Saturday, May 10, 2025

•ଜିଉସ୍‌ଙ୍କ ଜନ୍ମ କାହାଣୀ ଓ ତହିଁର ଭାରତୀୟ ପୌରାଣିକ ଗାଥା ସହିତ ସମାନତା•

ଅତି ପ୍ରାଚୀନ କାଳରେ, ଯେତେବେଳେ ସଂସାର ଏକ ନୂଆ ରୂପ ନେଉଥିଲା, ସେତେବେଳେ ଥିଲେ ୟୁରାନୋସ୍, ଆକାଶର ପ୍ରଥମ ଦେଵତା, ଯାହାଙ୍କର ନୀଳ ଚାଦର ସମଗ୍ର ପୃଥିଵୀକୁ ଆଚ୍ଛାଦିତ କରି ରଖିଛି। ତାଙ୍କ ସଙ୍ଗିନୀ ଥିଲେ ଗାଇଆ, ପୃଥିଵୀର ମାତା, ସିଏ ଜୀଵନର ଉତ୍ସ ଓ ସମସ୍ତ ସୃଷ୍ଟିର ଜନନୀ । ଏହି ଦୈଵୀ ଦମ୍ପତିଙ୍କ ମିଳନରୁ ଜନ୍ମ ହେଲେ ବାରଜଣ ଶକ୍ତିଶାଳୀ ଟାଇଟାନ୍, ଯେଉଁମାନେ ଥିଲେ ଦେଵତାମାନଙ୍କର ପୂର୍ଵପୁରୁଷ। ଏମାନଙ୍କ ମଧ୍ୟରେ ଥିଲେ ରେଆ, ଜଣେ ସୌମ୍ୟ ଓ ସୁନ୍ଦରୀ ଦେଵୀ, ଯାହାଙ୍କର ହୃଦୟ ମାତୃତ୍ୱର ଉଷ୍ଣତା ଓ ପ୍ରକୃତିର ସମୃଦ୍ଧିରେ ପରିପୂର୍ଣ୍ଣ ଥିଲା।

ଅନେକ କାଳ ପରେ ରେଆ ଓ କ୍ରୋନୋସ୍‌ ଵିଵାହ କଲେ । କ୍ରୋନୋସ୍‌ ଥିଲେ ଟାଇଟାନ୍‌ମାନଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଓ ମହତ୍ତ୍ୱାକାଙ୍କ୍ଷୀ। କ୍ରୋନୋସ୍ ନିଜ ପିତା ୟୁରାନୋସ୍‌ଙ୍କୁ ଏକ ନିଷ୍ଠୁର ଯୋଜନାରେ ସିଂହାସନରୁ ହଟାଇଥିଲେ। ଗାଇଆଙ୍କ ସହାୟତାରେ କ୍ରୋନୋସ୍ ଏକ ଅସ୍ତ୍ର ନେଇ ୟୁରାନୋସ୍‌ଙ୍କୁ ଆହତ କରି ସମଗ୍ର ଦେଵତାମାନଙ୍କର ରାଜା ହେଲେ। କିନ୍ତୁ ୟୁରାନୋସ୍‌ଙ୍କ ଶାପ ଓ ଗାଇଆଙ୍କ ଭବିଷ୍ୟତଵାଣୀ କ୍ରୋନୋସ୍‌ଙ୍କ ମନକୁ ଅନ୍ଧକାରାଛନ୍ନ କରିଦେଲା । ଗାଇଆ ଅଭିଶାପ ଦେଇଥିଲେ, “ତୁମେ ଯେମିତି ତୁମ ପିତାଙ୍କୁ ଶାସନଗାଦିରୁ ହଟାଇଲ, ତୁମର ନିଜ ସନ୍ତାନ ମଧ୍ୟ ତୁମକୁ ସିଂହାସନରୁ ହଟାଇ ଦେଵ।” ଏହି ଭୟ କ୍ରୋନୋସ୍‌ଙ୍କ ମନକୁ ଵିଷାକ୍ତ କରିଦେଲା।

