ହରିହର ଅତି ସରଳ ଓ ନିର୍ବୁଦ୍ଧିଆ ଲୋକ । ଦିନେ ସେ ପାଖ ଗଡ଼ରେ ହେଉଥିଵା ହାଟକୁ ପରିବା କିଣିଵାକୁ ଯାଇଥିଲା । ସେ ଯୁଗରେ ନୂଆ ନୂଆ ଭାରତକୁ ଆମେରିକାରୁ ବୋଇତାଳୁ ଵା ବୋଇତିକଖାରୁ(Cucurbita maxima) ଆସିଥାଏ । ସେତେବେଳେ ଗାଆଁ ଲୋକେ ପାଣିକଖାରୁ(Benincasa hispida)କୁ ହିଁ କଖାରୁ କହୁଥିଲେ(ଆଜି ବି ଓଡ଼ିଶାର କିଛି ଅଞ୍ଚଳକୁ ଛାଡ଼ି ଦେଲେ ଅଧିକାଂଶ ଅଞ୍ଚଳରେ Benincasa hispidaକୁ ହିଁ କଖାରୁ କୁହାଯାଏ) ।
ନୂଆ ଦରବ ହୋଇଥିଵାରୁ ଲୋକେ ବୋଇତିକଖାରୁକୁ ସେତେ କିଣୁ ନଥାନ୍ତି । ଅନେକଙ୍କୁ ବିକିଵାକୁ ଚେଷ୍ଟା କରି ବେପାରୀଟା ନାକେଦମ ହୋଇଯାଇଥାଏ। ଏତିକିବେଳେ ହରିହରକୁ ସେଇପଟ ଦେଇ ଯାଉଥିଵାର ଦେଖି ବୋଇତିକଖାରୁ ବେପାରୀ ତାକୁ ପାଖକୁ ଡାକିଲା । ହରିହର ସହିତ କିଛି ସମୟ କଥା ହେଵାରୁ ବେପାରୀଟା ଜାଣିଗଲା ଯେ ୟେ ଲୋକ ନିତାନ୍ତ ସରଳ ତଥା ଓଲା । ତେଣୁ ସେ ତାକୁ ବୋଇତିକଖାରୁଟିଏ ଦେଇ କହିଲା ଦେଖ ଏଇଟା ଘୋଡ଼ାର ଡିମ୍ବ,ୟାକୁ ଖାଇଲେ ଦେହରେ ବହେ ବଳ ହେଵ ।
ହରିହରଟା ସରଳ ଆଉ ଓଲା ଥିଲା ସିନା ହେଲେ ବେପାରୀ କଥାକୁ ସହଜରେ ଵିଶ୍ବାସ କରିପାରୁନଥାଏ । ବେପାରୀ ତା ମନୋଭାଵ ବୁଝି ପୁଣି କହିଲା -"ୟେ ଡିମ୍ବ ସାଧାରଣ ଘୋଡ଼ାର ନୁହେଁ ପକ୍ଷୀରାଜ ଘୋଡ଼ାର ଡିମ୍ବ ଅଟେ । ପକ୍ଷୀରାଜ ଘୋଡ଼ା ଆକାଶରେ ଉଡ଼େ ଭାରି ଯୋର୍ରେ ଦୌଡ଼େ ।" ହରିହରର ସରଳ ମନ ଠକି ହୋଇଗଲା । ସେ ପରିବା କିଣିଵ କଣ ବୋଇତିକଖାରୁଟିକୁ ପକ୍ଷୀରାଜ ଘୋଡ଼ାର ଡିମ୍ବ ବୁଝି ହାଟରୁ କିଣି ଘରକୁ ବାହୁଡ଼ି ଅଇଲା ।
ଏଣେ ଜଙ୍ଗଲରେ ରାଜାଙ୍କ ଲୋକେ ସିଂହ ଶିକାର କରୁଥାନ୍ତି।
ଆଜି ସିନା କେଵଳ ଗୁଜରାଟର ଗୀର୍ ଅଭୟାରଣ୍ୟରେ ମାତ୍ର ୬୦୦ରୁ ୧୦୦୦ ମଧ୍ୟରେ ସିଂହ ଅଛନ୍ତି କିନ୍ତୁ ଆଜକୁ ମାତ୍ର ୫୦୦ ଵର୍ଷ ତଳେ ସାରା ଭାରତରେ ସର୍ଵତ୍ର ସିଂହ ଦେଖାଯାଉଥିଲେ । ରାଜା ଲୋକଙ୍କ ଶିକାର ଭୟରେ ସିଂହଟିଏ ଗୋଟିଏ ନଟି ଭିତରେ ଲୁଚି ରହିଥାଏ । ପାଞ୍ଚ ଦିନ ହେଵ ଶିକାରୀମାନେ ସେ ସିଂହଟାକୁ ମାରିବେ ବୋଲି ଲାଗିଛନ୍ତି କିନ୍ତୁ ସିଂହ ଜୀଵନ ଵିକଳରେ ଏଣେ ତେଣେ ଲୁଚୁଛି । ଵିଚରା ସିଂହଟାର ଜୀଵନ ପ୍ରତି ସବୁ ଆଶା ଛାଡ଼ି ସାରିଲାଣି ତଥାପି ନମଲା ଯାଏଁ ସିଏ ନିଜକୁ ଲୁଚେଇ ଚାଲିଛି।
ସେତେବେଳେକୁ ସନ୍ଧ୍ୟା ହେଵା ଉପରେ। ସେଇ ବାଟ ଦେଇ ହରିହର ଘୋଡ଼ାଡିମ୍ବ ରୂପ ବୋଇତିକଖାରୁ ଧରି ଖୁସି ମନରେ ଘରକୁ ବାହୁଡ଼ୁଥାଏ ଯେ ହଠାତ୍ ଝୁଣ୍ଟି ପଡ଼ିଵାରୁ ତା ହାତରୁ ବୋଇତିକଖାରୁଟା ଛିଟିକି ଯାଇ ସିଂହ ଲୁଚିଥିଵା ନଟି ଭିତରେ ପଡ଼ିଲା ।
ସିଂହ ତ ଶିକାରୀ ଭୟରେ ନଟି ଭିତରେ ଲୁଚିଥାଏ, ଯେମିତି ବୋଇତିକଖାରୁଟା ସେ ନଟି ଭିତରେ ପଡ଼ିଛି ସେ ବରଡ଼ା ପତ୍ର ପରି ଥରିଵାକୁ ଲାଗିଲା ।
ହରିହର ଏଣେ ନଟି ଭିତରେ ଘୋଡ଼ା ଡିମ୍ବ ଉଣ୍ଡୁ ଉଣ୍ଡୁ ସେଠି ଲୁଚିଥିଵା ସିଂହର ବେକକୁ ଧରିଲା । ହରିହର ତାକୁ ଧରି ମନେ କଲା ମନେ କଲା ହୁଏତ ଘୋଡ଼ା ଡିମ୍ବ ତଳେ ପଡ଼ି ଫାଟି ଯିଵାରୁ ପକ୍ଷୀରାଜ ଘୋଡ଼ାଟିଏ ସେଠି ଉଭା ହୋଇଛି । ସନ୍ଧ୍ୟା ସମୟରେ ନଟି ଯାଗାରେ ଭଲ କରି କିଛି ଦେଖାଯାଉନଥାଏ । ଏଣେ ଶିକାରୀ ଭୟରେ ସିଂହର ଏକବାରେ ପିଳେହିପାଣି । ଯେମିତି ହରିହର ତାକୁ ଜାବୁଡ଼ି ଧରିଛି ସେ କି ଆଉ ରହିଛି ଆଖି ପିଛୁଳାକେ ପ୍ରାଣ ପ୍ରଣେ ଦୌଡ଼ିଲା । ହରିହର ବି କୌଣସି ମତେ ସିଂହ ପିଠିରେ ବସିପଡ଼ିଛି । ଦୌଡ଼ୁ ଦୌଡ଼ୁ ସିଂହଟା ଅନେକ ବାଟ ଦୌଡ଼ିଗଲା । ହରିହରର ଗାଆଁ ଗଣ୍ଡା ପଛରେ ରହିଗଲା କିନ୍ତୁ ସେ ଜାଣିପାରିଲା ନାହିଁ । ହରିହର ସିଂହ ଉପରେ ବସି ଭାବୁଥାଏ ସେ ପକ୍ଷୀରାଜ ଘୋଡ଼ା ଉପରେ ବସି ଆକାଶରେ ଉଡ଼ୁଛି ।
ଜଙ୍ଗଲ ବାଟରେ ସିଂହଟା ଦୌଡ଼ୁଥିଲା ବୋଲି ସିନା ତା ଉପରେ ବସିଥିଵା ହରିହରକୁ କିଛି ଦିଶୁନଥିଲା କିନ୍ତୁ ଯେମିତି ସିଂହ ବଣ ଭୂମି ଛାଡ଼ି ଫର୍ଚ୍ଚା ଯାଗାରେ ଦୌଡ଼ିଵାକୁ ଲାଗିଲା ତାକୁ ଦେଖି ହରିହରର ହାଲକ ଶୁଖିଗଲା । ସିଂହ ଦୌଡ଼ୁଥିଵା ବେଳେ କୌଣସି ମତେ ହରିହର ଗୋଟିଏ ଡାଳକୁ ଧରି ପକାଇ ଆପଣା ପୈତୃକ ପ୍ରାଣ ରକ୍ଷା କଲା ।
No comments:
Post a Comment