Friday, April 11, 2025

•ସାୟାନୋବ୍ୟାକ୍ଟେରିଆ : ଆମକୁ ଅମ୍ଳଜାନ ଦାନ କରିଥିଵା ଏକ ପ୍ରାଚୀନ ଜୀଵର କାହାଣୀ•

ପୃଥିଵୀର ସୃଷ୍ଟିଠାରୁ ଏଯାଵତ୍ ଏ ଗ୍ରହର ଵାୟୁମଣ୍ଡଳ ତିନୋଟି ପ୍ରମୁଖ ପର୍ଯ୍ୟାୟ ଦେଇ ଵିକଶିତ ହୋଇଛି। ଆଜକୁ ପ୍ରାୟ ୪.୬ ବିଲିଅନ ଵର୍ଷ ପୂର୍ଵେ ପୃଥିଵୀରେ ଅଳ୍ପ କାଳ ପାଇଁ ପ୍ରାଥମିକ ଵାୟୁମଣ୍ଡଳ ଥିଲା । ସେହି ପ୍ରଥମ ଵାୟୁମଣ୍ଡଳରେ ହାଇଡ୍ରୋଜେନ୍ ଓ ହିଲିୟମ୍‌ର ପରିମାଣ ପ୍ରଧାନ ଥିଲା । କିନ୍ତୁ ଏହା ଏକ ଅସ୍ଥାୟୀ ଵାୟୁମଣ୍ଡଳ ଥିଵାରୁ ପରଵର୍ତ୍ତୀକାଳରେ ସୌରପଵନ ଏଵଂ ପୃଥିଵୀର ଦୁର୍ଵଳ ମାଧ୍ୟାକର୍ଷଣ ଯୋଗୁଁ ବହୁଧା ହ୍ରାସ ହୋଇଗଲା। ତେବେ ସେହି ସମୟରେ ଆମ ସୌରଜଗତରେ ଏକ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଘଟଣା ଘଟିଥିଲା । ଵୃହସ୍ପତି ,ଶନି ଓ ୟୁରାନସ ଇତ୍ୟାଦି ଗ୍ରହଗୁଡ଼ିକର ଗ୍ରହୀୟ ପରିଵ୍ରଜନ (planetary migration) ଯୋଗୁଁ ଗ୍ରହାଣୁ ବଳୟ (asteroid belt) ଓ କାଇପର ବଳୟ (Kuiper belt) ରୁ ବହୁସଂଖ୍ୟକ ମହାକାଶୀୟ ପିଣ୍ଡ ଅଭ୍ୟନ୍ତରୀଣ ସୌରମଣ୍ଡଳ ଆଡ଼େ ଚାଲି ଆସିଥିଲେ । ଫଳତଃ ପୃଥିଵୀ, ଚନ୍ଦ୍ର ଓ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଗ୍ରହଗୁଡ଼ିକ ଉପରେ ଅସଂଖ୍ୟ ଉଲ୍କାପିଣ୍ଡ (meteoroids), ଧୂମକେତୁ (comets) ଓ ଗ୍ରହାଣୁ (asteroids) ଵର୍ଷିଥିଲା । ଗଵେଷକମାନେ ତାକୁ Late Heavy Bombardment ନାମ ଦେଇଛନ୍ତି । ଦୁଇଟି ଚରଣରେ ୪.୫ ବିଲିଅନ ଵର୍ଷଠାରୁ ୩.୮ ବିଲିଅନ ଵର୍ଷ ପର୍ଯ୍ୟନ୍ତ ପୃଥିଵୀ ପୃଷ୍ଠରେ ଅଂସଖ୍ୟ ମହାକାଶୀୟ ପିଣ୍ଡ ଵର୍ଷିଥିଲା ‌। ଏହି ଆଘାତ ଅତ୍ୟନ୍ତ ତୀଵ୍ର ଓ ଵ୍ୟାପକ ଥିଲା କିନ୍ତୁ ଏଥିଯୋଗୁଁ ପୃଥିଵୀର ଭାଗ୍ୟ ହିଁ ବଦଳି ଯାଇଥିଲା ‌ । ନିଜର ପ୍ରାଥମିକ ଵାୟୁମଣ୍ଡଳ ହରାଇ ଏକ ମୃତ ଗ୍ରହରେ ପରିଣତ ହେଵାକୁ ବସିଥିଵା ପୃଥିଵୀ ପୁଣି ଉତ୍ତପ୍ତ ହୋଇଗଲା ଏଵଂ ଏଥିଯୋଗୁଁ ପୃଥିଵୀ ସାରା ଅତି ଭୀଷଣ ଆଗ୍ନେୟ ଉଦ୍ଗିରଣ ଘଟିଲା । 


 
ଏହି ଘଟଣା ହିଁ ପୃଥିଵୀରେ ଦ୍ୱିତୀୟ ପର୍ଯ୍ୟାୟର ଵାୟୁମଣ୍ଡଳ ତଥା ତତ୍ ଆଧାରିତ ପ୍ରାଥମିକ ଜୀଵ ସୃଷ୍ଟି ପାଇଁ ବାଟ ଫିଟାଇ ଥିଲା । ଆଗ୍ନେୟ ଉଦ୍ଗିରଣ ତଥା ଭୀଷଣ ଧୂମକେତୁ,ଉଲ୍କାପିଣ୍ଡ ଓ ଗ୍ରହାଣୁ ଵର୍ଷଣ ଯୋଗୁଁ ପୃଥିଵୀ ଉତ୍ତପ୍ତ ହୋଇଗଲା ଏଵଂ ଏଥିଯୋଗୁଁ ନାନା ରାସାୟନିକ ପ୍ରତିକ୍ରିୟା ଘଟି କେତୋଟି ନୂତନ ଗ୍ୟାସ୍ ପୃଥିଵୀର ଦ୍ଵିତୀୟ ପର୍ଯ୍ୟାୟର ଵାୟୁମଣ୍ଡଳ ଗଠନ କଲେ । ପୃଥିଵୀର ଦ୍ଵିତୀୟ ପର୍ଯ୍ୟାୟର ଵାୟୁମଣ୍ଡଳ ୪.୫ରୁ ୩.୫ ବିଲିଅନ ଵର୍ଷ ପୂର୍ଵେ ଆରମ୍ଭ ହୋଇ ୨.୪ ବିଲିଅନ ଵର୍ଷ ପର୍ଯ୍ୟନ୍ତ ରହିଥିଲା ‌।‌ ଦ୍ଵିତୀୟ ପର୍ଯ୍ୟାୟର ଵାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଵା କାର୍ବନ ଡାଇଅକ୍ସାଇଡ୍, ମିଥେନ, ଆମୋନିଆ ଓ ଜଳୀୟବାଷ୍ପ ଥିଲା, କିନ୍ତୁ ଅକ୍ସିଜେନ ଵା ଅମ୍ଳଜାନ ନଥିଲା। ଏହି ଦ୍ଵିତୀୟ ପର୍ଯ୍ୟାୟର ଵାୟୁମଣ୍ଡଳ ଉଷ୍ମ ଓ ଘନ ହୋଇ ପ୍ରାରମ୍ଭିକ ଜୀଵନର ଉତ୍ପତ୍ତିରେ ସହାୟକ ହୋଇଥିଲା। ସେହିପରି ତୃତୀୟ ପର୍ଯ୍ୟାୟର ଵାୟୁମଣ୍ଡଳ ୨.୪ ବିଲିଅନ ଵର୍ଷଠାରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ପୃଥିଵୀରେ ରହିଅଛି। ଏହି ତୃତୀୟ ପର୍ଯ୍ୟାୟର ଵାୟୁମଣ୍ଡଳରେ ଯଵକ୍ଷାରଜାନ, ଅମ୍ଳଜାନ ହିଁ ମୁଖ୍ୟ ଗ୍ୟାସ୍ ରୂପେ ଦେଖାଯାଏ । 



ତେଣୁ ମନରେ ପ୍ରଶ୍ନ ଆସେ, ୨.୪ ବିଲିଅନ ଵର୍ଷ ପୂର୍ଵେ ଏମିତି କ'ଣ ହୋଇଥିଲା ଯେ ହଠାତ୍ ପୃଥିଵୀର ଵାୟୁମଣ୍ଡଳର ପ୍ରମୁଖ ଗ୍ୟାସ୍‌ଗୁଡ଼ିକ ହିଁ ପରିଵର୍ତ୍ତିତ ହୋଇଯାଇଥିଲା ? 

ଆଜକୁ ପ୍ରାୟ ୩.୫ ବିଲିଅନ (୩୫୦୦ ମିଲିୟନ) ଵର୍ଷ ତଳେ, Proterozoic ଯୁଗର Paleoproterozoic ସମୟକାଳରେ, ଆଜିର ପୃଥିଵୀଠାରୁ ସେ ସମୟର ପୃଥିଵୀ ବହୁତ ଭିନ୍ନ ଥିଲା। ତତ୍କାଳୀନ ଵାୟୁମଣ୍ଡଳରେ ମୁଖ୍ୟତଃ କାର୍ବନ ଡାଇଅକ୍ସାଇଡ୍,ମିଥେନ ଓ ଅଳ୍ପ ନାଇଟ୍ରୋଜେନ୍ ଗ୍ୟାସ୍ ଥିଲା। ମୁକ୍ତ ରୂପେ ତତ୍କାଳୀନ ଵାୟୁମଣ୍ଡଳରେ ଅମ୍ଳଜାନ ଵା ଅକ୍ସିଜେନ ନଥିଲା, କେଵଳ ଜଳକଣା ମଧ୍ୟରେ ଅଳ୍ପ ପରିମାଣରେ ଅକ୍ସିଜେନ ସୀମିତ ଥିଲା। ସେହି ସମୟରେ ଜୀଵନ କେଵଳ ସମୁଦ୍ର ମଧ୍ୟରେ ଆରମ୍ଭ ହୋଇଥିଲା ଏଵଂ ସେହି ପ୍ରାରମ୍ଭିକ ଜୀଵମାନେ ଅଵାୟଵୀୟ ଵା anaerobic ଥିଲେ, ଅର୍ଥାତ୍ ସେମାନେ ଅମ୍ଳଜାନ ବିନା ବଞ୍ଚିପାରୁଥିଲେ। ଅଵାୟଵୀୟ ଏକକୋଷୀ ଜୀଵମାନେ ଅମ୍ଳଜାନ ବିନା Anaerobic respiration ଓ fermentation ପ୍ରକ୍ରିୟା ଦ୍ୱାରା ବଞ୍ଚୁଥିଲେ । ଏହି ପ୍ରକ୍ରିୟାରେ ଏହି ଏକକୋଷୀ ଜୀଵମାନେ ସଲ୍ଫେଟ୍, ନାଇଟ୍ରେଟ୍ ଵା CO₂ ଯୁକ୍ତ ପଦାର୍ଥ ଵ୍ୟଵହାର କରି H₂S, N₂, CH₄, CO₂, H₂ ଜାତୀୟ ଗ୍ୟାସ ଉତ୍ପାଦନ କରୁଥିଲେ। ଏବେ ବି ଏପରି ଜୀଵ ଜଳାଶୟ, ମାଟି ଓ ପ୍ରାଣୀଙ୍କ ଶରୀର ମଧ୍ୟରେ ଦେଖାଯାଆନ୍ତି ଯଥା : କ୍ଲଷ୍ଟ୍ରିଡିୟମ୍ ଓ ମିଥେନୋଜେନ୍ସ ଇତ୍ୟାଦି ।



କିନ୍ତୁ ଆଜକୁ ପ୍ରାୟ ୨.୭ରୁ ୩ ବିଲିଅନ ଵର୍ଷ ତଳେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିଵର୍ତ୍ତନ ଘଟିଲା। ସାୟାନୋବ୍ୟାକ୍ଟେରିଆ(Cyanobacteria) ନାମକ ଏକକୋଷୀ ଜୀଵ ଆଲୋକ ସଂଶ୍ଳେଷଣ ଵା Photo synthesis କରିଵାର ଦକ୍ଷତା ଵିକଶିତ କଲେ। ଏ ଜୀଵମାନେ ସୂର୍ଯ୍ୟକିରଣ ବଳରେ ଅଙ୍ଗାରକାମ୍ଳ ଓ ଜଳରୁ ଶର୍କରା ପ୍ରସ୍ତୁତ କରିଵା ଆରମ୍ଭ କଲେ ତଥା ଏହି ପ୍ରକ୍ରିୟାରେ ବର୍ଜ୍ୟ ରୂପେ ଅମ୍ଳଜାନ ମୁକ୍ତ କରୁଥିଲେ। ଶର୍କରା ସେମାନଙ୍କୁ ଶକ୍ତି ଯୋଗାଇ ବଞ୍ଚିଵାରେ ସହାୟକ ହେଲା ଏଵଂ ଜଳ ତଥା ଅଙ୍ଗାରକାମ୍ଳର ପ୍ରଚୁର ଭଣ୍ଡାର ଯୋଗୁଁ ସାୟାନୋବ୍ୟାକ୍ଟେରିଆର ବଂଶବୃଦ୍ଧି ତୀଵ୍ର ହେଲା।



ଧୀରେ ଧୀରେ ଏମାନେ ପୃଥିଵୀର ଵାୟୁମଣ୍ଡଳରେ ଅମ୍ଳଜାନ ନାମକ ଏକ ନୂଆ ଗ୍ୟାସ ଛାଡ଼ିଵାକୁ ଲାଗିଲେ। ପ୍ରଥମେ ଏହି ଅମ୍ଳଜାନ ସମୁଦ୍ରରେ ଲୌହ ସହ ପ୍ରତିକ୍ରିୟା କରି ଅକ୍ସାଇଡ୍ ତିଆରି କଲା, ଯାହା ଆଜି "Banded Iron Formation" ରୂପେ ପରିଚିତ। କିନ୍ତୁ ଆଜକୁ ପ୍ରାୟ ୨.୪ ବିଲିଅନ ଵର୍ଷ ତଳେ, ଅମ୍ଳଜାନ ଏତେ ପରିମାଣରେ ଜମା ହେଲା ଯେ ଏହା ଅଵାୟଵୀୟ ଵା Anaerobic ଜୀଵମାନଙ୍କ ପାଇଁ ଵିପଦଜ୍ଜନକ ହୋଇପଡ଼ିଲା। ଏହି ଘଟଣାକୁ ଭୂବୈଜ୍ଞାନିକମାନେ "Great Oxygenation Event" ବା "ମହା ଅମ୍ଳଜାନ ସଙ୍କଟ" ନାମ ଦେଇଛନ୍ତି । ସେହି ସମୟରେ ଅନେକ ଅଵାୟଵୀୟ ଏକକୋଷୀ ଜୀଵ, ଯେଉଁମାନେ ଅମ୍ଳଜାନ ସହ ଖାପ ଖୁଆଇ ପାରିନଥିଲେ, ସେମାନେ ଵିଲୁପ୍ତ ହୋଇଗଲେ। ଆଉ କିଛି ଅଵାୟଵୀୟ ଏକକୋଷୀ ଜୀଵ ଅମ୍ଳଜାନହୀନ ସ୍ଥାନରେ ରହିଵାକୁ ଲାଗିଲେ । 

ଅସ୍ତୁ ପୃଥିଵୀର ଵାୟୁମଣ୍ଡଳରେ ଅମ୍ଳଜାନର ଆଗମନ ଆଉ ଏକ ବଡ଼ ପରିଵର୍ତ୍ତନ ଆଣିଲା। ପୂର୍ଵରୁ ମିଥେନ ଗ୍ୟାସ ଯୋଗୁଁ ପୃଥିଵୀରେ ଏକ ଉଷ୍ମ ଵାୟୁମଣ୍ଡଳ ଗଢ଼ି ଉଠିଥିଲା, କାରଣ ମିଥେନ ଏକ ଶକ୍ତିଶାଳୀ ଗ୍ରୀନ୍‌ହାଉସ୍ ଗ୍ୟାସ ଅଟେ। କିନ୍ତୁ ଅମ୍ଳଜାନ ସହ ପ୍ରତିକ୍ରିୟା କରି ମିଥେନ ଜଳକଣା ଓ କାର୍ବନ ଡାଇଅକ୍ସାଇଡରେ ପରିଵର୍ତ୍ତିତ ହେଵାକୁ ଲାଗିଲା। ମିଥେନ ଅପେକ୍ଷା ଜଳ ଓ କାର୍ବନ ଡାଇଅକ୍ସାଇଡ୍ ଅଳ୍ପ ଉତ୍ତାପ ଧରି ରଖିପାରନ୍ତି, ତେଣୁ ପୂର୍ଵାପେକ୍ଷା ପୃଥିଵୀ ଅଧିକ ଥଣ୍ଡା ହେଵାକୁ ଲାଗିଲା। ଏଥିଯୋଗୁଁ ଆଜକୁ ପ୍ରାୟ ୨.୪ରୁ ୨.୧ ବିଲିଅନ ଵର୍ଷ ତଳେ ପୃଥିଵୀରେ ପ୍ରଥମ ହିମଯୁଗ, "Huronian Glaciation," ଘଟିଥିଲା ବୋଲି ଵୈଜ୍ଞାନିକମାନେ ପ୍ରମାଣ କରିଛନ୍ତି। ତଥାପି, ଏହି ହିମଯୁଗ ମଧ୍ୟରେ ସାୟାନୋବ୍ୟାକ୍ଟେରିଆ ଏଵଂ ଅନ୍ୟ କିଛି ଏକକୋଷୀ ଜୀଵ ଜୀଵିତ ରହିପାରିଥିଲେ। ଅତଳ ସମୁଦ୍ରରୁ ମିଳିଥିଵା ପ୍ରାଚୀନ ଜୀଵାଶ୍ମରୁ ଏ ଵିଷୟରେ ପ୍ରାମାଣିକ ତଥ୍ୟ ମିଳିଅଛି । 



ଏଠି କାହା ମନରେ ପ୍ରଶ୍ନ ଆସିପାରେ ଯେ ଏତେ ଯୁଗର କଥା ଆଜିର ମଣିଷ କେମିତି ଜାଣୁଛନ୍ତି ? 

ଏହାର ଉତ୍ତରଟି ବହୁତ ସହଜ ! ଭୂତାତ୍ତ୍ଵିକ, ରସାୟନିକ ଓ ଜୈଵିକ ଗଵେଷଣା କରି ଗଵେଷକମାନେ ଏହା ଜାଣିପାରିଛନ୍ତି ।‌ ପୃଥିଵୀର ପ୍ରାଚୀନ ଶିଳାସ୍ତରରେ "Banded Iron Formation" (BIFs) ମିଳିଛି, ଯାହା ୩.୫ରୁ ୨.୪ ବିଲିଅନ ଵର୍ଷ ପୂର୍ଵର ବୋଲି ଜଣାପଡି଼ଛି । ସମୁଦ୍ରରେ ଦ୍ରଵୀଭୂତ ଲୌହ ଧାତୁ , ଅମ୍ଳଜାନ ସହ ପ୍ରତିକ୍ରିୟା କରି ତଳେ ଜମା ହୋଇଥିଲା। ଫଳତଃ ସାୟାନୋବ୍ୟାକ୍ଟେରିଆର ଫୋଟୋସିନ୍ଥେସିସ୍ ମାଧ୍ୟମରେ ଅମ୍ଳଜାନ ଉତ୍ପନ୍ନ ହୋଇଥିଲା, ଯାହା "Great Oxygenation Event"ସମୟରେ ଵାୟୁମଣ୍ଡଳରେ ଜମା ହେଵା ଆରମ୍ଭ କରିଥିଲା ବୋଲି ଏହି ଭୂତାତ୍ତ୍ଵିକ ପ୍ରମାଣରୁ ଜଣାଯାଏ । ପୁଣି ପୁରାତନ ଶିଳାରେ ସଲ୍ଫର ଆଇସୋଟୋପର ଅନୁପାତ ଅଧ୍ୟୟନରୁ ଜଣାପଡ଼ିଛି ଯେ ୨.୪ ବିଲିଅନ ବର୍ଷ ପୂର୍ଵରୁ ଵାୟୁମଣ୍ଡଳରେ ଅମ୍ଳଜାନ ଥିଲା, କିନ୍ତୁ "Great Oxygenation Event" ପରେ ଏହା ବଦଳିଗଲା। ଏହା ଵାୟୁମଣ୍ଡଳରେ ଅମ୍ଳଜାନ ଉପସ୍ଥିତି ଓ ଓଜୋନ ଗଠନର ପ୍ରମୁଖ ପ୍ରମାଣ ଅଟେ । ଶେଷରେ ଜୈଵିକ ପ୍ରମାଣ ଏହି ନିଷ୍କର୍ଷକୁ ଦୃଢ଼ କଲା । ୩.୫ ବିଲିଅନ ଵର୍ଷ ପୂର୍ଵର ଶିଳାରେ ସାୟାନୋବ୍ୟାକ୍ଟେରିଆର ଜୀଵାଶ୍ମ (ଷ୍ଟ୍ରୋମାଟୋଲାଇଟ୍ସ୍) ମିଳିଛି, ଯହିଁର ପରୀକ୍ଷଣରୁ ସ୍ପଷ୍ଟ ହେଇଗଲା ଯେ ଏହି ଜୀଵମାନେ ସେ ଯୁଗରେ ଅକ୍ସିଜେନିକ୍ ଫୋଟୋସିନ୍ଥେସିସ୍ କରୁଥିଲେ। ଏମାନଙ୍କର କ୍ଲୋରୋଫିଲ୍-ଏ ଓ ଫୋଟୋସିଷ୍ଟମ୍ II ଅକ୍ସିଜେନ ଉତ୍ପାଦନ କରେ, ଯାହା GOE ର ଅକ୍ସିଜେନ ସହ ସମ୍ପର୍କିତ। ସାୟାନୋବ୍ୟାକ୍ଟେରିଆ ୨.୭ରୁ ୨.୪ ବିଲିଅନ ଵର୍ଷ ପୂର୍ଵେ ବହୁସଂଖ୍ୟାରେ ବଢ଼ିଥିଲେ, ଯାହା GOE ସହ ସମକାଳୀନ। ପରେ ଵୈଜ୍ଞାନିକମାନେ ଏହିସବୁ ତଥ୍ୟ ମଧ୍ୟରେ ସମ୍ପର୍କ ଜାଣିଵା ପାଇଁ ଶିଳା ନମୁନା, ଆଇସୋଟୋପ୍ ଡେଟିଂ ଓ କମ୍ପ୍ୟୁଟର ମଡେଲିଂର ସାହାଯ୍ୟ ନେଇଛନ୍ତି। ରେଡିଓମେଟ୍ରିକ୍ ଡେଟିଂ ସମୟ ନିର୍ଦ୍ଧାରଣ କରିଛି ଆଉ ସିମୁଲେସନ୍, ଅମ୍ଳଜାନ ଉତ୍ପାଦନର ପ୍ରକ୍ରିୟା ବୁଝାଇଛି। ଏହି ସମସ୍ତ ପ୍ରମାଣ ସ୍ପଷ୍ଟ କଲା ଯେ ସାୟାନୋବ୍ୟାକ୍ଟେରିଆର ଅମ୍ଳଜାନ ଉତ୍ପାଦନ GOEର ମୂଳ କାରଣ ଥିଲା। ପୃଥିଵୀର ଜୈଵ ଵିଵିଧତା ଅମ୍ଳଜାନ ଯୋଗୁଁ ହିଁ ସମ୍ଭଵ ହୋଇପାରିଥିଲା । ଅମ୍ଳଜାନ ଶ୍ଵସନ (respiration) ମାଧ୍ୟମରେ ଜୀଵମାନଙ୍କୁ ଅଧିକ ଶକ୍ତି ମିଳିଲା, ଯାହା ବଡ଼ ଆକାରର ଜୀଵ ଓ ବିଭିନ୍ନ ପ୍ରକାରର ଜୀଵନର ସୃଷ୍ଟି ପାଇଁ ସହାୟକ ହେଲା।


ତେବେ ସାୟାନୋବ୍ୟାକ୍ଟେରିଆ କ'ଣ ଏହା ମଧ୍ୟ ଜାଣିନେଵା ଉଚିତ ହେଵ । ପ୍ରକୃତରେ ସାୟାନୋବ୍ୟାକ୍ଟେରିଆ (Cyanobacteria) ହେଉଛି ଏକ ପ୍ରକାରର ଏକକୋଷୀ ଵା ବହୁକୋଷୀ ଜୀଵାଣୁ ଵା bacteria ଯାହାର ଅନ୍ୟ ନାମ "ନୀଳ ହରିତ ଶୈଵାଳ" (blue-green algae) ଅଟେ। ଏମାନେ ଫୋଟୋସିନ୍ଥେସିସ୍ ମାଧ୍ୟମରେ ନିଜର ଖାଦ୍ୟ ପ୍ରସ୍ତୁତ କରନ୍ତି ଓ ଅମ୍ଳଜାନ ଉତ୍ପାଦନ କରନ୍ତି। ଏମାନେ ଵିନ୍ୟଷ୍ଟିକ (prokaryotic) ଜୀଵ ଅର୍ଥାତ୍ ଏମାନଙ୍କର କୋଷରେ ସୁସ୍ପଷ୍ଟ ନ୍ୟୁକ୍ଲିୟସ୍ ଵା ଅନ୍ୟ ଅଙ୍ଗାଣୁ (organelles) ନଥାଏ। ଏମାନଙ୍କ ଶରୀରରେ କ୍ଲୋରୋଫିଲ୍-ଏ (chlorophyll-a) ଓ ଫାଇକୋସାୟାନିନ୍ (phycocyanin) ନାମକ ରଞ୍ଜକ ପଦାର୍ଥ ଥାଏ, ଯାହା ଏମାନଙ୍କୁ ନୀଳ ହରିତ ରଙ୍ଗ ଦିଏ। ସାୟାନୋବ୍ୟାକ୍ଟେରିଆର ଅନେକ ଜାତି ରହିଛି ଏଵଂ ଏ ଜୀଵ ଆକାର, ଗଠନ ଓ ପରିଵେଶ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ। ସାୟନୋଟ୍ୟାକଟେରିଆର କିଛି ପ୍ରମୁଖ ଜାତି ଓ ପ୍ରକାର ହେଲେ । 

(କ)ନଷ୍ଟକ୍ (Nostoc) : ଏମାନେ ସୂତ୍ରାକାର (filamentous) ଗଠନ ଵିଶିଷ୍ଟ, ଜଳାଶୟ ଓ ମାଟିରେ ମିଳନ୍ତି। ଏମାନେ ନାଇଟ୍ରୋଜେନ୍ ସ୍ଥିରୀକରଣ (nitrogen fixation) କରିପାରନ୍ତି।

(ଖ)ଆନାବିନା (Anabaena) : ସୂତ୍ରାକାର ଓ ନାଇଟ୍ରୋଜେନ୍ ସ୍ଥିରୀକରଣ କ୍ଷମତା ଥିଵା ଏକ ଜାତି, ପ୍ରାୟତଃ ଶସ୍ୟକ୍ଷେତ୍ରରେ ମିଳନ୍ତି।

(ଗ)ସାଇନେକୋକକ୍କସ୍ (Synechococcus) : ଏମାନେ ଏକକୋଷୀ, ଛୋଟ ଗୋଲାକାର ହୋଇଥାନ୍ତି ଓ ସାଧାରଣତଃ ସମୁଦ୍ରରେ ମିଳନ୍ତି । ଏମାନେ ସାମୁଦ୍ରିକ ଅମ୍ଳଜାନ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଵାହ କରନ୍ତି ।

(ଘ)ସାଇନେକୋସିଷ୍ଟିସ୍ (Synechocystis) : ଏମାନେ ଏକକୋଷୀ ଜୀଵ ,ମଧୁର ଜଳରେ ଦେଖାଯାଆନ୍ତି । 

(ଙ) ସ୍ପିରୁଲିନା (Spirulina) : ଏମାନେ ସର୍ପିଳ ଆକାରର (spiral), ଖାଦ୍ୟ ପରିପୂରକ (superfood) ରୂପେ ଵ୍ୟଵହୃତ, କ୍ଷାରୀୟ ଜଳରେ ମିଳନ୍ତି।

(ଚ)ମାଇକ୍ରୋସିଷ୍ଟିସ୍ (Microcystis): ଏହାର କେତେକ ଜାତି ବିଷାକ୍ତ ଏଵଂ ଏମାନେ "ଆଲ୍‌ଗାଲ୍ ବ୍ଲୁମ୍" ସୃଷ୍ଟି କରନ୍ତି।

ଫାଇକୋଏରିଥ୍ରିନ୍ ଯୋଗୁଁ କେତେକ ସାୟନୋବ୍ୟାକଟ୍ରିଆର ରଙ୍ଗ ନୀଳ ସବୁଜ ହୋଇଥିଲାବେଳେ ଆଉ କେତେକ ବାଦାମୀ ରଙ୍ଗର ହୋଇଥାଏ । ସାୟାନୋବ୍ୟାକ୍ଟେରିଆମାନେ ସମ୍ଭଵତଃ ଅନ୍ୟ ପ୍ରାଚୀନ ପ୍ରୋକାରିଓଟିକ୍ ଅନାଏରୋବିକ୍ ଫୋଟୋସିନ୍ଥେଟିକ୍ ବ୍ୟାକ୍ଟେରିଆ (ଯେମିତି ପର୍ପଲ୍ ସଲ୍ଫର୍ ବ୍ୟାକ୍ଟେରିଆ)ଠାରୁ ଵିଵର୍ତ୍ତିତ ହୋଇଥିଲେ। କିନ୍ତୁ ଏମାନଙ୍କ ପୂର୍ଵଜମାନେ ଅମ୍ଳଜାନ ଉତ୍ପାଦନ ନକରି ହାଇଡ୍ରୋଜେନ୍ ସଲ୍ଫାଇଡ୍ (H₂S) ଭଳି ପଦାର୍ଥ ଵ୍ୟଵହାର କରୁଥିଲେ। ପରେ ଵିଵର୍ତ୍ତନ ଯୋଗୁଁ ସାୟାନୋବ୍ୟାକ୍ଟେରିଆମାନେ ଜଳ (H₂O) ଵ୍ୟଵହାର କରି ଅମ୍ଳଜାନ ମୁକ୍ତ କରିଵାର କ୍ଷମତା ଵିକଶିତ କଲେ ‌ । 

ଆଲୋକ ସଂଶ୍ଳେଷଣ କରିପାରେ ବୋଲି କେହି କେହି ଉଦ୍ଭିଦମାନଙ୍କୁ ସାୟନୋବ୍ୟାକଟ୍ରିଆର ଵର୍ତ୍ତମାନ ଵଂଶଧର ମନେ କରିପାରନ୍ତି କିନ୍ତୁ ଏହା ସମ୍ପୁର୍ଣ୍ଣ ସତ୍ୟ ନୁହେଁ, ମିଥ୍ୟା ବି ନୁହେଁ ।  



ସାୟାନୋବ୍ୟାକ୍ଟେରିଆ ନିଜେ ଅନ୍ୟ ଜୀବଙ୍କୁ "ସୃଷ୍ଟି" କରିନାହାଁନ୍ତି ବରଂ ଏମାନଙ୍କର Endosymbiotic ସମ୍ପର୍କ ଅନ୍ୟ ଜୀଵ ଗୋଷ୍ଠୀର ଉତ୍ପତ୍ତିରେ ସହାୟକ ହୋଇଛି। ଆଜକୁ ପ୍ରାୟ ୧.୫ରୁ ୨ ବିଲିଅନ ଵର୍ଷ ତଳେ, ଏକ ଅନ୍ୟ ଏକକୋଷୀ ଜୀଵ(Chlorophytaର ପ୍ରାଚୀନ ପୂର୍ଵଜ) ସାୟାନୋବ୍ୟାକ୍ଟେରିଆକୁ ଗିଳି ଦେଇଥିଲା କିନ୍ତୁ ତାକୁ ହଜମ କରିଵା ପରିଵର୍ତ୍ତେ ଉଭୟଙ୍କ ମଧ୍ୟରେ ଏକ symbiotic ସମ୍ପର୍କ ଗଢ଼ି ଉଠିଥିଲା। ଏହି ସାୟାନୋବ୍ୟାକ୍ଟେରିଆଟି ପରେ ଉକ୍ତ ଜୀଵ ମଧ୍ୟରେ "କ୍ଲୋରୋପ୍ଲାଷ୍ଟ(chloroplasts)ର ରୂପ ନେଇଥିଲା, ଯାହା ପରେ ସମସ୍ତ ଉଦ୍ଭିଦର ପୂର୍ଵଜ ହୋଇଥିଲା। ଏ ପ୍ରକ୍ରିୟାକୁ "Endosymbiotic" କୁହାଯାଏ। ତେଣୁ ସଂକ୍ଷେପରେ କହିଲେ ସାୟାନୋବ୍ୟାକ୍ଟେରିଆ (Cyanobacteria) ସିଧାସଳଖ ଭାବେ ଉଦ୍ଭିଦମାନଙ୍କର ସମ୍ପୂର୍ଣ୍ଣ ପୂର୍ଵଜ ନୁହଁନ୍ତି କିନ୍ତୁ ଏମାନେ ଉଦ୍ଭିଦର ଵିଵର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପ୍ରକୃତରେ ସାୟାନୋବ୍ୟାକ୍ଟେରିଆ ଉଦ୍ଭିଦମାନଙ୍କର କ୍ଲୋରୋପ୍ଲାଷ୍ଟ'ର ପୂର୍ଵଜ ଅଟନ୍ତି। ସମସ୍ତ ଉଦ୍ଭିଦଗୁଡ଼ିକର ମୂଳ ପୂର୍ଵଜ ହେଉଛି ସବୁଜ ଶୈଵାଳ Chlorophyta (green algae), ଯାହା ନିଜେ ସାୟାନୋବ୍ୟାକ୍ଟେରିଆଠାରୁ ଉତ୍ପନ୍ନ କ୍ଲୋରୋପ୍ଲାଷ୍ଟ ଗ୍ରହଣ କରି ଵିକଶିତ ହୋଇଥିଲା। 

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା,ସେହି ପ୍ରାଚୀନ ଜୀଵ ସାୟାନୋବ୍ୟାକ୍ଟେରିଆ ଆଜି ବି ଆମ ପୃଥିଵୀର ସମୁଦ୍ର, ହ୍ରଦ ଓ ଅନ୍ୟ ଜଳାଶୟରେ ମିଳିଯାଆନ୍ତି। ଏମାନେ ଆଜି ବି ଅମ୍ଳଜାନ ଉତ୍ପାଦନ କରୁଛନ୍ତି ଏଵଂ ପୃଥିଵୀର ଅମ୍ଳଜାନ ଚକ୍ରର ଏକ ଅଵିଚ୍ଛେଦ୍ୟ ଅଂଶ ହୋଇ ରହିଛନ୍ତି। ଏକଦା ଏମାନଙ୍କ କାରଣରୁ ଅନେକ ଅଵାୟଵୀୟ ଏକକୋଷୀଜୀଵ ଵିଲୁପ୍ତ ହୋଇଥିଲେ, କିନ୍ତୁ ଏମାନେ ନଥିଲେ ହୁଏତ ଆଜିର ଅମ୍ଳଜାନ ଆଧାରିତ ଜୀଵଜଗତ ଏତେ ଵିଵିଧ ଓ ସମୃଦ୍ଧ ହୋଇ ନଥାନ୍ତା। ସାୟାନୋବ୍ୟାକ୍ଟେରିଆ ବିନା ଆମେମାନେ ଏ ପୃଥିଵୀରେ ଜାତ ହୋଇପାରିନଥାନ୍ତେ । ସାୟାନୋବ୍ୟାକ୍ଟେରିଆ ପ୍ରକୃତିର କ୍ଷୁଦ୍ର କଳାକାର,ଏମାନେ ସୂର୍ଯ୍ୟଙ୍କ ଆଲୋକରୁ ଜୀଵନର ରଙ୍ଗ ସୃଷ୍ଟି କରିଥିଲେ ଓ ଆମକୁ ଅମ୍ଳଜାନର ଉପହାର ଦେଇ ଜୀଵନର ପଥ ପ୍ରଶସ୍ତ କରିଥିଲେ। କିନ୍ତୁ ଆମେ ମଣିଷମାନେ ସାୟାନୋବ୍ୟାକ୍ଟେରିଆର କୋଟି କୋଟି ଵର୍ଷର ପରିଶ୍ରମ ଯୋଗୁଁ ଗଢ଼ିଉଠିଥିଵା ଜୀଵଜଗତ ସହିତ ଭୟଙ୍କର ଅନ୍ୟାୟ କରି ଚାଲିଛନ୍ତି । ଆମ୍ଭମାନଙ୍କର ସ୍ଵେଚ୍ଛାଚାର ଯୋଗୁଁ ଆଜି ପୃଥିଵୀର ଜୀଵଜଗତ କ୍ଷତିଗ୍ରସ୍ତ ହୋଇଚାଲିଛି । ଏହା କଟୁ ସତ୍ୟ ଯେ ସାୟାନୋବ୍ୟାକ୍ଟେରିଆର ଏ ଵିଶାଳ ସଂସାରର ଆମେ ହିଁ ସଂହାରକ !!! 







No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...