Saturday, September 11, 2021
ସାରା ଓଡ଼ିଶାର ପର୍ଵ ନୂଆଖାଇ
Friday, September 10, 2021
ଭଗଵାନ ଶ୍ରୀଗଣେଶ ଓ ତାଙ୍କର ଵିଭିନ୍ନ ନାମ
ଅଫିସର କଵି(ହରିଶଙ୍କର ପରସାଈ)
Tuesday, September 7, 2021
ଓଡ଼ିଶାର ନିଆରା ବାଡି଼ଡିଆଁ, ବାଡି଼ ଡେଗେନ୍ ,ଦହିବାଡି଼ ଵା ବାଡି଼ ଡେଙ୍ଗାନୀ ଖେଳ
Sunday, September 5, 2021
ମଧୁବାବୁ ସଙ୍ଗେ ଲଢି଼ବି (କାଳନ୍ଦୀ ଚରଣ ପାଣିଗ୍ରାହୀ)
Friday, September 3, 2021
ତିଗିରିଆ ଗଡ଼ (କୁମ୍ଭାରଚକ)
ବାଙ୍କୀରେ ପଢ଼ୁଥିବାବେଳେ ମହାନଦୀ ପାରହୋଇ ଛୁଟିମାନଙ୍କରେ ମୁଁ ବଡ଼ାମ୍ବା ଓ ତିଗିରିଆକୁ ଯାଏଁ । ତିଗିରିଆରେ ବାପାଙ୍କ ମାମୁଁଘର । ବାପାଙ୍କ ମାମୁଁପୁଅ ଭାଇ ରାମକୃଷ୍ଣ ପଟ୍ଟନାୟକେ ଥାଆନ୍ତି #ଦିଆନ । ଚମ୍ପକ ଦ୍ବାଦଶୀ ଯାତ୍ରାଟା ତିଗିରିଆର ପ୍ରଧାନ ଉତ୍ସଵ । ଏଇ ଦ୍ବାଦଶୀ ବେଳକୁ ସଙ୍ଗୀତ #ପିଲାଦଳ (ଆଖଡ଼ାପିଲା) ତିଗିରିଆ ଆସନ୍ତି। ଦଦାଙ୍କ ଦାଣ୍ଡ ଚଉପାଢ଼ୀରେ କେତେଦିନ ଧରି ନିତି ସଞ୍ଜରେ ନାଚ ହୁଏ । ତିଗିରିଆଗଡ଼ର #ଭାଇପୁଅ_ସାଆନ୍ତଙ୍କ ଭିତରୁ ଜଣେ (ତାଙ୍କୁ ନଣ୍ଡା ସାଆନ୍ତେ ବୋଲି ଡାକନ୍ତି) ବେହେଲା ବଜାଇ ଜାଣିଥିଲେ । ତିଗିରିଆରେ ତାଙ୍କର ବଡ଼ ଆଦର । ମୁଁ ଟିକିଏ ଟିକିଏ ଗୀତ ଗାଏଁ ବୋଲି ସେ ମୋତେ #ସୁଖ_ପାଉଥିଲେ । ତିଗିରିଆକୁ ଗଲାବେଳେ ତାଙ୍କ ଘରକୁ ଯିଵା ଓ ତାଙ୍କ ବେହେଲା ବଜା ସାଙ୍ଗରେ ଗୀତ ଗାଇଵାଟା ମୋର ଥିଲା ଗୋଟାଏ ବଡ଼ ଆକର୍ଷଣ । ଥରେ ଦଦାଙ୍କ ଚଉପାଢ଼ୀରେ ସଙ୍ଗୀତ ପିଲାଏ ଗାଉଥିଲେ...
“କେହୁ ଜାଣିବରେ ଯୁବତୀ ମନ ?
ମାର ଶରେ ପିଣ୍ଡ ହୁଏ ଖଣ୍ଡ ଖଣ୍ଡ
ନିତି ଦକଦକ ହୁଏ ମୋ ଛାତି । ”
ଗୀତଟି ମୋତେ ସୁଖ ଲାଗିଲା । ଶୁଣି ଶୁଣି ଏଇ ଦି ଧାଡ଼ି ଓ ତାର ସ୍ଵର ମନେ ରଖୁଛି । ମାତ୍ର ତାଙ୍କ ଗାଇବାରୁ ‘‘ନିତି ଦକଦକ ହୁଏ ମୋ ଛାତି’ - ଏଇ ପଦକ ମୋତେ ଶୁଣାଗଲା ‘‘ନିତି #ଜକଜକ ହୁଏ ମୋ ଛାତି ।’’ ଶୁଣିକରି ଗୀତ ମନେ ରଖିଛି- ଏଇ ଗର୍ଵରେ ଛାତି ଫୁଲି ଉଠୁଥାଏ । ଦେଖାଇ ହେଵାପାଇଁ ଚରତର ହୋଇ ନଣ୍ଡା ସାଆନ୍ତଙ୍କ ଘରକୁ ଧାଇଁଲି । ତାଙ୍କୁ ଗୀତଟି ଶୁଣାଇଵାରେ ସେ ଠୋ ଠୋ ହୋଇ ହସିଲେ । ସେ କହିଲେ ‘ଜକଜକ’ କଅଣ ? ସେଇଟା ‘ଦକଦକ’ । ଛାତି #ଦକଦକ ହୁଏ ସିନା, ଜକ ଜକ କେମିତି ହେଵ ?
ମୋ ଗର୍ଵ ଚୂନା ହୋଇଗଲା ଏକାଥରେ । ସାହିତ୍ୟଜ୍ଞାନ ଓ ଲେଖାଲେଖି-ସବୁ ଟାଣ ଦମ୍ଭ ଆଖି ପିଛୁଳାକେ ଉଭାଇଗଲା । ସତରେ ଦଇବ କାହାରି ଗରଵ ସହେ ନାହିଁ । ଗୀତ ଅର୍ଥ ଭିତରକୁ ଟିକିଏ ପଶିଥିଲେ ତ ହୋଇ ଥାଆନ୍ତା ! ସେଦିନ ଆଉ ମନରେ #ସରାଗ ନ ଥାଏ ।
ଶୁଖିଲା ମୁହଁରେ ଦଦାଙ୍କ ଘରକୁ ଆସିଲି । ସଞ୍ଜବେଳେ ପୁଣି ନାଚ ହେଲା । ନଣ୍ଡା ସାଆନ୍ତେ ଆସି ଥାଆନ୍ତି । ସଙ୍ଗୀତ ପିଲା ଗାଇଲା...
“ଶ୍ରୀମତୀ, ସରାଗ ତୋ ମୁଖେ ନାହିଁ
ପରାଗ ମୁଞ୍ଚିଲା ପଙ୍କଜ ପରାଏ
ଦିଶୁଅଛୁ ନାହିଁ ପାଇଁ । ”
ଆଗରୁ ତ ମନ ମଉଳି ଯାଇଥିଲା । ମନେହେଲା ଏ ଗୀତ ପଦକ, ଯେମିତି ମୋରି ପାଇଁ କିଏ ଗାଇଲା । କାରଣ, ସତରେ ସେଦିନ ‘ସରାଗ ମୋ ମୁଖେ ନାହିଁ।’
“ଚୋର ମାଆ ଲାଜେ ନ କାନ୍ଦେ, ଯେବେ କାନ୍ଦେ, ତେବେ ଦୁଆର ଦେଇ” - ସତ ଏ କଥା । ସେଇଭଳି ହେଲା ମୋ ଦଶା । ନଣ୍ଡା ସାଆନ୍ତଙ୍କ ମୁହଁକୁ ଆଉ #ତକାଇ ପାରିଲି ନାହିଁ । ସେଦିନ ରାତିଟା ବଡ଼ #ବିତାପର ହୋଇ କଟିଲା । ସେତେବେଳେ ତିଗିରିଆ ଗଡ଼ ଦାଣ୍ଡ ଗୋଟାଏ #ଗୋହିରୀ ଭଳି ହୋଇଥାଏ । ଖାଲ ଢ଼ିପ ରାସ୍ତା । ବଡ଼ ଅପରିଷ୍କାର ମଧ୍ୟ । ଗଡ଼ଟି ସେମିତି ବଡ଼ ନୁହେଁ । ଗଡ଼ ମୁଣ୍ଡରେ ଜେଲଖାନା । ଜେଲଖାନା ବୋଇଲେ ଝାଟିମାଟି ବାଡ଼ ଘେରା ବଡ଼ ବାଡ଼ିଟିଏ । ଗୋଟିଏ କଡ଼ରେ #କେଇ ବଖରା #ନାଆଚାଳିଆ ଘର । କାଠ ରେଲିଂ ଦିଅଆ ସଦର ଫାଟକ ବାଟେ ଭିତରୁ ସବୁ ଦିଶୁଥାଏ । ଶୁଣିଲି, ଜାତି ମାରା ହେଵ ବୋଲି କଇଦିଆଳମାନେ ତାଙ୍କ ହାତରେ ରାନ୍ଧିବାଢ଼ି ଖାଆନ୍ତି | ଘରୁ ତାଙ୍କର ଡାଲି, ଚାଉଳ ବି ଯାଏ । ଘରେ ପିଲାଙ୍କ ବାହା ଵ୍ରତ ପଡ଼ିଲେ କିଛିଦିନ ଜେଲରୁ ଛୁଟି ନେଇ #ଯାଆସ କରିପାରନ୍ତି । ଜେଲଖାନା ସେପଟେ ବୁଦୁବୁଦୁକିଆ #ନଟା। ଗଡ଼ୁଆଙ୍କର #ବାଡ଼ିତାଟି (ପାଇଖାନା) ସେଇଟା । ସଞ୍ଜ ଆଗରୁ ଦିନେ ଦିନେ ମୁଁ ଦଦାଙ୍କ ଘର ପଡ଼ିଶା ତାଙ୍କ କୁଟୁମ୍ବ ନାଥ ଦଦାଙ୍କ ସାଙ୍ଗରେ ସେଇ ନଟାକୁ ଯାଇ ବଡ଼ ପାଟିରେ ଗୀତ ଗାଏଁ, ତା ସାଙ୍ଗରେ କଣ୍ଟାଇ କୋଳି ତୋଳାଟା ଗୋଟାଏ ବଡ଼ ମଉଜ ।
ତିଗିରିଆ ରଜାଙ୍କ ପାଖ ଲୋକ ଜଣେ ଅଧେ କେହି ମୋ ଗୀତ ଶୁଣି ରଜାଙ୍କୁ ଜଣାଇଲେ । ସେ ଦଦାଙ୍କ ହାତରେ ମୋତେ ଡକାଇଲେ, ଦେଖିଵାକୁ । ବାହାର ଲୋକଙ୍କ ଆଗେ ମୋର ଫୁର୍ତ୍ତି, ଫାଜିଲାମି ଢ଼େର, ମାତ୍ର ନିଜର ବନ୍ଧୁ-ବାନ୍ଧଵ ମୁରବୀଙ୍କ ଆଗରେ ସଳଖି ଠିଆହେଵା ବେଳକୁ ଦେହରୁ ଅଧେ ରକ୍ତ ଶୁଖିଯାଏ । ଦଦାଙ୍କ ଡାକରା ଶୁଣି ନ ଯିଵାକୁ ତ ଚାରା ନ ଥିଲା । ଗଲି #ଚନ୍ଦନଯାତ_ଚୋର ଭଳି ଗୋଟାଏ କଣରେ ଠିଆ ହେଲି । ଦଦା କହିଲେ- ରଜା ତୋତେ ଡାକିଛନ୍ତି ।
