମାଜ ଶାସ୍ତ୍ରର ଏହି କଥନକୁ କେମିତି ପାଳନ କରିଛି ତହିଁର କେତେକ ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା...

ଓଡ଼ିଶାରେ ଶିକ୍ଷୟିତ୍ରୀ ତଥା ଶିକ୍ଷକଙ୍କ ପତ୍ନୀଙ୍କୁ ଗୁରୁମାଆ ସମ୍ବୋଧନ କରାଯାଏ । ଏଭଳି ଲୋକାଚାର ଭାରତରେ ଅନ୍ୟତ୍ର ପ୍ରାୟତଃ ଲୁପ୍ତ ହୋଇଯାଇଥିଵା ବେଳେ ଓଡ଼ିଶାରେ ଅଳ୍ପ ବହୁତେ ବଞ୍ଚି ରହିଛି । 

 ଦେଵତାଙ୍କ ପତ୍ନୀ ଓ ଦେଵୀମାନଙ୍କୁ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ । ଯଥା ମାଆ ସମଲେଈ,ମାଆ ତାରିଣୀ ଓ ମାଆ ମଙ୍ଗଳା ଇତ୍ୟାଦି । ଦେଵୀମାନଙ୍କୁ ମାତା ସମ୍ବୋଧନ କରିଵା ପରମ୍ପରା ଭାରତରେ ସର୍ଵତ୍ର ପ୍ରଚଳିତ କିନ୍ତୁ ଓଡ଼ିଶାରେ ଏହା ସର୍ଵାଧିକ ଦୃଶ୍ୟ ହୋଇଥାଏ । 

ଓଡ଼ିଶାରେ ମାଈଁ,ମମା ଵା ମାମା,ବଡ଼ମାଆ,ମାଉସୀ, ପିଉସୀ ମାଆ ଓ ଖୁଡି଼ଙ୍କୁ କେତେକ ଅଞ୍ଚଳରେ ଆବୋଉ ଆଦି ସମ୍ବୋଧନ ପ୍ରମାଣ କରେ ଯେ ଓଡ଼ିଆ ସମାଜ ଭାରତୀୟ ଶାସ୍ତ୍ରର କଥନକୁ କେମିତି ସମାଜ ମଧ୍ୟରେ ଅଙ୍ଗୀକାର କରିନେଇଛି । 

ଓଡ଼ିଶାରେ ନିଜ ମାତାକୁ ଲୋକେ ମାଆ,ବୋଉ ଆଦି ସମ୍ବୋଧନ କରିଥାନ୍ତି । ସେହିପରି ଆଗେ ଓଡ଼ିଶାରେ ମାତାଙ୍କୁ ଆଈ ସମ୍ବୋଧନ କରାଯାଉଥିଲା । 

ମାତୁର୍ମାତା ଵା ମାଆର ମାଆ ମାତୃତୁଲ୍ୟ ବୋଲି ତ ଓଡ଼ିଆ ଭାଷାରେ ପୂର୍ଵେ ମାତାକୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଉଥିଵା ଆଈ ଶବ୍ଦଟି କ୍ରମେ ମାତାଙ୍କ ମାଆଙ୍କ ପ୍ରତି ସମ୍ବୋଧନ ହେତୁ ଵ୍ୟଵହାର ହେଵାକୁ ଲାଗିଲା । 

ଆଜିକାଲି ପୂର୍ଵାଞ୍ଚଳର ପିଲାଏ ନିଜ ଜେଜେମାଆଙ୍କୁ ମାଆ ତଥା ନିଜ ଜନ୍ମକଲା ମାଆକୁ ବୋଉ କିଂଵା ମାମା,ମମି ସମ୍ବୋଧନ କରୁଛନ୍ତି । ପୁନଶ୍ଚ ମାନକ ଓଡ଼ିଆ ଭାଷାରେ ପିତୁର୍ମାତାଙ୍କୁ ଜେଜେମାଆ କୁହାଯାଏ । ସେହିପରି ଉତ୍ତର ଓଡ଼ିଶାରେ ଗୋସେଇଁମାଆ ସମ୍ବୋଧନ କରାଯାଏ । ଏ ଶବ୍ଦ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଜନସମାଜ ଶାସ୍ତ୍ରର କଥାକୁ ପାଳନ କରିଵାକୁ କୁଣ୍ଠାବୋଧ କରିନାହିଁ । 

