Sunday, February 4, 2018

● ବାଳକ ମଧୁସୂଦନ ଙ୍କ ବୁଦ୍ଧିମତ୍ତା●

ମଧୁସୂଦନ ଦାସ ଚାଟଶାଳୀ ରେ ପଢୁଥିବା ଵେଳେ ତାଙ୍କର ନୂଆ ଜୋତା ପଟେ କେହି ଜଣେ ସହପାଠୀ କୌତୁକରେ
ଲୁଚେଇ ରଖିଦେଲା । ମଧୁସୂଦନ ସେକଥା
ଅବଧାନଙ୍କ ପାଖରେ ଗୁହାରୀ କରିଵାରୁ
ମାଗୁଣି ଅଵଧାନେ ଢୁଳେଇ ଢୁଳେଇ ମିଂମାସା ଦେଲେ ....
“ତୁ ପଟେ ଜୋତା ମାଡି଼କି ଆସିଥିବୁ !  ନଇଲୋ ତୋ ଜୋତା ପଟକ କିଏ ଵା ନବ କାହିଁକି ? ”

ସେହି ଚାଟଶାଳୀ ରେ ଆଉଦିନେ
ମାଗୁଣି ଅଵଧାନେ ନଡ଼ିଆ ଛପା ଉପରେ
ବସି କାନ୍ଥ କୁ ଆଉଜି ପଢା଼ଉ ପଢା଼ଉ
ତାଙ୍କ ଆଖିରେ ନିଦ ଲାଗିଆସିଥିଲା ।
ଅନ୍ୟ ପିଲାମାନେ ପଣକିଆ ଓ ଫଳା ପ୍ରଭୃତି
ଯେଉଁ
ଯେପରି ସୁର ଧରି ବୋଲୁଥିଲେ,ତାହାର ଐକ୍ୟତାନ ମାଗୁଣି ନାୟକଙ୍କ ଆଖିରେ ନିଦର ଆମେଜକୁ ଆହୁରି ନିବିଡ଼ କରି ଆଣିଥିଲା ।
ମଧୁସୂଦନ ଅବଧାନଙ୍କ ଆଗରେ ବସି ଖଡି଼ ଗୋଟାଳୀରେ ଅଙ୍କ କଷୁଥିଲେ । ମାତ୍ର ତାଙ୍କ ଆଖି ଥିଲା ମାଗୁଣି ଅଵଧାନେ ଢୁଳେଇବା ବେଳେ ତାଙ୍କର ମୁଣ୍ଡ
ଝୁଙ୍କା ଓ ଘୁଙ୍ଗୁଡ଼ି ମରା ପ୍ରଭୃତି ଵିଭିନ୍ନ ହାସ୍ୟୋଦ୍ଦୀପକ ଅଙ୍ଗଭଙ୍ଗୀ ଉପରେ ।
ଅନ୍ୟ ଚାଟ ମାନେ ଯେ ସେ ସବୁ ଦୃଶ୍ୟ ଦେଖୁନଥିଲେ ତା’ ନୁହେଁ କିନ୍ତୁ ତହିଁ ରେ
ଭୂଲି ପାଠ୍ୟ ମୁଖସ୍ଥ ରେ ସାମାନ୍ୟ ବିରତି ହେତୁ
ଯଦି
ଅବଧାନଙ୍କ ନିଦ୍ରାଭଙ୍ଗ ହୋଇଯାଏ ତେବେ ବେତ୍ରାଘାତର ଭୟ ଅଛି । ତେଣୁ ଚାଟମାନେ ମନଧ୍ୟାନ ଦେଇ ପାଠ ଘୋଷା କରୁଥିଲେ ।

ଅଵଧନେଙ୍କର ନୂଆ ମରହଟ୍ଟୀ ଜୋତା ହଳେ ଥିଲା ଯେ ସେ ଉକ୍ତ ଜୋତାକୁ ସବୁବେଳେ ପିନ୍ଧିଵାକୁ
ବଡ଼ ସୁଖ ପାଉଥିଲେ ଏଣୁ ନଡି଼ଆ ଛପା  ଉପରେ ବସି ବସି ଢୁଳାଇବା ସମୟରେ ମଧ୍ଯ ଉକ୍ତ ଜୋତା ତାଙ୍କ ପାଦରେ ଥାଏ । ତାଙ୍କ ମନରେ ଶଙ୍କା କାଳେ ଜୋତାପଟେ କୁଆଡ଼େ ହଜିଯିବ । ମରହଟ୍ଟୀ ଜୋତା ହଳକର ମୂଲ୍ୟ ସେସମୟରେ ଛଅଅଣା ପଇସା
ତଥାପି ଦୁର୍ମୂଲ୍ୟ କହିଵା ପାଇଁ ପଡି଼ବ ।
ସେଦିନ ମଧୁସୂଦନ ଚାହିଁ ଦେଖିଲେ
ମାଗୁଣି ଅଵଧାନେଙ୍କ ପାଦରେ ମରହଟ୍ଟୀ ଜୋତାରୁ ପଟେ କେଵଳ ଲାଗିଛି ।
ମଧୁସୂଦନ ଙ୍କ ମୁଣ୍ଡକୁ ହଟାତ୍ ଏକ ବୁଦ୍ଧି ଯୁଟିଲା ,
ତଳେ ପଡି଼ଥିବା ଜୋତା ପଟକ ତାଙ୍କ ମାରିଜାଈ ପକେଟ୍ ମଧ୍ୟରେ ସେ ଲୁଚାଇ ପକାଇଲେ ।
ତା ପରେ...
“ଅଵଧନେ ଦୁଇ"
ମାଗୁଣି ଅଵଧାନେ ଢୁଳୋଉ ଢୁଳୋଉ ବିଳିବିଳେଇଵା ପରି ହୁକୁମ ଦେଲେ
“ସେଇଠି ଛେପ ପକେଇ ଯା”
(ଅର୍ଥାତ୍ ଛେପ ପକେଇ ସୁଖିଵା ପୂର୍ଵରୁ ଫେରି ଆସିଵାକୁ ହେଵ)

ମଧୁସୂଦନ କନକଦଣ୍ଟା ଦିଘି ଭିତରେ ସେ ଜୋତା ପଟକରେ ଡେଣୁଆଟାଏ ଖଣ୍ଡେ ଦଉଡି଼ରେ ବାନ୍ଧି,
ବେଶ୍ ଆଡମ୍ବରରେ ଵିସର୍ଜନ ଦେଇଆସି
ଚାଟଶାଳୀକୁ ଫେରି ଆସିଲେ ।

ଢୁଳ ଭାଙ୍ଗିବାପରେ ମାଗୁଣି ଅଵଧାନେ ଯେତେବେଳେ
ଯୋତା ପଟକ ଖୋଜି ନପାଇ ପଞ୍ଚମ କୁ ଉଠିଲେ
ସେତେବେଳେ ମଧୁସୂଦନ ଶାନ୍ତ ନିରୀହ କଣ୍ଠରେ
କହିଲେ....
“ଆଜ୍ଞା ଆପଣେ ଆଜି ,କେଜାଣି ପଟେ ଜୋତା ମାଡି଼ଆସିଥିବେ ପରା ?”

ମାଗୁଣି ଅଵଧାନେ ଚଢା କଣ୍ଠରେ ପଚାରିଲେ
“କ’ଣ !!!!!  ମୁଁ ଆଜି ପଟେ ଜୋତା ମାଡି଼ଆସିଥିଲି  ?”

ମଧୁସୂଦନ ଉତ୍ତର ଦେଲେ.....
“ଆଜ୍ଞା ହଁ ଆପଣେ ! ସେଦିନ ମୁଁ ପରା ଭୂଲରେ
ସେମିତି  ପଟେ ଜୋତା ମାଡି଼ ଚାଟଶାଳୀକୁ ଆସିଥିଲି ବୋଲି ଆପଣ କହୁଥିଲେ"

ମଧୁସୂଦନ ଙ୍କ ପ୍ରତି ଅଵଧାନେ କରିଥିଵା ତାଙ୍କ ପୂର୍ବ ମିଂମାସା ତାଙ୍କର ହେତୁ ହେଲା ।
ସେହି ପୂର୍ବ ମିଂମାସା ଏବେ ନିଜ ପ୍ରତି ପ୍ରୟୋଗ

ମାଗୁଣି ଅବଧାନେ ତାହା କେବେ ଭାବିନଥିଲେ ।

ଅବଧାନେ ଵା ଆଉ କିସ କରନ୍ତେ
କାନମୁଣ୍ଡ ଆଉଁସି ରହିଲେ । ଚାଟଶାଳୀରେ ପଢାଇଲା ବେଳେ ସେ ବସି ଢୁଳାଉଥିଲେ
ଏମନ୍ତ କାଳରେ ଜୋତା ଚୋରିଗଲା । ଏ ଅପମାନିଆ କଥା ମାଗୁଣି ଅବଧାନେ ଗୁହାରି କରନ୍ତେ ଵା କାହାକୁ ?

(ସୁରେନ୍ଦ୍ର ମହାନ୍ତି ଙ୍କ ଶତାବ୍ଦୀର ସୂର୍ଯ୍ୟ ରୁ....)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...