ରାତିକି ପୁରାଣ ପଢ଼ାବେଳେ ଵୈଠକକୁ ଯିବୁ । ଯିବୁ ଯେ ବନମାଳି ଚମ୍ପତି ସିଂହେ, ତମ ବଡ଼ାମ୍ବା ରାଜା ଵିଶ୍ବମ୍ବର ମଙ୍ଗରାଜଙ୍କ ପରି ନୁହନ୍ତି । ନିହାତି ମରହଟିଆ, ବଡ଼ #ଖୁଣୁଖୁଣିଆ_ଲୋକ । #କୁଞ୍ଚ_ଘୋଷାରି_ଲୁଗା_ପିନ୍ଧିଲେ ନାକ ଟେକନ୍ତି ସେ । ଜଗିରଖି ବସ ଉଠ କରିବୁ । ମୋ ସାଙ୍ଗରେ ଯିବୁ । ମୁଣ୍ଡ ନୁଆଁଇ ଜୁହାର କରିବୁ ରଜାଙ୍କୁ । ତୁନି ହୋଇ ଶୁଣିଗଲି ସବୁ । ବଡ଼ମ୍ବା ରାଜାଙ୍କ ପାଖରେ ତ ମୁଁ ଘର ପରି ଚଳି ଆସିଛି । ମୁଁ ଜାଣେ ରାଜା କହିଲେ ସେହିଭଳି ମଣିଷ । ଏତେ କାଇଦା କଟକଣା ଥିଵାର ମୁଁ ଜାଣେ ନାହିଁ । ମନ ହେଉ ନ ଥାଏ ତିଗିରିଆ ରାଜାଙ୍କ ପାଖକୁ ଯିଵାପାଇଁ- ଏଇସବୁ ଗୁଣ ତାଙ୍କର ଶୁଣି । ଦଦାଙ୍କୁ ପଚାରିଲି ମୋତେ କାହିଁକି ଡାକିଛନ୍ତି ? ମୁଁ କାହିଁକି ଯିବି ? ଦାଦା କହିଲେ- କିଏ ପାଖଲୋକ ତାଙ୍କୁ କହିଛି, ତୁ ପରା କୁଆଡ଼େ ଭଲ ଗୀତ ଗାଇ ଜାଣିଛୁ । ରାଜା ତୋ ଗୀତ ଶୁଣିଵା ପାଇଁ ତୋତେ ଡାକିଛନ୍ତି ।
କାଇଁ ମୁଁ ତ କୋଉଦିନ ତୁ ଗୀତ ଗାଇଵାର ଶୁଣିନାଇଁ । ଚାଲ, ଯାହା ମନ ହେଵ ଗୋଟାଏ ଗୀତ ଗାଇଦେବୁ । ସେ ତ ଟିକିଏ #ଭକ୍ତିଆଂଶିଆ_ଲୋକ । ନିତି ତାଙ୍କର ହବିଷ । ଅଗାଧୁଆରେ ଉଷୁନା କୂଅ ଦଉଡ଼ି, ଗାଧୁଆରେ #ଉଆ କୂଅ ଦଉଡି଼ । ଗାଧୋଇସାରି ଜଗନ୍ନାଥଙ୍କ ଦେଉଳରେ ଗରୁଡ଼ ପଛରେ ହାତଯୋଡ଼ି ଦୁଇ ଘଣ୍ଟା ଚାରିଘଣ୍ଟା ଠିଆ ହୁଅନ୍ତି । ଛାନ୍ଦ, ଜଣାଣରେ ଲାଗି ସରାଗ ତାଙ୍କର । ତୁ ଏଇ ସବୁ ଜାଣିଥିଲେ ଗୋଟାଏ ଗାଇଦେବୁ । ବୁଢ଼ା ଖୁସି ହେଇଯିଵେ।
ସଞ୍ଜବେଳେ ଗଲି, କୁଞ୍ଚକୁ ଖୋସି, କାନ୍ଧରେ ଚାଦର ପକାଇ, ମୁଣ୍ଡକୁ ଆଣ୍ଠୁଯାଏ ନୁଆଁଇ ଜୁହାରଟାଏ କଲି । ଛାମୁଙ୍କ କଜଳମଖା ଆଖି ଦିଇଟା ମୋ ଉପରେ ଘଡ଼ିଏ ନିଶ୍ଚଳ ହୋଇ ରହି, ଦଦାଙ୍କ ଆଡ଼େ ଫେରିଲା । ହସ ହସ ମୁହଁରେ #ଆଜ୍ଞା_ହେଲେ- #ପନ୍ନାହାକେ, ଏଇ ତମ ପୁତୁରା ? ବଡ଼ାତ୍ମା ନିମାଇଁ #ପନ୍ନହାକଙ୍କ ନାତି ପରା ? ଦଦା - ‘ମଣିମା ।’
ରାଜା- ‘ହଁ ଚାଟ ଘର ପୁଅ ଚାଟ । ଦେଖ ତାଙ୍କ ଭଦ୍ରପଣିଆଁ । ଲୁଗାପିନ୍ଧା ଦେଖ, ଜୁହାରିଵା ଦେଖ । ରାଜଦ୍ବାରରେ ଚଳି ଆସିଛନ୍ତି ତ ପୁରୁଷାନୁକ୍ରମେ । ପିଲା ହେଲେ କଅଣ ହେଵ ?’
ସେଇଠୁ ମତେ କହିଲେ ହଉ, ବସ ବସ ଟିକି ପନ୍ନାହାକେ । ମୁଁ ନ ବସି ଠିଆ ହୋଇ ରହିଲାରୁ ଜଣେ ଅଧେ କିଏ #ଛାମୁଆଁ କହିଲେ- ‘ବସ ବାପା ! ଛାମୁରୁ ତ #ଶ୍ରୀମୁଖ_ଆଜ୍ଞା_ହେଲାଣି, ଆଉ କଅଣ ? ବସ ।'
ଦଦା କହିଲେ ବସିଵାକୁ । ଏଥର #ଚକାମାଲି ପକାଇ ବସିଲି । ପାଦ ନ ଦିଶିଵାକୁ ସାବଧାନ ଥିଲି ମଧ୍ୟ । ରାଜା ଚମ୍ପତ୍ତି ସିଂହଙ୍କୁ ମୁଁ ଖାଲି କଣେଇ କଣେଇ ଚାହୁଁଥାଏ- ସେ ହଳଦୀ ଲଗାଇଛନ୍ତି, କଜଳ ଘେନିଛନ୍ତି, ବାହୁରେ ବାହୁଟି, ସୁନାଖଡ଼ୁ ପିନ୍ଧିଛନ୍ତି । କଳାମନ୍ଦାର ଧଡ଼ିଆ ନୂଆ #ପାଟଣିଆ କି #ମାଣିଆବନ୍ଧୀ ଧୋତି । ଗଳାରେ ସୁନାହାର ଗୋଟି କେତେ ଝୁଲୁଛି ! ପୁରାଣପାଠ ପାଇଁ ଵ୍ୟାସାସନରେ ପୋଥି, #ପିଲିସଜ, ପାଣିଝରି ଓ ଅଁଳାଇ ଫୁଲ ସଜଡ଼ା ହୋଇ ରହିଛି । #ଦରହସି ରଜା ଆଜ୍ଞା ହେଲେ- ‘ଆଗ ଟିକି ପନ୍ନାହକ ଙ୍କଠଉଁ ଜଣାଣଟିଏ ଶୁଣିଵା । ଆମେ ଶୁଣିଛୁ ସେ କୁଆଡ଼େ ଭଲ ଗାଇ ଜାଣୁଛନ୍ତି ।’ ମୁଁ କୁନ୍ଥୁ କୁନ୍ଥୁ ହୋଇ କହିଲି ‘ମଣିମା, ମୋତେ କି ଗୀତ ଆସେ ? ଛାମୁଙ୍କୁ ପୁଣି ମୁଁ ଗୀତ ଶୁଣାଇବି ?’ ରାଜା କହିଲେ - ଜଣାଣଟିଏ ତ ଶୁଣିଵା; ବାଳୁତ କଣ୍ଠ ମଧୁର ହୋଇଥଵ । ଭଲମନ୍ଦ ଵିଚାର ସେଠେଇ କଅଣ ? ଭଜନ, ଜଣାଣ ସବୁ ତ ସେଇ ଜଗନ୍ନାଥଙ୍କ କଥା । ତୁଳସୀ ପତ୍ରରେ ସାନ ବଡ଼ ଵିଚାର କି ଥାଏ ? ଯାହା ଗାଇଵ ସେ ଅମୃତ । ସବୁ ତ ମୁଣ୍ଡ ଉପରର ଦରଵ ।” ଏହା କହି ମଥା ଉପରକୁ ହାତ ତୋଳିଲେ । ଛାମୁଆଁ ଦି ଚାରିଟା ସତେ ଯେମିତି #ଟାକି ବସିଥିଲେ । ଆଖି ପିଛୁଳାକର #ଉଛୁର ସହିଲା ନାହିଁ । ସଙ୍ଗେ ସଙ୍ଗେ ଆପଣା ହାତ ଉପରକୁ ଟେକି କହିଲେ - ‘ଆହା ହା । ନାହିଁ ନ ଥିଲା ଭଗତ । ଗାଆ, ଗାଆ, ବୋଲ ବାବୁ । କାନରେ କୃଷ୍ଣନାମ ଅମୃତ ବରଷୁ ।’ ଏଥିପୂର୍ଵେ
ଏଭଳି ଅପୂର୍ଵ ଅଭିନୟ କେବେ ଦେଖି ନ ଥୁଲି । କଅଣ ଏବେ ପାଇବି ? ମାଆ ଚର୍ଚ୍ଚିକାକୁ ମନେ ମନେ ସୁମରି ହେଲି । ଯୋଗକୁ ସେତେବେଳକୁ ବଡ଼ମ୍ବା ଉଆସ କଥା ହେତୁ ହୋଇଗଲା ।
ଵାସୁଦେଵ ମହାପାତ୍ରେ ଗ୍ରାମଫୋନ୍ ରେକଡ଼ରେ ଗାଇଥାନ୍ତି -
“ରାଧାକାନ୍ତ ରାଧାମୋହନ ଗୋଵିନ୍ଦ !
ଲବେ ଦୟା ନାହିଁକି ?”
ଗାଇଲି ସେ ଗୀତଟି । ପହିଲି ଧାଡ଼ି ଵା ଘୋଷା ପଦକ ବୋଲିଵା ପରେ ରାଜା ଚମ୍ପତି ସିଂହେ ଆଉ ଆଖି ମେଲାଇ ନାହାନ୍ତି । ଥରକୁ ଥର ମୁଣ୍ଡରେ #ଯୋଡ଼ହାତ ଲଗାଇ ଆହା ହା କହିଵାରେ ଲାଗିଲେ । ଏଣେ ଆଖି ପାଣିରେ କଜଳ ଧୋଇ ହୋଇଗଲା । ଗାଲରେ #ଗିରା ପଡ଼ିଗଲା ପରି ଦିଶିଲା । ଗୀତ ସରିଲା, ହେଲେ ତାଙ୍କର ଆଖି ଫିଟି ନ ଥାଏ । ଜଣେ ଶ୍ରୀଅଙ୍ଗ-ଲଗା ପାଖ ଲୋକ ତରବର ହୋଇ #ପୋଛା ଖଣ୍ଡିଏ ଧରି ତାଙ୍କ କଡ଼ପଟେ ଠିଆ ହୋଇଗଲା । ଛାମୁଙ୍କ ଆଖି ଫିଟିଲା ବେଳକୁ ନାଲି ଦିଶୁଥାଏ । ପାଖଲୋକ ଯାଇ ପୋଛିଦେଲା ପୋଛାରେ ।
ଛାମୁରୁ କହି ଆଜ୍ଞା କଲେ କି - ଆଜି ଆମର କି ଯୋଗରେ ରାତି ପାହିଁଥିଲା ! କାନରେ ଅମୃତ ଵର୍ଷା ହେଲା । ଯୋଉ ଗୀତରେ କୃଷ୍ଣରସ ନାଇଁ, ସେ କଅଣ ଗୀତ ? ସେ ଗୁଡ଼ାକ ପୀତ । ବାବୁତ କଣ୍ଠରେ କୃଷ୍ଣରସ - ରସାଵଳୀପରି ଲାଗିଲା, ଦିଆନବାବୁ ! ଏ ଟିକି ପନ୍ନାହକେ କେତେଦିନ ହେଲା ଆଇଲେଣି ତମ ଘରକୁ ? ଆମକୁ ଟିକିଏ ଖବର ଦେଇନାହଁ ଏଯାଏଁ ? କେବେ ଯିବେ ?”