ପୁତ୍ତ୍ରପତ୍ନୀ ଅର୍ଥାତ୍ ପୁଅର ସ୍ତ୍ରୀକୁ ମାତା ଵିଚାର କରିଵାକୁ ବ୍ରହ୍ମଵୈଵର୍ତ୍ତ ପୁରାଣରେ କୁହାଯାଇଛି । ଓଡ଼ିଶାର ଲୋକେ ଶାସ୍ତ୍ରର ଏହି ନିର୍ଦ୍ଦେଶକୁ ପାଳନ କରି ନିଜ ପୁତ୍ରଵଧୂକୁ ଵୋହୂମାଆ ସମ୍ବୋଧନ କରିଥାନ୍ତି (ଵିଶେଷତଃ ଶଶୁର) । 

ପ୍ରିୟାପ୍ରସୂଃ ଅର୍ଥାତ୍ ଝିଅକୁ ସ୍ନେହରେ ଓଡ଼ିଶାରେ ମାଆ ବୋଲି ସମ୍ବୋଧନ କରାଯାଏ । ଝିଅକୁ ପୂର୍ଵ ଉପାନ୍ତ ତଥା ଉତ୍ତର ଓଡ଼ିଶାରେ ସ୍ନେହରେ ବୁଢ଼ି ତଥା ପଶ୍ଚିମ ଓଡ଼ିଶାରେ ବୁଈ ସମ୍ବୋଧନ କରାଯାଏ । ଆମ ଓଡ଼ିଶାରେ ଛୋଟ ଝିଅମାନଙ୍କୁ ସ୍ନେହରେ ମାଆ ସମ୍ବୋଧନ କରିଵାର ପରମ୍ପରା ପ୍ରଚଳିତ । ଭାରତରେ ଅନ୍ୟତ୍ର ଏଭଳି ପରମ୍ପରା ଥିଵା ଜଣାଯାଏ ନାହିଁ । 

ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଲୋକେ ଏ କ୍ଷେତ୍ରରେ ସର୍ଵଭାରତୀୟ ସ୍ତରରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କହିଲେ ଅତ୍ୟୁକ୍ତି ହେଵ ନାହିଁ ।

ସାରା ଭାରତରେ ବୃଦ୍ଧା ମହିଳାଙ୍କୁ ମୌସୀ, ମାଉସୀ,ଆଣ୍ଟି ଆଦି ସମ୍ବୋଧନ କରାଯାଉଥିଲା ବେଳେ ଗଞ୍ଜାମ ଜିଲ୍ଲା ସର୍ଵଭାରତୀୟ ସ୍ତରରେ ଏକ ମାତ୍ର ଅଞ୍ଚଳ ଯେଉଁଠି ଵୃଦ୍ଧା ମହିଳାଙ୍କୁ ସମ୍ମାନ ଦେଵାକୁ ଯାଇ ଗଞ୍ଜାମଵାସୀ ମାଆ ସମ୍ବୋଧନ କରିଥାଆନ୍ତି । ଅସ୍ତୁ କୁହାଯାଇପାରେ ଯେ ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ତୁଲ୍ୟା ମହିଳାଙ୍କ ମଧ୍ୟରେ ଅଧିକାଂଶକୁ କୌଣସି ନା କୌଣସି ରୂପରେ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ । 

