Tuesday, April 29, 2025

ଅନେକ ଜାତୀୟ ଦେଶୀ ଓ ଵିଦେଶୀ ଗଛକୁ ପାରିଜାତ କାହିଁକି କୁହାଯାଉଛି ?


ଓଡ଼ିଶାରେ ଲୋକେ ଆମେରିକୀୟ ଚମ୍ପା ଗଛ Magnolia grandifloraର ଫୁଲକୁ ପାରିଜାତ ଫୁଲ କହୁଛନ୍ତି (ଚିତ୍ର ୧) । କିନ୍ତୁ ପ୍ରକୃତରେ ଏ ଫୁଲଟି ଆମେରିକା ମହାଦେଶରୁ ଭାରତକୁ ଆଣି ଲଗାଯାଇଛି । 


ମୂଳତଃ ମାଡାଗାସ୍କର ଓ ଅନ୍ୟାନ୍ୟ ଆଫ୍ରିକୀୟ ଦେଶର Adansonia ଜାତୀୟ ଗଛ ଵିଶେଷ କରି Adansonia digitataକୁ ଉତ୍ତର ଭାରତୀୟ ଵିଶେଷତଃ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ବିହାରରେ ପାରିଜାତ କୁହନ୍ତି(ଚିତ୍ର ୨)।‌ 

ତେବେ ଵୈଦେଶିକ ଗଛ ହେଲେହେଁ ଆମେରିକୀୟ ଚମ୍ପା Magnolia grandifloraକୁ ଓଡ଼ିଶାରେ ତଥା ଆଫ୍ରିକୀୟ ଦ୍ରୁମ Adansonia digitataକୁ କାହିଁକି ପାରିଜାତ କୁହାଯାଉଛି ? 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପାଳଧୁଆ ଗଛ ଵା Erythrina strictaର ସଂସ୍କୃତ ନାମ ପାରିଜାତ ବୋଲାଯାଇଛି (ଚିତ୍ର ୩)। 



କୋବିଦାର,ବଡ଼ କାଞ୍ଚନ ଵା Bauhinia variegataକୁ ବି ଭାଷାକୋଷରେ ପାରିଜାତ ବୋଲାଯାଇଛି (ଚିତ୍ର ୪) ।


 ଏକପ୍ରସ୍ତିଆ ପାଞ୍ଚପାଖୁଡ଼ିଆ ମନ୍ଦାର ଫୁଲକୁ ଓଡ଼ିଶାର ସମ୍ବଲପୁର ଅଞ୍ଚଳରେ ଆଜକୁ ୧୦୦ ଵର୍ଷ ତଳେ ପାରିଜାତ କହୁଥିଲେ ବୋଲି ଭାଷାକୋଷରେ ଉଲ୍ଲେଖ ଅଛି । 
ଏହାର ମଝିରୁ ଗୋଟିଏ ଲମ୍ବ ଗର୍ଭକେଶର ବାହାରି ଥାଏ। ବହୁ ପରସ୍ତିଆ ମନ୍ଦାର ଫୁଲକୁ ମନ୍ଦାର ବୋଲାଯାଏ। ଏହା ପ୍ରକୃତରେ Hibiscus × rosa-sinensis ନାମକ ଏକ ସଂକର ଜାତୀୟ ମନ୍ଦାର ଗଛ ଅଟେ ‌ (ଚିତ୍ର ୫) । 



କେତେକ ସଂସ୍କୃତ କୋଷରେ ଗଙ୍ଗଶିଉଳୀ, ଶେଫାଳି, ସିିଙ୍ଗଡ଼ାହାର ଵା Nyctanthes arbor-tristis ଗଛକୁ ବି ପାରିଜାତ ବୋଲାଯାଇଛି (ଚିତ୍ର ୬) । 



କିନ୍ତୁ ଏ ସମସ୍ତ ଗଛ ପୁରାଣୋକ୍ତ ଦେଵତରୁ ପରିଜାତ ନୁହେଁ । 
ଶ୍ରୀମଦ୍ଭାଗଵତ ପୁରାଣର ଅଷ୍ଟମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ସମୁଦ୍ର ମନ୍ଥନରୁ ପାରିଜାତ ଗଛ ଜାତ ହୋଇଥିଵା ଉଲ୍ଲେଖ ଅଛି । 

ତତୋଽଭଵତ୍ ପାରିଜାତଃ ସୁରଲୋକଵିଭୂଷଣମ୍ । ପୂରଯତ୍ଯର୍ଥିନୋ ଯୋଽର୍ଥେଃ ଶଶ୍ଵଦ୍ ଭୁଵି ଯଥା ଭଵାନ୍ ॥୬॥

