Thursday, December 5, 2024

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ 
ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପା ଅର୍ଥଜ ଅସରପା ଶବ୍ଦଟି ଅସ୍ଥିରପାଦ ଶବ୍ଦରୁ ସୃଷ୍ଟି ହୋଇଛି ବୋଲି ମଧ୍ୟ ଉଲ୍ଲେଖ ଅଛି । ତେବେ ଭାଷାକୋଷରେ Cockroach ଅର୍ଥଜ ଅସରପା ଶବ୍ଦଟି ଅସ୍ରପା ଶବ୍ଦରୁ ସୃଷ୍ଟି ହୋଇଛି ବୋଲି ମତ ଦିଆଯାଇଛି । କିନ୍ତୁ ଭାଷାକୋଷ,ଶବ୍ଦକଳ୍ପଦ୍ରୁମ ଇତ୍ୟାଦି ଅନେକ ଅଭିଧାନରେ ଅସ୍ରପ ଓ ଅସ୍ରପା ଶବ୍ଦର ଅର୍ଥ ରାକ୍ଷସ, ରାକ୍ଷସୁଣୀ ଓ ଜୋକ ହିଁ ଲେଖା ହୋଇଛି। କୌଣସି ପୁରାତନ ସଂସ୍କୃତ ଅଭିଧାନରେ ଅସ୍ରପା ଶବ୍ଦର ଅର୍ଥ Cockroach ଲେଖାଥିଵା ଜଣାଯାଏ ନାହିଁ । ତେବେ ବହୁତ ସମ୍ଭଵ Cockroachକୁ ଶାସ୍ତ୍ରୀୟ ଓଡ଼ିଆ ନାଆଁଟିଏ ଦେଵା ପାଇଁ ସଂସ୍କୃତର ଅସ୍ର ଓ ପା/ପାଦ ଶବ୍ଦକୁ ଯୋଡ଼ି ଓଡ଼ିଶାରେ ସ୍ବତନ୍ତ୍ର ଭାଵେ ଅସ୍ରପା ଶବ୍ଦଟି ସୃଷ୍ଟି କରାଯାଇଥାଇପାରେ । ଭାରତରେ ଆଉ କୋଉଠି ବି କୌଣସି ଭାଷାରେ ଅସରପା କି ଅସ୍ରପା ସମସାଦୃଶ୍ୟ ଶବ୍ଦ ଦେଖାଯାଏ ନାହିଁ । କେଵଳ ବଙ୍ଗାଳୀରେ ହିଁ ଅସରପାକୁ আরশুলা (arśula) କୁହାଯାଏ । ମୂଳ ଅସ୍ରପା ଶବ୍ଦର ଵର୍ଣ୍ଣଵିପର୍ଯ୍ୟୟରେ ବଙ୍ଗାଳୀ ଭାଷାରେ আরশুলা (arśula) ଶବ୍ଦ ସୃଷ୍ଟି ହୋଇଛି ବୋଲି ଜ୍ଞାନେନ୍ଦ୍ର ମୋହନ ଦାସଙ୍କ "ବାଙ୍ଗ୍ଲା ଭାଷାରୋ ଅଭିଧାନରେ" ଉଲ୍ଲେଖ ଅଛି। 

ତେଣୁ ବହୁତ ସମ୍ଭଵ ଅସ୍ରପା ଵା ଅସ୍ରପାଦ ଶବ୍ଦରୁ ହିଁ ଅସରପା ଶବ୍ଦ ଭାରତର ପୂର୍ଵ ଭାଗସ୍ଥ କଳିଙ୍ଗ ଦେଶରେ ସୃଷ୍ଟି ହୋଇଛି। ଓଡ଼ିଆ ଭାଷା ଭାରତର ସର୍ଵାଧିକ ସଂସ୍କୃତନିଷ୍ଠ ଭାଷା ତେଣୁ ଏଭଳି ହେଵା ସାଧାରଣ କଥା । ତେବେ ଅସ୍ର ଆଉ ପା ଶବ୍ଦର ଅର୍ଥ ଆଲୋଚନା କରିଦେଲେ ସ୍ପଷ୍ଟ ହୋଇଯିଵ ଯେ Cockroachକୁ ଅସ୍ରପା ଵା ଅସରପା ନାଆଁ କାହିଁକି ଦିଆଯାଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଅସ୍ର ଶବ୍ଦର ଅର୍ଥ କୋଣ,ରକ୍ତ,କେଶ ଓ ଅଶ୍ରୁ । ସେହିପରି ‘ପା’ ଵା ‘ପାଆ’ ଶବ୍ଦର ଅର୍ଥ ଗୋଡ଼( Leg) ଓ ପାଦ(foot) । ତେଣୁ ସ୍ପଷ୍ଟ ହୋଇଯାଏ ଯେ ଅସରପାର ପାଦଟି ଵା ଗୋଡ଼ଟି ଅସ୍ରକାର ଵା କୋଣାକାର ପୁଣି ଏହାର ପାଦରେ ଏକାଧିକ ଅସ୍ର ଵା କେଶ ବାହାରି ଥାଏ ତେଣୁ ତାକୁ ଅସ୍ରପା କୁହାଗଲା । ପରେ ସେହି ଶବ୍ଦଟି ଅସରପା ହେଲା,ଅସଲା ହେଲା,ଅସରଲା ଓ ଅସରଡ଼ା ହେଲା । ବଙ୍ଗାଳୀ ଭାଷାରେ ଏହି ମୂଳ କଳିଙ୍ଗୀ ଶବ୍ଦ ଅସ୍ରପାରୁ ହିଁ আরশুলা (arśula) ଶବ୍ଦ ସୃଷ୍ଟି ହୋଇଛି। 

କ୍ରମଶଃ...

Thursday, November 28, 2024

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ଏଵଂ ଢେଙ୍କାନାଳର ଶବ୍ଦ ଗୁନ୍ଧୁରି(ଖେଳ ଗୋଳିଵା) ମଧ୍ୟରେ ଆଜି ଅର୍ଥ ସିନା ଭିନ୍ନ ଭିନ୍ନ ହୋଇଯାଇଛି କିନ୍ତୁ ଏହି ଦୁଇଗୋଟି ଶବ୍ଦର ମୂଳ ଗୋଟିଏ ଅଟେ । 

ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷର ୧୩୩ତମ ପୃଷ୍ଠା ଅନୁସାରେ ଗୁନ୍ଦଲ ଶବ୍ଦର ଅର୍ଥ ଆଵିଳ, ଗୋଳିଆ, ଅପରିଷ୍କୃତ (ପାଣି) । ଗୁନ୍ଦଲ ଶବ୍ଦର ଏହି ଅର୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ ରହିଛି । ଏହି ଗୁନ୍ଦଲ ଶବ୍ଦରୁ ଗୁନ୍ଦଲଵା କ୍ରିୟାଶବ୍ଦ ସୃଷ୍ଟି ହୋଇଛି ଓ ପାଣି ଗୋଳିଆ କରିଵା,କାଦୁଅ ପାଣି ଘଣ୍ଟା ଚକଟା କରିଵା ଓ ଆଵିଳ
କରିଵା ଅର୍ଥରେ ପ୍ରୟୋଗ ହେଉଛି । ଯିଏ ‘ଗୁନ୍ଦଲାଇ’ ଦିଏ ତାକୁ କୁହନ୍ତି ଗୁନ୍ଦଲିଆ ।‌ କାମ କରୁକରୁ ଭୁଲ୍ ହୋଇଯିଵା ଓ ସୂତାର ଖିଅ କୁଟିଳ ଵା ଆଡ଼ୁଆତାଡ଼ୁଆ ହୋଇଯିଵାକୁ ଗୁନ୍ଦଲି ଯିଵା କୁହନ୍ତି । ଗୁନ୍ଦଲ ଶବ୍ଦଟି ପୁଣି କେତେକ ଅଞ୍ଚଳରେ ଗୁନ୍ଦାଲ ରୂପେ ପ୍ରଚଳିତ ଥିଵାର ଜଣାଯାଏ। ଅଧୁନା କେହି କେହି ଗୁନ୍ଦଲେଇ ଶବ୍ଦଟିଏ ସମ୍ବଲପୁରୀ ଓଡ଼ିଆରେ ଦ୍ବନ୍ଦ ଵା ସମସ୍ୟା ଅର୍ଥରେ ଵ୍ୟଵହାର କରୁଛନ୍ତି । ତେବେ ଏହି କ୍ରିୟାଶବ୍ଦଟି ଗୁନ୍ଦ୍‌ଲ ଶବ୍ଦରୁ ସୃଷ୍ଟି ହୋଇଛି ଯାହାର ଅର୍ଥ ଗୋଳିଆ ଓ ଅପରିଷ୍କୃତ ।‌ ଵର୍ଷା ମାସେ ନଏଦ୍ (ନଦୀ) ପାଏନ୍ (ପାଣି) ଗୁନ୍ଦଲ୍ ହେସି (ହୁଏ)। ସେହିପରି ଯେତେବେଳେ କୌଣସି ଵିଷୟ ଗୋଳିଆ ହୋଇଯାଏ,ସୂତା ଗୋଳିଆ ହୋଇ ଗୁଡ଼େଇ ତୁଡ଼େଇ ହୋଇଯାଏ ଦ୍ଵନ୍ଦ୍ଵ ଉପୁଜେ । ତେଣୁ ଏହି ଆଧାରରେ ଦ୍ଵନ୍ଦ ଅର୍ଥରେ ଗୁନ୍ଦଲେଇ ହେଵା କ୍ରିୟା ଚଳିଵାକୁ ଲାଗିଲା । Bahri: Learners' Hindi-English dictionaryର ୧୪୦ତମ ପୃଷ୍ଠାରୁ ଜଣାଯାଏ ଯେ ହିନ୍ଦୀରେ ମଧ୍ୟ 
गंदला ଶବ୍ଦର ଅର୍ଥ ଗୋଳିଆ ଅପରିଷ୍କାର ପାଣି । ପୁଣି ହିନ୍ଦୀ ଶବ୍ଦ ସାଗରର ୧୧୯୫ତମ ପୃଷ୍ଠାରେ गंदोलना ଶବ୍ଦ ବି ଅଛି ଯାହାର ଅର୍ଥ ଲେଖାଅଛି କୌଣସି ଦରଵ ଵିଶେଷତଃ ଜଳକୁ ଅପରିଷ୍କାର କରିଵା । Sir Ralph lily Turnerଙ୍କ ଵ୍ୟୁତ୍ପତ୍ତିକୋଷ A comparative dictionary of Indo-Aryan languagesର ୨୧୪ତମ ପୃଷ୍ଠାରେ ଓଡ଼ିଆ ଶବ୍ଦ ଗୁନ୍ଦଲେଇଵା ଓ ହିନ୍ଦୀ ଶବ୍ଦ ଗନ୍ଦଲେନା ଶବ୍ଦର ଵ୍ୟୁତ୍ପତ୍ତି ସମ୍ବନ୍ଧରେ ଉଲ୍ଲେଖ ଅଛି । ଆଗେ ମୂଳ ଆର୍ଯ୍ୟଭାଷାରେ *gadda ବୋଲି ଏକ ଶବ୍ଦ 'sediment(ଜଳକଳ୍କ)' ଓ 'mud(କର୍ଦ୍ଦମ)' ଅର୍ଥରେ ଵ୍ୟଵହାର ହେଉଥିଲା ।‌
ପ୍ରାକୃତ ଭାଷାରେ ଏ ଶବ୍ଦ geḍḍa ହୋଇ କର୍ଦ୍ଦମ ଵା କାଦୁଅ ଅର୍ଥରେ ଚଳୁଥିଲା । ଏହି ଶବ୍ଦରୁ ବଙ୍ଗାଳୀ ଭାଷାରେ gād ଶବ୍ଦ ସୃଷ୍ଟି ହୋଇ 'dregs(କାଣ୍ଟି), lees(ମଇଳା), scum(ମଳ)' ଅର୍ଥରେ ଚଳିଅଛି । ଓଡ଼ିଆ ଭାଷାରେ gāda (ଗାଦ) ଶବ୍ଦ ମଧ୍ୟ ଏହି ଶବ୍ଦରୁ ହିଁ ସୃଷ୍ଟି ହୋଇଥିଲା ଓ 'sediment(ଜଳକଳ୍କ) ତଥା dregs(କାଣ୍ଟି)' ଅର୍ଥରେ ପ୍ରୟୋଗ ହେଉଅଛି। ଆଜି ବି ଉତ୍ତର ଓଡ଼ିଆଶୈଳୀରେ ତଥା ମେଦିନୀପୁରୀ ଓଡ଼ିଆରେ କାଣ୍ଟିକୁ ଲୋକେ ଗାଦ କୁହନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୨୧୯୩ତମ ପୃଷ୍ଠାରେ ଏହି ଗାଦ ଶବ୍ଦଟିର ଅର୍ଥ ତୈଳାଦିର କାଣ୍ଟି ଵା ମଳି ଉଲ୍ଲେଖ ଅଛି । ମଗହୀ ଆଦି ଭାଷାରେ gād ଶବ୍ଦଟି ଏହି ମୂଳରୁ 'low-lying land' ଵା ତଳିଆ ଭୂମି ଅର୍ଥରେ ସୃଷ୍ଟି ହୋଇ ଚଳୁଅଛି । ସାଧାରଣତଃ ତଳିଆ ଭୂମି କର୍ଦ୍ଦମମୟ ହୋଇଥାଏ ତେଣୁ ଏଭଳି ନାମକରଣ ହୋଇଥିଲା । ସେହିପରି ମୈଥିଳୀ ଭାଷାର gādi ଶବ୍ଦ ମଧ୍ୟ ଏହି ମୂଳ ଆର୍ଯ୍ୟ ଶବ୍ଦରୁ ସୃଷ୍ଟି ହୋଇଛି ଓ 'sediment of foul water'(ଅପରିଷ୍କାର ଜଳର କଳ୍କ) ଅର୍ଥରେ ଚଳୁଅଛି । ହିନ୍ଦୀ ଭାଷାର gād ଶବ୍ଦ ବି ଏଥିରୁ ସୃଷ୍ଟି ହୋଇ ଜଳକଳ୍କ ଓ ମଇଳା ଅର୍ଥରେ ପ୍ରୟୋଗ ହୁଏ ‌। ସେହିପରି ମରାଠୀ ଭାଷାରେ ଏହି ମୂଳରୁ gādā ଶବ୍ଦ ସୃଷ୍ଟି ହୋଇଛି ଓ କାଦୁଅ ଅର୍ଥରେ ଚଳୁଅଛି ।‌ ତେବେ ମୂଳ ଆର୍ଯ୍ୟ gadda ଶବ୍ଦରେ ଲ,ଲା ଵା ଲୁ ପ୍ରତ୍ୟୟ ଲାଗି ପରଵର୍ତ୍ତୀ କାଳରେ ଓଡ଼ିଆ ଭାଷାରେ ସୃଷ୍ଟି ହୋଇଛି ଗୁନ୍ଦଲ ଓ ଗୁନ୍ଦଲେଇଵା ଶବ୍ଦ ।‌ ମରାଠୀରେ ସୃଷ୍ଟି ହୋଇଛି ଆଵର୍ଜନା ଅର୍ଥଜ gadaḷ ଓ gādṇẽ,ହିନ୍ଦୀର gadlā ଆଉ ଗୁଜରାଟୀର gadlũ ଆଦି ଅନେକ ଶବ୍ଦ । ତେବେ ଓଡ଼ିଆ ଭାଷାରେ ଏ ଶବ୍ଦ ଆହୁରି ପରିଵର୍ତ୍ତିତ ହେଲା ଓ ଗୁନ୍ଦ୍ରାଇଵା ରୂପେ ଚଳିଵାକୁ ଲାଗିଲା । ମୂଳ ଅପରିଷ୍କାର ଅର୍ଥକୁ ବଞ୍ଚାଇ ରଖି ଗୁନ୍ଦ୍ରାଇଵା କ୍ରିୟାଟି ଅପରିଷ୍କାର ଓ ଗୋଳମାଳିଆ କରି ଲେଖିଵା ଵା ଗେନ୍ଦ୍ରାଇଵା ଅର୍ଥରେ ପ୍ରୟୋଗ କରାଯାଏ ।‌ ଖେଳ ଗୋଳିଵା ଅର୍ଥରେ ବି ଗୁନ୍ଦ୍ରା,ଗୁନ୍ଦ୍ରି ଓ ଗୁନ୍ଧୁରି ଭଳି ଶବ୍ଦ ଵ୍ୟଵହାର କରାଗଲା । ପୁଣି କଥାକୁ ଅପରିଷ୍କାର କରି ତହିଁରେ ମିଥ୍ୟା ମିଶାଇ କହିଵା ଅର୍ଥରେ ବି ଗୁନ୍ଦ୍ରାଇଵା ଶବ୍ଦ ଚଳିଲା ।‌ 

ତେବେ ସମାଜର ଜଣେ ସାଧାରଣ ଲୋକ ଗୁନ୍ଦଲେଇଵା ଓ ଗୁନ୍ଦ୍ରାଇଵା କ୍ରିୟା ମଧ୍ୟରେ ଥିଵା ସଗୋତ୍ରୀୟ ସମ୍ପର୍କ କାହୁଁ ଜାଣିଵ ? ସେ କେମିତି ଜାଣିଵ ଯେ ମୂଳ ଆର୍ଯ୍ୟ ଶବ୍ଦ gaddaରୁ ଉଭୟ ଶବ୍ଦ ସୃଷ୍ଟି ହୋଇଛି ଓ ଭିନ୍ନ ଭିନ୍ନ ଅର୍ଥରେ ଚଳୁଅଛି କିନ୍ତୁ ଉଭୟ ଶବ୍ଦ ମଧ୍ୟରେ ଆଜି ବି ପ୍ରକାଶ୍ୟ ହେଉ ଵା ଊହ୍ୟ ରୂପେ ଅପରିଷ୍କାର,ଗୋଳିଆ ଓ ମଇଳା ଆଦି ଅର୍ଥ ବଞ୍ଚି ରହିଛି । 

•(ଵି.ଦ୍ର:- ହିନ୍ଦୀ ଶବ୍ଦ ସାଗର ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଯଥାକ୍ରମେ ଗନ୍ଦଲା ଶବ୍ଦକୁ ପାର୍ସୀ ଗନ୍ଦା ଶବ୍ଦରୁ ସୃଷ୍ଟି ହୋଇଥିଵାର ମତ ରହିଛି ତେବେ ପାର୍ସୀ ଓ ହିନ୍ଦୀ ଆଦି ଭାଷାରେ ପ୍ରଚଳିତ ଥିଵା ଗନ୍ଦା ଶବ୍ଦଟି ମୂଳତଃ ସଂସ୍କୃତ ଭାଷାର ଗନ୍ଧ ଶବ୍ଦରୁ ସୃଷ୍ଟି ହୋଇଛି। କିନ୍ତୁ ସାର୍ ରାଲ୍ଫ ଲିଲି ଟର୍ନର ତାଙ୍କ ଵ୍ୟୁତ୍ପତ୍ତି କୋଷରେ ହିନ୍ଦୀ ଶବ୍ଦ ଗନ୍ଦଲାର ମୂଳ ଆର୍ଯ୍ୟ ରୂପ gadda ଉଲ୍ଲେଖ କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କାଣ୍ଟି ଅର୍ଥଜ ଗାଦ ଶବ୍ଦର ମୂଳ କର୍ଦ୍ଦମ ଓ ଏହାର ସଗୋତ୍ରୀୟ ହିନ୍ଦୀ ଓ ପାର୍ସୀରୂପ ଗର୍ଦ୍ଦା ବୋଲି ଉଲ୍ଲେଖ ଅଛି କିନ୍ତୁ ସାର୍ ରାଲ୍ଫ ଲିଲି ଟର୍ନର ତାଙ୍କ ଵ୍ୟୁତ୍ପତ୍ତି କୋଷରେ ଓଡ଼ିଆ ଶବ୍ଦ ଗାଦ'ର ମୂଳ ଆର୍ଯ୍ୟ ରୂପ gadda ହିଁ ଉଲ୍ଲେଖ କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖେଳ ଗୋଳିଵା ଅର୍ଥଜ ଗୁନ୍ଦୁରି,ଗୁନ୍ଧୁରି ଇତ୍ୟାଦି ଶବ୍ଦଗୁଡ଼ିକର ମୂଳ ଗୁଦ୍ ଧାତୁ ବୋଲି ଉଲ୍ଲେଖ କରାଯାଇଛି କିନ୍ତୁ ଗୁଦ୍ ଧାତୁରୁ ଖେଳିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୁଏ ,ଖେଳ ଗୋଳିଵା ଅର୍ଥରେ ନୁହେଁ ତେଣୁ ଗୁନ୍ଦୁରି ଶବ୍ଦ ସହିତ ଵାହ୍ୟ ସାମ୍ୟ ଥିଲେ ମଧ୍ୟ ଏହାର କୌଣସି ସଗୋତ୍ରୀୟ ସମ୍ପର୍କ ନାହିଁ)•

•••••••••••••••••••••••••••••••••
ତଥ୍ୟ ଉତ୍ସ:
*ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ(ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ)
*ହିନ୍ଦୀ ଶବ୍ଦ ସାଗର(ଶ୍ରୀ ଶ୍ୟାମସୁନ୍ଦର ଦାସ)
*ଶିକ୍ଷାର୍ଥୀ ହିନ୍ଦୀ ଅଙ୍ଗ୍ରେଜୀ ଶବ୍ଦକୋଷ/Learners' Hindi-English dictionary(ହରଦୀପ ବାହରୀ)
*A comparative dictionary of Indo-Aryan languages(Sir Ralph lily Turner)
*ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ(ପ୍ରଫୁଲ୍ଲ ତ୍ରିପାଠୀ)
•••••••••••••••••••••••••••••••

Sunday, November 17, 2024

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି...

“ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ବର ଯୋଡ଼ାକର ବୟସ ଷାଠିଏ ଷାଠିଏ ହୋଇଥିଲା, ଦୁହେଁଯାକ ଥିଲେ ଦୋଜବର । କନ୍ୟା ଯୋଡ଼ିକ ରାଣ୍ଡ ହୋଇ କିପରି ଦୁଃଖରେ ଅଛନ୍ତି, ଦେଖୁ ନାହାନ୍ତି ? ଏଣେ ଦେଖନ୍ତୁ, ବୀରେଇ କାଲିକା ପିଲା ।"

ପାତ୍ରେ ଖପାଟା ହୋଇ କହିଲେ, "ହୋଇ ହେ ମିଶ୍ରେ ! ତୁମେ ପାଠୁଆ ଲୋକଟା ହୋଇ ଏପରି ଅନ୍ୟାୟ କଥା କିମିତି କହିଲ ହେ ? ଆରେ ସେମାନଙ୍କ କପାଳରେ ଥିଲା, ରାଣ୍ଡ ହେଲେ । ମୁଁ କଣ କହି ଦେଇଥିଲି, ରାଣ୍ଡ ହୁଅ ? ବାପ ଜନ୍ମ ଦେଇଛି ବୋଲି କଣ କର୍ମ ଦେଇଛି ?”

ଏଠି ରାଣ୍ଡ ଶବ୍ଦର ଅର୍ଥ ଵିଧଵା ‌। ଓଡ଼ିଆ ଭାଷାରେ ଓ ପ୍ରାକୃତ ଭାଷାରେ ରାଣ୍ଡ ଶବ୍ଦର ମୂଳ ଓ ପ୍ରାଚୀନ ଅର୍ଥ ଵିଧଵା ହିଁ ଅଟେ । ସେଥିପାଇଁ ଅନେକ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦଦ୍ଵୟର ଵିଧଵା ଅର୍ଥରେ ପ୍ରୟୋଗ ହୋଇଛି । 

ଗଞ୍ଜାମ ଭୂମିର କଵି କୃଷ୍ଣସିଂହ ଆଜକୁ ପାଞ୍ଚ ଶହ ଵର୍ଷ ତଳେ ରାଣ୍ଡୀ ଶବ୍ଦକୁ ଵିଧଵା ଅର୍ଥରେ ପ୍ରୟୋଗ କରି କୃଷ୍ଣ ମହାଭାରତରେ ପଦେ ଲେଖିଯାଇଛନ୍ତି 

“ତୁମ୍ଭ କୁଳନାରୀଏ ହୋଇ କରି ରାଣ୍ଡୀ, ଆମ୍ଭପରି କାନ୍ଦିବେ ହୋଇଣ ଦରାଣ୍ଡି ।” (କୃଷ୍ଣସିଂହ, ମହାଭାରତ, ସ୍ତ୍ରୀ)

ସେହିପରି କୃଷ୍ଣ ସିଂହ ସେଇ କୃଷ୍ଣ ମହାଭାରତର ଆଦି ପର୍ଵରେ ରାଣ୍ଡ ଶବ୍ଦକୁ ମଧ୍ୟ ଵିଧଵା ଅର୍ଥରେ ହିଁ ପ୍ରୟୋଗ କରି ଲେଖିଛନ୍ତି 

“ସେ କାଳରେ କ୍ଷତ୍ରିୟ ସ୍ତିରୀଏ ରାଣ୍ଡ ହେଲେ !”

ଆମେ ଖୁଦୁରୁକୁଣୀ ଵ୍ରତକଥାରେ ଗୋଟିଏ ରାଣ୍ଡୀ ବାହ୍ମୁଣୀର କାହାଣୀ ଶୁଣିଛନ୍ତି ଏଵଂ ଉକ୍ତ କଥାନୁସାରେ ସିଏ ବି ଵିଧଵା ଥିଲା ତେଣୁ ତାକୁ ରାଣ୍ଡୀ ବାହ୍ମୁଣୀ କହୁଥିଲେ । ତେଣୁ ଖୁଦୁରୁକୁଣୀ ଵ୍ରତକଥାରେ ଉକ୍ତ ଵିଧଵା ବାହ୍ମୁଣୀକୁ ରାଣ୍ଡୀ ବାହ୍ମୁଣୀ ହିଁ କୁହାଯାଇଛି ...