ଓଡ଼ିଶା ସେହି ରାଜ୍ୟ ଯେଉଁଠି ଛୋଟ ଛୋଟ କନ୍ୟାମାନଙ୍କୁ ମଧ୍ୟ ସ୍ନେହରେ "ମାଆ" ସମ୍ବୋଧନ କରାଯାଏ , ଓଡ଼ିଶାର ଗଞ୍ଜାମରେ ଵୟସ୍କ ମହିଳାଙ୍କୁ ଆଦର ସହକାରେ "ମାଆ" ସମ୍ବୋଧନ କରାଯାଏ ପୁଣି ଓଡ଼ିଶା ମଧ୍ୟ ସେହି ରାଜ୍ୟ ଯେଉଁଠି ଜାତୀୟ ପୁରସ୍କାର ପ୍ରାପ୍ତ କଵି ଵିଶେଷ ଦାଣ୍ଡରେ ଡାକବାଜି ଲଗାଇ ମାତା ଵା ମାଆ ଶବ୍ଦର ଅନ୍ୟତମ ପ୍ରତିଶବ୍ଦ "ବୋଉ" ଶବ୍ଦର ଚୀରହରଣ କରନ୍ତି” । ସବୁ ସ୍ଥାନରେ “ଭଲ ଓ ମନ୍ଦ” ଉଭୟ ପ୍ରକାର ଲୋକେ ଵସଵାସ କରନ୍ତି। ଵୟସ୍କ ମହିଳାଙ୍କୁ ଓ ଛୋଟ ବାଳିକାଙ୍କୁ ମାଆ ସମ୍ବୋଧନ କରିଵା ଜାତିରେ କିଛି ଅଭଦ୍ର ଜାତ ହୋଇଯାଇଛନ୍ତି ଯୋଉମାନେ ବୋଉ ଶବ୍ଦକୁ ତାତ୍ସଲ୍ୟ କରି ସମ୍ପୂର୍ଣ୍ଣ ଓଡ଼ିଆ ଜାତି ଓ ନାରୀଜାତିର ଅପମାନ କରନ୍ତି । 

ଓଡ଼ିଆ ଜାତି ମହିଳାଙ୍କୁ ସମ୍ମାନ ଦେଵାରେ ସାରା ଭାରତ ମଧ୍ୟରେ ଅଗ୍ରଣୀ କିନ୍ତୁ କିଛି ଦୁଷ୍ଟ ଲୋକଙ୍କ ଯୋଗୁଁ ଆଜି ଓଡ଼ିଶାରେ ମହିଳା ଓ ମହିଳାଙ୍କୁ ସମ୍ବୋଧନ କରାଯିଵା ସମ୍ବୋଧନଵାଚକ ଶବ୍ଦ ଲାଞ୍ଛିତ , ଅପମାନିତ । 

© ଶିଶିର ସାହୁ ମନୋଜ

Sunday, July 10, 2022

ରାଣୀଗୁମ୍ଫା ଶିଳାଲେଖର ଚିତ୍ର ଓ ଖାରବେଳଙ୍କ ଜୀଵନୀ

ରାଣୀଗୁମ୍ଫା ଉପର ମହଲାରେ ଖୋଦିତ ଚିତ୍ରାଵଳୀ ( ଫଳକ ନମ୍ବର . ୨ ) କୁ ଅନୁଧ୍ୟାନ କରି ବରପାଲି ନିଵାସୀ ପ୍ରଖ୍ୟାତ ଐତିହାସିକ ସ୍ଵର୍ଗୀୟ ନଵୀନ କୁମାର ସାହୁ ଏ ସମ୍ବନ୍ଧରେ ନିମ୍ନୋକ୍ତ ଵର୍ଣ୍ଣନା ପ୍ରଦାନ କରିଥିଲେ ।

“ଥରେ ସିଂହପଥର ରାଜା ସପରିଵାର ଵନଵିହାର କରି ଶେଷରେ ଅରଣ୍ୟ ମଧ୍ୟରେ ଥିଵା ଏକ ପଦ୍ମ ପୋଖରୀକୁ ସ୍ନାନ କରିଵା ପାଇଁ ଆସିଲେ । ତାହା ପୂର୍ଵରୁ ଏକ ଦନ୍ତାହାତୀ କେତେକ ହସ୍ତିନୀଙ୍କ ସହ ଉକ୍ତ ପୋଖରୀର ପଦ୍ମଵନରେ ଉନ୍ମୁକ୍ତ ହୋଇ କ୍ରୀଡ଼ା କରୁଥାନ୍ତି । ରାଜା ହସ୍ତୀପଲକୁ ତଡ଼ିଵା ନିମନ୍ତେ ଉଦ୍ୟମ କରିଵାରୁ ଦନ୍ତା ବଳଟି କ୍ରୁଦ୍ଧ ହୋଇ ତାଙ୍କୁ ଆକ୍ରମଣ କଲା । ସେ ସାହସର ସହିତ ତାଙ୍କର ସମ୍ମୁଖୀନ ହେଲେ ଏଵଂ ଉଭୟ ଦଳ ମଧ୍ୟରେ କିଛକାଳ ଖଣ୍ଡଯୁଦ୍ଧ ଚାଲିଲା । ସେତେବେଳେ ରାଜନନ୍ଦିନୀ ନିଜ ଜୀଵନକୁ ଭ୍ରୂକ୍ଷେପ ନକରି ହସ୍ତୀ ସମ୍ମୁଖକୁ ଆସି ତାହା ଉପରକୁ ନିଜର ଅଙ୍ଗାଭରଣମାନ ନିକ୍ଷେପ କଲେ । ହସ୍ତୀଟି କ୍ଷତଵିକ୍ଷତ ହୋଇ ପଛଘୁଞ୍ଚା ଦେଲା , ମାତ୍ର ସେହି ସଂଘର୍ଷରେ ରାଜ ପୁରୁଷ ସାଂଘାତିକ ଭାଵରେ ଆହତ ହେଲେ । ରାଜ ଜେମା ତାଙ୍କୁ ନିକଟସ୍ଥ ଏକ ଗିରିଗୁହାକୁ ଶୁଶ୍ରୂଷା ନିମନ୍ତେ ଘେନିଗଲେ ।

