ଔର୍ଟ୍ ଵାଦଲ ଵା ଔର୍ଟ୍ କ୍ଲାଉଡ୍ ଏକ ଗୋଲାକାର ଆକୃତିର ଧୂମକେତୁର ବାଦଲ ଅଟେ ଏବଂ ଏହା ସୂର୍ଯ୍ୟ ଠାରୁ ପ୍ରାୟ ୧ ଆଲୋକଵର୍ଷ ଦୂରରେ ଆମ ସୌରମଣ୍ଡଳକୁ ବେଢି଼ ରହିଛି । ଏଥିରେ କୋଟି କୋଟି ସଂଖ୍ୟାରେ ଧୂମକେତୁ ଥିବା ଵୈଜ୍ଞାନିକ ମାନେ କୁହନ୍ତି । ଆଧୁନିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ଆଲୋକ ଵର୍ଷ =50000 ଖଗୋଳୀୟ ଏକକ ଯେତିକି ଅଟେ ଏବଂ ପୃଥିବୀ ଠାରୁ ସୂର୍ଯ୍ୟ ର ଦୂରତାକୁ ଏକ ଖଗୋଳୀୟ ଏକକ ଧରାଯାଇଛି) । ଅର୍ଥାତ୍ ଔର୍ଟ୍ ବାଦଲ ସୂର୍ଯ୍ୟ ଠାରୁ ପୃଥିବୀର ଦୂରତାଠାରୁ ପଚଶ ହଜାର ଗୁଣା ଅଧିକ ଦୂର ସ୍ଥାନରେ ଅଛି । ଏଣୁ ଔର୍ଟ୍ ବାଦଲ ସୌରମଣ୍ଡଳ ର ସବୁଠାରୁ ଦୂରଵର୍ତ୍ତୀ କ୍ଷେତ୍ର ମଧ୍ୟରେ ଅଵସ୍ଥିତ । ସୌରମଣ୍ଡଳ ର କାଇପର ବୃତ୍ତ ଓ ବିଖରା ଚକ୍ର ଠାରୁ ମଧ୍ଯ ଦୂରରେ ଥିବାରୁ ଏହାକୁ କେହି କେହି ସୌରମଣ୍ଡଳର ଶେଷ ସୀମା ମଧ୍ଯ କହିଥାନ୍ତି ।
ଏଠାରେ ଧ୍ଯାନ ଦେଲା ଭଳିଆ କଥା ଏହିକି ଯେ ଵୈଜ୍ଞାନିକ ଏହାର ଅସ୍ତିତ୍ଵ କୁ ନେଇ ପ୍ରାୟ ସହମତ ଥିଲେ ହେଁ ଏ ଵିଷୟରେ ଵିଶେଷ ପ୍ରମାଣ ମିଳିନଥିବା ହେତୁ ଏହାକୁ ନେଇ କୌଣସି ଆଧିକାରିକ ଟିକା ଟିପ୍ପଣୀ ଦେବାକୁ କୁଣ୍ଠାବୋଧ କରନ୍ତି । କୁହାଯାଏ ଔର୍ଟ୍ ବାଦଲ ଆମ ସୌରମଣ୍ଡଳର ଗୁରୁତ୍ଵାକର୍ଷଣ ସୀମାରେ ଅଵସ୍ଥିତ ଏବଂ ଏହା ପରେ ସୂର୍ଯ୍ୟ ର ଗୁରୁତ୍ଵାକର୍ଷଣ ଶକ୍ତି କ୍ଷୀଣ ହୋଇଯାଏ ।
ଏହାର ଵିସ୍ତୃତି 50,000 ଠାରୁ 200,000 AU ମଧ୍ୟରେ ଥିବା ଅନୁମାନ କରାଯାଏ ।
ଏହାର ନାମକରଣ ଜଣେ ଡଚ୍ ଵୈଜ୍ଞାନିକ
Jan Oort ଙ୍କର ନାମାନୁସାରେ ରଖାଯାଇଛି ।
Saturday, April 28, 2018
◆ଔର୍ଟ୍ କ୍ଲାଉଡ୍ ଵା ଔର୍ଟ୍ ଵାଦଲ::ସୌରମଣ୍ଡଳର ସବୁଠାରୁ ଦୂରବର୍ତ୍ତୀ କ୍ଷେତ୍ର◆
★★★ଜାତି ଇତିହାସ★★★
ଜାତି ଇତିହାସ ଜାତିର ନିର୍ଝର ,
ତହୁଁ ବହେ ସଦା ଜାତି ପ୍ରାଣଧାର ,
ସେ ଧାରାରୁ ନୀର ପିଉଛି ଯେ ନର ,
ନିଶ୍ଚୟ ହେବ ସେ ଜାତି କର୍ମବୀର I
କଳକଳ ରବେ ଛୁଟିଛି ସେ ଧାର,
ଅତୀତ କୀରତି ଗାଇ ନିରନ୍ତର,
ଭାବୀ କୀରତିର ଉଦୟେ ନାଚୁଛି,
ଯଥା ଚନ୍ଦ୍ରୋଦୟେ ନାଚେ ରତ୍ନାକର ।
ଧାର ମଧ୍ଯେ ଵିଜେ ମୋହିନୀ ପ୍ରତିମା,
ଦେଖ ଦେଖ ସେହି ଜନନୀ ତୋହର,
କାନ ଡେରି ଶୁଣ ମାତା କହୁଛନ୍ତି,
ଆସ ଆସ ଵତ୍ସ,ନୀର ପାନ କର ।
ଏହି ନୀର ସେବି ଵୀର ମୋ ସନ୍ତାନେ,
ଵୀରପ୍ରସଵିନୀ କ୍ଷୀର ଏହି ନୀର,
ଛାଡ଼ରେ ଆଳସ୍ୟ ବଢା଼ଅ ସାହସ,
ଜାତି-ନନ୍ଦିଘୋଷ କର ଅଗ୍ରସର ।
●ଯେତେବେଳେ ଶ୍ରୀଅରଵିନ୍ଦ କହିଥିଲେ ଓଡ଼ିଆ ଅଞ୍ଚଳ ପୁନଃମିଶ୍ରଣକୁ କ୍ଷେତ୍ରଵାଦୀ ଆନ୍ଦୋଳନ●
1905ରେ ବଙ୍ଗଭଙ୍ଗ ପରେ ଅଵିଭକ୍ତ ଵଙ୍ଗରେ ଜନ ଅସନ୍ତୋଷ ହଟାତ୍ ଆନ୍ଦୋଳନ ର ରୂପ ନେଲା କାରଣ ସେତେବେଳେ କଲିକତା ଥିଲା ପରାଧୀନ ଭାରତର ରାଜଧାନୀ । ଗୋଟିଏ କ୍ଷେତ୍ର ଵିଶେଷର ଆନ୍ଦୋଳନ ତେଣୁ ଦେଶଟା ଯାକରେ ଵ୍ୟାପିଗଲା ଓ ଚର୍ଚ୍ଚିତ ମଧ୍ଯ ହେଲା ।
ସେ ସମୟରେ ସାଧରଣ ଲୋକଙ୍କ ଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦଙ୍କ ପରି ମହାତ୍ମା ମଧ୍ଯ ବଙ୍ଗଭଙ୍ଗ ଆନ୍ଦୋଳନ ଵହ୍ନିରେ ସ୍ବେଚ୍ଛାକୃତ ଝାସ ଦେଇଥିଲେ ।
ଦୁଇ ଵର୍ଷ ପରେ......
1907 ଡିସେମ୍ବର13 ତାରିଖରେ
ଶ୍ରୀଅରଵିନ୍ଦ ଆପଣା ପତ୍ରିକା ବନ୍ଦେମାତରଂ ରେ ଏକ ସମ୍ପାଦକୀୟ ଲେଖିଲେ....
ଏଥିରେ ସେ ଓଡ଼ିଶା ତଥା ମଧୁସୂଦନ ଦାସଙ୍କ ସଂକ୍ରାନ୍ତରେ କହିଥିଲେ.....