ଦଦା କହିଲେ – “ସେ ତ ଚର୍ଚ୍ଚିକା ସ୍କୁଲରେ ପଢୁଛି । ଛୁଟିରେ ଆସିଛି, ତାଙ୍କ ସ୍କୁଲ ଫିଟିଵ, ସେ କାଲି ଯିଵ । ”
ରାଜା ଟିକିଏ ଦୁଃଖ କଲେ, କହିଲେ - ‘ତେବେ ଆମ ଜଗନ୍ନାଥଙ୍କ ଧୂପ ଉଠିଲେ ଉପରଓଳିଆ ହୋଇ ଯିଵେ । ହାତୀ ଯିଵ ଛାଡ଼ିଦେଇ ଆସିଵ । ବାଟ କେତେ କି ? ତିନି ଚାରିକୋଶ ହେଵ । ମଝିରେ ମହାନଦୀଟା ସିନା । ସକାଳେ ଆମ ଦେଵାର୍ଚ୍ଚନ ବେଳକୁ ଦେଉଳକୁ ଆସିଵେ, ଜଗନ୍ନାଥଙ୍କ ଶ୍ରୀଛାମୁରେ ଭଜନଟିଏ ଶୁଣାଇ ଦେଇଯିଵେ ।' ଛାମୁଆଁମାନେ ହଁ ମାରିଲେ, ପୁଣି ପୂର୍ଵପରି ଅଣ୍ଟା ନୁଆଁଇ ଜୁହାର କରି ଵିଦାୟ ନେଲି । ଦଦା ଭାରି ଖୁସି, ଘରକୁ ଆସି ଖୁଡ଼ୀମାନଙ୍କ ଆଗରେ ପ୍ରଶଂସା ଶଗଡ଼ ଅଜାଡ଼ି ପକାଇଲେ । ଗଡ଼ ବୋଇଲେ ତ ଚାଖଣ୍ଡେ । ସେଥିରେ ପୁଣି ରାଜାଘର ଖବର ! ସକାଳୁ ଘରେ ଘରେ ରାଷ୍ଟ୍ର ହୋଇଗଲା । ଦଦାଙ୍କ ଘରେ ସେମାନେ ଚାରି ପାଞ୍ଚ ଭାଇ କୁଟୁମ୍ବ । ବଡ଼ ଦଦାଙ୍କ #ତଳିଭାଇ ଜୟକୃଷ୍ଣ ପଟ୍ଟନାୟକେ । ତାଙ୍କ ଝିଅ ଆସନ (ଅସଲ ନାଆଁ ଆଶାମାଳୀ) ସବୁଠାରୁ ମୋତେ ବେଶୀ ସୁଖ ପାଏ । ମୁଁ ବି ତାକୁ ଭାରି ଆଦର କରେ । ଵୟସରେ ମୋଠୁଁ ତିନିବର୍ଷ ସାନ ସେ । ଆମ ଭାଇଭଉଣୀଙ୍କର ମନ ଭାରି ମିଳେ । ସେ ରଜାଘର ଖବର ଶୁଣି ଆଗ ଦଉଡି଼ ଆସି ନନା, ରଜା କଅଣ କହିଲେ ତୁମକୁ ? ତମେ କି ଗୀତ ଗାଇଲ, ଗାଆ ମୁଁ ଶୁଣିବି ଇତ୍ୟାଦି ନାନା ଅଳି ଧରି ବସିଲା । ଲାଜ ଲାଗୁଥାଏ । ସେଠି ସିନା ଗାଇ ଦେଲି, ଏବେ ଘରେ ସମସ୍ତେ ଅଛନ୍ତି - ଭଲା ଏଠି ଗାଇବି କେମିତି ?
ଯୋଗକୁ ଦଦା ଡାକି କହିଲେ, “ବେଗେ ଗାଧୋଇ ପଡ଼, ଦେଉଳକୁ ଯିବୁ। ଛାମୁ ଯେ ଵିଜେ ହୋଇ ପଡ଼ିଵେ, ତୁ ତାଙ୍କ ଆଗରୁ ଦେଉଳରେ ପହଞ୍ଚିବୁ ।’’
ଓ ! ରକ୍ଷା ମିଳିଗଲା ।
ଗାଧୋଇ ପଡ଼ି ଦେଉଳକୁ ବାହାରିଲି ଦଦାଙ୍କ ସଙ୍ଗେ । ସେ ନଅରକୁ ଯିଵେ, ମୁଁ ଦେଉଳକୁ ଯିବି । ନଅର ପାଖଟାରେ ଦେଉଳ । ଆମେ ସିଂହଦ୍ଵାରେ ପହଞ୍ଚିଲା ବେଳକୁ ନଅର ଭିତରୁ କାହାଳି ଶୁଭିଲା । ରାଜା ଦେଉଳକୁ ଵିଜେ ହେଉଛନ୍ତି । ନଅର #ବୋଲନ୍ତେ- ମାଟିଘର । ଭିତରେ କେଜାଣି ଅଵା କୋଠାଘର ଥିଲେ ଥିଵ, ବାହାରଟା #ମଉଡ଼ମରା ଚାଳ । #ଘୋଷରା_ପାହାଚ, ପାହାଚକୁ ଟିକିଏ ଦୂରଛଡ଼ା ହୋଇ କେତେକ ଲୋକ ଧାଡ଼ି ହୋଇ ଠିଆ ହୋଇଥିଲେ । ସମସ୍ତେ ସାଵଧାନ ହୋଇଗଲେ । ଏମାନେ କିଏ ବୋଲି ପଚାରି ବୁଝିଲି । ଶୁଣିଲି, ଏମାନେ ଗୁହାରିଆ, କାହାର କଅଣ #ଓଜର ଆପତ୍ତି ରାଜାଙ୍କ ଛାମୁରେ ଜଣା କରିଵାକୁ ଆସିଛନ୍ତି । ଦେଉଳକୁ ଯାଉ ଯାଉ ଏଇଟା ହେଲା କଚେରୀ ଵା ଵିଚାରାଳୟ । ଗୁହାରି ତୁଣ୍ଡେ ତୁଣ୍ଡେ- କୋଟଫିସ ଲାଗୁନାହିଁ, କଚେରୀକୁ ଦଉଡ଼ ପଡୁନାହିଁ, ଫଏସଲା ବି ତୁରନ୍ତ । ଜରିମାନା ଚାରିଅଣାଠାରୁ #ପାଞ୍ଚସିଉକା ପର୍ଯ୍ୟନ୍ତ । ଜଣେ କେହି ରାଜକର୍ମଚାରୀ ଟିପିନେଲେ । ଏହି ଅର୍ଥ ରାଜକୋଷକୁ ଯିଵନାହିଁ, ସବୁ ଜଗନ୍ନାଥଙ୍କ ଅମୃତ ମଣୋହିଁ ସେଵାରେ ଲାଗୁହେଵ । ପ୍ରଜା ସନ୍ତୋଷ-ରଜା ସନ୍ତୋଷ। ଭାବୁଛି, କାହିଁ ସେ ରଜା - କାହିଁ ସେ ପ୍ରଜା ! କାହିଁ ସେ ଵିଚାର ! କାହିଁ ସେ ଫଏସଲା ।
ଛାମୁଙ୍କୁ ଜୁହାର କରି ପଛେ ପଛେ ଦେଉଳକୁ ଛାମୁ ଗହଣରେ ଗଲି । ଦେଉଳବେଢ଼ା କୂଅର ଉଆ ଦଉଡିରେ ପାଣି କଢ଼ା ହୋଇ ଛାମୁଙ୍କ ପାଦ ଧୋ- ପୋଛ ହେଲା । ମୁଁ ମଧ୍ୟ ହାତଗୋଡ଼ ଧୋଇଲି । ରାଜାଙ୍କ ଦେଖାଦେଖି ଗରୁଡ଼ସ୍ତମ୍ଭ ପଛରେ ହାତଯୋଡ଼ି ଆଖି ମୁଦିଲି । ରାଜା ସ୍ତୋତ୍ର ପାଠକଲେ- ‘‘ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁଂ’’ ଇତ୍ୟାଦି । ବାକି ଶ୍ଲୋକ ମୋର ମନେ ରହିଲା ନାହିଁ । ମୁଁ ହାତଯୋଡ଼ି ଠିଆ ହୋଇଥାଏ । ବଡ଼ #ବିଜାର ଲାଗୁଥାଏ ମୋତେ, ହେଲେ ନିରୁପାୟ । କେତେବେଳେକେ ମୋ ପାଳି ପଡ଼ିଲା - ଆଦେଶ ପାଇ ଗାଇଲି
“କୃପାସିନ୍ଧୁ ଵଦନ
କରି ଅଵଲୋକନ
କେଉଁ କରମହୀନ ଜନ”
...
ମୋ ଗୁରୁଦେଵଙ୍କ ଠାରୁ ଶିକ୍ଷା ପାଇଥିଵା ଜଣାଣରୁ ଯେତିକି ମନେଥିଲା ମୋର, ତାକୁ ଗାଇ ମନେ ମନେ ପୂଜ୍ୟ ରଘୁବାବୁଙ୍କୁ କୃତଜ୍ଞତାର ପ୍ରଣାମ ଜଣାଇଲି । ଗତ ରାତ୍ରିର ରାଜ ଅଭିନୟର ପୁନରାଵୃତ୍ତି ହେଲା । ମୁଁ ଜଗନ୍ନାଥଙ୍କୁ ମୁଣ୍ଡିଆମାରି ଘରକୁ ଫେରିଵାର ମୁଣ୍ଡହଲା ନିର୍ଦ୍ଦେଶ ପାଇ ନିସ୍ତାର ପାଇଲି । ମନଟା କିନ୍ତୁ ଭାବିହେଲା ରଜାଙ୍କ ଆଖୁଝରା ଲୁହ କଥା । ମୁଁ ମନେ ମନେ ତାଙ୍କୁ ଯାହା ନାପସନ୍ଦ କରୁଥିଲି, ସେଇ କଥାଟା କେମିତି ବାଧିଲା ମୋତେ ଵିଵେକ ଆଘାତ ପାଇ । କେଡ଼େ ସରଳ ସେ ! କି ନିଷ୍ଠା ତାଙ୍କର ! ରାଜ ଅଭିମାନ ସେଠି କାହିଁ ? ଦଦାଙ୍କ ଘରକୁ ଆସି ଦେଖିଲି ଗୋଟିଏ ରୂପା ଥାଳିରେ ରଙ୍ଗପାଟ ଯୋଡ଼ଟିଏ ଆଉ ନଗଦ ଦଶଟଙ୍କା ଥୁଆ ହୋଇଛି ।
ସବା ଆଗେ ଆସନ ଦଉଡି଼ ଆସି ମୋତେ ଖବର ଦେଲା - ରଜାଘରୁ ତମପାଇଁ #ଵିଦାକି ଆସିଛି ନନା । ମୋଠୁ ତାର ଖୁସି ବେଶି । ଦଦା ଓ ଖୁଡ଼ିମାନେ ଭାରି ଆନନ୍ଦ ହେଲେ । ଦିନ ବାରଟା ଗୋଟାକ ବେଳକୁ ଦିଅଁଙ୍କ ଭୋଗ ଖିରୀ-ଖେଚେଡ଼ୀ ଦଶ ପନ୍ଦର ଜଣ ଖାଇଲା ଭଳି ଆସି ପହଞ୍ଚିଲା I କ୍ରମେ ଦିନ ପ୍ରାୟ ଢଳି ଆସିଲା । ଅମାରି କଶି #ହାତୀଆଲ ହାତୀରେ ଆସି ଦଦାଙ୍କ ଦୁଆରେ ହାଜର । ଯିବାବେଳ ହେଲା ।
ଆସନର ଛଳ ଛଳ ଆଖି ଦିଓଟି ସଙ୍ଗରେ ଅଧାଭଙ୍ଗା ଗଳାରୁ- ‘ନନା ! ଆଉ କେବେ ଆସିଵ ?”