“ସାଧଵ ଦ୍ୱାରେ ସେ ମିଳିଲା । 
କପଟେ ଭିକ୍ଷା ସେ ମାଗିଲା ॥
ରାଣ୍ଡୀ ବ୍ରାହ୍ମଣୀ ରୂପଧାରୀ । 
ଦେଖିଲେ ସାଧଵର ନାରୀ ॥”

ପୁଣି ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣରେ ଲକ୍ଷ୍ମୀଙ୍କ ମୁହଁରେ କଵି କୁହାଇଛନ୍ତି 
“ରାଣ୍ଡୀ ଅଲକ୍ଷଣୀ ଝିଅ ମୁହିଁଁ ଯେ ନୁହଁଇ । ପିତାର ଘରକୁ ମୁଁ ଯେ ବାହାରି ଯିବଇ ।”
ଏଠି ମଧ୍ୟ ରାଣ୍ଡୀ ଶବ୍ଦର ଅର୍ଥ ଵିଧଵା ହିଁ ଅଟେ । 

ସବୁଠାରୁ ବଡ଼ କଥା ହେଲା ଓଡ଼ିଆ ଭାଷାର ପ୍ରଥମ ମହାଭାରତ ସାରଳା ମହାଭାରତରେ ବି ସାରଳା ଦାସ ରାଣ୍ଡ ଶବ୍ଦଟିକୁ ଵିଧଵା ଅର୍ଥରେ ହିଁ ପ୍ରୟୋଗ କରି ଲେଖିଛନ୍ତି 

“ରଥ ଗଜ ଅଶ୍ୱ ପାଦାନ୍ତି ବଳ ତାର କେତେ ସର୍ବେ ମାଆ ରାଣ୍ଡ ପାଞ୍ଚ ଗୋଟି ପୁତ୍ରେ”

ଏଠାରେ ଵିଧଵା କୁନ୍ତୀଙ୍କୁ ରାଣ୍ଡ ବୋଲାଯାଇଛି । 

Sir Ralph Lily Turnerଙ୍କ A comparative dictionary of Indo-Aryan languages ଵ୍ୟୁତ୍ପତ୍ତି କୋଷର ୬୧୩ ନମ୍ବର ପୃଷ୍ଠାରେ raṭṭa(ରଟ୍ଟ),raḍḍa(ରଡ୍ଡ),raṇṭa(ରଣ୍ଟ),raṇṭha(ରଣ୍ଠ) ଓ raṇḍa(ରଣ୍ଡ) ଆଦି ମୂଳ ଭାରୋ ଆର୍ଯ୍ୟ ଶବ୍ଦଗୁଡ଼ିକରୁ ସୃଷ୍ଟି ହୋଇଥିଵା ପରଵର୍ତ୍ତୀ କାଳର ଶବ୍ଦଗୁଡ଼ିକର ଉଲ୍ଲେଖ ଅଛି । 

ଏହି କ୍ରମରେ ରଣ୍ଡ ମୂଳର raṁḍā(ରଣ୍ଡା) ଶବ୍ଦର ଉଲ୍ଲେଖ ଏହାର ପରଵର୍ତ୍ତୀକାଳୀନ ରୂପଗୁଡ଼ିକର ଵିସ୍ତୃତ ଉଲ୍ଲେଖ ସହିତ ରହିଛି । 

ସାର୍ ରାଲ୍ଫ୍ ଲିଲି ଟର୍ନରଙ୍କ ଅନୁସାରେ ପ୍ରାକୃତ ଭାଷାର ରଣ୍ଡା ଶବ୍ଦର ମୂଳ ଓ ଏକମାତ୍ର ଅର୍ଥ ଥିଲା ଵିଧଵା । ସେହି ମୂଳ ପ୍ରାକୃତ ରଣ୍ଡା(ଵିଧଵା) ଶବ୍ଦରୁ ଦାର୍ଦିକ୍ ଭାଷା ତୋର୍ଵାଲୀରେ žon('widower') ଓ žem('widow') ଶବ୍ଦ ସୃଷ୍ଟି ହୋଇଛି । କାଶ୍ମୀରୀ ଭାଷାରେ ranḍ ଶବ୍ଦର ଅର୍ଥ ଵିଧଵା ଓ ronᵘ ଶବ୍ଦର ଅର୍ଥ ହସ୍ତ ଵା ପଦହୀନ ଵ୍ୟକ୍ତି । ଏ ଦୁଇଟି ଶବ୍ଦ ବି ପ୍ରାକୃତ ମୂଳର ରଣ୍ଡା ଶବ୍ଦରୁ ସୃଷ୍ଟି ହୋଇଛି । ସିନ୍ଧୀରେ ବି ଏହି ମୂଳରୁ rana, ranaṛa ଶବ୍ଦ ଅଛି ଓ °ṛi ଯୁକ୍ତ ହେଲେ ସ୍ତ୍ରୀଵାଚକରେ ଵିଧଵା ଓ ଵୈଶ୍ୟା ଆଦି ଅର୍ଥରେ ପ୍ରୟୋଗ ହେଉଛି । ପୁଣି ସିନ୍ଧୀ ଭାଷାରେ ranaṛu ଓ ranoṛuର ଅର୍ଥ ଵିପତ୍ନୀକ ଅଟେ । ପଶ୍ଚିମୀ ପଞ୍ଜାବୀ ନାମରେ ଜଣାଶୁଣା Lahndā ଭାଷାରେ ଵିଦଵା ଅର୍ଥଜ ପ୍ରାକୃତ ଶବ୍ଦ ରଣ୍ଡା ଯାଇ rann ହୋଇଛି କିନ୍ତୁ ନାରୀ ଓ ସ୍ତ୍ରୀ(ପିଲା ଜନ୍ମିନଥିଵା) ଅର୍ଥରେ ପ୍ରୟୋଗ ହେଉଛି ‌ 

ପଞ୍ଜାବୀରେ ସ୍ତ୍ରୀକୁ rann ଓ ଵିଧଵାକୁ ranḍī କୁହନ୍ତି । ପଶ୍ଚିମୀ ପାହାଡ଼ି ଭାଷାର ଭାଲେସୀ ଶୈଳୀରେ ଵିଧଵାକୁ raṇḍ ତଥା ଵିପତ୍ନୀକକୁ raṇḍo କୁହନ୍ତି । 
କୁମାୟୁନୀରେ rān ଶବ୍ଦର ଅର୍ଥ ଵିଧଵା ଓ rāno ଶବ୍ଦର ଅର୍ଥ ଵିପତ୍ନୀକ ଅଟେ । ନେପାଳୀ ଭାଷାରେ ପ୍ରାକୃତ ଶବ୍ଦ ରଣ୍ଡା ଯାଇ rā̃ṛo ହୋଇଛି ଓ ଵିପତ୍ନୀକ ଅର୍ଥରେ ପ୍ରୟୋଗ ହେଉଛି ସେହି ମୂଳରୁ rā̃ṛi ଶବ୍ଦ ବି ସୃଷ୍ଟି ହୋଇ ଵିଧଵା ଅର୍ଥରେ ଚଳୁଅଛି । ଅହମିଆର rāṇḍī ଶବ୍ଦ ଵିଧଵା ଅର୍ଥରେ ଚଳୁଥିଲାବେଳେ ବଙ୍ଗାଳୀର rā̃ṛ, rā̃ṛī ଅଦି ଶବ୍ଦ ଵିଧଵା,ଉପପତ୍ନୀ ଓ ବାଞ୍ଝ ଆଦି ଅର୍ଥରେ ଚଳୁଅଛି । ଓଡ଼ିଆ ଭାଷାରେ ବି ରାଣ୍ଡ ଶବ୍ଦର ଅର୍ଥ ଵିଧଵା ଓ ସମ୍ବଲପୁର ଅଞ୍ଚଳରେ rā̃ṛa ଓ raṇḍī ଶବ୍ଦଦ୍ଵୟର ଅର୍ଥ ଯଥାକ୍ରମେ ଵିଧଵା ଓ ମହିଳା ଅର୍ଥରେ ଚଳୁଅଛି ବୋଲି ସାର୍ ରାଲ୍ଫ୍ ଲିଲି ଟର୍ନରଙ୍କ ଵ୍ୟୁତ୍ପତ୍ତି କୋଷରେ ଲେଖା ହୋଇଛି । 
ଆହୁରି ମଧ୍ଯ ବିହାରୀ ଭାଷାରେ rā̃ṛର ଅର୍ଥ ଵିଧଵା, ମୈଥିଳୀରେ ବି rā̃ṛ ଓ rā̃ṛi ଶବ୍ଦର ଅର୍ଥ ଵିଧଵା ବୋଲି କୁହାଯାଇଛି । ଭୋଜପୁରୀର rā̃ṛ; ହିନ୍ଦୀର rā̃ḍ ଓ rā̃ṛ ର ଅର୍ଥ ଵିଧଵା,ଵୈଶ୍ୟା,ବାଞ୍ଝ ଇତ୍ୟାଦି ଲେଖା ହୋଇଛି । ଗୁଜରାଟୀରେ rā̃ḍ ଶବ୍ଦର ଅର୍ଥ ଵିଧଵା,ଝିଅ ଓ ଵୈଶ୍ୟା ବୋଲି ଉଲ୍ଲେଖ ଅଛି । ମରାଠୀରେ ମଧ୍ୟ rā̃ḍ f. ଶବ୍ଦର ଅର୍ଥ ଵିଧଵା ଓ ମହିଳା ଲେଖାଅଛି ‌।  
ସଂକ୍ଷେପରେ କହିଲେ ସାର୍ ରାଲ୍ଫ୍ ଲିଲି ଟର୍ନରଙ୍କ ଵ୍ୟୁତ୍ପତ୍ତି କୋଷରେ ରାଣ୍ଡ ଓ ରାଣ୍ଡୀ ସମାର୍ଥକ ସମସାଦୃଶ୍ୟ ଯେତେ ଶବ୍ଦ ଅଛି ତନ୍ମଧ୍ୟରେ ଅଧିକାଂଶର ଅର୍ଥ ଵିଧଵା ହିଁ ଲେଖାଅଛି । ଯେହେତୁ ମୂଳ ପ୍ରାକୃତ ଶବ୍ଦ ରଣ୍ଡାର ପ୍ରଥମ ଓ ମୁଖ୍ୟ ଅର୍ଥ ଵିଧଵା ଥିଲା ତେଣୁ ପରଵର୍ତ୍ତୀ କାଳର ଵିଭିନ୍ନ ଭାରତୀୟ ଭାଷାରେ ବି ସେହି ମୂଳ ଵିଧଵା ଅର୍ଥଟି ଏଯାଵତ୍ ବଞ୍ଚି ରହିଛି । 

ହିନ୍ଦୀ ଓ ବଙ୍ଗାଳୀ ଆଦି ଭାଷାରେ ହିଁ ଵିଧଵା ଅର୍ଥଜ ପ୍ରାକୃତ ଶବ୍ଦ ରଣ୍ଡାର ଅର୍ଥ ଵିଭ୍ରାଟ ଘଟି ଭିନ୍ନ ଅର୍ଥ ପ୍ରକଟ ହେଲା ଯାହା ଆଜି Hindi Imperialism ଯୋଗୁଁ ମନୋଜ ମିଶ୍ରାଙ୍କ ପରି ମୂର୍ଖଙ୍କ ମୁଣ୍ଡ ବିଗାଡ଼ି ଦେଇଛି । ପ୍ରୋକ୍ତ ଆଲୋଚନା ଦ୍ଵାରା ଏ ଅକିଞ୍ଚନ ସ୍ପଷ୍ଟ ପ୍ରମାଣ କରି ସାରିଛି ଯେ ମୂଳ ପ୍ରାକୃତ ଶବ୍ଦଟି ଅଶ୍ଳୀଳ ନଥିଲା ଵରଂ ହିନ୍ଦୀ ବଙ୍ଗଳା ଭଳି କିଛି ବାଳ-ଭାଷାରେ ଏହାର ଅର୍ଥ ଵିଭ୍ରାଟ ଘଟିଵା ଯୋଗୁଁ ଏହି ଶବ୍ଦ ଅଶ୍ଳୀଳ ପଦଵାଚ୍ୟ ହୋଇଛି । ହିନ୍ଦୀ ଭଳି ବାରବୀଜା ଭାଷା ଯୋଗୁଁ ହିଁ ତ ଆଜି ଅହଂକାର ଅର୍ଥଜ ଅସ୍ମିତା ଶବ୍ଦକୁ ଲୋକେ ସ୍ଵାଭିମାନ ଅର୍ଥରେ ପ୍ରୟୋଗ କଲେଣି ।‌ ହିନ୍ଦୀରେ ଲୌଡ଼ା ଗୋଟିଏ ଅଶ୍ଳୀଳ ଶବ୍ଦ ବୋଲି ଓଡ଼ିଆ ଭାଷାର ଲୋଡ଼ା ଶବ୍ଦକୁ ଆଜି ଅନେକେ କହିଵାକୁ ପଶ୍ଚାତପଦ ହେଉଛନ୍ତି। ତେଣୁ ଏଥିରୁ ଓଡ଼ିଆ ଅଞ୍ଚଳରେ ହିନ୍ଦୀ ଭାଷାର ପ୍ରଭାଵ କେତେ ଵିପଜ୍ଜନକ ତାହା ସହଜେ ଅନୁମେୟ ! 
•••••••••

•ତଥ୍ୟ ଉତ୍ସ•

•A comparative dictionary of Indo-Aryan languages (Sir Ralph Lily Turner)
•ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ(ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ)

••••••ଗୋଟିଏ ଶୁଆର ଅସ୍ମିତା••••••

ଲକ୍ଷ ଲକ୍ଷ ଵର୍ଷ ତଳେ ତା ପୂର୍ଵଜ ଛଞ୍ଚାଣ ପରି ପକ୍ଷୀ ଥିଲେ କିନ୍ତୁ ସେ ଏବେ ଗୋଟେ ସାମାନ୍ୟ ଶୁଆ ଛଡ଼ା ଆଉ କିଛି ନୁହେଁ। ତା ପୂର୍ଵଜଙ୍କ ପରି ସେ କାହାକୁ ମାରି ପାରେ ନାହିଁ ସତ କିନ୍ତୁ ମଣିଷ ପରି କଥା କହିପାରେ । ଏହି ଗୁଣ ଯୋଗୁଁ ମଣିଷମାନେ ତାହାର ଜାତି ଭାଇଙ୍କୁ ଧରି ନିଅନ୍ତି ଓ ନାନା ନିର୍ଯାତନା ଦେଇ ବନ୍ଦି କରି ରଖନ୍ତି । କିନ୍ତୁ ତା'ର ଦୂର ସମ୍ପର୍କୀୟ କୁଟୁମ୍ବପକ୍ଷୀ ଛଞ୍ଚାଣ(Falcon)ର ଗୁଣ ପୂରା ଭିନ୍ନ। ଛଞ୍ଚାଣ କାହାକୁ ଡରେ ନାହିଁ, ସମସ୍ତଙ୍କ ସହିତ ଲଢ଼େ । ଶୁଆଟି ଜଣେ ଵୈଜ୍ଞାନିକର ଘରେ ବନ୍ଦୀ ଜୀଵନ କଟାଉଥିଲା । ଦିନେ ଵୈଜ୍ଞାନିକର ଝିଅ ଆଉ ଵୈଜ୍ଞାନିକ ମଧ୍ୟରେ ଛଞ୍ଚାଣ ,ଶୁଆ,ଲିଟି,ଦଇଆଳ, କାଉ ଓ ଘରଚଟିଆ କେମିତି ଦୂର ସମ୍ପର୍କୀୟ ଓ Eufalconimorphae କ୍ଲେଡ୍‌ର ସଦସ୍ୟ ସେକଥା ଆଲୋଚନା ହେଉଥିଲା । ଏହି ଅଜଣା ସତ୍ୟ ଜାଣି ବନ୍ଦୀ ଶୁଆଟି ଆଶ୍ଚର୍ଯ୍ୟ ଅଭିଭୂତ ହୋଇଗଲା । ହଠାତ ତା'ର ନିରାଶ ହୃଦୟରେ ହର୍ଷ,ଗର୍ଵ,ଦୁଃଖ ଆଦି ନାନାଦି ଭାଵ ଜାତ ହେଲା । ନିଜକୁ ଓ ନିଜ ଜାତିକୁ ଦୀନ ହୀନ କରିଥିଵାରୁ ଶୁଆଟି ଭଗଵାନଙ୍କୁ ବହେ ଗାଳି ମନ୍ଦ କଲା । କିନ୍ତୁ ତାପରେ ବନ୍ଦୀ ଶୁଆର ମନରେ ଅସ୍ମିତାଭାଵ ବଢ଼ିଗଲା । ସେ ନିଜକୁ ଆଉ ଶୁଆ ନଭାବି ଛଞ୍ଚାଣ ପରି ଶକ୍ତିଶାଳୀ,କାଉ ପରି ବୁଦ୍ଧିମାନ ତଥା ଘରଚଟିଆ ପରି ପରିଶ୍ରମୀ ମନେ କଲା । ଆଜିଠୁ ସେ ଆଉ ଶୁଆ ନୁହେଁ ଵରଂ ଛଞ୍ଚାଣ ନହେଲେ କାଉ ଅଥଵା ଘରଚଟିଆଙ୍କ ରାଜା । ତା ମନରେ ଵିଦ୍ରୋହର ଭାଵ ଉତ୍ପନ୍ନ ହେଲା । ଅତ୍ୟାଚାରୀ ମନୁଷ୍ୟ ଦ୍ଵାରା ନିର୍ମିତ ପଞ୍ଜୁରୀ ଭାଙ୍ଗି ଦେଵାକୁ ସେ ପ୍ରଥମେ ନିଜ ଥଣ୍ଟକୁ ବାରମ୍ବାର ଘସିଲା । ଅନେକ ଥର ଥଣ୍ଟ ଘସିଵା ପରେ ଶୁଆଟି ସେଇ ମୁନିଆ ଥଣ୍ଟରେ ପଞ୍ଜୁରୀ ବାଟରେ ଲଗାଯାଇଥିଵା ପତଳା ତାର ଫାସକୁ ବଳ ଲଗେଇ ଛିଣ୍ଡେଇ ଦେଲା । ଏବେ ସେ ମୁକ୍ତ, ସ୍ଵାଧୀନ ! ସଗର୍ଵେ ଶୁଆଟି ପଞ୍ଜୁରୀ ଭିତରୁ ବାହାରି ନିଜ ପକ୍ଷକୁ ଝାଡ଼ିଲା ଆଉ ଝରକା ବାଟ ଦେଇ ବାହାରକୁ ଉଡ଼ିଗଲା । 

ଶୁଆଟି କାଉ ଭଳି ବୋବାଉଥାଏ, ଘରଚଟିଆ ପରି ଉଡ଼ୁଥାଏ ଆଉ ଛଞ୍ଚାଣ ସଦୃଶ ରଙ୍ଗ ଢଙ୍ଗ ଦେଖାଉଥାଏ । ଶୁଆକୁ ଏ ଅଵସ୍ଥାରେ ଦେଖି କିଛି ପକ୍ଷୀ ତାକୁ ପାଗଳ ଭାବିଲେ ଆଉ କିଛି ପକ୍ଷୀ ଅହଂକାରୀ ମନେ କଲେ । କଜଳପାତି କେତେ ବୁଝେଇଲା ହେଲେ ଶୁଆ କୋଉ ମାନୁଛି ? ଶୁଆଟା ଆହୁରି ଉଗ୍ର ଅସ୍ମିତା ଭାଵ ପୋଷଣ କଲା । 

ଘରଚଟିଆମାନେ ଦେଖିଲେ ଶୁଆଟେ ତାଙ୍କ ପରି ଉଡ଼ୁଛି,ବୋବାଉଛି ଆଉ ଖାଉଛି ବୁଲୁଛି ‌। ସେମାନେ ତାକୁ ଭାଇ ଡାକିଲେ । ଫଳମୂଳ ଆଣି ଦେଲେ । ଗୋଟିଏ ଶୁଆ ଯଦି ଘରଚଟିଆଙ୍କ ଭାଷା ବୋଲିଲାଣି, ଘରଚଟିଆଙ୍କ ପରି ଚଳିଲାଣି ତେବେ ଆହୁରି ଶୁଆ ବି ସେଭଳି କରିପାରିବେ । ଘରଚଟିଆଙ୍କ ଛାମୁଆ ନେତା ଶୁଆକୁ ଫଳମୂଳ ଯାଚିଲେ । ଶୁଆଟା ହଟାତ କରି ଏତେ ଭଲ ପାଇଵା ପାଇ ଭୋଳ ହୋଇଗଲା । ଦିନ କେଇଟାରେ ସେ ଆଉ କେତେଟା ଶୁଆଙ୍କୁ ତାହାର ଚେଲା କଲା ଓ ତାକୁ ଜଣା ଅଜଣାଜ୍ଞାନ ଦେଲା । ଅଜଣାଜ୍ଞାନ ପାଇ ଚେଲାଶୁଆମାନେ ଜ୍ଞାନୀ ହେଲେ ଓ ନିଜକୁ ଗୋଟେ ଗୋଟେ ଘରଚଟିଆ ମନେ କଲେ । ଘରଚଟିଆମାନେ ଏତା ଦେଖି ବହେ ଉଷତ ହେଲେ ‌। କିନ୍ତୁ ଦିନେ ଶୁଆଟା ତା ଦୂର ସମ୍ପର୍କୀୟ କୁଟୁମ୍ବଭାଇ ଛଞ୍ଚାଣକୁ ଦେଖିଲା । ପ୍ରଥମ ଦେଖାରେ ହିଁ ଶୁଆଟାର ଛଞ୍ଚାଣ ଜାତି ପ୍ରତି ଆଦର ବଢ଼ିଗଲା । ତହୁଁ ସେ ଛଞ୍ଚାଣଙ୍କ ପରି ବଞ୍ଚିଵାକୁ ଲାଗିଲା । ଜୀଵ ଶିକାର କଲା,ପକ୍ଷୀଜଗତରେ ଦାଦାଗିରି କଲା । ଛଞ୍ଚାଣମାନେ ଦେଖିଲେ ଶୁଆଟେ ପାଗଳ ହୋଇଯାଇଛି ଆଉ ତାଙ୍କ ପରି ହେଵାକୁ ଚେଷ୍ଟା କରୁଛି । ଛଞ୍ଚାଣମାନେ ଶୁଆଟାର ବହେ ଉପହାସ କଲେ ଛିଛାକର କଲେ । ଶୁଆର ମନୋବଳ ଊଣା ହୋଇଗଲା । ମନଦୁଃଖରେ ଗୋଟିଏ ଜାମୁରୋଳ ଗଛ ଉପରେ ବସିଥାଏ। ଏତିକିବେଳେ କାଉମାନଙ୍କର ଦଳଟିଏ କାଉ କାଉ ହୋଇ ସେଇ ପଟ ଦେଇ ଗଲେ । ପକ୍ଷୀ ଜଗତରେ କାଉ ବଡ଼ ଗାଲୁଆ ପକ୍ଷୀ। ସେମାନେ ଦଳବଳ ଘେନି ଯେକୌଣସି ଜୀଵ ଉପରେ ଆକ୍ରମଣ କରି ଦିଅନ୍ତି । ଗୃଧ,ଛଞ୍ଚାଣ ବି କାଉଙ୍କ ତୁଲେ ବଇରି ସାଜିଵାକୁ ଡରନ୍ତି । କାଉଙ୍କ ସଂଖ୍ୟାବଳ ଦେଖି ଶୁଆର ପୁଣି ଉତ୍ସାହ ବଢ଼ିଗଲା । ସେ ଏବେ ତାହାର ଦୂର ସମ୍ପର୍କୀୟ କୁଟୁମ୍ବଭାଇ କାଉଙ୍କ ପରି ହେଵ ବୋଲି ମନସ୍ତ କରି ଆପଣା ପରରେ କଳା ରଙ୍ଗ ମାଖିଲା,ନଖ ଓ ଥଣ୍ଟକୁ ଘସି ଘସି ଗୋଜିଆ କଲା ଆଉ କାଆ କାଆ ବୋବାଳି ଛାଡ଼ି ଉଡ଼ିବୁଲିଲା । କାଉମାନେ ଦେଖିଲେ ଗୋଟେ ମୂର୍ଖ ଶୁଆ ତାଙ୍କୁ ଚିଡ଼େଇଵା ପାଇଁ ତାଙ୍କ ଭଳି ରୂପ ଭେକ ହୋଇ ଉଡ଼ୁଛି । କାଉମାନେ କୋଉ ସହୁଛନ୍ତି ସେମାନେ ଶୁଆଟାକୁ କାମୁଡ଼ି ଗୋଡ଼େଇଲେ । ଵିଚରା ଶୁଆଟା କିଛି ବୁଝି ପାରୁନଥାଏ । ସେ ପ୍ରାଣ ଵିକଳରେ ଏଣେ ତେଣେ ଉଡ଼ି ବୁଲୁଥାଇ ଏତିକିବେଳେ ଦେଖିଲା ଜଣକ ଘରେ ପିଞ୍ଜରାର ବାଟ ମେଲା ହୋଇଛି । ଶୁଆଟି ଏକା ରାହାକେ ଉଡ଼ିଯାଇ ସେ ପିଞ୍ଜରା ଭିତରେ ପଶିଗଲା ।  

(✓ତମ ପୂର୍ଵଜ ଵୀର କଳିଙ୍ଗୀ ଥିଲେ ତମେ ଗୋଟିଏ ମହାନ ଜାତିରେ ଜନ୍ମ ହୋଇ ହାଣ୍ଡିଆଙ୍କ ହନୁକରଣ କାହିଁକି କରୁଛ ? ପର ହନୁକରଣ କରି ଦିନେ ଶୁଆ ଭଳି ଦିନେ ମାଟି କାମୁଡ଼ି ପଡ଼ିଵ ! ସାଵଧାନ !!! )

Friday, November 8, 2024

ଅଯୋଗ୍ୟ ଓ ନିର୍ଲଜ୍ଜ ଵ୍ୟକ୍ତିକୁ ଘୋଡ଼ାମୁହାଁ କାହିଁକି କୁହନ୍ତି ?

ଓଡ଼ିଆ ଭାଷାରେ ପ୍ରଵାଦ ଅଛି "ବଂଶ ବୁଡ଼ିଗଲାବେଳେ ଘୋଡ଼ାମୁହାଁ ପୁଅ ଜନ୍ମ ହୁଅନ୍ତି" । କେହି କେହି ଏହି ଢଗକୁ ଆନ ପ୍ରକାରେ "କୁଳକ୍ଷୟ ବେଳକୁ ଘୋଡ଼ାମୁହାଁ ପୁଅ ଜାତ" ବି ବୋଲିଥାନ୍ତି ।

ତେବେ ପ୍ରଶ୍ନ ଆସେ ଏ ଘୋଡ଼ାମୁହାଁ କ'ଣ ? ସାଧାରଣ ଶବ୍ଦରେ କହିଲେ ଘୋଡ଼ାମୁହାଁ ଅର୍ଥ ଘୋଡ଼ା ପରି ମୁହଁ ଯାହାର ସେ ଘୋଡ଼ାମୁହାଁ ଅଟେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଘୋଡ଼ାମୁହାଁ ଶବ୍ଦର ତିନୋଟି ଅର୍ଥ ଉଲ୍ଲେଖ ଅଛି । ଲମ୍ବମୁଖଵିଶିଷ୍ଟ ଅସୁନ୍ଦର ଵ୍ୟକ୍ତି,ନିର୍ଲଜ୍ଜ ଵ୍ୟକ୍ତି ଓ ଅଯୋଗ୍ୟ ଵ୍ୟକ୍ତିକୁ ଘୋଡ଼ାମୁହାଁ କୁହନ୍ତି । ଏହି ଅର୍ଥରେ ଅଶ୍ଵମୁଖା ଶବ୍ଦ ବି ପ୍ରଚଳିତ। 

 ଅଶ୍ଵ ପରି ମୁଖ ଯୁକ୍ତ ଜୀଵ ଓ ଦେଵତାଙ୍କର ଉଲ୍ଲେଖ ଵିଭିନ୍ନ ଦେଶର ପୁରାଣ ଓ ଲୋକଗାଥାରେ ରହିଛି । ଭାରତୀୟ ପୁରାଣଗାଥାରେ ହୟଗ୍ରୀଵ,ତୁମ୍ବୁରୁ ଓ ଅଶ୍ଵିନୀକୁମାରଦ୍ଵୟଙ୍କ ମୁଣ୍ଡ ଅଶ୍ଵ ଵା ଘୋଡ଼ା ପରି ବୋଲି କଥା ଅଛି । ପୁରାଣୋକ୍ତ ଦେଵଗାୟକ କିଂପୁରୁଷମାନଙ୍କର ଅଶ୍ଵ ପରି ମୁଖ ଥିଵାର ଜଣାଯାଏ ତେଣୁ ସେମାନଙ୍କୁ ଅଶ୍ଵମୁଖ ବି କୁହାଯାଏ। ଭାରତ ଛଡ଼ା ଫିଲପାଇନ୍ସ ଦେଶର ଲୋକଗାଥାରେ ମଧ୍ୟ Tikbalang ନାମକ ଏକ କାଳ୍ପନିକ ଜୀଵର ଵର୍ଣ୍ଣନା ମିଳେ ଯାହାର ମୁଣ୍ଡ ଓ ଲାଞ୍ଜ ଘୋଡ଼ା ପରି ଏଵଂ ଶରୀର ମଣିଷ ଭଳି ହୋଇଥାଏ । ମଧ୍ୟ ଆମେରିକାର ଜନଜାତୀୟ ରେଡ୍ ଇଣ୍ଡିଆନ୍‌ମାନଙ୍କ ମଧ୍ୟରେ ବି Siguanaba ନାମ୍ନୀ ଏକ ଘୋଡ଼ୀମାନଵୀର କାହାଣୀ ପ୍ରଚଳିତ ଥିଲା । ଏହାର ଶରୀର ମାନଵୀ ଭଳି ଓ ମୁଣ୍ଡ ଘୋଡ଼ୀ ପରି କଳ୍ପିତ ହୋଇଅଛି ।  

ଵିଷ୍ଣୁ ଅଵତାର ହୟଗ୍ରୀଵଙ୍କର ଘୋଡ଼ା ପରି ମୁଖ ଥିଲା ତାହେଲେ ଓଡ଼ିଶାରେ ଅଯୋଗ୍ୟ ପୁଅକୁ ଘୋଡ଼ାମୁହାଁ କୁହାଯିଵାର କାରଣ କ'ଣ? 

ଏହି ପ୍ରଶ୍ନର ଅନେକ ସମ୍ଭାଵିତ ଉତ୍ତର ଦିଆଯାଇପାରେ । ନିମ୍ନରେ କେତେକ ସମ୍ଭାଵିତ ଉତ୍ତରର ଉଲ୍ଲେଖ କରାଗଲା !

