Tuesday, April 1, 2025

Alimony କ'ଣ, Alimonyର ଓଡ଼ିଆ ପ୍ରତିଶବ୍ଦ କ'ଣ?

ଆଜିକାଲି ଆମ ସମାଜରେ "Alimony" ବୋଲି ଏକ ଶବ୍ଦର ଵ୍ୟଵହାର ବଢ଼ିଯାଇଛି । ଲୋକେ ଗମାତରେ କୁହନ୍ତି ଝିଅ ଛାଡ଼ପତ୍ର ଦେଲାପରେ ପୁଅ ପାଖରେ ଥିଵା money ଵା ଧନକୁ ହାତ ହଲେଇ ଡାକୁଛି "ଆ ଲୋ money" ତେଣୁ ତାହା କ୍ରମେ ହୋଇଗଲା Alimony ! 
ତେବେ Alimony ଶବ୍ଦଟି ଇଂରାଜୀ ଭାଷାର ଶବ୍ଦ । ଏହାର ମୂଳ ଏକ ଲାଟିନ୍ ଶବ୍ଦ "alimonia", ଯାହାର ଅର୍ଥ ହେଉଛି "ପୋଷଣ" ଵା "ଜୀଵିକା"। ଏହି ଶବ୍ଦଟି ପ୍ରଥମେ ବ୍ରିଟେନରେ ଆଇନଗତ ପ୍ରସଙ୍ଗରେ ଵ୍ୟଵହାର ହୋଇଥିଲା । ଵିଶେଷତଃ ଵିଵାହ ଵିଚ୍ଛେଦ ପରେ ଜଣେ ପତି ଵା ପତ୍ନୀଙ୍କୁ ଅନ୍ୟଜଣଙ୍କ ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ କରିଵାର ଧାରଣାକୁ ବୁଝାଇଵା ପାଇଁ ଏ ଶବ୍ଦ ପ୍ରୟୋଗ କରାଯାଇଥାଏ । ଐତିହାସିକ ଦୃଷ୍ଟିରୁ, "alimony" ଶବ୍ଦର ଵ୍ୟଵହାର ମଧ୍ୟଯୁଗୀୟ ଇଂଲଣ୍ଡରେ ଆରମ୍ଭ ହୋଇଥିଲା, ଯେତେବେଳେ ଗିର୍ଜା ଅଦାଲତଗୁଡ଼ିକ (Ecclesiastical Courts) ଵିଵାହ ଵିଚ୍ଛେଦ ସମ୍ବନ୍ଧୀୟ କେସ୍‌ଗୁଡ଼ିକୁ ନିୟନ୍ତ୍ରଣ କରୁଥିଲେ। ଏହି ସମୟରେ, ଯଦି ଵିଵାହ ଭାଙ୍ଗି ଯାଉଥିଲା (ଅଵଶ୍ୟ ଏହା ସେତେବେଳେ ଵିରଳ ଥିଲା), ତେବେ ପୁରୁଷମାନଙ୍କୁ ସାଧାରଣତଃ ସେମାନଙ୍କ ପତ୍ନୀଙ୍କୁ "ଜୀଵିକା ନିର୍ଵାହ ଅର୍ଥ" ପ୍ରଦାନ କରିଵାକୁ ନିର୍ଦେଶ ଦିଆଯାଉଥିଲା ।‌ ମଧ୍ୟ ଯୁଗୀୟ ଇଂଲଣ୍ଡରେ ମହିଳାମାନଙ୍କର ସେତେବେଳେ ଆର୍ଥିକ ସ୍ୱାଧୀନତା ନ ଥିଲା ତେଣୁ ଏଭଳି ଏକ ପ୍ରଥା ଗଢ଼ିଉଠିଥିଲା। ଵିଚ୍ଛେଦ ପରେ ମହିଳାଙ୍କୁ ଆର୍ଥିକ ସହାୟତା ଦେଵା ଏଵଂ ସେମାନଙ୍କ ଜୀଵନଧାରଣ ସୁନିଶ୍ଚିତ କରିଵା ଏହି ପ୍ରଥାର ଉଦ୍ଦେଶ୍ୟ ଥିଲା । କିଏ ପ୍ରଥମେ ଏହି Alimony ଶବ୍ଦଟି ଵ୍ୟଵହାର କରିଥିଲେ ତହିଁର ଇତିହାସ ସ୍ପଷ୍ଟ ନୁହେଁ ତଥାପି ଏହା ଇଂଲିଶ୍ ଆଇନ ଵ୍ୟଵସ୍ଥାରେ ୧୨ଶ ତଥା ୧୩ଶ ଶତାବ୍ଦୀରୁ ଯୋଡ଼ା ଯାଇଥିଵାର ଐତିହାସିକ ପ୍ରମାଣ ଉପଲବ୍ଧ। ପରଵର୍ତ୍ତୀ ସମୟରେ, Alimony ଶବ୍ଦ ଓ ଧାରଣା ଆଧୁନିକ ଆଇନଗତ ପ୍ରଣାଳୀରେ, ଯେପରିକି ଇଂଲଣ୍ଡ, ଆମେରିକା ଏଵଂ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶମାନଙ୍କରେ, ସ୍ଥାୟୀ ରୂପ ନେଇଛି।
ଭାରତରେ "Alimony" ଵା ଭରଣପୋଷଣ ଭତ୍ତା ସମ୍ବନ୍ଧୀୟ ନିୟମର ସୁନିର୍ଦ୍ଦିଷ୍ଟ ଆରମ୍ଭ ବ୍ରିଟିଶ ଶାସନ କାଳରୁ ପ୍ରଚଳିତ ହୋଇଥିଵାର ଜଣାଯାଏ । ପରେ ସ୍ଵାଧୀନ ଭାରତରେ Alimony ମ୍ବନ୍ଧୀୟ ନିୟମଗୁଡ଼ିକ ବିଭିନ୍ନ ଵ୍ୟକ୍ତିଗତ ଆଇନ (Personal Laws) ଏଵଂ ଧର୍ମନିରପେକ୍ଷ କାନୁନ ମାଧ୍ୟମରେ ପ୍ରଣୟନ ହୋଇଛି। ଭାରତୀୟ ସମ୍ବିଧାନରେ Alimony ସମ୍ବନ୍ଧରେ ସିଧାସଳଖ କୌଣସି ଧାରା ନାହିଁ। Alimony ସମ୍ବନ୍ଧୀୟ ଆଇନ ସମ୍ବିଧାନର ଅଧୀନରେ ସଂସଦ ଓ ରାଜ୍ୟ ଵିଧାନସଭାମାନଙ୍କ ଦ୍ୱାରା ପ୍ରଣୀତ ଵିଭିନ୍ନ କାନୁନ ମାଧ୍ୟମରେ ନିୟନ୍ତ୍ରିତ ହୋଇଥାଏ। 

ହିନ୍ଦୁ ଵିଵାହ ଅଧିନିୟମ, ୧୯୫୫ ଆଇନରେ ହିନ୍ଦୁମାନଙ୍କ ପାଇଁ ଵିଵାହ ଵିଚ୍ଛେଦ ଓ Alimony ନିୟମକୁ ସୁନିଶ୍ଚିତ କରାଯାଇଛି। ଏହା ମେ ୧୮, ୧୯୫୫ରେ ଲାଗୁ ହୋଇଥିଲା। ଧାରା ୨୪ ଅନୁସାରେ ଵିଚାରାଧୀନ ମାମଲା ସମୟରେ ଅସ୍ଥାୟୀ ଭରଣପୋଷଣ ଓ ମୋକଦ୍ଦମା ଖର୍ଚ୍ଚ ପାଇଁ ଵ୍ୟଵସ୍ଥାର ଆଇନ ରହିଛି । ଧାରା ୨୫ର ଆଇନ ଅନୁସାରେ ସ୍ଥାୟୀ ଭରଣପୋଷଣ ପାଇଁ ପତି ଵା ପତ୍ନୀ ଉଭୟେ ଦାବି କରିପାରିବେ ଯଦି ସେମାନେ ନିଜର ଜୀଵିକା ଚଳାଇଵାରେ ଅସମର୍ଥ ହୋଇଥାନ୍ତି । ଫୌଜଦାରୀ କାର୍ଯ୍ୟଵିଧି ସଂହିତା (CrPC), ୧୯୭୩ର ଧାରା ୧୨୫ ଅନୁସାରେ, ସ୍ତ୍ରୀ, ସନ୍ତାନ ଵା ଅସହାୟ ମାତାପିତାଙ୍କୁ ଭରଣପୋଷଣ ପାଇଁ ଆର୍ଥିକ ସହାୟତା ପ୍ରଦାନର ଆଇନ ରହିଛି ଓ ଏହା ଏପ୍ରିଲ ୧, ୧୯୭୪ରେ ପ୍ରଭାବୀ ହୋଇଥିଲା। ମୁସଲମାନ ମହିଳା (ଵିଵାହ ଵିଚ୍ଛେଦରେ ଅଧିକାର ସୁରକ୍ଷା) ଅଧିନିୟମ, ୧୯୮୬ରେ ମଧ୍ୟ Alimony ସମ୍ବନ୍ଧୀୟ ଵ୍ୟଵସ୍ଥା ରଖାଯାଇଛି। ସୁପ୍ରିମକୋର୍ଟ ଧାରା ୨୧ (ଜୀବନ ଓ ସ୍ୱାଧୀନତାର ଅଧିକାର)ର ବ୍ୟାଖ୍ୟା କରି କହିଛନ୍ତି ଯେ ଭରଣପୋଷଣ ପାଇଵା ଏକ ମୌଳିକ ଅଧିକାର ଅଟେ, ଯାହା ଜୀଵନଧାରଣର ଗୌରଵମୟ ଅଧିକାରର ଅଂଶ। ଭାରତରେ, Alimony ଵା ଭରଣପୋଷଣ ସମ୍ବନ୍ଧୀୟ ଆଇନ ମୁଖ୍ୟତଃ ଏକ ଵ୍ୟକ୍ତିର ଆର୍ଥିକ ଅସମର୍ଥତା ଓ ଆଵଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଣୀତ। ଯଦି ଜଣେ ମହିଳା ନିଜର ଭରଣପୋଷଣ କ୍ଷମତା ଥାଇ ଓ ଧନୀ ହୋଇ ମଧ୍ୟ Alimony ଦାବି କରେ, ତେବେ ତାଙ୍କ ଵିରୋଧରେ ସିଧାସଳଖ ଆଇନଗତ କାର୍ଯ୍ୟାନୁଷ୍ଠାନର ଵ୍ୟଵସ୍ଥା ନାହିଁ, କାରଣ ଭାରତର ତଥାକଥିତ ଆଇନ ଵ୍ୟଵସ୍ଥା ଅନୁସାରେ Alimony ଦାବି କରିଵା କୌଣସି ଅପରାଧ ନୁହେଁ। ତଥାପି, ଅନ୍ୟ ପକ୍ଷ (ସାଧାରଣତଃ ପତି) ଏହାକୁ ଆଇନଗତ ଭାବେ ଵିରୋଧ କରିପାରେ ଏଵଂ ଅଦାଲତରେ ଏହାର ଵିଚାର ହୋଇଥାଏ।
ଯଦି ମହିଳା ନିଜର ଆର୍ଥିକ ସ୍ୱାଧୀନତା ଥାଇ Alimony ଦାବି କରୁଛନ୍ତି, ତେବେ ଅନ୍ୟ ପକ୍ଷ (ପତି) ଅଦାଲତରେ ଉକ୍ତ ମହିଳାଙ୍କର ଆୟ, ସମ୍ପତ୍ତି, ବ୍ୟାଙ୍କ ଵିଵରଣୀ ଵା ଅନ୍ୟ ଆର୍ଥିକ ସ୍ଥିତି ଦର୍ଶାଉଥିଵା ଦଲିଲର ପ୍ରମାଣ ଉପସ୍ଥାପନ କରିପାରିବେ । ହିନ୍ଦୁ ଵିଵାହ ଅଧିନିୟମ, ୧୯୫୫ର ଧାରା ୨୫ ଅନୁସାରେ, Alimony ପ୍ରଦାନ, ଦାବିଦାରଙ୍କ ଆୟ, ସମ୍ପତ୍ତି ଓ ଜୀଵନଶୈଳୀ ଉପରେ ନିର୍ଭର କରେ। ଯଦି ପ୍ରମାଣିତ ହୁଏ ଯେ ମହିଳା ନିଜେ ସମର୍ଥ, ଅଦାଲତ ତାଙ୍କ ଦାବି ପ୍ରତ୍ୟାହାର କରିପାରେ। ଯଦି ମହିଳା ନିଜର ଆର୍ଥିକ ସ୍ଥିତି ଲୁଚାଇ ଵା ମିଥ୍ୟା ତଥ୍ୟ ଦେଇ Alimony ଦାବି କରନ୍ତି, ତେବେ ଅନ୍ୟ ପକ୍ଷ ଏହାକୁ "ଆଇନର ଅପଵ୍ୟଵହାର" (Abuse of Process) ଵା "ମିଥ୍ୟା ଘୋଷଣା" (Perjury) ଆଧାରରେ ଅଦାଲତରେ ଉଠାଇପାରେ। ଭାରତୀୟ ଦଣ୍ଡ ସଂହିତା (IPC) ଧାରା ୧୯୧ ଓ ୧୯୩ ଅନୁସାରେ, ଅଦାଲତରେ ମିଥ୍ୟା ପ୍ରମାଣ ଦେଵା ଦଣ୍ଡନୀୟ ଅପରାଧ, ଯାହାର ଶାସ୍ତି ୭ ଵର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ। ତଥାପି, ଏହା ପ୍ରମାଣ କରିଵା କଷ୍ଟକର ଏଵଂ ଅଦାଲତ ଏହାକୁ ଗମ୍ଭୀରତାର ସହ ଵିଚାର କରେ। ଅଦାଲତ ଉଭୟ ପକ୍ଷର ଆର୍ଥିକ ସ୍ଥିତି, ଵିଵାହର ଅଵଧି, ଜୀଵନଶୈଳୀ ଓ ଅନ୍ୟାନ୍ୟ ପରିସ୍ଥିତି ଵିଚାର କରି ନିଷ୍ପତ୍ତି ନେଇଥାଏ। ଯଦି ମହିଳା ଧନୀ ଓ ସ୍ୱାଧୀନ ବୋଲି ପ୍ରମାଣିତ ହୁଏ ତେବେ ଅଦାଲତ Alimony ପ୍ରଦାନ ନକରିଵାକୁ ମଧ୍ୟ ନିର୍ଦ୍ଦେଶ ଦେଇପାରେ। ସୁପ୍ରିମକୋର୍ଟର ଏକ ମାମଲା *Chaturbhuj vs. Sita Bai (2008)*ରେ ସ୍ପଷ୍ଟ କରାଯାଇଛି ଯେ ଭରଣପୋଷଣ କେଵଳ ଅସହାୟ ଵ୍ୟକ୍ତିଙ୍କ ପାଇଁ ହିଁ କରାଯାଇପାରେ। ତଥାପି Alimony ସମ୍ବନ୍ଧୀୟ ଅଧିକାଂଶ ମାମଲାରେ ଵିଜୟ ମହିଳାମାନଙ୍କର ହିଁ ହୋଇଥାଏ ଯେହେତୁ ଅନ୍ଧ ପୁଟୁଳି ବନ୍ଧା ଆଇନର ଆଖି ପାରମ୍ପରିକ ଭାବେ ମହିଳାମାନଙ୍କୁ 'ପୀଡ଼ିତା' ଓ ପୁରୁଷମାନଙ୍କୁ 'ପୀଡ଼କ' ରୂପେ ଦେଖିଥାଏ । 

ତେବେ Alimonyକୁ ଓଡ଼ିଆ ଭାଷାରେ ଅଧିଭୃତି କୁହାଯାଇପାରେ । ଭୃତି ଶବ୍ଦର ଏକ ଅର୍ଥ ଭରଣପୋଷଣ ଓ ଅଧି ଉପସର୍ଗର ଏକ ଅର୍ଥ ଅତିରିକ୍ତ । ତେଣୁ ଅତିରିକ୍ତ ଭରଣପୋଷଣ(ଧନ) ଅର୍ଥକୁ ଘେନି Alimonyକୁ ଓଡ଼ିଆ ଭାଷାରେ ଅଧିଭୃତି କୁହାଯାଇପାରେ ।

No comments:

Post a Comment

ଭାରତୀୟ ମୂଳର ଗଵେଷକ ଆଵିଷ୍କାର କରିଥିଵା ନୂତନ ଗ୍ରହରେ ଜୀଵନର ସମ୍ଭାଵନା କେତେ ?

ମହାକାଶରେ ସିଂହ ରାଶି ଦିଗରେ, ପୃଥିଵୀଠାରୁ ୧୨୪ ଆଲୋକ ଵର୍ଷ ଦୂରରେ ଏକ ଗ୍ରହ ଅଛି। ପୃଥିଵୀଠାରୁ ଦୁଇଗୁଣରୁ ଅଧିକ ବଡ଼ ଏବଂ ୩୩ ଦିନରେ ନିଜ ସୂର୍ଯ୍ୟଙ୍କୁ ପରିକ୍ରମା କରୁଥ...