Tuesday, October 16, 2018

ଅଵ୍ୟୟ

★::::::: ଅଵ୍ୟୟ ଶବ୍ଦର ଶାବ୍ଦିକ ଅର୍ଥ :::::::★

ଯାହା ଵ୍ୟୟ ହୁଏନାହିଁ(lndeclinable words,not liable to change) ତାହା ଅଵ୍ୟୟ ଅଟେ

    ★:::::::::ଅଵ୍ୟୟର ସଂଜ୍ଞା ::::::::::★

ଵ୍ୟାକରଣରେ ଯାହାର ପ୍ରୟୋଗ ସବୁ ଲିଙ୍ଗ, ସମସ୍ତ ଵିଭକ୍ତି ଓ ସବୁ ଵଚନରେ ସମାନ ରୂପେ ହୋଇଥାଏ.......

【•】ଏହାର ଲିଙ୍ଗ, ଵଚନ, ପୁରୁଷ, କାରକ ଓ କାଳ ଇତ୍ୟାଦି ଯୋଗୁଁ କୌଣସି ପରିଵର୍ତ୍ତନ ପରିଲକ୍ଷିତ ହୁଏନାହିଁ
【•】ଯେକୌଣସି ସ୍ଥିତିରେ ସୁଦ୍ଧା ଆପଣା ମୂଳରୂପ ଧାରଣ ପୂର୍ଵକ ରହିଥାନ୍ତି
【•】ରୂପାନ୍ତର ହୁଏ ନାହିଁ ତେଣୁ ଅଵିକାରୀ ପରିଗଣିତ ହୋଇଥାନ୍ତି 

【•】ଅଵ୍ୟୟର ସଂଜ୍ଞା ନିରୂପଣ କରିବାକୁ ହେତୁରୁ ଏକ ଶ୍ଲୋକ ରହିଛି
“ସଦୃଶଂ ତ୍ରିଷୁ ଲିଙ୍ଗେଷୁ ସର୍ଵାଷୁ ଚ ଵିଭକ୍ତିଷୁ ।
ଵଚନେଷୁ ଚ ସର୍ଵେଷଃ ଯନ୍ନଵ୍ୟେତି ତଦଵ୍ୟୟଂ ।।

【•】ସବୁପ୍ରକାରର ଉପସର୍ଗ, ଵିସ୍ମୟସୂଚକ ଶବ୍ଦ, ସମ୍ବୋଧନ ସୂଚକ ଶବ୍ଦ,ଧ୍ଵନ୍ୟାତ୍ମକ ଶବ୍ଦ ମାନ ଅଵ୍ୟୟ ପଦଵାଚ୍ୟ ହୋଇଥାନ୍ତି ।”

  ★::::::: ଅଵ୍ୟୟର ପ୍ରକାର ଭେଦ :::::::★

→ଅଵ୍ୟୟ ମୁଖ୍ୟତଃ ପାଞ୍ଚ ପ୍ରକାରର........

●୧●―କ୍ରିୟା ଵିଶେଷଣ―●୧●

ଯେଉଁ ଵିଶେଷଣମାନ କ୍ରିୟାର ଵିଶେଷତା ପ୍ରକାଶ କରନ୍ତି ତାହାକୁ କ୍ରିୟା ଵିଶେଷଣ ଅଵ୍ୟୟ କୁହାଯାଏ......

       ★::::: ଏହା ଚାରିପ୍ରକାରର :::::★

【■】(କ)କାଳଵାଚକ କ୍ରାୟାଵିଶେଷଣ:
―ଯେଉଁ ଅଵ୍ୟୟ ଗୁଡି଼କ ଦ୍ଵାରା କାଳସମ୍ଵନ୍ଧୀ କ୍ରିୟାର ଵିଶେଷତା ବୋଧ ହୋଇଥାଏ
ଉଦାହରଣ ସ୍ୱରୂପ:-ଆଜି, କାଲି, ପରଦିନ, ଯେବେ, ତେବେ, ଏବେ ଇତ୍ୟାଦି
【■】(ଖ) ସ୍ଥାନଵାଚକ କ୍ରିୟା ଵିଶେଷଣ:
―ଯେଉଁ କ୍ରିୟା ଵିଶେଷଣ ଅଵ୍ୟୟ କ୍ରିୟାର ହେବା / ନ ହେବାର ସ୍ଥାନ ବୋଧ କରାଇଥାଏ ।
ଉଦାହରଣ ସ୍ୱରୂପ ― ଏଠି, ସେଠି, ଏପଟେ, ସେପଟେ, ଆଗରେ, ପଛରେ, ସାମ୍ନାରେ, ଇଆଡେ଼, ସିଆଡେ଼, ଏକାନି, ସେକାନି ଇତ୍ୟାଦି
【■】(ଗ)ପରିମାଣଵାଚକ କ୍ରିୟାଵିଶେଷଣ ଅଵ୍ୟୟ:
- ଯେଉଁ ଅଵ୍ୟୟ ଦ୍ଵାରା କ୍ରିୟାର ପରିମାଣ/ମାତ୍ରା ଆଦି ଵିଶେଷତାର ବୋଧ ହୋଇଥାଏ
-ଟିକେ, କିଛି, ଅଧିକ, ଅଳ୍ପ, କେଵଳ ଇତ୍ୟାଦି
【■】(ଘ)ରୀତିଵାଚକ କ୍ରିୟାଵିଶେଷଣ ଅଵ୍ୟୟ:
ଏହି ଅଵ୍ୟୟ ଗୁଡିକ ଦ୍ଵାରା କ୍ରିୟା ର ଢଙ୍ଗ ଜଣାପଡି଼ଥାଏ
ଜ଼ୋର୍ ରେ, ଧୀରେ ଧୀରେ, ଏମିତି, ସହସା, ନାହିଁ, କେମିତି, ସେମିତି, ଯେମିତି ଇତ୍ୟାଦି

●୨●―ସମ୍ଵନ୍ଧବୋଧକ ଅଵ୍ୟୟ―●୨●

―ଯେଉଁ ଅଵିକାରୀ ଶବ୍ଦ ସଂଜ୍ଞା ଅଥଵା ସର୍ଵନାମ ଶବ୍ଦ ସହିତ ଯୋଡି଼ହୋଇ ଅନ୍ୟ ଶବ୍ଦ ସହିତ ସେମାନଙ୍କ ସମ୍ପର୍କ ପ୍ରକାଶ କରନ୍ତି ସେହି ଅଵ୍ୟୟ ଗୁଡି଼କୁ ସମ୍ଵନ୍ଧବୋଧକ ଅଵ୍ୟୟ କୁହାଯାଏ ।
ପରେ, ଉପରେ, କାରଣେ, ନେଇ, ଯାଏଁ, ଅନୁସାରେ, ଭିତରେ, ପାଇଁ, ବିନା ଇତ୍ୟାଦି

●୩●―ସମୁଚ୍ଚୟବୋଧକ ଅଵ୍ୟୟ―●୩●

―ଦୁଇଟି ଶବ୍ଦ, ଵାକ୍ୟାଂଶ ଵା ଵାକ୍ୟକୁ ପରସ୍ପର ସହ ଯୋଡୁ଼ଥିବା ଅଵିକାରୀ ଶବ୍ଦ  ଗୁଡି଼କୁ ସମୁଚ୍ଚୟବୋଧକ ଅଵ୍ୟୟ କୁହାଯାଏ ।
ଯେ, ଆଦି, ଏବଂ, ଓ, ଅଥଵା, ଅର୍ଥାତ୍, ଏଥିପାଇଁ, କିନ୍ତୁ, ତଥାପି, ଯେହେତୁ ଇତ୍ୟାଦି l

●୪●―ଵିସ୍ମୟାଦିବୋଧକ ଅଵ୍ୟୟ―●୪●

―ଯେଉଁ ଅଵିକାରୀ ଶବ୍ଦ ଆମ୍ଭ ମନର ହର୍ଷ, ଵିଷାଦ, ଘୃଣା, ପ୍ରଶଂସା, ଵିସ୍ମୟ ଆଦି ଭାଵ ଗୁଡି଼କୁ ଵ୍ୟକ୍ତ କରନ୍ତି ସେଗୁଡ଼ିକୁ ଵିସ୍ମୟାଦିବୋଧକ ଅଵ୍ୟୟ କୁହାଯାଏ ।
ଉଦାହରଣ ସ୍ୱରୂପ:::-
ଆ ! ଓ ! ହାୟ !  ହେ ! ଇତ୍ୟାଦି ....

