Friday, July 12, 2019

ମାଖନ ଶବ୍ଦର ଅର୍ଥ ଓଡ଼ିଶାରେ କଖାରୁ କିନ୍ତୁ ହିନ୍ଦୀର ଲଵଣୀ ଅଟେ ।

ଓଡ଼ିଶାର ପଶ୍ଚିମାଞ୍ଚଳ ଏଵଂ ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳ ଛତିଶଗଡ଼ରେ ବୋଇତିକଖାରୁକୁ ମଖ୍’ନା ଓ ମାଖନ କୁହାଯାଏ । ଏ ଶବ୍ଦଟି ସଂସ୍କୃତର ‛ମକ୍ଷଣ’ ଓ ପାର୍ସୀର ‛ମସକାହ’ ସହିତ ସମଧୃତ ବୋଲି ଭାଷାଵିଦ୍ ଵିଶ୍ଵାସ କରନ୍ତି । ତେବେ ପ୍ରାୟ ଶହେ ଵର୍ଷ ପୁରାତନ ହିନ୍ଦୀ ଶବ୍ଦସାଗର ଭଳି ବୃହତ୍ତ ଶବ୍ଦକୋଷରେ ଏ ଉଭୟ ଶବ୍ଦ ସ୍ଥାନ ପାଇନାହିଁ । ଏହା ପରିଵର୍ତ୍ତେ ‛ଲହୁଣୀ’ ଅର୍ଥରେ ଵ୍ୟଵହୃତ ଦେଶଜ ‛ମାଖନ’ ଓ ‛ମକ୍ଖନ’ ଶବ୍ଦଦ୍ଵୟ ସେ ଶବ୍ଦକୋଷରେ ରହିଛି । ହିନ୍ଦୀଭାଷାର ‛ମକ୍ଖନ’ ଓ ‛ମାଖନ’ ଶବ୍ଦ ସହ ସଂସ୍କୃତ ମନ୍ଥଜ କି ମ୍ରକ୍ଷଣ ସମଧୃତ ତାହା ଆଜିଯାଏଁ ଠିକ୍ ରେ ନିର୍ଣ୍ଣୟ ହୋଇପାରିନାହିଁ ତେବେ ଅଧିକାଂଶ ମ୍ରକ୍ଷଣ ସହ ମକ୍ଖନ ଶବ୍ଦକୁ ସମଧୃତ ମାନିଥାଅନ୍ତି । 
ଆମେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଓଡ଼ିଶା ମାଟିରେ ପ୍ରଚଳିତ ମଖନ ଓ ମାଖନ ଏ ଉଭୟ ଶବ୍ଦ ପାଇଯାଉ । ଶାସ୍ତ୍ରୀୟ ଓଡ଼ିଆ ଭାଷାର ହିନ୍ଦୀଦ୍ଵାରା ହୃତ ଉପଭାଷା ଲରିଆରେ ‛ମାଖନ’ ଶବ୍ଦ ଚଳୁଥିଵା ଭାଷାକୋଷରେ ଉଲ୍ଲେଖ ରହିଛି । ଛତିଶଗଡ଼ର କଥିତ ଓଡ଼ିଆ ଭାଷା ହିନ୍ଦୀଭାଷା ଦ୍ଵାରା ପରାଧୀନ ହେଲାପରେ ଏ ଶବ୍ଦଟି କେତେକ ଆଧୁନିକ ହିନ୍ଦୀ ଅଭିଧାନରେ ସ୍ଥାନ ପାଇଥିଲେ ହେଁ ହିନ୍ଦୀର ସାହିତ୍ୟଭାଷାରେ ଏ ଶବ୍ଦକୁ ସେତେଟା ଗୁରୁତ୍ୱ ମିଳିପାରିନାହିଁ । ଉଭୟ କଥିତ ଓ ଲିଖିତ ହିନ୍ଦୀଭାଷାରେ ଲହୁଣୀ ଅର୍ଥରେ ଵ୍ୟଵହୃତ ‛ମାଖନ’ ଶବ୍ଦର ବହୁଳ ପ୍ରଚଳନ ଯୋଗୁଁ ଏଭଳି ହେବା ସ୍ଵାଭାଵିକ କଥା । ଅପରପକ୍ଷରେ ଓଡ଼ିଆ ଭାଷାରେ ଲଵଣୀ ଵା ଲହୁଣୀ ଅର୍ଥରେ ମକ୍ଖନ ଵା ମାଖନ ଶବ୍ଦର ଵ୍ୟଵହାର ନାହିଁ କହିଲେ ଚଳେ ତେଣୁ ଏ ଶବ୍ଦ ପ୍ରତି କୌଣସି ବାଧା ଉପୁଜି ନାହିଁ । ଫଳରେ ପଶ୍ଚିମ ଓଡ଼ିଶାର କଥିତ ଭାଷାରେ ଆଜି ବି ହିନ୍ଦୀଭାଷାର ଲହୁଣୀ ଅର୍ଥରେ ପ୍ରଚଳିତ ‛ମାଖନ’ ଶବ୍ଦ ସ୍ଥାନ ପାଇପାରି ନାହିଁ ଵରଂ ଶାସ୍ତ୍ରୀୟ ଓଡ଼ିଆଭାଷାର ଛତ୍ରଛାୟା ତଳେ କଖାରୁ ଅର୍ଥରେ ଵ୍ୟଵହୃତ ‛ମାଖନ’ ଶବ୍ଦଟି ଏବେ ବି ତା ସ୍ଵରୂପ ନ ହରାଇ ବଞ୍ଚି ରହିଛି ।

ସମଗ୍ର ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ମାଖନ୍ ଓ ମଖନ୍ ଶବ୍ଦ ସହିତ ସମଧୃତ ଓ ସମସାଦୃଶ୍ୟ ଅନେକ ଶବ୍ଦ ଚଳୁଅଛି । ଅକ୍ଷର,ମାତ୍ରାର ସାମାନ୍ୟ ପରିଵର୍ତ୍ତନରେ କେମିତି
ଶବ୍ଦ ର ଅର୍ଥ ବଦଳିଥାଏ ତାହାର ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା―

■ମଖ୍’ନା―କଖାରୁ(ନୂଆପଡା଼)
■ମାକ୍’ନା―ନିଶ ନଥିଵା ମଣିଷ(ନଵରଙ୍ଗପୁର)
■ମାଖ୍’ନ―ବୋଇତିକଖାରୁ(ସମ୍ଵଲପୁର,ବଲାଙ୍ଗୀର)
■ମାଖନ୍ ଘଷନ୍―ଶରୀରର ଅତ୍ୟାଵଶ୍ୟକ ପ୍ରସାଧନ କରିଵା(କଳାହାଣ୍ଡି;ମାଖିଵା)
■ମାଙ୍ଗନ୍―ମାଗିଵା ଦ୍ରଵ୍ୟ(କଳାହାଣ୍ଡି;ମାଗିଵା)

(ତଥ୍ୟ ଓ ସମ୍ପାଦନା― ଶିଶିର ସାହୁ ମନୋଜ)

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...