Sunday, April 6, 2025

•ରାମମନ୍ଦିରର ସୂର୍ଯ୍ୟ ତିଳକ ଓ ଏହା ପଛର ବିଜ୍ଞାନ•



ଅଯୋଧ୍ୟା ରାମ ମନ୍ଦିରରେ ରାମନଵମୀ ସମୟରେ ସୂର୍ଯ୍ୟ ତିଳକ ପ୍ରଣାଳୀରେ ଠିକ୍ ବାରଟା ସମୟରେ ରାମଚନ୍ଦ୍ରଙ୍କ ମୂର୍ତ୍ତିର କପାଳରେ ଚାରି ମିନିଟ୍ ପାଇଁ ସୂର୍ଯ୍ୟାଲୋକ ପଡ଼ିଥାଏ ‌ । ଏହା auto mechanical system ଵା ସ୍ଵୟଂ ଚାଳିତ ପ୍ରଣାଳୀ ମାଧ୍ୟମରେ ସମ୍ଭଵ ହୋଇଥାଏ । ଏହି ପ୍ରଣାଳୀର ପଛରେ ରହିଛି ଧ୍ଯୁତିଵିଜ୍ଞାନ(optics), ମେକାନିକାଲ ଇଞ୍ଜିନିୟରିଂ ଓ ଖଗୋଳ ଵିଜ୍ଞାନର ଅଦ୍ଭୁତ ସମାହାର। 

ରାମ ନଵମୀ, ଶ୍ରୀରାମଙ୍କ ଜନ୍ମଦିନ ଭାବେ ପାଳିତ ହୁଏ ଏଵଂ ଭାରତର ଏକ ଵିଶେଷ ଧାର୍ମିକ ପର୍ଵ ଅଟେ। ଏହି ରାମନବମୀ ଦିନ ଅଯୋଧ୍ୟା ଶ୍ରୀରାମମନ୍ଦିରରେ ମଧ୍ୟାହ୍ନ ୧୨ଟା ସମୟରେ ସୂର୍ଯ୍ୟକିରଣ ଶ୍ରୀରାମଙ୍କ ମୂର୍ତ୍ତିର କପାଳରେ ୫ ମିନିଟ୍ ପାଇଁ ପଡ଼ି ଏକ ୭୫ ମିଲିମିଟର ଵୃତ୍ତାକାର ତିଳକ ସୃଷ୍ଟି କରେ। ଏହା କେଵଳ ଏକ ଦୃଶ୍ୟମାନ ସୌନ୍ଦର୍ଯ୍ୟ ନୁହେଁ, ଵରଂ ଏହା ସୂର୍ଯ୍ୟଙ୍କୁ ଦୈଵିକ ଶକ୍ତି ରୂପେ ପୂଜା କରିବାର ପ୍ରାଚୀନ ଭାରତୀୟ ପରମ୍ପରାକୁ ମଧ୍ୟ ପ୍ରତିଫଳିତ କରେ। ଏହି ଘଟଣାକୁ ସମ୍ଭଵ କରିଵା ପାଇଁ ଏକ ଜଟିଳ ଵୈଜ୍ଞାନିକ ପ୍ରଣାଳୀ ପ୍ରସ୍ତୁତ କରାଯାଇଛି । 

ସୂର୍ଯ୍ୟ ତିଳକ ପ୍ରଣାଳୀ ଏକ ସ୍ବୟଂଚାଳିତ ଯାନ୍ତ୍ରିକ ଵ୍ୟଵସ୍ଥା । ଏଥିରେ ଅପ୍ଟିକାଲ, ମେକାନିକାଲ ଏଵଂ ଖଗୋଳୀୟ ଵିଜ୍ଞାନର ସମନ୍ବୟ ଘଟିଛି। ଏହି ପ୍ରଣାଳୀରେ ଉଚ୍ଚ ଗୁଣଵତ୍ତା ସମ୍ପନ୍ନ ଲେନ୍ସ ଓ ଦର୍ପଣ ସ୍ଥାପନ କରାଯାଇଛି। ସୂର୍ଯ୍ୟକିରଣକୁ ପ୍ରଥମେ ଲେନ୍ସ ମାଧ୍ୟମରେ ସଂଗ୍ରହ କରାଯାଇ ଏକ ବିନ୍ଦୁରେ କେନ୍ଦ୍ରୀଭୂତ କରାଯାଏ। ତା’ପରେ ଦର୍ପଣ ସାହାଯ୍ୟରେ ଏହି ଆଲୋକକୁ ମନ୍ଦିର ଭିତରେ ମୂର୍ତ୍ତିର କପାଳ ଆଡ଼କୁ ପ୍ରତିଫଳିତ କରାଯାଏ। ଏହା ଆଲୋକର ପ୍ରତିସରଣ ଓ ପ୍ରତିଫଳନ ନୀତି ଉପରେ ଆଧାରିତ। ସୂର୍ଯ୍ୟକିରଣକୁ ମନ୍ଦିରର ଉପରୁ ତଳକୁ ନେଵା ପାଇଁ ପ୍ରାୟ ୭୦ ମିଟର ଲମ୍ବ ଏକ ପାଇପ୍ ସିଷ୍ଟମ ନିର୍ମାଣ କରାଯାଇଛି। ଏହି ପାଇପ୍‌ରେ ଦର୍ପଣ ଓ ଲେନ୍ସ ସ୍ଥାପିତ ହୋଇଛି। ସୂର୍ଯ୍ୟର ଗତି ଅନୁସାରେ ଏକ ସ୍ବୟଂଚାଳିତ ଯନ୍ତ୍ର ଦର୍ପଣର କୋଣ ସମନ୍ବୟ କରେ, ଯାହା ସୋଲାର ଟ୍ରାକିଂ ଟେକ୍ନୋଲୋଜି ଉପରେ ନିର୍ଭର କରେ। ପୃଥିଵୀର ୨୩.୫ ଡିଗ୍ରୀ ଅକ୍ଷୀୟ ଅଭ୍ୟାନତି(tilt) ଓ ସୂର୍ଯ୍ୟର ଵାର୍ଷିକ ଗତିକୁ ଅନୁସରଣ କରି ଏହି ପ୍ରଣାଳୀ କାର୍ଯ୍ୟ କରେ। ସୂର୍ଯ୍ୟକିରଣର ତାପ ମୂର୍ତ୍ତିକୁ କ୍ଷତି ନ ପହଞ୍ଚାଉ ତାହା ନିଶ୍ଚିତ କରିଵା ପାଇଁ ଇନ୍‌ଫ୍ରାରେଡ୍ ଫିଲ୍ଟରର ମଧ୍ୟ ଵ୍ୟଵହାର କରାଯାଇଛି । 

ଏହି ପ୍ରଣାଳୀ ଖଗୋଳ ବିଜ୍ଞାନ (ସୂର୍ଯ୍ୟର ସ୍ଥାନ ଗଣନା), ଅପ୍ଟିକ୍ସ (ଆଲୋକ ନିୟନ୍ତ୍ରଣ) ଓ ମେକାନିକାଲ ଇଞ୍ଜିନିୟରିଂ (ଯାନ୍ତ୍ରିକ ଡିଜାଇନ୍)ର ଏକ ସଫଳ ସମାହାର। ସିବିଆରଆଇ (ରୁଡ଼କୀ) ଓ ଆଇଆଇଏ (ବେଙ୍ଗାଲୁରୁ)ର ଭାରତୀୟ ଗଵେଷକମାନେ ଏହାକୁ ସମ୍ଭଵ କରିଛନ୍ତି । ଏହି ପ୍ରଣାଳୀର ନିର୍ଭୁଲତା ଏତେ ଉଚ୍ଚସ୍ତରୀୟ ଯେ ସୂର୍ଯ୍ୟକିରଣ ଠିକ୍ ସମୟରେ ଓ ଠିକ୍ ସ୍ଥାନରେ ପଡ଼ି ଏକ ସୁନ୍ଦର ତିଳକ ସୃଷ୍ଟି କରେ।

 ପ୍ରାଚୀନ ଭାରତରେ ସୂର୍ଯ୍ୟକିରଣକୁ ମନ୍ଦିର ଭିତରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇଵା ପାଇଁ ଆଧୁନିକ ଅଟୋ ମେକାନିକାଲ ପ୍ରଣାଳୀ ଭଳି ଜଟିଳ ଯାନ୍ତ୍ରିକ ଵ୍ୟଵସ୍ଥା ନଥିଲା । କିନ୍ତୁ ପ୍ରାଚୀନ ଖଗୋଳ ଵିଜ୍ଞାନ ଓ ସ୍ଥାପତ୍ୟ ବିଜ୍ଞାନର ଗଭୀର ଜ୍ଞାନ ଆଧାରରେ ଭାରତୀୟମାନେ ଏଭଳି କିଛି ମନ୍ଦିର ନିର୍ମାଣ କରିଥିଲେ ଯହିଁରେ ନିର୍ଦ୍ଧିଷ୍ଟ କାଳରେ ନିର୍ଦ୍ଧିଷ୍ଟ ସ୍ଥାନରେ ସୂର୍ଯ୍ୟଙ୍କ କିରଣ ପଡ଼ୁଥିଲା । ପ୍ରାଚୀନ ଭାରତୀୟ ସ୍ଥାପତ୍ୟକାର ଓ ଖଗୋଳଵିତ୍‌ମାନେ ସୂର୍ଯ୍ୟର ଗତି, ଋତୁ ପରିଵର୍ତ୍ତନ ଓ ସମୟ ଗଣନାରେ ଅତ୍ୟନ୍ତ ପାରଙ୍ଗମ ଥିଲେ। ଏହାର ପ୍ରମାଣ ସ୍ୱରୂପ କିଛି ମନ୍ଦିରରେ ସୂର୍ଯ୍ୟକିରଣର ଠିକ୍ ସ୍ଥାନୀୟ ପ୍ରଵେଶ ଓ ପ୍ରତିଫଳନ ପାଇଁ ସ୍ଥାପତ୍ୟ ଡିଜାଇନ୍ କରାଯାଇଥିଵା ଦେଖାଯାଏ। ଏହି ଵ୍ୟଵସ୍ଥା ଆଧୁନିକ ଯାନ୍ତ୍ରିକ ଉପକରଣ ଉପରେ ନିର୍ଭର ନ କରି ପ୍ରାକୃତିକ ଆଲୋକ ଓ ମନ୍ଦିରର ଗଠନ ଉପରେ ଆଧାରିତ ଥିଲା। 

କୋଣାର୍କ ସୂର୍ଯ୍ୟ ମନ୍ଦିର ଏକ ରଥ ଆକାରରେ ନିର୍ମିତ, ଯାହା ସୂର୍ଯ୍ୟଙ୍କୁ ସମର୍ପିତ ହୋଇଥିଲା । ଏହି ମନ୍ଦିରର ସ୍ଥାପତ୍ୟ ଏଭଳି ଭାବେ ଡିଜାଇନ୍ କରାଯାଇଥିଲା ଯେ ସୂର୍ଯ୍ୟୋଦୟ ସମୟରେ ପ୍ରଥମ କିରଣ ମନ୍ଦିରର ମୁଖ୍ୟ ପ୍ରଵେଶ ଦ୍ୱାର ଦେଇ ଗର୍ଭଗୃହକୁ ପ୍ରଵେଶ କରୁଥିଲା। ଏହା ସୂର୍ଯ୍ୟର ଗତି ଓ ଖଗୋଳୀୟ ଗଣନା ଉପରେ ଆଧାରିତ ଏକ ଚମତ୍କାରୀ ସ୍ଥାପତ୍ୟ କୌଶଳ ଥିଲା । ଏହି ମନ୍ଦିରର ଅଵସ୍ଥାନ ଓ କୋଣ ଏତେ ନିର୍ଭୁଲ ଥିଲା ଯେ ସୂର୍ଯ୍ୟକିରଣ ସିଧାସଳଖ ଗର୍ଭଗୃହରେ ପଡୁଥିଲା, ଯାହା ପ୍ରାଚୀନ ଭାରତୀୟମାନଙ୍କର ସୌର ଗତି ଓ ଆଲୋକ ଵିଜ୍ଞାନର ଜ୍ଞାନକୁ ପ୍ରତିଫଳିତ କରେ। ଦୁର୍ଭାଗ୍ୟକୁ ଆଜି କୋଣାର୍କ ସୂର୍ଯ୍ୟମନ୍ଦିରର ମୁଖ୍ୟ ମନ୍ଦିରଟି ଭାଙ୍ଗି ଯାଇଛି ଓ କେଵଳ ମୁଖଶାଳା ହିଁ ବଞ୍ଚି ରହିଛି । 
ମୋଢେରାର ସୂର୍ଯ୍ୟ ମନ୍ଦିର ଏଭଳି ଭାବେ ନିର୍ମିତ ହୋଇଛି ଯେ ଵିଷୁଵ ସଂକ୍ରାନ୍ତି (Equinox) ଦିନ ସୂର୍ଯ୍ୟକିରଣ ସଭା ମଣ୍ଡପ ଦେଇ ଗର୍ଭଗୃହରେ ପଡୁଥିଲା। ଏହି ମନ୍ଦିରରେ ଏକ ସୂର୍ଯ୍ୟକୁଣ୍ଡ (ପୋଖରୀ) ରହିଛି, ଯାହା ଆଲୋକର ପ୍ରତିଫଳନ ଓ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା। ଏହା ପ୍ରାଚୀନ ଭାରତୀୟମାନଙ୍କର ଵିଷୁଵ ଓ ସୌର ଚକ୍ର ସମ୍ପର୍କିତ ଜ୍ଞାନକୁ ଦର୍ଶାଏ। ମନ୍ଦିରର ଅକ୍ଷାଂଶ ଓ ଦିଗ ଗଣନା ଏତେ ଠିକ୍ ଥିଲା ଯେ ସୂର୍ଯ୍ୟକିରଣ ନିର୍ଦ୍ଦିଷ୍ଟ ଦିନରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚୁଥିଲା। ତାଞ୍ଜାଭୁରର ବୃହଦୀଶ୍ୱର ମନ୍ଦିରର ଗଠନ ଏଭଳି ଥିଲା ଯେ ସୂର୍ଯ୍ୟକିରଣ ନିର୍ଦ୍ଦିଷ୍ଟ ସମୟରେ ମନ୍ଦିରର ଗର୍ଭଗୃହରେ ପ୍ରଵେଶ କରୁଥିଲା। ଏହାର ଵିଶାଳ ଗୋପୁରମ୍ ଓ ସ୍ଥାପତ୍ୟ ଡିଜାଇନ୍ ସୂର୍ଯ୍ୟର ଗତି ସହ ସମନ୍ବୟ ରଖୁଥିଲା । ଏହି ମନ୍ଦିରରେ ସୂର୍ଯ୍ୟକିରଣର ପ୍ରଵେଶ ପାଇଁ ଖଗୋଳୀୟ ଗଣନା ଓ ଜ୍ୟାମିତିକ ଠ
ନିର୍ଭୁଲତାର ଉପଯୋଗ କରାଯାଇଥିଲା।

ମଧ୍ୟପ୍ରଦେଶର ଗବିସାଗର ମନ୍ଦିରରେ ସୂର୍ଯ୍ୟକିରଣ ନିର୍ଦ୍ଦିଷ୍ଟ ଋତୁରେ ଗର୍ଭଗୃହରେ ପ୍ରଵେଶ କରି ମୂର୍ତ୍ତିକୁ ଆଲୋକିତ କରୁଥିଲା। ଏହା ମନ୍ଦିରର ପୂର୍ଵାଭିମୁଖୀ ଡିଜାଇନ୍ ଓ ଖଗୋଳୀୟ ସମୟ ଗଣନା ଉପରେ ଆଧାରିତ ଥିଲା। ଏହା ପ୍ରାଚୀନ ଭାରତୀୟମାନଙ୍କର ସୌର ଚକ୍ର ଓ ଆଲୋକ ଵିଜ୍ଞାନର ଜ୍ଞାନକୁ ପ୍ରତିପାଦନ କରେ।

ଅଵଶ୍ୟ ପ୍ରାଚୀନ ମନ୍ଦିରଗୁଡ଼ିକରେ ସୂର୍ଯ୍ୟକିରଣର ପ୍ରଵେଶ ପାଇଁ ସ୍ଥାପତ୍ୟ ଡିଜାଇନ୍ (ଯଥା ଦ୍ୱାରର ଅଵସ୍ଥାନ, କୋଣ, ଓ ଉଚ୍ଚତା) ଉପରେ ନିର୍ଭର କରାଯାଉଥିଲା। ଏହା ସ୍ଥିର (Static) ଥିଲା ଏଵଂ ଏଥିରେ ଆଜି ଭଳି ଆଧୁନିକ ଯାନ୍ତ୍ରିକ ଉପକରଣର ଵ୍ୟଵହାର ହେଉନଥିଲା । କିନ୍ତୁ ଆଜିର ଅଯୋଧ୍ୟା ରାମମନ୍ଦିରରେ ସୂର୍ଯ୍ୟ ତିଳକ ପାଇଁ ଲେନ୍ସ, ଦର୍ପଣ, ପାଇପ୍ ସିଷ୍ଟମ ଓ ସୋଲାର ଟ୍ରାକିଂ ଭଳି ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଛି, ଯାହା ଏକ ଗତିଶୀଳ (Dynamic) ପ୍ରଣାଳୀ।

ପ୍ରାଚୀନ ଭାରତରେ ସୂର୍ଯ୍ୟକିରଣକୁ ମନ୍ଦିର ଭିତରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇଵା ପାଇଁ ଆଧୁନିକ ଯାନ୍ତ୍ରିକ ପ୍ରଣାଳୀ ନ ଥିଲେ ମଧ୍ୟ, ସ୍ଥାପତ୍ୟ ଓ ଖଗୋଳ ଵିଜ୍ଞାନର ଅସାଧାରଣ ଜ୍ଞାନ ଉପରେ ଆଧାରିତ ଵ୍ୟଵସ୍ଥା ନିଶ୍ଚିତ ଭାବେ ଉପସ୍ଥିତ ଥିଲା। କୋଣାର୍କ, ମୋଢେରା ଓ ଅନ୍ୟାନ୍ୟ ମନ୍ଦିରଗୁଡ଼ିକ ଏହାର ଜ୍ୱଳନ୍ତ ଉଦାହରଣ। ରାମମନ୍ଦିରର ସୂର୍ଯ୍ୟ ତିଳକ ଏହି ପ୍ରାଚୀନ ଜ୍ଞାନକୁ ଆଧୁନିକ ଟେକ୍ନୋଲୋଜି ସହ ମିଳାଇ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।

ତେଣୁ ସୂର୍ଯ୍ୟତିଳକ କେଵଳ ଏକ ଧାର୍ମିକ ଘଟଣା ନୁହେଁ, ଏହା ଭାରତୀୟ ସଂସ୍କୃତିରେ ଵିଜ୍ଞାନର ଗଭୀର ସମ୍ପର୍କକୁ ଦର୍ଶାଏ। ପ୍ରାଚୀନ ଭାରତରେ ସୂର୍ଯ୍ୟଙ୍କୁ ଶକ୍ତି ଓ ଜ୍ଞାନର ପ୍ରତୀକ ରୂପେ ପୂଜା କରାଯାଉଥିଲା, ଏଵଂ ଆଜି ଏହି ପ୍ରଣାଳୀ ମାଧ୍ୟମରେ ସେହି ଵିଶ୍ବାସକୁ ଆଧୁନିକ ଵିଜ୍ଞାନ ସହ ଜୋଡ଼ା ଯାଇଛି। ଏହା ସମଗ୍ର ଵିଶ୍ୱରେ ଭାରତର ଵୈଜ୍ଞାନିକ ସାମର୍ଥ୍ୟକୁ ପ୍ରତିଷ୍ଠାପିତ କରିଛି। ରାମମନ୍ଦିରର ସୂର୍ଯ୍ୟ ତିଳକ ପ୍ରଣାଳୀର ସଫଳତା ଯୋଗୁଁ ଆସ୍ଥା ଓ ଵିଜ୍ଞାନ ଏକତ୍ରିତ ହୋଇ ଏକ ଅପୂର୍ଵ ଦୃଶ୍ୟ ସୃଷ୍ଟି କରିଛନ୍ତି। ଏହା ପ୍ରମାଣ କରେ , ପାରମ୍ପରିକ ମୂଲ୍ୟବୋଧ ଓ ଆଧୁନିକ ଟେକ୍ନୋଲୋଜି ମିଳିତ ହୋଇ ମାନଵ ସଭ୍ୟତାକୁ ଆଗେଇ ନେଇପାରେ। ଏହି ପ୍ରଣାଳୀ ଭାରତର ଗୌରଵମୟ ଅତୀତ ଓ ଉଜ୍ଜ୍ବଳ ଭଵିଷ୍ୟତର ଏକ ସମ୍ମିଳିତ ଚିତ୍ର ଉପସ୍ଥାପନ କରୁଛି।

No comments:

Post a Comment

ଅନେକ ଜାତୀୟ ଦେଶୀ ଓ ଵିଦେଶୀ ଗଛକୁ ପାରିଜାତ କାହିଁକି କୁହାଯାଉଛି ?

ଓଡ଼ିଶାରେ ଲୋକେ ଆମେରିକୀୟ ଚମ୍ପା ଗଛ Magnolia grandifloraର ଫୁଲକୁ ପାରିଜାତ ଫୁଲ କହୁଛନ୍ତି (ଚିତ୍ର ୧) । କିନ୍ତୁ ପ୍ରକୃତରେ ଏ ଫୁଲଟି ଆମେରିକା ମହାଦେଶରୁ ଭାରତକୁ...