Sunday, February 25, 2018

ଗରିବ କିଏ

ଗରିବ ଲୋକର କ’ଣ ସ୍ଵାଭିମାନ କି ଇଜ୍ଜତ ଥାଏ ? ଗରିବ ଲୋକଟେ ଚାହିଁଲେ ବି କେବେ କ’ଣ ସ୍ଵାଭିମାନୀ ହୋଇପାରେ ?

ଜଣେ ଓଡ଼ିଆ ରାଷ୍ଟ୍ରଵାଦୀ ଥରେ ମୋତେ କହିଥିଲେ “ହଇରେ ନଷ୍ଟ ! ତୁଟା ପୁଣି କେମେତେ ସ୍ଵାଭିମାନୀ ପରି ଡେଉଁଚୁ କିରେ ? ହଇବେ ତମ ଘରେ ଦିନେ ଥିଲେ ଓଳିଏ କୁ ଖାଇବାକୁ ନଥାଏ । ତୁ ପୁଣି ଓଡ଼ିଆ ଭାଷା,ଓଡ଼ିଆ ଜାତି ନାଆଁରେ ଫେସବୁକଟା ଯାକ 24 ଘଣ୍ଟା ଥେଇ ଥେଇ ହେଇ ନାଚି ବୁଲୁଛୁ  !”

ଏ ଭାଇଙ୍କ ଭଳି ବିଗତ ଦିନରେ ଅନେକ ଲୋକ ମୋ ପ୍ରତି ପ୍ରକାଶ୍ୟରେ ହେଉ କି ପଶ୍ଚାତରେ ହେଉ ସମପ୍ରକାରର ମତ ପୋଷଣ କରିଛନ୍ତି ।

ତେବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି
ସତରେ କ’ଣ ଗରିବ ଲୋକମାନଙ୍କ ମଧ୍ୟରେ ସ୍ଵାଭିମାନ ଓ ଇଜ୍ଜତ ଆଦି ମାନବୀୟ ଉପାଦାନ ଥାଏ ନା ସେମାନେ ମନୁଷ୍ୟଗୁଣ ହୀନ
ଉନ୍ନତ ମର୍କଟ ମାତ୍ର ?

ଗରିବ ଵା ଦରିଦ୍ର ଶବ୍ଦର ଭାଵଗତ ଵ୍ୟାଖ୍ୟା
ଏହାର ଯୁକ୍ତିଯୁକ୍ତ ଉତ୍ତର ...

ଆଜିର ଵାସ୍ତଵାଦୀ ଦୁନିଆରେ
କେଵଳ ନିର୍ଧନ ମାନଙ୍କୁ ହିଁ ଦରିଦ୍ର ଵା ଗରିବ
ମାନାଯାଏ କିନ୍ତୁ ଏ ଉଭୟ ଶବ୍ଦର ଅର୍ଥ ତହିଁରୁ
ଅଧିକ ଵ୍ୟାପକ । ସଂସାରରେ “ଧନ,ଜ୍ଞାନ, ମାନ ଓ ବଳ”ଏହି ଚାରୋଟିର ବେଶୀ ଚାହିଦା ରହିଥାଏ । ପୁଣି ଜ୍ଞାନ, ବୁଦ୍ଧି, ବଳ ଓ କୌଶଳ  ସହାୟତାରେ ଜଗତ-ସିଂହାସନ ରେ
ଧନ ରାଜା ପରି ଏକଛତ୍ର ଶାସନ କରୁଅଛି ।
ସେହି ସିଂହାସନର ଚାରୋଟି ଗୋଡ଼ ହେଉଛନ୍ତି ଏହି ଜ୍ଞାନ, ବୁଦ୍ଧି, ବଳ ଓ କୌଶଳ ।
ଅର୍ଥାତ୍ ଯଦି ଏହି ଚାରୋଟି ଉପାଦାନ ନଥାନ୍ତେ ତେବେ ଧନର ସିଂହାସନ ନଥାନ୍ତା । ନା ଧନ ର ଅଵଧାରଣା ଥାନ୍ତା ନା ଲୋକ ସାମାନ୍ୟ ଧନଲାଭ ହେଲା ମାତ୍ରେ ଏତେ ଅହଂ କରି
ପରକୁ ନିର୍ଧନ କହି ସ୍ଵାଭିମାନହୀନ ମନେ କରନ୍ତେ ।

ପ୍ରକୃତରେ
ଦରିଦ୍ର ଵା ଗରିବ କେଵଳ ଧନହୀନକୁ କୁହାଯାଏ ନାହିଁ ଵରଂ ଧନ ପରି ଅନ୍ୟ ସବୁପ୍ରକାରର ଉପାଦାନ ର ଅଭାଵ ଥିବା
ଲୋକ ମଧ୍ଯ ସେତିକି ଦରିଦ୍ର ଯେତିକି ଧନହୀନ ଲୋକ ହୋଇଥାଏ । 
ଅର୍ଥାତ୍
ଯେଉଁ ଲୋକ ଜ୍ଞାନ ହୀନ ସେ ଜ୍ଞାନରେ ଗରିଵ ।
ଯେଉଁ ଲୋକ ବଳହୀନ ସେ ଵଳରେ ଗରିଵ  ।
ଯେଉଁ ଲୋକ ବୁଦ୍ଧିହୀନ ସେ ବୁଦ୍ଧିରେ ଗରିଵ  ।
ଯେଉଁ ଲୋକ ମାନହୀନ ସେ ମାନରେ ଗରିଵ ।

ହୋଇପାରେ ମୁଁ ତୁମ ଧନୀ ଙ୍କ ଆଗରେ
ଜଣେ ଧନହୀନ ଗରିବ
କିନ୍ତୁ ଯେମିତି ସଂସାରରେ ସମସ୍ତଙ୍କୁ
ଈଶ୍ଵର କିଛି କିଛି ଵିଶିଷ୍ଟତା ଦେଇଛନ୍ତି
ମୋତେ ମଧ୍ଯ ମିଳିଛି
ତେଣୁ ମୁଁ ତହିଁ ଵଳରେ ସ୍ଵାଭିମାନୀ ହୋଇପାରିଲି ।
ସେହି ହେତୁରୁ
ମୋ ପ୍ରତି ହୀନବୁଦ୍ଧିଆ ଧନୀଟି
ଯେଉଁ ଟିପ୍ପଣୀ କରିଥିଲା ତାହା କେତେ ଦୂର ଯୁକ୍ତିଯୁକ୍ତ ଆପଣମାନେ ଵିଚାର କରିବେ ।

(ତୁମ ପାଖରେ ଧନ ଅଛି ବୋଲି ତମର ଏକା
ମାନ ସମ୍ମାନ ଇଜ୍ଜତ ଓ ସ୍ଵାଭିମାନ ଅଛି ଆଉ ଗରିଵ ଲୋକ ମାନଙ୍କ ପାଖରେ ଏସବୁ ଉପାଦାନ ନି ମନେ କରିବା ସବୁଠାରୁ ବଡ଼ ମୂର୍ଖତା । ଏଭଳି ଛୋଟ ଚିନ୍ତାଧାରା ଜଣେ ଧନମାନଗର୍ବୀ ହୀନ ଲୋକ ହିଁ କରିପାରେ,ହୃଦୟଵାନ ନୁହେଁ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...