"ଓଡ଼ିଶା ପ୍ରେସିଡେନ୍ସି ରେ ବର୍ତ୍ତମାନ ସମୟରେ ନଵଜାଗରଣ-ନଵଚେତନା ଯୁଗର ସୂର୍ଯ୍ୟୋଦୟ ହୋଇଛି । ଓଡ଼ିଆ ଲୋକେ ଆପଣା ତଥା ଓଡ଼ିଶାର ଅସ୍ତିତ୍ଵ ରକ୍ଷା ହେତୁ ମଧୁସୂଦନ ଦାସଙ୍କ ପରି ଦକ୍ଷ,ଶକ୍ତିଶାଳୀ ନେତାଙ୍କ ନେତୃତ୍ୱରେ ଅଣ୍ଟା ଭିଡ଼ି ଲାଗିପଡି଼ଛନ୍ତି । ଆମେ ଜାଣିନୁ ତାଙ୍କର ଭଵିଷ୍ୟତ ଉଦ୍ଦେଶ୍ୟ କ’ଣ କିନ୍ତୁ ଆମ୍ଭମାନଙ୍କୁ ଆଶଙ୍କା ହୁଏ ଯେ ଏହି ଓଡ଼ିଆ ଭାଷା ଆନ୍ଦୋଳନ କାଳେ କ୍ଷେତ୍ରଵାଦର ଵୀଜ ଵପନର କାରଣ ନହୋଇଯାଉ । ଆମେ ଭାରତକୁ ଏକ
ଦେଖିଵାକୁ ଚାହୁଁଛୁ ।”
ଏହାର ଉତ୍ତରରେ ଉତ୍କଳ ଗୌରବ ମଧୁସୂଦନ ଦାସ ଏକ ଇଂରାଜୀ ପ୍ରବନ୍ଧ ଲେଖିଲେ
ଯେଉଁଥିରେ ସେ ପ୍ରଥମେ ତ ଶ୍ରୀଅରଵିନ୍ଦ ଏବଂ ତାଙ୍କର ଉତ୍ତମ କାର୍ଯ୍ୟ ଗୁଡି଼କ ପାଇଁ ତାଙ୍କର ପ୍ରଶଂସା କରିବା ସହ ପରେ ତାଙ୍କ ଆଶଙ୍କା ଦୂର କରିବାକୁ ଯାଇ କହିଥିଲେ.....
“ଯଦି ଦୁଇଭାଗରେ ଵିଭକ୍ତ ବଙ୍ଗର ପୁନଃ ମିଶ୍ରଣ ପାଇଁ ହେଉଥିବା ଏକ କ୍ଷେତ୍ରଵିଶେଷର ଆନ୍ଦୋଳନକୁ ଜାତୀୟ ସର୍ବଭାରତୀୟ ଆନ୍ଦୋଳନର ମାନ୍ୟତା ମିଳିଅଛି ତେବେ ଚାରୋଟି ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭକ୍ତ ପ୍ରଶିଦ୍ଧ ପ୍ରାଚୀନ କଳିଙ୍ଗୋତ୍କଳ(କଳିଙ୍ଗ+ଉତ୍କଳ) ର ପୁନଃ ଏକତ୍ରୀକରଣ କୁ କେମିତି କ୍ଷେତ୍ରଵାଦ କୁହାଯାଇପାରିବ ?
ବଙ୍ଗଭଙ୍ଗ ବିରୋଧରେ ତୁମ୍ଭର ଆନ୍ଦୋଳନ ର ଯେଉଁ ଉଦ୍ଦେଶ୍ୟ ପ୍ରାୟ ସେହି ଉଦ୍ଦେଶ୍ୟରେ ଆମ୍ଭମାନେ ମଧ୍ଯ ଲଢୁଅଛୁ । ସେଇଥିପାଇଁ ବଙ୍ଗଭଙ୍ଗ ଆନ୍ଦୋଳନରେ ଯୋଗଦେଇଥିବା ଲୋକେ ଆମ୍ଭକୁ ମଧ୍ଯ ସମର୍ଥନ କରିବା ଉଚିତ୍ ଫଳରେ ଆମ୍ଭେ ଉଭୟ ଏଥିରେ ସଫଳ ହୋଇପାରିବା”
ତେବେ ମଧୁସୂଦନ ଦାସଙ୍କ ଦ୍ଵାରା କହିଦେଲେ କ’ଣ ତାଙ୍କର ଚିନ୍ତାଧାରାରେ ପରିଵର୍ତ୍ତନ ଆସିଯାଇଥିବ ?
ପ୍ରକୃତରେ ସେତେବେଳେ ତଥାକଥିତ ରାଷ୍ଟ୍ରୀୟ ନେତାମାନେ ଓଡ଼ିଆ ଅଞ୍ଚଳ ଏକତ୍ରୀକରଣ ଆନ୍ଦୋଳନ କୁ କଦାପି ଏକ ରାଷ୍ଟ୍ରୀୟ ଆନ୍ଦୋଳନ ଭାବିନଥିଲେ । ଏମନ୍ତ କି ସେବେ ତଥାକଥିତ ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ଯ ସ୍ଵାଭିମାନୀ ଓଡ଼ିଆ ନେତୃବୃନ୍ଦଙ୍କୁ ଏସବୁ ଆଞ୍ଚଳିକ ଆନ୍ଦୋଳନ ବନ୍ଦ କରିଦିଅ ବୋଲି ଉପଦେଶ ଦେଇଥିଲେ ।
ଆଜିବି ଏହି ସବୁକଥା ହେଉଛି ।
ଅଧୁନା ମଧ୍ଯ ଯେତେବେଳେ ଜଣେ ଓଡ଼ିଆ ଆପଣା ଅଞ୍ଚଳର ସମର୍ଥନରେ କିଛି କହୁଛି ତାକୁ ଏ ସଂଘରାଷ୍ଟ୍ରରେ ଜଣେ କ୍ଷେତ୍ରଵାଦୀର ଆଖ୍ୟା ମିଳିଯଉଛି ।
ତେବେ ସତ କହିବାକୁ ଗଲେ
ନା ତ ସେତେବେଳେ ଓଡ଼ିଆ ଅଞ୍ଚଳ ପୁନଃମିଶ୍ରଣ ଆନ୍ଦୋଳନ କ୍ଷେତ୍ରଵାଦ ଥିଲା ନା ଏବେ ସ୍ଵାଭିମାନୀ ଓଡ଼ିଆ ମାନେ କ୍ଷେତ୍ରଵାଦକୁ ପ୍ରଶୟ ଦିଅନ୍ତି ଯଦି ଦେଉଥାନ୍ତେ ତେବେ 70 ଵର୍ଷ କାଳ ଏକ ସଂଘରାଷ୍ଟ୍ର ରେ ଆପଣା ଦୂରାଵସ୍ଥା ଦେଖି ନୂତନ ରାଷ୍ଟ୍ର ଗଠନ ହେତୁ
ସଂଘର୍ଷ କରିବା ଆରମ୍ଭ କରିଦିଅନ୍ତେ ।
ସ୍ଵ-ମାତୃଭୂମିକୁ ନେଇ ସମସ୍ତଙ୍କର ସ୍ଵାଭିମାନ ରହିବା ଉଚିତ୍ । କାହା ଦ୍ଵାରା ଯଦି ଆମ ମାଟି,ସଂସ୍କୃତି, ଭାଷା ,ଖାଦ୍ୟ ଓ ଚଳଣି ଉପରେ ମୂର୍ଖତାପୂର୍ଣ୍ଣ ଟିପ୍ପଣୀ ଆସେ ତାକୁ ତାହାର ଭାଷାରେ ଉତ୍ତର ଦେବା ହିଁ ପ୍ରତ୍ୟେକ ଓଡ଼ିଆ ସ୍ଵାଭିମାନୀର କର୍ତ୍ତଵ୍ୟ ହେଉ ବିଧେୟ ।
-ବନ୍ଦେ ଉତ୍କଳ ଜନନୀ-
Thursday, April 26, 2018
●ସାହିତ୍ୟ ରେ ନାହିଁ ଏକଛତ୍ରଵାଦ●
ଲେଖନୀଟା ଏଠି କା’ର ସତ୍ତ୍ଵ ନୁହେଁ
ଯେ ଯାହାର ଇଛା ସେ ତା ଲେଖିପାରେ ।।
ସାହିତ୍ୟେ ନାହିଁ ଯେ ଏକଛତ୍ରଵାଦ
କା ଆଗେ ମଥା ନଇଁବାକୁ ହବ ବାଧ୍ୟ ।।
ସାହିତ୍ୟ ନୁହଁଇ କା ବାପର ଜାଗିର
କହିଦବ କିସ ପାଇଁ ଲେଖୁ ତୁରେ ଛାର ।।
ଈଶ୍ବରଙ୍କ ପ୍ରଦତ୍ତ ଏ ଗୁଣ ଅଟଇ ମହାନ ।
ସଭିଙ୍କ ମଧ୍ୟରେ ଥାଏ ହେଉ ଅଳପ ମାନ ।।
କରନା ହତୋତ୍ସାହ ଯେ ଲେଖୁଛି ଲେଖୁ
ସାନ ହୋଇ ବଡ଼ଙ୍କଠୁଁ କିଛି ତ ଶିଖୁ ।।
କଵିକୁଳ ନିଜ ମଧ୍ୟେଁ କରନାରେ କଳି ।
ପରସ୍ପରେ କଳି କଲେ ବଂଶ ଯାଏ ବୁଡ଼ି ।।
ଆସ ଆସ ମିଳିମିଶି ସାହିତ୍ୟ ସରଜି ।
ନିଜ ଭାଷା ମାନ କରିବାରେ ବୃଦ୍ଧି ।।
Friday, April 20, 2018
ଇତିହାସ
ଇଂଲଣ୍ଡରେ “ଏଡମଣ୍ଡ ଵର୍କ” ନାମରେ
ଜଣେ ମହାନ ଐତିହାସିକ ଥିଲେ ।
ସେ ୨୦-୩୦ ଵର୍ଷ ହେବ କୌଣସି ଏକ ଐତିହାସିକ ପୁସ୍ତକ ଲେଖୁଥାନ୍ତି ।
କିନ୍ତୁ ଦିନେ ଏମିତି କିଛି ହେଲା ଯେ ସେ ତାଙ୍କ ଜୀଵନଯାକର ପରିଶ୍ରମ ର ଫଳ ସେ ପୁସ୍ତକକୁ
ନିଆଁ ଲଗାଇ ଜଳେଇଦେଲେ ।
ତତ୍କାଳୀନ ଘଟଣାଟି ପୁସ୍ତକରେ ଥିବା ଵିଭିନ୍ନ ଲୋକପ୍ରିୟ ଐତିହାସିକ ଘଟଣାଠାରୁ ଛୋଟ ଓ ଅପେକ୍ଷାକୃତ ଅଳ୍ପ ଗୁରୁତ୍ୱପୂର୍ଣ୍ଣ ଥିଲା କହିଲେ ଚଳେ ।
ସେଦିନ ଐତିହାସିକଙ୍କର ଘର ପଛ ପାଖରେ
ଜଣେ ବ୍ୟକ୍ତିର ହତ୍ଯା ହୋଇଥିଲା ଓ ଅପରାଧୀ କୁ ଘଟଣାସ୍ଥଳରେ ହିଁ ଧରିନିଆଯାଇଥିଲା ।
ବାହାରେ ଗୁରାଳି ଶୁଣି ଏଡମଣ୍ଡ ମଧ୍ଯ ସେଠାକୁ କୌତୁହଳଵଶତଃ ଯାଇଥାନ୍ତି । ଏଡମଣ୍ଡ ପହଞ୍ଚି ଲୋକଙ୍କୁ ସେ ସମ୍ବନ୍ଧରେ ପଚାରନ୍ତେ
ଲୋକେ ତତ୍ ଵିଷୟରେ ଭିନ୍ନ ତଥ୍ୟ ଉପସ୍ଥାପନ କଲେ–
ଜଣେ କହିଲା ଲୋକଟାକୁ ଗାଡି଼ ଚଢେଇ ଦେଇ ମାରିଦେଲା ....
ଆଉ ଜଣେ କହିଲା ଏ ତାକୁ ଛୁରୀ ଭୂଷି ମାରିଦେଇଛି.....
ତୃତୀୟ ଜଣେ କହିଲା
ନା ନା ସେ ଲୋକଟା ନିର୍ଦ୍ଦୋଷ,ତାକୁ କେହି ଏଥିରେ ଫସେଇ ଦେଇଛି ......
ସେଠାରେ ଉପସ୍ଥିତ ଲୋକଙ୍କ ମନ୍ତଵ୍ୟ ଗୁଡି଼କରେ ଥିବା ଵିରୋଧାଭାଷ ଦେଖି ମି. ଏଡମଣ୍ଡ ଘରକୁ ଫେରି ଆସିଲେ ଏବଂ ତାଙ୍କ ଦ୍ଵାରା ଲେଖା ଯାଇଥିବା ଐତିହାସିକ ପୁସ୍ତକକୁ ଜିଳି ପାଉଁଶ କରିଦେଲେ ।
ସେ ସମ୍ଭଵତଃ ଭାବିଥିବେ ଯେ
ସାମ୍ପ୍ରତିକ ଘଟଣାରେ ସତ୍ୟ ସମ୍ମୁଖରେ ଥାଇ ଵି ଲୋକଙ୍କର ଭିନ୍ନ ଭିନ୍ନ ମତ ରହୁଛି ତେବେ ମୁଁ ତ ଐତିହାସିକ ପୁସ୍ତକ ଲେଖୁଛି ଏବଂ ତାହା ସର୍ଵସମ୍ମତ ହେବା କଥା ନା କି ପାକ୍ଷିକ ।
(ଇତିହାସ, କିମ୍ବଦନ୍ତୀ ଓ ପୁରୁଣା ଆଦି କେତେ ସତ କେତେ ମିଛ କହିବା ଦୁଷ୍କର କାର୍ଯ୍ୟ ତେବେ ଏସବୁ କଥା କାହାଣୀକୁ ନେଇ ପାରସ୍ପରିକ କଳହ କରିବା ଅପେକ୍ଷା ଶହେଗୁଣ ଶ୍ରେୟସ୍କର ହେବ ତହିଁରୁ ଶିକ୍ଷା ନେଇ ଜୀଵନଯାପନ କରିବା )
ବୁଢାର ଭୋକ
ଦିପହରିଆ ଖାଦ୍ୟ ଖାଇନଥିବା ହେତୁରୁ
ଶଶୁର ବୁଢା଼କୁ ଭାରୀ ଭୋକ ଲାଗୁଥିଲା । ବୋହୂ କୁ ଯାଇ ବୁଢା଼ଟା କହିଲା-
“ଝୁଅ ଲୋ !
କିଛି ଖାଇବା ବଳିଥିଲେ ଆଣନ୍ତୁନି ଭାରି ଭୋକ ଲାଗୁଛି !”
ବୋହୂ ଏଣେ ସାର୍ଥକ ଚ୍ୟାନେଲ ର ଅଣଓଡ଼ିଆ ସଂସ୍କୃତି ପ୍ରେରିତ ଭଵ୍ୟ ଧାରାଵାହିକ ଦେଖିବାରେ ଵ୍ୟସ୍ତ ।
ଶଶୁର ବୁଢା଼ଟା କଥା ଶୁଣିବା କ୍ଷଣି ବୋହୂ ଏକାବେଳକେ ଚିଡି଼ଯାଇ କହିଲା-ଏଇ ଦଶୁଟା ବେଳେ ପରା ଅଧଲିଟରେ କ୍ଷୀର ଓ ନଡି଼ଆ କୋରା ମିଶେଇ ଚୂଡା଼କଷା ଖାଇଥିଲେ ଯେ ଝଡି଼ନାହିଁ ବୋଲି ଭାତ ଖାଇବନି ବୋଲି କହୁଥିଲେ ! ପୁଣି ଭୋକ ଲାଗିଗଲା ?”
ବୋହୂ ଗୁରାଳି ଶୁଣି ବୁଢା଼ଟା ଆଉ କିଛି ନକହି ଚୁପ୍ ହେଇ ଯାଇ ଆପଣା ରୁମ୍ ରେ ଶୋଇଲା । ଆଉ ଵା କଣ କରିପାରିବ ?
କମଳି ଦେଖେ ଡାଇନିଂ ଟେବୁଲ ଉପରେ କେତେ କଦଳୀ ସେଓ କମଳା ଅଙ୍ଗୁର ସଜା ହେଇ ରହୁଛି । ଘରର ଲୋକ ପିଲାଝିଲା କାଁ ଭାଁ କେବେ କେତେବେଳେ ଗୋଟେ-ଅଧେ ଖଣ୍ଡେ-ଫାଳେ ତହିଁ ରୁ ଖାଉଥିବେ କି ନାହିଁ ବାକି ତ ଡଷ୍ଟଵିନ୍ ରେ ଫିଙ୍ଗାଯାଏ ଯାହା ।
କମଳି କଣ୍ କରେ ନା ସେଇଠୁ ଗୋଟାଏ ଗୋଟାଏ ଫଳ ନେଇ ବୁଢା଼ ପାଇଁ
ଚୂଡା଼ଗୁଣ୍ଡ ସହ ମିଶେଇ ଖାଇବାକୁ ଦିଏ ।
ଧିରେ ଧିରେ ବୁଢା଼ର ସ୍ଵାସ୍ଥ୍ୟରେ ଅନେକ ଉନ୍ନତି ଦେଖିବାକୁ ମିଳିଲା ।
ତେବେ
ବେଳେ ବେଳେ ବୁଢ଼ା ର ନାତି ନାତୁଣୀ ତାକୁ ଏସବୁ ଖାଉଥିବାର ଦେଖିଲେ ଜେଜେଙ୍କ ଆଇକ୍ୟୁ କମ୍ ଥିବା ଆକଳନ କରିନିଅନ୍ତି ।
କମଳି ଭାବେ ବୁଢା଼କୁ ତା’ର ଏ ବୃଦ୍ଧଵୟସରେ ଖାଇବାକୁ ଦେଇ କିଛି ପୁଣ୍ୟ ମିଳିଯିବ ।
ବୋହୂ ଭାବିଲା
ବୁଢା଼ଟା ଏକାଥରକେ ସାବାଡ଼ ହେଇଗଲା ନା କିୟଣ । କାଇଁ ଆଉ ତ ଖାଇବା କଥା କେବେ କହିବାକୁ ଆଉନି !
ପୁଅ ମାସେ ଭିତରେ ବାପାଙ୍କ ସ୍ଵାସ୍ଥ୍ୟଗତ ଉନ୍ନତି ଦେଖି ଏସବୁର ଶ୍ରେୟ ମନେ ମନେ ତାଙ୍କ ପତ୍ନୀକୁ ଦେଇ ସାରିଥାଏ । ଯା’ ହେଉ ମୋ ସ୍ତ୍ରୀ ଟା ସତରେ ବଡ଼ ଲକ୍ଷ୍ମୀମନ୍ତିଆଣୀ !
ବୁଢା ଭାବେ.....
ବୁଢା ଆଉ ଭାବିବ କିସ
ଜୀବନରେ ସବୁ ତ ଦେଖିଲାଣି
ଖାଲି ଯାହା ମରଣକୁ ଅପେକ୍ଷା କରିକରି ଦିନ କାଟିଦବା କଥା .....
(ଏକ ହିନ୍ଦୀ କ୍ଷୁଦ୍ରଗଳ୍ପ ରୁ ପ୍ରେରିତ)
Thursday, April 19, 2018
★କାଇପର୍ ବୃତ୍ତ★
କାଇପର୍ ବୃତ୍ତ,କାଇପର୍ ଏ଼ଜଵର୍ଥ ବୃତ୍ତ ଵା କାଇପର ବ଼ଲ୍ଟ ଆମର ସୌରମଣ୍ଡଳର ଏ ବାହାରିଆ ଅଞ୍ଚଳ ଯାହା ବରୁଣଗ୍ରହ(ନେପଚୁ଼ନ୍) ର କକ୍ଷପଥ ଠାରୁ 【ଯାହା ସୂର୍ଯ୍ୟ ଠାରୁ ପ୍ରାୟ 30 ଖଗୋଳୀୟ ଏକକ(ପୃଥିବୀ ଠାରୁ ସୂର୍ଯ୍ୟ ର ଦୂରତା କୁ ଏକ ଖଗୋଳୀୟ ଏକକ କୁହନ୍ତି) ଦୂରରେ ଅଵସ୍ଥିତ】ଠାରୁ ନେଇକରି ସୂର୍ଯ୍ୟ ଠାରୁ 55 ଖଗୋଳୀୟ ଏକକ ପର୍ଯ୍ୟନ୍ତ ପରିଵ୍ୟାପ୍ତ ବୋଲି କୁହାଯାଏ । ମଙ୍ଗଳ ବୃହସ୍ପତି ମଧ୍ୟରେ ଥିବା କ୍ଷୁଦ୍ରଗ୍ରହ ବୃତ୍ତ ପରି ଏଥିରେ ମଧ୍ଯ ସହସ୍ର ସହସ୍ର ଲକ୍ଷ ଲକ୍ଷ ଛୋଟବଡ଼ ଖଗୋଳୀୟ ପିଣ୍ଡ ଅଛି । ଵିଶ୍ଵାସ କରାଯାଏ ଯେ ସୌରମଣ୍ଡଳର ସୃଜନ କାଳରେ ଏହି ମହାଜାଗତିକ ପିଣ୍ଡମାନ ପରସ୍ପର ସହିତ ମିଶି କୌଣସି ଗ୍ରହ ଗଠନ ନକରିପାରି ପଡି଼ରହିଗଲେ । କାଇପର୍ ବୃତ୍ତ କ୍ଷେତ୍ର କ୍ଷୁଦ୍ରଗ୍ରହ ବୃତ୍ତ ଠାରୁ 20 ଗୁଣ ଚଉଡା଼ ଓ 200 ଗୁଣ ଅଧିକ ଵିସ୍ତୃତ ।
କ୍ଷୁଦ୍ରଗ୍ରହ ବୃତ୍ତର ମହାଜାତିକ ଵସ୍ତୁ ମାନ
ପଥର ଏବଂ ଧାତୁରେ ତିଆରି ହୋଇଥିବା ବେଳେ କାଇପର୍ ବୃତ୍ତର ଖଗୋଳୀୟ ପିଣ୍ଡଗୁଡି଼କ ପ୍ରଵଳ ଶୀତଳତା ହେତୁରୁ
ଜଳ,ମିଥେନ୍ ଏବଂ ଏମୋନିଆ ର ମିଶ୍ରିତ ବରଫ ଖଣ୍ଡରେ ତିଆରି ହୋଇଛି ।
ସୌରମଣ୍ଡଳର ଜ୍ଞାତ ବାମନଗ୍ରହ ଗୁଡି଼କ ଯଥା-ଯମ(ପ୍ଲୁଟୋ)ହଉମେୟା ଏବଂ ମାକେମାକେ କାଇପର ବୃତ୍ତ ର ନିଵାସୀ ଅଟନ୍ତି ।
କେତେକ ଵୈଜ୍ଞାନିକ ଏହା ମଧ୍ଯ ଵିଶ୍ଵାସ କରନ୍ତି ଯେ ଏହି ବୃତ୍ତରେ ସୌରମଣ୍ଡଳର କିଛି ପ୍ରାକୃତିକ ଉପଗ୍ରହ ସୃଷ୍ଟି ହୋଇ ବୁଲୁଥିଲା ସମୟରେ ବଡ଼ ବଡ଼ ଗ୍ରହ ଗୁଡି଼କର ଗୁରୁତ୍ଵାକର୍ଷଣ ଯୋଗୁଁ ତହିଁ ର ପ୍ରଦକ୍ଷିଣା କରିବାକୁ ଲାଗିଲେ ଏବଂ ସେହି ସେହି ଗ୍ରହର ଉପଗ୍ରହ ହୋଇ ରହିଗଲେ । ଵରୁଣଗ୍ରହ(ନେପଚୁ଼ନ୍) ର ଉପଗ୍ରହ ‛ଟ୍ରାଇଟ଼ନ୍’ ଓ ଶନି ର ଉପଗ୍ରହ ‛ଫି଼ବୀ’ ଏହି ଶ୍ରେଣୀୟ ଉପଗ୍ରହ ବୋଲି ଵିଶ୍ଵାସ କରାଯାଇଥାଏ ।
କାଇପର ବୃତ୍ତର ନାମ ପ୍ରଶିଦ୍ଧ ଡଚ୍ ଆମେରିକୀ ଖଗୋଳଶାସ୍ତ୍ରୀ ଜେରାର୍ଡ୍ କାଇପରଙ୍କ ନାମ ଅନୁସାରେ ରଖାଯାଇଥିଲା । ଵାସ୍ତଵରେ ସେ ସ୍ଵୟଂ ଏହାର ଅସ୍ତିତ୍ଵ ଵିଷୟରେ କୌଣସି ଭଵିଷ୍ୟତଵାଣୀ କରିନଥିଲେ ।
ଵର୍ଷ 1992 ରେ »1992 QB1”
ଯମ ଵା ପ୍ଲୁଟୋ ପରେ କାଇପର୍ ବୃତ୍ତର ଖୋଜା ଯାଇଥିବା ପ୍ରଥମ ମହାଜାଗତିକ ପିଣ୍ଡ(Kaiper Belt O objects) ଥିଲା । ଏହି ମହତ୍ତ୍ୱପୂର୍ଣ୍ଣ ଏଷଣା ପରେ ଆଜିଯାଏଁ ମିଳିଥିବା ଜ୍ଞାତ କାଇପର ବୃତ୍ତୀୟ ପିଣ୍ଡ ଗୁଡି଼କର ସଂଖ୍ୟା ସହସ୍ରାଧିକ ହୋଇ ସାରିଲାଣି । ମିଳିସାରିଥିବା କାଇପର୍ ବୃତ୍ତୀୟ ମହାଜାଗତିକ ପିଣ୍ଡ ଗୁଡି଼କର ଗହନ ଅନୁଧ୍ୟାନ କଲାପରେ
ଵୈଜ୍ଞାନିକ ସମାଜ ଅନୁମାନ କରନ୍ତି ଯେ ଏହି ଵିଶିଷ୍ଟ ସୌରମଣ୍ଡଳୀୟ ବୃତ୍ତରେ 100 କି॰ମି॰ (328,084 ଫୁଟ୍) ଠାରୁ ଅଧିକ ଵ୍ୟାସଯୁକ୍ତ 1,00,000 ରୁ ବେଶୀ K.B.O ପିଣ୍ଡ ଥାଇପାରେ ।
ଆଗେ ଵିଶ୍ଵାସ କରାଯାଉଥିଲା ଯେ କାଇପର୍ ବୃତ୍ତ ହିଁ ସର୍ଵାଧିକ ଧୁମକେତୁ ମାନଙ୍କର ଭଣ୍ଡାର ଅଟେ ଯେଉଁ ମାନଙ୍କର କକ୍ଷ ଗୁଡି଼କର ଗୋଟିଏ ପରିକ୍ରମଣ ଚକ୍ରର ସମୟକାଳ 200 ଵର୍ଷରୁ କମ୍ ହୋଇ ଥିବ(ଯେମିତି କି ହ୍ୟାଲି ଧୁମକେତୁ) ।
ତେବେ, ନବେ ଦଶକ ପରେ ଏ ଵିଷୟରେ ହୋଇଥିବା ଵିଭିନ୍ନ ଅଧ୍ଯୟନଗୁଡି଼କର ଜଣାପଡିଲା ଯେ ଏହି ଵିଶିଷ୍ଟ ବୃତ୍ତ ଗତିଶୀଳତା ଦୃଷ୍ଟିରୁ ଅସ୍ତିତ୍ଵ ଯୁକ୍ତ ଅଟେ ଏବଂ ଧୂମକେତୁ ଉତ୍ପତ୍ତି ର ଵାସ୍ତଵିକସ୍ଥଳ ଏକ ପ୍ରକୀର୍ଣ୍ଣ ଡିସ୍କ ଅଟେ ଯାହା ଵରୁଣଗ୍ରହ ଵା ନେପଚୁ଼ନ୍ ର
ବର୍ହିମୁଖୀ ଗତି ଦ୍ଵାରା 4.5 ବିଲିଅନ୍ ଵର୍ଷ ପୂର୍ଵେ ନିର୍ମ୍ମିତ,ଗତିଶୀଳତା ଦୃଷ୍ଟିରୁ ଏକ ସକ୍ରିୟ ମଣ୍ଡଳ ଅଟେ । ଏହି ପ୍ରକୀର୍ଣ୍ଣ ଡିସ୍କର କିଛି ମହାଜାଗତିକ ପିଣ୍ଡ ଯେମିତି କି ଏ଼ରିସ୍ ଆଦିର ଵିକେନ୍ଦ୍ରତା ଅତ୍ୟନ୍ତ ଅଧିକ ହୋଇଥାଏ ଏତେ ଅଧିକ ହୋଇଥାଏ ଯେ ବେଳେ ବେଳେ ସେମାନେ ଆପଣା ପରିକ୍ରମଣ ପଥରେ ଗତି କରୁଥିବା ବେଳେ ସୂର୍ଯ୍ୟ ଠାରୁ 100 AU ଦୂର ପର୍ଯ୍ୟନ୍ତ ଚାଲିଯାଇଥାନ୍ତି ।
ନିରୁତ୍ତର
ଥରେ ଈଶ୍ଵର ଦୁନିଆରେ ବୁଲିବାକୁ ଆସିଥାନ୍ତି ବାଟରେ ଗୋଟାଏ କଟିଛୁଆକୁ ଦେଖିଲେ ।
ଈଶ୍ଵର ସେ କଟିଛୁଆର ଈଶ୍ଵରଙ୍କ ଦର୍ଶନ ଇଛା ଜାଣି ତାକୁ ଆପଣା ପରିଚ଼ୟ ଦେଲେ ଆଉ ବୋଇଲେ ଦେଖ ବାଳକ ଆମ୍ଭେ ଏହିପରି ଜଗତ ଭ୍ରମଣାର୍ଥେ ବୁଲି ଆସିଥାଉ ।
କଟିଛୁଆ କହିଲା-
ଆପଣ ଏତେ ସତର୍କ,ତଥାପି ଦୁନିଆରେ ଏତେ ଖରାପ କାହିଁକି ?
ଈଶ୍ୱର ପିଲା କଥା ଶୁଣି ଆଶ୍ଚର୍ଯ୍ୟ ହୋଇ
ବୋଇଲେ...
“କ’ଣ ଅସଙ୍ଗତି ଅଛି କୁହ ତ ଆମ୍ଭେ ତାହାକୁ ଶିଘ୍ରାତିଶିଘ୍ର ସଜାଡ଼ି ଦେଇ ଯିବୁ ।”
କଟିଛୁଆ କହିଲା-ଦେଖନ୍ତୁ, ଆଜି ସଖାଳର କଥା । ମୋ ପାପା ଚକଲେଟି ଡବାଏ ଆଣିଥିଲେ
ଯେ ମୋର ବଡ଼ ଦେଈ ସବୁ ଚକଲେଟ ନେଇଯାଇ ମୋତେ ଖାଲି ଦୁଇଟି ଦେଲା ।"
ଓହୋ ! ଏମନ୍ତ କଥା”,ଈଶ୍ୱର ବୋଇଲେ,
ଦେଖ୍ ବାବୁ,ଚକଲେଟ ମଜାଳିଆ ସତ ହେଲେ
ଅଧିକ ଖାଇଲେ ଦାନ୍ତ ମଧ୍ଯ ପୋକରା ହୋଇଯାଇପାରେ, ସେଥିପାଇଁ ତୁମେ ଆନନ୍ଦ ଅନୁଭବ କର, କିୟଣ ବେଲେ ତମ ଠାରୁ ତମ ଦେଈ ଦାନ୍ତ ଶିଘ୍ର ଖରାପ ହବ ଏକା !”
ସେଇଠୁଁ
କଟିଛୁଆଟା କହିଲା “ଆଛା,ତେବେ ଆପଣ ଵି ନିଜକୁ ଏମିତି ବୋଧକରାନ୍ତି ନା କିସ ଯେ”
ଈଶ୍ୱର ନିରୁତ୍ତର ହେଇ ଆଗକୁ ବଢିଗଲେ ।
ଶବ୍ଦାର୍ଥ::କଟିଛୁଆ=ଛୋଟ ପିଲା(ବାଲେଶ୍ବର)
କିୟଣ=କଣ୍ (ଗଞ୍ଜାମ)
କିସ=ବାଲେଶ୍ବର)
ସଖାଳ=ସକାଳ(କଟକ ଆଦି ଅଞ୍ଚଳ)
(ହିନ୍ଦୀ ଲେଖକ प्रबोध कुमार गोविल ଙ୍କର କ୍ଷୁଦ୍ରଗଳ୍ପ-निरुत्तर ର ଓଡ଼ିଆ ଭାଵାନୁଵାଦ)
Wednesday, April 18, 2018
ଡାମରାକୁଆ ଆଉ ପାଣିକୁଆ କଥା
ଡାମରାକୁଆ ଓ ପାଣିକୁଆ ଦି ସାଙ୍ଗ । ଦିହିଙ୍କ ଭିତରେ ପାଣି ଗଳେ ନାହିଁ । ପାଣିକୁଆ ବେଳେ ବେଳେ ଆସି ଡାମରାକୁଆ ଘରେ ରହେ । ଡାମରାକୁଆ ଟା ଵି ପାଣିକୁଆ ଘରେ କୁଣିଆ ହୁଏ । ଡାମରାକୁଆ ଟିକିଏ ଖଳପ୍ରକୃତିର । ପରଛିଦ୍ର ଖୋଜିବୁଲେ । ଦୋଷ ନଥିଲେ କୁଆଡୁ଼ ହେଲେ ଗୁଟାଏ ଦୋଷ ବାହର କରେ । ତିଳ ପରମାଣ ଦୋଷକୁ ତାଳ ପରି କରେ କିଛି ଦୋଷ କାଢି ନପାରିଲେ ତା ମନ କଷ୍ଟ ହୁଏ ।
ଦିନେ ଡାମରାକୁଆ ପାଣିକୁଆ ଘରେ ଯାଇ ପହଞ୍ଚିଲା । କେତେ ଦିନର ସାଙ୍ଗ କେତେଦିନ ପରେ ଆସିଚନ୍ତି । ପାଣିକୁଆ ବଡ଼ ଆଦର ସନମାନ କଲା । ଚେଙ୍ଗ,ବେଙ୍ଗ,ଗେଣ୍ଡା,କଙ୍କଡ଼ା,କୋଚିଆ କେତେ କିୟଣ ଯୋଗାଡ଼ କରି ଖାଇବାକୁ ଦେଲା ।
ଡାମରାକୁଆ ତା ଘରେ ରହୁ ରହୁ କିଛି ଦିନ ରହିଗଲା । କିସ ଗୁଟାଏ ଦୋଷ ଖୋଜି ବୁଲୁଥାଏ । ଜିରାରେ ଶିରା ନାହିଁ କି ଛେନାରେ ଚୋପା ନାହିଁ,କେନ୍ତା- କିରା ଟା ଆଉ ବାହାର କରିବ ?
ଡାମରା ଏନ୍ତା ଭାବନାରେ ଥାଏ ।
ବିଦାବେଳ ହେଲା,ଡାମରାକୁଆ ଯାଉ ଯାଉ ବନ୍ଧୁ କୁ ବୋଇଲା
ଖିଆପିଆ ଆଦର ସନମାନ ତମର କଉଥିରେ ଊଣା ନାଇଁ,ତମ ମୁଲକରେ ସବୁ ଭଅଲ, ହେଲେ ଖାଲି ଗୁଟାଏ ଦୋଷ .....
ମୁହଁ ବୁଡେ଼ଇ ଲାଞ୍ଜ ଉପରକୁ ଟେକି ତେମେ ଯୋଉ ମାଛ ଖାଉଛ....ନା....😀😀😀😀
ସେଇଦିନଠୁଁ କଥା ଅଛି -
“ପାଣିକୁଆ ରାଇଜକୁ
ଡାଳିକୁଆ ଗଲା ।
ଗଲା ଅଇଲା ବେଳକୁ
ମନେଁ ରହିଲା ।”
*ରଣା ଡେଇଁ ନ ପାରିବ ପାଟ ଅଗଣା*
ରଣାସାପର ଆଗେ ଭାରି ଵିଷ ଥିଲା । ରଣା ଯାହାକୁ ଚୋଟେ ମାରୁଥିଲା ସେ ଗୋଟେ ଅଗଣା ଡେଇଁ ପାରୁନଥିଲା । ସେଇଠି ଟଳି ପଡୁଥିଲା । ଆଗେ ଏତେ ସାପଙ୍କର ଵିଷ ନଥିଲା । ରଣା ସାପଙ୍କର ରଜା ଥିଲା କହିଲେ ଚଳେ ।
ଦିନକର କଥା,ଗୋଟେ ଟୋକା ଗାଈ ଜଗିଥାଏ ।
ହୁଙ୍କା ପାଖ ଦେଇ ଯାଉଥିବା ବେଳେ ରଣା ତାକୁ ଚୋଟାଏ ଦେଲା । ଏକା ଚୋଟକେ ଟୋକାର ପ୍ରାଣଵାୟୁ ଉଡି଼ଗଲା । ସେ ତ ସହଜେ ଵୈଶାଖ ମାସ । ଦିନଯାକ କାଳଵୈଶାଖୀ ପଵନ ବହୁଥାଏ । ଟୋକା ହାତରେ ଗୋଟାଏ ବଇଁଶୀ ଥିଲା ପଵନ ହେଲେ ତାହା ବାଜି ଉଠୁଥିଲା ।
ବଇଁଶୀ ବାଜିଲାରୁ ରଣା ମନେ ମନେ ଭାଳିଲା
ତା ଵିଷରେ ବୋଧେ ପିଲାଟା ମଲା ନାଇଁ ।
ସେ ହୁଙ୍କା ରୁ ବାହାରି ଆସି ସୁଁ ସୁଁ ହେଇ କହିବାକୁ ଲାଗିଲା “ମୋ ପ୍ରତାପ ଜାଣିନୁ କିବେ ? ଦେଖିବୁ ଏଇଁଲେ ?
ୟା ବୋଲି ଟୋକା ଉପରେ ଚୋଟ ପରେ ଚୋଟ ମାରିବାକୁ ଲାଗିଲା । ହେଲେ ବଂଶୀ ତଥାପି ବାଜୁଥାଏ । ରଣା ଆହୁରି ରାଗିଗଲା । ସେ ତା'ର ଯେତେ ଵିଷ ଥିଲା ସବୁ ସେ ମଲା ଟୋକା ଦିହରେ ଗାଳି ପକାଇଲା । ଅନ୍ୟ ସାପମାନେ ୟା ଦେଖି ଟିକିଏ ଟିକିଏ ଵିଷ ନେଇ ଆପଣା ଦାନ୍ତରେ ଛଞ୍ଚି ରଖିଲେ । ହେଲେ ରଣାର ଆଉ ମୋଟେ ଵିଷ ରହିଲା ନାଇଁ । ସେଟା ଶେଷକୁ ଗୁଟେ ଚିତ୍ର ଧାମଣା ହୋଇଗଲା । ତା ପ୍ରତି ଏବେ କାହାର ଖାତିରି ନାଇଁ ।
“ଅତି ରାଗିଲେ ଆପଣା ଧନ ସରେ
ମହତ ସରେ .. ....କେହି ନ ଡରେ”
ସାବାଳକ, ସାବାଳିକା, ନାବାଳକ, ନାବାଳିକା
ସାବାଳକ ଶବ୍ଦଟି ଏକ ଵୈଦେଶିକ ଆରଵୀୟ ଶବ୍ଦର ଭାରତୀୟକରଣ ବୋଲି ଅଧିକାଂଶ ଭାଷାଵିଦ ମତଵ୍ୟକ୍ତ କରିଥାନ୍ତି । ଏହାର ମୂଳ ଏକ ଆରଵୀୟ ଶବ୍ଦ بالغ (bāliḡ) । ଆରବରୁ ଅନୁକୃତ ହୋଇ ଏହା ଵିଭିନ୍ନ ଭାରତୀୟ ଭାଷାରେ ଚଳୁଥିବା କୁହାଯାଇଥାଏ । ଏହି ବାଲିଗ୍ ଶବ୍ଦର ମୂଳ ଏକ ପ୍ରାଚୀନ ଆରଵୀୟ ଶବ୍ଦ ب ل غ(balaḡa)
ଯାହାର ଅର୍ଥ–come to(ଉତ୍ତରାଧିକାରରେ ପ୍ରାପ୍ତ କରିବା),to arrive (ପ୍ରାପ୍ତ କରିବା,ପ୍ରାପ୍ତ ଵୟସ୍କ ହେବା),to reach(ପାଇବା,ବଢିବା,ପହଞ୍ଚିବା) ଇତ୍ୟାଦି ।
କେତେକ ସଂସ୍କୃତ ପଣ୍ଡିତ ଏ ଶବ୍ଦ ସହ ବାଳକ ଶବ୍ଦର ସାମଜସ୍ୟଜତା ଥିବା ଦେଖି ଏହାକୁ ମୂଳ ଭାରତୀୟ ଶବ୍ଦ ବୋଲି ଭ୍ରାନ୍ତ ଧାରଣା କରିଥାନ୍ତି । କେତେକ ଇରାନୀୟ ଭାଷାଵିଦ ମାନେ ସୁଦ୍ଧା ଏ ଶବ୍ଦକୁ ଆପଣାର ବୋଲି ଦାବି ଜଣାଇ ସାରିଛନ୍ତି । ବାଲିଗ୍ ଶବ୍ଦର ବିପରୀତାର୍ଥକ ପ୍ରତିଶବ୍ଦ ହେଉଛି ନାବାଲିଗ୍ । ଏହାର ଓଡ଼ିଆକରଣ କରି ଆମ ଭାଷାରେ ଚଳୁଅଛି ଶବ୍ଦଟିଏ ନାଵାଳକ । ତେବେ ନାଵାଳକ ଶବ୍ଦକୁ କେହି ଯଦି ଭାଷାଭିତ୍ତିକ ପୋଷ୍ଟମର୍ଟମ୍ କରେ ତେବେ ଗୋଲକଧନ୍ଦାରେ ପଡି଼ବ । ହୁଏତ ସେ ସେତେବେଳେ ଏ ଶବ୍ଦର ଅଙ୍ଗ ଵ୍ୟେଵଛେଦ
କରି ଦେଖିବ→ନା+ବାଳକ=ନାବାଳକ(ଅର୍ଥାତ୍ ଯେ ବାଳକ ନୁହେଁ 😀😀😀) । ବାସ୍ ଏଇଠେଁ ହିଁ ଧରାପଡିଗଲା ଯେ ଏ ଶବ୍ଦଟି ଆମର ନୁହେଁ । ତେବେ ଏଠାରେ ପ୍ରଶ୍ନ ଥିଲା - ସାବାଳକ ଶବ୍ଦର ସ୍ତ୍ରୀଵାଚକ ରୂପ କଣ୍ ହେବ ?
ଯଦି ଆରବୀୟ ସାବାଲିଗ୍ ଶବ୍ଦ କଥା ପଚାରୁଛନ୍ତି ତେବେ ତହିଁର ସ୍ତ୍ରୀଵାଚକ ରୂପ ହେବ ସାବାଲଗୀ ଏବଂ ଓଡ଼ିଆ ଶୈଳୀରେ ଏ ଶବ୍ଦ ସାବାଳକୀ ହୋଇ ପାରିବ ।
ସେହିପରି ନାବାଲିଗ୍ ଶବ୍ଦର ସ୍ତ୍ରୀଵାଚକ ରୂପ
ହେବ ନାବାଲିଗା ଯାହାର ଓଡ଼ିଆ ହୋଇପାରିବ
ନାବାଳିକା ।
ବେଳେ ବେଳେ ଵିଭିନ୍ନ ଭାଷାରୁ ଶବ୍ଦ ନେଲାବେଳେ ଦେଶଜ ଭାଷାର ଶୈଳୀ ଅନୁସାରେ ତହିଁର କେତେକ ଦେଶୀୟ ପରିଵର୍ତ୍ତନ ଘଟିଥାଏ । ଉଦାହରଣ ସ୍ୱରୂପ ୟୁରୋପ Europe ଶବ୍ଦ ଓଡ଼ିଆ ଭାଷାରେ ଆସି ପ୍ରଥମେ ପ୍ରଥମେ ଇଉରୋପ ଲେଖାଯାଉଥିଲା ଏବଂ ଏବେ ମଧ୍ୟ ଓଡ଼ିଆଭାଷାରେ ଏହି ଶବ୍ଦଟିର ବହୁଳ ପ୍ରଚଳନ ଥିବା ଦେଖାଯାଏ ।
ଓଡ଼ିଆ ଭାଷାରେ ଯେହେତୁ ସାବାଳକ, ସାବାଳିକା ଶବ୍ଦର ପ୍ରଚଳନ ହୋଇସାରିଛି ତେଣୁ ଏହାକୁ ହଟାତ୍ ଉଠେଇ ଦେବା ମଧ୍ଯ ଅନୁଚିତ ହେବ । ତେବେ ସୁଧିଜନେ ସାବାଳକ, ସାବାଳିକା, ନାବାଳକ, ନାବାଳିକା ଆଦି ଶବ୍ଦ ଵିଷୟରେ ଜାଣି ତହିଁର ଵୈଦେଶିକ ରୂପ ଵ୍ୟଵହାର କରିବେ କି ନାହିଁ ସେଥିପାଇଁ ସେମାନେ ସର୍ଵଥା ସ୍ଵତନ୍ତ୍ର ବୋଲି ଏ ଅକିଞ୍ଚନ ର ମତ ।
Tuesday, April 17, 2018
●ମାନସମ୍ମାନ ପ୍ରତିଷ୍ଠା କ୍ଷଣକେ ଧୂଳିସାତ୍ ହୋଇଯାଇପାରେ ପୁଣି ଆର୍ତକିତ ଭାବରେ ମିଳି ବି ଯାଏ●
ଜଣେ ସନ୍ୟାସୀ ଥିଲେ ଯେ ତାଙ୍କର ସମାଜରେ ବଡ଼ ପ୍ରତିଷ୍ଠା ହୋଇଯାଇଥିଲା । ସନ୍ୟାସୀଙ୍କ ଠାରୁ ଶିକ୍ଷା ଲାଭ କରି ବଡ଼ ବଡ଼ ପଣ୍ଡିତ ଓ ବଦାନ୍ୟ ଵ୍ୟକ୍ତି ହୋଇସାରିଥିବା ତାଙ୍କ ପୁରାତନ ଶିଷ୍ୟମାନଙ୍କ ଯୋଗୁଁ ସେ ଆହୁରି ଲୋକପ୍ରିୟ ହୋଇଯାଇଥିଲେ । ଥରେ ଶିଷ୍ୟମାନେ ଗୁରୁଙ୍କୁ ଏକ ପାରାୟଣସଭାକୁ ସାଦରେ ଆମନ୍ତ୍ରଣ କରିଆଣିଥାନ୍ତି । ଯୋଜନା ଥାଏ ସଭାରେ ଗୁରୁଙ୍କୁ ନଗରର ଗଣମାନ୍ୟ ଵ୍ୟକ୍ତି ଵିଶେଷଙ୍କ ସମ୍ମୁଖରେ ସମ୍ମାନିତ କରାଯିବ । ସେ ସଭାରେ ସନ୍ୟାସୀଙ୍କୁ ଦେଖିବା ହେତୁରୁ ନଗରର ବଡ଼ ବଡ଼ ଲୋକଙ୍କ ଠାରୁ ଆରମ୍ଭ କରି ସାଧାରଣ ଦରିଦ୍ର ଜନତା ସୁଦ୍ଧା ଆସିଥାନ୍ତି । ସନ୍ୟାସୀଙ୍କର ଜଣେ ଶିଷ୍ୟ ସେହି ପାରାୟଣସଭାରେ ପ୍ରବଚନ ଦେଉଥାନ୍ତି ଏତିକି ବେଳେ ସନ୍ୟାସୀ ହଟାତ୍ ଅଧୋବାୟୁ ତ୍ୟାଗ କରିଦେଲେ । ସଙ୍ଗେ ସଙ୍ଗେ ସଭାରେ ଲୋକଙ୍କ ଧ୍ୟାନ ସନ୍ୟାସୀଙ୍କ ଆଡ଼କୁ ଚାଲିଗଲା । ଏତେ ବଡ଼ ଲୋକଙ୍କ ଠାରୁ ଲୋକେ ଵାତକର୍ମ ଭଳି ଅତି ସାଧାରଣ କଥା ଆଦୌ ଆଶା କରିନଥିଲେ । ସେହି କ୍ଷଣି ଲୋକଙ୍କ ମଧ୍ୟରେ ସନ୍ୟାସୀଙ୍କ ପ୍ରତି ଥିବା ଆଦର ଓ ସମ୍ମାନ ହ୍ରାସ ପାଇ ପାଇ ଗଲା । କେବଳ ସୌଜନ୍ୟତା ଦୃଷ୍ଟିରୁ କେହି କିଛି ନ କହି ନୀରବ ରହିଲେ । ସନ୍ୟାସୀଙ୍କୁ ସମ୍ମାନିତ କରି ବିଦାୟ ସମ୍ବର୍ଦ୍ଧନା ଦେବାର ସମୟ ଆସି ପହଞ୍ଚିଲା । ଆମ ଦେଶରେ ଅତିଥିଙ୍କ ସହିତ କିଛି ବାଟ ଚାଲି ଚାଲି ଯାଇ ତାଙ୍କୁ ବାଟେଇ ଦେଇ ଆସିବାର ନିଆରା ପରମ୍ପରା ରହିଛି । ମନ ନଥିଲେ ଵି ସଭାର ଅଧିକାଂଶ ଲୋକେ ସନ୍ୟାସୀଙ୍କୁ ବାଟେଇ ଦେବାକୁ ତାଙ୍କ ସହ କିଛି ବାଟ ଚାଲି ଚାଲି ଗଲେ । ବାଟରେ ଯାଉଥିବା ବେଳେ ପଥ ମଧ୍ୟରେ ଏକ ମୃତ ପକ୍ଷୀ ପଡି଼ରହିଥିବା ଦେଖିବାକୁ ମିଳିଲା । ସନ୍ୟାସୀ ତାକୁ ତଳୁ ଉଠେଇ ଆଣିଲେ । କିଛି ସମୟ ତାକୁ ଆଉଁସି ଆଉଁସି ତା କାନରେ ଟିକେ ଫୁଙ୍କି ଦେଲେ । ଯେମିତି ଫୁଙ୍କିଛନ୍ତି ସେ ପକ୍ଷୀ ବଞ୍ଚି ଉଠିଲା ।
ସନ୍ୟାସୀଙ୍କୁ ବାଟେଇ ଦେବାକୁ ଆସିଥିବା ଲୋକଙ୍କ ମନରେ ତାଙ୍କ ପ୍ରତି ପୁଣି ଶତ ଶତ ଗୁଣ ଶ୍ରଦ୍ଧା ଓ ସମ୍ମାନ ବୃଦ୍ଧି ବଢି଼ଗଲା ।
କିଛି ଵି ଅସମ୍ଭଵ ନୁହେଁ .......
ଲୋକପ୍ରିୟତା ପ୍ରତିଷ୍ଠା ମାନସମ୍ମାନ ସବୁ କ୍ଷଣକେ ଧୂଳିସାତ୍ ହୋଇଯାଇପାରେ ପୁଣି ବେଳେ ବେଳେ ହାତୀ ସୁନାକଳସୀ ଢାଳିଲା ପରି ଅଜଣା ଅଶୁଣା ଲୋକେ ଵି ସମାଜରେ ହଟାତ୍ ପ୍ରଶିଦ୍ଧ ହୋଇଯାଇଥାନ୍ତି ।
Sunday, April 15, 2018
ବିଲେଇ ଠୁଁ ବାଘୁଣୀ ଯାଏଁ.....
ବିଲେଇ ବାଘୁଣୀ ର ବଡ଼ ଭଉଣୀ ଥିଲା ।ସେମାନେ ଏକତ୍ର ଜଙ୍ଗଲରେ ରହନ୍ତି ଚରାବୁଲା କରନ୍ତି । ଶରୀର ଅନୁସାରେ ସିନା ବିଲେଇ ବାଘୁଣୀ ଠାରୁ ଅଧିକ ଦୂର୍ବଳ ଥିଲା ହେଲେ ଶିକାର କରିବା ଠାରୁ ଲଢେ଼ଇ କରିବା ଯାଏଁ ଯେତେକ କଳା କୌଶଳ ସବୁ ବିଲେଇକୁ ଜଣାଥିଲା । ଦିନେ ବାଘୁଣୀ ତା ବଡ଼ ଭଉଣୀ ବିଲେଇକୁ କହିଲା
ମୋତେ ଶିକାର ର କଳାକୌଶଳ ଶିଖାଇ ଦିଅନ୍ତୁ ନି ମୁଁ ବି ଶିକାର କରି ମୋ ପେଟ ପୋଷିବି ।
ବିଲେଇ କହିଲା–“ତୁ ହୁଣ୍ଡି କାହାକୁ ମାରିବୁଧରିବୁ ତୋତେ କୋଉ ବିଶ୍ଵାସ ଲୋ !"
ବାଘୁଣୀ କହିଲା–“ନାଇଁ ମଁ ନାନୀ ମୁଁ କାହିଁକି କାହାକୁ ହଇରାଣ କରିବି ମୁଁ ମୋ ବାଟରେ ଚଳିବି,କାହାର କିଛି ଅନିଷ୍ଟ କରିବିନି ।”
ବିଲେଇ ବା ବାଘୁଣୀ ପେଟକଥା କାହୁଁ ଜାଣିବ
ସେ ତାକୁ କେତେକ ଶିକାର କୌଶଳ ଶିଖାଇ ଦେଲା ।
ବାଘୁଣୀ ସବୁ କଳ କଉଶଳରେ ପ୍ରବୀଣ ହେଲା ଉତ୍ତାରୁ ଦିନେ କୌତୁହଳ ଵଶତଃ ବିଲେଇକୁ ମାରିବାକୁ ଗୋଡେ଼ଇଲା ।
ବିଲେଇ ବିଚାରି ଦେଖିଲା ଆଉ ରକ୍ଷା ନାହିଁ ।
ଜୀବନ ବିକଳରେ ସେ ଗୋଟାଏ ବଡ଼ ଗଛ ଉପରକୁ ଚଢିଗଲା ।
ବାଘୁଣୀ ଗଛ ତଳେ ଛିଡା଼ ହେଇ କେତେ ହାଣ୍ଟୁରି ହେଲା, ଗଛରେ ଚଢିବାକୁ ଚେଷ୍ଟା କରି ବିଫଳ ହେଇ ଶେଷକୁ ଜଙ୍ଗଲ ଭିତରକୁ ବାହୁଡି଼ ଗଲା ।
ବିଲେଇ ବାଘୁଣୀ ଗଲାରୁ ଦୀର୍ଘ ନିଃଶ୍ୱାସ ଟେ ପକାଇ କହିଲା- ଯା ହେଉ ଗଛ ଚଢା଼ କୌଶଳ ଟା ଶାଖାଇ ନଥିଲି ବୋଲି ବଝିଗଲି ନହିଲେ ଏଇଲାଗେ ଅଳ୍ପକେ ପ୍ରାଣବାୟୁ ଉଡି଼ଯାଇଥାନ୍ତା ।
ବିଲେଇ ଆଉ ଘଞ୍ଚଜଙ୍ଗଲରେ ନରହି ଛୋଟ ବୁଦା ଆଦିରେ ଗାତ ଖୋଳି ରହିବାକୁ ଲାଗିଲା ।
ଯୁଗ ଯୁଗ ଧରି ତା ବଂଶର ଜୀବ ସଂସାରର ବିଭିନ୍ନ ସ୍ଥାନକୁ ଯାଇ ରହିଛନ୍ତି ଓ ଧୀରେ ଧୀରେ ତା' ଠାରୁ କେତେ ପ୍ରକାର ର ନୂଆ ଜାତିର ଜୀବ ସୃଷ୍ଟି ହୋଇଛନ୍ତି । ଶେଷରେ ଏ ବିଲେଇ ମଣିଷ ସମାଜରେ ଆସି ରହିବା ଆରମ୍ଭ କରିଛି ଆଉ
ମନୁଷ୍ୟ ର ଆଦିମିତ୍ର ଶ୍ଵାନପରି ଆଦର ଲାଭ କରିଅଛି ।
ବିଲେଇ ବାଘୁଣୀ ର ଏ କଥା କାଳ୍ପନିକ ହୋଇପାରେ କିନ୍ତୁ ଏକଥା ଶହେ ଗଣା ସତ ଯେ ବାଘ,ସିଂହ, ଚିତାବାଘ, ହେଟାବାଘ ଆଦି ଯେତେ ସବୁ ବିଲେଇ ପରି ଜୀବ ଅଛନ୍ତି ସେମାନଙ୍କୁ ସାମୁହିକ ଭାବେ ସାଧାରଣତଃ cat family ର ସଦସ୍ୟ ହିଁ କୁହାଯାଇଥାଏ ।
ବିଲେଇ ପରିବାରର ଵୈଜ୍ଞାନିକ ନାମ ରଖାଯାଇଛି Felidae ।
ଏହି Felidae କୁ ଚାରୋଟି ଉପପରିବାରରେ ବଣ୍ଟାଯାଇଛି
i.Pantherinae
ii.Felinae
iii.†Machairodontinae
iv.†Proailurinae
ଏହି ଚାରୋଟି ଉପପରିବାର ମଧ୍ୟରୁ
†Machairodontinae ଓ
†Proailurinae ଉପରିବାରର ସଦସ୍ୟ ମାନେ ବିଲୁପ୍ତ ହୋଇସାରିଛନ୍ତି ।
★Pantherine ଉପପରିବାର★
ଏହି ଉପରିବାରର ଜୀଵଙ୍କୁ
ଦୁଇଟି ମୁଖ୍ୟ ପ୍ରଜାତିରେ ବିଭକ୍ତ କରାଯାଇଛି
◆A.Panther
◆B.Neofelis
↓
●1.ପ୍ରଜାତି→Panthera
୧.Tiger(P. tigris)
୨.Lion(P. leo)
୩.Jaguar(P. onca)
୪.Leopard(P. pardus)
୫.Snow leopard(P. uncia)
୬.†Longdan tiger(P. zdanskyi)
↓
●2.ପ୍ରଜାତି→Neofelis
୧.Clouded leopard(N. nebulosa)
୨.Sunda clouded leopard(N. diardi)
★Felinae ଉପପରିବାର★
Felinae ଉପପରିବାରକୁ 15ଟି ବିଭିନ୍ନ ପ୍ରଜାତିରେ ଵିଭକ୍ତ କରାଯାଇଛି ତନ୍ମଧ୍ୟରୁ ତିନୋଟି ପ୍ରଜାତି ବିଲୁପ୍ତ ହୋଇସାରିଛନ୍ତି ।
↓
୧.Acinonyx
୨.Caracal
୩.Catopuma
୪.Felis
୫.Herpailurus
୬.Leopardus
୭.Leptailurus
୮.Lynx
9.†Miracinonyx
୧୦.Otocolobus
୧୧.Pardofelis
୧୨.†Pratifelis
୧୩.†Pristifelis
୧୪.Prionailurus
୧୫.Puma
↓
●1.Acinonyx
Acinonyx aicha†
Acinonyx intermedius†
Acinonyx jubatus(cheetah)
Acinonyx pardinensis†(giant cheetah)
↓
●2.Caracal
୧.Caracal aurata (African golden cat)
୨.Caracal caracal(caracal)
↓
●3.Catopuma
୧.Catopuma badia (bay cat,Catopuma)
୨.Catopuma temminckii
(Asian golden cat)
↓
●4.Felis
୧.Felis bieti(Chinese mountain
cat)
୨.Felis catus (domestic cat-ଗୃହପାଳିତ)
୩.Felis chaus (jungle cat)
୪.Felis lunensis(Martelli's cat)
୫.Felis margarita (sand cat)
୬.Felis nigripes(black-footed cat)
୭.Felis silvestris(wildcat)
↓
●5.Herpailurus
୧.Herpailurus yagouaroundi (jaguarundi)
↓
●6.Leopardus
୧.Leopardus braccatus(pantanal cat)
୨.Leopardus colocolo(colocolo)
୩.Leopardus geoffroyi
(Geoffroy's cat)
୪.Leopardus guigna (kodkod)
୫.Leopardus guttulus(southern tiger cat)
୬.Leopardus jacobitus(Andean
mountain cat)
୭.Leopardus pajeros (pampas cat)
୮.Leopardus pardalis(ocelot)
୯.Leopardus tigrinus(oncilla)
୧୦.Leopardus wiedii(margay)
↓
●7.Leptailurus (Leptailurus)
୧.Leptailurus serval
↓
●8.Lynx
୧.Lynx canadensis (Canadian lynx)
୨.Lynx lynx Linnaeus (Eurasian lynx)
୩.Lynx pardinus( Iberian lynx)
4.Lynx rufus ( bobcat)
↓
●9.†Miracinonyx
୧.†Miracinonyx trumani
୨.†Miracinonyx inexpectatus
୩.†Miracinonyx studeri
↓
●10.Otocolobus
Otocolobus manul( Pallas's cat)
↓
●11.Pardofelis
୧.Pardofelis marmorata(marbled cat)
↓
●12.†Pratifelis
୧.†Pratifelis martini
↓
●13.†Pristifelis
Felis attica†
↓
●14.Prionailurus
୧.Prionailurus bengalensis(leopard cat)
୨.Prionailurus bengalensis iriomotensis(Iriomote cat)
୩.Prionailurus planiceps(headed cat)
୪.Prionailurus rubiginosus(rusty-spotted cat)
୫.Prionailurus viverrinus(fishing cat)
↓
●15.Puma
୧.Puma concolor (cougar)
ତେଣୁ ବିଲେଇ ଜାତୀୟ ଜୀବ ଗୋଟିଏ ପରିବାରର ହୋଇଥିଲେ ହେଁ ବାଘ ଓ ବିଲେଇ ପ୍ରଜାତିକୁ ଭିନ୍ନ ଭିନ୍ନ ପ୍ରଜାତି ଓ ଉପପରିବାରରେ ବଣ୍ଟାଯାଇଛି । ବାଘ Pantherinae ଉପରିବାରର panthera ପ୍ରଜାତିର ହୋଇଥିଲା ବେଳେ ବିଲେଇ Felinae ଉପରିବାରର Felis ପ୍ରଜାତି ଅନ୍ତର୍ଗତ Felis catus ନାମଧାରୀ ଏକ ଗୃହପାଳିତ ପଶୁ ଵିଶେଷ ।
ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସମାଜ ରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା “ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ...