ହୋମରଙ୍କ ଓଡ଼େଶୀର Book 10 ଅନୁସାରେ ଯୋଗିନୀ(ଐନ୍ଦ୍ରଜାଲିକା) ସର୍ସି (Circe) ଓଡ଼ିସିଅସଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ନିଜ ଦେଶ ଇଥାକାକୁ ଫେରିଵା ପାଇଁ ପାତାଳ ଜଗତକୁ ଯାତ୍ରା କରି ମୃତ ଭଵିଷ୍ୟତ ଵକ୍ତା ଟାଇରେସିଆସଙ୍କୁ ଭେଟିଵା ଆଵଶ୍ୟକ। ଓଡ଼େସିଅସ୍ ପାତଳ ଲୋକକୁ ଯାଇ ଶିଶିଫସଙ୍କୁ ଅନନ୍ତ କାଳ ପାଇଁ ପଥର ଠେଲୁଥିଵାର ଦେଖିଥିଲେ । ହୋମର ତାଙ୍କର ଓଡ଼େଶୀ କାଵ୍ୟରେ ଶିଶିଫସଙ୍କ କାହାଣୀ ସଂକ୍ଷେପରେ ଵର୍ଣ୍ଣନା କରିଥିଲେ ଏଵଂ ପରେ ଅନ୍ୟ ଗ୍ରୀକ୍ ପୁରାଣରେ ସେ କାହାଣୀ ଉଲ୍ଲେଖ କରାଯାଇଛି ।
ଶିଶିଫସ୍ର କାହାଣୀ ଗ୍ରୀକ୍ ପୁରାଣ ଗାଥାର ଏକ ଅନନ୍ୟ ଅଧ୍ୟାୟ, ଯାହା ମାନବ ଜୀଵନର ଅର୍ଥହୀନତା ଓ ସଂଘର୍ଷକୁ ଗଭୀର ଦାର୍ଶନିକ ତତ୍ତ୍ଵ ସହିତ ଉପସ୍ଥାପନ କରେ। ଶିଶିଫସ୍ ଥିଲେ କୋରିନ୍ଥର ରାଜା, ଚତୁର ଓ ବୁଦ୍ଧିମାନ, କିନ୍ତୁ ଅହଙ୍କାରୀ। ତାଙ୍କର ଚାଲାକି ଦେଵତାମାନଙ୍କୁ ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ କରୁଥିଲା, କିନ୍ତୁ ତାଙ୍କ ଅହମିକା ତାଙ୍କୁ ଵିପଦରେ ପକାଇଲା । ଦେଵତାମାନଙ୍କ ମଧ୍ୟରେ ଵିଵାଦ ହେଲାବେଳେ ସେ ସେଥିରେ ମୁଣ୍ଡ ଖେଳାଇ ଦଣ୍ଡିତ ହୋଇଥିଲେ । ଗ୍ରୀକ୍ ପୁରାଣର କଥା ଅନୁସାରେ ନଦୀମାନଙ୍କର ଅଧିଷ୍ଠାତା ଦେଵ ଆସୋପସ୍ଙ୍କ ଝିଅ ଆଇଗିନା ଅତ୍ୟନ୍ତ ସୁନ୍ଦରୀ ଥିଲେ ।ଜିଉସ୍, ତାଙ୍କୁ ଦେଖି ମୋହିତ ହୋଇ, ତାଙ୍କୁ ଅପହରଣ କରି ଓଇନୋନ ନାମକ ଏକ ଦ୍ୱୀପକୁ ନେଇଗଲେ (ଏ ଦ୍ଵୀପ ପରେ ଆଇଗିନା ନାମରେ ପରିଚିତ ହେଲା)। ସେଠାରେ ଜିଉସ୍ ଆଇଗିନାଙ୍କ ସହ ସମ୍ପର୍କ ସ୍ଥାପନ କଲେ, ଯାହାଫଳରେ ତାଙ୍କର