ରେଆ ଓ କ୍ରୋନୋସ୍‌ଙ୍କର ଛଅଟି ସନ୍ତାନ ଜନ୍ମ ହେଲେ । ପ୍ରଥମେ ଜନ୍ମ ହେଲେ ଦେଵୀ ହେଷ୍ଟିଆ । ତାଙ୍କ ପରେ ଦେଵୀ ଡେମେଟର୍ ଜନ୍ମିଲେ । ତାପରେ ଦେଵୀ ହେରାଙ୍କର ଜନ୍ମ ହେଲା । ତହୁଁ ପାତାଳର ଦେଵ ହେଡ୍‌ସ୍ ଓ ସମୁଦ୍ରଦେଵ ପୋସାଇଡନ୍‌ଙ୍କର ଜନ୍ମ ହେଲା । କିନ୍ତୁ କ୍ରୋନୋସ୍‌ଙ୍କ ମନରେ ଥିଵା ଭୟ ତାଙ୍କୁ ଏକ ଅମାନୁଷିକ ପଥକୁ ନେଇଗଲା। ପ୍ରତ୍ୟେକ ସନ୍ତାନ ଜନ୍ମ ହେଵା ମାତ୍ରେ ସେ ସେମାନଙ୍କୁ ଗିଳି ଦେଉଥିଲେ । ରେଆଙ୍କ ହୃଦୟ ଦୁଃଖରେ ଭାଙ୍ଗି ପଡ଼ୁଥିଲା। ତାଙ୍କ ଗର୍ଭରୁ ଜନ୍ମ ନେଇଥିଵା ପ୍ରତ୍ୟେକ ଶିଶୁ ତାଙ୍କ ସ୍ୱାମୀଙ୍କ ଉଦରରେ ଅନ୍ତର୍ହିତ ହେଉଥିଲେ। 

 ଶେଷରେ ଜନ୍ମ ହେଲେ ଜିଉସ୍, ଯାହାଙ୍କ ଚକ୍ଷୁରେ ଵିଦ୍ୟୁତ ଓ ବଜ୍ରର ଝଲକ ଦେଖା ଯାଉଥିଲା। ଯେତେବେଳେ ଜିଅୁସ୍ ଜନ୍ମ ହେଲେ, ରେଆଙ୍କ ମନରେ ଏକ ନୂଆ ସଂକଳ୍ପ ଜାତ ହେଲା । ସେ ନିଷ୍ପତ୍ତି ନେଲେ ଯେ ଏହି ଶିଶୁକୁ ସେ ବଞ୍ଚାଇବେ, ଯେମିତି ହେଉ ନା କାହିଁକି। ରେଆ ଏହି ସମସ୍ୟାର ସମାଧାନ ପାଇଁ ଗାଇଆଙ୍କ ପାଖକୁ ଗଲେ। ଶିଶୁପତ୍ରକୁ କେମିତି ଉପାୟ କରି ବଞ୍ଚେଇ ହେଵ ସେକଥା ଗାଇଆ ବୁଝେଇ ଦେଲେ । 

 ତହୁଁ ରେଆ ଏକ ପଥରକୁ ନେଇ ତାହାକୁ ନରମ କମ୍ବଳରେ ଗୁଡ଼ାଇ ଶିଶୁ ଭଳି ସଜାଇଲେ। କ୍ରୋନୋସ୍‌ଙ୍କ ସମ୍ମୁଖରେ ସେ ଏହି ‘ଶିଶୁ’କୁ ଦେଖାଇଲେ। ଭୟ ଓ ଅସାଵଧାନତାରେ କ୍ରୋନୋସ୍ ସେହି ପଥରଟିକୁ ଗିଳି ଦେଲେ ଏଵଂ ମନେ ମନେ ନିଶ୍ଚିନ୍ତ ହେଲେ ଯେ ତାଙ୍କ ଶକ୍ତି ଏବେ ସୁରକ୍ଷିତ।

ଏହି ସମୟରେ ରେଆ ଗୁପ୍ତ ଭାବେ ଜିଉସ୍‌ଙ୍କୁ ନେଇ କ୍ରୀଟ୍ ଦ୍ୱୀପକୁ ଯାତ୍ରା କଲେ ‌। କ୍ରୀଟଦ୍ଵୀପର ଲୋକେ ରେଆଙ୍କୁ ଭକ୍ତି ସହକାରେ ପୂଜା କରୁଥିଲେ ତେଣୁ ସେମାନେ ତାଙ୍କର ସାହାଯ୍ୟ ହେତୁ ସବୁ ପ୍ରକାରର ପ୍ରଯତ୍ନ କଲେ । କ୍ରୀଟ୍‌ର ଘନ ଜଙ୍ଗଲ ଓ ଗୁମ୍ଫାମୟ ପର୍ଵତ ମଧ୍ୟରେ ଜିଉସ୍‌ଙ୍କୁ ଲୁଚାଇ ରଖାଗଲା। ରେଆ ତାଙ୍କ ଶିଶୁକୁ ଅମଲଥିଆ ନାମ୍ନୀ ଏକ ଦୈଵୀ ଛାଗଳୀ(ନିମ୍ଫ୍‌)ଙ୍କ ହାତରେ ସମର୍ପଣ କଲେ ଏଵଂ ସେ ଜିଅୁସ୍‌ଙ୍କୁ କ୍ଷୀର ଓ ମହୁ ଖୁଆଇ ପାଳନ କଲେ। ଜିଉସ୍‌ଙ୍କ କାନ୍ଦଣା ଶବ୍ଦକୁ କ୍ରୋନସଙ୍କଠାରୁ ଲୁଚାଇଵା ପାଇଁ କୋରିବାଣ୍ଟେସ୍ ଯୋଦ୍ଧା-ନର୍ତ୍ତକ ଦଳ, ଢୋଲ ବଜାଇ ଓ ନାଚି ଚାରିପାଖରେ ଏକ ଶବ୍ଦର ପରଦା ସୃଷ୍ଟି କଲେ, ଫଳତଃ କ୍ରୋନୋସ୍‌ କିଛି ଜାଣିପାରିଲେ ନାହିଁ ।

କ୍ରୀଟ୍‌ର ଗୁମ୍ଫା ମଧ୍ୟରେ ରହି ଓ ବଢ଼ି ଜିଉସ୍ ଏକ ଶକ୍ତିଶାଳୀ ଯୁଵକ ହୋଇପାରିଲେ । ତାଙ୍କ ଶରୀରରେ ବଜ୍ରର ଶକ୍ତି ପ୍ରତିଫଳିତ ହେଉଥିଲା। ଗାଇଆ ଓ ରେଆ ତାଙ୍କୁ ନିଜ ଭାଇଭଉଣୀମାନଙ୍କୁ ମୁକ୍ତ କରିଵା ଓ କ୍ରୋନୋସ୍‌ଙ୍କ ଅତ୍ୟାଚାରରୁ ସଂସାରକୁ ମୁକ୍ତ କରିଵାର ଦାୟିତ୍ୱ ଦେଲେ। ଯୁଵକ ଜିଉସ୍ ଏକ ଯୋଜନା ପ୍ରସ୍ତୁତ କଲେ। ସେ ଜଣେ ବୁଦ୍ଧିମତୀ ଟାଇଟାନ୍ ଦେଵୀ ମେଟିସ୍‌ଙ୍କ ସହାୟତା ନେଲେ। ଦେଵୀ ମେଟିସ୍, ଛଳନା କରି କ୍ରୋନୋସ୍‌ଙ୍କୁ ଏକ ଔଷଧ ମିଶ୍ରିତ ପାନୀୟ ଦେଲେ, ଫଳତଃ ତାଙ୍କୁ ବାନ୍ତି ମାଡ଼ିଲା। ଏହି ବାନ୍ତିରେ କ୍ରୋନୋସ୍ ଗିଳିଥିଵା ତାଙ୍କର ସମସ୍ତ ସନ୍ତାନ ହେଷ୍ଟିଆ, ଡେମେଟର୍, ହେରା, ହେଡ୍‌ସ୍, ଓ ପୋସାଇଡନ୍ ମୁକ୍ତ ହେଲେ। ସେମାନେ ଜିଉସ୍‌ଙ୍କ ସହିତ ଏକତ୍ର ହୋଇ ନିଜ ପିତା କ୍ରୋନୋସ୍‌ଙ୍କ ଵିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ।