ଘୋଡ଼ା ମୁହଁ ଭଳି କୌଣସି ଵ୍ୟକ୍ତିର ଯଦି ମୁହଁ ଲମ୍ବାଳିଆ ହୋଇଥାଏ ତେବେ ସେ ଵ୍ୟକ୍ତି ଦେଖିଵାକୁ ଅସୁନ୍ଦର ଲାଗେ ।‌ ସମାଜର ଏକ ବଡ଼ ଵର୍ଗ ସୌନ୍ଦର୍ଯ୍ୟକୁ ଯୋଗ୍ୟତା ସମ୍ବନ୍ଧୀୟ ଗୁଣ ବୋଲି ଵିଶ୍ଵାସ କରନ୍ତି । ଏହା ଅତି ନିଷ୍ଠୁର ସତ୍ୟ ଯେ ଅତିପତଳା, ଅତିମୋଟା, ବୁଟୁକା,ଲମ୍ବା, ଛୋଟା କେମ୍ପା, କଣା ଓ ଟେରା ଇତ୍ୟାଦି ଇତ୍ୟାଦି ସମାଜ ଦୃଷ୍ଟିରେ ଅସୁନ୍ଦର ଅଯୋଗ୍ୟର ଲକ୍ଷଣ । ତେଣୁ ଏ ସମାଜରେ ହୁଏତ ମୁହଁ ଘୋଡ଼ା ପରି ଲମ୍ବାଳିଆ ହୋଇଥିଵା ଅସୁନ୍ଦର ଲୋକଙ୍କୁ କେବେ କୌଣସି କାଳରେ ଘୋଡ଼ାମୁହାଁ କୁହାଯାଇଥିଵ ଯାହା ପରେ ଅଯୋଗ୍ୟ ଵ୍ୟକ୍ତି ଅର୍ଥରେ ପ୍ରୟୋଗ ହୋଇଥିଵା ସମ୍ଭଵ । 

ପୁଣି ଅଯୋଗ୍ୟ ଵ୍ୟକ୍ତିକୁ ଘୋଡ଼ା ପରି ମୁଖ ଓ ମଣିଷ ପରି ଶରୀରଯୁକ୍ତ ଘୋଡ଼ାମୁହାଁ ସହିତ ତୁଳନା କରିଵା ପଛରେ ଲକ୍ଷଣାର୍ଥ ତାକୁ ଅଜରା, ଜାରଜ ଵା ଦୁଇଗୋଟି ଜୀଵର ମିଶ୍ରଣ ପରି ଦୁଇଗୋଟି ଭିନ୍ନ ଜାତିର ମିଶ୍ରଣରେ ଜାତ ସଂକର/Hybrid ପୁରୁଷ ସହିତ ତୁଳନା କରାଯାଇଥିଵା ସମ୍ଭଵପର । ଦୁଇ ଜାତିର ଲୋକମାନଙ୍କ ସଂସର୍ଗରୁ ଜାତ ମନୁଷ୍ୟମାନଙ୍କୁ ମାନଵସମାଜ ସହସ୍ରାଧିକ ଵର୍ଷ ଧରି ଘୃଣା ଚକ୍ଷୁରେ ଦେଖି ଆସିଛି । ଵ୍ୟକ୍ତିଟି ଯେତେ ଯୋଗ୍ୟ ହୋଇଥାଉ,ଯଦି ସେ ସଂକର ତେବେ ତାକୁ ସମାଜର ଏକ ବଡ଼ ଵର୍ଗ ଅଯୋଗ୍ୟ ମନେ କରେ । 

ଆଉ କେହି କେହି କୁହନ୍ତି ପ୍ରୋକ୍ତ ଓଡ଼ିଆ ପ୍ରଵାଦ କ୍ଷେତ୍ରରେ ଵ୍ୟଵହୃତ ଘୋଡ଼ାମୁହାଁ ଶବ୍ଦର ଅର୍ଥ ଘୋଡ଼ା ପରି ମୁଖଯୁକ୍ତ ମଣିଷ ନୁହେଁ ଵରଂ ମୁହଁ ଘୋଡ଼ାଇ ଲୋକଙ୍କୁ ଲୁଣ୍ଠନ କରୁଥିଵା ସମାଜ ଦୃଷ୍ଟିରୁ ଅଯୋଗ୍ୟ ଅସାମାଜିକ ଅମାନଵମାନଙ୍କ ଅର୍ଥରେ ପ୍ରୟୋଗ ହୋଇଛି । ସମାଜରେ ଯୋଉମାନେ ନିଜ ଯୋଗ୍ୟତା ବଳରେ ଧନ ଲାଭ କରିନପାରନ୍ତି ସେମାନେ ଅନୀତି ବଳରେ ମୁହଁ ଘୋଡ଼ାଇ ବାଟରେ ଘାଟରେ ହାଟରେ ଏମନ୍ତକି ଘରେ ପଶି ଲୁଣ୍ଠନ କରନ୍ତି । ତେଣୁ ଅଯୋଗ୍ୟ ସନ୍ତାନମାନଙ୍କୁ ସେହିପରି ଅସମାଜିକ ମୁହଁ ଘୋଡ଼ା ଲୁଣ୍ଠନକାରୀଙ୍କ ସହିତ ତୁଳନା କରାଯାଇଛି । 

ଅନ୍ୟ କେତେକଙ୍କ ମତରେ ଭାରତୀୟ ପୁରାଣରେ କିଂପୁରୁଷ ଵା କିନ୍ନରମାନଙ୍କର ଅଶ୍ଵମୁଖ ପରି ମୁଖ ଥିଵାରୁ ସେମାନଙ୍କୁ ଅଶ୍ଵମୁଖ କୁହାଯାଇଛି ଓ ଏମାନଙ୍କୁ ଦେଵଯୋନୀ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି। ସେହିପରି ମର୍ତ୍ତ୍ୟଲୋକର ଅର୍ଦ୍ଧ ନର ଓ ଅର୍ଦ୍ଧ ନାରୀ ତୃତୀୟ ଲିଙ୍ଗିମାନଙ୍କୁ ବି କିନ୍ନର କୁହନ୍ତି । ଯେହେତୁ କିନ୍ନରମାନେ ଆଗେ ସମାଜ ଦୃଷ୍ଟିରେ ପୁରୁଷ ପରି ବଂଶ ବଢ଼ାଇ ପାରୁନଥିଲେ କି ନାରୀ ପରି ସନ୍ତାନ ଉତ୍ପତ୍ତି କରିପାରୁନଥିଲେ ତେଣୁ ହୁଏତ ଏଇ କାରଣରୁ ଅଯୋଗ୍ୟ ପୁରୁଷକୁ ଅଶ୍ଵମୁଖ କିନ୍ନର ଦେଵତା ଵା ମର୍ତ୍ତ୍ୟଲୋକର କିନ୍ନର ସହିତ ତୁଳନା କରାଯାଇଛି । ହଜାର ହଜାର ଵର୍ଷ ଧରି ଆମ ସମାଜରେ କିନ୍ନରମାନଙ୍କୁ ଯୋଗ୍ୟ ମନେ କରାଯାଇ ନାହିଁ। ନବେ ଦଶକ ଯାଏଁ ଅନେକ ମାତାପିତା ଲୋକଲଜ୍ଜା ଭୟରେ ଛୋଟ ବେଳୁ ହିଁ ମାଇଚିଆ ଓ କିନ୍ନରମାନଙ୍କୁ ଘରୁ ଵିତାଡ଼ିତ କରିଦେଉଥିଲେ । ଫଳତଃ ସମାଜରେ ଵିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ନହୋଇପାରି ସେମାନେ କେଵଳ ନୃତ୍ୟ ଗୀତ ମଧ୍ୟରେ ସୀମିତ ହୋଇ ରହିଯାଉଥିଲେ ଓ ପରେ ସେହି ସମାଜ ଦ୍ଵାରା ହିଁ ଅଯୋଗ୍ୟ ପରିଗଣିତ ହେଉଥିଲେ । ସମାଜରେ ରହୁଥିଵା ପ୍ରତ୍ୟେକ ମନୁଷ୍ୟ ପାଖରେ କିଛି ନା କିଛି ଯୋଗ୍ଯତା ରହିଛି ସେହିପରି ଦୋଷ ମଧ୍ୟ ସମସ୍ତଙ୍କ ପାଖରେ ଥାଏ । ସମାଜରେ କେହି ବି ସବୁ ଦିଗରୁ ଯୋଗ୍ୟ ହୋଇନପାରେ। କାହାର ରୂପ ସୁନ୍ଦର ହୋଇଥିଵ କିନ୍ତୁ ମନ ଅସୁନ୍ଦର ଥିଵ ତାହେଲେ ତାକୁ ଯୋଗ୍ୟ କେମିତି କହିଵା ? ଅମୁକେଇ ଖାଇ ପିଇ ଦେହ କାଢ଼ିଛି କିନ୍ତୁ ଝିଟିପିଟି ଦେଖିଲେ ଡରୁଛି ତାକୁ ଯୋଗ୍ୟ କେମିତି ମାନିଵା ?



ସେ ଯାହାହେଉ ଏହିପରି ଭାବେ ଘୋଡ଼ାମୁହାଁ ଶବ୍ଦର ସୃଷ୍ଟି ସମ୍ବନ୍ଧରେ ଏକାଧିକ ସମ୍ଭାଵିତ ଵ୍ୟୁତ୍ପତ୍ତି ମତ ଦିଆଯାଇପାରେ । ତେବେ ଓଡ଼ିଆ ଭାଷାରେ ଘୋଡ଼ାମୁହାଁ ଶବ୍ଦ ପରି ଅନେକ ଶବ୍ଦରେ ଘୋଡ଼ା ଶବ୍ଦ ଯୁକ୍ତ ହୋଇଥିଵା ଦେଖାଯାଏ । 
ସର୍ପର ନାଆଁ ନେଵା ଅଶୁଭ ବୋଲି ଆଗେ ଓଡ଼ିଆମାନେ ତାକୁ ଘୋଡ଼ାଗୋଡ଼ କହୁଥିଲେ। ସଂସ୍କୃତ ଭାଷାରେ ବି ସର୍ପର ଗୂଢ଼ପାଦ ନାଆଁଟିଏ ପ୍ରଚଳିତ। ଘୋଡ଼ା ହୋଇଛି ଗୋଡ଼ ଯାହାର ସେ ଘୋଡ଼ାଗୋଡ଼ ଅର୍ଥାତ ସର୍ପ ଵା ସାପ । ସେହିପରି ଘୋଡ଼ା ଓ ଡିମ୍ବ ଶବ୍ଦ ମିଶି ଘୋଡ଼ାଡିମ୍ବ ଶବ୍ଦ ସୃଷ୍ଟି ହୋଇଛି । ଘୋଡ଼ା ଏକ ସ୍ତନ୍ୟପାୟୀ ଜୀଵ ତେଣୁ ସେ ଅଣ୍ଡଜ ନୁହେଁ କି ଅଣ୍ଡା ଦିଏ ନାହିଁ । ଅତଏଵ ଘୋଡ଼ାର ଅଣ୍ଡା ଅଵାସ୍ତଵ କଥା ଠିକ୍ ସେହିପରି ଅଵାସ୍ତଵ ଦରଵ ସମ୍ବନ୍ଧରେ କହିଲା ବେଳେ ଏ ଶବ୍ଦ ପ୍ରୟୋଗ ହୋଇଥାଏ । ଅତି ବାରବୁଲା ଲୋକଙ୍କୁ ଓଡ଼ିଆ ଲୋକେ ଘୋଡ଼ାଦଣ୍ଡା କୁହନ୍ତି । ସମ୍ଭଵତଃ ଏ ଶବ୍ଦ କ୍ଷେତ୍ରରେ ଘୋର ଶବ୍ଦଟି ଘୋଡ଼ା ହୋଇଅଛି କିମ୍ବା ଘୋଡ଼ା ପରି ଏଣେ ତେଣେ ଦୌଡ଼ି ବୁଲିଵାରୁ ବାରବୁଲା ଲୋକଙ୍କୁ ଘୋଡ଼ାଦଣ୍ଡା କୁହାଯାଇଥିଵ । ଯେଉଁ ନନ୍ଦ ଜାତୀୟ ମାଟିପାତ୍ର ଘୋଡ଼ା ହୁଏ ତାକୁ ଓଡ଼ିଆ ଲୋକେ ଘୋଡ଼ାନନ୍ଦ କୁହନ୍ତି। ବଡ଼ ଵା ଡେଙ୍ଗା ଆକାରର ଗଛ ଵା ଜୀଵଙ୍କୁ ମଧ୍ୟ ଘୋଡ଼ା ଶବ୍ଦ ଯୁକ୍ତ କରି ନାମକରଣ କରାହୋଇଛି । ଯେମିତି ପଙ୍ଗପାଳର ଗୋଟିଏ ଓଡ଼ିଆ ନାଆଁ ଘୋଡ଼ାପୋକ ଏଵଂ ଆହୁରି ଅନେକ ପୋକଙ୍କର ଡେଙ୍ଗା ଆକାର ଯୋଗୁଁ ସେମାନଙ୍କୁ ଘୋଡ଼ାପୋକ ନାମ ଦିଆହୋଇଛି । ଘୋଡ଼ାଲିମ୍ବ,ଘୋଡ଼ାବଚ,ଘୋଡ଼ାମାଛି,ଘୋଡ଼ାଛାଟିଆ, ଘୋଡ଼ାଲାଞ୍ଜି ଓ ଘୋଡ଼ାଶୁଣ୍ଠି ଇତ୍ୟାଦି ଏହି ଧରଣର ଶବ୍ଦ ଅଟେ ।‌ ସେହିପରି ଅତିଶୟ ମଦ୍ୟପାନ କରୁଥିଵା ମଦ୍ୟପମାନଙ୍କୁ ଓଡ଼ିଆମାନେ ଘୋଡ଼ାମଦୁଆ କୁହନ୍ତି । ବହୁତ ସମ୍ଭଵ ଘୋର ଶବ୍ଦଟି ଏଠି ଅତି ଅର୍ଥରେ ଘୋଡ଼ା ହୋଇ ମଦୁଆ ଶବ୍ଦ ସହିତ ଯୁକ୍ତ ହୋଇଅଛି। 

ନିଶ୍ଚୟ ଭାବେ ଅନେକଙ୍କ ପାଇଁ ଘୋଡ଼ାମୁହାଁ ଏକ ଵ୍ୟଙ୍ଗ୍ୟାତ୍ମକ ଓ ଅପମାନଜନକ ଶବ୍ଦ କିନ୍ତୁ ଏହା ଅଶ୍ଳୀଳ ଶବ୍ଦ ନୁହେଁ । ଅଶ୍ଳୀଳ ଶବ୍ଦ ସମାଜରେ ଚାରିଜଣଙ୍କ ଆଗରେ କହିହୁଏ ନାହିଁ କିନ୍ତୁ ଘୋଡ଼ାମୁହାଁ ଶବ୍ଦ ସହିତ ସେଭଳି ସମସ୍ୟା ଦେଖାଯାଏ ନାହିଁ । ଅସ୍ତୁ ଆଲୋଚନାରୁ ସ୍ପଷ୍ଟ ଯେ ଏହି ଘୋଡ଼ାମୁହାଁ ଶବ୍ଦଟି ଓଡ଼ିଆ ଭାଷାର ଶବ୍ଦ ଏଵଂ ଓଡ଼ିଆ ଭାଷାର ଶବ୍ଦ ସମ୍ଭାର ଆଧାରରେ ସୃଷ୍ଟି ହୋଇଛି । ଓଡ଼ିଆ ଵ୍ୟତୀତ ଭାରତର ଅନ୍ୟ କୌଣସି ଇଣ୍ଡିକ୍ ଭାଷାରେ ଏହାର ପ୍ରତିରୂପ ନାହିଁ ‌। 

Tuesday, October 29, 2024

•ପିଜୁଳିର ଗୋଟିଏ ଓଡ଼ିଆ ନାଆଁ ସଇତମ୍ବା ଵା ସୈତାମ୍ଵ କାହିଁକି ରଖାଯାଇଥିଲା ?•

ଓଡ଼ିଶାର ସିଂହଭୂମି ଓ ଷଡ଼ୈକଳା ଖରସୁଆଁ ବିଚ୍ଛିନ୍ନାଞ୍ଚଳ ତଥା ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ପିଜୁଳିକୁ ସଇତାମ୍ବ,ସଇତମ୍ବା,ସୈତାମ୍ବ ଓ ସୋଇତାମ୍ବ ଆଦି କୁହାଯାଏ ।‌ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ କଥିତ ଓଡ଼ିଆ ଭାଷାରେ ସତ୍ୟ ଶବ୍ଦଟି ସଇତ,
ସଇତା,ସଇତୀ,ସଇତୁ,ସତେଈ,ସଇତିଆ ଓ ସଇତୁଆ ଆଦି ନାନାରୂପ ହୋଇଅଛି। ତାହେଲେ କ'ଣ ବାଜାଆମ୍ଵ ଵା ବାଦମ,ଲଙ୍କାଆମ୍ବ ଵା ଲକାମ ଭଳି ଶବ୍ଦ ପରି ଆମ୍ବ ଶବ୍ଦରେ ସତ୍ୟ ଶବ୍ଦଟି ଯୁକ୍ତ ହୋଇ ସତ୍ୟଆମ୍ବ ଶବ୍ଦଟି ସୃଷ୍ଟି ହୋଇଥିଲା ଯାହା ପରେ ଓଡ଼ିଶାର ଉତ୍ତର ବିଚ୍ଛିନ୍ନାଞ୍ଚଳ ସଇତମ୍ବା,ସୈତାମ୍ବ ଵା ସୋଇତାମ ହୋଇଯାଇଛି ? 

ତେବେ ପୁଣି ପ୍ରଶ୍ନ ଉଠେ ପିଜୁଳିକୁ କାହିଁକି କେଉଁ କାରଣରୁ ଲୋକେ ସତ୍ୟଆମ୍ବ କହୁଥିଲେ ଯେ ପରେ ତାହା ସଇତମ୍ବା ଵା ସୈତାମ୍ବ ହୋଇଅଛି ? 

ପିଜୁଳିର "ସତ୍ୟଆମ୍ବ" ନାମକରଣର ସମ୍ବନ୍ଧ ସାରଳା ମହାଭାରତର “ସତ୍ୟଆମ୍ବ କଥା” ସହିତ ଜଡି଼ତ ବୋଲି ଅନୁମାନ କରାଯାଏ । ସାରଳା ମହାଭାରତର ଏହି କଥାନୁସାରେ ପାଣ୍ଡଵମାନଙ୍କର ଅଜ୍ଞାତ ଵନଵାସ ସ୍ଥାନର ପରିଚୟ ପାଇଵା ସକାଶେ ଦିନେ ଦୁର୍ଯ୍ୟୋଧନ ମାମୁ ଶକୁନିଙ୍କ ସହିତ ମନ୍ତ୍ରଣା କଲେ ଏଵଂ ତାଙ୍କ ପରାମର୍ଶକ୍ରମେ ପୁରଚନ ପଣ୍ଡାଙ୍କ ପୁତ୍ର ଗୌରମୁଖକୁ ଡାକି ପାଣ୍ଡଵମାନଙ୍କୁ ଅନୁସନ୍ଧାନ ନିମିତ୍ତ ପଠାଇଦେଲେ ।

“ପୁରଞ୍ଜନ ପଣ୍ଡାର ପୁତ୍ର ଗୋଉରମୁଖ ବୋଲି,
ତାହାକୁ ପଠିଆଅ ମୋହୋର ଵିଚାରେ କହିଲି ।
ଶକୁନି ଵଚନ ଶୁଣିକରି ରାଜା ଦ୍ରିଯୋଧନ,
ସନ୍ନିଧକୁ ହକାରିଲେ ପୁରଞ୍ଜନର ନନ୍ଦନ ।”

ଗୌରମୁଖକୁ ଦୁର୍ଯ୍ୟୋଧନ ଆଦେଶ ଦେଇଥାନ୍ତି ଯେ ଯେଉଁମାନେ ଆଶ୍ୱିନ ମାସରେ ଆମ୍ବଫଳ ଦେଇ ପାରିବେ, ସେମାନେ ପାଣ୍ଡଵ ବୋଲି ଚିହ୍ନି ଆମ୍ଭକୁ ଆସି ଜଣାଅ । 

“ଦ୍ରିଯୋଧନ ବୋଇଲା ତୁହି ଖୋଜିବୁ ତାହାଙ୍କୁ
ସେହି ନ ଚିହ୍ନିଲେ ଭଲ ହୋଇଵ ଆମ୍ଭକୁ
ଯହିଁ ରହିଅଛନ୍ତି ପାଣ୍ଡଵ ପଞ୍ଚ ଵୀରେ
ଅନେକ ଋଷି ତପୋଧନେ ଥିବେ ସଙ୍ଗତରେ
ସରୂପ ଜାଣିବୁ ତୁ ଵିଚାରି ପରିମଳ
ଆଶ୍ୱିନ ମାସରେ ତୁ ମାଗିବୁ ପକ୍ବଚୂତ ଫଳ
ଖୋଜିଣ ସେ ଵନେ ଯଦି ଆମ୍ବ ନ ପାଇବେ
ସତ୍ୟଆମ୍ବ ହୋଇଵଟି ବୋଇଲେ ପାଣ୍ଡଵେ”

ଚାରିମାସ ପର୍ଯ୍ୟନ୍ତ ପାଣ୍ଡଵଙ୍କୁ ଉଣ୍ଡିଵା ପରେ ଶେଷରେ ଗୌରମୁଖ ପାଣ୍ଡଵମାନଙ୍କୁ ଅସ୍କନ୍ଦ ଵନରେ ଠାବ କରି ତାଙ୍କର ଅତିଥି ହେଲେ । 

“ଗଉରମୁଖ ବୋଲି ସେ ପୁରଞ୍ଜନ ପଣ୍ଡାର ବଳା,
ଚାରିମାସେ ଯାଇ ସେ ପାଣ୍ଡେଵନ୍ତ ଠାବକଲା‌।‌
ପାଣ୍ଡଵ ରହିଛନ୍ତି ଅସ୍କନ୍ଦ ନାମେ ଵନେ,
ମୁକତ ଗଙ୍ଗା ବହଇ ଯେ ଉତ୍ତର ଵାହାନେ ।
ସେ ଉତ୍ତରାଂକୁରେ ଅଛି ରାମଘାଟ ତୀର୍ଥ,
ତହିଂ ସେ ପାଣ୍ଡଵ ରହିଛନ୍ତି ପଞ୍ଚୁ ଭ୍ରାଥ ‌।”

ଗୋପ୍ୟାନ ରୂପ ଧରି ପୁରଞ୍ଜନ ପଣ୍ଡାର ପୁଅ ଗଉରମୁଖ ଜଣେ ଯୁଧିଷ୍ଠିରଙ୍କୁ ପାଚିଲା ଆମ୍ବ ଖାଇଵା ପାଇଁ ମାଗିଲେ । ଅତିଥିଙ୍କର କଥା ଶୁଣି ଯୁଧିଷ୍ଠିର ଚିନ୍ତିତ ହୋଇ ପଡି଼ଲେ । ଅସମୟରେ ଆମ୍ବ ମିଳିଵନାହିଁ ଜାଣି ମଧ୍ୟ ଯୁଧିଷ୍ଠିର ଚାରିଭାଇଙ୍କୁ ଆମ୍ବ ଆଣିଵାକୁ ପଠାଇଦେଲେ କିନ୍ତୁ ସମସ୍ତେ ନିରାଶ ହୋଇ ଫେରିଲେ । ଶେଷରେ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲେ ଓ ତାଙ୍କୁ ପାଣ୍ଡଵମାନେ ସତକଥା କହିଲେ । 

“ସତ୍ୟଆମ୍ବ କେମନ୍ତ ଯୁଝେଷ୍ଠି ପଚାରିଲେ
ଗୋବିନ୍ଦେ ବୋଇଲେ,
ଆମ୍ବେକ ଫଳିଵ ଦେଵ ସତ୍ୟ ଵଚନ କହିଲେ ।
ତୁମ୍ଭେ ପାଞ୍ଚଜଣ ସଙ୍ଗେ ଅଛନ୍ତି ଦ୍ରୋପତୀ ,
ନିରୁତାନ୍ତ ସତ୍ୟ କହିଵ ଛାଡ଼ିଵ ଯେ ମିଥ୍ୟା ପ୍ରକୃତି । 
ସତ୍ୟ କହିଲେ ଆମ୍ବ ଫଳିଵ ଵିଦ୍ୟମାନ
ଵ୍ୟାସଂକ ମୁଖ ଚାହିଂ କହନ୍ତି ଜନାର୍ଦ୍ଦନ । 
ଆମ୍ବ ମଞ୍ଜି ଗୋଟିୟେ ପ୍ରସନ୍ନେ ଦିଲେ ତପୋଧନ,
ଛାମୁରେ ଥୋଇ ଯେ ରୁନ୍ଧିଲେ ପଞ୍ଚୁମନ ।‌
ସେ ଚୂତମଞ୍ଜିକି ଯୁଝେଷ୍ଠି ଚାହିଂଲେ ପ୍ରଥମେ
ସତ୍ୟଵାକ୍ୟହିଂ ଉଚ୍ଚାରନ୍ତି ଦେବ ଧର୍ମେ ।‌
ଶ୍ରୀହରି ବୋଇଲେ କିଞ୍ଚିତ ମିଥ୍ୟା କହିଲେ ନୁହଇ ଚୂତପଂକୁ,
ହୃଦଗତେ ତତ୍ତୁକର ହୋ ସମସ୍ତ ଆତ୍ମାକୁ ।”

ପାଞ୍ଚଭାଇଙ୍କ ସତ୍ୟକଥା ଶୁଣି ଆମ୍ବ ଟାକୁଆରୁ ଗଜା ହୋଇ ଗଛ ହେଲା, ଫୁଲ ଫୁଟିଲା, କଷି ଧରିଲା ।
ପାଞ୍ଚ ପାଣ୍ଡବ ନିଜ ନିଜର ଗୋଚର ଅଗୋଚର ସତ୍ୟ କହିଵାପରେ ଦ୍ରୌପଦୀଙ୍କ ପାଳି ପଡ଼ିଲା । ସେ ସତ୍ୟ କରି କହିଲେ

“ଯୁଗତେ ୟେ ମୋହୋର ଅଟନ୍ତି ପଞ୍ଚୁପତି,
ୟେକାମାତ୍ର ଅର୍ଜୁନରେ ମୋହୋର ଅଧିକ ପୀରତି ।
ମୋତେ ଯେ କଉରୋବେ ସଭାତଳେ କଲେ ଅପମାନ,
କେଶଧରି କୋପେଣ ମୋତେ ଆଣିଲା ଧୁଶାସନ ‌।
ଆଣନ୍ତେ ଚରଣ ମୋର ନ ପଡ଼ଇ ତଳ,
ଆକ୍ରେଷି ଝିଙ୍କନ୍ତେ ସେ ଫିଟିଲାକ ମୋହୋର ବାଳ ।‌
ସେହିଦିନୁ କେଶ ମୋହୋର ନ କଲି ବନ୍ଧନ,
ସେ ଧୁଶାସନର ଭୁଜ ଉପାଡ଼ିବେ ଭୀମସେନ ।
ତାହାର ରୁଧିରେ ମୋର କେଶ ପଖାଳିବି,
ତେବେ ସେ କେଶ ହରି ମୋହୋର ବନ୍ଧନ କରିବି ।‌
ମୋହରେଣ ନାଶ ଯିବେ ଧୃତିରାଷ୍ଟ ଶତେପୁତ୍ର,
ତେବେ ସେ ପାଣ୍ଡଵେ ଭ୍ରଥା ମୋର କହିଲି ସତ୍ୟ ସତ୍ୟ । 
ୟେ ମୋହୋର ଆତ୍ମାର ଵିଚାର ଵାସୁଦେଵ
ସତ୍ୟ ସତ୍ୟ କହିଲି ମୁ ମିଥ୍ୟା ନୁହଇ ଦେଵ ।”

ଦ୍ରୌପଦୀଙ୍କ ସତ୍ୟକଥାରେ ଆମ୍ବଟି ପାଚି ହଳଦିଆ ପଡି଼ଗଲା । ଯୁଧିଷ୍ଠିର ଉଷତ ହୋଇ ବ୍ରାହ୍ମଣଙ୍କୁ ସେ ଅଦିନିଆ ଆମ୍ବଟି ପ୍ରଦାନ କଲେ । ଏକଥାକୁ ସାରଳା ଦାସ ଏମନ୍ତ ଲେଖିଲେ

“ପଞ୍ଚୁପାଣ୍ଡଵ ଦ୍ରୋପତୀଙ୍କ ସତ୍ୟ ଵଚନେ
ପାଚିଲା ଚୂତଫଳ ହୋଇଲା କୁଙ୍କୁମ ଵର୍ଣ୍ଣେ
ସତ୍ୟଆମ୍ବ ପକ ଦେଖିଣ ସାନନ୍ଦ ଵନମାଳୀ
ଆପଣେ ନାରାୟେଣ ସତ୍ୟଵାକ୍ଯେଣ ଆମ୍ବତୋଳି
ଆପଣେ ଗୋଟିୟେକ ଘେନିଲେ ଦେଵହରି
ଦୁଇ ଆମ୍ବଗୋଟିକୁ ଵାସେବି କର ଯେ ପ୍ରସାରି
ତିଜଗୋଟି ନେଇ ଦିଲେ ତପୋଧନକୁ
ଚଉଠେ ଚାରିଗୋଟି ଦିଲେ ପାଣ୍ଡେଵଙ୍କୁ
ସତ୍ୟଆମ୍ବ କରେ ଘେନିଲେ ତପୋଧନି
ଯୁଝେଷ୍ଠୀଙ୍କି ପ୍ରଶଂସନ୍ତି ଜୀଵନ ତୋର ଧନି ଧନି
ସତ୍ୟ ଭାଦ୍ରମାସେ ଫଳିଲା ଚୂତଫଳ
ୟେସନେକ ଦୁରାପଦ ମହିମାଂ ନାହିଂନା ରଵିତଳ ।”

ସତ୍ୟଆମ୍ବ ଗଛରେ ଫଳ ଫଳି ପାଚିଵାରୁ ନିଜେ ଶ୍ରୀକୃଷ୍ଣ ସତ୍ୟ କରି ଗୋଟିଏ ଆମ୍ବ ନେଲେ । ପାଣ୍ଡବମାନେ ବି ଆମ୍ବ ରଖିଲେ ଓ ଗୋଟିଏ ସତ୍ୟ ଆମ୍ବ କପଟୀ ବ୍ରାହ୍ମଣବେଶୀ ପୁରଞ୍ଜନ ପୁତ୍ର ଗଉରମୁଖକୁ ଦେଲେ । ଛଦ୍ମବ୍ରାହ୍ମଣ ଗଧୋଇସାରି ଖାଇବେ ବୋଲି କହି ସତ୍ୟଆମ୍ବଟି ନେଇ ସେଠାରୁ ପଳାଇଗଲେ । ତହୁଁ ଶ୍ରୀକୃଷ୍ଣ ସହଦେଵଙ୍କୁ ସେ ବ୍ରାହ୍ମଣଙ୍କ ଭେଦ ପଚାରନ୍ତେ ସେ କହିଲେ “

“ସହଦେଵ ବୋଇଲା ସେ ଯେ ପୁରଞ୍ଜନ ବ୍ରାହ୍ମଣ,
ଜଉ ସଜଳସ ଘର ଯେ କପଟେ କଲା ନିରିବାଣ । 
ଜଉର ଘରେ କପଟେ ଆମ୍ଭନ୍ତ କଲାକ ଦହନ,
କଉରବ ବଂଶକୁ ସେ ଅଟଇ ଧାରଣ । 
ତାହାର ପୁତ୍ର ୟେ ଗଉରମୁଖ ପଣ୍ଡା
ୟେହାକୁ ରାଇଣ ପେଷିଲା କୁରୁଷଣ୍ଢା । 
ଛଦ୍ରମେ ଅଇଲା ଆମ୍ଭନ୍ତ ଖୋଜିଵା ନିମନ୍ତେ,
ଆମ୍ବ ନ ପାଇଲେ ଶାପ ଦେଇଯାନ୍ତା ଆତଂକୁଇଂ ୟେଥେ ।
ଯେବେ ସତ୍ୟଆମ୍ବ ପ୍ରିଯୋଧନ ଛାମୁରେ ନେଇଣ ଦେବ,
ଦେଖିଣ କୁରୁପତି ଚାର ଯେ ବରଗିଵ । 
ୟେସନେକ ମାୟାରେ ଦେଵ ଯେ ଆସିଥିଲେ ସେହି,
ମୋତେ ନ ପଚାରିଲ ଭେଦ ନ ଜାଣିଲ କେହି ‌।”

ଏହା ଶୁଣି ଯୁଧିଷ୍ଠିରଙ୍କୁ ଚକ୍ରପାଣି କହିଲେ ଭୀମକୁ ପଠାଇ ସତ୍ୟଆମ୍ବକୁ ବାହୁଡ଼େଇ ଆଣିଵା ! କିନ୍ତୁ ଧର୍ମ ଅଵତାର ଯୁଧିଷ୍ଠିର ମନା କରି ଉତ୍ତର ଦେଲେ

“ଯୁଝେଷ୍ଠି ଦେଵେ ବୋଇଲେ ହରି ମୁଂ ସତ୍ୟେଣ ଦିଲି ଯାହା,
ଧର୍ମ ନାଶଯିଵ କେମନ୍ତେ ହରିବଇଂ ତାହା।”

ତହୁଁ ପାଣ୍ଡଵମାନଙ୍କଠାରୁ ଵିଦାୟ ନେଇ ଶ୍ରୀକୃଷ୍ଣ ଗରୁଡ଼ଙ୍କ ସହିତ ଦ୍ଵାରିକା ନଗରକୁ ବାହୁଡ଼ିଲେ । ବାଟରେ ଦେଖିଲେ କପଟ ବ୍ରାହ୍ମଣ ଗଉରମୁଖ ଗନ୍ଧର୍ଵ ନଦୀ କୂଳେ କୂଳେ ହସ୍ତିନାକୁ ଫେରୁଛି । ପ୍ରଭୁ ମାୟା ଯୋଗୁଁ ତାହାର ନଦୀରେ ସ୍ନାହାନ କରିଵାର ଇଚ୍ଛା ଜାଗ୍ରତ ହେଲା । ଶ୍ରୀକୃଷ୍ଣ ମଧ୍ୟ ମାୟାରୂପ ଧରି କପଟୀ ଗଉରମୁଖକୁ ନଦୀ ତଟରେ ଭେଟିଲେ । ଏତିକିବେଳେ ନଦୀକୁ ଗାଧୋଇଵାକୁ ଯାଉଥିଵାବେଳେ ଗଉରମୁଖ ଅଣ୍ଟିରେ ସତ୍ୟଆମ୍ବ ଦେଖି ସନ୍ୟାସୀ ରୂପୀ ଶ୍ରୀକୃଷ୍ଣ ତାହା କ'ଣ ବୋଲି ପୁଚ୍ଛାକଲେ । ଗଉରମୁଖ ସତ୍ୟଆମ୍ବର ପୂର୍ଵ ଘଟଣାମାନ କହିଲା । ଛଦ୍ମରୂପୀ ଶ୍ରୀକୃଷ୍ଣ କହିଲେ ଏହା କେମିତି ସମ୍ଭଵ ? ଭାଦ୍ରଵ ମାସରେ ପୁଣି ଚୂତଫଳ ବା ଆମ୍ବ କାହୁଁ ଫଳିଵ ? ଗଉରମୁଖ କହିଲା ପାଣ୍ଡଵମାନେ ସତ୍ୟ କରିଲାରୁ ଏ ଫଳ ଫଳିଲା । ଛନ୍ଦ୍ମବେଶୀ ଶ୍ରୀକୃଷ୍ଣ କିନ୍ତୁ ସହଜେ ଛାଡ଼ିଵା ଲୋକ ନୁହେଁ । ସେ କହିଲେ ନା ମ ସତ୍ୟ କରି ପୁଣି ଆମ୍ବ ଟାକୁଆରୁ ଗଛ ହୋଇ କ୍ଷଣକେ ଫଳ ହେଵ ? କାଇଁ ମୁଁ ବି ବଡ଼ ତପସ୍ଵୀ ପରମଧାର୍ମିକ ସତ୍ୟ କରିବି ଦେଖିଆ କେମିତି ଏ ଫଳରୁ ପୁଣି ଗୋଟିଏ ଗଛ ଉତ୍ତୁରିଯିଵ ? ସେଇଠୁ ଶ୍ରୀକୃଷ୍ଣ ଗଉରମୁଖଠାରୁ ସତ୍ୟଆମ୍ବଟି ନେଇ ସତ୍ୟ କରି କହିଲେ 

“ଆହେ ପଣ୍ଡାୟେ ଆମ୍ଭେ ଦେଖିଲୁଂ ଜଳେ ପଥର ଉପୁଚିଆଇ,
ସୋଲଭେଳା ଗୋଟାୟେ ଯେ ଜଳରେ ବୁଡ଼ଇ । 
ପୁରୁଷକୁ ବଳେ ଜିଣିଲା ସ୍ତିରୀମାତ୍ର ହୋଇ,
ସ୍ତିରୀବନ୍ଧ୍ୟା ହୋଇଲା ପୁରୁଷ ପ୍ରସଵଇ । 
ଵୃଷ ଦିଅଇ କ୍ଷୀର ଗାଵ ଷଣ୍ଢ ହୋଇ
ଗିରି ଶିଖରେ ଦେଖିଲୁ ପଦ୍ମ ଫୁଟିଣ ଅଛଇ ।‌
ପଦ୍ମର ବାସନା ନାହିଂ ନାହିଁ ପୁଷ୍ୟ ତେଜ,
କାଇଂଶ ପୁଷ୍ୟକୁ ଚୁମ୍ବୁଅଛି ଶୃଙ୍ଗରାଜ ।‌
ଆଦିତ୍ୟ ଦେଵତା ଉଦେ ହୋଇଲେ ପଛିମେ,
ପୂର୍ଵେ ଅସ୍ତଗଲେ କାଳ ଅନୁକ୍ରମେ
ଅନ୍ଧ ଧାମଇଂ ଯେ ଲଉଡ଼ି ବୁଲାଇ,
ଚକ୍ଷୁଥିଲା ପ୍ରାଣୀ ବୁଲଇ ବାଟବଣା ହୋଇ ।‌
ନିଶାୟେ ଉଦୟେ ହୋଇଲେକ କରତାର
ଦିଵସେ ଉଦେ ହୋଇଲେ ଶଶଧର
।”

ସେ ଦେଵ ମାୟାଧର ଚକ୍ରକୂଟ ବୁଦ୍ଧି ଲଗାଇ
ଅନେକ ମିଥ୍ୟାଵାକ୍ୟକୁ ସତ୍ୟଵାକ୍ୟ ବୋଲିଵାରୁ କ'ଣ ହେଲା ନା

“ସତ୍ଯେଣ ସତ୍ୟଆମ୍ବ ଉତପତ୍ତି ହୋଇଥିଲା,
ମିଥ୍ୟା କହିଲାରୁ ସେହିଠାରେ ଭସ୍ମଗଲା ।”

ତେଣୁ ଏହିପରି ଭାବେ ପୁରଞ୍ଜନ ପଣ୍ଡା ପୁତ୍ର ଗଉରପଣ୍ଡାର ମନ୍ଦ ଉଦ୍ଦେଶ୍ୟ ଜାଣିପାରି ଶ୍ରୀକୃଷ୍ଣ ଉକ୍ତ ସତ୍ୟଆମ୍ବଟିକୁ କୌଶଳ କ୍ରମେ ହରଣ କରି ନେଲେ ଓ ଦୁର୍ଯୋଧନ ଆଉ ପାଣ୍ଡବମାନଙ୍କ ସମ୍ବନ୍ଧରେ ପ୍ରମାଣ ପାଇ ପାରିଲେ ନାହିଁ । 

ସାରଳା ମହାଭାରତରେ ଥିଵା ସତ୍ଯଆମ୍ବ କଥାରୁ ଏତିକି ସ୍ପଷ୍ଟ ହୋଇଯାଏ ଯେ ଶ୍ରୀକୃଷ୍ଣଙ୍କ ଉପଦେଶରେ ପାଞ୍ଚପାଣ୍ଡଵ ଓ ଦ୍ରୌପଦୀ ସତ୍ୟ କରି ଆମ୍ବଟାଙ୍କୁଆରୁ ଆମ୍ବଫଳ ହିଁ ଫଳାଇଥିଲେ, ପିଜୁଳି କି ଲଙ୍କାଆମ୍ବ ନୁହେଁ । ସେହିପରି ଶ୍ରୀକୃଷ୍ଣ ପରେ କପଟସନ୍ୟାସୀକୁ ଛଦ୍ମବ୍ରାହ୍ମଣ ବେଶରେ ଭେଟି ସତ୍ଯ କରିଵା ନାଆଁରେ କୂଟମିଥ୍ୟାଵାକ୍ୟମାନ ବୋଲିଵାରୁ ତାହା ଅଦୃଶ୍ୟ ହୋଇଯାଇଥିଲା ।‌ ଏଥିରୁ ପ୍ରମାଣିତ ହୋଇଯାଏ ଯେ ଅନ୍ତତଃ ସାରଳା ମହାଭାରତରେ ପିଜୁଳି ଫଳର କୌଣସି ଉଲ୍ଲେଖ ନାହିଁ । 

ହଁ ଏମନ୍ତ ହୋଇପାରେ ଯେ ସାରଳା ମହାଭାରତ ଲେଖାଯିଵାର କିଛି ଶହ ବର୍ଷ ପରେ ଯେତେବେଳେ ଓଡ଼ିଶାକୁ ପିଜୁଳି ଓ କାଜୁଗଛ ଅଣାଯାଇ ଲଗାଗଲା ସେତେବେଳେ ଅନେକେ ସାରଳା ମହାଭାରତରେ ଵର୍ଣ୍ଣିତ ସତ୍ୟଆମ୍ବ କଥା ସହିତ ଏ ଦୁଇଗୋଟି ଗଛର ଫଳକୁ ଯୋଡ଼ି ଦେଇଥିବେ । ତେଣୁ ହୁଏତ 
ସାରଳା ମହାଭାରତରେ ଵର୍ଣ୍ଣିତ ଏହି ସତ୍ୟଆମ୍ବ କଥାକୁ ମୂଳ କରି ଓଡ଼ିଶାର ଉତ୍ତରାଞ୍ଚଳ ଓ ଉତ୍ତର ଵିଚ୍ଛିନ୍ନାଞ୍ଚଳରେ ପ୍ରଥମେ ସତ୍ୟଆମ୍ବ ନାମଟି ପ୍ରଚଳିତ ହୋଇଥିବ ଯାହା ପରେ ସୈତାମ୍ବ,ସଇତାମ୍ବ,ସଇତମ୍ବା,ସଇତମା ଓ ସୋଇତାମ୍ବ ଆଦି ନାନା ରୂପ ଲଭିଅଛି । ଉତ୍ତର ଭାରତରେ ବି ଲୋକେ ପିଜୁଳିକୁ ଶ୍ରୀକୃଷ୍ଣଙ୍କର ପ୍ରିୟଫଳ ମନେ କରନ୍ତି । ଆଜି ବି ଉତ୍ତର ଓଡ଼ିଶାର ମୟୂରଭଞ୍ଜ ତଥା ଓଡ଼ିଶାର ଉତ୍ତର ବିଚ୍ଛିନ୍ନାଞ୍ଚଳ ଷଡ଼ୈକଳା ଖରସୁଆଁ ଓ ସିଂହଭୂମିରେ ଅନେକେ ପିଜୁଳିକୁ ଓ କିଛି ଲୋକେ ଲଙ୍କାଆମ୍ବକୁ ସୈତାମ୍ବ,ସଇତମ୍ବା,ସାଇତାମ୍ବ ଓ ସୋଇତାମ୍ବ ଇତ୍ୟାଦି କହିଥାନ୍ତି । ତେବେ ସାରଳା ମହାଭାରତରୁ ପ୍ରେରିତ ହୋଇ ରଖାଯାଇଥିଵା ପିଜୁଳିର ଏହି ମୌଳିକ ଓଡ଼ିଆ ନାଆଁଟି କ୍ରମଶଃ ଵିସ୍ମୃତ ହେଵାକୁ ବସିଛି ।
••••••••••••••••••••••••••••••
ତଥ୍ୟ ଉତ୍ସ :
କ/ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ: ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ 
ଖ/ସାରଳା ମହାଭାରତ: ସାରଳା ଦାସ 
ଗ/କଥିତ ଓଡ଼ିଆ ଶବ୍ଦକୋଷ: ଓଡ଼ିଆ ଭାଷା ପ୍ରତିଷ୍ଠାନ 
••••••••••••••••••••••••••••••••

Thursday, October 24, 2024

•••ମାଧଵ ଭଗିଆ ସମ୍ବାଦ - ୪(ନିଆଁ ଶବ୍ଦ ଵ୍ୟୁତ୍ପତ୍ତି ଆଲୋଚନା)•••

ସନ୍ଧ୍ୟା ସାତଟାରେ ଭଗିଆଟା ଗାଆଁ ଚାନ୍ଦିନୀ ଉପରେ ବସି ମୋବାଇଲି କେଞ୍ଚୁଛି ଏତିକିବେଳେ କୋଉଠେ ଥିଲା କେଜାଣି ମାଧିଆ ଆସି ସେଠି ପହଞ୍ଚିଗଲା। ଭଗିଆ ଜାଣିଥିଲା ,ମାଧଵ ଆସିଛି ମାନେ କିଛି ନା କିଛି ପଚାରିଵ ନିଶ୍ଚୟ ‌ । ମାଧଵ କଥା ଭିନ୍ନ,ତା ମୁହଁ ଶୁଖିଯାଇଥାଏ ଯେ ମଣ୍ଡପରେ ମନ ଦୁଃଖରେ ବସିଗଲା କିନ୍ତୁ କିଛି କହିଲା ନାହିଁ । ଭଗିଆଟା ମାଧଵର ଏମନ୍ତ ଅଵସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲା, ପଚାରିଲା- “କ'ଣ ହେଇଛି କିରେ ?
କାଇଁ ଏମିତି ବଇଚୁ ? କିଏ ମାଇଲା ନା ଗାଳିମନ୍ଦ କଲା ଵା ?”
ମାଧଵ ସେହିପରି ମୁହଁ ଶୁଖେଇ କହିଲା -“ନାଇଁ ମ ଭାଇ ଆଜି କଲେଜରେ ବଡ଼ ଝଗଡ଼ାଟେ ହେଇଗଲା ସେଥିପାଇଁ ମନଟା ଭାରି ଦୁଃଖ । ଦେଖୁନା ସେ ଅପର୍ତ୍ତି ପୁଅ ନରିଆ ବଡ଼ ବଦମାସ୍, ତା'ର ସାହସ କମ୍ ନୁହଁ ମ କହୁଛି କ'ଣ ନା ଆମ 'ନିଆଁ' ଶବ୍ଦଟା କୁଆଡେ଼ ଗୋଟେ ଆରବୀ ଶବ୍ଦ । ମୁଁ ବି କୋଉ ଛାଡ଼ିଵା ଯନ୍ତୁ ? ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦେଖେଇ ଦେଲି ଆଉ କହିଲି ଦେଖବେ ନରି ନା ନାରୀ ଏଠି କ'ଣ ଲେଖା ହେଇଛି ନା "ଅଗ୍ନିର ଵିପର୍ଯ୍ୟସ୍ତ ରୂପ ହେଲା ଗ୍ନିଅ ଆଉ କ୍ରମେ ସେଇ ଗ୍ନିଅ ଶବ୍ଦରୁ ଓଡ଼ିଆ ଭାଷାରେ ନିଆଁ ଶବ୍ଦ ସୃଷ୍ଟି ହୋଇଛି । ନା କ'ଣ କହୁଛ କହିଲ ! ମୁଁ କ'ଣ ଭୁଲ୍ କହିଥିଲି କି ? ଏଇ କଥାକୁ ସେ ଅପର୍ତ୍ତି ପୁଅ ମୋ ଉପରେ ରାଗି ବାଡ଼େଇଵାକୁ ବାହାରି ପଡ଼ିଲା !”

ମାଧଵ କଥା ଶୁଣି ଭଗିଆ କହିଲା - ଆରବୀ କ'ଣ ଵା ପୃଥିଵୀର ଅନେକ ଭାଷାରେ 'ନ' ଆଦ୍ୟରୁ ଅଗ୍ନିର ନାମ ଅଛି । ଉଦାହରଣ ସ୍ୱରୂପ ଅଗ୍ନିକୁ ଅରବୀରେ نَار (nār) ,Amis ଭାଷାରେ namal,ହିବ୍ରୁରେ נורא (nūrā’),Aymara ଭାଷାରେ nina ଓ Quechua ଭାଷାରେ ବି nina କୁହନ୍ତି । ଏହି ଭାଷାମାନ ଭିନ୍ନ ଭିନ୍ନ ଭାଷାପରିଵାରର ତେଣୁ ଅଗ୍ନି ଅର୍ଥଜ ପ୍ରୋକ୍ତ ଶବ୍ଦଗୁଡ଼ିକର ମୂଳ ଶବ୍ଦଉତ୍ସ ମଧ୍ୟ ଭିନ୍ନ ଭିନ୍ନ ।‌ ଆରବୀ ନାର ଶବ୍ଦରୁ ଓଡ଼ିଆ ଭାଷାରେ ନିଆଁ ହୋଇଛି କହିଵା ଠିକ୍ ନୁହେଁ । ସମାନତା ଦୃଷ୍ଟିରୁ ଵରଂ ବାଲିଭିଆରେ ବୋଲାଯାଉଥିଵା ଜନଜାତୀୟ ଭାଷା Aymara ଓ ପେରୁ ଦେଶର ଭାଷା Quechuaରେ ନିଆଁକୁ nina କୁହନ୍ତି ଯାହାର ଆମ ଓଡ଼ିଆ ନିଆଁ ଶବ୍ଦ ସହିତ ସର୍ଵାଧିକ ଵାହ୍ୟ ସାମ୍ୟ ରହିଛି । ତାହେଲେ କିଏ କାହାଠୁ କୋଉ ଶବ୍ଦ ନେଇଛି ? ଦକ୍ଷିଣ ଆମେରିକାର ଲୋକଙ୍କଠୁ ଓଡ଼ିଆ ଲୋକେ nina ଶବ୍ଦ ନେଇ ନିଆଁ କରିଛନ୍ତି ନା ଓଡ଼ିଆ ଲୋକଙ୍କଠୁ ନିଆଁ ଶବ୍ଦ ନେଇ ଦକ୍ଷିଣ ଆମେରିକାର ଲୋକେ nina କରିଛନ୍ତି ? ପୁଣି ଏତେ ଦୂରକୁ ଯିଵା କ'ଣ ଦରକାର ଆମ ରାଇଜରେ ପରା କୁଈ ଭାଷାରେ ନିଆଁକୁ ନାଣି ଓ ନାଡି କୁହନ୍ତି ଆଉ ଆମ ପଡ଼ୋଶୀ ରାଜ୍ୟର ପେଙ୍ଗୋ ଭାଷାରେ ବି ନିଆଁକୁ nāṇi(ନାଣି) କୁହନ୍ତି ତାହେଲେ ନିଆଁ ଶବ୍ଦଟା କୁଈ ଆଦି ଦ୍ରାଵିଡ଼ଭାଷାରୁ କାହିଁକି ଆସିନଥିଵ ? 

ମାଧିଆ ଏସବୁ ଶୁଣି ଦ୍ଵନ୍ଦ୍ଵରେ ପଡ଼ିଲା ନା କ'ଣ ପୁଣି ପଚାରିଲା -"ତାହେଲେ ଭାଇ ତମକୁ କ'ଣ ଲାଗୁଛି ଏଇ ଓଡ଼ିଆ 'ନିଆଁ' ଶବ୍ଦଟି କେମିତି ସୃଷ୍ଟି ହୋଇଛି ? କୋଉ ଭାଷାରୁ ଆସିଛି ? "

ଭଗିଆ କହିଲା - “ଆଜକୁ ଆଠ ଦଶ ଵର୍ଷ ତଳେ ତୋ ପରି ମୁଁ ବି ଏଇ ପ୍ରଶ୍ନଟା ଦୀପାଵଳୀ ଦିନ ବଡ଼ବଡ଼ୁଆ ଡାକିଲାବେଳେ ହରିମାଷ୍ଟ୍ରେଙ୍କୁ ସନ୍ତିଆଘର ଦାଣ୍ଡ ଆଗରେ ପଚାରିଥିଲି । ସେଦିନ ସେ କହିଥିଲେ ନିଆଁ ଶବ୍ଦଟି ଓଡ଼ିଆ ଭାଷାର ମୌଳିକ ଶବ୍ଦ । ହିନ୍ଦୀ ବଙ୍ଗଳା ଇଂରାଜୀରେ ଏହି ଶବ୍ଦ ଉଣ୍ଡିଲେ ପାଇଵନି । ନି ମାନେ ନାହିଁ ଆଉ 'ହା', 'ହାଁ', 'ଆଁ' ଏସବୁ ସତର୍କଵାଚକ ଶବ୍ଦ । ସେଥିରୁ ହେଲା ନିଆଁ ! ମାନେ ତାଙ୍କ କହିଵା କଥା ଥିଲା ନିଆଁ ବଡ଼ ଵିପଜ୍ଜନକ ଦରଵ ତେଣୁ ନିଆଁଠୁ ଦୂରେଇ ରୁହ । ସେତେବେଳକୁ ଆମେ ବାଣ ଫୁଟାଉଥିଲୁ ସେଥିପାଇଁ ବୋଧେ ଆମକୁ ଏମିତି କହିଥିବେ ।”

ସଞ୍ଜୁ ମାଆ ଚାନ୍ଦିନୀ ପାଖରେ ବସି ମାଧଵ ଭଗିଆଙ୍କ କଥାଵାର୍ତ୍ତା ଶୁଣୁଥାଇ । ସେ ଆଉ ରହିନପାରି ପଛପଟୁ କହିଲା "ହଇରେ ଭଗିଆ ତୁ ଏତେ କିସ ଗପଚୁ କିରେ ? ଉଁ ଏଡ଼ିକି ବକଟେ ପିଲା ତା'ର ପୁଣି ଗପ ଲମ୍ବିଛି ଇନ୍ଦ୍ରପୁରୀ ଯାଏଁ ! ଆରେ ସିଧା କଥା ତ କହିବୁ ଏତେ ବୁଲେଇ ବଙ୍କେଇ କହିଲେ କଅଁଟା ଲାଭ ହଵ ? ପାଟିରେ ଅହରହ ଅଗ୍ନି ଅଗ୍ନି ଜପୁନୁ ଜପେ ଦେଖିବୁ ଆପେ ଆପେ ସେଇ ଶବ୍ଦଟା ନିଆଁ ପରି ହେଇଯାଉଛି କି ନାହିଁ !!!”

“ଆଲୋ ଆଈ ତୋର ତ ବହେ ବୁଦ୍ଧି ଆଉ ଏଥରକ ଭଗିଆ ଭାଇ ନଥିଲେ ତୋତେ ପଚାରିବି ଯେ !!” ସଞ୍ଜୁମାଆ ଲେଖାରେ ମାଧଵର ଆଈ ଲେଖା ତେଣୁ ସେ ଗମାତରେ କହିଲା । 

ସେଇଠୁ ଭଗିଆ ଟିକେ ଗମ୍ଭୀର ହେଇ ପୁଣି କହିଵା ଆରମ୍ଭ କଲା । ନିଆଁ ଶବ୍ଦଟି କୋଉଠୁ ଆସିଛି ଵା ନିଆଁ ଶବ୍ଦର ଵ୍ୟୁତ୍ପତ୍ତି କ'ଣ ତତ୍ ସମ୍ବନ୍ଧୀୟ ଦୁଇଗୋଟି ସମ୍ଭାଵିତ ମତ ଅଛି । କିନ୍ତୁ ଏହି ଦୁଇଗୋଟି ଵ୍ୟୁତ୍ପତ୍ତି ମତ ମଧ୍ୟରୁ କୋଉଟି ଠିକ୍ କୋଉଟି କେଵଳ ଅନୁମାନ ତାହା ଅସ୍ପଷ୍ଟ । ପ୍ରଥମତଃ ଅଗ୍ନି ଶବ୍ଦରୁ ନିଆଁ ଶବ୍ଦଟି ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଏ । ଯେହେତୁ ସିଂହଳୀ ଭାଷାରେ ଅଗ୍ନି ଶବ୍ଦଟି ପରିଵୃତ୍ତ ହୋଇ ගින්න (ginna) ଓ අග්නිය(agniya) ରୂପେ ନିଆଁ ଅର୍ଥରେ ଚଳୁଅଛି ତେଣୁ ଏ ଦୁଇଟି ଶବ୍ଦକୁ ଦେଖିଲେ ଯେକେହି କହିଵ ଯେ ହଁ ଅଗ୍ନି ଶବ୍ଦରୁ ହିଁ ଓଡ଼ିଆ ଭାଷାରେ ନିଆଁ ଶବ୍ଦଟି ସୃଷ୍ଟି ହୋଇଥିଵ । 

Sir. Ralph Lilley Turner ତାଙ୍କ ଵ୍ୟୁତ୍ପତ୍ତିକ ଅଭିଧାନ A comparative dictionary of Indo-Aryan languagesର ୪୧୧ତମ ପୃଷ୍ଠାରେ ନିଆଁ ଶବ୍ଦଟି ତତ୍ସମ ନିଦାଘ ଶବ୍ଦ ସହିତ ସମୋଦ୍ଧୃତ ବୋଲି ଉଲ୍ଲେଖ କରିଯାଇଛନ୍ତି । ତେବେ ସିଧାସଳଖ ସଂସ୍କୃତ ନିଦାଘ ଶବ୍ଦଟି ଓଡ଼ିଆ ଭାଷାରେ ନିଆଁ ହୋଇନାହିଁ । ତତ୍ସମ ନିଦାଘ ଶବ୍ଦଟି ମୂଳ ପ୍ରାକୃତ ଭାଷାରେ ଣିଆହ ହୋଇଛି ଏଵଂ ପରେ 
ମହାରାଷ୍ଟ୍ରୀ ପ୍ରାକୃତରେ 𑀡𑀺𑀆𑀳 (ṇiāha) ତଥା ଉଡ୍ର ପ୍ରାକୃତରେ ନିଆହ ହୋଇ ଶେଷକୁ ତାହା ଆଧୁନିକ ଓଡ଼ିଆ ଭାଷାରେ ନିଆଁ ହୋଇଯାଇଛି। ମୂଳ ପ୍ରାକୃତ ଭାଷାରେ ଣିଆହ ଶବ୍ଦଟି ଗ୍ରୀଷ୍ମକାଳ, ଗ୍ରୀଷ୍ମଋତୁ,ଉଷ୍ଣ,ଘର୍ମ,ଗରମ ଓ ତବତ ଆଦି ଅର୍ଥରେ ପ୍ରୟୋଗ ହେଉଥିଵା ହରଗୋଵିନ୍ଦ ଦାସଙ୍କ ସଂକଳିତ ପଇଅ ସଦ୍ଦ ମାହଣ୍ଣବୋ ଅଭିଧାନରୁ ଜଣାଯାଏ । ଏହି ପ୍ରାକୃତ ଣିଆହ ଶବ୍ଦଟି କ୍ରମେ ପଞ୍ଜାବୀରେ ਨਿੱਘ (niggha) ଓ ରୋମାନୀ ଭାଷାରେ 
 nilaj ହୋଇଛି । ତେଣୁ ବହୁତ ସମ୍ଭଵ ଅଗ୍ନି ଶବ୍ଦରୁ ନୁହେଁ ଵରଂ ଓଡ଼ିଆ ନିଆଁ ଶବ୍ଦଟି ପ୍ରାକୃତ ଣିଆହ ଓ ସଂସ୍କୃତ ନିଦାଘ ଶବ୍ଦ ସହିତ ସମୋଦ୍ଧୃତ। 

ଭଗିଆ କଥାମାନ ଶୁଣି ତେଣେ ସଞ୍ଜୁ ମାଆ ତାଟକା । ଭାଵଵିହ୍ଵଳ ହୋଇ କହୁ କହୁ କହିଦେଲା ଆରେ ଭଗିଆ ତୁ ଏତେ କଥା ସବୁ କେମିତି ଜାଣିଲୁ ? ଇସ୍କୁଲରେ ଆଜିକାଲି ଏତେ ପାଠ ପଢ଼ଉଛନ୍ତି କି ନା ? ଏ ବାପ ! ଆମ ବେଳେ ଏତେ ପାଠ ଥିଲେ ମୁଁ କିସ ପଢ଼ା ଛାଡ଼ି ଥାନ୍ତି ନା ? ସଞ୍ଜୁ ମାଆ କଥା ଶୁଣି ଭଗିଆ ଓ ମାଧଵ ଉଭୟେ ହସି ଦେଲେ । ଏତିକିବେଳେ ପାର ଅପାର ପାଟି ଶୁଭିଲା। ଭଗିଆ ଯେମିତି ପାର ଅପା ପାଟି ଶୁଣିଛି ଘିଡ଼ିପିଡ଼ି ହୋଇ ଘରକୁ ଧାଇଁଗଲା । ସଞ୍ଜୁ ମାଆ ଦେଖି ବୋଇଲା "ମଲା ମଲା ଏ ପାରଟାର ଏତେ ପାବାର ! ପିଲାଟାକୁ କୋଉଠି ବସେଇ ଉଠେଇ ଦଉନି !" ତହୁଁ ମାଧିଆ ଆଉ କରେ କିସ ମଣ୍ଡପ ଉପରେ ଗଡ଼ି ପଡ଼ି ତାରାକୁ ଦେଖି କେତେ କ'ଣ ଭାବୁଥାଏ। ତା'ର ତ ଅନେକ ପ୍ରଶ୍ନର ଏବେ ବି ଉତ୍ତର ମିଳିନାହିଁ । ତେଣୁ ସେଇ ମଣ୍ଡପ ଉପରେ ଗଡ଼ି ପଡ଼ି ସେ ବି ଏକାକୀ କିଛି ପ୍ରଶ୍ନର ଉତ୍ତର ଉଣ୍ଡିଵାକୁ ଲାଗିଲା । 
 
ପୁଣି କେବେ...
*****************************

Monday, October 21, 2024

ଦାନା ଶବ୍ଦ ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

ଏବେ ଯେଉଁ ଚକ୍ରଵାତ ଵା ଘୂର୍ଣ୍ଣିଝଡ଼ ଆସୁଅଛି ତାହାର ନାଆଁ କ଼ତାର ଦେଶ دانة (dāna) ରଖିଛି ‌ଏଵଂ ଏହି ଶବ୍ଦଟି ଏକ ଆରବିକ ନାମ । ସାଧାରଣତଃ ବଡ଼ ଓ ସୁନ୍ଦର ମୁକ୍ତାକୁ ଆରବୀ ଭାଷାରେ دانة (dāna) କୁହନ୍ତି ।‌ 

ତେବେ ଏହା ମୂଳତଃ ଏକ ପାର୍ସୀ ଶବ୍ଦ ଅର୍ଥାତ ଇରାନ ଦେଶର ଶବ୍ଦ ଅଟେ । ପାର୍ସୀ ‌دانه (dâne) ଶବ୍ଦଟି 
ପାରସ୍ୟ ଦେଶରେ ଶସ୍ୟ,ଵୀଜ,କୋଳି ଓ ଵୀର୍ଯ୍ୟ ଅର୍ଥରେ ପ୍ରୟୋଗ କରାଯାଇଥାଏ ଏଵଂ ଏହି ଶବ୍ଦଟି ଆରବୀ ଭାଷାରେ ଯାଇ ଦାନା ହୋଇ ମୁକ୍ତା ଅର୍ଥରେ ପ୍ରୟୋଗ ହେଉଅଛି। 

ପାର୍ସୀ ଭାଷାର ଏହି ଦାନା ଶବ୍ଦ ଟି କିନ୍ତୁ ଭାରୋପୀୟ ଭାଷାପରିଵାରର ଶବ୍ଦ ଏଵଂ ଆଧୁନିକ ଭାଷାଵିଦମାନେ ଏହାର ପ୍ରାକ୍ ଭାରୋଇରାନୀୟ ରୂପ *dʰaHnáH ଓ ପ୍ରାକ୍ ଆର୍ଯ୍ୟରୂପ 
*dʰaHnáH ନିର୍ଣ୍ଣୟ କରିଛନ୍ତି । 

ଏ ଦୃଷ୍ଟିରୁ ସଂସ୍କୃତ ଧାନ୍ୟ ଓ ଧାନା(dhānā́) ଶବ୍ଦ ସହିତ ପାର୍ସୀ ‌دانه (dâne) ଓ ଏହାର ଆରବୀ ରୂପ دانة (dāna)ର ସଗୋତ୍ରୀୟ ସମ୍ପର୍କ ଅଛି । ପୁଣି ଏ ସମସ୍ତ ଭାରୋଇରାନୀୟ ଶବ୍ଦଗୁଡ଼ିକର ମୂଳ ଭାରୋପୀୟ ଶବ୍ଦରୂପ *dʰoHnéh₂
ନିର୍ଣ୍ଣିତ ହୋଇଛି ଯହିଁରୁ ଗୋଟିଏ ପଟେ ସଂସ୍କୃତ ଭାଷାରେ ଧାନ୍ୟ, ଓଡ଼ିଆ ଭାଷାରେ ଧାନ ଶବ୍ଦ ସୃଷ୍ଟି ହୋଇଥିଲାବେଳେ ଅନ୍ୟ ଏକ ଦିଗରେ ଲିଥୁଆନିଆରେ ବ୍ରେଡ୍ ଅର୍ଥରେ ପ୍ରୟୋଗ ହେଉଥିଵା dúona ଶବ୍ଦ ଜାତ ହୋଇଅଛି ।‌ ଲୁପ୍ତପ୍ରାୟ ଭାରୋପୀୟ ଭାଷା Tocharian Bର tāno(ଶସ୍ୟ) ଓ ଆର୍ମେନୀୟ դոն (don) ଶବ୍ଦ ମଧ୍ୟ ଏହି ଶବ୍ଦ ମୂଳର ଶବ୍ଦ ବୋଲି ଜଣାଯାଏ ‌। 
 
ଭାରତରେ ସାଧାରଣତଃ ଘୋଡ଼ା; ଗୋରୁ ଆଦିଙ୍କ ଖାଇଵା ଶସ୍ୟକୁ ଦାନା କୁହନ୍ତି । ତେଣୁ ଘୋଡ଼ା ଦାନା; ବଳଦଙ୍କ ଦାନା ଇତ୍ୟାଦି କୁହାଯାଏ । କୋଳଥ, ବିରି, ବୁଟ, ଚଣା ଆଦି ଦାନାରୂପେ ଵ୍ୟଵହୃତ ହୁଏ।

ଏତଦଵ୍ୟତୀତ ସ୍ଥଳ ଵିଶେଷରେ 
ମଟର ପରି ଛୋଟ ଛୋଟ ଗୋଲାକାର ବୀଜକୁ ବି ଦାନା କୁହନ୍ତି। ଛୋଟ ଛୋଟ ଗୋଲ ଵସ୍ତୁ ଵା ରୁଆକୁ କେହି କେହି ଦାନା କୁହନ୍ତି । ଖାଦ୍ୟ; ଅନ୍ନ ଵା ଭୋଜ୍ୟଵସ୍ତୁକୁ ଦାନା କୁହନ୍ତି । ମାଳା ଗୁନ୍ଥାଯିଵା ସୁନା ଆଦିର କ୍ଷୁଦ୍ର ଗୋଲକକୁ ଦାନା କୁହାଯାଏ । ଅନ୍ନସଂସ୍ଥାନଦ୍ଵାରା ଦାନା ଵା ଅନ୍ନ ଯୋଗାଡ଼ ହୁଏ ବୋଲି ଜୀଵିକାକୁ ମଧ୍ୟ ଦାନା କୁହାଯାଏ । 

ଅଵଶ୍ୟ ପାର୍ସୀରେ ଦାନା ଶବ୍ଦଟି ଶସ୍ୟ ଅର୍ଥରେ ପ୍ରୟୋଗ ହୁଏ କିନ୍ତୁ ଭାରତୀୟ ଇଣ୍ଡିକଭାଷାଗୁଡ଼ିକରେ ବି ଏହା ସହିତ ସଗୋତ୍ରୀୟ ସମ୍ପର୍କ ଥିଵା ଧାନ,ଧାନା ଓ ଧାନ୍ୟ ଭଳି ଶବ୍ଦ ଚଳୁଅଛି । ତେଣୁ ପାର୍ସୀ ଶବ୍ଦ ସହିତ ସମ୍ପର୍କ ଥିଲେ ମଧ୍ୟ ଦାନା ଶବ୍ଦଟିକୁ ଵୈଦେଶିକ କହିଵାକୁ ମନ ବଳୁନାହିଁ । 

ଅସ୍ତୁ ଓଡ଼ିଆ ଭାଷାରେ ଆଗେ 
ରାକ୍ଷସ, ଅସୁର ଓ ଭୂତ ଅର୍ଥରେ ଦାନା ବୋଲି ଏକ ଶବ୍ଦ ଚଳୁଥିଲା ବୋଲି ଭାଷାକୋଷରୁ ଜଣାଯାଏ ଯାହା ସଂସ୍କୃତ ଦାନଵ ସହିତ ସମୋଦ୍ଧୃତ । 

Sunday, October 20, 2024

ହିନ୍ଦୀ ଭାଷାକୁ ଓଡ଼ିଆମାନେ ଖୁରାଣ୍ଟି କାହିଁକି କହୁଥିଲେ ?


ଜଙ୍ଗଲରେ ଗୋଟିଏ ମୂଷା ଓ ହରିଣ ମିଶା ଜୀଵଟିଏ ଦେଖାଯାଏ ଯାହାକୁ ଓଡ଼ିଆ ଭାଷାରେ କୁରାଣ୍ଟି,ଖୁରାଣ୍ଟି,ଖୋଲଟି,କୁରୁଙ୍ଗ,ଖୁରଙ୍ଗ,ଖୁରିଙ୍ଗ,ଖୁରୁଙ୍ଗ ଓ ଚିଥଲା ଇତ୍ୟାଦି କହିଥାନ୍ତି । ସାଧାରଣ ଇଂରାଜୀ ଭାଷାରେ ଏ ଜୀଵକୁ Mouse deer ଓ chevrotain କୁହାଯାଏ । ତେବେ ଭାରତରେ ଦେଖାଯାଉଥିଵା chevrotain ଜାତୀୟ ଖୁରାଣ୍ଟି ଜୀଵର ଵୈଜ୍ଞାନିକ ନାମ Moschiola indica ଅଟେ । ସେହିପରି ଦକ୍ଷିଣ ପୂର୍ଵ ଏସିଆ ଓ ଆଫ୍ରିକାରେ ଯଥାକ୍ରମେ Tragulus ଓ 
Hyemoschus ଜାତୀୟ ଖୁରାଣ୍ଟି ଦେଖାଯାଆନ୍ତି ଏଵଂ ଏମାନଙ୍କର କୁଳ ଗୋଟିଏ ଯାହାର ନାମ Tragulidae ଅଟେ । ଏହି ଖୁରାଣ୍ଟିମାନେ Artiodactyla ଵର୍ଗର ଜୀଵ ଯହିଁରେ ହରିଣଠାରୁ ଜିରାଫ ପର୍ଯ୍ୟନ୍ତ ଅନେକ ଜୀଵଙ୍କୁ ରଖାଯାଇଛି । 


ଖୁରାଣ୍ଟିମାନଙ୍କର ସଂସ୍କୃତ ନାମ ନ୍ୟଙ୍କୁ,ଚିତ୍ରମୃଗ ଓ କୁରଙ୍ଗ ଅଟେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ନ୍ୟଙ୍କୁ ଶବ୍ଦ ତଳେ ଖୁରାଣ୍ଟି ଜୀଵ ସମ୍ବନ୍ଧରେ କୁହାଯାଇଛି ଯେ ଏ ଜୀଵ ପ୍ରାୟ ଆଠ ଆଙ୍ଗୁଳ ଉଚ୍ଚ ହୁଏ। ଏହାର ଗୋଡ଼ ଅତି ସରୁ; ପଛଆଡ଼ ଉଚ୍ଚା; ଗଳାର ଲୋମ ଦେହ ଲୋମ ଅପେକ୍ଷା ବଡ଼। ଏହା ଶୃଙ୍ଗହୀନ।


ତେବେ ଭାଷାକୋଷ ଅନୁସାରେ ଓଡ଼ିଆ ଭାଷାରେ ଖୁରାଣ୍ଟି ଶବ୍ଦର ଚାରୋଟି ଅର୍ଥ ହେଲା ନ୍ୟଙ୍କୁ,ନଈକୂଳ ବନ୍ଧର ଅଗ୍ରଭାଗ,ଏକପ୍ରକାର ସାମୁଦ୍ରିକ ଲୁଣିମାଛ ଓ ହିନ୍ଦୀଭାଷା । ଅର୍ଥାତ ଆଗେ ଓଡ଼ିଆମାନେ ହିନ୍ଦୀ ଭାଷାକୁ ଖୁରାଣ୍ଟି କହୁଥିଲେ । ତେବେ ପ୍ରଶ୍ନ ଉଠେ ଏଭଳି ନାମକରଣ ପଛର କାରଣ କ'ଣ ? 

କ'ଣ ଖୁରାଣ୍ଟି ଜୀଵକୁ ଦୃଷ୍ଟିରେ ରଖି ଏଭଳି ନାମକରଣ ହୋଇଥିଲା ? ଖୁରାଣ୍ଟି ଜୀଵଟି ଦେଖିଵାକୁ ମୂଷା ଓ ହରିଣ ମିଶା ଅର୍ଥାତ ଏ ଜୀଵକୁ ଦେଖିଲେ ଯେ କେହି ଭାବିଵ ହରିଣ ଓ ମୂଷାର ରୂପକୁ ପ୍ରକୃତି ଗୋଟିଏ ଜୀଵରେ ଥୋଇ ଦେଇଛି । ଠିକ୍ ସେହିପରି ହିନ୍ଦୀ ଭାଷାକୁ ଦେଖିଲେ ଲାଗେ ସତେ ଯେମିତି ଏ ଭାଷାକୁ ଆରବୀ ପାର୍ସୀ ଭଳି ଵୈଦେଶିକ ଭାଷାର ଶବ୍ଦ ଓ ଗୁଣ ଏଵଂ ସଂସ୍କୃତ ତଥା ପ୍ରାକୃତ ମୂଳର ଶବ୍ଦ ଆଉ ଗୁଣ ମିଶ୍ରଣରେ ଫେଣ୍ଟା ଫେଣ୍ଟି କରିଦିଆଯାଇଛି । ତାହେଲେ କ'ଣ ଏ ଦୃଷ୍ଟିରୁ ଆଗେ ଓଡ଼ିଆମାନେ ହିନ୍ଦୀ ଭାଷାକୁ ଖୁରାଣ୍ଟି କହୁଥିଲେ ?

ମାତ୍ର ଅନ୍ୟ ଏକ ମତ ଏହାର ଖଣ୍ଡନ କରେ । ଓଡ଼ିଆ ଭାଷାର, ଉତ୍ତରରେ ଷଡ଼ୈକଳା ଖରସୁଆଁ ସିଂହଭୂମି ମେଦିନୀପୁର ଆଦି ଜିଲ୍ଲାଠାରୁ ଆରମ୍ଭ କରି ଦକ୍ଷିଣରେ ଶ୍ରୀକାକୁଲମ ଜିଲ୍ଲା ପର୍ଯ୍ୟନ୍ତ ପ୍ରଭାଵ ରହିଛି । ଅଧୁନା ଓଡ଼ିଶାର ଉତ୍ତର ଵିଚ୍ଛିନ୍ନାଞ୍ଚଳ ଷଡ଼ୈକଳା ଖରସୁଆଁ ଅଞ୍ଚଳଟି ଝାଡ଼ଖଣ୍ଡ ରାଜ୍ୟରେ ଅଵସ୍ଥିତ । ଏହି ଝାଡ଼ଖଣ୍ଡ ରାଜ୍ୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଲାଗି ଏକ ଇଣ୍ଡିକ୍ ଭାଷା ପ୍ରଚଳିତ ଯାହାର ନାଆଁ ଖୋରଠା ଅଟେ । ଭାଷାଵିଦମାନଙ୍କ ଅନୁସାରେ ଏହି ଭାଷାଟି ମଗହୀ ଭାଷାର ଏକ ଶୈଳୀ ଏଵଂ ଏହାକୁ ପୂର୍ଵମଗହୀ ବି କୁହାଯାଏ । ଭାଷାଵିଦଙ୍କ ଅନୁଯାୟୀ ଖୋଟ୍ଟା ଶବ୍ଦରୁ ଖୋରଠା ଭାଷାର ନାମକରଣ ହୋଇଥିଲା ।‌ ଏ ଭାଷାଟି ଓଡ଼ିଆ ଅଞ୍ଚଳ ପାଖରେ ଚଳୁଥିଵାରୁ, ଏଥିରେ ଓଡ଼ିଆ, ସାନ୍ତାଳୀ ଏଵଂ ଅନ୍ୟାନ୍ୟ ଜନଜାତୀୟ ଭାଷାର ପ୍ରଭାଵ ପଡ଼ିଥିଲା ତେଣୁ ଏହା ମିଶ୍ର ଭାଷା ହେଵାରୁ ଏହାକୁ ଖୋଟ୍ଟା ଭାଷା କହୁଥିଲେ ଯାହା ପରେ ଲୋକମୁଖରେ ଖୋରଠା ହୋଇଅଛି । ତେବେ ଏହି ଖୋରଠା ଭାଷାର ଉଲ୍ଲେଖ ବ୍ରଜନାଥ ବଡ଼ଜେନା ତାଙ୍କ ସମରତରଙ୍ଗରେ ଏମନ୍ତ କରିଛନ୍ତି 

“ସଂସ୍କୃତ ପରାକୃତ ଖୋରଠା ବୋଲି 
ନାନା ଭାଷାରେ ଗୀତ କବିତା କଲି।”

ଭାଷାକୋଷ ଅନୁସାରେ ଏଠାରେ ବ୍ରଜନାଥ ବଡ଼ଜେନା ହିନ୍ଦୀ ଭାଷାକୁ ଖୋରଠା କହିଛନ୍ତି ।‌ ତେଣୁ ବହୁତ ସମ୍ଭଵ ଓଡ଼ିଆ ଅଞ୍ଚଳକୁ ଲାଗିକରି ପ୍ରଚଳିତ ଥିଵା ଖୋରଠା ଭାଷା ଆଧାରରେ ହିନ୍ଦୀ ଭାଷାର ଓଡ଼ିଆ ନାମକରଣ ପରେ ପରେ ଖୁରାଣ୍ଟି ହୋଇଥାଇପାରେ । 

ସେ ଯାହାହେଉ ଆଗେ ଓଡ଼ିଆ ଭାଷାରେ ହିନ୍ଦୀ ଵାକ୍ୟ ଵା ଶବ୍ଦ ମିଶ୍ରଣ କରିଵା କ୍ରିୟା ଵା କୁକର୍ମକୁ ଖୁରାଣ୍ଟି ଚଲାଇଵା କୁହାଯାଉଥିଲା । ସମ୍ଭଵତଃ ଆମ ପୂର୍ଵଜମାନେ ହିନ୍ଦୀରୁ ଆଣି ଓଡ଼ିଆରେ ଅବାଧରେ ଶବ୍ଦ ଓ ପଦ ମିଶ୍ରଣକୁ ନିତାନ୍ତ ଅନାଵଶ୍ୟକ ଓ ଘୃଣ୍ୟକର୍ମ ମନେ କରୁଥିବେ ସେଥିପାଇଁ ଏଭଳି ଏକ କ୍ରିୟାଶବ୍ଦ ସୃଷ୍ଟି ହୋଇଥିଵ । କିନ୍ତୁ ଆଜିର ପିଢ଼ିକୁ ଓଡ଼ିଆ ଭାଷାରେ ଅଯଥା ହିନ୍ଦୀ,ଆରବୀ,ପାର୍ସୀ ଓ ଇଂରାଜୀ ଭାଷାର ଶବ୍ଦ ତଥା ପଦ ମିଶାଇ କଥା ହେଉଥିଵାର ଦେଖି ସେମାନେ ନିଶ୍ଚୟ ଲଜ୍ଜିତ ହେଉଥିବେ । କୁଳ ବୁଡ଼ିଗଲା ବେଳେ କୁଳାଙ୍ଗାର ସନ୍ତାନ ଜନ୍ମନ୍ତି । ଜାତି ବୁଡ଼ିଗଲାବେଳେ ବି ସେହିପରି ଶାରୀରିକ,ଆର୍ଥିକ, ସାଂସ୍କୃତିକ ଓ ରାଜନୈତିକ ଇତ୍ୟାଦି ସବୁକ୍ଷେତ୍ରରେ ଆନ ଜାତିଦ୍ଵାରା ପ୍ରଭାଵିତ ହୋଇଥିଵା ଦୁର୍ଵଳ ଓ ମୂଢ଼ ବଂଶଜ ଜାତ ହୋଇଥାନ୍ତି ।

Monday, October 7, 2024

ଵିପନ୍ନର ଉଦ୍ଧାର(ଶ୍ରୀରାମକୃଷ୍ଣ ନନ୍ଦ)

ଵିଦ୍ୟାଳୟରେ ପଢୁଥିଵା ବେଳେ ଆମକୁ ସାହିତ୍ୟ ବହିରେ ସ୍ବର୍ଗତ ଶ୍ରୀରାମକୃଷ୍ଣ ନନ୍ଦଙ୍କ ଏକ ପ୍ରବନ୍ଧ ପଢାଯାଉଥିଲା #ଵିପନ୍ନରଉଦ୍ଧାର .....!!!!
ଏହି ପ୍ରବନ୍ଧଟିରେ ୧୯୩୭ ମସିହା ଫେବୃଆରୀ ୧୯ ତାରିଖ ଦିନ ଅଷ୍ଟ୍ରେଲିଆର ପୂର୍ଵ ଉପକୂଳଵର୍ତ୍ତୀ ଅଞ୍ଚଳରେ ହୋଇଥିଵା ଏକ ଵିମାନ ଦୁର୍ଘଟଣା ଵିଷୟରେ ଉଲ୍ଲେଖ ଅଛି । ଵିଶ୍ବ ଇତିହାସରେ ସେହି ଦୂର୍ଘଟଣାଟି 
"1937 Airlines of Australia Stinson crash" ନାମରେ ପରିଚିତ ।
ବ୍ରିସବେନରୁ ପାଞ୍ଚଜଣ ଯାତ୍ରୀଙ୍କୁ ନେଇ Stinson model A ପ୍ରକାରର ଏକ ଉଡ଼ାଜାହାଜ ସିଡନୀ ଅଭିମୁଖେ ଯାତ୍ରା କରୁଥିଵା ବେଳେ McPherson Range ନିକଟରେ ଦୂର୍ଘଟଣାଗ୍ରସ୍ତ ହୋଇଯାଇଥିଲା ।
McPherson Range ଗିରିଶୃଙ୍ଖଳା Queensland ଏବଂ New South Wales 
ମଧ୍ୟରେ ଅଵସ୍ଥିତ ।
ଵିମାନରେ ମୋଟ ପାଞ୍ଚଜଣ ଯାତ୍ରୀ ତଥା ଦୁଇଜଣ ଵିମାନ ଚାଳକ ଥିଲେ । ଦୁଇଜଣ ଵିମାନଚାଳକଙ୍ଖ ସହ ଦୁଇଜଣ ଯାତ୍ରୀଙ୍କର ଦୂର୍ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।
ଵର୍ତ୍ତିଯାଇଥିବା ବାକି ତିନିଜଣ ଗୁରୁତର ଆହତ ହୋଇଥିଲେ । ତନ୍ମଧ୍ୟରୁ ଜଣେ ବ୍ରିଟିଶ୍ ନାଗରିକ ନିଜେ ଗୁରୁତର ଆହତ ହୋଇଥିଵା ସତ୍ତ୍ବେ ପାର୍ଵତ୍ଯାଞ୍ଚଳରୁ ସାହାଯ୍ୟ ଆଣିଵାକୁ ଯାଇ ବାଟରେ ହିଁ ମୃତ୍ୟୁ ମୁଖରେ ପଡିଥିଲେ । ନିଖୋଜ ଜାହାଜକୁ ଠାବକରିଵା ହେତୁ ତତ୍କାଳୀନ ସରକାର ୨୮ଟି ଉଡାଜାହାଜ ଅନୁସନ୍ଧାନ କାର୍ଯ୍ୟରେ ଲଗାଇ ମଧ୍ଯ ଵିଫଳ ହୋଇଥିଲେ ।

ଦୂର୍ଘଟଣାକୁ ପାଞ୍ଚଦିନ ହୋଇଯାଇଥିଲା ହେଲେ ଜାହାଜକୁ ତଥାପି ଠାବ କରିପାରିନଥିଲେ ସରକାର । 
ଏମିତି ସମୟରେ ଜଣେ ଅଷ୍ଟ୍ରେଲିଆନ୍ ବୁସମ୍ୟାନ୍ 
Alfonso Bernard O'Reilly (1903–1975) ଦୂର୍ଘଟଣାଗ୍ରସ୍ଥ ଉଡାଜାହାଜଟିକୁ ଖୋଜିଵା ପାଇଁ ଅଣ୍ଟା ଭିଡ଼ିଲେ ।
 ଦୁଇଦିନ ମଧ୍ୟରେ ସେ ଦୂର୍ଗମ ପର୍ଵତାଦିରେ ଖୋଜିି ଖୋଜି 
Lamington Nat ସାଇଟ୍‌ରେ ନିଖୋଜ ଵିମାନକୁ ଠାବ କଲେ । ସେତେବେଳକୁ
ଜୀଵିତ ଵ୍ୟକ୍ତିଦ୍ବୟ ମୂର୍ମୁଷୁପ୍ରାୟ ମୃତ୍ୟୁ ସହ ଲଢ଼ୁଥାନ୍ତି । ବର୍ଣ୍ଣାଢ଼ ଓରିଲି ତାଙ୍କୁ ଖାଦ୍ୟପେୟାଦି ଯୋଗାଇ ପୁଣି ପର୍ଵତ ତଳକୁ ଓହ୍ଲେଇଲେ । ନିକଟସ୍ଥ ଜନବସତିରେ ପହଞ୍ଚିଵା ମାତ୍ରେ ଘୋଡାଟିଏ ଯୋଗାଡ଼ କରି ପାଖ ସହରରେ ଜଣାଇଲାରୁ ଦୁଇଟି ଜୀଵନ ଵର୍ତ୍ତିଗଲା । ଓରିଲିଙ୍କ ଠାରୁ ସୁଚନା ପାଇ ୮୦ରୁ ଅଧିକ ସ୍ବେଚ୍ଛାକର୍ମୀ ପର୍ଵତ ଉପରକୁ ଯାଇ ଜୀଵିତ ଯାତ୍ରୀଦ୍ବୟଙ୍କୁ ରକ୍ଷା କରିଥିଲେ । ପୂର୍ଵେ ଵିଦ୍ୟାଳୟରେ ଏହି ଦୁର୍ଘଟଣା ସମ୍ବନ୍ଧୀୟ 
ଶ୍ରୀରାମକୃଷ୍ଣ ନନ୍ଦଙ୍କର ଯେଉଁ ପ୍ରବନ୍ଧଟି ପଢ଼ାଯାଉଥିଲା ତାହା ନିମ୍ନରେ ପ୍ରଦତ୍ତ ହେଲା...


•ଵିପନ୍ନର ଉଦ୍ଧାର(ଶ୍ରୀରାମକୃଷ୍ଣ ନନ୍ଦ)•

୧୯୩୭ ମସିହା ଫେବୃୟାରୀ ୧୯ ତାରିଖ ଦିନ ଅଷ୍ଟ୍ରେଲିଆର ପୂର୍ଵ ଉପକୂଳଵର୍ତ୍ତୀ ଅଞ୍ଚଳରେ ଗୋଟିଏ ଵିମାନ ଦୁର୍ଘଟଣା ଘଟିଥିଲା । ସେହି ଘଟଣାରେ ଦୁଇଟି ମହନୀୟ ଚରିତ୍ରର ଅପୂର୍ଵ ସାହସ ଓ ଅନୁପମ ମହତ୍ତ୍ଵ ପ୍ରକାଶ ପାଇଅଛି । କାଳକ୍ରମେ ଜଗତ ସେ ଵ୍ୟୋମବିପତ୍ତିକୁ ଭୁଲିଯିଵ , ମାତ୍ର ମାନଵିକତାର ସେ ଉଜ୍ଜ୍ଵଳ ଦୃଷ୍ଟାନ୍ତ ଦୁଇଟିକୁ ଭୁଲିପାରିଵନାହିଁ । 

ବ୍ରିସବେନ୍‌ରୁ ସାତଜଣ ଯାତ୍ରୀ ନେଇ ଉଡ଼ାଜାହାଜଟି ସେଦିନ ସିଡନି ଅଭିମୁଖରେ ବାହାରିଥିଲା , କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିଵାରୁ କୌଣସି ଦୁର୍ଘଟଣା ଘଟିଥିଵା ଆଶଙ୍କା କରି ଅଠେଇଶଟି ଵିମାନ ଅନ୍ଵେଷଣ କାର୍ଯ୍ୟରେ ବାହାରିଲେ । ସମୁଦ୍ର କୂଳେକୂଳେ ପ୍ରାୟ ପଚାଶ ମାଇଲ ଵ୍ୟାପୀ ଅଞ୍ଚଳ ଅନୁସନ୍ଧାନ କରି ମଧ୍ୟ ସେ ନିଖୋଜ ଵିମାନର କୌଣସି ସମ୍ବାଦ ପାଇଲେ ନାହିଁ । ଯାତ୍ରୀମାନଙ୍କର ଆତ୍ମୀୟ ସ୍ୱଜନ ଓ ବନ୍ଧୁଵର୍ଗଙ୍କର ଗଭୀର ଉତ୍କଣ୍ଠା , ଘୋର ଵିଷାଦ ଓ ନୈରାଶ୍ୟରେ ପରିଣତ ହେଲା । ନିଉ ସାଉଥ୍ ୱେଲସ୍‌ର ଉତ୍ତର ସୀମାରେ ଜନଵସତିହୀନ ଏକ ରୁକ୍ଷ ମାଳଭୂମି ବହୁଦୂର ପର୍ଯ୍ୟନ୍ତ ଵିସ୍ତୃତ ରହିଅଛି । ନିଵିଡ଼ ଅରଣ୍ୟ ଓ ଦୁର୍ଗମ ଗିରିମାଳା ଭେଦକରି ସେଠାକୁ ଯିଵା ସାଧାରଣ ମନୁଷ୍ୟର ସାଧ୍ୟାତୀତ । ସେହିଠାରେ ବାର୍ଣ୍ଣାଡ଼ ଓରିଲି ନାମକ ଜଣେ ପଶୁପାଳକ ବାସ କରୁଥିଲେ । ସେ ରେଡ଼ିଓରୁ ଓ ସମ୍ବାଦପତ୍ରରୁ ଉଲ୍ଲେଖିତ ଵିମାନ ଦୁର୍ଘଟଣା ଵିଷୟ ଅବଗତ ହୋଇଥିଲେ । ତାଙ୍କର ଘର ନିକଟରେ ଵିମାନପଥ ଯାଇଥିଵାରୁ ସେ ଏ ସଂପର୍କରେ ଅଧିକ ଆଗ୍ରହୀ ହୋଇ ଵିଭିନ୍ନ ସୂତ୍ରରୁ ମଧ୍ୟ ସମ୍ବାଦ ସଂଗ୍ରହ କରୁଥିଲେ । ତାଙ୍କୁ ସେ ପାର୍ଵତ୍ୟ ଅଞ୍ଚଳର ଅନେକ ଵିଷୟ ଜଣାଥିଲା । ପର୍ଵତ ଶ୍ରେଣୀର ଉଚ୍ଚତା , ମେଘ ଓ ଵାୟୁ ସ୍ରୋତର ଅନିଶ୍ଚିତ ଗତି ଇତ୍ୟାଦି ଵିଷୟ ଵିଚାର କରି ସେ ଅନୁମାନ କଲେ ଯେ ପ୍ରବଳ ତୋଫାନର ଆଵର୍ତ୍ତରେ ପଡ଼ି ଵିମାନଟି – ହୁଏତ ସେଇ ଦୁର୍ଭେଦ୍ୟ ଅରଣ୍ୟ ମଧ୍ୟରେ କେଉଁଠି ଖସି ପଡ଼ିଥିଵ ଏଵଂ ପାହାଡ଼ ଦେହରେ ପିଟି ହୋଇ ଧ୍ୱଂସ ପାଇଯାଇଥିଵ । ଏହି ସିଦ୍ଧାନ୍ତରେ ଉପନୀତ ହୋଇ ସଙ୍ଗେ ସଙ୍ଗେ ସେ ଏକାକୀ ସେହି ନିଖୋଜ ଵିମାନର ଅନୁସନ୍ଧାନରେ ବାହାରି ପଡ଼ିଲେ । ପର୍ଵତର ପାଦ ଦେଶରୁ କିଛି ଦୂର ଯିଵା ଉତ୍ତାରେ ସେ ଦେଖିଲେ , ଆଉ ବାଟଘାଟର ଚିହ୍ନ ନାହିଁ । ବହୁ କଷ୍ଟରେ ନିଵିଡ଼ ବେତବଣ ଓ ଦୁର୍ଲଘ୍ୟ ଘାଟି ଭିତର ଦେଇ ସେ ପାଞ୍ଚ ମାଇଲ ପଥ ଅତିକ୍ରମ କଲେ । ତାପରେ ରାତ୍ରି ଉପସ୍ଥିତ ହେଲା । ଦେହରେ ଶୀତଵସ୍ତ୍ର ନାହିଁକି ସାଙ୍ଗରେ ସାଥୀ ନାହାନ୍ତି , ଚାରିଆଡ଼େ ଯେପରି ଶ୍ମଶାନର ଶୂନ୍ୟତା । ଏହିପରି ଅସହାୟ ଅଵସ୍ଥାରେ ପାହାଡ଼ ଉପରେ ସେ ଏକାକୀ ସେହି ଭୀଷଣ ରଜନୀ ଅତିଵାହିତ କଲେ । ସକାଳୁ ଓରିଲି ପୁନରାୟ ତାଙ୍କ ଲକ୍ଷ୍ୟ ଅଭିମୁଖେ ଵହିର୍ଗତ ହେଲେ । ଉଜ୍ଜ୍ଵଳ ଦିଵାଲୋକରେ ପର୍ଵତର ଗୋଟିଏ ଉଚ୍ଚ କାନ୍ଥି ଉପରୁ ବହୁଦୂର ପର୍ଯ୍ୟନ୍ତ ଦେଖାଯାଉଥିଲା । ପଛକୁ ପଛ ଲାଗି ଅନେକ ଗିରିଶୃଙ୍ଗ ଧ୍ୟାନମଗ୍ନ ଋଷିପରି ଆକାଶକୁ ମୁଣ୍ଡ ଟେକି ରହିଥାନ୍ତି । ଵୃକ୍ଷଲତାର ଶ୍ୟାମ ସୌନ୍ଦର୍ଯ୍ୟ କ୍ରମେ ଗାଢ଼ରୁ ଗାଢ଼ତର ହୋଇ ଦୂରକୁ ଦେଖା ଯାଉଥାଏ । ସେ ଚାରିଆଡ଼େ ଆଖି ବୁଲାଉ ବୁଲାଉ ଦେଖିଲେ କିଛି ଦୂର ଉଚ୍ଚରେ ପର୍ଵତର ସେହି ଶୁଦ୍ଧ ସବୁଜ ଆଚ୍ଛାଦନ ଉପରେ ଠାଏ ସତେକି ଗୋଟାଏ ବାଦାମୀ ରଙ୍ଗର ତାଳି ପଡ଼ିଅଛି । ସେଇଟା ଯେ ନିଶ୍ଚୟ ପୋଡ଼ିଯାଇଥିଵା ଗଛପତ୍ରର ଚିହ୍ନ , ଏ ଵିଷୟରେ ଓରିଲିଙ୍କର ସନ୍ଦେହ ରହିଲା ନାହିଁ । କିନ୍ତୁ ଵର୍ଷା ପାଗରେ ନିଆଁ ଲାଗିଲା କିପରି ? ତାଙ୍କର ଧ୍ରୁଵ ଵିଶ୍ଵାସ ହେଲା ହୁଏତ ଵିଦ୍ୟୁତ କିମ୍ବା ପେଟ୍ରୋଲ ନିଆଁରେ ଜଙ୍ଗଲର ସେ ଅଂଶଟା ପୋଡ଼ି ଯାଇଥିଵ । ଓରିଲି ସେହି ସ୍ଥାନଟିକୁ ନିଖୋଜ ଵିମାନର ସମାଧିସ୍ଥଳ ବୋଲି ଅନୁମାନ କରି ସେହି ଦିଗରେ ଅଗ୍ରସର ହେଲେ । ନିଵିଡ଼ ଅରଣ୍ୟ । ଅନାଦି କାଳରୁ ସେ ପାହାଡ଼ ଉପରେ କୌଣସି ମାନଵର ପାଦ ପଡ଼ିଅଛି କି ନାହିଁ ସନ୍ଦେହ । ଘଞ୍ଚ ତରୁଲତା ଓ କଣ୍ଟକାକୀର୍ଣ୍ଣ ଗୁଳ୍ମଜାଲ ତଳେ ଶଢ଼ା ପତ୍ରର ଗାଲିଚା । ଵିଷାକ୍ତ କୀଟ ମକ୍ଷିକାମାନଙ୍କର ଵିରକ୍ତିକର ଉପଦ୍ରଵ । ସ୍ଥାନେ ସ୍ଥାନେ ଵିଶାଳ ଶିଳାଖଣ୍ଡମାନ ପଥରୁଦ୍ଧ କରି ଉଭା ହୋଇଅଛି । କିନ୍ତୁ ଓରିଲି ଦୃଢ଼ପ୍ରତିଜ୍ଞ । ତାଙ୍କର ଅଙ୍ଗପ୍ରତ୍ୟଙ୍ଗ କଣ୍ଟାରେ ଚିରି ହୋଇ ରକ୍ତାକ୍ତ ହୋଇଗଲାଣି । କେଉଁଠି ବୁଦାତଳେ ଗୁରୁଣ୍ଡିଗୁରୁଣ୍ଡି ଯିଵାକୁ ପଡ଼ୁଛି । କେଉଁଠି ଵା ଦ୍ରାକ୍ଷାଲତାକୁ ଧରି ଝୁଲି ଝୁଲି ଶିଳାରୁ ଶିଳାକୁ ଡେଇଁ ପଡ଼ିଵାକୁ ହେଉଛି । ଝାଳ ଲାଗି ଦେହସାରା ପୋଡ଼ିଲାଣି । କିନ୍ତୁ ଵିଶ୍ରାମ ନ କରି ଉନ୍ମାଦଗ୍ରସ୍ତ ପରି ସେ ଅରଣ୍ୟର ସେହି ଦଗ୍‌ଧ ଅଂଶରେ ପହଞ୍ଚିଵାକୁ ଆଗେଇ ଚାଲିଛନ୍ତି । ନିମ୍ନମୁଖୀ ଜଳସ୍ରୋତ ଓ ଦୃଢ଼ପ୍ରତିଜ୍ଞ ସାଧକର କିଏ ଗତିରୋଧ କରିପାରିଵ ? ଆହୁରି ପ୍ରାୟ ଦୁଇ ହଜାର ଫୁଟ ବାକି ଅଛି , ହଠାତ୍ ଏକ ଅଦ୍ଭୁତ ମୂର୍ତ୍ତି ତାଙ୍କର ଦୃଷ୍ଟିପଥାରୂଢ଼ ହେଲା । ସେ ଚମକି ପଡ଼ି କିଛିକ୍ଷଣ ଚାହିଁ ରହିଲେ । ଦେଖିଲେ , ବଣର ଗୋଟିଏ ଉନ୍ମୁକ୍ତ ସ୍ଥାନରେ ଗୋଟାଏ ଗଛକୁ ଆଉଜି ଖଣ୍ଡେ ଶିଳା ଉପରେ ଜଣେ ମନୁଷ୍ୟ ବସିରହିଛି । ଏହି ଦୃଶ୍ୟରେ ସେ ଏତେଦୂର ଅଭିଭୂତ ହୋଇପଡ଼ିଲେ ଯେ ସଙ୍ଗେ ସଙ୍ଗେ ଲୋକଟିକୁ ଡାକ ପକାଇଲେ । କିନ୍ତୁ ତା’ଠାରୁ କୌଣସି ସଙ୍କେତ ଵା ଉତ୍ତର ପାଇଲେ ନାହିଁ । ପରେ ନିକଟକୁ ଯାଇ ଦେଖିଲେ , ସେହି ଲୋକର ଦେହରେ ଗୁରୁତର ଆଘାତର ଚିହ୍ନମାନ ରହିଛି ଏବଂ ତା’ର ପ୍ରାଣଵାୟୁ ବାହାରିଗଲାଣି । ଓରିଲିଙ୍କ ମନର ଭାବ ସହଜରେ ଅନୁମାନ କରାଯାଇପାରେ । ଵିସ୍ମୟ , ଆନନ୍ଦ , ଭୟ ଓ ଵିଷାଦ ତାଙ୍କ ହୃଦୟକୁ ଯୁଗପତ୍ ଅଧିକାର କଲା । ଲୋକଟିକୁ ଦେଖି ସେ ବୁଝିନେଲେ ଏ ସେହି ଵିମାନର ଜଣେ ହତଭାଗ୍ୟ ଯାତ୍ରୀ । ସେଠାରେ ଆଉ ଅଧିକ କାଳଵିଳମ୍ବ ନକରି ସେ ପୋଡ଼ିଯାଇଥିଵା ଗଛପତ୍ରକୁ ଲକ୍ଷ୍ୟ କରି ଚାଲିଲେ । ପୁଣି ସେହିପରି ଅକ୍ଳାନ୍ତ ଅଧ୍ୟଵସାୟ ଓ କ୍ଳେଶକର ସାଧନା । କିଛି ଦୂର ଅଗ୍ରସର ହୋଇ ସେ ଅରଣ୍ୟ ଜାତିମାନଙ୍କ ରୀତିକୁ ଅନୁକରଣ କରି ପାଟିରେ ସୁସୁକାଳି ବଜାଇଲେ । କେତେଥର ଏହି ଡାକ ଦେଲା ପରେ ଗୋଟାଏ ଦିଗରୁ କ୍ଷୀଣ ଉତ୍ତର ଆସୁଥିଵାର ତାଙ୍କୁ ଶୁଣାଗଲା । ଏ ନିଶ୍ଚୟ ମନୁଷ୍ୟର କଣ୍ଠସ୍ୱର ! ତାଙ୍କର ସର୍ଵାଙ୍ଗରେ ତଡ଼ିତ୍ ପ୍ରଵାହ ଖେଳିଗଲା । ସେ ପ୍ରଥମରୁ ଆଶଙ୍କା କରିଥିଲେ ଯେ ଵିମାନଟି ଖସିପଡ଼ିଵା ସଙ୍ଗେ ସଙ୍ଗେ ଆରୋହୀମାନେ ସମସ୍ତେ ପୋଡ଼ି ମରିଥିଵେ , କିନ୍ତୁ ତାଙ୍କର ଵର୍ତ୍ତମାନ ଧାରଣା ହେଲା ଯେପରି ଏକାଧିକ ଵ୍ୟକ୍ତି ଜୀଵିତ ଅଛନ୍ତି । କେତେକ ସମୟ ଉତ୍ତାରେ ଓରିଲି ଲକ୍ଷ୍ୟସ୍ଥଳରେ ପହଞ୍ଚି ଦେଖିଲେ ତାଙ୍କର ଅନୁମାନ ଠିକ୍ । ଗୋଟିଏ ପ୍ରକାଣ୍ଡ ଵୃକ୍ଷ ମୂଳରେ ଵିମାନଟା ଭାଙ୍ଗି ପଡ଼ିଛି । ଭସ୍ମୀଭୂତ ଵିମାନର କେତେକ ଅଂଶ ଇତସ୍ତତଃ ଵିକ୍ଷିପ୍ତ ଭାଵରେ ପଡ଼ିରହିଛି । ଚତୁର୍ଦ୍ଦିଗରେ କେଵଳ ଭସ୍ମ ଓ ଅଙ୍ଗାର । ସେଠାରୁ କିଛିଦୂରରେ ଦୁଇଜଣ ମନୁଷ୍ୟ ଶୋଇଥିଵାର ଦେଖି ଓରିଲି ସେଠାକୁ ଗଲେ । ଦେଖିଲେ , ଜୀଵନ୍ମୃତ ଅଵସ୍ଥାରେ ସେ ଦୁହେଁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଓରିଲିଙ୍କୁ ଦେଖିଵାମାତ୍ରେ ସେମାନଙ୍କ ପିଣ୍ଡରେ ସତେ ଯେପରି ନଵଜୀଵନର ସଞ୍ଚାର ହେଲା । ସେ ଦୁଇଜଣ ସାଙ୍ଘାତିକ ଭାବରେ ଆହତହୋଇ ଅନାହାରରେ ମୃତ୍ୟୁ ସଙ୍ଗେ ସଂଗ୍ରାମ କରି ଏତେ ଦିନ ବଞ୍ଚି ରହିଥିଲେ , ମାତ୍ର ତାଙ୍କ ଶରୀରରେ ଜୀଵନୀଶକ୍ତି ନିଃଶେଷ ପ୍ରାୟ ହୋଇ ଆସିଥିଲା । ଅଵସନ୍ନ , ଅନାହାର କ୍ଳିଷ୍ଟ ଓ ଯନ୍ତ୍ରଣାରେ ଜର୍ଜରିତ ଏହି ଦୁଇଜଣ ଵ୍ୟକ୍ତି ଉତ୍ତୁଙ୍ଗ ପର୍ଵତ ଉପରେ , ଘୋର ଅରଣ୍ୟ ଭିତରେ ଶୀତ ଵର୍ଷା ସହି ନଅ ଦିନ କାଳ ନିଃସହାୟ ଅଵସ୍ଥାରେ କଟାଇଥିଲେ । ଓରିଲିଙ୍କ ଆକସ୍ମିକ ଆଵିର୍ଭାଵ ତାଙ୍କ ମୁମୂର୍ଷୁ ପ୍ରାଣରେ କି ଅପୂର୍ଵ ସାହସ ଓ ଭରସା ଦେଇଥିଵ ତାହା କେଵଳ ଅନୁଭଵର କଥା । ଓରିଲି ସଙ୍ଗେ ସଙ୍ଗେ ଚା ’ ଓ ଖାଦ୍ୟ ପ୍ରସ୍ତୁତ କରି ସେମାନଙ୍କୁ ଦେଲେ ଏଵଂ ସେମାନଙ୍କଠାରୁ ଦୁର୍ଘଟଣାର ସଵିଶେଷ ଵୃତ୍ତାନ୍ତ ଅଵଗତ ହେଲେ । ସାତଜଣ ଯାତ୍ରୀଙ୍କ ମଧ୍ୟରୁ ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଅଵଶିଷ୍ଟ ଯେଉଁ ତିନିଜଣ ଜୀଵିତ ଥିଲେ , ସେମାନଙ୍କ ଭିତରୁ ଜଣେ ଇଂରେଜ ଯୁଵକ ଗୁରୁତର ଭାବରେ ଆହତ ହୋଇଥିଲେହେଁ ସାହାଯ୍ୟ ଅନ୍ୱେଷଣରେ ବାହାରି ଯାଇଥିଲେ , କିନ୍ତୁ ଆଉ ସେ ଫେରି ନାହାନ୍ତି । ଓରିଲି ଦେଖିଲେ , ତୁରନ୍ତ ଚିକିତ୍ସା ଓ ସେଵାର ଵ୍ୟଵସ୍ଥା ନକଲେ , ସେ ଦୁଇଜଣଙ୍କୁ ବଞ୍ଚାଇ ପାରିଵା ଅସମ୍ଭଵ । ସୁତରାଂ ଵିଳମ୍ବ ନକରି ସେ ପୁଣି ସେହି ପାହାଡ଼ ଜଙ୍ଗଲପୂର୍ଣ୍ଣ ଦୁର୍ଗମ ପଥରେ ଫେରିଲେ । ସେତେବେଳେ ତାଙ୍କ ଶରୀରରେ ଦ୍ଵିଗୁଣ ଵିକ୍ରମ ଓ ମନରେ ଶତଗୁଣ ସାହସ ଜାତ ହୋଇ ତାଙ୍କୁ ସେ ଦୁର୍ଭେଦ୍ୟ ଅରଣ୍ୟରେ ବାଟ କଢ଼ାଇନେଲା । ପାହାଡ଼ତଳେ ଗୋଟିଏ ଛୋଟ ଗ୍ରାମରେ ପହଞ୍ଚି ସେଠାରୁ ଘୋଡ଼ାଟିଏ ମାଗିଆଣି ସେ ନିକଟତମ ସହର ଅଭିମୁଖରେ ପଵନପରି ଛୁଟିଲେ ଏଵଂ ସେଠାରେ ପହଞ୍ଚି ଉତ୍କଣ୍ଠିତ ଜଗତକୁ ତାଙ୍କର ପ୍ରଥମ ସମ୍ବାଦ ଜଣାଇଲେ । ଏହା ପରେପରେ ପ୍ରାୟ ଅଶୀଜଣ ସ୍ଵେଚ୍ଛାସେଵକ ସଙ୍ଗରେ ଡାକ୍ତର ଓ ଔଷଧପତ୍ର ନେଇ ଅତ୍ୟନ୍ତ ଆୟାସ ସହକାରେ ପର୍ଵତ ଉପରୁ ସେଇ ଦୁଇଜଣ ଆହତ ଵ୍ୟକ୍ତିଙ୍କୁ ଉଦ୍ଧାର କରି ଆଣିଲେ । ଓରିଲିଙ୍କ ସାଧନା ସଫଳ ହେଲା । ଜଗତ ନିଶ୍ଚିତ ମୃତ୍ୟୁମୁଖରୁ ଦୁଇଟି ଜୀଵନ ଫେରିପାଇଲା ଏଵଂ ଦୁର୍ଘଟଣାର ଅଜ୍ଞାତ ରହସ୍ୟ ଏହି ପ୍ରକାରେ ଉଦ୍‌ଘାଟିତ ହେଲା । ଆଉ ସେ ଇଂରେଜ ଯୁଵକ ? ପାଦଚିହ୍ନରୁ ତାଙ୍କର ଅସାମାନ୍ୟ ତ୍ୟାଗ ଓ ଵୀରତ୍ଵର କାହାଣୀ ସଂଗୃହୀତ ହୋଇଅଛି । ମରଣକାଳେ ତାଙ୍କୁ କେହି ଦେଖିନାହିଁ । ଵନର ତରୁଲତା ଓ ପର୍ଵତର ଅଚଳ ଶିଳା ତାଙ୍କର ଶେଷଶ୍ୱାସର ସ୍ପର୍ଶ ଅନୁଭବ କରିଥିବେ । ସଙ୍ଗୀଦ୍ଵୟଙ୍କୁ ବଞ୍ଚାଇଵା ପାଇଁ ସେହି ଯୁଵକ ନିଜର ତୀଵ୍ର ଦାହଯନ୍ତ୍ରଣାକୁ ଭୃକ୍ଷେପ ନ କରି ସାହାଯ୍ୟ ଅନ୍ୱେଷଣରେ ବାହାରି ଯାଇଥିଲେ । ସେ ଲଣ୍ଡନ ସହରର ଜଣେ ଵ୍ୟଵସାୟୀ । ପର୍ଵତ ଉପରୁ ତିନିହଜାର ଫୁଟ ତଳକୁ ଓହ୍ଲାଇ ଜନବସତିକୁ ଆସିଵା କେଡ଼େ କଷ୍ଟସାଧ୍ୟ , ତାହା ତାଙ୍କୁ ଜଣା ନଥିଲା । ଗୋଟିଏ ଝରଣା ପାରହୋଇ , ଶୈବାଳଜଡ଼ିତ ପିଚ୍ଛିଳ ପ୍ରସ୍ତର ଉପରେ ପଡ଼ି ଉଠି , ଦ୍ରାକ୍ଷାଲତାକୁ ଆଶ୍ରୟ କରି ସେ ଚାଲିଥାନ୍ତି । ହଠାତ୍‌ ଗୋଟିଏ ସ୍ଥାନରେ ଗୋଡ଼ ଖସିଯିଵାରୁ ସେ ପଚିଶ ଫୁଟ ତଳକୁ ଗଳି ପଡ଼ିଲେ । କଠିନ ବନ୍ଧୁର ଶିଳାରେ ପିଟି ହୋଇ ତାଙ୍କର ମୁଣ୍ଡ ଫାଟିଗଲା , ଗୋଟିଏ ଆଖି ପଦାକୁ ବାହାରି ପଡ଼ିଲା , ହାତର କଚଟି ଭାଙ୍ଗିଗଲା ଏଵଂ ଯେଉଁ ଟିକକ ଜୀଵନୀ ଶକ୍ତି ଶେଷକୁ ରହିଥିଲା , ସେତକ ମଧ୍ୟ ଲୋପ ପାଇ ଆସିଲା । କିଛିକ୍ଷଣ ହତଜ୍ଞାନ ରହିଵା ପରେ ତାଙ୍କର ବୋଧହୁଏ ସଂଜ୍ଞା ଆସିଛି । ସେ ପୁଣି କିଛି ବାଟ କଷ୍ଟେ ମସ୍ତେ ଆଗେଇ ଯାଇଛନ୍ତି । ସେହିଠାରୁ ପାଦ ଆଉ ଚଳିନାହିଁ । ଗୋଟିଏ ଗଛମୂଳକୁ ଭରାଦେଇ ଵିଶ୍ରାମ ନେଇଛନ୍ତି । ଡବାର ସିଗାରେଟଟିଏ କାଢ଼ି ଅଧେ ଖାଇଛନ୍ତି , ଆଉ ଅଧିକ ହାତରେ ରହିଛି । ପାଟିକୁ ନେଵାକୁ ବଳ ପାଇନାହିଁ ସେତିକି । ତାଙ୍କୁ ଏଇ ଅଵସ୍ଥାରେ ଦୂରରୁ ଦେଖି ଜୀଵିତ ମନେକରି ଓରିଲି ଯେତେବେଳେ ଡାକ ଦେଲେ , ଉତ୍ତର ପାଆନ୍ତେ କୁଆଡୁ । ଵୀର ଯୁଵକ ! ମୃତ୍ୟୁ ତୁମକୁ ଅମର କରିଛି । ଵିଫଳତା ତୁମକୁ ଗୌରଵମଣ୍ଡିତ କରିଛି । ଅଷ୍ଟ୍ରେଲିଆର ସେ ଜନସଞ୍ଚାରହୀନ ପର୍ଵତ ଉପରେ , ଗହନ ଵୃକ୍ଷରାଜିର ଚନ୍ଦ୍ରାତପ ତଳେ , ଯେଉଁ ଶିଳା ଉପରେ ସେ ଇଂରେଜ ଯୁଵକଙ୍କର ପ୍ରାଣଵାୟୁ ବାହାରି ଯାଇଥିଲା , ସେହିଠାରେ ତାଙ୍କର ସମାଧି ନିର୍ମିତ ହେଲା । ସେ ସ୍ଥାନ ଆଜି ମାନଵଜାତିର ଏକ ତୀର୍ଥଭୂମି । 

Friday, October 4, 2024

ତିନୋଟି ଶ,ଷ ଓ ସ ର ଵ୍ୟଵହାର ଠିକ୍ କି ?

ବ୍ରାହ୍ମୀ ଲିପି ମୂଳର ଅଧିକାଂଶ ଭାରତୀୟ ଲିପିଗୁଡ଼ିକରେ
ତାଲଵ୍ୟ 'ଶ', ମୂର୍ଦ୍ଧନ୍ୟ 'ଷ' ଓ ଦନ୍ତ୍ୟ ସ' ଏହିପରି ତିନୋଟି ଶ,ଷ ଓ ସ ଅଛି । କେତୋଟି ମୁଖ୍ୟ ମୁଖ୍ୟ ଭାରତୀୟ ଲିପିରେ ତିନୋଟି ଯାକ 'ଶ','ଷ' ଓ 'ସ'ର ସ୍ଵରୂପ ନିମ୍ନରେ ପ୍ରଦତ୍ତ ହେଲା। 

•ଵିଭିନ୍ନ ଭାରତୀୟ ଲିପିରେ ତାଲଵ୍ୟ 'ଶ'ର ରୂପ...
-ବ୍ରାହ୍ମୀ = 𑀰
-ଓଡ଼ିଆ= ଶ
-ଦେଵନାଗରୀ = श
-କାମରୂପୀ = শ
-ଗୁରମୁଖୀ = ਸ਼
-ଗୁଜରାଟୀ = શ
-ତାମିଳ = ஶ
-ତେଲୁଗୁ= శ
-କନ୍ନଡ଼= ಶ
-ମଳୟାଳମ = ശ
-ତିବ୍ବତୀ = ཤ
-ସୌରାଷ୍ଟ୍ରୀ = ꢯ
-କୈଥୀ = 𑂬
-ମୈତୈ = ꫩ
-ଶାରଦା = 𑆯
-ନେୱା = 𑐱

•ଵିଭିନ୍ନ ଭାରତୀୟ ଲିପିରେ ମୂର୍ଦ୍ଧନ୍ୟ 'ଷ'ର ରୂପ...
-ବ୍ରାହ୍ମୀ= 𑀱
-ଓଡ଼ିଆ = ଷ
-ଦେଵନାଗରୀ = ष
-କାମରୂପୀ = ষ
-ଗୁଜରାଟୀ = ષ
-ତାମିଳ = ஷ
-ତେଲୁଗୁ = ష
-କନ୍ନଡ଼= ಷ
-ମଳୟାଳମ = ഷ
-ତିବ୍ବତୀ = ཥ
-ସୌରାଷ୍ଟ୍ରୀ = ꢰ
-କୈଥୀ = 𑂭
-ମୈତୈ = ꫪ
-ନେୱା = 𑐲
-ଶାରଦା = 𑆰

•ଵିଭିନ୍ନ ଭାରତୀୟ ଲିପିରେ ଦନ୍ତ୍ୟ 'ସ'ର ରୂପ...
-ବ୍ରାହ୍ମୀ = 𑀲
-ଓଡ଼ିଆ = ସ
-ଦେଵନାଗରୀ = स
-କାମରୂପୀ = স
-ଗୁରମୁଖୀ = ਸ
-ଗୁଜରାଟୀ= સ
-ତାମିଳ = ஸ
-ତେଲୁଗୁ = స
-କନ୍ନଡ଼ = ಸ
-ମଳୟାଳମ = സ
-ତିବ୍ବତୀ = ས
-ସୌରାଷ୍ଟ୍ରୀ = ꢱ
-କୈଥୀ = 𑂮
-ଶାରଦା = 𑆱

ରୋମାନ ଲିପିରେ 'ଶ'କୁ Śə ଵା Sha,ମୂର୍ଦ୍ଧନ୍ୟ 'ଷ'କୁ Ṣə ଵା Ssa ଓ ଦନ୍ତ୍ୟ 'ସ'କୁ Sə ଵା Sa ଲେଖାଯାଏ । ଅଶୋକଙ୍କ ବ୍ରାହ୍ମୀ ଶିଳାଲେଖରେ 'ଶ','ଷ' ଓ 'ସ'ର ବ୍ରାହ୍ମୀ ରୂପ ଵ୍ୟଵହାର ହୋଇଛି। ପୁଣି ତତ୍କାଳୀନ ସମୟରେ ୦୧୨୩୪୫୬୭୮୯ ଇତ୍ୟାଦି ଭାରତୀୟ ସଂଖ୍ୟା ଗଣନ ପଦ୍ଧତି ଥିଲେ ବି କେତେକ ନିର୍ଦ୍ଧିଷ୍ଟ ଗାଣିତିକ ସମୀକରଣ ପାଇଁ ଆର୍ଯ୍ୟଭଟ୍ଟଙ୍କ ଦ୍ଵାରା ସଂଖ୍ୟା ଗଣନ ପଦ୍ଧତି କ୍ଷେତ୍ରରେ ତାଲଵ୍ୟ 'ଶ' ତଥା ମୂର୍ଦ୍ଧନ୍ୟ 'ଷ' ଓ ଦନ୍ତ୍ୟ ସ' ଵ୍ୟଵହାର କରାଯାଇଛି। 
ଯଥା: 
ଶ = ୭୦ 
ଶି = ୭୦୦୦
ଶୁ = ୭୦୦୦୦୦ 
ଶୃ = ୭୦୦୦୦୦୦୦
ଶୢ = ୭×୧୦୯
ଶେ = ୭×୧୦୧୧
ଶୈ = ୭×୧୦୧୩ 
ଶୋ = ୭×୧୦୧୫ 
ଶୌ = ୭×୧୦୧୭

ଷ = ୮୦
ଷି = ୮୦୦୦
ଷୁ = ୮୦୦୦୦୦
ଷୃ = ୮୦,୦୦୦,୦୦୦
ଷୢ = ୮×୧୦୯ 
ଷେ = ୮×୧୦୧୧
ଷୈ = ୮×୧୦୧୩ 
ଷୋ = ୮×୧୦୧୫ 
ଷୌ = ୮×୧୦୧୭ 

ସ = ୯୦ 
ସି = ୯,୦୦୦ 
ସୁ = ୯୦୦,୦୦୦ 
ସୃ = ୯୦,୦୦୦,୦୦୦
ସୢ = ୯×୧୦୯ 
ସେ = ୯×୧୦୧୧ 
ସୈ = ୯×୧୦୧୩ 
ସୋ = ୯×୧୦୧୫ 
ସୌ = ୯×୧୦୧୭ 

ଭାରତୀୟ ତାଲଵ୍ୟ 'ଶ'ର ବ୍ରାହ୍ମୀ ରୂପ 𑀰(ଶ) ଦେଖିଵାକୁ ତୀରମୁଣ୍ଡ ପରି ଏଵଂ ଏହି ଅକ୍ଷରର ସାମଞ୍ଜସ୍ୟ ଆରମାଇକ
Shin (šīn) ସହିତ ରହିଛି । ଫୋଏନିସିଅନ୍ šīn 𐤔,ହିବ୍ରୁ šīn ש‎, ଆରାମାଇକ šīn 𐡔, ସିରିଆକ୍ šīn ܫ ଓ Arabic sīn س‎ ଓ šīn ش‎‎‎ ସହିତ ଭାରତୀୟ ତାଲଵ୍ୟ 'ଶ'ର ଲିପିତାତ୍ତ୍ଵିକ ସମ୍ପର୍କ ଥିଵା ପାଶ୍ଚାତ୍ୟ ଗଵେଷକ ଅନୁମାନ କରନ୍ତି । 

ପାଶ୍ଚାତ୍ୟ ଗଵେଷକମାନଙ୍କ ଅନୁସାରେ ଫୋଏନିସିଅନ୍ sāmek 𐤎,ହିବ୍ରୁ sāmeḵ ס‎, ଆରମାଇକ୍ samek 𐡎, ସିରିଆକ୍ semkaṯ ܣ ,ମଗରେବୀ ଆରବିକ ṣād ص ,ଗ୍ରୀକ୍ xi (Ξ) ଓ ରୋମାନ X ସହିତ ଭାରତୀୟ ମୂର୍ଦ୍ଧନ୍ୟ 'ଷ'ର ଉଚ୍ଚାରଣଗତ ତଥା ଲିପି ତତ୍ତ୍ଵ ଭିତ୍ତିକ ସାମ୍ୟ ରହିଛି ।‌ ପୁଣି ସେଇ 
 ସୁମେଖ୍ ଅକ୍ଷର ସହିତ ଭାରତୀୟ ଦନ୍ତ୍ୟ ସ' ଅକ୍ଷରର ଲିପିତାତ୍ତ୍ଵିକ ସମ୍ପର୍କ ଥିଵା ପାଶ୍ଚାତ୍ୟ ଗଵେଷକ ମତ ଦିଅନ୍ତି । 
 
ମୋଟ ଉପରେ କହିଵାକୁ ଗଲେ ଆଜକୁ ପ୍ରାୟ ଦୁଇ ହଜାର ଵର୍ଷ ପୂର୍ଵେ ବି ଭାରତରେ ତିନୋଟି "ଶ,ଷ ଓ ସ" ଵ୍ୟଵହାର ଚଳୁଥିଲା । କୃଷ୍ଣ,ସରସ ଓ ଵିଶ୍ଵ ଭଳି ଶବ୍ଦଗୁଡ଼ିକୁ ମୁଖରେ ଉଚ୍ଚାରଣ କଲେ ଆପେ ଶ,ଷ ଓ ସ କ୍ଷେତ୍ରରେ ଭିନ୍ନ ଭିନ୍ନ ସ୍ଥାନକୁ ଜିଭ ଚାଲିଯାଏ । ଆମ ପ୍ରାଚୀନ ପୂର୍ଵଜ ଏହା ଜାଣିପାରି ଗୋଟିଏ ନୁହେଁ ଵରଂ ତିନୋଟି ଶ,ଷ ଓ ସ ଅକ୍ଷର ଲିଖନ ପରମ୍ପରା ପ୍ରଚଳନ କରାଇଥିଲେ । ଯୋଉମାନେ କୁହନ୍ତି ଆଗେ 'ଶ' ଓ 'ଷ' ନଥିଲା କେଵଳ 'ସ' ଥିଲା ସେମାନଙ୍କୁ ପ୍ରଶ୍ନ; ଯଦି 'ଶ' ଓ 'ଷ' ନଥିଲା ତାହେଲେ ଦୁଇ ହଜାର ଵର୍ଷ ତଳର ବ୍ରାହ୍ମୀ ଲିପିରେ କେମିତି 𑀰(ଶ) 𑀱(ଷ) ଓ 𑀲(ସ) ଏହି ତିନୋଟି ଭିନ୍ନ ଭିନ୍ନ ଅକ୍ଷର ଥିଲା ? 
ଆଜକୁ ପନ୍ଦରଶହ ଵର୍ଷ ତଳେ ଚତୁର୍ଥ - ପଞ୍ଚମ ଶତାବ୍ଦୀର ଆର୍ଯ୍ୟଭଟ୍ଟ କେମିତି 'ଶ'କୁ ୭୦,'ଷ'କୁ ୮୦ ଓ 'ସ'କୁ ୯୦ ଵଇଚଆର କରଇ ସ୍ଵତନ୍ତ୍ର ଗଣନ ପଦ୍ଧତି ଵ୍ୟଵହାର କରିଥିଲେ । ଓଡ଼ିଆ ଲିପିର ଶ,ଷ ଓ ସ ତଥଆ ଏହାର ପ୍ରାଚୀନ ବ୍ରାହ୍ମୀ ରୂପ 𑀰(ଶ),𑀱(ଷ) ଓ 𑀲(ସ)କୁ ମିଳାଇ ଦେଖିଲେ ହୃଦବୋଧ ହୁଏ ଯେ ହଜାର ହଜାର ଵର୍ଷ ଧରି ନିରନ୍ତର ଲିଖନ ଯୋଗୁଁ କାଳକ୍ରମେ ତିନୋଟି ଯାକ ଶ,ଷ ଓ ସ ର ସ୍ବରୂପ ଅନେକାଂଶରେ ପରିଵର୍ତ୍ତିତ ହୋଇଛି। ଲିପି ଵିଵର୍ତ୍ତନକୁ ନବୁଝି
ରୋମାନ ଲିପିରେ କେଵଳ 'S' ଅଛି ଆମେ ବି 'ଶ' ଆଉ 'ଷ'କୁ କାଟି କେଵଳ 'ସ'କୁ ରଖିବୁ ବୋଲି ଯୁକ୍ତି କରୁଥିଵା ଲୋକେ ବୁଝିଵା ଉଚିତ ଯେ ଇଂରାଜୀ ଭାଷାରେ ବି ଏ ଧରଣର ଉଚ୍ଚାରଣ ଭିନ୍ନତା ରହିଛି। ଇଂରାଜୀରେ ମଧ୍ୟ s, sh, ss, sc, c, ti ଇତ୍ୟାଦି ଅନ୍ୟୁନ ଛଅଟି ପ୍ରକାରେ ଶ,ଷ,ସ ଲେଖାଯାଏ l ଇଂରାଜୀରେ cell, sail, shell, ratio ଇତ୍ୟାଦିରେ ଭିନ୍ନ ଭିନ୍ନ ସ ରହିଛି । ସେମାନେ କେବେ ସବୁ ମିଶାଇ S କରିଵାକୁ ଚିନ୍ତା କରନ୍ତି ନାହିଁ । ୟୁରୋପୀୟମାନେ ତିନୋଟି ଅକ୍ଷର କରିପାରିଲେ ନାହିଁ ବୋଲି ଆଜି ସେଇ ଦୁର୍ଭାଗ୍ୟ ଯୋଗୁଁ ଭିନ୍ନ ଭିନ୍ନ ଶବ୍ଦରେ ଵିଭିନ୍ନ ପ୍ରକାରର ଶ,ଷ,ସ ଉଚ୍ଚାରଣ ପାଇଁ S ସହିତ ଅନ୍ୟ alphabet ଯୋଡ଼ିଵାକୁ ବାଧ୍ୟ ହେଉଛନ୍ତି ପୁଣି କେତେକ କ୍ଷେତ୍ରରେ C ଓ ti ଭଳି ଭିନ୍ନ alphabet ମଧ୍ୟ ଵ୍ୟଵହାର କରୁଛନ୍ତି। ଏ ଦୃଷ୍ଟିରୁ ଦେଖିଲେ ଆମ ପୂର୍ଵଜ ତିନୋଟି ଭିନ୍ନ ଭିନ୍ନ ଶ,ଷ ଓ ସ ଅକ୍ଷର କରି ଭୁଲ୍ କରିଥିଲେ ନା ଆଜି ଯୋଉମାନେ ଶ ଓ ଷ କୁ କାଟି କେଵଳ ସ ରଖି ପିଲାଝିଲାଙ୍କ ପାଇଁ ଭାଷା ସରଳ କରିବୁ ବୋଲି ହେଣ୍ଡି ମାରୁଛନ୍ତି ସେମାନେ ଭୁଲ୍ କରୁଛନ୍ତି?

Friday, September 27, 2024

ଭାଷାକୋଷକାର(ଶଶିଭୂଷଣ ରାୟ)


ସଂସାରରେ ମନୁଷ୍ୟର ଅନେକ ଦିଗ ଥାଏ, ସଂସାରୀକୁ ଅନେକଆଡ଼େ ଵ୍ୟାପୃତ ରହିଵାକୁ ହୁଏ, ଅନେକ କାର୍ଯ୍ୟ କରିଵାକୁ ହୁଏ । କିନ୍ତୁ ପ୍ରହରାଜଙ୍କର ଯେବେ କୌଣସି
ଦିଗ ଥାଏ, ଯେବେ ସେ ସମଗ୍ର ଜୀଵନରେ କିଛି ଆରାଧନା କରିଥାଆନ୍ତି, ତେବେ ତାହା
ଏକମାତ୍ର ଜ୍ଞାନ । ସଂସାରରେ ମୋହର ଯେଉଁ ସମସ୍ତ ଵ୍ୟକ୍ତିଙ୍କ ସହିତ ପରିଚୟ ହୋଇଅଛି,
ସେମାନଙ୍କ ମଧ୍ୟରୁ ଜଣକୁ ପ୍ରହରାଜଙ୍କ ଭଳି ଜ୍ଞାନର ଅନନ୍ୟନିଷ୍ଠ ସେଵକ ଦେଖି ନାହିଁ । ଉତ୍ସାହସମ୍ପନ୍ନ ଯୁଵକର କ୍ଳାନ୍ତି ଅଛି, କିନ୍ତୁ ଶାସ୍ତ୍ରଚିନ୍ତାରେ କିମ୍ବା ସଂସାରର ଯେ କୌଣସି ଜ୍ଞାନଚର୍ଚ୍ଚାରେ ପ୍ରହରାଜଙ୍କର କେବେ କ୍ଲାନ୍ତି ଦେଖିପାରିଛି ବୋଲି ମୋହର ସ୍ମରଣ ହେଉ ନାହିଁ । ତାଙ୍କର ଚିନ୍ତାଶକ୍ତି ଦର୍ଶନରେ ବିସ୍ମିତ ଓ ଅବାକ୍ ହେଵାକୁ ହୁଏ । ମୁଁ ଦେଖିଅଛି,ଶାସ୍ତ୍ରର ସାହାଯ୍ୟ ଗ୍ରହଣ ନ କରି ସୁଦ୍ଧା ସେ କେବଳ ନିଜର ଚିନ୍ତା ପ୍ରଭାଵରେ କୌଣସି ସିଦ୍ଧାନ୍ତରେ ଉପସ୍ଥିତ ହୋଇ ଦୃଢ଼ତା ସହକାରେ କହିଅଛନ୍ତି-ଏହା ଏହିପରି ହେଵ । ପ୍ରହରାଜେ ଯେ ରାଶି ରାଶି ଗ୍ରନ୍ଥ ଅଧୟନ କରନ୍ତି ତାହା ନୁହେଁ, ସେ ଅଳ୍ପ ଅଧ୍ୟୟନ କରନ୍ତି, ମାତ୍ର ଚିନ୍ତା କରନ୍ତି ଅତ୍ୟନ୍ତ ଅଧିକ । କେତେଗୁଡ଼ିଏ ମାତ୍ର ଶବ୍ଦ ଆୟତ୍ତ କରି ସେ ସନ୍ତୁଷ୍ଟ ରହିଵା ଲୋକ ନୁହନ୍ତି । ସେ ଯାହା ଧରିବେ, ତାକୁ ଭାଙ୍ଗି ଗୁଣ୍ଡା କରି ତାହାର ଅନ୍ତଃସ୍ଥଳରେ କିମ୍ବା ମର୍ମସ୍ଥଳରେ ପ୍ରଵେଶ ନ କରି ଵିଶ୍ରାନ୍ତ ହେବେ ନାହିଁ । ଅସଲ ଖାଣ୍ଟି ଦ୍ରଵ୍ୟ ଖୋଜି ବାହାର କରିଵା ହିଁ ତାଙ୍କର ରୀତି । ତାଙ୍କ ହୃଦୟ କୌଣସି ସାମ୍ପ୍ରଦାୟିକ ସଂସ୍କାରରେ କଳୁଷିତ ନୁହେଁ । ପକ୍ଷପାତିତା
ତାହାଙ୍କୁ ସତ୍ୟ ପଥରେ ଅନ୍ଧ କରିଦେଇ ନାହିଁ । ସେ ନିଜର 'କୁ' ଦେଖନ୍ତି, ମାତ୍ର ଅନ୍ୟର 'ସୁ'
ଦେଖନ୍ତି । ମୁଁ ଦେଖିଅଛି, ସେ କୌଣସି ସମ୍ପ୍ରଦାୟର, କୌଣସି ଅନୁଷ୍ଠାନର ଵହିର୍ଭାଗ ନ ଦେଖି ଅନ୍ତର୍ଭାଗରେ ପ୍ରଵିଷ୍ଟ ହୋଇ ତାହାର ତତ୍ତ୍ବ ବୁଝିଵାକୁ ଚେଷ୍ଟା କରନ୍ତି ।
ତାଙ୍କର ସରଳତା ପଞ୍ଚମ ଵର୍ଷୀୟ ଶିଶୁ ଭଳି, ମୁଁ ଏହା ଦେଖିଅଛି ଓ ମୁଗ୍ଧ ହୋଇଅଛି । ତାହାଙ୍କ ଆଚାର ଵ୍ୟଵହାର ସମସ୍ତ ହିଁ ପ୍ରୟୋଜନାନୁସାରେ । ପ୍ରଚଳିତ ପ୍ରଥା ବୋଲି ତାହାଙ୍କ ନିକଟରେ କିଛି ହିଁ ନାହିଁ । ଯେତେଟିକ ପ୍ରୟୋଜନ, ସେ ସେତିକି କରିବେ ଆହାର-ଵିହାର, ଵସନ-ପରିଚ୍ଛଦ ପ୍ରଭୃତି ସର୍ଵତ୍ରହିଁ ତାହାଙ୍କର ଏହି ନିୟମ ଅଵ୍ୟାହତ
ଭାବରେ ଚାଲିଅଛି । ପ୍ରୟୋଜନର ଅତିରିକ୍ତ ସେ କିଛି ହିଁ କରନ୍ତି ନାହିଁ । କୌଣସି ଲେଖାରେ ଶବ୍ଦପ୍ରୟୋଗ ସମ୍ବନ୍ଧରେ ତାହାଙ୍କୁ ଏହି ନିୟମରେ ପରିଚାଳିତ ହେଵା ଦେଖାଯାଏ । ହୃଦୟର ଭାବ ଯଥାଯଥରୂପେ ସୁଵ୍ୟକ୍ତ ହୋଇପାରେ, ଏଭଳି ଶବ୍ଦ ପ୍ରୟୋଗରେ ତାହାଙ୍କ ଭଳି ନିପୁଣ ଲେଖକ ମୁଁ ବୋଧହୁଏ ଦେଖି ନାହିଁ । ଗୋଟିଏ ଗୋଟିଏ କ୍ଷୁଦ୍ର କ୍ଷୁଦ୍ର ଵାକ୍ୟରେ ଭାଵସମ୍ପଦ କିଭଳି ସୁଚାରୁରୂପେ ପ୍ରକାଶିତ ହୁଏ, ଯେଉଁମାନେ ତାହାଙ୍କ ଲେଖା ପଢ଼ିଅଛନ୍ତି, ସେମାନେ ଜାଣନ୍ତି । ଭାଷାକୁ ପରିସ୍ଫୁଟ କରିଵା ସକାଶେ ତାହାଙ୍କର ଏହିପରି ଅନୁରାଗ । ନୂତନ ନୂତନ ଭାବର ପ୍ରକାଶ ସକାଶେ ନଵ ନଵ ଶବ୍ଦ ଉଦ୍ଭାଵନରେ ସୁଦ୍ଧା ତାହାଙ୍କ ଵିଚିତ୍ର ଶକ୍ତିର ପରିଚୟ ମିଳେ । ତାହାଙ୍କ ଉତ୍କଳ କାହାଣୀ,ଦୁନିଆର ହାଲଚାଲ, ବାଇମାହାନ୍ତି ପାଞ୍ଜି, ଆମଘରର ହାଲଚାଲ, ନନାଙ୍କ ବସ୍ତାନି,ଭାଗବତ ଟୁଙ୍ଗିରେ ସନ୍ଧ୍ୟା, ଜେଜେବାପାଙ୍କ କାହାଣୀ ପ୍ରଭୃତି ରଚନାଵଳୀରେ ଏଥିରେ ଵିଶିଷ୍ଟ ପରିଚୟ ରହିଅଛି । ପ୍ରହରାଜଙ୍କ ରଚନାପ୍ରଣାଳୀର ମୂଳ କେଉଁଠାରେ ଏଵଂ ତାହାଙ୍କର ଅନ୍ତରର ଵୈଶିଷ୍ଟ୍ୟ କଅଣ ? ଏ ପ୍ରଶ୍ନର ଉତ୍ତର ଗୋଟିଏ କଥାରେ ଦିଆଯାଇପାରେ । Sir Walter Scotଙ୍କ ପରି ସେ Wizard of Orissa, ଓଡ଼ିଶାର ଅପୂର୍ବ ଯାଦୁକର । ସେ ସୌନ୍ଦର୍ଯ୍ୟର ଉପାସକ । ସେ ତାଙ୍କ ରଚନାରେ ପ୍ରାୟ ସବୁ ରସର ଅଵତାରଣା କରିଅଛନ୍ତି । କିନ୍ତୁ
ସର୍ଵତ୍ର ତାହାଙ୍କ ଚକ୍ଷୁ ଯାହା ସୁନ୍ଦର ଓ ଶୋଭନ କିମ୍ବା ମନୋରମ, ତାହା ଉପରେ ନିଵଦ୍ଧ ରହିଥାଏ । ଜୀଵନରହସ୍ୟର ଵ୍ୟଖ୍ୟା ସେ ଯାହା କରିଅଛନ୍ତି, ତହିଁରେ ଦୁଃଖକଷ୍ଟର ଦିଗ ଫୁଟିଉଠି ନାହିଁ । ସଂସାରର ଆଚାର ଵ୍ୟଵହାର ଦେଖି ସେ ଵିରକ୍ତ ଓ ଵିଷଣ୍ଣ ନ ହୋଇ ମନୁଷ୍ୟଜୀଵନର ଅତି ହୀନ କଦର୍ଯ୍ୟ ଓ ଅଵନତ ଅଂଶରୁ ସୌନ୍ଦର୍ଯ୍ୟ ଚୟନ କରିଅଛନ୍ତି । ଅତ୍ୟାଚାର, ଅଵିଚାର, ଅନାଚାର ପ୍ରଭୃତି ଏ ଜାତିକୁ କେତେ ଶତାବ୍ଦୀ ହେଲା ଜର୍ଜରିତ କରିଅଛି । ସାମାଜିକ 'କୁ' ପ୍ରଥା ଜାତିର ମେରୁଦଣ୍ଡକୁ ଦୁର୍ଵଳ କରିଅଛି ।ସ୍ୱାର୍ଥପରତା,ନୀଚତା, କାପୁରୁଷତା,ସଂକୀର୍ଣ୍ଣତା ଓ ଅଜ୍ଞତା ପ୍ରଭୃତି ଏ ସବୁରେ ସ୍ପଷ୍ଟ ହୋଇଅଛି । ଏ ସମସ୍ତ ମଧ୍ୟରେ ଥାଇ ସୁଦ୍ଧା ପ୍ରହରାଜେ ଉତ୍କଳର ଅତୀତର ଓ ଵର୍ତ୍ତମାନର ଅନ୍ତରରେ ସୌନ୍ଦର୍ଯ୍ୟର ଖଣି ସଞ୍ଚିତ ଅଛି, କେଵଳ ଏଭଳି ଆଭାସରେ ଓ ଇଙ୍ଗିତରେ ତାହାଙ୍କ ରଚନାଵଳୀ ପୂର୍ଣ୍ଣ କରିଅଛନ୍ତି । ଏଭଳି ସରସତା ଓ ପ୍ରୀତିମୂଳରେ ତାହାଙ୍କର ତୀବ୍ର ସ୍ଵଦେଶାନୁରାଗହିଁ କାରଣରୂପେ ଵିଦ୍ୟମାନ । ଉତ୍କଳୀୟଙ୍କ ମନରେ ପୌରୁଷର ଅଭିମାନ ଜାଗ୍ରତ କରିଵାକୁ ପ୍ରହରାଜେ ଅଗ୍ରଣୀ । ଏ କାଳରେ ଦେଶକୁ ପୁଙ୍ଖାନୁପୁଙ୍ଖ ରୂପେ ଜାଣିଵା ସକାଶେ ଚାରିଆଡ଼େ ଗୋଟିଏ ଆଗ୍ରହ ଦେଖାଯାଉଅଛି ଓ ଦୁଃଖ, ଦୈନ୍ୟ, କଳୁଷ ଓ ଦୌର୍ଵଲ୍ୟ ଦୂରକରି, ପ୍ରକୃତ ସଂସ୍କାର କରିଵା ସକାଶେ କିମ୍ବା ଜାତିକୁ ଉନ୍ନତ କରିଵା ସକାଶେ ବାସନା ଦୃଷ୍ଟ ହେଉଅଛି । ପ୍ରହରାଜଙ୍କ ଯୌଵନ କାଳରେ ଏହା ଅସମ୍ଭଵ ହୋଇଥିଲା । କିନ୍ତୁ ଆଜି ଯେ ଏହା ସାମ୍ଭାଵ୍ୟମଧ୍ୟରେ ଆସିଅଛି, ଏଥ‌ିପାଇଁ ପ୍ରହରାଜେ କୃତଜ୍ଞତାର ଅଧିକାରୀ । ପ୍ରହରାଜଙ୍କ ପ୍ରତିପାଦ୍ୟ ଵିଷୟ ଓ ଭାବରାଶି ଘେନି ତାହାଙ୍କ ରଚନାଗୁଡ଼ିକର ଶିକ୍ଷା ଘେନି ମତଦ୍ଵୈଧ ଥାଇପାରେ, କିନ୍ତୁ ତାହାଙ୍କର ଭାଷା ଓ ରୀତି ଵିଷୟରେ ସହୃଦୟ ସମାଜରେ ଐକମତ୍ୟ ଅଵଶ୍ୟମ୍ଭାବୀ । ଏ ଭାଷାର ତୁଳନା ନାହିଁ କିମ୍ବା ଏ ରୀତିର ଦ୍ୱିତୀୟ ନାହିଁ । ସମ୍ରାଟ୍‌ଙ୍କ ନାମାଙ୍କିତ ରଜତଖଣ୍ଡ ଭଳି ଉତ୍କଳ ସାହିତ୍ୟ ରାଜ୍ୟରେ ଏହି ରୀତିହିଁ
ଚଳିଵ। ଅନ୍ୟ ସମସ୍ତ ମୁଦ୍ରା ଭେଣ୍ଡି, ହୁଏତ ଭେଲ କିମ୍ବା ଓଜନରେ ଭାରୀ ଏଵଂ ଆବାଜରେ ବୋଦକା । ରଚନାର ପ୍ରଧାନ ଗୁଣ ଏଵଂ ପ୍ରଥମ ପ୍ରୟୋଜନ – ସରଳତା ଓ
ସ୍ପଷ୍ଟତା । ଯେଉଁ ରଚନା ଆବାଳବୃଦ୍ଧବନିତା ସମସ୍ତେ ବୁଝିପାରନ୍ତି ଏବଂ ପଢ଼ିଵା ମାତ୍ରେ
ଯାହାର ଅର୍ଥ ବୁଝାଯାଏ, ଅର୍ଥଗୌରବ ଥିଲେ ତାହା ସିନା ସର୍ଵୋତ୍କୃଷ୍ଟ ରଚନା । ପ୍ରହରାଜଙ୍କ ଭାଷା ପାଠକଙ୍କୁ ଆତଙ୍କରେ କଣ୍ଟକିତ କରେ, ଭକ୍ତିରେ ଉଚ୍ଛସିତ କରେ । କେବେ ଅବା ଚନ୍ଦ୍ରିକୋଜ୍ଜ୍ଵଳ ବାସନ୍ତୀ ନିଶୀଥରେ କୋକିଳର କୁହୁରବ ଭଳି ହୃଦୟକୁ ନଵୀନ ସୁଖସ୍ବପ୍ନରେ ବିହ୍ବଳ କରିପକାଏ, କେବେ ଅବା ସକଳବନ୍ଧନଵିହୀନ ଜୀଵନ୍ମୁକ୍ତ ଵୈରାଗୀଙ୍କ ଉଦାସୀନ ଵାଣୀ ଭଳି ଗୃହହରା କରି ଆମ୍ଭମାନଙ୍କ ପ୍ରାଣକୁ ପରପାରର ପଥିକ ଭଳି ଉପେକ୍ଷାର ମନ୍ତ୍ରରେ ମୁଗ୍ଧ କରିଦିଏ । ଏ ଭାଷାବଳରେ ସକଳ ସୁଖର ଆଧାର, ଶାନ୍ତିର ତୀର୍ଥକ୍ଷେତ୍ର ଉତ୍କଳର ଗୃହସ୍ଥ ମନ୍ଦିର ଚକ୍ଷୁ ସମକ୍ଷରେ ଭାସି ଉଠିଥାଏ । ପରନ୍ତୁ ସରଳତା ଓ ସ୍ପଷ୍ଟତା ଗୁଣରୁ ଅତି ଜଟିଳ ପ୍ରତିପାଦ୍ୟ ଵିଷୟକୁ ମଧ୍ୟ ସରସ ଓ ହୃଦୟଗ୍ରାହୀ କରିଅଛି ଏହି ଭାଷା । ଆଧୁନିକ ରୀତିସମସ୍ତରେ ନୂତନତ୍ଵ କିମ୍ବା ଵୈଚିତ୍ର ଥାଇପାରେ, କିନ୍ତୁ ସାର୍ଵଜନୀନ ଉପାଦେୟତ୍ୱ ନ ଥାଏ, ଏଭଳି ପ୍ରସନ୍ନତା କିମ୍ବା ଏଭଳି ଅପ୍ରତିହତ ପରିସ୍ଫୁରଣ ନ ଥାଏ । ପଦପ୍ରୟୋଗରେ ଯେ ଗୋଟିଏ ଅନୁପାତ ରକ୍ଷା କର୍ତ୍ତଵ୍ୟ -ଗୋଟିଏ ସୁଷମାର ଅନୁପାତ ଲକ୍ଷ୍ୟ କରିଵା ଉଚିତ, ପ୍ରହରାଜଙ୍କ ରୀତି ତାହାର ଅଦ୍ବିତୀୟ ନିଦର୍ଶନ । ସେ ମାତ୍ରା, ସେ ସୁଷମା-ରକ୍ଷାର ନିୟମ ସୂତ୍ରାକାରରେ ନିଵଦ୍ଧ କରିଵା କଠିନ । ପ୍ରହରାଜଙ୍କ ପ୍ରତିଭା ପୁସ୍ତକଵର୍ଣ୍ଣିତ ପୁରୁଭୁଜ ଭଳି ଅସଂଖ୍ୟ ବାହୁ ପ୍ରସାରିତ କରି
‘ଭାଷାକୋଷରେ’ ଆମ୍ଭମାନଙ୍କ ଚିନ୍ତାର ଯାଵତୀୟ ଅଙ୍ଗକୁ ଆକ୍ରମଣ କରିଵାକୁ ଉଦ୍ୟତ
ହୋଇଅଛି ।


ଯେଉଁ ଉତ୍କଳଗୌରଵ ପ୍ରକାଣ୍ଡ ଭାଷାକୋଷର ପଵିତ୍ରୋଜ୍ଜ୍ଵଳ ରଶ୍ମି ପ୍ରଭାଵରେ ସାହିତ୍ୟ ଗଗନ ସମୁଜ୍ଜ୍ବଳ, ତାହାର ପରିଚୟ ଅନାଵଶ୍ୟକ । ସାହିତ୍ୟର ମୃତସଞ୍ଜୀଵନୀ ସୁଧାଧାରା
ଵ୍ୟତୀତ ଯେଉଁ ଜାତି ସଞ୍ଜୀଵିତ, ଉଦ୍ଦୀପିତ ଓ ଦେଶାତ୍ମବୋଧରେ ଅନୁପ୍ରାଣିତ ହୋଇ ନ
ପାରେ, ଜାତୀୟ ଜୀଵନ ସଂଗଠନର ପର୍ଯ୍ୟାପ୍ତ ଉପାଦାନ ଗୌରଵଗର୍ଵ ମନୀଷା ଓ
ପ୍ରତିଭାର ଦାନସ୍ଵରୂପ ଏହି ଭାଷାକୋଷରୁ ଯୁଗେ ଯୁଗେ ସ୍ଵଦେଶ ଓ ସ୍ଵଧର୍ମ ମହିମାରେ
ଉଦ୍‌ବୋଧୃତ ହୋଇ ସେ ଜାତି ନିଜକୁ ଧନ୍ୟ ଓ କୃତାର୍ଥ ଜ୍ଞାନ କରୁଥିଵ । ଓଡ଼ିଆ ଭାଷାରେ ଗୋଟିଏ ମହତ୍ ଵ୍ୟାକ୍ୟ ଅଛି ‘ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ’ । ଏହି ଭାଷାକୋଷରେ କଅଣ ନାହିଁ ? ଗ୍ରନ୍ଥକାରଙ୍କର ଵିଗତ ୨୭ ଵର୍ଷ ଵ୍ୟାପୀ ପ୍ରଗାଢ଼ ପରିଶ୍ରମ, ଅଭୂତପୂର୍ଵ ନିଷ୍ଠା, ଉଦ୍ଦୀପନାପୂର୍ଣ୍ଣ ଏକାଗ୍ରତା, ଅସାଧାରଣ କ୍ଷମତା ଏଵଂ ସର୍ଵୋପରି ଐକାନ୍ତିକ ନିଷ୍ପତ୍ତିଶୀଳତା ଏଡ଼େ ବଡ଼ ପ୍ରକାଣ୍ଡ ଗ୍ରନ୍ଥକୁ ସାଫଲ୍ୟମଣ୍ଡିତ କରିଅଛି, ଅତ୍ର ସନ୍ଦେହୋ ନାସ୍ତି । ସବୁଥରେ ହିଁ ତାହାଙ୍କର ଅସାମାନ୍ୟ କୃତିତ୍ଵ ଦେଖି ସମସ୍ତେ ଵିସ୍ମୟ ଅନୁଭବ କରନ୍ତି । ବଡ଼ଲାଟଙ୍କ ଦରବାରରେ ଯାହାଙ୍କର ସମ୍ମାନ, ତାହାଙ୍କଠାରେ ଅତି ଛିଦ୍ର ଓ ନୀଚ ସ୍ତରର ହରିଜନ ସୁଲଭ କାର୍ଯ୍ୟରେ ଦକ୍ଷତା ଦେଖି କିଏ ବିସ୍ମିତ ତଥା ପୁଲକିତ ନ ହେବ ?

ବଙ୍ଗ ଦେଶରେ ଗୋଟିଏ କଥା ଅଛି ‘‘ଜୋତା ସିଲାଇଠାରୁ ଚଣ୍ଡୀପାଠ ପର୍ଯ୍ୟନ୍ତ ।’’
ପ୍ରହରାଜଙ୍କର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ଦେଖିଲେ କେଉଁ କଥାରେ ସେ ଦକ୍ଷ ନୁହନ୍ତି,
ଏହା ବୁଝି ହେଵ ନାହିଁ । ମୁଗ ଭାଜି ଚକିରେ ରଗଡ଼ି କୁଲାରେ ପାଛୁଡ଼ି ଡାଲି ରାନ୍ଧିଵା,
ବାସନ ମାଜିଵା, ଅଳ୍ପ ବିସ୍ତର ବଢ଼େଇ କାର୍ଯ୍ୟ କରିଵା, ପାନ ଭାଙ୍ଗିଵାଠାରୁ ଘର ଝାଡ଼ି
ପରିଷ୍କାର କରିଵା, କୁକୁର ବିଷ୍ଠା ଗୃହସ୍ତରେ ଉଠାଇନେଵା, ନିଜର ତଥା ଅପରର ପୁରୀଷ
ଉଠାଇଵା, ଗୋଵରର ଘଷି ପାରିଵା ପ୍ରଭୃତି କାର୍ଯ୍ୟରେ ସେ ସବୁବେଳେ ସିଦ୍ଧହସ୍ତ ।
ଏଣେ ବ୍ରାହ୍ମଣୋଚିତ କର୍ମକର୍ମାଣିରେ ସେ ଧୁରନ୍ଧର । ଶିଵ,ଵିଷ୍ଣୁ, କାଳୀ, ଦୁର୍ଗା, ଗଣେଶ,
ସୂର୍ଯ୍ୟଙ୍କର ପୂଜାର ଓ ହୋମର ଉପଯୁକ୍ତ ଵ୍ୟଵସ୍ଥା ଓ ମନ୍ତ୍ରସମୂହ ତାହାଙ୍କର ଏକପ୍ରକାର
କଣ୍ଠସ୍ଥ କହିଲେ ଅତ୍ୟୁକ୍ତି ହେଵ ନାହିଁ । ଗୃହସ୍ଥାଶ୍ରମର ସାନଠାରୁ ବଡ଼ କାର୍ଯ୍ୟରେ ଅସାମାନ୍ୟ ପ୍ରତିଭାଶାଳୀ ହେଲେହେଁ, ତାହାଙ୍କର ହୃଦୟ ମାନଵିକତା ଓ ପ୍ରେମପ୍ରଵଣତାରେ ପରିପୂର୍ଣ୍ଣ ।
ମାନଵର ଭ୍ରାତୃତ୍ଵ ତାହାଙ୍କ ନିକଟରେ କେଵଳ ଗୋଟିଏ ମୁଖୋଚ୍ଚାରିତ ଵାକ୍ୟ ନୁହେଁ
ସଜୀଵ ଓ ସତ୍ୟ ଆଦର୍ଶ ରୂପେ ଵିଦ୍ୟମାନ । ଧନୀ, ନିର୍ଜନ, ଉଚ୍ଚ, ନୀଚ, ସକଳ ଅଵସ୍ଥାର ଲୋକଙ୍କ ସହିତ ସେ ସମାନ ଭାବରେ ମିଶି ସୁଖୀଙ୍କ ସୁଖରେ ସୁଖୀ ହୋଇ ଓ
ଦୁଃଖୀଙ୍କ ଦୁଃଖରେ ନୟନ ଅଶ୍ରୁସିକ୍ତ କରି ନିଜର ମହତ୍ଵ ହୃଦୟର ପରିଚୟ ଦେଵାଦ୍ଵାରା
ସମସ୍ତଙ୍କୁ ମୁଗ୍ଧ କରିଥାଆନ୍ତି । ସେ ଧନୀ ହେଵା ସକାଶେ କେବେହେଁ ଆକାଂକ୍ଷା କରି ନାହାନ୍ତି, ତାଙ୍କ ମତରେ ଅର୍ଥ ସଞ୍ଚୟ କିମ୍ବା ଵ୍ୟଵସାୟ ଵାଣିଜ୍ୟରେ କୃତକାର୍ଯ୍ୟତା ମନୁଷ୍ୟ ଶକ୍ତିର ସତ୍ୟ କିମ୍ବା ପ୍ରକୃତ ପରିଚୟ ନୁହେଁ । ପୃଥ‌ିଵୀରେ ମୁଦ୍ରା ନାମକ ଦ୍ରଵ୍ୟକୁ ସେ ପରମାରାଧ୍ଯ ଵସ୍ତୁ ବୋଲି ମନେ କରନ୍ତି ନାହିଁ । କେଵଳ ଗ୍ରାସାଚ୍ଛାଦନ ସକାଶେ ଓ ପରୋପକାରପାଇଁ ପ୍ରୟୋଜନୀୟ
ଅର୍ଥରେ ସେ ସର୍ଵଦା ସନ୍ତୁଷ୍ଟ । ପରୋପକାର ସକାଶେ ତାହାଙ୍କର ଯତ୍ନସାମାନ୍ୟ ଆୟରୁ ସେ ଅକାତର ଵ୍ୟୟ କରିଵାକୁ କଦାପି କୁଣ୍ଠିତ ନୁହନ୍ତି । ଏହା ତାହାଙ୍କର ପ୍ରାତ୍ୟହିକ କାର୍ଯ୍ୟପ୍ରଣାଳୀ । ତାହାଙ୍କର ସମୁଜ୍ଜ୍ବଳ ମଧୁର ଓ ସର୍ବଚିତ୍ତରଞ୍ଜନ ମୂର୍ତ୍ତି ସର୍ବଦା ମୋ ନେତ୍ରପଥରେ ପ୍ରତିଭାତ । ତାହାଙ୍କର ପ୍ରଶସ୍ତ ଲଲାଟ, ଅସାଧାରଣ ଜ୍ୟୋତିର୍ମୟ ଆକର୍ଶ ଵିଶ୍ରାନ୍ତ ନୟନଦ୍ଵୟ ଏଵଂ ହାସ୍ୟଵିକଶିତ ସ୍ଥୂଳ ଓଷ୍ଠାଧର ମୁଖମଣ୍ଡଳର ଶୋଭା ଵର୍ଦ୍ଧନ କରୁଅଛି । ତାହାଙ୍କର ଓଷ୍ଠାଧର ବି ନିର୍ଗତ ମଧୁମୟ ଵାକ୍ୟ ସତତ ଅସାଧାରଣ ଶକ୍ତିର ଓ
ପ୍ରତ୍ୟୁତ୍ପନ୍ନମତିତ୍ଵର ପରିଚୟ ଦେଇଥାଏ । ସଂସାରଚିନ୍ତା ତାହାଙ୍କର ଉନ୍ନତ ଅନ୍ତଃକରଣରେ କେବେ ଉତ୍କଣ୍ଠାର ସ୍ଥାନ ଗ୍ରହଣ କରେ ନାହିଁ । କୌଣସି ପ୍ରକାର ସାଂସାରିକ ତାପ ଆନନ୍ଦମୟ, ସବୁବେଳେ ସମସ୍ତଙ୍କର ଆନନ୍ଦଵର୍ଦ୍ଧକ ଓ ଚିତ୍ତାକର୍ଷକ ରୂପେ ଵିଵେଚିତ । ତାହାଙ୍କର ଭାଵଵ୍ୟଞ୍ଜକ ମୁଖଶ୍ରୀ ଉଚ୍ଚବଂଶଜାତ ଧୀମାନ୍ ଓ ଆତ୍ମଶକ୍ତିରେ ନିର୍ଭରଶୀଳ ପୁରୁଷପୁଙ୍ଗବ ଭଳି । ତାହାଙ୍କ ଦେହ ଓ ମୁଖମଣ୍ଡଳରେ ଵାର୍ଦ୍ଧକ୍ୟର ଚିହ୍ନ ସୁସ୍ପଷ୍ଟ ଭାବରେ ମୁଦ୍ରିତ ହେଲେ ହେଁ, ଯୁଵଜନସୁଲଭ କାର୍ଯ୍ୟ କରିଵାର
ଶକ୍ତି, ସରସପଣ ଓ ଉତ୍ସାହ ବହୁଳ ପରିମାଣରେ ତାଙ୍କଠାରେ ଆତ୍ମ ପ୍ରକାଶ କରିଅଛି ।’’ ତାଳଚେରର ସ୍ୱନାମଧନ୍ୟ (ଵାର୍ଦ୍ଧକ୍ୟରେ ମଧ୍ୟ କିଶୋରସୁଲଭ କର୍ମଠତାମୟ) ରାଜା ଶ୍ରୀ କିଶୋରଚନ୍ଦ୍ର ହରିଚନ୍ଦନ ଜଗଦେଵ ଆଜିକୁ ୧୩ ଵର୍ଷ ତଳେ ପାଣ୍ଡୁଲିପିମାନଙ୍କ ପାଇଁ ଯେଉଁ ମୁଦ୍ରିତ ଭିକ୍ଷାପତ୍ର ଉତ୍କଳର ସାହିତ୍ୟାନୁରାଗୀ ଲକ୍ଷ୍ମୀକୁମାରମାନଙ୍କଠାକୁ ପ୍ରେରିତ
ହୋଇଥିଲା, ତହିଁରେ ପ୍ରଥମେ ସ୍ବାକ୍ଷର କରିଥିଲେ । ଉତ୍କଳ ସାହିତ୍ୟ ସମାଜର ୧୯୩୯ରେ ହେଵା ଵାର୍ଷିକ ଉତ୍ସଵର ସଭାପତିଙ୍କ ଅଭିଭାଷଣରେ ସେ ଭାଷାକୋଷର ଉଲ୍ଲେଖ କରିଥିଲେ । ୧୯୪୦ ସାଲର ଉତ୍କଳ ସାହିତ୍ୟ ସମାଜର ଵାର୍ଷିକ ଉତ୍ସଵର ପୁରୋଧା କଲିକତା ଵିଶ୍ବଵିଦ୍ୟାଳୟର ଆଚାର୍ଯ୍ୟ ଅଧ୍ୟାପକ ଶ୍ରୀ ପ୍ରିୟରଞ୍ଜନ ସେନ, ଏମ୍.ଏ., ପି.ଆର୍.ଏସ୍.
କାଵ୍ୟତୀର୍ଥ ତାଙ୍କ ଅଭିଭାଷଣରେ ଭାଷାକୋଷ ଉପରେ ତାଙ୍କର ପ୍ରଶଂସା ଓ ଶୁଭକାମନା
ନିମ୍ନୋକ୍ତ ଭାଷାରେ ଅର୍ପଣ କରିଥିଲେ ।

‘‘ଵର୍ତ୍ତମାନ ଯୁଗରେ ଆପଣମାନଙ୍କର ଗୌରଵ କରିଵାର ଵିଷୟ ମୋର ଶ୍ରଦ୍ଧାସ୍ତ୍ରଦ
ବନ୍ଧୁ ଆପଣମାନଙ୍କ ସଭାପତି ଭାଷାଚାର୍ଯ୍ୟ ରାୟବାହାଦୁର ଗୋପାଳଚନ୍ଦ୍ର ପ୍ରହରାଜଙ୍କର
ବହୁବର୍ଷ ଅକ୍ଳାନ୍ତ ପରିଶ୍ରମସମ୍ଭୂତ ଭାଷାକୋଷ ଗ୍ରନ୍ଥ । ବାଇମାହାନ୍ତି ପାଞ୍ଜି ଓ ପୂର୍ଣ୍ଣଚନ୍ଦ୍ର
ଭାଷାକୋଷ ଏହାଙ୍କଠାରେ ଏକତ୍ର ଦେଖାଇଛି ପରିହାସରସିକତା ଓ ଶାବ୍ଦିକଙ୍କ ପାଣ୍ଡିତ୍ୟ ।
ଏହାଙ୍କ ସମ୍ବନ୍ଧରେ କହିଵାକୁ ଗଲେ, ଆମ ବଙ୍ଗର ଶ୍ରୀ ରାଜଶେଖର ବସୁଙ୍କ କଥା
ମନେପଡ଼େ, ଯାହାଙ୍କ ଗଡାଳିକା ଓ ଚଳନ୍ତିକା ଏହି ଦୁଇଟି ଧାରାକୁ ପୁଷ୍ଟ ରଖିଅଛି । ସେ
ଏକାବେଳକେ ଏକୁଟିଆ ହେଲେ ସୁଦ୍ଧା, ଏହି ବୃହତ୍ ଅଭିଧାନ ରଚନା କରି ଓଡ଼ିଶାର ଶବ୍ଦସମ୍ପଦକୁ ସୁସ୍ପଷ୍ଟ କଲେ । ଏହା ମଧ୍ୟ ସେ ଦେଖାଇଅଛନ୍ତି ଯେ, ଓଡ଼ିଶାରେ ଦେଵୀ
ଭାରତୀଙ୍କ ସନ୍ତାନଗଣଙ୍କଦ୍ବାରା ଅସାଧ୍ୟ ସାଧନରେ ସିଦ୍ଧି ସମ୍ଭଵ ହୋଇପାରେ । ଏହାଙ୍କର ସାଧନା ଵର୍ତ୍ତମାନ ଭାରତ ଭାରତୀଙ୍କ ପୂଜାଵେଦୀମୂଳେ ବହୁମୂଲ୍ୟ ଉପାୟନ ବୋଲି ମୁଁ ମନେ କରେ ।”

Monday, September 23, 2024

ଭାଷାକୋଷ ଵିଵାଦ : ଭାଷାକୋଷ ସଂକଳନ ସମୟରେ ଓଡ଼ିଆ କଵିମାନଙ୍କ ନିନ୍ଦା ଓ ବଙ୍ଗୀୟ ବୁଦ୍ଧିଜୀଵଙ୍କ ପ୍ରଶଂସା

ପ୍ରହରାଜ ଯେତେବେଳେ ଭାଷାକୋଷର ସଂକଳନ ଦାୟିତ୍ଵ ନେଲେ ସେତେବେଳେ ତାଙ୍କର ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଭୟଙ୍କର ନିନ୍ଦା କରାଗଲା ଏଵଂ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ଚୋର ଠକ କହିଵାକୁ ବି ସେସମୟର ତଥାକଥିତ ମହାପୁରୁଷମାନେ କୁଣ୍ଠାବୋଧ କରିନଥିଲେ। 
 
ତଥାକଥିତ ମହାପୁରୁଷ ରାମପ୍ରସାଦ ସିଂହ ସହକାର : ୧୩୪୪ ସାଲ, ୧୧।୧୨ ସଂଖ୍ୟା-ପୃ. ୧୦୪୦-୪୧ରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ସମାଲୋଚନା କରି ଲେଖିଛନ୍ତି —
‘‘ଭାଷାକୋଷକୁ ଦାନ କରିବା ଯେକୌଣସି ନୀତି ଦୃଷ୍ଟିରୁ ଦେଖ‌ିଲେ ମଧ୍ୟ ସରକାରଙ୍କ
ପକ୍ଷରେ ବୁଦ୍ଧି, ଵିଵେଚନାର ଓ ଦାୟିତ୍ଵ ଜ୍ଞାନର ଅଭାଵ ଛଡ଼ା ଆଉ କିଛି କହିହେଵ ନାହିଁ ।ଭାଷାକୋଷ ଜଣେ ବ୍ୟକ୍ତିର ଵ୍ୟକ୍ତିଗତ ସମ୍ପତ୍ତି । ବଙ୍ଗଳା ଭାଷାକୋଷ ଓ ହିନ୍ଦୀ ଶବ୍ଦସାଗରର ଏକତ୍ର ସମାବେଶ ସହିତ କେତେକ ଓଡ଼ିଆ ଶବ୍ଦର ଦଣ୍ଡଵୈଠକୀ ଓ କସରତର ସମାବେଶ ଏହାର ଆକାର ବୃଦ୍ଧି କରିଛି । କିନ୍ତୁ ଗୋଟାଏ ମାତ୍ର ବହି --ଏହା ପଛରେ,ଯେଉଁ କଦର୍ଯ୍ୟ
ଇତିହାସ ରହିଛି, ତାହା ଅନ୍ତତଃ କଂଗ୍ରେସ ଦଳ ଭୁଲିଯିଵା ଉଚିତ ନୁହେଁ । ମନେହୁଏ, ଏହାର ପ୍ରତ୍ୟେକ ପୃଷ୍ଠାରେ ନିରୀହ ସତ୍ୟାଗ୍ରହୀର ରକ୍ତଲିପ୍ତ ହୋଇ ରହିଛି । ଜଣେ ଲେଖକର ଵ୍ୟକ୍ତିଗତ ସ୍ଵାର୍ଥପାଇଁ ଅଯାଚିତ ଭାବରେ ଲକ୍ଷ ଲକ୍ଷ ଲୋକଙ୍କ ଧନରୁ ଟଙ୍କାଟିଏ ମାତ୍ର ଵ୍ୟୟ କରିଵା ଯେ ସରକାରୀ ଦାୟିତ୍ୱ ଦୃଷ୍ଟିରୁ ଅସମୀଚୀନ, ଏହା ସ୍ୱତଃ ହିଁ ପ୍ରତିଭାତ ହେଵ । 

ପ୍ରହରାଜଙ୍କୁ ସର୍ଵାଧିକ କଟୁ ସମାଲୋଚନା ଗୋଦାବରୀଶ ମହାପାତ୍ର କରିଛନ୍ତି। ଉଦାହରଣ ସ୍ୱରୂପ ନିଆଁଖୁଣ୍ଟା ୨ୟ ଵର୍ଷ/୧୪ଶ ସଂଖ୍ୟା/ପୃ.୧୩ରେ ଗୋଦାବରୀଶ ମହାପାତ୍ର ଲେଖିଛନ୍ତି “ଓଡ଼ିଶାର ଉପର ମହଲରୁ କେତେ ଜଣ ବଛା ବଛା ବଡ଼ଲୋକ ସବୁ ତୀର୍ଥ କରି ବାହାରିଛନ୍ତି । ପ୍ରହରାଜେ ପାଳକୋଷ ନୈଵେଦ୍ୟ ଦେଇ ଯମୁନା କୂଳରେ ଲାଟ ଦେଵତାଙ୍କୁ ପୂଜା କରିଵାକୁ ଯାଉଛନ୍ତି । ଶାସ୍ତ୍ରରେ ତ ଅଛି, ସ୍ତ୍ରୀ ଅଭାଵରେ ସ୍ତ୍ରୀର ସ୍ଵର୍ଣ୍ଣମୂର୍ତ୍ତି ଧରି କାମ କରାଯାଇପାରେ । ଭାଗ୍ୟକୁ ସୁନାର ରଙ୍ଗଟା ପୀତଵର୍ଣ୍ଣ ।”

ମୁଖପୃଷ୍ଠାରେ ପ୍ରହରାଜଙ୍କ ଦିଲ୍ଲୀଯାତ୍ରାର ଛବି ରହିଛି ଓ ତଳେ ଲେଖାଯାଇଛି –
‘ଓଡ଼ିଶାରେ ପୁଣ୍ୟ ଅର୍ଜନ’ । ପତ୍ନୀଙ୍କ ଅନୁଜା ପୀତାମ୍ବରୀ ଦେଵୀଙ୍କୁ ପୀତବର୍ଣ୍ଣ
ଶବ୍ଦରେ ଵ୍ୟଙ୍ଗ କରାଯାଇଛି । 

ସେହିପରି ନିଆଁଖୁଣ୍ଟା : ୨ୟ ଵର୍ଷ / ୨୩ଶତମ
ସଂଖ୍ୟା/ପୂ. ୧୧ରେ ଗୋଦାବରୀଶ ମହାପାତ୍ର 
“ଓଡ଼ିଶାରେ ବିରାଟ ଅପମାନ : ପାଳକୋଷ” ବୋଲି ଉଲ୍ଲେଖ କରିଛନ୍ତି। ନିଆଁଖୁଣ୍ଟା ୨ୟ ଵର୍ଷ/୨୮ଶ ସଂଖ୍ୟା/ପୃ.୨ରେ ପୁଣି ଲେଖାଅଛି “ଆମ ନୂଆ ଵର୍ଷ : ଗୋପାଳ ଚନ୍ଦ୍ର ପ୍ରହରାଜ ଓଡ଼ିଆଙ୍କୁ ଗଧ ବୋଲି କହି ମଧ୍ୟ ଚାନ୍ଦା ଆଦାୟ କରିପାରେ ।”

ନିଆଁଖୁଣ୍ଟା : ୨ୟ ଢର୍ଷ, ୨୮ଶତମ ସଂଖ୍ୟା ପୃ୧୩/୧୪ରେ ଗୋଦାବରୀଶ ମହାପାତ୍ର ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ବିହାରୀ କୋଷ କହିଵାକୁ ସୁଦ୍ଧା ପଛାଇ ନାହାନ୍ତି। 

“ପ୍ରହରାଜଙ୍କ ବିହାରୀ କୋଷ : ଏ ନାଁ ରୁ ପାଠକମାନେ ହଠାତ୍ ମନେ କରିବେ ଯେ,ଓଡ଼ିଶାର ଶ୍ରଦ୍ଧେୟ ପାଳକୋଷ ଲେଖକ ରାୟବାହାଦୁର ଗୋପାଳ ଚନ୍ଦ୍ର ପ୍ରହରାଜ ଓଡ଼ିଆ ଭାଷା ପରେ ବିହାରୀ ଭାଷା ଉପରେ ଏକ କୋଷ ଲେଖୁଛନ୍ତି; କିନ୍ତୁ ତାହା
ଠିକ୍ ନୁହେଁ । ଏ ହେଉଛି ପ୍ରହରାଜ + ଓଡ଼ିଶାର ପ୍ରଧାନ ଦସ୍ୟ ବିହାରୀ ନାଏକ + ତା’ର ଅର୍ଥ ଭଣ୍ଡାର ଵା କୋଷ = ପ୍ରହରାଜଙ୍କ ବିହାରୀ କୋଷ ।”

ଗୋଦାବରୀଶ ମହାପାତ୍ରଙ୍କ ପରି କାନ୍ତକଵି ଲକ୍ଷ୍ମୀକାନ୍ତ ମହାପାତ୍ର ଆପଣା ସମ୍ପାଦିତ ‘ଡଗର’ ପତ୍ରିକାର ଵିଭିନ୍ନ ସଂଖ୍ୟାରେ ଶ୍ରୀ ଶ୍ରୀ ହନୁମନ୍ତ କପିବର ନକଲ ନବିସ୍ ଛଦ୍ମନାମରେ ବହୁ ଶବ୍ଦର ଲାକ୍ଷଣିକ ଅର୍ଥ ଉଲ୍ଲେଖ କରିଛନ୍ତି । ସଂକଳିତ ଶବ୍ଦଗୁଡ଼ିକ ପାରୋଡ଼ି ଵା ଲାଳିକା ଶ୍ରେଣୀର । ସଂକଳନର ଶୀର୍ଷକ ରଖାଯାଇଛି ‘ଅର୍ଦ୍ଧଚନ୍ଦ୍ର ଦେଢ଼ିଆ ଭାଷାକୋଷ’ ।
ଏପରିକି ଶ୍ରୀମତୀ ସରଳାଦେଵୀ ସହକାର, ୧୩୪୪ ସାଲ, ୧୧/୧୨ ସଂଖ୍ୟା, ପୃଷ୍ଠା ୧୦୪୦-୪୫ରେ ପ୍ରହରାଜଙ୍କ ଭାଷା ଵିଚାର ପ୍ରତି କଟୁ ଟିପ୍‌ପଣ ଦେଇ ଆପଣାର ‘ଭାଷା ଵ୍ୟଵଧାନ’ ପ୍ରବନ୍ଧ ଲେଖିଛନ୍ତି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦି ଲକ୍ଷ ଶବ୍ଦ ଅଛି ତେଣୁ କେହି ବି ଯୋଗ୍ୟ ଵା ଅଯୋଗ୍ୟ ଵ୍ୟକ୍ତି ସେ ଶବ୍ଦ ସମ୍ଭାର ବଳରେ ଶ୍ଳୀଳ ଵା ଅଶ୍ଳୀଳ କଵିତା ଲେଖିପାରେ ଏହି ଭୟରେ ସମ୍ଭଵତଃ ତତ୍କାଳୀନ ତଥାକଥିତ ମହାପୁରୁଷ କଵିମାନେ ପ୍ରହରାଜଙ୍କ ଵିରୋଧାଚରଣ କରିଥିଲେ । 

ଅସ୍ତୁ ଆମ ତତ୍କାଳୀନ ମହାକଵିମାନେ ସିନା ଭାଷାକୋଷର ନିନ୍ଦାଗାନ କରିଵାରେ ଲିପ୍ତ ଥିଲେ କିନ୍ତୁ ଵିଦେଶୀମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ତ୍ଵ ବୁଝିପାରିଥିଲେ । ଇଟାଲୀ ଵିଶ୍ଵଵିଦ୍ୟାଳୟର ମୁଖପତ୍ରରେ ଗୁ
ସେଫଟକ୍ସି ଉଲ୍ଲେଖ କରିଛନ୍ତି – “The dictionary is an account of its size and
wealth of documentation, the most complete that could be designed. XX
Gopal Praharaj has highly deserved well of his country and the rebirth of vernacular studies in India. XX This work will facilitate literature which
has also many points of contact with the literature of Bengal and is not any mean, one of the least interesting in India.”

ସେହିପରି ଓଡ଼ିଶାର ତଥାକଥିତ ତତ୍କାଳୀନ ମହାକଵିମାନେ ସିନା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ତ୍ଵ ବୁଝିପାରିନଥିଲେ କିନ୍ତୁ ଆମ ପଡ଼ୋଶୀ ବଙ୍ଗାଳୀମାନେ ଏହି ଵିଶାଳ ଶବ୍ଦଗ୍ରନ୍ଥକୁ ଦେଖି ଆଶ୍ଚର୍ଯ୍ୟ ଅଭିଭୂତ ହେଉଥିଲେ । ସେମାନେ ମନେ ମନେ ଦୁଃଖ ବି କରିଥିବେ ଯେ ଗୋପାଳ ଚନ୍ଦ୍ର ପ୍ରହରାଜ ଆମ ବଙ୍ଗରେ କାହିଁକି ଜନମିଲେ ନାହିଁ। ବଙ୍ଗାଳୀ ଵିଶ୍ଵକୋଷ,ହିନ୍ଦୀ ଶବ୍ଦ ସାଗର, ଗୁଜରାଟୀ ଭଗଵତୋ ମଣ୍ଡଲ ଓ ତାମିଳ ଲେକ୍ସିକନ୍ ଭଳି କିଛି ବଡ଼ ଅଭିଧାନ ଭାରତଵର୍ଷରେ ସଂକଳିତ ହୋଇଛି ସତ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ସୁନ୍ଦର ରୂପେ ସଜ୍ଜିତ ଶବ୍ଦ ଓ ତଥ୍ୟାତ୍ମକ ସମ୍ଭାର ଯୁକ୍ତ କୌଣସି ଅଭିଧାନ କୋଷାଦି ହୋଇପାରି ନାହିଁ । ଏହା ହୃଦବୋଧ କରି ଵିଶ୍ୱକବି ରବୀନ୍ଦ୍ରନାଥ ଠାକୁର ମଧ୍ଯ ଏକ ପତ୍ରରେ ପ୍ରହରାଜଙ୍କ ଶତମୁଖ ପ୍ରଶଂସା କରି ଲେଖିଛନ୍ତି —“The Purna Chandra Odia Bhasakosha is an encyclopaedic dictionary which has been useful for the
work of our research department in the Viswa-Bharati. The compiler Mr. G.C. Praharaj and his co-laborators deserve our sincere thanks for the excellent work they have done.”

ପୁଣି ଦେଶଵିଦେଶରେ ସୁପଣ୍ଡିତରୂପେ ପରିଚିତ କଲିକତା ଵିଶ୍ଵଵିଦ୍ୟାଳୟର ଆଚାର୍ଯ୍ୟ
ଡାକ୍ତର ସୁନୀତିକୁମାର ଚାଟାର୍ଜୀ, ଏମ୍.ଏ., ଡି.ଲିଟ୍., ମହୋଦୟ ମହୀଶୂର ରାଜ୍ୟରେ ଅନୁଷ୍ଠିତ ହୋଇଥିଵା ଗତ ଅଲ୍ ଇଣ୍ଡିଆ ଓରିଏଣ୍ଟାଲ୍ କନ୍‌ଫରେନ୍ସର ଭାରତୀୟ ଆର୍ଯ୍ୟଭାଷାଵିଷୟକ ଶାଖାର ସଭାପତିରୂପେ ତାଙ୍କ ଅଭିଭାଷଣରେ ଭାଷାକୋଷ ଵିଷୟ ଉଲ୍ଲେଖ କରିଥିଲେ । ସେ ପ୍ରହରାଜଙ୍କ ନିକଟକୁ ଖଣ୍ଡିଏ ପତ୍ର ମଧ୍ୟ ଲେଖିଥିଲେ ଏଵଂ ତହିଁରେ ଲେଖାଥିଲା—‘‘ଆପଣଙ୍କର ସୁଵୃହତ୍ ଅଭିଧାନକୁ ମୁଁ କଲିକତା ଵିଶ୍ୱଵିଦ୍ୟାଳୟ ଲାଇବ୍ରେରୀରେ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଅଛି ଓ ଆପଣଙ୍କ ଵିଦ୍ବତ୍ତାର ଓ ପ୍ରଗାଢ଼ ଅଧ୍ୟଵସାୟର ଭୂୟସୀ ପ୍ରଶଂସା କରୁଅଛି । ଭାରତୀୟ ଆର୍ଯ୍ୟଭାଷା ଅନୁଶୀଳନକାରୀଙ୍କ ପକ୍ଷରେ ଆପଣଙ୍କ ଅଭିଧାନ ଗୋଟିଏ ଅଦ୍ବିତୀୟ ଗ୍ରନ୍ଥ । ଏହି ବିଶାଳ ଗ୍ରନ୍ଥ ଉତ୍କଳୀୟ ମନୀଷାର ସ୍ମୃତିସ୍ତମ୍ଭରୂପେ ଵିରାଜୁଥ‌ିଵ । ସୁଖର ଵିଷୟ ଏହି ଯେ, ଉତ୍କଳ ଜନନୀ ସ୍ଵୀୟ ରାଜ୍ୟରେ ଅଧିଷ୍ଠାତ୍ରୀ ଦେଵୀରୂପେ ପ୍ରତିଷ୍ଠିତ ହେଵାର ସମକାଳରେ ଏହା ପ୍ରକାଶିତ ହୋଇଅଛି ।”

ତତ୍କାଳୀନ କଵିମାନଙ୍କର ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସମ୍ବନ୍ଧୀୟ କଟୁ ମନ୍ତଵ୍ୟମାନ ସହକାର,ଡଗର ଓ ନିଆଁଖୁଣ୍ଟାରୁ ପଢ଼ିଲେ ଯେତିକି ଦୁଃଖ ଲାଗେ ମନରେ ସେତିକି କ୍ରୋଧ ମଧ୍ୟ ଜାତ ହୁଏ । ଓଡ଼ିଆଙ୍କର କଙ୍କଡ଼ା ସମ ଗୋଡ଼ଟଣା ଗୁଣ ସେତେବେଳେ ବି ଥିଲା ଅନ୍ୟଥା ତତ୍କାଳୀନ ସେଇ ମହାକଵି-ମହାପୁରୁଷମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର କେଵଳ ନିନ୍ଦା ନକରି ତହିଁର ତ୍ରୁଟି ସଂଶୋଧନ କ୍ଷେତ୍ରରେ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ସାହାଯ୍ୟ ମଧ୍ୟ କରିଥାନ୍ତେ ।