ପୁତ୍ର ଆଇଆକସ୍ (Aeacus) ଜନ୍ମ ହେଲା, ଯିଏ ପରେ ଆଇଗିନା ଦ୍ୱୀପର ରାଜା ହେଲେ। ଆସୋପସ୍, ତାଙ୍କ ଝିଅର ଅପହରଣ ଜାଣି କ୍ରୋଧିତ ହେଲେ ଓ ଜିଉସ୍ଙ୍କୁ ସମ୍ମୁଖୀନ ହେଵାକୁ ଚେଷ୍ଟା କଲେ। କିନ୍ତୁ ଜିଉସ୍ ତାଙ୍କୁ ଵଜ୍ରପାତ ଦ୍ୱାରା ପରାସ୍ତ କରି ନଦୀକୁ ଫେରାଇ ଦେଇଥିଲେ। ଏହି ଘଟଣାରେ କରିନ୍ଥର ରାଜା ଶିଶିଫସ୍ (Sisyphus), ଆସୋପସ୍ଙ୍କୁ ଜିଉସ୍ଙ୍କ କାର୍ଯ୍ୟ ଵିଷୟରେ ସୂଚନା ଦେଇଥିଲେ। ଜିଉସ୍ ଏଥିରେ କ୍ରୋଧିତ ହୋଇ ଶିଶିଫସ୍ଙ୍କୁ ଶାସ୍ତି ଦେଵାକୁ ମୃତ୍ୟୁର ଦେବତା ଥାନାଟୋସ୍କୁ ପଠାଇଲେ, କିନ୍ତୁ ଶିଶିଫସ୍ ଚାଲାକିରେ ଥାନାଟୋସ୍କୁ ବନ୍ଧନରେ ଆବଦ୍ଧ କରି ମୃତ୍ୟୁକୁ ଠକି ଦେଇଥିଲେ।
ଫଳତଃ ଏହା ଜିଉସ୍ଙ୍କୁ ଆହୁରି କ୍ରୋଧିତ କଲା ଏଵଂ ଶେଷରେ ଶିଶିଫସ୍ଙ୍କୁ ପାତାଳରେ ଅନନ୍ତ କାଳ ପାଇଁ ଶାସ୍ତିର ଵିଧାନ କରାଗଲା । ଏହି ଦଣ୍ଡ ଥିଲା ଏକ ଵିଶାଳ ପଥରକୁ ପାହାଡ଼ର ଶିଖରକୁ ଠେଲିଵା ଯାହା ପ୍ରତିଥର ଶିଖର ପାଖରେ ପହଞ୍ଚି ପୁଣି ଗଡ଼ି ଆସି ତଳକୁ ଖସିପଡୁଥିଲା। ଏହି ଅର୍ଥହୀନ ଓ ଅନନ୍ତ କାର୍ଯ୍ୟ ଶିଶିଫସଙ୍କର ଚିରନ୍ତନ ଦଣ୍ଡ ହେଲା। ଶିଶିଫସ୍ ପ୍ରତିଦିନ ପଥୟକୁ ଠେଲୁଥିଲେ, କ୍ଳାନ୍ତ ଓ ହତାଶ ହେଉଥିଲେ, କିନ୍ତୁ ଏ କାର୍ଯ୍ୟରୁ ଵିରତ ହୋଇ ପାରୁ ନ ଥିଲେ।
ଆଧୁନିକ ଦାର୍ଶନିକ ଆଲବେର୍ଟ କାମୁ ତାଙ୍କ ପୁସ୍ତକ “The Myth of Sisyphus”ରେ ଏହି କାହାଣୀକୁ ମାନଵ ଜୀଵନର ଅର୍ଥହୀନତାର ପ୍ରତୀକ ଭାବେ ଵ୍ୟାଖ୍ୟା କରିଛନ୍ତି, କିନ୍ତୁ ସେ ଏକ ଆଶାଵାଦୀ ଦୃଷ୍ଟିକୋଣ ଦେଇ କହିଛନ୍ତି ଯେ ଶିଶିଫସ୍ ନିଜର ଶାସ୍ତିକୁ ଗ୍ରହଣ କରି ଏହା ମଧ୍ୟରେ ଜୀଵନର ମୂଲ୍ୟବୋଧ ବୁଝି ପ୍ରତ୍ୟେକ ଥର ଭିନ୍ନ ଭିନ୍ନ ପ୍ରକାରେ ପଥର ଠେଲି,ଟେକି ଦଣ୍ଡ ମଧ୍ୟରେ ବି ସୁଖର ପ୍ରାପ୍ତି କଲେ । ଏହି କାହାଣୀ ଜୀଵନର absurdity ଓ ତାହା ମଧ୍ୟରେ ଅର୍ଥ ସୃଷ୍ଟିର ସାମର୍ଥ୍ୟକୁ ଉଜାଗର କରେ। ଜୀଵନରେ ଅନେକ କାର୍ଯ୍ୟ ଅର୍ଥହୀନ ମନେ ହୋଇପାରେ, ତଥାପି ମଣିଷ ଏହାକୁ ଚାଲୁ ରଖେ। ଜୀଵନର ଏହି ଅଯୌକ୍ତିକତାକୁ ସ୍ୱୀକାର କରି ତଥାପି ଉତ୍ସାହ ଓ ସ୍ୱାଧୀନତାରେ ଜୀଵନ ଯାପନ କରିଵାର ପ୍ରଵୃତ୍ତିକୁ କାମୁ ସବୁଠାରୁ ଯୁକ୍ତିଯୁକ୍ତ ଵିକଳ୍ପ ମାନନ୍ତି।
ଦୈନନ୍ଦିନ ଜୀଵନରେ, ମଣିଷ ଅନେକ ସମୟରେ ଏକ ଅନିଶ୍ଚିତ ଲକ୍ଷ୍ୟ ପାଇଁ ଶ୍ରମ କରନ୍ତି, ଯେପରି ଅନ୍ତହୀନ କାମ, ସଫଳତା ଵା ସୁଖର ପଛରେ ଦୌଡ଼ିଵା କିନ୍ତୁ ଶେଷରେ ମୃତ୍ୟୁର ଦର୍ଶନ ମାତ୍ରେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କ ପୂର୍ଵ କାର୍ଯମାନ ଅର୍ଥହୀନ ମନେ ହୋଇପାରେ। ପ୍ରକୃତରେ ଆମ ଜୀଵନ ହିଁ ଶିଶିଫସ୍ଙ୍କ ପଥର ଟେକା ପରି ଅଟେ । ଆମେ ପ୍ରତିଦିନ ପଥର ଟେକିଵା ଭଳି ଅନେକ ଅର୍ଥହୀନ କାମ କରନ୍ତି ଆଉ ଆମର ମୃତ୍ୟୁ ସେ ସମସ୍ତ କାର୍ଯ୍ୟର ଶେଷ ପରିଣତି ହୋଇଥାଏ । ଶିଶିଫସ୍ଙ୍କ କାହାଣୀ ଏକ ରୂପକ (metaphor) ଯେଉଁଠି ଅର୍ଥହୀନ ଶ୍ରମ ଜୀଵନର ଅଯୌକ୍ତିକତାକୁ ଚିତ୍ରଣ କରେ, କିନ୍ତୁ କାମୁ କହନ୍ତି ଯେ ଶିଶିଫସ୍ ଏହାକୁ ଗ୍ରହଣ କରି ନିଜର ଭାଗ୍ୟକୁ ସ୍ୱୀକାର କରନ୍ତି, ଯାହା ଏକ ପ୍ରକାର ବିଦ୍ରୋହ ଓ ସ୍ୱାଧୀନତା।
ତେବେ ଭାରତୀୟ ଗାଥାରେ ତ୍ରିଶଙ୍କୁର କାହାଣୀ ସହିତ ଗ୍ରୀକ୍ ପୁରାଣର ଶିଶିଫସଙ୍କ କାହାଣୀର କେତେକ ସାମ୍ୟ ରହିଛି ।
