Wednesday, April 30, 2025

ଲିଟିଲହାମ୍ପଟନର ରହସ୍ୟମୟ ପତ୍ର



 ଇଂଲଣ୍ଡର ଦକ୍ଷିଣ ଉପକୂଳରେ ଅଵସ୍ଥିତ ଏକ ଛୋଟ ଗ୍ରାମ, ଲିଟିଲହାମ୍ପଟନରେ ୧୯୨୦ ମସିହାରେ ଘଟିଥିଵା ଏକ ସତ୍ୟ ଘଟଣା। ସମୁଦ୍ର କୂଳର ଏହି ଗ୍ରାମରେ ଜୀଵନ ଶାନ୍ତ ଓ ସରଳ ଥିଲା। କିନ୍ତୁ ଏ ଶାନ୍ତି ୧୯୨୦ ମସିହାରେ ଉଭେଇ ଗଲା। ଏକ ରହସ୍ୟମୟ ଘଟଣା ଗ୍ରାମକୁ ଆଲୋଡ଼ିତ କରିଦେଲା, ଯାହା ପରେ "ଲିଟିଲହାମ୍ପଟନ ଲେଟର୍ସ" ଓ Littlehampton libels ନାମରେ ପରିଚିତ ହେଲା।

ଗ୍ରାମର ଜଣେ ସମ୍ମାନିତ ମହିଳା ଇଡିଥ ସ୍ୱାନ ଥିଲେ ଏହି କାହାଣୀର ମୁଖ୍ୟ ଚରିତ୍ର। ଇଡିଥ ସ୍ଥାନୀୟ ସମାଜରେ ଜଣେ ଧାର୍ମିକ, ଶାନ୍ତ ଓ ଆଦର୍ଶ ମହିଳା ଭାବେ ପରିଚିତ ଥିଲେ। ତାଙ୍କ ଜୀଵନ ପୂର୍ଣ୍ଣତଃ ନିୟମାନୁଵର୍ତ୍ତୀ ଓ ସମୟାନୁଵର୍ତ୍ତୀ ଥିଲା । ଚର୍ଚ୍ଚ ଯିଵା, ପରିଵାରର ଯତ୍ନ ନେଵା ଓ ଗ୍ରାମର ସାମାଜିକ କାର୍ଯ୍ୟରେ ଭାଗ ନେଵା ଇଡିଥଙ୍କୁ ଭଲ ଲାଗୁଥିଲା । କିନ୍ତୁ ଦିନେ ଏକ ଅଘଟଣ ଘଟିଲା। ଇଡିଥଙ୍କ ପାଖକୁ ଏକ ଅଜଣା ପତ୍ର ଆସିଲା। ପତ୍ରଟି ଖୋଲିଵା ମାତ୍ରେ ଇଡିଥଙ୍କ ମୁହଁ ଲାଜରେ ଲାଲ ହୋଇଗଲା। ପତ୍ରରେ ଲେଖାଥିଲା ଅଶ୍ଳୀଳ ଓ ଅପମାନଜନକ ଭାଷା ତାଙ୍କ ଚରିତ୍ର ସଂହାର କରୁଥିଲା।

ପ୍ରଥମେ ଇଡିଥ ଏହାକୁ ଏକ ଭୁଲ ବୋଲି ଭାବିଲେ। କିନ୍ତୁ ଦିନେ ଦୁଇ ଦିନ ତିନି ଦିନ ଏହିପରି ଅନେକ ପତ୍ର ଆସିବା ଜାରି ରହିଲା। କେଵଳ ଇଡିଥ ନୁହେଁ, ଗ୍ରାମର ଅନ୍ୟ କେତେଜଣ ମଧ୍ୟ ଏପରି ପତ୍ର ପାଇଵାକୁ ଲାଗିଲେ। ପତ୍ରଗୁଡ଼ିକରେ ଥିଵା ଭାଷା ଏତେ ଅଭଦ୍ର ଥିଲା ଯେ ଗ୍ରାମଵାସୀଙ୍କ ମଧ୍ୟରେ ଆତଙ୍କ ଓ ଅସନ୍ତୋଷ ବଢ଼ିଗଲା। କିଏ ଏହି ପତ୍ର ଲେଖୁଛି ? କାହିଁକି ଏପରି କରୁଛି ? ସମସ୍ତଙ୍କ ମନରେ କେଵଳ ପ୍ରଶ୍ନ ଉଠୁଥାଏ ।



ଇଡିଥ ସ୍ୱାନ ଏହି ପତ୍ରଗୁଡ଼ିକ ପାଇଁ ଏତେ ଅସୁବିଧାରେ ପଡ଼ିଲେ ଯେ ସେ ପୋଲିସର ଦ୍ୱାରସ୍ଥ ହେଲେ। ସେ ସିଧାସିଧା ତାଙ୍କ ପଡ଼ୋଶୀ ରୋଜ୍ ଗୁଡିଂଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ରୋଜ୍ ଗୁଡିଂ ଥିଲେ ଇଡିଥଙ୍କ ଠିକ୍ ଓଲଟା। ସେ ଜଣେ ମୁକ୍ତମନା, ସ୍ୱାଧୀନ ଚେତା ମହିଳା। ତାଙ୍କର ଜୀଵନଶୈଳୀ ଗ୍ରାମର ରକ୍ଷଣଶୀଳ ସମାଜ ପାଇଁ ଅସ୍ୱାଭାଵିକ ଥିଲା। ରୋଜ ଗୁଡିଂ ଵିଵାହ ଵହିର୍ଭୂତ ସମ୍ପର୍କରେ ରହୁଥିଲେ ଓ ତାଙ୍କର ଏକ ଝିଅ ଥିଲା। ସେ ଗ୍ରାମର ରୀତିନୀତିକୁ ଖୋଲାଖୋଲି ଅଣଦେଖା କରୁଥିଲେ, ଯାହା ଅନେକଙ୍କୁ ଅସନ୍ତୁଷ୍ଟ କରୁଥିଲା।


ଇଡିଥ୍ ସ୍ଵାନ୍ ଦାବି କଲେ ଯେ ରୋଜଙ୍କ ସହ ତାଙ୍କର ପୂର୍ଵରୁ କିଛି ଵିଵାଦ ଥିଲା ତେଣୁ ଏହି ପତ୍ରଗୁଡ଼ିକ ରୋଜଙ୍କ ପ୍ରତିଶୋଧମୂଳକ କାର୍ଯ୍ୟ। ଗ୍ରାମଵାସୀଙ୍କ ମଧ୍ୟରେ ମଧ୍ୟ ରୋଜଙ୍କ ଚରିତ୍ରକୁ ନେଇ ଗୁଜବ ଥିଲା, ଯାହା ଇଡିଥଙ୍କ ଅଭିଯୋଗକୁ ଆହୁରି ବଳବତ୍ତର କଲା। ପୋଲିସ ତଦନ୍ତ ଆରମ୍ଭ କଲା ଓ ରୋଜଙ୍କୁ ଗିରଫ କରାଗଲା।

ରୋଜଙ୍କ ଵିରୁଦ୍ଧରେ କୋର୍ଟରେ କେସ୍ ଚାଲିଲା। ଇଡିଥଙ୍କ ସାକ୍ଷ୍ୟ ଓ ଗ୍ରାମର ରକ୍ଷଣଶୀଳ ମାନସିକତା ରୋଜଙ୍କ ଵିପକ୍ଷରେ ଗଲା। ପତ୍ରଗୁଡ଼ିକରେ ଥିଵା ହସ୍ତାକ୍ଷର ଓ ଭାଷା ନେଇ କିଛି ସନ୍ଦେହ ଥିଲେ ମଧ୍ୟ, କୌଣସି ସ୍ପଷ୍ଟ ପ୍ରମାଣ ନଥିଲା ଯେ ରୋଜ ନିର୍ଦ୍ଦୋଷ। ଅନ୍ୟପକ୍ଷରେ, ଇଡିଥଙ୍କ ସମ୍ମାନିତ ଚରିତ୍ର ତାଙ୍କୁ ସନ୍ଦେହରୁ ଉର୍ଦ୍ଧ୍ୱରେ ରଖିଥିଲା। ଅଦାଲତ ରୋଜଙ୍କୁ ଦୋଷୀ ସାଵ୍ୟସ୍ତ କଲା ଓ ତାଙ୍କୁ ଜେଲ ଦଣ୍ଡ ଦିଆଗଲା।

ରୋଜ ଜେଲରେ ଥାଇ ମଧ୍ୟ ନିଜର ନିର୍ଦ୍ଦୋଷତା ବଜାୟ ରଖିଥିଲେ। ସେ କହୁଥିଲେ, "ମୁଁ ଏପରି ନୀଚ କାମ କରିନାହିଁ। କିଏ ଏହା କରୁଛି, ତାହା ଖୋଜି ବାହାର କରନ୍ତୁ।" କିନ୍ତୁ ତାଙ୍କ କଥାକୁ କେହି ଗୁରୁତ୍ୱ ଦେଲେ ନାହିଁ।

ରୋଜ ଜେଲରେ ଥାଇ ମଧ୍ୟ ଅଶ୍ଳୀଳ ପତ୍ରଗୁଡ଼ିକ ଆସିଵା ବନ୍ଦ ହେଲା ନାହିଁ। ଇଡିଥ ଓ ଅନ୍ୟମାନେ ଏବେ ମଧ୍ୟ ଏପରି ପତ୍ର ପାଉଥିଲେ। ଏହା ପୋଲିସ ଓ ଗ୍ରାମଵାସୀଙ୍କ ମନରେ ସନ୍ଦେହ ସୃଷ୍ଟି କଲା। ଯଦି ରୋଜ ଜେଲରେ ଅଛନ୍ତି, ତେବେ ଏହି ପତ୍ର କିଏ ଲେଖୁଛି? ଏହି ନୂଆ ଘଟଣା ପୋଲିସକୁ ମାମଲାକୁ ପୁନଃ ତଦନ୍ତ କରିଵାକୁ ବାଧ୍ୟ କଲା।


ପୋଲିସ ଏଥର ଅଧିକ ଗମ୍ଭୀର ହୋଇ ଆହୁରି ଗଭୀର ଭାବେ ତଦନ୍ତ ଆରମ୍ଭ କଲା। ପୋଲିସ ପତ୍ରଗୁଡ଼ିକର ହସ୍ତାକ୍ଷର, ଭାଷା ଓ ପତ୍ର ପଠାଇଵାର ପ୍ରକ୍ରିୟାକୁ ନିଵିଡ଼ ଭାବେ ପରୀକ୍ଷା କଲା। ଦୀର୍ଘ ତଦନ୍ତ ପରେ ଏକ ଆଶ୍ଚର୍ଯ୍ୟଜନକ ସତ୍ୟ ସାମ୍ନାକୁ ଆସିଲା। ପ୍ରମାଣ ମିଳିଲା ଯେ ଏହି ଅଶ୍ଳୀଳ ପତ୍ରଗୁଡ଼ିକ ଇଡିଥ ସ୍ୱାନ ନିଜେ ହିଁ ଲେଖୁଥିଲେ। ସେ ନିଜେ ନିଜକୁ ତଥା ଅନ୍ୟମାନଙ୍କୁ ପତ୍ର ଲେଖୁଥିଲେ ଏଵଂ ରୋଜଙ୍କୁ ଫସାଇଵା ପାଇଁ ଏକ ଚକ୍ରାନ୍ତ ରଚିଥିଲେ।

ଇଡିଥଙ୍କ ଏହି କାର୍ଯ୍ୟର କାରଣ ସ୍ପଷ୍ଟ ନଥିଲା। କିଛି ଲୋକ ମତ ଦେଇଥିଲେ ଯେ ଇଡିଥ ଓ ରୋଜଙ୍କ ମଧ୍ୟରେ ପୂର୍ଵ ଵିଵାଦ ଥିଲା, ଫଳତଃ ଇଡିଥ୍, ରୋଜଙ୍କୁ ସାମାଜିକ ଭାବେ ଅପମାନିତ କରିଵାକୁ ଚାହୁଁଥିଲେ। ଅନ୍ୟମାନେ ଇଡିଥଙ୍କ ମାନସିକ ସ୍ଥିତି ଏଥି ପାଇଁ ଦାୟୀ ଥିଲା ବୋଲି ମତ ଦେଇଥିଲେ। ଯାହା ହେଉ, ଏହି ଉନ୍ମୋଚନ ଗ୍ରାମଵାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଲା। ଯେଉଁ ଇଡିଥଙ୍କୁ ସମସ୍ତେ "ନୀତିଵାନ" ମହିଳା ଭାବୁଥିଲେ, ସେ ଏପରି ନୀଚ କାର୍ଯ୍ୟରେ ଜଡ଼ିତ ଥିଲେ ବୋଲି ଅନେକେ ସହଜେ ଵିଶ୍ଵାସ କରିପାରୁନଥିଲେ ।


ଇଡିଥଙ୍କ ଅପରାଧ ପ୍ରମାଣିତ ହେଵା ପରେ, ରୋଜ ଗୁଡିଂଙ୍କୁ ଜେଲରୁ ମୁକ୍ତ କରାଗଲା। ତାଙ୍କ ନାଆଁରୁ କଳଙ୍କ ଲୋପ ହେଲା, କିନ୍ତୁ ଏହି ଘଟଣା ତାଙ୍କ ଜୀଵନରେ ଏକ ଗଭୀର ଆଘାତ ଛାଡ଼ିଯାଇଥିଲା। ଇଡିଥ ସ୍ୱାନଙ୍କ ଵିରୁଦ୍ଧରେ ମାମଲା ଚାଲିଲା, ଓ ତାଙ୍କୁ ଆଇନ ଅନୁସାରେ ଦଣ୍ଡ ଦିଆଗଲା। ଏହି ଘଟଣା ଲିଟିଲହାମ୍ପଟନରେ ଏକ ବଡ଼ କେଳେଙ୍କାରୀ ଘଟଣା ରୂପେ କୁଖ୍ୟାତ ହେଲା, ଯାହା ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ଵିଷୟ ହୋଇଥିଲା ‌। 


ଲିଟିଲହାମ୍ପଟନର ଏହି ରହସ୍ୟମୟ ପତ୍ର କେଳେଙ୍କାରୀ ଶାନ୍ତ ଗ୍ରାମରେ ଏକ ଝଡ଼ ସୃଷ୍ଟି କରିଥିଲା। ସାମାଜିକ ପୂର୍ଵାଗ୍ରହ ଓ ଚରିତ୍ର ନେଇ ଭ୍ରମାତ୍ମକ ଧାରଣା କେତେ ଭୁଲ ହୋଇପାରେ ତାହା ଏଇ ଘଟଣାରୁ ଶିକ୍ଷା ନିଆଯାଇପାରେ । ରୋଜ ଗୁଡିଂ ନିର୍ଦ୍ଦୋଷ ଥିଲେ, କିନ୍ତୁ ତାଙ୍କ ଜୀଵନଶୈଳୀ ତାଙ୍କୁ ସହଜରେ ଅପରାଧୀ ଭାବେ ଚିତ୍ରିତ କରିଥିଲା। ଅନ୍ୟପକ୍ଷରେ, ଇଡିଥଙ୍କ ଵାହ୍ୟ ସମ୍ମାନ ତାଙ୍କ ଅପରାଧକୁ ଲୁଚାଇ ରଖିଥିଲା। ଏହି ଘଟଣା ଲିଟିଲହାମ୍ପଟନବାସୀଙ୍କୁ ଏକ ଶିକ୍ଷା ଦେଇଗଲାଯେ ସତ୍ୟ ଜାଣିଵା ପୂର୍ଵରୁ କାହାକୁ ଦୋଷୀ ସାଵ୍ୟସ୍ତ କରିବା କେତେ ଭୁଲ ହୋଇପାରେ।

ଏହି ଐତିହାସିକ ଘଟଣାଵଳୀକୁ ନେଇ ୨୦୨୩ରେ Wicked Little Letters ନାମରେ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟିରେ ହାସ୍ୟରସ ସହିତ ଇଡିଥ୍ ସ୍ଵାନ୍ ଓ ରୋଜ୍ ଗୁଡିଂଙ୍କର ଚରିତ୍ର ଵର୍ଣ୍ଣନା କରାଯାଇଛି । 

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...