Sunday, April 27, 2025

ଭାରତୀୟ ମୂଳର ଗଵେଷକ ଆଵିଷ୍କାର କରିଥିଵା ନୂତନ ଗ୍ରହରେ ଜୀଵନର ସମ୍ଭାଵନା କେତେ ?

ମହାକାଶରେ ସିଂହ ରାଶି ଦିଗରେ, ପୃଥିଵୀଠାରୁ ୧୨୪ ଆଲୋକ ଵର୍ଷ ଦୂରରେ ଏକ ଗ୍ରହ ଅଛି। ପୃଥିଵୀଠାରୁ ଦୁଇଗୁଣରୁ ଅଧିକ ବଡ଼ ଏବଂ ୩୩ ଦିନରେ ନିଜ ସୂର୍ଯ୍ୟଙ୍କୁ ପରିକ୍ରମା କରୁଥିଵା ଏହି ଗ୍ରହ “K2-18B”, ଦଶ ଵର୍ଷ ପୂର୍ଵେ କେପ୍ଲର ଟେଲିସ୍କୋପ ସାହାଯ୍ୟରେ ଆଵିଷ୍କୃତ ହୋଇଥିଲା। ନିକଟ ଅତୀତରେ ଜେମ୍ସ ୱେବ ଟେଲିସ୍କୋପ ସାହାଯ୍ୟରେ ଏହି ଗ୍ରହର ଅଧ୍ୟୟନ କରି କେମ୍ବ୍ରିଜର ଭାରତୀୟ ମୂଳର ବୈଜ୍ଞାନିକ ମଧୁସୂଦନ ଏଵଂ ତାଙ୍କ ଦଳ ଦାବି କରିଛନ୍ତି ଯେ, ଏହି ଗ୍ରହରେ ପରଗ୍ରହୀ ଜୀଵନର ସମ୍ଭାବନା ରହିଛି ।

ସ୍ପେକ୍ଟ୍ରୋଗ୍ରାଫି ମାଧ୍ୟମରେ ଆମେ ପୃଥିଵୀରେ ବସି ଦୂରଵର୍ତ୍ତୀ ଗ୍ରହଗୁଡ଼ିକର ଵାୟୁମଣ୍ଡଳରେ ଥିଵା ରାସାୟନିକ ଗଠନକୁ ଆଜି ଆମେ ଜାଣିପାରୁଛୁ । ମଧୁସୂଦନଙ୍କ ଦଳ ଏହି ଗ୍ରହର ଵାୟୁମଣ୍ଡଳରେ କିଛି “ବାୟୋ-ମାର୍କର” ଖୋଜି ପାଇଛନ୍ତି, ଅର୍ଥାତ୍ ଏପରି କିଛି ପଦାର୍ଥ ଯାହାର ଉତ୍ପତ୍ତି ସାଧାରଣତଃ ଜୀଵନ ସହ ଜଡ଼ିତ।


ଅକ୍ସିଜେନ ମଧ୍ୟ ଏକ ବାୟୋ-ମାର୍କର। ଏହି ଗ୍ୟାସ ଵାୟୁମଣ୍ଡଳରେ ମୁକ୍ତ ଅଵସ୍ଥାରେ ରହିପାରେ ନାହିଁ; ଲୌହ ଆଦି କୌଣସି ନା କୌଣସି ମୌଳିକ ସହିତ ପ୍ରତିକ୍ରିୟା ଘଟାଇ ଅମ୍ଳଜାନ ସବୁବେଳେ ଅକ୍ସିଡାଇଜ ହୋଇଯାଏ। ଯଦି ଭିନ୍ନ ଗ୍ରହରେ କୌଣସି ପରଗ୍ରହୀ ଦ୍ଵାରା ପୃଥିଵୀର ବାୟୁମଣ୍ଡଳରେ ଏତେ ପରିମାଣର ଅକ୍ସିଜେନ ଥିଵା ଜଣାପଡ଼େ, ତେବେ ସେ ପରଗ୍ରହୀ ବି ପୃଥିଵୀରେ ଜୀଵନ୍ତ ପ୍ରାଣୀ ଅଛି ତେଣୁ ଏଠାରେ ନିରନ୍ତର ଅକ୍ସିଜେନ ଉତ୍ପାଦନ ହେଉଛି ବୋଲି ଜାଣିପାରିଵ । ପୃଥିଵୀରେ ଡାଇଆଟମ୍ ଓ ସାୟାନୋବ୍ୟାକ୍ଟେରିଆ ଆଦି ଫାଇଟୋପ୍ଲାଙ୍କଟନ ସର୍ଵାଧିକ 
50-70% ଅକ୍ସିଜେନ ଉତ୍ପାଦନ କରନ୍ତି। ସ୍ଥଳଚର ଉଦ୍ଭିଦମାନେ ୨୦ରୁ ୩୦% ଅମ୍ଳଜାନ ଉତ୍ପାଦନ କରନ୍ତି । ବାକି ପାଞ୍ଚରୁ ଦଶ ଭାଗ ଅମ୍ଳଜାନ ସ୍ଥଳଚର ଉଦ୍ଭିଦ ତଥା ଆଲଗୀମାନେ ଉତ୍ପାଦନ କରିଥାନ୍ତି। 

ତେବେ ମଧୁସୂଦନଙ୍କ ଦଳକୁ ମିଳିଥିଵା ବାୟୋ-ମାର୍କରର ନାମ ହେଉଛି “ଡାଇମିଥାଇଲ ସଲଫେଟ” (ସଂକ୍ଷେପରେ DMS), ଯାହା ସାଧାରଣତଃ ସାମୁଦ୍ରିକ ସୂକ୍ଷ୍ମଜୀଵମାନେ ଉତ୍ପାଦନ କରନ୍ତି। DMS ଅଣୁ ପ୍ରାକୃତିକ ଭାବେ ମଧ୍ୟ ସୃଷ୍ଟି ହୋଇପାରେ। କିଛି ଧୂମକେତୁରେ ଏହି ଅଣୁ ପୂର୍ଵରୁ ଦେଖାଯାଇଛି। କିନ୍ତୁ ଏହି ଅଜଣା ଗ୍ରହରେ DMSର ବଡ଼ ପରିମାଣ ସୂଚାଉଛି ଯେ, ଏହି ଗ୍ରହରେ କୌଣସି ପ୍ରକାରର ସାମୁଦ୍ରିକ ଜୀଵନ ଥାଇପାରେ, କିମ୍ବା ଏପରି କିଛି ଜୀଵନ ଯାହାର ପ୍ରକୃତି ସମ୍ବନ୍ଧରେ ଆମେ ସମ୍ପୂର୍ଣ୍ଣ ଅଜ୍ଞ ଅଟନ୍ତି। 

ମଧୁସୂଦନଙ୍କ ଅଧ୍ୟୟନର ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ ତାଙ୍କର ଡାଟା ଵିଶ୍ୱସନୀୟତା କ୍ଷେତ୍ରରେ ସିଗ୍ମା-୩ ସ୍ତରରେ ହିଁ ଉପଯୁକ୍ତ ଵିଵେଚିତ ହୁଏ । ଅର୍ଥାତ୍ ଉକ୍ତ ଡାଟାରେ ତ୍ରୁଟିର ସମ୍ଭାଵନା ୦.୩% ଏବେ ମଧ୍ୟ ରହିଛି। ଭୌତିକ ଵିଜ୍ଞାନ କ୍ଷେତ୍ରରେ କେବଳ ସେହି ଦାବିକୁ ପୂର୍ଣ୍ଣତଃ ଗ୍ରହଣ କରାଯାଏ, ଯାହାର ଵିଶ୍ୱସନୀୟତା ଅତ୍ୟଳ୍ପେ ସିଗ୍ମା-୫ ସ୍ତରରେ ଥାଏ, ଅର୍ଥାତ୍ ଡାଟାରେ ତ୍ରୁଟିର ସମ୍ଭାଵନା ୩.୫ ମିଲିୟନରେ ୧ ହେଵା ଉଚିତ। ତେଣୁ ମଧୁସୂଦନଙ୍କ ଦାବି ୯୯.୭% ସତ୍ୟ ହେଵାର ସମ୍ଭାବନା ଥିଲେ ବି ଏହାକୁ ଏତେ ଶୀଘ୍ର ପୂର୍ଣ୍ତତଃ ଵୈଜ୍ଞାନିକ ସତ୍ୟ କହିଵା ଉଚିତ ହେଵ ନାହିଁ ‌।

ପରଗ୍ରହୀ ଜୀଵନର ଆଵିଷ୍କାର ମାନଵ ଇତିହାସର ସବୁଠାରୁ ବଡ଼ ଆଵିଷ୍କାର ହେଵ ବୋଲି କାହାର ମନରେ ସନ୍ଦେହ ନାହିଁ। ଏହି ଆଵିଷ୍କାର ବ୍ରହ୍ମାଣ୍ଡ ସମ୍ବନ୍ଧୀୟ ଆମର ଜ୍ଞାନରେ ଏକ ନୂତନ ଯୁଗର ଆରମ୍ଭ ଚିହ୍ନିତ କରିଵ। ଯେତେବେଳେ ପରଗ୍ରହୀ ଜୀଵନର କଥା ଆସେ, ତେବେ କେବଳ “ଏକରୁ ଅନନ୍ତ” ନିୟମ ପ୍ରଯୁଜ୍ୟ ହୁଏ। ଅର୍ଥାତ୍, ହୁଏତ କୌଣସି ଘଟଣା ଏକବାର ଘଟେ, କିନ୍ତୁ ଯଦି ଏହା ଦ୍ୱିତୀୟ ଥର ଘଟେ, ତେବେ ଏହା ବାରମ୍ବାର, ଅନେକ ଥର, ଏପରିକି ଅନନ୍ତ ଥର ମଧ୍ୟ ଘଟିପାରେ।

ଅର୍ଥାତ୍, ହୁଏତ ଏହି ବିଶାଳ ବ୍ରହ୍ମାଣ୍ଡରେ ଆମେ ଏକାକୀ, କିନ୍ତୁ ଯଦି ପରଗ୍ରହୀ ଜୀଵନର କୌଣସି ପ୍ରମାଣ ମିଳେ, ତେବେ ଏହା ଏକ ଅଖଣ୍ଡନୀୟ ପ୍ରମାଣ ହେଵ ଯେ ବ୍ରହ୍ମାଣ୍ଡର ଵିଭିନ୍ନ ଗ୍ରହ ଉପଗ୍ରହରେ ଜୀଵନର ଅନେକ ସୁର-ସଙ୍ଗୀତ ଝଙ୍କୃତ ହେଉଛି,ହେଵାକୁ ଯାଉଛି ଵା ହୋଇ ସାରିଛି। ଯଦି ବ୍ରହ୍ମାଣ୍ଡରେ ପ୍ରକୃତି ଜୀଵନକୁ ଏକାଧିକ ଥର ଜନ୍ମ ଦେଇଛି, ତେବେ ଜୀଵନର ଉତ୍ପତ୍ତି ଘଟଣା ଅନେକ ଥର ମଧ୍ୟ ଘଟିପାରେ।

ନିଃସନ୍ଦେହେ ଏହା ଏକ ଅତ୍ୟନ୍ତ ଅସାଧାରଣ ଦାବି ଏଵଂ ଯେପରି କାର୍ଲ ସାଗନ କହିଥିଲେ: Extraordinary claims need extraordinary evidences.
(ଅସାଧାରଣ ଦାବିଗୁଡ଼ିକର ଵିଶ୍ୱସନୀୟତା କେଵଳ ଅସାଧାରଣ ପ୍ରମାଣ ଦ୍ୱାରା ସମ୍ଭଵ।)


ତେଣୁ ପରଗ୍ରହୀ ଜୀଵନ ଉପରେ କୌଣସି ଚୂଡ଼ାନ୍ତ ଦାବି କରିଵା ପୂର୍ଵରୁ ଆମକୁ ସ୍ପଷ୍ଟ ସମ୍ପୂର୍ଣ୍ଣ ଓ ଠିକ୍ ତଥ୍ୟ ପ୍ରମାଣକୁ ଅପେକ୍ଷା କରିଵାକୁ ହିଁ ହେଵ।

No comments:

Post a Comment

"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"

Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସ...