My Blog List

Thursday, May 13, 2021

ଗଙ୍ଗଦତ୍ତ ବେଙ୍ଗର କଥା

ବେଙ୍ଗମାନଙ୍କ ରାଜା ‘ଗଙ୍ଗଦତ୍ତ’ ଗୋଟାଏ ସାପ ଦ୍ଵାରା ନିଜର ସମସ୍ତ ପ୍ରତିଦ୍ଵନ୍ଦୀ ଓ ଵିରୋଧୀମାନଙ୍କୁ ମରେଇ ଦେଲା ହେଲେ ସାପ ସେମାନଙ୍କ ପରେ ପରେ  ଗଙ୍ଗଦତ୍ତ କୁଟୁମ୍ବର ଭେକମାନଙ୍କୁ ବି ଖାଇଗଲା ।

ଏଵେ ଗଙ୍ଗଦତ୍ତ ସେଇ କୂଅରେ ଏକେଲା ବଞ୍ଚିଯାଇଥାଏ । ସାପ ତାକୁ ବି ଖାଇଵାକୁ ଉଦ୍ଯତ ହୁଅନ୍ତେ ଗଙ୍ଗଦତ୍ତ ବେଙ୍ଗ କହିଲା

“ହେ ସାପଭାଇ ଦୟାକରି ତୁମ୍ଭେ ମୋତେ ଗିଳନାହିଁ ଏଥିରେ ତୁମ୍ଭର କ୍ଷତି ହିଁ ହେଵ  ଵରଂ ମୁଁ ତୁମ୍ଭ ପାଇଁ ଅନ୍ୟ ଏକ କୂପକୁ ଯାଇ ଆହୁରି ଅନେକ ବେଙ୍ଗଙ୍କୁ ଏଠାକୁ ନେଇ ଆସିଵି”

ଏଭଳି କୌଶଳ କରି ଗଙ୍ଗଦତ୍ତ  ସେଇ କୂଅରୁ ଅଳ୍ପକେ ଵର୍ତ୍ତିଯାଇଥିଲା । କୂଅରୁ ବାହାରି ସେ ଯେମିତି ପଦାକୁ ଆସି ଦେଖିଲା ପୃଥିଵୀଟା କେତେ ଵିଶାଳ ତାହା ଅନୁଭଵ କରିପାରିଲା । କୂଅରେ ତ ସାପ ଅଛି ତେଣୁ କୂଅର ଲୋଭ ଛାଡ଼ି ଏବେ ଅନ୍ୟ ଏକ ଵାସସ୍ଥାନ ଅନ୍ଵେଷଣ କରିଵାକୁ ଗଙ୍ଗଦତ୍ତ ବାହାରି ପଡି଼ଛି । କୂଅଠାରୁ ମାତ୍ର ଦୁଇ କୋଶ ଦୂରରେ ହ୍ରଦଟିଏ ଥାଏ ଯେ ଗଙ୍ଗଦତ୍ତ ଡେଇଁ ଡେଇଁ ଆସି ସେଇ ହ୍ରଦ ପାଖରେ ପହଞ୍ଚିଗଲା ।

ସେଇ ହ୍ରଦଟି ବହୁତ ବଡ଼ ପୁଣି ସେଠାରେ ଅନେକ ଜାତିର ଜୀଵ ଵସଵାସ କରୁଥାନ୍ତି । ହ୍ରଦଟିରେ ଜଳତନ୍ତ୍ର ଶାସନ ଵ୍ୟଵସ୍ଥାରେ ଶାସନ ହେଉଥାଇ । ଏଥିରେ କୁମ୍ଭୀର ଓ ସର୍ପାଦି ଜୀଵଭକ୍ଷକ ଗୋଷ୍ଠୀ ଶାସନ କାର୍ଯ୍ୟ ପରିଚାଳନା କରୁଥିଵାଵେଳେ ଅନ୍ୟ ଜଳଚର ଜୀଵମାନେ ମତଦାତାଠାରୁ ପ୍ରଶାସନିକ ଅଧିକାରୀ ଯାଏଁ ଵିଭିନ୍ନ କାର୍ଯ୍ୟ କରୁଥିଲେ ।

ସେହି ହ୍ରଦର ସମ୍ବିଧାନ ଅନୁସାରେ ଜଳଚର ଜୀଵଟିଏ ଜଳଚର ଜୀଵକୁ ଆଦୌ ଭକ୍ଷଣ କରିଵ ନାହିଁ ଵରଂ ଏକ ଜଳଚର ଜୀଵଭକ୍ଷକ କୌଣସି ସ୍ଥଳଚର ଜୀଵକୁ ଭକ୍ଷଣ କରିଣ ଆପଣା ଜୀଵନଯାପନ କରିଵ । ଏ ନିୟମ ଲକ୍ଷ ଲକ୍ଷ ଵର୍ଷ ଧରି ସେ ହ୍ରଦର ଜୀଵମାନେ ପାଳୁଅଛନ୍ତି । ଫଳତଃ ଉକ୍ତ ହ୍ରଦରେ ବେଙ୍ଗ ଆଦି ନୀରିହ ଜୀଵମାନେ ଅତି ସୁଖରେ କାଳାତିପାତ କରୁଥାଆନ୍ତି ।

ଗଙ୍ଗଦତ୍ତ ଦେଖିଲା ସେଠାରେ ତାହାର ଅନେକ ଭାଇବନ୍ଧୁ ଅଛନ୍ତି ଯେଉଁମାନେ ଠିକ୍ ତା ଭଳି କେଁ କଟର କେଁ କଟର କରିପାରନ୍ତି । ସେମାନଙ୍କର ପରସ୍ପରର ଭାଷା ଏକ ଥିଲା ହାଵଭାଵ,ମଉଡା଼ ସବୁ ମିଶିଯାଉଥିଲା ।  ତେଣୁ ପୁଷ୍କରିଣୀର ବେଙ୍ଗମାନଙ୍କ ସହ ଗଙ୍ଗଦତ୍ତର ସମ୍ପର୍କ ଘନିଷ୍ଠରୁ ଘନିଷ୍ଠତର ହେଵାକୁ ଲାଗିଲା ।

ଦିନେ ପୁଷ୍କରିଣୀରେ ବୁଲୁବୁଲୁ ଗଙ୍ଗଦତ୍ତ ଅନେକ ସର୍ପମାନଙ୍କୁ ମଧ୍ୟ ଦେଖିପାରିଲା । ଏକ ସର୍ପଦ୍ଵାରା କୂପ ମଧ୍ଯରେ ତାହାର ସବୁ ଭ୍ରାତାବନ୍ଧୁଙ୍କୁ ହତ୍ୟା କରାଯାଇଥିଵା ହେତୁରୁ ସେ ସଂପୂର୍ଣ୍ଣ ସର୍ପଜାତିଟାକୁ ଘୃଣା କରୁଥାଏ । କିନ୍ତୁ ଏତେସଂଖ୍ୟକ ସର୍ପଙ୍କଠାରୁ ସିଏ ଏକାକୀ ତ ପ୍ରତିଶୋଧ ନେଇପାରିଵ ନାହିଁ ତେଣୁ ମନେ ମନେ ବହେ ଉପାୟ ପାଞ୍ଚିଲା । କେଁ କଟର କରି କରି ଗୋଟାଏ ପଦ୍ମ ପତ୍ରରୁ ଆନ ଏକ ପତ୍ରକୁ ଯହ ଡିଆଁ ଡେଇଁ କରୁଥାଇ । ଶେଷରେ ତା ମୁଣ୍ଡକୁ ଉପାୟଟିଏ ଯୁଟିଲା ।

ପ୍ରତିଦିନ ସକାଳୁ ସକାଳୁ ପାଣିରେ ରହୁଥିଵା ବୋଡ଼ା ଆଦି ସାପମାନେ ସ୍ଥଳଭାଗକୁ ଖାଦ୍ୟ ଉଣ୍ଡିଵାକୁ ବୁଲି ବାହାରନ୍ତି ।
ଯେମିତି ସେମାନଙ୍କୁ ଗଙ୍ଗଦତ୍ତ ବେଙ୍ଗ ଦେଖିଦିଏ ତାଙ୍କ ଆଗ ସାମ୍ନାକୁ ଚାଲିଆସି ମିଛଟାରେ ତା ବେଙ୍ଗ ଜାତିଭାଇଙ୍କୁ ବଡ଼ ପାଟି କରି ଡାକେ

“ହେ ବଞ୍ଚାଅ ବଞ୍ଚାଅ ମୋତେ ଖାଇଗଲେ ହେ ଭାଇମାନେ”

ଏ ରାମା ଏ ଭୀମା ହଇରେ ଶଙ୍କରା ଆବେ ମକରା
ଆରେ ସବୁ କୋଉଠି ଅଛ ଧାଇଁ ଆସରେ ଧାଇଁ ଆସ
ଏ ରାକ୍ଷସ ସର୍ପମାନେ ଏଇନାକେ ମେତେ ଚଳୁକରିଦେଵେ ରେ”

ପ୍ରଥମେ ପ୍ରଥମେ ଗଙ୍ଗଦତ୍ତର ନାଟକ ଦେଖି ସ୍ଵୟଂ ତାହାର ବେଙ୍ଗ ଜାତିଭାଇମାନେ ହିଁ ଵିଶ୍ଵାସ କରୁନଥିଲେ ।  ‘ଖୋ ରେ  ! ଶଳା ବାହାରିଆଟା ବୋ ! ଏଟା କଥାରେ କିଏ ପଡୁ଼ଛି ମ’ !!

