Thursday, June 20, 2019

ଓଡ଼ିଆ ଭାଷାର କେତେକ ଗୁପ୍ତ ଵା ଠାର ଭାଷା


ଓଡ଼ିଶାରେ ଵିଭିନ୍ନ ପ୍ରକାରର ଗୁପ୍ତ ଭାଷା ରହିଛି । ସାଧାରଣ ଭାଷା ଠାରୁ ଏଗୁଡ଼ିକ ସାମାନ୍ୟ ଦୁର୍ଵୋଧ ଫଳରେ କୋୖଣସି ଗୁପ୍ତ ଵିଷୟ ପରସ୍ପରରେ କଥୋପକଥନ ସମୟରେ ତୃତୀୟ ଵ୍ୟକ୍ତି ହଟାତ୍ ବୁଝିପାରେ ନାହିଁ । ଇଂରାଜୀରେ ଏଭଳି ଭାଷାକୁ cypher language ଓ କୋର୍ଡ ଓ୍ଵାର୍ଡ ଲାଙ୍ଗୁଏଜ୍ ଆଦି କୁହାଯାଏ ।ଓଡ଼ିଆ ଭାଷା ଆଧାରିତ ସେହିପରି କିଛି ଗୁପ୍ତ ଭାଷାର ଉଦାହରଣ ଏଠାରେ ଦିଆଗଲା ―


■■■■■ଶଶିଠାର■■■■■

ଏଥିରେ ବର୍ଣ୍ଣମାଳାର ଅକ୍ଷରମାନଙ୍କ ସ୍ଥାନରେ ଯଥାକ୍ରମେ ଅନ୍ଯ ନିର୍ଦ୍ଦିଷ୍ଟ ଅକ୍ଷର ଲଗାଇ କଥା ଭାଷା କରାଯାଏ।ଯଥା—●ଅ = କ /କ = ଅ ।
●ଆ =କା /କା = ଆ
●ଇ—କି , ଈ—କୀ ,
●ଉ—କୁ , ଊ—କୂ
●ଋ—କୃ , ଋ—କୃ
●ଏ—କେ , ଐ—କୈ
●ଓ—କୋ , ଔ—କୌ
●ଖ—ଗ/ଗ = ଖ
●ଘ—ଙ
●ଚ ବର୍ଗ=ଟ ବର୍ଗ
● ଞ—ଣ
●ତ ବର୍ଗ=ପ ବର୍ଗ
●ନ—ପ
●ଯ=ଶ/ର=ଷ/ ଳ—ସ/ ହ=କ୍ଷ/ଶଶିଠାରର କେତେକ ଉଦାହରଣ...

■ସାମାନ୍ୟ ଭାଷାରେ →ମୁଁ ଭାତ ଖାଉଅଛି ●ଶଶିଠାର ଭାଷାରେ→ନୁ ଧାପ ଗାକୁ କଠି
■ସାମାନ୍ୟ ଭାଷାରେ → ବାବାରେ ! ଆସ
●ଶଶିଠାର ଭାଷାରେ →ଦାଦା ସେ କାର







■■■■■ଫୁଲଠାର■■■■■

କେତେକ ଫୁଲକୁ ନାମୋଚ୍ଚାରଣ ସାହାଯ୍ୟରେ କଥିତ ଏକପ୍ରକାର ଠାର ବା ସଙ୍କେତଭାଷା । ବାକ୍ଯସ୍ଥ ଅକ୍ଷରମାନଙ୍କ ମଧ୍ଯରେ 'ଫୁଲ' ଶବ୍ଦ ପ୍ରୟୋଗ କରି ବାକ୍ଯ ପ୍ରକାଶ କରିବାର ଏକପ୍ରକାରଠାର ଚଳୁଥିଲା ।

ଏହାର କିଛି ଉଦାହରଣ―
●କିଆ ଫୁଲ କହିଲେ 'କ' ଅକ୍ଷର,
●ଚମ୍ପା କହିଲେ 'ଚ' ଅକ୍ଷର
●ଟଗର କହିଲେ 'ଟ' ଅକ୍ଷର
●ତରାଟ=ତ
●ପଦ୍ମ=ପ
●ରଙ୍ଗଣିଫୁଲ=ର
ଇତ୍ଯାଦି
ଉକ୍ତିଟି ଠାରରୁ ବୁଝିବାକୁ ହୁଏ ।

■■■■■ଆଶେଳେଷା ଠାର■■■■

ଏକ ପ୍ରକାର ଠାର, ଯହିଁରେ ବାକ୍ଯର ପ୍ରତ୍ଯେକ ଅକ୍ଷର ପରେ 'ଶେଳେଷ' ଯୁକ୍ତ ହୋଇ ତହିଁ ସଙ୍ଗେ ସ୍ବରବର୍ଣ୍ଣ ମିଶି ବୋଲାଯାଏଏହାର ଉଦାହରଣ:-ଆମେ=ଅ 'ଶେଳେଷା'+ମ'ଶେଳେଷେ' ଯାବା= ଯ 'ଶେଳେଷି'+ବ'ଶେଳେଷା'।)

■■■■■ ଅପ୍ ଵା ଅପନ୍ ଠାର■■■■■

ଗଡ଼ଜାତରେ ଏ ଠାରଟି ଆଜି ବି ଚଳୁଥିଵା ଦେଖାଯାଏ । ଏହି ଠାରରେ ଶବ୍ଦ ମଝିରେ ଅପ୍ନ ଵା ଅପ୍ ଲଗେଇ ବୋଲାଯାଏ ।ଏହାର ଉଦାହରଣ
■ସାଧାରଣ ଭାଷାରେ ― ସେ କହିଲା କି ତୁମେ ଜଣେ ଖରାପ ଲୋକ ।
■ଠାର ଭାଷାରେ ― ସେ କପ୍ନହିଲା କି ତପ୍ମେ ଜପ୍ଣେ ଖପ୍ନରାପ ଲୋପ୍ନୋକ ।

ଓଡ଼ିଶାରେ ଏହିପରି ଅନ୍ୟ କୌଣସି ଗୁପ୍ତ ଭାଷା ଚଳୁଥିଲେ ଏଠାରେ ଜଣାଇଵାକୁ ଅନୁରୋଧ ରହିଲା ।(ତଥ୍ୟ ଓ ସମ୍ପାଦନା―ଶିଶିର ସାହୁ ମନୋଜ, କଵି ସନ୍ତୋଷ ପଟ୍ଟନାୟକ)

ଯୁଵକ ଓ ସ୍ଵେଚ୍ଛାସେଵୀ

ଆଜି ମନ୍ଦିରରେ ବହୁତ ଭିଡ଼ ଥିଲା । ଦେଵଦର୍ଶନ ପାଇଁ ଶହ ଶହ ଲୋକ ଲମ୍ଵା ଧାଡ଼ି ଲଗେଇ ଠିଆହୋଇଥାନ୍ତି । ଯୁଵକଟେ ବଡ଼ କୌତୁହଳ ପୂର୍ଵକ ସେମାନଙ୍କ ଆଡ଼େ ଚାହିଁଥାଏ ।

ଜଣେ ଧାର୍ମିକ ସ୍ଵେଚ୍ଛାସେଵୀ ଯୁଵକ ପାଖକୁ ଆସି କହିଲେ—

“ଦେଖନ୍ତୁ ଆଜି ମନ୍ଦିରରେ ବହୁତ ଭିଡ଼, ଏମିତିରେ ଦର୍ଶନ ସହଜ ନୁହେଁ କିନ୍ତୁ ଵିଶିଷ୍ଟ ଵ୍ଯକ୍ତିଙ୍କ ପାଇଁ ମନ୍ଦିର ପ୍ରଶାସନ ଵିଶେଷ ଵ୍ଯବସ୍ଥା କରିଛନ୍ତି । ଦେଵ ସେଵା ହେତୁ ଟ. ୫୦୧.୦୦ ଙ୍କା ଵ୍ଯୟ କରନ୍ତୁ  ସିଧା ଦର୍ଶନ ପାଇପାରିବେ !”

ଯୁଵକ କହିଲା — “୧୦୦୧.୦୦ ଦେବି । ଭଗଵାନଙ୍କୁ ଟିକିଏ କୁହ ତ ମୋ ସହ ବାହାରେ ଭେଟି ଯିଵେ । ତାଙ୍କୁ କହିଵ ମୁଁ ଆଇଛି,ମୋ ନାଆଁ ଶୁଣିଲେ ସେ ନିଶ୍ଚେଁ ଅସିଵେ ଯେ  !”

ସ୍ଵେଚ୍ଛାସେଵୀ ଟା ସାମାନ୍ୟ ଚିଡ଼ି ଯାଇ କହିଲା—
“ହେଇ ଟୋକା କମ୍ ବହପ ନୁହେଁ ତ ତୋର ! ଗମାତ କରୁଛୁ । କେଵେ ଶୁଣିଛୁ ଅଦିନେ ଈଶ୍ଵର ମନ୍ଦିର ଛାଡ଼ି ବାହାରକୁ ଆସନ୍ତି ! କିଏ ରେ ତୁ !”

ଯୁଵକ ପୁଣି କହିଲା—
“ରାଗୁଛନ୍ତି କାହିଁକି ଯେ ? ୧୦୦୦୧.୦୦ ଦେବି
ତାଙ୍କୁ କହିଵ ମୁଁ ଅମେକେଇ ପୁଅ ସମକେଇ ମୋତେ ମୋ ଘରେ ଅସି ଥରେ ମାତ୍ର ଭେଟି ଯିଵେ ଟି”

ଏତକ ଶୁଣିଲା କ୍ଷଣି ସ୍ଵେଚ୍ଛାସେଵୀର ରକ୍ତ ଗରମ ହେଇଗଲା, ଆଖି ରଙ୍ଗ ହେଇଗଲା,ଜଗତ ଅନ୍ଧାର ଦିଶିଲା ! ସ୍ଵେଚ୍ଛାସେଵୀଟା ଚାଲ୍ଲେଇକି କହିଲା
“ଏ ତୁ ଭଗଵାନଙ୍କୁ କଣ୍ ଭାବୁଛୁ ଵେ !”

ଯୁଵକ ବି ପ୍ରତ୍ୟୁତ୍ତର ଦେଲା—
“ସେଇକଥା ତ ତେମେ ଭଗବାନଙ୍କୁ କିୟଣ ଭାବୁଛ କି ?”

ଏତିକିଵେଳେ ‘ସଂସ୍କୃତି ରକ୍ଷକ ସେନା’ର ଦଳେ ‘ସାଂସ୍କୃତିକ ଗୁଣ୍ଡା’ ଆସି ଯୁଵକକୁ ଭଗଵାନଙ୍କ ଅପମାନ କରିଵା ଦୋଷରେ ପିଟିଦେଇ ଗଲେ ।

ଓଡ଼ିଆ ଭାଷାର ପ୍ରଥମ ଭାଷାଵିତ୍ ଶ୍ରୀ ଗୋପୀନାଥ ନନ୍ଦଶର୍ମାଙ୍କ ସୂକ୍ତି


୧.ସଂସ୍କୃତରୁ ଵିକୃତିପ୍ରାପ୍ତ ପ୍ରାକୃତ ଶବ୍ଦାଦି ଓଡ଼ିଆରେ ଯେତେ ଵ୍ଯଵହୃତ,ଅନ୍ଯ ଅନେକ ଭାଷାରେ ସେଥେ ଦେଖିଵାକୁ ମିଳେ ନାହିଁ ।

୨.ପ୍ରାକୃତ ଵ୍ଯାକରଣ ଲକ୍ଷଣମାନ ଓଡ଼ିଆ ଭାଷାରେ ଯେତେ ପରିମାଣରେ ଅନ୍ଵିତ,ଅନ୍ଯ ଭାଷାମାନଙ୍କରେ ସମ୍ଭଵତଃ ସେତେ ନୁହେଁ ।

୩.ନାନା ଦେଶୀୟ ଭାଷାମାନଙ୍କର ସମଷ୍ଟି ପ୍ରାକୃତ ଯେପରି ଗୋଟିଏ ସ୍ଵତନ୍ତ୍ର ଭାଷା, ଓଡ଼ିଆ ମଧ୍ଯ ସେହିପରି ସ୍ଵତନ୍ତ୍ର । ଓଡ଼ିଆ ରାଜ୍ୟରେ ଏହାର ଅକ୍ଷୁଣ୍ଣ ଅଧିକାର ।

