ଆମ ଓଡ଼ିଶାରେ ଅନୁଗୋଳର କଥିତ ଭାଷା ସ୍ଵାଭାଵିକ ମିଠା ପୁଣି ଗଞ୍ଜାମର କଥିତ ଭାଷା ସିଂହର ଭାଷା ଅଟେ । ତେଵେ ଓଡ଼ିଶାରେ ଅନେକ ଲୋକ କୁହନ୍ତି ବଙ୍ଗାଳୀ ଭାଷା ହେଉଛି ସବୁଠୁଁ ମିଠା/ମଧୁର ଭାଷା । ଏମିତି କୁହାଯିଵାର ଅନେକ କାରଣ ରହିଛି ।
ପ୍ରଥମତଃ ବଙ୍ଗାଳୀ ଭାଷାର ଶବ୍ଦ ଓ ଉଚ୍ଚାରଣ ତଥା ଵାକ୍ଯଗଠନ ପ୍ରଣାଳୀ ଏହାକୁ ମାତା ଓ ଵାଳୁତମାନଙ୍କ ମଧ୍ୟରେ କଥୋପକଥନର ଭାଷା ଭଳି ପ୍ରତିଭାତ କରାଇଥାଏ । ନିମ୍ନରେ ସେଇଭଳି କେତେକ ମତୋଲ୍ଲେଖ ଉଲ୍ଲେଖ କରାଯାଉଛି ଯାହା ବଙ୍ଗାଳୀ ଭାଷାକୁ କାହିଁକି ମିଷ୍ଟ ଭାଷା କୁହାଯାଏ ତାହାର ସମ୍ଭାଵିତ କାରଣ ହୋଇଥାଇପାରେ ।
●●●●●●●●●●●●●●●●●●●●●●●●●
୧)ବଙ୍ଗାଳୀ ଭାଷା ମାଆ ଛୁଆଙ୍କ କଥୋପକଥନର ଭାଷା ଭଳି ପ୍ରତିଭାତ ହୁଏ ତେଣୁ ଏହା ମିଠା ଭାଷା ଭାଵେ ଲୋକପ୍ରିୟ
●●●●●●●●●●●●●●●●●●●●●●●●●●
■(କ)
ଓଡ଼ିଆ ଭାଷାର ଶବ୍ଦୋଚ୍ଚାରଣ 'ଅ'କାରାନ୍ତ କିନ୍ତୁ ବଙ୍ଗାଳୀ 'ଓ'କାରାନ୍ତ ଅଟେ । ରଙ୍ଗଵତୀର ରଙ୍ଗ କେବେ ରୋଙ୍ଗୋ ହୁଏନାହିଁ କିଂଵା କନକଲତାର କନକ କେବେ କୋନୋକୋ ହୁଏନାହିଁ । ଓଡ଼ିଆ ତୁଳନାରେ ବଙ୍ଗାଳୀ ଶୃତିମଧୁର ହୋଇଥିଲେ, ରଵୀନ୍ଦ୍ରନାଥ ଟାଗୋର ନିଶ୍ଚୟ "ଜୋନୋଗୋନୋ ମୋନୋ ..." ଗାଇଥାନ୍ତେ । କିନ୍ତୁ ସେ "ଜନଗଣ ମନ..." ଗାଇଲେ ଓଡ଼ିଆଙ୍କ ପରି ଏଵଂ ଶ୍ରୀଟାଗୋରଙ୍କୁ ଯେତେଵେଳେ ଏ ଗୀତ ଵିଷୟରେ ପଚାରାଯାଇଥିଲା ସେତେଵେଳେ ସେ କହିଥିଲେ ମୁଁ ଏହି ଗୀତଟି ସାଧୁ ବାଙ୍ଗ୍ଲା ଭାଷାରେ ଲେଖିଅଛି। ତେଵେ ସ୍ତ୍ରୀ ଲୋକେ ହଇଗୋ,କିଗୋ,ଆଗୋ ଡାକିଲାଵେଳେ ଯେମିତି କୋମଳ ଉଚ୍ଚାରଣ କରନ୍ତି ସେଇଭଳି ଓକାରନ୍ତ ଉଚ୍ଚାରଣ କେତେକ ଲୋକଙ୍କୁ କୋମଳ ବୋଲି ଭ୍ରମ ଧାରଣା ହୁଏ ତେଣୁ ସେମାନେ ବଙ୍ଗାଳୀକୁ ମିଠା ଭାଷା କହିଦିଅନ୍ତି ।
■(ଖ)
ଛୋଟ ପିଲାଙ୍କ କଥା କୋମଳ ଲାଗେ କାରଣ ସେମାନେ ଵର୍ତ୍ସ୍ୟ ଆସ୍ଫାଳିତ ଳ, ଣ କହିପାରନ୍ତି ନାହିଁ । ମୁଁ କଳାହାଣ୍ଡି ଜିଲ୍ଲାରେ ନାମ ସଙ୍କୀର୍ତ୍ତନ ଶୁଣିଛି, ସେମାନେ ଳ ଓ ଣ ନିର୍ଭୁଲ ଉଚ୍ଚାରଣ କରନ୍ତି କିନ୍ତୁ ବଙ୍ଗାଳୀ ପାରନ୍ତି ନାହିଁ । ସେଇଭଳି ବଙ୍ଗାଳୀରେ ଅଵର୍ଗ୍ଯ ‛ଵ’ ନାହିଁ । ବୋଧହୁଏ ଏହିକାରଣରୁ ବଙ୍ଗାଳୀକୁ ମିଠା ଭାଷା କୁହାଯାଇଛି ।
■(ଗ)
କୋମଳ କଥା କହୁଥିଵା ଶିଶୁ କ୍ରିୟାପଦ ଭୁଲ କରନ୍ତି ପାଣି ପିଇଵି ପରିଵର୍ତ୍ତେ ଖାଇଵି କହିଦିଅନ୍ତି । ବଙ୍ଗାଳୀମାନେ ବି ଭାତ, ପାଣି, ସିଗାରେଟ ସଵୁ ଖାଆନ୍ତି । କିନ୍ତୁ ଓଡ଼ିଆମାନେ ଭାତ ଖାଆନ୍ତି, ପାଣି ପିଅନ୍ତି, ଧୁଆଁ ଟାଣନ୍ତି (ଘିଚନ୍ତି) ଓ ଖରା ପୁଅନ୍ତି ।
ଏଭଳି ଵ୍ଯାକରଣ ଵୈଜ୍ଞାନିକତାହୀନ ଵାକ୍ଯଗଠନ ପ୍ରଣାଳୀର ଅଭାଵ ବଙ୍ଗାଳୀଲୋକେ କରୁଥିଵା ହେତୁ ସେମାନଙ୍କ ଭାଷାକୁ ପିଲାଙ୍କ ଭାଷା ମନେ କରି ମିଠା କୁହାଯାଇଛି । ପିଲାଙ୍କ ଭାଷା ସବୁଵେଳେ ମିଠା ହିଁ ହୋଇଥାଏ ।
■(ଘ)
ପିଲାମାନେ ଵିଶେଷଣ ଶବ୍ଦର ଯଥାର୍ଥ ପ୍ରୟୋଗ ଜାଣିପାରନ୍ତି ନାହିଁ । ଯଥା ଭୀଷଣ ଶବ୍ଦ ଓ ଦାରୁଣ ଶବ୍ଦ କେଵଳ ଅତ୍ୟଧିକ କର୍କଶ, ଯନ୍ତ୍ରଣା ଓ ଅସହ୍ୟବୋଧ ସ୍ଥିତିକୁ ସୂଚାଏ ଯଥା ଭୀଷଣ ଯନ୍ତ୍ରଣା, ଭୀଷଣ ଖଟା, ଭୀଷଣ ରାଗ, ଦାରୁଣ ଦୁଃଖ ଇତ୍ୟାଦି । ଏପରି ଯଥୋଚିତ ପ୍ରୟୋଗ ଓଡ଼ିଆରେ ହୁଏ କିନ୍ତୁ ବଙ୍ଗାଳୀମାନେ ଛୁଆଙ୍କ ପରି ଭୀଷୋନ୍ ମିଠା, ଦାରୁନ୍ କଵିତା କହନ୍ତି ... ଏହି ତ୍ରୁଟି କୋମଳ ଲାଗେ ଠିକ୍ ଛୁଆଙ୍କ ତ୍ରୁଟି ପରି ...
■(ଙ)
ଛୋଟ ପିଲାଟିଏ କେଵେ ଯୁକ୍ତାକ୍ଷର ଉଚ୍ଚାରଣ କରିପାରେ ନାହିଁ । ଓଡ଼ିଶାକୁ ନୂଆକରି ଆସୁଥିଵା ବଙ୍ଗାଳୀ କହନ୍ତି, ଓଡ଼ିଆରେ ଅତି ଅଧିକ ଯୁକ୍ତାକ୍ଷର ଵ୍ୟଵହାର ହୁଏ । ସେମାନେ ଲକ୍ଷ୍ମୀ କୁ ଲୋଖି, ଵ୍ୟସ୍ତ କୁ ବେସ୍ତୋ, ଆତ୍ମା କୁ ଆତା କହନ୍ତି ...
ଠିକ୍ ଛୁଆଙ୍କ ପରି ...
ଵାସ୍ତଵରେ ସେହି ଉଚ୍ଚାରଣ ଯାହା ଅପରିପକ୍ବ ତାହା ଛୁଆଙ୍କ ପରି କୋମଳ ଲାଗେ।
●●●●●●●●●●●●●●●●●●●●●●●●●●●
୨)ଓଡ଼ିଆ ଲୋକେ ଭାବୁଥିଲେ ଯେ ବଙ୍ଗାଳୀ ରସଗୋଲା ଭଳି ମିଠାଦ୍ରଵ୍ଯର ଆଵିଷ୍କାରକ ତେଣୁ
ମିଠା ଦେଲାଵାଲାର ଭାଷା ବି ମିଠା ବୋଲି ଧାରଣା ଜନ୍ମିଥିଲା ଯାହା ପ୍ରଵାଦରେ ପରିଣତ ହୋଇଛି ।
●●●●●●●●●●●●●●●●●●●●●●●●●●
ରସଗୋଲାକୁ ଆଗେ କଲିକତାରୁ ଆସିଥିଵା ମିଠା ବୋଲି ଅନେକ ଅଳ୍ପଜ୍ଞ ଓଡ଼ିଆ ମାନିନେଇଥିଲେ ।
ସେତେଵେଳେ ଓଡ଼ିଶାର ଇତିହାସ ସମ୍ବନ୍ଧୀୟ କୌଣସି ଆଖି ଦୃଶିଆ ପୁସ୍ତକ ନଥିଵାରୁ ଏଵଂ ଘରେ
ଗଦା ଗଦା ବଙ୍ଗାଳୀ ବହି ବାହାରେ ଗୁଡା଼ଏ ବଙ୍ଗାଳୀଙ୍କୁ ଦେଖି ଦେଶଭକ୍ତ ଓଡ଼ିଆ ଜାତି ବଙ୍ଗାଳୀଙ୍କ ଭାଷାକୁ ମିଠା ମାନି ନେଇଥାଇପାରେ । ସେତେଵଳର ଓଡ଼ିଆ ଭାଵିଥିଵେ ଯିଏ ମିଠା ଆଵିଷ୍କାରକ ଜାତି ତା ଭାଷା ବି ବହୁତ ମିଠା ହୋଇଥିଵ । ଏଭଳି ଉଚ୍ଚ ଚିନ୍ତାଧାରା ଆଜି ବି ଊଣା ଅଧିକେ ଓଡ଼ିଆ ଲୋକଙ୍କ ମଧ୍ୟରେ ଦିଶିଯାଏ ।
●●●●●●●●●●●●●●●●●●●●●●●●●●
୩)ମିଠା ଓ ତିକ୍ତତା ପ୍ରତ୍ୟେକ ଭାଷାରେ ଥାଏ ।
ବଙ୍ଗଳା ଏକ ମିଠା ଭାଷା ଏହା ବଙ୍ଗାଳୀଙ୍କ ଅପପ୍ରଚାର
●●●●●●●●●●●●●●●●●●●●●●●●●●●
କିଛି ଲୋକ ମତ ଦିଅନ୍ତି ଯେ ଏମନ୍ତ କୌଣସି ଭାଷା ନାହିଁ ଯହିଁରେ ମଧୁରତା ଓ ଗମ୍ଭୀରତା ନାହିଁ ।
ପ୍ରତ୍ୟେକ ଭାଷାରେ କହିବାର ଶୈଳୀ ଯୋଗୁଁ ମଧୁରତା ଵା କଟୁତା ଆସେ । ଉପନିଵେଶଵାଦ ଯୁଗରେ ବଙ୍ଗଳୀ ଭାଷୀ ଲୋକେ ଏହାର ଵିଶେଷ ପ୍ରଚାର କରିଥିଲେ ଫଳରେ ଏହା ଓଡ଼ିଶାରେ ଏକ ପ୍ରଵାଦ ଵାକ୍ଯରେ ପରିଣତ ହୋଇଛି । ।
©ଶିଶିର ସାହୁ ମନୋଜ
©ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