Saturday, February 3, 2018

ମଧୁସୂଦନ ଦାସ ସି.ଆଇ.ଇ (ଫକୀର ମୋହନ ସେନାପତି)


****ରାଗ-ଚକ୍ରକେଳି****

ଧନ୍ୟ ! ଧନ୍ୟ ! ଧନ୍ୟ ! ମଧୁସୂଦନ !
ଉତ୍କଳ ମାତାର ଯୋଗ୍ୟ ନନ୍ଦନ !
ଦେଲ ଉତ୍କଳ କୁ ନଵଜୀଵନ,
ଶିଖାଇଲ ଲୋକେ ଜାତି ଵନ୍ଦନ ।
ଜାତୀୟ ଜୀଵନ ବୋଲେ କାହାକୁ
ଦେଖାଇଲ ଦେଶଵାସୀ ଭ୍ରାତାଙ୍କୁ ।
କଥା ନୁହେଁ ଏହା ଦେଖେଁ ପ୍ରମାଣ,
ଦେଶହିତ ଵ୍ରତେ ସଁପିଛ ପ୍ରାଣ ।
କୋଟି ପରମାଣ ଉତ୍କଳ ଲୋକ,
ସମସ୍ତଙ୍କ କାହିଁ ଘୁଞ୍ଚିବ ଦୁଃଖ ।
ଗୋଟା ଦେଶପାଇଁ ଭାଳୁଛି ଜଣେ,
ଏକଥା ଯେ କାଳେ ପଡେ଼ ମୋ ମନେ ।
ହୃଦୟରେ ମୋର ହୁଏ ପ୍ରତ୍ୟୟ,
ଦୈଵ ଶକ୍ତି ଏହା ଅଟେ ନିଶ୍ଚୟ ।
କେତେ କଷ୍ଟେ ପଡି଼ ଅର୍ଜିଲ ଧନ,
ଫୋପାଡ଼ି ଦେଇଛ ଦେଶ କାରଣ ।
ଶିଳ୍ପକାର୍ଯ୍ୟେ ବିଂଶ ସହସ୍ର ଟଙ୍କା,
ଦେଲ ଢାଳି ଦେଖି ଲାଗେ ତାଟକା ।
ଆହାର ନିଦ୍ରାରେ ନଥାଏ ଜ୍ଞାନ,
କରୁଥାଅ ବସି ନିର୍ଜନେ ଧ୍ୟାନ ।

କି ଉପାୟେ ହେବ ଦେଶମଙ୍ଗଳ,
ଜପୁଅଛି ଵୀଜ ମନ୍ତ୍ର କେଵଳ ।
ଜାତିର ଗୌରଵ ଜାତିର ଧନ,
ବୃଦ୍ଧିରେ ଦେଇଛ ଧନ-ଜୀଵନ ।
ମତ୍ତ-ପାନକରି କି ସୋମରସ,
ଅକାତରେ ଫିଙ୍ଗି ଦେଲ ସର୍ଵସ୍ଵ ।
ଧନ୍ୟ ! ଧନ୍ୟ ! ତୁମ୍ଭ ଜୀଵନ ଵ୍ରତ,
ଦେଖା ଥାଉ, ଶୁଣାନାହିଁ ଏମନ୍ତ ।
ତୁମ୍ଭ କାର୍ଯ୍ୟାଵଳୀ ତୁମ୍ଭ କଳ୍ପନା,
ପୃଥ୍ବୀ ଇତିହାସେ ନାହିଁ ତୁଳନା ।
ଦେଖାଯାଅ ଦେଶ ହିତ କାରଣ,
କେ କରେ ଵକ୍ତୃତା, କେ ଦିଏ ଧନ ।
ମାତ୍ର ତୁମ୍ଭେ ସର୍ଵ ଧନ ଜୀଵନ,
ଶକ୍ତି,ସାମରଥ,କଳ୍ପନା ମନ,
ସବୁ ଢାଳିଦେଇ ନହୋଇ ତୁନି,
ଦିଵା ନିଶି ବସି ଭାଳୁଛ ପୁଣି ।
ମୋ ଜାତିର ହେଉ ସମ୍ମାନ ବୃଦ୍ଧି,
କେ ଲୋକ ର ହେବ ଏଭଳି ବୁଦ୍ଧି ।
ତୁମ୍ଭର ଚରିତ୍ର ଓ ଇତିହାସ,
ପାଉନାହିଁ ଭାଷା କରେଁ ପ୍ରକାଶ ।
ଯେତେକାଳ ଥିବ ଉତ୍କଳୀଜାତି,
ଯାଵତ ଚନ୍ଦ୍ରାର୍କେ ରଟିବ ଖ୍ୟାତି ।
ଉପମା ଦେବାକୁ ତୁମ୍ଭ ସଙ୍ଗରେ,
ଖୋଜିଲି ତ ସର୍ଵ ଇତିହାସ ରେ ।
ଜଗତରେ ଲୋକ ନଯାଏ ଦେଖା,
ତୁମ୍ଭର ଉପମା ତୁମ୍ଭେ ହିଁ ଏକା ।
କେତେ କୋଟିପତି କେତେ ଭୂପତି,
ଗଲେ―ଧନ ରଖି ଯାଇଅଛନ୍ତି,
ତୁମ୍ଭେ ଚାଲିଗଲେ(ଚାଲିଗଲ) ତୁମ୍ଭର ଧନ
ଵାଣ୍ଟି ଵାଣ୍ଟି ନେବେ(ନେଲେ) କୋଟିଏ ଜନ ।
ତୁମ୍ଭ ଧନଵାଣ୍ଟେ ରୀତି ଦେଖିଛି,
ପ୍ରତିଜଣ ଭାଗେ ପଡି଼ବ କିଛି ।
“ଯାଉଥିଲା ଗୋଟା ଜାତିଟା ଭାସି ,
ରକ୍ଷା କରିଅଛ ସ୍ଵର୍ଗରୁ ଆସି" ।
ଉତ୍କଳୀ ଜାତିର ଆଗୁଆ ହୋଇ,
ପାଞ୍ଚଶ ଵରଷ ଦେଲ ଆଗେଇ ।


No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...