My Blog List

Sunday, February 21, 2021

ଉଦବୋଧନୀ(ଉତ୍କଳମଣି ଗୋପବନ୍ଧୁ ଦାସ)


ହେଲଣି ତ ଏତେ ସରି ହେ ସୋଦର
ପୂର୍ଵ ଯଶୋରାଶି କାଳବଳେ ଆସି
ଗଲାଣି ତ ସବୁ ସରି ।ଘୋଷା ।

ତ୍ରିଵେଣୀ ତଟରୁ ଗୋଦାଵରୀ ଯାଏ
ଦିନେ ଭାଗ୍ୟ ଗରଵିନୀ,
ଆମ୍ଭ କର୍ମ ଦୋଷେ ଆଜି ସେ ଜନନୀ
ଆହା ପଥ ଭିକାରିଣୀ ।।୧।।

ପୂର୍ଵ କାରିଗରି ଵିହିନେ ସୁନ୍ଦରୀ
ଦିଶଇ କେଡେ଼ ମଳିନ

କାହିଁ ପୂର୍ଵ ଧନ
କାହିଁ ପୂର୍ଵ ପୁଣ୍ୟ
ଶୁଖିଛି ମୁଖ ନଳିନ ।।୨।।

ଅତୀତ କୀରତି ଅତୀତ ଵିଭୂତି
କି ହେଵ ଗାଇ କେଵଳ,
ପୂର୍ଵ ଆଦରଶେ ନଵୀନ ସାହସେ
ଦେଖାଇଵା ନିଜ ବଳ ।।୩।

ନକର ଆଳସ୍ଯ , ନ ହୁଅ ହତାଶ
ଶୁଭ ଯୋଗ ଉପଗତ
ଦେଖ ନଵଯୁଗେ ମହାକର୍ମ ଯୋଗେ
ମତ୍ତ ସମସ୍ତ ଜଗତ ।।୪।।

©ଉତ୍କଳ ମଣି ଗୋପବନ୍ଧୁ ଦାସ

ଵି;ଦ୍ର:-  ଏହି ଉଦବୋଧନୀ କଵିତାଟି ୧୯୦୩ରେ ପ୍ରକାଶିତ ଶ୍ରୀନୀଳମଣି ଵିଦ୍ଯାରତ୍ନଙ୍କ ଦ୍ଵାରା ସଂକଳିତ “ଜାତୀୟ ସଂଗୀତ” ପୁସ୍ତକରୁ ଗୃହିତ ହୋଇଅଛି । ଏହି ପୁସ୍ତକରେ ଉତ୍କଳମଣିଙ୍କର ଦୁଇଗୋଟି ଜାତୀୟ ସଂଗୀତ ମଧ୍ୟରେ ଏହା ଅନ୍ଯତମ ଅଟେ ।

Friday, February 19, 2021

ପୁଣ୍ୟ


ଜଣେ ଲୋକ ମରିକି ଯମଲୋକରେ ଯାଇ ପହଞ୍ଚିଲା ଏଵଂ ତାହାର ନ୍ୟାୟ ପାଇଁ ତାକୁ ଯମରାଜାଙ୍କ ଛାମୁରେ ଉପସ୍ଥିତ କରାଗଲା ।

ଧର୍ମରାଜ ତାଙ୍କ ସଚିଵ ଚିତ୍ରଗୁପ୍ତଙ୍କୁ ନିର୍ଦେଶ ଦେଲେ — “ଏହି ଵ୍ୟକ୍ତିର କର୍ମ ଓ ଫଳର ଚିଠା ପ୍ରସ୍ତୁତ କରି ଆମ୍ଭଙ୍କୁ ଜଣାଅ” !

ଚିତ୍ରଗୁପ୍ତ କହିଲେ— ଭୋ ଦେଵ ! ଏ ଵ୍ୟକ୍ତି ଭୂଲୋକରେ ଅତ୍ୟନ୍ତ ପାପୀ ଓ ଅତ୍ୟାଚାରୀ ଥିଲା । ସମାଜ ଦ୍ଵାରା ଆକୁ ନର—ପିଶାଚର ଆଖ୍ୟା ମିଳିଥିଲା । ଏ ପାପିଷ୍ଠ ତା ଜୀଵନ କାଳ ମଧ୍ୟରେ କେତେ ଯେ ଲୋକଙ୍କ ଜୀଵନ ନଷ୍ଟ କରିଅଛି ତାହାର ଇୟତ୍ତା ନାହିଁ । ଏହା ଭଳି ମାନଵ-ପୀଡ଼କ ମର୍ତ୍ତ୍ୟଲୋକରେ କ୍ଵଚିତ ହିଁ ହୋଇଥିଵେ । ଏ ଲୋକ ଅତ୍ୟନ୍ତ କ୍ରୂର,କପଟୀ,ଦୂରାଚରୀ ଓ ଅତ୍ୟାଚାରୀ ଥିଲା ।

ସେଇଠୁ ଧର୍ମରାଜ ପଚାରିଲେ — ଆଚ୍ଛା ଏ ଲୋକର ମୃତ୍ୟୁ କେମନ୍ତ କାରଣରୁ ହୋଇଥିଲା ?

ଚିତ୍ରଗୁପ୍ତ ଉତ୍ତର ଦେଲେ— ହେ ଦେଵ !  ଏ ଲୋକ ଆତ୍ମହତ୍ୟା କରିଥିଲା ଆଜ୍ଞା !

ଧର୍ମରାଜ କିଛି ସମୟ ଚିନ୍ତା କରି ଆଦେଶ ଦେଲେ “ଆକୁ ସ୍ୱର୍ଗଲୋକରେ ସ୍ଥାନ ପ୍ରଦାନ କରାଯାଉ” !

ଚିତ୍ରଗୁପ୍ତ ଆଶ୍ଚର୍ଯ୍ୟ ଚକିତ ହୋଇ ଧର୍ମରାଜଙ୍କୁ କେତେକ କ୍ଷଣ ନିର୍ନିମେଷ ନୟନରେ ଅନାଇ ରହିଲେ ଏଵଂ  ତାପରେ କହିଲେ —“ହେ ଦେଵ ! ଆପଣ ଏ କ'ଣ କହୁଛନ୍ତି ? ଏ ପାପିଷ୍ଠ ଵ୍ୟକ୍ତି ପୁଣି ସ୍ଵର୍ଗସୁଖ ଭୋଗିଵ ? ତାହାଲେ ସମସ୍ତ କର୍ମ ଫଳ  ଵିଧାନ ହିଁ ମିଥ୍ୟା ଵିଵେଚିତ ହୋଇ ଯିଵନାହିଁ କି ? ଏ ଵ୍ୟକ୍ତି ତ ଭୀଷଣ ରୌରଵ ନର୍କରେ ଵାସ କରିଵା କଥା ? ଇଏ ଏମିତି କି ପୁଣ୍ଯ କରିଅଛି ଯେ ତାକୁ ସ୍ବର୍ଗ ଲୋକ ପ୍ରାପ୍ତ ହେଲା ? ପ୍ରଭୋ !  ଦୟାକରି ମୋ ମନର ଏ ଶଙ୍କା ଦୂର କରିଵା ହେବେ ” !

ଧର୍ମରାଜ ବୋଇଲେ — ଏହାର ଅନ୍ତିମ କର୍ମ ସବୁଠାରୁ ପୁଣ୍ୟଦାୟୀ ଥିଲା !

ଚିତ୍ରଗୁପ୍ତ ଵିସ୍ମିତ ହୋଇ ପଚାରିଲେ — ଅର୍ଥାତ୍ ?

