Thursday, February 8, 2018

●●●●ଝଗଡା●●●●

ମହାନ୍ତିବାବୁ ,ସାହାଣୀ ବାବୁଙ୍କ ପଡୋଶୀ ଥିଲେ ।
ଉଭୟଙ୍କ ବଙ୍ଗଳା ଲାଗିହୋଇଥିଲା । ମଝିରେ ଗୋଟିଏ କାନ୍ଥ ଥିଲା ।  ଦୁହେଁ ଗୋଟିଏ ଗୋଟିଏ
କୁକୁର ପାଳିଥିଲେ । କୁକୁର ଯୋଡାକ ଭୟଙ୍କର ଥିଲେ ଫଳରେ ସେ ମହଲାର ଲୋକେ
ଡରି ଡରି ପାଖ ସଡ଼କ ଦେଇ ଆତଯାତ କରୁଥାନ୍ତି  । ସେମିତିରେ ବି ମହାନ୍ତି ବାବୁ ଓ ସାହାଣୀ ବାବୁଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ଵ ଏମିତି,ସେମାନଙ୍କୁ ଅଲଗା ଅଲଗା ଶ୍ଵାନ ପାଳିବା ଦରକାର ନାହିଁ କହିଲେ ଚଳେ କାରଣ ଏଥି ସକାଶେ ସେମାନେ ଯଥେଷ୍ଟ ।

ଦିନେ ଜଣା ନାହିଁ କ'ଣ ହେଲା,
ମହାନ୍ତି ବାବୁଙ୍କ କୁକୁରଟା ସାହାଣୀ ବାବୁଙ୍କ ହତାରେ ଏବଂ ସାହାଣୀବାବୁଙ୍କ କୁକୁର ମହାନ୍ତି ବାବୁଙ୍କ ହତାରେ ପଶିଥିଲେ-ହେଲେ ସେମାନେ ଆପଣା ଆପଣା ସ୍ଥାନରେ ଅନ୍ୟକୁ ଦେଖି ଝଗଡା କରିବାକୁ ମଝି ସଡ଼କ ଉପରକୁ ଚାଲିଆସିଲେ । କୁକୁର ଦିଇଟା ଝଗଡା କରିବା ଆରମ୍ଭ କରିଦେଲେ । ରାମ୍ପୁଡା଼ କାମୁଡା଼ କାମୁଡି଼ ସହ ଭୋ ଭୋ ଶବ୍ଦରେ ଗଗନ ପବନ କମ୍ପି ଉଠିଲା ।

ମହାନ୍ତି ବାବୁ ଓ ସାହାଣୀବାବୁ ପାଟି ଶୁଣି
ସଡ଼କକୁ ଦୌଡ଼ି ଆସିଲେ ଏବଂ ଆଗେ ସ୍ଵ ସ୍ଵ କୁକୁରକୁ ଆୟତ୍ତ କରିନେଲେ । କୁକୁର ଦ୍ଵୟ ନିଜ ନିଜ ମାଲିକ ପାଦ ଚାଟିବାକୁ ଲାଗିଲେ ଠିକ୍ ସେମିତି ଯେମିତି ଜଣେ ତୋଷାମୋଦିଆଟିଏ
ତା ପ୍ରଭୁ ସମ୍ମୁଖରେ ଚୁଗୁଲି କରେ ।

ମହାନ୍ତି ବାବୁ କହିଲେ- “କେତେଥର କହିଛି ନିଜ କୁକୁରକୁ ଜବତ କରି ରଖ ..."
ଏକଥା ଶୁଣିଲା ମାତ୍ରେ ସାହାଣୀବାବୁ ଚିଡି଼ଗଲେ
କହିଲେ-“ତୁମେ ନିଜ କୁକୁର କୁ ସମ୍ଭାଳ ନା..
ସେ ତ ଆମ ହତାରେ ପଶିଥିଲା । କେଡେ
ଚୋର ଜାତିର କୁକୁର ଟା କିହୋ”...

-“ନାହିଁ ହେ ତୁମ କୁକୁର ଟା ଚୋର ଜାତିର"

-“ତୁ ଆଉ ତୋ କୁକୁର ଉଭୟ ଚୋର"

-“କ’ଣ ହେଲା ମୁଁ ଚୋର ? ଆରେ ତୋ ଚୋରି ଏଠେ କିଏ ନଜଣେ ? ତୁ ପରା ପି.ଡବ୍ଲ୍ୟୁ.ଡି. ର ଠିକାଦାରଙ୍କ ଠୁଁ ପଇସା ଖାଇ ଏ ବଙ୍ଗଳା,ଗାଡ଼ି କରିଛୁ"

-“ତୁ ଟା ପକ୍କା ଟାଉଟର ଟା କିରେ ! ମୁଁ କ’ଣ ଜାଣିନି କି ସ୍ମଗଲିଂଗ୍ କରି ତୁ କେମିତି ଏତେ ଟଙ୍କା ରଖିଛୁ”

କୁକୁରଦ୍ଵୟ ସ୍ଵ ସ୍ଵ ମାଲିକଙ୍କ ଚରଣ ଚାଟି ଚାଟି ତାଙ୍କୁ ଆହୁରି ପ୍ରୋତ୍ସାହିତ କରୁଥିଲେ ।

-“ଏ... କହିଦେଉଛି ତୋ କୁକୁର ଆଉ କେବେ ମୋ ହତାରେ ପଶିଲେ
ତୋତେ ଆଉ ତୋ କୁକୁର କୁ ଗୁଳିରେ ଉଡେଇଦେବି”

-“ଆବେ ତୁ କି ଗୁଳି ମାରିବୁ ବେ କୁକୁରଛୁଆ”

-“ଆଉ ତୁ ଘୁଷୁରୀଛୁଆ”

ସେଠାରେ ଭିଡ଼ ହେଇଯାଇଥିଲା ।
ଜଣେ ପଥିକ ସେପଟେ ଯାଉଥିବା ବେଳେ ଜଣେ ସ୍ଥାନୀୟ ଲୋକକୁ ସେଠାରେ ଜନଗହଳି ଦେଖି ଜିଜ୍ଞାସା ଵଶତଃ ପଚାରିଲା
“ଆଜ୍ଞା କିସ ଲାଗି ଏ ଝାମେଲା ଯେ....”
ତା’ ଶୁଣି ସ୍ଥାନୀୟ ଲୋକଟି ଉତ୍ତର ଦେଲା
“କିଛି ନାହିଁ ଆଜ୍ଞା କୁକୁରଙ୍କ ଲଢେଇ ଚାଲିଛି"

●ହରିଶଙ୍କର ପରସାଈଙ୍କ ଏକ ହିନ୍ଦୀ ବ୍ୟଙ୍ଗ ର ଭାଵାନୁଵାଦ●

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...