Wednesday, August 8, 2018

ଅବକାଶ ଚିନ୍ତାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମାନବତାବାଦର ପରିଚୟ

ଅବକାଶ ଚିନ୍ତା ଓଡ଼ିଆ ଭାଷାର ସାହିତ୍ୟ ସମ୍ଭାରରେ ଏକ ଅମୂଲ୍ୟ ସମ୍ପଦ । ଓଡ଼ିଆ ଭାଷାରେ ନାନାଦି କାବ୍ୟ କବିତା ସଂଗ୍ରହ ସଂକଳନ ରହିଛି କିନ୍ତୁ ତନ୍ମଧ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଦ୍ଵାରା ରଚିତ ଏହି କବିତା ପୁସ୍ତକଟି ସତରେ ନିଆରା କହିଲେ ଅତ୍ୟୁକ୍ତି ହେବନାହିଁ । ଏହି କବିତା ସଙ୍କଳନରେ କବି ତାଙ୍କର ରାଷ୍ଟ୍ରପ୍ରେମୀ ଓ ମାନଵଵାଦୀ ଚିନ୍ତାଧାରାର ସାର୍ଥକ ପରିପ୍ରକାଶ କରିଅଛନ୍ତି ।

ଏଠାରେ ଆମ୍ଭେ ଅବକାଶଚିନ୍ତା କବିତା ସଂକଳନରେ ଉତ୍କଳମଣିଙ୍କର ମାନଵଵାଦୀ ଚିନ୍ତାଧାରା କେଉଁଠି କେଉଁଠି ଵର୍ଣ୍ଣିତ ହୋଇଅଛି ତତ୍ ବିଷୟରେ ଆଲୋଚନା କରିବା.......

ଏହି କବିତା ସଙ୍କଳନର ପ୍ରାଥନା କବିତାରେ
ଗୋପବନ୍ଧୁ ବିଶ୍ଵଭାତୃତ୍ଵର କଥା ସୁନ୍ଦର ଛନ୍ଦରେ ଆଙ୍କି ଅଛନ୍ତି । ଏଥିରେ ବିଶେଷତଃ ଈଶ୍ଵରପ୍ରୀତି,ଦେଶପ୍ରୀତି ଓ ମାନବପ୍ରୀତି ର ଅବତାରଣା କରାଯାଇଛି ।

“ହିନ୍ଦୁ ଖ୍ରୀଷ୍ଟ ଜୈନ ମୁସଲମାନ
ଭେଦ ଭୁଲି ଏବେ ସର୍ବେ ସମାନ,
ଭ୍ରାତୃ-ପ୍ରେମ-ଡୋରେ ହୋଇଣ ବାନ୍ଧି
ଜଣାଉଛୁ ତବ ଛାମୁରେ କାନ୍ଧି,
ଅରକ୍ଷିତ ଶିଶୁକୁଳ ହେ,
ଜନନୀ ବିଷାଦେ ଭସାଇ ନ ଦିଅ
କେବେ ପ୍ରଭୁ ଆଦିମୂଳ ହେ ।”

ପୁଣି ଜାତିଭେଦ ଠାରୁ ଉର୍ଦ୍ଧ୍ବରେ ଉଠି
ଜାତୀୟତାର ଏକତାରେ ବାନ୍ଧି ହୋଇ ଏକ ସୁସ୍ଥ ଓ ସୁନ୍ଦର ସମାଜ ର ପରିକଳ୍ପନା କରିବା ଆହ୍ଵାନ ଦେବାକୁ ଯାଇ କହୁଛନ୍ତି

“ବ୍ରାହ୍ମଣ-ଶାସନ ଶବରପଲ୍ଲୀ,
କୃଷକ କୁଟୀର ନୃପ ଅଟ୍ଟାଳି,
ଜାତୀୟତା-ସ୍ରୋତ ହେଉ ପ୍ଲାବିତ,
ଉଠୁ କୋଟି କଣ୍ଠୁ ଜାତୀୟ ଗୀତ,
ତେଜି ସ୍ବାର୍ଥ ଅଭିମାନ ଯେ,
ଜନନୀ- କଲ୍ୟାଣେ ସାଧୁ ଅନୁଷ୍ଠାନେ
ରହୁ ସଦା ମନ ଧ୍ୟାନ ଯେ ।”

କାଠଯୋଡ଼ି ରେ ସନ୍ଧ୍ୟା କବିତାରେ
ଉତ୍କଳମଣି ମାନବଵାଦୀର ସଂଜ୍ଞା ପ୍ରଦାନ କଲାଭଳି ପ୍ରତିଭାତ ହୁଏ
ସେ କହିଛନ୍ତି ଯେ ଯିଏ ବିଶ୍ଵକୁ ଏକପରିବାର ମନେ କରେ ଓ ସମସ୍ତ ମନୁଷ୍ୟଙ୍କୁ ସମାନ ସେ ହିଁ ମହତଜନ  ଏବଂ ମାନବବାଦୀ ଅଟେ ।

“ମହତ ଜନର ହୃଦେ ଏହି ମତି,
ଆଭାସେ ସତତ ଶତ ପ୍ରତିକୃତି ।
ପ୍ରେମ ଭାବେ ଯାର ଅନ୍ତର ପୂରିତ,
ସର୍ବ ପ୍ରାଣୀ ହୃଦ ତା ହୃଦେ ଅଙ୍କିତ ।
ସର୍ବ ଅନୁଭୁତି ସର୍ବଭୁତେ ତାର
ତା ଦୃଷ୍ଟିରେ ବିଶ୍ଵ ଏକ ପରିବାର ।
ସେହି ନିଜେ ବିଶ୍ଵ, ବିଶ୍ଵ ମଧ୍ୟ ସେହି
ଅନ୍ୟ ହୋଇ ତାର ନାହିଁ ଆଉ କେହି ।”

ଏହି କବିତାର ଶେଷରେ କବି ସଂସାରରେ ଉଚ୍ଚ ନୀଚ୍ଚ ଭେଦଭାବ କୁ ବିକାଶ ବଳରେ ପ୍ରସମିତ କରି ଐକ୍ୟ ପ୍ରାପ୍ତ କରାଯାଇପାରିବ ଏବଂ ମହୀ ମଧ୍ଯ ସ୍ଵର୍ଗରେ ପରିଣତ ହୋଇପାରିବ ବୋଲି ମତ ପୋଷଣ କରିଅଛନ୍ତି

“ଉଚ୍ଚ ନୀଚ ବୃତ୍ତି ସକଳ ଯେବେ ସମେ ବିକାଶେ,
ପୂର୍ଣ୍ଣ ହୁଏ ନର, ସଂସାର ପୁରେ ସ୍ଵର୍ଗ ଉଲ୍ଲାସେ ।”

ଖଣ୍ଡଗିରି ଶିଖରେ କବିତାରେ ଗୋପବନ୍ଧୁ
ଧର୍ମ ନାମରେ ହିଂସା ଦ୍ଵେଷ କୁ ଦୋଷାରୋପ କରି ପଦେରେ ଯାହା କହିଛନ୍ତି ତାହା ଆଜି ବି ପ୍ରାମାଣିକ ଅଟେ

“ଧର୍ମେ ଧର୍ମେ କିମ୍ପା ଦ୍ଵେଷ ବାଦ ଅହଙ୍କାର ?”

ପ୍ରକୃତରେ ବର୍ତ୍ତମାନ ସମୟର ଧାର୍ମିକ ହିଂସାଦ୍ଵେଷ ମାନବବାଦର ସବୁଠାରୁ ବଡ଼ ଶତୃ କହିଲେ ଅତିଶୟୋକ୍ତି ହେବ ନାହିଁ  ।

ଅବକାଶଚିନ୍ତା ର “ବ୍ରାହ୍ମଣ ସମିତି ଛାତ୍ରାବାସରେ ସମବେତ ଛାତ୍ରମାନଙ୍କ ପ୍ରତି” କବିତାରେ ଗୋପବନ୍ଧୁ ପୁର୍ନବାର ବିଶ୍ଵଭାତୃତ୍ଵ ହେତୁରୁ ଉତ୍ସାହିତ କରିବାକୁ ଯାଇ ଆହ୍ଵାନ କରି କହୁଛନ୍ତି

“ପ୍ରେମେ ଆଲିଙ୍ଗନ କର ସର୍ବଜନେ,
ଉଛୁଳାଅ ପ୍ରେମ ଉଚ୍ଛ୍ୱାସ ଜୀବନେ।
ତୁମ୍ଭ ଆଦରଶେ ଅନ୍ୟ ଯେତେ ଜାତି,
ଉଠିବେ ପଲକେ ସାଧୁ କାର୍ଯ୍ୟେ ମାତି ।
ସାନ ବଡ଼ପଣ ସିନା ଭାଗ୍ୟାଧୀନ,
ସେଥିଲାଗି ମନ ନ କର ମଳିନ।”

ତତ୍ପରେ ଉତ୍କଳମଣି ଦଧିଚୀଙ୍କ ଉଦାହରଣ ଦେଇ କହୁଅଛନ୍ତି
ହେ ବାଳକ ମାନେ,ହେ ମନୁଷ୍ୟ ମାନେ ତୁମ୍ଭେ ସ୍ଵାର୍ଥ ତ୍ୟାଗକରି ଆବଶ୍ୟକ ହେଉଥିଲେ ଲୋକହିତରେ ପ୍ରାଣତ୍ୟାଗ କରିବାକୁ ବି ପଛାଅନି । ଲୋକହିତ ହିଁ ମାନବବାଦ ଓ ମାନବବାଦଯୁକ୍ତ ଦେଶପ୍ରୀତି ହିଁ ରାଷ୍ଟ୍ରବାଦ୍ ବୋଲି ଗୋପବନ୍ଧୁ ଏଠାରେ ଘୋଷଣା କରିଯାଇଥିବା ଅନୁଭବ ହେଉଅଛି ।

“ଲୋକହିତ ପ୍ରାଣ ପ୍ରଦାନ ପ୍ରବଣ,
ଦଧୀଚି ଶୋଣିତ କରିଛି ଧାରଣ ।
ଦିଅ ସ୍ୱାର୍ଥବଳି ଦେଖାଅ ସେ ତ୍ୟାଗ,
ଭାରତ ଜାତୀୟ ମହାଯାଗେ ଲାଗ ।”

ଶେଷରେ ଭାରତର ସଂଖ୍ୟାଗରିଷ୍ଠ
ସନାତନୀ ହିନ୍ଦୁ ମାନଙ୍କୁ ଆନ ସମ୍ପ୍ରଦାୟର
ଲୋକଙ୍କ ପରି ମୌଳିବାଦୀ ନହୋଇ ବରଂ
“ବସୁଧୈବ କୁଟୁମ୍ଵକମ୍” ର ମହାମନ୍ତ୍ରର ସୁମରଣା ପୂର୍ବକ କହୁଅଛନ୍ତି

ନିଜ ସୁଖ ଲାଗି ଜାତି ନୁହେଁ ହିନ୍ଦୁ,
ବିଶ୍ୱହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ ।
ଦେଖାଅ ଏ ସତ୍ୟ ଆପଣା ପରାଣେ,
ଦିଅ ଏହି ମନ୍ତ୍ର ସର୍ବ ବର୍ଣ୍ଣ କାନେ ।
ସର୍ବେ ଆମ୍ଭେ ଏକ ଈଶ୍ୱର-ସନ୍ତାନ,
ସାଧ ବିଶ୍ୱହିତ ତେଜି ଅଭିମାନ ।”

ଅବକାଶଚିନ୍ତାର “ଗ୍ରୀଷ୍ମେ ଖୁଣ୍ଟାଗଛ” କବିତା ଛଳରେ ସମାଜ ପାଇଁ ଜୀବନ ର ସବୁକିଛି ତ୍ୟାଗ କରି ଦେବାର ଯେଉଁ ବାର୍ତ୍ତା ସୁନ୍ଦର ଭାବରେ ଵର୍ଣ୍ଣନା କରିଅଛନ୍ତି ତାହା ଉକ୍ତ କବିତାଟିକୁ ସଂପୂର୍ଣ୍ଣ ପାଠ କଲା ପରେ ହିଁ  ହୃଦୟଙ୍ଗମ କରିପାରିବେ