ବାଲ୍ମୀକି ରାମାୟଣର ବାଲକାଣ୍ଡରେ ତ୍ରିଶଙ୍କୁର କାହାଣୀ ଵର୍ଣ୍ଣିତ। ତ୍ରିଶଙ୍କୁ ଥିଲେ ଇକ୍ଷ୍ଵାକୁ ବଂଶର ଜଣେ ରାଜା, ଯାହାଙ୍କର ଏକ ଅସାଧାରଣ ଇଚ୍ଛା ଥିଲା ସଶରୀର ସ୍ଵର୍ଗଗମନ । ଏହି ଇଚ୍ଛା ଧର୍ମ ଓ ପ୍ରକୃତିର ନିୟମ ଵିରୋଧୀ ଅଟେ। ତ୍ରିଶଙ୍କୁ ନିଜର ରାଜଗୁରୁ ଵଶିଷ୍ଠଙ୍କୁ ଏହି ଇଚ୍ଛା ପୂରଣ କରିଵାକୁ ଅନୁରୋଧ କଲେ କିନ୍ତୁ ଵଶିଷ୍ଠ ଏହାକୁ ଅସମ୍ଭଵ ଓ ଅଧାର୍ମିକ କହି ମନା କରିଦେଲେ। ଫଳରେ କ୍ରୋଧିତ ହୋଇ ତ୍ରିଶଙ୍କୁ ଵଶିଷ୍ଠଙ୍କୁ ଅପମାନ କଲେ, ଯାହା ଫଳରେ ଵଶିଷ୍ଠ ତାଙ୍କୁ ଶାପ ଦେଲେ। ତ୍ରିଶଙ୍କୁ ତା’ପରେ ଋଷି ଵିଶ୍ଵାମିତ୍ରଙ୍କ ଶରଣ ନେଲେ, ଯିଏ ଵଶିଷ୍ଠଙ୍କୁ ଘୃଣା କରୁଥିଲେ । ଵିଶ୍ଵାମିତ୍ର ଏକ ମହାନ ଯଜ୍ଞ ଆୟୋଜନ କରି ତ୍ରିଶଙ୍କୁଙ୍କୁ ସଶରୀର ସ୍ଵର୍ଗକୁ ପଠାଇଵାକୁ ଚେଷ୍ଟା କଲେ। ଵିଶ୍ଵାମିତ୍ରଙ୍କ ତପଶକ୍ତିରେ ତ୍ରିଶଙ୍କୁ ସ୍ଵର୍ଗକୁ ଉଠିଗଲେ, କିନ୍ତୁ ଦେଵରାଜ ଇନ୍ଦ୍ର ତାଙ୍କୁ ସ୍ଵର୍ଗରୁ ତଳକୁ ଠେଲି ଦେଲେ, କାରଣ କୌଣସି ମାନଵ ସଶରୀର ସ୍ଵର୍ଗରେ ରହିପାରିବେ ନାହିଁ। ତ୍ରିଶଙ୍କୁ ପୃଥିଵୀ ଆଡ଼କୁ ଖସିପଡ଼ୁଥିଵାର ଦେଖି ଵିଶ୍ଵାମିତ୍ର ନିଜର ଶକ୍ତି ବଳରେ ତାଙ୍କୁ ମଝିରେ ଅଟକାଇ ଦେଲେ ଓ ତାଙ୍କ ପାଇଁ ଏକ ନୂଆ ସ୍ଵର୍ଗ (ତ୍ରିଶଙ୍କୁ ସ୍ଵର୍ଗ) ସୃଷ୍ଟି କରିଵାକୁ ଆରମ୍ଭ କଲେ। ଶେଷରେ, ଦେଵତାମାନଙ୍କ ସହ ଆପୋଷ ହେଲା ଏଵଂ ତ୍ରିଶଙ୍କୁ ସ୍ଵର୍ଗ ଓ ପୃଥିଵୀ ମଧ୍ୟରେ ଏକ ଅଵସ୍ଥାରେ ରହିଲେ, କେତେକ ଵର୍ଣ୍ଣନା ଅନୁଯାୟୀ ସେ ଏକ ତାରାମଣ୍ଡଳରେ ପରିଣତ ହେଲେ ଯାହା ତ୍ରିଶଙ୍କୁ ନାମରେ ଖ୍ୟାତ ହେଲା । ଏହି କାହାଣୀ ମାନଵୀୟ ଆକାଙ୍କ୍ଷାର ଅସୀମତା ଓ ପ୍ରକୃତିର ସୀମାବଦ୍ଧତା ମଧ୍ୟରେ ସଂଘର୍ଷକୁ ପ୍ରତିଫଳିତ କରେ।
