Tuesday, April 8, 2025

•ଚ଼ା ର ଵିଶ୍ଵଯାତ୍ରା : ଐତିହ୍ୟ ଓ ଇତିହାସ•

ଖ୍ରୀଷ୍ଟପୂର୍ଵ ୨୭୩୭ରେ ଚୀନ ଦେଶରେ ସେନ୍‌ନୋଙ୍ଗ୍ ବୋଲି ଜଣେ ରାଜା ଶାସନ କରୁଥିଲେ । କୁହାଯାଏ ସେନ୍‌ନୋଙ୍ଗ୍ ଫୁଟା ପାଣି ପିଇଵାକୁ ସୁଖ ପାଉଥିଲେ । ଥରେ ସେନ୍‌ନୋଙ୍ଗ୍ ଚୀନର ଏକ ଦୂରଵର୍ତ୍ତୀ ସ୍ଥାନକୁ ଯାତ୍ରା କରୁଥାନ୍ତି । କୌଣସି କାରଣରୁ ସେ ଓ ତାଙ୍କର ସୈନ୍ୟମାନେ ଵିଶ୍ରାମ ନେଵା ପାଇଁ ଏକ ସ୍ଥାନରେ ଅଟକିଲେ । ଜଣେ ଭୃତ୍ୟ ସେନ୍‌ନୋଙ୍ଗ୍‌ଙ୍କ ପିଇଵା ପାଣି ଫୁଟାଉଥାଏ । ସେ ଅନ୍ୟମନସ୍କ ଥିଲାଵେଳେ ନିକଟସ୍ଥ ବଣୁଆ ବୁଦା ଭିତରୁ ଏକ ଶୁଖିଲା ପତ୍ର ସେ ପାଣିରେ ଉଡ଼ି ଆସି ପଡ଼ିଗଲା । ଫଳତଃ ଉକ୍ତ ଫୁଟାଯାଉଥିଵା ପାଣି ସାମାନ୍ୟ ବାଦାମୀ ରଙ୍ଗ ହୋଇଗଲା । କିନ୍ତୁ ଭୃତ୍ୟ ଜଣକ ତାହା ଜାଣିନପାରି ପାଣି ତାତିଵା ପରେ ତାକୁ ଛାଣି ସେନ୍‌ନୋଙ୍ଗ୍‌ଙ୍କୁ ପିଇଵାକୁ ଦେଇଦେଲା । ସମ୍ରାଟ ଯେତେଵେଳେ ସେହି ପାଣିକୁ ପିଇଲେ ତାଙ୍କୁ ବଡ଼ ଉଷତ ଲାଗିଲା ଏଵଂ ତାଙ୍କ ନିସ୍ତେଜ ଶରୀର ସତେଜ ହେଇଗଲା । ସେନ୍‌ନୋଙ୍ଗ୍ ତତ୍କଷଣାତ୍ ଭୃତ୍ୟକୁ ଡକାଇ ସେ ଫୁଟା ପାଣିରେ କ'ଣ ମିଶାଇଥିଲା ବୋଲି ପ୍ରଶ୍ନ କଲେ । ଭୃତ୍ୟଟି ଡରି ଡରି ସେ କିଛି ଜାଣି ନାହିଁ ବୋଲି ଉତ୍ତର ଦେଲା । ସେନ୍‌ନୋଙ୍ଗ୍‌ଙ୍କ ଆଦେଶରେ ଚୂଲି ଆଖପାଖରେ ନିରୀକ୍ଷଣ କଲାରୁ ଗୋଟିଏ ଗଛର ଶୁଖିଲା ପତ୍ର ମିଳିଲା । ପରୀକ୍ଷା କରିଵା ପାଇଁ ସେ ପତ୍ରଟି ଯେଉଁ ଗଛର ଥିଲା ତହିଁର କିଛି ଶୁଖିଲା ପତ୍ର ଆଣି ଫୁଟୁଥିଵା ପାଣିରେ ପକାଇ ଦେଖାଗଲା । ଉକ୍ତ ଅନୁଶୀଳନରୁ ଚୀନ ଦେଶରେ ଏକ ପାନୀୟର ଉଦ୍ଭାଵନ ହେଲା ଏଵଂ ଏ ଘଟଣାର ୨୦୦୦ ଵର୍ଷ ପରେ ତାହା ସାରା ଵିଶ୍ଵରେ ଲୋକପ୍ରିୟ ହୋଇଗଲା । ସେହି ପାନୀୟଟି ଆମ ସମସ୍ତଙ୍କର ଜଣାଶୁଣା ଚ଼ା ଵା ଚାହା ଅଟଇ । ଜଳ ପରେ ଵିଶ୍ୱର ଦ୍ୱିତୀୟ ସର୍ଵାଧିକ ପାନ କରାଯାଉଥିଵା ପାନୀୟ ହେଉଛି "ଚା’,ଚାଆ ଵା ଚାହା" ! 
 ସେନ୍‌ନୋଙ୍ଗ୍ ଚୀନ ଦେଶର ଜଣେ କିମ୍ଵଦନ୍ତୀ ପୁରୁଷ ଏଵଂ ଦେଵତା ଅଭିହିତ ହୁଅନ୍ତି । କୁହାଯାଏ ସେ ଚୀନଦେଶରେ କୃଷି,ଔଷଧ ସମ୍ଵନ୍ଧୀୟ ଵିଭିନ୍ନ ଜ୍ଞାନ ଵିଜ୍ଞାନର ଆଵିଷ୍କାର କରିଥିଲେ। ଚୀନ ଦେଶରେ ଲୋକଵିଶ୍ଵାସ ଅଛି ଯେ ପ୍ରତିଦିନ ସେନ୍‌ନୋଙ୍ଗ ନାନା ଔଷଧୀୟ ଦ୍ରଵ୍ୟକୁ ପାନ କରୁଥିଲେ ଏଵଂ ତହିଁର ଵିଷକୁ କାଟିଵା ପାଇଁ ଚାଆପାନ କରୁଥିଲେ । 



ତେଵେ ଚା’ ଗଛ ସମ୍ଵନ୍ଧୀୟ ଆହୁରି ଅନେକ ଲୋକକଥା ରହିଛି ।‌ କୁହାଯାଏ ବୋଧିସତ୍ୱ ଵା ବୋଧିଧର୍ମ(ମତାନ୍ତରେ ଭଗଵାନ ବୁଦ୍ଧ) ଚୀନର ପ୍ରାଚୀର ନିକଟରେ ନଅ ଵର୍ଷ କାଳ ଧ୍ୟାନରେ ବସିରହିଵା ପରେ ଯେତେଵେଳେ ଉଠିଲେ ଅତି ଦୁର୍ଵଳ ହୋଇଯାଇଥିଲେ । ସେ ଏତେ ଦୁର୍ଵଳ ହୋଇଯାଇଥିଲେ ଯେ ତଳେ ଲୋଟିଗଲେ ଏଵଂ ତାଙ୍କ ଶରୀରରୁ ଚେର ବାହାରି ମାଟି ଭିତରକୁ ଚାଲିଗଲା ଆଉ ସେ ଚାଆଗଛରେ ରୂପାନ୍ତରିତ ହୋଇଗଲେ । ଅନ୍ୟ ଏକ କଥା ଅନୁସାରେ ବୋଧିଧର୍ମଙ୍କ ଧ୍ୟାନରେ ବାଧା ଉପୁଜିଵାରୁ ସେ ନିଜର ଆଖିପତାକୁ କାଟି ଦେଲେ ତେବେ ସେହି ଆଖିପତାରୁ ଚେର ବାହାରି ତାହା ଚାଆଗଛରେ ପରିଣତ ହୋଇଗଲା ଫଳତଃ ଚାଆଗଛର ପତ୍ର ଆଖିର ପତା ଭଳି ଦେଖାଯାଏ। 