 ହସ୍ତୀଦଳ ସହ ସଂଘର୍ଷ ଚାଲିଥିଵା ସମୟରେ କେତେଜଣ ମହିଳା ଭୟବିହ୍ଵଳା ହୋଇ ଇତସ୍ତତଃ ପଳାୟନ କରିଥିଲେ । ସେମାନଙ୍କ ମଧ୍ୟରେ ଥିଵା ରାଜାଙ୍କର ଏକ ଅନୁଚରୀ ଜଣେ ପ୍ରଭାଵଶାଳୀ ଵ୍ୟକ୍ତିଙ୍କ ଗୁପ୍ତଚରୀ ରୂପେ କାର୍ଯ୍ୟ କରୁଥିଵା ଅନୁମିତ ହୁଏ । ରାଜ କନ୍ୟାଙ୍କୁ ଲାଭ କରିଵା ନିମନ୍ତେ ସେହି ପୁରୁଷଙ୍କର ବହୁଦିନରୁ ଗୁପ୍ତ ଅଭିଳାଷ ଥିଲା ଏଵଂ ଅନ୍ତଃପୁରର ସେହି ପରିଚାରକା ଥିଲା ତାଙ୍କ ଉଦ୍ଦେଶ୍ୟ ପୂରଣର ସହକାରିଣୀ । 

ସେହି ଲମ୍ଫଟ ପୁରୁଷ ଗୁପ୍ତଚରୀ ଠାରୁ ରାଜାଙ୍କର ଦୁରାଵସ୍ଥା ସମ୍ପର୍କରେ ସମ୍ବାଦ ପାଇଵା ମାତ୍ରେ ରାଜକନ୍ୟାକୁ ଲାଭ କରିଵା ଲାଳସାରେ ଅସ୍ଥିର ହୋଇ ଉଠିଲେ । ଗୁପ୍ତଚରୀ ତାଙ୍କୁ ପଥ କଢ଼ାଇ ଗିରିଗୁହାକୁ ନେଇଗଲା । ସେଠାରେ ସେ ରାଜପୁରୁଷଙ୍କୁ ଆହତ ଓ ଅସହାୟ ଅଵସ୍ଥାରେ ଦେଖି ନିର୍ମମ ଭାବେ ହତ୍ୟା କଲା ଏଵଂ ରାଜକନ୍ୟାଙ୍କୁ ଅପହରଣ କରିଵା ନିମନ୍ତେ ବଳପ୍ରୟୋଗ କଲା ।

 ସେହି ଵୀରତରୁଣୀ ନିଜ ସମ୍ମାନ ରକ୍ଷା ନିମନ୍ତେ ମୃତ ପିତାଙ୍କର ଅସ୍ତ୍ରଧରି ତାଙ୍କର ପ୍ରତିରୋଧ କଲେ । ମାତ୍ର ଅଳ୍ପକାଳ ପରେ ସେ ଦ୍ବନ୍ଦ୍ବ ଯୁଦ୍ଧରେ ପରାଭୂତା ମନ୍ଦିନୀ ହେଲେ । ସୌଭାଗ୍ୟ ଵଶତଃ ସେତେବେଳେ ଖାରବେଳ ସଦଳବଳେ ସେହି ଅରଣ୍ୟରେ ପାରିଧି ଵିଜେ କରିଥାନ୍ତି । 

ସମ୍ରାଟଙ୍କର ସେନା କୋଳାହଳରେ ଵନଭୂମି ହଠାତ୍ ମୁଖରିତ ହୋଇ ଉଠିଲା । ସେହି ଲମ୍ପଟ ପୁରୁଷ ଭୟଭୀତ ହୋଇ ରାଜଜେମାଙ୍କୁ ଅରଣ୍ୟରେ ଏକାକିନୀ ଛାଡ଼ି ପଳାୟନ କଲେ । 

ଇତ୍ୟଵସରରେ ଖାରବେଳଙ୍କ ଦ୍ଵାରା ଶରଵିଧ ହୋଇ ଦ୍ରୁତଗାମୀ ମୃଗଟିଏ ନିକଟସ୍ଥ ଏକ ଵୃକ୍ଷ ମୂଳରେ ଟଳି ପଡ଼ିଲା । ସମ୍ରାଟ ଅଶ୍ଵପୃଷ୍ଠରୁ ଅଵତରଣ କରି ନିଜେ ସେହି ଆହତ ମୃଗ ଆଡ଼କୁ ଅଗ୍ରସର ହେଲେ । ନିକଟକୁ ଯାଇ ଦେଖିଲେ , ଜଣେ ତରୁଣୀ ଵୃକ୍ଷ ଶାଖାରେ ବସି ଆଶ୍ରୟ ପ୍ରାର୍ଥନା କରୁଛନ୍ତି । ତାଙ୍କର ପରିଚୟ ଲାଭ କରି ଖାରବେଳ ତାଙ୍କୁ ଅଭୟ ପ୍ରଦାନ କଲେ ଏଵଂ ଆଦର ସହ ନିଜ ପ୍ରାସାଦକୁ ଘେନି ଆସିଲେ । ସିଂହପଥ ରାଜକନ୍ୟାକୁ ଉଦ୍ଧାର କରି ଆଣିଥିଵା ଉପଲକ୍ଷରେ ରାଜାଧାନୀ କଳିଙ୍ଗ ନଗରୀରେ ନୃତ୍ୟଗୀତ ସହ ଵିଵିଧ ଉତ୍ସଵ ଆୟୋଜିତ ହୋଇଥିଲା । ଖୋଦିତ ଚିତ୍ରରେ ଖାରବେଳ ନିଜେ ସେହି ନଵାଗତା ରାଜକନ୍ୟାଙ୍କୁ ପାଖରେ ବସାଇ ନୃତ୍ୟ ସଂଗୀତ ଉପଭୋଗ କରୁଥିଵାର ଦେଖାଯାନ୍ତି । ଚିତ୍ରାବଳୀର ସର୍ଵଶେଷ ଅଂଶରେ ସମ୍ରାଟ ସେହି ରାଜକନ୍ୟାଙ୍କ ସହିତ ଵିଵାହ ବନ୍ଧନରେ ଆଵଦ୍ଧ ହୋଇ ପ୍ରମୋଦ ଉଦ୍ୟାନରେ ଵିହାର କରୁଥିଵାର ଦୃଶ୍ୟ ଦେଖିଵାକୁ ମିଳେ । ରାଣୀଗୁମ୍ଫାର ତଳ ମହଲାର ଡ଼ାହାଣ ପାର୍ଶ୍ଵରେ ଖୋଦିତ ଏକ ଚିତ୍ରାଵଳୀରେ ସମ୍ରାଟ ଖାରବେଳ ଉଭୟ ରାଣୀଙ୍କ ମଧ୍ୟରେ ଉପଵିଷ୍ଟ ହୋଇଥିଵା ଦେଖାଯାନ୍ତି । ଅନେକ ଚିତ୍ରାଵଳୀକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଖାରବେଳଙ୍କ ସହ ଉଭୟ ମହିଷୀ ଵିଭିନ୍ନ ଅଵସରରେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥିତ ହେଉଥିଲେ । ସମ୍ବଵତଃ ହାତୀଗୁମ୍ଫା ଶିଳାଲେଖ ଖାରବେଳଙ୍କ ରାଜତ୍ଵର ଚତୁର୍ଦ୍ଦଶ ଵର୍ଷରେ ଗଢ଼ା ହୋଇଥିଲା , କାରଣ ଏଥିରେ ରାଜତ୍ଵର ତ୍ରୟୋଦଶ ଵର୍ଷ ପର୍ଯ୍ୟନ୍ତ କାର୍ଯ୍ୟକଳାପର ଵର୍ଷାନୁଵର୍ଷ ଵିଵରଣୀ ମିଳିଥାଏ । ତାର ପରଵର୍ତ୍ତୀ ଇତିହାସ ଆଜି ମଧ୍ୟ ଅନ୍ଧକାର ମଧ୍ୟରେ ରହିଛି । ଏଣୁ ଖାରବେଳ ସର୍ଵମୋଟ କେତେ ଵର୍ଷ ରାଜତ୍ଵ କରିଥିଲେ ଏଵଂ କେତେ ଵର୍ଷ ଜୀଵିତ ଥିଲେ ତାହା କୁହାଯାଇପାରୁନାହିଁ ।”

ନୀଳକଣ୍ଠ ଦାସ ତାଙ୍କ "ଖାରବେଳ" ଦୀର୍ଘ କଵିତାରେ ସେହି ଚିତ୍ରାଵଳୀକୁ ଭିନ୍ନ ରୂପରେ ପ୍ରକାଶ କରିଛନ୍ତି ।ପଣ୍ଡିତ ନୀଳକଣ୍ଠ ତାଙ୍କର "ଖାରବେଳ" କାଵ୍ଯରେ ଇତିହାସ ଓ କଳ୍ପନାକୁ ମିଶାଇ ଅତୀଵ ସୁନ୍ଦର ଭାବେ ତାହା ଵର୍ଣ୍ଣନା କରିଅଛନ୍ତି । 

ନୀଳକଣ୍ଠଙ୍କର "ଖାରବେଳ" କାଵ୍ଯର କଥାନୁସାରେ ସେତେବେଳେ ଭାରତର ସମ୍ରାଟ ଥାଆନ୍ତି ପ୍ରଵଳ ପ୍ରତାପୀ ଐରପୁତ୍ର ଖାରବେଳ । ତାଙ୍କ ଵିଶାଳ ସାମ୍ରାଜ୍ୟକୁ ଲାଗି ସିନ୍ଧୁନଦୀର ପଶ୍ଚିମ ଦିଗରେ ଅଵସ୍ଥିତ ଥିଲା ଦ୍ରାଵିଡ଼ମାନଙ୍କ ଦ୍ଵାରା ଅଧ୍ଯୁଷିତ ଏକ କୃଷକ ରାଜ୍ୟ କୃଷକପୁର ଯହିଁର ରାଜଧାନୀ ଥିଲା ସିଂହପଥ । 

ବଲୁଚିସ୍ଥାନର Kalat ଅଞ୍ଚଳକୁ ସେହି ଅଞ୍ଚଳ ଭାବେ ଚିହ୍ନଟ କରାଯାଇପାରେ ଯେଉଁଠି ଆଜି ବି ଗୋଟାଏ ଦ୍ରାଵିଡ଼ ଭାଷା ଚଳୁଅଛି ତାହାର ନାମ Brahui । 

ଏହି ରାଜ୍ୟର ବୃଦ୍ଧ ରାଜା ଵର୍ତ୍ତମାନର ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ପୂର୍ଵରେ ଥିଵା ସେହିସମୟର ବଜିର ରାଜ୍ୟର କନ୍ଯା ‘ଧୂସି’ଙ୍କୁ ପାଳନ କରିଥିଲେ । 

ଖାରବେଳ ପ୍ରଥମେ "ପଟଳ"ରେ ଛାଉଣୀ କରି କୃଷକମାନଙ୍କୁ ଯୁଦ୍ଧରେ ସାଥି କରିଵାକୁ ଲୋଡ଼ୁଥାନ୍ତି । ଏହିପରି ସମୟରେ ଦିନେ ସଞ୍ଜବେଳେ ଘୋଡ଼ାରେ ଚଢ଼ି ନଈ ପଶ୍ଚିମ ପାଖକୁ ବୁଲିବାକୁ ଯାଇ ଫେରିବା ବାଟ ଜାଣି ପାରିଲେ ନାହିଁ। 