        ●୫●―ନିପାତ―●୫●

―ଯେଉଁ ଅଵିକାରୀ ଶବ୍ଦ କୌଣସି ଶବ୍ଦ ଵା ପଦରେ ଯୋଡ଼ି ହେଲେ ତାହାର ଅର୍ଥରେ ଵିଶେଷ ପ୍ରକାରର ବଳ ବଢା଼ଇ ଦିଅନ୍ତି ସେଗୁଡି଼କୁ ନିପାତ ଅଵ୍ୟୟ ପଦ କୁହାଯାଏ ।
ହିଁ,ବି,ତ,ଯାଏଁ,କେଵଳ,ମାତ୍ର ଇତ୍ୟାଦି......!

●●●●●●●●●●●●●●●●
-------ଶାସ୍ତ୍ରୀୟ ସଂସ୍କୃତଭାଷାରେ ପ୍ରଚଳିତ କେତେକ ଅଵ୍ୟୟର ଉଦାହରଣ------●●●●●●●●●●●●●●●●
ଅକସ୍ମାତ,ଅଗ୍ରତଃ,ଅଗ୍ରେ,ଅଜ୍ଞାନତଃ,ଅନ୍ତର୍,ଅତଃ,ଅତୀଵ,ଅତ୍ର,ଅଦ୍ୟ,ଅଧଃ,ଅଧୁନା,ଅନ୍ୟତ୍ର,ଅପି,ଅରେ,ଅଳମ୍,ଅଵଶ୍ୟମ୍,ଆମ୍,ଇତଃ,ଇତଃସ୍ଥତଃ,ଇଦାନୀମ୍,ଇଵ,ଇହ,ଉଚୈଃ,ଉଭୟତଃ,ଋତେ(ବିନା),ଏକତ୍ର,ଏକଦା,ଏଵ,ଏଵମ୍,କତି,କଥମ୍,କଥମପି,କଦା,କଦାଚିତ୍,କଶ୍ଚିତ୍,କିନ୍ତୁ,କିମ୍,କିମର୍ଥମ୍,କିଳ୍(ନିଶ୍ଚୟ),କୁତଃ,କୁତ୍ର,କୁତ୍ରଚିତ୍,କେଵଳମ୍,କ୍ଵଚିତ,ଖଳୁ(ନିଶ୍ଚୟ),ଚ,ଚେତ୍(ତ,ତେଣୁ)ନୋ ଚେତ୍(ନାହିଁ ତ),ଝଟତି,ତତଃ,ତଥା,ତଦର୍ଥମ୍,ତଦା,ତଦ୍ବତ୍,ତସ୍ମାତ୍,ତର୍ହି(ତେଣୁ),ତାଵତ୍(ଯାଏଁ),ତୁଷ୍ଣୀମ୍(ଚୁପ୍),ଦୂରମ୍,ଧିକ୍,ନ,ନନୁ,ନୁ,ନମଃ,ନାମ,ନୀଚୈଃ,ପରନ୍ତୁ, ପରଶ୍ଵଃ,ପରିତଃ,ପର୍ଯ୍ୟାପ୍ତମ୍,ପଶ୍ଚାତ୍,ପୁନଃ, ପୁରତଃ,ପୃଥକ୍,ପ୍ରତି,ପ୍ରତିଦିନମ୍,ପ୍ରାକ୍,ପ୍ରାତଃ,ବଲାତ୍,ବହିଃ,ଭୂୟଃ,ମା,ଯତ୍,ଯତଃ,ଯତ୍ର,ଯଥା,ତଥା,ଯଦା,ଯଦ୍ୟପି,ଯାଵତ୍,ଵା,ଵିନା,ଵିଶେଷତଃ, ଶନୈଃ,ଶୀଘ୍ରମ୍,ଶ୍ଵଃ,ସତତମ୍,ସଦା,ସତ୍ୟମ୍,ସମୀପମ୍,ସମୀଚୀନମ୍,ସମ୍ୟକ୍,ସର୍ଵତଃ,ସର୍ଵତ୍ର,ସର୍ଵଦା,ସହ,ସହିତମ୍,ସାକ୍ଷାତ୍,ସାମାନ୍ୟତଃ,ସାୟମ୍,ସ୍ଵୟମ୍,ହି,ହ୍ୟ.........

●●●●●●●●●●●●●●●●
-------କଳିଙ୍ଗ ଭାଷା/କୁଈ ଭାଷାରେ ପ୍ରଚଳିତ କେତେକ ଅଵ୍ୟୟର ଉଦାହରଣ------●●●●●●●●●●●●●●●●
→ହୁଁ,ହାଁଆଁ(ହଁ)
→ଆ’ଏ(ନା)
→କି,କିଡା଼(କି ?)
→କା’ଏ(କି ନାହିଁ)
→ଏ(ଏଵଂ)
→ତଅଲେ(ସହିତ)
→ନୈଲେ(ନହେଲେ)
→ଯକା(ବି ମଧ୍ଯ)
→ମାତ୍ର(କିନ୍ତୁ)
→ଇଚେଏଁ(ଯଦି)
→ପତା,ପତ୍ତା(ପର୍ଯ୍ୟନ୍ତ)
→ଓଡେ଼,ଓଡ଼ନେଏ(ପୁନଶ୍ଚ)
→ଓଡେ଼ଏନି(ତଥାପି)
→ଆତେ(ହେଲା)
→ପିସାନା(ହିଁ)ଈ(ଛାଡ଼ି, ଛଡା଼)
→ଏଟ୍କେ,ଏଟ୍କେ(ଅନ୍ୟାନ୍ୟ)
→ଏଚି,ଏଚାକା,ଏଚଣା(କେତେ)
→ଇଚାକା,ଇଚଣ(ଏତିକି)
→ଏଚାକା(ସେତିକି)
→ଇଚି(ସାନ)
→କାଜ୍ଜା,କାଜ୍ଜାତାୟୁଁ(ବଡ଼)
→ଗାଟ୍ଟି,ଗାଟ୍ଟିଦିଁ(ବହୁତ)
→ନି’ଏ(ଏବେ,ବର୍ତ୍ତମାନ)
→ନିଞ୍ଜୁ(ଆଜି)
→ରେ’ଏନି,ରେ’ଏଲା(ଗତକାଲି)
→ଵି(ଓ୍ଵି)ଏ(ଆସନ୍ତାକାଲି)
→ମା’ଏ(ପହରଦିନ)

Sunday, October 14, 2018

ଠିକ ଓ ଠିକ୍

ଠିକ୍ ଓ ଠିକ ଉଭୟ ଦେଶଜ ଶବ୍ଦ ଏବଂ ଏ ଉଭୟର ଵ୍ୟଵହାର ଓଡ଼ିଆ ତଥା ହିନ୍ଦୀ ଆଦି ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ରହିଛି......

ଓଡ଼ିଆ ଭାଷାରେ ମୌଳିକ ଅକାରାନ୍ତ ଉଚ୍ଚାରଣ ଵିଧି ଥିବାରୁ ଠିକ ଓ ଠିକ୍ ଏ ଉଭୟ ଶବ୍ଦ ସହଜରେ ବାରିହୋଇପଡନ୍ତି
କିନ୍ତୁ ହିନ୍ଦୀରେ ହଳନ୍ତଵତ୍ ଉଚ୍ଚାରଣ ରହିଥିବାରୁ ଏକା ଉଚ୍ଚାରଣ ଯୋଗୁଁ ଏହାକୁ ଗୋଟାଏ ଶବ୍ଦ ବୋଲି ସାଧାରଣ ହିନ୍ଦୀଭାଷୀର ମନରେ ଭ୍ରମ ଉତ୍ପନ୍ନ ହୋଇଥାଏ ।

ହିନ୍ଦୀ ଏଵଂ ଓଡ଼ିଆ ଭାଷାରେ ଉଭୟ ଶବ୍ଦର ବନାନ ମଧ୍ଯ ଭିନ୍ନ ଭିନ୍ନ । ଆମ୍ଭେମାନେ ଠିକ୍ ଓ ଠିକ ଲେଖିଲାବେଳେ ‛ଠ’  ରେ ହର୍ସ୍ଵ ଇ କାର ଦେଇ ଲେଖନ୍ତି କିନ୍ତୁ ହିନ୍ଦୀରେ ଏଠାରେ ଦୀର୍ଘ ଈକାର ହୋଇ ठीक ଲେଖା ଯାଇଥାଏ ।