ଭାରତର ଦାର୍ଜିଲିଂ ଅଞ୍ଚଳରେ ଚ଼ା ସମ୍ଵନ୍ଧୀୟ ଏକ ଲୋକକଥା ପ୍ରଚଳିତ ଅଛି । ଉକ୍ତ ଲୋକକଥା କୁହେ ଚ଼ା ଗଛ କୌଣସି ସାଧାରଣ ଗଛ ନୁହେଁ ଵରଂ ଏକ ଦୈଵୀ ଉପହାର ଅଟେ । କୁହାଯାଏ ଯେ ପ୍ରାଚୀନ କାଳରେ ହିମାଳୟର ଏକ ଗାଁରେ ଲୋକମାନେ ଦାରିଦ୍ର୍ୟ ଓ ରୋଗରେ ପୀଡ଼ିତ ହେଉଥିଲେ। ସେମାନଙ୍କୁ ସାହାଯ୍ୟ କରିଵା ପାଇଁ ଦେଵୀ କାଳୀ ସ୍ୱପ୍ନରେ ଗାଁର ଜଣେ ଵୃଦ୍ଧଙ୍କୁ ଦର୍ଶନ ଦେଇ କହିଲେ, "ପାହାଡ଼ର ଶିଖରକୁ ଯାଅ, ସେଠାରେ ମୋର ଉପହାର ଅଛି।" ସେ ଯାଇ ଦେଖିଲେ ସେଠାରେ ଚାହା ଗଛ ଉଠିଛି। ଗ୍ରାମଵାସୀମାନେ ତା’ର ପତ୍ରର ରସକୁ ପିଇ ସୁସ୍ଥ ହେଲେ । ସ୍ଥାନୀୟ ଲୋକେ ଚ଼ା ଗଛ ଏକ ଔଷଧୀୟ ଗଛ ଵୋଲି ଜାଣିଥିଲେ କିନ୍ତୁ ବହୁତ ପରେ ଦାର୍ଜିଲିଂରେ ଚ଼ା’ଗଛ ଚାଷ ହେଲା ‌।
କୋରିଆରେ ମଧ୍ୟ ଚା’ ସମ୍ବନ୍ଧୀୟ ଏକ ପ୍ରାଚୀନ ଲୋକକଥା ରହିଛି । କୁହାଯାଏ ତାଙ୍ଗ ରାଜଵଂଶର (ଚୀନ, ୭ମ ଶତାଵ୍ଦୀ) ଜଣେ ରାଜକୁମାରୀଙ୍କର କୋରିଆର ଶିଲ୍ଲା ରାଜଵଂଶ (Unified Silla, ୬୭୬-୯୩୫ ଖ୍ରୀଷ୍ଟାଵ୍ଦ)ରେ ଵିଵାହ ହୋଇଥିଲା । ସେ ନିଜ ସହିତ ଚାହା ଵିହନ ଆଣିଥିଲେ ଓ କୋରିଆରେ ଏହାକୁ ରୋପଣ କରିଥିଲେ। ଏହା କୋରିଆଵାସୀଙ୍କ ପାଇଁ ଏକ ମହାର୍ଘ ଉପହାର ହେଲା ଓ ସେମାନେ ଏହାକୁ "ଶାନ୍ତିର ପାନୀୟ" ଭାବେ ଗ୍ରହଣ କଲେ। ଏହି କାହାଣୀ କୋରିଆନ୍ ଚାହା ସଂସ୍କୃତିର ଆରମ୍ଭ ସହ ସମ୍ଵନ୍ଧିତ ଓ ଇତିହାସରେ ଉଲ୍ଲେଖିତ।
ତାଇୱାନରେ ଓଲଙ୍ଗ ଚାହାର ଉତ୍ପତ୍ତି ସମ୍ଵନ୍ଧୀୟ ଏକ ଲୋକକଥା ଅଛି । ତାଇୱାନର ଜଣେ ଚାଷୀ ଚାହା ପତ୍ର ସଂଗ୍ରହ କରୁଥିଵା ଵେଳେ ଏକ ହରିଣୀକୁ ଦେଖି ତାକୁ ଗୋଡ଼ାଇଲେ। ସେ ଫେରି ଆସିଵା ଵେଳକୁ ତାଙ୍କ ଝୁଡ଼ିରେ ରଖା ପତ୍ରଗୁଡ଼ିକ ଖରାରେ ଅଳ୍ପ ଶୁଖି ଅକ୍ସିଡାଇଜ୍ ହୋଇଗଲା। ସେ ତାହା ଫୁଟାଇ ପିଇଲେ ଓ ଏକ ଅନୁପମ ସ୍ୱାଦ ପାଇଲେ। ଏହି ଆକସ୍ମିକ ଘଟଣାରୁ ଓଲଙ୍ଗ ଚାହାର ଜନ୍ମ ହେଲା ଵୋଲି ଵିଶ୍ୱାସ କରାଯାଏ। ଏହା ତାଇୱାନରେ ଵହୁତ ପ୍ରଚଳିତ ଓ ଓଲଙ୍ଗ ଚାହାର ଇତିହାସରେ ଉଲ୍ଲେଖିତ ଏକ ଲୋକକଥା ଅଟେ । 
ତିବ୍ବତର ଏକ ପ୍ରାଚୀନ ଲୋକକଥା ଅନୁସାରେ ଚୀନର ଵ୍ୟଵସାୟୀଙ୍କ ମାଧ୍ୟମରେ ଚାହା ସେଠାରେ ପହଞ୍ଚିଥିଲା । ତାଙ୍ଗ ରାଜଵଂଶ (୭ମ ଶତାଵ୍ଦୀ) ସମୟରେ ତିବ୍ବତୀୟ ଲୋକମାନେ ଚୀନରୁ ଘୋଡ଼ା ବଦଳରେ ଚାହା ଆଣୁଥିଲେ। ଗୋଟିଏ ସ୍ଥାନୀୟ ଦନ୍ତକଥା ଅନୁସାରେ ଜଣେ ଵ୍ୟଵସାୟୀ ହିମାଳୟର ଅତ୍ୟଧିକ ଥଣ୍ଡାରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଜଣେ ତିବ୍ଵତୀୟ ଗୁରୁ ଚାହା ପିଆଇ ସୁସ୍ଥ କରିଥିଲେ। ଏହା ପରେ ସେହି ଚାହା ତିବ୍ବତରେ "ବଟର ଚାହା" ରୂପେ ପ୍ରସିଦ୍ଧ ହେଲା। ଏହି କାହାଣୀ ତିବ୍ବତୀୟ ଚାହା ସଂସ୍କୃତିର ଆରମ୍ଭ ସହ ସମ୍ଵନ୍ଧିତ।
ଏକ ରୁଷୀୟ ଲୋକକଥା ଅନୁସାରେ ୧୭ଶ ଶତାବ୍ଦୀର ଏକ ଶୀତଋତୁରେ ଜଣେ ସାହସୀ ରୁଷୀୟ ରାଜଦୂତଙ୍କୁ ଚୀନ ଦେଶକୁ ପଠାଯାଇଥିଲା। ସେ ଦୂର ପୂର୍ଵଦେଶରୁ ଏକ ଅଜଣା ସମ୍ପଦ ନେଇ ଫେରିଲେ ତାହା ଆଜି ଚା଼ ନାମରେ ଜଣାଶୁଣା । ତାଙ୍କ ଆଦେଶରେ, ଏକ ଵିରାଟ କାରାବାନ ଗଠନ ହେଲା। ଓଟମାନେ ମାଲ ବୋହି ସାଇବେରିଆର ବରଫାଵୃତ ମରୁଭୂମି ଦେଇ ଯାତ୍ରା ଆରମ୍ଭ କଲେ। 
ଥଣ୍ଡା ପଵନ ଓ ବରଫ ସେମାନଙ୍କୁ ଅସୁସ୍ଥ କରିଦେଇଥିଲା। ସେମାନଙ୍କ ସହିତ ଯାତ୍ରା କରୁଥିଵା ଜଣେ ଵୁଦ୍ଧିମାନ ଚୀନୀ ଯାତ୍ରୀ ଚାହା ପତ୍ରକୁ ଗରମ ପାଣିରେ ଫୁଟାଇଲେ। ସୁଗନ୍ଧ ଚାରିଆଡ଼େ ଵ୍ୟାପିଗଲା, ଆଉ ସମସ୍ତେ ତାହା ପିଇଲେ। ଆଶ୍ଚର୍ଯ୍ୟର କଥା, ଥଣ୍ଡାରୁ ମୁକ୍ତି ମିଳିଲା, ଶରୀର ଗରମ ହେଲା, ଓ ସେମାନେ ନୂଆ ଉତ୍ସାହରେ ଯାତ୍ରା ଜାରି ରଖିଲେ। ଚାହା ରୁଷିଆ ପହଞ୍ଚିଵା ପରେ, ଲୋକେ ଏହାକୁ ଵହୁତ ଆଦର କଲେ। ଏହାପରେ ରୁଷରେ "ସମୋଭାର ଚାହା" ଲୋକପ୍ରିୟ ହୋଇଥିଲା । ଏହିପରି ଚ଼ା ସମ୍ଵନ୍ଧୀୟ ଅନେକ ଲୋକକଥା ଵିଶ୍ଵର ଵିଭିନ୍ନ ଦେଶରେ ପ୍ରଚଳିତ ଅଛି । 
ତେବେ ଚାଆଗଛ,ଚାଆଗଛ ଚାଷ ତଥା ଚାଆପାନର ଇତିହାସ ବହୁତ ପ୍ରାଚୀନ ‌। ପ୍ରାଚୀନ ଚୀନ ଓ ଭାରତରେ ହିମାଳୟର ଲୋକେ ଚାହାପତ୍ରକୁ ଔଷଧ ରୂପେ ଵ୍ୟଵହାର କରୁଥିଲେ । ଭାରତରେ ତେଣୁ ଚାହାଗଛର ଶାସ୍ତ୍ରୀୟ ନାମ ଶ୍ୟାମପର୍ଣ୍ଣୀ,ଶ୍ମେଷ୍ମାରି, ଗିରିଭିତ୍ ଓ ଅତନ୍ଦ୍ରୀ ରଖାଯାଇଥିଲା ‌। 
୫୯ ଖ୍ରୀଷ୍ଟପୂର୍ଵରେ ଓ୍ଵାଙ୍ଗ ୱାଓ ନାମଧ୍ୟେୟ ଜଣେ ଲେଖକ ଡୋଙ୍ଗ୍ ୟୂ(Dong Yue) ନାମରେ ଏକ ପୁସ୍ତକ ଲେଖିଥିଲେ ଯହିଁରେ ଚାଆ ବିକ୍ରି ତଥା ତାହାର ପ୍ରସ୍ତୁତିକରଣ ଵିଷୟରେ ଆଲୋଚନା ହୋଇଅଛି । ୨୨ ଖ୍ରୀଷ୍ଟାବ୍ଦରେ ଚୀନର ପ୍ରାଚୀନ ଚିକିତ୍ସକଙ୍କ ମଧ୍ୟରେ ଅନ୍ୟତମ ହୁଆ ତାଓ, ଔଷଧ ସମ୍ଵନ୍ଧୀୟ "ସ୍ହିନ୍ ଲୁନ୍" ନାମରେ ଏକ ପୁସ୍ତକ ଲେଖିଥିଲେ ଯହିଁରେ ଚାଆଗଛର ଔଷଧୀୟ ଗୁଣ ସମ୍ଵନ୍ଧରେ ଉଲ୍ଲେଖ ଅଛି ।‌ ୪୦୦ରୁ ୬୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଚାଆ'ର ଆଵଶ୍ୟକତା ବଢି଼ଵାରୁ ଚୀନ ଦେଶରେ ଚାଆଗଛ ସମ୍ଵନ୍ଧୀୟ କୃଷି ଆରମ୍ଭ ହୋଇଥିଲା ।‌ ୪୭୯ ଖ୍ରୀଷ୍ଟାବ୍ଦ ଵେଳକୁ ତୁର୍କ ଵେପାରୀ ମଙ୍ଗୋଲିଆ ସୀମାରେ ଚାଆ ବଦଳରେ ଦ୍ରଵ୍ୟ ବିକ୍ରି କରୁଥିଵା ସଂକ୍ରାନ୍ତୀୟ ପାଣ୍ଡୁଲିପି ମିଳିଛି ।‌ ଚୀନରେ ସୁଇ ରାଜଵଂଶ(୫୮୯-୬୧୮ଖ୍ରୀଷ୍ଟାବ୍ଦ)ର ଶାସନ ସମୟରେ ବୌଦ୍ଧ ସନ୍ନ୍ୟାସୀମାନଙ୍କ ଦ୍ଵାରା ଜାପାନୀମାନେ ଚାଆ ସ‌ହିତ ପରିଚିତ ହୋଇଥିଲେ । ଚୀନରେ ତାଙ୍ଗ୍ ରାଜଵଂଶ(୬୧୮-୯୦୬ଖ୍ରୀଷ୍ଟାବ୍ଦ)ର ଶାସନକାଳ ଵେଳକୁ ଚୀନରେ ଗୁଣ୍ଡ ଚାଆର ଉତ୍ପାଦନ ଆରମ୍ଭ ହୋଇ ସାରିଥିଲା ଏଵଂ ରେଶମ ମାର୍ଗ ଦ୍ଵାରା ତାହା ଵିଦେଶରେ ବିକ୍ରି କରାଯାଉଥିଲା । ୭୮୦ ଖ୍ରୀଷ୍ଟାବ୍ଦରେ ଚୀନ ଦେଶୀୟ କଵି ଲୁ ୟୁ(Lu yu) ଚାଆ ସମ୍ଵନ୍ଧୀୟ ପୁସ୍ତକ ରଚନା କରିଥିଲେ ଯହିଁରେ ଚାଆଗଛର ଚାଷ, ଏହାର ଉତ୍ପାଦନ ତଥା ପ୍ରସ୍ତୁତିକରଣ ଵିଷୟରେ ସଵିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା । ଦଶମ ଶତାବ୍ଦୀ ଵେଳକୁ ଅରୁଣାଚଳ ପ୍ରଦେଶର Singhpo ଓ Khamti ଜନଜାତିର ଲୋକେ ଚାହାପାନ କରୁଥିଵା ଜଣାପଡ଼ିଛି। ତେବେ ଅଠରଶହ ଶତାବ୍ଦୀରେ ଇଂରେଜମାନଙ୍କ ପ୍ରଚେଷ୍ଟା ଯୋଗୁଁ ସାରା ଭାରତରେ ଲୋକେ ଚାଆ ସହିତ ପରିଚିତ ହୋଇଥିଲେ । ୧୭୮୦ରେ Robert Kyd ଚୀନ ଦେଶୀୟ ଚାଆଗଛର ଵୀଜ ଵ୍ୟଵହାର କରି ଭାରତରେ ଚା' ଚାଷ ସମ୍ଵନ୍ଧୀୟ ପରୀକ୍ଷଣ କରିଥିଲେ । ୧୮୨୩ରେ ଇଂରେଜ ଗଵେଷକ Robert Bruce ଆସାମ ଅଞ୍ଚଳରେ ଜଙ୍ଗଲୀ ଚା' ଗଛ ଠାଵ କରିଥିଲେ । ଏହାପରେ ପରେ ଭାରତରେ ହିଁ ଚାଆଚାଷ ଆରମ୍ଭ ହୋଇଥିଲା ଏଵଂ ୧୮୩୮ରେ ଆସାମରୁ ପ୍ରଥମ ଭାରତୀୟ ଚା' ସର୍ଵସାଧାରଣଙ୍କୁ ବିକ୍ରି ପାଇଁ ଇଂଲଣ୍ଡକୁ ପଠାଯାଇଥିଲା ।୧୮୫୦ରେ ହିମାଳୟ ପାଦଦେଶରେ ଅଵସ୍ଥିତ ଦାର୍ଜିଲିଂରେ ଵାଣିଜ୍ୟିକ ଚା' ବଗିଚା ଗଢ଼ିଉଠିଥିଲା । ୧୮୭୪ ଵେଳକୁ ଦାର୍ଜିଲିଂରେ ୧୮,୮୦୦ ଏକର ପରିମିତ ଅଞ୍ଚଳରେ ୧୧୩ଟି ଚା' ଵଗିଚା ଖୋଲିଯାଇଥିଲା । ଚା' ଉତ୍ପାଦନ ଉପରେ ଚୀନ ଦେଶୀୟ ଏକଛତ୍ରଵାଦର ଅନ୍ତ ଘଟାଇଵା ପାଇଁ ଇଂରେଜମାନେ ଭାରତରେ ଚା'ଚାଷ କରି ସଫଳ ମଧ୍ୟ ହୋଇଥିଲେ । ଭାରତରେ ତଥାପି ଚାଆପାନ ଲୋକପ୍ରିୟ ହେଵାକୁ ଆହୁରି କିଛି ଵର୍ଷ ଲାଗିଯାଇଥିଲା କିନ୍ତୁ ଚୀନରେ ୟୁଆନ ରାଜଵଂଶ(୧୨୦୬-୧୩୬୮) ଵେଳକୁ ଚାଆ ଏକ ସାଧାରଣ ପାନୀୟ ହୋଇସାରିଥିଲା ।‌ ସେତେଵେଳେ ଏହା କୌଣସି ଉଚ୍ଚ ଆଭିଜାତ୍ୟର ଚିହ୍ନ ନଥିଲା ଵରଂ ସମାଜର ଉଚ୍ଚ ଓ ନିମ୍ନ ସବୁ ଵର୍ଗର ଲୋକେ ଚାଆପାନ କରୁଥିଲେ । ୧୨୧୧ରେ ଜାପାନରେ Eisai ନାମକ ଜଣେ ଲେଖକ ଚାଆ ସମ୍ଵନ୍ଧରେ ଗୋଟିଏ ପୁସ୍ତକ ପ୍ରଣୟନ କରିଥିଲେ । ଜାପାନୀ "ଚାଆ ଉତ୍ସଵ" Cha nu yu ଏହାର ଦୁଇଶହ ଵର୍ଷ ପରେ ଜଣେ ଜ଼େନ୍ ଧର୍ମୀୟ ସାଧୁ ମୁରାଟା ସୁକୁ(Murata shuko) ପ୍ରଚଳନ କରାଇଥିଲେ । ୧୫୫୯ରେ Giovanni ta Ramusio ତାଙ୍କ ପୁସ୍ତକ "Delle Navigatione et Viaggi"(Vol 6)ରେ ଚାଆର "chai" ନାମ ଉଲ୍ଲେଖ କରିଥିଲେ । ୧୫୭୯ରେ ଦୁଇଜଣ ରୁଷୀୟ ପରିବ୍ରାଜକଙ୍କୁ ରୁଷୀୟ ଗୁପ୍ତଚର ଦ୍ଵାରା ଚାଆ ଵିଷୟରେ ତଥ୍ୟ ମିଳିଥିଲା । ୧୬୦୬ରୁ ୧୬୧୦ ମଧ୍ୟରେ ପର୍ତ୍ତୁଗୀଜ ଓ ଡଚ୍‌ମାନଙ୍କ ଦ୍ଵାରା ଚାଆ ଚୀନରୁ ୟୁରୋପରେ ପହଞ୍ଚିଥିଲା । ସେହିପରି ୧୬୩୬ରେ ଚାଆ ଫ୍ରାନ୍ସରେ ପହଞ୍ଚିଲା । ୧୬୬୧ଠାରୁ ତାଇୱାନରେ ଚାଆ ଏକ ଲୋକପ୍ରିୟ ପାନୀୟ ରୂପେ ଘରେ ଘରେ ପାନ କରାଗଲା ‌ । ୧୬୫୭ରେ ଇଂଲଣ୍ଡରେ ସର୍ଵପ୍ରଥମେ Garways coffee houseରେ ଚାଆ ଵିକ୍ରି ହୋଇଥିଲା ।‌ ଇଂଲଣ୍ଡରେ Thomas Garway ଚାଆକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇଵାକୁ ଚେଷ୍ଟା କରିଥିଲେ। ଚାହୁଁ ଚାହୁଁ ଇଂଲଣ୍ଡରେ ଚାଆପାନ ଅଧିକ ଲୋକପ୍ରିୟ ହୋଇଗଲା । ମଦ ଅପେକ୍ଷା ଇଂଲଣ୍ଡଵାସୀ ଚାଆକୁ ଅଧିକ ପସନ୍ଦ କରିଵାରୁ ତତ୍କାଳୀନ ବ୍ରିଟିଶ ସରକାର ମଦ ବିକ୍ରିରୁ ମିଳୁଥିଵା କର ହରାଇଵାକୁ ଲାଗିଲା । ତେବେ ଚା' ଉପରେ କର ଲଗାଇ ସେମାନେ ତୁରନ୍ତ ପରିସ୍ଥିତିର ସମାଧାନ କରିଥିଲେ। ତଥାପି ପରଵର୍ତ୍ତୀ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧି ପର୍ଯ୍ୟନ୍ତ ବ୍ରିଟେନରେ ଚାଆ ଉଚ୍ଚ ଓ ମଧ୍ୟଵିତ୍ତଙ୍କ ପାଇଁ ଏକ ସାଧାରଣ ପାନୀୟରେ ପରିଣତ ହୋଇନଥିଲା । ଯେତେଵେଳେ ବ୍ରିଟେନରେ ଅନେକ କଫି ଦୋକାନ ଖୋଲିଗଲା ସେତେଵେଳେ ବଡ଼ବଡ଼ିଆ ଲୋକଙ୍କ ଦୃଷ୍ଟିରେ କଫି ଆଉ ଆଭିଜାତ୍ୟର ଚିହ୍ନ ରହିଲା ନାହିଁ । ଫଳତଃ ଲଣ୍ଡନର ଧନିକମାନେ ଚାଆକୁ ଅଭିଜାତ୍ୟର ଚିହ୍ନ ସ୍ଵରୂପ ଗ୍ରହଣ କରିନେଲେ । ତଥାପି ସତରଶହ ଅଠରଶହ ଶତାବ୍ଦୀରେ ୟୁରୋପୀୟ ସମାଜରେ ଚାହାପାନ ଏକ ସଭ୍ୟ ପରମ୍ପରାରେ ପରିଣତ ହୋଇ ଯାଇଥିଲା । କ୍ରମେ ୟୁରୋପର ଲୋକେ Tea partyର ଆୟୋଜନ କରିଵାକୁ ଲାଗିଲେ । ସେସବୁ ଆୟୋଜନରେ ଚାହାପାନ ସହିତ ଆନ ଲୋକ ଵା ଦେଶ ଆଦି ଵିଷୟରେ ଚର୍ଚ୍ଚା, ଆଲୋଚନା,ତର୍କ ଵିତର୍କ ଓ ଆଳାପ ହେଉଥିଲା। ଲେଖକ Henry Fielding ସମାଜରେ ଏ ଧରଣର ରୀତିନୀତି ଦେଖି ସେତେଵେଳେ ତାଙ୍କର ଏକ ଵିସ୍ମୃତ ନାଟକରେ ଚାହାପାନ ସମ୍ଵନ୍ଧୀୟ ଏକ ପ୍ରସିଦ୍ଧ ଵାକ୍ୟ ଯୋଡ଼ିଥିଲେ “Love and scandal are the best sweeteners of tea.” । 

୧୭୭୨ରେ ବ୍ରିଟେନର ଆମେରକୀୟ ଉପନିଵେଶଗୁଡି଼କରେ ଚାଆ କର(Tea tax) ଯୋଗୁଁ ଗମ୍ଭୀର ସମସ୍ୟା ଦେଖାହେଲା । The Sons of Liberty ସଂଗଠନ ଏହା ଵିପକ୍ଷରେ ଵିଭିନ୍ନ ଉପାୟରେ ଆନ୍ଦୋଳନ ଓ ଵିରୋଧ କଲା । ଏହି ସଂଗଠନ ଦ୍ଵାରା ଫିଲାଡେଲଫିଆ ଓ ନ୍ୟୁୟର୍କକୁ ଆସୁଥିଵା ବ୍ରିଟିଶ ମାଲଵାହୀ ଜାହାଜଗୁଡ଼ିକ ଉପରକୁ ଘନଘନ ଆକ୍ରମଣ କରାଯାଉଥିଲା ‌‌। ୧୬ ଡିସେମ୍ଵର ୧୭୭୩ରେ The Sons of Liberty ସଂଗଠନ ଦ୍ଵାରା ବୋଷ୍ଟନ୍ ଵନ୍ଦରରେ ଦୁଇଗୋଟି ଜାହାଜରୁ ୩୪୨ ବଡ଼ ଚାଆ ବସ୍ତା ଚୋରାଇ ନିଆଯାଇଥିଲା । ଇତିହାସରେ ଏହି ଘଟଣା Boston Tea Party ନାମରେ ଜଣାଶୁଣା । ଏହି ଘଟଣା ପରେ ବ୍ରିଟିଶ ଶାସନ ତନ୍ତ୍ର ଦ୍ଵାରା ଆମେରିକୀୟ ଉପନିଵେଶଗୁଡ଼ିକରେ ରହୁଥିଵା ଲୋକଙ୍କ ସ୍ଵାଧୀନତା ଉପରେ ଅନେକ କଟକଣା ଲଗାଯାଇଥିଲା ଯାହା ପରଵର୍ତ୍ତୀ କାଳରେ ଆମେରକୀୟ ସ୍ଵାଧୀନତା ସଂଗ୍ରାମର କାରଣ ସାଜିଲା । ଆମେରିକାର ସ୍ଵାଧୀନତା ସଂଗ୍ରାମରେ ଏ ଦୃଷ୍ଟିରୁ ଚାଆର ଯୋଗଦାନ କମ୍ ନୁହେଁ । 



'ଚ଼ା' ଗଛର ଵୈଜ୍ଞାନିକ ନାମ Camellia sinensis ଏଵଂ ଏହା Theaceae କୁଳର ଗଛ । Camellia ଵଂଶରେ ୨୨୦ଟି ଜାତିର ଗଛ ରହିଛି ଏଵଂ ଏହି ସବୁ ଗଛ ଭାରତଠାରୁ ଜାପାନ ଯାଏଁ,ଚୀନଠାରୁ ବର୍ମା, ଭିଏତନାମ ଓ ଇଣ୍ଡୋସିଆ ପର୍ଯ୍ଯନ୍ତ ଭୂଭାଗରେ ଦେଖାଯାଇଥାଏ । ତେବେ Camellia sinensis ଵା 'ଚ଼ା' ଗଛର ୫୧୦୦୦ରୁ ଅଧିକ ଚାଷକିସମ ଵା Cultivar କୃଷିକ୍ଷେତ୍ରରେ ରୋପଣ କରାଯାଉଛି। 'ଚ଼ା' ଗଛ ଉଚ୍ଚରେ ଦୁଇରୁ ଚାରି ହାତ ବଢ଼େ କିନ୍ତୁ ଜଙ୍ଗଲୀ ହେଲେ ଏ ଗଛ ଆହୁରି ଉଚ୍ଚ ହୋଇଥାଏ । ଏହାର ପତ୍ର ଦଶ/ବାର ଆଙ୍ଗୁଳ ଲମ୍ଵ ଓ ତିନି/ଚାରି ଆଙ୍ଗୁଳ ଚଉଡ଼ା ଓ ପତ୍ରର ଦୁଇ ମୁଣ୍ଡ ମୁନିଁଆ; ଏଥିରେ ଫୁଲ ୪/୫ ପାଖୁଡ଼ିଆ ଓ ଧଳା। ଫୁଲ ଝଡ଼ିଗଲା ପରେ ଗଛରେ ଫଳ ଧରେ। ଫଳ ମଧ୍ୟରେ ଏକଠାରୁ ତିନି ପର୍ଯ୍ୟନ୍ତ ମଞ୍ଜିଥାଏ। ଏହାର ପତ୍ରକୁ କଞ୍ଚା ସମୟରେ ତୋଳି ତାକୁ ଶୁଖାଇ ଟିକିଟିକି କରି ରଖାଯାଏ। ଶୁଖିଲା ପତ୍ରର ଵର୍ଣ୍ଣ ଫକା କଳା। ଫୁଟିଲା ପାଣିରେ ଏହି ଶୁଖିଲା ପତ୍ରକୁ ପକାଇ ଚୁଲିରୁ ଓହ୍ଲାଇଆଣି ସେ ପାଣିରୁ ବତୁରିଥିଵା 'ଚା' ପତ୍ରଗୁଡିକ ଛାଣି ଫିଙ୍ଗିଦିଆଯାଏ। ସେ ପାଣି ଈଷତ୍ ନାଲି ଓ କଷା ଲାଗେ। ଉକ୍ତ ପାଣିରେ ଦୁଧ ଓ ଚିନି ମିଶାଇ ତାହା ଗରମ ଥାଉଁ ଥାଉଁ ପିଆଯାଏ। କେହି କେହି ଦୁଧ ଓ ଚିନି ନ ଦେଇ ଖାଲି ଚା ସିଝା ପାଣି ପିଅନ୍ତି । ଆଗେ ନାଲି ଚା଼’ରେ ଲୋକେ ଲୁଣ ମିଶାଇ ମଧ୍ୟ ପିଉଥିଲେ । ନାଲିଚ଼ାହାରେ ଗୁଡ଼ ମିଶାଇ ପାନ କରାଯାଉଥିଲା କିନ୍ତୁ କ୍ଷୀର ଚାହାରେ ଗୁଡ଼ ମିଶାଇଵା ଦ୍ଵାରା ତାହା ଏକ ପ୍ରକାରର ଖାଦ୍ୟ ଵିଷରେ ପରିଣତ ହୁଏ ଵୋଲି ଲୋକେ ଗୁଡ଼ ପରିଵର୍ତ୍ତେ ଶର୍କରା ମିଶାଉଥିଲେ । କେହି କେହି ଛେନା ଓ ଦହି ମିଶାଇ ବି ଚାହା କରନ୍ତି । କିନ୍ତୁ ଊନଵିଂଶ ଶତାବ୍ଦୀ କାଳର ଭାରତରେ ଚାହା କେଵଳ ନଗରାଞ୍ଚଳରେ ହିଁ ସୀମିତ ଥିଲା ।‌ 


ପ୍ରତିଵର୍ଷ ପୃଥିଵୀରେ ମୋଟ ୫,୯୬୬,୪୬୭ ଟନ୍ ଚାହା ଉତ୍ପାଦନ ହୁଏ ତନ୍ମଧ୍ୟରୁ ଚୀନରେ ୨,୪୧୪,୮୦୨ ଟନ୍ ଓ ଭାରତରେ ୧,୨୫୨,୧୭୪ଟନ୍ ଚାହା ଉତ୍ପାଦନ କରାଯାଏ। ଚୀନ,ଭାରତ, ଜାପାନ, ଶ୍ରୀଲଙ୍କା ଓ କେନିଆରେ ପୃଥିଵୀର ସର୍ଵାଧିକ ଚାହା ଉତ୍ପାଦନ କରାଯାଏ । ଏହି ଚୀନ ଦେଶୀୟ ପାନୀୟକୁ ଆମ୍ଭେମାନେ ଓଡ଼ିଆ ଭାଷାରେ ଚ଼ା,ଚାଆ ଓ ଚାହା ଇତ୍ୟାଦି କହୁଥିଲାଵେଳେ କନ୍ନଡ଼ ଭାଷାଭାଷୀ ବି ଆମ ଭଳି ಚಹಾ(chahā) ହିଁ କହିଥାନ୍ତି ସେହିପରି ହିନ୍ଦୀଭାଷୀ चाय କହିଥାନ୍ତି । ଏସବୁ ଶବ୍ଦ ଚୀନ ଦେଶୀୟ 茶(Chá) ଶବ୍ଦ ମୂଳର ଅଟେ । ସେହିପରି ଇଂରାଜୀ ଭାଷାରେ ଚାହା'କୁ Tea କୁହାଯାଏ ଏଵଂ ଏହି ଶବ୍ଦଟି 
୧୬୫୦ରେ ଡଚ୍ ଶବ୍ଦ thee ଆଧାରରେ ଇଂରାଜୀ ଭାଷାରେ ପ୍ରଚଳିତ ହୋଇଥିଲା। ତେବେ ଡଚ୍ ଭାଷାର thee ଶବ୍ଦଟି Amoyଭାଷାର ଗୋଟିଏ ଶୈଳୀ Hokkienର 茶 (tê) ଶବ୍ଦରୁ ସୃଷ୍ଟି ହୋଇଥିଲା । ଭାଷାଵିତ୍‌ମାନଙ୍କ ମତରେ ଚୀନ ଦେଶୀୟ 茶(Chá) ଓ 茶 (tê) ଶବ୍ଦଦ୍ଵୟ ଗୋଟିଏ ମୂଳ ପ୍ରାକ୍ ସିନୋ ତିଵତ୍ତୀୟ ଶବ୍ଦରୂପ *s-la (“leaf, tea”)ରୁ ସୃଷ୍ଟି ହୋଇଛି । କୁହାଯାଏ ଚୀନର Sichuan ଅଞ୍ଚଳରେ ଲୋକେ ପ୍ରଥମେ ଚାହା ପାନୀୟ ଵ୍ୟଵହାର କରିଥିଲେ । ଏଠାକାର ସ୍ଥାନୀୟ Yi ଜନଜାତୀୟ ଲୋକେ Loloish ଭାଷା ବୋଲନ୍ତି । କେତେକ ଭାଷାଵିତ୍‌ କୁହନ୍ତି ପ୍ରାକ୍ Loloish *la¹ (“tea”) ଶବ୍ଦରୁ ଭିନ୍ନ ଭିନ୍ନ ଦିଗରେ ଚା଼ ଓ ଟୀ ଶବ୍ଦ ପ୍ରଚଳିତ ହୋଇଥିଲା ଏଵଂ ଏହା ପ୍ରାକ୍ ତିଵତ୍ତୀୟ *s-la ଶବ୍ଦର ପରଵର୍ତ୍ତୀ ରୂପ ଥିଲା । ପୁଣି Schuesslerଙ୍କ ପରି କେତେଜଣ ଭାଷାଵିଦମାନଙ୍କ ମତରେ ପ୍ରାକ୍ ସିନୋ ତିଵତ୍ତୀୟ *s-la (“leaf; tea”) ଶବ୍ଦଟି ପ୍ରାକ୍ ଆଷ୍ଟ୍ରୋଏସିଆଟିକ୍ *sla (“leaf”) ଶବ୍ଦରୁ ଆସିଥିଵା ସମ୍ଭଵ (ତୁଳନା : ପ୍ରାକ୍ ମୋନ୍ ଖମେର୍ *slaʔ) । 

କିନ୍ତୁ ଐତିହାସିକ Qiu Xigui ମତ ଦିଅନ୍ତି ଯେ ଏହା 荼 (*rlaː, “bitter plant”)ର ଶବ୍ଦାର୍ଥ ଵିସ୍ତାର ଅଟେ ‌। ପ୍ରାଚୀନ କାଳରେ ଚୀନଦେଶରେ ଚାହା'କୁ 'tu' (荼) ବି କୁହାଯାଉଥିଲା ଏଵଂ ଏହି ନାମଟି ପ୍ରାଚୀନ Shi Jing (The book of Songs) ପୁସ୍ତକରେ ଉଲ୍ଲେଖ ଅଛି । କେତେକ ଚୀନ ଦେଶୀୟ ଭାଷାଵିତ୍ କୁହନ୍ତି ଏହି ଶବ୍ଦରୁ ପରେ Fujian ଶବ୍ଦ 'te' ସୃଷ୍ଟି ହୋଇଥିଲା ଓ ବହୁତ ପରେ ଏଥିରୁ ଡଚ୍ Thee ଓ ଇଂରାଜୀ tea ଶବ୍ଦ ସୃଷ୍ଟି ହୋଇଥିଲା । ସେହିପରି Er Ya ଗ୍ରନ୍ଥରେ ଚାହା'ର ଏକ ନାମ 'jia' (檟) ଉଲ୍ଲେଖ ଅଛି । କେହି କେହି କୁହନ୍ତି ଏହି ଶବ୍ଦଟି ପରେ ଚା’ ଶବ୍ଦରେ ପରିଣତ ହୋଇଯାଇଥିଲା । ଚାହା’ର ଆଉ ଏକ ଚୀନ ଦେଶୀୟ ନାମ She' (蔎) ମଧ୍ୟ ଅନେକ ପ୍ରାଚୀନ ପାଣ୍ଡୁଲିପିରେ ଲିଖିତ ହୋଇଅଛି। ସେ ଯାହା ହେଉ ଚୀନର ଚାଆପାନ ବହୁ ପୁରାତନ । ଚୀନରେ ଦୁଇ ସହସ୍ରାଧିକ ଵର୍ଷ ତଳେ ଚାଆପାନ କରାଯିଵାର ଭୌତିକ ପ୍ରମାଣ ୨୦୧୬ରେ ମିଳିଥିଲା । ପ୍ରାୟ ଦୁଇ ହଜାର ଵର୍ଷ ତଳେ ଚୀନରେ ହାନ୍ ରାଜଵଂଶର ଶାସନ ସମୟରୁ ଚାହାପାନ କ୍ରମେ ପ୍ରଚଳିତ ହୋଇ ତାଙ୍ଗ୍(୬୧୮-୯୦୭ ଖ୍ରୀଷ୍ଟାଵ୍ଦ) ରାଜଵଂଶ ଓ ସଙ୍ଗ୍ ରାଜଵଂଶ(୯୬୦-୧୨୭୯ ଖ୍ରୀଷ୍ଟାଵ୍ଦ) ସମୟକାଳ ପର୍ଯ୍ଯନ୍ତ ସାରା ଚୀନ,ତିବ୍ବତ୍ତ, କୋରିଆ, ଭିଏତନାମ ଆଦି ଦକ୍ଷିଣ ପୂର୍ଵ ଏସୀୟ ଦେଶଗୁଡିକରେ ଲୋକପ୍ରିୟ ହୋଇ ଦଶମରୁ ଦ୍ଵାଦଶ ଶତାବ୍ଦୀ ଵେଳକୁ ଭାରତର ଅରୁଣାଚଳ ପ୍ରଦେଶର କେତେକ ସିନୋ ତିବ୍ବତ୍ତୀୟ ଜନଜାତି ମଧ୍ୟରେ ଆସି ପ୍ରଚଳିତ ହୋଇଥିଲା । ସାରା ଭାରତରେ କିନ୍ତୁ ଊନଵିଂଶ ଶତାଦ୍ଦୀ ସମୟରେ ଚାଆପାନ ଲୋକପ୍ରିୟ ହୋଇଥିଲା । ସପ୍ତଦଶ ଶତାବ୍ଦୀ ଯାଏଁ ଚାହାପାଣିରେ ଦୁଗ୍ଧ ମିଶାଇଵାର ପରମ୍ପରା ସାରା ଵିଶ୍ଵରେ ଲୋକପ୍ରିୟ ହୋଇନଥିଲା । ଚୀନ ଦେଶର ଅଧିକାଂଶ ଲୋକେ ଦୁଗ୍ଧହୀନ ଚାଆପାନ କରୁଥିଲେ । କୁହାଯାଏ ପ୍ରଥମେ ହିମାଳୟ ପାଦଦେଶରେ ଅଵସ୍ଥିତ ତିବ୍ବତ୍ତଦେଶଵାସୀ ୭୮୧ ଖ୍ରୀଷ୍ଟାବ୍ଦ ଵେଳକୁ ଚମରୀଗାଈର ଦୁଗ୍ଧ ଓ ଲହୁଣୀ ମିଶାଇ ଚାଆ ପ୍ରସ୍ତୁତ କରୁଥିଲେ । ସେହିପରି ଅଷ୍ଟମ ଶତାବ୍ଦୀରେ ଚୀନ ଦେଶୀୟ ସମ୍ରାଟ Li Kuo ମଧ୍ୟ ଦୁଗ୍ଧ ମିଶା ଚାଆ ପିଇଵାକୁ ସୁଖ ପାଉଥିଵା କିମ୍ଵଦନ୍ତୀ ପ୍ରଚଳିତ । ତିବ୍ବତଵାସୀଙ୍କ ପରି ମଙ୍ଗୋଲିଆର ଲୋକେ ମଧ୍ୟ ଚାଆରେ ଦୁଗ୍ଧ ମିଶାଇ ପିଉଥିଲେ । ୟୁରୋପରେ ମାଡାମ ଡେ ଲା ସାବଲିୟର୍(୧୬୮୦)ଙ୍କୁ ଚାଆରେ କ୍ଷୀର ମିଶାଇଵାର ପରମ୍ପରା ପ୍ରଚଳନ କରିଵାର ଶ୍ରେୟ ଦିଆଯାଏ ।ଡଚ୍ ଓ ଇଂରେଜମାନେ ଚାଆରେ ଦୁଗ୍ଧ ମିଶାଇ ପାନକରିଵା ପ୍ରଥାକୁ ଆହୁରି ଲୋକପ୍ରିୟ କରାଇଲେ ‌ । ଭାରତରେ ଊନଵିଂଶ ଶତାଦ୍ଦୀରୁ କ୍ରମଶଃ ଚାଆ ଲୋକପ୍ରିୟ ହେଵାକୁ ଲାଗିଲା ଆଉ ଆଜି ଭାରତ ଵିଶ୍ଵର ଅଗ୍ରଣୀ ଚାଆ ଉତ୍ପାଦନକାରୀ ଦେଶ ଅଟେ । ପୁଣି ଭାରତୀୟମାନେ ପ୍ରତିଵର୍ଷ ୬,୨୦୦,୦୦୦ ଟନ୍ ଚାଆ ଵ୍ୟଵହାର ମଧ୍ୟ କରନ୍ତି । ତେଵେ ପ୍ରତିଵ୍ୟକ୍ତି 3.16 କେଜି ଚାଆପାନ ସହ ପୃଥିଵୀରେ ତୁର୍କୀ ସର୍ଵାଗ୍ରେ ଥିଲାଵେଳେ ଏହି ସୂଚୀରେ ଭାରତ ୨୯ ନମ୍ଵରରେ ରହିଛି । ପ୍ରଥମେ ପ୍ରଥମେ ଲୋକେ ନାଲି ଚାଆ ହିଁ ପିଉଥିଲେ କିନ୍ତୁ କ୍ରମେ କ୍ଷୀରଚାଆ,ଧଳାଚାଆ,ସଵୁଜଚାଆ,ଓଲୋଙ୍ଗ୍ ଚାଆ,Pu-erh ଚାଆ,ହଳଦିଆଚାଆ,ହର୍ବାଲ୍ ଚାଆ,ମସାଲାଚାଆ ଓ ବରଫ ଚାଆ ଵା ଆଇସ୍ ଟୀ ଆଦି ଅନେକ ଜାତୀୟ ଚାଆ ଆଜିକାଲି ପ୍ରସ୍ତୁତ କରାଯାଉଛି । ଆଜି କୋଟି କୋଟି ଲୋକେ ଚାହା ପିଉଛନ୍ତି ଏଵଂ କିଛି ଲୋକ ତ ଚାହାପାନ ନିଶାରେ ହିଁ ପଡ଼ିଯାଇଛନ୍ତି। 
Sydney Smith ତାଙ୍କ ପୁସ୍ତକ Lady Holland's Memoir (1855)ର Vol. I. ପୃଷ୍ଠା 383ରେ ଚାହା ସମ୍ଵନ୍ଧରେ ଲେଖିଛନ୍ତି Thank God for tea! What would the world do without tea? how did it exist? I am glad I was not born before tea(ଜଗତକୁ ଚାହା ପାନୀୟ ଦେଇଥିଵାରୁ ଈଶ୍ଵରକୁ ଧନ୍ୟଵାଦ ! ଚାହା ଵିନା ଆଉ କ'ଣ ଜଗତ ଚଳିପାରେ ? ଯାହା ହେଉ ମୁଁ ଭାଗ୍ୟଵାନ ଯେ ଚାହା ନଥିଲାଵେଳର ଜଗତରେ ଜନ୍ମ ଲଭି ନାହିଁ) । Sydney Smithଙ୍କ ଭଳି ପୃଥିଵୀରେ କୋଟି କୋଟି ଚାହାପ୍ରେମୀ ଅଛନ୍ତି କିନ୍ତୁ ସେମାନେ ମଧ୍ୟ ମାନନ୍ତି ଯେ ଅତ୍ୟଧିକ ଚାହାପାନ ସ୍ଵାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ । ସବୁଵେଳେ ଅଧିକ ମାତ୍ରାରେ ଚା' ପିଇଵା ଦ୍ୱାରା ନାନା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦିଏ । ସାଧାରଣତଃ ଅଧିକ ଚାହାପାନ କରୁଥିଵା ଲୋକେ ନିଦ୍ରାହୀନତାର ଶିକାର ହୁଅନ୍ତି ଏଵଂ ସେମାନଙ୍କର ଅକାରଣ ମୁଣ୍ଡଵିନ୍ଧା ଵୃଦ୍ଧି ପାଏ । ପୁଣି ଅଧିକ ଚାହାପାନ କରୁଥିଵା ଲୋକେ anxiety ଵା ଚିନ୍ତାରୋଗରେ ପଡ଼ନ୍ତି ।‌ ଚାହାପାନର ମାତ୍ରାଧିକ ଵୃଦ୍ଧି ଘଟିଲେ କିଡନୀ ସମ୍ଵନ୍ଧୀୟ ରୋଗ ମଧ୍ୟ ହୋଇପାରେ । ଶର୍କରାଯୁକ୍ତ ଚାହାପାନ ଯୋଗୁଁ ମଧୁମେହ ହୋଇପାରେ । ଚାହାରେ ଥିଵା କ୍ୟାଫିନ୍ ଓ ଟେନିନ୍ ଯୋଗୁଁ ମାତ୍ରାଧିକ ଚାହାପାନ ସ୍ଵାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ ଏଵଂ ଅନ୍ୟ ଅନେକ ସ୍ଵାସ୍ଥ୍ୟ ସମ୍ଵନ୍ଧିତ ସମସ୍ୟାର କାରଣ ହୋଇଥାଏ । ମୋଟ ଉପରେ କହିଵାକୁ ଗଲେ "ଚ଼ା’ – ଏକ ସାଧାରଣ ପାନୀୟ ନୁହେଁ ଵରଂ ଏହା ସାଂସ୍କୃତିକ ତଥା ଐତିହ୍ୟର ପ୍ରତୀକ। ସେନ୍‌ନୋଙ୍ଗ୍‌ଙ୍କ କିମ୍ଵଦନ୍ତୀରୁ ଆରମ୍ଭ ହୋଇ ବୋଷ୍ଟନ୍ ଟି ପାର୍ଟି ଓ ଆଧୁନିକ ଵିଶ୍ୱର ଚ଼ା’ ଉତ୍ସଵ ପର୍ଯ୍ୟନ୍ତ, ଏହା ମାନଵ ସଭ୍ୟତାର ଅଭିନ୍ନ ଅଙ୍ଗ ହୋଇପାରିଛି। ଚ଼ା’ କେଵଳ ଶାରୀରିକ ସତେଜତା ନୁହେଁ, ସାମାଜିକ ସଂଯୋଗ ଓ ସ୍ୱାସ୍ଥ୍ୟଗତ ଚେତନାର ମାଧ୍ୟମ ମଧ୍ୟ ଅଟେ। ତେବେ, ଅତ୍ୟଧିକ ଚ଼ା ପାନୀୟ ସେଵନରୁ ଉତ୍ପନ୍ନ ସ୍ୱାସ୍ଥ୍ୟଗତ ଆଶଙ୍କା ଆମକୁ ଏହାର ସନ୍ତୁଳିତ ଉପଯୋଗର ମହତ୍ତ୍ୱ ମନେପକାଇ ଦିଏ। ଚା’ର ଏହି ଯାତ୍ରା ଆମକୁ ପ୍ରମାଣ କରେ ଯେ, ଏକ ଛୋଟ ପତ୍ର ମଧ୍ୟ ଵିଶ୍ୱକୁ ଏକସୂତ୍ରରେ ବାନ୍ଧି ରଖିପାରେ।"

No comments:

Post a Comment

ଲିଟିଲହାମ୍ପଟନର ରହସ୍ୟମୟ ପତ୍ର

 ଇଂଲଣ୍ଡର ଦକ୍ଷିଣ ଉପକୂଳରେ ଅଵସ୍ଥିତ ଏକ ଛୋଟ ଗ୍ରାମ, ଲିଟିଲହାମ୍ପଟନରେ ୧୯୨୦ ମସିହାରେ ଘଟିଥିଵା ଏକ ସତ୍ୟ ଘଟଣା। ସମୁଦ୍ର କୂଳର ଏହି ଗ୍ରାମରେ ଜୀଵନ ଶାନ୍ତ ଓ ସରଳ ଥିଲ...