ଅର୍ଥାତ୍ "ପାରିଜାତ ଵୃକ୍ଷ, ଯାହା ସୁରଲୋକର ଶୋଭା ବୃଦ୍ଧି କରେ, ତାହା ସମୁଦ୍ର ମନ୍ଥନରୁ ଉତ୍ପନ୍ନ ହେଲା। ଏହା ମନୁଷ୍ୟଙ୍କ ଇଚ୍ଛା ପୂରଣ କରେ, ଯେପରି ରାଜା ନିଜ ପ୍ରଜାଙ୍କୁ ସମୃଦ୍ଧ କରନ୍ତି।"

ଵିଷ୍ଣୁପୁରାଣରେ ପଞ୍ଚମ ଅଂଶର ୩୦ ଓ ୩୧ ଅଧ୍ୟାୟରେ ଶ୍ରୀକୃଷ୍ଣଙ୍କର ସ୍ଵର୍ଗରୁ ପାରିଜାତ ଅପହରଣର କଥା ରହିଛି ।‌ ସେହି କଥାଟି ସଂକ୍ଷେପରେ ଉଲ୍ଲେଖ କରାଗଲା । 

ସ୍ୱର୍ଗରେ ଶ୍ରୀକୃଷ୍ଣ ଓ ତାଙ୍କ ପତ୍ନୀ ସତ୍ୟଭାମା ଦେଵରାଜ ଇନ୍ଦ୍ରଙ୍କ ଆତିଥ୍ୟ ଗ୍ରହଣ କରିଥାନ୍ତି। ଅଦିତିଙ୍କ ଅନୁମତିରେ ଇନ୍ଦ୍ର ଶ୍ରୀକୃଷ୍ଣଙ୍କୁ ଯଥୋଚିତ ସମ୍ମାନ ଦେଇ ସ୍ୱର୍ଗର ଦିଵ୍ୟ ଉଦ୍ୟାନ ନନ୍ଦନଵନ ଵା ନନ୍ଦନକାନନ ଦେଖାଇଵାକୁ ନେଇଗଲେ। ସେଠାରେ ସତ୍ୟଭାମାଙ୍କ ଦୃଷ୍ଟି ପଡ଼ିଲା ପାରିଜାତ ଗଛ ଉପରେ। ଏହି ଗଛ ସମୁଦ୍ର ମନ୍ଥନ ସମୟରେ ଉତ୍ପନ୍ନ ହୋଇଥିଲା, ଯାହାର ଫୁଲରେ ମନମୋହକ ସୁଗନ୍ଧ ଓ ନୂତନ ପତ୍ରରେ ଅପୂର୍ଵ ସୌନ୍ଦର୍ଯ୍ୟ ଥିଲା। ସତ୍ୟଭାମା ଶ୍ରୀକୃଷ୍ଣଙ୍କୁ କହିଲେ, “ଏତେ ସୁନ୍ଦର ଗଛ କାହିଁକି ଦ୍ୱାରକାରେ ନାହିଁ? ଏ ଗଛ ମୋତେ ଲୋଡ଼ା, ” ଶ୍ରୀକୃଷ୍ଣ ହସି ହସି ସତ୍ୟଭାମାଙ୍କ ଇଚ୍ଛା ପୂରଣ କରିଵାକୁ ଗଛଟିକୁ ଗରୁଡ଼ ଉପରେ ରଖି ନେଵାକୁ ପ୍ରସ୍ତୁତ ହେଲେ। କିନ୍ତୁ ସ୍ୱର୍ଗର ଵନରକ୍ଷୀମାନେ ଵାଧା ଦେଇ କହିଲେ, “ଏହା ଶଚୀଙ୍କ ଅଧୀନରେ ଅଛି। ଇନ୍ଦ୍ର ଏହାର ପ୍ରତିଶୋଧ ନେବେ।” 


ଏହା ଶୁଣି ସତ୍ୟଭାମା କ୍ରୋଧିତ ହୋଇ କହିଲେ, “ଶଚୀ କିଏ? ଇନ୍ଦ୍ର କିଏ? ଏ ପାରିଜାତ ସମସ୍ତଙ୍କ ପାଇଁ, କେଵଳ ଇନ୍ଦ୍ରଙ୍କ ସମ୍ପତ୍ତି ନୁହେଁ।” ସେ ଶଚୀଙ୍କୁ ଆହ୍ଵାନ କରି ଵାର୍ତ୍ତା ପଠାଇଲେ ଯେ ଯଦି ଶଚୀ ଇନ୍ଦ୍ରଙ୍କୁ ନିୟନ୍ତ୍ରଣ କରିପାରନ୍ତି, ତେବେ ଶ୍ରୀକୃଷ୍ଣଙ୍କୁ ଅଟକାଇ ଦେଖନ୍ତୁ। 

ଶଚୀ ଏହି ଵାର୍ତ୍ତା ଶୁଣି ଇନ୍ଦ୍ରଙ୍କୁ ଯୁଦ୍ଧ ହେତୁ ପ୍ରୋତ୍ସାହିତ କଲେ। ଇନ୍ଦ୍ର ଦେଵସୈନ୍ୟ ସହ ଶ୍ରୀକୃଷ୍ଣଙ୍କ ଵିରୁଦ୍ଧରେ ଯୁଦ୍ଧ ପାଇଁ ଆଗେଇଲେ। ଶ୍ରୀକୃଷ୍ଣ ଶଙ୍ଖ ନାଦ କରି ଯୁଦ୍ଧ ଆରମ୍ଭ କଲେ, ଏଵଂ ଅସଂଖ୍ୟ ଵାଣ ପ୍ରୟୋଗ କରି ଦେଵସୈନ୍ୟକୁ ହରାଇ ଦେଲେ। ଶେଷରେ, ଇନ୍ଦ୍ର ତାଙ୍କର ଵଜ୍ର ଓ ଶ୍ରୀକୃଷ୍ଣ ନିଜର ସୁଦର୍ଶନ ଚକ୍ର ଧରି ମୁହାଁମୁହିଁ ହେଲେ। ତ୍ରିଲୋକରେ ହାହାକାର ଖେଳିଗଲା। 


ଶ୍ରୀକୃଷ୍ଣ ଇନ୍ଦ୍ରଙ୍କ ଵଜ୍ରକୁ ନିଷ୍କ୍ରିୟ କରିଦେଲେ, କିନ୍ତୁ ନିଜେ ଚକ୍ର ପ୍ରୟୋଗ ନ କରି ଇନ୍ଦ୍ରଙ୍କୁ ରହିଯିଵାକୁ ନିର୍ଦ୍ଦେଶ ଦେଲେ । ଗରୁଡ଼ ଇନ୍ଦ୍ରଙ୍କ ଵାହନକୁ ଆହତ କରିଦେଲାରୁ ଇନ୍ଦ୍ର ପଳାୟନ କରିଵାକୁ ଚେଷ୍ଟା କଲେ। ସତ୍ୟଭାମା ଇନ୍ଦ୍ରଙ୍କୁ ଵ୍ୟଙ୍ଗ କରି କହିଲେ, “ତ୍ରିଲୋକେଶ୍ୱର ହୋଇ ପଳାଉଛ? ଶଚୀ ତୁମକୁ ପାରିଜାତର ଫୁଲ ଦେଇ ସେଵା କରିବେ କେମିତି!” 

ଏହା ଶୁଣି ଇନ୍ଦ୍ର ଫେରି ଆସି ସତ୍ୟଭାମାଙ୍କୁ ଵିଵାଦ ବନ୍ଦ କରିଵାକୁ ଅନୁରୋଧ କଲେ। ସେ ଶ୍ରୀକୃଷ୍ଣଙ୍କୁ ସ୍ତୁତି କରି କହିଲେ, “ତୁମେ ଜଗତର ସୃଷ୍ଟିକର୍ତ୍ତା। ତୁମ ଦ୍ୱାରା ପରାଜିତ ହେଵାରେ ମୋର ଲଜ୍ଜା ନାହିଁ।” 


ଶ୍ରୀକୃଷ୍ଣ ନମ୍ରତାର ସହ କହିଲେ, “ମୁଁ ମାନଵ ମାତ୍ର, ତୁମେ ଦେଵରାଜ। ମୋ ଅପରାଧ କ୍ଷମା କର। ସତ୍ୟଭାମାଙ୍କ ଇଚ୍ଛାରେ ମୁଁ ଏହି ଗଛ ନେଉଛି।” ଇନ୍ଦ୍ର ଶ୍ରୀକୃଷ୍ଣଙ୍କ ଦିଵ୍ୟତା ସ୍ୱୀକାର କରି ଅନୁମତି ଦେଲେ, “ଗଛଟିକୁ ଦ୍ୱାରକା ନେଇଯାଅ, କିନ୍ତୁ ମର୍ତ୍ତ୍ୟଲୋକରେ ଏହା ସ୍ଥାୟୀ ହେବ ନାହିଁ।” 
ଶ୍ରୀକୃଷ୍ଣ ‘ତଥାସ୍ତୁ’ କହି ପାରିଜାତ ଗଛ ନେଇ ଦ୍ୱାରକା ଫେରିଲେ। ତାଙ୍କ ଆଗମନରେ ଦ୍ୱାରକାଵାସୀ ହର୍ସ ଉଲ୍ଲସିତ ହେଲେ । 


 ଵିଷ୍ଣୁ ପୁରାଣର ପଞ୍ଚମ ଅଂଶର ଦୁଇଟି ଶ୍ଳୋକ ପ୍ରମାଣ କରିଦିଏ ଯେ ଶ୍ରୀକୃଷ୍ଣଙ୍କ ଦ୍ଵାରା ଯେଉଁ ପାରିଜାତ ଗଛ ଅଣାଯାଇଥିଲା ତାହା ଅସ୍ଥାୟୀ ଥିଲା । ଇନ୍ଦ୍ର ଯେତେବେଳେ ଶ୍ରୀକୃଷ୍ଣଙ୍କୁ ପାରିଜାତ ଗଛ ଦେଲେ ସେତେବେଳେ କହିଥିଲେ 

“ନୀୟତାଂ ପାରିଜାତୋଽୟଂ କୃଷ୍ଣ ! ଦ୍ଵାରଵତୀଂ ପୁରୀମ୍ ।
ମର୍ତ୍ତ୍ୟଲୋକେ ତ୍ଵୟା ମୁକ୍ତେ ନାଯଂ ଵୈ ସ୍ଥାସ୍ଯତେ ଭୁଵି ॥୩୫॥

“ହେ କୃଷ୍ଣ, ଏହି ପାରିଜାତ ଗଛକୁ ଦ୍ୱାରଵତୀ ପୁରୀକୁ ନେଇଯାଅ। ମର୍ତ୍ତ୍ୟଲୋକରେ ତୁମେ ଦେହ ଛାଡ଼ିଲେ ଏହା ପୃଥିଵୀରେ ସ୍ଥାୟୀ ହେଵ ନାହିଁ।”

ତାପର ପଦରେ କୁହାଯାଇଛି 

ତଥେତ୍ଯୁକ୍ତ୍ଵା ଚ ଦେଵେନ୍ଦ୍ରମାଜଗାମ ଭୁଵଂ ହରିଃ ।  
ହର୍ଷମୁତ୍ପାଦୟାମାସ ଦ୍ଵାରକାଵାସିନାଂ ଦ୍ଵିଜ ! ॥୩୬॥

‘ତଥାସ୍ତୁ’ କହି ହରି (ଶ୍ରୀକୃଷ୍ଣ) ଦେଵେନ୍ଦ୍ରଙ୍କୁ ଵିଦାୟ ଦେଇ  
ପୃଥିଵୀକୁ ଫେରି ଆସିଲେ, ହେ ବ୍ରାହ୍ମଣ! ଶ୍ରୀକୃଷ୍ଣ ଫେରିଵା ଦେଖି ଦ୍ୱାରକାଵାସୀଙ୍କ ମନରେ ଆନନ୍ଦ ଉତ୍ପନ୍ନ କଲେ।

ତେଣୁ ଇନ୍ଦ୍ରଙ୍କ ଵାକ୍ୟ ଅନୁସାରେ ଏଵଂ ଶ୍ରୀକୃଷ୍ଣଙ୍କର ତଥାସ୍ତୁ ସ୍ଵୀକୃତି ଯୋଗୁଁ ଶ୍ରୀଭଗଵାନ ଯେତେବେଳେ ଦେହ ତ୍ୟାଗ କଲେ ଦ୍ଵାରିକା ନଗରୀରୁ ଆପେ ପାରିଜାତ ଗଛ ଅନ୍ତର୍ଦ୍ଧାନ ହୋଇଯାଇଥିଵା ସ୍ପଷ୍ଟ ଅଟେ। 

ଯଦି ପୁରାଣ ଗାଥା ଅନୁସାରେ ଶ୍ରୀକୃଷ୍ଣଙ୍କର ଦେହାଵସାନ ପରେ ପାରିଜାତ ଗଛ ଅନ୍ତର୍ଦ୍ଧାନ ହୋଇଯାଇଥିଲା ତାହେଲେ ଅଧୁନା କିଛି ଦେଶୀ ଓ କିଛି ଵୈଦେଶିକ ଗଛକୁ ଲୋକେ ପାରିଜାତ ନାଆଁ କେମିତି କାହିଁକି ଦେଇ ଦେଇଛନ୍ତି ?

ଗୋଟିଏ ଅପରୂପ ସୌନ୍ଦର୍ଯ୍ୟ ଯୁକ୍ତ ଫୁଲଗଛକୁ ଭାରତର ଲୋକେ ପାରିଜାତ ନାଆଁ ଦିଅନ୍ତି । ଶେଫାଳୀ ଗଛର ସୁଗନ୍ଧ ଯୋଗୁଁ ତାକୁ ପାରିଜାତ ନାଆଁ ଦିଆଯାଇଛି । ପାଳଧୁଆ ଗଛର ପେନ୍ଥା ପେନ୍ଥା ଲାଲଫୁଲର ସୌନ୍ଦର୍ଯ୍ୟ ଯୋଗୁଁ ତାକୁ ପାରିଜାତ ନାଆଁ ଦିଆଯାଇଛି। ଚୀନ ଦେଶୀୟ ପାଞ୍ଚ ପରସ୍ତିଆ ମନ୍ଦାର Hibiscus × rosa-sinensisକୁ ମଧ୍ୟ ଏହାର ସୌନ୍ଦର୍ଯ୍ୟ ଯୋଗୁଁ ସମ୍ବଲପୁରରେ ଆଗେ ପାରିଜାତ କହୁଥିଲେ ‌। ବଡ଼ କାଞ୍ଚନ(Bauhinia variegata)ର ସୁଗନ୍ଧ ଓ ସୌନ୍ଦର୍ଯ୍ୟ ଯୋଗୁଁ ଏ ଗଛକୁ ବି ପାରିଜାତ ନାମ ମିଳିଛି । 

ଵୈଦେଶିକ ବିଲାତି ଚମ୍ପା(Magnolia grandiflora) ଓ 
ଆଫ୍ରିକୀୟ baobab ଗଛ Adansonia digitataର ଫୁଲଗୁଡ଼ିକର ମନମୋହକ ବାସ୍ନା ଯୋଗୁଁ ଏ ଗଛଗୁଡ଼ିକୁ ପାରିଜାତ କୁହାଯାଉଛି ‌। 

ଏତଦଵ୍ୟତୀତ ଆଉ କେତେକ ଵୈଦେଶିକ ଗଛକୁ ବି ପାରିଜାତ ନାଆଁ ଦିଆଯାଇଛି । ଏଥିର ମୁଖ୍ୟ କାରଣ ସୌନ୍ଦର୍ଯ୍ୟ ଓ ସୁଵାସ ହୋଇଥିଲାବେଳେ ଅନ୍ୟ ଏକ କାରଣ ମଧ୍ୟ ରହିଛି । ପାରିନ୍‌ ଵା ସମୁଦ୍ରରେ ଜାତ ହୋଇଥିଵାରୁ ଦେଵତରୁ ପରିଜାତର ପାରିଜାତକ ନାମକରଣ ହୋଇଅଛି । ଏ ଦୃଷ୍ଟିରୁ ସମୁଦ୍ର ପାର ହୋଇ ବାହାରୁ ଆସି ଭାରତଵର୍ଷରେ ଲଗାଯାଇଥିଵା ଉତ୍କୃଷ୍ଟ ସୌନ୍ଦର୍ଯ୍ୟ ଓ ସୁଗନ୍ଧଯୁକ୍ତ ଫୁଲଗଛଗୁଡ଼ିକୁ ପାରିଜାତ ନାମ ଦିଆଯାଏ । 

ତେବେ ପୌରାଣିକ ଗାଥା ଅନୁସାରେ ପ୍ରୋକ୍ତ ସମସ୍ତ ଗଛ ମର୍ତ୍ତ୍ୟଲୋକର ହିଁ ଵୃକ୍ଷ ଅଟନ୍ତି । ଶ୍ରୀକୃଷ୍ଣଙ୍କ ସମୟରେ ପାରିଜାତ କିଛି କାଳ ପାଇଁ ନିଶ୍ଚୟ ମର୍ତ୍ତ୍ୟଲୋକରେ ଥିଲା କିନ୍ତୁ ଶ୍ରୀକୃଷ୍ଣ ଚାଲିଗଲା ପରେ ସେ ଦେଵତରୁ ମଧ୍ୟ ଅନ୍ତର୍ଦ୍ଧାନ ହୋଇଯାଇଥିଲା । ଅତଏଵ୍ ଏକାଧିକ ଦେଶୀ ଓ ଵିଦେଶୀ ଗଛକୁ ପାରିଜାତ ବୋଲାଯାଉଥିଲେ ବି ସେମାନେ ପ୍ରକୃତରେ ପୁରାଣୋକ୍ତ ଦେଵତରୁ ପରିଜାତ ନୁହେଁ ।

No comments:

Post a Comment

"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"

Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସ...