Sunday, February 25, 2018

●●●ସଂକ୍ଷେପରେ ପରିଵୃତ୍ତି●●●

କୌଣସି ଶବ୍ଦରେ ଥିବା ଗୋଟିଏ ଅକ୍ଷର (ଵର୍ଣ୍ଣ ଵା ସ୍ୱନିମ) ପରିଵର୍ତ୍ତିତ ହେଲେ ଭାଵାର୍ଥ ବଦଳିପାରେ (ଯଥା କଣା ≠ କନା, ପାଣ ≠ପାନ) ଵା କେତେକ କ୍ଷେତ୍ରରେ ବଦଳି ନ ପାରେ (ଯଥା ବଣ = ବନ) l ବଣ ଓ ବନ ପରି ଭାଵାର୍ଥ ସମାନ ଥାଇ, ଵର୍ଣ୍ଣ ପରିଵର୍ତ୍ତନକୁ ଭାଷାତତ୍ତ୍ୱରେ ‘shift’ ଵା ‘ପରିଵୃତ୍ତି’ କୁହାଯାଏ l

ଓଡ଼ିଆ ଭାଷାରେ ଏହା ଅନେକ ପ୍ରକାରର ହୋଇଥାଏ ଯଥା ‘ସ୍ୱରଵର୍ଣ୍ଣ ପରିଵୃତ୍ତି’, ‘ଵ୍ୟଞ୍ଜନଵର୍ଣ୍ଣ ପରିଵୃତ୍ତି’, ‘ଉଭୟ ସ୍ୱରଵର୍ଣ୍ଣ ଓ ଵ୍ୟଞ୍ଜନଵର୍ଣ୍ଣ ପରିଵୃତ୍ତି’ ଇତ୍ୟାଦି l

ଅକ୍ଷର ରୂପାନ୍ତରଣ ସହ ଶବ୍ଦର ଭାଵାର୍ଥ ବଦଳିଲେ, ନୂତନ ଭାଷା ସୃଷ୍ଟି ହୁଏ, କିନ୍ତୁ ପରିଵୃତ୍ତିରେ ଅକ୍ଷର (ଵା ମାତ୍ରା ଵା କାର) ପରିଵର୍ତ୍ତନ ସତ୍ତ୍ୱେ ଭାଵାର୍ଥ ଅକ୍ଷୁର୍ଣ୍ଣ ରହୁଥିବାରୁ ଏହା କେଵଳ ଗୋଟିଏ ଭାଷାର ଅନେକ ଶୈଳୀ ସୃଷ୍ଟିକରେ କିନ୍ତୁ ନୂତନ ଭାଷା ନୁହେଁ l
(ଭାତକୁ କୁଇ ଭାଷାରେ ଅଣ୍ଡା କହନ୍ତି, ଓ ଭୁମିଜ୍ ଭାଷାରେ ମାଣ୍ଡି କହନ୍ତି ତେଣୁ ଏଗୁଡ଼ିକ ଓଡ଼ିଆଠାରୁ ଭିନ୍ନଅଟେ) l

ପରିବୃତ୍ତି ନିଜେ ଏକ ଧ୍ୱନ୍ୟାତ୍ମକ ପ୍ରକ୍ରିୟା ଯାହା ଅନ୍ୟ କେତେକ ଧ୍ୱନ୍ୟାତ୍ମକ ପ୍ରକ୍ରିୟା ଯଥା ଵର୍ଣ୍ଣଵିଲୋପ (elision), ସଂକ୍ଷିପ୍ତିକରଣ (syncope), ଆତ୍ମୀକରଣ (assimilation) ଇତ୍ୟାଦି ସହଯୋଗରେ କାର୍ଯ୍ୟ କରିଥାଏ l

ପୃଥିଵୀର ପ୍ରାୟ ସବୁ ଭାଷାର ଅନୌପଚାରିକ ସ୍ତରରେ ଏହା ପରିଦୃଷ୍ଟ ଏଵଂ ଓଡ଼ିଆରେ ଏହାର ଭାଷାତାତ୍ତ୍ୱିକ ସମୀକ୍ଷା ବେଶ୍ କୌତୁହଳପ୍ରଦ l

କାଳକ୍ରମେ ଲୋକମୁଖରେ ଗୋଟିଏ ଶବ୍ଦରେ ଥିବା ଵର୍ଣ୍ଣର ନିମ୍ନୋକ୍ତ ପରିଣତି ହୋଇପାରେ :

(୧) ପରିଵୃତ୍ତି ଵା shift: ଗୋଟିଏ ଵର୍ଣ୍ଣର ସ୍ଥାନ ଅନ୍ୟ ଏକ ଵର୍ଣ୍ଣ ନେଇପାରେ (ଉ.ସ୍ୱ. ଆସିବ  ଆଇବ)

(୨) ଵର୍ଣ୍ଣଵିଲୋପ ଵା elision : ଗୋଟିଏ ଵର୍ଣ୍ଣ ସମ୍ପୂର୍ଣ୍ଣ ହଜିଯାଇପାରେ (ଉ.ସ୍ୱ. ରକମ  ରକ, ବଳଦ  ବଲ)

(୩) ଆତ୍ମୀକରଣ, assimilation :ଗୋଟିଏ ଵର୍ଣ୍ଣ ନିଜର ନିକଟସ୍ଥ ଵର୍ଣ୍ଣ ପରି ଉଚ୍ଚାରିତ ହୁଏ (ଉ.ସ୍ୱ. ହେବ  ହବ)

(୪) ସଂକ୍ଷିପ୍ତୀକରଣ, syncope : ଦୀର୍ଘ ଶବ୍ଦରୁକିଛି ଵର୍ଣ୍ଣ ଉଚ୍ଚାରିତ ହୁଏ ନାହିଁ (ଉ.ସ୍ୱ. ଯାହା ଇଛା ତାହା  ଯାଛାତା)

(୫) ପ୍ରଵେଷ୍ଟି ଵା insertion : ଗୋଟିଏ ଶବ୍ଦରେ କିଛି ଅକ୍ଷର ଯୋଡ଼ିହେବା (ଉ.ସ୍ୱ. ଏମିତି  ଏମିତିକା, ଏଇନା  ଏଇନାଗି)

(୬) ଅନୁନାସିକୀକରଣ ଵା nasalization : କୌଣସି ଵର୍ଣ୍ଣ ଅନୁନାସିକ ହୋଇଯାଏ (ଉ.ସ୍ୱ. ଯିବି  ଯିମି, ଯାଇଛି  ଯାଇଞ୍ଛି)

ଉପରୋକ୍ତ ଧ୍ୱନ୍ୟାତ୍ମକ ପ୍ରକ୍ରିୟାଗୁଡ଼ିକ କିପରି ଓଡ଼ିଶାର ଵିଭିନ୍ନ ଜିଲ୍ଲାରେ ତଥା ଗୋଟିଏ ଜିଲ୍ଲାର ଵିଭିନ୍ନ ଗ୍ରାମରେ ଓଡ଼ିଆର ଅନେକ ଶୈଳୀ ସୃଷ୍ଟି କରେ କିନ୍ତୁ ନୂତନ ଭାଷା ଵା ଉପଭାଷା ସୃଷ୍ଟି କରେ ନାହିଁ ତାହା ହେଉଛି ଓଡ଼ିଆ ଭାଷାର ଅନ୍ୟତମ ମୌଳିକତା ।

(ଏହି
ପରିବୃତ୍ତି ପ୍ରବନ୍ଧଟି ଉତ୍କଳହିତୈଷୀ ଉଡ୍ରବନ୍ଧୁ
ଶ୍ରୀ ଦେଵାଶିଷ ଜ୍ୟେଷ୍ଠୀଙ୍କ ଦ୍ଵାରା ଲିଖିତ ହୋଇ ଏଠାରେ ପ୍ରକାଶ କରାଗଲା)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...