Friday, May 30, 2025

ବିକ୍ରି ପାଇଁ ଚାରୋଟି ସନ୍ତାନ: ଏକ ମା’ର ନିରୁପାୟ ଚିତ୍କାର

୧୯୪୮ର ଅଗଷ୍ଟ ମାସ। ଆମେରିକାର ଶିକାଗୋ ନଗରର ଏକ ଶାନ୍ତ, କିନ୍ତୁ ଜରାଜୀର୍ଣ୍ଣ ଅଞ୍ଚଳରେ ଏକ ଛୋଟ ଘର। ସେ ଘରେ ଲୁସିଲେ ଚାଲିଫ୍‌କ୍ସ (Lucille Chalifoux) ଓ ତାଙ୍କ ପରିଵାର ରହୁଥିଲେ । ଲୁସିଲେଙ୍କୁ ସେତେବେଳେ ୨୪ ଵର୍ଷ ଵୟସ ହୋଇଥାଏ ମହିଳା ଏଵଂ ସେ ତାଙ୍କ ପତି "ରେ ଚାଲିଫ୍‌କ୍ସ (Ray Chalifoux)" ଓ ଚାରୋଟି ଛୁଆ—ଲାନା (୬ ଵର୍ଷ), ରାଏ (୫ ଵର୍ଷ), ମିଲ୍‌ଟନ (୪ ଵର୍ଷ), ଓ ସୁ (୨ ଵର୍ଷ)—ଙ୍କ ସହ ସେହି ଘରେ ରହୁଥିଲେ। ଲୁସିଲେ ସେତେବେଳେ ଗର୍ଭଵତୀ ଥିଲେ। କିନ୍ତୁ ଏହି ପରିଵାର ସେତେବେଳେ ଅତ୍ୟନ୍ତ ଦୟନୀୟ ଅଵସ୍ଥାରେ କାଳ କାଟୁଥିଲା । ଆର୍ଥିକ ଦୁର୍ଦଶା ଓ ପାରିଵାରିକ ଅଶାନ୍ତି ସେମାନଙ୍କୁ ଏକ ଅନ୍ଧକାର ଭଵିଷ୍ୟତକୁ ଠେଲି ଦେଇଥିଲା।

ଶିକାଗୋର ଏହି ଅଞ୍ଚଳରେ ଦାରିଦ୍ର୍ୟ କୌଣସି ନୂଆ କଥା ନଥିଲା। ଦ୍ଵିତୀୟ ଵିଶ୍ଵଯୁଦ୍ଧ ପରେ ଆମେରିକାରେ ଅନେକ ପରିଵାର ଆର୍ଥିକ ସଙ୍କଟରେ ଥିଲେ। "ଲୁସିଲେ ଓ ରେ"ଙ୍କ ପାଇଁ ଜୀଵନ ଅଧିକ କଷ୍ଟକର ଥିଲା। "ରେ" ଏକ ଅସ୍ଥାୟୀ କାମରେ ଥିଲେ, ଯହିଁର ଆୟ ପରିଵାର ଚଳାଇଵା ପାଇଁ ଯଥେଷ୍ଟ ନଥିଲା। ଘରର ଭଡ଼ା, ଖାଦ୍ୟ, ଓ ଅନ୍ୟ ଜରୁରୀ ଖରଚ ମେଣ୍ଟାଇଵା ଦୁସ୍ତର ହୋଇ ପଡ଼ିଥିଲା। ତହିଁରେ ପୁଣି ଲୁସିଲେ ଓ ରେ’ଙ୍କ ଵୈଵାହିକ ଜୀଵନରେ ଅଶାନ୍ତି ବଢ଼ିଚାଲିଥିଲା। "ରେ" ମଦ୍ୟପାନ କରୁଥିଲେ ଫଳତଃ ଘରେ ଝଗଡ଼ାଝାଟି ଯୋଗୁଁ ଅସ୍ଥିରତା ସୃଷ୍ଟି ହେଉଥିଲା।

 ଦିନେ, ଲୁସିଲେ ଏକ ହୃଦୟଵିଦାରକ ନିଷ୍ପତ୍ତି ନେଲେ। ସେ ନିଜର ଚାରୋଟି ଛୁଆଙ୍କୁ 'ଵିକ୍ରି' କରିଵା ପାଇଁ ଘୋଷଣା କଲେ। ଏହା କୌଣସି ସାଧାରଣ ବିକ୍ରି ନଥିଲା; ଏହା ଥିଲା ଏକ ମା’ର ନିରୁପାୟ ଚିତ୍କାର, ଯିଏ ନିଜ ସନ୍ତାନଙ୍କୁ ଖାଇଵାକୁ ଦେଵାରେ ଅସମର୍ଥ ଥିଲା। ଲୁସିଲେ ନିଜ ଘରର ବାହାରେ ଏକ ପୋଷ୍ଟର ଲଗାଇଲେ, ଯେଉଁଥିରେ ଲେଖାଥିଲା: “4 children for sale, inquire within.” ଏହି ପୋଷ୍ଟର ତାଙ୍କ ଘରର ସିଡ଼ିରେ ଲାଗିଥିଲା, ଯେଉଁଠି ସେ ନିଜେ ଗର୍ଭଵତୀ ଅବସ୍ଥାରେ ଚାରୋଟି ଛୁଆ ସହ ଠିଆ ହୋଇଥିଲେ।


ଅଗଷ୍ଟ 5, 1948ରେ, ସ୍ଥାନୀୟ ଖବରକାଗଜ “The Vidette-Messenger” ଏହି ଦୃଶ୍ୟକୁ ଉତ୍ତୋଳନ କଲା। ଫୋଟୋଟି ଦେଖିଵାକୁ ହୃଦୟଵିଦାରକ ଥିଲା—ଲୁସିଲେ, ତାଙ୍କର ମୁହଁରେ ଏକ ଅଜଣା ଦୁଃଖ ଓ ଅସହାୟତା ସହ, ଚାରୋଟି ନିରୀହ ଛୁଆଙ୍କ ସହ ଠିଆ ହୋଇଛନ୍ତି। ଛୁଆମାନେ, ଯେଉଁମାନେ ଏହି ଘଟଣାର ଗମ୍ଭୀରତା ବୁଝି ପାରୁ ନଥିଲେ, କେଵଳ କ୍ୟାମେରା ଆଡ଼କୁ ଚାହୁଁଥିଲେ। ଏହି ଫୋଟୋ ପ୍ରକାଶିତ ହେଵା ପରେ ଶିକାଗୋରେ ଏକ ଝଡ଼ ସୃଷ୍ଟି ହେଲା। ଅନେକେ ଲୁସିଲେଙ୍କୁ ଦୋଷ ଦେଲେ, କିନ୍ତୁ ଅନ୍ୟମାନେ ତାଙ୍କ ଦୁର୍ଦଶାକୁ ବୁଝିଵାକୁ ଚେଷ୍ଟା କଲେ।

ଖବରକାଗଜରେ ଏହି ଘଟଣା ଚର୍ଚ୍ଚାର ଵିଷୟ ହେଲା, ଏଵଂ ଶୀଘ୍ର ଏହା ଜାତୀୟ ସ୍ତରରେ ଵିସ୍ତାର ଲାଭ କଲା। ଅନେକ ପରିଵାର ଲୁସିଲେଙ୍କ ସହ ଯୋଗାଯୋଗ କଲେ, କେହି ଛୁଆମାନଙ୍କୁ ଦତ୍ତକ ନେଵାକୁ ଚାହିଁଲେ, ଆଉ କେହି କେଵଳ ଜାଣିଵାକୁ ଚାହିଁଲେ ଯେ ଏପରି ନିଷ୍ପତ୍ତି କାହିଁକି ନିଆଗଲା । 

ଲୁସିଲେଙ୍କ ଏହି ନିଷ୍ପତ୍ତି ପରେ ଚାରୋଟି ଛୁଆଙ୍କୁ ଅଲଗା ଅଲଗା ପରିଵାରଙ୍କ ଦ୍ଵାରା ଦତ୍ତକ ନିଆଗଲା। କିନ୍ତୁ ଏହି ଦତ୍ତକ ପ୍ରକ୍ରିୟା ସୁଖଦାୟୀ ନଥିଲା। 

ଗୋଟିଏ ପରିବାର ଲାନା ଓ ରାଏଙ୍କୁ ଦତ୍ତକ ନେଇଥିଲେ। କିନ୍ତୁ ପରେ ଜଣାପଡ଼ିଲା ଯେ ସେମାନେ ଏକ କୃଷି କ୍ଷେତ୍ରରେ କଠିନ ପରିଶ୍ରମ କରିଵାକୁ ବାଧ୍ୟ ହୋଇଥିଲେ। ରାଏ ପରେ ଦାବି କରିଥିଲେ ଯେ ତାଙ୍କୁ ଶାରୀରିକ ଓ ମାନସିକ ଦୁର୍ଵଵ୍ୟହାରର ସାମ୍ନା କରିଵାକୁ ପଡ଼ିଥିଲା।

ମିଲ୍‌ଟନଙ୍କୁ ଅନ୍ୟ ଏକ ପରିଵାର ଦତ୍ତକ ନେଇଥିଲେ, କିନ୍ତୁ ତାଙ୍କ ଜୀଵନ ମଧ୍ୟ ସହଜ ନଥିଲା। ସେ ଅନେକ ଦିନ ଯାଏଁ ନିଜର ପ୍ରକୃତ ପରିଚୟ ଓ ଅତୀତ ଵିଷୟରେ ଅଜଣା ରହିଥିଲେ।

ସୁ'ଙ୍କୁ ମଧ୍ୟ ଏକ ପରିଵାର ଦତ୍ତକ ନେଇଥିଲେ, କିନ୍ତୁ ତାଙ୍କ ଜୀଵନ ଵିଷୟରେ ଅଧିକ ତଥ୍ୟ ଉପଲବ୍ଧ ନାହିଁ।

ଲୁସିଲେ ନିଜେ ପଞ୍ଚମ ସନ୍ତାନକୁ ଜନ୍ମ ଦେଇଥିଲେ, କିନ୍ତୁ ତାଙ୍କ ଜୀଵନ ମଧ୍ୟ ଅନେକ ଉତ୍ଥାନ-ପତନରେ ଭରା ରହିଥିଲା। ରେ ଓ ଲୁସିଲେଙ୍କ ଵିଵାହ ଵିଚ୍ଛେଦ ହୋଇଗଲା ଏଵଂ ତତ୍ପରେ ଲୁସିଲେ ଏକାକୀ ଜୀଵନ ବିତାଇଥିଲେ।

ୟା ଭିତରେ ଅନେକ ଵର୍ଷ ଗଡ଼ିଗଲା। ୧୯୮୦ରୁ ୧୯୯୦ ଦଶକରେ, ଛୁଆମାନେ ଵୟସ୍କ ହେଵା ପରେ ନିଜ ନିଜ ଅତୀତକୁ ଖୋଜିଵାକୁ ଚେଷ୍ଟା କଲେ। ଲାନା, ରାଏ, ଓ ମିଲ୍‌ଟନ ପରସ୍ପର ସହ ଯୋଗାଯୋଗ କଲେ ଓ ନିଜ ମା’ ଲୁସିଲେଙ୍କୁ ଖୋଜି ବାହାର କଲେ। ଏହି ମିଳନ ମିଠା ଓ ତିକ୍ତ ଦୁଇଟି ଅନୁଭବ ଆଣିଥିଲା। କେତେକ ସନ୍ତାନ ଲୁସିଲେଙ୍କୁ କ୍ଷମା କରିଥିଲେ, ବୁଝିଥିଲେ ଯେ ସେ ସେତେବେଳେ ନିରୁପାୟ ଥିଲେ। କିନ୍ତୁ ଅନ୍ୟମାନେ, ଵିଶେଷ କରି ରାଏ, ନିଜ ଅତୀତର ଯନ୍ତ୍ରଣାକୁ ଭୁଲି ପାରି ନଥିଲେ।

ଲୁସିଲେ ନିଜେ ଜୀଵନର ଶେଷ ଭାଗରେ ଅନୁତାପ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ତାଙ୍କର ଆର୍ଥିକ ଓ ମାନସିକ ଅଵସ୍ଥା ତାଙ୍କୁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିଲା।

୧୯୪୮ର ଏ ଫୋଟୋଟି ଏବେ ମଧ୍ୟ ଐତିହାସିକ ଆର୍କାଇଵ୍‌ରେ ସଂରକ୍ଷିତ ଅଛି। ଏହା କେଵଳ ଲୁସିଲେ ଓ ତାଙ୍କ ପରିଵାରର କାହାଣୀ ନୁହେଁ ଵରଂ ସେହି ସମୟର ସାମାଜିକ ଓ ଆର୍ଥିକ ସଙ୍କଟର ପ୍ରତିଫଳନ। ଏହା ଆମକୁ ସେହି ସମୟର ଦାରିଦ୍ର୍ୟ, ଅସମାନତା, ଓ ମାନଵୀୟ ଦୁଃଖକୁ ମନେ ପକାଇ ଦିଏ।

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...