Thursday, December 1, 2022

କଟକମା : ହଜିଯାଉଥିଵା ଏକ ସାଂସ୍କୃତିକ ଶବ୍ଦ

କଟକମା ଶବ୍ଦ ଶୁଣିଲେ ଓଡ଼ିଶାର ନଗରାଞ୍ଚଳର ଲୋକେ କ'ଣ ବୁଝିବେ ? 

“କଟକ ଓ ମାଆ”ରୁ #କଟକମା ହୋଇଥିଵ !!!

କିନ୍ତୁ ନାଇଁ ଆଜ୍ଞା ! ପ୍ରକୃତରେ ସେଇଆ ନୁହେଁ । କଟକମା ଏକ ସାଂସ୍କୃତିକ ଶବ୍ଦ ତଥା ଵିଵାହ କର୍ମକାଣ୍ଡ ସହିତ ସମ୍ପର୍କିତ ଶବ୍ଦ ଅଟେ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ 
ଆଗେ ଵିଵାହରେ କନ୍ୟାଦାନ ସମୟରେ କନ୍ୟାପିତା ବେଦୀ ଉପରେ ଗୁଡ଼ା ହୋଇଥିଵା ଯେଉଁ ମଶିଣା ଵା ଛଣ ଉପରେ ବସୁଥିଲେ ତାକୁ କଟକମା କୁହାଯାଉଥିଲା । 

ପୁଣି ଭାଷାକୋଷରେ ଏହି ଶବ୍ଦ ତଳେ ଥିଵା ଦ୍ରଷ୍ଟଵ୍ୟରୁ ଜଣାଯାଏ ପୂର୍ଵେ ‘କଟକମା‘ ଶବ୍ଦକୁ ନେଇ ଓଡ଼ିଶାରେ ଗୋଟିଏ ଲୋକଵିଶ୍ଵାସ ପ୍ରଚଳିତ ଥିଲା। 


କୁହାଯାଏ ସୀତା ଓ ରାମଙ୍କ ଵିଵାହ ସମୟରେ କଟକମା ନାମକ ଅସୁର ଵରକନ୍ୟାଙ୍କୁ ଖାଇଵା ନିମନ୍ତେ ବେଦୀରେ ପହୁଞ୍ଚିଵାରୁ ଦଶରଥ ତାକୁ ମାରିପକାଇ ତା ଶଵ ଉପରେ ବସି ଵିଵାହ କାର୍ଯ୍ୟ ସମାଧା କରିଥିଲେ।ଗୁଡ଼ାହୋଇଥିଵା ମଶିଣା ଵା ଛଣ ସେହି ଶଵର ଚିହ୍ନ ସ୍ଵରୂପ ଵିଵାହ କାଳରେ ରଖାଯାଉଥିଲା । ଏହି କଟକମା ସାଧାରଣତଃ ପରୁଡ଼ି ମଶିଣା ତେବେ କେତେକ ଜାତିରେ ଆଗେ କନ୍ୟାପିତା ମଶିଣା ପରିଵର୍ତ୍ତେ ଛଣ ଉପରେ ବସୁଥିଵାର ମଧ୍ୟ ଭାଷାକୋଷରେ ଉଲ୍ଲେଖ ଅଛି । 

କଟକମା ଶବ୍ଦ କେତେକ ଅଞ୍ଚଳରେ #କଟକମ୍ପା ତଥା #କଟକମ୍ବା ରୂପେ ପ୍ରଚଳିତ ଥିଲା ବୋଲି ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୧୨୩୬ତମ ପୃଷ୍ଠାରୁ ଜଣାପଡ଼େ । ତେବେ କଟକମା,କଟକମ୍ପା ଵା କଟକମ୍ବା ଓଡ଼ିଆ ଭାଷାର ଶବ୍ଦ ଏଵଂ ଓଡ଼ିଆ ଭାଷା ଛଡ଼ା ହିନ୍ଦୀ, ବଙ୍ଗାଳୀ,ମରାଠୀ ଓ ନେପାଳୀ ଆଦି ଅନ୍ୟ ସଗୋତ୍ରୀୟ ଭାଷାଗୁଡି଼କରେ ଏହି ଶବ୍ଦ କିମ୍ବା ଏହାର ଆଖପାଖ ଶବ୍ଦ ଥିଵା ଦୃଶ୍ୟ ହୁଏ ନାହିଁ । 

ତେବେ ସଂସ୍କୃତ ଭାଷାରେ ପୂର୍ଵେ ପ୍ରଚଳିତ କଟ ଶବ୍ଦ ସହିତ ଓଡ଼ିଆ ଭାଷାର ଏହି କଟକମା ଶବ୍ଦଟି ସମୋଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । 

ସଂସ୍କୃତ ଭାଷାରେ କଟ ଶବ୍ଦର ଵିଭିନ୍ନ ଅର୍ଥରେ ପ୍ରୟୋଗ ଥିଲା । ଭାଷାକୋଷରେ କଟ ଶବ୍ଦର ନିମ୍ନୋକ୍ତ ଅର୍ଥ ସବୁ ଲେଖାଅଛି...

୧)ହସ୍ତୀର ଗଣ୍ଡଦେଶ
୨)ପିଚା; ଶ୍ରୋଣୀ; କଟିପ୍ରଦେଶ
୩)କଡ଼; ଏକପ୍ରାନ୍ତ
୪)କ୍ରିୟାକାର; ଚାକର
୫)ନୂତନ ଛାତ୍ର
୬)ତୃଣଵିଶେଷ
୭)ଵୃକ୍ଷଵିଶେଷ
୮)ତୃଣାଦି ନିର୍ମିତ ଆସନ ଵା ପଟି; ମୁନ୍ଦୁରା; ବାଉଁଶ ପାତିଆ ନିର୍ମିତ ଛାଞ୍ଚ ଵା ଛାପା*
୯)ବାଣ; ଶର
୧୦)ତୃଣନିର୍ମିତ ପରଦା ଵା ତାଟି*
୧୧)ତୃଣନିର୍ମିତ ରଜ୍ଜୁ
୧୨)ଶଵ*
୧୩)ଶଵରଥ; କୋକେଇ*
୧୪)ତକ୍ତା; ପଟା*
୧୫)କଣ୍ଟ; ସମୟ; ମିଆଦ
୧୬)ଅତିଶୟ
୧୭)ଶ୍ମଶାନ
୧୮)ଅସୁର ଵିଶେଷ*

କଟ ଶବ୍ଦର ପ୍ରୋକ୍ତ ଅର୍ଥଗୁଡ଼ିକ ମଧ୍ୟରେ 
ଆସନ ଵା ପଟି,ତୃଣ ପରଦା ଵା ତାଟି,ଶଵ ଓ କଟ ନାମକ ଅସୁରର ନାମୋଲ୍ଲେଖରୁ ଜଣାଯାଏ ଯେ ନିଶ୍ଚୟ ସଂସ୍କୃତ ଭାଷାର ଏହି କଟ ଶବ୍ଦ ସହିତ ଓଡ଼ିଆ କଟକମା ଶବ୍ଦର ସମୋଦ୍ଧୃତଗତ ସମ୍ପର୍କ ଅଛି । 

କଳ୍ପଦ୍ରୁମ ସଂସ୍କୃତ ଅଭିଧାନରୁ ମଧ୍ୟ ଜଣାଯାଏ ଯେ ରାମାୟଣରେ ଏହି କଟ ଅସୁରର ନାମୋଲ୍ଲେଖ ହୋଇଛି । 

  “ଶୁକନାସସ୍ଯ ଵକ୍ରସ୍ଯ କଟସ୍ଯ ଵିକଟସ୍ଯ ଚ । 
  ରକ୍ଷସୋ ଲୋମହର୍ଷସ୍ଯ ଦଂଷ୍ଟ୍ରାଳହ୍ରସ୍ଵକର୍ଣ୍ଣୟୋଃ” ॥
  (ରାମାୟଣ—୫ । ୧୨ । ୧୩)

ତେବେ ବାଲ୍ମିକୀ ରାମାୟଣର ବାଳକାଣ୍ଡ ତ୍ରିସପ୍ତତିତମ ସର୍ଗରେ ଶ୍ରୀରାମଚନ୍ଦ୍ରଙ୍କ ଵିଵାହ ଵିଷୟରେ ସଂକ୍ଷେପରେ ଵର୍ଣ୍ଣନା ଥିଲେ ବି କୌଣସିଠାରେ ମଧ୍ୟ କଟ ରାକ୍ଷସର ଉଲ୍ଲେଖ ନାହିଁ । ସମ୍ଭଵତଃ ପରଵର୍ତ୍ତୀକାଳରେ ଓଡ଼ିଶାରେ ଵିରଚିତ କୌଣସି ଓଡ଼ିଆ ରାମାୟଣ କାଵ୍ୟରେ କଟ ରାକ୍ଷସର କଥାକୁ ଯୋଡ଼ାଯାଇଥିଲା ।

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...