ମରଣେ ମୁଦି ସେ ନୟନଯୁଗଳ 
ଅନ୍ତିମ ତଳପେ ଶୋଇଛି ଭାଇ 
ସୋଦର ଵନିତା ତନୟ ସେନେହ
ପରାଣୁ ନିଠୁରେ ଵିସୋରିଦେଇ ।
କୁଟୀରୁ ଅନ୍ତର କରି ନେଇ ତ୍ଵରା 
ଶ୍ମଶାନେ ଦେବେ ସେ ତନୁ ଜାଳି
ପ୍ରତିଵାସୀ ଚିର ହୃଦ୍ ଘେନାଘେନି 
ନିରଦୟ ଚିତା ଅନଳେ ଢାଳି ।
ତନୟ ଵନିତା କରୁଣ ଵିଳାପେ 
ପୂରିଛି ତାପିତ କୁଟୀର ସାରା 
ନିତି ଯହିଁ ଖେଳେ ସ୍ନେହ ସୁଧାହାସ 
ଵହେ ଆଜି ଶୋକ-ଲୋତକ ଧାରା ।
ଭାଇ ଟି ନୀରଵେ ଠିଆହୋଇ ପାଶେ 
ଉଦାସେ କି ଅବା ଭାଳଇ ମନେ 
ଯୁଗଳ ଜୀଵନେ କେତେ ତ କାନ୍ଦିଛି 
ଲୁହ ନାହିଁ ଆଜି ନୟନ କୋଣେ ।
କରମେ ଵିରାମେ,ଶୟନେ ସପନେ 
ଭାଇ ଟା ଏକା ସେ ଧିଆନ ତା'ର 
ମୋହନ ନିଵେଶେ ଵହିଯାଏ ହୃଦେ 
ସୋଦର ନିସର୍ଗ ସେନେହ ଭାର ।
ଅଧିକୁ ଅଧିକ ବଢ଼ଇ ଵିଳାପ 
ଜଣୁ ଜଣେ ଆସି କାନ୍ଦଇ ବସି 
ଭାଇ ଟି ନିରଵେ ହୋଇଛି ଠିଆ ତ 
ବିନ୍ଦୁ ଵାରି ନେତ୍ରେ ନ ଉଠେ ଭାସି ।
ପ୍ରତିଵାସୀ ଜନେ ଉଠାଇ ଶଵଟି 
କୁଟୀରୁ ଅନ୍ତର କଲେକ ତହୁଁ 
ଅଶ୍ରୁନୀରେ ଗଲା ତିନ୍ତି ଭାଇ ତନୁ―
‛କି ଲାଗି ଭାଇ ଏ କୁଟୀର ଆଉ’ ? 
----କବି ----
ପଣ୍ଡିତ ଶ୍ରୀ ଗୋଦାବରୀଶ ମିଶ୍ର
No comments:
Post a Comment