ଆମ ଭାଷାରେ ଦୁଇଗୋଟି ଓତ ଶବ୍ଦ ରହିଛି । ଗୋଟିଏ ଶାସ୍ତ୍ରୀୟ ଅନ୍ଯଟି ଦେଶଜ ଅଟେ ।
ଶାସ୍ତ୍ରୀୟ ‘ଓତ’ ର ନିମ୍ନଲିଖିତ ଅର୍ଥ ରହିଛି—
୧—ଲୁଗାର ଲମ୍ବ ଆଡର ସୂତା; ଲୁଣ୍ଡି; ଲୁଗାର ଟାଣି ସୂତା
୨—ଅନ୍ତବ୍ଯାପ୍ତ; ଟାଣବାଗରେ ସିଆଁ ବା ବୁଣା ହୋଇ— ଥିବା (ସୂତା)
ଜଗନ୍ନାଥ ଦାସ ଏହି ଅର୍ଥରେ ଭାଗଵତରେ ଲେଖିଛନ୍ତି ...
“ଯେମନ୍ତ ସୂତା ଖିଅ ହୋଇ,
ଓତ ପ୍ରୋତେ ବସ୍ତୁ ହୁଅଇ।”
ଦେଶଜ ‘ଓତ’ ଶବ୍ଦର ଦୁଇଗୋଟି ଅର୍ଥ ରହିଛି
୧—ଆର୍ଦ୍ରତା ;ଏହା ‘ଆଦ୍ର’ ଓ ‘ଓଦା’ ଶବ୍ଦ ସହିତ ସମଦ୍ଧୃତ ଅଟେ ।
୨—ଓତଫୁଲ;ମନ୍ଦାର(ଅନୁଗୋଳ)
କିନ୍ତୁ ଏହି ‘ଓତ’ ଶବ୍ଦଟି ଓତା ଶବ୍ଦ ସହିତ ସମଦ୍ଧୃତ ନୁହେଁ । ଓତା ଏକ ଭିନ୍ନ ଶବ୍ଦ ଏଵଂ ଏହାର ତିନିଗୋଟି ମୁଖ୍ୟ ଅର୍ଥ ରହିଛି ।
❇️୧—‘ଓତା’ ମୁଖ୍ଯତଃ ବ୍ରାହ୍ମଣଙ୍କର ଏକ ସଂଜ୍ଞାବିଶେଷ ଏଵଂ ଏ ଶବ୍ଦ ‘ହୋତା’ ଶବ୍ଦ ସହିତ ସମଦ୍ଧୃତ । ହୋତା ଶବ୍ଦକୁ ହୁ ଧାତୁରୁ ନିଷ୍ପନ୍ନ କରାଯାଇଛି । ହୁ ଧାତୁର ଅର୍ଥ ହୋମ କରିଵା ଅଟେ । ସାଧାରଣତଃ ଆଗକାଳରେ —ହୋମକର୍ତ୍ତା ଵ୍ଯକ୍ତି
—ଯୋଗକାରୀ ଵ୍ଯକ୍ତି
—ଋଗ୍ ବେଦବେତ୍ତା ଵ୍ଯକ୍ତି
—ବେଦଜ୍ଞ ଵ୍ଯକ୍ତି
—ହୋମ ଵା ଯଜ୍ଞକାଳରେ ଋଗ୍ ବେଦ ଗାନକାରୀ ପୁରୋହିତ
ଏଵଂ
_ଯଜମାନଙ୍କୁ
ହୋତା କୁହାଯାଉଥିଲା । ଏଵେ ଏହା ବ୍ରାହ୍ମଣମାନଙ୍କର ଏକ ବଂଶୋପାଧିରେ ପରିଣତ ହୋଇଅଛି ।
❇️୨—ଉତ୍ତରୀୟ ଵା ଚାଦରକୁ ମଧ୍ଯ ଓତା କୁହାଯାଏ ଯାହା ଉତ୍ତରୀୟ ଶବ୍ଦ ସହ ସମଦ୍ଧୃତ । ସାଧାରଣତଃ ଦେହର ଅଣ୍ଟା ଉପରକୁ କାନ୍ଧଠାରୁ ଲମ୍ବିବା ଚାଦରକୁ ଉତ୍ତରୀୟ କୁହାଯାଏ ।
❇️୩—ପଶ୍ଚିମ ଓଡ଼ିଶାରେ ‘ଓତା’ ଶବ୍ଦର ଅର୍ଥ ‘ଦିନର ଓଳି’
ଯଥା —ଉପର ଓତା = ଉପର ଓଳି । ଏ ଶବ୍ଦ ଉତ୍ତର ଓଡ଼ିଶାରେ ‘ଉତା’ ହୋଇ ଚଳୁଅଛି ।
ଚାଦର ଅର୍ଥରେ ଆଗେ ଓତା ଶବ୍ଦଟି ଓଡ଼ିଶାରେ ବହୁ ପ୍ରଚଳିତ ଥିଲା । ପାର୍ସୀରୁ ଏହି ଚାଦର ଶବ୍ଦର ଅନୁପ୍ରଵେଶ ଯୋଗୁଁ ‘ଓତା’ ଶବ୍ଦ ଅନେକାଂଶରେ ଲୁପ୍ତ ହୋଇସାରିଛି । ଓତା ଶବ୍ଦକୁ ସ୍ଥୁଳଭାଵେ ଦେଖିଲେ ତାହା ଶାସ୍ତ୍ରୀୟ ଓଡ଼ିଆର ଉତ୍ତରୀୟ ଶବ୍ଦର ଅର୍ଦ୍ଧେକ ରୂପ ପ୍ରାୟ ଲାଗେ ।
ତେଵେ ଉତ୍ତରୀୟ ଶବ୍ଦର ଆହୁରି ଅନେକ ଶାସ୍ତ୍ରୀୟ ଓ ଦେଶଜ ପ୍ରତିରୂପ ମଧ୍ୟ ରହିଛି
ଯଥା—
୧—ଉତରି
୨—ଉତୁରାଣ
୩—ଉତୁରି/ଉତୁରୀ
୪—ଉତ୍ତରଚ୍ଛଦ
୫—ଉତ୍ତରାସଙ୍ଗ
ତେଵେ ଵୈଦେଶିକ ଚାଦର ଶବ୍ଦର ଏହା ଏକମାତ୍ର ପ୍ରତିଶବ୍ଦ ନୁହେଁ । ଭାରତୀୟମାନେ ବହୁପ୍ରାଚୀନ କାଳରୁ ଚାଦରର ଵ୍ଯଵହାର କରୁଥିଵା ହେତୁ ଆମ୍ଭ ଦେଶରେ ଚାଦରର ଅନେକ ପ୍ରତିଶବ୍ଦ ଚଳୁଥିଲା
ଯଥା—
୦—ଅଧୋଵାସ
୧—କକ୍ଷ୍ଯ
୨—ଦୋସଡ଼ା/ଦୋସୋଡ଼ା
୩—ଚୋଡ଼
୪—ଜୋଡ଼/ଜୋଡ଼ା(ଏକତ୍ର ବ୍ଯବହୃତ ଧୋତି ଚାଦର; ଅଧୋବାସ)
୫—ଦୁକୂଳ
୬—ଦୋପଟା—ଦୁଇ ଖଣ୍ଡି ଲମ୍ବ କମ୍ ଚଉଡ଼ା ଯୋଡ଼ା ହୋଇଥିଵା ଅଦୋଵାସ ।
୭—ପାଛୁଡ଼ା
୮—ନବଗୁଣ— ଖିଅ ୟଜ୍ଞୋପବୀତ, ଖିଅଉତ୍ତରୀୟ
୯—ନିଚୋଳ
୧୦—ନିବୀତ
୧୧—ନିବୃତ
୧୨—ବହିର୍ଵାସ
୧୩—ପିଚ୍ଛରି
୧୪—ପ୍ରାଵରଣ (ଓଢ଼ଣୀକୁ ବି ପ୍ରାଵରଣ କୁହାଯାଏ)
୧୫—ବରୁତ୍ର
୧୬—ବୃହତିକା/ବୃହତୀ
୧୭—ସମ୍ବ୍ଯାନ
ଆମପାଖରେ ଏତେ ଶବ୍ଦ ଥାଉ ଥାଉ ଆମେ ଆଜି ଗୋଟିଏ ଵୈଦେଶିକ ଶବ୍ଦ ‘ଚାଦର' ର ବହୁଳ ଵ୍ଯଵହାର କରି ଅନ୍ଯ ଶବ୍ଦଗୁଡ଼ିକୁ ଛାଡ଼ିଦେଇଛେ । ଯେଉଁମାନେ କୁହନ୍ତି ଯେ ଵୈଦେଶିକ ଶବ୍ଦ ଆହାରଣରେ ଭାଷା ସମୃଦ୍ଧ ହୁଏ ସେମାନେ କେଵେ ଵୈଦେଶିକ ଶବ୍ଦ ଵ୍ଯଵହାର ଯୋଗୁଁ କେତେ ଯେ ଦେଶୀୟ ଶବ୍ଦର ଅକାଳ ମୃତ୍ୟୁ ହୁଏ ତାହା ଗଣନା କି ଏଷଣା କରିଛନ୍ତି ତ ?
No comments:
Post a Comment