ଦିନେ ବଡ଼ ସାଧଵଙ୍କୁ ସମୁଦ୍ର କୂଳରେ ପଡି଼ଥିଵା ଏକ ଲୌହ ବୋତଲ ମିଳିଲା । ସେ ବୋତଲରେ କିସ ଅଛି ଜାଣିଵା ପାଇଁ ଉତ୍ସୁକତାର ସହ ତାହାର ଠିପି ଖୋଲି ଦେଲେ ।
ହଠାତ୍ କଳା ବାରିଦ ରଙ୍ଗର ଧୂଆଁ ସେ ବୋତଲରୁ ବାହାରିଲା ଏଵଂ ସେ ଧୂଆଁରୁ ଶେଷରେ ଏକ ଭୂତ ସେଠାରେ ପ୍ରକଟ ହେଲା । ଭୂତକୁ ଦେଖି ଚାରି ଭାଇ ସାଧଵ ଯିଏ ଯୁଆଡ଼େ ପାଇଲେ ଆଞ୍ଛି କୁଞ୍ଛି କି ଧାଇଁଵାକୁ ଲାଗିଲେ । କିନ୍ତୁ ଭୂତ କି ମନ୍ତର କଲା କେଜାଣି ସେମାନେ ଯୋଉଠୁ ଯାଇଥିଲେ ସେଇଠି ଆସି ଠିଆ ହେଇଗଲେ ।
ଭୂତ ସେମାନଙ୍କୁ କହିଲା ଡରିଵାର ଆଵଶ୍ୟକତା ନାହିଁ । ସେମାନେ ଯାହା ଚାହିଁବେ ତାଙ୍କୁ ମିଳିଵ । ବଡ଼ ଭାଇ ଭାବିଲା ଗାଆଁରେ ଶିଘ୍ର ନପହଞ୍ଚିଲେ ବେପାର ଆଉ ଚାଷ ଉଭୟ ବୁଡି଼ଯିଵ ତେଣୁ ସେ ଭୂତକୁ କହିଲା ମୋତେ ଗାଆଁକୁ ପଠେଇ ଦିଅ । ଏତିକି କହିଵା ମାତ୍ରେ ବଡ଼ ଭାଇ ଅଦୃଶ୍ୟ ହୋଇଗଲା । ତହୁଁ ବଡ଼ ମଝିଆଁ ଭାଇ କହିଲା ମୋର ଏଇ ଵରଷ ବାହାଘର ହେଵ ତେଣୁ ମୋତେ ମଧ୍ୟ ଗାଆଁକୁ ପଠେଇ ଦିଅ । ସେ ବି ଅଦୃଶ୍ୟ ହୋଇଗଲା । ସେଇଠୁ ସାନ ମଝିଆଁ ଭାଇ କହିଲା କଳିଙ୍ଗ ଦେଶର ରାଜାଙ୍କ ଛାମୁରେ ମୋତେ ବହୁମୂଲ୍ୟ ଭେଟି ଦେଵାର ଅଛି । ମୋତେ ଶିଘ୍ର ରାଜଧାନୀ ସିଂହପୁର ନଗରକୁ ପଠାଇଦିଅ । ସେ ମଧ୍ୟ ଅଦୃଶ୍ୟ ହୋଇଗଲା । ଶେଷରେ ସେଠାରେ ସାନଭାଇ ଜଣକ ରହିଗଲା । ସାନ ଭାଇ ସାଧଵ ଭାବିଲା ଏକେଲା ଏତେ ବଡ଼ ଦ୍ଵୀପରେ ସେ ଵା କ'ଣ କରିଵ ? ତାକୁ ଏ ଦ୍ଵୀପ ବହୁତ ଭଲ ଲାଗିଥିଲା । ତେଣୁ ସେ ଭୂତକୁ କହିଲା ମୋର ତିନି ଭାଇଙ୍କୁ ଏଠାକୁ ଫେରାଇ ଆଣ ଆମେ ଏଇ ସୁନ୍ଦର ଦ୍ଵୀପରେ ସୁଖରେ ରହିବୁ । ତତ୍କ୍ଷଣାତ୍ ଅଦୃଶ୍ୟ ହୋଇଯାଇଥିଵା ବଡ଼ ତିନିଭାଇ ପୁଣି ଏଙ୍ଗାନୋ ଦ୍ଵୀପକୁ ଚାଲିଆସିଲେ ଏଵଂ ଭୂତଟି ସେଠାରୁ ଅଦୃଶ୍ୟ ହୋଇଗଲା ।
(କାହାଣୀ କାଳ୍ପନିକ; ଏଙ୍ଗାନୋ ଦ୍ଵୀପରେ ବହୁତ ପରେ ଜନଵସତି ଗଢି଼ଉଠିଥିଲା । ଏଠିକା ଲୋକଙ୍କୁ ଏଙ୍ଗାନୀୟ ମାନଵ ତଥା ତାଙ୍କର କଥିତ ଭାଷାକୁ ଏଙ୍ଗାନିଜ୍ କୁହାଯାଏ। ଏ ଦ୍ଵୀପରେ ଅଧୁନା ଚାରି ପାଞ୍ଚ ହଜାର ଲୋକ ନିଵାସ କରନ୍ତି । ସେମାନେ ଆଣ୍ଡାମାନୀୟ କି ମାଳୟୀ ସେ ଵିଷୟରେ ଏବେ ବି ସ୍ପଷ୍ଟ ହୋଇପାରିନାହିଁ କିନ୍ତୁ ମୁଖମଣ୍ଡଳରୁ ଏଙ୍ଗାନୀୟ ମାନଵମାନେ ମାଳୟୀ ଲୋକଙ୍କ ପରି ପ୍ରତିଭାତ ହୋଇଥାନ୍ତି । ଏକ ଭାରତୀୟ ଲୋକକଥା ଆଧାରରେ କେତେକ ପରିଵର୍ତ୍ତନ ସହ ଏହା ଲିଖିତ)
No comments:
Post a Comment