ଦୂରରେ କେତେଗୁଡ଼ିଏ କୃଷକ ବାଳିକା ଖେଳୁଥିଲେ ଓ କୂଳରେ ପଥର ଉପରେ ବସିଥିଲେ "ଧୂସି" । ଖାରବେଳ ଧୂସିଙ୍କୁ ବାଟ ପଚାରି ଫେରି ଆସିଥିଲେ । ଏହି "ଧୂସି"ଙ୍କ ସହିତ ପ୍ରଥମ ସାକ୍ଷାତରେ ହିଁ ଉଭୟଙ୍କର ପ୍ରଣୟର ସୂ୍ତ୍ରପାତ ହୋଇଥିଲା । 

ଏହାପରେ କୃଷକ ଜାତି ଖାରବେଳଙ୍କୁ ସାହାଯ୍ୟ କରିଵା ପାଇଁ ପ୍ରତିଶ୍ରୁତି ଦେଵାପରେ କୃଷକ ରାଜାଙ୍କ ସୈନ୍ଯମାନଙ୍କୁ ନେଇ 'ଧୂସି' ବଜିର ରାଜପୁ୍ତ୍ରର ଛଦ୍ମବେଶରେ ଖାରବେଳଙ୍କ ସୈନ୍ଯଵାହିନୀରେ ଯୋଗ ଦେଇଥିଲେ। 

ଏହି ସମୟରେ ଦତ୍ତିମ(ଡିମେଟ୍ରିୟସ୍; କାଵ୍ଯରେ ନୀଳକଂଠ ଏହାଙ୍କର ଦତ୍ତିମ ନାମ ରଖିଛନ୍ତି) ଚକ୍ରାନ୍ତ କରି ରାତିରେ ବଜିର ରାଜଧାନୀ ସିଂହପଥ ଆକ୍ରମଣ କରିଥିଲେ । 

ସେନାପତି "ଧୂସି" ଆଗରୁ ଏହା ଜାଣିପାରି କେତେକ କୃଷକ ଓ କଳିଙ୍ଗସେନା ନେଇ ବାହାରପଟୁ ଦତ୍ତିମଙ୍କୁ ଘେରି ରହିଲେ । ଦତ୍ତିମ ଉଭୟଆଡ଼ୁ ଆକ୍ରାନ୍ତହୋଇ ପରାସ୍ତ ହେଲେ, ଖାରବେଳ ମଧ୍ଯ ଯୁଦ୍ଧରେ ଆହତ ହୋଇଥିଲେ। 

ଏହାପରେ ଖାରବେଳ ସୁସ୍ଥ ହୋଇ ରାଜଧାନୀ ‘ପଟଳ’କୁ ଫେରିଵା ପରେ କୃଷକପୁରରେ ଖାରବେଳ ଧୂସିଙ୍କୁ ଚିହ୍ନିଲେ । ଏଇଠାରେ ହିଁ କାଵ୍ୟର ମିଳନାତ୍ମକ ସମାପ୍ତି ଘଟିଛି । 

ଦତ୍ତିମ ଵା ଡିମେଟ୍ରିୟସ୍'ଙ୍କୁ ଖାରବେଳ ସିନ୍ଧୁନଦୀର ପଶ୍ଚିମ ପାର୍ଶ୍ଵରୁ ପରାସ୍ତ କରି ଖେଦି ଦେଇଥିଵା ଜଣାଯାଏ । ସେଇଭଳି ରାଣୀଗୁମ୍ଫାର ଉପରମହଲାରେ ଥିଵା ଚିତ୍ରାଵଳୀରେ ଧୂସିଙ୍କର ଵୀରତାର କଥା ରହିଛି ବୋଲି କେତେକ ଗଵେଷକଙ୍କ ମତ । ସମ୍ଭଵତଃ ପଂଡିତ ନୀଳକଂଠ ଏଇ ଚିତ୍ରାଵଳୀ ସହ ଇତିହାସର ସମ୍ମିଶ୍ରଣରେ କାହାଣୀଟି ସୃଷ୍ଟି କରିଅଛନ୍ତି ।