ଧର୍ମରାଜ କହିଲେ — “ଅର୍ଥାତ୍ , ଆତ୍ମହତ୍ୟା !!! ଆତ୍ମହତ୍ୟା କରି ଏ ଲୋକ ସମାଜର କେତେ ବଡ଼ ହିତ ନକଲା !  ଯଦି ଇଏ ଜୀଵତ ରହିଥାନ୍ତା ଆହୁରି କେତେ ଯେ ଅତ୍ୟାଚାର କରିନଥାନ୍ତା ? ଆହୁରି ସହସ୍ର ସହସ୍ର ଲୋକେ ଆ ଯୋଗୁଁ ଦୁଃଖ ଭୋଗିଥାଆନ୍ତେ ।  ନିଜେ ନିଜକୁ ମାରି ଏ ଵ୍ୟକ୍ତି ସଂସାରକୁ ଅନେକାନେକ ଅତ୍ୟାଚାରରୁ ବଞ୍ଚାଇ ଦେଇଅଛି ‌ । ଅତଃ  ଆତ୍ମହତ୍ୟା କରିଵା ହିଁ ଏହାର ସବୁଠାରୁ ବଡ଼ ସତ୍କର୍ମ ଓ ପୁଣ୍ୟ ଅଟଇ” !!

ଚିତ୍ରଗୁପ୍ତ ପୁଣି ଆଶ୍ଚର୍ଯ୍ୟ ହୋଇ କହିଲେ “ପ୍ରଭୋ ! ଏହା ତ ସମ୍ପୂର୍ଣ୍ଣ ନଵୀନ ନୂତନ ଵିଧାନ ଅଟେ, ସଂସାରରେ ଏହାର ଘୋଷଣା ହୋଇଗଲେ ଅଵଶ୍ୟ ଅନେକ ପାପୀ ନିର୍ଵାଣ ପ୍ରାପ୍ତି କରନ୍ତେ ।

ତହୁଁ ଧର୍ମରାଜ କହିଲେ “ହଁ ହଁ ଘୋଷଣା କରିଦିଅ ଯିଏ ବି ପାପୀ ଅତ୍ୟାଚାରୀ ଆତ୍ମହତ୍ୟା କରିଵ ତାକୁ ସ୍ଵର୍ଗ ଲୋକ ପ୍ରାପ୍ତ ହେଵ ”

(ଵ୍ୟଙ୍ଗ୍ୟସମ୍ରାଟ ହରିଶଙ୍କର ପରସାଈଙ୍କର ଏକ କାହାଣୀ “पुण्य”ର ଓଡ଼ିଆ ଭାଵାନୁଵାଦ)

Friday, February 12, 2021

ରସଗୋଲା

ଡିବିରି ଆଲୁଅ ଯୁଗର କଥା । ଏକ ଦମ୍ପତ୍ତିଙ୍କ ଘରକୁ ଥରେ ରାଢ଼ଦେଶରୁ ଜଣେ ଅତିଥି ଆସିଲେ । ତାଙ୍କ ପାଇଁ ଛ’ ତୁଣ ନ’ ଭଜାର ଆୟୋଜନ ହୋଇଥାଏ ପୁଣି ତାଙ୍କର ସବୁଠାରୁ ପ୍ରିୟ ରସଗୋଲା ବି ପ୍ରସ୍ତୁତ ହୋଇ ରଖାଯାଇଥିଲା । 😌

ଅତିଥିକୁ ସବୁ ଖାଦ୍ୟ ଦରଵ ପରସା ଯାଇଥିଲା କିନ୍ତୁ ନୂଆଵୋହୂ ରସଗୋଲା ଦେଵାକୁ ଭୂଲିଯାଇଥାନ୍ତି । 🙄

ଅତିଥି ଜଣଙ୍କ ଲାଜରେ କିଛି କହିପାରୁନାହାନ୍ତି । ଶେଷକୁ ଗୋଟାଏ ଉପାୟ ପାଞ୍ଚି ବୋଇଲେ
“ଜାଣିଛ ! କାଲି ମୁଁ ମରୁ ମରୁ ଅଳ୍ପକେ ବଞ୍ଚିଗଲି”

ଘରର ମୁରବୀ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇ ପଚାରିଲେ

“କାହିଁକି ଵା କିୟଣ ହେଲା କି ?”🤔

ଅତିଥି— ଆରେ ଗୋଟାଏ ଲମ୍ବା କଳା ନାଗକୁ ବାଟରେ ହାବୁଡ଼ି ଯାଇଥେଲି ମ 🙄

ଜାଣିଚ କେତିକି ଲମ୍ବା 🤔

ହେଇ ଯୋଉ ସେଇଠି ହାଣ୍ଡିଟା ରଖା ହେଇଛି ଦେଖୁଚ
ହାଁ ! ସେତିକି ଲମ୍ବା 😝

ସେ ହାଣ୍ଡିରେ ତ ରସଗୋଲା ରଖାଯାଇଥିଲା

ଯେମିତି ଅତିଥି ହାଣ୍ଡି କଥା କହିଛନ୍ତି ଗିରସ୍ତ ଭାରିଜା ଦିହେଁ ଏକା ଵେଳକେ କହି ଉଠିଲେ “ଆଲୋ ଆଲୋ ରସଗୋଲା ତ ଦିଆ ହେଇନି ”😱😱😱

ଅତିଥି ମିଛଟାରେ ଅନିଚ୍ଛା ପ୍ରକାଶ କରି କହିଲେ
“ନାଇଁ ହୋ !  ଏତେ ଦରଵ ଖାଇ ପେଟ ଫାଟିଗଲାଣି ପା ଆଉ କିସ ପେଟରେ ଯାଗା ବଳିଛି ଯେ ଏତକ ଫିଣି ଭୁଞ୍ଜିଵାକୁ ହେଵ 🤭

ଗିରସ୍ତ ଭାରିଜା ଦିହେଁ କୋଉ ଛାଡୁଛନ୍ତି ଅନେକ ଅନୁନୟ ଵିନୟ କରି ଡକାହକା କଲେ ସେଇଠୁ ଅତିଥି ବୋଇଲେ ହେଲା ହେଲା ତୁମ୍ଭ କଥା ରହିଲା ଆଉ

ତାପରେ ଅତିଥି ମହା ଆନନ୍ଦରେ ରସଗୋଲା ଗେମ୍ପିଵାରେ ମଜ୍ଜିଗଲେ । ତାଙ୍କୁ ରସଗୋଲାଟା  ଏତେ ଭଲ ଲାଗିଲା ଯେ ଗଲାଵେଳେ ନୂଆଵୋହୂଙ୍କଠୁଁ ତାହାର ରନ୍ଧଣା ଵିଧି ଖଣ୍ଡିଏ ଭୋଜପତ୍ରରେ ଲେଖିନେଇ ଗଲେ । କୁହାଯାଏ ସେଇଦିନଠୁ କ୍ରମେ ରସଗୋଲା ଟା ରାଢ଼ଦେଶ ଓ ଗୌଡ଼ ଦେଶରେ ଲୋକପ୍ରିୟ ହେଵାକୁ ଲାଗିଲା ଆଉ ଆଜି ସାରା ଵିଶ୍ଵରେ ମିଠା ଭିତରେ ରଜା ରସଗୋଲା ବୋଲି ସୁନାମ ହୋଇଛି ।

Tuesday, February 9, 2021

••••••ରାଧାନାଥ ରାୟ Vs ଗୋପବନ୍ଧୁ ଦାସ•••••

ଓଡ଼ିଆ ସାହିତ୍ୟାକାଶରେ ଦେଖା ଦେଇଥିଲା ଆଧୁନିକ ସାହିତ୍ୟ ଓ ରୀତିଯୁଗର ସାହିତ୍ୟକୁ ନେଇ ଏକ ଭୀଷଣ ସାହିତ୍ୟ ଯୁଦ୍ଧ । ସେତେଵେଳେ ଏହି ଯୁଦ୍ଧକୁ “ଇନ୍ଦ୍ରଧନୁ — ଵିଜୁଳି ଵିଵାଦ” ଆଖ୍ୟା ମିଳିଥିଲା ।  ଇନ୍ଦ୍ରଧନୁ ଓ ଵିଜୁଳି ପ୍ରକୃତରେ ଦୁଇଗୋଟି ସାହିତ୍ୟ ପତ୍ରିକା ଏଵଂ ଇନ୍ଦ୍ରଧନୁ କଟକରୁ ପ୍ରକାଶିତ ହେଉଥିଵା ଵେଳେ ଵିଜୁଳି ବାମଣ୍ଡା ରାଜ୍ୟରୁ ପ୍ରକାଶ ପାଉଥିଲା ।

ମହାକଵି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଅନ୍ୟ ରୀତିଯୁଗୀୟ କଵି ତାଙ୍କ କାଵ୍ୟର ପୃଷ୍ଠ ପୋଷଣ କରୁଥିଲା ଇନ୍ଦ୍ରଧନୁ ଏଵଂ ରାଧାନାଥ ରାୟଙ୍କ ପରି ଆଧୁନିକ କଵି ଓ ତାଙ୍କ କାଵ୍ଯକୁ ସମର୍ଥନ କରି ଲେଖା ଛପାଉଥିଲା ଵିଜୁଳି ପତ୍ରିକା ।

ଇନ୍ଦ୍ରଧନୁ ପକ୍ଷରେ ଗୋପବନ୍ଧୁ ଦାସ ,ନୀଳକଂଠ ଦାଶ ଇତ୍ୟାଦି ଥିଲାଵେଳେ ଵିଜୁଳି ପକ୍ଷରେ ଗୋପାଳ ଚନ୍ଦ୍ର ପ୍ରହରାଜ, ବାମଣ୍ଡା ରାଜନ, ମଧୁସୂଦନ ରାଓ ଆଦି ଥିଲେ । ପରେ ଅଵଶ୍ୟ ଏହି ଦୁଇଗୋଷ୍ଠୀ ମଧ୍ୟରେ “ଓଡ଼ିଆ ଲିପିସଂସ୍କାର” ଵା “ଓଡ଼ିଆ ଵର୍ଣ୍ଣ ଓ ମୌଳିକତା ହତ୍ୟା”କୁ ନେଇ  ଵିଵାଦ ଲାଗିରହିଥିଲା ।

ଵିଜୁଳି ଇନ୍ଦ୍ରଧନୁ ଵିଵାଦର ପ୍ରାରମ୍ଭିକ କାଳର ଘଟଣା । ସେତେଵେଳେ ରାଧାନାଥ ରାୟ ଥିଲେ ଓଡ଼ିଶା ଵିଦ୍ୟାଳୟ ସମୂହର ଇନସ୍ପେକ୍ଟର । ଇନ୍ଦ୍ରଧନୁରେ ତାଙ୍କରି ଵିରୁଦ୍ଧରେ ଗୋଟିଏ ଵ୍ୟଙ୍ଗ୍ୟ କଵିତା ପ୍ରକାଶିତ ହେଲା । ରାଧାନାଥ ସେଇ କଵିତାର ଶରଵ୍ଯ । ଉକ୍ତ କଵିତାରୁ ପଦେ ବଡ଼ ହାସ୍ୟୋଦ୍ଦୀପକ ...

“କିଛି ଦୂରେ ଛ’ନ୍ତି ଧଡି଼ଆ ପଣ୍ଡିତମନ୍ୟ
ବାଉରୀ ସାହିରେ ଶୃଗାଳ କେଶରୀ
ପରି, ହେଉଥାନ୍ତି ଗଣ୍ୟ” 😂😂😂

ଏ କଵିତା  କିଏ ଲେଖିଛି ସେ ଵିଷୟରେ ଅନୁସନ୍ଧାନ ଆରମ୍ଭ ହୋଇଗଲା ଏଵଂ ଜଣାଗଲା ଯେ ପୁରୀ ଜିଲ୍ଲାସ୍କୁଲର ଜଣେ ଛାତ୍ର ଗୋପବନ୍ଧୁ ଦାସ ଏ କଵିତା ଲେଖିଅଛନ୍ତି । ତହୁଁ ହଠାତ୍ ପୁରୀ ଜିଲ୍ଲା ସ୍କୁଲ ପରିଦର୍ଶନରେ ଗଲେ ତତ୍କାଳୀନ ଓଡ଼ିଶା ସ୍କୁଲ ଇନ୍ସପେକ୍ଟର ରାଧାନାଥ ରାୟ ।

ଗୋପବନ୍ଧୁ ଉକ୍ତ ଵ୍ୟଙ୍ଗ୍ୟ କଵିତାଟି ଲେଖିଥିଵାରୁ ସେ ଦଣ୍ଡିତ ହେଲେ । ତାଙ୍କର ବୃତ୍ତି କାଟିଦିଆଗଲା ଏଵଂ ଶ୍ରେଣୀଗୃହର ବେଞ୍ଚ ଉପରେ ସେ ଛିଡ଼ା ହୋଇ ପାଠ ପଢି଼ଵେ ବୋଲି ଆଦେଶ ହେଲା ।

ଏ ଘଟଣା ଶୁଣିଲା କ୍ଷଣି ଶ୍ରୀରାମଚନ୍ଦ୍ର ଦାସ ହେଡମାଷ୍ଟର ଶ୍ରୀଗୋପାଳ ଦାସ ସରକାରଙ୍କ ନିକଟକୁ ଯାଇ ଵିଦ୍ୟାଳୟରୁ ଗୋପବନ୍ଧୁଙ୍କ ସାର୍ଟିଫିକେଟ ଆଣିଵାକୁ ଦାଵି କଲେ । ହେଡମାଷ୍ଟର ବାବୁ ଇନ୍ସପେକ୍ଟରଙ୍କୁ ଜଣେଇଲେ ସେଇଠୁ ଏହାର ଗୋଟିଏ ସମାଧାନ ହେଲା ଯେ ଗୋପବନ୍ଧୁ ବେଞ୍ଚରେ ଛିଡ଼ା ହେଵେନି କିନ୍ତୁ ତାଙ୍କୁ ମିଳୁଥିଵା ବୃତ୍ତି ଆଉ ମିଳିଵ ନାହିଁ ।

ଗୋପବନ୍ଧୁ ବାଲ୍ୟକାଳରୁ କିପରି ଵୈପ୍ଳଵିକ ମନୋଵୃତ୍ତିର ଅଧିକାରୀ ଥିଲେ ଏଇ ଘଟଣା ତାହାର ଏକ ଉଦାହରଣ ମାତ୍ର । ସେ ଯାହା ହେଉ ପରେ ଗୋପବନ୍ଧୁଙ୍କର ରାଧାନାଥଙ୍କ ସହିତ ସମ୍ପର୍କ ନିଵିଡ଼ ହୋଇଥିଲା ଏଵଂ ଏକ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚି "ଇନ୍ଦ୍ରଧନୁ ଵିଜୁଳି କଳି" ବି ଥମିଯାଇଥିଲା । ତେଵେ ଏ ଵିଵାଦ ଆଜି ବି ଵେଳେ ଵେଳେ ଦେଖାଯାଏ ଯେ କେଉଁ ସାହିତ୍ୟ ଶ୍ରେଷ୍ଠ ?

Monday, February 8, 2021

ଇଲିଆଡ଼ — ଯୁଦ୍ଧଯାତ୍ରା


ଟ୍ରୟ ରାଜ୍ୟର ରାଜକୁମାର ପାରିସ୍  ଙ୍କୁ ଦେଵୀ ଆଫ୍ରୋଡାଇଟ୍ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ତାଙ୍କୁ ଵିଶ୍ଵର ସବୁଠାରୁ ସୁନ୍ଦର ମାନଵୀର ପ୍ରିୟପାତ୍ର କରାଇଵାରେ ସାହାଯ୍ୟ କରିଵେ । ସେହି ଭୁଵନସୁନ୍ଦରୀର ଅନ୍ଵେଷଣରେ ଏକ ବଡ଼ ବୋଇତ ଧରି ପାରିସ୍ ଭୂମଧ୍ଯ ସାଗରୀୟ ଉପକୂଳଵର୍ତ୍ତୀ ଦେଶଗୁଡି଼କର ଯାତ୍ରା ଆରମ୍ଭ କରିଦେଲେ । ଏହିକ୍ରମରେ ସେ ସ୍ପାର୍ଟା ରାଜ୍ୟରେ ପହଞ୍ଚିଲାରୁ ତାଙ୍କୁ ସେ ଦେଶର ତତ୍କାଳୀନ ରାଜା ମେନେଲସ୍ ପାଛୋଟି ଆଣିଲେ ।

ତେବେ ଏହା ଥିଲା ତାଙ୍କର ମସ୍ତବଡ଼ ଭୂଲ୍ । ମେନେଲସ୍ ଙ୍କ ପତ୍ନୀ ହେଲେନ ଥିଲେ ସେ ସମୟରେ ଵିଶ୍ଵର ସବୁଠାରୁ ସୁନ୍ଦରୀ ମହିଳା । ତାଙ୍କୁ ଦେଖିଵା ମାତ୍ରେ ଟ୍ରୟ ରାଜକୁମାର ପାରିସ୍ ତାଙ୍କୁ ପାଇଵାକୁ ଵ୍ୟଗ୍ର ହେଵାକୁ ଲାଗିଲେ । ଦେଵୀ ଆଫ୍ରୋଡାଇଟ୍ ଙ୍କ ସାହାଯ୍ୟରେ ସେ ହେଲେନଙ୍କୁ ମହନୀ କରି ଟ୍ରୟ ନେଇ ଆସିଲେ ।

ପାରିସ୍ ପୂର୍ଵେ ଇଡା଼ ପର୍ଵତରେ ଜଣେ ମେଷପାଳକର ପୁତ୍ରଭାବେ ଜୀଵନଯାପନ କରୁଥିଵାବେଳେ ଏକ ସ୍ଵର୍ଣ୍ଣ ଆତ ପାଇଁ ଵିଵାଦ କରିଥିଵା ହେରା ,ଏଥିନୀ ଓ ଆଫ୍ରୋଡାଇଟ୍ ଙ୍କ ମଧ୍ୟରେ ଆଫ୍ରୋଡାଇଟ୍ ଙ୍କୁ ହିଁ ଉକ୍ତ ଆତ ପ୍ରଦାନ କରିଥିଲେ । ଏବେ ପ୍ରତିଶୋଧର ଓର ଉଣ୍ଡି ଉକ୍ତ ଦୁଇ ଦେଵୀ  ଏଥିନୀ ଓ ହେରା ଯାଇ ମେନେଲସ୍ ଙ୍କ ବଡ଼ ଭାଇ ଓ ମାଇସେନ୍ ରାଜ୍ୟର ରାଜା ଆଗାମେନେନଙ୍କୁ ପାରିସ୍ ଙ୍କର ସବୁ କୁକୃତ୍ୟ ଜଣାଇଦେଲେ ।

ହେଲେନ୍ ଙ୍କ ସ୍ଵୟମ୍ବର ସଭାରେ ଗ୍ରୀସ୍ ଓ ଆଖପାଖ ଅଞ୍ଚଳର ସହସ୍ରାଧିକ ରାଜା ଯୋଗ ଦେଇଥିଲେ । ସେମାନେ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ ଯେ ହେଲେନ ଯାହାକୁ ବି ନିଜର ପତି ସ୍ଵୀକାର କରିଵେ ସେମାନେ ତାହା ସାଦରେ ଗ୍ରହଣ କରିଵେ ଏଵଂ କେହି ବି ଯଦି ହେଲେନ୍ ଙ୍କୁ ତାଙ୍କ ଚୟନିତ ପତିଠାରୁ ଛଡେ଼ଇ ନେଵାକୁ ଚେଷ୍ଟା କରେ ସେମାନେ ତାହାର ପ୍ରତିରୋଧ କରିଵେ ।

ପାଇଲସ୍ ର ଵୃଦ୍ଧରାଜା ନେଷ୍ଟର , ଆଗାମେନନ୍ ଙ୍କୁ ହେଲେନଙ୍କର ସ୍ଵୟମ୍ବର ସମୟର  ଏଇ କଥା କହି ସମସ୍ତ ରାଜନ୍ୟଵର୍ଗଙ୍କୁ ଏକାଠି କରିଵାକୁ ଏଵଂ ଟ୍ରୟ ଉପରେ ଆକ୍ରମଣ କରିଵାକୁ ପରାମର୍ଶ ଦେଲେ ।

ଦେଵୀ ହେରା ଓ ଏଥିନୀ ମଧ୍ୟ ପାରିସ୍ ଙ୍କ ଉପରେ କ୍ଷୁଵ୍ଧ ଥିଵାରୁ  ଅନେକ ରାଜାଙ୍କୁ ତାଙ୍କ ଵିରୁଦ୍ଧରେ ମତେଇଵାକୁ ଲାଗିଲେ ।

ଵିଭିନ୍ନ ରାଜ୍ୟର ସୈନ୍ୟଵାହିନୀ ଆସି ଏକ ସମୁଦ୍ର କୂଳଵର୍ତ୍ତୀ ସ୍ଥାନ ଅଲିସ୍ ଠାରେ ରୁଣ୍ଢ ହେଵାକୁ ଲାଗିଲେ । ଏତେ ବଡ଼ ଵିଶାଳ ସେନାର ସମର୍ଥନ ପାଇ ମାଇସେନ୍ ରାଜ୍ୟର ରାଜା ଆଗାମେନେନଙ୍କର ଛାତି କୁଣ୍ଢେମୋଟ ହୋଇଗଲା ।

ଵୃଦ୍ଧ ନେଷ୍ଟରଙ୍କ ପରି ଵିଦ୍ଵାନଙ୍କଠାରୁ ଆରମ୍ଭ କରି ସମୁଦ୍ରର ଦେଵୀ ଟେଥିସଙ୍କ ପୁତ୍ର ଆଚିଲେସ୍ ଙ୍କ ଯାଏଁ ଶତ ଶତ ଗ୍ରୀକ୍ ଵୀର ଏହି ସେନାଵାହିନୀରେ ଯୋଗଦେଲେ ।

ତେବେ ଇଥାକା ରାଜ୍ୟର ଓଡସିୟସ୍ ସେମାନଙ୍କ ମଧ୍ୟରେ ନଥିଲେ । ଓଡସିୟସ୍ ଙ୍କର ନୂଆ ନୂଆ ଵିଵାହ ହୋଇଥାଏ ଏଵଂ ସେ ତାଙ୍କ ପତ୍ନୀ ପେନେଲୋପଙ୍କୁ ଜୀଵନଠୁ ଅଧିକ ଭଲ ପାଉଥିଲେ ତେଣୁ ସେ ଏ ଯୁଦ୍ଧରେ ଯୋଗ ଦେଵାକୁ ଅନିଚ୍ଛୁକ ଥିଲେ । ଯୁଦ୍ଧରେ ଯୋଗ ନଦେଵା ପାଇଁ ସେ ଏକ ଅଭିନଵ ଉପାୟ ପାଞ୍ଚିଲେ । ଓଡସିୟସ୍ ଜଣେ କୃଷକର ଵେଶ ଧାରଣ କରି ସମୁଦ୍ର କୂଳର ବାଲିରେ ଯୋଡି଼ଏ ବଳଦକୁ ଯୋଚି ସେ ହଳ କରିଵାକୁ ଲାଗିଲେ । ହଳୁଆ ଗୀତ ଗାଇ ଗାଇ ସେ ହଳ କରୁଥାଆନ୍ତି ଆଉ ହଳଗାରରେ ବୀଜ ପରିଵର୍ତ୍ତେ ଲୁଣ ସିଞ୍ଚୁ ଥାଆନ୍ତି । ତାଙ୍କ ସ୍ତ୍ରୀ ପେନେଲୋପ ତାଙ୍କ ପାଖରେ ଆପଣା ଶିଶୁପୁତ୍ରକୁ କୋଳରେ ଧରି ଛିଡ଼ାହୋଇଥାଆନ୍ତି । ଏସବୁ ଦେଖି ସେ ଦେଶର ଲୋକ ଭାଵିଲେ ଓଡସିୟସ୍ କାଳେ ପାଗଳ ହୋଇଯାଇଛନ୍ତି ।  ହେଲେନଙ୍କ ପତି ମେନେଲସ ଓ ମାଇସେନ୍ ରାଜ୍ୟର ରାଜା  ତଥା ମେନେଲସଙ୍କ ବଡ଼ ଭାଇ  ଆଗାମେନନ  ଇଥାକାରେ ଓଡସିୟସ୍ ଙ୍କୁ ଭେଟିଵାକୁ ଆସି ଏସବୁ ଦେଖିଲେ । ଆଗାମେନନ୍  ବୁଝିଗଲେ ଯେ ଓଡସିୟସ୍ ଯୁଦ୍ଧରେ ଯୋଗ ନଦେଵା ପାଇଁ କେଵଳ ଏ
ମିଛ ନାଟକ କରୁଛନ୍ତି । ଓଡସିୟସ୍ ଙ୍କର ଗୋଟିଏ ଶିଶୁପୁତ୍ର  ହୋଇଥିଲା ତାହାର ନାମ ଟେଲିମେକସ୍ । ରାଜା ଜଣକ ସେହି ଟେଲିମେକ୍ସକୁ ନେଇ ଓଡସିୟସ୍ ଙ୍କ ଲଙ୍ଗଳ ଆଗରେ ଥୋଇଦେଲେ । ଆପଣା ପୁତ୍ରକୁ ତ ଆଉ ଲଙ୍ଗଳରେ ଭୁଷି ମାରିପାରିବେ ନାହିଁ ତେଣୁ ବାଧ୍ୟ ହୋଇ ଓଡସିୟସ୍ ହଳକରିଵା ବନ୍ଦ କରି ଛିଡ଼ା ହେଇଗଲେ । ସେଇଠୁ ଓଡସିୟସ୍ ଙ୍କ ସବୁ ଫନ୍ଦି ଧରାପଡି଼ଗଲା । ଟ୍ରୟଯୁଦ୍ଧରେ ଯୋଗ ଦେଵାକୁ ଆସିଥିଵା ଅନେକ ଗ୍ରୀକ୍ ରାଜା ଓଡସିୟସ୍ ଙ୍କୁ ହେଲେନଙ୍କ ସ୍ଵୟମ୍ବରରେ ସେ କରିଥିଵା ପ୍ରତିଶ୍ରୁତି ବାରମ୍ବାର ମନେ ପକେଇ ଯୁଦ୍ଧକୁ ଯିଵାକୁ ବାଧ୍ୟ କଲେ । ଶେଷରେ ଵିଵଶ ହୋଇ ଓଡସିୟସ୍ ଆପଣା ସୈନ୍ୟ ସାମନ୍ତ ଧରି ଅଲିସ୍ ଠାରେ ଉପସ୍ଥିତ ହେଲେ ।