ଶିଶିଫସ୍ ଓ ତ୍ରିଶଙ୍କୁଙ୍କ କାହାଣୀ, ଯଦିଓ ଭିନ୍ନ ସାଂସ୍କୃତିକ ପରମ୍ପରାରୁ ଉଦ୍ଭବ, ଉଭୟ କଥା ମଧ୍ୟରେ କିଛି ଗଭୀର ଦାର୍ଶନିକ ସାମଞ୍ଜସ୍ୟ ଦର୍ଶାଏ, ସେହିପରି କିଛି ଅସାମଞ୍ଜସ୍ୟ ମଧ୍ୟ ରହିଛି। ଉଭୟେ ଅସମ୍ଭଵ ଆକାଙ୍କ୍ଷାର ପଛରେ ଲାଗିଥିଲେ—ଶିଶିଫସ୍ ମୃତ୍ୟୁକୁ ଠକିଵାକୁ ଚାହିଁଥିଲେ, ତ୍ରିଶଙ୍କୁ ମଧ୍ୟ ମୃତ୍ୟୁକୁ ଏଡ଼ାଇଵା ପାଇଁ ସଶରୀର ସ୍ଵର୍ଗକୁ ଯିଵାକୁ ଚେଷ୍ଟା କରିଥିଲେ। ଏହି ଅହଙ୍କାର ଓ ଅସାଧାରଣ ଇଚ୍ଛା ଉଭୟଙ୍କୁ ଦୁର୍ଦଶାରେ ପକାଇଲା। ଉଭୟେ ଏକ ଚିରସ୍ଥାୟୀ ଅସମ୍ପୂର୍ଣ୍ଣତାରେ ଆବଦ୍ଧ ହେଲେ—ଶିଶିଫସ୍ ଅନନ୍ତ କାଳ ଯାଏଁ ପଥର ଠେଲିଲେ, ତ୍ରିଶଙ୍କୁ ସ୍ଵର୍ଗ ଓ ପୃଥିଵୀ ମଧ୍ୟରେ ଅନନ୍ତ କାଳ ଯାଏଁ ଅଟକି ରହିଗଲେ। ଉଭୟେ ଦୈଵୀ ଶକ୍ତିଙ୍କ ଵିରୋଧ କଲେ । ଶିଶିଫସ୍ ଜିଉସ୍ଙ୍କ ଓ ତ୍ରିଶଙ୍କୁ ଇନ୍ଦ୍ରଙ୍କ ନିୟମକୁ ଆହ୍ଵାନ କରିଥିଲେ। ଶିଶିଫସ୍ଙ୍କ କଥାରୁ ଜୀଵନର ଅର୍ଥହୀନତା ଓ ତାହା ମଧ୍ୟରେ ଅର୍ଥ ସୃଷ୍ଟିର ଶିକ୍ଷା ମିଳୁଥିଲାବେଳେ ତ୍ରିଶଙ୍କୁଙ୍କ କଥାରୁ ଅତ୍ୟଧିକ ଇଚ୍ଛାର ପରିଣାମ ଓ ଧର୍ମର ସନ୍ତୁଳନର ଶିକ୍ଷା ମିଳିଥାଏ। କିନ୍ତୁ ଉଭୟ କଥା ମଧ୍ୟରେ ଅସାମଞ୍ଜସ୍ୟ ମଧ୍ୟ ରହିଛି। ଶିଶିଫସ୍ଙ୍କ ଶାସ୍ତି ଅର୍ଥହୀନ ଓ ଅନନ୍ତ, ଯେଉଁଠି ମୁକ୍ତିର କୌଣସି ସମ୍ଭାଵନା ନାହିଁ, କିନ୍ତୁ ତ୍ରିଶଙ୍କୁଙ୍କ କାହାଣୀରେ ଏକ ଆପୋଷ ଓ ଅଂଶତଃ ସଫଳତା ରହିଛି। ଶିଶିଫସ୍ଙ୍କ ସଂଘର୍ଷ ଶାରୀରିକ ଓ ଅନନ୍ତ,ତ୍ରିଶଙ୍କୁଙ୍କ ସଂଘର୍ଷ ଆଧ୍ୟାତ୍ମିକ ଓ ଆକାଙ୍କ୍ଷାଭିତ୍ତିକ, ଯେଉଁଠି ଏକ ନିର୍ଦ୍ଦିଷ୍ଟ ଅଵସ୍ଥା ପ୍ରାପ୍ତ ହେଲା। ଗ୍ରୀକ୍ ଟ୍ରାଜେଡିରେ ଶିଶିଫସ୍ଙ୍କ କାହାଣୀ ଅହଙ୍କାର ଓ ଶାସ୍ତି ଉପରେ ଗୁରୁତ୍ଵ ଦେଇଛି,ତ୍ରିଶଙ୍କୁଙ୍କ କାହାଣୀ ଭାରତୀୟ ପରମ୍ପରାରେ କର୍ମ ଓ ଧର୍ମର ମହତ୍ତ୍ଵ ଦର୍ଶାଇଛି।
ଏହି ଦୁଇ କାହାଣୀ ଆଦି ଶଙ୍କରାଚାର୍ଯ୍ୟଙ୍କ ଭଜଗୋଵିନ୍ଦମ୍ର ଶ୍ଲୋକ ସହ ଗଭୀର ଭାବେ ସମ୍ପର୍କିତ। ଶଙ୍କରାଚାର୍ଯ୍ୟ କହିଛନ୍ତି
“ଦିନଯାମିନ୍ଯୌ ସାୟଂ ପ୍ରାତଃ ଶିଶିରଵସନ୍ତୌ ପୁନରାୟାତଃ।
କାଳଃ କ୍ରୀଡତି ଗଚ୍ଛତ୍ଯାୟୁ ତଦପି ନ ମୁଞ୍ଚତ୍ଯାଶାଵାୟୁଃ ॥”
ଅର୍ଥାତ୍ ଦିନ ଓ ରାତି, ସନ୍ଧ୍ୟା ଓ ପ୍ରଭାତ, ଶୀତ ଓ ଵସନ୍ତ ଵାରମ୍ବାର ଆସୁଛି ଓ ଚାଲିଯାଉଛି; ସମୟ ଚକା ଭଉଁରୀ ଖେଳୁଛି ଆଉ ସେଇ ଚକ୍ରଗତି ମଧ୍ୟରେ ଜୀଵନର ଆୟୁଷ କ୍ଷୟ ହେଉଛି, ତଥାପି ମନୁଷ୍ୟର ଆଶା ଓ ଇଚ୍ଛାର ପଵନ (ଆସକ୍ତି) ତାକୁ ଛାଡ଼ୁନାହିଁ। ଏହା ଜୀଵନର ନଶ୍ଵରତା ଓ ଆସକ୍ତିର ନିରର୍ଥକତା ଉପରେ ଆଲୋକପାତ କରେ।
ଶିଶିଫସ୍ଙ୍କ ଅହଙ୍କାର ଓ ମୃତ୍ୟୁକୁ ଠକିଵାର ଇଚ୍ଛା, ତ୍ରିଶଙ୍କୁଙ୍କ ଦେହ ସହିତ ସ୍ଵର୍ଗ ପ୍ରାପ୍ତିର ଆକାଙ୍କ୍ଷା—ଉଭୟେ ଏହି ଶ୍ଲୋକରେ ବର୍ଣ୍ଣିତ “ଆଶାଵାୟୁଃ” (ଆଶା ଵା ଆସକ୍ତିର ଵାୟୁ) ର ଉଦାହରଣ। ଶିଶିଫସ୍ଙ୍କ ଅନନ୍ତ ସଂଘର୍ଷ ଓ ତ୍ରିଶଙ୍କୁଙ୍କ ଅସମ୍ପୂର୍ଣ୍ଣ ଆକାଙ୍କ୍ଷା ସମୟର ଅଵିରାମ ଗତି ଓ ଜୀଵନର କ୍ଷଣସ୍ଥାୟୀ ପ୍ରକୃତିକୁ ପ୍ରତିଫଳିତ କରେ, ଯେପରି ଶ୍ଲୋକରେ “କାଳଃ କ୍ରୀଡତି ଗଚ୍ଛତ୍ଯାୟୁ” ମାଧ୍ୟମରେ ଵର୍ଣ୍ଣିତ। ଭଜଗୋଵିନ୍ଦମ୍ର ଏହି ଶ୍ଲୋକ ଉଭୟ କାହାଣୀକୁ ଏକ ଆଧ୍ୟାତ୍ମିକ ଦୃଷ୍ଟିକୋଣରେ ଵ୍ୟାଖ୍ୟା କରେ, ଯେଉଁଠି ଅତ୍ୟଧିକ ଆସକ୍ତି ମାନଵକୁ ମୁକ୍ତି ଵା ଆତ୍ମଜ୍ଞାନରୁ ଦୂରେଇ ରଖେ। ଶିଶିଫସ୍ ଓ ତ୍ରିଶଙ୍କୁଙ୍କ ଦୁର୍ଦଶା ସ୍ପଷ୍ଟ କରେ ଯେ ଅସୀମ ଇଚ୍ଛା ମାନଵକୁ ଏକ ଅନନ୍ତ ବନ୍ଧନରେ ଆବଦ୍ଧ କରିପାରେ ଏଵଂ ଭଜଗୋଵିନ୍ଦମ୍ର ପ୍ରୋକ୍ତ ଶ୍ଳୋକର ଵାର୍ତ୍ତା ଅନୁଯାୟୀ, ଏହି ଆସକ୍ତି ତ୍ୟାଗ କରି ଈଶ୍ଵର ଭଜନା ଓ ଆତ୍ମଜ୍ଞାନରେ ଜୀଵନର ଅର୍ଥ ଅନ୍ଵେଷଣ କରିଵା ଉଚିତ।
ଶିଶିଫସ୍ ଓ ତ୍ରିଶଙ୍କୁଙ୍କ କାହାଣୀ ଯଦିଓ ଭିନ୍ନ ସାଂସ୍କୃତିକ ପରମ୍ପରାରୁ ଉଦ୍ଭଵ, ମାନଵୀୟ ଆକାଙ୍କ୍ଷାର ଅସୀମତା ଓ ପ୍ରକୃତିର ସୀମାବଦ୍ଧତା ମଧ୍ୟରେ ସଂଘର୍ଷକୁ ପ୍ରତିଫଳିତ କରେ। ଉଭୟ କାହାଣୀ ଦୈଵୀ ଶକ୍ତିଙ୍କ ଵିରୋଧରେ ମାନଵର ଅହଙ୍କାର ଓ ଅସମ୍ଭଵ ଇଚ୍ଛାର ପରିଣାମକୁ ଦର୍ଶାଏ। ଶିଶିଫସ୍ଙ୍କ ଅନନ୍ତ ଶ୍ରମ ଜୀଵନର ଅର୍ଥହୀନତାର ପ୍ରତୀକ ହେଲାବେଳେ, ତ୍ରିଶଙ୍କୁଙ୍କ ଅସମ୍ପୂର୍ଣ୍ଣ ସ୍ଵର୍ଗଗମନ ଧର୍ମ ଓ କର୍ମର ସନ୍ତୁଳନକୁ ଉଜାଗର କରେ। ଆଦି ଶଙ୍କରାଚାର୍ଯ୍ୟଙ୍କ ଭଜଗୋଵିନ୍ଦମ୍ର ଶ୍ଲୋକ ଏହି ଦୁଇ କାହାଣୀକୁ ଏକ ଆଧ୍ୟାତ୍ମିକ ଦୃଷ୍ଟିକୋଣରେ ସଂଯୋଗ କରେ, ଯେଉଁଠି ଜୀଵନର ନଶ୍ଵରତା ଓ ଆସକ୍ତିର ନିରର୍ଥକତାକୁ ସ୍ୱୀକାର କରି ଈଶ୍ଵର ଭଜନ ଓ ଆତ୍ମଜ୍ଞାନ ମାଧ୍ୟମରେ ମୁକ୍ତିର ପଥ ଅନ୍ଵେଷଣ କରିଵାର ପରାମର୍ଶ ଦିଆଯାଇଛି। ଏହି କାହାଣୀଗୁଡ଼ିକ ଆମକୁ ଶିକ୍ଷା ଦେଇଛି ଯେ ଅତ୍ୟଧିକ ଆସକ୍ତି ମାନଵକୁ ଅନନ୍ତ ବନ୍ଧନରେ ଆବଦ୍ଧ କରେ, କିନ୍ତୁ ଜୀଵନର ଅଯୌକ୍ତିକତାକୁ ଗ୍ରହଣ କରି ମଧ୍ୟ ଅର୍ଥ ଓ ସ୍ୱାଧୀନତା ଅନୁସନ୍ଧାନ କରାଯାଇପାରେ।
(ଯୋଗିନୀ Circeଙ୍କ ଚରିତ୍ରରୁ ପ୍ରେରିତ ହୋଇ ମାର୍ଵେଲ୍ କମିକ୍ସରେ ଗୋଟିଏ ଚରିତ୍ର Sersi ସୃଷ୍ଟି କରାଯାଇଛି । ମାର୍ଵେଲ୍ କମିକ୍ସ ଅନୁସାରେ ଏହି ଯୋଗିନୀ ଵା ଐନ୍ଦ୍ରଜାଲିକା ହୋମରଙ୍କୁ ଭେଟିଥିଲେ ତଥା ଓଡ଼େସିଅସ୍ଙ୍କୁ ସାହାଯ୍ୟ କରିଥିଲେ)
No comments:
Post a Comment