ପ୍ରଶ୍ନର ଉତ୍ତରରେ ଆଖିପତା ତିନ୍ତାଇ କୋହ ଚିପି କୌଣସି ମତେ କହିଲି, ‘ଦଶହରା ଛୁଟିରେ ।’ ‘ନନା ! ମୋ ରାଣଟି - ନିଶ୍ଚେ ଆସିଵ', ଅମାନିଆଁ ଲୁହଧାର ଆଖି ପୂରାଇ ତଳକୁ ଝରି ପଡୁପଡ଼ୁ ହାତୀରେ ବସି ଗାଆଁକୁ ଲେଉଟିଲି ମୁଁ ।
ଜୀବନରେ ଛୋଟ ବଡ଼ କେତେ ଘଟଣା ଘଟେ, ହେଲେ ସଭିଏଁ ଛାତିରେ ଅଲିଭା-ଗିରା ମାରିଦେଇ ପାରନ୍ତି ନାହିଁ । ଏ ଘଟଣାଟି କିନ୍ତୁ ଅଭୁଲା ହୋଇ ରହିଯାଇଛି ଆଜି ଯାକେ-କେମିତି ଆଉ କାହିଁକି କେଜାଣି ? ଆସୁ-ଆସୁ ବାଟରେ କେତେ ଆମ୍ବତୋଟା, ଗାଆଁଗଣ୍ଡା, କ୍ଷେତ କିଆରୀ, କୋଉଠି #କଜଳପାତି, କୋଉଠି #ଚଷାପୁଅ, #ହଳଦିଵସନ୍ତ, ଗାଆଁ ପିଲାଙ୍କ ଧୂଳିଖେଳ, ନାଳ କୂଳରେ ଗାଆଁ ଝିଅଵୋହୂଙ୍କ #ସଞ୍ଜଗାଧୁଆ, ପାଣିବୁହା- କେତେ କେତେ କଥା ଦେଖି ଯାଉଥାଏ । ସବୁ ଭିତରେ ଗୋଟିଏ ଭଙ୍ଗାଗଳା କେତେ ଆପଣାର କରି କହୁଥିଵାର ଶୁଣା ଯାଉଥାଏ ମୋତେ- ନାନା, ମୋ ରାଣଟି ନିଶ୍ଚେ ଆସିଵ ।
କଥାରେ କହନ୍ତି- “ଏକା ମହାନଦୀ ସହସ୍ର କୋଶ” I ତାକୁ ପାରି ହେଲି ହାତୀରେ ବସି । ଗାଆଁ ମୁଣ୍ଡ ଧରିଲା ବେଳକୁ #ଫୁଲ_ସଞ୍ଜ । ମାଆଙ୍କ ଦେଉଳର ସଞ୍ଜ ଆଳତୀ ବେଳର ଯୋଡ଼ି ମହୁରୀ ଶୁଭୁଥାଏ । ତିନିକୋଶ ବାଟ ଆସିଲି, ହେଲେ ମୋ ଆଖି କାନ ପାଖରେ ଭଉଣୀଟିର ଲୁହଭରା ସେ କଳା ଭଅଁର ପରି ସରଳ ସୁଢ଼ଳ ଆଖି ଦିଓଟି ଆଉ ତାର ଭଙ୍ଗାଗଳାର ରାଣ-ନିୟମଦିଆ ଅନୁରୋଧ ବରାବର ଖେଳିଵାରେ ଲାଗିଥାଏ- ଠିକ୍ ଯେମିତି ବାଟଟା ତିନିକୋଶ ଦୂର ନୁହେଁ, ତିନିହାତ ବି ନୁହେଁ- ମାତ୍ର ତିନି ଆଙ୍ଗୁଳି ଛଡ଼ାରେ ।
ମୋ କଥା ମୁଁ ରଖିପାରି ନାହିଁ । ଏହି ଘଟଣାର ପ୍ରାୟ କୋଡ଼ିଏ ଵର୍ଷ ପରେ ଯେତେବେଳେ ଥରେ କାର୍ଯ୍ୟ ଉପଲକ୍ଷରେ ପୁଣି ଥରେ ତିଗିରିଆ ଗଲି, ସେତେବେଳକୁ ଦେଖିଲି ସବୁ ବଦଳି ଯାଇଛି । ଦଦା ମରିଗଲେଣି, ଇତି ମଧ୍ୟରେ ଭଉଣୀର ଵାହାଘର ସରି ହତଭାଗିନୀ ଵିଧଵା ହୋଇ ଯାଇଛି । ମୁଁ ବି କମ୍ ବଦଳି ନାହିଁ । “ବେଙ୍ଗ ବୋଲେ ବେଙ୍ଗୁଲି ଲୋ ପୃଥ୍ବୀ କ୍ଷଣ କ୍ଷଣକେ ଆନ” କଥା ପଦକ ସେଇଠି ମନେ ପଡ଼ି ଦୀର୍ଘ ନିଃଶ୍ବାସଟାଏ ଛାଏଁ ଛାଏଁ ବାହାରି ପଡ଼ିଲା, ଅମାନିଆ ଲୁହ ଆଖି କୋଣରେ ରାଜୁତି କଲା । କେତେ ଦଶହରା ଛୁଟି ଵିତିଗଲା । ମାତ୍ର ମୋର ବଚନଦିଆ ଦଶହରା ଛୁଟି ଜୀଵନରେ ଆଉ ଥରେ ଆସିଲା ନାହିଁ । ଗାଆଁରେ ଥିଲେ ଅଵା ସେଥର ନ ହୋଇ ଆଉ ଥରେ ସେ ଦଶହରା ଛୁଟି ଆସନ୍ତା । ମାତ୍ର ଚର୍ଚ୍ଚିକାସ୍କୁଲରେ ପାଠ ଶେଷକରି ମୁଁ ଗଲି ଖୋରଧା ହାଇସ୍କୁଲରେ ପଢ଼ିଵାକୁ । ତେଣୁ ମନକଥା ମନରେ ମଲା । “ଦାନ୍ତଗଲେ ଲୋକ ଦାନ୍ତର ମହତ ବୁଝେ” ।
🔴———×———🔴
କାଳିଚରଣ ପଟ୍ଟନାୟକଙ୍କର ୧୯୭୫ରେ ପ୍ରକାଶିତ ଆତ୍ମଜୀଵନୀ #କୁମ୍ଭାରଚକ'ରୁ ପ୍ରୋକ୍ତ #ତିଗିରିଆ_ଗଡ଼ ଲେଖା ସଂଗୃହୀତ ହୋଇଅଛି ।
🔵—ଲେଖକ ପରିଚୟ —🔵
ନାଟ୍ୟାଚାର୍ଯ୍ୟ, କଵିଚନ୍ଦ୍ର ଡକ୍ଟର କାଳୀଚରଣ ପଟ୍ଟନାୟକ (୧୮୯୭-୧୯୭୮)ଙ୍କୁ ଓଡ଼ିଶାରେ କିଏ ନ ଜାଣେ ? ଓଡ଼ିଆ ଭାଷା ସାହିତ୍ୟର ଅସାଧାରଣ ସାଧକ ତଥା ଓଡ଼ିଆ ନାଟକର କିମ୍ବଦନ୍ତୀ ପୁରୁଷ କଵିଚନ୍ଦ୍ରଙ୍କ କୃତିତ୍ଵ ପ୍ରତ୍ୟେକ ଓଡ଼ିଆଙ୍କର ଗର୍ଵ ଗୌରଵ-ଗାଥା ।
ସେ ଥିଲେ– ଉତ୍କଳ ଦୀପିକା (୧୯୨୧) ଓ ମୁକୁର (୧୯୨୨)ର ସମ୍ପାଦକ, ୧୯୨୬ରେ ପ୍ରକାଶ ପାଉଥିଵା ଏକମାତ୍ର ସଙ୍ଗୀତ ସମ୍ବନ୍ଧୀୟ ମାସିକ ପତ୍ରିକାର ସମ୍ପାଦକ, ଅସାମାନ୍ୟ ନାଟ୍ୟକାର, କଵି, ସଙ୍ଗୀତଜ୍ଞ, ନୃତ୍ୟଵିଦ୍, ପ୍ରାବନ୍ଧିକ ତଥା ଅଭିନେତା, ଚଳଚ୍ଚିତ୍ର ଓ ମଞ୍ଚ ନିର୍ଦ୍ଦେଶକ, ଗାୟକ, ରଙ୍ଗମଞ୍ଚରେ ମହିଳାମାନଙ୍କୁ ଅଭିନୟ କରିଵାର ସର୍ଵପ୍ରଥମ ଉଦ୍ୟୋକ୍ତା ଓ ସୁଯୋଗଦାତା, କଲିକତା ରେଡିଓ ଷ୍ଟେସନର ସର୍ଵପ୍ରଥମ ଓଡିଆ କଣ୍ଠଶିଳ୍ପୀ, କଟକ ଆକାଶଵାଣୀ, ପ୍ରଥମ ରେକର୍ଡ କମ୍ପାନୀର ଅନ୍ୟତମ ଆଦ୍ୟ ପ୍ରତିଷ୍ଠାତା, ପ୍ରଥମ ପୂର୍ଣ୍ଣାଙ୍ଗ ଓଡ଼ିଆ ଚଳଚ୍ଚିତ୍ର ଲଳିତା ଓ ପ୍ରଥମ ଡକ୍ୟୁମେଣ୍ଟାରୀ ଫିଲ୍ମର ନିର୍ଦ୍ଦେଶକ, କେନ୍ଦ୍ର ନାଟକ ଏକାଡ଼େମୀର ପ୍ରଥମ ଓଡ଼ିଆ ଫେଲୋ, ଓଡିଶା ଗବେଷଣା କେନ୍ଦ୍ର ଓ ରାଜ୍ୟ ସଙ୍ଗୀତ ମହାବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ତଥା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ।
୧୯୪୭ରେ ପଦ୍ମଶ୍ରୀ ଉପାଧି ପ୍ରତ୍ୟାଖାନ କରିଥିଵା ପ୍ରଥମ ଓଡି଼ଆ ଥିଲେ କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକ(ଅଵଶ୍ୟ ତାଙ୍କର କୁମ୍ଭାରଚକ ଆତ୍ମଜୀଵନୀରେ ଏହାର କାରଣ କେଉଁଠି ଲେଖାଥିଵା ମିଳେନାହିଁ) । ‘କୁମ୍ଭାରଚକ’ ଏହି ଯୋଗଜନ୍ମାଙ୍କ ପୁରସ୍କାର ପ୍ରାପ୍ତ ଆତ୍ମଜୀଵନୀ ପୁସ୍ତକ । ଏହା ଵ୍ୟତୀତ ସେ ପାଇଥିଲେ କବିଚନ୍ଦ୍ର ଉପାଧି (୧୯୨୭), ଉତ୍କଳ ସାହିତ୍ୟ ସମାଜର ନାଟ୍ୟାଚାର୍ଯ୍ୟ ଉପାଧି, ଓ ସମ୍ବଲପୁର ଵିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦତ୍ତ ଡକ୍ଟରେଟ୍ ଉପାଧି । ସଂକ୍ଷେପରେ କହିଵାକୁ ଗଲେ କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଜୀଵନୀ ଏକ ଗୀତ—କଵିତା—ସଂଗୀତ—ନୃତ୍ୟ—ଅଭିନୟ ଆଦି ସମସ୍ତ ପ୍ରକାରର କଳାର ମହାଯାତ୍ରା ।
⚫⚫⚫⚫⚫⚫⚫⚫⚫⚫⚫⚫⚫
⚫⚫⚫⚫⚫⚫⚫⚫⚫⚫⚫⚫⚫
Monday, August 30, 2021
ସଂଗ୍ରାମୀକଵି ଉଦୟନାଥ ଷଡ଼ଙ୍ଗୀ
ସେହିପରି ଜଣେ ସ୍ଵାଭିମାନୀ ଓଡ଼ିଆଙ୍କୁ ଏ ଜାତି କ୍ରମଶଃ ପାଶୋରି ଯିଵାକୁ ବସିଛି । ସେହି ମହାମାନଵ ହେଉଛନ୍ତି ଆଧୁନିକ ଓଡିଆ ସାହିତ୍ୟର ଜଣେ ଅନନ୍ୟ ସ୍ରଷ୍ଟା ୰ଶ୍ରୀଉଦୟନାଥ ଷଡଙ୍ଗୀ । ଉଦୟନାଥ ଷଡ଼ଙ୍ଗୀଙ୍କର ଜନ୍ମ ୧୯୦୫ ମସିହା ମାର୍ଚ୍ଚ ୧୬ତାରିଖରେ ଜଗତସିଂହପୁର ଜିଲ୍ଲାରେ ଅଵସ୍ଥିତ ସିପି ଗ୍ରାମରେ ହୋଇଥିଲା । ସେ ଏକ ସାଧାରଣ ପରିଵେଶ ମଧ୍ୟରେ ଜନ୍ମ ଲାଭ କରିଥିଲେ ମଧ୍ୟ ଵିରଳ କାଵ୍ୟ ପ୍ରତିଭାର ଅଧିକାରୀ ହୋଇଥିଲେ ।
ଵାଲ୍ୟକାଳରେ ତାଙ୍କ ସୁଗୁଣ କ୍ରମେ ଵିକଶିତ ହେଵାକୁ ଲାଗିଲା ଏଵଂ ଵୟସ ଵୃଦ୍ଧି ସହ ଉଦୟନାଥଙ୍କ ହୃଦୟରେ ଦେଶପ୍ରେମ ଵୀଜ ଅଙ୍କୁରିତ ହେଲା । ସେତେବେଳକୁ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ଚରମ ସ୍ତରରେ ପହଞ୍ଚିଯାଇଥାଏ । ମହାତ୍ମାଗାନ୍ଧୀଙ୍କ ଡାକରାରେ ଦେଶଯାକର ଅନେକ ଛାତ୍ରଛାତ୍ରୀ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ଉଦୟନାଥ ମଧ୍ୟ ତନ୍ମଧ୍ୟରେ ଜଣେ ଥିଲେ ଏଵଂ ତାଙ୍କ ଘଟଣା ବହୁଳ ଜୀବନର ଏକ ଅଧ୍ୟାୟ ସ୍ୱାଧୀନତା ସଂଗ୍ରାମର ମୁକ୍ତିତୀର୍ଥ ଅଳକାଶ୍ରମରୁ ଆରମ୍ଭ ହୋଇଥିଲା । ଅଳକାଶ୍ରମରେ ସୂତାକଟା, ଲୁଗାବୁଣା ଓ ଅନ୍ୟାନ୍ୟ ଧନ୍ଦାମୂଳକଶିକ୍ଷା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦିଆଯାଉଥିଲା । ଏଠାରେ ରହି ଉଦୟନାଥ ଏସବୁ ଶିକ୍ଷାକୁ ଜୀଵନର ଵ୍ରତ ରୂପେ ଗ୍ରହଣ କରିନେଲେ । ପରଵର୍ତ୍ତୀ ପର୍ଯ୍ୟାୟରେ ଶ୍ରୀଉଦୟନାଥ ଷଡ଼ଙ୍ଗୀ, ବକୁଳଵନର ଛୁରୀଅନା କୁଞ୍ଜ ତଳେ ଗଢ଼ି ଉଠିଥିଵା ସତ୍ୟଵାଦୀ ଵନଵିଦ୍ୟାଳୟର ଛାତ୍ର ହୋଇଥିଲେ ।
ସେତେବେଳେ ଆର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରି ଯୋଗଜନ୍ମା, ଜ୍ଞାନୀ, ଗୁଣୀ ଓ ସାରସ୍ୱତ ସାଧକମାନଙ୍କ ସଂସ୍ପର୍ଶରେ ଆସି ଶ୍ରୀଉଦୟନାଥଙ୍କ ଜୀଵନର ଗତିପଥ ବଦଳିଯାଇଥିଲା । ପରେ ସମାଜ ସମ୍ପାଦକ ରାଧାନାଥ ରଥଙ୍କ ସାହଚର୍ଯ୍ୟ ତାଙ୍କୁ ସାହିତ୍ୟ ସାଧନା କ୍ଷେତ୍ରରେ ଆଗକୁ ବଢ଼ିଵା ପାଇଁ ଵିଶେଷ ପ୍ରେରଣା ଦେଇଥିଲା ।
ତେବେ ଶ୍ରୀଉଦୟନାଥ ଷଡଙ୍ଗୀ କେଵଳ କବି ନୁହଁନ୍ତି, ଜଣେ ସଚ୍ଚା ସ୍ୱାଧିନତା ସଂଗ୍ରାମୀ , ଉଚ୍ଚ ଧରଣର ସ୍ତମ୍ଭକାର, ପ୍ରଖ୍ୟାତ ସାମ୍ବାଦିକ, ଵିଶିଷ୍ଟ ଅନୁଵାଦକ ଭାବେ ସେ ଖ୍ୟାତି ଅର୍ଜ୍ଜନ କରିଅଛନ୍ତି । ସେ ଜଣେ ସଫଳ ଅନୁଵାଦକ ଭାବେ ଅନୁଦିତ ସାହିତ୍ୟ କ୍ଷେତ୍ରରେ ନିଜର ଦକ୍ଷତାର ପ୍ରମାଣ ଛାଡି଼ଯାଇଛନ୍ତି । ସେ ଵିଭିନ୍ନ ଭାଷାର ଶିଶୁ ସାହିତ୍ୟକୁ ଓଡ଼ିଆ ଭାଷାରେ ଅନୁଵାଦ କରିଥିଲେ ।ତାଙ୍କ ଅନୁଦିତ ପୁସ୍ତକ ମଧ୍ୟରେ ଆରବ୍ୟ ରଜନୀ, ଇଦ୍ ପର୍ଵ, ଆଲିବାବା, ସିନ୍ଦ୍ ବାବା, ଗୌତମ ବୁଦ୍ଧ ଆଦି ଉଲ୍ଲେଖ ଯୋଗ୍ୟ । କିନ୍ତୁ ଅନୁଵାଦ ସାହିତ୍ୟ ହୋଇଥିଲେ ବି "ଟମ୍ କକାଙ୍କ କୁଟୀର" ଉପନ୍ୟାସ ପାଇଁ ଶ୍ରୀଉଦୟନାଥ ଅଜସ୍ର ଖ୍ୟାତି ଅର୍ଜନ କରିଥିଲେ । ଷ୍ଟୋବେ"ଙ୍କ ଲିଖିତ "Uncle Tom's Cabin"ର ଓଡ଼ିଆଭାଷାରେ ଏହା ଭାଵାନୁଵାଦ ଏଵଂ ଆମେରିକା ଦାସପ୍ରଥା ଉପରେ ଆଧାରିତ ଥିଲା । ଏହି ଉପନ୍ୟାସ ତାଙ୍କଦ୍ଵାରା ଅନୁଦିତ ହୋଇଥିଲେ ମଧ୍ୟ ସବୁଥିରେ ତାଙ୍କ ନିଜସ୍ୱ ମୌଳିକତାର ଛାପ ସ୍ପଷ୍ଟ ବାରିହୋଇଯାଏ । ସେ "କୋନାନ ଡଏଲ"ଙ୍କ ଲିଖିତ ଇଂରାଜୀ ବହି "Valley of Fears"କୁ ମଧ୍ୟ ଓଡ଼ିଆ ଭାଷାରେ ଅନୁଵାଦ କରିଥିଲେ ।
ଶ୍ରୀ ଉଦୟନାଥ ଷଡ଼ଙ୍ଗୀ କେତେକ ଜାତୀୟତାଵାଦୀ ଓ ଦେଶାତ୍ମବୋଧକ କଵିତା ଲେଖିଛନ୍ତି କିନ୍ତୁ ସେ ଜଣେ ଶିଶୁ ସାହିତ୍ୟିକ ଭାବେ ଵିଶେଷ ଲୋକପ୍ରିୟ ହୋଇଥିଲେ । ଯେଉଁମାନେ ତାଙ୍କ ଶିଶୁ ସାହିତ୍ୟ ସହିତ ପରିଚିତ ସେମାନେ କୁହନ୍ତି ତାହା ଅତ୍ୟନ୍ତ ରସଯୁକ୍ତ ଓ ପ୍ରାଣଵନ୍ତ , ତାଙ୍କର ଶିଶୁକଵିତା ପାଠକରି ଵା ଶୁଣି ଶିଶୁପ୍ରାଣ ଆତ୍ମହରା ଉଠିଵ । ଯଥାର୍ଥରେ ସେ ଥିଲେ ଶିଶୁ ପ୍ରାଣର ଆଶା,ଆକାଂକ୍ଷା ଓ ସୁଖଦୁଃଖର ସାର୍ଥକ ରୂପକାର ।
ଶ୍ରୀଉଦୟନାଥ ଷଡ଼ଙ୍ଗୀଙ୍କର ଟୁଉକୁମୂଷି, ଚକାଚକା ଭଉଁରୀ, ଜହ୍ନମାମୁଁ, କଥା କବିତା,ବିଲୁଆନନାର ବାହାଘର,ମିନିର ମନକଥା,ତେଲ ଲୁଣର ସଂସାର,ଓଡ଼ିଶାର ଇତିହାସ କଥା,ଭାରତର ଇତିହାସ କଥା,ପରୀରାଇଜ,ଜଳଜନ୍ତୁ ସିରିଜ୍,ଆମ ଗ୍ରହ-ଉପଗ୍ରହ, ଏମାନଙ୍କୁ ଜାଣିରଖ, ତେଲ ଲୁଣର ସଂସାର,ଜାଣିଵା କଥା ଓ ବିଚିତ୍ର ପଶୁ ଆଦି ପୁସ୍ତକ ଵିଶେଷ ଜନାଦୃତ ହୋଇଥିଲା । ତାଙ୍କର ଆତ୍ମଜୀଵନୀ “ଗାନ୍ଧି ମହାରାଜାଙ୍କ ଶିଷ୍ୟ”ରେ ତାଙ୍କ ଜୀଵନରେ ଅନେକ ଅଜଣା କଥା ଜାଣିଵାକୁ ମିଳିଥାଏ ।
ଜଣେ ଅନନ୍ୟ ପ୍ରତିଭାସମ୍ପନ୍ନ ସାହତ୍ୟ ସାଧକ ଭାବେ ଉଦୟନାଥ ଷଡ଼ଙ୍ଗୀ ନିଜ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ସାମଗ୍ରିକ ସାହିତ୍ୟ କୃତି ପାଇଁ ସେ ଅନେକ ସମ୍ମାନର ଅଧିକାରୀ ହୋଇପାରିଥିଲେ । ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ପ୍ରଜାତନ୍ତ୍ର ପ୍ରଚାର ସମିତି , ଓଡ଼ିଶା ସାହିତ୍ୟ ଏକାଡ଼େମୀ , ଉତ୍କଳ ପାଠକ ସଂସଦ, ଗୋକର୍ଣ୍ଣିକା ସାହିତ୍ୟ ସମାଜ ଆଦି ବହୁ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ ।
ଶ୍ରୀ ଷଡ଼ଙ୍ଗୀଙ୍କର ୧୯୯୯ ମସିହା ଜାନୁୟାରୀ ୮ତାରିଖରେ ତିରୋଧାନ ହୋଇଯାଇଥିଲା । ସଂଗ୍ରାମୀକଵି ଶ୍ରୀଉଦୟନାଥ ଷଡ଼ଙ୍ଗୀ ଆଜି ଆଉ ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଉଦବୋଧନୀ ଵା ଦେଶାତ୍ମବୋଧକ କଵିତା ଓ ଅନ୍ୟାନ୍ୟ ସାହିତ୍ୟିକ କୃତି ଓଡ଼ିଆ ଜାତିର ଅସ୍ତିତ୍ବ ଥିଵା ଯାଏଁ ଅମର ରହିଥିଵ ।
ମୁକର ପତ୍ରିକାରେ ବହୁ ଵର୍ଷ ତଳେ ସଂଗ୍ରାମୀକଵି ଶ୍ରୀଉଦୟନାଥ ଷଡ଼ଙ୍ଗୀଙ୍କର ଗୋଟିଏ ଜାତୀୟତାଵାଦୀ କଵିତା “ଭାସିଯାଆ ମୋର ବୋଇତ” ପ୍ରକାଶିତ ହୋଇଥିଲା ତାହା ନିମ୍ନରେ ପ୍ରଦତ୍ତ ହେଲା...
⛵⛵⛵⛵⛵⛵⛵⛵⛵⛵⛵⛵
⛵⛵ଭାସିଯାଆ ମୋର ବୋଇତ ⛵⛵
⛵⛵⛵⛵⛵⛵⛵⛵⛵⛵⛵⛵
(📝କଵି—୰ଶ୍ରୀଉଦୟନାଥ ଷଡ଼ଙ୍ଗୀ)
(୧)
ଭାସିଯାଆ ମୋର ବୋଇତ ଭାସି ଯାଆରେ ଖରେ, ଭେଟିବୁ ଓଡ଼ିଆ ବଣିକେ ଏହି ଦରିଆ ପାରେ ।
ଦେଖିବୁ କେତେ ଯେ ବୋଇତ ଜାଭା ବୋର୍ଣ୍ଣିଓ କୂଳେ, ଚିହ୍ନିବୁ ଵିଜୟୀ-ବଣିକେ, ତୋର ଭାଇ ସକଳେ । ଚାରୁଶିଳ୍ପ-ଭୂଷା-ଉତ୍ତୁଙ୍ଗ ପାଲ ଦେଖିବୁ ଯହିଁ
ଜାଣିବୁ ସେ ପୋତ ଗଢି଼ଛି ତୋର ଓଡ଼ିଆ ଭାଇ ।
କାନ୍ଦି କନ୍ଦାଇବୁ ବଣିକେ ଓଡ଼ିଶାର ସର୍ଵସ୍ଵ
ତାଙ୍କ ଵିନେ ମାତା କାଙ୍ଗାଳୀ, ସୁଧା ହୋଇଛି ଵିଷ !
(୨)
ଭାସିଯାଆ ମୋର ତରୀଟି ଟେକି ତୋ କ୍ଷୁଦ୍ର ପାଲ, ଭେଟିବୁ ସେ ଦେଶ, ଯେ ଦେଶେ ଗଲେ ଓଡ଼ିଆ-ଵୀର ଖାଇବେଳ, ଐର ସମ୍ରାଟ ମାତା ମୁକୁଟ-ମଣି,
ଦଳିଥଲେ ପରା ସଦର୍ପେ ପଞ୍ଚନଦ-ଵାହିନୀ ।
ପଵିତ୍ର ଗାଙ୍ଗେୟ ପ୍ରଦେଶୁଁ ଦୂର କୁମାରୀ ଯାଏ, ଉଡା଼ଇଲେ ଜୟ-କେତନ ତୋର ଯୋଗୁଁ ନିର୍ଭୟେ ।
ଧନ-ରତ୍ନ ପୂର୍ଣ୍ଣ ବନ୍ଦର ଉଚ୍ଚେ ଟେକିଲେ ମଥା,
ଆଜି ବାୟୁ ସଙ୍ଗେ କେଵଳ ଯହିଁ ଖେଳେ ସିକତା ।
(୩)
ଭାସିଯାଆ ମୋର ବୋଇତ ପଛେ ନ ଚାହାଁ ଫେରି, ମର-ବଇକୁଣ୍ଠ ହୋଇଛି ଆଜି ଵିଗତ-ଶିରୀ ।
ଏହି ତ ସେ ଦେଶ, ଯେ ଦେଶେ କାଞ୍ଚି-କାଞ୍ଚନ-ଜେମା, ଜିଣି ଆଣିଥିଲେ ଵିଜୟୀ, ଦୂରୁଁ ମର୍ତ୍ତ୍ୟର ରମା ।
ଏହି ସେ ଚିଲିକା ଯା ଵକ୍ଷ ଶତ ଓଡ଼ିଆ ତରୀ,
ଭସୁଥିଲା ଦିନେ ଉଲ୍ଲାସେ ଜୟ-କେତନ ଧରି । ସାଧଵାଣୀ ମନ ପୁଲକେ ଆଣି ଅରଘଥାଳୀ,
ନେଉଥିଲା ବଇତେ ଘରେ ବନ୍ଦାଇ ତରୀ ।
(୪)
ଭାସିଯାଆ ମୋର ବୋଇତ ନୋହି ନିରାଶ ତିଳେ,
ଅସିଵ ସେଦିନ, ପୂଜିଵେ ତୋତେ ଓଡି଼ଆ-ଵୀରେ । ଉଠିଵ ଓଡ଼ିଶା ଆକାଶେ ଵୀର ଓଡି଼ଆ ଗାନ,
ଉଡି଼ଵ ପଵନ ଲହରେ ତୋର ଜୟ-କେତନ ।
ନିଳାମ୍ବୁ -ଚିଲିକା ହରଷେ ଦିନେ ଉଠିଵ ନାଚି,
ଭାସିଵ ସହସ୍ର ବୋଇତ ଭାଙ୍ଗି ସାଗର ଵୀଚି । ଓଡି଼ଆ-ଗୌରଵ-ଭଣ୍ଡାର କୋଣାରକ ତ ଦିନେ,
ତେଜି ଜୀର୍ଣ୍ଣଵପୁ ହସିଵ ସେହି ଦୂର-ପୁଳୀନେ I
ଖଣ୍ଡ ଖଣ୍ଡ ଵପୁ ତାହାର ଏକ ହୋଇଵ ମିଶି,
ଭାଇ ଭାଇ ଘରେ ଆସିଵ କୋଳ କରିଵ ହସି ।
ଗାଇବ ଵିଜୟ-ସଙ୍ଗୀତ ଉଚ୍ଚେ ଓଡ଼ିଆ ଭାଟ,
ବୋହିଵ ଓଡ଼ିଆ ଵାହୁରେ ପୂର୍ଵ ଶୋଣିତ ସ୍ରୋତ ।
ଭାସିଯାଆ ମୋର ବୋଇତ ଭାସିଯାଆ ମଉନେ, ସେତେବେଳେ ବାନ୍ଧି ଆଣିବି ମୁହିଁ ପୁଲକ ପ୍ରାଣେ ।
————×————
Saturday, August 28, 2021
ବାମଣ୍ଡା (ଭ୍ରମଣକାରୀର ପତ୍ର)
#ରୋହିଲା'ରୁ ପ୍ରାୟ ଦୁଇକୋଶ ଯାଇ ଆମ୍ଭେମାନେ ବାମଣ୍ଡା ରାଜ୍ୟରେ ପ୍ରଵିଷ୍ଟ ହେଲୁ । ଅରଣ୍ୟରେ କେତେଦୂର ଯାଇଁ ସର୍ଵ ପ୍ରଥମରେ #ବ୍ରାହ୍ମଣୀ ତୀରଵର୍ତ୍ତୀ #ଜୁଆଳିବନ୍ଧା ଗ୍ରାମ ଦେଖୁ । ଏ ଗ୍ରାମଟି ଅତି କ୍ଷୁଦ୍ର, ମାତ୍ର ଅତି ପରିଷ୍କୃତ, ଗ୍ରାମରେ ପ୍ରତ୍ୟେକ ଦାଣ୍ଡ ଏଵଂ ଗଳିମାନଙ୍କରେ ସଡ଼କ ଦେଖି ଆମ୍ଭେମାନେ ଆଶ୍ଚର୍ଯ୍ୟାନ୍ବିତ ହେଲୁ । ଜୁଆଳିବନ୍ଧାରୁ ନଈକୂଳକୁ ଯିଵାକୁ ପ୍ରାୟ ଏକଘଣ୍ଟା ସମୟ ଲାଗିଵ । ନଈକୂଳ ବ୍ରାହ୍ମଣୀ ତୀରଵର୍ତ୍ତୀ ଗୋଟିଏ ପ୍ରଧାନ ସ୍ଥାନ । ଗୋଟିଏ କ୍ଷୁଦ୍ର ସହର ପ୍ରାୟ ବୋଧ ହେଲା । ଏଠାରେ ଥାନା, ସ୍କୁଲ, ଗୋଦାମ ଏଵଂ ଅନ୍ୟାନ୍ୟ ରାଜକୀୟ କାର୍ଯ୍ୟାଳୟ ଅଛି । ନଦୀର ସମାନ୍ତରାଳ ହୋଇ ଗୋଟିଏ ସଡ଼କ ଗ୍ରାମକୁ ଦୁଇ ଭାଗରେ ଵିଭକ୍ତ କରିଅଛି । ପୂର୍ଵୋକ୍ତ #ରେଙ୍ଗାଳି ସଡ଼କ ଏହି ସଡ଼କରେ ସଂଯୁକ୍ତ ହୋଇଅଛି ଏବଂ ଏହି ସଡ଼କ ନାନା ଗ୍ରାମ ଓ ଅରଣ୍ୟ ଭେଦକରି #ବାମଣ୍ଡା ରାଜଧାନୀ #ଦେଵଗଡ଼ ପର୍ଯ୍ୟନ୍ତ ଵିସ୍ତୃତ ହୋଇଅଛି । ସ୍ଥାନଟି ଅତି ପରିଷ୍କୃତ, ଵିଶେଷତଃ ଲୋକମାନେ ଏହାକୁ ପରିଷ୍କୃତ ରଖିଵା ଵିଷୟରେ ଅଭ୍ୟସ୍ତ ହୋଇଥିଵାର ସମ୍ପୂର୍ଣ୍ଣ ପରିଚୟ ମିଳିଲା । ପ୍ରାତଃକାଳରେ ଆମ୍ଭେମାନେ ନଈକୂଳ ପରିତ୍ୟାଗ କରି #ଗୋଗୁଆ'ରେ ଉପସ୍ଥିତ ହେଲୁ । ଗୋଗୁଆ ବ୍ରାହ୍ମଣୀ ତୀରଵର୍ତ୍ତୀ ଗୋଟିଏ ପ୍ରଧାନ ପଲ୍ଲୀ ଏବଂ ପୂର୍ଵୋକ୍ତ ପ୍ରଧାନ ସଡ଼କଦ୍ବାରା ଦ୍ଵିଧା ଵିଭକ୍ତ । ଏଠାରେ ଗୋଟିଏ ଵୃହତ୍ ଗୋଦାମ ଏଵଂ ଗୋଟିଏ ଵିଦ୍ୟାଳୟ ମଧ୍ୟ ଅଛି । ପଥିକମାନଙ୍କ ଅଵସ୍ଥାନ ନିମନ୍ତେ ଭତ୍ତମ ଗୃହ ମଧ୍ୟ ଅଛି । ଗୋଗୁଆରୁ #ଗାଙ୍ଗନାଳ ପ୍ରାୟ ଓଳିକର ବାଟ । #ସମ୍ବଲପୁର'ରୁ #ମେଦିନୀପୁର ପର୍ଯ୍ୟନ୍ତ ଵିସ୍ତୃତ ପ୍ରାଚୀନ ସାମରିକ ସଡ଼କ ପାର୍ଶ୍ବରେ ଗାଙ୍ଗନାଳ ଅଵସ୍ଥିତ । ପଥକମାନଙ୍କର ରହିଵା ସକାଶେ ଏଠାରେ ପଟାର ମଞ୍ଚ ଏବଂ ଅନ୍ୟାନ୍ୟ ଗୃହାଦି ଅଛି । ଗୋଟିଏ ଗିରିନଦୀ ପ୍ରଵାହିତ ହୋଇ ସ୍ଥାନକୁ ଵାସଯୋଗ୍ୟ କରାଇଅଛି । ବାମଣ୍ଡାର ଅନ୍ୟାନ୍ୟ ଗ୍ରାମ ପରି ଏଠାରେ ମଧ୍ୟ ସଡ଼କର ଅଭାଵ ନାହିଁ ଏଵଂ ଲୋକମାନେ ଅତ୍ୟାଚାର ଵ୍ୟତୀତ ମ୍ୟୁନିସିପାଲିଟିର ସମସ୍ତ ସୁଵିଧା ଉପଭୋଗ କରୁଥିଵାର ବୋଧହେଲା । ବାମଣ୍ଡା ଗାଙ୍ଗନାଳରୁ ଆମ୍ଭେମାନେ ପ୍ରାୟ ତିନି କ୍ରୋଶ ଯାଇ ଗିରିନଦୀ ତୀରଵର୍ତ୍ତୀ #ସୁଗଡ଼ା ଗ୍ରାମରେ ଉପସ୍ଥିତ ହେଲୁ । ସୁଗଡ଼ା ଗୋଟିଏ ସମୃଦ୍ଧିଶାଳୀ ପଲ୍ଲୀ, ଏହି ସ୍ଥାନରୁ ଦେଵଗଡ଼ ତିନି କ୍ରୋଶରୁ ଅଧିକ ନୁହେଁ । ସୁଗଡ଼ାରେ ଆହାରାଦି କରି ଅମ୍ଭେମାନେ #ଵାସୁଦେଵପୁର ଶାସନ ଦେଖିଵା ଉଦ୍ଦେଶ୍ୟରେ ସଡ଼କ ପରିତ୍ୟାଗପୂର୍ଵକ ପଶ୍ଚିମାଭିମୁଖ ହେଲୁ । ଵାସୁଦେଵପୁର ଶାସନ ବାମଣ୍ଡାର ଵର୍ତ୍ତମାନ ମହାରାଜାଙ୍କ କର୍ତ୍ତୃକ ସ୍ଥାପିତ ଏଵଂ ତାହାଙ୍କ ନାମାନୁସାରେ ନାମିତ । ଗ୍ରାମ ମଧ୍ୟରେ ପ୍ରଵେଶ କରି ଗ୍ରାମର ସୁଵ୍ୟଵସ୍ଥା ଦେଖି ଆମ୍ଭେମାନେ ଆଶ୍ଚର୍ଯ୍ୟାନ୍ବିତ ହେଲୁ । ମଝିରେ ପ୍ରଶସ୍ତ ସଡ଼କ ଏବଂ ଉଭୟ ପାର୍ଶ୍ଵରେ ସାହେବମାନଙ୍କ ବଙ୍ଗଳା ପରି ଏକାକୃତି ଓ ଏକାଵୟଵଵିଶିଷ୍ଟ ଖଡ଼ିମାଟିଧୌତ ମାଟିର ବଙ୍ଗଳାମାନ ଶ୍ରେଣୀଵଦ୍ଧ ହୋଇ ରହିଛି । ଗ୍ରାମର ଅନତିଦୂରରେ ଵନ କର୍ତ୍ତିତ ହୋଇ ହସ୍ତୀଦ୍ଵାରା ପ୍ରଚୁର ଭୂମି ଆଵାଦ ହୋଇ ଅଛି । ଏହି ଭୂମି ବ୍ରାହ୍ମଣମାନେ ଵୃତ୍ତିସ୍ବରୂପ ପାଇଅଛନ୍ତି । ଅନାବୃଷ୍ଟି ଭୟରୁ ମଧ୍ୟ ବ୍ରାହ୍ମଣମାନେ ସୁରକ୍ଷିତ । ଗ୍ରାମର ଉତ୍ତରରେ ଗୋଟିଏ ଉଚ୍ଚ ସେତୁଦ୍ବାରା #ସ୍ଵଗିରିନଦୀ'ର ଜଳ ସଞ୍ଚୟ ହୋଇ ପ୍ରାୟ ଅର୍ଦ୍ଧକୋଶଵ୍ୟାପି ଗୋଟିଏ ଵୃହତ୍ ହ୍ରଦରୂପେ ପରିଣତ ହୋଇଅଛି । ଶୁଣି ଅତ୍ୟନ୍ତ ଦୁଃଖିତ ହେଲି ଯେ, ଏହି ବ୍ରାହ୍ମଣମାନେ ଏତେ ସୁଵିଧା ପାଇ ସୁଦ୍ଧା ଵିଦ୍ୟା ଅଧ୍ୟୟନ ଵିଷୟରେ ଆଶାନୁରୂପ ମନୋଯୋଗୀ ହୋଇନାହାନ୍ତି। ଵାସୁଦେଵପୁର ଶାସନ ଦର୍ଶନ ଉତ୍ତାରୁ ଆମ୍ଭେମାନେ ଅରଣ୍ୟମାର୍ଗରେ ଯାଇ ପୂର୍ଵୋକ୍ତ ପ୍ରଧାନ ସଡ଼କରେ ଉପସ୍ଥିତ ହେଲୁ । ଦେଵଗଡ଼ ଅତି ସୁନ୍ଦର, ପରିଷ୍କୃତ, କ୍ଷୁଦ୍ର ନଗର, ଉତ୍ତରରୁ ଦକ୍ଷିଣକୁ ପ୍ରସାରିତ । ସଡ଼କମାନ ସୁସଂସ୍କୃତ ଅଵସ୍ଥାରେ ପରିରକ୍ଷିତ ଏଵଂ ସମାନ୍ତରାଳ ପଯୁଃପ୍ରଣାଳୀଦ୍ୱାରା ପରିଶୋଭିତ । ଉତ୍ତର ପାର୍ଶ୍ଵରେ ଶ୍ୟାମାଙ୍ଗ #ପ୍ରଧାନପାଟ ଶୈଳ-ପ୍ରାଚୀର ପ୍ରାୟ ଦଣ୍ଡାୟମାନ, ଵକ୍ଷ ସ୍ଥଳରେ ସ୍ୱଚ୍ଛ ପ୍ରପାତ କୌସ୍ତୁଭମଣି' ପ୍ରାୟ ଶୋଭା ପାଉଅଛି ।
(ଭ୍ରମଣକାରୀର ପତ୍ର,କଵିଵର ରାଧାନାଥ ରାୟ)
Friday, August 27, 2021
ଓଡ଼ିଶାର ନିମକ୍ ହରାମ୍ ଜାଗିରଦାର୍
ମରାଠା ଓ ଇଂରେଜମାନଙ୍କ ଦ୍ଵାରା ଓଡ଼ିଶା ପରାଧୀନ ଥିଵା ସମୟରେ “ପ୍ରଭୁଙ୍କ ଅପକାର କରିଵା ଯୋଗୁଁ ପ୍ରଭୁଙ୍କ ଵିପକ୍ଷଙ୍କ ଠାରୁ ପୁରସ୍କାର ସ୍ବରୂପ ଜାଗିରି ପାଇଥିଵା ନିମକହରାମ ଭୃତ୍ୟକୁ”, “ନିମକହରାମ୍ ଜାଗିରିଦାର୍” କୁହାଯାଉଥିଲା ।
ମରହଟ୍ଟାଙ୍କର ଅଧିକୃତ କଳିଙ୍ଗୋତ୍କଳ ରାଜ୍ଯର ଚିଲିକା ନିକଟଵର୍ତ୍ତୀ ସୀମାନ୍ତକୁ ରକ୍ଷା କରିଵା ନିମନ୍ତେ ଚିଲିକା ମଧ୍ଯସ୍ଥ ମାଲୁଦ ଦ୍ବୀପକୁ ପ୍ରଥମେ ଜଣେ ବ୍ୟକ୍ତି ଜାଗିରି ସ୍ବରୂପ ପାଇଥିଲା । ୧୮୦୩ ମସିହାରେ ସେହି ମରହଟ୍ଟା ଜାଗିରିଦାର୍ ଇଂରେଜ ସୈନିକମାନଙ୍କୁ ରାସ୍ତା ଛାଡ଼ି ଦେଇ ସକଳ ରହସ୍ଯ ଖୋଲି ଦେଇଥିଵାରୁ ମରହଟ୍ଟାମାନଙ୍କଠାରୁ ସେ ନିମକହରାମ୍ ଜାଗିରଦାର୍ ନାମ ପାଇଥିଲା । ଅର୍ଥାତ୍ ମରାଠାମାନଙ୍କ ଦ୍ଵାରା ପ୍ରଥମେ ଏହି ପଦର ପ୍ରଚଳନ ହେଇଥିଲା ।
୧୮୦୩ ମସିହାରେ ଇଂରେଜ ଜେନେରାଲ ହାରକୋଟ ଖୋର୍ଦ୍ଧା ଆକ୍ରମଣ କଲେ । ହାରକୋଟ୍ ମାଡ୍ରାସଠାରୁ ପୁରୀ ଆସିଵା ନିମନ୍ତେ ନିଜର ସୈନ୍ୟଵାହିନୀ ସହ ସମୁଦ୍ର କୂଳ ବାଟ ଦେଇ ଅଗ୍ରଗତି କରୁଥିଲେ । ଏବେ ବି ମାଡ୍ରାସରେ ଦକ୍ଷିଣ ହାର୍କୋଟ୍ ଏବଂ ଉତ୍ତର ହାର୍କୋଟ୍ ଦୁଇଟି ଜିଲ୍ଲା ତାଙ୍କର ନାମ ଅନୁସାରେ ରହିଛି । ହାରକୋଟ୍ଙ୍କ ଆକ୍ରମଣରେ ସର୍ଵଶେଷରେ ୧୮୦୫ ମସିହା ବେଳକୁ ଓଡ଼ିଶା ଇଂରେଜ ଶାସନାଧୀନ ହେଲା ।
ତେବେ ଜେନେରାଲ ହାରକୋଟ୍ ସମୁଦ୍ର କୂଳ ବାଟରେ ଆସି ମାଲୁଦଠାରେ ପାରିକୁଦରେ ପହଞ୍ଚିଲେ । ଚାରିପଟେ ଚିଲିକା ହ୍ରଦ ଏଵଂ ପାରିକୁଦ ଗୋଟିଏ ଦ୍ଵୀପାଞ୍ଚଳ । ପାରିକୁଦ ଗଡ଼ଠାରୁ ମାଲୁଦ ୧୦ କିଲୋମିଟର ଦୂର । ପ୍ରଥମେ ପାରିକୁଦ ରାଜ୍ୟଟି ବଙ୍କାଡ଼ ଗଡ଼ ଅଧୀନରେ ଥିଲା । ତାହା ଏବେର ବାଣପୁର ।
ବାଣପୁର ବାଣାସୁରର ରାଜଧାନୀ ବୋଲି ପ୍ରଵାଦ ରହିଛି । ପାରିକୁଦ ଇତିହାସ ନାମକ ପୁସ୍ତକରେ ଡାକ୍ତର ରାଧାଚରଣ ପଣ୍ଡା ଲେଖିଛନ୍ତି ଯେ ବଙ୍କାଡ଼ ଗଡ଼ର ରାଜା ଶ୍ରୀହରି ସେଵକ ମାନସିଂହ ଖୋର୍ଦ୍ଧା ରାଜାଙ୍କଦ୍ୱାରା ଆକ୍ରମିତ ହେଵାପରେ ପରାସ୍ତ ହୋଇ ପଳାୟନ କଲେ ।
୧୭୭୧ ଖ୍ରୀଷ୍ଟାବ୍ଦରେ ଶ୍ରୀହରି ସେଵକ ମାନସିଂହ ପାରିକୁଦକୁ ଚାଲି ଆସିଲେ ଓ ଗୁରୁବାଇଠାରେ ନିଜର ନୃସିଂହଗଡ଼ ପ୍ରତିଷ୍ଠା କଲେ । ପରେ ପରେ ୧୭୯୮ ଖ୍ରୀ:ରେ ତାଙ୍କର ସୁପୁତ୍ର ଭାଗିରଥୀ ମାନସିଂହ ନିଜର ରାଜଧାନୀ ପାରିକୁଦ ଗଡ଼କୁ ଉଠାଇ ଆଣିଲେ । ଗୋଟିଏ ଗଉଡ଼ ଗାଈ ଚରାଉଥିବାବେଳେ ଗୋଟିଏ ବଗ, ଛଞ୍ଚାଣକୁ ମାଡ଼ି ବସିଥିଵାର ଦେଖିଲା ଏଵଂ ରାଜାଙ୍କୁ ଏ ଵିଷୟରେ ଖବର ଦେଲା । ତେଣୁ ରାଜା ଭାଗିରଥୀ ମାନସିଂହ ତାଙ୍କର ନୂତନଗଡ଼ ସେଠାରେ ପ୍ରତିଷ୍ଠା କଲେ । ପୁରସ୍କାର ସ୍ବରୂପ ସେହି ଗଉଡ଼ର ନାମରେ ଏ ଗଡ଼ର ନାମ କୃଷ୍ଣପ୍ରସାଦ ଗଡ଼ ନାମରେ ନାମିତ ହେଲା । ଭାଗିରଥୀ ମାନସିଂହ ୧୭୯୮ ଖ୍ରୀଷ୍ଟାବ୍ଦରେ ରାଜବାଟି ନିର୍ମାଣ କରିଥିଲେ ଏବଂ ଭାଗିରଥୀପୁର ଶାସନ ନାମରେ ଏକ ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଥିଲେ ।