କ୍ରମଶଃ...

(ଵି:ଦ୍ର— ଇଲିଆଡ଼ ଓ ଓଡେସି ଏହି ଦୁଇଗୋଟି ମହାନ ଗ୍ରନ୍ଥ ପ୍ରାଚୀନ ଗ୍ରୀକ୍ ଭାଷାରେ ହୋମରଙ୍କ ଦ୍ଵାରା ରଚିତ ଅମୂଲ୍ୟ ଗ୍ରନ୍ଥ । ଏଥିରେ ଭାରତୀୟ ପୁରାଣ ଶାସ୍ତ୍ର ଵିଶେଷତଃ ମହାଭାରତ ଓ ରାମାୟଣର ଅନେକ ଘଟଣା ସହିତ ସାମ୍ୟ ଦୃଶ୍ୟ ହୋଇଥାଏ । ଇଲିଆଡ଼ର ହେଲେନ ହରଣ ରାମାୟଣର ସୀତା ହରଣ ଭଳି ହୋଇଥିଵା ବେଳେ ଯୁଦ୍ଧରେ ଯୋଗ ନଦେଵା ପାଇଁ ଫନ୍ଦି କରୁଥିଵା ଓଡସିୟସ୍ ଙ୍କ କଥା ରାମାୟଣର ସୁଗ୍ରୀବଙ୍କ ବାଳି ବଦ୍ଧ ପରେ ରାଜସୁଖ ଭୋଗ କରି ଶ୍ରୀରାମଚନ୍ଦ୍ରଙ୍କ ଶ୍ରୀସୀତାଙ୍କର ଅନୁସନ୍ଧାନର କାମକୁ ଭୁଲିଯିଵା ସହିତ ସାମ୍ୟ ରହିଛି । ରାମାୟଣରେ ମଧ୍ୟ ଓଡସିୟସ୍ ଙ୍କ ପରି ସୁଗ୍ରୀଵ ରାମ କାର୍ଯ୍ୟ କରିଵାରେ ଵିଳମ୍ବ କଲାରୁ ଲକ୍ଷ୍ମଣ ତାଙ୍କ ଉପରେ କ୍ରୋଧିତ ହୋଇ ଅନେକ କଡ଼ା କଥାମାନ କହି ତାଙ୍କୁ ଯୁଦ୍ଧ କରିଵାକୁ ବାଧ୍ୟ କରିଥିଲେ !)

Sunday, January 31, 2021

🗣️ତିନି ଅଳସୁଆ କଥା🗣️

ତିନିଜଣ ଅଳସୁଆ କର୍ମକୋଢି଼ଆ ଏକାଠି ରୁହନ୍ତି,ଖାଆନ୍ତି । ଦିନକର କଥା, ସେ ତିନିହେଁ ଖାଇ ବସିଥାନ୍ତି କିନ୍ତୁ ତୁ'ଣ ପାଣିଚିଆ ଲାଗିଵାରୁ ଲୁଣ ଲୋଡ଼ିଲେ । ତେଵେ ଲୁଣ ସରିଯାଇଥିଵାରୁ ଏବେ ଦୋକାନକୁ କିଏ ଯାଇ ଆଣିଵ ତାକୁ ନେଇ ସେମାନଙ୍କ ମଧ୍ୟରେ ମିମାଂଶା ତୁଟୁ ନଥାଏ ।

ତହୁଁ ଜଣେ ଅଳସୁଆ କହିଲା —
“ଯିଏ ଆଗେ କଥା ହେଵ ସିଏ ଲୁଣ ଆଣିଵାକୁ
ତଳକୁ ଯିଵ...”

ସମସ୍ତେ ସେଇମିତି "ଦାରୁ ମୂର୍ତ୍ତି ମୁରାରୀ" ପରିକା ଚୁପଚାପ୍ ବସି ରହିଲେ । କେହି କିଛି ଖାଇଵା ତ ଦୂରର କଥା ଉଁ  ଚୁଁ ବି କରୁନଥାନ୍ତି ।

ଏମିତିରେ ତିନି ଦିନ ଗଡି଼ଗଲା ଆଉ ତିନିଜଣ ଯାକ ଅଚେତ ହୋଇ ପଡ଼ିରହିଲେ ।

ପାଖ ପଡି଼ଶା ଲୋକେ ଭାବିଲେ ଏ ତିନିଟା ଖାଦ୍ୟରେ ଵିଷ ମିଶେଇ ଖାଇ ଦେଇଛନ୍ତି ତେଣୁ ସେମାନେ ତାଙ୍କୁ ମରିଯାଇଛନ୍ତି ଵିଚାର କରି
ସେମାନଙ୍କୁ ମଶାଣିକୁ ନେଇଯାଇ ଯୁଇରେ ଶୁଏଇ ଦେଲେ ।

ଯେମିତି ପ୍ରଥମ ଯୁଇକୁ ଜଳାଯାଇଛି ତହିଁରୁ ଗୋଟେ ଲୋକ ଡେଇଁପଡି଼ କହିଲା “ଆବେ ମୁଁ ବଞ୍ଚିଛି ବେ ମୋତେ କାହିଁକି ଜଳାଉଛ”

ସେତିକିଵେଳେ ଆର ଦୁଇଜଣ ଅଳସୁଆ ଯୁଇରୁ ଡେଇଁପଡି଼ ଯୋର୍ ରେ କହିଲେ

ଯା ଯା ରେ ପୁଅ
ଏବେ ତୁ ହିଁ ଲୁଣ ଆଣିବୁ 😂😇

Saturday, January 30, 2021

ସ୍ଵର୍ଗାଦପୀ ଗରିୟସୀ ଜନନୀ ମା ଧରିତ୍ରୀ

ସ୍ଵର୍ଗାଦପୀ ଗରିୟସୀ ଜନନୀ ମା ଧରିତ୍ରୀ
ଦୟାମୟୀ କରୁଣା ତୁ ମାଆ
ତୋର ତୁଳନା ନାହିଁ (୨)
ସ୍ଵର୍ଗାଦପୀ ଗରିୟସୀ ଜନନୀ ମା ଧରିତ୍ରୀ

ଜୀଵନ ସାରା ଦେଇ ମମତା ପ୍ରତିଦାନେ ଖାଲି ଦୁଃଖ ପାଇଲୁ
ଲୋତକାଧାରା ଲୁଚାଇ ପରା ହସି ହସି
ମା ଗୋ ସବୁ ସହିଲୁ

ମା ଗୋ ନମାମି...

