ଭାଗଵତକାରମାନେ ‘ଗୁରୁ’ ଶବ୍ଦର ଵ୍ଯାଖ୍ଯା କରିଵାକୁ ଯାଇ କହିଥାନ୍ତି ଯେ—
ଗୁ=> ମାନେ ଅନ୍ଧକାର
ଏବଂ
ରୁ=> ମାନେ ଅଜ୍ଞାନ ...
ତେଵେ
ଗୁରୁ ଶବ୍ଦ ଗୁ+ରୁ=ଗୁରୁ ହୋଇନାହିଁ
ବରଂ ଗୁରୁ ଶବ୍ଦଟି
ଗୃ ଧାତୁ+ଉ.କ => ଗୁରୁ ହୋଇଅଛି ।
ଗୃ ଧାତୁ ର ଅନେକ ଅର୍ଥ ମଧ୍ୟରୁ ଏଠାରେ ଶବ୍ଦକରିବା କିମ୍ବା କହିଵା ଅର୍ଥରେ ଏହି ଧାତୁ ଶବ୍ଦର ଵ୍ଯଵହାର କରାଯାଇଥିବା ସହଜେ ଅନୁମେୟ ହୁଏ । ଆଗେ କାଗଜ କଲମ ନଥିଵାରୁ ଗୁରୁମାନେ ମୁଖେ ମୁଖେ ସ୍ମରଣଥିଵା ଜ୍ଞାନ ଭାଷୁଥିଲେ ଏଵଂ ତାଙ୍କ ଶିଷ୍ୟମାନେ ତାହା ହେତୁ ରଖି ପରଵର୍ତ୍ତୀ ପିଢ଼ିକୁ ଶିକ୍ଷା ଦେଉଥିଲେ ।
ଏବେ ଚାଲନ୍ତୁ ଜାଣିଵା
‘ଗୁ’ ଏବଂ ‘ରୁ’ ଶବ୍ଦ ଦ୍ବୟର ଶାବ୍ଦିକ ଅର୍ଥ....
#ଗୁ
ସଂସ୍କୃତ ଭାଷାରେ
ଏକ #ଗୁ_ଧାତୁ ଅଛି ଏହାର ଅର୍ଥ
ମଳତ୍ୟାଗ କରିବା ......
ଏବଂ
ଗୁ- ଦେଶଜ ବିଶେଷ୍ୟ ଶବ୍ଦର ଅର୍ଥ
ବିଷ୍ଠା,ମଳ ,ପୁରୀଷ ଏବଂ ଗୁହ
ଏମିତି କି #ଗୂ_ଧାତୁର ଅର୍ଥ ମଧ୍ୟ ମଳତ୍ୟାଗ କରିବା....
#ରୁ
ସଂସ୍କୃତରେ #ରୁ_ଧାତୁ ଅଛି
ଏହା ଶବ୍ଦ କରିବା,କାନ୍ଦିବା,ରୋପଣ କରିବା ଅର୍ଥରେ ବ୍ୟବହୃତ ହୁଏ । ଏହି #ରୁଧାତୁ ସହ ରୋଦନକରିଵା ଓ ରୋ(ପି)ଇଵା କ୍ରିୟାଶବ୍ଦ ସମଦ୍ଧୃତ ଅଟେ ।
ସେଇଭଳି #ରୁ ଶବ୍ଦର ଓଡ଼ିଆରେ ବହୁଳ ଵ୍ଯଵହାର ହୋଇଥାଏ ଏବଂ ଏହାର ଦଶରୁ ଅଧିକ ଅର୍ଥ ଥିଵା ଭାଷାକୋଷ ତଥା ଅନ୍ୟ ପୁରୁଣା ଓଡ଼ିଆ ଅଭିଧାନଗୁଡି଼କରେ ଲେଖାଅଛି ।
ସେଗୁଡିକ ଯଥା:-
⚜️ଅପାଦାନ ଵା ପଞ୍ଚମୀ ବିଭକ୍ତୀର ପ୍ରତ୍ୟୟ
⚜️ଵ୍ଯତିରେକେ
⚜️(ରୁ) ଆରମ୍ଭ କରି
⚜️(କୌଣସି ଵ୍ଯକ୍ତିର) ନିକଟରୁ
⚜️ଅପେକ୍ଷା
⚜️ଅନୁସାରେ
⚜️ଯୋଗୁଁ, କାରଣରୁ, ହେତୁରୁ
⚜️ଫଳରେ
⚜️କୌଣସି ଵସ୍ତୁର ଆଭ୍ୟନ୍ତରରୁ
⚜️ଦ୍ବାରା ....
ତେଵେ
ଗୁରୁ ଶବ୍ଦର ଵିଭିନ୍ନ ଭାଵଗତ ଵ୍ଯାଖ୍ଯା କରାଯାଇପାରେ କିନ୍ତୁ ଭାଷାର ଵୈଜ୍ଞାନିକତା ଦୃଷ୍ଟିରୁ କେଵଳ ନିରୁକ୍ତୀ ଶାସ୍ତ୍ର ଅନୁସାରେ ଯେକୌଣସି ଶବ୍ଦର ଵ୍ଯାଖ୍ଯା ହିଁ ଭାଷାବିତ୍ ସମାଜରେ ଗ୍ରହଣୀୟ ହୋଇଥାଏ । ଯଦି ଭାଗଵାତକାର ‘ଗୁ’ ପରିଵର୍ତ୍ତେ ‘ଗ’ ଵ୍ଯଵହାର ପୂର୍ଵକ ଗ+ରୁ =ଗୁରୁ କୁହନ୍ତେ ତା'ହେଲେ ତାହା କିଛି ପରିମାଣରେ ଯୁକ୍ତିଯୁକ୍ତ ଲାଗନ୍ତା କାରଣ ‘ଗ’ ଵିଶେଷ୍ଯ ଶବ୍ଦର ଅର୍ଥ ଗୁରୁ ଅଟେ । ତେଣୁ ଭାଗଵତକାରମାନେ ‘ଗୁ’ ପରିଵର୍ତ୍ତେ ‘ଗ' ଵ୍ଯଵହାର କରି କୁହନ୍ତେ
“ଗ+ରୁ=ଗୁରୁ ; ଯେ ଜ୍ଞାନ କଥା କହିଵା ଦ୍ଵାରା ସମାଜରେ ଜ୍ଞାନୀ ଵିଦ୍ଵାନ ପିଢ଼ିର ଵୀଜ ରୋପଣ କରିଥାନ୍ତି ସେ ଗୁରୁ ଅଟନ୍ତି”
ଯେତେଵେଳେ ମଧ୍ୟପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତିର ଲୋକେ ଵାନର ରାକ୍ଷସ ସମ ଜୀଵନ ଅତିଵାହିତ କରୁଥିଲେ ସେତେବେଳକୁ ଭାରତରେ ‘ଗୁରୁ ଶିଷ୍ୟ’ ପରମ୍ପରା ଵିକଶିତ ହୋଇସାରିଥିଲା ।
ଵେଦଗ୍ରନ୍ଥଗୁଡି଼କ ‘ଗୁରୁ’ ତାଙ୍କ ‘ଶିଷ୍ଯ'ଙ୍କୁ ଦେଉଥିଵା ଶିକ୍ଷାର ଅଂଶଵିଶେଷ ମାତ୍ର ।
ଭାରତରେ ପ୍ରଥମେ ଏ ପରମ୍ପରା ଆରମ୍ଭ ହୋଇଥିଵାରୁ ଏଠାରେ ‘ଗୁରୁ ଶିଷ୍ୟ’ ପରମ୍ପରା ସମ୍ବନ୍ଧୀୟ ଯେତେ ଶବ୍ଦ ମିଳେ ଅନ୍ଯତ୍ର ତେତେ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ସେହିପରି କିଛି ଶବ୍ଦର ଉଲ୍ଲେଖ କରାଗଲା ।
✓ଅଜାଗୁରୁ(ଆର୍ଯ୍ଯ+ଗୁରୁ) ଆପଣାର ଗୁରୁଙ୍କ ଗୁରୁ
✓ଅଣଗୁରୁ—ଵିଦ୍ଯାଗୁରୁ ନ ଥାଇ ଵିଦ୍ଯା ଶିଖିଵା ଅଵସ୍ଥା
✓ଅନୁବାକ— ସନ୍ଥ;ଗୁରୁ , ଶିଷ୍ଯଙ୍କୁ ଦେବା ପାଠ
✓ଅନ୍ତେଵାସୀ— ମେ ପଠନାଵସ୍ଥାରେ
ଗୁରୁସମୀପରେ ଵାସ କରେ; ଛାତ୍ର; ଶିଷ୍ଯ
✓ଅପଗୁରୁ—ମନ୍ଦଗୁଣଯୁକ୍ତ ଗୁରୁ
✓ଅଵଧାନ—ଗୁରୁ
✓ଅମର୍ଯ୍ୟାଦ— ଯେ ଗୁରୁ ଆଦିଙ୍କୁ ସମ୍ମାନ ଦିଏ ନାହିଁ
✓ଉପଗୁରୁ—ଦୀକ୍ଷ ଗୁରୁଙ୍କ ଅଧୀନସ୍ଥ ପ୍ରତିନିଧି ଗୁରୁ ଯେ ତାଙ୍କ ଅନୁପସ୍ଥିତିରେ ଶିକ୍ଷା ଦିଅନ୍ତି
✓ଉପଦେଶକ—ଗୁରୁ
✓ଉପାଧ୍ଯାୟ—ଗୁରୁ
✓ଉପଚାର୍ଯ୍ୟ—ସହାୟକ ଗୁରୁ
✓କାରଣିକ—ଗୁରୁ,ଶିକ୍ଷକ
✓କୀର୍ତ୍ତନ ଗୁରୁ—ସଂକୀର୍ତ୍ତନର ସଂଗୀତ ଓ ଵାଦ୍ଯ ଶିକ୍ଷା ଦେଵା ଗୁରୁ
✓କୁତୀର୍ଥ—ମନ୍ଦ ଵା ଅଯୋଗ୍ୟ ଗୁରୁ
✓କୁଳଗୁରୁ—କୈଣସି ବଂଶର ବଂଶାନୁଗତ ଗୁରୁ; କୁଳପୁରୋହିତ
✓କୃଷ୍ଟି—ଗୁରୁ, ଶିକ୍ଷକ
✓ଗ—ଗୁରୁ
✓ଗୁରୁକନ୍ଯା—ବିଦ୍ଯାଗୁରୁଙ୍କ ଝିଅ;ଶାସ୍ତ୍ର ଅନୁସାରେ ଗୁରୁକନ୍ଯା ଶିଷ୍ଯର ଭଉଣୀ ସ୍ଥାନୀୟ(କଚ-ଦେଵଯାନୀ ଚରିତରେ ଏହିକଥା କୁହାଯାଇଛି)
✓ଗୁରୁକର୍ଣ୍ଣ—ଦକ୍ଷିଣ କର୍ଣ୍ଣ; ଗୁରୁ ଯଉଁ କାନରେ ମନ୍ତ୍ର ଦିଅନ୍ତି
✓ଗୁରୁକୁଳ—ଗୁରୁଆଶ୍ରମ;ପୂର୍ଵେ ଭାରତୀୟ ସନାତନୀ ଛାତ୍ରମାନେ ଗୁରୁଗୃହରେ ଵାସ କରି ବ୍ରହ୍ମଚର୍ଯ୍ୟ ଅଵଲମ୍ବନ ପୂର୍ଵକ ଗୁରୁଙ୍କ ସେଵା ଓ ଵିଦ୍ଯାଶିକ୍ଷା କରୁଥିଲେ । ଗୁରୁକୁଳ ଜନଵସତିର ଦୂରରେ ଅବସ୍ଥିତ ହେଉଥିଲା।
✓ଗୁରୁକ୍ରମ—ପରମ୍ପରାକ୍ରମେ ଶିକ୍ଷା ଦିଆ ଯାଉଥିଵା ଵିଦ୍ଯା
✓ଗୁରୁଘ୍ନ—ଗୁରୁହନ୍ତା
✓ଗୁରୁଚର୍ଯ୍ୟା—ଗୁରୁଙ୍କ ସେଵା
✓ଗୁରୁତଳ୍ପ—ଗୁରୁଙ୍କ ଶଯ୍ୟା, ଗୁରୁଙ୍କ ପତ୍ନୀ ଵା ଗୁରୁମାତା
✓ଗୁରୁତଳ୍ପଗ—ୟେ ଗୁରୁପତ୍ନୀଙ୍କୁ ହରଣ କରେ ; ସନାତନୀ ଶାସ୍ତ୍ର ଅନୁସାରେ ଏହା ମହାପାପ। ଚନ୍ଦ୍ର ଗୁରୁପତ୍ନୀ ହରଣ କରି ରୋଗଗ୍ରସ୍ତ ହୋଇଅଛନ୍ତି; ଏ ମହାପାପର ପ୍ରାୟଶ୍ଚିତ୍ତାର୍ଥ ପାପୀ ଗୋଟିଏ ଉତ୍ତପ୍ତ ଲୌହର ସ୍ତ୍ରୀମୂର୍ତ୍ତିକୁ ଅଲିଙ୍ଗନ କରି ମରିଵାପାଇଁ ସ୍କୃତିରେ ଵିଧାନ ଅଛି ।
✓ଗୁରୁଦକ୍ଷିଣା—ଶିକ୍ଷା ସମାପ୍ତ ହେଵା ପରେ ଶିଷ୍ଯ ଵିଦ୍ଯା ଦାନର ପାରିଶ୍ରମିକ ସ୍ବରୁପ ଗୁରୁଙ୍କୁ ଭେଟିଵା ଉପହାର ।
✓ଗୁରୁନିନ୍ଦା—ଗୁରୁଙ୍କର ନିନ୍ଦା [ଭାରତୀୟ ଧର୍ମଶାସ୍ତ୍ର ଅନୁସାରେ ଗୁରୁନିନ୍ଦା ମହାପାପ; ଯେ ନିଜ ଗୁରୁଙ୍କର ନିନ୍ଦା କରେ ସେ ମହାପାପୀ ଓ ଯେ ଅନ୍ଯ ମୁଖରୁ ନିଜର ଗୁରୁଙ୍କ ନିନ୍ଦା ଶୁଣି ସେ ସ୍ଥାନ ତ୍ଯାଗ ନ କରେ ଵା ତାହା ବନ୍ଦ ନ କରାଏ ସେ ମଧ୍ଯ ପାପଭାଗୀ ହୁଏ। ]
✓ଗୁରୁପତ୍ନୀ—ଗୁରୁଙ୍କର ପତ୍ନୀ,ଗୁରୁମା
✓ଗୁରୁପୁତ୍ର/ଗୁରୁଭାଇ—ଗୁରୁଙ୍କର ପୁତ୍ର
✓ଗୁବଙ୍ଗନା—ଗୁରୁପତ୍ନୀ
✓ଜ୍ଞାନାଞ୍ଜନଶଳାକା—ଶିଷ୍ଯକୁ ଗୁରୁ ଦେଇଥିଵା ଶିକ୍ଷା[ଜ୍ଞାନରୂପ ଅଞ୍ଜନକୁ ଶିଷ୍ଯର ଦିଵ୍ଯଚକ୍ଷୁରେ ଦେଇ ଶିଷ୍ଯର ଜ୍ଞାନଚକ୍ଷୁର ଦୃଷ୍ଟିକୁ ଉଜ୍ଜ୍ବଳ କରିଵା ନିମନ୍ତେ ଗୁରୁ ଶିଷ୍ଯକୁ ଯେଉଁ ଶିକ୍ଷା ପ୍ରଦାନ କରନ୍ତି ତାହାକୁ ଶାସ୍ତ୍ରକାରମାନେ ଆଖିରେ କଜ୍ଜ୍ବଳ ଲଗାଇଵା କାଠି ସଙ୍ଗେ ତୁଳନା କରି ଲେଖି ଅଛନ୍ତି ଯେ ଅଜ୍ଞାନତିମିରାନ୍ଧ ଶିଷ୍ଯର ଦିଵ୍ମ ଚକ୍ଷୁକୁ ଗୁରୁ ଜ୍ଞାନାଞ୍ଜନଶଳାକାଦ୍ବାରା ଉନ୍ନୀଳିତ କରନ୍ତି।]
✓ତୀର୍ଥ—ଗୁରୁ, ଶିକ୍ଷକ
✓ଦୃଶାନ—ଆଚାର୍ଯ୍ୟ,ଗୁରୁ
✓ଦେଶିକ—ଗୁରୁ, ଶିକ୍ଷକ
✓ଧର୍ମାଧ୍ୟକ୍ଷ—ଦୀକ୍ଷାଗୁରୁ
✓ନମୋଗୁରୁ—ଆଚାର୍ଯ୍ୟ
✓ନାୟକ—ଉପଦେଷ୍ଟା,ଗୁରୁ
✓ନିର୍ନମସ୍କାର—ଯେ ଦେବତା ଓ ଗୁରୁ ଆଦିଙ୍କୁ ନମସ୍କାର କରେ ନାହିଁ ।
✓ପଣ୍ଡିତ—ଅଵଧାନ,ଗୁରୁ
✓ପରମଗୁରୁ—ଗୁରୁଙ୍କ ଗୁରୁ
✓ପରମେଷ୍ଠୀ—ଇଷ୍ଟମନ୍ତ୍ରଦାତା ଗୁରୁ
✓ପ୍ରଦର୍ଶକ—ଗୁରୁ
✓ପ୍ରଵକ୍ତା—ଗୁରୁ
✓ଵର୍ଣ୍ଣଗୁରୁ—ଯେଉଁ ଗୁରୁ ଅକ୍ଷର ଶିକ୍ଷା ଦିଅନ୍ତି
✓ଵିଧିଦ୍ରଷ୍ଟା—ଗୁରୁ ଶିକ୍ଷକ
✓ବୁଧାନ—ଗୁରୁ
✓ବୋଧକ—ଗୁରୁ
✓ବ୍ରହ୍ମଦ—ଦୀକ୍ଷାଗୁରୁ
✓ବ୍ରହ୍ମଦାତା—ଵେଦାଧ୍ଯାପକ ଗୁରୁ
✓ମହୋପାଧ୍ଯାୟ—ଵିଦ୍ଵାନ ଗୁରୁ
✓ମୁନି—ଜୈନଗୁରୁ
✓ଶାସ୍ତା—ଶିକ୍ଷାଦାତା ଗୁର
.......................
................
.........
ଗୁରୁ ଶବ୍ଦର ଅନେକ ଅର୍ଥ ରହିଛି । କେତେକ ମୂଳ ଅର୍ଥ ଏଠାରେ କଵିତା ଆକାରରେ କୁହାଗଲା
#ଗୁରୁ_କିଏ_କିଏ
ପ୍ରଥମ ଗୁରୁ ମାତା ଆମ୍ଭ
ଦ୍ଵିତୀୟେ ଗୁରୁ ବୋଲାନ୍ତି ଆଚାର୍ଯ୍ୟ ।।
କର୍ମଗୁରୁ ହେଲେ ପିତା
ଧର୍ମଗୁରୁ ସର୍ଵଦା ଅଟନ୍ତି ମନ୍ତ୍ରଦାତା ।।
ପୂର୍ଵପୁରୁଷ ଆମ୍ଭ ଆତ୍ମାଗୁରୁ
କର୍ମକାଣ୍ଡେ ପୁରୋହିତ ସମସ୍ତଙ୍କ ଗୁରୁ ।।
ଗୁରୁ ପୁଣି ସମ୍ମାନାର୍ହ ଵ୍ଯକ୍ତି
ଯାହାଙ୍କୁ କରୁଥାଉ ସବୁବେଳେ ଭକ୍ତି ।।
ନିୟମକାରକ ଗୁରୁ ଯେ ଅଟନ୍ତି
ଗୁରୁ ପୁଣ ସ୍ଵୟଂ ବୃହସ୍ପତି ।
ଦ୍ଵାପରରେ ଦୋଣାଚାର୍ଯ୍ୟ ଗୁରୁ
ପୁଷ୍ଯାକୁ ବି କୁହାଯାଏ ଗୁରୁ ।
ସର୍ଵଜୀଵଙ୍କ ଗୁରୁ ହେଲେ ବ୍ରହ୍ମା
ଗୁରୁ ପୁଣି ନିଜେ ପରମାତ୍ମା ।
ଵ୍ଯାକରଣେ ଗୁରୁ ଦୀର୍ଘସ୍ବର
ଗୁରୁ ପୁଣ ପୂର୍ବ ବର୍ଣ୍ଣ ସଂଯୁକ୍ତାକ୍ଷରର ।।
ବିଷ୍ଣୁ, ଶିବ ମଧ୍ଯ ଗୁରୁ ବୋଲାଅନ୍ତି
ସମସ୍ତ ଜୀଵଙ୍କ ମଙ୍ଗଳ କରନ୍ତି ।।
ବିଷମ,ଉତ୍କଟ,ଦୁର୍ଗମ,ଦୁସ୍ତର ପ୍ରାୟେ ,
ଭାରିଦ୍ବଵ୍ଯକୁ ଗୁରୁ କୁହାଯାଏ ।।
ଗୁରୁ ସିଏ ଯେ ଶ୍ଳାଘ୍ଯ ପୂଜନୀୟ
ଗୁରୁ ସଦା ଅପରାଜେୟ ।।
ଦୁର୍ବାହ,ମହତ୍,ପରାକ୍ରାନ୍ତ,ବୃହତ୍, କଠିନ,
ଉତ୍କୃଷ୍ଟ ଅଧିକ,ଅତିଶୟ ଓ ଅଜୀର୍ଣ୍ଣ ।।
ପ୍ରଯୋଜନୀୟ,ଯାହା ବହୁକାଳସ୍ଥାୟୀ
ଏ ସମସ୍ତକୁ ଗୁରୁ ବୋଲାଯାଇ ।।
ଏମନ୍ତେ ଗୁରୁ ଶବ୍ଦର ନାନା ଅର୍ଥ ଅଛି,
ସ୍ଥାନକାଳ ପାତ୍ରେ ଵ୍ଯଵହାର ହୋଇ ।।
[ଶିଶିର ସାହୁ ମନୋଜ]
No comments:
Post a Comment