ଏହି ଯୁଦ୍ଧ "ଟାଇଟାନୋମାକି" ନାମରେ ପ୍ରସିଦ୍ଧ ହେଲା ଓ ଦୀର୍ଘ ଦଶ ଵର୍ଷ ଧରି ଚାଲିଲା। ଜିଉସ୍ ଓ ତାଙ୍କ ଭାଇଭଉଣୀମାନେ ଓଲିମ୍ପସ୍ ପର୍ଵତକୁ ନିଜର ମୁଖ୍ୟାଳୟ କଲେ ଏଵଂ ସେଠାରୁ ସେମାନେ ଟାଇଟାନ୍‌ମାନଙ୍କ ଵିରୁଦ୍ଧରେ ଲଢ଼ିଲେ। ଗାଇଆ, ଜିଉସ୍‌ଙ୍କୁ ସାଇକ୍ଲୋପ୍‌ସ ଓ ହେକାଟୋଙ୍କାଇର୍‌ସ ନାମକ ଦୈତ୍ୟମାନଙ୍କ ସହ ମିଳିତ ହେଵାକୁ ପରାମର୍ଶ ଦେଲେ ।‌ ଓଉରାନୋସ୍‌ଙ୍କ ଦ୍ୱାରା ଏମାନେ ବନ୍ଦୀ ହୋଇଥିଲେ ତେବେ ଜିଉସ୍ ସେମାନଙ୍କୁ ମୁକ୍ତ କଲେ ଏଵଂ କୃତଜ୍ଞତା ସ୍ଵରୂପ ସାଇକ୍ଲୋପ୍‌ସ‌ମାନେ ଜିଉସ୍‌ଙ୍କୁ ଵଜ୍ର, ପୋସାଇଡନ୍‌ଙ୍କୁ ତ୍ରିଶୂଳ, ଓ ହେଡ୍‌ସ୍‌ଙ୍କୁ ଅଦୃଶ୍ୟ ମୁକୁଟ ଉପହାର ଦେଲେ।

ଏହି ଅସ୍ତ୍ରଶସ୍ତ୍ର ଓ ମିତ୍ରମାନଙ୍କ ସହାୟତାରେ ଜିଉସ୍ ଓ ତାଙ୍କ ଦଳ ଟାଇଟାନ୍‌ମାନଙ୍କୁ ପରାସ୍ତ କଲେ। କ୍ରୋନୋସ୍ ଓ ଅନ୍ୟ ଟାଇଟାନ୍‌ମାନଙ୍କୁ ପାତାଳର ଏକ ଗଭୀର ଅନ୍ଧକାର ସ୍ଥାନ ଟାରଟାରସ୍‌ରେ ବନ୍ଦୀ କରି ରଖାଗଲା। ଜିଉସ୍ ଦେଵତାମାନଙ୍କର ରାଜା ହେଲେ, ଏଵଂ ତାଙ୍କ ଭାଇଭଉଣୀମାନେ ସଂସାରର ବିଭିନ୍ନ ଅଂଶର ଶାସନ ଗ୍ରହଣ କଲେ। ହେଡ୍‌ସ୍ ପାତାଳ ଜଗତ, ପୋସାଇଡନ୍ ସମୁଦ୍ର, ଓ ଜିଉସ୍ ଆକାଶର ଶାସକ ହେଲେ। ଡେମେଟର୍ ପୃଥିଵୀର ସମୃଦ୍ଧି ରକ୍ଷା କଲେ ଆଉ ହେଷ୍ଟିଆ ଗୃହ ଶାନ୍ତିର ପ୍ରତୀକ ହେଲେ। ହେରା ଜୀଵଙ୍କ ଵୈଵାହିକ ଜୀଵନକୁ ନିୟନ୍ତ୍ରଣ କଲେ । 

••••••••••••••••••••••••••••••••••••••••
ଖ୍ରୀଷ୍ଟପୂର୍ଵ ୮ମ ଶତାବ୍ଦୀରେ ରଚିତ ହେସିଓଡ୍‌ଙ୍କ "ଥିଓଗୋନି" (Theogony) ଗ୍ରନ୍ଥରେ ଦେଵତାମାନଙ୍କର ଉତ୍ପତ୍ତି ଓ ବଂଶାଵଳୀ ଵିଷୟରେ ଵିସ୍ତୃତ ଵର୍ଣ୍ଣନା ରହିଛି ।‌ ଏହି ଗ୍ରନ୍ଥରେ ପ୍ରଥମେ ଜିଉସଙ୍କ ଜନ୍ମ ଓ କ୍ରୋନୋସ୍‌ଙ୍କ ଵିରୁଦ୍ଧରେ ତାଙ୍କର ଵିଜୟର କାହାଣୀ ଵର୍ଣ୍ଣନା ହୋଇଥିଲା ।‌

ତେବେ ଜିଉସଙ୍କ ଜନ୍ମ ଵୃତ୍ତାନ୍ତ ପଢ଼ିଲେ ଶୁଣିଲେ ଏହାର ସମାନତା କେମିତି ଶ୍ରୀକୃଷ୍ଣଙ୍କର ଜନ୍ମ ଵୃତ୍ତାନ୍ତ ସହିତ ସାମଞ୍ଜସ୍ୟ ରଖେ ତାହା ସ୍ପଷ୍ଟ ହୋଇଯାଏ ।

ଯେମିତି କ୍ରୋନୋସ୍ ନିଜ ପିତା ୟୁରାନୋସ୍‌ଙ୍କୁ ଗାଦିଚ୍ୟୁତ କରିଥିଲେ ଠିକ୍ ସେହିପରି କଂସ ମଧ୍ୟ ନିଜ ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରିଥିଲା । କ୍ରୋନୋସ୍‌ଙ୍କୁ ୟୁରାନୋସ୍ ଅଭିଶାପ ଦେଇଥିଲେ ଯେ ତାଙ୍କର ମୃତ୍ୟୁର କାରଣ ତାଙ୍କ ନିଜର ପୁତ୍ର ହିଁ ହେଵ । କଂସ କ୍ଷେତ୍ରରେ ଆକାଶଵାଣୀ ହୋଇଥିଲା ଯେ ଦେଵକୀଙ୍କ ଅଷ୍ଟମ ପୁତ୍ର ହାତରେ କଂସର ନିଧନ ହେଵ ।‌ କ୍ରୋନୋସ୍ ନିଜର ସନ୍ତାନମାନଙ୍କୁ ଜନ୍ମ ହେଲା ମାତ୍ରେ ଗିଳି ଦେଉଥିଲେ,କଂସ ନିଜ ଭଗିନୀର ଶିଶୁ ଜନ୍ମ ହେଲା ମାତ୍ରେ ସେମାନଙ୍କୁ ମାରି ଦେଉଥିଲା । ଜିଉସ ତାଙ୍କ ମାତାଙ୍କର ଷଷ୍ଠ ସନ୍ତାନ ଥିଲେ, ଶ୍ରୀକୃଷ୍ଣ ଅଷ୍ଟମ ସନ୍ତାନ ଥିଲେ ।‌ ଜିଉସଙ୍କୁ ତାଙ୍କ ମାତା ରେଆ,ଗାଇଆଙ୍କ ପରାମର୍ଶରେ କ୍ରୀଟ ଦ୍ଵୀପକୁ ନେଇ ଯାଇଥିଲେ । ଶ୍ରୀକୃଷ୍ଣଙ୍କୁ ଵସୁଦେଵ ସେହିପରି ଗୋପପୁରକୁ ନେଇ ଯାଇ ନିଜ ବନ୍ଧୁ ନନ୍ଦଙ୍କ ଘରେ ଛାଡ଼ି ଆସିଥିଲେ । କ୍ରୋନୋସ୍‌ଙ୍କୁ ଗୋଟିଏ ଶିଶୁ ଆକାରର ପଥର ଦେଇ ରେଆ ଠକି ଦେଇଥିଲେ । ଶ୍ରୀକୃଷ୍ଣଙ୍କୁ ନନ୍ଦ ଯଶୋଦାଙ୍କ ଘରେ ଛାଡ଼ି ଯଶୋଦାଙ୍କ ଘରେ ଜନ୍ମିଥିଵା ଶିଶୁକନ୍ୟା(ମାୟାଦେଵୀ)ଙ୍କୁ ଆଣି ଵସୁଦେଵ କଂସକୁ ଦେଇଥିଲେ ଯାହାଙ୍କୁ ମାରିଵାକୁ ଚେଷ୍ଟା କଲାବେଳେ ମାୟାଦେଵୀ ସାକ୍ଷାତ ପ୍ରକଟ ହୋଇ କଂସକୁ ତାତ୍ସଲ୍ୟ କରିଥିଲେ । ବଡ଼ ହେଲାପରେ ଜିଉସ୍ ଯେମିତି କ୍ରୋନୋସ୍‌ଙ୍କୁ ପରାସ୍ତ କରିଵାକୁ ଚେଷ୍ଟା କରିଥିଲେ ଠିକ୍ ସେହିପରି ଶ୍ରୀକୃଷ୍ଣ ମଧ୍ୟ ବଡ଼ ହେଲାପରେ ଗୋପରୁ ମଥୁରାକୁ ଯାଇ କଂସଠାରୁ ଶାସନ ଛଡ଼ାଇ ନେଇ ଉଗ୍ରସେନଙ୍କୁ ପୁଣି ଶାସକ କରିଥିଲେ ।

ତେବେ Comparative mythologistsମାନେ ଜିଉସ ଓ କ୍ରୋନୋସ୍‌ଙ୍କ ଯୁଦ୍ଧ ସହିତ ଇନ୍ଦ୍ର ଓ ଵୃତ୍ତାସୁରର ଯୁଦ୍ଧ କଥାର ସାମ୍ୟ ଥିଵା ମତ ଦିଅନ୍ତି ।‌ 

ରୋମାନ୍ ପୌରାଣିକ ଗାଥାରେ ରୋମାନ୍ ଦେଵତା ଜୁପିଟର ଜିଉସଙ୍କର ସମକକ୍ଷ ଏଵଂ ତାଙ୍କ ଜନ୍ମ ଓ ଉତ୍ଥାନର କାହାଣୀ ,ଜିଉସଙ୍କ ଜନ୍ମ ଵୃତ୍ତାନ୍ତ ସହିତ ପ୍ରାୟ ସମାନ। ଜୁପିଟରଙ୍କୁ ମଧ୍ୟ ତାଙ୍କ ପିତା ସାଟର୍ନ (କ୍ରୋନସର ରୋମାନ୍ ସଂସ୍କରଣ)ଙ୍କଠାରୁ ଲୁଚାଇ ରଖାଯାଇଥିଲା ଏଵଂ ସେ ପରେ ସାଟର୍ନଙ୍କୁ ପରାସ୍ତ କରି ଦେଵତାଙ୍କ ରାଜା ହୋଇଥିଲେ। ଏହା ଗ୍ରୀକ୍ ଓ ରୋମାନ୍ ସଂସ୍କୃତିର ସାଂସ୍କୃତିକ ସମ୍ପର୍କକୁ ଦର୍ଶାଏ।

ନର୍ସ ପୌରାଣିକ ଗାଥାରେ ଓଡ଼ିନଙ୍କ ଉତ୍ଥାନରେ ମଧ୍ୟ ପିତୃପୁରୁଷଙ୍କ ଵିରୋଧରେ ସଂଘର୍ଷ ଦେଖାଯାଏ। ଓଡ଼ିନ ଓ ତାଙ୍କ ଭାଇମାନେ (Vili ଓ Vé) ତାଙ୍କ ପୂର୍ଵଜ ଦୈତ୍ୟ Ymirଙ୍କୁ ହତ୍ୟା କରି ତାଙ୍କର ମୃତ ଶରୀର ଉପରେ ଵିଶ୍ୱ ସୃଷ୍ଟି କରିଥିଲେ। ଏହି କାହାଣୀଟି ଭାରତୀୟ ପୁରାଣଗାଥାର ମଧୁ ଓ କୈଟଭଙ୍କ ମେଦରୁ କିପରି ମେଦିନୀ ଵା ପୃଥିଵୀ ଉତ୍ପତ୍ତି ହୋଇଥିଲା ତାହା ସହିତ ମଧ୍ୟ ସାମ୍ୟ ରଖେ ।‌
 ଜିଉସଙ୍କ ଗାଥା ସହିତ କ୍ରୋନସଙ୍କ କାହାଣୀର କିଛି କିଛି ସାମ୍ୟ‌ ରହିଛି । ମେସୋପୋଟାମିଆର ମର୍ଦୁକ ଓ ତିଆମତର ଯୁଦ୍ଧ ଗାଥାର ମଧ୍ୟ ଏହା ସହିତ କେତେକାଂଶରେ ସମାନତା ରହିଛି ।‌

କିନ୍ତୁ ମିଶରର ସଂସ୍କୃତି ଗ୍ରୀକ୍ ଓ ମେସୋପୋଟାମିଆ ଅପେକ୍ଷା ଅଧିକ ପୁରୁଣା ଥିଲା। ମିଶରୀୟ ସଭ୍ୟତା ପ୍ରାୟ ୩୫୦୦ରୁ ୩୧୦୦ ଖ୍ରୀଷ୍ଟପୂର୍ବରେ ଗଢ଼ି ଉଠିଥିଲା । ତେଣୁ ମିଶରୀୟ ଗାଥାରେ ଉଣ୍ଡିଲେ ଆମକୁ ଅଧିକ ଜାଣିଵାକୁ ମିଳିଵ ।‌
ମିଶରୀୟ ପୁରାଣଗାଥାରେ ଆକାଶର ଦେଵ ହୋରସଙ୍କ ଗାଥା ସହିତ ମଧ୍ୟ ଜିଉସଙ୍କ ଜନ୍ମ ଗାଥାର କିଛିଟା ସମାନତା ରହିଛି ।‌ ହୋରସଙ୍କ ପିତା ଓସିରିସ, ମିଶରର ପୂଜ୍ୟ ରାଜା ଥିଲେ ଓ ସେତଙ୍କ ହାତରେ ନିଷ୍ଠୁର ହତ୍ୟାର ଶିକାର ହେଲେ।
ମିଶରୀୟ ପୌରାଣିକ କଥା ଅନୁସାରେ, ସେତ ହୋରସଙ୍କର ମାମୁଁ ଥିଲେ । ସେତ ଥିଲେ ଅଶାନ୍ତି ଓ ମରୁଭୂମିର ଦେଵତା, ମିଶରର ସିଂହାସନ ହଡ଼ପ କରି ସେ ଅନ୍ଧକାର ଶାସନ ଆରମ୍ଭ କଲେ। ହୋରସ, ତାଙ୍କ ମାତା ଆଇସିସଙ୍କ ସୁରକ୍ଷାରେ ବଢ଼ି, ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେଵାକୁ ପ୍ରତିଜ୍ଞା କଲେ। ଦୀର୍ଘ ଓ ଭୟଙ୍କର ସଂଗ୍ରାମରେ ସେ ସେତଙ୍କ ଵିରୁଦ୍ଧରେ ଲଢ଼ିଲେ । ଅନେକ ପରୀକ୍ଷା ଓ ଯୁଦ୍ଧ ପରେ, ହୋରସ , ସେତଙ୍କୁ ପରାସ୍ତ କରି ମିଶରର ସିଂହାସନ ଲାଭ କଲେ। 

ମିଶରୀୟ ଗାଥାରେ ହୋରସ ନିଜ ମାମୁଁ ସେତଙ୍କ ଵିପକ୍ଷରେ ଯୁଦ୍ଧ କରିଥିଲେ । ଠିକ୍ ସେହିପରି ଶ୍ରୀକୃଷ୍ଣ ନିଜ ମାମୁଁ କଂସ ଵିପକ୍ଷରେ ଲଢ଼ିଥିଲେ ।‌ ଯେହେତୁ ମିଶରର ସଂସ୍କୃତି ଅଧିକ ପୁରୁଣା ତେଣୁ ବହୁତ ସମ୍ଭଵ ହୋରସଙ୍କର କାହାଣୀ ପରେ ଗ୍ରୀସରେ ଯାଇ ନୂତନ ରୂପ ଧାରଣ କରିଥାଇପାରେ ।‌ ପ୍ରାଚୀନ ଭାରତୀୟମାନଙ୍କର ଵାଣିଜ୍ୟିକ ସମ୍ପର୍କ ମିଶର ଓ ମେସୋପୋଟାମିଆ ସହିତ ୫୦୦୦ ଵର୍ଷରୁ ରହିଥିଵା ଜଣାଯାଏ ।‌ ଶ୍ରୀକୃଷ୍ଣଙ୍କ ସମୟକାଳ ଖ୍ରୀଷ୍ଟପୂର୍ଵ ୩୫୦୦ ବୋଲି ଗଵେଷକମାନେ କୁହନ୍ତି ।‌ ଠିକ୍ ଏହି ସମୟ ବେଳକୁ ମିଶର ଓ ମେସୋପୋଟାମିଆର ସଂସ୍କୃତି ଗଢ଼ିଉଠିଥିଲା । ତେଣୁ ଅନୁମାନ କରାଯାଇପାରେ ଯେ ଶ୍ରୀକୃଷ୍ଣଙ୍କ ଜନ୍ମ ଵୃତ୍ତାନ୍ତ ହୁଏତ ଭାରତୀୟ ଵଣିକମାନଙ୍କ ଦ୍ଵାରା ମିଶର ଓ ମେସୋପୋଟାମିଆରେ ଵ୍ୟାପିଥିଵ ଯାହା ପରେ ସ୍ଥାନୀୟ ଲୋକଗାଥାରେ ନାନା ରୂପ ହୋଇଅଛି । ହୁଏତ ଗ୍ରୀକମାନେ ଖ୍ରୀଷ୍ଟପୂର୍ଵ ନଵମ ଶତାବ୍ଦୀ ସମୟରେ ମେସୋପୋଟାମିଆ କି ମିଶରରେ ଭାରତୀୟ ଵଣିକଙ୍କ ସମ୍ପର୍କରେ ଆସି ସେମାନଙ୍କଠାରୁ ଶ୍ରୀକୃଷ୍ଣଙ୍କର ଜନ୍ମଗାଥା ଶୁଣିଥିବେ ଯାହା ପରେ ଗ୍ରୀସ ଦେଶରେ ଜିଉସଙ୍କ ଜନ୍ମଗାଥା ରୂପେ ଗୃହୀତ ହୋଇଛି । ଏମନ୍ତ ହୋଇଥାଇପାରେ ହୋଇ ବି ନଥାଇପାରେ କିନ୍ତୁ ଏହି ସବୁ ପୌରାଣିକ ଗାଥା ମଧ୍ୟରେ ସମାନତା ନିଶ୍ଚୟ ରହିଛି ଯାହା ଏ ଦିଗକୁ ଆମ୍ଭମାନଙ୍କର ଧ୍ୟାନ ଆକର୍ଷଣ କରୁଛି । 
•••••••••

No comments:

Post a Comment

"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"

Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସ...