Sunday, July 7, 2019

ଵର୍ଷାଋତୁ ପ୍ରତି


ଦାନେ କୁଣ୍ଠିତ କାହିଁକି ଵରଷା,

ତୁ ଯେ ମହୀର ସକଳ ଭରସା ‌।





ତୁ କି ଏମନ୍ତ ଭାଵିଥାଉ ମନେ,

ମହୀ ରହିଛି ସାଗରଵେଷ୍ଟନେ;

ତାକୁ ନଥିଵ ଜଳର ଅଭାଵ,

ତେଵେ ନଜାଣୁ ତୁ ଲୋକସ୍ଵଭାଵ ।





ବଡ଼ ହେଲେହେଁ ଯେ ନୀଚହୃଦୟ,

କେଵେ ହୋଇଛି କି ପରେ ସଦୟ ?

ମହୀ ମଲେହେଁ ହୋଇ ଶୁଷ୍କକଣ୍ଠ,

ସିନ୍ଧୁ ସଲିଳ ଵିନ୍ଦୁ ଲାଭ କଷ୍ଟ ।




କ୍ଷୁଦ୍ର ହେଲେହେଁ ମହୀକି ଅଚଳ

ଉଚ୍ଚହୃଦୟ ‌ହେତୁ ଦିଏ ଜଳ ।

ମେଘମାନେ ତୋ ଉତ୍ତମ ଚାକର,

ଅତି ଉନ୍ନତ ହୃଦୟ ତାଙ୍କର ।

ମହୀ ଜୀଵନ ରକ୍ଷା ଚିରକାଳ

କରୁଅଛନ୍ତି ଵିତରି କୀଲାଳ ।

ତୋର ଆଦେଶ ପାଇଵା ମାତରେ

ଦାନକରିଵେ ଜଳ ଅକାତରେ ।




କେହି ବୋଲିଵେ ସିନା ସିନ୍ଧୁନୀର

ଶୋଷି ହୋଇଛି ସିନା ଦାନଵୀର ।

ନିଜେ ଵିତରି ନଜାଣେ କୃପଣ,

ଖଣ୍ଟେ ନିଅନ୍ତି ବଳେ ତା'ର ଧନ ।





ଖଣ୍ଟ ହେଲେହେଁ ପରକୁ ପ୍ରଦାନ

କରି ଜାଣେ ଯେ ସେ ଲୋକ ପ୍ରଧାନ ।

ନିଜେ ତୁ କରିନାହୁଁ ଖଣ୍ଟପଣ,

ଗ୍ରୀଷ୍ମ କରିଛି ତୋ କରେ ଅର୍ପଣ ।

ତୁହି ମହୀକି ଦେବୁ ଯେତେ ଜଳ,

ଦେଵ ସିନ୍ଧୁକୁ ନଥୋଇ ସକଳ ।

ନୀଚହୃଦୟ ସଞ୍ଚି ରଖେ ଧନ,

ସାଧୁ ସାଧଇ ଲୋକପ୍ରୟୋଜନ ।

ଫଳ ପ୍ରସୂନ ଵସ୍ତ୍ର ଉପାଦାନ

ମହୀ କରିଵ ଜୀଵକୁଳେ ଦାନ ।

ଵି:ଦ୍ର—ସ୍ଵଭାଵକଵି ଗଙ୍ଗାଧର ମେହେରଙ୍କ
ଵର୍ଷାଋତୁ କଵିତାାାା







No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...