Sunday, April 20, 2025

ଭୁଜନି ଓ ଡେବ୍ରି ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ କ'ଣ?

କିଛି ଦିନ ତଳେ ଜଣେ ମହାପଣ୍ଡିତ ଗପୁଥାନ୍ତି ...

“ଓ ! କଟକୀ ଭାଷା ଭଲ ଭାଷା ...! (ଡାହାଣ ହାତ ଟେକି)ଇ ହାତକେ କାଁ ବୋଲଛ, ଡାହାଣ ! ବୋଇଲେ ଡାହାଣର ପ୍ରମାଣ କାଣା ଅଛେ ? ଡାହାଣ ତ ଡାହାଣ ,ମୁଁହ୍‌ଟା ନୁହେଁ ସେ । ସେ ହଲଧର୍ କହତି କେ ଆମେ ଇ (ଡାହାଣ ହାତ ଟେକି)ହାତେ ଭୁଜନ କର୍‌ସୁ ବୋଲି ଇତାକେ ଭୁଜନୀ କହେସୁ ,(ଵାମ ହାତ ଟେକି)ଇ ହାତେ ଡିବରି ଧର୍‌ସୁ ବୋଲି ଇତାକେ ଡେବ୍ରୀ ବୋଲ୍‌ସୁ”

ଡାହାଣ ହାତ ବୋଲି ପ୍ରମାଣ କ'ଣ ? ବଡ଼ ଅଦ୍ଭୁତ ପ୍ରଶ୍ନ ! ତେବେ ପ୍ରମାଣ ଅଛି । 'ଡାହାଣ' ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ଓ 'ଦକ୍ଷିଣ' ଶବ୍ଦର ନିରୁକ୍ତି ପାଠରେ ଉତ୍ତର ଅଛି । 

ସଂସ୍କୃତରେ *dākṣiṇa ଶବ୍ଦଟି ଏକ ଵିଶେଷଣ ଶବ୍ଦ ଅଟେ ଓ ‘ଡାହାଣ’ (right) ଓ ‘ଦକ୍ଷିଣ’ (southern) ଦିଗକୁ ସୂଚାଇଥାଏ । ସଂସ୍କୃତରୁ ପ୍ରାକୃତରେ, ଵିଶେଷତଃ ଆର୍ଦ୍ଧମାଗଧୀ ପ୍ରାକୃତରେ, *dākṣiṇa ଶବ୍ଦ *dāhiṇa- ଵା *ḍāhiṇa-* ରୂପେ ରୂପାନ୍ତରିତ ହେଲା। ଏହି ପରିଵର୍ତ୍ତନରେ *kṣ* ଧ୍ୱନି *h* ଵା *ḍ* ରୂପେ ସରଳୀକୃତ ହେଲା, ଯେପରି *dākṣiṇa* > *dāhiṇa*। ସ୍ତ୍ରୀଲିଙ୍ଗ *dākṣiṇā* ପ୍ରାକୃତରେ *dāhiṇā- ବା *dāhiṇī- ହେଲା, କିନ୍ତୁ ଅର୍ଥ ଅପରିଵର୍ତ୍ତିତ ରହି ସେହି ‘ଦକ୍ଷିଣ’ ଦିଗକୁ ସୂଚାଇଲା । କାଳକ୍ରମେ ପ୍ରାକୃତ dāhiṇa ଵା ଡାହିଣ ଶବ୍ଦଟି
ପାଲିରେ *daihṇā ଓ ଓଡ଼ିଆରେ ଡାହାଣ( ḍāhāṇa) ରୂପେ ଚଳିଲା । ସେଇ ପ୍ରାକୃତ 'ଡାହିଣ' ଶବ୍ଦରୁ ପଶ୍ଚିମ ପାହାଡ଼ୀ ଉପଭାଷା (ଭାଲେଶୀ)ରେ *dε̃haṇ*, କୁମାଉଁନୀରେ *daiṇo, ନେପାଳୀରେ *dāinu*, ଆସାମୀୟା ଓ ବଙ୍ଗଳାରେ *ḍāhin, ମୈଥିଳୀରେ *dahĭ̄n, *dahinā, ପୁରୁଣା ଅବଧୀରେ *dā̆hina, ହିନ୍ଦୀରେ *dā̆hinā, *dāhnā ଓ *dā̃yā, ପଞ୍ଜାବୀରେ *dāhiā̃*, ଭୋଜପୁରୀରେ *dāhin ଓ ବ୍ରଜବୋଲୀରେ *dāhin ଓ *dahino ଇତ୍ୟାଦି ଶବ୍ଦ ମଧ୍ୟ ସୃଷ୍ଟି ହୋଇଛି ‌ । ତେଣୁ ଡାହାଣ ଶବ୍ଦର ଵ୍ୟୁତ୍ପତ୍ତି ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଓଡ଼ିଆ 'ଡାହାଣ' ଶବ୍ଦଟି ପ୍ରାକୃତ 'ଡାହିଣ' ଶବ୍ଦରୁ ସୃଷ୍ଟି ହୋଇଛି। ସେହିପରି ପ୍ରାକୃତ 'ଡାହିଣ' ଶବ୍ଦଟି ସଂସ୍କୃତ 'ଦକ୍ଷିଣ' ଶବ୍ଦରୁ ଜାତ ହୋଇଛି । 