ତେବେ ନେପାଳୀ ଭାଷାରେ ସେହି ସମାନ ଦେଵନାଗରୀ ଲିପି ଵ୍ୟଵହାର ହେଉଥିଲେ ହେଁ ठीक ପରିଵର୍ତ୍ତେ ठिक ଲେଖାଯାଏ ।

ହିନ୍ଦୀ ଅପେକ୍ଷା ଓଡ଼ିଆ ଭାଷାରେ ଠିକ ଓ ଠିକ୍ ଶବ୍ଦ ଦ୍ଵୟର ଵ୍ୟଵହାର ଅଧିକ ପରି ଅନୁଭୂତ ହୁଏ । ଉଭୟ ଭାଷାର ଦୁଇଟି ପ୍ରକାଣ୍ଡକାୟ ଭାଷାକୋଷ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏଵଂ ହିନ୍ଦୀ ଶବ୍ଦ ସାଗରରେ ଏହି ଶବ୍ଦର ଅର୍ଥ ଓ ଵ୍ୟଵହାର ଉଲ୍ଲେଖରୁ ଏଭଳି ଅନୁମାନ କରାଯାଉଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ୍ ଶବ୍ଦର ଅନେକ ଅର୍ଥ ରହିଛି । ଓଡ଼ିଆ ଭାଷାରେ ଠିକ୍ ଶବ୍ଦର ଵ୍ୟଵହାର ଵିଶେଷଣ ତଥା କ୍ରିୟା ଵିଶେଷଣ ଭାବେ ରହିଛି ।

→ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ୍ ଶବ୍ଦର କେଉଁ କେଉଁ ଅର୍ଥ ସହ ଵ୍ୟଵହାର ହୁଏ ତହିଁର ଉଲ୍ଲେଖ କରାଗଲା.....

●୧.ପ୍ରକୃତ; ଯଥାର୍ଥ — ୧
(ଯଥା—ମୁଁ ଆପଣଙ୍କ ଘଟଣାର ଠିକ୍ ବିବରଣ କହୁଛି;ହିନ୍ଦୀ ରେ ମଧ୍ଯ କୁହନ୍ତି ―तुम्हारी बात ठीक निकली )
●୨. ଶୁଦ୍ଧ; ଅଭାନ୍ତ
(ଯଥା—ଏ ଛାତ୍ରର ଅଙ୍କ ଖଣ୍ଡିକ ଠକ୍ ହୋଇଛି;ହିନ୍ଦୀରେ କୁହାଯାଏ—आठ में से तुम्हारे कितने सवाल ठीक हैं ?)
●୩. ଉପଯୁକ୍ତ
(ଯଥା—ଠିକ୍ ସମୟରେ ନ ଶୋଇଲେ ମୋ ଦେହ ବିଗିଡ଼େ;ହିନ୍ଦୀ ରେ କୁହାଯାଏ―उनका बर्ताव ठीक नहीं होता  ଵା तुम्हारे लिये कहना ठीक नहीं है )
●୪. ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ ସମୟରୁ କ୍ଷଣମାତ୍ର ବେଶି ବା କମ୍ ନୁହେଁ
(ଯଥା—ସେ ଠିକ୍ ୧୨: ବେଳେ ଆସି ପହଞ୍ଚି ଗଲା;ହିନ୍ଦୀ ଶବ୍ଦସାଗରରେ ଏହାର ଉଲ୍ଲେଖ ନାହିଁ)
●୫. ତଚ୍ଛରୂପ; ସ୍ୱାଭାବିକ
(ଯଥା—ବିରାଡ଼ିଟା ଠିକ୍ ବାଘଛୁଆ ପରି ଦିଶୁଛି;ହିନ୍ଦୀ ଶବ୍ଦସାଗରରେ ଏହାର ଉଲ୍ଲେଖ   ନାହିଁ)
●୬. ସତ୍ୟ
(ଯଥା—ସାକ୍ଷୀ ହାକିମଙ୍କ ଆଗରେ ହଲପ ନେଇ ଠିକ୍ କଥା କହି ଗଲା)
●୭.ଅବିକଳ
(ଯଥା—ଏ ପିତଳ ଖଣ୍ଡିକ ଠିକ୍ ସୁନା ପରି ଦେଖାଯାଉଛି)
●୮. ନିଶ୍ଚିତ
(ଯଥା—ହଜି ଥିବା ବଳଦର ଠିକ୍ ଖବର ମୁଁ ପାଇଲି ନାହିଁ)
●୯. ସ୍ଥିର; ନିଶ୍ଚଳ
(ଯଥା—ଘୋଡ଼ା ପିଠିରେ ଠିକ୍ ଆସନ୍ନ ଜମାଇ ବସି ନ ପାରିଲେ ତୁମେ ଖସି ପଡ଼ିବ)
●୧୦.ନ୍ୟାୟପର; ସତ୍
(ଯଥା—ରାଜା ଠିକ୍ ବିଚାର କଲେ)
●୧୧. ସ୍ଥିରୀକୃତ; ନିଶ୍ଚିତ
(ଯଥା—ମକରମାସର ୮ ଦିନକୁ ବିବାହ ଠିକ୍ ହେଲା;ହିନ୍ଦୀରେ ଵ୍ୟଵହାର―काम करने के लिये आदमी ठीक करना, गाड़ी ठीक करना, भाड़ा ठीक करना, विवाह ठीक करना ଇତ୍ୟାଦି)
●୧୨. ଦୋଷଶୂନ୍ୟ
(ଯଥା—ଏ ପିଲାଟାର ଆଚରଣ ଠିକ୍ ଅଟେ)
●୧୩. ଅପରିବର୍ତ୍ତନୀୟ; ଅଟଳ
(ଯଥା—ଆମ ସାଆନ୍ତଙ୍କ ଜବାବ୍ ଠିକ୍ ଅଟେ)
●୧୪. ଆଚ୍ଛା; ସୁନ୍ଦର; ଉତ୍ତମ
(ଯଥା—ଛାମୁଙ୍କ ମିଞ୍ଜାସ୍ ଠିକ୍ ଥିଲାବେଳେ ମୋ ଗୁହାରିଟା ଛାମୁରେ ପଡ଼ିଗଲା;ହିନ୍ଦୀରେ କୁହାଯାଏ―हमारी तबीयत ठीक नहीं है )
●୧୫.ସୁଶାସିତ
(ଯଥା—ଚାବୁକସୁଅର ଦୁଷ୍ଟ ଘୋଡ଼ାକୁ ଠିକ୍ କରିଦେଲା)
●୧୬. ସୁଧାରାକୁ ଆନୀତ; ସୁଧୁରିଥିବା
(ଯଥା—ଘଡ଼ିବାଲା ବିଗିଡ଼ିଥିବା ଘଣ୍ଟାକୁ ଠିକ୍ କରି ଦେଲା)
●୧୭.ସୁବ୍ୟବସ୍ଥିତ — ୧୭

ଠିକ୍ ଶବ୍ଦର କ୍ରିୟାଵିଶେଷଣ ଭାବରେ ମଧ୍ଯ ଵ୍ୟଵହାର ହୋଇଥାଏ ....
ଯଥା:::::-

■ଠିକ୍ ଶବ୍ଦର କ୍ରି. ବିଶେଷଣ ଭାବେ ଅର୍ଥ■
●୧. ସତ୍ୟରେ; ସତେ ସତେ
●୨. ସମ୍ପୂର୍ଣ୍ଣରୂପେ
●୩. ନିଶ୍ଚିତରୂପେ; ନିର୍ଦ୍ଦିଷ୍ଟରୂପେ
●୪. ନିୟମିତରୂପେ
●୫. ପ୍ରକୃତିରେ
●୬. ଅବିକଳ
●୭. ନ୍ୟାୟତଃ
●୮. ଅବିକଳ
●୯. ଉପଯୁକ୍ତରୂପେ
●୧୦. ଅଭ୍ରାନ୍ତରୂପେ
●୧୧. କ୍ଷଣମାତ୍ର ଆଗପଛ ନକରି
●୧୨. ସମାନଭାବରେ
●୧୩. ସୁନ୍ଦରଭାବରେ

ସେହିପରି
ହିନ୍ଦୀ ଭାଷାରେ କେଵଳ ଅଵିକଳ ଵା ଉପଯୁକ୍ତ ପ୍ରଣାଳୀ ଅର୍ଥରେ ଠିକ୍ ଶବ୍ଦର କ୍ରିୟାଵିଶେଷଣ ଵ୍ୟଵହାର ରହିଥିବା ହିନ୍ଦୀ ଶବ୍ଦ ସାଗରରେ ଉଲ୍ଲେଖ ରହିଛି ।

ଠିକ୍ ଶବ୍ଦର ଵ୍ୟଵହାର ଵିଶେଷଣ ଭାବେ ଅଧିକ ହେଉଥିବା ବେଳେ ଠିକ ଶବ୍ଦର  ଉଭୟ ଵିଶେଷ୍ୟ ଓ ଵିଶେଷଣ ଭାବେ ପ୍ରାୟ ସମପରିମାଣରେ ଵ୍ୟଵହାର ରହିଛି.......

ଦେଶଜ ‛ଠିକ’ ଶବ୍ଦର ଅର୍ଥ ଓ ଅର୍ଥ ଆଧାରରେ ଵ୍ୟଵହାର ସମ୍ପୂର୍ଣ୍ଣ ଭିନ୍ନ ଅଟେ.....

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ ଶବ୍ଦର ଵ୍ୟଵହାର ଅନୁସାରେ ଯେଉଁ ଅର୍ଥଗୁଡି଼କ ଉଲ୍ଲେଖ ରହିଛି   ସେଗୁଡ଼ିକ ହେଲା―

କ→ନିଶ୍ଚୟ
ଖ→ସମଷ୍ଟି
(ଗରଭ ହୋଇଥିବା ଗାଈଟି ମାନଙ୍କ
ନାମ ପକାଇଲେ କରଣେ କରି ଠିକ―କୃଷ୍ଣଚନ୍ଦ୍ର ମହାଭାରତ)
ଗ→ସ୍ଥିରତା

ଘ→ସାରକଥା;ସଂକ୍ଷିପ୍ତ
(ଯେତେ କହିଲ ଵେଦ ଠିକ―ପ୍ରାଚୀ ନିର୍ଗୁଣ ମହାତ୍ମ୍ୟ)

ସେଇଭଳି ଦେଶଜ ଠିକ ଶବ୍ଦର ଵିଶେଷଣ ଭାବେ ମଧ୍ଯ ଵ୍ୟଵହାର ରହିଛି-
ଯଥା―

କ―ସାର;ବହୁମୁଲ୍ୟଵାନ କଥା
(ଠିକ କଥା ପଦେ ଏ ସମୟରେ ଶୁଣାଯାଉନାହିଁ)
ଖ―ସୁନ୍ଦର; ମନୋହର
(ଆରେ ଠିକହାସି ! ଠକପଣ ପୁଣି କିଛି ଥାଏ ମିଶି !―କଵିସୂର୍ଯ୍ୟ ସଙ୍ଗୀତ)
ଗ―ସମ୍ପୂର୍ଣ୍ଣ;ଅକ୍ଷୁର୍ଣ୍ଣ
(ଠିକ ଠ ଵର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ―କଵିସୂର୍ଯ୍ୟ କିଶୋରୀ ଚମ୍ପୁ ଠ ଗୀତ)

ଓଡ଼ିଆ ଭଳି ହିନ୍ଦୀ ଭାଷାରେ ମଧ୍ଯ ଓଡ଼ିଆ ଶବ୍ଦ ଠିକ ପରି ठीक ଶବ୍ଦର ନିୟତି,ନିଶ୍ଚୟ,ଯୋଗ ଓ ଭୂଲେଇବା(ଆନ ଲୋକକୁ ଠକିବା) ଅର୍ଥରେ ଵ୍ୟଵହାର ରହିଥିବା ହିନ୍ଦୀ ଶବ୍ଦ ସାଗର ଶବ୍ଦକୋଷରୁ ଜଣାଯାଏ କିନ୍ତୁ ଓଡ଼ିଆ ଭାଷାରେ ଠିକ ଶବ୍ଦର ଵିଶେଷଣ ଵ୍ୟଵହାର ଆମ୍ଭ ଭାଷାର ସଂପୂର୍ଣ୍ଣ ନିଜସ୍ଵ ଅଟଇ ....

➡ଦୁଃଖର ଵିଷୟ ଆଜିକାଲି
ଓଡ଼ିଆଲୋକଙ୍କ ବହୁଳ ଭାବରେ
ହିନ୍ଦୀ ଭାଷା ତଥା ତହିଁର ଶାବ୍ଦିକ ଉଚ୍ଚାରଣଗତ ଅନୁକରଣ ଯୋଗୁଁ ଆମ୍ଭେମାନେ
ଦୁଇଗୋ ଦୋଷ କରୁଅଛନ୍ତି
୧―ଅନେକ ଲୋକ ଠିକ ଓ ଠିକ୍ ମଧ୍ୟରେ ଭେଦ ଜାଣିନଥିବା ହେତୁରୁ  ହିନ୍ଦୀ ଅନୁକରଣରେ ଵ୍ୟାକ୍ୟ ଗଠନ କରିବାକୁ ଯାଇ
ଠିକ ଶବ୍ଦର ଉଚ୍ଚାରଣ ହଳନ୍ତଵତ୍ ଠିକ୍ କରିଥାନ୍ତି....
୨―ଉପସର୍ଗ ସହ ଵିଶେଷଣ ଯୁକ୍ତ କରି ଶବ୍ଦ ଗଠନ ଵ୍ୟାକରଣ ନିୟମ ଵିରୁଦ୍ଧ ଥିଲେ ହେଁ ଅନେକ ଲୋକ ସଠିକ ପରି ଅଶୁଦ୍ଧ ଶବ୍ଦର ଵ୍ୟଵହାର କେଵଳ ହିନ୍ଦୀ ଅନୁକରଣରେ କରିଥାଅନ୍ତି । ହିନ୍ଦୀ ଭାଷାରେ ସଟିକ ଶବ୍ଦର ଅନୁକରଣରେ ସଠିକ ଶବ୍ଦର ଵ୍ୟଵହାର ଓଡ଼ିଆ ଭାଷାରେ ଆସି ଚଳୁଅଛି......

ଜିଭ ହୁଡି଼ଲେ.....

ଦୁଇଟି ଭିନ୍ନ ଭିନ୍ନ ଭାଷା....
ଦୁଇଟି ଭିନ୍ନ ସଂସ୍କୃତି....
କିନ୍ତୁ ଏଠାରେ ଗୋଟାଏ କଥାକୁ ଭିନ୍ନ ଭାବରେ କୁହାଯାଇଛି ।

*** A slip of foot you can soon recover.....
but a slip of tongue you can naver get over....***
“ଜିହ୍ଵା ଉପରେ ସଂଯମ ବହୁତ ଆଵଶ୍ୟକ କାରଣ  ବାଟରେ ଗୋଡ଼ ଖସିଯାଇ ପଡି଼ଗଲେ ପୁଣି ଉଠି ଠିଆ ହୋଇପାରିବ କିନ୍ତୁ ଜିଭରୁ କଥା ଖସିଗଲେ ଅର୍ଥାତ୍ ଜିଭ ହୁଡି଼ଲେ ବହୁତ ଅସୁଵିଧା ଭୋଗ କରିବାକୁ ହୋଇଥାଏ ।”

***ଵ୍ୟାଘ୍ରୀ ଯଥା ହରେତ୍ ପୁତ୍ରାନ୍ ଦନ୍ତଷ୍ଟ୍ରର୍ଯ୍ୟେର୍ମଧ୍ଧେ ସଂସ୍ଥିତାନ୍ ।
ଭୀତା ପତନଭେଦାଭ୍ୟାଂ ତଦ୍ ଵତ୍ ଵର୍ଣ୍ଣାନ୍ ପ୍ରୟୋଜନମ୍ ।।***

“ଜଙ୍ଗଲରେ ବାଘୁଣୀଟିଏ ତା ଛୁଆକୁ ପାଟି ଓ ଦାନ୍ତ ମଧ୍ୟରେ ବଡ଼ କୌଶଳରେ ଉଠେଇ ଚାଲିଯାଏ । ସେଥିରେ ଯଦି ଟିକିଏ ବି ଆଗପଛ ହେଲା ବୋଇଲେ ବାଘଛୁଆ ଟା ତଳେ ଗଳିପଡିବ ନହେଲେ ଦନ୍ତାଘାତରେ ମରିଯିବ ।”

Saturday, October 13, 2018

ସାସ୍କୃତିକ ବନ୍ଧ

ସାଧୁ, ତୁମେ ଜାଣିଛ,ଆମର ଏଠି ଵ୍ୟକ୍ତିକୁ ଭଲ ହେବା ପାଇଁ ଆରମ୍ଭରୁ ହିଁ ବଡ଼ ବଡ଼ ଚେଷ୍ଟା ପ୍ରଚେଷ୍ଟା ହୋଇଅଛି ।
ସେ ଯୁଗର ଲୋକ ଭାଵିଲେ,ପୁରୁଷକୁ ସ୍ତ୍ରୀସଙ୍ଗ ଵିପଥଗାମୀ କରିଦିଏ―ଵିଶ୍ଵାମିତ୍ର ଭଳି ତପସ୍ଵୀଙ୍କର ତପ ଭଙ୍ଗ ହେଇଗଲା ତ ତାଙ୍କ ଆଗରେ ଏ ଶଙ୍କରା,କାଶିଆ,କପିଳା କିଏ  ଵା ....

ସାଧୁ,ଏଥିଯୋଗୁଁ ନୀତିଵାଦୀମାନେ ନିୟମ କରିଦେଲେ
ସ୍ତ୍ରୀ ଓ ପୁରୁଷ ପରସ୍ପର ଠାରୁ ଦୂରେ ଦୂରେ ରହିବେ,ଦିହେଁ ଦିହିଁକି ଶତୃ ବୁଝିବେ;କେବେ କୌଣସି ପ୍ରକାର ପାରସ୍ପରିକ ସମ୍ପର୍କ ରଖିବେ  ନାହିଁ । ଏମନ୍ତ କି ମାଆ ଭଉଣୀ ଆଦିଙ୍କ  ସହିତ ମଧ୍ଯ ଏକାନ୍ତରେ କଥା ହେବେ ନାହିଁ ବୋଲି ନିୟମ କରିଗଲେ । ଏହି ଭଳି ସହସ୍ର ସହସ୍ର ଵର୍ଷ ଧରି ଵ୍ୟକ୍ତିକୁ ଭଲ କରିରଖିବାର ସାଧନା ଆମ ସମାଜରେ ହୋଉଥିଲା ।
ଏବେ ତୁମେ ପରିଣାମ ଦେଖୁଥିବ―ଆଶା ଠାରୁ ଅଧିକ ହେଲାଣି,ଭୀଷଣ ହେଲାଣି ।
ସହସ୍ର ସହସ୍ର ଵର୍ଷର ସାଧନା ପଶ୍ଚିମ ସଂସ୍କୃତିର
ଅନ୍ଧାନୁକରଣ ଯୋଗୁଁ ଭାଙ୍ଗିବାକୁ ବସିଲାଣି....
ପାଣିବନ୍ଧ ଭାଙ୍ଗିଲେ ଯେମିତି ବନ୍ୟା ଯୋଗୁଁ ଶହ ଶହ ଗାଆଁ ନଗର ପାଣିରେ ବୁଡ଼ିଯାଏ ସେମିତି ସାସ୍କୃତିକ ସଂସ୍କାର―ସାଧନା ରୂପି ବନ୍ଧ ଭାଙ୍ଗିଗଲେ ଗୋଟା ସଂସ୍କୃତି ଟା ଭାସିଯିବ .....

■ହରିଶଙ୍କର ପରସାଇଙ୍କ ଏକ ଲେଖାରୁ ଅନୁପ୍ରାଣିତ■

Friday, October 12, 2018

ଶ୍ଲୋକାର୍ଥ; ଵିଵିଧ

★ଯସ୍ୟ ନାସ୍ତି ସ୍ଵୟଂ ପ୍ରଜ୍ଞା ଶାସ୍ତ୍ରଂ ତସ୍ୟ କରୋତି କିମ୍ ।
ଲୋଚନାଭ୍ୟାଂ ବିହୀନସ୍ୟ ଦର୍ପଣଃ କିମ୍ କରିଷ୍ୟତି ।।★

→ଯା’ର ନାହିଁ ସ୍ଵୟଂ ପ୍ରଜ୍ଞା
    ତା’ର ଶାସ୍ତ୍ର ଅଵା କଣ୍ କରିପାରେ.....
    ଆଖିକୁ ଯା ଦିଶେ ନାହିଁ
    ତା’ର ଦର୍ପଣ ଵା କିସ କାମେ ଲାଗେ....

★ତୈଳାଦ୍ ରକ୍ଷେତ୍ ଜଳାଦ୍ ରକ୍ଷେତ୍ ଶିଥିଳ ବନ୍ଧନାତ୍ ।
ମୂର୍ଖ ହସ୍ତେ ନ ଦାତଵ୍ୟଂ ଏଵଂ ଵଦତି ପୁସ୍ତକମ୍ ।।★

→ପୁସ୍ତକ କୁହଇ ଶୁଣ ହେ ସାଧୁ
ତୈଳରୁ ବଞ୍ଚାଅ ମୋତେ ଜଳରୁ ବଞ୍ଚାଅ
ନହେଉ ଯେମିତି ଶିଥିଳ ବନ୍ଧନ
ତହିଁ ଆଡେ଼ ନିଘା ଦିଅ
ଯେତେ ସବୁ ବିପଦୁଁ ଆପଦୁଁ
ବଞ୍ଚାଇ ରଖିବ ହେଲେ
ମୂର୍ଖ ଅସ୍ତେ ମୋତେ
ଆଦୌ ନ ଦେବ ।।

★ନମନ୍ତି ଫଳିନୋ ବୃକ୍ଷାଃ ନମନ୍ତି ଗୁଣିନୋ ଜନାଃ ।
ଶୁଷ୍କକାଷ୍ଠଶ୍ଚ ମୂର୍ଖଶ୍ଚ ନ ନମନ୍ତି କଦାଚନ ।।★

→ଫଳ ଯୋଗୁଁ ଗଛ ନଇଁଯାଏ
   ଗୁଣି ଲୋକ ମଧ୍ଯ ନଇଯାଏଁ
   ହେଲେ ଶୁଷ୍କ କାଷ୍ଠ ଆଉ ମୂର୍ଖ
   ଭାଙ୍ଗି ଯାଏ ସିନା ନଇଁନଥାଏ
   
★ବୃଶ୍ଚିକସ୍ୟ ଵିଷଂ ପୃଚ୍ଛେ ମକ୍ଷିକାୟାଃ ମୁଖେ ଵିଷମ୍ ।
ତକ୍ଷକସ୍ୟ ଵିଷଂଦନ୍ତେ ସର୍ଗାଙ୍ଗେ ଦୁର୍ଜନସ୍ୟ ତତ୍ ।।★

→ବିଛାଙ୍କର ଵିଷ ପୃଚ୍ଛେ
   ମକ୍ଷିକାଙ୍କ ମୁଖେ ଵିଷ
   ତକ୍ଷକର ଵିଷ ଦନ୍ତେ
ସର୍ବାଙ୍ଗେ ଦୁର୍ଜନର ଵିଷ

Wednesday, October 10, 2018

ପଣ୍ଡିତ ନୀଳକଂଠ ଓ ଜର୍ଜ ଵର୍ଣ୍ଣାଡ୍ ଶ

ଭାଷାର ଲିପି ବଦଳିଥାଏ ତାହାର ଵ୍ୟଵହାର ଭିତ୍ତିରେ କୌଣସି  ସଂଗଠନ,କମିଟି ଵା ପଣ୍ଡିତ କହିଦେଲା ମାତ୍ରେ ଭାଷାରେ ପ୍ରଚଳିତ ଲିପିକୁ କାଟିଦିଆଯାଏ ନାହିଁ ।

ପୃଥିବୀର ଦୁଇଜଣ ମହାପୁରୁଷ ଆପଣା ଭାଷାରେ  ଲିପିସଂସ୍କାର ସଂକ୍ରାନ୍ତୀୟ ତାଙ୍କ ଵିଵାଦିତ ମତ ପାଇଁ ବହୁତ ଜଣାଶୁଣା ଅଟନ୍ତି .....

ସେ ଦୁଇଜଣ ମହାତ୍ମା ହେଲେ
ଓଡ଼ିଶାର “ପଂଡିତ ନୀଳକଂଠ ଦାସ”
ଓ ଇଂରାଜୀ ନାଟ୍ୟକାର “ଜର୍ଜ ଵର୍ଣ୍ଣାଡ୍ ଶ”

ପଂଡିତ ନୀଳକଂଠ ଦାସ  ବକୁଳବନ ଵା ସତ୍ୟଵାଦୀ ଵନ ଵିଦ୍ୟାଳୟ ତଥା ଓଡ଼ିଆ ଲିପିସଂସ୍କାର ଆନ୍ଦୋଳନ ପାଇଁ ଵିଖ୍ୟାତ ଅଟନ୍ତି । ଏହାଙ୍କ ଲିପି ସଂସ୍କାର ଆନ୍ଦୋଳନ ଓଡ଼ିଆ ଭାଷା ଆକାଶରେ ଏକ ଧୂମକେତୁ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ ।
ଲେଖକ ଵୈଷ୍ଣଵ ଚରଣ ମହାନ୍ତିଙ୍କ ଅନୁସାରେ
“ନୀଳକଂଠଙ୍କର ନଵଭାରତ ପ୍ରେସ୍ ରେ ଯୁକ୍ତାକ୍ଷର ପାଇଁ ଵ୍ୟଵହୃତ ଟାଇପ୍ ଫାଉଣ୍ଡରୀ
ଵର୍ଣ୍ଣର ଅଭାଵ ଥିଲା ।”  ତହୁଁ ପଂଡିତେ ଭାବିଲେ ଏଥିର କୌଣସି ସହଜ ବାଟ କାଢିବାକୁ ହେବ ।
ଦାସେ ବହୁତ ଭାବିଲେ । ଭାବି ଭାବି କପାଳ ଫଟେଇ ଦେଲେ । ତହିଁ ପରେ ତାଙ୍କ ମୁଣ୍ଡରେ ଲିପିସଂସ୍କାର ରୂପି ଭୂତ ପଶିଲା ।

୧୯୩୪ ମସିହାରେ ପଂଡିତେ ତାଙ୍କର ଯେଉଁ ନୂତନ ମତଵାଦ ପ୍ରଚାର କଲେ ସେଥିରେ ସେ ନିମ୍ନଲିଖିତ ମତ ରଖିଥିଲେ
୧-ଯୁକ୍ତାକ୍ଷର ତ୍ୟାଗ କରି କେଵଳ ଅନସ୍ଵାର(ଂ) ଵ୍ୟଵହାର ପୂର୍ଵକ ଓଡ଼ିଆ ଲିଖନ.....
ଉଦାହରଣ ସ୍ୱରୂପ “ବାବୁଙ୍କ” ବଦଳରେ ବାବୁଂକ”,“ସନ୍ତାନ ବଦଳରେ ସଂତାନ”,
(ନୀଳକଂଠ ତାଙ୍କ ଆତ୍ମଜୀଵନୀରେ ଲେଖିଛନ୍ତି ଓଡ଼ିଆ ଭାଷାରେ ନୀଳକଣ୍ଠ ଲେଖାଯାଏ କିନ୍ତୁ ନୀଳକଂଠ ବୋଲାଯାଏ ତେଣୁ ଏମନ୍ତ ଲେଖିବାର ଯଥାର୍ଥତା ରହିଛି-ନୀଳକଂଠ ଗ୍ରନ୍ଥାଵଳୀ;ପୃଷ୍ଠା-୯୦)

୨–ତିନୋଟି ଶ,ଷ,ସ ଵଦଳରେ କେଵଳ ଗୋଟାଏ ସ ଵ୍ୟଵହାର......
(ପଂଡିତେ ତାଙ୍କ ଆତ୍ମଜୀଵନୀରେ ଲେଖିଅଛନ୍ତି ଓଡ଼ିଆ ଭାଷାରେ ତିନୋଟି ଶ,ଷ,ସ ର ଉଚ୍ଚାରଣ ଏକ ପ୍ରକାରର ତେଣୁ ଗୋଟାଏ ସ କୁ ରଖି ବାକି ଡେଂଗା ଶ ଓ ମୋଟା ଷ କୁ ଫାଶୀଖୁଣ୍ଟରେ ଝୁଲେଇ ଦେବା ଉଚିତ୍ । ଆପଣାର ପକ୍ଷ ରଖିବାକୁ ଯାଇ ନୀଳକଂଠ ପୁଣି କହିଛନ୍ତି ଯେ ସେ ଜାତିଵାଦର ଘୋର ଵିରୋଧୀ ତେଣୁ ବ୍ରାହ୍ମଣ ହୋଇ ମଧ୍ଯ ଦାଶ ଵଦଳରେ ଦାସ ଲେଖନ୍ତି ।)

୩-ନୀଳକଂଠ ଓଡ଼ିଆ ଭାଷାର ଵର୍ଣ୍ଣଦ୍ଵିତକରଣ(ର୍ଣ୍ଣ=କର୍ଣ୍ଣ,ଵର୍ଣ୍ଣ) ଭଳି ମୌଳିକ ଉପାଦାନକୁ ମଧ୍ଯ ଉଠେଇ ଦେବାକୁ ଆହ୍ଵାନ ଦେଇଥିଲେ........
ନୀଳକଂଠଙ୍କର ଏ ସମ୍ଵନ୍ଧୀୟ ମନ୍ତଵ୍ୟ ଫକୀର ମୋହନ ସେନାପତିଙ୍କ ଗ୍ରନ୍ଥାଵଳୀ ର ତାଙ୍କ ରଚିତ “ଉପୋଦଘାତ୍”ରେ ସ୍ଥାନିତ ହୋଇଅଛି । ପଂଡିତେ ଵର୍ଣ୍ଣଦ୍ଵିତକରଣର ଘୋର ଵିରୋଧୀ ଥିଲେ ବୋଲି ତାଙ୍କର ଗ୍ରନ୍ଥାଵଳୀ ଗୁଡି଼କରେ ବର୍ଣ୍ଣ ବଦଳରେ ବର୍ଣ ଲେଖା ହୋଇଥିବା ଯେ କେହି ପାଠକଙ୍କର ଦୃଷ୍ଟିଗୋଚର ହୋଇଥିବ ।

ପଂଡିତେ ବଡ଼ ଭୂଲ କରିଦେଲେ ।
ତାଙ୍କୁ ଓଡ଼ିଆ ଭାଷାର ଏକ ସ୍ଵତନ୍ତ୍ର ଵ୍ୟାକରଣ ଅଛି ବୋଲି ସେକାଳର ସଂସ୍କୃତ,ହିନ୍ଦୀ, ବଙ୍ଗଳା ଭାଷାର ଦିଵ୍ୟାଲୋକରେ ଆଦୌ ଦିଶିନଥିଲା । ତେବେ ଦେଖିଲା ଲୋକ ଯଦି ଦେଖିନପାରିଲା ତାହାଲେ ଏଥିପାଇଁ ସେ ଦାୟୀ ନା ଆଖି ଦାୟୀ ଏକଥା ଆଧୁନିକ ପଣ୍ଡିତଵର୍ଗ ଚାହିଁଲେ ଅନୁଧ୍ୟାନ କରିପାରନ୍ତି ।

ପଂଡିତ ନୀଳକଂଠ ପ୍ରଥମେ ଉତ୍କଳ ସାହିତ୍ୟ ପତ୍ରିକାରେ ତାଙ୍କ ଲିପିସଂସ୍କାର ମତଵାଦ ଅନୁସାରେ ଲେଖାଲେଖି କରିବା ଆରମ୍ଭ କରିଦେଲେ । କିନ୍ତୁ ଓଡ଼ିଆ ଭାଷାର ଅନ୍ୟ କେତେକ ବରପୁତ୍ରଙ୍କୁ ଏଭଳି ଅସଙ୍ଗତ କାର୍ଯ୍ୟ ଆଦୌ ଭଲ ଲାଗିଲା ନାହିଁ । ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଓ ଶ୍ରୀ ମୃତ୍ୟଞ୍ଜୟ ରଥ ପ୍ରଭୃତି ତାଙ୍କ ଵିରୋଧରେ ସ୍ଵରୋତ୍ତଳନଭ କଲେ ।

ତାପରେ ଏ ଲିପିସଂସ୍କାର ସଂଘର୍ଷ ଅନେକ ଦିନ ହେବ ଚାଲିଲା । ଶେଷରେ ପଂଡିତେ ୧୯୩୪ ମସିହାରେ ଆପଣାର ଲିପିସଂସ୍କାର ପ୍ରସ୍ତାବକୁ ତତ୍କାଳୀନ ଓଡ଼ିଶା-ଵିହାର ଶିକ୍ଷା ଵିଭାଗକୁ ପ୍ରଦାନ କରିଲେ । ସୂଚନା ଯୋଗ୍ୟ ଏହି ଶିକ୍ଷା ଵିଭାଗର ଅଧିକାଂଶ ସଦସ୍ୟ ସେତେବେଳେ ହିନ୍ଦିଭାଷୀ ଥିଲେ ଅର୍ଥାତ୍ ଏଠାରେ ଠିକ୍ ଅନ୍ଧ-କଣା ଵିଚାର ଭଳିଆ କଥା ହେଲା କହିଲେ ଚଳେ ।

ଆନଭାଷାଭାଷୀ ଲୋକ ଵା କାହିଁକି ଓଡ଼ିଆ ଭାଷାର ମୌଳିକତା ଓ ଵୈଜ୍ଞାନିକତା ଜାଣନ୍ତେ ଏଠି ତ ସ୍ଵୟଂ ଓଡ଼ିଆ ପଣ୍ଡିତେ ସୁଦ୍ଧା ଧୃତରାଷ୍ଟ୍ର ପରାୟେ ବୁଲୁଥିଲେ ।

ତହୁଁ ୧୯୩୪ ମସିହାରେ ଓଡ଼ିଶା ବିହାର ଶିକ୍ଷା ଵିଭାଗଙ୍କର ତାଲିଵାନୀ ଆଦେଶରେ ସମସ୍ତ ଓଡ଼ିଆ ଵିଦ୍ୟାଳୟ ଗୁଡି଼କୁ ନୀଳକଂଠଙ୍କର ମତ ମାନ ଶୁଣେଇ ଦିଆଗଲା ।

ଓଡ଼ିଆ ଭାଷାର ସୌଭାଗ୍ୟ ଯେ ସେତେବେଳେ ଏହି ଲିପିସଂସ୍କାର ଆନ୍ଦୋଳନ ସଫଳ ହୋଇନଥିଲା ଅନ୍ୟଥା ଓଡ଼ିଆ ଭାଷା ତାହାର ଅନେକ ମୌଳିକତା ହରାଇ କେବେ ବି ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରାପ୍ତ କରିପାରିନଥାନ୍ତା ।

ଜର୍ଜ ଵର୍ଣ୍ଣାଡ୍ ଶ” ଙ୍କର କଥା ଶୁଣନ୍ତୁ ।  ଏ ମହାତ୍ମା ନିଜେ ସର୍ଟହାଣ୍ଡରେ ରେ ଲେଖୁଥିବା ହେତୁରୁ ଇଂରାଜୀ ବନାନ ପ୍ରତି ଵିତୃଷ୍ଣ ଥିଲେ । ସେ ଇଂରାଜୀରେ ବନାନ ସଂସ୍କାର ଚାହୁଁଥିଲେ ଏବଂ ସେଥିପାଇଁ ନିଜ ଉଇଲରେ ଵ୍ୟଵସ୍ଥା କରିଥିଲେ –
“ତାଙ୍କ ମୃତ୍ୟୁର ୨୧ ଵର୍ଷ ଉତ୍ତାରୁ ଯେତେ ରୟାଲଟି ମିଳିବ ସେଥିରେ ଏକ ଟ୍ରଷ୍ଟ ଖୋଲାଯିବ । ସେହି ଟ୍ରଷ୍ଟର ପ୍ରଧାନ କାର୍ଯ୍ୟ ହେବ ଯେ ସେମାନେ ଉଚ୍ଚାରଣ ଭିତ୍ତିକ ଏକ ନୂତନ ଲିପି ଆବିଷ୍କାର କରି ତାହାର ପ୍ରଣୟନ ସମସ୍ତ ବିଟ୍ରେନ୍ ରେ କରେଇବାକୁ ଚେଷ୍ଟା କରିବେ ।”
ଵର୍ଣ୍ଣାଡ୍ ଶ  ୧୯୫୦ରେ ଆରପାରି କୁ ଚାଲିଗଲେ ଆଉ ତାଙ୍କ ଟ୍ରଷ୍ଟ ପକ୍ଷରୁ ୧୯୫୯ରେ ଏକ ପ୍ରତିଯୋଗିତା ହୋଇ ୪୦ ଵର୍ଣ୍ଣ ଵିଶିଷ୍ଟ ଏକ ଲିପି ତିଆରି ହେଲା । ତେବେ ସେହିଦିନ ଠାରୁ ଏଯାବତ ସେ ଲିପିରେ ମାତ୍ର ଗୋଟାଏ ବହି ଛପା ହୋଇଛି–ଵର୍ଣ୍ଣାଡ୍ ଶ ଙ୍କର ଗୋଟାଏ ନାଟକ ....

ଏ ଉଭୟ ମହାତ୍ମାଙ୍କର ଇଛା ପୂରଣ ନହେବା ଦେଖି ମନକୁ ସ୍ଵତଃ ପଦିଏ କଥା ଆସୁଛି–

“ଯା’ ନ ଚାହିଁବେ ସ୍ବୟଂ ନାରାୟଣ
ଚାହିଁଲେ ନହୋଇବ କେହି ଜନ”

ଜୟ ଜଗନ୍ନାଥ

Tuesday, October 9, 2018

ଶ୍ଲୋକାର୍ଥ;ଘୃଣା ଆଦି ଷଡ଼ ଶତୃ ଦୁଃଖର କାରଣ

ଈର୍ଷ୍ୟୀ ଘୃଣୀ ନ ସନ୍ତୁଷ୍ଟଃ କ୍ରୋଧନୋ ନିତ୍ୟାଶଙ୍କିତଃ ।
ପରଭାଗ୍ୟୋପଜୀଵୀ ଚ ଷଡ଼ତେ ନିତ୍ୟଦୁଃଖିତାଃ ।।

“ଈର୍ଷା ଦ୍ଵେଷ ଘୃଣା କରିଲା ଜନ
କ୍ରୋଧେ ଅସନ୍ତୋଷ ଯା’ର ମନ
ସଦା ଶଙ୍କିତ ଯେ ଲୋକ ରୁହେ
ପର ଭାଗ୍ୟ ବଳେ ଜୀଵନ ଚଳେ
ସେମନ୍ତ ଵ୍ୟକ୍ତିର କପାଳ ଫଟା
ଦୁଃଖ ସେ ଜୀଵନେ ଭୋଗଇ ସଦା”

ଶ୍ଲୋକାର୍ଥ :-ମୂର୍ଖ;ଭର୍ତ୍ତୁହରି ନୀତିଶତକମ୍

ପ୍ରହସ୍ୟ ମଣିମଦ୍ଧରେନ୍ମକରଵକ୍ରନ୍ଦଷ୍ଟ୍ରାନ୍ତରାତ୍
ସମୁଦ୍ରମପି ସନ୍ତରେତ୍ପ୍ରଚଳଦୁର୍ମିମାଳାକୁଳମ୍ ।

ଭୁଜଙ୍ଗମପି କୋପିତଂ ଶିରସି ପୁଷ୍ପଵଦ୍ଧାରୟେ
ନ୍ନ ତୁ ପ୍ରତିନିଵିଷ୍ଟମୁର୍ଖଜନଚିତ୍ତମାରାଧୟେତ୍ ।।୪।।
ଲଭେତ୍ ସିକତାସୁ ତୈଳମପି
ଯତ୍ନତଃ ପୀଡୟନ୍ପିବେଚ୍ଚ
ମୃଗତୃଷ୍ଣିକାସୁ ସଲିଳଂ ପିପାସାର୍ଦ୍ଦିତଃ ।

କଦାଚିଦପି
ପର୍ଯ୍ୟଟଞ୍ଛଶଵିଷାଣମାସାଦଯେତ୍ନ
ତୁ  ପ୍ରତିନିଵିଷ୍ଟମୂର୍ଆଜନଚିତ୍ତମାରାଧୟେତ୍ ।।୫।।

(ଭର୍ତ୍ତୁହରି ନୀତି ଶତକମ୍-ଶ୍ଲୋକ-୪ ଓ ୫ )

ଭାଵାର୍ଥ:-
“ମଗର ମୁଖରେ ମଣି ଫସିଥିଲେ
କାଢିନେବା ଟା ଵରଂ ସହଜ.....
ସାହସ ବଳରେ ସାରା ସମୁଦ୍ରକୁ
ଲଙ୍ଘିଯିବା ବି ଵରଂ ସହଜ....
ଵିଶାକ୍ତ ସର୍ପକୁ ଗଳାରେ ମାଳା
କରି ପିନ୍ଧିବା ହୁଏତ ସହଜ....
କିନ୍ତୁ ଏ ଜଗତେ ମୂର୍ଖକୁ ବୁଝେଇବା
ଆଦୌ ନୁହଁଇ ସହଜ....”

କଳେ ବାଲିରୁ ତୈଳ କାଢିନେବା
ଵରଂ ହୋଇପାରେ ସହଜ....
ମରୂଭୂମିର ମୃଗତୃଷ୍ଣାରୁ ମଧ୍ଯ ଜଳକୁ
ପାଇବା ବହୁତ ସହଜ.....
ବୁଲି ବୁଲି ଉଣ୍ଡିଲେ ଠେକୁଆ ମୁଣ୍ଡରେ
ଶିଙ୍ଘ ବି ମିଳିବା ହବ ସହଜ....
କିନ୍ତୁ ଦୁରାଗ୍ରହଗ୍ରସ୍ତ ମୂର୍ଖକୁ ସନ୍ତୁଷ୍ଟ କରିବା
ଆଦୌ ନୁହଁଇ ସହଜ.....

Monday, October 8, 2018

ଶାସ୍ତ୍ର କହେ ଅମାନଵଙ୍କୁ ଵଳି ଦିଅ

ସବୁବେଳେ ଦୁଇଟି ଶ୍ଲୋକକୁ ମନରେ ବ୍ରହ୍ମଵାକ୍ୟ ପରି ହେତୁ କରିଥାଏ

୧-ମୂର୍ଖସ୍ୟ ପଞ୍ଚ ଚିହ୍ନାନି ଗୁର୍ଵି ଦୁର୍ଵଚନୀ ତଥା
ହଠିଚାପ୍ରିୟଵାଦିଶ୍ଚ
ପରୋକ୍ତଂ ନୈଵ ମାନ୍ୟତେ ।।

୨-ମାତୃଵତ୍ ପରଦାରେଷୁ ପରଦ୍ରଵ୍ୟେଷୁ ଲୋଷ୍ଟ୍ରଵତ୍ ।
ଆତ୍ମଵତ୍ ସର୍ଵଭୂତେଷୁ ଯଃ ପଶ୍ୟତି ସଃ ପଣ୍ଡିତ ।।

ଏ ଉଭୟ ଶ୍ଲୋକର ଅର୍ଥ ଅତି ସହଜ
ମୂର୍ଖ ଓ ପଣ୍ଡିତ କିଏ ତାହାରେ ଭେଦାଭେଦ ଉଭୟ ଶ୍ଲୋକରେ ରହିଛି ।
ଏହି ଧାରାରେ ଭିନ୍ନ ଭିନ୍ନ କଵି ମୂର୍ଖ ଓ ପଣ୍ଡିତଙ୍କ ଵିଷୟରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ତନ୍ମଧ୍ୟରୁ  କଵୀରଙ୍କର ମତ ଅନ୍ୟତମ । କଵୀର କହିଲେ
“पढत पढत पोथीआँ पंडित भया न कोय
ढई आखर प्रेम का पढे सो पंडित होय”
କଵୀର ସର୍ଵଜନଙ୍କୁ ପ୍ରେମ କରୁଥିବା ଲୋକଙ୍କୁ ପଣ୍ଡିତ କହୁଛନ୍ତି ଆଉ କହୁଛନ୍ତି ଯେ ଲକ୍ଷେ ପୋଥି ପଢି ବି କିସ ଲାଭ ଯଦି ତୁମ ମନରେ ପ୍ରେମ ସ୍ନେହରୁ ଜାତ ଦୟା,ଶ୍ରଦ୍ଧା, କ୍ଷମା ଓ ନମ୍ରତା ଆଦି ଐଶ୍ୱରୀୟ ଗୁଣ ନାହିଁ ।

ସମାନ କଥା ଏଠାରେ ଦ୍ଵିତୀୟ ଶ୍ଲୋକରେ
କୁହାଯାଇଛି
“ଆତ୍ମଵତ୍ ସର୍ଵଭୂତେଷୁ ଯଃ ପଶ୍ୟତି ସଃ ପଣ୍ଡିତ ।।”
ଅର୍ଥାତ୍ ଯେ ଆଵାଳବୃଦ୍ଧଵନିତା କି ପାଦପ କୀଟ ପତଙ୍ଗ ସର୍ଵତ୍ର ଏକାକାର ମନେ କରେ ସେ ପଣ୍ଡିତ । ସମସ୍ତଙ୍କୁ ଗୋଟିଏ ମନେ କଲେ ଵିଵାଦ ହେବ ନାହିଁ ।
ସ୍ଵୟଂ କୁ ଆଗେ ଓଡ଼ିଆ ମନେ କଲେ କଟକିଆ,ସମ୍ଵଲପୁରିଆ,ବାଲେଶ୍ଵରିଆ,ବରହମପୁରିଆ, ମୋଗଲବନ୍ଦୀ ଲୋକ,ଗଡଜାତିଆ,ଦେଶିଆ ଆଦି ଆଞ୍ଚଳିତାଵାଦ ମୁଣ୍ଡ ଟେକି ପାରିବନି ....
ସ୍ଵୟଂ କୁ ଆଗେ ଭାରତୀୟ ମନେ କଲେ ଵିହାରୀ-ଗୁଜାରାଟୀ,ଓଡ଼ିଆ-ବଙ୍ଗଳା, ତାମିଳ-ତୁଲୁ କଳି କନ୍ଦଳି ହେବ ନାହିଁ ....
ସ୍ଵୟଂ କୁ ପୃଥିବୀଵାସୀ ମନେ କଲେ ଦେଶ-ଦେଶରେ ଯୁଦ୍ଧ ଓ ହିଂସା ହେବ ନାହିଁ .....

କିନ୍ତୁ ବେଳେ ବେଳେ ଆମେ
କ୍ରୋଧ ପ୍ରତିହିଂସା ଓ ଦ୍ଵେଷାନଳରେ ଏତେ ମାତ୍ରାରେ ଅନ୍ଧ ହୋଇଯାନ୍ତି ଯେ
ଆପଣାର ଦୋଷ ଦିଶେନି କିନ୍ତୁ ପର ଦୋଷ ଯାକ ଜଳ ଜଳ ହୋଇ ଦିଶିଯାଏ ।
ଧୀରେ ଧୀରେ ଏଭଳି ଲୋକ ଘୃଣାର ଵିଷ ପିଇ ପିଇ ଏତେ ନିଶାଶକ୍ତ ହୋଇଯାନ୍ତି ଯେ ତାଙ୍କ ମନରେ ଗର୍ଵ ଘର କରିନିଏ । ସେମାନେ ନିଜେ
ଜିତିବା ହେତୁରୁ ଆନକୁ ଅସାଧୁ ଆଚରଣ କରିବାକୁ ସୁଦ୍ଧା ପଶ୍ଚାତପଦ ହୁଅନ୍ତି ନାହିଁ । ହଠ ଯୋଗରେ ତାଙ୍କ ଠାରୁ ସ୍ଵୟଂ ତାଙ୍କ ବୋପା ମଧ୍ଯ ପରାଜିତ ହୋଇଯାଏ । ଆଉ ଏଭଳି ଲୋକ କାହାର ମଧ୍ଯ କେଵେଵି ପ୍ରିୟପାତ୍ର ହୋଇପାରନ୍ତି ନାହିଁ ।
ସାଧୁ ! ତୁମେ ସେଭଳି ଲୋକଙ୍କୁ ମୂର୍ଖ ଜାଣିବ

ମନୁଷ୍ୟର ଷଡଶତୃ(କାମ,କ୍ରୋଧ, ଅହଂ,ଇର୍ଷା ଇତ୍ୟାଦି)ଙ୍କୁ ଯେ ପୂଜା କରନ୍ତି ସେ ମାନଵ ନୁହନ୍ତି ପଶୁ ତଥା ରାକ୍ଷସ । ଏଭଳି ରାକ୍ଷସ ମାନଙ୍କୁ ଵଳି ଦେବାକୁ ସନାତନ ଧର୍ମର ଵିଭିନ୍ନ ଗ୍ରନ୍ଥରେ ଉଲ୍ଲେଖ ଅଛି । ସାମାଜରେ ଘୃଣା ବାଣ୍ଟୁଥିବା ଲୋକଙ୍କୁ ଆଗାମୀ ଦୂର୍ଗାପୂଜା ସମୟରେ ଯଦି ଦେବୀଙ୍କ ଆସ୍ଥାନରେ ଵଳି ଦିଆଯାନ୍ତା ତେବେ ଶାସ୍ତ୍ରର ଉପଦେଶ ସାର୍ଥକ ହୁଅନ୍ତା
*ଜୟ ଜଗନ୍ନାଥ*