ସ୍ଵର୍ଗାଦପୀ ଗରିୟସୀ ଜନନୀ ମା ଧରିତ୍ରୀ

ଦିଵସ ନିଶି ମଉନେ ବସି ସହିଲୁ ତୁ
ମା ଗୋ ଦୁଃଖ ଯାତନା
ନାହିଁ ତୋ ମନେ ହେଲେ ବି ତିଳେ ଅନୁଶୋଚନା ମା ଗୋ   ତୁହି ମା କ୍ଷମା
ମା ଗୋ ନମାମି...

ସ୍ଵର୍ଗାଦପୀ ଗରିୟସୀ ଜନନୀ ମା ଧରିତ୍ରୀ
ଦୟାମୟୀ କରୁଣା ତୁ ମାଆ
ତୋର ତୁଳନା ନାହିଁ (୨)
ସ୍ଵର୍ଗାଦପୀ ଗରିୟସୀ ଜନନୀ ମା ଧରିତ୍ରୀ

Wednesday, January 20, 2021

ଚରମସୁଖ

ଚରମସୁଖର ଵୃଥା ଅନ୍ଵେଷଣ କରିଵା
ତାଠୁଁ ବଡ଼ ଦୁଃଖ ଆଉ କିଵା ଜଗତରେ ଅଛି ।।

ଜୀଵନରେ ଯାହା ଯେତିକି ମିଳିଛି
ତହିଁରେ ସନ୍ତୁଷ୍ଟ ଯେ ସେ ହିଁ ସୁଖୀ ହୋଇଅଛି ।।

ଚରମ ସୁଖ ଅନ୍ଵେଷଣରେ ଦୁଃଖୀ ହେଵାଠାରୁ ବଡ଼ ଦୁଃଖ ବୋଧହୁଏ ଜଗତରେ ଆଉ କିଛି ନଥାଇପାରେ । ଜୀଵନରେ ଯାହା ମିଳିଛି ଯେତିକି ମିଳିଛି ତାକୁ ନେଇ ସର୍ଵଥା ସନ୍ତୋଷ ଲଭିଵା ଉଚିତ ଅଟଇ ।

Thursday, January 14, 2021

କଟକରେ ନେତାଜୀ

କଟକରେ ଏକ ବସ ଟର୍ମିନାଲର ନାମ ନେତାଜୀଙ୍କ ନାମରେ ନାମିତ ହେଵାକୁ ଯାଉଛି । ତେବେ କଟକ ନଗର ଆଜି ବି ତାଙ୍କୁ ଝୁରେ ଅଵଶ୍ୟ ସେ କେବେ କଟକ କି ଓଡ଼ିଶା ଓଡ଼ିଆ ପାଇଁ କିଛି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ କରିଥିଵା ଶୁଣାଯାଏ ନାହିଁ କିନ୍ତୁ କଟକଵାସୀ ତାଙ୍କର ବଡ଼ପଣ ଦେଖେଇଵାକୁ ଭୂଲି ନାହାନ୍ତି ।

୧)ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଏବେ ମ୍ୟୁଜିୟମରେ ପରିଣତ ହୋଇଛି ।

୨)କଟକର ଏକ ସେତୁ ର ନାମ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସେତୁ ରଖାଯାଇଛି । ଏହା କାଠଯୋଡି ନଦୀ ଉପରେ ନିର୍ମିତ ହୋଇଛି ।

୩)କଟକରେ ଏକ ସ୍ଥାନର ନାମ ନେତାଜୀ ନଗର ।

୪)କଟକରେ ନେତାଜୀ ସୁଭାଷ ମେମୋରିଆଲ ସିଟି କଲେଜର ସ୍ଥାପନା ହୋଇଅଛି ।

୫)ଦରପାରରେ ଏକ ବିଦ୍ୟାଳୟର ନାମ ନେତାଜୀ ରଖାଯାଇଛି ; ନେତାଜୀ ପବ୍ଲିକ ସ୍କୁଲ ।

୬) ନେତାଜୀ ନଗରରେ ଏକ ରୋଡ୍ ର ନାମ ନେତାଜୀ ନଗର ରୋଡ୍

୭)କଟକର RWD କଲୋନୀରେ ନେତାଜୀ ଗ୍ୟାଲେରୀ ଵିଦ୍ୟମାନ

୮)ଫୁଲନଖରା,ବାବୁଜଙ୍ଗ,ବାବୁରୀ ଇତ୍ୟାଦି କଟକର ଅନେକ ସ୍ଥାନରେ ନେତାଜୀ ୟୁଥ୍ କ୍ଲବ୍ ଗଢି ଉଠିଛି ଏଵଂ ବନ୍ଧୁପୁର ଭଳି କେତେକ ସ୍ଥାନରେ ନେତାଜୀ କ୍ଲବ୍ ବି ରହିଛି

୯)ଜେଲ୍ ରୋଡ଼ , ଓଡ଼ିଆ ବଜାର କଲୋନୀରେ ସୁଭାଷ ଚନ୍ଦ୍ର ବୋଷ ଆକାଡେ଼ ରହିଛି

୧୦)ରିଙ୍ଗ୍ ରୋଡ୍ ,କଟକରେ ଏକ ଛକର ନାମ ସୁଭାଷ ଚନ୍ଦ୍ର ବୋଷ ଛକ

୧୧)କଟକ ଓଡ଼ିଆ ବଜାରଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ  ଅଡିଟୋରିୟମ ରହିଛି ।

୧୨)କଟକର ନେତାଜୀ ନଗରରେ ଏକ ଖେଳ ପଡି଼ଆର ନାମ ନେତାଜୀଙ୍କ ନାମରେ ନେତାଜୀ ପ୍ଲେ ଗ୍ରାଉଣ୍ଡ ରଖାଯାଇଛି ।

୧୩)ଜେଲ୍ ରୋଡ଼ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମାର୍କେଟ ରହିଛି

କେଵଳ ଗୁଗଲ ମ୍ୟାପରେ ଏତକ ସ୍ଥାନ ରହିଛି ଏଵଂ ଏଇଭଳି ଆହୁରି ସ୍ଥାନ ଥାଇପାରେ ‌। ଏଇଠି ଉଲ୍ଲେଖନୀୟ ଯେ ଵୀରଭୂମି କଟକରେ ଜନ୍ମଗ୍ରହଣ କରିଥିଲେ ବୋଲି ସୁଭାଷ ଚନ୍ଦ୍ର ବୋଷ ଏତେ ନୀଡର ସାହାସୀ ହୋଇପାରିଥିଲେ ‌। କଟକ ମାଟିରେ କୈଶୋରକାଳ ଯାଏଁ ରହି ସେ ପାଇଥିଲେ ଭୟ ସହ ଲଢି଼ଵାର ଶକ୍ତି । କଟକ ବିନା ସୁଭାଷଙ୍କ କାହାଣୀ ଅସମ୍ପୂର୍ଣ୍ଣ ଥିଲା ଅଛି ରହିଵ

ମୁଁ କି କେବେ ଦୀନ ହୀନ (ଛନ୍ଦକଵି ରାଧାମୋହନ ଗଡ଼ନାୟକ)

ମୁଁ ଉଚ୍ଚ ଵିଦ୍ୟାଳୟରେ ପଢି଼ଲାଵେଳେ ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କ "ମାଟି" କଵିତାଟି ସାହିତ୍ୟ ବହିରେ ପଢା଼ଯାଉଥିଲା  । ଆମ ଅନଗୁଳର ସେହି କଵିଙ୍କର ଏକ ଲୋକପ୍ରିୟ କଵିତା ନିମ୍ନରେ ପ୍ରଦତ୍ତ ହେଲା ...

        
••••••••••ମୁଁ କି କେବେ ଦୀନ ହୀନ ?•••••••••••

              (୧)

ଯେ ଦେଶର ପ୍ରଭୁ ଜଗତର ନାଥ,
ନଦୀ ଯା'ର ମହାନଦୀ,

ଶୈଳ ଯା ମହା ଇନ୍ଦ୍ର ମେଘାସନ,
ପାଦ ଧୁଏ ମହୋଦଧି ।

ଇତିହାସ ଯା'ର ନଈ ନାଳ ବିଲ
ଵନ ପ୍ରାନ୍ତରରେ ଵିକୀର୍ଣ୍ଣ

ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ?

                    (୨)
ଯେ ଦେଶର ପୁଅ ଚନ୍ଦ୍ରଶେଖର
କାଠି ଖଣ୍ଡେ ଧରି ହାତେ

ସୌରଜଗତ ଅଜ୍ଞାତ କଥା
କହିଲା ଏଇ ଜଗତେ ।

ଜୟଦେଵ ଗୀତେ  ମତାଇ ଦେଲାରେ
ପଲ୍ଲୀ ପୁର ଵିପିନ
ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ?

                    (୩)

ଯେ ଦେଶର ଵୀର ଶିଳ୍ପୀ ଦିନେ ରେ
ଚକିତ କରିଲା ଧରା

ପାଷାଣର ବୁକେ ଦେଖାଇ ଦେଲାରେ
ଚକିତ ଚିତ୍ର କଳା

ପାଷାଣ ଖଣ୍ଡେ ଉଠାଇ ଯହିଁରେ
ଵିଜ୍ଞାନ ହେଲା ମଳିନ

ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ?

                      (୪)

ଯେ ଦେଶର ଵୀର କଥା କଥାକେ
ଦେଲାରେ, ନେଲାରେ ମଥା

ଅମ୍ବରଚୁମ୍ବୀ କଣ୍ଠେ ଗାଇଲା
ସଂଗୀତ ରକତତତା ।

ସେହି ରକତ ତ ମୋ ଦେହେ ବହୁଛି
ହେଉ ପଛେ ଯେଡେ଼ କ୍ଷୀଣ

ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ?

************
*********
****
ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କର
ଏହି କଵିତାଟି ପ୍ରଥମେ ଗଡ଼ଜାତଵାସିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହି କଵିତାଟି ସେହି କଳିଙ୍ଗ ଅଧିଵାସୀମାନେ ପାଠ କରନ୍ତୁ ଯେଉଁମାନେ ବାହାର ରାଜ୍ୟକୁ ଗଲେ ନିଜକୁ କଳିଙ୍ଗୀ କହିଵାକୁ ଲଜ୍ଜା କରୁଛନ୍ତି ‌ । କଵିତାର ଆରମ୍ଭ ଶ୍ରୀଜଗନ୍ନାଥଙ୍କ ସ୍ମରଣରୁ ହୋଇଅଛି କାରଣ ସେ ହିଁ ହେଉଛନ୍ତି କଳିଙ୍ଗ ଦେଶର ପ୍ରକୃତ ରାଜା । ପୁନଶ୍ଚ କଳିଙ୍ଗ ଦେଶର ସର୍ଵୋଚ୍ଚ ପର୍ଵତ ମେଘାସନର ମଧ୍ଯ ନାମୋଲ୍ଲେଖ କରାଯାଇଛି । କେଵଳ ପର୍ବତ ହିଁ ନୁହେଁ କଳିଙ୍ଗର କୋଣେ କୋଣେ ପ୍ରତିଟି ସ୍ଥାନ ଐତିହାସିକ ତଥ୍ଯପୂର୍ଣ୍ଣ ବୋଲି କଵି ସ୍ପଷ୍ଟ କରିଅଛନ୍ତି । ଚନ୍ଦ୍ରଶେଖର ପଠାଣି ସାମନ୍ତ କେଵଳ ଓଡ଼ିଶା ନୁହେଁ ସାରା ଭାରତ ଓ ଵିଶ୍ଵର ଜଣେ ଵିରଳ ଵ୍ୟକ୍ତିତ୍ଵ ଥିଲେ । କୁହାଯାଏ ସେ ଦୁଇଗୋଟି ବାଉଁଶ କାଠିଦ୍ଵାରା ଯେକୌଣସି ଦୂରସ୍ଥ ଵସ୍ତୁକୁ ମାପି ପାରୁଥିଲେ । ଜୟଦେବ ଙ୍କ ସମୟରେ ଓଡ଼ିଶାରେ ଵୈଷ୍ଣଵ ମତଵାଦର ପ୍ରଚାର ପ୍ରସାର କ୍ରମେ ଦୃତ ହୋଇଥିଲା ଏଵଂ ସ୍ଵୟଂ ଜୟଦେବ ତହିଁର ଦ୍ଵାୟିତ୍ଵ ଗ୍ରହଣ କରିଥିଲେ । ଜୟଦେବଙ୍କ ଗୀତଗୋଵିନ୍ଦ ତତ୍କାଳୀନ କଳିଙ୍ଗୋତ୍କଳରେ ଵୈଷ୍ଣଵ ମତଵାଦକୁ ଲୋକପ୍ରିୟ କରିଥିଲା । ଏ ଦେଶର ଵୀର ଶିଳ୍ପୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଗଢି଼ ସାରା ଵିଶ୍ଵକୁ ଚକିତ କରିଦେଇଥିଲା ତେବେ ଇଂରେଜମାନେ ଏହି ମନ୍ଦିରର ଦଶାଵତାର ମୂର୍ତ୍ତିକୁ ବହୁ ପ୍ରଚେଷ୍ଟା କରି ସେ ସମୟର ଆଧୁନିକ ଵୈଷୟିକ ଵିଦ୍ୟା ପ୍ରୟୋଗରେ ନେଵାକୁ ପ୍ରୟାସ କରିଥିଲେ ହେଁ ଵିଫଳ ହୋଇଥିଲେ । ଆମ ପୂର୍ଵଜ ସହସ୍ରାଧିକ ଵର୍ଷଧରି ଏ ଦେଶକୁ ବଞ୍ଚାଇ ଆସିଛନ୍ତି ଏଵଂ କ୍ଷୀଣ ହେଲେ ବି ତାଙ୍କ ରକ୍ତ ଆମ ଶୀରା ପ୍ରଶିରାରେ ପ୍ରଵାହିତ ହେଉଅଛି । ଆମେ ଓ ଆମ ଜାତି ଦୀନ ହୀନ ନୁହେଁ ତେଣୁ ହେ କଳିଙ୍ଗଵାସୀ ଵିଦେଶରେ ମଥାନତ କରି ବଞ୍ଚିଵା ଓ ନିଜ ଜାତିର ପରିଚୟ ଲୁଚେଇଵା ଭଳି ନିକୁଚ୍ଛିଆପଣ ତ୍ୟାଗକରନ୍ତୁ । ଗର୍ଵରେ କହିଵା ଆମେ କଳିଙ୍ଗୀ ଆମ ରାଷ୍ଟ୍ର କଳିଙ୍ଗୋଡ୍ରୋତ୍କଳ !!!

Wednesday, January 13, 2021

ପ୍ରଥମ ସ୍ମଗଲର୍(ହରିଶଙ୍କର ପରସାଇ)

୧୨୭୨-୭୩ରେ ସଙ୍ଘର ସ୍ଵୟଂସେଵକମାନେ
ଵ୍ୟଙ୍ଗସମ୍ରାଟ ସ୍ୱର୍ଗୀୟ ଶ୍ରୀहरिशंकर परसाईଙ୍କ ଉପରେ ଆକ୍ରମଣ କରିଦେଇଥିଲେ କାରଣ ସେ ଦେଵୀ ଦେଵତା ଓ ପୁରାଣକଥାକୁ ନେଇ ଵ୍ୟଙ୍ଗ୍ୟ ଲେଖୁଥିଲେ ।  ଆକ୍ରମଣ ପରଦିନ ସମ୍ବାଦପତ୍ରରେ ତାଙ୍କର ଏକ ଆଲେଖ୍ୟ ପ୍ରକାଶିତ ହୋଇଥିଲା ଯାହାର ନାମ ସେ ରଖିଥିଲେ
"मेरा लिखना सफल हुआ".....

ତାଙ୍କର ଏହିଭଳି ଏକ ଵ୍ଯଙ୍ଗ୍ୟ “प्रथम स्मगलर” ର ଓଡ଼ିଆ ଭାଵାନୁଵାଦ ନିମ୍ନରେ ପ୍ରକାଶିତ ହେଲା...


ଲକ୍ଷ୍ମଣ ମେଘନାଦର ତୀରରେ ଆଘାତପ୍ରାପ୍ତ ହୋଇ ପଡିଥାନ୍ତି । ହନୁମାନ ତାଙ୍କ ପାଇଁ ହିମାଚଳ ପ୍ରଦେଶରୁ ସଂଜୀବନୀ ନାମକ ଔଷଧ ନେଇ ଫେରୁ ଥାଆନ୍ତି। ଠିକ୍ ଅଯୋଧ୍ୟାର ସୀମାରେ ଦ୍ବାରରକ୍ଷକ ହାତରେ ହନୁମାନ ଧରା ପଡ଼ିଗଲେ । ତାଙ୍କୁ ଧରିଥିବା ଦ୍ଵାରପାଳକୁ ହନମାନ ପିଟିପିଟି ଦରମରା କରିଦେଲେ ।

ରାଜଧାନୀରେ ହାଲ୍ଲା ହୋଇ ଗଲା ଯେ ବଡ ବଳଶାଳୀ ସ୍ମଗଲର୍ ଆସିଛି । ଦେଶର ଫୋର୍ସ ଯାକ ଲାଗିଛନ୍ତି ହେଲେ ତା'ର ମୁକାବିଲା କରିପାରୁନାହାନ୍ତି ।
ଶେଷରେ ଭରତ ଏବଂ ଶତ୍ରୁଘ୍ନ ଆସିଲେ  ।
ହନୁମାନ ତାଙ୍କ ଆରାଧ୍ୟ ଙ୍କ ଭାଇମାନଙ୍କୁ ଦେଖି ଟିକିଏ ଦବିଗଲେ .....

ଅସନ୍ତୁଷ୍ଟ ମନରେ ଶତ୍ରୁଘ୍ନ କହିଲେ,
"ଏ ସ୍ମଗଲର ଗୁଡ଼ାକ ନାକେଦମ୍ କରି ରଖିଛନ୍ତିଛନ୍ତି,ଭାଇ ତମେ ତ ସନ୍ୟାସ ନେଇ ବସିଯାଇଛ । ମୋତେ ହିଁ ସବୁ ଭୋଗିବାକୁ ପଡୁଛି ।"

ଭରତ ହନୁମାନଙ୍କୁ ପଚାରିଲେ - କେଉଁଠୁ ଆସିଲ ?
ହନୁମାନ-ହିମାଚଳ ପ୍ରଦେଶରୁ
ଭାରତ-କଣ୍ ଅଛି ତୁମ ପାଖରେ ? ସୁନା ବିସ୍କୁଟ, ଗଞ୍ଜେଇ,ଅଫିମ ????
ହନୁମାନ- ଔଷଧ ଅଛି !!!!

ଶତ୍ରୁଘ୍ନ କହିଲେ :-
ଆଚ୍ଛା  ଡ୍ରକ୍ସ କାରବାର କରୁଛ !!
କାଢି କି ଦେଖା ତ ଆଇଟମ୍ ଟା ଟିକେ ଦେଖିବା....
ହନୁମାନ ସଞ୍ଜୀବନୀ ଔଷଧ  ରଖିଦେଇ
​କହିଲେ
"ମୋତେ ଆପଣଙ୍କ ଭାଇ ରାମଚନ୍ଦ୍ର ଏହା ଆଣିବାକୁ ପଠାଇଥିଲେ ।"

ଶତ୍ରୁଘ୍ନ ଆବାକାବା ହୋଇ ଭରତଙ୍କ ଆଡକୁ ଚାହିଁ କହିଲେ :-
" ଆହା !!! ବଡ଼ ଭାଇ ବି ସ୍ମଗଲିଂଗ୍ କରିବା ଆରମ୍ଭ କରିଦେଲେଣି । ଟଙ୍କା ପଇସା ର ଯଦି ଏତେ ଅଭାବ ଥିଲା ଆମକୁ କହିଥାନ୍ତେ, ବସ୍ତା ବସ୍ତା ସୁନାମୋହର ପଠେଇ ଦେଇଥାନ୍ତୁ ।
ସ୍ମଗଲିଂଗ୍ ର ଧନ୍ଦାରେ କାହିଁକି ଫସିଛନ୍ତି ଯେ ?"

ଭରତ ପୁଣି ହନୁମାନଙ୍କୁ ପଚାରିଲେ:-
"ଆଚ୍ଛା ହନୁବାବୁ !!! ଏ ଔଷଧ ତୁମେ କେଉଁଠାକୁ ନେଉଥିଲ ଆଉ କେଉଁଠି ଆକୁ ବିକିଥାନ୍ତ ?"
ହନୁମାନ କହିଲେ-ଲଙ୍କାକୁ ନେଇଯାଉଥିଲି.....

ହନୁମାନ କଥା ଶୁଣି ଶତୃଘ୍ନ ଆଶ୍ଚର୍ଯ୍ୟ ହୋଇ କହିଲେ -
"ଓହୋ ! ତେବେ ଭାରତର ସ୍ମଗଲିଂଗ୍ ମାଲ୍ ଆଜିକାଲି ଲଙ୍କାଗଡରେ ବିକ୍ରୀ ହେଉଅଛି ?
କିଏ କିଣୁଚି ତାକୁ
ରାବଣର ଲୋକେ​ ?"

ହନୁମାନ କହିଲେ- "ଏହି ଔଷଧ ତ ମୁଁ ରାମଙ୍କ ପାଇଁ ନେଇ ଯାଉଛି ! କଥା କଣ୍ କି ଭାଇ ଲକ୍ଷ୍ମଣ ଶରବିଦ୍ଧ ହୋଇ ମୂର୍ମୁଷୁପ୍ରାୟ କୋମାରେ ପଡ଼ି ରହିଛନ୍ତି । ସ୍ଥାନୀୟ ଡାକ୍ତର କହିଥିଲେ ହିମାଚଳ ପ୍ରଦେଶକୁ ଯାଇ ଏହି ଔଷଧ ନେଇ ଆସିବାକୁ । ଏହି ଔଷଧ ବିନା ଲକ୍ଷ୍ମଣ ଙ୍କୁ​ ବଞ୍ଚାଇବା କଷ୍ଟକର........"

ଏକଥା ଶୁଣି ଭରତ, ଶତ୍ରୁଘ୍ନ ଆଶ୍ଚର୍ଯ୍ୟ ଚକିତେ ପରସ୍ପରର ମୁହଁ ଚାହାଁଚାହିଁ ହେଲେ ।
ସେତେବେଳକୁ ରେଜିଷ୍ଟ୍ରାରରେ ସ୍ମଗଲିଂଗ୍ ର ମାମଲା ଦର୍ଜ୍ ହୋଇ ଯାଇଥିଲା ।

ଶତୃଘ୍ନ ଭରତଙ୍କୁ ବୋଇଲେ -
"ଭାଇ ଆପଣ ଜ୍ଞାନୀ ! ଏହି ମାମଲାରେ ନୀତି କଣ୍ କହୁଛି ? ଶାସନର କର୍ତ୍ତବ୍ୟ କଣ୍ ?"

ଭରତ ବୋଲନ୍ତି - ସ୍ମଗଲିଂଗ୍ ସର୍ବଥା ଅନୈତିକ କିନ୍ତୁ ଯଦି ସ୍ମଗଲ୍ କରା ଯାଇଥିବା ଦ୍ରବ୍ୟରୁ ନିଜ   ଭାଇବନ୍ଧୁଙ୍କର ଲାଭ ହେଉଥାଏ ତେବେ ତାହା ନୈତିକ ହୋଇଯାଏ । ଯାଅ ହନୁମାନ !!!!!!
ନେଇ ଯାଅ ଔଷଧ !!!!!"

ଭରତଙ୍କ ରାୟ ଶୁଣିଲା ପରେ ଶତୃଘ୍ନ
ମୁନସୀଙ୍କୁ କହିଲେ :- ରେଜିଷ୍ଟ୍ରାରର ସେଇ ପୃଷ୍ଠାଟିକୁ ଚିରିଦିଅ......