ତେବେ ଡାହାଣ ହାତ ଵା ଦକ୍ଷିଣ ହସ୍ତଟାକୁ କାହିଁକି ଦକ୍ଷିଣ ହସ୍ତ କୁହନ୍ତି ତାହାର କାରଣ ଦକ୍ଷିଣ ଶବ୍ଦର ନିରୁକ୍ତିପାଠ ମଧ୍ୟରେ ଅଛି । 

କଳ୍ପଦ୍ରୁମ ସଂସ୍କୃତ କୋଷ ଅନୁସାରେ “ଦକ୍ଷତେ ଇତି । ଦକ୍ଷ ଵୃଦ୍ଧୌ + “ଦ୍ରୁ-ଦକ୍ଷିଭ୍ଯାମିନନ୍ ।” ଉଣାଂ । ୨ । ୫୦ । ଇତିଇନନ୍ = ଦକ୍ଷିଣଃ ।” ଅର୍ଥାତ୍ ଦକ୍ଷ୍ ଧାତୁ ସହିତ ଉଣାଦି ସୂତ୍ର ୨.୫୦ “ଦ୍ରୁ-ଦକ୍ଷିଭ୍ଯାମିନନ୍” ପ୍ରୟୋଗ ପୂର୍ଵକ ଇନନ୍ ପ୍ରତ୍ୟୟ ଯୋଗ କରାଯାଇ ଦକ୍ଷିଣ ଶବ୍ଦ ନିଷ୍ପନ୍ନ ହୋଇଅଛି । 

ଦକ୍ଷ ଧାତୁରୁ ଶିଘ୍ର କରିଵା,ବଢ଼ିଵା,ଵେଗଵାନ୍ ହେଵା,ଵୃଦ୍ଧିଗତ ହେଵା,ଯିଵା,ଦୁଃଖ ଦେଵା ଓ ମାରି ଦେଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ । ଅଧିକାଂଶ ମନୁଷ୍ୟମାନଙ୍କ କ୍ଷେତ୍ରରେ ଡାହାଣ ଦିଗରେ ହିଁ ଶିଘ୍ର କାମ ହୁଏ ଏଵଂ ଏହାର ଵୈଜ୍ଞାନିକ କାରଣ ରହିଛି । ମଣିଷ୍କର ବାମ ଓ ଡାହାଣ ଅର୍ଦ୍ଧଗୋଳ (hemispheres) ବିଭିନ୍ନ କାର୍ଯ୍ୟ ନିୟନ୍ତ୍ରଣ କରେ। ବାମ ଅର୍ଦ୍ଧଗୋଳ ଶରୀରର ଡାହାଣ ପାର୍ଶ୍ୱକୁ (ହାତ, ଗୋଡ଼) ନିୟନ୍ତ୍ରଣ କରୁଥିଵା ବେଳେ ଡାହାଣ ଅର୍ଦ୍ଧଗୋଳ ବାମ ପାର୍ଶ୍ୱକୁ ନିୟନ୍ତ୍ରଣ କରିଥାଏ । ଅଧିକାଂଶ ମଣିଷଙ୍କର ବାମ ମସ୍ତିଷ୍କ ଅର୍ଦ୍ଧଗୋଳର motor functions ଯେପରିକି ହାତର ଗତି ଓ ସୂକ୍ଷ୍ମ କାର୍ଯ୍ୟ ତଥା ଭାଷା ନିୟନ୍ତ୍ରଣରେ ଅଧିକ ପ୍ରଭାବୀ ହୋଇଥାଏ । ଏହି କାରଣରୁ ଡାହାଣ ହାତ ଅଧିକ ସକ୍ରିୟ ଓ ଦକ୍ଷ ହୁଏ। ମସ୍ତିଷ୍କର ଏହି ପାର୍ଶ୍ୱୀୟତା (lateralization) ଜନ୍ମରୁ ଵା ଅତି ଅଳ୍ପ ଵୟସରେ ବିକଶିତ ହୋଇଥାଏ, ଯାହା ଦକ୍ଷିଣହସ୍ତ ପ୍ରଧାନତାର ମୂଳ କାରଣ। ପୁଣି ଏହି ଦକ୍ଷିଣ ହସ୍ତ ପ୍ରଧାନତାରେ ଜେନେଟିକ ଭୂମିକା ରହିଛି। ଅଧ୍ୟୟନରୁ ଜଣାଯାଏ ଯେ LRRTM1 ପରି କିଛି ଜିନ୍, ମସ୍ତିଷ୍କର ପାର୍ଶ୍ୱୀୟତା ଓ ହାତ ପ୍ରାଧାନ୍ୟତା ନିର୍ଦ୍ଧାରଣ କରିଥାନ୍ତି । ଵିଵର୍ତ୍ତନ ଦୃଷ୍ଟିରୁ, ଦକ୍ଷିଣହସ୍ତ ପ୍ରଧାନତା ମଣିଷ ଜାତିରେ ସାମାଜିକ ଓ ଶ୍ରମ ଵିଭାଜନରେ ସୁବିଧା ସୃଷ୍ଟି କରିଵାରେ ସାହାଯ୍ୟ କରିଛି। ଉଦାହରଣ ସ୍ୱରୂପ, ଅଧିକାଂଶ ଲୋକ ଡାହାଣ ହାତ ଵ୍ୟଵହାର କଲେ ସାଧାରଣ ଉପକରଣ ଓ ଅସ୍ତ୍ରଶସ୍ତ୍ର ଡିଜାଇନ୍‌ରେ ଡାହାଣ ଓ ଵାମହାତ ସମ୍ବନ୍ଧୀୟ ପ୍ରଭେଦ ସୃଷ୍ଟି ହୋଇନଥାଏ । ପୃଥିଵୀରେ ପ୍ରାୟ ୮୫-୯୦% ମଣିଷ ଦକ୍ଷିଣହସ୍ତ ପ୍ରଧାନ ତେଣୁ ସଂସ୍କୃତ ଭାଷାରେ ଦକ୍ଷିଣ ଶବ୍ଦକୁ ଦକ୍ଷ୍ ଧାତୁରୁ ଶିଘ୍ର କରିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି । ଡାହାଣ ହାତ ବାମ ହାତ ଅପେକ୍ଷା ଅଧିକ କର୍ମଠ ହୋଇଥିଵାରୁ ଏଭଳି ନିରୁକ୍ତି ନିର୍ଣ୍ଣୟ କରାଯାଇଥିଲା । , ଦକ୍ଷିଣ ଶବ୍ଦର ପ୍ରାକ୍ ଭାରୋଇରାନୀ ରୂପ *dáćšinas (“ଦକ୍ଷିଣ,ଦକ୍ଷିଣହସ୍ତ”) ଓ ପ୍ରାକ୍ ଭାରୋପୀୟ ରୂପ *déḱs-i-no-s ନିର୍ଣ୍ଣୟ କରାଯାଇଛି । ପୁଣି ଏହାର ପ୍ରାକ୍ ଭାରୋପୀୟ କ୍ଷୁଦ୍ର ଶବ୍ଦରୂପ *deḱs- (“ଦକ୍ଷିଣ ପଟ,) ଓ କ୍ଷୁଦ୍ର ଧାତୁରୂପ *deḱ- (“ନେଵା,ବୁଝିଵା) ନିର୍ଣ୍ଣୟ କରାଯାଇଛି । ଆମ୍ଭେ ମଣିଷମାନେ ଅଧିକାଂଶ ଦକ୍ଷିଣହସ୍ତ ଦ୍ଵାରା ହିଁ କୌଣସି ଦରଵ ନିଅନ୍ତି ଵା ଦିଅନ୍ତି ତଥା କୌଣସି ଦରଵ କ'ଣ ତାହା ଜାଣିଵା ଓ ବୁଝିଵା ପାଇଁ ଡାହାଣ ହାତ ଵ୍ୟଵହାର କରନ୍ତି । ଅତଃ ଶବ୍ଦ ଵ୍ୟୁତ୍ପତ୍ତି ଦୃଷ୍ଟିରୁ ବି 'ଦକ୍ଷିଣ' ଶବ୍ଦଟି ଦକ୍ଷିଣହସ୍ତ ପ୍ରଧାନତା କାରଣରୁ ସୃଷ୍ଟି ହୋଇଛି ବୋଲି ସ୍ପଷ୍ଟ ହୋଇଯାଏ ‌ । ଆଵେସ୍ତାନୀ 𐬛𐬀𐬱𐬌𐬥𐬀 (dašina), ଲିଥୁଆନିଆ dẽšinas, ସର୍ଵୋ କ୍ରୋଏସିଅନ୍ дѐснӣ/dèsnī, ପ୍ରାଚୀନ ଗ୍ରୀକ୍ δεξιός (dexiós, “ଦକ୍ଷିଣ”), ଲାଟିନ୍ dexter (“ଦକ୍ଷିଣ”) ଓ ଗୋଥିକ୍ 𐍄𐌰𐌹𐌷𐍃𐍅𐌰 (taihswa) ଇତ୍ୟାଦି ଶବ୍ଦଗୁଡ଼ିକ ସଂସ୍କୃତ ଦକ୍ଷିଣ ତଥା ଓଡ଼ିଆ ଡାହାଣ ଶବ୍ଦର ସଗୋତ୍ରୀୟ ଅର୍ଥାତ୍ ଗୋଟିଏ ମୂଳ ଭାରୋପୀୟ ଶବ୍ଦରୁ ସୃଷ୍ଟି ହୋଇଛି । 

ତେଣୁ ଦକ୍ଷିଣ ଦିଗରେ ମନୁଷ୍ୟମାନେ ଦକ୍ଷ ହୋଇଥିଵାରୁ, ଦକ୍ଷିଣହସ୍ତ କାର୍ଯ୍ୟଦକ୍ଷ ହୋଇଥିଵାରୁ ପ୍ରାଚୀନ ଓଡ଼ିଆ ଭାଷାରେ ଦକ୍ଷିଣ ଦିଗ ଓ ଡାହାଣ ହାତକୁ ଯଥାକ୍ରମେ ଦକ୍ଷ ଓ ଦକ୍ଷ କର କୁହାଯାଉଥିଲା । ଭୂପତି ରାୟ ତାଙ୍କ ପ୍ରେମପ୍ରଞ୍ଚାମୃତ କାଵ୍ୟରେ ଦକ୍ଷିଣ ଦିଗ ଅର୍ଥରେ ଦକ୍ଷ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି “ଦକ୍ଷିଣ ଭୁଜ ଦକ୍ଷ ଆଖି ସ୍ଫୁରଇ ଘନଘନ ଦେଖି ।” ସେହିପରି କଵିସୂର୍ଯ୍ୟ ବଳଦେଵ ରଥ ଡାହାଣ ହାତକୁ ଦକ୍ଷ କର ବୋଲି ଲେଖିଛନ୍ତି "ଦକ୍ଷ କରେ ଧରି ମୋହନ ଚାତୁରୀ ବିଶାରଦ ବେଣୁଦଣ୍ଡ ।" 

ତେବେ ଏହା ସତ ଯେ ପଞ୍ଚମ ଶ୍ରେଣୀ ଯାଏଁ ପଢ଼ି କଵିତା ଲେଖି କଵି ହୋଇଗଲେ ଡାହାଣକୁ ଡାହାଣ କାହିଁକି କୁହାଯାଏ ତାହାର ଜ୍ଞାନ କେବେ ବି ହୋଇପାରିଵ ନାହିଁ। ଡାହାଣ ଓ ଦକ୍ଷିଣ ଶବ୍ଦର ନିରୁକ୍ତି ତଥା ଵ୍ୟୁତ୍ପତ୍ତି ଜାଣିଲେ ହିଁ ଡାହାଣକୁ ଡାହାଣ, ଦକ୍ଷିଣକୁ ଦକ୍ଷିଣ କାହିଁକି କୁହାଯାଏ ତାହାର ଜ୍ଞାନ ହୋଇପାରିଵ ।‌ ଆଚ୍ଛା ପୂର୍ଵେ ଗୋଟେ ନିରକ୍ଷର କଵି କହିଥିଲା “ଆମେ ଭୋଜନ କରୁଛୁ ବୋଲି ଡାହାଣ ହାତଟା ଭୁଜନି ଆଉ ଡିବିରି ଧରୁଛୁ ବୋଲି ଵାମହାତକୁ ଡେବ୍ରୀ କହୁଛୁ ।” ଜଣେ ଅପାଠୁଆ କି ଅଳ୍ପପାଠୁଆ କଵି ହୋଇଗଲେ ସେ ତା ଅଵିକଶିତ ବୁଦ୍ଧି ତଥା ଅଳ୍ପଜ୍ଞାନ ବଳରେ ଯଦି କିଛି କହିଦେଇଛି ତାକୁ ଜପାମାଳି କରି ଘୋଷିଵା ପରିଵର୍ତ୍ତେ ତାହା ସତ କି ମିଛ ପ୍ରଥମେ ଅନୁସନ୍ଧାନ କରିନେଵା ଉଚିତ ଅଟେ । 

ପ୍ରଥମକଥା ଓଡ଼ିଆ ଭାଷାରେ ବି ଡାହାଣ ହାତରେ ଖାଆନ୍ତି ବୋଲି ତାକୁ 'ଖାଇବିହାତ' କୁହନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୧୯୬୫ ତମ ପୃଷ୍ଠାରେ ଯେଉଁ ହାତ ଦ୍ୱାରା ମନୁଷ୍ୟ ଖାଏ ତାକୁ ଖାଇବି ହାତ କୁହାଯାଏ ବୋଲି ଉଲ୍ଲେଖ ଅଛି । ଏ ଶବ୍ଦକୁ ନୀଳକଣ୍ଠ ଦାଶ ତାଙ୍କ 'ପିଲାଙ୍କ ରାମାୟଣ'ରେ ଵ୍ୟଵହାର କରି ଲେଖିଛନ୍ତି “ଡେବିରିହାତରେ ଧନୁ, ଖାଇବିହାତରେ ଶର।”

ବାଲେଶ୍ୱରରେ ଡାହାଣ ହାତକୁ 'ଖାଇଵା ହାତ' କୁହନ୍ତି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସେଇ ୧୯୬୫ତମ ପୃଷ୍ଠାରେ ହିଁ ଉଲ୍ଲେଖ ଅଛି । ଵ୍ୟାସକଵି ଫକୀରମୋହନ ସେନାପତି ତାଙ୍କ ଛଅମାଣ ଆଠଗୁଣ୍ଠ ଉପନ୍ୟାସରେ ଏହି ଶବ୍ଦ ପ୍ରୟୋଗ କରି ପଦେ ଲେଖିଛନ୍ତି “ମଙ୍ଗରାଜଙ୍କର ପୋଇଲୀ ମରୁଆ ଢାଳଟିଏ ଡେବିରି ହାତରେ ଧରି ଖାଇବା ହାତରେ କବାଟ ଫିଟାଇ ଘରୁ ବାହାରି ପଡ଼ିଲା” । 

ସେହିପରି ଢେଙ୍କାନାଳ ଓ ଏହାର ଆଖପାଖ ଗ୍ରାମାଞ୍ଚଳରେ ଆଜି ବି ଡାହାଣ ହାତକୁ 'ଖାଇଲିହାତ' କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୧୯୬୬ତମ ପୃଷ୍ଠାରେ ଡାହାଣ ହାତକୁ (ଢେଙ୍କାନାଳ ଇତ୍ୟାଦି)ଗଡ଼ଜାତରେ ଖାଇଲିହାତ କୁହାଯାଏ ବୋଲି ଉଲ୍ଲେଖ ରହିଛି। ପୁଣି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୬୦୭୪ତମ ପୃଷ୍ଠାରେ କୁହାଯାଇଛି ଯେ ଭଦ୍ରକରେ ଡାହାଣ ହାତକୁ 'ଭାତଖିଆ ହାତ' କୁହନ୍ତି । 

ଆଉ ଯୋଉ ଭୁଜନି ହାତ ଶବ୍ଦ ପାଇଁ "ଭୁଷୁଣ୍ଡା କଵି ଆଉ ତାଙ୍କ ଛଵିମାନଙ୍କର" ଏତେ ଗର୍ଵ ଅହଂକାର ସେଇ ଭୁଜନି ଶବ୍ଦଟି ଗୋଟିଏ ଖାଣ୍ଟି ଓଡ଼ିଆ ଶବ୍ଦର ହିଁ ସମ୍ବଲପୁରୀ ରୂପ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୬୧୧୬ତମ ପୃଷ୍ଠାରୁ ସ୍ପଷ୍ଟ ହୋଇଯାଏ । 

କାରଣ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୬୧୧୬ତମ ପୃଷ୍ଠାରେ 
ଭୁଜଣି ହାତ ଓ ଭୁଜଣି ବାହା ଏହିପରି ଦୁଇଗୋଟି ଓଡ଼ିଆ ଶବ୍ଦର ଉଲ୍ଲେଖ ଅଛି ।‌ ପ୍ରକୃତରେ ଡାହାଣ ହାତକୁ ହିଁ ଓଡ଼ିଆ ଭାଷାରେ ଭୁଜଣି ହାତ ଓ ଭୁଜଣି ବାହା କୁହନ୍ତି ।‌ ଗଞ୍ଜାମ ଜିଲ୍ଲାର କଵି କୃଷ୍ଣ ସିଂହ ତାଙ୍କ କୃଷ୍ଣ ମହାଭାରତରେ ଡାହାଣ ହାତ ଅର୍ଥରେ ଭୁଜଣି ହାତ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି 
“ଧୃଷ୍ଟଦ୍ୟୁମ୍ନଙ୍କର ଭୁଜଣି ହାତ ହତା, କାଟିଲେ ଭଲ୍ଲ କାଣ୍ଡେ ସେ ଦ୍ୱିଜ ବ୍ରହ୍ମବେତ୍ତା” (କୃଷ୍ଣସିଂହ. ମହାଭାରତ. ଭୀଷ୍ମପର୍ଵ)

ଆହୁରି ମଧ୍ଯ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୬୧୧୭ତମ ପୃଷ୍ଠାରେ 
ଭୁଜୁଣି କର ବୋଲି ଆଉ ଏକ ଶବ୍ଦର ଉଲ୍ଲେଖ ଅଛି । ଡାହାଣ ହାତ ଅର୍ଥରେ ଏହାର ପ୍ରୟୋଗ କରି କୃଷ୍ଣସିଂହ କୃଷ୍ଣ ମହାଭାରତରେ ପଦିଏ ଲେଖି ଯାଇଛନ୍ତି “ଅର୍ଜ୍ଜୁନଙ୍କୁ ବିନ୍ଧିଲେ ତିନୋଟି ନାରାଚ, ଭୁଜୁଣି କରେ ନିଶ କରିଦେଲେ ଉଚ୍ଚ।” (କୃଷ୍ଣସିଂହ. ମହାଭାରତ. କର୍ଣ୍ଣ।)

ତେଣୁ ଯୋଉ ଭୁଜ୍ନି ଵା ଭୁଜୁନି ଶବ୍ଦ ପାଇଁ ଵିଚ୍ଛିନ୍ନତାଵାଦୀମାନେ ଏତେ ଗରଵରେ ଛାତି ଫୁଲେଇ ବୁଲୁଛନ୍ତି ତାହା ବି ମାନକ ଓଡ଼ିଆ ଭାଷାର ଶବ୍ଦ ବୋଲି ସେମାନେ ଜାଣିଵା ଉଚିତ୍ । 


ଶେଷରେ କଳିଯୁଗର କାଣିଦାସ ଯୋଉ କହୁଥିଲେ ଡିବିରି ଧରିଵାରୁ ଵାମହାତକୁ ଡେବରୀ ହାତ କୁହନ୍ତି ତାହା ନିତାନ୍ତ ମୂର୍ଖାଣ୍ଡିଆ କଥା । ଡେବରୀ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ନଜାଣି ଅନ୍ଧାରରେ ବାଡ଼ି ବୁଲେଇ ଯାହା ତାହା ମନରୁ ଗାଇ ଦେଲେ ଘୁଷୁରିଟିଏ ପଣ୍ଡିତ ହୋଇଯାଏ ନାହିଁ ।‌ ଘୁଷୁରି ସବୁବେଳେ ଘୁଷୁରି ହିଁ ରହେ । 

 ପ୍ରାକୃତ ଭାଷାରେ ‘ḍavva(ଡଵ୍ଵ)’ ବୋଲି ଗୋଟିଏ ଶବ୍ଦ ଥିଲା ଯାହାର ଅର୍ଥ ‘ବାମ’ ବା ‘ବାମପାର୍ଶ୍ଵ’ ଥିଲା । ଏଇ ଶବ୍ଦର ଆଧୁନିକ ଓଡ଼ିଆ ରୂପ ଡେବରି ଓ ଡେଭିରି ବୋଲି ସାର୍ ରାଲ୍ଫ୍ ଲିଲି ଟର୍ନର୍‌ଙ୍କ ଦ୍ଵାରା ସଂକଳିତ A comparative dictionary of Indo-Aryan languagesର ୩୧୧ତମ ପୃଷ୍ଠାରେ ଉଲ୍ଲେଖ ଅଛି। ତେବେ ସାର୍ ଟର୍ନର୍ ଵାମ,ଵାମହସ୍ତ ଅର୍ଥଜ ପ୍ରାକୃତ ଶବ୍ଦ 'ଡଵ୍ଵ'ର ଵ୍ୟୁତ୍ପତ୍ତି ଦ୍ରାଵିଡ଼ ଭାଷାରୁ ହୋଇଥିଵାର ଉଲ୍ଲେଖ କରିଛନ୍ତି । 

ପ୍ରକୃତରେ ଗୋଟିଏ ପ୍ରୋଟୋ ଦ୍ରାଵିଡ଼ ଶବ୍ଦ *èḍ- ଥିଲା ଯାହା ଵାମ ଓ ଵାମହସ୍ତ ଅର୍ଥରେ ଵ୍ୟଵହୃତ ହେଉଥିଲା । ପରେ ଏହା ପ୍ରୋଟୋ-ସାଉଥ ଦ୍ରାଵିଡ଼ରେ *Iḍ- ରୂପେ ବିକଶିତ ହୋଇଥିଲା। ଏହି ମୂଳ ଶବ୍ଦ କାଳକ୍ରମେ ଵିଭିନ୍ନ ଦ୍ରାଵିଡ଼ ଭାଷାରେ ଵିସ୍ତୃତ ରୂପ ଗ୍ରହଣ କରିଛି, ଯାହା ଏହାର ଧ୍ଵନିଗତ ଓ ଅର୍ଥଗତ ଵିଵିଧତାକୁ ପ୍ରତିଫଳିତ କରେ।

T Burrow, T ଓ M. B. Emeneauଙ୍କ ଦ୍ଵାରା ସଂକଳିତ A Dravidian etymological dictionaryର ପୃଷ୍ଠା ୪୪ ଅନୁସାରେ ଏହି ମୂଳ ଶବ୍ଦରୁ ତାମିଳରେ iṭai, iṭam (ବାମପାର୍ଶ୍ଵ), iṭattai ଓ iṭavaṉ (ବାମ ପାଖିଆ ବଳଦ) ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି । ମଲୟାଲମରେ : iṭam, eṭam (ଵାମପାର୍ଶ୍ଵ),କନ୍ନଡ଼ରେ eḍa (ଵାମ, ଵାମପାର୍ଶ୍ଵ), eḍacu(ଵାମହାତିଆ ଅଵସ୍ଥା) ଶବ୍ଦ ବି ଏହି ମୂଳ ଦ୍ରାଵିଡ଼ ଶବ୍ଦରୁ ସୃଷ୍ଟି ହୋଇଛି । ତେଲୁଗୁ ଭାଷାର eḍama (ଵାମ, ଵାମପାର୍ଶ୍ଵ) ମଧ୍ୟ ଏହି ମୂଳର ଶବ୍ଦ ଅଟେ । ତେବେ ମୂଳ ପ୍ରାକ୍ ଦ୍ରାଵିଡ଼ ଶବ୍ଦ èḍଟି ଦକ୍ଷିଣ ମଧ୍ୟ ଦ୍ରାଵିଡ଼ ଭାଷାଗୁଡି଼କରେ ଆହୁରି ପରିଵର୍ତ୍ତିତ ହୋଇ Naikṛi ଭାଷାରେ ḍāva,ପରଜୀରେ ḍebri,ଗଦବାରେ ḍebri,ଗୋଣ୍ଡିରେ ḍema, demar ଓ ḍāvā,କୁଈ ଭାଷାରେ deba, debe ଓ debo ଓ କୁଵିଭାଷାରେ tebri,tēbri ଓ ṭebri ଇତ୍ୟାଦି ହୋଇଛି ତଥା ଡାହାଣ ଓ ଦକ୍ଷିଣ ହସ୍ତ ଅର୍ଥରେ ପ୍ରୟୋଗ କରାଯାଉଛି ।‌ ତେଣୁ କୁଈ,କୁଵି,ଗଦବା ଓ ପରଜୀ ଇତ୍ୟାଦି କଳିଙ୍ଗୀ ଦ୍ରାଵିଡ଼ ଭାଷାଗୁଡି଼କର ପ୍ରଭାଵରେ ଓଡ଼ିଆ ଭାଷାରେ ଵାମହସ୍ତକୁ ଡେବ୍ରି (ସମ୍ବଲପୁରୀ ଓଡ଼ିଆ) ଓ ଡେଭିରି(କଟକୀ ଓଡ଼ିଆ) କୁହାଯାଇଛି ।‌ ତେଣୁ ଡିବିରି ଧରିଵା ଯୋଗୁଁ ଵାମହସ୍ତର ନାଆଁ ଡିବିରି ହୋଇନାହିଁ ଵରଂ ଏହା ମୂଳତଃ ଏକ ଦ୍ରାଵିଡ଼ ଶବ୍ଦ ଯାହା ଭାରତର ଵିଭିନ୍ନ ଭାଷାରେ ଵ୍ୟାପିଛି । 
ଆମେରକୀୟ ଭାଷାଵିତ Edward Sapirଙ୍କ ଭାଷାରେ 
“The history of a word is not a straight line but a tangled web, and those who guess at its path without evidence often weave fables.” ଅର୍ଥାତ୍ "ଗୋଟିଏ ଶବ୍ଦର ଇତିହାସ ଏକ ସରଳ ରେଖାରେ ଅଙ୍କିତ ହୋଇନପାରେ ବରଂ ଏହା ଏକ ଜଟିଳ ଜାଲ ଅଟେ । ଯେଉଁମାନେ ବିନା ପ୍ରମାଣରେ ଗୋଟିଏ ଶବ୍ଦର ମାର୍ଗ (ଵା ଵ୍ୟୁତ୍ପତ୍ତି ଇତିହାସ) ଅନୁମାନ କରନ୍ତି ସେମାନେ ଅନେକ ସମୟରେ କଳ୍ପନାର ଜାଲ ବୁଣନ୍ତି ।”

ଯାଜ୍ଞବଲ୍କ୍ୟଙ୍କ ରଚିତ ନିରୁକ୍ତ ଶାସ୍ତ୍ରର ୧.୧୫ରେ ବି କୁହାଯାଇଛି...

“ନ ସଂନାଦତି ସଂନାଦତି ଯଦ୍ ଯଦ୍ ଯଥା ଯଥେତି ଚ।
ଏକଂ ଚତୁର୍ଧା ଵିଦ୍ଯାତ୍ ଶବ୍ଦଂ ଶବ୍ଦଵିଶାରଦଃ॥”

ଅର୍ଥାତ୍ ଶବ୍ଦରେ ପାରଙ୍ଗମ ବ୍ୟକ୍ତି ଏକ ଶବ୍ଦକୁ ଚାରି ପ୍ରକାରେ ଜାଣିଵା ଉଚିତ: ଏହା କିପରି ଉଚ୍ଚାରିତ ହୁଏ ନାହିଁ, ଏହା କିପରି ଉଚ୍ଚାରିତ ହୁଏ, ଏହା ପ୍ରସଙ୍ଗ ଅନୁସାରେ କିପରି ଵ୍ୟଵହୃତ ହୁଏ, ଓ ଏହାର ଉତ୍ପତ୍ତି କ'ଣ ।”

ତେଣୁ ତମେ ଗୋଟାଏ ଶବ୍ଦ 'ଭୁଜନି'ର ଵ୍ୟୁତ୍ପତ୍ତି ଇତିହାସ ନଜାଣି ଏଵଂ ଆଉ ଏକ ଶବ୍ଦର(ଡେବ୍ରି ଵା ଡେଭରି) ଭୁଲ୍ ଵ୍ୟୁତ୍ପତ୍ତି ଇତିହାସ ବୋଲିକରି ଲୋକକୁ ଭୁଆଁ ବୁଲେଇ ଦେଲେ ପଣ୍ଡିତ ହୋଇଯିଵ ନାହିଁ । ଓଡ଼ିଆ ଏକ ଶ୍ରେଷ୍ଠ ଭାଷା, ଏହାର ଵିଶାଳ ଶବ୍ଦ ସମ୍ଭାର ସହିତ ଏହି ଭାଷାର ଏକ ଶୈଳୀର ଶବ୍ଦ ସମ୍ଭାରର ତୁଳନା କରିଵା ଯାହା ଭାରତ ମହାସାଗର ତୁଲେ କାସ୍ପିଆନ ସାଗରର ତୁଳନା କରିଵା ସେଇଆ । ଓଡ଼ିଆ ଭାଷାର ଵିଶାଳ ଶବ୍ଦ ସମ୍ଭାରକୁ ନଜାଣି ତାହାର ଅପମାନ କରିଵାକୁ ଚେଷ୍ଟା କରିଵା ମହାପାପ । 
 









No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...