Thursday, July 4, 2019

ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧିତ ଶ୍ରୀଜୀଉ ଶବ୍ଦର ମୂଳ କ’ଣ ?





ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଭାଵରେ ‘ଶ୍ରୀଜୀଉ’ ସମ୍ଭୋଧନ କରାଯାଏ । ଏ ଶବ୍ଦ ସମ୍ବନ୍ଧରେ କେତେକ ଗଵେଷକ ମତଦିଅନ୍ତି ଯେ ମଧ୍ଯଯୁଗରେ ରାମାନନ୍ଦୀ ନିମ୍ବାର୍କ ଆଦି ଵୈଷ୍ଣଵମତ ପ୍ରଚାରକମାନଙ୍କ ପ୍ରଭାବରେ ତାଙ୍କର ବିଷ୍ଣୁଙ୍କୁ “ଶ୍ରୀଜୀ” ସମ୍ବୋଧନଟି ବୋଧହୁଏ ପୂର୍ଵଭାରତରେ “ଶ୍ରୀଜୀଉ” ହୋଇଯାଇଛି । ତେଵେ କେତେ ଶତାବ୍ଦୀ ପୂର୍ଵରୁ ଉତ୍ତରଭାରତରେ ଏହି “ଶ୍ରୀଜୀ” କିଂଵା “ଜୀ” ଶବ୍ଦ ଵ୍ଯଵହାର ହେଉଅଛି ଏଵଂ କେଵେ ଓ କେଉଁ ଵ୍ଯାକରଣ ନିୟମାନୁସାରେ ଏହି ଶବ୍ଦ ଓଡି଼ଆ ଭାଷାରେ ଆସି ପ୍ରଚଳିତ ହୋଇଛି ତାହାର କୌଣସି ସନ୍ତୋଷଜନକ ଉତ୍ତର ମିଳିପାରେ ନାହିଁ ।






ଆଉ କିଛି ଲୋକଙ୍କ ମତରେ “ଦେଓ” , “ଦେଵ” କିଂଵା “ଦିଁଅ” ଆଦି ଶବ୍ଦର ଆଉ ଏକ ଭିନ୍ନ ସମଦ୍ଧୃତ ରୂପ ସମ୍ଭଵତଃ “ଜୀଉ” ହୋଇଥିଵ ଏଵଂ ଏ ଶବ୍ଦ ସହ  “ଶ୍ରୀ” ଲାଗି “ଶ୍ରୀଜୀଉ” ଶବ୍ଦଟି ସୃଷ୍ଟି ହୋଇଥିଵ ଯେମିତିକି “ଶ୍ରୀମନ୍ଦିର” ଓ “ଶ୍ରୀକ୍ଷେତ୍ର” ଆଦି ଶବ୍ଦ ସୃଷ୍ଟି ହୋଇଅଛି ।


ତେଵେ ଓଡ଼ିଆ ଭାଷାରେ ଶ୍ରୀଜଗନ୍ନାଥଙ୍କୁ ‘ଶ୍ରୀଜୀ’ କୁହାଯାଏ ନାହିଁ,‘ଶ୍ରୀଜୀଉ’ କୁହାଯାଏ । ଅନ୍ଯ ଏକ ମତ ଅନୁସାରେ “ଶ୍ରୀଜୀଉ” ଶବ୍ଦର ମୂଳ ସମ୍ଭଵତଃ ‘ଜୀଵ’ ଶବ୍ଦ ହୋଇଥାଇପାରେ ।


କେମିତି ?




ଜୀଵ ଶବ୍ଦର ଅର୍ଥଗୁଡ଼ିକ ଜାଣିଲେ


ଆମେ ଏହାର ଉତ୍ତର ପାଇଯିଵା ।


ଜୀଵ ଶବ୍ଦକୁ ଜୀଵ୍ ଧାତୁରୁ ନିଷ୍ପନ୍ନ କରାଯାଇଛି ଏଵଂ ଏହାର ଅର୍ଥଗୁଡ଼ିକ ଯଥା


            (ଜୀଵ—ଵିଶେଷ୍ଯ)


✓️ଜନ୍ତୁ ଵା ପ୍ରାଣୀ; ଚେତନ ପଦାର୍ଥ; ଦେହୀ


✓ପ୍ରାଣଵାୟୁ


✓️ଜୀଵନ; ପ୍ରାଣ


✓️ଵୈଦିକ ମରୁତ୍ ଦେଵତାମାନଙ୍କ ମଧ୍ଯରୁ ଏକତମ


✓ଜୀଵାତ୍ମା


✓ଚୈତନ୍ଯ


✓ପ୍ରବୃତ୍ତି; ଇଚ୍ଛା


✓️ପେଷା; ଜୀବନୋପାୟ; ଜୀଵିକା; ବୃତ୍ତି


✓️ପୁଷ୍ଯାନକ୍ଷତ୍ର


✓ଜୀଵଦ୍ଦଶା; ଜୀଵନକାଳ; ଆୟୁ


✓️ଵିଷ୍ଣୁ


✓ଵୃହସ୍ପତି (ଗ୍ରହ)


✓ଵୃହସ୍ପତିଙ୍କ ଦଶାରେ ତୃତୀୟ ଅନ୍ତର୍ଦଶା—


✓କାର୍ଯ୍ୟକରଣ ସମ୍ବନ୍ଧ






ଜୀଵ ଶବ୍ଦଟି ଵିଶେଷଣ ଭାଵରେ ଜୀଵିତ ଅର୍ଥରେ ଵ୍ୟଵହୃତ ହୋଇଥାଏ ।


ସେହିପରି ସଂ କ୍ରିୟା ଶବ୍ଦ ଭାଵେ ଏହା ‘ବଞ୍ଚିରୁହ’ ଅର୍ଥରେ ପ୍ରୟୋଗ କରାଯାଇଥାଏ


ଯଥା:- ଚିରଂଜୀଵ; ସତ୍ଯଂଜୀଵ ଇତ୍ୟାଦି


ଆଗେ କୌଣସି ଵ୍ଯକ୍ତି ଵିଶେଷତଃ ଵାଳକ ବା ଵାଳିକା ଛିଙ୍କିଲେ—ପାଖରେ ଥିଵା ଅନ୍ଯ ବ୍ଯକ୍ତି ଛିଙ୍କିବା ଲୋକର ଅମଙ୍ଗଳ ହେବା ବୋଲି ଆଶଙ୍କା କରି ସେହି ଅମଙ୍ଗଳ ନିଵାରଣାର୍ଥ ଆଶୀର୍ଵାଦସୂଚକ ‘ଜୀଵ’, ‘ସତ୍ଯ ଜୀଵ’ ଓ ‘ଚିରଂଜୀଵ’ ଆଦି ଵାକ୍ଯ ଉଚ୍ଚାରଣ କରୁଥିଲେ ପୁଣି ଆଶିର୍ଵାଦ ଦେଵାକାଳରେ ମଧ୍ୟ ଏ ଶବ୍ଦ ଵ୍ଯଵହାର କରାଯାଏ ।



ଜୀଵ ଶବ୍ଦର ପ୍ରୋକ୍ତ ଅର୍ଥଗୁଡି଼କ ମଧ୍ଯରୁ ଗୋଟିଏ ଅର୍ଥ ‘ଵିଷ୍ଣୁ’ ଏଵଂ ବହୁତ ସମ୍ଭଵ ଏହି ଅର୍ଥରେ ଯେତେଵେଳେ ଏ ଶବ୍ଦ ଶ୍ରୀଜଗନ୍ନାଥଙ୍କ ପାଇଁ ଵ୍ୟଵହୃତ ହେଲା,ବଡ଼ ଲୋକପ୍ରିୟ ହେଲା ।


ସମୟ ସହିତ ଓଡ଼ିଆ ଭାଷାରେ ପ୍ରଚଳିତ ଅଧିକାଂଶ ତତ୍ସମଶବ୍ଦରେ ଅଵର୍ଗ୍ଯ ଵର୍ଣ୍ଣଗୁଡି଼କ ଵିଶେଷତଃ ଅଵର୍ଗ୍ଯ ‘ଵ’ ଵର୍ଣ୍ଣ –


‘ଅ’,‘ଆ’,‘ଇ’,‘ଉ’,‘ଓ’,‘ଏ’ ଆଦି ସ୍ଵରଵର୍ଣ୍ଣରେ ପରିଵର୍ତ୍ତିତ ହେଵାକୁ ଲାଗିଲା । ଦେଵ ଶବ୍ଦ ଦେଓ/ଦେଉ ହେଲା,ଦେଵକୁଳ ଶବ୍ଦ ଦେଉଳ ହେଲା । ସମ୍ଭଵତଃ ଏହି ପରିବୃତ୍ତି ନିୟମାନୁସାରେ ଶ୍ରୀଜଗନ୍ନାଥଙ୍କ ପାଇଁ ‘ଵିଷ୍ଣୁ’ ଅର୍ଥରେ ସମ୍ବୋଧିତ ‘ଜୀଵ’ ଶବ୍ଦଟି ‘ଜୀଉ’ରେ ପରିବୃତ୍ତ ହୋଇଯାଇଥିଲା ।



ଜଗନ୍ନାଥଙ୍କ ନାମ ପୂର୍ଵରୁ ‘ଶ୍ରୀ’ ଲାଗେ,ତାଙ୍କ ମନ୍ଦିର ଓ କ୍ଷେତ୍ର ପୂର୍ଵରେ ‘ଶ୍ରୀ’ ଲାଗେ । ଏହି ‘ଶ୍ରୀ’ ଶବ୍ଦ ଏଠାରେ ଶ୍ରୀ ଲକ୍ଷ୍ମୀଙ୍କୁ ବୁଝାଇଥାଏ ‌।


ବହୁତ ସମ୍ଭଵ ଯେତେଵେଳେ ପ୍ରାଚୀନ କଳିଙ୍ଗରେ ଶ୍ରୀଜଗନ୍ନାଥ ସ୍ଵୟଂ ଶ୍ରୀଵିଷ୍ଣୁଙ୍କ ଅଵତାରୀ ଭାଵରେ ପୂଜା ପାଇଵାକୁ ଲାଗିଲେ ସେତେଵେଳେ ସଂସ୍କୃତର “ଜୀଵ” ଶବ୍ଦଟି “ଶ୍ରୀଜୀଵ” ରୂପେ ଶ୍ରୀଵିଷ୍ଣୁ”ଙ୍କ ଅର୍ଥରେ ଵ୍ଯଵହାର ହେଵା ଆରମ୍ଭ ହୋଇଥିଵ । ପରଵର୍ତ୍ତୀକାଳରେ ତାହା ଓଡି଼ଶାରେ “ଶ୍ରୀଜୀଉ” ହୋଇଯାଇଥିଵା ଵେଳେ ଭାରତର ଅନ୍ଯ କେତେକ ଅଞ୍ଚଳରେ “ଶ୍ରୀଜୀ” ହୋଇ ଚଳିଥିଵ ବୋଲି ଅନୁମାନ କରାଯାଏ ।


ଜୀଵ>ଶ୍ରୀଜୀଵ>ଶ୍ରୀଜୀଉ>ଶ୍ରୀଜୀ






No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...