ବୟସ ବଢ଼ିଵା ସହ ମଣିଷର ଦୃଷ୍ଟିଶକ୍ତି ଯେ କେଵଳ କମିଯାଏ ତାହା ନୁହେଁ ଵରଂ ଏହା ଅନେକ ସମୟରେ ଏପରି ଭ୍ରମ ସୃଷ୍ଟି କରେ ଯାହା ଜୀଵନର ସବୁଠାରୁ ମଜାଳିଆ କାହାଣୀରେ ପରିଣତ ହୁଏ । ଗାଁର ଵିଶ୍ୱାଳ ପରିଵାରର ବୟୋଜ୍ୟେଷ୍ଠା ମହିଳା ଖତୀ ବୁଢ଼ୀଙ୍କ କ୍ଷେତ୍ରରେ ଠିକ୍ ଏମିତି କିଛି ଘଟିଥିଲା । ସେତେବେଳେ ଆଜିକାଲି ପରି ଘରେ ଘରେ ପାଇଖାନା ନଥିଲା, ଆଉ ଗାଁର ପ୍ରାକୃତିକ ପରିଵେଶ ହିଁ ସମସ୍ତଙ୍କର ନିର୍ଭରଯୋଗ୍ୟ ସ୍ଥାନ ଥିଲା । ଖତୀ ବୁଢ଼ୀଙ୍କର ଆଖିକୁ ଟିକିଏ କମ୍ ଦିଶୁଥିଲା, ଯେମିତି ସଞ୍ଜ ନଇଁଲେ ଦୁନିଆଟା ତାଙ୍କ ପାଇଁ ଏକ ଅସ୍ପଷ୍ଟ ଚିତ୍ରପଟରେ ପରିଣତ ହୋଇଯାଏ । ପ୍ରତ୍ୟେକ ଦିନ ପରି ସେଦିନ ମଧ୍ୟ ସନ୍ଧ୍ୟା ସମୟରେ ସେ କଟାକୁ(ଏକ ଜାତୀୟ ପୋଖରୀ) ଶୌଚ ଓ ସ୍ନାନାଦି କର୍ମ ପାଇଁ ଯାଇଥିଲେ । କଥାରେ ଅଛି, ଅନ୍ଧାର ଆଉ ଅସ୍ପଷ୍ଟ ଦୃଷ୍ଟି ମିଶିଲେ ମଣିଷ ବାଘକୁ ବି ଛେଳି ଭାବି ବସେ । ଆଉ ଆମ ଖତୀ ବୁଢ଼ୀଙ୍କ ଭାଗ୍ୟରେ ସେଦିନ ଏକ ନିଆରା ନାଟକ ଲେଖା ସରିଥିଲା ।
ପୋଖରୀରୁ ଫେରିଲା ବେଳକୁ ଚାରିଆଡ଼େ ଅନ୍ଧାର ମାଡ଼ି ଆସିଲାଣି । ଘର ବାଡ଼ିମୁଣ୍ଡରେ ପହଞ୍ଚିଵା କ୍ଷଣି ବୁଢ଼ୀଙ୍କ ଆଖି ଖୋସି ହୋଇଗଲା । ବାଡ଼ି ପଛପଟେ ଗୋଟାଏ ବଡ଼ ଆକାରର କଳା ଛାଇ ବସିଥିଵାର ସେ ଦେଖିଲେ । ପ୍ରକୃତରେ ସେଠାରେ ଗୋଟାଏ ଵିରାଟକାୟ ହନୁମାଙ୍କଡ଼ ନିଶ୍ଚିନ୍ତରେ ଆସନ ଜମାଇ ବସିଥିଲା । କିନ୍ତୁ ବୁଢ଼ୀଙ୍କ ଦୁର୍ଵଳ ଦୃଷ୍ଟିଶକ୍ତି ଆଉ ସନ୍ଦେହୀ ମନ ତାଙ୍କୁ କହିଲା ଯେ, ନିଶ୍ଚୟ ଗାଁର କେହି ଜଣେ ଅଭଦ୍ର ଲୋକ ସେମାନଙ୍କ ବାଡ଼ିରେ ପଶି ଅତି ନିର୍ଲଜ୍ଜ ଭାବରେ ମଳତ୍ୟାଗ କରୁଛି । ପୃଥିଵୀର ବିଭିନ୍ନ ପ୍ରାନ୍ତରେ ଏମିତି ଅନେକ ଘଟଣା ଶୁଣିବାକୁ ମିଳେ ଯେଉଁଠି ଲୋକେ ନିଜର ଦୃଷ୍ଟିହୀନତା ଯୋଗୁଁ ଖୁଣ୍ଟକୁ ଚୋର ବା କୁକୁରକୁ ନେଉଳ ଭାବି ଆକ୍ରମଣ କରନ୍ତି । ଖତୀ ବୁଢ଼ୀ ମଧ୍ୟ ସେହି ଭ୍ରମର ଶିକାର ହୋଇଥିଲେ । ମହିଳା ଜଣକ ପାଖକୁ ଆସିଵା ଦେଖି ମଧ୍ୟ ସେ "ଲୋକଟି" ନଉଠିଵା ବୁଢ଼ୀଙ୍କ ରାଗକୁ ପଞ୍ଚମକୁ ନେଇଗଲା ।
ରାଗରେ ତମ୍ତମ୍ ହୋଇ ବୁଢ଼ୀ ପାଟି କରିଵା ଆରମ୍ଭ କଲେ, “କିଏ ରେ ତୁ ବାଡ଼ିପଡ଼ା, ସବାଖିଆ? ଟିକିଏ ବି ଲାଜ ସରମ ନାହିଁ, ସ୍ତ୍ରୀ ଲୋକଙ୍କ ଆଗରେ ଅଲଜ୍ୟାଙ୍କ ପରି ବସି ଶଉଚ କରୁଚୁ!” କିନ୍ତୁ ହନୁମାଙ୍କଡ଼ ଵା କ'ଣ ବୁଝିଵ ? ସେ ନିଜର ମର୍କଟ-ସୁଲଭ ଶାନ୍ତ ସ୍ୱଭାଵରେ ସେମିତି ବସିରହିଲା, ଟିକିଏ ବି ଘୁଞ୍ଚିଲା ନାହିଁ । ଏଥର ଖତୀ ବୁଢ଼ୀଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା । ସେ ଆହୁରି ପାଖକୁ ଯାଇ ତାକୁ ଏକ ମଣିଷ ଭାବି ତା' ଦେହରେ ହାତ ପକେଇ ଦେଲେ, ବୋଧହୁଏ ତାକୁ ଉଠାଇ ବାହାର କରିଦେଵା ଉଦ୍ଦେଶ୍ୟରେ । ସେପଟେ ହନୁମାନଙ୍କର ବି ଗୋଟେ ଆତ୍ମସମ୍ମାନ ଅଛି! ଏତେ ସମୟ ଧରି ନିରଵରେ ଗାଳି ଶୁଣିଵା ପରେ ଅଚାନକ ଆକ୍ରମଣକୁ ସେ ସହିପାରିଲା ନାହିଁ । କିଛି ନଭାବି ନଚିନ୍ତି, ସେ ସିଧା ବୁଢ଼ୀଙ୍କ ଗାଲରେ ଏକ ଶକ୍ତ କର୍ଣ୍ଣମୂଳିଆ ଚାପୁଡ଼ା ବସେଇ ଦେଲା ।
ଆଖି ପିଛୁଳାକେ ସବୁ ଓଲଟପାଲଟ ହୋଇଗଲା । ବୁଢ଼ୀ ଚାପୁଡ଼ା ଖାଇ ସ୍ତବ୍ଧ । ତାଙ୍କର ସବୁ ରାଗ କୁଆଡ଼େ ଉଭେଇଗଲା ଆଉ ସେ କାନ୍ଦି କାନ୍ଦି ଘରକୁ ଫେରିଲେ । ପୁଅ ନାତିଙ୍କୁ କାନ୍ଦୁଣୁ ମାନ୍ଦୁଣୁ ହୋଇ ନିଜର ଅପମାନର କାହାଣୀ କହିଲେ । ପରିଵାର ଲୋକେ କଥା ଶୁଣି ରାଗରେ ନିଆଁ ବାଣ ହୋଇଗଲେ । ତୁରନ୍ତ ଠେଙ୍ଗା, ବାଡ଼ି, ଲାଇଟ୍ ଧରି ପୁଅ ନାତିମାନେ ଯୁଦ୍ଧଂଦେହି ଡାକରା ଦେଇ ବାଡ଼ିମୁଣ୍ଡକୁ ଦୌଡ଼ିଲେ ।
ମଣିଷମାନଙ୍କର ଏହି ହୋ-ହଲ୍ଲା ଶୁଣି ଚାଲାକ୍ ହନୁଟି ଆଗରୁ ଯାଇ ପାଖ ଗଛ ଉପରେ ସୁରକ୍ଷିତ ଆଶ୍ରୟ ନେଇସାରିଥିଲା । ପୁଅ ଯେତେବେଳେ ଟର୍ଚ୍ଚ ପକାଇ ଖୋଜିଲା, ଦେଖିଲା କୌଣସି ଅଭଦ୍ର ଲୋକ ନାହିଁ ଵରଂ ଗଛ ଡାଳରେ ଗୋଟାଏ ଖଣ୍ଡିଆ ଦଣ୍ଡିଆ ହନୁମାଙ୍କଡ଼ ବିଜୟୀ ଵୀର ପରି ବସିଛି । ସତ୍ୟର ଉନ୍ମୋଚନ ହେଵା ପରେ ପରିଵାର ଲୋକଙ୍କ ଅଵସ୍ଥା ଦେଖିଵା ଭଳି ଥିଲା । ରାଗ ଆଉ ଲଜ୍ଜାର ମିଶ୍ରିତ ଭାବନାରେ ସେମାନେ ମାଙ୍କଡ଼କୁ ଗୁଡ଼ାଏ ଅଶ୍ରାଵ୍ୟ ଭାଷାରେ ଗାଳିଗୁଲଜ କଲେ ଏଵଂ ଦୁଇ ଚାରିଟା ଟେକା ପଥର ଫୋପାଡ଼ି ନିଜ ନିଜର ଵୀରତ୍ୱ ପ୍ରଦର୍ଶନ କରି ଘରକୁ ବାହୁଡ଼ିଲେ ।
No comments:
Post a Comment