୪.ଓଡି଼ଆରେ ସାଂସ୍କୃତିକ ଶବ୍ଦ ମାନଙ୍କର ମୌଳିକ ଆକାର ଯେପରି ପ୍ରାୟ ଅକ୍ଷୁଣ୍ଣ ରହେ,ତୈଲଙ୍ଗ ପ୍ରଭୃତିରେ  ସେପରି  ନୁହେଁ । ଏହାର କାରଣ ପ୍ରଥମା ଏକଵଚନ ଵିଭକ୍ତି ପ୍ରତ୍ଯୟର ଅଭାଵ ଓ ସଦ୍ଭାଵ । ତୈଲଙ୍ଗ ପ୍ରଭୃତିରେ ପ୍ରଥମା ଏକଵଚନ ଵିଭକ୍ତି ଯୋଗ ହୋଇଯାଉଥିଵାରୁ ତତ୍ସମ ଶବ୍ଦର କିଞ୍ଚିତ୍ ଭିନ୍ନାକୃତି ଜଣାଯାଏ । ଓଡ଼ିଆ ଭାଷାରେ ତାହା ନଥିଵାରୁ ତତ୍ସମ ଶବ୍ଦ ଅଵିକଳ ସଂସ୍କୃତ ପରି ପ୍ରତିପନ୍ନ ହୋଇଥାଏ ।

୫.ଵିକୃତ ପ୍ରକ୍ରିୟା ଦେଶୀୟ ଭାଷାମାନଙ୍କର ପ୍ରଧାନ ହୃତପିଣ୍ଡ ସ୍ଵରୂପ। ଏସବୁ ନଜାଣି ଲୋକେ ଅନେକ ସମୟରେ ଅଶ୍ରୁତ ତଦ୍ଭଵ ଶବ୍ଦଟିଏ ଶୁଣିଲେ,ତାକୁ ଅପରିଶୁଦ୍ଧ ମନେ କରନ୍ତି । ସେମାନେ କୌଣସି ପ୍ରକାର ଯେଵେ ତା’ର  ମୂଳ ଶବ୍ଦଟି ଜାଣିପାରନ୍ତି,ତେଵେ ସେହି ମୂଳ ପ୍ରକୃତିର ରୂପାନୁସାରୀ ଵା ସମାନରୂପ କରୁଣାର୍ଥ ପରିଶୋଧନ କରିଵାକୁ ଚେଷ୍ଟା କରନ୍ତି । କିନ୍ତୁ ସେପରି କରିଵା ଵିହିତ ନୁହେଁ । ସେହି ଶବ୍ଦଟି ପ୍ରାକୃତର ନିୟମିତ ବିକୃତି ପ୍ରକ୍ରିୟାରେ ସାଧୁ ଅଟେ ।

୬.ସଂସ୍କୃତ ଶବ୍ଦ ଓ ପଦର ନିଷ୍ପତ୍ତି ସକାଶେ ଯାଦୃଶ ନିୟମମାନ ପ୍ରଯୋଜ୍ଯ, ଓଡ଼ିଆ ସକାଶେ ମଧ୍ୟ ସେହିପରି । ଓଡ଼ିଆ ନିଜେ ନିର୍ନିୟମ ଭାଷା ନୁହେଁ । ଏହା ଖୁବ୍ ନିୟମବଦ୍ଧ । ନିଯମ ଵ୍ଯତିରିକ୍ତ କୌଣସି ଭାଷାରେ ଶବ୍ଦାଦି ସାଧୁ ହୋଇ ନପାରେ ।

୭.ଆମ୍ଭମାନଙ୍କ ଭାଷାରେ ଏପରି କେତେକ ଶବ୍ଦ ଅଛି, ଯାହା କି ସସ୍ଵରୂପରେ ଅନ୍ୟାନ୍ୟ ଭାଷାରେ ମଧ୍ୟ ଚଳେ । ସେପରି ଶବ୍ଦଗୁଡ଼ିକ ଓଡ଼ିଆ ଭାଷା ସହ ଯେଉଁ ଭାଷାର ସମାଧିକ ପାର୍ଥକ୍ୟ ନାହିଁ, ତହିଁରେ ପ୍ରାୟ ସମାନ ରୂପ ଓ ତୁଲ୍ଯାର୍ଥଵାଚକ ରହେ । ତାହା ବୋଲି ସେପରି ଶବ୍ଦଗୁଡ଼ିକୁ ଓଡ଼ିଆ ନ କହିଵା ସଙ୍ଗତ ନୁହେଁ । ଯଥାର୍ଥତଃ ଓଡ଼ିଆଭାଷା ଅନେକ ଭାଷା ଅପେକ୍ଷା ପ୍ରାଚୀନା ଅଟେ ।

୮.ପ୍ରାକୃତଭାଷାର ଏକ ଅଂଶ ରୂପେ ଵା ଅଵୟଵରୂପେ ଉଡ୍ର ଵା ଉଡ୍ର ଭାଷା ବହୁକାଳରୁ ବିଦ୍ୟମାନ ଅଛି । ତାହା ଓଡ଼ିଆର ନାମାନ୍ତର ମାତ୍ର । ତାତ୍କାଳିକ ଉଡ୍ର ଵା ଓଡ଼ିଆ ଭାଷା ଯାହା, ଆଧୁନିକ ଓଡ଼ିଆ ଭାଷା (ଅବିକଳ) ତା’ ନହେଲେ ସୁଦ୍ଧା ତାହା କେଵଳ କାଳକ୍ରମେ ଏହି ରୂପରେ ପରିଣତ ଓ ପରିଵର୍ତ୍ତିତ ହୋଇଅଛି । ଅତଏଵ ପ୍ରାଚୀନ କାଳରୁ ପ୍ରଚଳିତ ଓଡ଼ିଆ ଭାଷାର ସନ୍ନିହିତ ଏଵଂ ବହୁ ପରିମାଣରେ ସଦୃଶରୂପ ବଙ୍ଗ ଭାଷାରେ ଓଡ଼ିଆର ଯେଉଁ କେତେକ ଶବ୍ଦ ଅବିକଳତଃ ଵ୍ଯଵହୃତ ହେଉଅଛି, ସେଗୁଡ଼ିକୁ ଯଥାର୍ଥତଃ ଚିହ୍ନି ଓଡ଼ିଆ ଶବ୍ଦ ବୋଲି ସ୍ଵୀକାର କରିଵା ଉଚିତ ।

୯.କୌଣସି ଦେଶୀୟ ଭାଷା ତତ୍ର ପ୍ରଚଳିତ ତତ୍ସମ ଅର୍ଥାତ୍ ଶବ୍ଦଗୁଡ଼ିକୁ ଏଵଂ ଵିଜାତୀୟ ଦେଶଜ ଶବ୍ଦଗୁଡ଼ିକୁ ନିଜର ମୂଳ ସମ୍ପତ୍ତି ବୋଲି ଦାଵି କରିନପାରେ । ସଂସ୍କୃତ ଶବ୍ଦ ସମୁଦାୟରେ ସମଗ୍ର ଦେଶୀୟ ଭାଷାମାନଙ୍କର ସମାନ ଅଧିକାର ଓ ତୁଲ୍ଯ ସମ୍ପର୍କ । ଭାଷାର ସ୍ଵୀୟ ଶବ୍ଦସମ୍ପତ୍ତି ପ୍ରଦର୍ଶନ କଲାଵେଳେ ତଦୀୟ ତଦ୍ଭଵ ଶବ୍ଦନିଚୟ ଏଵଂ ସଜାତୀୟ ଦେଶଜ ଶବ୍ଦସନ୍ଦୋହ କେଵଳ ଧାର୍ଯ୍ୟ ହେଵା ଵିହିତ ।

୧୦.ଓଡି଼ଆ ଶବ୍ଦତତ୍ଵପରିଶୀଳଞ ସଂସ୍କୃତ ଓ ପ୍ରାକୃତ—ଉଭୟ ଭାଷାରେ ଅଭିଜ୍ଞତାର ସାପେକ୍ଷ । ସେଥିପାଇଁ ସେହି ଉଭୟ ଭାଷାରେ ପାଣ୍ଡିତ୍ୟ ଦରକାର ।

୧୧.ଯଥାଯଥ ଵର୍ଣ୍ଣଵିନ୍ଯାସ ହେଲେ ଭାଷା ଶୁଦ୍ଧ ଏଵଂ ଅଯଥା ଵର୍ଣ୍ଣଵିନ୍ଯାସରେ ଭାଷା ଅଶୁଦ୍ଧ ହୁଏ । ମୁଖରେ ଏକପ୍ରକାର ଉଚ୍ଚାରଣ କରି ଅନ୍ୟ ପ୍ରକାରର ଲେଖିଵା ବଡ଼ ବାଡ଼ମ୍ଵନା । ଏହା ସର୍ଵଭାଷାଵିତ୍’ମାନଙ୍କର ମତ ।

୧୨.ଭାଷାର ମୌଳିକ ସତ୍ତା କେଵଳ ଜାତୀୟତାର ପ୍ରାଣ ।

୧୩.ଯେଉଁ ଭାଷାରେ ଦେଶଜ ଜାତୀୟ ଶବ୍ଦ ଯେତେ ଅଧିକ,ସେହି ଭାଷା ସେତେ ପରିମାଣରେ ଶକ୍ତିଶାଳିନୀ । ଏହା ଏକପ୍ରକାରେ ସମସ୍ତ ଦେଶର ଭାଷାଵିତ୍ ସମାଜରେ ସର୍ଵଵାଦିସମ୍ମତ । ଦେଶଜ ଶବ୍ଦର ବହୁଳତା ଏଵଂ ପରିପୁଷ୍ପତାରୁ ଜାତୀୟ ପ୍ରାଣର ପୂର୍ଣ୍ଣତା ଏଵଂ ବହୁମୁଖୀ ଚିନ୍ତାର ପରିଚୟ ମିଳେ ।

୧୪.ଜାତୀୟ ପ୍ରାଣର ନୈସର୍ଗିକ ଭାଵଵ୍ଯଞ୍ଜନ ଶବ୍ଦଗୁଡ଼ିକ ଲୋପ ପାଇଗଲେ ଜାତୀୟ ଶକ୍ତିର ଯେ କି ଅନିଷ୍ଟ ହୁଏ, ତାହା ସାମାନ୍ୟ ଚିନ୍ତା କଲେ ଅନାୟସରେ ଜଣାପଡ଼ିଵ ।

୧୫.ଯେଉଁ ଜାତି ସମ୍ଯକ୍ ଉଦୀୟମାନ ହେଲାପରେ ନିଜର ଭାଷା ପ୍ରତି ଓ ନୈସର୍ଗିକ ସତ୍ତାରେ ଗଠିତ ଵିଶୁଦ୍ଧ ଜାତୀୟ ଶବ୍ଦମାନଙ୍କ ପ୍ରତି ସମ୍ଯକ୍ ଆସ୍ଥା ଓ ଅଭିମାନ ରଖେ ନାହିଁ ସେହି ଜାତିର ତାଦୃଶ ଶବ୍ଦମାନ କିଛିକାଳପରେ ଵନ୍ଯ କ୍ଷୁଦ୍ର କ୍ଷୁଦ୍ର ଉଦ୍ଭିଦପ୍ରାୟ ଵିଲୁପ୍ତ ହୋଇଯାଏ ।