୧୯୦୩ ମସିହାରେ ଜେନେରାଲ ହାର୍କୋଟ୍ ମାଲୁଦ ଅଞ୍ଚଳରେ ସୈନ୍ୟ ନେଇ ପହଞ୍ଚିଲେ । ଚିଲିକାର ମାଲୁଦ ପାଖରେ ଥିଵା ‘କନ୍ଦାଖାଇ’ ଗଣ୍ଡ ସେତେବେଳେ ଗଭୀର ଏବଂ ଵିପଜ୍ଜନକ ଗଣ୍ଡ ଥିଲା । ଏହାକୁ ପାର କରିଦେଵାପାଇଁ ମାଲୁଦ ଅଞ୍ଚଳରେ ମରାଠୀ ଶାସକଙ୍କ ଦ୍ଵାରା ଫତେ ମହମ୍ମଦ ନାମକ ଜଣେ ଵ୍ୟକ୍ତି ନିଯୁକ୍ତ ହୋଇଥାନ୍ତି ।
ଜେନେରାଲ ହାର୍କୋଟ୍ ସେ ସମୟରେ ପୁରୀକୁ ରାସ୍ତା ଜାଣି ପାରୁନଥାନ୍ତି ଏବଂ କୌଣସି ଵ୍ୟକ୍ତି ତାଙ୍କୁ ଏ ଦିଗରେ ସହାୟତା କରିଵା ଲାଗି ଆଗେଇ ଆସୁ ନଥାନ୍ତି ।
ଫଳରେ ଚିଲିକାର ଵିପଦସଙ୍କୁଳ ଵକ୍ଷ ପାର ହେଵା ଓ ପୁରୀ ପହଞ୍ଚିଵା ତାଙ୍କ ପାଇଁ କଠିନ ହୋଇ ପଡ଼ିଥିଲା । ସେହି ସମୟରେ ଫତେ ମହମ୍ମଦ ନାମକ ସେହି ଜାଗିରଦାର୍ ଜେନେରାଲ ହାର୍କୋଟ୍ଙ୍କୁ ଚିଲିକା ପାରି କରାଇ ଦେଵାକୁ ପ୍ରତିଶ୍ରୁତି ଦେଲା ଓ ପୁରୀକୁ ରାସ୍ତା ଦେଖାଇ ଦେଵା ପାଇଁ ରାଜି ହେଲା । କିନ୍ତୁ ସେ ଜେନେରାଲ ହାରକୋଟ୍ଙ୍କ ସମ୍ମୁଖରେ ଏଥିପାଇଁ ଏକ ସର୍ତ୍ତ ରଖିଲା । ସର୍ତ୍ତ ଥିଲା ସେ ହାର୍କୋଟ୍ଙ୍କୁ ପୁରୀକୁ ରାସ୍ତା ଦେଖାଇ ଦେଵ ଏଵଂ ପ୍ରତିବଦଳରେ ସେ ଯେଉଁ ଯେଉଁ ବାଟ ଦେଇ ପୁରୀ ଯିଵେ, ସେଇ ସବୁ ଭୂଭାଗ ତାଙ୍କର ଅର୍ଥାତ୍ ଫତେ ମହମ୍ମଦର ହୋଇଯିଵ ।
ଜେନେରାଲ ହାରକୋଟ୍ ତାଙ୍କ ସର୍ତ୍ତରେ ରାଜି ହେଲେ ଏବଂ ଫତେ ମହମ୍ମଦ ତାଙ୍କୁ ଓ ତାଙ୍କର ସୈନ୍ୟମାନଙ୍କୁ ଚିଲିକା ପାରି କରାଇ ଦେଲା ଓ ପୁରୀ ଅଭିମୁଖରେ ଯାତ୍ରା କରିଵାକୁ ବାଟ ବତାଇ ଦେଲା । ଫଳତଃ ଫତେ ମହମ୍ମଦ ଯେଉଁ ମାହାଲ ଇଂରେଜ ସରକାରଙ୍କଠାରୁ ପାଇଲା ତାହା ନିମକ ହାରାମ ଜାଗିରି ନାମରେ ଖ୍ୟାତ ହେଲା । ଏହି ଘଟଣାର ଇତିଵୃତ୍ତ ସେ ସମୟରେ ଓଡ଼ିଶା ଗେଜେଟ୍ରେ ପ୍ରକାଶ ପାଇଥିଲା । ହେଲେ ଫତେ ମହମ୍ମଦ ଏକମାତ୍ର ନିମକ ହରାମ୍ ଜାଗିରଦାର୍ ନଥିଲା କିନ୍ତୁ ସମ୍ଭଵତଃ ସେ ଥିଲା ପ୍ରଥମ ନିମକହରାମ୍ ଜାଗିରଦାର୍ ।
ଫତେ ମହମ୍ମଦର ଵିଶ୍ବାସଘାତକତାରୁ ଇଂରେଜମାନେ ଶିକ୍ଷା କଲେ ଯେ ସମ୍ପୂର୍ଣ୍ଣ ଓଡ଼ିଶା ଅଧିକାର କରିଵାକୁ ହେଲେ ଏ ଅଞ୍ଚଳର ଏହିପରି ଅନ୍ୟ ଅନେକ ବିଶ୍ବାସଘାତକମାନଙ୍କର ଆଵଶ୍ଯକତା ପଡି଼ଵ ।
ଏହିକ୍ରମରେ ୧୮୦୪ ଡିସେମ୍ବର ବେଳକୁ ଖୋରଧା ରାଜ୍ୟର ହଳଦିଆଗଡ଼ର ଜମିଦାର ଭଗବାନ ଵୀରଵର ଜଗଦେବ ଇଂରେଜମାନଙ୍କ ଆନୁଗତ୍ୟ ସ୍ବୀକାର କରି ସେମାନଙ୍କୁ ସାହାଯ୍ୟ କରିଥିଲେ । ଦକ୍ଷିଣ ଖୋରଧାର ବେଗୁନିଆଗଡ଼ ଓ ଝାରଗଡ଼ର ଜମିଦାର ଭୟରେ ଇଂରେଜମାନଙ୍କୁ ସମର୍ଥନ କରିଵାକୁ ଵାଧ୍ୟ ହେଲେ । ବଡ଼ତୋଟା, ଭୀମପୁର, ପଦନପୁରର ବେହେରା, ପ୍ରଧାନମାନେ ଇଂରେଜମାନଙ୍କ ପକ୍ଷ ନେଲେ । ଓଳସିଂହର ସାମନ୍ତ କାନଗୋଈ ଧନଲୋଭରେ ଇଂରେଜମାନଙ୍କୁ ଗୁପ୍ତ ତଥ୍ୟ ଏବଂ ପଥ ଦେଖାଇଦେଲେ । ଜଟଣୀ ଅଞ୍ଚଳର କୁଦିଆରୀ ଗ୍ରାମର ଚରଣ ପଟ୍ଟନାୟକ ଇଂରେଜମାନଙ୍କୁ ଖୋର୍ଦ୍ଧା ରାଜ୍ୟର ସମସ୍ତ ଗୁପ୍ତ ତଥ୍ୟ ଯୋଗାଇ ନିମକହାରାମ ଜାଗିରି ପାଇଥିଲା । ଇଂରେଜମାନେ ଚରଣ ପଟ୍ଟନାୟକକୁ ସେ ଅଞ୍ଚଳର ସରବରାକାର ନିଯୁକ୍ତ କଲେ । ମାତ୍ର ୧୮୦୪ ମସିହାରେ ପାଇକମାନେ ଉତ୍ୟକ୍ତ ହୋଇ ଚରଣ ପଟ୍ଟନାୟକର ଘର ଲୁଣ୍ଠନ କରିଵା ସହ ତାକୁ ପୋଡ଼ି ମାରି ଦେଇଥିଲେ । ଏହି ହତ୍ୟା ଅଭିଯୋଗରେ ପରେ ସ୍ଵାଧୀନତା ସଂଗ୍ରାମୀ ଶ୍ରୀପର୍ଶୁରାମ ରାଉତରାୟଙ୍କୁ ଫାଶୀ ଦିଆ ଯାଇଥିଲା।
ଇତିହାସରେ ଆଉଜଣେ ନିମକହାରାମ ଜାଗିରଦାରର କଥା ଲିପିଵଦ୍ଧ । ତାପଙ୍ଗ ଗଡର ଦଳବେହେରା ମାଧଵ ଚନ୍ଦ୍ର ରାଉତରାୟଙ୍କୁ ଧରେଇ ଦେଵାରେ ବିଶେଷ ସାହାଯ୍ୟ କରିଥିଵାରୁ ଇଂରେଜମାନେ “କରଣ ମୌସମ” ନାମକ ଜଣେ ଵ୍ୟକ୍ତିକୁ “ନିମକ ହାରାମ” ଜାଗିର ଦେଇଥିଵା ଜଣାଯାଏ । ଏହି ବିଶ୍ବାସଘାତକତା ଯୋଗୁଁ ତାପଙ୍ଗଗଡ଼ ଇଂରେଜମାନଙ୍କ ଆୟତ୍ତକୁ ଚାଲିଯାଇଥିଲା।
ଦୁଃଖର ଵିଷୟ ଓଡ଼ିଶା ଇତିହାସର ଏହି ତିନି ବିଶ୍ବାସଘାତକ ଫତେ ମହମ୍ମଦ,ଚରଣ ପଟ୍ଟନାୟକ ଓ କରଣ ମୌସମଙ୍କ ମଧ୍ୟରେ ଓଡ଼ିଶାର ଲୋକ କେଵଳ ଚରଣ ପଟ୍ଟନାୟକକୁ ମନେ ରଖିଲେ । ଓଡ଼ିଶାର ଅନେକ ଲୋକଙ୍କର ଗୋଟିଏ ଭ୍ରମ ଧାରଣା ଯେ କୁଦିଆରୀର ଚରଣ ପଟ୍ଟନାୟକ ହିଁ ଚିଲିକାର ମାଲୁଦ ଅଞ୍ଚଳରେ ଥିଵା କନ୍ଦାଖାଇ ଗଣ୍ଡରୁ ଇଂରେଜମାନଙ୍କୁ ପାର କରେଇ ଦେଇଥିଲେ । ସମ୍ଭଵତଃ ଚରଣ ପଟ୍ଟନାୟକକୁ ଆଗକରି
କନ୍ଦାଖାଇ ଘାଟରେ ଇଂରେଜମାନଙ୍କୁ ପାର କରେଇ ଦେଇଥିଵା ବିଶ୍ବାସଘାତକ ଫତେ ମହମ୍ମଦକୁ ସମସ୍ତ ଓଡ଼ିଆ ଜାତି ଭାଇଚାରା ନାଆଁରେ ଭୁଲିଗଲା । ସେହିପରି ହୋଇପାରେ ଆମ ଐତିହାସିକମାନେ ଶାନ୍ତିପ୍ରିୟ ଜାତିର ଵ୍ୟକ୍ତି ଵିଶେଷ ବୋଲି ଫତେ ମହମ୍ମଦର ନାମ ନେଵାକୁ ଭୟ କରିଥିଲେ । ଅତଏଵ୍ ଚରଣ ପଟ୍ଟନାୟକକୁ ଓଡ଼ିଶାରେ ନିମକ୍ ହରାମ୍ ଜାଗିରଦାର୍ ଭାବେ ସମସ୍ତେ ଜାଣିଲେ କିନ୍ତୁ ଫତେ ମହମ୍ମଦର ବିଶ୍ବାସଘାତକତା ଏମନ୍ତକି ତାହାର ନାମ ସୁଦ୍ଧା ଓଡ଼ିଶାର ଅନେକ ଲୋକ ଜାଣିନାହାନ୍ତି ।