“ହେ ବୃକ୍ଷରାଜ ! କଲି ଯେଉଁ ବିଚାର,
ନୁହେଁ ତୋର ସେପରି ହୀନ ଆଚାର ।
ତୋ ଯୁବାକାଳେ ସାଧି ପ୍ରାଣୀ-ମଙ୍ଗଳ,
କରିଛୁରେ ପାଦପ ! ଜନ୍ମ ସଫଳ ।
ଦେଇ କୋମଳ ଛାୟା ସୁପକ୍ୱ ଫଳ,
କରିଛୁ କେତେ ଦଗଧ-ପ୍ରାଣ ଶୀତଳ ।
କାଟିଲୁ ଯୁବାକାଳ ପରୋପକାରେ,
ଧନ୍ୟ ଧନ୍ୟ ଜୀବନ ତୋର ସଂସାରେ ।”

ଉତ୍କଳର ଇତିହାସରେ ଧର୍ମପଦ ଓ କୋଣାର୍କ ମନ୍ଦିର ନିର୍ମାଣ ପ୍ରସଙ୍ଗ ହେଉଛି ମାନବବାଦର ସାକ୍ଷାତ ଉଦାହରଣ
ବାରଶହ ବଢେଇଙ୍କ ପାଇଁ ବାରବର୍ଷ ର ଧରମା ମାନବତାର ପରିଚୟ ଦେବାକୁ ଯାଇ ଆତ୍ମବଳୀ ଦେବାକୁ ମଧ୍ଯ ପଛାଇନାହିଁ । ଗୋପବନ୍ଧୁ ସେହି ଉପାଖ୍ୟାନର ଵର୍ଣ୍ଣନା ତାଙ୍କର “ଧର୍ମପଦ” ଦୀର୍ଘ କବିତାରେ କରିଅଛନ୍ତି ।

“ବାଳୁତ ହୃଦୟ ମିଶିଗଲା ସେହି
ମହା ଅନନ୍ତ ବିତାନେ,
ଅଜ ଭାବ ଭୁଲି ମଣେ ଆପଣାକୁ
ଏକୀଭୂତ ବିଶ୍ଵପ୍ରାଣେ ।”

ପଣ୍ଡିତ ଗୋପବନ୍ଧୁ ଦାଶଙ୍କର “ବନ୍ଦୀ ର ଆତ୍ମକଥା” କବିତାରେ  ମାନବବାଦ ଓ ରାଷ୍ଟ୍ରବାଦର ସମ୍ମିଳିତ ଭାବ ପ୍ରକଟିତ ହୋଇଥିଲେ ହେଁ ମାନବବାଦର ମାତ୍ରା ଏଥିରେ ସର୍ବାଧିକ ବୋଧ ହୋଇଥାଏ ।
ଏହି କବିତା ମଧ୍ୟରେ ଥିବା ନିମ୍ନଲିଖିତ ପଦ୍ୟାଂଶ ଗୋପବନ୍ଧୁଙ୍କ  ତ୍ୟାଗପ୍ଲୁତ ମାନବତାବାଦୀ ଚିନ୍ତାଧାରା କୁ ସର୍ବସମ୍ମୁଖରେ ସ୍ପଷ୍ଟ ଉଜାଗର କରିଦିଏ

“ମିଶୁ ମୋର ଦେହ ଏ ଦେଶମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।
ଦେଶର ସ୍ଵରାଜ୍ୟ-ପଥେ ଯେତେ ଗାଡ଼
ପୂରୁ ତହିଁ ପଡ଼ିି ମୋର ମାଂସ-ହାଡ଼ ।
ସ୍ଵାଧୀନତା-ପଥେ ତିଳେ ହେଲେ ନର
ମୋ ଜୀବନ ଦାନେ ହେଉ ଅଗ୍ରସର ।ମଙ୍ଗଳମୟଙ୍କ ସୁମଙ୍ଗଳ ଇଛା ପରୁ
ଏ ପରାଣେ ଏହି ଶେଷ ଭିକ୍ଷା ।"

ଆଗକୁ ଗୋପବନ୍ଧୁ
ଜାତି ଧର୍ମ ଵର୍ଣ୍ଣ ଓ ଅଵସ୍ଥା ନିର୍ଵିଶେଷରେ
ଏକ ପ୍ରଜାତାନ୍ତ୍ରିକ ଓ ମାନଵଵାଦୀ ଶାସନତନ୍ତ୍ର ବାଞ୍ଛା ପୂର୍ଵକ ଭାରତର ପ୍ରାଚୀନ ପ୍ରଜାନୁରଞ୍ଜକ ଶାସନ ଵ୍ୟଵସ୍ଥା କୁ ମନେ ପକେଇ ଦେବାକୁ ଯାଇ କହିଛନ୍ତି

“ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି,
ପ୍ରଜାଲାଗି ଇନ୍ଦ୍ର କରେ ଜଳ ବୃଷ୍ଟି ।
ପ୍ରଜା ଲାଗି ଉଦେ ରବି ଶଶୀ ତାରା,
ପ୍ରଜା ଲାଗି ବହେ ଶତ ନଦୀଧାରା,
ପ୍ରଜା ଲାଗି ରାଜ୍ୟ,ପ୍ରଜାର ଶାସନ,
ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ ।
ଭାରତର ରାଜଧର୍ମ ସନାତନ-
ପରଜା ରକ୍ଷଣ ପାଳନ ରଞ୍ଜନ ।”

ଗୋପବନ୍ଧୁ ସମାଜରେ ଧର୍ମ ଜାତି ଵର୍ଣ୍ଣ ନିର୍ଵିଶେଷରେ ମାନବବାଦୀ ସମତା ସ୍ଥାପନକୁ ସର୍ଵଦା ଗୁରୁତ୍ୱ ଦେଉଥିଲେ ତେଣୁ
ବନ୍ଦୀର ଆତ୍ମକଥାରେ ତତ୍ପରଵର୍ତ୍ତୀ ପଦମାନଙ୍କରେ ସେଇକଥାକୁ ମନେ ପକେଇ ଦେବାକୁ ଯାଇ ଉତ୍କଳମଣି କହୁଛନ୍ତି

“ଅରଟ ଚଳାଇ ପ୍ରତି ଘରେ ଘରେ,
ଗ୍ରାମର କଳହ ତୁଟାଅ ଗ୍ରାମରେ ।
ଚାଲ ସତ୍ୟପଥେ ନାହିଁ ଡର ଭୟ, ଅସହଯୋଗରେ ବିଜୟ ନିଶ୍ଚୟ ।
ଛାଡ଼ ଉଚ୍ଚ ନୀଚ ଭେଦ ଅହଙ୍କାର,
ହେଉ ନୀଳାଚଳୁଁ ସମତା ପ୍ରଚାର ।”

ସେହି କବିତା ରେ ଅନ୍ୟ ଏକ ସ୍ଥାନରେ ମଧ୍ଯ ଗୋପବନ୍ଧୁ ଏହି ମାନବବାଦୀ ସମାନତାର କଥା ଆଉଟିକେ ସ୍ପଷ୍ଟ କରି କହିଛନ୍ତି

“ଗ୍ରାମ ବିଚାରରେ ସକଳେ ସମାନ,
ଛାଡ଼ି ମନୁ ବଡ଼ ସାନ ଅଭିମାନ ।
ସ୍ୱରାଜ୍ୟ-ଧରମେ ନାହିଁ ଭେଦ ଜ୍ଞାନ,
ସମସ୍ତେ ଯେ ଏକ ମାତାର ସନ୍ତନ ।”

ଉତ୍କଳମଣିଙ୍କ ମାନବବାଦୀ ହୃଦୟ ଉତ୍କଳ ର ତତ୍କାଳୀନ ଦୀନ ଦୁଃଖୀ ଲୋକ ଓ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ତଥା ଅନ୍ୟାୟ ଵର୍ଣ୍ଣିବାକୁ ସୁଦ୍ଧା ଏଠାରେ କୁଣ୍ଠିତ ହୋଇନାହିଁ
ତହିଁ ପରେ ସେ ଏଇକଥାକୁ ବଡ଼ ଭାବପ୍ରବଣ ହୋଇ କହୁଛନ୍ତି

“ଦେଖିଛି ଉତ୍କଳେ ଯେ ଦୃଶ୍ୟ ନୟନେ,
ଡରାଏ ତା ଭୂତ ପରାୟେ ଶୟନେ ।
କେତେ କେତେ ଚାଷୀ ଭଲ ଭଲ ଲୋକ,
ନ ପାନ୍ତି ଦି’ ବେଳା ପେଟପୂରା ଢୋକ ।
ଥିଲେ ଯେହୁ ମଲ୍ଲ ଉତ୍କଳ ସୈନିକ,
ପାଇକ ପ୍ରଧାନ ମାଗୁଛନ୍ତି ଭିକ।
ଦେହେ ନାହିଁ ମାଂସ ଦୋହଲୁଛି କଣ୍ଟା,
ଅନାହାରେ ଆହା ନ ଉଠଇ ଅଣ୍ଟା !
ଅର୍ଜ୍ଜନ୍ତି ଯା ତୁଣ୍ଡେ ମାରି ମୁଣ୍ଡଝାଳ,
ଦୁଷ୍ଟ ମହାଜନ, ଗ୍ରାମ କଟୁଆଳ ।
ପ୍ରଜାରକ୍ତ ଶୋଷି କେତେ ଜମିଦାର,
ହରନ୍ତି ସର୍ବସ୍ଵ ବଜାଇ ପାହାର
ଉତ୍କଳର କେତେ କନ୍ୟା ନାରଖାର,
ନ କରନ୍ତି ପେଟ ପୂରାଇ ଆହାର ।
ଲଜ୍ଜା ଢାଙ୍କିବାକୁ ନ ପାନ୍ତି ବସନ,
ଫୁଟେ ନାହିଁ କେବେ ଅଙ୍ଗେ ଯୁଉବନ ।
ଚିକିତ୍ସା ନ ପାଇ ଘରକଣେ ପଡ଼ି,
ରୋଗ, ଅନାହାରେ କେବାମରେ ଗଡ଼ି ।ଉଦରଜାଳାରେ କେତେ ନରନାରୀ,
ଛାଡ଼ି ଘରଦ୍ଵାରଯାଆନ୍ତି ବାହାରି ।”

ବନ୍ଦୀର ଆତ୍ମକଥାରେ ଆଗକୁ ଉତ୍କଳମଣି ବ୍ରାହ୍ମଣୀ ନଦୀକୂଳର ଜେନାପୁର ଗ୍ରାମରେ ବନ୍ୟା ବିତ୍ପାତ ଓ ଭଦ୍ରକରେ ହିନ୍ଦୁ ମୁସ୍ଲିମ୍ ଙ୍କୁ  ସଂହତି ରକ୍ଷା ଉପଦେଶ ଓ କନିକା ଅଞ୍ଚଳରେ ତତ୍କାଳୀନ ଲୋକଙ୍କ ଦୁର୍ଦ୍ଦଶା ବିଷୟରେ ଉଲ୍ଲେଖ କରିଛନ୍ତି ।

ଶେଷରେ ଗୋପବନ୍ଧୁ ଏକତା,ସମତା ଓ ମାନବବାଦ ବଳରେ ହିଁ ବିଶ୍ଵ ଓ ଭାରତର ସ୍ଥିତି ବଦଳିପାରିବ ବୋଲି ଆଶା ପୋଷଣ କରିବା ସହ ବନ୍ଦୀର ଆତ୍ମକଥା ଦୀର୍ଘ କବିତାର ସମାପନ କରିଅଛନ୍ତି ।

“ଉଡିବ ଅମ୍ବରେ ସ୍ୱରାଜ୍ୟ-କେତନ,
ପ୍ରତିଷ୍ଠତ ହେବ ସ୍ୱରାଜ୍ୟ-ଶାସନ ।
ଦେବ ପ୍ରତିଷ୍ଠିତ ମହର୍ଷିସମ୍ମତ,
ଜାଣିବ ଭାରତ, ଦେଖିବ ଜଗତ ।
ବିରାଜିବ ବିଶ୍ୱେ ଏକତା ସମତା,
ଶାନ୍ତି ଉଚ୍ଚାରିବେ ସ୍ୱରଗେ ଦେବତା ।”

ଓଡ଼ିଆ ଭାଷାରେ ସହସ୍ର ସହସ୍ର କବି ହୋଇଛନ୍ତି ଓ ଭବିଷ୍ୟତରେ ହେବେ ମଧ୍ଯ କିନ୍ତୁ ଅବକାଶ ଚିନ୍ତା ପରି ଜାତୀୟତା ସହ ମାନବତାବାଦକୁ ପ୍ରେରଣା ଓ ସମର୍ଥନ ଯୋଗାଉଥିବା କବିତା ସଙ୍କଳନ ନିଶ୍ଚିତ ଭାବରେ ଵିରଳ ହିଁ ଅଟେ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...