ମେଣ୍ଢାଶିଙ୍ଗିଆ ଵା ଗୁଡ଼ମାରୀ ଗଛ

ମେଣ୍ଢାଶିଙ୍ଗିଆ ଏକ ଲଟାଳିଆ ଗଛ । କେହି କେହି ମେଣ୍ଢା ଶିଂଘା,ମେଣ୍ଢା ଶିହାଁ ବି କୁହନ୍ତି । ଏହାର ଵୈଜ୍ଞାନିକ ନାମ Gymnema Sylvestre । ଏହି ଗଛର ପତ୍ର ସୁଗନ୍ଧ ଯୁକ୍ତ। ଏହାର ମୂଳ ଔଷଧରେ ଲାଗେ । ଏହାର ଅନ୍ଯ ସଂସ୍କୃତ ନାମ ମେଷକ ଓ ମେଷ ଶୃଙ୍ଗୀ ।  ଏହାର ଚେର ଦ୍ବାରା ସର୍ପ ଵିଷ ଦୂର ହୁଏ ।   ଏହାର ପତ୍ର ଚୋବାଇଲେ ଜିଭ ଝିମିଝିମି ହୁଏ ।  ଏହା ଵାତଵର୍ଦ୍ଧକ, ଶ୍ବାସ ଓ କାଶ ଵର୍ଦ୍ଧକ। ଏ ପତ୍ର ବ୍ରଣ ଓ ଆଖିର ଦରଜ ଦୂର କରେ ।  ଏଥିର ଫଳ କାଶ, କୃମି, ବ୍ରଣ, ଵିଷ ଓ କୁଷ୍ଠ ଦୂର କରେ ।  ଏ ଗଛ ପୂର୍ଵଘାଟ ପର୍ଵତମାଳା ଦାକ୍ଷିଣାତ୍ଯର ଜଙ୍ଗଲରେ ଜନ୍ମେ । ହିନ୍ଦିଭାଷୀ ଏ ଗଛକୁ गुड़मार କୁହନ୍ତି ଯେହେତୁ ଏହାର ପତ୍ର ଚୋଵେଇଲେ କୌଣସି ବି ମିଠା ପଦାର୍ଥର ସ୍ଵାଦ ପନ୍ଦର ମିନିଟ୍ ରୁ ୫୦ ମିନିଟ୍ ଯାଏଁ ଆସ୍ଵାଦନ କରିହୁଏ ନାହିଁ । ଗୁଡ଼ ଓ ଚିନିର ବି ସ୍ଵାଦକୁ ମାରିପାରୁଥିଵାରୁ ହିନ୍ଦୀରେ ଏହାର ନାମ ଗୁଡ଼ମାର୍ ହୋଇଅଛି। କପକାଞ୍ଚଳରେ ବି ଏ ଗଛରୁ ସ୍ଥାନୀୟ କଥିତ ଶୈଳୀରେ ଗୁଡ଼ମାରୀ କୁହାଯାଇଥାଏ ।  ସେହିପରି ମେଣ୍ଢାଶିଙ୍ଗିଆ ନାମ ଏ ଗଛର ଫଳର ଆକାର ଯୋଗୁଁ ଖ୍ୟାତ ହୋଇଅଛି । 


ଅନ୍ଯ ଭାଷାରେ ମେଣ୍ଢାଶିଙ୍ଗିଆ ଗଛର ନାମ



✔️ଶାସ୍ତ୍ରୀୟଭାଷା(ସଂସ୍କୃତ - ଓଡ଼ିଆ)—

ନନ୍ଦୀବୃକ୍ଷ, ଚକ୍ଷୁଃ, ଚକ୍ଷୂର୍ବହଳ, ବହଳଚକ୍ଷୂଃ, ମେଡ୍ରଶୃଙ୍ଗୀ,ଗୃହଦ୍ରୁମା,ଅଜଶୃଙ୍ଗୀ,ମେଷଶୃଙ୍ଗୀ,ବିଷାଣୀ,ମେଷ ଵିଷାଣୀ ମେଷବଲ୍ଲୀ, ଆଜଶୃଙ୍ଗିକା,ମଧୁନାଶିନୀ

✔️ଇଂରାଜୀ—

The creaw tree,gymnema,

Australian cowplant,Periploca of the woods,

✔️ହିନ୍ଦୀ —ଗୁଡ଼ମାର୍,ମେଢ଼ାଶୀଂଗୀ; 

✔️ବଙ୍ଗାଳୀ—ଛାଗଲବେଁଟେ, ମେଡ଼ାଶଙ୍ଗୀ; 

✔️ମରାଠୀ—ବେଡକୀଚା,ମେଣ୍ଡଫଳୀ,

✔️ଗୁଜରାଟୀ—ମଡ଼ାଶିଙ୍ଗୀ

✔️ଫାର୍ସୀ—ବିସ୍ତ

✔️ଆରଵୀ—ବାର୍କିସ୍।

✔️ସିଂହଳୀ—මස්බැද්ද / Masbadda

✔️ମଳୟାଳମୀ—ചക്കരക്കൊല്ലി

                      (cakkarakkealli)

✔️ତାମିଳ—சிறுகுறிஞ்சா

                      (Cirukurinca)

✔️ତେଲୁଗୁ—పొడపత్(podapat)


ମେଣ୍ଢାଶିଙ୍ଗିଆର ଵୈଜ୍ଞାନିକ ନାମ “Gymnema Sylvestre” ମଧ୍ଯରୁ “Gymnema” ଶବ୍ଦରେ  ଗ୍ରୀକ୍ ଭାଷାର ଦୁଇଗୋଟି ଶବ୍ଦ "gymnos" (γυμνὀς) ଓ "nēma" (νῆμα) ରହିଛି । ଏ ଶବ୍ଦ ଦ୍ଵୟର ଅର୍ଥ "ନଗ୍ନ" ଓ "ତନ୍ତୁ" ଏଵଂ ଏହାର ଵିଶେଷଣଵାଚକ  ନାମ “sylvestre”ର ଅର୍ଥ “ଜଙ୍ଗଲର” ଵା “ଵନ୍ଯ” ଅଟେ ।ତେଣୁ “Gymnema Sylvestre”ର ସମ୍ପୂର୍ଣ୍ଣ ଓଡ଼ିଆ ଭାଵାନୁଵାଦ ହେଵ “ଵନ୍ଯ ନଗ୍ନତନ୍ତୁକା” ଲତିକା ।


(ଶିଶିର ସାହୁ ମନୋଜ ଓ ଉଡ୍ରବନ୍ଧୁ ଡ. ଦେଵାଶିଷ ଜ୍ଯୈଷ୍ଠୀ)

Wednesday, June 19, 2019

ମୁଁ ବାଘ ନୁହେଁ ଗୋଟାଏ ଗଧ

ଗୋଟାଏ ଗଧ ପଡି଼ଉଠି ନଟା ଆଡ଼େ ଦୌଡୁ଼ଥାଏ ।

ବାଟରେ ତାକୁ ଗୁଣ୍ଡୁଚି ମୂଶାଟେ ଦେଖି
ପଚାରିଲା —

“କିସ ହେଲା ହୋ ଗଧବାବୁ ଏ ଖରାଵେଳଟାରେ ଧଇଁସଇଁ ହେଇ
କୁଆଡେ଼ ଧାଇଁଯାଉଚ ?”

ଗଧ—
“ତମେ ଜାଣିନ କି ସେଠି ବାଘଟେ କୌଣସି ଲୋକର ହତ୍ୟା କରିଦେଇଛି !! ତାକୁ ଧରିଵାପାଇଁ ଜଙ୍ଗଲକୁ ପୋଲିସ ଆଇଚି ଯେ ।"

ଗୁଣ୍ଡୁଚିମୂଷା– “ହେଲେ ତେମେ କାହିଁକି  ଦୌଡୁ଼ଛ ? ତେମେ ତ ଗଧଟାଏ ପରି ଦିଶୁଚ ବାଘ ତ ନୁହେଁ ନା ?”

ଗଧ – “ଲାଗୁଛି,ତୁଟା ଏଠି ନୂଆ,ଇଏ ଭାରତରେ ପୁଅ ବୁଝିଲୁ...

ପୋଲିସ୍ ଥରେ ଦୋଷୀ ସନ୍ଦେହରେ ଧରିନେଲେ ନା ୧୦-୨୦ ଵର୍ଷ ତ ଅଦାଲତରେ ଏଇଆ ପ୍ରମାଣ କରିଵାରେ ଲାଗିଯିଵ ଯେ ମୁଁ
   
       “ବାଘ ନୁହେଁ ଗୋଟାଏ ଗଧ”

ଅନୁକରଣ

ଦୁଇ ଗଧଙ୍କ ପିଠିରେ ଦିଇଟା ପୁଟୁଳା ଲଦା ହୋଇଥିଲା । ଗୋଟେ ଗଧ ପିଠିରେ କପା ଆର ଗଧଟା ପିଠିରେ ଲୁଣ ଲଦା ହୋଇଥାଏ । ପ୍ରତିଦିନ ସେମାନେ ଏକ ନଦୀ ବାଟଦେଇ ହାଟକୁ ଯାଆନ୍ତି । ଲୁଣ ପୁଟୁଳି ବୋହୁଥିଵା ଗଧର ଦିନେ ଗୋଡ଼ ଖସିଗଲା ଯେ ସେ ଯାଇ ନଦୀ ପାଣିରେ ପଡି଼ଗଲା । ନଦୀରେ ପଡ଼ିଯିଵାରୁ ତା ପିଠିରେ ବନ୍ଧା ହୋଇଥିଵା ପୁଟୁଳିର ଲୁଣ କେତେକାଂଶରେ ପାଣିରେ ମିଳେଇଗଲା ।





ସେ ନଦୀରୁ ଉଠିଆସି ଆର ଗଧକୁ କହିଲା

“ଦେଖିଲୁ ପାଣିରେ ପଡି଼ଵା ଯୋଗୁଁ ମୋ ପୁଟୁଳିଟା କେତେ ହାଲୁକା ହୋଇଗଲା” !!

ଦ୍ଵିତୀୟ ଗଧ ମନରେ ଭାଵିଲା 💡

“ମୋ ପୁଟୁଳିଟା  ସେତେ ଭାରୀ ନଥିଲେ ବି ଆଉ ଟିକିଏ ହାଲୁକା ହୋଇପାରନ୍ତା ଯଦି ବହୁତ ବଢି଼ଆ ହୁଅନ୍ତା”

ମନରେ ଏମନ୍ତ ପାଞ୍ଚି ଦ୍ଵିତୀୟ ଗଧଟା ନଦୀ ଭିତରେ ପସିଗଲା ହେଲେ ତା ପୁଟୁଳିର ଓଜନ କମିଵା ବଦଳରେ ଅନେକଗୁଣ ବଢି଼ଗଲା । ଦ୍ଵିତୀୟ ଗଧଟା ନଦୀରେ ବୁଡ଼ିଗଲା ।

(ପରର ଅନୁକରଣ ବୁଝିବିଚାରି କଲେ ଭଲ,ଅନ୍ଧ ଭଳି ଅନୁକରଣ କଲେ ଦ୍ଵିତୀୟ ଗଧ ଭଳି ଦଶା ଭୋଗିଵାକୁ ପଡି଼ପାରେ)

Tuesday, June 18, 2019

ଦୁରୁଵା ଜନଜାତି ଏକ ପରିଚୟ

ଓଡ଼ିଶାରେ ୬୨ରୁ ଅଧିକ ଜନଜାତୀୟ ଲୋକ ଵସଵାସ କରନ୍ତି ତନ୍ମଧ୍ୟରେ

*କନ୍ଧ—ଗଣ୍ଡମାନେ ଦ୍ରାଵିଡ଼ ଭାଷାପରିଵାରର
*ସାନ୍ତାଳୀ—ସଉ (ଵ)ରାମାନେ ଆଷ୍ଟ୍ରୋଏସୀୟ ଭାଷାପରିଵାର
ଏଵଂ
*ଭତରୀ ହାଲଵୀମାନେ ଇଣ୍ଡିକ୍ ଭାଷାପରିଵାରର ଭାଷା ବୋଲିଥାନ୍ତି ।

ଅଵିଭକ୍ତ କୋରାପୁଟ ଓ ଛତିଶଗଡ଼ରେ ଵସଵାସକରୁଥିଵା ଅଧିକାଂଶ କନ୍ଧ-ଗଣ୍ଡ ଜନଜାତୀୟ ଲୋକଙ୍କ ଭାଷାକୁ ଦ୍ରାଵିଡ଼ ଭାଷାପରିଵାରର ‘ମଧ୍ଯ ଦ୍ରାଵିଡ଼ ଭାଷା ଉପଗୋଷ୍ଠୀ’ ମଧ୍ଯରେ ଳଖାଯାଇଛି ।

କନ୍ଧ ଜନଜାତିର ଆଉ ଏକ ଜାତିଭାଇ ହେଲେ ପରଜୀ,ଏଇ ପରଜୀମାନେ ପୁଣି ଅନେକ ନାମରେ ଜଣାଶୁଣା ଏଵଂ ତନ୍ମଧ୍ୟରେ ଦୁରୁଵା ଜନଜାତି ଅନ୍ଯତମ ଅଟେ ।

୨୦୦୧ ଜନଗଣନା ଅନୁସାରେ ଦୁରୁଵାମାନଙ୍କ ମୋଟ ଜନସଂଖ୍ୟା ୫୧୦୦୦ ଥିଲା । କୋରାପୁଟ, ମାଲକାନଗିରି, ନଵରଙ୍ଗପୁର, କନ୍ଧମାଳ ଓ ରାୟଗଡ଼ା ଛଡ଼ା ଏମାନେ ଛତିଶଗଡ଼ର ଵସ୍ତର ଜିଲ୍ଲାରେ ଵସଵସା କରନ୍ତି । ତେଲୁଗୁ ଅଞ୍ଚଳରେ ଦୁରୁଵାମାନଙ୍କର ଜାତିଭାଇ ଓଲାରୀ ଓ କୋଲାମୀ ଭାଵରେ ଜଣାଶୁଣା ।
କେହି କେହି ଗଵେଷକ ଏହି ତିନିଭାଷା ମଧ୍ୟରେ ଅନେକ ସାମଞ୍ଜସ୍ୟ ଦେଖି ଏମାନଙ୍କୁ ଏକ ଜନଜାତିର ଵିଭିନ୍ନ ନାମ ମନେ କରନ୍ତି ।

ଓଡ଼ିଶାରେ ମଧ୍ୟ ଦୁରୁଵାମାନେ ଅନେକ ଉପଜାତିରେ ଵିଭକ୍ତ ଯଥା —ସୋମା,ସୂରିଆ,ୟାଦୁ,କଦମ୍ବ,ଡାଙ୍ଗୁ,ଗରଗ ଇତ୍ୟାଦି

ପାଞ୍ଚ ଦଶନ୍ଧି ଧରି ଦୁରୁଵା ଜନଜାତି ଵିଷୟରେ ସରକାରଙ୍କ ନିକଟରେ ଭୁଲ୍ ତଥ୍ୟ ରହିଥିଲା । କେନ୍ଦ୍ରର ୧୯୫୧ ଜନଜାତୀୟ ସୂଚୀରେ ଅଵିଭକ୍ତ କୋରାପୁଟ ଓ ମୟୂରଭଞ୍ଜରେ ଧାରୁଆ ଜାତିର ଲୋକ ରହୁଥିଵା ଉଲ୍ଲେଖ କରାଯାଇଥିଲା । କିନ୍ତୁ ପ୍ରକୃତରେ ଧାରୁଆମାନେ କେଵଳ ମୟୁରଭଞ୍ଜର ଏକ ଜନଜାତି ଏଵଂ ଦୁରୁଵା ଜନଜାତୀୟ ଲୋକେ ଅଵିଭକ୍ତ କୋରାପୁଟର ଅନ୍ଯ ଏକ ସ୍ଵତନ୍ତ୍ର ଜାତି ଏଵଂ ଧାରୁଆଙ୍କ ଠାରୁ ସାମାଜିକ ରୀତିନୀତି ଦୃଷ୍ଟିରୁ ବହୁତ ଭିନ୍ନ । ଏ ଉଭୟ ଜନଜାତୀୟ ଲୋକଙ୍କ ଭାଷା ଓ ସଂସ୍କୃତିରେ ବହୁତ ଭିନ୍ନତା ରହିଛି ଯେମିତିକି ଦୁରୁଵାମାନେ ଶଵକୁ ପୋତନ୍ତି କିନ୍ତୁ ଧାରୁଆମାନେ ତାକୁ ଜଳାନ୍ତି ।

୨୦୦୩ରେ ଯାଇ ଦୁରୁଵା ଜାନଜାତୀୟ ଲୋକଙ୍କୁ ସେମାନଙ୍କର ପ୍ରକୃତ ପରିଚୟ ମିଳିପାରିଥିଲା । ଦୁରୁଵା ଜନଜାତୀୟ ଲୋକେ ଛତିଶଗଡ଼ରେ ମଧ୍ୟ ଵସଵାସ କରନ୍ତି କିନ୍ତୁ ଓଡ଼ିଶାର ଦୁରୁଵାଲୋକଙ୍କ ସହ ଏମାନଙ୍କର ଵୈଵାହିକ ସମ୍ପର୍କ ସମ୍ପୂର୍ଣ୍ଣ ଛିନ୍ନ ହୋଇସାରିଛି । କେହି ଛତିଶଗଡ଼ର ଦୁରୁଵା ଯଦି ଓଡ଼ିଶାର ଦୁରୁଵା ଅଧିଵାସୀ ସହ ଵୈଵାହିକ ସମ୍ପର୍କ ରଖେ ତେଵେ ତାକୁ ତା କୁଟୁମ୍ବକୁ ସବୁଦିନ ପାଇଁ ଜାତିରୁ ବାସନ୍ଦ କରିଦିଆଯାଏ ।

ଦୁରୁଵା ଜନଜାତୀୟ ଲୋକଙ୍କ ଭାଷାକୁ
ଦୁରୁଵାପାଟା କୁହାଯାଏ । ପାଟା ଶବ୍ଦର ଅର୍ଥ ସମ୍ଭଵତଃ ଭାଷା ହୋଇଥାଇପାରେ ତେଵେ କେତେକ ଗଣ୍ଡ ଓ କନ୍ଧଭାଷାରେ ‘ପାଟା’ର ଅର୍ଥ  ଗୀତ ଅଟେ । ଦୁରୁଵାଭାଷାର ଚାରୋଟି ଉପଭାଷା ଥିଵା ଜଣାଯାଏ ସେଗୁଡ଼ିକ ଯଥା
—ତିରିଆ(Tiriya)
—ନେଥନାର(Nethanar)
—ଧାରଵା(Dharba)
—କୁକନାର(Kukanar)

ଏହି ଭାଷାରେ ଏକ ଜାତୀୟ ଗାଢ଼ବାଦାମୀ କଫି ରଙ୍ଗର ଲୁଗାଧଡି଼ ଓ ମୁହଁ ଥିଵା ମୋଳା ଧଳାରଙ୍ଗର ବାନ୍ଧଥିଵା ଶାଢ଼ୀ ଵ୍ଯଵହାର ହୁଏ ଯାହାକୁ ପାଟା କୁହାଯାଏ । ପର୍ଵପର୍ଵାଣୀ ସମୟରେ ଦୁରୁଆ ସ୍ତ୍ରୀ ଵିଶେଷତଃ ଯୁଵତୀମାନେ ଏହା ପିନ୍ଧିଵାକୁ ଵେଶୀ ପସନ୍ଦ କରିଥାନ୍ତି ‌।

Sunday, June 16, 2019

——ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅମର ଉକ୍ତି;ମଧୁ ସୂକ୍ତି——



🌟ଭାରତଵାସୀ ସମସ୍ତ ଏକ ଦେଶୀୟ ହେଵାରୁ ଭାଇ ଅଟନ୍ତି, ସମସ୍ତଙ୍କ ମଧ୍ୟରେ ଭ୍ରାତୃଭାଵ ରହିଵା ଉଚିତ । ଧନୀ ଓ ଗରିଵ ମଧ୍ୟରେ କିଛି ପ୍ରଭେଦ ନାହିଁ ।


🌟ଏକ ସମୟରେ ଜନନୀଙ୍କର ଏକ ପଦ ଗଙ୍ଗା ଓ ଅନ୍ୟ ପଦ ଗୋଦାଵରୀରେ ରହିଥିଲା ଏବଂ ତାହାଙ୍କର କୀର୍ତ୍ତି ପଥରରେ ଖୋଦିତ ହୋଇ ଵିଶ୍ୱଲୋକଙ୍କର ଆଶ୍ଚର୍ଯ୍ୟ ବଢ଼ାଉଥିଲା । ଵର୍ତ୍ତମାନ ତାହାଙ୍କର ଦୁର୍ଦ୍ଦଶା ଦେଖି ମୁଁ କେତେ କାନ୍ଦିଛି ଓ କାନ୍ଦିବି ।


🌟ସ୍ୱଦେଶ ପ୍ରେମକୁ ଧର୍ମ ବୋଲି ମଣିଵା ହିଁ ପ୍ରକୃତ ମନୁଷ୍ୟତା ଅଟେ ।


🌟ପ୍ରତ୍ୟେକ ବିଦେଶୀୟ ଦ୍ରଵ୍ଯ ଵ୍ୟଵହାର କରିଵା ଦ୍ୱାରା ଆମ୍ଭେମାନେ ଦେଶୀୟ କାରିଗରଙ୍କ ଅଳ୍ପ [ ଅନ୍ନ ] ଗ୍ରାସ କାଢ଼ି ନେଉଅଛୁଁ ଏବଂ ସେମାନେ ଅନାହାରରେ ମଲେ ଆମ୍ଭେମାନେ ସେଥି ନିମିତ୍ତ ଦାୟୀ ଅଛୁଁ ।



🌟ଭାଷା ନେଇ ଜାତି । ଆମ୍ଭମାନେ ଭାରତ ଜନନୀ ଓ ଉତ୍କଳ ଜନନୀର ପୂଜା କରୁଅଛୁ । ଆମ୍ଭର ଉତ୍କଳ ସମ୍ମିଳନୀରେ ଗୋଟାଏ ସୂକ୍ତି ଥିଲା –


                                  “ମାତୃଭାଷା ମାତୃଭୂମି ଉଭୟେ ଜନନୀ


                                   କର ତାଙ୍କ ପାଦ ପୂଜା ଦିଵସ ରଜନୀ । ”


🌟ସାହିତ୍ୟରେ ପ୍ରାଦେଶିକତାର ସଂକୀର୍ଣ୍ଣ ଭେଦଭାଵ ରହିବା ଉଚିତ ନୁହେଁ । ଯେଉଁ ଭାଷା ହେଉ ପଛକେ ଯେଉଁଠି ଭଲ ଭାଵ, ଉଚ୍ଚ ଚିନ୍ତା ଓ ଉନ୍ନତ ରୁଚିର ଉପାଦାନମାନ ଅଛି ତାହା ଗ୍ରହଣ କରି ଆମ୍ଭମାନଙ୍କ ସାହିତ୍ୟ ଭିତରେ ପୂରାଇ ତାକୁ ଆମ୍ଭ ନିଜର କରିନେଵାକୁ ହେଵ ଓ ଲେଖକର ମାର୍ଗ ଓ ଧାରାକୁ ଆଧୁନିକ ରୁଚି ଅନୁଯାୟୀ ବଦଳାଇଵାକୁ ହେଵ ।


🌟ଯେ ମା’କୁ ଭଲ ପାଇଵା ଶିଖି ନାହିଁ, ସେ କଦାପି ମାତୃଭୂମିକୁ ଭଲ ପାଇଵ ନାହିଁ । କାରଣ ପ୍ରଥମେ ମାତୃ, ପରେ  ଭୂମି, ମା’ ଉପରେ ପିଲାର ଯେତେ ଵିଶ୍ୱାସ, ଅନ୍ୟ କାହା ଉପରେ ନାହିଁ ।


🌟ଏକ ଜାତିର କେତେକ ବ୍ୟକ୍ତି ସହିତ ଅନ୍ୟ ଏକ ଜାତିର କେତେକ ବ୍ୟକ୍ତିଙ୍କର ପରସ୍ପର ଵିରୋଧ ଥିବାର ଦେଖାଗଲେ , ଲୋକେ ଭ୍ରମରେ ପଡ଼ି ବ୍ୟକ୍ତିଗତ ଵିରୋଧକୁ ଜାତୀୟ ଵିଦ୍ଵେଷରେ ପରିଣତ କରିଵାକୁ ଚେଷ୍ଟା କରନ୍ତି । ଏହା ଦୁଇ ଜାତି ଵା  ମଧ୍ୟରେ ମିତ୍ରଭାଵ –ସମାଜରକ୍ଷା –ପକ୍ଷରେ ଗୋଟିଏ ମହା ପ୍ରତିବନ୍ଧକ ଅଟେ ।


🌟ଯେଉଁମାନେ ଉତ୍କଳର ସ୍ଥାୟୀ ଅଧିଵାସୀ ହୋଇଅଛନ୍ତି ଅର୍ଥାତ୍ ଯେଉଁମାନେ ଉତ୍କଳକୁ ସେମାନଙ୍କ ଗୃହସ୍ୱରୂପ ମଣିଅଛନ୍ତି, ସେମାନେ ଭିନ୍ନ ଜାତୀୟ ହେଲେ ସୁଦ୍ଧା ସେମାନଙ୍କୁ ଉତ୍କଳୀୟ ବେଲି ଗଣନା କରାଯିଵ । ଯେଉଁମାନେ ଅନେକଦିନ ହେଲା ଏଠାକୁ ଆସି ଓଡ଼ିଶାକୁ ଆପଣାର ମାତୃଭୂମି ସ୍ୱରୂପ ଗ୍ରହଣ ଏବଂ ସ୍ୱୀକାର କରୁଅଛନ୍ତି ଓ ଓଡ଼ିଆମାନଙ୍କ ହିତସାଧନକୁ ସ୍ୱଜାତିପ୍ରତି କର୍ତ୍ତବ୍ୟକର୍ମ ବୋଲି ମନେ କରୁଅଛନ୍ତି ସେହିମାନଙ୍କୁ ଆମ୍ଭେମାନେ ଉତ୍କଳୀୟ ବୋଲି ଡ଼ାକୁଅଛୁଁ ।


🌟ଭିନ୍ନ ଭିନ୍ନ ଜାତୀୟ ଦୁଇଜଣଙ୍କ ମଧ୍ୟରେ କୌଣସି  ଵିଵାଦ ହେଲେ ଲୋକେ ଏହି ଵିଵାଦକୁ ଦୁଇ ଜାତିଙ୍କ ମଧ୍ୟରେ ଵିଵାଦ ହେଲା ବୋଲି ସ୍ଥିର କରନ୍ତି, କିମ୍ୱା ଏହି ବ୍ୟକ୍ତିଗତ ଵିଵାଦକୁ ଜାତୀୟ ଵିଵାଦର ଫଳ ବୋଲି କହି ବୁଲନ୍ତି ।


🌟ଉନ୍ନତ ଜାତିମାନଙ୍କ ସଙ୍ଗେ ଭାଇ ଭାଵ ରଖିବା ଆବଶ୍ୟକ, ଭାତୃ ଚକ୍ଷୁରେ ନ ଦେଖିଲେ ଉନ୍ନତ ଜାତିମାନଙ୍କ ସଙ୍ଗେ ସମକକ୍ଷ ହେଵା କାଠିକର ପାଠ ।


🌟ଉତ୍କଳ ଜନନୀ ଭାରତ ଜନନୀଙ୍କଠାରୁ ଵିଚ୍ଛିନ୍ନ ନୁହନ୍ତି ଭାରତ ଜନନୀଙ୍କର ସପତ୍ନୀ କିମ୍ବା ଶତ୍ରୁ ନୁହନ୍ତି । ଏହି ଉତ୍କଳ ଜନନୀ ରୂପ ମୂର୍ତ୍ତି ଭାରତମାତାଙ୍କର ଗୋଟିଏ ମୂର୍ତ୍ତିଵିଶେଷ । ଏହି ରୂପଟି ଭାରତମାତାଙ୍କର ଗୋଟିଏ ଅଵତାର । ଏପରି ସ୍ଥଳରେ ଉତ୍କଳମାତା ଭାରତମାତାଙ୍କର ସପତ୍ନୀ ନୁହନ୍ତି ।


🌟ଉତ୍କଳ ଜନନୀ ଓ ଭାରତ ଜନନୀଙ୍କର କିଛି ପ୍ରଭେଦ ନାହିଁ । ଶରୀରର କୌଣସୀ ଅଂଶରେ ପୀଡ଼ା ହେଲେ ସେହି ଅଂଶର ଚିକିତ୍ସାଦ୍ଵାରା ସମସ୍ତ ଶରୀରର ଉନ୍ନତି ହେବ । ଉତ୍କଳର ଚିକିତ୍ସାର ଉଦ୍ଦେଶ୍ୟ ଭାରତର ଉନ୍ନତି ।


🌟ବଡ଼ଦେଉଳ ବାଲିରେ ପୋତି ହୋଇ ଯାଇଥିଲା । ରାଜାଙ୍କ ଘୋଡ଼ାଟାପୁ ବାଜିଵାରୁ ରାଜା ତାକୁ ପୁନରୁଦ୍ଧାର କରିଥିଲେ । “ଏହି ସ୍ଥାନରେ ବଡ଼ ଦେଉଳକୁ ଚାହଁ ଓ ଜାତିର ପୁନରୁଦ୍ଧାର କର”- ଏହା ଆମ୍ଭମାନଙ୍କର ଵୀଜମନ୍ତ୍ର ହେଵା ଆଵଶ୍ୟକ ।


🌟ଵ୍ଯକ୍ତିଗତ ଜୀଵନରେ ସ୍ଵାର୍ଥପରତା ଯେତେ ବୃଦ୍ଧି ହେଵ ଜାତୀୟ ଜୀଵନ ତେତିକି କମିଵ । ସ୍ଵାର୍ଥପରତା ଯେଵେ କମିଯିଵ ଜାତୀୟ ଜୀଵନ ତେତିକି ବୃଦ୍ଧି ହେଵ ।


🌟ଆମ୍ଭେମାନେ ସମସ୍ତଙ୍କୁ ଭାଇ ବୋଲି ସମ୍ଵୋଧନ କରୁଅଛୁ । ତାହାର ମାନେ ଏହି ଯେ ମୋ ଭାଇ ଯେଉଁ ମାତାଙ୍କ ରକ୍ତ ମାଂସରେ ଗଠିତ, ମୁଁ ସେହି ରକ୍ତ ମାଂସରେ ଗଠିତ । ସମସ୍ତେ ଭାରତ ସନ୍ତାନ ।


🌟ମୁଁ ଓଡ଼ିଆ, ଓଡ଼ିଶାରେ ଜନ୍ମଗ୍ରହଣ କରିଅଛି ଏବଂ ଵାସ କରୁଅଛି । ଉତ୍କଳ ମାତାଙ୍କ କୋଳରେ ମୋର ଅସ୍ଥି ମାଂସ ରହିଵ ।


🌟ସମସ୍ତେ କହନ୍ତି, ଆମ୍ଭର ଉପେନ୍ଦ୍ର ଭଞ୍ଜ । ମୁଁ ପ୍ରଶ୍ନ କରେଁ, “ତୁମ୍ଭର କିପରି ହେଲେ ?” 

ଜାତି କହିଲା-ଜାତିର ଯୋଗ୍ୟ ସୁସନ୍ତାନ ଜାତିର ଏବଂ କୁସନ୍ତାନ ବାପମାଆଙ୍କର ।


🌟ନଦୀର ଯେପରି ଜୁଆର ହୋଇଥାଏ, ପୁଣି ଭଟ୍ଟା ହୋଇଗଲେ ପାଣିସବୁ ସ୍ଥାନେ ସ୍ଥାନେ ରହିଯାଏ, ସେହିପରି ଓଡ଼ିଶାର ଦିନେ ଜୁଆର ଅବସ୍ଥା ଥିଲା । କିନ୍ତୁ ଵର୍ତ୍ତମାନ ଭଟ୍ଟା ଅବସ୍ଥାରେ ସ୍ଥାନେ ସ୍ଥାନେ ମନ୍ଦାଏ ମନ୍ଦାଏ ପାଣି ରହିଲାପରି ଦେଶଟା ଏଠାରେ ଖଣ୍ଡେ ସେଠାରେ ଖଣ୍ଡେ ହୋଇ ପଡ଼ିରହିଅଛି । ଯେପରି ସେହି ସମସ୍ତ ଜଳାଶୟକୁ ପୁଣି ଏକତ୍ର କରିଵାକୁ ହେଲେ ଜୁଆର ଆବଶ୍ୟକ, ସେହିପରି  ଏହି ଦେଶକୁ ଏକତ୍ର କରିଵାକୁ ହେଲେ ସର୍ବତ୍ର ଜାତୀୟ ଭାଵର ଜୁଆର ଉଠାଇଵାକୁ ହେଵ ।


🌟ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପୀ ଗରୀୟସୀ’- - ଏ ଵାକ୍ୟଟି ବହୁକାଳରୁ ଶୁଣା ଅଛି, କିନ୍ତୁ ତାହାର ଅର୍ଥ ବୁଝିଵାକୁ ବୋଧହୁଏ କେହି ଚେଷ୍ଟା କରନ୍ତି ନାହିଁ । ଦେଖନ୍ତୁ, ପ୍ରଥମେ ‘ଜନନୀ’ ଦ୍ଵିତୀୟରେ ‘ଜନ୍ମଭୂମି, ତୃତୀୟରେ ‘ସ୍ଵର୍ଗ’ । ମନୁଷ୍ୟଜନ୍ମରେ ପ୍ରତ୍ୟେକ ମନୁଷ୍ୟର ଜୀଵନକୁ ଗୋଟିଏ ସ୍ରୋତ ମନେ କଲେ ଦେଖିଵେ, ଏହି ସ୍ରୋତର ଆଦ୍ୟରେ ଜନନୀ, ମଧ୍ୟରେ ଜନ୍ମଭୂମି, ଶେଷରେ ସ୍ଵର୍ଗ, ପ୍ରତ୍ୟେକ ଆତ୍ମାର ଏହି ଗତି । ମନୁଷ୍ୟ ଜୀବନରେ ଆଦ୍ୟ ଜନନୀ, କାର୍ଯ୍ୟ ଜନ୍ମଭୁମି, ପୁରସ୍କାର ମୁକ୍ତି ବା ସ୍ଵର୍ଗ । ଏଥିପାଇଁ ଜନନୀ, ଜନ୍ମଭୁମି ସ୍ଵର୍ଗଠାରୁ ଗରୀୟସୀ ।


🌟ପ୍ରଥମେ ମାତା ରକ୍ତ ଦେଇଥିଲେ । ସେହି ରକ୍ତ ବୃଦ୍ଧି କରିଵା ପାଇଁ ମୋ ଜନ୍ମଭୁମି ମୋତେ ଶସ୍ୟାଦି ଦେଉଅଛି । ଅତଏଵ ଶରୀରର ଆଦ୍ୟ ପଦାର୍ଥ ଦିଏ ମାତା, ତାହାର ରକ୍ଷକ ଓ ବର୍ଦ୍ଧକ ଜନ୍ମଭୂମି । ଆମ୍ଭେମାନେ ପ୍ରଥମେ ପ୍ରସଵ ହେଲା ବେଳେ ଭୂମିଷ୍ଠ ହେଲୁ ବୋଲି କହନ୍ତି ଅର୍ଥାତ୍ ଆମ୍ଭେମାନଙ୍କୁ ମାତା ଜନ୍ମଭୁମି କ୍ରୋଡ଼ରେ ଅର୍ପଣ କରି ସେହି ଜନ୍ମଭୂମିର ପୂଜା କରିଵାକୁ ଆଦେଶ ଦିଅନ୍ତି ।


🌟ଓଡ଼ିଶାରେ ସେତେବେଳେ ଏପରି କୌଣସି ଲୋକ ନ ଥିଲେ ଯେ କି ଆପଣାକୁ ଓଡ଼ିଆ ବୋଲି ପରିଚୟ ଦେଇଥିଲେ । ଓଡ଼ିଶାର ଜଣେ ରାଜା ଆପଣାକୁ କଲିକତାରେ ବଙ୍ଗାଳୀ ବୋଲି ପରିଚୟ ଦେଇଥିଲେ । ଏ ସମସ୍ତ ଵିଚାର କଲେ ମୋର ସେତେବେଳେ କଣ କରିଵାରେ ଉଚିତ ଥିଲା ? ମୁଁ ସେହି ରାଜାଙ୍କୁ ଚାରିଘଣ୍ଟା ମଧ୍ୟରେ ଓଡ଼ିଆ କରିଥିଲି ।


🌟ଆମେ ଓଡ଼ିଆ ! ଆମ୍ଭେମାନେ ଗୋଟିଏ ସ୍ଵତନ୍ତ୍ର ଜାତି  ! ଏହି ଜ୍ଞାନ,  ଵର୍ତ୍ତମାନ ଅବସ୍ଥାରେ ଜାତିର ଏକମାତ୍ର ପାଣ୍ଠି, ଏକମାତ୍ର ସମ୍ଵଳ । ଅନ୍ୟ କଥାରେ ମୁଁ ଏହାକୁ ସମ୍ଵଳ ନ କହି ଜାତିର ବଳ କହେଁ !