କିନ୍ତୁ ଗଙ୍ଗଦତ୍ତ ସହଜେ ଛାଡି଼ଵା ଜନ୍ତୁ ନୁହେଁ ।  ଵିଭିନ୍ନ ପ୍ରକାରର ଉପାୟ ଅଵଲମ୍ବନ କରି ସେ  ତାହାର ଅନେକ ବେଙ୍ଗ ଭାଇମାନଙ୍କୁ ତା ଆନ୍ଦୋଳନର ସମର୍ଥକ କଲା । କାହାକୁ “ଭେକ ଜାତୀୟତା”ର ମଦରେ ଅନ୍ଧ କରି ତ କା'କୁ କଙ୍କି ଦେଵାର ଲୋଭରେ ପକେଇ ନିଜ ପକ୍ଷକୁ ଆଣିଲା । ଚାହୁଁ ଚାହୁଁ ଦିନ କେଇଟାରେ ଶହ ଶହ ବେଙ୍ଗ ଏକ ସ୍ଵରରେ କହିଲେ ଏ ମାଂସଭକ୍ଷକ ଜୀଵମାନଙ୍କୁ ଏହି ହ୍ରଦରୁ ବାହାର କର ଅନ୍ୟଥା ହ୍ରଦକୁ ଦୁଇଭାଗ କରି ବାଣ୍ଟିଦିଅ । ଏକ ପାଖରେ ହିଂସ୍ର-ଜଳଚର ରହିଵେ ଆନ ପଟରେ ନୀରିହ କ୍ଷୁଦ୍ର ଜୀଵ ରହିବେ । ମାଛ , କଙ୍କଡ଼ା ଆଦି ଜୀଵମାନେ ବେଙ୍ଗମାନଙ୍କର ସମର୍ଥନରେ ବାହାରିପଡି଼ଲେ ।

ଗୋଳଟା ଶେଷକୁ କଇଁଛ ବିଚାରପତିଙ୍କ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଲା । ଵୟୋଜ୍ୟେଷ୍ଠ କଚ୍ଛପ ଵିଚାରପତି ମହୋଦୟ  ବହୁତ ସମୟ ଧରି ଏ ଵିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରୁଥାଆନ୍ତି ‌। ଶେଷରେ ହ୍ରଦର ସୁପ୍ରିମକୋର୍ଟ ଆଦେଶ ଦେଲା ।

“ହ୍ରଦଟି ପ୍ରାକୃତିକ ଦୃଷ୍ଟିରୁ ଏକ ଓ ଅଭିନ୍ନ ତେଣୁ କୌଣସି ଜୀଵ ଵିଶେଷଙ୍କ ପାଇଁ ତାହାର ଵିଭାଜନ ପ୍ରକୃତି ଵିରୁଦ୍ଧାଚରଣ ଵିଚାର୍ଯ୍ୟ ହେଵ । ଅତଃ ଏହି ହ୍ରଦ-କୋର୍ଟରେ ସର୍ବସମ୍ମତିକ୍ରମେ ଘୋଷଣା କରାଗଲା ଯେ ଏଠାକାର ବଡ଼ ବଡ଼ ମାଂସ ଭକ୍ଷୀ ଜୀଵମାନେ ଶିଘ୍ରାତିଶିଘ୍ର ଅନ୍ୟତ୍ର ରହିଵାର ଵ୍ୟଵସ୍ଥା କରନ୍ତୁ ନୋହିଲେ ଜଳ ସମାଜର ସମସ୍ତ ଜୀଵ ମିଶି ସେମାନଙ୍କ ଵିରୁଦ୍ଧରେ ଵଳପୂର୍ଵକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଵେ”

କୁମ୍ଭୀର ଓ ବୋଡ଼ା ସର୍ପମାନେ ସ୍ଵଭାଵତଃ ହିଂସ୍ର ହେଲେ ହେଁ ବହୁଦିନ ଧରି ଅନ୍ୟ କ୍ଷୁଦ୍ର ଜଳ ଜୀଵଙ୍କ ସହିତ ଏକତ୍ର ସହାଵସ୍ଥାନ କରୁଥିଵାରୁ ଆପଣାର ମୂଳପ୍ରକୃତି ଭୁଲି ସାରିଥାନ୍ତି । ସେମାନେ ଦୁଃଖ ମନରେ ହ୍ରଦ ଛାଡ଼ି ନିକଟସ୍ଥ ଛୋଟ ଛୋଟ ପୁଷ୍କରିଣୀ ମଧ୍ୟକୁ ଯିଵାକୁ ଲାଗିଲେ ।

ଵିଶାଳ ହିଂସ୍ର ଜଳଜୀଵଙ୍କ ଵିନା ହ୍ରଦଟିରେ କିଛି ଦିନ ପାଇଁ ଶାନ୍ତି ଵିରାଜମାନ କଲା ମାତ୍ର ଧୀରେ ଧୀରେ ମାନଵମାନେ ଓ ତାଙ୍କର ଗୃହପାଳିତ ଜୀଵ ଏ ହ୍ରଦକୁ ଗାଧୋଇଵା ପାଇଁ ତଥା ଜଳ ନେଵା ପାଇଁ ଆସିଵାକୁ ଲାଗିଲେ । ପ୍ରତିଦିନ ଶହ ଶହ ମାଛ କଙ୍କଡ଼ାମାନଙ୍କୁ ମଣିଷମାନେ ମାରି  ଖାଇଲେ । ପୁଣି ଉକ୍ତ ହ୍ରଦରୁ ହଜାର ହଜାର ଲିଟର ଜଳ ପ୍ରତିଦିନ କଟକ ନଗରର ଵିକାଶ କାର୍ଯ୍ୟରେ ଵ୍ୟଵହୃତ ହେଲା । ଆଗ ଭଳି ହିଂସ୍ରଜନ୍ତୁ ନଥିଵାରୁ ଏବେ ମାନଵମାନେ ଉକ୍ତ ହ୍ରଦରେ ଅଵାଧ୍ୟ ପ୍ରଵେଶ କରିଵା ଆରମ୍ଭ କରିଦେଲେ । ହ୍ରଦର ତଥାକଥିତ ନିରୀହ ଜଳଜୀଵମାନେ କିଛି ବୁଝିଵା ପୂର୍ଵରୁ ମନୁଷ୍ୟମାନେ ଉକ୍ତ ହ୍ରଦକୁ ଵାସ୍ତୁଵାଦୀ ଵିକାଶ ପାଇଁ ବଳି ପକେଇ ଦେଵାର ନିର୍ଣ୍ଣୟ ନେଇ ସାରିଥିଲେ ।

(କଟକ ନଗରରେ ଆଗେ ଗୋଟିଏ ହ୍ରଦ ଥିଲା ଯାହାକୁ ୧୮୧୪ ସୁଦ୍ଧା “ସପନା ଝିଲ୍” କୁହାଯାଉଥିଲା । ହିନ୍ଦୀ ଭାଷାରେ ହ୍ରଦକୁ ଝିଲ୍ କୁହାଯାଏ । ସେତେବେଳେ କଟକର ତୃତୀୟ ମହଲା ଥିଲା ତେଲେଙ୍ଗା ବଜାର ଏଵଂ ଚତୁର୍ଥ ମହଲା ଗଙ୍ଗା ମଞ୍ଜିଲ୍ ଯାହାକୁ ଏବେ ଗଙ୍ଗାମନ୍ଦିର ସାହି କୁହାଯାଉଛି । ଏ ଉଭୟ ଅଞ୍ଚଳରେ କାହ୍ନୁ ଆଚାର୍ଯ୍ୟ ନାମରେ ଜଣେ ଜମିଦାରଙ୍କର ଅନେକ ଜମିବାଡ଼ି ଥିଲା । ସପନା ଝିଲ୍ ମଧ୍ୟ ତାଙ୍କରି ନାମରେ ଥିଲା  । କିନ୍ତୁ ଦୁର୍ଭାଗ୍ୟଵଶତଃ ଆଜି ଗଙ୍ଗାମନ୍ଦିର ଅଞ୍ଚଳରେ ଦୁଇ ତିନୋଟି ଛୋଟ ବନ୍ଧ ଥିଲେ ହେଁ ଝିଲ୍ ଵା କୌଣସି ହ୍ରଦ ଥିଵା ଜଣାଯାଏ ନାହିଁ । ସମ୍ଭଵତଃ ଜନଵସତି ବଢି଼ଵାରୁ ହ୍ରଦଟି ପୋତା ପଡ଼ି ସଂକୁଚିତ ହୋଇ ଯାଇଛି କିଂଵା ନିଶ୍ଚିହ୍ନ ହୋଇଯାଇଛି । ଜଣେ ଇଂରେଜ ପ୍ରଶାସନିକ ଅଧିକାରୀଙ୍କ ଚିଠିରୁ ଏହି ସପନା ଝିଲ୍ ଵିଷୟରେ କେତେକ ତଥ୍ୟ ମିଳିଅଛି । କାହାଣୀର ହ୍ରଦ ପୃଥିଵୀର ଯେକୌଣସି ହ୍ରଦ ହୋଇପାରେ ଏଵଂ କାହାଣୀ ମଧ୍ୟରେ ଉଲ୍ଲେଖିତ ନିରୀହ ଜଳଜୀଵମାନେ ଜଗତର ଯେକୌଣସି ସରଳ ନିରୀହ ଜୀଵ ହୋଇପାରନ୍ତି ଯେଉଁମାନେ ଈର୍ଷା ଦ୍ଵେଷରେ ଅନ୍ଧ କିଛି ତଥାକଥିତ ଘୃଣ୍ବି ଲୋକଙ୍କ କଥାରେ ପଡ଼ି ନିଜ ଦେଶ ମାଟିକୁ ନିଜ ଭାଇ ବନ୍ଧୁଙ୍କୁ ପର କରି ଦିଅନ୍ତି )


Wednesday, April 28, 2021

କନ୍ୟା(କଥା ସମ୍ରାଟ ମନୋଜ ଦାସ)




ଅତି ମ୍ରିୟମାଣ ଚେନାଏ ପାଣିରେ କଇଁଫୁଲଟିଏ ହୋହଲି ହେଲା ଭଳି ଟିପିରି ହସିଲା I ରୋଗଶଯ୍ୟାରେ ମୁଣ୍ଡ ପାଖରେ ଆସି ତା’ ବର ବସିଛି I

ହସି ହସି ମୁହଁ ବୁଲାଇଲା ଟିପିରି ଲାଜରେ’ ଖୁସିରେ ଏବଂ ଇମିତି ହସିବାର ଅଧଘଣ୍ଟାକ ଭିତରେ ବାପା, ବୋଉ ଆଉ ଟିକି ଭାଇଟିଳୁ କନ୍ଦାଇ ସେ ମରିଗଲା I ପ୍ରଭାକର ବି ରୁମାଲରେ ଆଖି ପୋଛିଲା! । ପ୍ରଭାକର ଟିପିରିର ବର! । ଆଉ କେତେ ଘଣ୍ଟାରେ ସେମାନଙ୍କର ଵିଵାହ ହୋଇଥାନ୍ତା I

ଵିଵାହ ଆଜିକୁ  ଦୁଇ ବର୍ଷ ଆଗରୁ ଅବଶ୍ୟ ହୋଇପାରିଥାନ୍ତା ।  ଯେଉଁଦିନ ଵିଵାହର ତାରିଖ ଥିଲା, ତା’ର ଠିକ୍ ତିନି ଦିନ ଆଗରୁ ଟିପିରି ହଠାତ୍ କାନ୍ଦିବାକୁ ଆରମ୍ଭ କଲା I ବୋଉ ପ୍ରଥମେ ମନେକଲେ, ସବୁ ଝିଅଙ୍କ ଢଙ୍ଗ ଏଇଆ । ଯେତେ ପ୍ରଭାକରକୂ ବିଭା ହେବାପାଇଁ ମନ ଥିଲେ ଵି  ଟିପିରି ଏଇ ନିୟମର ବ୍ଯତିକ୍ରମ  ନୁହେଁ |

କିନ୍ତୁ  ଇଏ ତ କାନ୍ଦ ନୁହେଁ,ଯିମିତି ଦିହ ଭିତରେ କିଏ ବିଷର ଅନଳ ଚହଟେଇ ଦେଇଛି; ଆଉ ତାଳୁ କଳସ କଳସ ଆଖିପାଣିରେ ଧୋଇ ଆଣିବାକୁ ଚାହିଁଲେ ଯିମିତି ଶେଷ ହଉ ନାହିଁ’ | ଵର ଆସିବାକୁ ଆଉ ’ଦିନଟାଏ ଅଛି, ଟିପିର  ଅସାଡ଼ ହୋଇ ପଡି଼ଗଲା I
କବିରାଜ ଆସି ଦେଖିଲେ, ଜ୍ଞାନ ନାହିଁ । ପାତଳୀ ହେଲେବି  ପନ୍ଦର ଵର୍ଷର ଗୋରା ତକ୍ ତକ୍ ସୁଠାମ ଦିହ । ଯିମିତି ନିଆଁ ଝାସରେ ସଝିଯାଇଛି, ସିଠା ପଡି଼ଯାଇଛି |

ଆଠ ଘଣ୍ଟା ପରେ ବି ଝିଅର ଜ୍ଞାନ ଫେରିଲା ନାହିଁ କ୍ଷତିପୂରଣ ଦେଇ ବାପା ସେଥର ବିବାହ ବନ୍ଦ କରିଦେଲେ I

ଟିପିରି ବର୍ଷକ ଆଗରୁ ଥରେ ଯାଇଥଲା କଲିକତା- ବାପା ବୋଉଙ୍କ ସାଙ୍ଗରେ l ପ୍ରଭାକର ସାଙ୍ଗରେ ସେଇଠି ମନେ ମନେ ଭାବ । ପ୍ରଭାକର ଥାତୁଆ ହୋଇ ଏମାନଙ୍କୁ ନେଇ ଚିଡ଼ିଆଖାନା ଦେଖାଇଲା; ମହା ଭିଡ଼ ଭିତରେ ପଶି ଟିକେଟ୍ କାଟି ସିନେମା ଦେଖାଇଲା I ପ୍ରଭାକର ହାତରେ ଘଣ୍ଟା, ପକେଟରେ କଲମ, ଆଉ ସେ ପ୍ରତି ପାଞ୍ଚ ମିନିଟରେ ଥରେ ବାସନା ରୁମାଲରେ ମୁହଁ ପୋଛେ I

ଯେଉଁଦିନ ପ୍ରଭାକର ଆସି ଟିପିରି ଇତ୍ୟାଦିଙ୍କୁ ଷ୍ଟେସନରେ ଗାଡ଼ି ଚଢ଼ାଇ ବିଦାୟ ନେଲା’ ସେଦିନ ଟିପିରି କାନ୍ଦି କାନ୍ଦି ମୁହଁ ଲାଲ କରି ପକାଇଲା ଏବଂ ପ୍ରଭାକର ତାହା ଦେଖି ଅଧଘଣ୍ଟା ଛଡା଼ରେ ଆଖିରେ ରୁମାଲ ଦେବାକୁ ଲାଗିଲା ।

ଏହାପରେ ଵିଵାହ ପ୍ରସ୍ତାଵରେ ଉଭୟ ତରଫର କର୍ତ୍ତୃପକ୍ଷ ରାଜି ହୋଇଥିଲେ ।

ପ୍ରଥମରେ ଵିଵାହ ଭାଙ୍ଗିଯିବାର ପ୍ରାୟ ଛଅ ମାସ ଭିତରେ ଆଉ ତିଥି ନଥିଲା । ଏଇ ସମୟଟାରେ କୁଆଡ଼େ ପ୍ରଭାକର ଚାରିଥର କଲିକତାରୁ ତା ଗାଆଁକୁ ଆସିଛି ଏବଂ ତା ଗାଆଁରୁ ଟିପିରି ଗାଆଁ ପର୍ଯ୍ୟନ୍ତ ପ୍ରାୟ ଚାରିମାଇଲ୍ ବାଟରୁ ତିଳି ମାଇଲ୍ ସାଇକେଲ ବହୁ କଷ୍ଟ ସହକାରେ ବାଲି ଉପରେ ଠେଲି ଠେଲି ଏବଂ ମାଇଲିଏ ମାତ୍ର ଚଢ଼ି ଟିପିରି
ପଛପଟେ ଆମ୍ଵତୋଟା ସେପଟରେ ବାରମ୍ବାର ଚକ୍ କର୍ ମାରିଛି । ଟିପିରି ଏ ପଟେ ରହି ଦେଖିଛି ଏବଂ ଇସାରାରେ କଥାବାର୍ତ୍ତା ହୋଇଛି ବୋଲି ତା’ର ସଖୀ ମହଲରେ ଜନରବ ।

ଆଉ ଗୋଟିଏ ତାରିଖରେ ବିବାହ ଠିକ୍ ହୋଇଥଲା! ବିବାହର ଚାରି ଦିନ ଆଗରୁ ଦିନେ  ଦୁଇପ୍ରହର ବେଳେ ଟିପିରି “ବୋଉ ଲୋ !  ଶାଗୁଣା” ବୋଲି ବଡ଼ ପାଟିରେ ଦୁଇ ତିନି ଥର ହୁରି ପକାଇଲା ।  ଶାଗୁଣା କୁଆଡ଼େ ଘର ଉପରେ ବସିଥିଲା  ଏବଂ ଉଡ଼ି ପଳାଇଲା  ।  ବୋଉ ଆସି ଶାଗୁଣା ଦେଖିପାରିଲେ ନାହିଁ କିନ୍ତୁ ଭଲଭାବରେ ଟିପିରିକୁ ଦେଖି ମନରେ କ’ଣ ଭାବିଲେ । ଜ୍ୟୋତିଷ  ଚଉଦ ଦିନ ଭିତରେ ବିବାହ ହେବା ଉଚିତ ନୁହେଁ ବୋଲି ମତ ଦେଲେ; କିନ୍ତୁ ବୋଉ ସେ ବର୍ଷ ଆଉ ବିବାହ କରାଇଦେଲେ ନାହିଁ । ସ୍ୱାମୀଙ୍କୁ କହିଲେ’ “ଟିପିରିର ଯାହା ଇଚ୍ଛା ବୋଲି ଆମେ ଭାବିଥିଲୁଁ ସେଟା ଠିକ୍ ନୁହେଁ । ଆଉ ଗୋଟାଏ ଭଲ ପାତ୍ର ଦେଖ |”

ଭଲ ପାତ୍ର ଯୋଗାଡ଼ ହେଲା! । ପ୍ରଭାକର ଅଜ୍ଞାତନାମା ଚାକିରିଟିଏ କରେ! । ଇଏ କିନ୍ତୁ ସବ୍ ଜଜ୍ ସାହେବଙ୍କ ପାଖରେ ଟାଇପିଷ୍ଟ! । ବାହାଘର ପ୍ରସ୍ତାବ ଏକ ନୂଆ ସ୍ଥାନରେ ପଡି଼ବା ଦିନରୁ ଟିପିରି କେମିତିକା ହତଭମ୍ଵ ଦେଖାଗଲା ଏବଂ ଦିନେ ତା’ର ଜଣେ ବାନ୍ଧବୀ ଆସି ବୋଉଙ୍କୁ କହିଲା ଯେ ଟପିରି ଗଳାରେ ଦଉଡି଼ ଦେଇ କିମିତି ଆତ୍ମହତ୍ୟା କରାଯାଏ ସେଇକଥା ଅନୁସନ୍ଧାନ କରୁଥିଲା ।

ନୂଆ ଜାଗାରେ ପ୍ରସ୍ତାବ ଭାଙ୍ଗି ଦିଆଗଲା! । ଇତିମଧ୍ଯରେ ପ୍ରଭାକରର କକା ତାଙ୍କୁ ଅପମାନ ଦିଆଯାଇଛି ଏବଂ ଝିଅଟି ଅଲକ୍ଷଣୀ ଇତ୍ୟାଦି ଅଭିଯୋଗରେ ଅନ୍ୟତ୍ର ସମ୍ବନ୍ଧ ସ୍ଥିର କରୁଥଲେ । ପ୍ରଭାକର ପ୍ରଥମ ପ୍ରଥମ ଆପତ୍ତି କରୁ ନଥିଲା ।  ହଠାତ୍ ଦିନେ କିନ୍ତୁ କକା ଯେଉଁ ଇଂରାଜୀ ଟେଲିଗ୍ରାମ ପାଇଲେ, ସେକେଣ୍ଡ ମାଷ୍ଟରଙ୍କ ପାଖରେ ତା’ର ଅନୁବାଦ ହେଲା-
“କୁମାରୀ ସ୍ଵର୍ଣ୍ଣବାଳା ଓରଫ ଟିପିରି ମୋର ଜନ୍ମଜନ୍ମାନ୍ତର ଧର୍ମପତ୍ନୀ ଅଟେ ।  ତଦନୁରୂପ କାର୍ଯ୍ଯାନୁଷ୍ଠାନ ପ୍ରାର୍ଥନୀୟ । ଭବଦୀୟ ଆଜ୍ଞାବହ ପୁଚୁରା । ”

ଏଆଡେ଼ ଟିପିରି କୁଆଡେ଼ ନିଜେ ପ୍ରଭାକର ପାଖକୁ ଚିଠି ଲେଖିଛି ଏବଂ ପ୍ରଭାକରର ଟେଲିଗ୍ରାମ ତାହାରି ଅଵଧାରିତ ଫଳ ବୋଲି ଟିପିରିର ସଖୀମହଲ  ବୋଉଙ୍କୁ ଗୋପନରେ
ସମ୍ଵାଦ ଦେଲେ ।

ଟିପିରି ଠିକ ଥିଲା । ବାହାଘର ପୂର୍ଵଦିନ ସକାଳେ ପୋଖରୀ ତୁଠରେ ଫୁଲ ତୋଳୁଁ ତୋଳୁଁ ପୋଖରୀ ଭିତରକୁ ଖସିପଡି଼ଲା । ଛାତିରେ ଭୟଙ୍କର ଆଘାତ । ସଙ୍ଗେ ସଙ୍ଗେ ଉତ୍ତାପ ଓ ଜ୍ଞାନହୀନତା । ବାପା ଆଉ ବରପକ୍ଷକୁ ସମ୍ଵାଦ ଦେବାକୁ ଵି ସାହସ କଲେ ନାହିଁ । ସେମାନେ ଆସନ୍ତୁ ଏବଂ ଅଵସ୍ଥା ଦେଖନ୍ତୁ ।

ଘମାଘୋଟ ଵାଦ୍ୟ ବାଣ ପରିବେଷ୍ଟିତ ହୋଇ ପ୍ରଭାକର ସନ୍ଧ୍ୟାବେଳେ ପହଞ୍ଚିଲା । ପ୍ରଭାକର ଆସିବା ପର୍ଯ୍ୟନ୍ତ ଯିମିତି ଟିପିରି ଅପେକ୍ଷା କରିଥିଲା ।

©କଥାସମ୍ରାଟ ମନୋଜ ଦାସ

Monday, April 26, 2021

ଠାକୁର ଦେଓ ଓ ଅନକୁଆଁରିନମାତାଙ୍କ କଥା

ଗଣ୍ଡମାନଙ୍କର  ବଡ଼ ଦେଵତା ହେଉଛନ୍ତି  “ଠାକୁର ଦେଓ”(ମହାଦେଓ,ଶମ୍ଭୁ) ‌। ତାଙ୍କ ସମ୍ବନ୍ଧରେ ଅନେକ କାହାଣୀ ରହିଛି ତନ୍ମଧ୍ୟରୁ ଗୋଟିଏ ଏହିପରି...

“ଠାକୁର ଦେଓ” ଥରେ “ଅନକୁଆଁରିନ୍ ମାତା”(ପୃଥିଵୀ ମାତା)ଙ୍କୁ ଦେଖି କାମାସକ୍ତ ହୋଇ ତାଙ୍କଠାରୁ ପ୍ରଣୟ ଭିକ୍ଷା କଲେ ଓ ସଫଳ ମଧ୍ୟ ହେଲେ । 

ଅଗନା ଅଗନି ଵନସ୍ତ ମଧ୍ୟରେ ଦୁହେଁ ସଙ୍ଗମରତ ଥିଵା ସମୟରେ “ରନ୍'ହା” ନାମକ ଦେଵତା ଏହା ଦେଖି ଠାକୁରଦେଓଙ୍କ ପିତା 
“କୁଲିତରା”ଙ୍କୁ କହିଦେଲେ । 

କୌଣସି ମତେ ଅନକୁଆଁରିନ୍ ମାତା ଏହା ଜାଣିପାରି ରନ୍’ହାଙ୍କ ଉପରେ କ୍ରୁଦ୍ଧ ହୋଇ ତାଙ୍କୁ ଏକ ଭୀଷଣ ଅଭିଶାପ ଦେଇଦେଲେ ...

ଅଭିଶାପ ଫଳରେ ରନ୍'ହାଙ୍କ ଦେହ ଯୋନୀମୟ ହୋଇଗଲା ଓ ତାଙ୍କୁ କେହି ବାହାରେ ଦେଖିପାରିଲେ ନାହିଁ । ରନ୍'ହା କେବଳ ଘରେ ରହିଲେ । ରନ୍'ହା ସେହିନଠୁଁ ଦୁଲାଦେଓ ନାମରେ ଗଣ୍ଡମାନଙ୍କର ଘରେ ପୂଜା ପାଇଲେ ।  ରନ୍'ହା ଵା ଦୁଲା/ଡୁଲା ଦେଓଙ୍କ ପତ୍ନୀ ହେଉଛନ୍ତି ଡୁଲାଇ/ଦୁଲାଇ/ଜୁଲା ଦେଈ । ଭାଦ୍ରଵମାସର ନୂଆଖାଇଵା ଅଵସରରେ ଗୃହସ୍ଵାମୀ ଏହି ଦେଵୀଙ୍କୁ ପୂଜା କରିଥାଆନ୍ତି ।


ଏହି ଜନଜାତୀୟ ପୁରାଣଗାଥା ସହିତ ରାମାୟଣର ଅହଲ୍ୟା—ଇନ୍ଦ୍ର/ଚନ୍ଦ୍ର ଓ ଅଗସ୍ତି ୠଷିଙ୍କ କଥା ମେଳ ଖାଉଛି । ରାମାୟଣର ଉକ୍ତ କଥାରେ ଅହଲ୍ୟାଙ୍କ ସହିତ ଛଳ କରି ଇନ୍ଦ୍ର ତାଙ୍କର ସତୀତ୍ଵ ନଷ୍ଟ କରିଵାକୁ ଚେଷ୍ଟା କରିଛନ୍ତି ଓ ଚନ୍ଦ୍ର ତହିଁରେ ତାଙ୍କୁ ସାହାଯ୍ୟ କରିଛନ୍ତି । ଶେଷରେ ଅଗସ୍ତି ଋଷି ଇନ୍ଦ୍ରଙ୍କୁ ସହସ୍ରଯୋନୀ ପ୍ରାପ୍ତ ହେଵାର ଅଭିଶାପ ଦେଇଛନ୍ତି ।

ଏହିଭଳି ଅନେକ ଜନଜାତୀୟ ଦେଵତା ଓ ପୁରାଣଗାଥା ସହିତ 
ଵର୍ତ୍ତମାନର ହିନ୍ଦୁ ପୁରାଣଗାଥା ଓଦେଵୀ ଦେଵତାଙ୍କ ସାମଞ୍ଜସ୍ୟ ଥିଵା ଦେଖାଯାଏ ।  ଆରମ୍ଭରେ ଵେଦରେ ଇନ୍ଦ୍ର  ମୁଖ୍ୟ ଦେଵତା ଭାବେ ଘୋଷିତ ହୋଇଛନ୍ତି କିନ୍ତୁ ପରେ ପୁରାଣମାନଙ୍କରେ ତାଙ୍କୁ ବେଳେବେଳେ Antihero ଭଳି ଚିତ୍ରିତ କରାଯାଇଛି ଏଵଂ ମୁଖ୍ୟ ଦେଵତାର ସ୍ଥାନ ଵିଷ୍ଣୁ ଓ ଶିଵଙ୍କୁ ସ୍ଥଳଵିଶେଷରେ ଦିଆଯାଇଛି । 

ଯେମିତି ସଂସ୍କୃତ ଭାଷା ସର୍ଵଭାରତୀୟ ଭାଷାଗୁଡି଼କର ଶବ୍ଦ,ଶୈଳୀ,ଵ୍ୟାକରଣର ମାନକୀକରଣରୁ ସୃଷ୍ଟି ବୋଲି ଏହାର ନାମ ସମ୍ୟକ(ସମ,ସବୁଆଡୁ଼) ଭାବେ କୃତ = ସଂସ୍କୃତ ହୋଇଅଛି ଠିକ୍ ସେହିପରି ମହାଭାରତୀୟ ସନାତନ ସଂସ୍କୃତି ମଧ୍ୟ ଏଠାକାର ସହସ୍ରାଧିକ ମାନବଜାତିଙ୍କ ପରମ୍ପରାଗୁଡି଼କର ସାମୁହିକ ମିଶ୍ରଣରେ ସୃଷ୍ଟି ହୋଇଅଛି ବୋଲି ଏହାକୁ ସଂସ୍କୃତ ପରି “ସଂସ୍କୃତି” କୁହାଯାଇଛି । 

ସଂସ୍କୃତ ଭାଷାର ଅନ୍ୟ ନାମ ନାହିଁ ସେହିପରି 
ସଂସ୍କୃତ, ଓଡ଼ିଆ, ବଙ୍ଗାଳୀ,ହିନ୍ଦୀ,ମରାଠୀ,ତାମିଲ, ତେଲୁଗୁ ଭଳି ଅନ୍ୟ ବଡ଼ ବଡ଼ ଭାରତୀୟ ଭାଷାଗୁଡି଼କରେ ସଂସ୍କୃତି ଶବ୍ଦର ଶତକଡ଼ା ୧୦୦ ପ୍ରତିଶବ୍ଦ କୁହାଇଲା ଭଳି କୌଣସି ପ୍ରତିଶବ୍ଦ ମିଳେ ନାହିଁ । 


Sunday, April 11, 2021

ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିର ଓ ପ୍ରଥମ ରଥଯାତ୍ରା

୧୫୬୫ ମସିହାରେ ମୟୂରଭଞ୍ଜ ରାଜ୍ୟର ରାଜା ନୀଳକଣ୍ଠ ଭଞ୍ଜଙ୍କ ଦେହାନ୍ତ ହୁଅନ୍ତେ ଉକ୍ତ ରାଜ୍ୟର ଶାସନଭାର ତାଙ୍କ ସୁପୁତ୍ର ଵୈଦ୍ୟନାଥ ଭଞ୍ଜଙ୍କ ଉପରେ ନ୍ୟସ୍ତ ହେଲା । ସେ ସମୟରେ ଓଡ଼ିଶା ଉପରେ ଘନଘନ ମୁସଲମାନ ଆକ୍ରମଣ ହେଉଥାଏ । ଵୈଦ୍ୟନାଥ ଭଞ୍ଜଙ୍କ ଶାସନାରମ୍ଭ ସମୟରେ କଳାପାହାଡ଼ ଆକ୍ରମଣ କରିଥିଲା ।

କଳାପାହାଡ଼ର ଲୋକକଥାକୁ ଆଧାର କରି ଐତିହାସିକମାନେ ଅନେକ ଥିସିସ୍ ଦେଇଛନ୍ତି । କେହି ତାକୁ ଗୋଟେ କ୍ରୁର ହିନ୍ଦୁଦ୍ଵେଷୀ ଆଫଗାନ୍ ବୋଲି ପ୍ରମାଣ କରିଵାକୁ ଚେଷ୍ଟା କରିଛି ତ ଆଉ କେହି ତତ୍କାଳୀନ ଓଡ଼ିଆ ରାଜାଙ୍କର ରାୟ ଉପନାମଧାରୀ ସେନାପତି ଭାବେ ପ୍ରତିପାଦିତ କରିଛି । ତେବେ କଳାପାହାଡ଼ ଵିଷୟକ ଉତ୍ତର ଓଡ଼ିଶାରେ ପ୍ରଚଳିତ  କିମ୍ବଦନ୍ତୀ ଅନୁସାରେ କାଳାଚାନ୍ଦ ରାୟ ନାମକ ଜଣେ ମେଦିନୀପୁରିଆ ବଙ୍ଗୀୟ ବ୍ରାହ୍ମଣ (ମତାନ୍ତରରେ କରଣ) ଜନୈକା ଦୁଲିଆ ନାମ୍ନୀ ମୁସଲମାନ କନ୍ୟାର ପ୍ରେମରେ ପଡି଼ ତା ହସ୍ତରୁ ଅନ୍ନ ଭୁଞ୍ଜିଥିଵାରୁ ତତ୍କାଳୀନ ମୌଳିଵାଦୀ ହିନ୍ଦୁ ସମାଜ ତାକୁ ଵାସନ୍ଦ କରି ପୁରୀ ବ୍ରାହ୍ମଣସଭା ପାଖକୁ ହିନ୍ଦୁତ୍ଵ ଫେରି ପାଇଵା ପାଇଁ ପଠାଇଥିଲା ।

ସେତେବେଳର ବ୍ରାହ୍ମଣ ସମାଜ ଅତ୍ୟନ୍ତ ଜାତିଆଣଭାଵ ଓ କୁସଂସ୍କାରରେ ବୁଡ଼ି ରହିଥିଲା ତେଣୁ ପୁରୀ ମୁକ୍ତି ମଣ୍ଡପର ବ୍ରାହ୍ମଣମାନେ କାଲାଚାନ୍ଦ ଲକ୍ଷେ ନେହୁରା ହେଲେ ସୁଦ୍ଧା ତା କଥାକୁ ଶୁଣିଲେ ନାହିଁ ଵରଂ ଅପମାନିତ କରି ତା ଉପରେ ତତଲା ପେଜ ଛାଟି ତାକୁ ବଡ଼ ଦେଉଳରୁ ତଡି଼ଦେଲେ ।

କାଲାଚାନ୍ଦ ରାୟ ଏ ଅପମାନ ସହିପାରିଲା ନାହିଁ । ସେ ଦୁଲିଆର ପିତା ଓ ବଙ୍ଗର ତୁର୍କ ମୁସଲମାନ ନଵାବ ସୁଲେମାନ କରାନୀଙ୍କ ସହାୟତା ପାଇ ମୁସଲମାନ ଧର୍ମରେ ଦୀକ୍ଷିତ ହୋଵା ଉତ୍ତାରୁ ଓଡ଼ିଆ ଲୋକ ଓ ଓଡ଼ିଶାର ମାଟି ପ୍ରତି ପ୍ରତିଶୋଧ ପରାୟଣ ହୋଇ ସୈନ୍ୟ ଆକ୍ରମଣ କରିଵାକୁ ଉଦ୍ୟୋଗ କରିଵାକୁ ଲାଗିଲା । ସେ ଵିଚ୍ଛିନ୍ନ ଉତ୍ତର ଓଡ଼ିଶାର ମାଟିରେ ଅର୍ଥାତ୍ ମେଦିନୀପୁର ଅଞ୍ଚଳରେ ଜନ୍ମ ଲଭିଥିଲେ ହେଁ ହୃଦୟରୁ କେବେ ବି ଓଡ଼ିଆ ନଥିଲା । ତା ରକ୍ତରେ କଳିଙ୍ଗ ଦେଶର ଜାତୀୟତା ଓ ସ୍ବାଭିମାନ ନଥିଲା । ସ୍ଵାଭାଵିକତଃ କୌଣସି ଦେଶ ଵା ରାଜ୍ୟର ସୀମାରେ ଵସଵାସ କରୁଥିଵା ଵ୍ୟକ୍ତି ବିଶେଷଙ୍କର ଆପଣା ମାତୃଦେଶ ପ୍ରତି ସେତେଟା ଆନ୍ତରିକତା ନଥାଏ । ପଶ୍ଚିମ ଓଡିଶାରେ ଵିଚ୍ଛନ୍ନତାଵାଦୀଙ୍କ ଉତ୍ତରୋତ୍ତର ଅଭିବୃଦ୍ଧି ଏହାର ଏକ ଉଦାହରଣ ଅଟେ ।

ତେଣୁ ବହୁତ ସମ୍ଭଵ କାଲାଚାନ୍ଦ ରାୟ ବଙ୍ଗାଳୀ ବଂଶୋଦ୍ଭଵ ଥିଲା କାରଣ କୌଣସି ଓଡ଼ିଆ ସନାତନୀ ନିଜ ଉପରେ ଯେତେ ବି ଅତ୍ୟାଚାର ହେଉ ଆପଣାର ଦେଶର ଅମୂଲ୍ୟ ଗୌରଵଚିହ୍ନଗୁଡି଼କୁ କ୍ଷତି ପହଞ୍ଚାଇଵା ପୂର୍ଵରୁ ଶହେ ଥର ଭାଵିଵ ।

କାଲାଚାନ୍ଦ ରାୟ ମୁସଲମାନ ସେନାର ସେନାପତିତ୍ଵ କରି ଆପଣାର ନାମ କଳାପାହାଡ଼ ରଖି ଓଡ଼ିଶା ଆକ୍ରମଣ କରିଦେଲା । କଟକ ଇତ୍ୟାଦି ଅନେକ ବଡ଼ ନଗରର ଶହ ଶହ ପ୍ରାଚୀନ ମନ୍ଦିର ଧ୍ଵଂସ କରିଦେଲା । କୋଣାର୍କ ସୂର୍ଯ୍ୟ ମନ୍ଦିର ଭାଙ୍ଗି ଯିଵା ପଛରେ ବି ଏହି ଦ୍ଵେଷାନ୍ଧ ଵ୍ୟକ୍ତିର ହାତ ଥିଵା କିଛି ଲୋକଙ୍କର ମତ । ପୁରୁଷୋତ୍ତମ ପୁରୀକୁ ଆସି କଳାପାହାଡ଼ ଶ୍ରୀମନ୍ଦିର ଓ ବେଢା଼ର ଅନେକ ମୂର୍ତ୍ତି ଭାଙ୍ଗି ପକାଇଲା । ଶ୍ରୀମନ୍ଦିର ଭିତରେ ଵିଗ୍ରହ ନପାଇଵାରୁ ରାଗ ତମତମ ହୋଇ ଘୋଡ଼ା ନେଣ୍ଡି,ଘସି ଓ ଚଷୁ ପକେଇ ନିଆଁ ଲଗାଇ ଦେଇଥିଲା ।

ପୁରୀର ଶହ ଶହ ବ୍ରାହ୍ମଣଙ୍କୁ ହତ୍ୟାକଲା ସେମାନଙ୍କ କନ୍ୟା ପତ୍ନୀ ଆଦିଙ୍କ ସହିତ ମୁସଲମାନୀ ସେନା ଦ୍ଵାରା ଅତ୍ୟାଚାର କଲା । ଅନେକ ବ୍ରାହ୍ମଣ ସେ ସମୟରେ କଳାପାହାଡ଼ ଓ ମୁସଲମାନ ସୈନ୍ୟଙ୍କର ଅମାନୁଷିକ ଅତ୍ୟାଚାର ଅପେକ୍ଷା ଆତ୍ମହତ୍ୟା ଶତଗୁଣ ଶ୍ରେଷ୍ଠ ବୋଲି ଵିଚାର କରି ପ୍ରାଣବଳି ଦେଇଥିଲେ ।

ଲୋକକଥା ଅନୁଯାୟୀ ସେହି କଳାପାହାଡ଼କୁ ସମ୍ବଲପୁର ରାଜ୍ୟରେ ତାହାର ଜଘନ୍ୟ କୁକୃତ୍ୟର ଉଚିତ୍ ଦଣ୍ଡ ଶେଷରେ ମୃତ୍ୟୁ ରୂପେ ମିଳିଯାଇଥିଲା । ଲୋକକଥାରେ ମାଆ ସମଲେଈଙ୍କ ଦ୍ଵାରା କଳାପାହାଡ଼ ଓ ତାହାର ସୈନ୍ୟବଳ ଧ୍ଵଂସ ହୋଇଯାଇଥିଵା କୁହାଯାଇଛି ।  ଏମନ୍ତ ମଧ୍ୟ ସମ୍ଭଵ ଯେ ଦୈଵୀ ଶକ୍ତି ଆଳରେ ତତ୍କାଳୀନ ସମ୍ବଲପୁରର ସାହସୀ ଯୋଦ୍ଧାମାନେ ଗରିଲା ଯୁଦ୍ଧକରି ଅତର୍କିତ ଆକ୍ରମଣ ପୂର୍ଵକ କଳାପାହାଡ଼ ଓ ତାହାର ସୈନ୍ୟସାମନ୍ତଙ୍କୁ ଚିରନିଦ୍ରାରେ ଶୁଆଇ ଦେଇଥିଵେ ଏଵଂ ପରେ ବଙ୍ଗ ନଵାବ ସମ୍ବଲପୁର ଆକ୍ରମଣ ନକରନ୍ତୁ ସେଥିପାଇଁ ସମଲେଶ୍ଵରୀ ହିଁ ସେମାନଙ୍କ ଅନ୍ତ'ର କାରଣ ବୋଲି ପ୍ରଚାର କରାଯାଇଥିଵ ।

ସେ ଯାହା ହେଉ ମୁସଲମାନମାନଙ୍କର ଘୃଣ୍ୟ ଅତ୍ୟାଚାର ଯୋଗୁଁ ୧୫୬୮ରୁ ୧୫୮୦ ମସିହା ଯାଏଁ ଓଡ଼ିଶାରେ ଓଡ଼ିଆଙ୍କର ଜାତି ଏକତାର ଚିହ୍ନ ଶ୍ରୀମନ୍ଦିର ଭଙ୍ଗାରୁଜା ହୋଇ ପଡି଼ରହିଥିଲା । ତତ୍କାଳୀନ “ସନାତନୀ ଓଡ଼ିଆ” ଅତ୍ୟାଚାର ଭୟରେ ପ୍ରାୟ ବାର ପନ୍ଦର ଵର୍ଷକାଳ ପ୍ରକାଶ୍ୟ ଭାବେ ଧର୍ମ ସମ୍ବନ୍ଧୀୟ ପର୍ଵ ପାଳନ କରିଵାକୁ ଡରୁଥିଲା । ଶ୍ରୀମନ୍ଦିର କ'ଣ ସେତେବେଳେ ଓଡ଼ିଶାର କେଉଁଠି ବି ରଥଯାତ୍ରା ହେଉନଥିଲା କିନ୍ତୁ ୧୫୭୫ରେ ପ୍ରଥମେ ମୟୂରଭଞ୍ଜ ରାଜ୍ୟରେ ରଥଯାତ୍ରା ପାଳନ କରଗଲା । ତତ୍କାଳୀନ ମୟୂରଭଞ୍ଜ ରାଜା ଵୈଦ୍ୟନାଥ ଭଞ୍ଜଙ୍କ ଜେଜେମା ତଥା ପ୍ରତାପରୁଦ୍ର ଦେବଙ୍କ ରାଜଜେମା 'ନମାତ'ଙ୍କ ପ୍ରେରଣାରେ ୧୫୬୮ ମସିହାରେ ବାରିପଦାଠାରେ ଏକ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା ଏଵଂ ଏହା ପୂର୍ଣ୍ଣାଙ୍ଗ ହେଵାକୁ ଦୀର୍ଘ ସାତଵର୍ଷ ସମୟ ଲାଗିଥିଲା । ୧୫୭୫ ମସିହାର ଆଷାଢ଼ ଦ୍ଵିତୀୟା ତିଥିରେ ବାରିପଦାର ଶ୍ରୀମନ୍ଦିର ମନ୍ଦିର ପ୍ରତିଷ୍ଠା ହେଵା ସହ ସେହିଦିନ ହିଁ ରଥଯାତ୍ରାର ଆୟୋଜନ ମଧ୍ୟ କରାଯାଇଥିଲା । ଵୈଦ୍ୟନାଥ ଭଞ୍ଜଙ୍କ ଜେଜେମା ସେହି ରଥଯାତ୍ରା ଦେଖିଵାକୁ ହିଁ ସତେ ଯେମିତି ବଞ୍ଚି ରହିଥିଲେ ଏଵଂ ତାଙ୍କ ଜୀଵନର ଏହି ଇଚ୍ଛା ପୂର୍ତ୍ତି ସହ ସେ ଶାନ୍ତିରେ ଚିରନିଦ୍ରା ଲଭିଥିଲେ ।

ତତ୍କାଳୀନ ଓଡ଼ିଶା, ପଠାଣଙ୍କ ଅଧିନରେ ଥିଵାରୁ ଭୟରେ ଲୋକେ ଅନେକ ଵର୍ଷ ପର୍ଵପର୍ଵାଣୀ ପାଳୁନଥିଲେ କିନ୍ତୁ ଓଡ଼ିଶାରେ ସେସମୟରେ କେଵଳ ବାରିପଦାରେ ରଥଯାତ୍ରା ହେଉଥିଵାରୁ ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିରକୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ଆଖ୍ୟା ପ୍ରାପ୍ତ ହୋଇଅଛି ।

ବାରିପଦାର ପ୍ରଥମ ରଥଯାତ୍ରା କେଵଳ ଧାର୍ମିକ ଅନୁଷ୍ଠାନ ନଥିଲା ଵରଂ ଏହା ଥିଲା ତତ୍କାଳୀନ ମୁସଲମାନ ଶାସନ ଵିପକ୍ଷରେ ଏକ ଶାନ୍ତିପୂର୍ଣ୍ଣ ସଶକ୍ତ ଜାତୀୟତାଵାଦୀ ଅଭିଯାନ । ଅତ୍ୟାଚାରୀ ମୁସଲମାନମାନଙ୍କ ଦାଉ ସହି ସହି ଶେଷରେ ମୟୂରଭଞ୍ଜର ଶାସକ ଵୈଦ୍ୟନାଥ ଭଞ୍ଜଙ୍କ ନେତୃତ୍ୱରେ ସେସମୟର ସ୍ଵାଭିମାନୀ ଓଡ଼ିଆମାନେ ଏକପ୍ରକାରର ଵିପ୍ଳଵର ସୂତ୍ରପାତ କରିଥିଲେ । ଏହା ହିନ୍ଦୁ-ମୁସ୍ଲିମ୍ ଧର୍ମ ଯୁଦ୍ଧ ନଥିଲା କି ଏ ଯୁଦ୍ଧରେ ଅସ୍ତ୍ରଚାଳନା ମଧ୍ୟ ହୋଇନଥିଲା ମାତ୍ର ଏହି ଯୁଦ୍ଧ ମୁସଲମାନ ଶାସକଙ୍କ ଶାସନ ଵିପକ୍ଷରେ ସମ୍ଭଵତଃ ଭାରତର ପ୍ରଥମ ଅହିଂସା ଆନ୍ଦୋଳନ ଥିଲା କହିଲେ ଅତ୍ୟୁକ୍ତି ହେଵ ନାହିଁ ।

ଓଡ଼ିଶା ପରାଧୀନ ହେଲାପରେ ମୁସଲମାନମାନେ ଵିଭିନ୍ନ ଉପାୟରେ ଓଡ଼ିଶାରୁ ସନାତନୀ ସଂସ୍କୃତିର ଲୋପ କରିଦେଵାକୁ ପ୍ରଯତ୍ନ କରିଥିଲେ । ସେମାନେ ପ୍ରଥମେ ଓଡ଼ିଶାର ଶହ ଶହ ପ୍ରାଚୀନ ମନ୍ଦିର ଧ୍ଵଂସ କଲେ ଏଵଂ ଶ୍ରୀଜଗନ୍ନାଥ ମନ୍ଦିର ଆକ୍ରମଣ କରି ତା ଭିତରେ ନିଆଁ ଲଗାଇ ଦେଲେ । ଅନେକ ଲୋକଙ୍କୁ କଳେ ବଳେ କୌଶଳେ ମୁସଲମାନ ଧର୍ମରେ ଦୀକ୍ଷିତ କଲେ । ଜଳେଶ୍ଵର ମନ୍ଦିର ଆଦି ଅନେକ ଦେଵାଳୟ ଭାଙ୍ଗି ଉକ୍ତ ସ୍ଥାନରେ ମସଜିଦ୍ ନିର୍ମାଣ କଲେ । ପୁଣି ନୂଆ ମନ୍ଦିର ନଗଢି଼ ଉଠୁ ସେଥିପାଇଁ ଓଡ଼ିଶାର ଧନୀକମାନଙ୍କୁ ଲୁଟିଲେ ଓ ଗରିବ ଜନଙ୍କ ଉପରେ କର ଲଦି ଦେଇ ସେମାନଙ୍କୁ କାଙ୍ଗାଳ କରିପକାଇଲେ । ଓଡ଼ିଶାରେ ଏଥିଯୋଗୁଁ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ନୌଵାଣିଜ୍ୟ ବନ୍ଦ ହୋଇଯାଇଥିଲା । ମନ୍ଦିର ଭାଙ୍ଗିଦେଲାପରେ କାଳେ ଓଡ଼ିଆମାନେ ଘରେ ଦିଅଁ ପୂଜାର୍ଚ୍ଚନା କରି ଧର୍ମ ରକ୍ଷା କରିଵେ ସେଥିପାଇଁ ଓଡ଼ିଶାରେ କେହି ଯେମିତି ହିନ୍ଦୁ ପର୍ଵପର୍ଵାଣୀ ନପାଳନ୍ତି ତେଣୁ ସୁଲତାନଙ୍କ ପକ୍ଷରୁ ହିନ୍ଦୁ ପର୍ଵ ପାଳନର ନିଷେଧାଦେଶ ଜାରି ହୋଇଥିଲା  । ଯିଏ ସୁଲତାନଙ୍କ ଆଦେଶ ନପାଳି ଦଣ୍ଡ ଦୀପାବଳୀ ଉତ୍ସଵ ପାଳିଲା ତାକୁ ଵିଭିନ୍ନ ପ୍ରକାରରେ ଦଣ୍ଡିତ କରାଯାଉଥିଲା ।

ମାତ୍ର ମୟୂରଭଞ୍ଜ ରାଜ୍ୟର ରାଜା ବାରିପଦାଠାରେ ଦ୍ଵିତୀୟ ଶ୍ରୀମନ୍ଦିର ନିର୍ମାଣ କରି ଏହି ନିଷେଧାଦେଶର ତୀଵ୍ର ଵିରୋଧ କରିଥିଲେ । ମୟୂରଭଞ୍ଜ ରାଜାଙ୍କୁ ତାଙ୍କର ଅନେକ ପାଖ ଲୋକ କହିଲେ ଲୋକେ ଭୟରେ ଏ ରଥଯାତ୍ରାରେ ଯୋଗ ଦେଵେ ନାହିଁ । ତେଣୁ ରାଜା ଏହି ସମସ୍ୟାର ସମାଧାନ ପାଇଁ ଗୁଡି଼ଏ ପଦକ୍ଷେପ ଗ୍ରହଣ କରିଥିଲେ ।

୧) ମୟୂରଭଞ୍ଜ ରାଜ୍ୟର ଯେଉଁ ପ୍ରଜା ରଥଯାତ୍ରାକୁ ଆସିଵାକୁ ଅମଙ୍ଗ ହେଲା ତା ଉପରେ ଆର୍ଥିକ ଓ ସାମାଜିକ ତଣ୍ତ ଲଗାଗଲା

୨)ସେ ସମୟରେ ଧଳଭୂମି,ଷଡୈକଳା,ଚାଇଁବସା,ଝାଡ଼ଗ୍ରାମ ଓ ମେଦିନୀପୁର ଆଦି ରାଜ୍ୟଗୁଡ଼ିକ ମୟୂରଭଞ୍ଜ ରାଜ୍ୟର କରଦ ରାଜ୍ୟ ଥିଲେ ତେଣୁ ଉକ୍ତ ରାଜ୍ୟର ରାଜାମାନଙ୍କୁ ବାରିପଦାର ରଥଯାତ୍ରାରେ ଯୋଗ ଦେଵାକୁ ଵୈଦ୍ୟନାଥ ଭଞ୍ଜ ଚିଟାଉ ପଠାଇଥିଲେ । କୁହାଯାଏ ଏସବୁ ରାଜ୍ୟରୁ ସ୍ଥାନୀୟ ରାଜାମାନଙ୍କ ସହିତ ଶହ ଶହ ଲୋକ ଆସି ରଥଯାତ୍ରାରେ ଯୋଗ ଦେଉଥିଲେ ।

୩) ଲୋକଙ୍କୁ ଆକୃଷ୍ଟ କରିଵାପାଇଁ ରଥ ଉପରୁ ଗୁଡ଼ମୁଢି଼ଲଡୁ଼ ଫିଙ୍ଗାଯିଵାର ଵ୍ୟଵସ୍ଥା କରାଯାଇଥିଲା ଏଵଂ ଏ ପରମ୍ପରା ଆଜି ମଧ୍ୟ ରହିଛି ।

୪)ମନ୍ଦିର ସୁରକ୍ଷା ପାଇଁ ମାଙ୍କଡ଼ା ପଥରରେ ଅତି ଶକ୍ତ ଚାରି ହାତ ଓସାରର ମେଘନାଦ ପାଚେରୀ ନିର୍ମାଣ କରାଯିଵା ସହ ଶ୍ରୀମନ୍ଦିରର  ସିଂହଦ୍ଵାର ସମ୍ମୁଖରେ ଏକ ଓ୍ଵାଚଟାଓ୍ଵାରର ମଧ୍ୟ ନିର୍ମାଣ କରାଯାଇଥିଲା । ଏହି ଓ୍ଵାଚ୍ ଟାୱାରକୁ ଆଜିକାଲି ନାଗରାଭାଡି଼ କୁହାଯାଉଛି କିନ୍ତୁ ପୂର୍ଵେ ଏଠାରେ ଧନୁର୍ଦ୍ଧର ଓ ବର୍ଚ୍ଛାଧାରୀ ପାଇକମାନେ ଶତ୍ରୁ ଆକ୍ରମଣକୁ ପ୍ରତିହତ କରିଵାକୁ ସଜାଗ ହୋଇ ରହୁଥିଲେ । ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିର ଭକ୍ତଙ୍କ ନିମନ୍ତେ ଅତ୍ୟନ୍ତ ସୁରକ୍ଷିତ ଥିଵାରୁ ଲୋକଙ୍କ ମନରେ ଵିଶ୍ଵାସ ବଢି଼ଥିଲା ।

୫)ରଥଯାତ୍ରାରେ ଲୋକଙ୍କ ଉପରେ ଯେମିତି ଵିଧର୍ମୀ ଆକ୍ରମଣ ନହୁଏ ସେଥି ସକାଶେ ହଜାର ହଜାର ପାଇକ ଵୀରଙ୍କ ଦ୍ଵାରା ସୁରକ୍ଷା ବଳୟ ମଧ୍ୟରେ ରଥଯାତ୍ରାର ଆୟୋଜ କରାଯାଉଥିଲା । ଏହି ରଥଯାତ୍ରାରେ ମୟୂରଭଞ୍ଜ ରାଜା ସ୍ଵୟଂ  ହାତୀପିଠିରେ ବସି ରଥ ଆଗେ ଆଗେ ଯାଉଥିଲେ ଓ ତାଙ୍କ ପଛକୁ ଧଳଭୂମି,ଷଡୈକଳା ଓ ନୀଳଗିରି ଆଦି ରାଜ୍ୟର ରାଜାମାନେ ଘୋଡ଼ା ଉପରେ ଚଢ଼ି ଯାଉଥିଲେ । ରାଜାମାନଙ୍କ ପଛରେ ଭୂୟାଁମାନଙ୍କ ଦଳ ଖୋଳକୀର୍ତ୍ତନ ବଜାଇ ନାଚି ନାଚି ଯାଉଥିଲେ ।
ଭୂୟାଁଙ୍କ ପଛରେ ବାଥୁଡି଼ ସମ୍ପ୍ରଦାୟର ଲୋକେ ଚାଙ୍ଗୁ ବଜାଇ ନୃତ୍ୟଗୀତ ପରିଵେଷଣ କରି କରି ଯାଉଥିଲେ । ତାଙ୍କ ପଛକୁ ସାନ୍ତାଳମାନେ ଧୁମସା ନାଗରା ଓ ମୁଣ୍ଡା ଓ ଭୂମିଜମାନେ ମାଦର ବଜାଇ ବଜାଇ ରଥ ଆଗରେ ଯାଉଥିଲେ । ରଥର ଆଗରେ ଓ ପଛରେ , ବଡ଼ଦାଣ୍ଡର ଦୁଇପାର୍ଶ୍ଵରେ ତଥା ରଥ ସହିତ ହଜାର ହଜାର ପାଇକ ଖଣ୍ଡା ଢାଲ ବର୍ଚ୍ଛା ଧରି ଜଗି ରହୁଥିଲେ । କୌଣସି ଵିଧର୍ମୀ ଦ୍ଵାରା ହଠାତ୍ ଶ୍ରୀମନ୍ଦିର କିଂଵା ରଥ ଉପରେ ଆକ୍ରମଣ ନହେଵ ସେଥିପାଇଁ ଵିଭିନ୍ନ ଉଚ୍ଚ ସ୍ଥାନରେ ଗୁପ୍ତ ଭାଵରେ ଧନୁର୍ଦ୍ଧରମାନଙ୍କୁ ମୁତୟନ କରାଯାଇଥିଲା ।  ଫଳତଃ ଓଡ଼ିଶାର ଵିଭିନ୍ନ ଅଞ୍ଚଳରୁ କ୍ରମେ ଅନେକ ଲୋକ ନିର୍ଭୟରେ ରଥଯାତ୍ରାରେ ଯୋଗଦେଵାକୁ ଆସିଵାକୁ ଲାଗିଲେ।

ବାରିପଦାର ଏହି ରଥଯାତ୍ରା କେତେକ ଵର୍ଷଯାଏଁ ସୁରୁଖୁରୁରେ ଅନୁଷ୍ଠିତ ହୋଵାକୁ ଲାଗିଵାରୁ ଓଡ଼ିଶାରେ ସାଧାରଣ ଲୋକଙ୍କ ସାହସ କିଛି ପରିମାଣରେ ବୃଦ୍ଧି ପାଇଥିଲା ଏଵଂ କିଛି ଵର୍ଷପରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ପୁନଃ ପ୍ରତିଷ୍ଠା ପାଇଥିଲେ  । ବାରିପଦାରେ ଶ୍ରୀମନ୍ଦିର ନିର୍ମାଣ ଓ ରଥଯାତ୍ରାର ଆୟୋଜନ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପୁନଃ ପ୍ରତିଷ୍ଠା ନିମନ୍ତେ ପ୍ରେରଣା ଯୋଗାଇଥିଲା । ତେଣୁ ଯଥାର୍ଥରେ ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିର ସମସ୍ତ ଓଡ଼ିଆ ଜାତି ପାଇଁ ପ୍ରେରଣାର ଉତ୍ସ କହିଲେ ଭୁଲ୍ ହେଵ ନାହିଁ ।


Saturday, April 3, 2021

ଧନ୍ୟ ଉତ୍କଳ ଭୂଇଁ (ଅକ୍ଷି ତୃତୀୟା)

ମା ଗୋ ମା ଗୋ

ଶସ୍ୟ ଶାଳିନୀ ପଲ୍ଲୀ ମାଳିନୀ
ମା ଗୋ ମମତାମୟୀ
କୋଟି ଚାରୁକଳା କଳାରେ କୁଶଳା
ଧନ୍ୟ ଉତ୍କଳ ଭୂଇଁ

ଧନ୍ୟ ଉତ୍କଳ ଭୂଇଁ ୨

ଲା - ଲା ଲା ଲା ଲା..

ଚନ୍ଦ୍ରଭାଗା ତୀରେ ଏଇ କୋଣାରକ
ପାଷାଣ ବି ଗାଏ ଧରମାର ଗୀତ

ହସି ହସି ଦିନେ ଦେଲା ସେ ଜୀଵନ
ଜାତିର ଗରଵ ପାଇଁ

ଜାତିର ଗୌରଵ ପାଇଁ
ଧନ୍ୟ ଉତ୍କଳ ଭୂଇଁ

ମରାଳମାଳିନୀ ରୂପସୀ ଚିଲିକା
ଶୁଣାଏ ଅତୀତ ଗଉରଵ ଗାଥା
ଭାଲେରୀ ସଲେରୀ ପାହାଡ ଉପରେ କାନ୍ଦି ବୁଲେ କାଳିଜାଇ

କାନ୍ଦି ବୁଲେ କାଳିଜାଇ

ଏଇ ସେ ଧଉଳୀ ଶାନ୍ତିର ପୀଠ
ଚଣ୍ଡାଶୋକ ଯେ ହେଲେ ଧର୍ମାଶୋକ

ଵୀର ଖାରବେଳ କୀରତି ଅତୁଳ
ଇତିହାସ ଯାଏ କହି

ଇତିହାସ ଯାଏ କହି
ଧନ୍ୟ ଉତ୍କଳ ଭୂଇଁ ୨

ଲା - ଲା ଲା ଲା ଲା..

ଏହି ନୀଳାଚଳେ ବିଜେ ଚକାଡୋଳା
ଚଉବାହା ଟେକି ଲଗାଇଛି ଲୀଳା
ପତିତପାବନ ବାନା ଉଡ଼େ ଅନା ଭକତଜନକୁ ଚାହିଁ
ଭକତଜନକୁ ଚାହିଁ

ଧନ୍ୟ ଉତ୍କଳ ଭୂଇଁ ...

©ଅକ୍ଷି ତୃତୀୟା ଚଳଚ୍ଚିତ୍ରର ଗୀତ