🌟ମାତୃଭୂମିପୂଜାରେ ବାଉରି କଣ୍ଡରାର ଯେ ଅଧିକାର, ବ୍ରାହ୍ମଣ, କରଣର ସେହି ଅଧିକାର, ରାଜାର ଯେ ଅଧିକାର, ପ୍ରଜାର ସେହି ଅଧିକାର ।


🌟ଆମ ଦେଶରେ ଧନ କମ ଅଛି । ଲୋକେ କହନ୍ତି ଓଡ଼ିଶା ଗରିଵ । ମୁଁ କହେ, କଦାଚ ନୁହେଁ । ଵର୍ତ୍ତମାନ କଲିକତା, ନାଗପୁର ଇତ୍ୟାଦି ସ୍ଥାନର କଳ କାରଖାନାମାନଙ୍କରେ ଲକ୍ଷ ଲକ୍ଷ ଓଡ଼ିଆ କାମ କରୁଅଛନ୍ତି । ଏହାର ଅର୍ଥ- ଓଡ଼ିଆ ହାତର ମୂଲ୍ୟ ଅଛି । ସେଠାରେ ଯେ ଦୈନିକ ଟଙ୍କାଏ ଆଦାୟ କରିଵ, ଏଠାକୁ ଆସିଲେ ଦଶ ପଇସା ମାତ୍ର ପାଇବ । ଆମେ କ’ଣ ତାଙ୍କୁ କାର୍ଯ୍ୟ ଦେଇପାରିଵା ? ସୂତା କାରଖାନା କଲେ ସେମାନେ ଆସିଵେ । ଯେଉଁ ହାତରେ କୋଣାର୍କ, ଭୁବନେଶ୍ଵର ମନ୍ଦିରମାନ ତୟାର ହୋଇଅଛି , ସେହି ହାତର ଲାଭ ବିଦେଶୀମାନେ ଖାଇ ଯାଉଅଛନ୍ତି । ଧିକ୍ ଆମ୍ଭମାନଙ୍କୁ ।


🌟ମୁଁ ଖ୍ରାଷ୍ଟଧର୍ମ ଗ୍ରହଣ କରିଅଛି ସତ୍ୟ, କିନ୍ତୁ ଓଡ଼ିଶାର ଜାତୀୟ କଵି ଜଗନ୍ନାଥ ଦାସଙ୍କ ଭାଗବତ ପାଠ କରିଛି ଓ ତାହାକୁ ଧର୍ମଗ୍ରନ୍ଥ ହିସାଵରେ ଯଥେଷ୍ଟ ମାନ୍ୟ କରେ । ଭାଗଵତ ଯେଉଁ ପ୍ରଭାବ ପକାଇଛି ତାହା ଭାରତର ଅନ୍ୟ କୌଣସି ପ୍ରଦେଶରେ ଦେଖାଯାଏ ନାହିଁ ।


🌟ଜନନୀ ସେଵାରେ ଆତ୍ମଗର୍ଵ, ସ୍ୱାର୍ଥପରତା ତ୍ୟାଗ କରିଵାକୁ ହେଵ । ମୁଁ ଵା ତୁମ୍ଭେମାନେ କାଲି ଇହସଂସାରରୁ ଚାଲିଯିଵା, କିନ୍ତୁ ଜାତି ଅମର ଓ ଚିରଜୀଵୀ । ସ୍ୱାର୍ଥତ୍ୟାଗ ଓ ପ୍ରେମ ଜାତୀୟ ଉନ୍ନତିର ପ୍ରଧାନ ସହାୟ ।


🌟ଆମ୍ଭମାନଙ୍କର ଜାତୀୟ ଜୀଵନ ଅଛି । ସବୁ ଅବସ୍ଥାରେ ସବୁ କାଳରେ ସବୁ ସ୍ଥାନରେ ଆମ୍ଭେମାନେ ପ୍ରତ୍ୟେକେ ଜାତୀୟ ଜୀଵନର ଟେକ ରଖି କାର୍ଯ୍ୟ କରିବା ଏକାନ୍ତ ଆବଶ୍ୟକ ।


🌟ଦୋଷ ଗୁଣ ଦେଖିଵା ସମ୍ବନ୍ଧରେ ମୋର ଵକ୍ତବ୍ୟ ଏହି ଯେ ଯୋଡ଼ିଏ ଆଖିରୁ ଗୋଟିଏ ଆଖି ବନ୍ଦ କର ଓ ଗୋଟିଏ ଆଖି ଖୋଲା ରଖ । ବନ୍ଦ ଆଖିରେ ଅନ୍ୟ ଜାତିଙ୍କର ଦୋଷଗୁଣ ଦେଖ ଓ ଖୋଲା ଆଖିରେ ସେମାନଙ୍କର ଗୁଣଗୁଡ଼ିକ ନିରୀକ୍ଷଣ କର ଓ ସେହି ଗୁଣ ଗୁଡ଼ିକ ଶିକ୍ଷା କର ।   


🌟ଯେଵେ ଶିକ୍ଷିତ ଲୋକମାନେ ଆପଣାକୁ ସାଧାରଣ ଅପେକ୍ଷା ଉଚ୍ଚତର ବୋଲି ଅହଙ୍କାର କରନ୍ତି ତାହା ହେଲେ ସେ [ସେମାନେ] ଅଧମ ଏବଂ ତାହାଙ୍କ [ସେମାନଙ୍କ] ଶିକ୍ଷା, ଶିକ୍ଷା ପଦଵାଚ୍ୟ ନୁହେଁ ।


🌟ତୁମେ ସମସ୍ତେ ମନକୁ ପଚାର ସ୍ତ୍ରୀକୁ କେବେ କହିଛ ତୋର ଜାତୀୟ ଜୀଵନ ହେଵା ଉଚିତ୍ । ଏ ପିଲାମାନେ ଯେପରି ଜାତିର ଗୌରଵ ବୃଦ୍ଧି କରି ପାରନ୍ତି ସେହିପରି ତୁ ତାଙ୍କୁ ଗଢ଼ାଇଵୁ । ଯେଵେ ପ୍ରତ୍ୟେକ ଲୋକ ପ୍ରତିଦିନ  ପାଞ୍ଚ ମିନିଟ ସମୟ ଏଥିରେ ଵ୍ଯୟ କରନ୍ତି ତେବେ ୧୦/୧୫ ଵର୍ଷ ମଧ୍ୟରେ ଜାତିର ଅଵସ୍ଥା ବଦଳି ଯିଵ ।


🌟ଭାଇମାନେ ଯଦି ଉନ୍ନତି ଲଭିଵାକୁ ଇଚ୍ଛା କର , ଵୀଜ ଯେପରି ନୀଚକୁ ଯାଇ ଵୃକ୍ଷକୁ ଉଚ୍ଚକୁ ଉଠାଏ ସେହିପରି ନିଜେ ନୀଚକୁ ଯାଅ ଓ ଜାତିକୁ ଉଚ୍ଚକୁ ଉଠାଅ ।


🌟ଉତ୍କଳ ଜନନୀ ଓ ଭାରତ ଜନନୀଙ୍କର କିଛି ପ୍ରଭେଦ ନାହିଁ । ଶରୀରର କୌଣସୀ ଅଂଶରେ ପୀଡ଼ା ହେଲେ ସେହି ଅଂଶର ଚିକିତ୍ସାଦ୍ଵାରା ସମସ୍ତ ଶରୀରର ଉନ୍ନତି ହେଵ । ଉତ୍କଳର ଚିକିତ୍ସାର ଉଦ୍ଦେଶ୍ୟ ଭାରତର ଉନ୍ନତି ।


🌟କି ବାଳିକା , କି ଯୁଵତୀ , କି ବୃଦ୍ଧା ସମସ୍ତେ ମାନଵ ଜାତିର ମାତା । ଅତଏଵ ସମସ୍ତ ନାରୀଜାତି ଜାତିମାତା  ।


🌟ବତୀ ନିଜେ ପୋଡ଼ିଯାଇ ପରର ଉପକାର କରୁଥିଵା ଦେଖି ଶତ ଶତ କୀଟ ପତଙ୍ଗ ପୋଡ଼ିଯିଵାକୁ ସୁଦ୍ଧା ଭୟ କରନ୍ତିନାହିଁ । ସେହିପରି କ୍ରମେ କ୍ରମେ ଆଦର୍ଶ ସ୍ଥାପନ କରି ଓ ନିଜେ ଅନୁସରଣ କରି ସମସ୍ତ ଜାତି  ଲାଗି ପ୍ରତ୍ୟେକ ବ୍ୟକ୍ତି ନିସ୍ୱାର୍ଥପର ହେଵା ଉଚିତ ।


🌟ଯେତେଵେଳେ ଆମ୍ଭମାନଙ୍କ ଦେଶର ଯୁବକମାନଙ୍କ ହୃଦୟରେ ପ୍ରାଣବ୍ରହ୍ମ ପ୍ରତିଷ୍ଠିତ ହୋଇ ସେମାନଙ୍କୁ ପଵିତ୍ର ମନୁଷ୍ୟତାରେ ଜାଜ୍ଜୁଲ୍ୟମାନ କରିଵେ ସେତେଵେଳେ ଗଭର୍ଣ୍ଣମେଣ୍ଟ ବା ଅନ୍ୟ  ଯେ  କେହି ସେମାନଙ୍କୁ ଅବଶ୍ୟ ସମ୍ମାନ କରିବେ ।


🌟ଧନ,ଜନ,ମନ, ଏହି ତିନୋଟି ମନୁଷ୍ୟ ସମାଜର ବଳସ୍ଵରୂପ । ଦେଶର କୌଣସି ଉନ୍ନତି କରିଵାକୁ ଚେଷ୍ଟା କଲେ ଏହି ତିନିବନ୍ଧୁକୁ ଏକତ୍ର କରିଵାକୁ ହେବ । ଏ ତିନି ଗୋଟି ବଳ ତିନି ଶ୍ରେଣୀର ଲୋକଙ୍କ ହାତରେ ଅଛି । ଧନ ଜମିଦାର, ରାଜା, ମହାଜନ ଏମାନଙ୍କ ହାତରେ ଅଛି । ମନ ଅର୍ଥାତ୍ ଯାହାର ଅର୍ଥ ବୁଦ୍ଧି – ଏ ଶକ୍ତି ସୁଶିକ୍ଷିତ ଲୋକମାନଙ୍କର ହାତରେ ଅଛି । ଜନ – ଏ ସାଧାରଣ ଲୋକଙ୍କ ହାତରେ ଅଛି ।


🌟କେତେ କେତେ ପୁଅ ମୋର ଵିଦେଶକୁ ଯାଇ ଅନେକ ରୋଗରେ ମରୁଛନ୍ତି , ମୁହଁ ଲୁଚାଇ ରହୁଛନ୍ତି – ଏଥିରୁ ଅଧିକ ଦୁଃଖ ମୋର କଣ ହୋଇପାରେ ? ମୋର ଧନୀ ପୁଏ ଏ ଦୁଃଖକୁ ଟିକିଏ ଦେଖିଲେ ନାହିଁ । ଧନୀ ପୁଅମାନଙ୍କୁ ମୁଁ ପଚାରେ ତାଙ୍କ ଗରିଵ ଭାଇମାନଙ୍କ ପାଇଁ ସେମାନେ କଣ କରିଛନ୍ତି ? ଏପର୍ଯ୍ୟନ୍ତ କିଛି କରିନାହାନ୍ତି । କିଛି କରିଥିଲେ ମୋ ଆଖିରୁ ସବୁଵେଳେ ଲୁହ ଗଡ଼ୁ ନ ଥାନ୍ତା ।


🌟ସମସ୍ତ ନାରୀଜାତି ଜାତିର ମାତା । ନଦୀସ୍ରୋତ ଯେପ୍ରକାର ନଦୀର ଉତ୍ପତ୍ତି ସ୍ଥାନରୁ ଅଧିକ ଉଚ୍ଚସ୍ଥାନକୁ ଉଠି ନ ପାରେ ସେହିପ୍ରକାର କୌଣସି ଜାତି ସେ ଜାତିର ମାତାମାନଙ୍କୁ ଅର୍ଥାତ୍ ନାରୀଜାତିକୁ ନୀଚ ଅବସ୍ଥାରେ ରଖି ଆପେ ଉନ୍ନତ ଅଵସ୍ଥାକୁ ଉଠି ନ ପାରେ ।


🌟ଆମ୍ଭେମାନେ ଯେଉଁ ଜ୍ଞାନ ଉପାର୍ଜନ କରୁଅଛୁଁ ସେହି ଜ୍ଞାନ ଆମ୍ଭମାନଙ୍କର ଗୃହସ୍ଥିତା ସ୍ତ୍ରୀଲୋକମାନେ ଲାଭ କରିଥିଲେ ତାହା କେହି ଅପହରଣ କରିପାରିଵେ ନାହିଁ ଏବଂ ସେମାନଙ୍କଠାରୁ ତାଙ୍କର ସନ୍ତାନମାନେ ନିଶ୍ଚୟ ପାଇପାରିଵେ ।


(ମଧୁବାବୁଙ୍କ ଵିଭିନ୍ନ ଭାଷଣରୁ ସଂଗୃହିତ କେତେକ ସୂକ୍ତି)

Saturday, June 15, 2019

ଶିକାରୀ

ଅଶି ଵର୍ଷର ଜଣେ ଧନୀକ ବୃଦ୍ଧ ଏକ ଯୁଵତୀ ସହିତ ଵିଵାହ କରିନେଲା ।

କିଛି ଦିନ ପରେ ସେ ତା ଡାକ୍ତର ସାଙ୍ଗ ପାଖକୁ ଯାଇ କହିଲା
ଜାଣିଛୁ, ମୁଁ ବାପା ହେବାକୁ ଯାଉଛି !

ବୃଦ୍ଧକୁ ତା ଡାକ୍ତର ସାଙ୍ଗ କହିଲା
“ମୁ ଗୋଟେ କାହାଣୀ କହୁଛି ଶୁଣ୍ !

ଜଣେ ଭୋଳା ଶିକାରୀ ଜଙ୍ଗଲକୁ ଶିକାର ଉଦ୍ଦେଶ୍ୟରେ ଗଲା ।
ସେଠି ହଟାତ୍ ତାହାର ସାମ୍ନା ବାଘ ସହିତ ହୋଇଗଲା । ସେ ନିଜର ବନ୍ଧୁକ ବାହାର କରିଵାକୁ ଯାଇ ଜାଣିଲା ସେ ବନ୍ଧୁକ ପରିଵର୍ତ୍ତେ
ଚିପାଛତା(ଫୋଲ୍ଡିଙ୍ଗ୍)ଟେ ନେଇ ଆଇଛି ।

ଆଗରେ ମହାବଳ ! ତା ପାଖରେ ଅନ୍ଯ ଉପାୟ ନଥିଲା ତେଣୁ ବାଘ ଆଡ଼କୁ ଛତା ଦେଖେଇ ବୋତାମ ଚିପି ଦେଲା ।

ହଟାତ୍ ‘ଠୋ’ କରି ଶବ୍ଦଟେ ହେଲା ଏଵଂ ବାଘଟା ସେଇଠି ଟଳି ପଡ଼ିଲା ।

“ଅସମ୍ଭଵ କଥା”
ବୃଦ୍ଧ ଵ୍ଯକ୍ତିଟି ଉତ୍ତେଜିତ ହୋଇ କହିଲା—

ନିଶ୍ଚେଁ ଅନ୍ଯ କେହି ଗୋଳି ଚଳେଇଥିଵ ନା ଆଉ !!!

ବୃଦ୍ଧର ଡାକ୍ତର ସାଙ୍ଗ କହିଲା

ହଁ ଠିକ୍ ଧରିଛ !!!

Friday, June 14, 2019

ଡଙ୍କି,ଅଣକା ଓ ତହିଁର ଅନ୍ଯ ପ୍ରତିଶବ୍ଦ

ଓଡ଼ିଶାର କେତେକ ଅଞ୍ଚଳରେ ladle;spoon କୁ ଅଞ୍ଚଳ ଭେଦରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ ।

💠ବାଲେଶ୍ବରରେ ଡଙ୍କିକୁ କୁହନ୍ତି କୁଡ଼ୁକା । ଏହା ମାନକ କୁଡି଼କା=ଗିନା ଶବ୍ଦ ସହ ସମଧୃତ ହୋଇଥାଇପାରେ ।

💠ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳ ଵସ୍ତରରେ ଡଙ୍କିକୁ ଚେଟୁ କୁହାଯାଏ । ଗଡ଼ଜାତରେ କେଉଁଠି କେଉଁଠି ଡଙ୍କି ଅର୍ଥରେ ଚଟୁ ଶବ୍ଦ ଚଳୁଥିଲେ ହେଁ ଢେଙ୍କାନାଳରେ ହାଣ୍ଡିରୁ ଭାତକଢା ଯାଉଥିଵା ଛିଦ୍ରଯୁକ୍ତ ବଡ଼ ଚାମୁଚାକୁ ଚଟୁ କୁହାଯାଏ ।

💠ଓଡ଼ିଶାର ପଶ୍ଚିମାଞ୍ଚଳରେ ଡଙ୍କି ପାଇଁ ଵିଭିନ୍ନ ପ୍ରତିଶବ୍ଦ ଚଳୁଥିଲାବେଳେ ଭାଷାକୋଷରେ ଏ ଅଞ୍ଚଳରେ ଡୁହା ଶବ୍ଦ ଚଳୁଥିଵା ଉଲ୍ଲେଖ ମିଳେ । ଏ ଶବ୍ଦ ମାନକ ଦ୍ରୋଣକ ଶବ୍ଦ ସହ ସମଧୃତ । କେଉଁଠି କେଉଁଠି ଏ ଶବ୍ଦ ଭାତକଢା଼ ଚଟୁ ଅର୍ଥରେ ଚଳୁଥିଵା ଭାଷାକୋଷରେ କୁହାଯାଇଛି ।

ତେଵେ ଭାତ ତିଅଣ ଆଦି ଘାଣ୍ଟିବା ଓ ପରଷିବା ପାଇଁ ଵ୍ୟଵହୃତ ବେଣ୍ଟ ଲଗା ଷଢ଼େଇ ଡଙ୍କିକୁ ଓଡ଼ିଶାରେ ଅଣକ କୁହାଯାଏ । ଏ ଶବ୍ଦର ସଂସ୍କୃତ ରୂପ  ‘ଅଢ଼କ’ ଏଵଂ ଏହାର ଅନେକ ଦେଶଜ ରୂପ ବି ଵିଭିନ୍ନ ଅଞ୍ଚଳରେ ଚଳୁଅଛି ...

ଯଥା—

🔘ଅଢା଼—ପ୍ରାଚୀନ ଓଡ଼ିଆ ସାହିତ୍ୟ

🔘ଅଣକା—ନଡ଼ିଆ ଷଢେ଼ଇରେ ତିଆରି ବେଲା,ଡଙ୍କି(ଗଞ୍ଜାମ, କଟକ)

🔘ଅଣଖ―ଡାଲି ଵା ତିଅଣ ବାଢି଼ଵା ପାଇଁ ଵ୍ୟଵହୃତ ବାଉଁଶ ଦଣ୍ଡ ଓ ନଡ଼ିଆ ଷଢେ଼ଇର ଚାମଚ(କ)

🔘ଅନ୍ 'କା-ଢିଙ୍କି,ଲାଉତୁମ୍ବା(ବୌଦ୍ଧ,କନ୍ଧମାଳ, ସମ୍ବଲପୁର,କଳାହାଣ୍ଡି )

🔘ଅନଖା-ଡଙ୍କି,ଅଣାକ(କଳାହାଣ୍ଡି)

🔘ଅଲକ/ଅଲଖା—ଅଣକ (ଗଡ଼ଜାତ)

ଅଣକ ଓ କଣକା ଶବ୍ଦଟି ପୁରୀ ଅଞ୍ଚଳରେ ଆଜି ବି ଷଢେ଼ଇ ଡଙ୍କି ଅର୍ଥରେ ଚଳୁଅଛି । ଆଗେ ପୁରୀ ଜିଲ୍ଲାର ରାହାଙ୍ଗ ବ୍ରାହ୍ମଣ ଶାସନମାନଙ୍କର କୁଳୀନ ସାମନ୍ତମାନଙ୍କ ଭୋଜନ ସଭାରେ ଯେଉଁ କୁଳୀନ ବ୍ରାହ୍ମଣମାନେ (ୟଥା—ଭଟ୍ଟ ମିଶ୍ରେ ଇତ୍ୟାଦି) ଅଣକ ଓ ହାଣ୍ଡି ଧରି ପରଷିବାରେ ଅଧିକାରୀ ହେଉଥିଲେ, ସେମାନଙ୍କୁ 'ଅଣକଧରା' ବା 'ହାଣ୍ଡିଧରା' ବୋଲି ଡକାଯାଉଥିଲା ।

ଆପଣଙ୍କ ଅଞ୍ଚଳରେ ପ୍ରୋକ୍ତ କିମ୍ଵା ଡଙ୍କି ଅର୍ଥରେ ଏତଦ୍ ଭିନ୍ନ ଅନ୍ୟ କୌଣସି ପ୍ରତିଶବ୍ଦ ଚଳୁଥିଲେ
ଏହଠାରେ ଜଣାନ୍ତୁ ।

(ଶିଶିର ସାହୁ ମନୋଜ)

ରାୟଗଡ଼ା ନଗରର ନାମକରଣ କେମିତି ହେଲା

ରାୟଗଡ଼ା ପୂର୍ଵେ ଅଵିଭକ୍ତ କୋରାପୁଟ ଜିଲ୍ଲାର ଏକ ସଵଡିଵିଜନ୍ ଥିଲା । ଏହା ନାଗାଵଳୀ ଓ ଝଞ୍ଜାଵତୀ ନଦୀକୂଳରେ ଅଵସ୍ଥିତ ଓଡ଼ିଶାର  ଅନ୍ଯତମ ଶିଳ୍ପନଗରୀ । ୧୫୧୬ ବେଳକୁ ଏହା ନଵରଙ୍ଗପୁର ରାଜ୍ଯର ରାଜଧାନୀ ଭାଵରେ ସ୍ଥାପିତ ହୋଇଥିଲା ।

ରାୟଗଡ଼ା ନଗରର ନାମକରଣ ପଛରେ ଏକ କିମ୍ବଦନ୍ତୀ ରହିଛି

ଜନସୃତି କହେ, ଆଦ୍ୟରେ ‘ରାୟ ଜାନି’ ନାମକ ଜଣେ କନ୍ଧ ଶାସକ ମୁଖିଆ ଭାଵରେ ଏହି ଅଞ୍ଚଳରେ ଶାସନ କରୁଥିଲେ । ନନ୍ଦପୁରର ରାଜା ଯୁଦ୍ଧରେ ରାୟ ଜାନିକୁ ପରାସ୍ତ କରି ଏ ଅଞ୍ଚଳ ନିଜ ଅଧୀନକୁ ଆଣିଥିଲେ ହେଁ ସେ ରାୟ ଜାନି ଦ୍ଵାରା ଵାରମ୍ଵାର ଲୁଚାଛପାରେ ଆକ୍ରାନ୍ତ ହୋଇ
ବହୁ ଧନଜୀଵନ କ୍ଷୟର  ସମ୍ମୁଖୀନ ହୋଇଥିଲେ ।
ତେଣୁ ସେ ରାୟ ଜାନି ସହ ମିତ୍ରତା କରିଵାକୁ ଵାଧ୍ୟ ହେଲେ ଏଵଂ ତାଙ୍କ ଆଦେଶରେ ଏ ଅଞ୍ଚଳର ନାମକରଣ ରାୟଗଡ଼ା ରଖାଗଲା । ଏହାର ପ୍ରମାଣ ସ୍ବରୂପ ରାୟଗଡ଼ା ର ଗଡ଼ ମଧ୍ୟରେ ରାୟ ଜାନିଙ୍କ ସ୍ମୃତିରେ ଆଜି ବି ରହିଛି ‘ଜାନିପଥର’ । କେହି କେହି ମାନନ୍ତି ଯେ ରାୟଗଡ଼ା ନଗରର ଇଷ୍ଟଦେବୀ ମଝିଘରିଆଣୀ ହେଉଛନ୍ତି ସେହି “ରାୟ ଜାନୀ” ଙ୍କ କୁଳଦେଵୀ । କେତେକ ଅଞ୍ଚଳର କିମ୍ବଦନ୍ତୀରେ ରାୟ ଜାନୀଙ୍କୁ ପରାଜିତ ହୋଇଥିଵାର ବି ବର୍ଣ୍ଣନା କରାଯାଇଛି ।

ଏ ଵିଷୟରେ ରାୟଗଡ଼ା ଗେଜେଟର୍ ରେ ଉଲ୍ଲେଖ ରହିଥିଵା ତଥ୍ୟ ଏଠାରେ ଉଦ୍ଧାର କରାଗଲା

...

“Legend  says  that  one  Ray  Jani  was  the  traditional  chieftain.    The  ruler of  Nandapur  failed  to  subdue  Ray  Jani  even  though  the  latter  was  defeated in  open  war.    Finally  the  ruler  of  Nandapur  and  Ray  Jani  entered  into  an agreement  after  which  a  „fort‟  was  built  which  was  known  as  Rayagada.  There  is  a  stone  described  as  „Jani  Pathar‟,  believed  to  have  been  inside  the fort, which is  worshipped till  date  by  the tribals  in reverence of  Ray  Jani. There  is  another  story  by  which  it  is  believed  that  after  surrender  in  war with  the  ruler  of  Nandapur,  Ray  Jani  invoked  his  last  wish  to  be  killed  inside the  fort  as  a  symbol  of  supreme  sacrifice  for  the  welfare  of  his  kingdom. Even  today,  the  Paikas  are  believed  to  be  the  descendants  of  Ray  Jani  who continue  to  live  in  Biriguda,  the  supposed  entrance  to  the  fort.  They  are  also the  traditional  worshippers  of  Goddess  Majhi  Ghariani,  believed  to  be  the family  deity  of  Ray  Jani  who  is  also  worshipped  as  the  presiding  diety  of Rayagada  town.”

...

ଓଡି଼ଶାର ପ୍ରାକୃତିକ ପର୍ଵ ରଜର ଶାବ୍ଦିକ ଵ୍ଯାଖ୍ଯା

ଆଜିକାଲି ରଜ ଶବ୍ଦର ଭାଵନାତ୍ମକ ଵ୍ଯାଖ୍ଯା କରାଯାଉଛି

ର+ଜ=ରଜ
*‘ର’ ର ଅର୍ଥ ସଂସାର, 
*‘ଜ’ ର ଅର୍ଥ ଯୋଚିଵା
ତେବେ ଏଭଳି ଶହ ଶହ ଵ୍ଯାଖ୍ଯା କରାଯାଇପାରେ
ଯଥା
*‘ର’ ର ଅର୍ଥ ରଚନା
*‘ଜ’ ର ଅର୍ଥ ଜଳ

କିନ୍ତୁ ଶବ୍ଦର ଏଭଳି ଵ୍ଯାଖ୍ଯା ଯେତେ ମନୋଜ୍ଞ ଲାଗୁଥିଲେ ହେଁ ନିରୁକ୍ତି ଵ୍ଯାଖ୍ଯା ପରି ବୈଜ୍ଞାନିକ ଓ ପ୍ରାମାଣିକ ନୁହେଁ । ତେବେ ରଜ ଶବ୍ଦର ବହୁବିଧ ଅର୍ଥ ରହିଛି ।

ମାନଵର ତିନିଗୋଟି ପ୍ରକୃତି 
ଯଥା—ସତ୍ତ୍ଵ,ରଜ,ତମ ମଧ୍ୟରେ
ଏହି ‘ରଜ’ ଗୁଣ ସୃଷ୍ଟିତତ୍ତ୍ଯର ଧ୍ଯୋତକ । 
‘ରଜ’ ତତ୍ତ୍ଵ ଯୋଗୁଁ ଜୀଵ ସୃଷ୍ଟି ସମ୍ଭଵ ହୁଏ ତେଣୁ ଏ ଶବ୍ଦକୁ ନେଇ କାହାର ହୀନଭାଵନା ଵ୍ଯକ୍ତ ତାହାର ପରମ ମୂର୍ଖତା ହିଁ ପ୍ରମାଣ କରେ ।

ତେବେ ଏହା ରଜ ଶବ୍ଦର ଏକମାତ୍ର ଅର୍ଥ ନୁହେଁ ଏହାର ଅନ୍ୟ କେତେକ ଅର୍ଥ ବି ରହିଛି 
ଯଥା—

🔅ଆକାଶ

🔅ଜଳ;ପାଣୀ
🔅ହଳ କରାହୋଇଥିଵା କ୍ଷେତ
🔅ବାଦଲ
🔅ଵାଷ୍ପ
🔅ପୁଷ୍ପ ପରାଗ
🔅ଭୁଵନ
🔅ରେଣୁ; ଧୂଳି
🔅ପାଉଁଶ(ଓଡ଼ିଆ ଦେଶଜ)
🔅ରାତ୍ରୀ
🔅ପ୍ରକାଶ
🔅 ଚୂର୍ଣ୍ଣ

ଇତ୍ୟାଦି





ରଜଶବ୍ଦର ପ୍ରୋକ୍ତ ଅର୍ଥଗୁଡି଼କର ଵ୍ଯଵହାରରେ କଳିଙ୍ଗ ଦେଶର ରଜପର୍ଵ ସମୟର ଚିତ୍ର ଆଙ୍କାଯାଇପାରେ

ଯଥା—
“ଵର୍ଷାଋତୁର ଆଗମନରେ 
ଆକାଶରେ ବାଦଲମାନେ ଜଳ ଵର୍ଷା କରୁଅଛନ୍ତି । ଵର୍ଷାକାଳ ଆସିଵା ଦେଖି ଚାଷୀମାନେ ବିଲରେ ହଳ କରୁଅଛନ୍ତି । ଵର୍ଷାଋତୁର ଆଗମନରେ ବୃକ୍ଷରେ ନଵ ପୁଷ୍ପ ପ୍ରଷ୍ଫୁଟିତ ହୋଇ ତାହାର ପରାଗ ଓ ଵାସ ଚାରିଆଡ଼େ ଖେଳିଯାଇଛି । ଗ୍ରୀଷ୍ମକାଳୀନ ଧୂଳି ଉଡା଼କୁ ଵର୍ଷାଜଳ ରୋକି ଦେଇଛି ଫଳରେ ଚାରିଆଡ଼େ ସ୍ଵଚ୍ଛ ନିର୍ମଳ ପରିଵେଶ ଦୃଷ୍ଟିଗୋଚର ହେଉଅଛି । ଏଭଳି ସୁନ୍ଦର ପରିଵେଶରେ ରଜପର୍ଵର ଆଗମନ ହୋଇଗଲାରୁ କଳିଙ୍ଗରେ ସର୍ଵତ୍ର ସଜବାଜ ଆରମ୍ଭ ହୋଇଯାଇଛି,ଏଠାକାର ଭୁବନମାନ ଚଳଚଞ୍ଚଳ ଵ୍ଯସ୍ତଵହୁଳ ହୋଇଉଠିଛି ।”

ରଜ ଶବ୍ଦର ମୂଳରେ ରହିଛି ସଂସ୍କୃତ ଧାତୁଶବ୍ଦ 
‘ରନ୍ଜ ଵା ରଞ୍ଜ୍’ ।

ଏ ଧାତୁଶବ୍ଦରୁ ନିମ୍ନଲିଖିତ ଅର୍ଥରେ ରକ୍ତ,ରଙ୍ଗ ଆଦି ଶହ ଶହ ଶବ୍ଦ ନିଷ୍ପନ୍ନ ହୋଇଅଛି

✔️ରଙ୍ଗକରିଵା; ରଙ୍ଗାଇଵା
✔️ଆସକ୍ତ ହେଵା; ଅନୁରକ୍ତ ହେଵା
✔️ରଞ୍ଜିତ ହେଵା; ରଙ୍ଗାଯିଵା
✔️ନାଲି ପଡ଼ିଵା
✔️ପ୍ରଣୟାସକ୍ତ ହେଵା
✔️ଆନନ୍ଦିତ ହେଵା
✔️ସନ୍ତୁଷ୍ଟ ହେଵା

ଆମ ପ୍ରାକୃତିକ ପର୍ଵ ‘ରଜ’ ସମୟରେ ବି
ପୃଥିବୀ ସବୁଜ ରଙ୍ଗରେ ରଙ୍ଗେଇଯାଏ, ବର୍ଷା କାଳ ଆଗମନ ଯୋଗୁଁ ରଜଗୁଣରେ ବୃଦ୍ଧି ହେତୁ
ଚାରିଆଡ଼େ ସର୍ଵପ୍ରାଣିଙ୍କ ମନରେ ଅନୁରକ୍ତି,କାମନା ବୃଦ୍ଧି ପାଏ,ଜଗତଯାକରେ ସୁଖ ସନ୍ତୋଷ ଓ ଆନନ୍ଦମୟ ପରିଵେଶର ଆଗମନ ହୁଏ ।

ଏହା ହେଉଛି ରଜ ଶବ୍ଦ ଓ ରଜପର୍ଵ ମଧ୍ଯରେ ଥିଵା ପ୍ରାକୃତିକ ଗୂଢା଼ର୍ଥ ଯାହା ଏ ପର୍ଵର ମହାନତା ପ୍ରକଟ କରିଥାଏ ।

Thursday, June 13, 2019

ଭୋଜନ କରିଵା କ୍ରିୟା ଶବ୍ଦ ଅର୍ଥରେ ଚଳେ ଅନେକ ଓଡ଼ିଆ ଶବ୍ଦ

ଭୋଜନ କରିଵା ଅର୍ଥକୁ ସୁଚେଇଵା ପାଇଁ ଓଡ଼ିଆ ଭାଷାରେ ଅନେକ ଶବ୍ଦ ଚଳୁଅଛି
ସାଧାରଣତଃ ଆଦର ଓ ଅନାଦର ଭେଦରେ ଏଗୁଡ଼ିକ ଵ୍ୟଵହାର କରାଯାଉଥିବା ଦେଖାଯାଏ ।

●ଖା,ଖାଆ→ଖାଇବା,ଖାଏମା,ଖାଦ୍ୟ(ଖାଦ୍ ଧାତୁ)

●ଭୁଞ୍ଜ→ଭୁଞ୍ଜଇ,ଭୁଜ(ଧାନ),ଭୋଜନ

●ଗିଳ୍→ଗିଳିବା,ଗିଳ୍.ବା(ଗିଳ୍ ଧାତୁ-ଗ୍ରାସ କରିବା)

●ଗେବିଵା→ବଡ଼ ବଡ଼ ଭାତଗୁଣ୍ଡା କରି ଖାଇବା କ୍ରିୟା

●ଗେମ୍ଫ→ଗେମ୍ଫିବା(ଗଡ଼ଜାତ)ନିରବଚ୍ଛିନ୍ନ ଭାବେ ଦୃତଗତିରେ ଖାଇ ଚାଲିବା କ୍ରିୟା

●ଜମଵା→ଜମ୍ ଧାତୁ(ଭୋଜନ କରିବା ଅର୍ଥରେ ଏ ଶବ୍ଦ ଟି ଓଡ଼ିଆ ଛଡ଼ା ମରାଠୀ ଚଳୁଥିଲେ ହେଁ ଗୁଜୁରାଟୀରେ ଏହା ବହୁପ୍ରଚଳିତ)

●ସାମ୍ପୁଡି଼ବା→ବାଲେଶ୍ବରରେ ଏହି ନିଆରା ଶବ୍ଦଟି ଚଳୁଅଛି;ସବୁକିଛି ଖାଇଯିବା ଅର୍ଥରେ ଵ୍ୟଵହାର କରାଯାଏ(ତାମିଲ ରେ ସାପ୍.ଟିଆ ଶବ୍ଦ ସହିତ ଏହାର ଅର୍ଥଗତ ସାମ୍ୟ ଥିଲା ବେଳେ ଓଡ଼ିଆ ହାମ୍ପୁଡି଼ବା ଶବ୍ଦ ସହିତ ମଧ୍ଯ ଶବ୍ଦଗତ ଓ ଆଂଶିକ ଅର୍ଥଗତ ସାମ୍ୟ ଦୃଶ୍ୟ ହୁଏ)

●ହାମ୍ପୁଡି଼ବା→ଡାଲି ଓ ତିଅଣ ଭଳି ତରଳ ଖାଦ୍ୟ ପଦାର୍ଥ ପାଇଁ ହାମ୍ପୁଡି଼ବା ଭଳି ଶବ୍ଦ ମଧ୍ଯ ଓଡ଼ିଆ ଭାଷାରେ ଚଳୁଅଛି !

ସେଇଭଳି ଦାନ୍ତରେ ରଗଡ଼ି ରଗଡ଼ି କରି ଖାଇବା କ୍ରିୟା ପାଇଁ ଆମ ଭାଷାରେ ଚୋବେଇବା ଶବ୍ଦ ମଧ୍ଯ ଚଳୁଅଛି ।